ନାରାୟଣ ଚନ୍ଦ୍ର ସେନାପତି
ବେଶହୀନ ଜୀବ ଓ ଆବରଣହୀନ ଜିନିଷ ବାସ୍ତବରେ ନଗ୍ନ।ତାହା କାନ୍ଥରେ,କାଗଜରେ,ବାଲିରେ କିମ୍ବା ଧରିତ୍ରୀ ଉପରେ ଚଳ ପ୍ରଚଳ କରୁଥିବା ରକ୍ତମାଂସର ପ୍ରତିମା ହୋଇପାରେ। ସେହିପରି ସୀମାବିହୀନ କର୍ଣ୍ଣ ଚାହୁଁଥିବା ଭାଷା ହିଁ ନଗ୍ନ । ଦିନ ଥିଲା, ସେଦିନ ଆଦିମ ସଭ୍ୟତାର ସେ ପୂର୍ବଜ ଥିଲା ନଗ୍ନ ବାନରର ବିଚିତ୍ର ରୂପ । ଅସଭ୍ୟ ଯାଯାବର ଥିଲା ତା ସଭ୍ୟତା ଓ ସଂସ୍କୃତି । ତା ଚରାଭୂଇଁ ଥିଲା ତା ଅଭିନ୍ନ ରଙ୍ଗମଞ୍ଚ । ଯେଉଁଥିରେ ସେ ଅଜ୍ଞାନରେ ଅଜ୍ଞାତ ଭାବେ କରୁଥିଲା ତା ନଗ୍ନ ମୁକ ଅଭିନୟ । ବସ୍ତୁତଃ ତାହା ଥିଲା ସାର୍ବଜନୀନ ବା ସାଧାରଣ । ସମ୍ବେଦନ କଣ, ପ୍ରତିକ୍ରିୟା କଣ ତାହା ଥିଲା ତା ଜ୍ଞାନର ନେପଥ୍ୟରେ ।ପ୍ରକୃତିରେ ବସବାସ କରୁକରୁ ପ୍ରାକୃତିକ ଜଙ୍ଗଲର ଫଳମୂଳ, ମନ୍ଦ ସମୀରଣ,ଶୀତଳ ଝରଣା ଓ ନଦୀର ଜଳ, ଦିବାକରଙ୍କ ଆଲୋକ ଥିଲା ତା'ର ପ୍ରମୁଖ ଆଵଶ୍ୟକତା । ମାତ୍ର ତା ଦେହର ଚର୍ମର ଆବରଣ କି ଜୀବନର ସୁରକ୍ଷାର ଆବରଣ ଚିନ୍ତା କରିବା ଥିଲା ସ୍ୱପ୍ନ । ଖରା, ବର୍ଷା, ଶୀତ, କାକରରେ ଯେତେବେଳେ ଥରିଲା ଲୋଡିଲା ପତ୍ରଟେ, ଡାଲଖଣ୍ଡେ ଯାହା ଢଙ୍କେଇଲେ ସେ ଟିକେ ଆରାମ ଅନୁଭବ କଲା।
ପାଣିପାଗ ଜଳବାୟୁର ପରିବର୍ତ୍ତନ ଓ ମଣିଷର ଜୈବିକ ଆଵଶ୍ୟକତା ପାଇଁ ଭିନ୍ନ ବା ବିପରୀତଲିଙ୍ଗୀ ଯେବେ ଆକର୍ଷିତ ହେଲେ ତାର ଆସିଲା ଲାଜ । ଯେଉଁ ଅଙ୍ଗମାନ ସମ୍ବେଦନଶୀଳ ବା ଆକର୍ଷଣର କେନ୍ଦ୍ରବିନ୍ଦୁ ତାକୁ ସେ ଲୁଚାଇବାକୁ ଚାହିଁଲା । ସେବେଳେ ଲୋଡା ହେଲା ସ୍ଥାୟୀ ପୋଷାକ । ନଗ୍ନତାକୁ ସେ ନାପସନ୍ଦ କଲା ।ଘରେ,ସାହିରେ, ବାହାରେ କେଉଁଠି ବି ଅଙ୍ଗରୁ ବିଶେଷ କରି ସମ୍ବେଦନଶୀଳ ଅଙ୍ଗରୁ ପୋଷାକ ଖସିଲେ ତାକୁ ଖରାପ ଲାଗିଲା । ସେ ହେଲା ପୋଷାକରେ ମାର୍ଜିତ ଓ ରକ୍ଷଣଶୀଳ । ସମାଜ ମୁଣ୍ଡ ନୂଆଁଇଲା ତା ସଂସ୍କୃତି,ପରମ୍ପରା ଓ ଆଦର୍ଶ ଦେଖି ।
