7/05/2019

ଅନୁରୋଧ କରେ ଜହ୍ନ ମାମୁଁଙ୍କୁ

ମାନସୀ ବେହୁରା 
{ମାନସୀ-ମାନୀ-ଜାହ୍ନବୀ-ଜାନୁ}

ଆହେ ଜହ୍ନ ମାମୁଁ ବଉଦ ଫାଙ୍କରୁ
   ଲୁଚି ଲୁଚି କିଆଁ ଦେଖ ?
ମୋ' ପୁଅ କାନ୍ଦୁଛି ତୁମ ପାଇଁ କେତେ
    ଦିଅ ଗେଲ ତା'ର ମୁଖ।୧।
କାନ୍ଦି,କାନ୍ଦି ପୁଅ ମୁଖ ଶୁଖିଲାଣି
  ଜହ୍ନ ମାମୁଁ ଟିକେ ଆସ,
ମୋ' ପୁଅକୁ କୋଳେ ଧରି ଜହ୍ନ ମାମୁଁ
   ତା' ପାଖେ ଟିକିଏ ବସ।୨।
ତୁମ ଶୀତଳ ପରଶ ପାଇଗଲେ
   ଖୁସି ହେବ ପୁଅ ମନ,
କିଛି ବୁଝୁ ନାହିଁ ଅଝଟ ହେଉଛି
    ତା' ମୁଖ ଦିଶେ ମଳିନ।୩।
ତୁମକୁ ଦେଖିବା ପାଇଁ ପୁଅ ମୋର
    କଥା,କଥାକେ ଋଷୁଛି,
ତା' ଅଝଟ ଭାବ ବୁଝାଇ ପାରୁନି
   କଇଁ କଇଁ ସେ କାନ୍ଦୁଛି।୪।






ଯେତେ ଦରବ ଖୁଆଇଲେ ତାକୁ
    ଖାଉ ନାହିଁ ଜମା କିଛି,
ଜହ୍ନ ମାମୁଁ,ଜହ୍ନ ମାମୁଁ କହି କହି
   ନିଦେ ସେ ଶୋଇ ଯାଇଛି।୫।
ତୁମ କଅଁଳ ବଦନ ଛୁଇଁ ପୁଅ ମୋ
    ନିଦରୁ ସେ ଉଠିଯିବ,
ଭାତ,ଡାଲି ଟିକିଏ ଖୁସିରେ ଖାଇ
   ଗେହ୍ଲା ମୋ' ଶୋଇ ପଡିବ।୬।
ଏଣୁ ଜହ୍ନ ମାମୁଁ ଅନୁରୋଧ କରେ
   ହାତ ଯୋଡ଼ି ମୁଁ ତୁମକୁ,
ସଅଳ ନଭରୁ ଓହ୍ଲାଇ ଆସ ହେ
    ମୋ' ଗେହ୍ଲା ପୁଅ ପାଖକୁ।୭।
ମୋ' ସୁନା ମୁଖେ ହସ ଫୁଲ ଫୁଟାଇ
    ଜହ୍ନ ମାମୁଁ ଯିବ ଚାଲି,
ସୁନା ପୁଅ ମୋର କିପରି ସେ ହେବ
    ଆଶିଷ ଦିଅ ହେ ଖାଲି।୮।
ଖଣ୍ଡଗିରି - ଭୁବନେଶ୍ବର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।