କଣ୍ଡୁରୀ ଚରଣ ରାଉତ
ରମ୍ୟ ରଚନା ଦୃଷ୍ଟିରୁ ଆମ ଓଡ଼ିଆ ସାହିତ୍ୟର ପରିସର ସେତେଟା ବ୍ୟାପକ ନୁହେଁ । ତଥାପି କବିତା,ଗଳ୍ପ,ପ୍ରବନ୍ଧ,ରମ୍ୟ ରଚନାକୁ ନେଇ ଉଦୟଭାନୁ ପରିବାରର ଆୟୋଜିତ ସାପ୍ତାହୀକ ସାହିତ୍ୟ ପ୍ରତିଯୋଗିତା ଏ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ । ମାତ୍ର ରମ୍ୟ ରଚନା କ୍ଷେତ୍ରରେ ସାରସ୍ବତ ସାଧକଙ୍କ ଅଂଶଗ୍ରହଣରେ ଆଗ୍ରହ ଓ ନିଷ୍ଠା ସେପରି ଆଶାଜନକ ନୁହେଁ ।
ଏଥର ରମ୍ୟ ରଚନାର ବିଷୟବସ୍ତୁ ଥିଲା 'ନଖି ନାନୀ ପୁଅ ଭଗିଆ' । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝରର ପ୍ରତାପ କିଶୋର ରାଉତ ନିଜର ପ୍ରତାପ ଦେଖାଇବାରେ କିଛି ପରିମାଣରେ ସଫଳ ହୋଇଛନ୍ତି । ଉଦୟଭାନୁ ପରିବାର ତରଫରୁ ତା'ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
ଶ୍ରୀ ରାଉତଙ୍କ ଲେଖା ପୂର୍ବରୁ ଡକ୍ଟର ନିଖିଳାନନ୍ଦ ପାଣିଗ୍ରାହୀଙ୍କ ରମ୍ୟ ରଚନା ''ଶୋଇଲା ପୁଅର ଭାଗ୍ୟ" ସଂପର୍କରେ ସମ୍ୟକ୍ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଛି । ଉଦ୍ଦେଶ୍ୟ ରମ୍ୟ ରଚନା ସଂପର୍କରେ ଟିକିଏ ପରିଚିତ କରେଇବା ।ଶୋଇଲା ପୁଅର ଭାଗ୍ୟ ସବୁ କ୍ଷେତ୍ରରେ ଶୋଇ ନ ଥାଏ । ସେ ଲେଖିଛନ୍ତି - " ଚର୍ଚ୍ଚିଲ୍ ଜଣେ ବିଶାଳ ବପୁଧାରୀ ନିଦ୍ରାସକ୍ତ ବ୍ୟକ୍ତି ହୋଇ ମଧ୍ୟ ତତ୍-କାଳୀନ ଅଖଣ୍ଡ ବ୍ରିଟିଶ୍ ସାମ୍ରାଜ୍ୟର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ ଏବଂ ଭୟଙ୍କର ଦ୍ବିତୀୟ ବିଶ୍ବଯୁଦ୍ଧରେ ବ୍ରିଟେନକୁ ବିଜୟୀ କରିପାରିଥିଲେ - ତାହା ଆମ ପାଇଁ ବେଶ୍ ଆକର୍ଷଣୀୟ ମନେ ହେଉଛି ।"
କେବଳ ଚର୍ଚ୍ଚିଲ୍ ନୁହେଁ,ତାଙ୍କ ପରି ଅନେକ ଶାୟିତ ପ୍ରତିଭା ବିଷୟରେ ଆଲୋଚନା କରି ନିଦ୍ରା ଓ କର୍ମ ଦକ୍ଷତା ମଧ୍ୟରେ ଥିବା କ୍ଷିର-ନୀର ସଂପର୍କର ତର୍ଜମା କରିଛନ୍ତି । ଆଧୁନିକ ଜଞ୍ଜାଳମୟ ଯୁଗରେ ଉତ୍ତମ ନିଦ୍ରାର ଅଭାବ, ନିଦ୍ରା ପରୀକ୍ଷାଗାର, ନିଦ୍ରାର ସ୍ବରୂପ,ନିଦ୍ରା ଯୋଗୁଁ ଅକାଳରେ ପ୍ରାଣ ହରାଇଥିବା ଅନେକ ଉଦାହରଣ ଦେଇ ରଚନାଟିକୁ ସୁଖପାଠ୍ୟ କରାଇଛନ୍ତି । ଜଣେ ବଙ୍ଗୀୟ ରେଳଯାତ୍ରୀ ରେଳରେ ପୁରୀ ଆସୁଥିବା ସମୟରେ ପାଇଖାନା କବାଟ ଭାବି ରେଳ ଡବାର କବାଟ ଖୋଲି ନିଦ ବାଉଳାରେ ତଳକୁ ଖସି ପଡ଼ିବା କଥା ବି କହିଛନ୍ତି । ଡକ୍ଟର ପାଣିଗ୍ରାହୀ ଆଉ ଏକ ସୁନ୍ଦର ଉଦାହରଣ ଦେଇଛନ୍ତି । ସେ ଲେଖିଛନ୍ତି - " ନିଦ୍ରାଦେବୀ ଯେ କେବଳ ଦଣ୍ଡ ବିଧାନ କରନ୍ତି,ଏମିତି ଧାରଣା ଆମ ମନରେ ନ ରହିବା ଉଚିତ୍ । ଅନ୍ୟ ଦେବାଦେବୀଙ୍କ ପରି ନିଜ ଭକ୍ତ ଓ ବିଶ୍ବସ୍ତମାନଙ୍କୁ ସ୍ନେହ,ଆଦର ଓ ପୁରସ୍କାର ଢାଳି ଦିଅନ୍ତି ।ବାଜ ମାଝି ନାମକ ପାରାଦୀପ ବନ୍ଦରର ଜଣେ ଡକ୍ ଶ୍ରମିକ ପଣ୍ୟ ଖଲାସ କରିବା ପରେ ସେଇ ଜାହାଜରେ ଶୋଇ ପଡିଥିଲେ ।