ପୂର୍ବେ ମଣିଷ ଥିଲା କଷ୍ଟସହିଷ୍ଣୁ । କାମନା ବାସନା ଆଶା ବି ଥିଲା କ୍ଵଚିତ । ମନ୍ଦିର କାନ୍ଥର ନଗ୍ନ ରୂପ ତା ମନରେ ଆଣୁଥିଲା ମୃଦ୍ୟୁ ଉନ୍ମାଦନା । ନିଜ ଅଂଚଳର କୃତି ପ୍ରଦର୍ଶନ ଓ ନିଦର୍ଶନ ଓ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ମନ୍ଦିରର ଥିଲା ସେ କଳାକୃତି । ଯୁଗ ବଦଳିଲା । ମଣିଷ ମନୋରଞ୍ଜନ ପାଇଁ ଆଦରି ନେଲା ଯାତ୍ରା,ଚଳଚ୍ଚିତ୍ର, ଥିଏଟର, ପାଲା, ଦାସକାଠିଆ ଇତ୍ୟାଦି । ଅତ୍ୟାଧୁନିକତାର ସ୍ପର୍ଶରେ ଆଧୁନିକ ନାଁ ବି ଶୁଣିବାକୁ ପଡିଲା ଜଲିଉଡ଼,ଓଲିଉଡ ଓ ବଲିଉଡ । ବଲିଉଡ ଭାରତୀୟ ସ୍ତରର ବିଶେଷତଃ ରାଷ୍ଟ୍ରଭାଷାର ଚଳଚ୍ଚିତ୍ର ଜଗତ,ଓଲିଉଡ ଓଡ଼ିଶାର ଓଡ଼ିଆ ଚଳଚ୍ଚିତ୍ର ଜଗତ ମାତ୍ର ଜଲିଉଡ଼ ହେଲା ସବୁଠୁ ପ୍ରାକୃତିକ ଅତୀବ ମନୋମୁଗ୍ଧକର ଓଡ଼ିଶାର ଯାତ୍ରା ଦୁନିଆ ।
ପ୍ରଶ୍ନ ଆସେ ଏ ତିନୋଟି ଉଡ଼ ରେ ନଗ୍ନତା କ'ଣ ନିତ୍ୟାନ୍ତ ଆବଶ୍ୟକ । ସଭ୍ୟତା କହିଲେ କି ସଂସ୍କୃତି କହିଲେ ସଂସ୍କାର ଓ ନୀତି ଆଦର୍ଶ ପୂର୍ଣ୍ଣ ଚଳଣୀ କୁ ବୁଝାଏ । ମୋ ଭାରତବର୍ଷ ବିଶ୍ୱରେ ଶ୍ରେଷ୍ଠ ତା ମହନୀୟ ସଂସ୍କୃତି ପାଇଁ । ତା ଭିତରର ଓଡ଼ିଶାର ସଂସ୍କୃତି ବିଶ୍ୱ ସଂସ୍କୃତିର ଜନନୀ । ପୁନଶ୍ଚ ଖାଣ୍ଟି ଓଡ଼ିଆଣୀ ,ଓଡ଼ିଆ ବୋହୂ ଆଚାର ବିଚାର ପାଇଁ ଚିର ପୂଜନୀୟା । ତାକୁ ଦେଖିଲେ ଭଗବାନ ବି ମୁଣ୍ଡ ନୁଆଇଁ ସମ୍ମାନ ଦିଅନ୍ତି । ଭାରତୀୟ ନାରୀ ତ ଭକ୍ତିର ଅର୍ଘ୍ୟ । ବିଶେଷ କରି ଶାଳୀନ ବ୍ୟବହାର ଶୋଭନୀୟ ପୋଷାକ ତାକୁ ନମସ୍ୟ କରେ । ଲଜ୍ଜା ତାର ଭୂଷଣ । ନଗ୍ନତାକୁ ସେ ଘୃଣା କରେ ।
ପୂର୍ବରୁ ଯିଏ ଯାତ୍ରାରେ ଯାଉଥିଲା ତାକୁ ଶୁଣିବାକୁ ପଡୁଥିଲା "ଯାତରା ଛତରା" । ଅତି ଅନୁନ୍ନତ,ଆଚାର ବିହୀନ ପରିବାର କିମ୍ବା କ୍ଵଚିତ ଅଭାବୀ ଭଲ ଘରର ପୁଅ ଝିଅମାନେ ପରିସ୍ଥିତିରେ ଆଦରୁଥିଲେ ଏପ୍ଲାଟଫର୍ମ।କେବଳ ପୋଷକର ନଗ୍ନତା ନୁହଁ ଏମିତିକି ଭାଷାର ନଗ୍ନତା ବି ଜଲିଉଡ଼ରେ ରହିଲା । କେତେକ ଅସମାଜିକଙ୍କୁ ଶତ ପ୍ରତିଶତ ଖୁସି ବାଣ୍ଟିଲେ ବି ଭଦ୍ର ରକ୍ଷଣଶୀଳଙ୍କ ପାଇଁ ଥିଲା ଅସଭ୍ୟ କ୍ରିୟାକଳାପ । ତଥାପି ସେ ସମୟର ଲୋକେ ଅଧିକାଂଶ ମାତ୍ରାରେ ଈଶ୍ୱର ବିଶ୍ୱାସୀ ଓ ଜଲିଉଡ଼ର ବିଷୟବସ୍ତୁ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଥିବାରୁ ନଗ୍ନତା ସେତେ ନ ଥିଲା,ଏମିତିକି ନୃତ୍ୟ ନାଟିକା ଥିବାରୁ ନଗ୍ନତା ଅଶ୍ଳୀଳ ଠାରୁ ଦୂରରେ ଥିଲା।କେବଳ ଡୁଏଟ୍ରେ ସାମାନ୍ୟ ନଗ୍ନତା ଉଭୟ ଭାଷା ଓ ପୋଷାକରେ ଥିଲା ଯାହା ହାରାହାରି ଚାଲିଯାଉଥିଲା।
ଓଲିଉଡ ଓ ବଲିଉଡ ସହ ଜଲିଉଡ଼କୁ ତୁଳନା କରା ଯାଇପାରେନା । କାରଣ ସେସବୁ ପରଦାରେ ମଣିଷ ଦେଖୁ ଥିଲା ଓ ଦେଖୁଛି ମଧ୍ୟ।ଓଲିଉଡର ସାମାନ୍ୟ ନଗ୍ନତା ଯେହେତୁ ପରଦା ପଛର ଓ ସେନ୍ସର ବୋର୍ଡ଼ ଦ୍ୱାରା ପାଶ୍ ହେଉଥିଲା ତାହା ଧର୍ତ୍ତବ୍ୟ ନୁହେଁ।ପୁନଶ୍ଚ ବଲିଉଡ ଅତ୍ୟାଧୁନିକତାର ଛୁଆଁ ରେ ଓ ବିଶେଷ କରି ପାଶ୍ଚାତ୍ୟ ଦେଶ ଗୁଡିକରେ ସୁଟିଂ ହେବାରୁ ବାହାରେ ସ୍ୱଳ୍ପ ସମୟ ଧରି ସୁଟିଂ ଦୃଶ୍ୟକୁ ପରଦାରେ ଅଧିକାଂଶ ଉନ୍ନତ ଉଚ୍ଚ ସ୍ତରର ବ୍ୟକ୍ତି ଦେଖୁଥିଲେ ଯାହାକି ସରଳ ମନରେ କୁ ପ୍ରଭାବ ପକାଇ ପାରୁନଥିଲା କି ପାରୁନାହିଁ । ମାତ୍ର ଜଲିଉଡ଼ ବା ଯାତ୍ରା ଜଗତ ସେ ପରଦାର ବେଶଭୂଷା, ଅଶ୍ଳୀଳ ଦୃଶ୍ୟ ଓ ନଗ୍ନତାକୁ ଜୀବନ୍ତ ଫୁଟାଇ ବାହାଦୁରୀ ମାରି ଅଧିକ ଟଙ୍କା ରୋଜଗାର କରିବାକୁ କଳାକାର ଓ ଯାତ୍ରା ମାଲିକ, ମ୍ୟାନେଜର ସଙ୍ଗେ ସଙ୍ଗେ ବିଭିନ୍ନ ଯାତ୍ରା କମିଟି ପାଦ ବଢ଼େଇଲା । ସେଦିନ ନାହିଁ, ସେଦିନର ଯାତରା ଛତରା ଉକ୍ତି ବି ନାହିଁ, ଯାତ୍ରାର ସ୍ୱରୂପ ବଦଳିଛି, ମଞ୍ଚ ବଢିଛି,ଅତି ଉଚ୍ଚ ଶିକ୍ଷିତ ଓ ଭଦ୍ର ବଡ଼ ପରିବାରର ଉଭୟ ଲିଙ୍ଗୀ ମାନବ ପାଦ ଦେଇଛି ଜଲିଉଡ଼ରେ କଳା ବିକାଶ କରିବାକୁ ।
କିନ୍ତୁ ଦୁଃଖ ଲାଗୁଛି ଏବେ ଜଲିଉଡ୍ ର ଖୁଳୁନ ଖୁଲା ନଗ୍ନ ଦେଖି । ସେତେବେଳେ ମହାନ ଖଳନାୟକ ଦୈତାରି ପଣ୍ଡାଙ୍କ ଜୀଅନ୍ତା ଶବ, ନର ରାକ୍ଷସରେ ରେଫ ସିନରେ ଥିଲା ସାମାନ୍ୟ ନଗ୍ନତା,ନୀର ସ୍ୱାଇଁ କି ମିଟୁ ଦାସଙ୍କ ସେହିପରି ଦୃଶ୍ୟରେ ସାମାନ୍ୟ ନଗ୍ନତା । ଭଦ୍ର ସମାଜ ବି ଏସବୁକୁ ସହଜରେ ଆଦରି ନେଉ ନଥିଲା । ମାତ୍ର ଏବେ ଜଲିଉଡ଼ରେ ଆଜି ସେ ଦକ୍ଷ କଳାକାରଙ୍କ ଭୟଙ୍କର ଦୃଶ୍ୟ ନାହିଁ କି ସେଥିରେ ନାରୀ ଚରିତ୍ରର ଅଶ୍ଳୀଳ ନଗ୍ନତା ନାହିଁ । ନଗ୍ନତାର ସୁଅ ଛୁଟିଛି ସାମ୍ପ୍ରତିକ ରେକର୍ଡ ଡ୍ୟାନ୍ସରେ ।ପୋଷାକ ଖଣ୍ଡିଆ ତ କିଏ ଜାଣି ଶୁଣି ଦେଖାଉଛି ଅଙ୍ଗ । ପୁନଶ୍ଚ ସ୍ୱାମୀ-ସ୍ତ୍ରୀ ବି ଏପରି ମିଳନ ମୁହୂର୍ତ୍ତକୁ ସମ୍ମୁଖୀନ ହେଉ ନ ଥିବେ ଏପରି ପାଶ୍ଚାତ୍ୟ ଅଭିନବ ନୃତ୍ୟ ନାଁରେ ନଗ୍ନତା କରାଯାଉଛି।
ପ୍ରକୃତ ପକ୍ଷରେ କେବଳ କୁକୁର ମାଙ୍କଡ଼ ମାନେ ଏବଂ ଅନ୍ୟ ପଶୁପକ୍ଷୀ ମାନେ ହି ନଗ୍ନତାକୁ ଭଲ ପାଆନ୍ତି । ପରନ୍ତୁ ଆଜି ବି କେତେକ ପୋଷା କୁକୁର କି ମାଙ୍କଡ଼ ନଗ୍ନତାକୁ ନାପସନ୍ଦ କରିବାସ୍ଥଳେ ଯାତ୍ରାଜଗତର ନଗ୍ନତା ପାଇଁ ପ୍ରତିଯୋଗୀତା ଅତି ଅସୌଜନ୍ୟ ।
ବର୍ତ୍ତମାନ ଯାତ୍ରା ଜଗତରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛନ୍ତି ନିଜକୁ ଆଇଟମ୍ କୁଇନ୍ କହି ନିର୍ଲଜ ଭାବେ ପ୍ରଶଂସିତ ହେଉଥିବା ଇଷ୍ଟର୍ଣ୍ଣ ଅପେରାର ଉଦଣ୍ଡ ନର୍ତ୍ତକୀ ରାନି ପଣ୍ଡା । ଓଡ଼ିଆ ଲୋକ ହୋଇ ମଝିରେ ମଝିରେ ଷ୍ଟାଇଲରେ ନନ୍ ଓରିଆ ଷ୍ଟାଇଲରେ ଧରା ପଡ଼ିଲା ପରି ଅପରିପକ୍ୱ କଥା କହି ତାମିଳନାଡୁ, ଆନ୍ଧ୍ରପ୍ରଦେଶ କି ଛତଶଗଡ଼ି ପରିଚୟ ଦେଉଛନ୍ତି ସେ । ଏଇ କେତେଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହିଁ ରାନୀଙ୍କର ନଗ୍ନତା । ସେ ମଞ୍ଚକୁ ଯେତେବେଳେ ଯାନ୍ତି ତାଙ୍କୁ ଦେଖିଲେ ଦର୍ଶକ ଆଖି ବନ୍ଦ କରି ଦିଅନ୍ତି ନଚେତ୍ ମୁହଁ ତଳକୁ କରନ୍ତି । ଯଦି ପରିବାର ସହ କିଏ ଯାତ୍ରା ଉପଭୋଗ କରିବାକୁ ପାଦ ଦେଇଥାଏ ସେ ଏଭଳି ଲଜ୍ଜିତ ହୁଏ ଯେ ପ୍ରତିଜ୍ଞା କରେ ଏ ଅଭଦ୍ର l ତ୍ରା ମୁଁ ଜୀବନରେ କେବେ ଦେଖିବି ନାହିଁ । କିଏ କିଏ ବି କହନ୍ତି, ସତରେ ଏ ଝିଅ କଣ କେଉଁ ମାଆ ବାପାଙ୍କ ଠାରୁ ଜନ୍ମ!କେହି ବି କହନ୍ତି ଏ ଝିଅର ପରିବାର ଅଛି ନା ଅନାଥିନୀଟିଏ । ଯଦି ବାପା ମା ପରିବାର ଥାଆନ୍ତେ ତେବେ ନିଶ୍ଚୟ ନାରୀ କଣ,କଣ କରିବ ଉଚିତ୍,ଲଜ୍ଜା କଣ, ଶାଳୀନତା କଣ, ସମ୍ଭ୍ରମତା କଣ ନିଶ୍ଚୟ ଶିଖାଇ ଥାନ୍ତେ ।
ବାସ୍ତବରେ ରାନୀର ନାଚରେ ନାଚ ନ ଥାଏ । ଥାଏ କେବଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ । ପୁଣି ସବୁ ନୁହଁ କେବଳ ସମ୍ବେଦନଶୀଳ ଅଙ୍ଗ ଚାଳନା ଓ ଖରାପ ଇଂଗୀତ । ଅବଶ୍ୟ ବହୁତ କରତାଳି,ହୁଇସିଲ,ସିଟି ବାଜେ ତା ଦୃଶ୍ୟରେ ମାତ୍ର ସର୍ଭେ କଲେ ଲାଗେ ଏଗୁଡ଼ାକ ମଦ୍ୟପ,ଅସାମାଜିକ,ଅସଭ୍ୟ ଓ ଇତର ଲୋକଙ୍କ ରୋଳ । ଭଲ ଭଦ୍ର ଶିକ୍ଷିତ ସମ୍ଭ୍ରମ ବ୍ୟକ୍ତି ତାକୁ ଚାହେଁ ନାହିଁ । ଏମିତିକି ସାଧାରଣ ଦର୍ଶକ ବ୍ୟତୀତ ଜଲିଉଡ଼ର ଅଧିକାଂଶ କଳାକାର ମୁହଁରୁ ଶୁଭେ ଛି ଛି ଏଟା ଯାତ୍ରା ଜଗତର କଳଙ୍କିନୀ । କିନ୍ତୁ ରାନୀକୁ ସାକ୍ଷାତକାରରେ ପଚାରିଲେ ସେ କୁହନ୍ତି ଆଇଟମ ମାନେ ନଗ୍ନତା । ବିନା ନଗ୍ନତାରେ ଆଇଟମ ଡ୍ୟାନ୍ସ ହୁଏନା, ତା'ପରେ ମୋତେ ଲୋକେ କୁହନ୍ତି ନଗ୍ନ ହେବା ପାଇଁ ମତେ ଦର୍ଶକ ଅନୁରୋଧ କରନ୍ତି,ଡିମାଣ୍ଡ କରନ୍ତି ନଗ୍ନ ହେବା ପାଇଁ ।
ଏକଥା ଶୁଣିଲେ ଆମ ନିଜକୁ ଓଡ଼ିଆ ବୋଲି କହିବାକୁ ଦୁଃଖ ଲାଗେ, ଘୃଣା ଲାଗେ । ସେ ବି କହନ୍ତି ମୁଁ ନଗ୍ନ ହେଲି କିଛି ଭୂଲ ନାହିଁ ବରଂ ଲୋକମାନେ ମୋ ଇମେଜ ଓ ପବ୍ଲିସିଟି ଦେଖି ଈର୍ଷା କରିଛନ୍ତି । ମୁଁ ଯେତେବେଳେ ଖାଇବାକୁ ପାଉନଥିଲି ବାର ଦୁଆର ବୁଲୁଥିଲି ସେତେବେଳେ ଲୋକେ କିଛି କହୁ ନଥିଲେ କିନ୍ତୁ ଆଜି ମୋର ପ୍ରଶଂସା ଦେଖି କେହି ସହି ପାରୁନାହାନ୍ତି । ମନେ ପଡେ ପୂର୍ବ ଓଡ଼ିଆ ସଂସ୍କୃତି ସ୍ମୃତି,କହିବାକୁ ଇଛା ହୁଏ, ସତ ଧିକ୍ ରେ ଓଡ଼ିଆ ନାରୀ, ଯିଏ ଇଜ୍ଜତ ରଖିବାକୁ ଜୀବନ ଦେଉଥିଲା, ତା ବଂଶଜ ପୁଣି.. ଏମିତି ଅସଭ୍ୟ ! ଶତ ଧିକରେ ହିନ୍ଦୁ ନାରୀ ,ଯିଏ ନିନ୍ଦାକୁ ସହି ନପାରି ଅଗ୍ନିରେ ଝାସ ଦେଇ ଅମର ହୋଇ ଯାଇଥିଲା... ..ମାତ୍ର ସେଇ ପୁଣ୍ୟଭୂମିର ଏ ଜଲିଉଡ଼ ଷ୍ଟାର ଟଙ୍କା,ପ୍ରଶଂସା,ଉପାଧି,ନିଜ ପିପାସା ମେଣ୍ଟାଇବା ପାଇଁ ମଞ୍ଚରେ ଆଲୋକ ଜାଳି ନଗ୍ନ ହୁଏ।ଖାଲି ମଞ୍ଚ ଉପରେ ନୁହଁ ତଳକୁ ଆସି କାହା କାନକୁ କାମୁଡ଼େ ତ କାହାକୁ ଚୁମ୍ବନ ଦିଏ । ଆଶ୍ଚର୍ଯ୍ୟ ଲାଗେ,ଏ ମାଟିରେ ଓଡ଼ିଆ ଅଛନ୍ତି ତ ? ନା ୟା'ଙ୍କୁ ପ୍ରଶିକ୍ଷଣ ଦିଆ ଯାଇଛି ନଗ୍ନ ଶୃଙ୍ଖଳ ସୃଷ୍ଟି କରିବାକୁ,ନଗ୍ନ ନିର୍ଲଜର ବଂଶ ବୃଦ୍ଧି କରିବାକୁ । ଯେଉଁ ଯାତ୍ରାପାର୍ଟି ଏଭଳି କୁସଂସ୍କାର ପ୍ରଣୟନ କରୁଛି ତାକୁ ରଦ୍ଦ କରାଯାଉନି କଣ ପାଇଁ ? ଯେଉଁ କମିଟି ନଗ୍ନ ନୃତ୍ୟ ଦେଖାଇ ଅନେକ ଟଙ୍କlରୋଜଗାର କରୁଛି ତାକୁ ଆଇନ ଦଣ୍ଡ ଦେଉନି କାହିଁକି?
