5/31/2020

ଗାନ୍ଧିଜୀଙ୍କ ସ୍ବପ୍ନ



                                                                                    ସସ୍ମିତା ସାହୁ

     ସମୁଦ୍ର ବେଳାଭୂମି ପାଶ୍ୱର୍ରେ ଏକ ଛୋଟ ସହର । ସହରର ଏକମାତ୍ର ପାର୍କ ସେଇ ବେଳାଭୂମି ପାଖରେ ହିଁ ଅଛି । ପାର୍କ ଭିତରେ ସୁନ୍ଦର ଫୁଲ ଗଛ ଓ ଘାସର ଗାଲିଚା ଅଛି । ସେଇ ପାର୍କ ନାଁ ହେଲା ଗାନ୍ଧୀ ପାର୍କ । ମହାତ୍ମା ଗାନ୍ଧୀଙ୍କର ଏକ ବଡ ପ୍ରତିମୂର୍ତ୍ତି ପାର୍କର ବାମ ପାଚେରୀକୁ ଲାଗିକି ଅଛି । କଳା ମୁଗୁନି ପଥରରେ ପ୍ରତିମୂର୍ତ୍ତିଟି ହୋଇଛି ଓ ତା' ଚାରି ପାଖରେ କଳା ମାର୍ବଲର ଚାନ୍ଦିନି ହୋଇଛି । ପ୍ରତିମୂର୍ତ୍ତିର ଠିକ୍‌ ତଳେ ଗାନ୍ଧିଜୀଙ୍କର ମହତ ବାଣୀ "ଅହିଂସା ହିଁ ପରମ ଧର୍ମ" ଓ ତା' ସହିତ ମହାତ୍ମାଙ୍କ ଆବିର୍ଭାବ ଓ ତିରୋଧାନ ତିଥି ମଧ୍ୟ ଲେଖା ହୋଇଛି । ପାର୍କକୁ ସକାଳେ ବୃଦ୍ଧମାନେ ଚାଲିବାକୁ ଆସନ୍ତି ଓ ଅପରାହ୍ନରେ ପିଲାମାନେ ଖେଳିବା ପାଇଁ ଆସନ୍ତି ।



    ସେଦିନ ଥାଏ ଅଗଷ୍ଟ ମାସ ପନ୍ଦର ତାରିଖ, ଅର୍ଥାତ ସ୍ୱାଧୀନତା ଦିବସ । ଗାନ୍ଧୀଜୀଙ୍କର ବହୁତ ଇଛା ହେଲା ଟିକେ ସ୍ୱାଧୀନତା ଦିବସ ପାଳନ ଦେଖିବାକୁୁ । ପୂର୍ବଦିନ ସଞ୍ଜବେଳେ ଶିବୁନ ଓ ତା'ର ସାଙ୍ଗ ମାନଙ୍କୁ କଥା ହେବାର ଶୁଣିଥିଲେ ଯେ ଟାଉନ ହଲ ପାଖରେ ଗୋଟେ ବଡ ସମାରୋହ ଆୟୋଜିତ ହେଉଛି । ସେଇକଥା ଶୁଣିବା ପରେ ତାଙ୍କର ଉତ୍ସାହ ଦ୍ବି'ଗୁଣିତ ହୋଇଯାଇଥାଏ । ସେଦିନ ଖୁବ୍‌ ସକାଳୁ ମାନେ ଯେତେବେଳେ ସୂର୍ଯ୍ୟ ସମୁଦ୍ରରୁ ଗାଧୋଇକି ବାହାରୁଥା'ନ୍ତି ସେତେବେଳେ ସେ ମୂର୍ତ୍ତି ଭିତରୁ ବାହାରି ସଡକ ଆଡକୁ ଚାଲିଲେ । ଏତେ ସକାଳୁ ରାସ୍ତାରେ ବିଶେଷ ଲୋକ ନଥିଲେ । ସେ ଦେଖିଲେ ଗୋଟେ ପାଣିକଳର କିଛି ବାଟରେ ଯୋଉଠି ଅଳିଆ ଓ ଅସନା ପାଣି ଜମା ହୋଇଛି ସେଠି ଗୋଟେ ଲୋକଟେ ଶୋଇଛି । ଗାନ୍ଧିଜୀ ଭାବିଲେ ଆଜିର ଭାରତରେ ଦାରିଦ୍ର୍ୟତା ଏତେ ବଢ଼ି ଗଲାଣି କି ? ଏମିତି ଭାବିକି ସେ ଲୋକଟି ପାଖକୁ ଗଲେ । ପଚା ଗନ୍ଧରେ ନାକ ଫାଟି ପଡୁଥାଏ । ଗାନ୍ଧିଜୀ ନିଃଶ୍ୱାସ ନେଇ ପାରିଲେ ନାହିଁ । ଭାବିଲେ ତାଙ୍କର ସ୍ବପ୍ନର ଭାରତରେ ସ୍ୱଚ୍ଛତା କୁଆଡେ ଗଲା ? ସେ ଲୋକକୁ ଦେଖିଲେ । ମୁହଁରେ ତା'ର ମାଛି ବସୁଥାଏ । ଗାନ୍ଧିଜୀ ତାକୁ ଡାକିବାକୁ ଗଲା ବେଳକୁ ପଛରୁ କିଏ କହିଲା "ଏ  ମାଉସା କାଇଁ ତାକୁ ଡାକୁଛ, ମଦ ପିଇ ଗଡୁଛି । ସଫେଇ କର୍ମଚାରୀ ଆସିକି ଦୁଇଟା ଝାଡୁ ପାହାର ଦେଲେ ମନକୁ ଉଠିବ" । ଗାନ୍ଧିଜୀ ପଛକୁ ବୁଲିକି ଦେଖିଲେ ଗୋଟେ କ୍ଷୀରଵାଲା ତାଙ୍କ ଉଦ୍ଦେଶ୍ୟରେ ଏତକ କହୁଛି । ଗାନ୍ଧିଜୀ ଆଶ୍ଚର୍ଯ୍ୟ ହେଲେ । ସେ କ୍ଷୀରବାଲାଟି ନିଜ କ୍ଷୀରଡବାକୁ ସାଇକେଲରୁ କାଢି ପାଣିକଳ ପାଖକୁ ଆଣିଲା । ପାଣିକଳ ଖୋଲିଲା, ଡବାଟି ପୂର୍ଣ୍ଣ ହେବା ପରେ ତାକୁ ନେଇ ସାଇକେଲରେ ରଖିଲା । ଗାନ୍ଧିଜୀ ପଚାରିଲେ "ପୁଅ ତୁମେ ଏ କ'ଣ କଲ !  କ୍ଷୀରରେ ପାଣି ମିଶେଇଲ , କ୍ଷୀର ର ମାନ ଆଉ ଠିକ୍‌ ରହିବଟି" ।  ଏହା ଶୁଣି କ୍ଷୀରଵାଲା ଠୋ' ଠୋ' ହେଇ ହସିଲା ।କହିଲା "ମଉସା ତୁମେ କୋଉ ମାନ୍ଧାତା ଅମଳର ଲୋକ ? ଆଜିକାଲି ତ ହଳଦୀରେ କରତଗୁଣ୍ଡ , ଅଟାରେ ଚକ୍‌ଗୁଣ୍ଡ , ଅମୂଲରେ ମଇଦା, ଚିନି ମିଶଉଛନ୍ତି । ଏମିତିକି କୁକୁଡ଼ା ମାଂସରେ କାଉ ମାଂସ ବିକୁଛନ୍ତି , ଆଉ ମୁଁ ଟିକେ ପାଣି ମିଶେଇ ଦେଲି ଯେ ତୁମେ ଏମିତି କହୁଛ ? ବୁଝିଲ ମଉସା ଆଜିକାଲି ଏ ସବୁ ଭେଜାଲ କରିବା ଗୋଟେ ସାଧାରଣ କଥା" । ଏପରି କହି କ୍ଷୀରଵାଲାଟି ସେଇଠୁ ଚାଲିଗଲା । ଏପରି କଥା ଶୁଣି ଗାନ୍ଧିଜୀ ତାଜୁବ ହେଲେ ।  