ଜାହାଜ ବନ୍ଦରରୁ ଛାଡ଼ି ଦେଇଥିଲା ।ଜାହାଜର କର୍ମଚାରୀମାନେ ଯେତେବେଳେ ଜାଣିଲେ ନିଦ୍ରାବଶତଃ ଭୁଲରେ ସେ ରହିଯାଇଛନ୍ତି ଓ ତାଙ୍କର ପରିଚୟ ପତ୍ର ସେମାନେ ଦେଖିଲେ ,ସେତେବେଳେ ତାଙ୍କ ସହିତ ଭଲ ବ୍ୟବହାର କରିବା ସହିତ ଖାଦ୍ୟ ଓ ପାନୀୟ ଦେଇ ତାଙ୍କର ଚର୍ଚ୍ଚା କରିଥିଲେ । ପରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରି ଇଣ୍ଡୋନେସିଆରୁ ବିମାନ ଯୋଗେ ମୁମ୍ବାଇ,ସେଠାରୁ ବିମାନରେ କୋଲକାତା ଓ ପରେ ଟ୍ରେନରେ ପାରାଦୀପ ଫେରିଥିଲେ । ସେ ଫେରିବା ଦିନ ତାଙ୍କୁ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ବଜନ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ । ଏମିତି ଅପ୍ରତ୍ୟାଶିତ ଜଳ,ସ୍ଥଳ ଓ ଆକାଶପଥରେ ବ୍ୟୟବହୁଳ ଯାତ୍ରା ଉପଭୋଗ କରିବାର ସୁବର୍ଣ୍ଣ ସୁଯୋଗ କେବଳ ନିଦ୍ରାଦେବୀଙ୍କ ପ୍ରଚ୍ଛନ୍ନ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇ ପାରିଥିଲା ।" ଏମିତି ରସାଳ ଭାବରେ ରମ୍ୟରଚନାକୁ ପରିବେଷଣ କରାଯାଇପାରେ ।
ଏବେ ମୂଳ ବିଷୟକୁ ଫେରିବା । ଶ୍ରୀ ରାଉତ ରମ୍ୟ ରଚନାଟିକୁ ସୁନ୍ଦର ଭାବେ ଆରମ୍ଭ କରିଛନ୍ତି । ନଖି ନାନୀ ପୁଅ ଭଗିଆ ପରି ପିଲାମାନେ ଯେ ବେଳେବେଳେ ଅସମ୍ଭବକୁ ସମ୍ଭବ କରିପାରନ୍ତି ତା'ର ଅନେକ ଉଦାହରଣ ଦେଇଛନ୍ତି ସେ । ଖତ ଗଦାରେ ପଦ୍ମ ଫୁଟିପାରେ ଓ ବିଭିନ୍ନ ପ୍ରତିକୂଳତା ସତ୍ତ୍ବେ ଅନେକ ବ୍ୟକ୍ତି କିପରି ସାଧାରଣରୁ ଅସାଧାରଣ ହୋଇପାରିଛନ୍ତି ତା'ର ବହୁତ ଉଦାହରଣ ବି ଦେଇଛନ୍ତି । ସମାଜବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ଶ୍ରେଣୀହୀନ ସମାଜ ଗଠନର ସ୍ବପ୍ନ ଦେଖିଛନ୍ତି ସେ ।
ପ୍ରାରମ୍ଭଟା ଚମତ୍କାର ହେଇଥିଲେ ବି ସେଇ ଧାରାକୁ ଲେଖକ ମହାଶୟ ଶେଷ ପର୍ଯ୍ୟନ୍ତ ବଜାୟ ରଖି ପାରିନାହାଁନ୍ତି । ଯେଉଁ ହାସ୍ୟବ୍ୟଙ୍ଗର ପ୍ରତିଫଳନରେ ରମ୍ୟରଚନାଟି ସମୃଦ୍ଧ ହେବା କଥା, ଲେଖକଙ୍କ ଦୃଷ୍ଟି ଓ ଦର୍ଶନର ନିର୍ଯାସ ଆଲୋଚିତ ହେବା କଥା ସେଥିରୁ କ୍ରମଶଃ ଦୂରେଇ ଯାଇଛନ୍ତି ସେ । ଆଉ ଟିକେ ଚେଷ୍ଟା କରିଥିଲେ ରମ୍ୟରଚନାର ବିଭିନ୍ନ ଦିଗ ସଂପର୍କୀୟ ତତ୍ତ୍ବ ସହିତ ତଥ୍ୟର ସୁଷମ ସମନ୍ବୟ କରି ସନ୍ଦର୍ଭଟିକୁ ଅଧିକ ସୁଖପାଠ୍ୟ କରାଯାଇ ପାରିଥାଆନ୍ତା ବୋଲି ମୋର ବିଶ୍ବାସ ।ତଥାପି ଲେଖକଙ୍କ ପ୍ରୟାସକୁ ସାଧୁବାଦ ଜଣାଉଛି ।ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରୁଛି । ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ବହୁତ ବହୁତ ଶୁଭ କାମନା ।
****
ଶିକ୍ଷକ, ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର


