7/05/2019

ଅନ୍ତରାତ୍ମାର ସ୍ୱର..

ଜୟଦେବ ସେନାପତି



ଦିନ ପରେ ଦିନ ମାସ ପରେ ମାସ
                     ଗଡିଯାଏ କେତେ ବରଷ ,
ଦୁଃଖ ଆସେ ମାଡି ସୁଖ ଯାଏ ସରି
                     ଲିଭିଯାଏ ମନୁ ହରଷ ।
ଦୁଇ ଦିନ ଏହି ମଣିଷ ଜୀବନେ
                   ଖୋଜୁଛି ଆରମ୍ଭ ଶେଷ,
ରାତି ପାହିବାକୁ ଆଉ ଅଳପ ବାକି
                 ଚାଲିଲାଣି ମୋ କ୍ଷୀଣ ନିଶ୍ୱ।ସ ।
ପକ୍ଷୀମାନେ ଯେଝା କରମ ସାରିଣ         
                  ଫେରିଲେଣି ତାଙ୍କ ନୀଡ,
ସମୟଟା ଏବେ ସଂକେତ ଦେଲାଣି
                   ବେଳ ହେଉଛି ଉଛୁର ।
ପଶ୍ଚିମ ଦିଗରୁ ଅସ୍ତଗାମୀ ରବି
                  ଡାକିଲେଣି ହାତ ଠାରୀ,
ଅଦୃଶ୍ୟ ପୁରରୁ ନିରବରେ କେହି
                ଶୁଣେ ସବୁ କାନ ଡେରୀ ।
ସୁରୁଜ ଡୁବିବ ଦିନ ସରିଯିବ
                ଅନ୍ଧାର ଆସିବ ମାଡି,
ଶରୀର ମନ୍ଦିର ଶୂନ୍ୟ ହୋଇଯିବ
                ଆତ୍ମା ଯିବ ଯେବେ ଛାଡି ।


ଶିକ୍ଷକ,ବିଷ୍ଣୁପୁର ୟୁ.ଜି.ଏମ୍.ଇ ସ୍କୁଲ୍ ।
ଜୟ ସାହିତ୍ୟ, ଜୟ ସମାଜ

ମାପ ଯନ୍ତ୍ର

ବସନ୍ତ କୁମାର ପଣ୍ଡା
ବାପାଙ୍କ ସାଥିରେ    ବଜାରକୁ ଥରେ    
            ବୁଲିବାକୁ ଯାଇଥିଲି
ପରିବା ହାଟରେ     କଣ୍ଟା ନିକିତିରେ
           ପନି ଆଣିଲେ ତଉଲି    l୧l
ତଉଲା ତଉଲି     ନୂଆ ମୁଁ ଦେଖିଲି
           ଜାଣିବାକୁ ଇଛାକଲି
ମନକୁ ବିଚାରି    ବାପାଙ୍କୁ ପଚାରି
           ଜାଣିବି ମନସ୍ଥ କଲି     l୨l
ତରଳ କଠିନ   ପଦାର୍ଥ ଓଜନ
           ଯନ୍ତ୍ର କଥା ପଢ଼ିଥିଲି
ଅନ୍ୟାନ୍ୟ ପଦାର୍ଥ    ମାପିବା ସମର୍ଥ
           ଯନ୍ତ୍ର ବିଷୟେ ପୁଛିଲି   l୩l
'ସିଜ୍ମୋମିଟର୍'      ତୀବ୍ରାଲୋକର
           'ଥର୍ମୋମିଟର୍' ତାପ
'ମ୍ୟାନୋମିଟର୍'    ଗ୍ୟାସୀୟ ଘନତ୍ଵ
          'କମ୍ପାସ୍' ଦିଗର ମାପ    l୪l
'ଅଲ୍ଟିମିଟର୍'           ଉଚ୍ଚତା ସୂଚାଏ
        'ଏମିଟର୍' ବିଦ୍ଯୁତ୍ ଧାର
'ଫୈଦୋମିଟର୍'    ବ୍ୟବହାରେ ମପା
         ଯାଏ ଗଭୀର ସାଗର    l୫l
'ଆନିମୋମିଟର୍'   ବାୟୁବେଗ ଆଉ
        'ବ୍ୟାରୋମିଟର୍' ବାୟୁଚାପ
'ଜାଇରୋସ୍କୋପ୍'ଯେ ବସ୍ତୁ ଗତି ପାଇଁ
       'ରେନ୍-ଗେଜ୍' ବର୍ଷାମାପ    l୬l
'ବାଇନାକ୍ୟୁଲାର୍'  'ଟେଲିସ୍କୋପ୍' ଧରି
         ଦୂରସ୍ଥ ବସ୍ତୁ ଦେଖିବା
'କ୍ୟାପିଲର୍ସ' ଏକ   ମାପକ ଯନ୍ତ୍ର ଯେ
         ଦୂରବସ୍ତୁ ସ୍ଥିତି ଜାଣିବା  l୬l                                          
'ରାଡାର୍' ଯନ୍ତରେ   ବାୟୁ ଯାନ ସ୍ଥିତି
          'ଫଟୋମିଟର୍' ଉଜ୍ଜଳତା
'ରେଡିଓମିଟର୍'       ବିକିରିତ ଉର୍ଜା
          ପ୍ରଶ୍ନ ମାପେ ବିଦ୍ଵାନତା  l୭l
'କ୍ୟାଲୋରୀମିଟର୍'  ଉଷ୍ମ ମାପନେ
      'କମ୍ୟୁଟେଟର୍' ବିଦ୍ୟୁତ୍ ଦିଗ
'ଏକ୍ଟିୟେମିଟର୍'      ରଶ୍ମି ମାପନେ
      'କାର୍ଡିୟୋ'    ହୃଦୟବେଗ   l୮l
ମାପିବାକୁ ଯନ୍ତ୍ର    ବିଜ୍ଞାନର ମନ୍ତ୍ର
      ଅଛି ଅନେକ ଆହୁରି
ବାପାଙ୍କୁ ଅଜଣା  କହିଦେଲେ ଜଣା
      ଶିକ୍ଷକୁଁ ଜାଣିବି ପଚାରି    l୯l
                  -0-
           
  ବଇଞ୍ଚା,ଇରମ,ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

ଭୂଲ୍‌

                                                            ଜଗନ୍ନାଥ ଜେନା (ଶିକ୍ଷକ)
ଭୂଲ୍‌ ତ ମୁଁ କରିଗଲି ଏ ଜୀବନ ସାରା 
ମରୁଭୂମିରେ ଖୋଜିଲି  ମନ୍ଦାକିନୀ ଧାରା ।
ଅମାବାସ୍ୟା ଆକାଶକୁ ମାଗିଲି ମୁଁ ଜହ୍ନ
ପଥରଠୁ ଆଶା କଲି ଫୁଲ ପରି ମନ ।
କାଲ ଆଗେ ତୋଳିଲି ମୁଁ ସ୍ୱରର ଝଙ୍କାର
ଅନ୍ଧ ଆଗେ ଦେଖାଇଲି ରୂପର ସମ୍ଭାର  ।     
ଶତ୍ରୁ ଆଗେ କହିଗଲି ଯେତେ ଦୁଃଖ କଥା
ଜୀବନର ଯାହା କିଛି ଦୋଷ ଦୁର୍ବଳତା ।
ଡାମରା କାଉକୁ ରଖି ସୁନାପଞ୍ଜୁରୀରେ
ଶିଖାଇଲି ରାମ ରାମ କୃଷ୍ଣ କୃଷ୍ଣ ହରେ ।
ଥକି ଗଲି ସବୁଠାରେ  ମୋର ପରାଜୟ 
ଭୁଲ୍‌ ବୁଝିବା ବେଳକୁ ସରିଛି ସମୟ ।

                                                                              କେନ୍ଦୁଝର 

ଜୟ ସାହିତ୍ୟ, ଜୟ ସମାଜ

ଶାଖା ଚଙ୍କ୍ରମଣ

ଉଷାରାଣୀ ପଣ୍ଡା


     ଅବସର ପ୍ରାପ୍ତ ଶଶିକାନ୍ତ ବାବୁ  ନିତିଦିନିଆ ଅଭ୍ୟାସ ଭଳି ଭୋର୍ ପାଞ୍ଚଟାରୁ ଉଠି ଦାଣ୍ଡ ଅଗଣା ଆଡେ ଉଣ୍ଡିମାରି ଖବର କାଗଜ ବାଲାକୁ ଉଣ୍ଡୁଥାନ୍ତି । କେଜାଣି କାହିଁକି ତା'ର ବିଳମ୍ବରେ ମନେ ମନେ ବିରକ୍ତିର ଭାବ । ଯେମିତି ଖବରକାଗଜ ଗେଟ୍ ଆଡେ ପକାଇଦେଇ ପିଲାଟି ଚାଲିଯାଏ ବାବୁ ମୁରୁକି ମୁରୁକି ହସି ପେପର୍‌ଟା ଗୋଟାଇ  ଆମୂଳଚୂଳ ପୃଷ୍ଠା ଗୁଡିକୁ ଥରେ ଓଲଟାଇ ଆଶ୍ବସ୍ତ ଅନୁଭବ କରନ୍ତି । ଏବେ ତ ଢେର୍ ସମୟ ମିଳୁଛି ପଢିବା ପାଇଁ  ଚା' ଟିକେ ପିଇ ସାରେ ଭାବି ମୁନା ବୋଉକୁ ଡାକ ପକାଇଲେ  "ଚାହା ହେଲାଣି ?" ମୁନା ବୋଉ କିଞ୍ଚିତ ବିରକ୍ତ ପ୍ରକାଶ କରି "ହଁ ହଁ ହେଲାଣି  ରୁହ  ଆଣୁଛି ।ଏ ମଣିଷ ଚାକିିରି ଛାଡିଲେ ବି ନିୟମ ଛାଡିଲେଣି ।" ଚାହାକପ୍‌ଟି ବଢାଇ ଦେଇ କିଛି ନ କହି ନିଜ କାମରେ ଲାଗିଗଲେ ।
         
          ଶଶିକାନ୍ତ ବାବୁ ଟିକେ ତେରଛା ଦୃଷ୍ଟିରେ ସ୍ତ୍ର୍ରୀ ଆଡକୁ ଚାହିଁ ଭାବିଲେ ସତରେ ମୁଁ ଜୀବନ ବେଉସାରୁ ନିବୃତ୍ତି  ପାଇ ଆରାମ ପାଇଁ ସମୟ ପାଇଲି ।ୟାକୁ ବୋଧେ  ଆଉ  ନିବୃତ୍ତିର ସୁଯୋଗ ନାହିଁ । ଦୀର୍ଘ ଚାଳିଶି ବର୍ଷ ହେଲା ଆମ ପାଇଁ କେତେ କଷ୍ଟ ନ ପଡିଛି ସତେ ?  ଅତୀତରେ ହଜି ଗଲେ । ଚା' ଯେ ଥଣ୍ଡା ହୋଇ ଯାଇଛି ଖିଆଲ ବି ନାହିଁ । ଠିକ୍ ସେତିକି ବେଳେ ସହକର୍ମୀ ରମାନାଥ ବାବୁ ଆସି କହିଲେ - "କ'ଣ ମହାଶୟ ଆଜି ବି ଭାବୁକ ସାଜିଛ ବୋଧେ ?" ଇତସ୍ତତଃ ହୋଇ ଶଶିକାନ୍ତ ଦେଖିଲେ ରମାନାଥଙ୍କୁ 'ଓଃ, ଆପଣ  ? ଆସନ୍ତୁ' କହି ପାଖ ଚେୟାରରେ ବସିବା ପାଇଁ କହି ପୁଣି ଡାକ ପକାଇଲେ ମୁନା ବୋଉକୁ "ହଇ ହୋ ଦେଖ କିଏ ଆସିଲେଣି ।" ମୁନା ବୋଉ ଯାଇ ଦେଖିଲେ ରମା ଭାଇ ଆସିଛନ୍ତି।

           ସମ୍ବୋଧନା ଜଣାଇ କୁଶଳ ପ୍ରଶ୍ନ ପଚାରିଲେ ।ଶଶିକାନ୍ତ  କହିଲେ -ଖାଲି ଭାଇ ସହ ଗପୁଛ କିଛି ତ ଦିଅ । ହଁ ହଁ  ମୁଁ କଥାରେ ମଜ୍ଜି ଯାଇଛି ,  ଚାହା ଆଣିବାକୁ ଗଲେ । ଚାହାପିଆ ପର୍ବ ସରିଲା। ତାପରେ  ଟଙ୍କା-ପଇସା କଥା ଆପଣଙ୍କ ଏରିୟର୍ ଆସିଗଲାଣି ? ମୋର ଯାହା ବାକି ଥିଲା ଏଇ ଦୁଇ ଦିନ ତଳେ ଆସି ଯାଇଛି । ସେ କଥା ପଚାରିବା ପାଇଁ ଆସିଥିଲି । ଶଶିକାନ୍ତ କହିଲେ "ହଁ ମୋର ବି ଯାହା ଆସିବାର ଥିଲା ଆସିଯାଇଛି । ସବୁତକ ବ୍ୟାଙ୍କରେ ଫିକ୍ସ କରିଦେଲି । ଆପଣ କଣ କଲେ?" ରମାବାବୁ କହିଲେ "ସେଇ ତ ଆମ ଜୀବନ ଆଧାର। ଦୀର୍ଘ ତିରିଶି ବର୍ଷର କଷ୍ଟାର୍ଜିତ ଧନକୁ ହାତଛଡା କରିବାକୁ ମନ ମାନିଲାନି। ଏଇ ପଇସା ନେଇ ପୁଅମାନେ କେତେ କ'ଣ ଯୋଜନା କଲେ ।" ଶଶିବାବୁ ପଚାରିଲେ "କାହିଁକି ? ସେମାନଙ୍କର କଣ ଅଭାବ ? ଭଲ ତ ରୋଜଗାର କରୁଛନ୍ତି।" ରମାବାବୁ କହିଲେ "ସବୁ ପଇସା ସେମାନଙ୍କ ଜିମା ଦେଇଦେଇ ଘରଟିକୁ ବିକ୍ରି କରି ସେଠାକୁ ଚାଲିଗଲେ ମାସେ ଲେଖାଏଁ ପାଳି କରି ଦୁଇଜଣ ରଖିବେ। ଥରେ ଯାଇଥିଲୁ ବଡ ପୁଅ ପାଖକୁ ବୋହୂର ବ୍ୟବହାରରେ ଆଉ ବଞ୍ଚି ଥିଲା ଯାକେ ପାଦ ନ ଦେବାକୁ ନିଷ୍ପତ୍ତି ନେଇଗଲୁ। କି ଭରସାରେ ସବୁ ସମର୍ପି ଗୋଲାମୀ ହେବାକୁ ଯିବୁ। ପୁଅମାନେ ଫୋନ୍‌ଫାନ୍‌ ନାହିଁ କି ଆସୁ ବି ନାହାନ୍ତି ।"
       
              ରମାବାବୁ କହିଲେ "କି ଯୁଗ ହେଲା ସତରେ କ'ଣ ପିଲାଙ୍କ ପାଇଁ ନକଲେ ଆଜୀବନ ପରିଶ୍ରମ କରି  ପାଠଶାଠ ପଢାଇ ଉପାର୍ଜନକ୍ଷମ କଲେ । ଆମଠୁ ଅଧିକରେ ଅଛନ୍ତି ,ତଥାପି କାହିଁକି ଏ ଚିନ୍ତାଧାରା ? ତିରିଶ ବର୍ଷରେ ଦୁନିଆର ଏ କି ପରିବର୍ତ୍ତନ ଆମ ସମୟରେ ଏମିତି ଥିଲାକି ?
 କେତେ କଷ୍ଟରେ ସର୍ଙ୍ଘଷ କରି ଚାକିରିଟିଏ ପାଇଲେ । ମାଆ, ବାପା ଭାଇଭଉଣୀଙ୍କ ଦାୟିତ୍ବ ଘରର ହାନି ଲାଭ ସବୁ ବୁଝି ଶେଷ ସମୟରେ ବାପା ମାଆଙ୍କର ସେବା କରି ଥିଲେ । ଆଜିର ଦୁନିଆରେ  ନିଜେ ଭଲ ତ ସବୁ ଭଲ  ଅର୍ଥର ମୋହରେ ଯାହା ବି କରିବେ । କି କଦର୍ଯ୍ୟ ଏ ଦୁନିଆ !"
   
           ଶଶିବାବୁଙ୍କ ଦୁଆର ଆଗରେ ଅଟୋରେ ଯୁବକ ଜଣେ ଓହ୍ଲାଇ ଘର ଅଭିମୁଖେ ଆସୁଥିବା ଦେଖି ଶଶିବାବୁ  ଯୁବକଟିକୁ ସେମିତି ଚାହିଁ ରହିଛନ୍ତି। ଚିହ୍ନା ଚିହ୍ନା ଲାଗୁଛି ମନେ ମନେ ଭାବୁଛନ୍ତି। ଯୁବକଟି ସାମନାକୁ ଆସି "ଏ ଶଶିବାବାଙ୍କ ଘରଟି ?"ଶଶିବାବୁ 'ହଁ' କହି ମୁଣ୍ଡ ଟୁଙ୍ଗାରିଲେ। ଯୁବକଟି ପାଦ ଛୁଇଁ ବିନମ୍ର ଭାବେ ଠିଆ ହୋଇଛି । ବସିବା ପାଇଁ କହିଲେ । ଯୁବକଟି କହିଲା "ମଉସା ମୁଁ ଆପଣଙ୍କ ସହପାଠୀ ବିଭୁର ପୁଅ ।" ଏବେ ଜାଣି ପାରିଲେ ତ ?" "ହଁ ହଁ ଜାଣିଲି" କହିଲେ ଶଶିବାବୁ । ଗଲା ପାଞ୍ଚବର୍ଷର ଭୁଲି ଯାଇଥିବା କଥାକୁ ମନରେ ଭାବିଲେ ବିଭୁ ; ଆଉ ସେ ଏକା ଶ୍ରେଣୀରେ ପଢୁଥିଲେ ମାଟ୍ରିକ ପରୀକ୍ଷା ଯାଏଁ । ପରିସ୍ଥିତି ଓ ଅର୍ଥ ଅଭାବରୁ ପାଠରେ ଡୋରି ବାନ୍ଧି ଗୋଟେ କିରାଣୀ ଚାକିରିରେ ନିଯୁକ୍ତି ହେଲା । ବନ୍ଧୁତା କିନ୍ତୁ ଭାଙ୍ଗି ନ ଥାଏ ।  ଥରେ  ତାଙ୍କ ଝିଅର ବାହାଘର ପାଇଁ ପାଞ୍ଚ ଲକ୍ଷ ଧାର୍‌ ମାଗି ଥିଲେ ଶଶିବାବୁ ପି ଏଫ୍ ଉଠାଇ ଟଙ୍କା ଦେଇଥିଲେ । ସେ ଟଙ୍କା ପରିଶୋଧ କରି ନ ଥା'ନ୍ତି। ସମୟ ସୁବିଧା ଦେଖି ଦେବା ପାଇଁ ଥରେ ଦି ଥର କହିଥିବେ। ତା'ପରେ ହଠାତ୍ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇ ଯାଇଛି। ସେ ପରାମର୍ଶ  ବେଳେ ମଧ୍ୟ ତାଙ୍କ ସ୍ତ୍ରୀ  ପ୍ରସ୍ତାବନା ଉଠେଇ ନଥିଲେ  l ବୋଧେ ବିଭୁ ଧାର ନେବା କଥା ଘରେ ଜଣାଇ ନଥିବେ ଭାବି ତୁନି ରହିଲି ।  ଧାର୍‌ ନେବା ଲୋକ ତ ନାହାନ୍ତି ସାକ୍ଷୀ ବି ନାହିଁ ।ଏମିତି ଭାବୁ ଭାବୁ ଯୁବକଟି ସୁଟ୍‌କେସ୍‌ ଖୋଲି ଟଙ୍କାବିଡା ବାହାର କରି କହିଲା "ମଉସା ! ବାପା କହୁଥିଲେ ମୋ ଭଉଣୀ ବାହାଘର ବେଳେ ଆପଣଙ୍କ ଠାରୁ ପାଞ୍ଚ ଲକ୍ଷ ଧାର୍‌ ନେଇଥିଲେ ସେ ଶୁଝି ନାହାନ୍ତି ।  ଆଉ ମୋତେ ବାରମ୍ବାର କହିଛନ୍ତି ଆପଣଙ୍କ ଟଙ୍କା ଦେବାକୁ ମୁଁ ଶପଥ ବି କରି ସାରିଛି। କିନ୍ତୁ ଏଇ କିଛି ଦିନ ତଳେ ମୁଁ ସେକ୍ରେଟେରୀୟାଟ୍‌ରେ ଅକାଉଣ୍ଟାଣ୍ଟ୍‌ ଭାବେ ନିଯୁକ୍ତି ହେଲି । ଟ୍ରେନି°ସରିଲା, ପୋଷ୍ଟିଙ୍ଗ୍ ହାଇଦ୍ରାବାଦରେ । ଆଉ ଗଲାବେଳେ ଆପଣଙ୍କ ଟଙ୍କାଟା ଦେଇଦେଇ ଚାଲଯିବି ଭାବି ଆସିଲି କହି ବିଡାତକ ହାତକୁ ବଢାଇ ବିନମ୍ର ନମସ୍କାରଟିଏ କରି ଗାଡି ଡେରି ହୋଇଯିବ କହି ଯିବାକୁ ପ୍ରସ୍ତୁତ ହେଲା ।  ଉଭୟେ ଦୁଆର ଯାକେ ଯାଇ ବିଦାୟ ଦେଇ ଆସି ପୁଣି ବସି ପଡିଲେ । ଦୁଇଜଣ କିଛି କ୍ଷଣ ମୌନ ରହିବା ପରେ ଦେଖିଲ କେତେ ଆଶ୍ଚର୍ଯ୍ୟ ଲାଗୁଛି ବିଭୁଙ୍କ ପୁଅ ଆଉ ଆମ ପିଲାମାନଙ୍କ ମଧ୍ୟରେ। ମୁଁ ଭାବୁଛି ଆମ ପୋଷଣରେ କିଛି ଅସୁବିଧା ଅଛି । ଇଏ ବି ଏ ଯୁଗର ପିଲା । ଏଇ କିଛି ଘଣ୍ଟା ପୂର୍ବରୁ ଆମେ ଭାବୁଥିଲେ ଏ ଯୁଗର ପିଲା ମାନଙ୍କ ବିଷୟରେ । ଆଉ ଭାବୁଥିଲେ ଭଲ ପିଲାମାନେ ଏ ଯୁଗରେ ଆଉ ନାହାନ୍ତି ; ହଁ ନା ? ଆମ ପିଲାମାନେ କାହିଁକି ଆମଠାରୁ ଅଧିକ ଆଶା କରୁଛନ୍ତି ?  ତାହେଲେ ଆମେ ସଠିକ୍ ମାର୍ଗ ନିର୍ଦ୍ଦେଶ ଦେଇ ନଥିଲେ?
   
           କିଛି କ୍ଷଣ ଚୁପ୍ ରହି ରମାବାବୁ କହିଲେ ଯେ ତିରିଶ ବର୍ଷର ଦୁନିଆ ଆଜିର ଦୁନିଆ ଭିତରେ ଅନେକ ତଫାତ୍ ଦେଖାଯାଉଛି । ତିରିଶ ବର୍ଷ ତଳେ ଦୁନିଆରେ ଅନେକ ଗରିବ, ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଥିଲେ। ଗରିବ ପରିବାରରେ ଜନ୍ମ ହୋଇଥିବା ହେତୁ ଭୋକର ମୂଲ୍ୟ ଜାଣୁ ଥିଲେ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା କଷ୍ଟସାଧ୍ୟ ହେଉଥିଲା ।  ପାଠରେ ଡୋରି ବାନ୍ଧି ଛୋଟମୋଟିଆ ଚାକିରି କରି ପରିବାର ମାଆ ବାପାଙ୍କ କଷ୍ଟ ବୁଝି ସାହାଯ୍ୟ କରିବା ମନୋଭାବ ଥିଲା । ବର୍ତ୍ତମାନ ଆମ ପିଲାଙ୍କ ସମୟ ଆସିଲା ବେଳକୁ ଆମ ଚିନ୍ତାଧାରା ବଦଳି ଗଲା । ଆମେ ଭାବିଲେ ଆମେ ଯେଉଁ କଷ୍ଟ ଅନୁଭବ କଲେ ଆମ ପିଲେ ତାହା ନ ଜାଣନ୍ତୁ ।  ଜୀବନରେ ଯାହା ସୁବିଧା ଅସୁବିଧା ହେଲା ଆମେ ସେମାନଙ୍କୁ ଭାଗୀଦାର ନକରି ନିଜେ କଷ୍ଟ ସହି ବିଳାସ ଜୀବନ ଦେଲେ । ଏୟା ଆମକୁ ଅଭିଶାପ ରୂପେ  ପରିଣତି ହେଲା । କିନ୍ତୁ ବିଭୁଛୋଟବେଳୁ ତାଙ୍କ  ଅଭାବ ଅନଟନ ବିଷୟରେ ପିଲାମାନଙ୍କୁ ଜଣାଇ ଥିବାରୁ ଆଜି ତା ପୁଅ ବାପାଙ୍କ ବାକ୍ୟକୁ ରକ୍ଷା କରି ଯୋଗ୍ୟପୁତ୍ର ହେଇପାରିଛି।
 
             ଶଶିକାନ୍ତ କୁ ଏକଥାଟା ମନକୁ ପାଇଲା  ବନ୍ଧୁ ତୁମ କଥା ଅକ୍ଷରେ ଅକ୍ଷରେ ସତ। ପରିବର୍ତ୍ତନ  ସହଜସିଦ୍ଧ  ଯୁଗ ବଦଳୁନି ଆମ ଚିନ୍ତାଧାରା ବଦଳୁଛି।  ପିତାମାତାମାନେ  ଅତି ଗେହ୍ଲା ରେ ବଢାଇ  ଦାୟିତ୍ବଶୂନ୍ୟ କରିଦିଅନ୍ତି । " ଅତି ସର୍ବତ୍ର ବର୍ଜହତ୍"  କଥାକୁ ଭୁଲିଯାନ୍ତି। ପିତାମାତାଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ଠିକ୍ ଯତ୍ନ ନେବା ,ଶାଖା ଚଙ୍କ୍ରମଣ ଧର୍ମର" ସଠିକ ନିର୍ଦ୍ଦେଶ ଦେଇ ନଥାନ୍ତି। ଯୁଗକୁ କାହିଁକି ନିନ୍ଦିବା ଏହାର ପରିବର୍ତ୍ତନ ଅପରିର୍ହାଯ୍ୟ।  ଯୁଗକୁ ଯୁଗ ଏହି ମତେ, ପରମାନନ୍ଦ ଏ ଜଗତେ ।   ଚାଲ ଡେରି ହେଲାଣି କହି ଆସନରୁ ଉଠିଲେ

             
     ସୋମପେଣ୍ଠ,,   ଆନ୍ଧ୍ରପ୍ରଦେଶ

ଜୟ ସାହିତ୍ୟ, ଜୟ ସମାଜ

🌠ଅସରା ପଥ ଅଲିଭା କ୍ଷତ🌠

ସସ୍ମିତା ମହାପାତ୍ର

ମୋ ନାଁରେ ତୋ' କଲମରୁ କେତେ ସ୍ୟାହି ସରଅଛି ।
ତୋ ନାଁରେ ମୋ ଆଖି କୋଣରୁ ସେତିକି ଲୁହ ଝରିଛି ।।
ତୁ ବସି ବସି ଲେଖିଚୁ କବିତା ଉତାରିଛୁ ତୋ ଆବେଗ ।
ମୋ ଛାତି ଚିରି ଧମ୍ ଧମ୍ ଗତି ଉତକ୍ଷେପିଛି କେତେ ବାଗ ।।
ତୁ ରହିଅଛୁ ଲଞା ତାରାର ହଜିଲା ଦିଗେ ଅନାଇ ।
ମୁଁ ସାଉଁଟିଛି ସାଗର ମେଖଳା ତୋ ପାଦର ଧୂଳି ପାଇଁ ।।









ତୁ ଜାଳିଅଛୁ ଶ୍ରାବଣ ଋତୁରେ ମୋ ଅଙ୍ଗ ସୌଷ୍ଠବ ଯେତେ ।
ମୁଁ ଖୋଜିଅଛି ତୋ ହାତ ଅବିର ଫଗୁଣ ଋତୁରେ ସେତେ ।।
ତୁ କରିଅଛୁ ତୁଛାଟାରେ ମତେ ପାଗଳ ମୀରାର ସ୍ବର ।
ମୁଁ ପିଇଅଛି ନିରବ ସ୍ବରରେ ମନ ତଳର ଜହର ।।
ତୁ ଦେଇ ଗଲୁ ଯେଉଁ ଦାଗ ମୋର ମନ ପରଦାରେ ବୋଳି ।
ମୁଁ ଧୋଉଅଛି ଜୁଇର ଜାଳରେ ଲଭି ଯିବ ସତେ ଜଳି ।।
ତୁ ଆସୁଥିବୁ ମୁଁ ଆସୁଥିବି କାଳରୁ କାଳକୁ ଧାଇଁ ।
ମୁଁ ଚାହିଁଥିବି ତୋ ଫେରା ପଥକୁ ତୁ ଥିବୁ ମୋ ବାଟ ଚାହିଁ ।।

ଓଲ୍‌ଡ୍‌ ଟାଉନ୍‌
ଭୁବନେଶ୍ବର 
ଜୟ ସାହିତ୍ୟ, ଜୟ ସମାଜ

📃ଜଗତ ମଧ୍ୟରେ ସାର📃

ମହାସ୍ମିତା ଓଝା

ସକାଳ ନୁହେଁ କି ଶେଷ ରାତି ନୁହେଁ
              ମଧ୍ୟାହ୍ନ ଲେଖନୀ ଧାରା
ଭାଷା ସାହିତ୍ୟର ଭାବନାରେ ମୁଁ
               କଲମ ଧରିଛି ପରା ।
ଓଡିଆ ଭାଷାର ପ୍ରଚାର ପ୍ରସାର
                ବହୁଳ ଭାବରେ ହେଉ
ନୂତନ ପିଢିଙ୍କୁ ଲେଖିବା ଦେଖିଲେ
               ଜୀବନ ମୋ ଶାନ୍ତି ପାଉ ।
ହଜି ହଜି ପୁଣି ବାଟ ଭୁଲିଯା'ନ୍ତି
                ନବୀନ ତରୁଣ ଦଳ
ଅଭିମନ୍ୟୁ ଭାବେ ଭାଷା ଆନ୍ଦୋଳନେ
                ସାରଥି ସାଜ ଯୁଦ୍ଧର ।
ଲେଲିହାନ ଶିଖା ଭରି ଦିଅ ତୁମେ
               ଭାଷା ସୁରକ୍ଷାର ପାଇଁ
ଛାନ୍ଦ,ଚଉପଦୀ ,ଭାଗବତ ,ଗୀତା
               ଜୀବନେ ଦିଅ ଖେଳାଇ ।
ଓଡିଆ ଆମେରେ ଭାଷା ମୋ ବଢିଆ
               ସୁନ୍ଦର ତା'ଠୁଁ କେ' ନାହିଁ
ହାତେ ହାତ ରଖି ଶପଥ କରିବା
              ଭାଷା ବଞ୍ଚାଇବା ପାଇଁ ।
ଲେଖିବା ପଢିବା ନିଶ୍ଚୟ କରିବା
               ଓଡିଆରେ ପଢା ଲେଖା
ଭାଷା ନ ବଞ୍ଚିଲେ କିବା ପରିଚୟ
              ଓଡ଼ିଶାର ନାହିଁ  ସଖା ।
କେତେ ସୁନ୍ଦର ମୋ ଭାଗବତ ବାଣୀ
              କେଡେ ମଧୁର ତା' ଭାଷା
ଯେଉଁ ବିଦେଶୀ ତ ଓଡିଶା ଆସିଛି
                ପଖାଳ ,ଶାଗର ବାସ୍ନା ।
ଭୁଲିପାରି ନାହିଁ ବଡ ଠାକୁରଙ୍କୁ
                 ବର୍ଷ ବର୍ଷ ଆସେ ବୁଲି
ସେ ଦାରୁ ଦେବତା ନାହିଁ ହାତ ପାଦ
                   ଭକତ ଆସନ୍ତି ଚାଲି ।
ପଖାଳ କଂସାର ମାୟାରେ ଭୁଲଇ
                   ସକଳ ବିଷାଦ ତା'ର
ମାୟା ରୂପ ଧରି ନାଲିଆ ଅଧରେ
                   ସେହି ପରା ଯାଦୁଗର ।
ଜୀବନର ମୋକ୍ଷ, ସେ ପରା ନିର୍ବାଣ
                  ଲେଖା ଅଛି ଭାଗବତେ
କରି କରାଉ ଅଛି ପରା ସେହି
                  ନାହିଁ ତା' ପରି ଜଗତେ ।
ଓଡିଶାର ପାଣି ପବନରେ ଗଢା
                  ଏଇ ଶରୀରଟି ମୋର
ଲେଖେ ମହାସ୍ମୀତା ମୋ ଓଡିଆ ଭାଷା
                 ଜଗତ ମଧ୍ୟରେ ସାର ।
ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ

ବାଃ ବାଃରେ ମୋ ରାଜନୀତି

ଲୋରୀ ସ୍ବାଇଁ


କୁଜିନେତା ସବୁ ହାଇଜମ୍ପ ମାରି
କରିଲେଣି ଠିଆ ପାଲା
ଭୋଟ୍ ଆସୁନି ନୋଟ୍‌ ଆସୁଛି
ପକେଟ କଲେଣି ଖୋଲା ।
ଆହାରେ ମୋ ନନ୍ଦଲାଲା ;
ଯେତିକି ଖଞ୍ଜିଛ ପାଣ୍ଠିରେ ଲବଣୀ
ଲୁଟିବେ ଚାମୁଣ୍ଡା ଚେଲା ।।

ପାଦତଳେ ମାଖି ସୋରିଷ ତେଲକୁ
ନରମ କରିବେ ନିତି
ଗାଆଁ ଗଣ୍ଡାରେ ଟେଣ୍ଟେ ନଗେଇ
ଖେଳିବେ ଯେ କିତିକିତି
ବାଃ ବାଃରେ ମୋ ରାଜନୀତି;
ଭୋଟ୍ ପେଇଁକି କା' ଦେଇପିଣ୍ଡିରେ
ଚୂଲି ନଗେଇବେ ଫୁଙ୍କି ।।


ଧୋବ ଫର ଫର ହାୟନି ଜାମାକୁ            
ଉଜାଲାରେ ଧୋଇ ଦେଇ
କି ରଙ୍ଗ ଦେଖିବ ଶୃଗାଳ ମାନଙ୍କୁ
ସତେ ସେ ଧରମ ଜୋଇଁ
ବିଷ୍ଟାରୁ କାଢ଼ନ୍ତି ଉଇ ;
ଉପରେ ପଡିଲେ ପୋଛିପାଛି ଦେଇ
ଭାବି ଖାଇଯିବେ ଖଇ ।।               

ମାଇପ ବୋଲିଆ କରମ କୁଢ଼ିଆ
ଖଚୁଆ ମିଛୁଆ ଯେତେ
ପୋଇଲି ଥୋଇଲି ଏକଠାବେ ମେଳି
ପର ପାଖେ ଦିନ ବିତେ ।
କୁଜିନେତା ବେଶି ମୂତେ ;
ଭାରିଯା ବି ଜେ ଡ଼ି ଗେରସ୍ତ ବି ଜେ ପି
ଗଡ଼ାଗଡ଼ି ରଣ କ୍ଷେତେ ।।


ମାଆ ଫୁଙ୍କେ ଶଙ୍ଖ ବୋପା ପଦ୍ମ ରଙ୍କ
ପୁଅର ପାଞ୍ଚ ଅଙ୍ଗୁଳି
କମ୍ଯୁନିଷ୍ଟି ପାଇଁ ଝିଅ ହୋଇ ବାଇ
ବୁଲୁଅଛି ବାର ଗଳି ।
କେ' ନୁହେଁ କାହାକୁ ବଳି ;
କଟୁରି ପନିକି ଝାଡ଼ୁ ଆଉ ଡ଼ଙ୍କି
ବେଲଣା କାଠିରେ କଳି ।।

ଓସ୍ତପୁର,କାକଟପୁର,ପୁରୀ 
ଜୟ ସାହିତ୍ୟ, ଜୟ ସମାଜ

ଫେରେଇ ଆଣ

କାଦମ୍ବିନୀ ଖୁଣ୍ଟିଆ 

ହେ କଳା ଠାକୁର   ପ୍ରଭୁ  ଜଗନ୍ନାଥ
     ପ୍ରାର୍ଥନା ଶୁଣ ଆମର,
ଫେରେଇ ଆଣ ହେ  ବାୟୁସେନାଙ୍କୁ ହେ
      ପୁତ୍ର ଭାରତ ମାଆର...

ଚେନାଏ ଖୁସିକୁ   ମାଖି ଦେଇ ତୁମେ
     କାହିଁକି ଦେଉଛ ଦୁଃଖ,
ଖୁସି ସବୁ ଆଜି   ଫିକା ପଡିଗଲା
      ହସୁଛି  ଆତଙ୍କବାଦ...

ସହି ହେଉନାହିଁ   ଦୁଃଖ ଓ ଯନ୍ତ୍ରଣା
        କର ତୁମେ ଚମତ୍କାର,
ବହୁ ଗାଥା କହେ  ଆଦି ନାରାୟଣ
   ଫେରେଇ ଆଣ ମା' କୋଳ...

 ଆହେ ପ୍ରଭୁ ଚକ୍ର  ପେଶି ନକ୍ର୍ର ନାଶି     
       ଆତଙ୍କୀ ନାଶନ କର,
ଆତଙ୍କବାଦୀର  ସମୂଳେ ବିନାଶ
       କରି ବାନା ଜୟ କର...

ଫେରି ଆସ ତୁମେ   ଆହେ ସଇନିକ
           ସୁପୁତ୍ର ଅଭିନନ୍ଦନ,
ମାଟି ମାଆ କାନ୍ଦେ ବାହୁନି ବାହୁନି
       ଫେରି ଆସ ପ୍ରାଣଧନ...

ଆକାଶ ଝରାଏ  ଅଶ୍ରୁଳ ବରଷା
     ବୀର ଯବାନଙ୍କ ପାଇଁ,
ଫେରି ଆସ ତୁମେ  ଆତଙ୍କବାଦରୁ
     ଶୁଭର ବାରତା ନେଇ...

 ଅରିମୂଳ, କେନ୍ଦ୍ରାପଡ଼ା 
ଜୟ ସାହିତ୍ୟ, ଜୟ ସମାଜ

ଯଲିଉଡ଼ରେ ନଗ୍ନତା-ଏକ ସମନ୍ବୟ ବିଚ଼ାର ବିମର୍ଷର ଉଚ଼ିତ ସମୟ

ବୈଜୟନ୍ତୀ ସାହୁ

                 କଳା ମଣିଷ ଜୀବନର ଏକ ଅବିଚ୍ଛେଦ୍ଯ ଅଙ୍ଗ । ଯୁଗ ଯୁଗ ଧରି ମଣିଷ କଳା ମାଧ୍ୟମରେ ନିଜକୁ ପରିପ୍ରକାଶ କରି  ଆତ୍ମସନ୍ତୋଷ ପାଏ । କଳାକାର ତା'ର କଳା ମାଧ୍ୟମରେ ପ୍ରତିଭା ଦେଖାଇବାକୁ ଚେଷ୍ଟା କରି ରୋଜଗାର କରିଥାଏ, ପ୍ରତିଷ୍ଠା ପାଇଥାଏ, ଏପରିକି ମୃତ୍ଯୁ ପରେ ବି ବଞ୍ଚି ରହିଥାଏ । କଳାକାରର ଅଭିନୟଏକ  ଅନୁକରଣୀୟ ମନ୍ମୟ ଅଭିବ୍ୟକ୍ତ । କଳାକାରଟିର ଜୀବନ ଯେତେ ଦୁଃଖ, ଝଡ ଝଞ୍ଜାରେ ଥିଲେ ବି ସେ ତାକୁ ଲୁପ୍ତ ରଖି ତା'ର ନୂଆ ନୂଆ ଉପସ୍ଥାପନା ଢଙ୍ଗିରେ,ଭଙ୍ଗିରେ କଳାଚାତୁରୀ ମାଧ୍ୟମରେ ହସାଇ,ଭସାଇ ଲୋକ ମାନଙ୍କ ମନରୁ ଦୁଃଖ ଲାଘବ କରି ସରସତା ଭରି ଦେବାକୁ ଚେଷ୍ଟା କରେ । ତା'ର ଏହି ସମଷ୍ଟିର ଅଭିବ୍ୟକ୍ତିରେ,ବ୍ୟକ୍ତି ସୄଷ୍ଟିରେ ପ୍ରକାଶଲାଭ କରି କଳା ମାଧ୍ୟମେ ଜଗତ ଓ ଜୀବନ ଦ୍ଯୋତକ ହୋଇଥାଏ ।ଏହା ନୃତ୍ଯ,ସଙ୍ଗୀତ,ଅଭିନୟ, ପ୍ରକାଶ ଭଙ୍ଗୀ ଉପରେ ଗୁରୁତ୍ବ ଆରୋପ କରିଥାଏ । ଉପଯୁକ୍ତ ଶୈଳୀର ଆରୋପ ଦ୍ବାରା ରୂପଗତ ମୂଲ୍ଯ ଯୋଗୁଁ ଜନ ସାଧାରଣଙ୍କ ଆଖି ଲାଖିଯାଏ । ଏହା ହିଁ ଜଣେ କଳାକାରର ବିଶେଷତ୍ବ ।

      ଦ୍ବିତୀୟତଃ‐ମଣିଷ ଶରୀର ବିକାଶ ଓ ପୁଷ୍ଟି ନିମିତ୍ତ ବହୁ ପଦାର୍ଥର ଆବଶ୍ଯକ ରହିଛି । ତନ୍ମଧ୍ୟରୁ ମନକୁ ପ୍ରଫୁଲ୍ଲ ରଖିବା ନିମିତ୍ତ ଅଭିନୟ,ଯାତ୍ରା,ନାଟକ,ପାଲା, ଦାସକାଠିଆ, ଧୁଡୁକି,ଦଣ୍ତନାଚ,ଥିଏଟରଆଦି ଦେଖି କର୍ମକ୍ଲାନ୍ତ ମଣିଷ ଜୀବନରେ ଟିକିଏ ଆନନ୍ଦ ଭରିଦେବା ହେଉଛି ଏହାର ଲକ୍ଷ୍ଯ । କ୍ଷଣିକ ପାଇଁ ମଣିଷକୁ ଅନ୍ଯ ଏକ ଜଗତକୁ ନେଇଯାଏ ; ଯେଉଁଠାରେ ଶୋକ,ଦୁଃଖ,ଜଞ୍ଜାଳ ନଥାଏ ।କଳାକାରର କୃତ୍ରିମ ଅଭିନୟ ତାକୁ ବିସ୍ମୃତ କରିଥାଏ ତା'ର ଜୀବନ ଯନ୍ତ୍ରଣାରୁ । କିନ୍ତୁ ଏହା ମୂଳରେ ପ୍ରକୃତ ଉଦ୍ଦେଶ୍ୟ  ଥାଏ ବି ସମାଜକୁ କିଛି ଶିକ୍ଷା ପ୍ରଦାନ । ଆଧୁନିକତାକୁ ଅଙ୍ଗୀକାର କରି ଯାତ୍ରା ତା'ର ପରୀପାଟିରେ ପରିବର୍ତ୍ତନ କରିଚାଲିଛି । କିନ୍ତୁ ତାହା ଅନେକ ଅଂଶରେ ଯାତ୍ରା ଜଗତ ପାଇଁ ମଙ୍ଗଳ କି ଶୁଭାଙ୍କର ନୁହେଁ ।

     ଆଧୁନିକତାର ଦ୍ବାହି ଦେଇ ଯାତ୍ରା ପରମ୍ପରାକୁ ବିକଳାଙ୍ଗ କରିଦେବା ଉଚିତ ନୁହେଁ । ଗୀତନାଟ୍ଯ, ରାସ, ଦଣ୍ତନାଚ, ଘୋଡାନାଚ,ଗୀତାଭିନୟ , ଲୀଳାଭିନୟ ଆଦି ମାନଙ୍କର ପ୍ରାୟ ଅନ୍ତ ଘଟୁଛି ।ପ୍ରାଚୀନ ଲୋକକଳା‐ପାଲା, ଦାସକାଠିଆ, ଘୋଡାନାଚ, ଚଢେୟାନାଚ ଆଦିରେ  ନଗ୍ନତା ନଥାଇ ଲୋକଙ୍କୁ ଆକୃଷ୍ଟ କରିପାରୁଛି । ଆଧୁନିକତାର ନାମେ ଯାତ୍ରାକୁ ଲୋକାଭିମୁଖି କରିବା ପାଇଁ ନଗ୍ନତା ପରିବେଷଣ କରାଯାଇ ଦର୍ଶକ ମାନଙ୍କ ପାଖରେ ଆଦର ଶତଗୁଣିତ କରିବାର ଚେଷ୍ଟା ଏକ ଅସଫଳ ପ୍ରୟାସ ମାତ୍ର । କାଳକ୍ରମେ ଏହାଏକ ବ୍ୟବସାୟରେ ପରିଣତ ହୋଇ ଅର୍ଥ ଉପାର୍ଜନରେ ପ୍ରତିଯୋଗିତା କରି ପ୍ରକୃତ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ କଳାକାର ମାନଙ୍କର ରୋମାଣ୍ଟିକ ଦୃଶ୍ୟ , ଯୌନ ଉଦ୍ଦୀପକ ପୋଷାକ ବ୍ୟବହାର ,ଅଶ୍ଲୀଳ ବେଶଭୂଷା ତଥା ଅର୍ଦ୍ଧଉଲଗ୍ନ ଶରୀର ପ୍ରଦର୍ଶନ କରି ରୁଚି ବିକାର ସୃଷ୍ଟି କରୁଛନ୍ତି ।

          ଆଧୁନିକ ଯାତ୍ରା ପରିବେଷଣର ଏକ କଳୁଷିତ ଦିଗ ହେଉଛି ରେକର୍ଡ୍‌ ଡ୍ୟାନ୍ସର ଆଇଟମ ଡ୍ଯାନ୍ସରେ ଅଳ୍ପ ବସ୍ତ୍ର ପରିଧାନ କରି ଯୁବତୀମାନେ ଯେଉଁଭଳି ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି ନୄତ୍ଯ ପରିବେଷଣ କରିଥାନ୍ତି,ପରିବାର ଧରି ବସିଥିବା ଦର୍ଶକ ମାନଙ୍କ ପାଖରେ ଦେଖିବା ଆଦୌ ସମ୍ଭବ ନୁହେଁ । ଏହାଦ୍ବାରା ଲୋକମାନେ ସେମାନଙ୍କୁ ଅନୁସରଣ କରି ଅନୁରୂପ ବ୍ଯବହାର ପ୍ରଦର୍ଶନ କରିଥାନ୍ତି । ବ୍ୟବସାୟକୁ ଦୃଷ୍ଟିରେ ରଖି ଯୁବପିଢିଙ୍କୁ ଆକର୍ଷିତ କରିବା ପାଇଁ ଅଶ୍ଳୀଳ ନୃତ୍ଯ ପ୍ରଦର୍ଶନ କରୁଛନ୍ତି । ସମାଜର ନୈତିକ ଅଧଃପତନ ହିଁ ଘଟୁଛି । ଆଗେ ଲୋକ ମାନଙ୍କୁ ନାଟକ ମାଧ୍ୟମରେ ମନୋରଞ୍ଜନ କରାଯାଇ ନୈତିକ ଆଦର୍ଶବୋଧରେ ସୀମିତ ରଖା ଯାଉଥିଲା । କ୍ରମେ ନାଟକରୁ ଯାତ୍ରା ସୃଷ୍ଟି ହୋଇ ବଡ ବଡ ଯାତ୍ରାଦଳ ଗଠନ କରାଯାଉଛି , ଯାହା କି ବ୍ୟବସାୟ ଭିତ୍ତିକ । ଅଧିକ ଅର୍ଥ ରୋଜଗାର ପାଇଁ ଲୋକ ମାନଙ୍କୁ ଆକୃଷ୍ଟ କରିବାକୁ ଯାତ୍ରାଦଳର ମାଲିକ ଓ କଳାକାରମାନେ ନଗ୍ନତାକୁ ଏକ ମାଧ୍ୟମ ରୂପେ ଧରି ନେଇଛନ୍ତି । ଜୀବନ ସହିତ ସଂଗ୍ରାମକରି ଯିଏ ସମ୍ପୂର୍ଣ୍ଣ ହାରିଯାଇ ହଳାହଳ ବିଷକୁ ଆକଣ୍ଠ ପାନ କରି ବାଣ୍ଟି ଚାଲିଛି,ମାର୍କାମରା ହୋଇ ଉଗ୍ରଉଦଣ୍ତୀ ଆଧୁନିକତା ବୋଲାଉଥିବା ନଗ୍ନନାୟିକାଟି ଅନ୍ଯ କାମଲାଳସାର ଚକ୍ଷୁର ଆବଶ୍ଯକତା ପୂରଣର ଉପାଦାନଟିଏ ପାଲଟି ସାରିଛି, ତା' ପାଖରେ ଭଲ-ମନ୍ଦର ପ୍ରଶ୍ନ ଉଠୁଛି କେଉଁଠି ? ଯିଏ ପ୍ରତିଟି ମୁହୂର୍ତ୍ତରେ ଜଳି ଚାଲିଛି ତାକୁ ନିଆଁ ଅଧିକ କ'ଣ ଡରାଇବ ?ପ୍ରଖର ସୁଅରେ ଗଡୁଥିବା ବାଲିଗରଡାା କେବେ କ'ଣ ପାହାଡର ସ୍ବପ୍ନ ଦେଖେ ?

      ଅଭିନେତାମାନେ ଯେଉଁ ପ୍ରକାର ପୋଷାକ ପିନ୍ଧୁଛନ୍ତି, ପ୍ରତିବଦଳରେ ତା'ର ପ୍ରଭାବ ସମାଜରେ ପଡି ପ୍ରତିଫଳିତ ହେଉଛି । ଏହା ଆମର ସମାଜ ଓ ସଂସ୍କୃତିଠାରୁ ଦୂରେଇ ଯାଉଥିବାରୁ ଏଥିରେ ଆମ ମାଟିର ମହକ,ଗନ୍ଧ ରହୁନାହିଁ । ଆମ ପବିତ୍ର ପୁଣ୍ଯଭୂମି କଳୁଷିତ ହୋଇଯାଉଛି । ଯାହା କି ଆମ ଉତ୍ତରପିଢି ପାଇଁ ଏକ ବିପଦପୂର୍ଣ୍ଣ, ଉଛୃଖଂଳ,ଉଦଣ୍ତ କରି ଗଢି ତୋଳିବାରେ ସହାୟକ ହେବ । ଜନ ସାଧାରଣଙ୍କ ସାମ୍ନାରେ ଯାତ୍ରା ମଣ୍ତପରେ ସେମାନଙ୍କ ଯୌନ ଉଦ୍ଦୀପକ ଦୃଶ୍ଯ ଯୋଗୁଁ ଲୋକଙ୍କ ଠାରେ ଉଦଗ୍ର କାମଲାଳସା ବୃଦ୍ଧି ପାଉଛି । ଯେଉଁଥିପାଇଁ ଧର୍ଷଣ, ଅପହରଣ ପରି କୁକାର୍ଯ୍ଯମାନ ସଘଂଠିତ ହେଉଛି । ଦେଶର ଐତିହ୍ୟ ଓ ପରମ୍ପରା ବିଡମ୍ବିତ ହୋଇପଡି ସମାଜର ସ୍ଖଳନ ଦେଖା ଯାଉଛି । କେବଳ ବ୍ଯବସାୟ ଦୃଷ୍ଟିରୁ ଯାତ୍ରା ବା ଥିଏଟର ନିର୍ମିତ ହେଲେ ସମାଜର ସାମାଜିକ ଦାୟିତ୍ବବୋଧ ସୃଷ୍ଟି କରି ପାରିବ ନାହିଁ, ମାତ୍ର ପ୍ରଯୋଜକ,ନିର୍ଦ୍ଦେଶକ ଯଦି ମଞ୍ଚସ୍ଥ ବହିର କଥାବସ୍ତୁ ଓଡିଆ ମାଟିରୁ ସଂଗ୍ରହ କରୁଛନ୍ତି, ବେଶଭୂଷା, ଅଙ୍ଗଚାଳନା,ପାଶ୍ଚାତ୍ଯ ସଭ୍ୟତା ଆଡେ ଅଗ୍ରସର ହେଉଛନ୍ତି । ଯାହାକି ମୋ ପୁଣ୍ଯଭୂମି ଉତ୍କଳ ପକ୍ଷେ  ତାହା ଅସହ୍ଯ ଯୁବପିଢିଙ୍କୁ ଉଛୃଖଂଳ କରିବା ଲକ୍ଷ୍ଯ ନହୋଇ ଦର୍ଶକ ସମାଜକୁ ସଂସ୍କୃତି ମନସ୍କ କରିବା ଉଚିତ । ବେଳହୁଁ ସାବଧାନ ନହେଲେ  ବହୁ ବୟସ୍କ ଦର୍ଶକ ଯାତ୍ରା ଦେଖିବାକୁ  ଆଗ୍ରହ ପ୍ରକାଶ କରିବେ ନାହିଁ ; ଯାତ୍ରା ପ୍ରଦର୍ଶନ ଯଦି ଯାତ୍ରା ଦଳଙ୍କର ମୁଖ୍ଯ ଆୟୂଧ ନହୁଏ,ଅଶ୍ଳୀଳ ନାଚକୁ ଗୁରୁତ୍ବ ଦିଅନ୍ତି ତେବେ ଯାତ୍ରାର ସଂସ୍କୃତି ପ୍ରାଣତା କମିଯିବ  l ଯେହେତୁ ଯାତ୍ରାର ଲିଖନଧାରା ସାମାଜିକ କଥାକୁ ନେଇ ଲିଖିତ ।

    ଓଡିଶା ପାଣି,ପବନରେ ଗଢିଉଠିଥିବା ସଂସ୍କୃତି ସମାଜକୁ ଆପଣାଏ । ଯେଉଁଠି ଜଗତର ନାଥ ଜଗନ୍ନାଥ ସ୍ବୟଂ ବିଦ୍ୟମାନ,ସାରା ବିଶ୍ବବ୍ରହ୍ମାଣ୍ତର ଆଦିମୂଳଙ୍କ ଲୀଳାଧାମ  । ଯାତ୍ରା ଏପରି ଏକ ମନୋରଜଂନକାରୀ ଘରେ ଘରେ ଟି.ଭି ସାମ୍ନାରେ,ପରିବାରଙ୍କୁ ନେଇ ଏକତ୍ର ବସି ଦେଖିହୁଏ  l ଆଉ ମଧ୍ୟ ଉତ୍କଳୀୟ ପରମ୍ପରାରେ ବସନ୍ତ ପଞ୍ଚମୀ ଠାରୁ  ପଞ୍ଚୁଦୋଳ ଯାତ୍ରାରେ ପ୍ରତି ଗ୍ରାମେ ଗ୍ରାମେ  ଦୋଳଗୋବିନ୍ଦଙ୍କ ମେଳଣ ପଡିଆରେ ଯାତ୍ରା ଦଳ ଯାତ୍ରା ପରିବେଷଣ କରନ୍ତି , ଯାହାକି ସାମନା-ସାମନି ବସି ଦର୍ଶକ ଉପଭୋଗ କରନ୍ତି ।ବର୍ତ୍ତମାନ ସମୟରେ ଉଗ୍ରଆଧୁନିକର ରୂପ ଦେଇ ଯାତ୍ରାର ମୂଳ ଉଦ୍ଦେଶ୍ଯ ଦୂରେଇ ଯାଇ ଶସ୍ତା ଲୋକପ୍ରିୟ ପାଇଁ ଯଲିଉଡରେ ଯୌନ ଉଦ୍ଦୀପକ ଦୃଶ୍ୟ ଆଇଟମ ନୃତ୍ଯ ମାଧ୍ୟମରେ ଦେଖିବାକୁମିଳୁଛି । ପରିବାର ଧରି ଦେଖିବାକୁ ଲଜ୍ୟା ଲାଗୁଛି । ଫଳରେ ଯାତ୍ରା ଜଗତର ମୌଳିକମାନ ହ୍ରାସ ପାଉଛି । ଯାତ୍ରା ପରି ଏକ ପବିତ୍ର ନାମରେ ଅପବିତ୍ରର ଏକ କଳଙ୍କ ଛିଟା ଗ୍ରାସ କରୁଛି । କ୍ରମେ ପୂର୍ବପିଢି ପାଇଁ ଏହା ଅଶୁଭ ସୂଚକ । ଅନୁଷ୍ଠାନ ମାନ'   ମୁଁ ଚେତେଇ ଦେବାକୁ ଚାହେଁ ଯେଉଁ ଦୃଶ୍ଯ ଗୁଡିକ ସମାଜ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ଅଛି ବୋଲି ଅନୁଷ୍ଠାନର ମୁଖ୍ଯ ଅନୁଭବ କରିବେ,ତାହାକୁ କାଟିଦେବା ଉଚିତ, ଯାହାକି ଯାତ୍ରାର ମାନ ବଢାଇ ପାରିବ । କାରଣ ଯାତ୍ରା ହେଉଛି ଓଡିଆର ସ୍ବାଭିମାନ ।

              ଓଡିଆଙ୍କ କାହାଣୀ,ସଂଳାପ ଭାଷା,ଚଳଣୀ ଆଦି ପୌରାଣିକ ଓ ସାମାଜିକ ଅବସ୍ଥାକୁ ନେଇ ଲେଖକଙ୍କ ଦ୍ବାରା ଲିଖିତ ଓ କଳ୍ପିତ ।କଳାକାର ନିଜର ଆଦର୍ଶ,ନିଜର ସଂସ୍କାର ଓ ମୂଲ୍ଯବୋଧକୁ ଉଗ୍ର ଆଧୁନିକ ନାଁରେ ଯଦି ହରାଏ ତେବେ ସମାଜର କ୍ଷତି ଯେତିକି ହେବ, ତା'ଠୁ ଅଧିକ କ୍ଷତି ହେବ ନିଜର, ନିଜପରିବାରର । କଥାରେ ଅଛି ‐ "ଥିଲେ ଥାଉ ପଛେ ଗୁଣ ହଜାର , ଚରିତ୍ର ନଥିଲେ ସବୁ ଅସାର ।" ଚରିତ୍ର ମଣିଷର ଶ୍ରେଷ୍ଠ ଭୂଷଣ । ଅଗଣିତ ଗୁଣ ମଧ୍ୟରେ ଚରିତ୍ର ଅନ୍ୟତମ ଓ ପ୍ରଧାନ ।ଚରିତ୍ରହୀନ ବ୍ଯକ୍ତିର ଜୀବନ ନିରର୍ଥକ । ଚରିତ୍ରକୁ ମନୀଷୀମାନେ ପ୍ରଧାନ ବଳ,ସମ୍ବଳ ଭାବେ ଅଭିହିତ କରିଛନ୍ତି । ଚରିତ୍ରବାନ ବିଶ୍ବବନ୍ଦିତ ଓ ପୂଜିତ । ଅସତ ଚରିତ୍ର ବ୍ୟକ୍ତି ସମାଜରେ ମର୍ଯ୍ଯଦା ଲାଭ କରିପାରେ ନାହିଁ । ତାକୁ ସମସ୍ତେ ଘୃଣା କରନ୍ତି । ରାମାୟଣରେ‐‐ରାମ ଓ ରାବଣ ଦୁଇଟି ଚରିତ୍ର । ଶାସ୍ତ୍ର କହେ‐‐"ରାମପରି ହୁଅ, ରାବଣ ପରି ହୁଅନାହିଁ ।"

      ପ୍ରତ୍ଯେକ ଅନୁଷ୍ଠାନ ସୁଶୃଖଂଳିତ କାର୍ଯ୍ୟକଳାପକୁ ନେଇ ମହିମାନ୍ବିତ୍ବ ହୋଇଥାଏ । ହେ ଆମ ଦେଶର ମନୋରଜଂନକାରୀ ସଂସ୍ଥା ‐ଯଲିଉଡ, ଓଲିଉଡ, ବଲିଉଡ, ଟଲିଉଡ ! ତୁମେମାନେ ସମାଜର ଅଗଣିତ ଦର୍ଶକଙ୍କୁ ନୀତି-ଆଦର୍ଶ ମାଧ୍ୟମରେ ଅନୁପ୍ରାଣିତ କରିବା ସହିତ ସେମାନଙ୍କ ଦୈନନ୍ଦିନ ଜୀବନ ଓ ଚଳଣୀର ନୈତିକ ବାହକ ରୂପେ ପଥ ପ୍ରଦର୍ଶକ ହେବା ଉଚିତ । କଥାରେ ଅଛି‐‐"ଏ ମାଟି ଆମର ଶିଳା ଶାଳଗ୍ରାମ,ତା'ଧୂଳିକଣା ଯେ ପବିତ୍ର ଧାମ, କଳୁଷିତ ହେଲେ ଏ ମାଟି ଆମର, ସରଗୁ ଓହ୍ଲାନ୍ତି ସାକ୍ଷାତ ଇଶ୍ବର ।" ଆମ ସଂସ୍କୃତି ଓ ପରମ୍ପରା ସମାଜର ମୂଲ୍ଯବୋଧ ଓ ଆଦର୍ଶର ନକସା । ବ୍ଯକ୍ତି ପରିବର୍ତ୍ତେ ସମୁହ ଉନ୍ନତି ତା'ର ବିଶେଷତ୍ବ, ଅବଶ୍ଯ ବହୁ ଭଲ ନାଟକ କେତେ ପରିବେଷଣ ହୋଇଛି, ଏବେ ବି ତାହା ଦର୍ଶକ ମାନଙ୍କ ମନରେ ବଞ୍ଚି ରହିଛି । ତେଣୁ ସେହି ନାଟକର ପ୍ରଯୋଜକ ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।ବ୍ଯବସାୟ ନାମରେ ଯାତ୍ରା ସଂସ୍କୃତିର ସୁଦୃଢ ପରମ୍ପରା ଧାରାକୁ ନଷ୍ଟ କରିଦେବା ଆମର ଲକ୍ଷ୍ଯ ନହେଉ । ପରିବର୍ତ୍ତନର ଦ୍ବାହି ଦେଇ ଯାତ୍ରାର ସମ୍ନାନ ଅକ୍ଷୂର୍ଣ୍ଣ ରଖିବାକୁ ଚେଷ୍ଟା କରିବା ।

      ଉତ୍କଳ ଭଳି ସଂସ୍କୃତି ଅନ୍ଯ ସଂସ୍କୃତି ଠାରୁ ଢେର ଉଚ୍ଚ । ଯାତ୍ରା ପୃଷ୍ଠପୋଷକମାନେ ସଚେତନ ନହେଲେ, ଦର୍ଶକ ମାନଙ୍କ ଶାରୀରିକ,ମାନସିକ କ୍ଷତି ନିଶ୍ଚୟ ଘଟିବ । ଯାହାର ଫଳସ୍ବରୂପ ଓଡିଶାର ପରମ୍ପରା ତା'ର ମୌଳିକ ଦିଗକୁ ହରାଇ ବସି ଏକ ବିକଳାଙ୍ଗ ଅପସଂସ୍କୃତିକୁ ଗତି କରିପାରେ । ଏଥିପାଇଁ ସମସ୍ତେ ସଚଚେତନ ହେବା ଆବଶ୍ଯକ ।
*********************

ନରସିଂହପୁର, ଶ୍ରୀରାମନଗର,
ପିପିଲି,ପୁରୀ ।
ଜୟ ସାହିତ୍ୟ, ଜୟ ସମାଜ

ଜଲିଉଡ଼ରେ ନଗ୍ନତା - ଏକ ସମନ୍ବୟ ବିଚାର ବିମର୍ଷର ଉଚିତ୍ ସମୟ

ନାରାୟଣ ଚନ୍ଦ୍ର ସେନାପତି

    ବେଶହୀନ ଜୀବ ଓ ଆବରଣହୀନ ଜିନିଷ ବାସ୍ତବରେ ନଗ୍ନ।ତାହା କାନ୍ଥରେ,କାଗଜରେ,ବାଲିରେ କିମ୍ବା ଧରିତ୍ରୀ ଉପରେ ଚଳ ପ୍ରଚଳ କରୁଥିବା ରକ୍ତମାଂସର ପ୍ରତିମା ହୋଇପାରେ। ସେହିପରି ସୀମାବିହୀନ କର୍ଣ୍ଣ ଚାହୁଁଥିବା ଭାଷା ହିଁ ନଗ୍ନ । ଦିନ ଥିଲା, ସେଦିନ ଆଦିମ ସଭ୍ୟତାର ସେ ପୂର୍ବଜ ଥିଲା ନଗ୍ନ ବାନରର ବିଚିତ୍ର ରୂପ । ଅସଭ୍ୟ ଯାଯାବର ଥିଲା ତା ସଭ୍ୟତା ଓ ସଂସ୍କୃତି । ତା ଚରାଭୂଇଁ ଥିଲା ତା ଅଭିନ୍ନ ରଙ୍ଗମଞ୍ଚ । ଯେଉଁଥିରେ ସେ ଅଜ୍ଞାନରେ ଅଜ୍ଞାତ ଭାବେ କରୁଥିଲା ତା ନଗ୍ନ  ମୁକ ଅଭିନୟ । ବସ୍ତୁତଃ ତାହା ଥିଲା ସାର୍ବଜନୀନ ବା ସାଧାରଣ । ସମ୍ବେଦନ କଣ, ପ୍ରତିକ୍ରିୟା କଣ ତାହା ଥିଲା ତା ଜ୍ଞାନର ନେପଥ୍ୟରେ ।ପ୍ରକୃତିରେ ବସବାସ କରୁକରୁ ପ୍ରାକୃତିକ ଜଙ୍ଗଲର ଫଳମୂଳ, ମନ୍ଦ ସମୀରଣ,ଶୀତଳ ଝରଣା ଓ ନଦୀର ଜଳ, ଦିବାକରଙ୍କ ଆଲୋକ ଥିଲା ତା'ର ପ୍ରମୁଖ ଆଵଶ୍ୟକତା । ମାତ୍ର ତା ଦେହର ଚର୍ମର ଆବରଣ କି ଜୀବନର ସୁରକ୍ଷାର ଆବରଣ ଚିନ୍ତା କରିବା ଥିଲା ସ୍ୱପ୍ନ । ଖରା, ବର୍ଷା, ଶୀତ, କାକରରେ ଯେତେବେଳେ ଥରିଲା ଲୋଡିଲା ପତ୍ରଟେ, ଡାଲଖଣ୍ଡେ ଯାହା ଢଙ୍କେଇଲେ ସେ ଟିକେ ଆରାମ ଅନୁଭବ କଲା।

     ପାଣିପାଗ ଜଳବାୟୁର ପରିବର୍ତ୍ତନ ଓ ମଣିଷର ଜୈବିକ ଆଵଶ୍ୟକତା ପାଇଁ  ଭିନ୍ନ ବା ବିପରୀତଲିଙ୍ଗୀ  ଯେବେ ଆକର୍ଷିତ ହେଲେ ତାର ଆସିଲା ଲାଜ । ଯେଉଁ ଅଙ୍ଗମାନ ସମ୍ବେଦନଶୀଳ ବା ଆକର୍ଷଣର କେନ୍ଦ୍ରବିନ୍ଦୁ ତାକୁ ସେ ଲୁଚାଇବାକୁ ଚାହିଁଲା । ସେବେଳେ ଲୋଡା ହେଲା ସ୍ଥାୟୀ ପୋଷାକ । ନଗ୍ନତାକୁ ସେ ନାପସନ୍ଦ କଲା ।ଘରେ,ସାହିରେ, ବାହାରେ କେଉଁଠି ବି  ଅଙ୍ଗରୁ ବିଶେଷ କରି ସମ୍ବେଦନଶୀଳ ଅଙ୍ଗରୁ ପୋଷାକ ଖସିଲେ ତାକୁ ଖରାପ ଲାଗିଲା । ସେ ହେଲା ପୋଷାକରେ ମାର୍ଜିତ ଓ ରକ୍ଷଣଶୀଳ । ସମାଜ ମୁଣ୍ଡ ନୂଆଁଇଲା ତା ସଂସ୍କୃତି,ପରମ୍ପରା ଓ ଆଦର୍ଶ ଦେଖି ।

    ପୂର୍ବେ ମଣିଷ ଥିଲା କଷ୍ଟସହିଷ୍ଣୁ । କାମନା ବାସନା ଆଶା ବି ଥିଲା କ୍ଵଚିତ । ମନ୍ଦିର କାନ୍ଥର ନଗ୍ନ ରୂପ ତା ମନରେ ଆଣୁଥିଲା ମୃଦ୍ୟୁ ଉନ୍ମାଦନା । ନିଜ ଅଂଚଳର କୃତି ପ୍ରଦର୍ଶନ ଓ ନିଦର୍ଶନ ଓ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ମନ୍ଦିରର ଥିଲା ସେ କଳାକୃତି । ଯୁଗ ବଦଳିଲା । ମଣିଷ ମନୋରଞ୍ଜନ ପାଇଁ ଆଦରି ନେଲା ଯାତ୍ରା,ଚଳଚ୍ଚିତ୍ର, ଥିଏଟର, ପାଲା, ଦାସକାଠିଆ ଇତ୍ୟାଦି । ଅତ୍ୟାଧୁନିକତାର ସ୍ପର୍ଶରେ ଆଧୁନିକ ନାଁ ବି ଶୁଣିବାକୁ ପଡିଲା ଜଲିଉଡ଼,ଓଲିଉଡ ଓ ବଲିଉଡ । ବଲିଉଡ ଭାରତୀୟ ସ୍ତରର ବିଶେଷତଃ ରାଷ୍ଟ୍ରଭାଷାର ଚଳଚ୍ଚିତ୍ର ଜଗତ,ଓଲିଉଡ ଓଡ଼ିଶାର ଓଡ଼ିଆ ଚଳଚ୍ଚିତ୍ର ଜଗତ ମାତ୍ର ଜଲିଉଡ଼ ହେଲା ସବୁଠୁ ପ୍ରାକୃତିକ ଅତୀବ ମନୋମୁଗ୍ଧକର ଓଡ଼ିଶାର ଯାତ୍ରା ଦୁନିଆ ।

   ପ୍ରଶ୍ନ ଆସେ ଏ ତିନୋଟି ଉଡ଼ ରେ ନଗ୍ନତା କ'ଣ ନିତ୍ୟାନ୍ତ ଆବଶ୍ୟକ । ସଭ୍ୟତା କହିଲେ କି ସଂସ୍କୃତି କହିଲେ ସଂସ୍କାର ଓ ନୀତି ଆଦର୍ଶ ପୂର୍ଣ୍ଣ ଚଳଣୀ କୁ ବୁଝାଏ । ମୋ ଭାରତବର୍ଷ ବିଶ୍ୱରେ ଶ୍ରେଷ୍ଠ ତା ମହନୀୟ ସଂସ୍କୃତି ପାଇଁ । ତା ଭିତରର ଓଡ଼ିଶାର ସଂସ୍କୃତି ବିଶ୍ୱ ସଂସ୍କୃତିର ଜନନୀ । ପୁନଶ୍ଚ ଖାଣ୍ଟି ଓଡ଼ିଆଣୀ ,ଓଡ଼ିଆ ବୋହୂ ଆଚାର ବିଚାର ପାଇଁ ଚିର ପୂଜନୀୟା । ତାକୁ ଦେଖିଲେ ଭଗବାନ ବି ମୁଣ୍ଡ ନୁଆଇଁ ସମ୍ମାନ ଦିଅନ୍ତି । ଭାରତୀୟ ନାରୀ ତ ଭକ୍ତିର ଅର୍ଘ୍ୟ । ବିଶେଷ କରି ଶାଳୀନ ବ୍ୟବହାର ଶୋଭନୀୟ ପୋଷାକ ତାକୁ ନମସ୍ୟ କରେ । ଲଜ୍ଜା ତାର ଭୂଷଣ । ନଗ୍ନତାକୁ ସେ ଘୃଣା କରେ ।

       ପୂର୍ବରୁ ଯିଏ ଯାତ୍ରାରେ ଯାଉଥିଲା ତାକୁ ଶୁଣିବାକୁ ପଡୁଥିଲା "ଯାତରା ଛତରା" । ଅତି ଅନୁନ୍ନତ,ଆଚାର ବିହୀନ ପରିବାର କିମ୍ବା କ୍ଵଚିତ ଅଭାବୀ ଭଲ ଘରର ପୁଅ ଝିଅମାନେ ପରିସ୍ଥିତିରେ ଆଦରୁଥିଲେ ଏପ୍ଲାଟଫର୍ମ।କେବଳ ପୋଷକର ନଗ୍ନତା ନୁହଁ ଏମିତିକି ଭାଷାର ନଗ୍ନତା ବି ଜଲିଉଡ଼ରେ ରହିଲା । କେତେକ ଅସମାଜିକଙ୍କୁ ଶତ ପ୍ରତିଶତ ଖୁସି ବାଣ୍ଟିଲେ ବି ଭଦ୍ର ରକ୍ଷଣଶୀଳଙ୍କ ପାଇଁ ଥିଲା ଅସଭ୍ୟ କ୍ରିୟାକଳାପ । ତଥାପି ସେ ସମୟର ଲୋକେ ଅଧିକାଂଶ ମାତ୍ରାରେ ଈଶ୍ୱର ବିଶ୍ୱାସୀ ଓ ଜଲିଉଡ଼ର ବିଷୟବସ୍ତୁ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଥିବାରୁ ନଗ୍ନତା ସେତେ ନ ଥିଲା,ଏମିତିକି ନୃତ୍ୟ ନାଟିକା ଥିବାରୁ ନଗ୍ନତା ଅଶ୍ଳୀଳ ଠାରୁ ଦୂରରେ ଥିଲା।କେବଳ ଡୁଏଟ୍‌ରେ ସାମାନ୍ୟ ନଗ୍ନତା ଉଭୟ ଭାଷା ଓ ପୋଷାକରେ ଥିଲା ଯାହା ହାରାହାରି ଚାଲିଯାଉଥିଲା।

    ଓଲିଉଡ ଓ ବଲିଉଡ ସହ ଜଲିଉଡ଼କୁ ତୁଳନା କରା ଯାଇପାରେନା । କାରଣ ସେସବୁ ପରଦାରେ ମଣିଷ ଦେଖୁ ଥିଲା ଓ ଦେଖୁଛି ମଧ୍ୟ।ଓଲିଉଡର ସାମାନ୍ୟ ନଗ୍ନତା ଯେହେତୁ ପରଦା ପଛର ଓ ସେନ୍ସର ବୋର୍ଡ଼ ଦ୍ୱାରା ପାଶ୍ ହେଉଥିଲା ତାହା ଧର୍ତ୍ତବ୍ୟ ନୁହେଁ।ପୁନଶ୍ଚ ବଲିଉଡ ଅତ୍ୟାଧୁନିକତାର ଛୁଆଁ ରେ ଓ ବିଶେଷ କରି ପାଶ୍ଚାତ୍ୟ ଦେଶ ଗୁଡିକରେ ସୁଟିଂ ହେବାରୁ ବାହାରେ ସ୍ୱଳ୍ପ ସମୟ ଧରି ସୁଟିଂ ଦୃଶ୍ୟକୁ ପରଦାରେ ଅଧିକାଂଶ ଉନ୍ନତ ଉଚ୍ଚ ସ୍ତରର ବ୍ୟକ୍ତି ଦେଖୁଥିଲେ ଯାହାକି ସରଳ ମନରେ କୁ ପ୍ରଭାବ ପକାଇ ପାରୁନଥିଲା କି ପାରୁନାହିଁ । ମାତ୍ର ଜଲିଉଡ଼ ବା ଯାତ୍ରା ଜଗତ ସେ ପରଦାର ବେଶଭୂଷା, ଅଶ୍ଳୀଳ ଦୃଶ୍ୟ ଓ ନଗ୍ନତାକୁ ଜୀବନ୍ତ ଫୁଟାଇ ବାହାଦୁରୀ ମାରି ଅଧିକ ଟଙ୍କା ରୋଜଗାର କରିବାକୁ କଳାକାର ଓ ଯାତ୍ରା ମାଲିକ, ମ୍ୟାନେଜର  ସଙ୍ଗେ ସଙ୍ଗେ ବିଭିନ୍ନ ଯାତ୍ରା କମିଟି ପାଦ ବଢ଼େଇଲା । ସେଦିନ ନାହିଁ, ସେଦିନର ଯାତରା ଛତରା ଉକ୍ତି ବି ନାହିଁ, ଯାତ୍ରାର ସ୍ୱରୂପ ବଦଳିଛି, ମଞ୍ଚ ବଢିଛି,ଅତି ଉଚ୍ଚ ଶିକ୍ଷିତ ଓ ଭଦ୍ର ବଡ଼ ପରିବାରର ଉଭୟ ଲିଙ୍ଗୀ ମାନବ ପାଦ ଦେଇଛି ଜଲିଉଡ଼ରେ କଳା ବିକାଶ କରିବାକୁ ।

    କିନ୍ତୁ ଦୁଃଖ ଲାଗୁଛି ଏବେ ଜଲିଉଡ୍ ର ଖୁଳୁନ ଖୁଲା ନଗ୍ନ ଦେଖି । ସେତେବେଳେ ମହାନ ଖଳନାୟକ ଦୈତାରି ପଣ୍ଡାଙ୍କ ଜୀଅନ୍ତା ଶବ, ନର ରାକ୍ଷସରେ ରେଫ ସିନରେ ଥିଲା ସାମାନ୍ୟ ନଗ୍ନତା,ନୀର ସ୍ୱାଇଁ କି ମିଟୁ ଦାସଙ୍କ ସେହିପରି ଦୃଶ୍ୟରେ ସାମାନ୍ୟ ନଗ୍ନତା । ଭଦ୍ର ସମାଜ ବି ଏସବୁକୁ ସହଜରେ ଆଦରି ନେଉ ନଥିଲା । ମାତ୍ର ଏବେ ଜଲିଉଡ଼ରେ ଆଜି ସେ ଦକ୍ଷ କଳାକାରଙ୍କ ଭୟଙ୍କର ଦୃଶ୍ୟ ନାହିଁ କି ସେଥିରେ ନାରୀ ଚରିତ୍ରର ଅଶ୍ଳୀଳ ନଗ୍ନତା ନାହିଁ । ନଗ୍ନତାର ସୁଅ ଛୁଟିଛି ସାମ୍ପ୍ରତିକ ରେକର୍ଡ ଡ୍ୟାନ୍ସରେ ।ପୋଷାକ ଖଣ୍ଡିଆ ତ କିଏ ଜାଣି ଶୁଣି ଦେଖାଉଛି ଅଙ୍ଗ । ପୁନଶ୍ଚ ସ୍ୱାମୀ-ସ୍ତ୍ରୀ ବି ଏପରି ମିଳନ ମୁହୂର୍ତ୍ତକୁ ସମ୍ମୁଖୀନ ହେଉ ନ ଥିବେ ଏପରି ପାଶ୍ଚାତ୍ୟ ଅଭିନବ ନୃତ୍ୟ ନାଁରେ ନଗ୍ନତା କରାଯାଉଛି।   

    ପ୍ରକୃତ ପକ୍ଷରେ କେବଳ କୁକୁର ମାଙ୍କଡ଼ ମାନେ ଏବଂ ଅନ୍ୟ ପଶୁପକ୍ଷୀ ମାନେ ହି ନଗ୍ନତାକୁ ଭଲ ପାଆନ୍ତି । ପରନ୍ତୁ ଆଜି ବି କେତେକ ପୋଷା କୁକୁର କି ମାଙ୍କଡ଼ ନଗ୍ନତାକୁ ନାପସନ୍ଦ କରିବାସ୍ଥଳେ ଯାତ୍ରାଜଗତର ନଗ୍ନତା ପାଇଁ ପ୍ରତିଯୋଗୀତା ଅତି ଅସୌଜନ୍ୟ ।

     ବର୍ତ୍ତମାନ ଯାତ୍ରା ଜଗତରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛନ୍ତି ନିଜକୁ ଆଇଟମ୍ କୁଇନ୍ କହି ନିର୍ଲଜ ଭାବେ ପ୍ରଶଂସିତ ହେଉଥିବା ଇଷ୍ଟର୍ଣ୍ଣ ଅପେରାର ଉଦଣ୍ଡ ନର୍ତ୍ତକୀ ରାନି ପଣ୍ଡା । ଓଡ଼ିଆ ଲୋକ ହୋଇ ମଝିରେ ମଝିରେ ଷ୍ଟାଇଲରେ ନନ୍ ଓରିଆ ଷ୍ଟାଇଲରେ ଧରା ପଡ଼ିଲା ପରି ଅପରିପକ୍ୱ କଥା କହି ତାମିଳନାଡୁ, ଆନ୍ଧ୍ରପ୍ରଦେଶ କି ଛତଶଗଡ଼ି ପରିଚୟ ଦେଉଛନ୍ତି ସେ । ଏଇ କେତେଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହିଁ ରାନୀଙ୍କର ନଗ୍ନତା । ସେ ମଞ୍ଚକୁ ଯେତେବେଳେ ଯାନ୍ତି ତାଙ୍କୁ ଦେଖିଲେ ଦର୍ଶକ ଆଖି ବନ୍ଦ କରି ଦିଅନ୍ତି ନଚେତ୍ ମୁହଁ ତଳକୁ କରନ୍ତି । ଯଦି ପରିବାର ସହ କିଏ ଯାତ୍ରା ଉପଭୋଗ କରିବାକୁ ପାଦ ଦେଇଥାଏ ସେ ଏଭଳି ଲଜ୍ଜିତ ହୁଏ ଯେ ପ୍ରତିଜ୍ଞା କରେ ଏ ଅଭଦ୍ର l    ତ୍ରା ମୁଁ ଜୀବନରେ କେବେ ଦେଖିବି ନାହିଁ । କିଏ କିଏ ବି କହନ୍ତି, ସତରେ ଏ ଝିଅ କଣ କେଉଁ ମାଆ ବାପାଙ୍କ ଠାରୁ ଜନ୍ମ!କେହି ବି କହନ୍ତି ଏ ଝିଅର ପରିବାର ଅଛି ନା ଅନାଥିନୀଟିଏ । ଯଦି ବାପା ମା ପରିବାର ଥାଆନ୍ତେ ତେବେ ନିଶ୍ଚୟ ନାରୀ କଣ,କଣ କରିବ ଉଚିତ୍,ଲଜ୍ଜା କଣ, ଶାଳୀନତା କଣ, ସମ୍ଭ୍ରମତା କଣ ନିଶ୍ଚୟ ଶିଖାଇ ଥାନ୍ତେ ।

   ବାସ୍ତବରେ ରାନୀର ନାଚରେ ନାଚ ନ ଥାଏ । ଥାଏ କେବଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ । ପୁଣି ସବୁ ନୁହଁ କେବଳ ସମ୍ବେଦନଶୀଳ ଅଙ୍ଗ ଚାଳନା ଓ ଖରାପ ଇଂଗୀତ । ଅବଶ୍ୟ ବହୁତ କରତାଳି,ହୁଇସିଲ,ସିଟି ବାଜେ ତା ଦୃଶ୍ୟରେ ମାତ୍ର ସର୍ଭେ କଲେ ଲାଗେ ଏଗୁଡ଼ାକ ମଦ୍ୟପ,ଅସାମାଜିକ,ଅସଭ୍ୟ ଓ ଇତର ଲୋକଙ୍କ ରୋଳ । ଭଲ ଭଦ୍ର ଶିକ୍ଷିତ ସମ୍ଭ୍ରମ ବ୍ୟକ୍ତି ତାକୁ ଚାହେଁ ନାହିଁ । ଏମିତିକି ସାଧାରଣ ଦର୍ଶକ ବ୍ୟତୀତ ଜଲିଉଡ଼ର ଅଧିକାଂଶ କଳାକାର ମୁହଁରୁ ଶୁଭେ  ଛି ଛି ଏଟା ଯାତ୍ରା ଜଗତର କଳଙ୍କିନୀ । କିନ୍ତୁ ରାନୀକୁ ସାକ୍ଷାତକାରରେ ପଚାରିଲେ ସେ କୁହନ୍ତି ଆଇଟମ ମାନେ ନଗ୍ନତା । ବିନା ନଗ୍ନତାରେ ଆଇଟମ ଡ୍ୟାନ୍ସ ହୁଏନା, ତା'ପରେ ମୋତେ ଲୋକେ କୁହନ୍ତି ନଗ୍ନ ହେବା ପାଇଁ ମତେ ଦର୍ଶକ ଅନୁରୋଧ କରନ୍ତି,ଡିମାଣ୍ଡ କରନ୍ତି ନଗ୍ନ ହେବା ପାଇଁ ।

     ଏକଥା ଶୁଣିଲେ ଆମ ନିଜକୁ ଓଡ଼ିଆ ବୋଲି କହିବାକୁ ଦୁଃଖ ଲାଗେ, ଘୃଣା ଲାଗେ । ସେ ବି କହନ୍ତି ମୁଁ ନଗ୍ନ ହେଲି କିଛି ଭୂଲ ନାହିଁ ବରଂ ଲୋକମାନେ ମୋ ଇମେଜ ଓ ପବ୍ଲିସିଟି ଦେଖି ଈର୍ଷା କରିଛନ୍ତି । ମୁଁ ଯେତେବେଳେ ଖାଇବାକୁ ପାଉନଥିଲି ବାର ଦୁଆର ବୁଲୁଥିଲି ସେତେବେଳେ ଲୋକେ କିଛି କହୁ ନଥିଲେ କିନ୍ତୁ ଆଜି ମୋର ପ୍ରଶଂସା ଦେଖି କେହି ସହି ପାରୁନାହାନ୍ତି । ମନେ ପଡେ ପୂର୍ବ ଓଡ଼ିଆ ସଂସ୍କୃତି ସ୍ମୃତି,କହିବାକୁ ଇଛା ହୁଏ, ସତ ଧିକ୍ ରେ ଓଡ଼ିଆ ନାରୀ, ଯିଏ ଇଜ୍ଜତ ରଖିବାକୁ ଜୀବନ ଦେଉଥିଲା, ତା ବଂଶଜ ପୁଣି.. ଏମିତି ଅସଭ୍ୟ ! ଶତ ଧିକରେ ହିନ୍ଦୁ ନାରୀ ,ଯିଏ ନିନ୍ଦାକୁ ସହି ନପାରି ଅଗ୍ନିରେ ଝାସ ଦେଇ ଅମର ହୋଇ ଯାଇଥିଲା... ..ମାତ୍ର ସେଇ ପୁଣ୍ୟଭୂମିର ଏ ଜଲିଉଡ଼ ଷ୍ଟାର ଟଙ୍କା,ପ୍ରଶଂସା,ଉପାଧି,ନିଜ ପିପାସା ମେଣ୍ଟାଇବା ପାଇଁ ମଞ୍ଚରେ ଆଲୋକ ଜାଳି ନଗ୍ନ ହୁଏ।ଖାଲି ମଞ୍ଚ ଉପରେ ନୁହଁ ତଳକୁ ଆସି କାହା କାନକୁ କାମୁଡ଼େ ତ କାହାକୁ ଚୁମ୍ବନ ଦିଏ । ଆଶ୍ଚର୍ଯ୍ୟ ଲାଗେ,ଏ ମାଟିରେ ଓଡ଼ିଆ ଅଛନ୍ତି ତ ? ନା ୟା'ଙ୍କୁ ପ୍ରଶିକ୍ଷଣ ଦିଆ ଯାଇଛି ନଗ୍ନ ଶୃଙ୍ଖଳ ସୃଷ୍ଟି କରିବାକୁ,ନଗ୍ନ ନିର୍ଲଜର ବଂଶ ବୃଦ୍ଧି କରିବାକୁ । ଯେଉଁ ଯାତ୍ରାପାର୍ଟି ଏଭଳି କୁସଂସ୍କାର ପ୍ରଣୟନ କରୁଛି ତାକୁ ରଦ୍ଦ କରାଯାଉନି କଣ ପାଇଁ ? ଯେଉଁ କମିଟି ନଗ୍ନ ନୃତ୍ୟ ଦେଖାଇ ଅନେକ ଟଙ୍କlରୋଜଗାର କରୁଛି ତାକୁ ଆଇନ ଦଣ୍ଡ ଦେଉନି କାହିଁକି?

         ଆମ ରାଜ୍ୟରେ ପ୍ରକୃତ ନେତା, ବୁଦ୍ଧିଜୀବୀ, ପଣ୍ଡିତ, ସମାଜ ସସ୍କାରକ,ସାମ୍ବାଦିକ ମାନଙ୍କ ସଂଖ୍ୟା କ'ଣ ଲୋପ ପାଇଛି ନା ସେମାନଙ୍କୁ ନଗ୍ନ ଭଲ ଲାଗୁଛି ନା ସେମାନେ ଅସାମାଜିକଙ୍କୁ ଭୟ କରୁଛନ୍ତି ନା ତାଙ୍କ ଲୋକପ୍ରିୟତା ହ୍ରାସ ହେବାର ଭୟ କରୁଛନ୍ତି ? ତେଣୁ କଥାରେ ଅଛି ବେଳଥାଉ ଥାଉ ସାବଧାନ,ମୁଳୁ ମାଇଲେ ଯିବ ସରି ଦେବଙ୍କ ସାଥେ କିମ୍ପା କଳି।ଯେଉଁ ଜଲିଉଡ଼ ନାରୀ ସମ୍ଭ୍ରମତା ସୀମା ଅତିକ୍ରମ କରୁଛି ତାକୁ ଅଭିନୟରୁ ସ୍ବେଚ୍ଛାକୃତ ଅବସର ଦିଆଯାଉ, ଯେଉଁ ଅପେରା ପାର୍ଟି ନଗ୍ନତାକୁ ପ୍ରୋତ୍ସାହିତ କରୁଛି ତା ସକ୍ରିୟତା ରଦ୍ଦ କରାଯାଉ । ଭୁଲ୍ କରି ବାରମ୍ବାର ଠିକ୍ କରିଛି କହୁଥିବା ନବୀନ କୁଇନ କୁ ମାନସିକ ଅସୁସ୍ଥତାର ଆଶୁ ଚିକିତ୍ସା ଦେଇ ସୁସ୍ଥ କରାଯାଉ ଓ ତାର ସ୍ୱ ଜୀଵନ ଯାପନ ପାଇଁ ଅନ୍ୟ ପନ୍ଥାରେ ମାର୍ଗ ଦର୍ଶାଯାଉ । ଏବେ ଉପନୀତ ହୋଇଛି ଏକ ସମନ୍ୱୟ ବିଚାର ବିମର୍ଷର ଉଚିତ୍ ସମୟ । ବେଳ ଥାଉ ଥାଉ ପାଗ ବାନ୍ଧୁ, ନଚେତ୍ ଯାତ୍ରା ଉପଭୋଗ କରୁକରୁ ମାନବ ଜାତି ତା ସଂସ୍କୃତି ସଂସ୍କାର ହରାଇ ସମାଜକୁ କଳୁଷିତ କରିବା ସଙ୍ଗେ ସଙ୍ଗେ ଅତ୍ୟାଧୁନିକତାର ନିଆଁରେ ଝାସ ଦେଇ ପୁନଶ୍ଚ ସେଇ ଆଦିମ ଅସଭ୍ୟ ଜଗତକୁ କେତେବେଳେ ଯେ ଚାଲିଯିବ ତାର ସମୟ କେବେ ବି ଖୋଜି ପାଇବ ନାହିଁ।

ଜମ୍ଭରା,କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ

ଜଲିଉଡରେ ନଗ୍ନତା-ଏକ ସମନ୍ବୟ ବିଚାର ବିମର୍ଷର ଉଚିତ ସମୟ

ଲିପ୍ସା ଗିରି

                                ସମାଜର ଚତୁଃପାର୍ଶ୍ୱରେ ଅନ୍ତର୍ନିହିତ ସମସ୍ଯାକୁ ପ୍ରଦର୍ଶନ କରି ଏବଂ ଏହାର ସମାଧାନ କରିବା ହେଉଛି ଯାତ୍ରା ମହଲର ସଦସ୍ଯ ଓ ସଦସ୍ଯା ବା ଜଲିଉଡ଼୍‌ ମାନଙ୍କର ପ୍ରାଣଧାନୀ ଚେଷ୍ଟା ; ସମାଜର ଭୌଗୋଳିକ ସ୍ଥିତି, ସମାଜର ସଂଘଠିତ ଅତୀତ ଘଟଣାବଳୀ ଏବଂ ସମାଜର ହିତ ସାଧନ ପାଇଁ ରଚିତ ନାଟକ ଗୁଡ଼ିକୁ ଉପସ୍ଥାପନ ଦର୍ଶକଙ୍କ ସାମ୍ନାରେ ମନୋରଞ୍ଜନ ସହିତ ସମାଜର ସ୍ଥିତି ସୁଧାରିବା ଏବଂ ଯଥୋଚିତ ପ୍ରୟାସ ପାଇଁ ପ୍ରଧାନ କାର୍ଯ୍ଯ କରିବା ଏବଂ ହିତ ସାଧନ କରିବାକୁ ଜଲିଉଡ଼୍‌,ହଲିଉଡ଼୍‌, ବଲିଉଡ ଆଦି କଳାକାରମାନେ ପ୍ରଧାନ ଓ ମହତ୍‌ କାର୍ଯ୍ଯ ରୂପେ ବିବେଚିତ କରିଥା'ନ୍ତି ।


      କେତେକ ମୁଖ୍ୟ ଭୂମିକାରେ ରହି ଜୀବନର ଯାତ୍ରାକୁ ବୁଝି ସାରି ସେହି ଯାତ୍ରା ମହଲର ନିର୍ଦ୍ଧିଷ୍ଟ ପରିପଥରେ ନିଜକୁ ଦଣ୍ଡାୟମାନ କରି ଦୃଢ ମନୋବଳ ସହ ଅତି ସୌନ୍ଦର୍ଯ୍ୟ ଭରି ଅଭିନୟ ମାଧ୍ଯମରେ ସମାଜର ବିରାଟ ସମସ୍ଯାକୁ କିପରି ସମାଧାନ କରିହେବ, ସେଥିପ୍ରତି ଦିଗ୍‌ଦର୍ଶକ ଭାବେ ନିଜକୁ ହିଁ ପ୍ରଚ୍ଛଦପଟରେ ଉପସ୍ଥିତ କରାଇ ଥାଏ । ମୁଖ୍ୟ ଭୂମିକାକୁ ସୁଚାରୁରୂପେ ସାହାଯ୍ୟ ଓ ସହାନୁଭୂତି ପ୍ରଦାନ କରିବା ପାଇଁ ତା' ସପକ୍ଷରେ ଥିବା ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ନିଜର ସ୍ଥାନକୁ ଜାବୁଡ଼ି ଧରିଥା'ନ୍ତି, କଦାପି ବିପକ୍ଷର ସହାୟ ହୁଅନ୍ତି ନାହିଁ । ଲୋଭାସକ୍ତ ହୋଇ କୌଣସି ସପକ୍ଷ ବ୍ଯକ୍ତି ବିପକ୍ଷର ଚକ୍ରାନ୍ତରେ ଫସି ଏକ ନିର୍ଦ୍ଧିଷ୍ଟ ମାର୍ଗ ମାଧ୍ଯମରେ ତା'ର ସପକ୍ଷରେ ଥିବା ମୁଖ୍ୟ ଭୂମିକା ହଟାଇବାକୁ ଚେଷ୍ଟା କରେ । ତେବେ ସେହି ମୁଖ୍ୟ ଭୂମିକା ହିଁ ତାକୁ ଉଚିତ୍ ଶିକ୍ଷା ପ୍ରଦାନ କରେ ।

                 ଅଦ୍ଯ ସମାଜରେ ଏଇ ହେଉଛି ଏକ ସାଧାରଣ ମନୁଷ୍ୟ ପଶ୍ଚାତରେ ଥିବା ଏକ ଅଲିଭା ମୁଖା ଯୁକ୍ତ,ଏକ ଭ୍ରଷ୍ଟ ଯୁକ୍ତ ମନୁଷ୍ଯର ପରିଚୟ । ଯାହା ମାଧ୍ଯମରେ ଏକ ସ୍ବାର୍ଥ ଯୁକ୍ତ ନିଜସ୍ବ ସ୍ବାର୍ଥକୁ ବଞ୍ଚାଇବାକୁ ଯାଇ ଏକ ସ୍ବାର୍ଥପୂର୍ଣ୍ଣ ବୀଜ ତିଆରି କରିଥାଏ । ସେହି ସ୍ବାର୍ଥର ବୀଜରେ ପ୍ରଥମ କରି ଯେପରି ବୀଜଟି ମୃତ୍ତିକାରେ ପୋତି ଦିଆ ଯାଇଥାଏ, ସେହିପରି ସେ ତା'ର ସ୍ବାର୍ଥ ଯୁକ୍ତ ବୀଜକୁ ଲୋଭ ସମ ମୃତ୍ତିକା ସହ ଯୋଡ଼ି ସେଠାରେ ପୋତି ହିଂସାର ଜଳ, ଗର୍ବର ଖତ, ମୋହ'ର ଖାଦ୍ଯ, ଲାଳସା ପତ୍ର, ମାୟାର ଫଳ, କ୍ରୋଧର ଫୁଲ ଉତ୍ପନ୍ନ କରି ବିତରଣ କରି ସୃଷ୍ଟି ହୋଇଥାଏ ।ଏପରି ଏକ ବିଷ ବୃକ୍ଷ ଉତ୍ପନ୍ନ ହୋଇ ଏପରି ଶାଖା ମାଧ୍ଯମରେ ଉପସ୍ଥିତ ହୋଇଥିବା ଅନେକ ଲୋକ ବା ଏହି ବୃକ୍ଷ ପ୍ରତି ଆସକ୍ତି ଭାବ ରଖୁଥିବା ଅନେକ ମନୁଷ୍ଯ ନିଜସ୍ବ ବିବେକକୁ ଭୁଲି ତୃଷ୍ଣାହୀନ ଜଳ ପ୍ରତି ଧାବମାନ ହେଉଥା'ନ୍ତି ।

            ଯାତ୍ରା ମହଲରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରୁ ମୁଖ୍ୟ ନାୟକ ବା ନାୟିକା ସେମାନଙ୍କୁ ନେଇ ଯାତ୍ରାର ଚରିତ୍ର ଗଠନ ହୋଇଥାଏ, କେତେକ ଅଭିନେତା ଓ ଅଭିନେତ୍ରୀ ଯାତ୍ରାର କେତେକ ସ୍ଥାନରେ ରହିଥା'ନ୍ତି । କାଳାଧୀନ ଅନୁସାରେ ଅନେକ ସମୟରେ ନିଜ ନିଜର ଚରିତ୍ର ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରିଥା'ନ୍ତି  । ନାୟକ ଓ ନାୟିକାଙ୍କ ମଧ୍ୟରେ ପ୍ରେମାସକ୍ତ ଭାବ ଆସି ସେ ଦୁହେଁ ପ୍ରେମୀ ଯୁଗଳ ଭାବେ ଉଡ଼ି ବୁଲନ୍ତି ପ୍ରେମାଧୀନ ଉପବନେ । ସେହି ସମୟରେ ସେମାନେ ମୁଗ୍ଧ ହୋଇ ସଙ୍ଗୀତ ଓ ନୃତ୍ଯ ଛଳରେ ନିଜସ୍ବ ଯୋଡ଼ିର ତେଜସ୍କ୍ରିୟ ଭାବକୁ ଅନ୍ୟ ମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରନ୍ତି । ଏକ ଉପବନ ମଧ୍ଯରେ ଭ୍ରମର ଓ ପ୍ରଜାପତି ଭଳି ଘୂରି ଘୂରି ବୁଲନ୍ତି । ଉପବନ ମଧ୍ଯରେ ନାୟିକାର ପୁଷ୍ପ ସଦୃଶ ଘର ହେଲେ,ପାଗଳ ଭ୍ରମର ଏଣେତେଣେ ଘୂରି ବୁଲେ । ସେହି ସମୟରେ ପୁଷ୍ପର ମଧୁ ସଂଗ୍ରହ କରେ ପାଗଳ ଭ୍ରମର । ମାଳୀ ହେଉଛି ପୁଷ୍ପର ପିତା, ତେବପିତା ଆସିବା ମାତ୍ରେ ଭ୍ରମରକୁ ଦେଖି ପାଗଳ ଭ୍ରମରକୁ ପୁଷ୍ପ ଠାରୁ ଅଲଗା କରିଦିଏ । ସେହି ବିଚ୍ଛେଦ ସମୟ ଭ୍ରମର ବହୁତ କଷ୍ଟରେ ଜର୍ଜରିତ ପାଗଳ ପ୍ରାୟ ହୋଇ ଘୂରି ବୁଲେ । ଉଜାଗର ରହି ପୁଷ୍ପ ଭ୍ରମରକୁ ଅପେକ୍ଷା କରେ । ଭ୍ରମର ଲୁଚି ଲୁଚି ଆସି ପୁଷ୍ପକୁ ଚୁମ୍ବନ ଦିଏ, ସେଠାରୁ ମଧୁ ସଂଗ୍ରହ କରେ ।

    ଏହିପରି ଯାତ୍ରା ମହଲରେ ନାୟକ ଓ ନାୟିକା ମନୁଷ୍ଯ ଭାବରେ ସଙ୍ଗୀତ ଓ ନୃତ୍ଯ କଲାବେଳେ ତାଙ୍କ ନୃତ୍ଯ ବସ୍ତ୍ର ପରିଧାନ କରି ନୃତ୍ଯ କରିଥା'ନ୍ତି । ଅନେକ ଦ୍ରଷ୍ଟା ଏହାକୁ ଖରାପ ଦୃଷ୍ଟିରେ ଅନୁକରଣ କରି ଖରାପ ଭାବନା ନେଇ ଏକ ଚିତ୍ରଣ କରିବାର ସୁଯୋଗ ପାଇଥା'ନ୍ତି । ସେମାନେ ସେଠାରେ ସୌନ୍ଦର୍ଯ୍ୟ ନ ଖୋଜି ଅଶ୍ଳୀଳତା ଖୋଜି ଥା'ନ୍ତି । ତେଣୁ ସେମାନେ ଅଶ୍ଳୀଳତାକୁ ହିଁ ଆପଣେଇ ସେ ନାୟକ ଓ ନାୟିକା ମାନଙ୍କୁ ସମ୍ମୁଖରେ ନ କହି ସେମାନଙ୍କୁ ବିଷୟାଧୀନା କିଛି ଘୃଣ୍ୟ ବାର୍ତ୍ତା ସମାଜକୁ ପ୍ରଦର୍ଶନ କରିଥା'ନ୍ତି ।

   ମୋ ପକ୍ଷରେ ଏଠାରେ ମତ ହେଉଛି, କୌଣସି ଜିନିଷ ମଧ୍ୟରେ ଯଦି ଆପଣମାନେ କିଛି ସୌନ୍ଦର୍ଯ୍ୟକୁ ଅନୁକରଣ କରି ପାରୁନାହାନ୍ତି, ତେବେ ଆପଣ ମାନଙ୍କୁ ମୋ ଅନୁରୋଧ ଯେଉଁମାନେ ବି ଏ ପ୍ରବନ୍ଧ ପଠନ କରିବେ ଅସୌନ୍ଦର୍ଯ୍ଯ ଜିନିଷ ବି ସେହି ଜିନିଷଟିରେ ଖୋଜନ୍ତୁ ନାହିଁ । ସର୍ବଦା ମନକୁ ସୌନ୍ଦର୍ଯ୍ୟ ଓ ଶୁଦ୍ଧ କଲେ ତେବେ ନିଶ୍ଚୟ ସବୁ ଜିନିଷ ମଧ୍ୟରେ ସୌନ୍ଦର୍ଯ୍ୟଟିକୁ ଆମେ ଠାବ କରିପାରିବା । ଅନ୍ୟ ପକ୍ଷରେ ସମାଜର ଶୋଷଣତା ଓ ଭ୍ରଷ୍ଟାଚାରତା, ନାରୀ ପ୍ରତି ଅପବ୍ୟବହାର କିଛି କମ ହେଉନାହିଁ । ଏହାର କାରଣ, ଉପରୋକ୍ତ ଲିଖିତରେ ଥିବା ବିଷ ବୃକ୍ଷ ।

           ଆମ୍ଭ ମାନଙ୍କୁ ଅତି ଖରାପ ଲାଗେ ଯେତେବେଳେ ଯାତ୍ରା ମହଲରେ ଏକ ଅଭିନୟ ମାଧ୍ଯମରେ ନାରୀର ବଳାତ୍କାର ହେଉଥିବ । ଏହାକୁ ଦେଖିବା ପାଇଁ କେତେକ ଦର୍ଶକ ଆକର୍ଷିତ ଭାବରେ ଚାହିଁ ରହିବା ସହିତ ଅନ୍ୟ କେତେକ ଦର୍ଶକ ଯାତ୍ରା ମହଲର ଏହି ବଳାତ୍କାର ସିନ୍‌କୁ ଅତି ଖରାପ ଭାବେ ଚିତ୍ରଣ କରି ସମଗ୍ର ଯାତ୍ରା ମହଲକୁ ହିଁ ଖରାପ କହୁଥିବେ । ଏହି ପରିପ୍ରେକ୍ଷୀରେ ମୋର ଗୋଟେ ପ୍ରଶ୍ନ - ଯଦି ଆମ୍ଭେ ମାନେ ପରଦା ପଛରେ ହେଉଥିବା ବଳାତ୍କାରକୁ ଦେଖି ସେମାନଙ୍କ ଅଭିନୟକୁ ଏକ ଚିତ୍ରଣ କରି ସମସ୍ତ ଯାତ୍ରା ମହଲ ଓ ସେଠାକାର ସଦସ୍ଯ ମାନଙ୍କୁ ଖରାପ ବୋଲି କହି ପାରୁଛେ, ତେବେ ଆମ ସମାଜରେ ବାସ୍ତବରେ ଆମ ଚକ୍ଷୁର ଅତି ନିକଟରେ ଅନେକ ଘଟଣା ଯାହା ନାରୀର ବଳାତ୍କାର ସିନ୍‌କୁ ଆମେ ଟି.ଭି ପରଦାରେ ଆମରି ମାନଙ୍କ ମଧ୍ୟରେ ଥିବା କେତେକ ରାକ୍ଷସ ଜାତିର ଲୋକଙ୍କୁ ଦେଖି କିପରି ସହ୍ୟ କରି ପାରୁଛେ ? ଏପରି ଅନିର୍ଦ୍ଧିଷ୍ଟ କାଳ ହିଁ ଆମ ପାଇଁ ଆଣି ନ ଦେଉ ଏକ ବିରାଟ ସମସ୍ଯାର ପ୍ଯାକେଜ୍‌, ଯେଉଁ ପ୍ଯାକେଟ୍‌ର ଭିତରେ କେବଳ ବିଷ ବୃକ୍ଷଟିଏ ଉପସ୍ଥିତି ଜାହିର୍‌ କରୁଥିବ । ତେଣୁ ମୋର ଲେଖାର ମାଧ୍ଯମରେ ମୁଁ ଛୋଟ କବିତା ଛଳରେ ଲେଖୁଅଛି :-
       "ବେଳ ଥାଉ ଥାଉ ହୁଅ ସାବଧାନ,
          ନକର କଦାପି କା'ର ଅପମାନ,
          ଇଜ୍ଜତକୁ ନେଇ ବଞ୍ଚିଥାଅ ସଦା,
        ପ୍ରଶାନ୍ତିର ମାର୍ଗ କରି ଅନ୍ବେଷଣ ।"

   ନାରୀକୁ ମୁକ୍ତି ଦିଆ ଯାଇଛି ବର୍ତ୍ତମାନ ସମାଜରେ । ନାରୀ ସମସ୍ତ ଓଲିଉଡ,ବଲିଉଡ,ଜଲିଉଡ଼ ଇତ୍ଯାଦି ସ୍ଥାନରେ ପାଦ ଥାପି ବହୁତ ସୁନାମ ଅର୍ଜନ କରୁଛି ସତ, କିନ୍ତୁ ଏ ସ୍ବାଧୀନତା ଯେଉଁ ନାରୀ ପ୍ରାଚୀନ ଯୁଗରେ ପାଇ ନଥିଲା ତା' ବର୍ତ୍ତମାନ ଯୁଗରେ ପ୍ରାପ୍ତ ହୋଇଅଛି ।
                         

         ଭିନ୍ନାଦି ନାରୀ ନିଜର ସଂସ୍କାର,ରୀତିନୀତି ମଧ୍ୟରେ ଆବଦ୍ଧ ହୋଇ ନିଜର ଶରୀରକୁ ଆବଦ୍ଧ କରି ଏହିପରି କେତେକ କଳା ମାଧ୍ଯମରେ ନିଜର ସୁନାମକୁ ଉପସ୍ଥାପନ କରୁଛନ୍ତି । କିନ୍ତୁ ନଗ୍ନ ରୂପରେ ମଧ୍ୟ ଭିନ୍ନାଦି ନାରୀ ନିଜର ଅଶ୍ଳୀଳ ଶରୀର ପ୍ରଦର୍ଶନ ପୂର୍ବକ ଏହି ସମାଜରେ ବାସ କରୁଥିବା ସମସ୍ତ ଲୋକ ମୁଖ,ଚକ୍ଷୁ, କର୍ଣ୍ଣରେ ଅଶ୍ଳୀଳତା ହିଁ ସୃଷ୍ଟି କରିସାରିଲେଣି । ପୁରୁଷ  ସମାଜ ଓ ନାରୀ ସମାଜର ତାରତମ୍ୟ ରହିବା ବଦଳରେ ସମୟର ଅପେକ୍ଷା ପୂର୍ବରୁ ଏହାର ସମନ୍ବୟ ଘଟି ଏକ ଦୁଷ୍କର୍ମ ସମାଜ ସୃଷ୍ଟି ହୋଇ ଚାଲିଛି । ଯାହାକି ଆମ ପୌରାଣିକ ପ୍ରଥା, ଧର୍ମ, ରୀତିନୀତି, ସଂସ୍କାରକୁ ହଜାଇ ଚାଲିଛି  । କୌଣସି ଗୁଢ଼ ରହସ୍ୟକୁ ଟାଣି ଧରିବା, ଗମ୍ଭୀର ଲକ୍ଷ୍ୟ ପୂରଣ କରିବାକୁ ଯାଇ ନିଜ ସଂସ୍କାର ଭୁଲିଯିବା ସଦୁପଯୋଗର ମାର୍ଗ ନୁହେଁ  ।

ବାଜପୁର, କାକଟପୁର,ପୁରୀ
ଜୟ ସାହିତ୍ୟ, ଜୟ ସମାଜ

କର ଆଜି ଏହି ପଣ

ସତ୍ଯଜିତ ସ୍ବାଇଁ

ଉଠିପଡ ଆହେ ଉତ୍କଳ ନିବାସୀ                                   
କେବେଠୁ ରହିଛ ଶୋଇ
ସମୟ ସୁଅରେ ପୂରୁବ ଗୌରବ,
ଗଲାଣି କେବେଠୁ ଧୋଇ  ||

ଆଜିର ଦିନରେ ତୁମର ପଡୋଶୀ
ଗଲେଣି ଆଗକୁ ବଢ଼ି
ସଅଳ ଉଠିକି ଦୌଡିବନି ଯଦି,
ବହୁ ପଛେ ଯିବ ପଡ଼ି  ||


ପୂର୍ବପୁରୁଷଙ୍କ ସଫଳତା ଧରି
ଖାଉଅଛ ବିକି ବିକି
କେତେଦିନ ଆଉ ପଙ୍ଗୁ ସାଜିଥିବ,
ପଡ଼ୁନାହଁ କିବା ଥକି   ||


ଶସ୍ୟଶ୍ୟାମଳାରେ ପୂର୍ଣ୍ଣ ଥିଲା ଦିନେ
ତୁମ ରତ୍ନଗର୍ଭା ମାଟି
ଆଜି ତହିଁ ଶିଶୁ କୁପୋଷଣେ ମରେ,
ଦାନା ପାଏ ନାହିଁ ପାଟି  ||

ଆଜିର ଦିନରେ ନେତାମନ୍ତ୍ରୀଙ୍କର
ହୋଇଅଛ ତୁମେ ବଶ
ଅଳସୁଆମୀର ଚାଦରର ତଳେ,
ହରାଉଛ ନିଜ ଯଶ  ||

କାଲି ଯିଏ ତୁମ ବୀରତ୍ୱ ଆଗରେ
ନୁଆଇଁ ଥିଲା ତା' ମଥା
ଆଜି ତୁମେ ଏଠି ଅପାରଗ ସାଜି
ଗାଉଅଛ ତା'ର ଗାଥା  ||

ଖୋଲି ଦିଅ ନିଜ ପାଦରୁ ଶିକୁଳି
ମନ କର ପୁଣି ଦୃଢ଼
ପୂରୁବ ଗୌରବ ଫେରି ପାଇବାକୁ,
ଆଗକୁ ଆଗକୁ ବଢି  ||

ସୁନାର ଓଡ଼ିଶା ଗଢିବା ପାଇଁକି
କର ଆଜି ତୁମେ ପଣ
ଆଜି କରୁଅଛି ଏତିକି ଗୁହାରି,
କାନ ଖୋଲି ଥରେ ଶୁଣ  ||

ଅଡ଼ଶପୁର (କଟକ)
ଜୟ ସାହିତ୍ୟ, ଜୟ ସମାଜ

ବାଉଁଶରାଣୀ

ପ୍ରଦୀପ ବନ୍ଧ

ତୁମେ କ'ଣ ଭାବିଚ                                             
ମୁଁ ଜାଣେନା
ମୋତେ ରବର ଭାବି ଖେଳିଚ
ପ୍ଲାଷ୍ଟିକ୍ ଭାବି ବ୍ୟବହାର କରି ପୁଣି
ଫିଙ୍ଗି ଦେଇଛ
ସେହି ରାସ୍ତା କଡର ଆବର୍ଜନାକୁ,
ହେଲେ,,,,
 ଆଜି କିନ୍ତୁ ମାଟି କଣ୍ଢେଇ ଭାବି
ଧାରୁଆ ନଖରେ ଖିନ୍‌ଭିନ୍ କରି
ଶୋଷି ଚାଲିଚ ଆଉ
ରକ୍ତ - ମାଂସ ଶରୀରକୁ
ଦୁଇ ଆଙ୍ଗୁଠି ସନ୍ଧିରେ ଲଟକେଇ
ସିଗାରେଟ ପରି ପିଇ ଚାଲିଚ
 ମର୍ଦରାଜ ସାଜି।।

ନା
ଆଉ ପାରିବିନି
ଜମା ଝୁଲି ପାରିବିନି ?
ତୁମ ନିଖୁଣ ଅଭିନୟର ଝୁଲଣରେ,
କେମିତି ପାରିବି ?
ତୁମେ କୁହ
ଟିକେଟ କାଟି ଦେଖୁଥିବା ଲୋକଟା ପରା
ଆଖି ଓଦା କରି
ଚାଲି ଗଲାଣି,
ଓଳିଏ ଖାଇ ଉପାସ ରହିବା ଅପେକ୍ଷା
ସବୁଦିନ ପାଇଁ ଉପାସ ରହିଲେ କ୍ଷତି କ'ଣ ?

ତୁମ ଲଚକ ଗାଇବା  ମୋତେ ଆଉ
ନଚେଇ ପାରିବନି, କି  ?
ହସେଇବା ବଦଳରେ ତୁମ
ମଦୀରା ନିଶାର ମାଦକତାରେ
ବାଉଁଶ ରାଣୀ ସାଜି ନାଚି ପାରିବିନି।।

       ଭଦ୍ରକ, ବାସୁଦେବପୁର 
ସାନମଛୁଆଘାଇ,ରାଜପୋଖରୀ
                        ଭ୍ରାମ୍ଯଭାଷ - ୮୦୭୨୭୮୩୨୨୦
ଜୟ ସାହିତ୍ୟ, ଜୟ ସମାଜ

ବିରଜା କ୍ଷେତ୍ର

ପୂର୍ଣ୍ଣଚନ୍ଦ୍ର ରଣା 
ଓଡ଼ିଶା ପ୍ରଦେଶେ ଜିଲ୍ଲା ଯାଜପୁର
ପ୍ରସିଦ୍ଧ ଏ ଜିଲ୍ଲା ନାମ,
ବାସ କରୁଛନ୍ତି ମାଆ ବିରଜା ଯେ
ଏ ଏକ ପ୍ରସିଦ୍ଧ ଧାମ  l୧

ଘଣ୍ଟ ଘୋଡ଼ାଇ ମା' ରଖିଛି ସେ ସଦା
ତା'ର ପୁରପଲ୍ଲୀ ବାସୀ,
ବିପଦେ ଆପଦେ କରନ୍ତି ନିଜର
ଆପଣା କରେ ସେ ହସି  l୨

ମାଆ ପରି ପୁଣି ମାଆଟିଏ ନାହିଁ
ତା' ପଣତ କେତେ ଲମ୍ବା,
ସେଇ ପଣତରେ ରଖିଛି ଘୋଡ଼ାଇ
ସନ୍ତାନଙ୍କୁ  ଜଗଦମ୍ବା  l୩

ପବିତ୍ର ଧାମରେ ବାସ କରୁଛି ସେ
ବିରଜାକ୍ଷେତ୍ର ତା' ନାମ,                 
ସୁଗନ୍ଧା କୁସୁମେ ପୂଜା ପାଏ ମାଆ
ଆହା କି ଏ ମନୋରମ  l୪

ଯାଏ ଯିଏ ଯେବେ ବିରଜାକ୍ଷେତ୍ରକୁ
କରେ ଯଦି ମନସ୍କାମ,
ପୂରଣ ହୁଏ ଯେ ସବୁ ଇଚ୍ଛା ତା'ର
ଭରେ କେତେ ଶ୍ରଦ୍ଧା ପ୍ରେମ  l୫

ମାଆ ବୋଲି ଥରେ ଡାକିଦେଲେ ତାକୁ
କରେ ସେ ନିଜର ଅତି,
ହାତ ଧରି ପୁଣି ସାଥେ ଚାଲେ ମାଆ
ସ୍ନେହ ରଖେ ପିଲା ପ୍ରତି  l୬

ଆହା କି ସୁନ୍ଦର ଏ ବିରଜାକ୍ଷେତ୍ର
ମାଆ ମୋର ମନଲାଖି ,
ଥରେ ଦେଖିଥିଲେ ମନେ ରହେ ସଦା
ଘୂରିବୁଲେ ସଦା ଆଖି l୭

               ହାଟସିଂହପୁର
          ଯାଜପୁର 
ଜୟ ସାହିତ୍ୟ, ଜୟ ସମାଜ

ସହି ଯାଉଥିବା ନାରୀଟିଏ

ଶିବ ଚରଣ ମହାପାତ୍ର 
__________________
ସେ...ଇ...
ମେଘବାଦଲର ଛାତି ଚିରି ଦେଇ                             
ସାଏଁ କିନା ଗଳି ଯାଉଥିବା ଧୂମକେତୁ ସମ
କ୍ଷଣସ୍ଥାୟୀ ଜଳବିନ୍ଦୁଟିଏ ମୁଁ ...
କେତେବେଳେ ଶିଳପୁଆ ସାଜି ପେଶିଯାଅ ତୁମେ ମୋତେ
ଆଉକେବେ
ଦୀପ ହୋଇ ଆପେ ଆପେ
ଦିକ୍‌ଦିକ୍‌  ଜଳୁଥାଏ ମୁଁ...
ତୁମ ଭୋକିଲା ଚଉରାରେ
ଲତପତ ସଞ୍ଜବତୀ ହୁଏ
ତମ ନରମ କାମନା ନିଆଁ ଛୁଉଁ ଛୁଉଁ...
ହଁ ...
ଚୁପଚାପ୍ ସହି ଯାଉଥିବା
ନିରୀହ ନାରୀଟିଏ ମୁଁ ...

କାଠି -କୁଟା- ତେଲ- ଲୁଣ -
ବଂଶ -ବୁନିଆଦି-ନୀତି-ନୀୟମ -ବନ୍ଧନ-
ପୁଅ- ଝିଅ- ସ୍ୱାମୀ -ଶାଶୁ -ଶ୍ୱଶୁର- ନଣନ୍ଦ- ଦିଅର
ସ...ବୁ ...
ତୁମ ଆଙ୍ଗୁଠି ଇସାରାର ଆଜ୍ଞାକାରୀ...
ତୁମେ ମାଟିକୁ ଚନ୍ଦନ କହିଲେ ହଁ..
ତୁମେ କଥାକୁ କାହାଣୀ କହିଲେ ହଁ ..
ତୁମେ ପାଣିକୁ ପବନ କହିଲେ ବି ହଁ..
ଏମିତି ବି..
ସ୍ୱପ୍ନର ରଙ୍ଗ ତ କେବେଠୁ ବଦଳି ଗଲାଣି..
ଏବେ ଖାଲି
ନିଦରେ ସ୍ୱପ୍ନ ଲାଗେ ବୈଶାଖର ଖରା ଧୂ ଧୂ ...
ହଁ...
ଚୁପ୍‌ଚାପ୍ ସହି ଯାଉଥିବା
ନିରୀହ ନାରୀଟିଏ ମୁଁ...   

ଓ..ଅଭିଯୋଗ..??
ଅଭିଯୋଗ ତ ନିଜ ପାଖେ..
ଏଠି ପିମ୍ପୁଡି ପାଖେ ପରିବର୍ତ୍ତନ ଚାହିଁଲେ
ପ୍ରଜାପତି ଡେଣା ଛିଣ୍ଡେ..
ହସିବା ତ ବାହାନା ମାତ୍ର..ତୁମ ହସ ପାଇଁ..
ନିଜ ପାଖେ ନିଜକୁ ଆବୃତ ରଖିବା ପାଇଁ ..
ଅନାବୃତ ହେଲେ
କାକ କି ସହି ପାରିବ
କୋକୀଳ ର ସୁମଧୁର  କୁହୁ...??
ହେଃ..
ଅଭିସାରିକାର ଶେଷ ଦୃଷ୍ଟି କହିଲେ
ତୁମେ କଣ ବୁଝିବ..??
ସବୁତ ମୁଁ ..
କେବେ ସୁନା...
କେବେ ଧନ...
କେବେ ଜୀବନ ତ କେବେ ଦହନ...
କେବେ କେବେ ପୁଣି ସ୍ପନ୍ଦନ ...
ତେବେ ତୁମେ କିଏ..??
ତୁମେ କଣ ନିରବଦ୍ରଷ୍ଟା ଇଶ୍ଵର ..??
ନା ମଳୟ ପବନ..??
ଯିଏକି ଖାଲି ବହଳ ଲେପ ଦେଇ ଜାଣେ
ମଧୂରାନ୍ତକ ମୂହୁର୍ତ୍ତ ର ମିଠା ମିଠା ମହୂ ..
ଆଉ ମୁଁ ...
ମହୂ ତଳେ ଦେଖୁଥାଏ ତୁମ ସ୍ୱାର୍ଥ ର ଦାବାଗ୍ନି..
ଯିଏ ଅହରହ ଜାଳୁଥାଏ ନିଆଁ ଦାଉଦାଉ...
ହଁ ..
ଚୁପଚାପ୍ ସହିଯାଉଥିବା
ନିରୀହ ନାରୀଟିଏ ମୁଁ..

ଚକ୍ରଧରପୁର (କେନ୍ଦୁଝର)
ଜୟ ସାହିତ୍ୟ, ଜୟ ସମାଜ

ମଣିଷ ପ୍ରକୃତି ମଲେ ତୁଟେ - ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ

ସନ୍ଦୀପା ମହାପାତ୍ର (କେନ୍ଦ୍ରାପଡା)  

      ମୋର ବହୁତ ଇଛା ଥାଏ ଅଭିନୟ କରିବା ପାଇଁ । ମୋର ଜଣେ ଦିଦି ଅଛନ୍ତି, ତାଙ୍କର ଜଣେ ମ୍ଯୁଜିକ୍‌ ଡ଼ାଈରେକ୍ଟର ଚିହ୍ନା ଅଛନ୍ତି ବୋଲି ମତେ କହିଥିଲେ । ଦିନେ ଦିଦି ଅଚାନକ ଫୋନ୍‌ କରି କହିଲେକି ସେ ମ୍ଯୁଜିକ୍‌ ଡ଼ାଈରେକ୍ଟର ମତେ କହୁଥିଲେ ଅଭିନୟ ପାଇଁ ହେଲେ ମୁଁ ମନା କଲି ତାଙ୍କୁ,କିନ୍ତୁ ତମ କଥା କହୁଥିଲି । ସେ କହିଛନ୍ତି ତମେ ତାଙ୍କୁ ଫୋନ୍‌ କରି ସବୁ ଡ଼ିଟେଲ୍‌ସ୍‌ ବୁଝିନେବ । ମୁଁ ଦିଦିଙ୍କ ପାଖରୁ ତାଙ୍କର ନମ୍ବର ଆଣିଲି, କିନ୍ତୁ ମୁଁ ତାଙ୍କ ପାଖକୁ ଫୋନ୍‌ କରିବା ପରିବର୍ତ୍ତେ ସେ ନିଜେ ମୋ ପାଖକୁ ଫୋନ୍‌ କରିଛନ୍ତି ଦିଦିଙ୍କ ପାଖରୁ ନମ୍ବର ନେଇକି । ମତେ ଫୋନ୍‌ ଆସିଲା, ମୁଁ ଫୋନ୍‌ ଉଠେଇ ପଚାରିଲି -"କିଏ ? କେଉଁଠୁ କହୁଛନ୍ତି ?" ସେତେବଳେ ସେ ମତେ ଦିଦିଙ୍କ ପରିଚୟ ଦେଲେ । କହିଲେକି - "ସେ ତମକୁ ମୋ ବିଷୟରେ କିଛି କହି ନାହାନ୍ତି କି ?" ମୁଁ କହିଲି -"ହଁ କହିଛନ୍ତି ।" ତା'ପରେ ମତେ ସେ ନାଁ, ଗାଆଁ, ବାପା, ମା', ଘର ଓ ପରିବାର ଏମିତିକି ସମସ୍ତଙ୍କ ବିଷୟରେ ପଚାରି  ସବୁକିଛି ବୁଝିନେଲେ । ତା'ପରେ ମତେ ପଚାରିଲେ - "କ'ଣ କର ତମେ,ଆଉ ଅଭିନୟ କରିବା ପାଇଁ ଇଛା ଅଛି ?" ମୁଁ କହିଲି -"ହଁ ଇଛା ଅଛି ।" ଏତିକି କଥା ପରେ  ପରେ ସେ ସିଧା ପଚାରିଲେ - "ତମେ କେମିତି ଦେଖିବାକୁ ?" ମୁଁ କିଛି କହିବା ପୂର୍ବରୁ ସେ କହିବା ଆରମ୍ଭ କରିଲେ କି "ତମେ ବହୁତ ସୁନ୍ଦର ହୋଇଥିବ ଦେଖିବାକୁ ନିହାଁତି ।" ମୁଁ କହିଲି - "ହଁ ସୁନ୍ଦର,କିନ୍ତୁ କହି ପାରିବିନି ଆପଣଙ୍କର ଅଭିନୟ ଦୁନିଆରେ ମତେ ପସନ୍ଦ କରିବେକି ନାହିଁ ।" ସେ କହିଲେ  - "ନା, ନା ; ତମେ ସୁନ୍ଦର ମାନେ ତ ନିଶ୍ଚୟ ମୋର ପସନ୍ଦ ହେବ । ଆଉ ଗୋଟିଏ କଥା,ତମେ ମୋଟା ନାଁ ପତଳା ?" ମୁଁ କହିଲି - "ନା,ମୁଁ ପତଳା ।" "ଆମର ତ ଏ ଲାଇନ୍‌ରେ ପତଳା ଝିଅ ହିଁ ଦରକାର" ବୋଲି ସେ ମତେ ଅବଗତ କରିଲେ । ଏମିତି ଆଉ କିଛିଦିନ କଥା ହେଲା ପରେ ସେ ମତେ କହିଲେ -"ଆମର ଏ ଲାଇନ୍‌ରେ ସବୁ କଥାକୁ କମ୍ପରମାଇଜ୍‌
କରିବାକୁ ପଡିବ ।" ମୋର କିଛି ଲାଜ ସରମ ନାହିଁ । ମୁଁ  ତାଙ୍କୁ ସିଧା ସିଧା ପଚାରିଲି "କମ୍ପରମାଇଜ୍‌ ମାନେ କ'ଣ ? କ'ଣ କହିବାକୁ ଚାହୁଁଛନ୍ତି  ଆପଣ ?" "ନା,ଏମିତି ଛୋଟ ଛୋଟ କଥା,ଧର ଆମେ ଯେମିତି କହିବୁ ତମେ ସେମିତି କାମ କରିବ..." ମୁଁ କହିଲି - ଠିକ୍‌ ଅଛି ।" ସେ କହିଲେ - "ଧରିନିଅ କେଉଁଠି ସୁଟିଙ୍ଗ୍‌ ସରୁ ସରୁ ରାତି ହୋଇ ଆସିଲା  ସେଠି ତମକୁ ଆମ ସହ, ରହିବାକୁ ପଡିବ ।" ମୁଁ କହିଲି- "ଠିକ୍‌ ଅଛି,ଯଦି ସମସ୍ତେ ରହିବେ ତା'ହେଲେ ମୁଁ ରହିବି ।" ସେ କହିଲେ - "ହଁ,ସମସ୍ତେ ରହିବେ କିନ୍ତୁ ଆମେ ଗୋଟିଏ ରୁମ୍‌ର ରହିବା ।" ମୁଁ  ସିଧା ସିଧା  ମନା କରିଦେଲି -"ନା,ମୁଁ  ଅଲଗା ରହିବି ।" ସେ କହିଲେ - "ସେମିତି କ'ଣ ହୋଇପାରିବ ? ଆମ ପାଖରେ ହିଁ ରହିବାକୁ ପଡିବ ।" ତାପରେ ମୁଁ ସିଧା ମନା କରିଦେଲି କି ସେମିତିକା ଝିଅ ମୁଁ ନୁହଁ ମୋର ଅଭିନୟ କରିବା ଦରକାର ନାହିଁ ।


     ତାପରେ ସେ ମତେ ବୁଝେଇବାକୁ ଲାଗିଲେ କି "ତମେ ତମ ବୟେଫ୍ରେଣ୍ଡ ପାଇଁ ମନା କରୁଛ ନା ମୋ ସହିତ ସମ୍ପକ ରଖିବା ପାଇଁ ?" ମୁଁ ସିଧା କହିଦେଲି -"ହଁ।" ତା'ପରେ ସେ ମତେ ବୁଝେଇଲେ କି -"ନା,ମୁଁ ଏମିତି ତମକୁ ପରୀକ୍ଷା କରୁଥିଲି ।" ଏମିତି ଗୋଟିଏ ଦିନ ସେ ମୋତେ କହିଲେକି -"ନା, ମୁଁ ଜାଣିଲି ତମେ ସେହିପରିକା ଝିଅ ନୁହଁ,ଯେପରି ଆଜିକାର ଅଧୁନା ଝିଅ । ହଉ ଛାଡ ତମେ ଯେବେ କଟକ ଆସିବ ମତେ ଦେଖା କର,ଦେଖିବା କ'ଣ କରିବା ତମ ପାଇଁ।"


  ମୁଁ ସେତବଳେ ଢ଼େଙ୍କାନାଳରେ ରହୁଥାଏ । ଘରକୁ ଆସିବା ବାଟରେ କଟକରେ ଓହ୍ଲାଇ ତାଙ୍କୁ ଫୋନ୍‌ କଲି । ମୋ କଲ୍‌ ପାଇ ସେ ଆସି ଠିଆ ହୋଇଥିଲେ ବସ୍‌ ଷ୍ଟାଣ୍ଡରେ ।  ସେଇଠୁ ସେ କହିଲେ -"ଚାଲ ମୁଁ ତମକୁ ଆମର ସିନିୟର ସାର୍‌ଙ୍କ ସହ ଭେଟ କରାଇ ଦେବି ।ସେ ତମ ପାଇଁ ଯାହା କରିବେ ।" ଆମେ ଦୁଇଜଣ ସେଠାକୁ ଗଲୁ ।  ଗଲା ପରେ ଏମିତି ଯୋଗ ସେ ବି ଘରେ ନଥା'ନ୍ତି,ସେଉଠୁ ସେ ମତେ ନେଇଗଲେ ଆକାଶ ବାଣୀ କଟକ କେନ୍ଦ୍ର । ସେଠି କ'ଣ ତାଙ୍କ ଗୀତର କ୍ଯାସେଟ୍‌ କରିବାର ଥିଲା । ସେଠୁ ଫେରି ଆସି କହିଲେ -"ଏମିତି କେତେ ସମୟ ବାହାରେ ବୁଲିବା ? ଚାଲ ଯିବା ସିବା ନଟ୍‌ ଆଉଟ୍‌ ସିନେମା ସୁଟିଙ୍ଗ୍‌ ଚାଲିଛି ଦେଖିବା ।" ମୋ ମନରେ ବି ବହୁତ ଆଗ୍ରହ ଥାଏ କି ସିନେମାର ହିରୋ, ହିରୋଇନଙ୍କୁ୍ ସମ୍ନାରେ ଦେଖିବାର ।  ମୁଁ କହିଲି -"ଚାଲ ଯିବା ।" ସେଠାକୁ ଯାଇ ଆସିଲା ପରେ ସେ କହିଲେ - "ଚାଲ ଗୋଟିଏ ରୁମ୍ ନେବା ଓ ବସିକି କଥା ହେବା । ତାପରେ ତମକୁ ଆଣି ମୁଁ ଛାଡିଦେବି ।" ମୁଁ ବୁଦ୍ଧି  ଖର୍ଚ୍ଚ କରିକି କହିଲି -"ଏହି ମନ୍ଦିର ପାଖରେ ଆମେ ବସିବା । "ସେ ଯମା ରାଜି ହେଉନଥା'ନ୍ତି । ମୁଁ  କହିଲି -"ବସିଲେ ବସ ନହେଲେ ମତେ ନେଇକି ଛାଡ଼ି ଆସ ।" ସେ ବାଧ୍ଯ ବାଧକତାର ସହ ସେଠି ବସିଲେ  । ତା'ପରେ ସେ ତାଙ୍କ ନିଜ ବିଷୟରେ ସଫେଇ ଦେବା ଆରମ୍ଭ କରିଦେଲେ । କହିଲେକି "ପିଲାଙ୍କର ବୟ୍‌ଫ୍ରେଣ୍ଡ ଥାଇକି ବି ସେ ମୋ ସହ ସମ୍ପର୍କ ରଖୁଛନ୍ତି"। ତା'ର ପ୍ରମାଣ ଦେଖିବ କହି ଫେସବୁକ୍‌ ଅନ୍‌ କରି ସେ ଝିଅଟିର ଅଶୀଳ ଫଟୋ ମତେ ଦେଖାଇଲେ । ମୁଁ ଦେଖିବା ମାତ୍ରକେ "ବନ୍ଦ୍‌ କର" ବୋଲି କହିଲି । ତା'ପରେ ସେ ମତେ ପଚାରୁଛନ୍ତି -"କ'ଣ ଖରାପ ଲାଗୁଛି  କି ? ଏ ତ ଝିଅ ଖାଲି ଦେଖିଲ, ହେଲେ ମୋ ସହିତ ସ୍ତ୍ରୀ ଲୋକଙ୍କର ବି ସମ୍ପର୍କ ଅଛି । ଆମ ସେଇପଟେ ଖୋର୍ଦ୍ଧାରେ ତାଙ୍କ ସ୍ବାମୀ ମାନେ ବାହାରେ ରହୁଛନ୍ତି । ସେ ବି ମୋ ସହ ସମ୍ପର୍କ ରଖୁଛନ୍ତି,ତମେ କ'ଣ ପାଇଁ ରାଜି ହେଉନ ?" ମୁଁ କିଛି ନକହି ନିରବ ରହିଲି ।

        ଏତିକି କଥା ପରେ ଆମେ ଗଲୁ ମଧ୍ୟାହ୍ନ ଭୋଜନ ଖାଇବାକୁ ହୋଟେଲ୍‌କୁ । ସେଠି ସେ ଯଲଦି ଯଲଦି କରି ଖାଇକି ଉଠି, ସେଠି ଖାଇବାକୁ ଦେଉଥିବା ଓଏଟର ଭାଈକୁ ପଚାରୁଛନ୍ତି -"ଏଠି ନିରୋଳା ଜାଗା କେଉଁଠି ଅଛି ?" ସେ ପଚାରିବା ସମୟରେ ମୁଁ ଶୁଣି ଦେବାରୁ ମୋର କାହିଁ ସନ୍ଦେହ ଆସିଲା । ମୁଁ ସେତେବେଳେ କଟକକୁ ନୂଆ କରି ଆସିଥାଏ ତାଙ୍କୁ ଭେଟିବାକୁ । ସେ ମତେ କହିଲେ -"ଆମେ ତ ଖାଇଲେ, ଚାଲ ଯିବା ନଦୀକୂଳ ଆଡ଼କୁ ଟିକେ ଥଣ୍ଡା ପବନ ଖାଇକି ଆସିବା ।" ମୁଁ ଏ କଥା ଶୁଣି ମୋ ମନରେ ବହୁତ ଭୟ ଆସି ଯାଇଥାଏ, କାରଣ ବାଟ ବି ମତେ ଜଣା ନଥାଏ । ହେଲେ ତାଙ୍କୁ ଜାଣିବାକୁ ଦେଇ ନଥାଏ  ବାଟ ମତେ ଜଣା ନାହିଁ ବୋଲି । ମୁଁ କହିଲି - "ମତେ  ସିଧା ନେଇ ବସ୍‌ ଷ୍ଟାଣ୍ଡରେ ଛାଡିକି ଆସ ।" ସେଉଠୁ ସେ ବାଧ୍ଯ ହୋଇକି ମତେ ଆଣିକି ଆସିଲେ  ।ଆସିଲା ସମୟରେ ଗାଡିର ଚକା ଲିକ୍‌ ହୋଇଗଲା । ସେଉଠୁ କ'ଣ କରିବୁ,ଦ୍ବିପହର ସମୟ ।  କିଛି ଲୋକ ଦୋକାନ ବନ୍ଦ କରି ଖାଇବାକୁ ଯାଇଥା'ନ୍ତି,ଆଉ କିଛି ଲୋକ ଦୋକାନ ଖୋଲିକି ବସିଥାନ୍ତି । ସେଉଠୁ କିଛି ବାଟ ଆସିଲା ପରେ ଗୋଟିଏ ଗାଡି ଗ୍ଯାରେଜ୍‌ ଖୋଲା ଥାଏ । ସେ ଗାଡ଼ିକୁ ଦେଖି କହିଲେ -"ରଖ ମୁଁ ଠିକ୍‌ କରି ଦେଉଛି ।" ସେଠି ଗୋଟିଏ ବେଞ୍ଚ ଫାଙ୍କା ଥାଏ,ମୁଁ ଯାଇକି ସେଠି ବସିଲି । କିଛି ସମୟ ଛାଡ଼ିକି ସେ ବି ଗଲେ ସେଠାକୁ ବସିବା ପାଇଁ । ଠିକ୍‌ ସେହି ସମୟରେ ଜଣେ ସ୍ତ୍ରୀ ଲୋକ ତାଙ୍କୁ ଫୋନ୍‌ କଲେ ; ସେ ଫୋନ୍‌କୁ ରିସିଭ୍‌ କରିବା ସହିତ ସ୍ପିକରଟାକୁ ଦେଇଥା'ନ୍ତି । ସେ ସ୍ତ୍ରୀ ଲୋକ ଜଣକ ତାଙ୍କୁ ପଚାରିଲେ "ତମେ କୋଉଠି  ଅଛ ?"
- ମୁଁ କଟକରେ ଅଛି ।
- ଆମ ଘର ଆଡେ ଆସୁନ । ମୋ ସ୍ବାମୀ ନାହାଁନ୍ତି କି ପୁଅ ବି କଲେଜରୁ ଫେରିନି ।

        ଏମିତି ଆଉ କିଛି କଥା ବି ହେଲେ । କଥା ସରିଲା ପରେ ପୁଣି ମତେ ବୁଝେଇବାକୁ ଲାଗିଲେ -"ଦେଖୁଛ ସେମାନେ ମତେ ଫୋନ୍‌ କରି ଡ଼ାକୁଛନ୍ତି, ହେଲେ ମୁଁ ଯାଇ ପାରୁନି । କିନ୍ତୁ ତମେ ମୋ ପାଖରେ   ମୁଁ ତମକୁ ଡ଼ାକୁଛି ତମେ ଆସୁନ। ଥରେ ଆସ ମୋ ପାଖକୁ ଦେଖ ସବୁବେଳେ ଆସିବାକୁ ଇଛା କରିବ ।" ମୁଁ ସେଉଠୁ କିଛି ଯେମିତି ନଶୁଣିଲା  ପରିକା ଠିଆ ହୋଇଥାଏ । ସେ ବାଧ୍ଯ ହୋଇ କହିଲେ- ହଉ ମୋର କିଛି ଦରକାର ନାହିଁ, ଖାଲି ଗୋଟିଏ ଚୁମ୍ବନ ଦେଉନ ନହେଲେ lମୁଁ ସେଉଠୁ ଉଠିକି ଚାଲି ଆସି ଠିଆ ହୋଇଲି ସେ ଗାଡ଼ି ଗ୍ଯାରେଜ୍‌ ପାଖରେ l କିଛି ସମୟ ଭିତରେ ଗାଡି ମରାମତି ସରିଗଲା । ସେ ମତେ ଆଣିକି ବସ୍‌ଷ୍ଟାଣ୍ଡରେ ଛାଡିବା ରାସ୍ତାରେ କହୁଛନ୍ତି -ବିଜୁ ପଟ୍ଟନାୟକ ପାର୍କ ଯିବା ବୋଲି  l ମୁଁ କହିଲି ମୋର କୁଆଡେ ଯିବାର ନାହିଁ,ମତେ ବସ୍‌ ଷ୍ଟାଣ୍ଡରେ ଛାଡିବ ଯଦି ଛାଡ ନହେଲେ ମୁଁ ନିଜେ ଯାଇ ପାରିବି। ସେଉଠୁ ଫୁଣି ଆହୁରି ଗୋଟିଏ ପ୍ଲାନ୍‌ ପକାଇଲେ -ତମେ ସିନା ଚାହୁଁନ ଆଉ କାହା ସହ ସମ୍ପର୍କ ରଖିବା ପାଇଁ,ହେଲେ ତମ ବୟେଫ୍ରେଣ୍ଡ କ'ଣ ଖାଲି ତମକୁ ଭଲପାଉଥିବ ନା ତାଙ୍କର ସେପଟେ ବି ଆଉ କେଉଁ ଝିଅ ସହ ସମ୍ପର୍କ ରଖୁଥିବେ । ପୁଅ ପିଲାଙ୍କ ଜାତି ହେଉଛି ବା ସେୟା । ଏମିତି କଥା ଭିତରେ ବସ୍‌ ଷ୍ଟାଣ୍ଡରେ ଆସି ପହଞ୍ଚି ଗଲି ।

           ସେଠୁ ଆସିକି ଢ଼େଙ୍କାନାଳରେ ପହଞ୍ଚିଲି, ତା'ପରେ ତାଙ୍କର ଫୁଣି ସନ୍ଧ୍ଯାବେଳକୁ ଫୋନ୍‌ ଆସିଲା । ସେ କହିଲେ -"ତମ ସହିତ ଯେଉଁ ଟାଇମ୍ ବିତେଇଛି ଆଜି ଦିନରେ,ମୁଁ ତାକୁ ଭୁଲି ପାରୁନି । ମୋ ମନ କଥା ଥରେ ବୁଝ ।" ମୁଁ କହିଲି "ତମ ଚାରି ଖୁରାକୁ ଜୁହାର , ତମେ ତମ ରାସ୍ତାରେ ଯାଅ ଆଉ ମୁଁ ମୋ ରାସ୍ତାରେ ।  ମୋର ଅଭିନୟ କରିବା ଦରକାର ନାହିଁ, ବହୁତ ହୋଇଗଲା ମୋର ଅଭିନୟ ।" ସେଠୁ ପୁଣି ନୂଆ ନାଟକ ହେଲା ତାଙ୍କର - "ତମେ ଯଦି ରାଜି ନହେଉଛ ତାହେଲେ ତମର ସାଙ୍ଗ,ସାଥି କିଏ ଥିବେ ତାଙ୍କୁ କୁହ । ଏମିତି ଯୋଗ ଯେ ସେଠି ବି ମୋ ପାଖରେ ଗୋଟିଏ ଝିଅ ଥାଏ,ସେ ଏସବୁ କଥା ଶୁଣିଲାପରେ ବି ରାଜି ହୋଇଗଲା । ମୁଁ ସେଉଠୁ ଫୋନ୍‌ କରି କହିଦେଲି କି "ସେ ପିଲା ତମର ସବୁ କଥାରେ ରାଜି । ସେ ତମ ନମ୍ବର ମାଗୁଛି । ସେ ଉତ୍ତରରେ କହିଲେ - "ନା, ଠିକ୍‌ ଅଛି ସେ ଝିଅ ନମ୍ବର ମତେ ଦିଅ ।" ମୁଁ ସେଉଠୁ ନମ୍ବର ଦେଲା ପରେ ସେ କ'ଣ କଥା ହେଲେ ମୁଁ ଆଉ ସେ ବିଷୟରେ କିଛି ବି ଜାଣେନା । ତା'ପରେ ଗୋଟିଏ ଦିନର ଘଟଣା,ମୋର ଘରକୁ ଆସିବାର ଥାଏ । ମୁଁ ଯେତେବଳେ କହିଲି ମୁଁ ଆସନ୍ତା କାଲି ଘରକୁ ଯିବି ସେ ଝିଅ ମତେ କହିଲା "ମୁଁ ବି ଯିବି ଘରକୁ ।  ଆମେ ଦୁଇଜଣ ସାଥି ହୋଇ ସକାଳେ ବାହାରିଯିବା " ମୁଁ କହିଲି "ଠିକ୍‌ ଅଛି ।" ବସ୍‌ରେ ଆସିବା ସମୟରେ ମତେ କହୁଛି କି "ଦିଦି ! ସେ ମ୍ଯୁଜିକ୍‌ ଡ଼ାଈରେକ୍ଟର ଆସୁଛନ୍ତି ମତେ ଦେଖା କରିବାକୁ ।" ମୁଁ କହିଲି - "ଠିକ୍‌ ଅଛି,କିଛି କଥା ନାହିଁ । ତୁ ଯାଇକି ଦେଖା କର୍‌, ମୁଁ ମୋର ଆମ ଗାଆଁ ବସ୍‌ ଧରିବି । ସେ କହିଲା -"ନା, ତମେ ମୋ ସହିତ ଚାଲ ।"ବହୁତ ବାଧ୍ଯ କଲାରୁ ମୁଁ ଗଲି ତା' ସହିତ । ସେଠି ତାକୁ ଦେଖି ତାହା ସହ କଣ କ'ଣ ସେ  କଥା ହେଲେ ମୋ'ଠୁ କିଛି ବାଟ ଦୂରକୁ ଯାଇକି । ସେଉଠୁ ଆମେ ଦୁଇଜଣ ଆସିଲୁ, ସେ ଗଲା ତାଙ୍କ ଘରକୁ ଆଉ ମୁଁ ଆସିଲି ମୋ ଘରକୁ । ମତେ ପୁଣି ରାତିକି ଫୋନ୍‌ ଆସିଲା ଯେ -"ତମେ ଏମିତି ଗୋଟିଏ ଝିଅକୁ ଆଣିଥିଲ ଯେ ସେ ଯମାରୁ ରାଜି ହଉନି ମୋ କଥାରେ,କହୁଛି ମୋ ପାଇଁ ତମେ ଆଗ କାମ ବୁଝ ତାପରେ ଯାଇକି ଯାହା ।" ମୁଁ କହିଲି -ଦୟାକରି ମତେ ତା' ଭିତରକୁ ଟାଣନି ।" ସେଠୁ ପୁଣି କିଛିଦିନ ପରେ ନୂଆ ପ୍ଲାନ୍‌ କି ତାରା ତାରେଣୀ ସୁଟିଙ୍ଗ୍‌ ଚାଲିଛି, ଗୋଟିଏ ଝିଅ ଦରକାର ଅଛି ।" ମୁଁ କହିଲି "ସେ ଝିଅ ଫିଅ ମୁଁ ଆଣିକି ଦେଇ ପାରିବିନି କୋଉଠୁ ।" ସେ ମତେ ବୁଝେଇବାକୁ ଲାଗିଲେ କି "ତମେ ଚାହିଁଲେ ବି କରିପାରିବ ।" ମୁଁ କହିଲି "ସତରେ ନା ?" ସେ ହଁ ଭରିଲେ ଓ କହିଲେ - "ତା' ମାନେ ତମେ ମୋ ପ୍ରସ୍ତାବରେ ରାଜି ।" ମୁଁ କହିଲି - "ନା ଥାଉ,ମୋର ଅଭିନୟ କରିବାର ନାହିଁ ।" ଯେତେବଳେ ସବୁ ଯୋଜନା ଅସଫଳ ହେଲା ସେତବେଳେ ପୁଣି ନୂଆ ଯୋଜନା କଲେ । ସେ କହିଲେ - "ମୁଁ ସିନା ବାହା ହୋଇଛି,ହେଲେ ମୋ ସ୍ତ୍ରୀ ସହ ମୋର ଶୀରୀରିକ ସମ୍ପର୍କ ନାହିଁ ।" ମୁଁ ଏ କଥା ଶୁଣିଲା ପରେ ଭାବିଲି ଯେହେତୁ ସ୍ତ୍ରୀ ସହ ସମ୍ପର୍କ ନାହିଁ ଲୋକଟି ଆଉ ସମସ୍ତଙ୍କ ସହ ସମ୍ପର୍କ ରଖିବା ପାଇଁ ବୋଧ ହୁଏ ବ୍ଯାକୁଳ ହେଉଛନ୍ତି । ମୁଁ ସବୁ କଥା ଜାଣିବା ପାଇଁ ପଚାରିଲି ତାଙ୍କୁ । ସେ ମତେ କହିଲେ କି "ମୋ ସ୍ତ୍ରୀ ମା' ସନ୍ତୋଷୀଙ୍କର ପରମ ଭକ୍ତ ।  ବାହାଘରର ପ୍ରଥମ ସ୍ପର୍ଶରେ ଜାଣିଲି ଯେ ମା' ତାଙ୍କ ଦେହରେ ସଦାସର୍ବଦା ରୁହନ୍ତି । ସେବେଠୁ ସେ ଅଲଗା ରୁମ୍‌ରେ ମୁଁ ବି ଅଲଗା ରୁମ୍‌ରେ ରହୁ । ଏମିତି ଅନେକ କଥା କହିଲେ । ମୁଁ ସେ ସବୁ ଶୁଣିଲା ପରେ ଅବଶ୍ଯ ମତେ ଟିକେ କଷ୍ଟ ଲାଗିଲା,ମୁଁ ତାଙ୍କୁ କହିଲି "ତମେ ଚାହିଁଥିଲେ ଦ୍ବିତୀୟ ବିବାହ କରିପାରିଥା'ନ୍ତ ।" ସେ କହିଲେ "ଲୋକ କ'ଣ କହିବେ ମତେ ? ଗୋଟିଏ ସ୍ତ୍ରୀ ଥାଉ ଥାଉ ପୁଣି ଦ୍ବିତ୍ବୀୟ ବିବାହ ପାଇଁ ଇଛା କରୁଛନ୍ତି । ଆମର ମାନ ସମ୍ମାନ ଅଛି ଏ ସମାଜରେ, ସମସ୍ତେ ଜାଣନ୍ତି ମତେ । ଲୋକେ କଣ  କହିବେ ଶୁଣିଲେ ? ଆମେ ଯାହା କରୁ ଏ ଲାଇନ୍‌ରେ ସବୁ ଭିତିରିଆ, ବାହାରେ କେହି କିଛି ଜାଣି ପାରନ୍ତିନି ।" ତଥାପି ମୁଁ ତାଙ୍କ ପ୍ରସ୍ତାବରେ ରାଜି ହେଲି ନାହିଁ, ତାଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କଲି । କହିଲି "ସବୁବେଳେ ସବୁ କାମରେ ସ୍ବାର୍ଥ ରଖି କାମ କରିବା ଠିକ୍‌ ନୁହଁ । ତମେ ଚାହିଁଲେ କେହି ଜଣେ କିଛି କରିପାରିବ ଓ ତା' ସ୍ବପ୍ନକୁ ପୂରଣ କରିପାରିବ । ଯେତେ ଆଗକୁ ଗଲେ ବି ସବୁବେଳେ ତମରି ନାଁ ଚାରିଆଡେ କହୁଥିବ,ତା'ଠୁ ଖୁସି ଓ ଗୌରବ ଆଉ କ'ଣ ହୋଇ ପାରେ ?" "ନା,ମତେ ନବୁଝେଇ ତମେ ବୁଝିବା ଦରକାର ଯେ ଏଇଟା ସାମାନ୍ଯ କଥା ଆଜି କାଲିର ଝିଅଙ୍କ ପାଇଁ " - ସେ ବହୁତ ଉତ୍ତେଜିତ ହୋଇକି କହିଲେ । ପୁନରାୟ କହିଲେ -"ମୁଁ ତମକୁ ମନା କରିଦେଲି ମାନେ ତମେ କେବେ ବି ଅଭିନୟ କରିପାରିବ ନାହିଁ  ।  ତମକୁ ମୋର ଚ୍ଯାଲେଞ୍ଚ ରହିଲା ।" ତା'ପରେ ବି ମତେ ବହୁତ ସୁଯୋଗ ମିଳିଛି,ହେଲେ ମନ ଚାହିଁଲାନି । ଆଉ ପୁଣି ଏମିତି ଯୋଗ ଯେ ଅନେକ ଦିନ ପରେ ଦିଦିଙ୍କ ସହ ମୋର ଭେଟ ହେଲା ପରେ ନିରୋଳାରେ ବସିକି ତାଙ୍କୁ ସବୁ କଥା କହିଲି ।  ସେ ଏକଥା ଶୁଣିଲା ପରେ ମତେ କହିଲେ -"ସେ ପରା ବାହା ହୋଇଛନ୍ତି, ଦେଖିବ ତାଙ୍କ ଫଟୋ ?" ସେ ମତେ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ଫୋଟ ଦେଖାଇଲେ ତାଙ୍କ ପୁଅଙ୍କ ପାଇଁ ବାହାଘର ପ୍ରସ୍ତାବ ଖୋଜୁଛନ୍ତି ସେ ।  ସେଥିଲାଗି ତାଙ୍କ ପରିବାର ଫୋଟ ଦାଇଛନ୍ତି ଫେସବୁକ୍‌ରେ ।

    ଏ ହେଉଛି ମଣିଷର ପ୍ରକୃତି ।
"ମଣିଷ ପ୍ରକୃତି ମଲେ ତୁଟେ,
ଘୁଷୁରି ପ୍ରକୃତି ପଙ୍କେ ଲୋଟେ ।"

ଜୟ ସାହିତ୍ୟ, ଜୟ ସମାଜ