କମଳ କୁମାରୀ ଦାଶ
ହିମ ଶୁଭ୍ର ଜ୍ଯୋତ୍ସ୍ନା ଶ୍ରାନ୍ତ ରଜନୀ କୋଣାର୍କର ବାଲୁକା ସ୍ତୁପରେ
ଅନାମିକା ନାୟିକାର କରୁଣ ବିଳାପ ।
ମୁକ୍ତକେଶା ବିରସ ବଦନା
ଭୁଲୁଣ୍ଠିତ ଶୁଭ୍ର ବସନ
ଛଳଛଳ ଚ଼ାହାଣୀରେ ସଂସାରର କାରୁଣ୍ୟ
ଉଦ୍ବିଘ୍ନ ପଦପାତେ ଭ୍ରମୁଥାଏ
ବନ , ପ୍ରାନ୍ତ ନଗର ସହର ।
କିଏ ଗଢ଼ିଦେଲା ତାକୁ ଉନ୍ମୁକ୍ତ ଯୌବନା
ଦେହେ ଭରା ଅସୁମାରୀ ରୂପର ରୋଷଣୀ
ନୀରବ ଆଖି ତଳେ ଭାବର ଉଚ୍ଛ୍ୱାସ
ବ୍ଯଥାତୁର ହୃଦୟର ଅବ୍ଯକ୍ତ ବେଦନା ।
ଅନନ୍ତ ନୀଳିମାରେ ପ୍ରଲୁବ୍ଧ ଅନ୍ତରାତ୍ମା
ସ୍ବପ୍ନ ବିଭୋର ଆଖିରେ କେତେ ଯେ ମାଦକତା
କାହା ଆଗେ କହିବ ତା' ବେଦନାର ଗାଥା
ଅନ୍ତରରେ ତୋଳୁଥାଏ ବିରହ ରାଗିଣୀ ।
ନୀଳ ଆକାଶରେ ନୀଳ ଜହ୍ନର ରୋଷଣୀ
ବେଳ ନାହିଁ କୁଆଁତାରା ଶୁଣିବ ତା' କାହାଣୀ
ଅପହଞ୍ଚ ଇଲାକାର ବନ୍ଦିନୀ ନାୟିକା
ଅଙ୍ଗରେ ଅନଙ୍ଗ ପୀଡ଼ା ଦହନ ସ୍ବାକ୍ଷର
ବାରଶ ବଢ଼େଇଙ୍କ ଦୀର୍ଘ ଶ୍ଵାସର ପ୍ରତିଭୂ
ଜୀବନ୍ଯାସ ପାଏ ରାତ୍ରିର ନିର୍ଜନ ପ୍ରହରେ
ସୂର୍ଯ୍ଯୋଦୟେ ମିଶିଯାଏ ମନ୍ଦିର ଗାତ୍ରରେ
ନିମିଷେ ଅଟକି ଶୁଣ ତା'ର ହୃଦୟ ବିଳାପ
ସାମଗ୍ରିକ ସତ୍ତା ସେ ନାରୀ ଜାତିର ପ୍ରତୀକ ।
ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।