ଆମ ରାଜ୍ୟରେ ପ୍ରକୃତ ନେତା, ବୁଦ୍ଧିଜୀବୀ, ପଣ୍ଡିତ, ସମାଜ ସସ୍କାରକ,ସାମ୍ବାଦିକ ମାନଙ୍କ ସଂଖ୍ୟା କ'ଣ ଲୋପ ପାଇଛି ନା ସେମାନଙ୍କୁ ନଗ୍ନ ଭଲ ଲାଗୁଛି ନା ସେମାନେ ଅସାମାଜିକଙ୍କୁ ଭୟ କରୁଛନ୍ତି ନା ତାଙ୍କ ଲୋକପ୍ରିୟତା ହ୍ରାସ ହେବାର ଭୟ କରୁଛନ୍ତି ? ତେଣୁ କଥାରେ ଅଛି ବେଳଥାଉ ଥାଉ ସାବଧାନ,ମୁଳୁ ମାଇଲେ ଯିବ ସରି ଦେବଙ୍କ ସାଥେ କିମ୍ପା କଳି।ଯେଉଁ ଜଲିଉଡ଼ ନାରୀ ସମ୍ଭ୍ରମତା ସୀମା ଅତିକ୍ରମ କରୁଛି ତାକୁ ଅଭିନୟରୁ ସ୍ବେଚ୍ଛାକୃତ ଅବସର ଦିଆଯାଉ, ଯେଉଁ ଅପେରା ପାର୍ଟି ନଗ୍ନତାକୁ ପ୍ରୋତ୍ସାହିତ କରୁଛି ତା ସକ୍ରିୟତା ରଦ୍ଦ କରାଯାଉ । ଭୁଲ୍ କରି ବାରମ୍ବାର ଠିକ୍ କରିଛି କହୁଥିବା ନବୀନ କୁଇନ କୁ ମାନସିକ ଅସୁସ୍ଥତାର ଆଶୁ ଚିକିତ୍ସା ଦେଇ ସୁସ୍ଥ କରାଯାଉ ଓ ତାର ସ୍ୱ ଜୀଵନ ଯାପନ ପାଇଁ ଅନ୍ୟ ପନ୍ଥାରେ ମାର୍ଗ ଦର୍ଶାଯାଉ । ଏବେ ଉପନୀତ ହୋଇଛି ଏକ ସମନ୍ୱୟ ବିଚାର ବିମର୍ଷର ଉଚିତ୍ ସମୟ । ବେଳ ଥାଉ ଥାଉ ପାଗ ବାନ୍ଧୁ, ନଚେତ୍ ଯାତ୍ରା ଉପଭୋଗ କରୁକରୁ ମାନବ ଜାତି ତା ସଂସ୍କୃତି ସଂସ୍କାର ହରାଇ ସମାଜକୁ କଳୁଷିତ କରିବା ସଙ୍ଗେ ସଙ୍ଗେ ଅତ୍ୟାଧୁନିକତାର ନିଆଁରେ ଝାସ ଦେଇ ପୁନଶ୍ଚ ସେଇ ଆଦିମ ଅସଭ୍ୟ ଜଗତକୁ କେତେବେଳେ ଯେ ଚାଲିଯିବ ତାର ସମୟ କେବେ ବି ଖୋଜି ପାଇବ ନାହିଁ।
ଜମ୍ଭରା,କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