5/31/2020

*●ଶେଷ ଇଛା●*

ଶିବ ଚ଼ରଣ ମହାପାତ୍ର 
       ଚକ୍ରଧରପୁର ଗାଁର ଚବିଶ ପ୍ରହର ହରି ନାମ ସଂକୀର୍ତ୍ତନର ଆଜି ଉଦ୍‌ଯାପନୀ ଦିବସ । ଏହି ଅବସରରେ ଉତ୍ସବ ମୁଖର ଚକ୍ରଧରପୁର ଗାଁ । ଆବାଳ ବୃଦ୍ଧ ବନିତା ସମସ୍ତେ ହର୍ଷ ଉଲ୍ଲାସେ ଏକାଠି ରୁଣ୍ଡିଭୁତ । ହରିନାମ ସଂକୀର୍ତ୍ତନର ଭାବ-ଭକ୍ତି ସାଗରରେ ଯେମିତି ସମସ୍ତେ ତଲ୍ଲିନ । ହରିନାମ ସଂକୀର୍ତ୍ତନର ତାଳେ ତାଳେ ଜୀବ ଜନ୍ତୁ ତରୁ ଲତା ଗୁଳ୍ମ ଆଦି ସଭିଏଁ ବିଭୋର । ଲାଗୁଥିଲା ସତେ ଅବା ଏଇ ତ ବୃନ୍ଦାବନ । ସେଇଠି ଠାକୁର ଘର ବାରଣ୍ଡା ଖୁମ୍ବକୁ ଲାଗି ବସି ରହିଥାଆନ୍ତି ଜଣେ ୬୫-୭୦ ବର୍ଷର ବୃଦ୍ଧ । ଚମ ଧୁଡୁଧୁଡୁ , କୋଠରଗତ ନେତ୍ର , ସଫେଦ୍ କେଶ କିନ୍ତୁ ଉଜ୍ଜଳ ଦିଶୁ ଥାଏ ତାଙ୍କର ମୁଖ ମଣ୍ଡଳ । ମୁହଁରୁ ବାହାରି ଆସୁଥାଏ ହରିନାମ ମହାମନ୍ତ୍ର ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ - ହରେ ରାମ ହରେ ରାମ ରାମ ରାମ ହରେ ହରେ । ଆହାଃ କି ଅପୂର୍ବ ସେ ଦୃଶ୍ୟ ! ହଠାତ୍ ସେ ବୃଦ୍ଧଙ୍କର ବାକ୍ୟ ଅସ୍ପଷ୍ଟ ହେବା ସହିତ କଣ୍ଠ ବାଷ୍ପାରୁଦ୍ଧ ହେବାକୁ ଲାଗିଲା । ଆରେ ଏ କଣ ହେଲା.!? ସତେ କି  କେହି ଜଣେ ଅଦୃଶ୍ୟରେ ଏ ପୃଥିବୀର ସମସ୍ତ ପବନକୁ ରୋକି ଦେଉଛି । ହରିନାମ ମହାମନ୍ତ୍ରର ମଧୂମୟ କୋଳାହଳ ପରିବେଶ ବୃଦ୍ଧଙ୍କ କର୍ଣ୍ଣ ଗହ୍ବର ଆଉ ଭେଦ କରି ପାରୁ ନଥିଲା । ପୂଜା ମଣ୍ଡପର ଅଗୁର ଚନ୍ଦନ ଝୁଣା ଧୂପର ବାସ୍ନାୟିତ ଆକର୍ଷଣ ତାଙ୍କ ଶରୀରର ସୁକ୍ଷ୍ମ ତନ୍ତ୍ରୀରେ ପ୍ରବେଶ କରି ପ୍ରତିଟି ସୁକ୍ଷ୍ମ ଭାବନାକୁ ଜାଗ୍ରତ କରି ପାରୁ ନଥିଲା । ଆୟୁଷ ଆଉ ମହାକାଳର ଘମାଘୋଟ ଯୁଦ୍ଧ ଅନ୍ତରେ ହାରିଯାଇଥିଲା ସେ ବୃଦ୍ଧ ଜଣଙ୍କର ନିଶ୍ୱାସ ଟିକକ । କିଛି କ୍ଷଣ ପରେ ପୃଥିବୀର ସ୍ଥାବର ଜଙ୍ଗମ କୀଟ ତରୁଲତା ସବୁକିଛି ଶାନ୍ତ ନୀରବ ଆଉ ନିଶ୍ଚଳ ପାଲଟି ଗଲା । ହରିନାମ ମହାମନ୍ତ୍ରର ତାଳେ ତାଳେ ତାଙ୍କ(ବୃଦ୍ଧ) ଚିତ୍ ଆତ୍ମାଟି ସେ ନଶ୍ୱର ଶରୀର ଛାଡି ଉଡିଯାଇଥିଲା । ସଙ୍ଗେ ସଙ୍ଗେ ଗୁଡ ହାଣ୍ଡିକୁ ଜନ୍ଦା ଘେରିବା ପରି ସବୁ ଲୋକ ଘେରିଗଲେ । ଫୁସୁରୁ ଫାସୁରୁ କଥା ଆରମ୍ଭ ହେଇଗଲା । ଜାଣିବାକୁ ପାଇଲେ ସେ ବୃଦ୍ଧ ଜଣକ ପାଖ ଗାଁ'ର ବିଶ୍ୱନାଥ ଦେହୁରୀ । ତାଙ୍କ ଘରକୁ ଖବର ଦେଇଦିଆଗଲା । ଦୁଇ ପୁଅ ସାଙ୍ଗେ ସାଙ୍ଗେ ଆସି ଠାକୁର ଘର ମଣ୍ଡପ ପାଖରେ ପହଞ୍ଚିଗଲେ । ସମସ୍ତ ଲୋକଙ୍କ ଅନୁରୋଧରେ ସେଇ ଗାଁ ମଶାଣିରେ ହିଁ ବିଶୁ ବୁଢା'ର ଶବ ସତ୍କାର କରାଗଲା । କେହି କେହି ଲୋକ କହୁ ଥାଆନ୍ତି ବୁଢା କାଳେ ଭାରି ଧର୍ମ ପରାୟଣ ଲୋକ ଥିଲା । ତା' ଆତ୍ମା ଭଗବାନଙ୍କ ପାଖରେ ଲୀୀନ ହେଇଯିବ । ବିଶୁ ବୁଢା ଚିତାରେ ମୁଖାଗ୍ନି ଦେଉ ଦେଉ ତା'ର ବଡପୁଅ ଗୁଣୁ ଗୁଣୁ ହେଇ କହୁଥାଏ,-" ବାପା... ଆଜି ଆପଣଙ୍କର ଶେଷ ଇଛା ପୁରଣ ହେଇଛି ବାପା । ମୋତେ କ୍ଷମା କରିଦେବ ।  ଜୀବନକୁ ବୁଝିବାରେ ମୁଁ ବହୁତ ବିଳମ୍ବ କରି ଦେଇଛି ।"

    ଶୁଣିବାକୁ ମିଳୁଥିଲା ବିଶୁ ବୁଢା କାଳେ ଖୁବ୍ ଭଲ ମଣିଷଟିଏ ଥିଲା । ସାରା ଜୀବନ କେବଳ ସମାଜ,  ସଂସ୍କୃତି,  ରିତି,  ପରମ୍ପରା , ପରୋପକାର ଏବଂ ଏଇ ହରିନାମ ସଂକୀର୍ତ୍ତନରେ କଟିଗଲା । ଏଇ କିଛି ବର୍ଷ ତଳର ଘଟଣା ଯେତେବେଳେ ବୁଢାର ସ୍ତ୍ରୀ ଇହଧାମ ସମ୍ବରଣ କଲା ବୁଢା ଟିକିଏ ଭାଙ୍ଗି ପଡିଥିଲା । ନିଜକୁ ସମ୍ଭାଳିନେବା ତା ପାଇଁ ଖୁବ୍ କଷ୍ଟ ଦାୟକ ଥିଲା । ସେତେବେଳେ ଏଇ ଲୋକ ମାନଙ୍କର ସେବା ଆଉ ପରୋପକାରର ବେଦମନ୍ତ୍ର ହିଁ ତାକୁ କାଳେ ସଳଖି ହୋଇ ଚାଲିବାକୁ ସାହାସ ଦେଇଥିଲା । କିନ୍ତୁ ଦୁଇ ପୁଅ ଦୁଇ ବୋହୂଙ୍କୁ ଏସବୁ ଭଲ ଲାଗୁ ନଥିଲା । ଦିନେ ବଡ ପୁଅ ସିଧା ସିଧା ଶୁଣେଇ ଦେଲା , -"ଦେଖନ୍ତୁ ବାପା , ଆପଣ ସେବା ଧର୍ମ କରୁଛନ୍ତି ତ କରନ୍ତୁ କିନ୍ତୁ ଘରୁ ଖାଇ ପିଇ ଏ ପରୋପକାର, ସମାଜ , ସଂସ୍କୃତି , ସମସ୍ତଙ୍କ ଭଲ ମନ୍ଦ ବୁଝିବା , ବିଚାର କରିବା ସବୁ ବନ୍ଦ କରନ୍ତୁ । କ'ଣ ମିଳୁଛି ସେ ଫାଲ୍‌ତୁ କାମରୁ ?" ବିଶୁ ବୁଢା ଟିକିଏ ମୁରୁକି ହସି ଦେଇ କହିଲା ,-" ବାପାରେ ତୋର ମନେ ଅଛି..? ଯେତେବେଳେ ଦେଶ ସ୍ୱାଧୀନ ହେଇ ନଥିଲା , ଇଂରେଜ ସରକାରଙ୍କ କବଳରୁ ମୁକ୍ତ ହେବାକୁ ଆମ ଦେଶର ଅନେକ ବିପ୍ଳବୀ ଗୋରା ସରକାରଙ୍କ ବିରୋଧରେ ବିପ୍ଲବ କରିଥିଲେ । ସେତେବେଳେ ସେମାନେ ଏ ସମାଜ , ଏ ଭାରତ ଭୁଇଁକୁ କେବେ ପର ମଣିନଥିଲେ । ସମସ୍ତଙ୍କୁ ନିଜ ପରିବାରର ବୋଲି ମାନୁଥିଲେ ।