ଶ୍ରୀମତୀ କିରଣବାଳା ଦାଶ


କ’ଣ ଲେଖିବି ? ବିଶାଳ ସିନ୍ଧୁର ଅତଳ ଜଳ ରାଶିକୁ କ’ଣ କେହି ମାପିପାରେ ! ସୁଉଚ୍ଚ ହିମାଳୟର ପରିଧିକୁ କ’ଣ କେହି କଳ୍ପନା କରି କହିପାରେ ଯେ , ହିମାଳୟର କୋଣ ଅନୁକୋଣର ସ୍ଥିତି ବା ତାହା ମଧ୍ୟରେ ଥିବା ଅମୂଲ୍ୟ ନିଧି ମାନଙ୍କର ସଠିକ ଆକଳନ , ଜଣେ ଶିଷ୍ୟ କ’ଣ କେବେ ବିଚାରକ ସାଜି କରିକି ପାରେ ତା’ର ଗୁରୁଙ୍କର ଜ୍ଞାନ ଗାରିମାର ମାପଚୁପ ; ସେ ପରା ଗୁରୁ , ସବୁ ଗୁଣ ଗାରିମାର ଶିରିପାକୁ ମସ୍ତକ ମଣ୍ଡନ କରି , ଜ୍ଞାନଲୋକର ବିକିରଣ ପଥରେ ସେ ସର୍ବୋଚ୍ଚ ପାହାଚ ଅତିକ୍ରାନ୍ତେ , ମୁକୁଟ ବିହିନ ସମ୍ରାଟ ସାଜି ଛିଡ଼ା ଆଜି ସୁଉଚ୍ଚ ପିରାମିଡ ପରେ , ନା ତାଙ୍କୁ ଜରା , ବାର୍ଦ୍ଧକ୍ୟ ଛୁଇଁ ପାରିବ । ନା ତାଙ୍କୁ ସୁନାମିର ଭୟ । ସେ ଅଗ୍ନିସ୍ନାତ ଶୁଦ୍ଧ ସୁବର୍ଣ୍ଣ । ଜ୍ୟୋତିର୍ମୟ ଏକ ଏକ ଆଲୋକ ବର୍ତ୍ତିକା । ତାଙ୍କ ଆଲୋକରେ ସାରା ମାନବ ସମାଜ ଆଲୋକିତ । ତାଙ୍କ ସୁଗୁଣର ସୁଗନ୍ଧିତ ବାୟୁ ତରଙ୍ଗରେ ପ୍ରାଣୀ ମାନଙ୍କର ପ୍ରାଣ ପୁଲକିତ । ସେ ମୃତ୍ୟୁଞ୍ଜୟୀ , ସେ ସ୍ବୟଂ ଏକ ସୁସାହିତ୍ୟ, ସେ ଲେଖକ , କବି , ସାରଶ୍ୱତର କୁହୁକ ପେଡ଼ି । ସେ ପାଠକ, ପ୍ରଦକ୍ତା, ସେ ଗୁରୁ, ସେ ଶ୍ରଷ୍ଟା , ସେ ନିଜେ ହିଁ ଏକ ସୁନ୍ଦର ସୃଷ୍ଟି । ତାଙ୍କର ସୃଷ୍ଟି ଏହି ଓଡ଼ିଶା ମାଟିରେ ନୁହେଁ , ସାରା ବିଶ୍ୱରେେ ଦିବ୍ୟଜ୍ୟୋତିର ଆଦର୍ଶବାଦର ଗାଥା ବହନ କରିପାରିଛି । ଯାହାଙ୍କର ଗୁଣ ଗାରିମାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରିବାର ସାହସ ବୋଧୁଏ କାହାରି ପାଖରେ ନଥିବ । ସେ ବହୁ ଅନୁଷ୍ଠାନର ପ୍ରତିଷ୍ଠାତା , ଶିକ୍ଷାଷା କ୍ଷେତ୍ରରେ , ସାହିତ୍ୟ କ୍ଷେତ୍ରରେ ସାରଶ୍ୱତ ଜଗତରେ , ସେ ଜଣେ ମହାନ ସଂଗଠକ , ଅନନ୍ୟ ପ୍ରତିଭାର ଅଧିକାରୀ । ସେ ଜଣେ ଗୁଣର ପ୍ରଶଂସକ , କ୍ଷୁଧାର୍ତ୍ତର ଅନ୍ନଦାତା , ଅନ୍ଧକାରରୁ ଆଲୋକକୁ ଟାଣି ଆଣି ସହସ୍ରାଧିକ ବିଦ୍ୟାର୍ଥୀଙ୍କର ବିଦ୍ୟାଦାତା , ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରି ମଣିଷ ତିଆରି କାରଖାନାର ମାଲିକ , ନ୍ୟାୟଦାତା, ତାଙ୍କ ଦ୍ୱାରା କାହା ପ୍ରତି କେବେ ଅନ୍ୟାୟ ହୋଇ ନପାରେ , ଅନେକ ନିରୋଜଗାରିଙ୍କ ରୋଜି ରୋଟିର ଲକ୍ଷ୍ମୀ ଭଣ୍ଡାର । ସେ ଅକ୍ଷ୍ମୀଧର ସ୍ବୟଂ ଲକ୍ଷ୍ମୀସ୍ବରୂପା ; ସାକ୍ଷାତ ଲକ୍ଷ୍ମୀଧର । ତାଙ୍କୁ ତର୍ଜମା କରିବାର ତାଙ୍କ ବିଚାର ଧାରାକୁ ମାପିବାର ଦୁଃସାହସ ମୁଁ କରିପାରିବିନି । ସେ ଗୁରୁ , ଶିଷ୍ୟକୁ ଇଶ୍ୱରଙ୍କୁ ପରିଚିତ କରାଇ ପାରିଥିବା ପ୍ରଥମ ବ୍ୟକ୍ତି ବିଶେଷ । ସେ ଅଗ୍ରପୂଜ୍ୟ , ଗଣପତି ବାପାଙ୍କର ଅଂଶର ଅବତାର , ସନ୍ଥ ତୁଳସୀ ଦାସଙ୍କର ଏକ ଦୋହାର ପଦଟିଏ -
"ଗୁରୁ ଗୋବିନ୍ଦ ଦୋଉଁ ଖଡେ଼ କାକେ ଲାଗୁଁ ପାୟେ ,
ବଲିହାରି ଗୁରୁ ଜିହ୍ନେ ଗୋବିନ୍ଦ ଦିଏ ବତାଏ ।"
ଗୁରୁ- ସମାଜର ଏକ ବିଷେଶ ଅଙ୍ଗ, ତାଙ୍କ ବିନା ସବୁକିଛି ଶୂନ୍ଶାନ୍ । ସେ ଚଳଚଞ୍ଚଳ ନଦୀସ୍ରୋତ । ସେ କେବେ କେବେ ମହୋଦଧିର ଉତ୍ତାଳ ତରଙ୍ଗ, ସେ ଜ୍ଞାନ ଗାରିମାରେ ଭରପୂର ସୁଉଚ୍ଚ ଗିରି ଗୋବର୍ଦ୍ଧନ, ଅନ୍ୟର ମଙ୍ଗଳ କାମନା ତାଙ୍କର ଏକମାତ୍ର ସାଧନ । ତାଙ୍କର ଆଶିଷ ