7/05/2019

ଘୋଷଯାତ୍ରା

କବିତା ମହାନ୍ତି 

ରିମ୍‌ଝିମ୍‌ ବର୍ଷା ନିକ୍ବଣ ନିଦାନେ
ଝିଙ୍କାରି ମଧୁ ଗୁଞନ
ମଧୁ ସମୀରଣ ବନସ୍ପତି  ନୃତ୍ଯେ
ଆସିଛିକି ଶୁଭଲଗ୍ନ ।
ଉତ୍କଳର ରାଜା କଳାଠାକୁର ମୋ'
ରଥରେ ଆସିବ ଚଢି
ପୁରୀ ବଡଦାଣ୍ଡ  ଉଛୁଳି ପଡୁଛି
ଭକ୍ତ ଆସୁଛନ୍ତି  ମାଡି ।
ଆନନ୍ଦେ ଆଷାଢ  ମେଘପୁଷ୍ପ ବିଂଚେ
ନୃତ୍ଯେ  ଗୀତେ ଭକ୍ତ  ମଗ୍ନ
ବାଜେ ଭେରୀ ତୂରୀ ଶଙ୍ଖ ମହୁରି
ଭକ୍ତ ମନ ଛନ ଛନ ।
ଅଭିନନ୍ଦନିକା ଗାଇ ଦେବଗଣ
ଦେଖୁଛନ୍ତି ଘୋଷଯାତ୍ରା
ଉତ୍କଳିନୀ  ଆଜି ଗର୍ବେ ଉତ୍‌ଫୁଲ୍ଲିତ
ତା' ମାଟିରେ ରଥଯାତ୍ରା ।

ସାରା ବିଶ୍ବେ ଆଜି ଓଡିଶାର ନାମ
ଜଗା ପାଇଁ ସମ୍ମାନିତ
ଦେଶ ବିଦେଶରୁ ଆସୁଛନ୍ତି  ଭକ୍ତ
ପବିତ୍ର  ସେ ଶୀରିକ୍ଷେତ।
ହେ' ବଡଠାକୁର ରଥ ଚଢ଼ି ଆସ
ନାଶ ଭକ୍ତଙ୍କ ଦୁଃଖ
ପ୍ରଳୟ ବାତ୍ୟାରେ ହତଶିରୀ ଆଜି
ଝାଉଁଳା ଉତ୍କଳ ମୁଖ ।
ପୁଣ୍ଯ ଉତ୍କଳରେ ସବୁଜିମା  ଭର
ପାଦପ ଗହଳେ ହସୁ
ଚକାନୟନକୁ ନେତ୍ରରେ ଦେଖିବି
ଆଶିଷର ବାରି ଖସୁ ।
ଶିକ୍ଷୟିତ୍ରୀ -ସାଇଲୋ ଝାରପଡ଼ା ଉପ୍ରା ବିଦ୍ଯାଳୟ 
କଣ୍ଟାପଡ଼ା (କଟକ)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।