ଗୋଟେ ହଳଦିଆ ରଙ୍ଗର ବସ୍‌ଟେ ତାଙ୍କ ପାଖ ଦେଇ ଗଲା । ତା' ଭିତରେ ଖାଲି ସ୍କୁଲ୍‌ପିଲା ଥା'ନ୍ତି । ଗାନ୍ଧିଜୀ ଏହା ଦେଖି ଖୁସି ହେଲେ , ଯାହାହେଉ ପିଲାମାନଙ୍କୁ ଆଉ ଚାଲିଚାଲି କଷ୍ଟ କରି ସ୍କୁଲ୍‌ ଯିବାକୁ ପଡୁନାହିଁ । ତାଙ୍କର ଶିବୁନ କଥା ମନେ ପଡ଼ିଲା। ସେ ଟାଉନହଲ ଆଡେ ଚାଲିଲେ । ରାସ୍ତାରେ ଦେଖିଲେ ଲୋକମାନେ ବହୁତ ସଂଖ୍ୟାରେ ସେ ଦିଗକୁ ଯାଉଛନ୍ତି । ଗାନ୍ଧିଜୀ ମନେମନେ ଖୁସିହେଲେ । ଭାବିଲେ ବର୍ତ୍ତମାନ ବି ଲୋକଙ୍କ ମନରେ ଦେଶଭକ୍ତି ଅଛି ।

     ହଲ ପାଖରେ ପହଂଚିଲା ବେଳକୁ ପତାକା ଉତ୍ତୋଳନ ଆରମ୍ଭ ହେବାକୁ ଥାଏ । ମୁଖ୍ୟ ଅତିଥି ଆସି ପତାକା ଉତ୍ତୋଳନ କରିବା ପରେ ପିଲାମାନେ ଜାତୀୟ ସଙ୍ଗୀତ ଗାଇ ଉଠିଲେ । ଆକାଶରେ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡୁଥାଏ । ତା' ସହିତ ଜାତୀୟ ସଙ୍ଗୀତର ଧ୍ୱନି ପରିବେଶକୁ ସ୍ବର୍ଗୀୟ କରୁଥାଏ । ଜାତୀୟ ସଙ୍ଗୀତ ଶେଷ ହେବା ପରେ ମୁଖ୍ୟ  ଅତିଥିଙ୍କୁ ଅନୁରୋଧ କରାଗଲା କିଛି କହିବା ପାଇଁ । ମୁଖ୍ୟ ଅତିଥି ଜଣେ ନେତା ପରି ଜଣା ପଡୁଥା'ନ୍ତି । ସେ ନିଜ ଭାଷଣର ପ୍ରଥମରୁ ଶେଷ ପର୍ଯ୍ୟନ୍ତ କେବଳ ନିଜର ରାଜନୈତିକ ଦଳ ବିଷୟରେ କହି ଚାଲିଲେ । ଦେଶର ଇତିହାସ କିମ୍ବା ଆଜିର ଦିବସର ମହତ୍ତ୍ବ ବିଷୟରେ ପଦେ ହେଲେ କହିଲେ ନାହିଁ । ଏପଟେ ଶ୍ରୋତା ମାନଙ୍କ ଭିତରୁ ଜଣେ ତାଳି ବଜେଇବା ଆରମ୍ଭ କଲେ , ସମସ୍ତେ ତାଳି ବଜାଉଥା'ନ୍ତି । କିଛି ସମୟ ପରେ ସଭା ଶେଷ ହେଲା । ଗାନ୍ଧିଜୀ ଦେଖିଲେ ଶ୍ରୋତା ମାନଙ୍କ ଭିତରୁ ଯିଏ ପ୍ରଥମେ ତାଳି ବଜାଉଥିଲା ସେ ଲୋକମାନଙ୍କୁ କ'ଣ ଗୋଟେ ବାଣ୍ଟୁଛି । ଗାନ୍ଧିଜୀଙ୍କ ପାଖକୁ ଆସି କହିଲା "ତୁ ଗାନ୍ଧୀଙ୍କ ବେଶରେ ଆସିଛୁ, ଏଇ ନେ' ଶହେ ଟଙ୍କା , ତତେ ଅଧିକ ପଚାଶ ଟଙ୍କା ଦିଆଗଲା । ଆମ ଦଳକୁ ଭୋଟ ଦେବୁ ।" ଗାନ୍ଧିଜୀ  ତାକୁ ଅବାକ ହୋଇ ଚାହିଁଲେ, କିଛି କହି ପାରିଲେ ନାହିଁ । ବିକଳରେ ତ୍ରିରଙ୍ଗା ପତାକାକୁ ଚାହିଁଲେ । ତାଙ୍କୁ ଲାଗିଲା ଭାରତ ମା'ର କାନ୍ଦୁରା ମୁହଁଟା ଯେମିତି ସେଇ ପତାକା ଭିତରୁ ବାହାରକୁ ଦିଶୁଛି । ଗାନ୍ଧିଜୀ ଦୁଃଖ ମନରେ ଫେରି ଆସିଲେ ।
    ସେଦିନ ଅପରାହ୍ନରେ ପିଲାମାନେ ଆସି ଚାନ୍ଦିନି ଉପରେ ବସି ସ୍ୱାଧୀନତା ଦିବସ ବିଷୟରେ କଥା ହେଉଥା'ନ୍ତି ।  କିଏ କୋଉ ପ୍ରତିଯୋଗିତାରେ ପୁରସ୍କାର ପାଇଲା, କିଏ କୋଉ ବେଶରେ ଯାଇଥିଲା । ଏମିତି କେତେ କ'ଣ କଥା ହେଉଥା'ନ୍ତି । ଗାନ୍ଧିଜୀ ଆଉ ସମ୍ଭାଳି ପାରିଲେ ନାହିଁ । କହିଲେ - "ପିଲାମାନେ ମୋ' କଥା ଟିକେ ଶୁଣ।" ପିଲାମାନେ ଡରିଗଲେ କିନ୍ତୁ ଗାନ୍ଧିଜୀ ସାହସ ଦେବାରୁ ସମସ୍ତେ ତାଙ୍କର କଥାକୁ ଶୁଣିଲେ । ଗାନ୍ଧୀଜୀ କହିଲେ "ଆଜି ମୁଁ ଉତ୍ସବ ପାଳନ ଦେଖିବା ପାଇଁ ଯାଇଥିଲି, କିନ୍ତୁ ମୋର ବହୁତ ଖରାପ ଅନୁଭୁତିମାନ ହେଲା ।" ପିଲାମାନେ କ'ଣ ଜାଣିବାକୁ ଚାହିଁବାରୁ ସେ ସବୁକଥା ବର୍ଣ୍ଣନା କରି କହିଲେ । ସେ କହିଲେ କି "ଏଇ ତ ମୋ' ସ୍ୱପ୍ନର ଭାରତ ନଥିଲା, ଏତେ ଛଳନା ଏତେ କ୍ରୁରତା ମୁଁ କଳ୍ପନା ବି କରି ନଥିଲି । କିନ୍ତୁ ଶୁଣ ପିଲାମାନେ ମୋର ବିଶ୍ୱାସ ଅଛି ଯେ ତୁମେମାନେ ମୋ ସ୍ବପ୍ନକୁ ପୂରଣ କରିପାରିବ । ତୁମେମାନେ ହିଁ ପରିବର୍ତ୍ତନ ଆଣିପାରିବ ।" ଦେବୁନ କହିଲା "ଆମେ କଣ କରିପାରିବୁ ଯେ ।" ଗାନ୍ଧିଜୀ କହିଲେ "ତୁମେମାନେ ହିଁ ସବୁ କରିପାରିବ । ତୁମେମାନେ ଭବିଷ୍ୟତ ଭାରତର ସ୍ରଷ୍ଟା ।  ତୁମେମାନେ ଲୋକଙ୍କୁ ସଚେତନ କରାଅ । ନିଜର ସାଧ୍ୟମତେ ଅନ୍ୟାୟର ପ୍ରତିରୋଧ କର । ନିଜେ ଭଲ ଶିକ୍ଷା ଗ୍ରହଣ କରିବା ସହ ଭଲ ମଣିଷଟେ ହେବାକୁ ଚେଷ୍ଟା କର । ଦେଖିବ ସବୁକିଛି ଠିକ୍‌ ହେଇଯିବ ।" ପିଲାମାନେ ଗାନ୍ଧିଜୀଙ୍କର କଥାକୁ ବୁଝି ପାରିଲେ ଓ ଏକ ସୁନେଲି ଭାରତର ସଂକଳ୍ପ ନେଇ ଗାନ୍ଧିଜୀଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଅଗ୍ରସର ହେଲେ ।
ଥେଣ୍ଟପୁର - ବୀରନରସିଂହପୁର - ପୁରୀ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।