ସେଥିପାଇଁ ତ ଆଜି ଆମେ ଶାନ୍ତିର ନିଶ୍ୱାସ ନେଇ ପାରୁଛେ । ତୁ ଜାଣୁ ଗାନ୍ଧିଜୀଙ୍କର ସେ ପ୍ରିୟ ଭଜନଟି କ'ଣ ଥିଲା..? ବୈଷ୍ଣବ ଜନ ତୁ ତେନେ କହିୟେ , ଜୋ ପୀଡ଼ ପରାଇ ଜାଣେରେ ପର ଦୁ଼ଃଖେ ଉପକାର କରେ ତୋ ୟେ ମନ , ଅଭିମାନ ନ ଆଣେରେ । ଆହାଃ .. କି ସୁନ୍ଦର... ! ଥରେ ଶୁଣିଦେଲେ ଯେମିତି ଜୀବନର ସବୁ ଶାନ୍ତି ମିଳିଯାଏ ।" ବିଶୁ ବୁଢା ଏବେ ଭାବପ୍ରବଣ ହୋଇ ଆରମ୍ଭ କଲା,-" ବାପାରେ.. ସେ ଭଜନ କ'ଣ କହେ ଜାଣିଛୁ..? ସେ କହେ - ରେ' ମଣିଷ ତୁ ପରା ବୈଷ୍ଣବ ସନ୍ତାନ , ତୁ ପର ଦୁଃଖେ ଦୁଃଖି ହୋଇ ତା'ର ଉପଚାର କର ରେ , ତା'ର ଉପକାର କର । କିନ୍ତୁ କେବେ ହେଲେ ମନରେ ତିଳେ ମାତ୍ର ଅଭିମାନ ରଖିବୁନି । କେବେ ତୁ ପର ନିନ୍ଦା କରିବୁନି , ମନକୁ ତୋର କାଚ ସଦୃଶ ସ୍ୱଚ୍ଛ ରଖି ନିଶ୍ଚଳ ରହିବା ଶିଖ୍ । ଏ ଜାଗତିକ ଭୋଗ ବିଳାସ ତୃଷ୍ଣା ନରଖି ସଭିଙ୍କୁ ସମ ଦୃଷ୍ଟିରେ ଦେଖ୍ । ତୋର ଏ ଜିହ୍ୱାରେ କେବେ ଅସତ୍ୟ ରଖନା । ପର ଧନ , ସମ୍ପତ୍ତି ନେବାକୁ କେବେ ତୋର ଏ ଦୁଇ ହାତ ପତାଅ ନା । ମୋହ ମାୟାର ଏ ସଂସାର ତୋର କ୍ଷଣସ୍ଥାୟୀ , ତା'ଠାରୁ ତୁ ନିଜକୁ ଚିର ବୈରାଗ୍ୟ ବୋଲି ଭାବି ନେ' । ହରିନାମ ରାମନାମ  ହିଁ ତୋର ସକଳ ତୀର୍ଥ , ଏକଥାକୁ ମନରେ ଗଣ୍ଠିଲି କରି ରଖିନେ । କେତେ ସୁନ୍ଦର କଥାସବୁ କହିଲୁ ..? ଆହା..ଆଉ ଜାଣିଛୁ ... ସେ ଭଜନ ଆହୁରି କହେ ନିଷ୍କପଟ, ନିର୍ଲୋଭୀ , ନିଷ୍କାମ , ଶାନ୍ତ ସରଳ ହୋଇ କର୍ମ କରି ଚାଲ । ଏହା ହିଁ ତୋର କୁଳଧର୍ମ , ତୋର ଏକାନ୍ତ କାମ୍ୟ । ଆଉ ଏକଥା ତୁ ଯେଉଁଦିନ ଭଲ ଭାବରେ ଜାଣିଯିବୁ ସେବେ ଆଉ ମୋ' କାମ ମୋ' ରୁଚିକୁ ନେଇ ତୁ ପ୍ରଶ୍ନ କରିବୁନିରେ ବାପା..।"

    ତାଙ୍କ ପୁଅ ବିରକ୍ତ ହୋଇ କହିଲା,-"ପ୍ଲିଜ୍ ବାପା.. ଆପଣଙ୍କ ଫିଲୋସଫି ଆପଣଙ୍କ ପାଖରେ ରଖନ୍ତୁ । ମୋତେ ବୁଝାଇବା ଦରକାର ନାହିଁ । ଏଇଠି ଯଦି ଆମ ମାନଙ୍କ ସହିତ ରହିବାକୁ ଚାହୁଁଛନ୍ତି ତେବେ ଚୁପ୍ ଚାପ୍ ଖାଇ ପିଇ ଘରେ ବସି ରୁହନ୍ତୁ ।ଏ ସମାଜ ସେବା ନାଟକ ସବୁ ବନ୍ଦ କରନ୍ତୁ ।" ବିଶୁ ବୁଢା ଏଥରକ ପୁଣି ମୁରୁକି ହସିଦେଇ କହିଲା -"ତୁ ଏସବୁ ବୁଝି ପାରୁନୁ କିପରି ମୁଁ ତ ଜାଣି ପାରୁନି । ହେଲେ ତୁ ମୋ' କଥା ମନେ ରଖିଥା' ବାପା.. ଏଇ ସମାଜ ସେବା ପରୋପକାର ଆଉ ହରିନାମ ସଂକୀର୍ତ୍ତନ ହିଁ ମୋ' ଜୀବନର ଶେଷ ଇଛା । ଆଉ ସବୁବେଳେ ମୁଁ ସେ ରାଧାକୃଷ୍ଣଙ୍କୁ ଡାକୁଥିବି ମୋତେ ଯେଉଁ ଜନ୍ମ ଦେଉଛ ଦିଅ ହେ' ଠାକୁରେ .. କିଛି ଯାଏ ଆସେ ନାହିଁ ,ବାସ୍.. କେବଳ ମୋ' ଭିତରେ ମଣିଷତ୍ୱ ଟିକକ ବଞ୍ଚେଇ ରଖି ଥିବ । ଏ ସକଳ ଜୀବାତ୍ମା ପ୍ରତି ମୋ ହୃଦୟରୁ ସତ୍ୟ, ଶାନ୍ତି, ଦୟା,କ୍ଷମା , ସେବା ମନୋଭାବ ରଖିଥିବ । ବାସ୍ ..।"
     ସେଦିନ ପରଠାରୁ ଆଜିଯାଏଁ ବାପା ପୁଅ ଦୁହେଁ ଦୁହିଁଙ୍କ ଜିଦ୍‌ରେ ଅଟଳ ଥିଲେ । ତଥାପି ଠିକ୍‌ଠାକ୍‌ ଚାଲିଥିଲା ମୋହ ମାୟାର ତାଙ୍କ ଟିକି ସଂସାର । ଆଉ ଆଜି ସଭିଙ୍କ ମୁହଁରେ ସେଇ ଗୋଟିଏ କଥା ମଣିଷ ହେବ ତ ଠିକ୍ ବିଶୁ ବୁଢା ପରି । ହେଲେ ଶୂନ୍ୟ ଆକାଶରେ ବିଷ୍ଣୁ ଦୂତ ମାନଙ୍କ ସହିତ ଯାଉଯାଉ ବିଶୁ ବୁଢା ଯେମିତି କହୁଥିଲା ନା'ରେ ଭାଇ ,ମଣିଷ ହେଇଛ ଯେବେ ନିଜ ଜନ୍ମର ଉଦ୍ଦେଶ୍ୟ ମନେ ରଖିଥାଅ । ତୁ କ'ଣ ଜାଣୁନା..! ?  ତୁ ପରା ବୈଷ୍ଣବ ଜନର ପୁତ୍ର । ଏବେ ବିଶୁ ବୁଢାର ଦୁଇ ପୁଅ ଦୁଇ ବୋହୂଙ୍କ ଆଖିଦିଗ୍‌ବଳ ଅଶ୍ରୁଜଳ ପୂରି ରହିଥିଲା । ଆଉ ତାଙ୍କ ଚତୁଃପାର୍ଶ୍ବରେ ଗୁଞ୍ଜରିତ ହେଉଥିଲା ତାଙ୍କ ପିତାଙ୍କର ଦିଗ୍ ଦର୍ଶନର ପ୍ରତ୍ୟେକଟି ବାକ୍ୟ ବୈଷ୍ଣବ ଜନ ତୁ ତେନେ କହିୟେ , ଜୋ ପୀଡ଼ ପରାଇ ଜାଣେରେ ପର ଦୁ଼ଃଖେ ଉପକାର କରେ ତୋ ୟେ ମନ , ଅଭିମାନ ନ ଆଣେରେ । 
■■■■■
ଚକ୍ରଧରପୁର:କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।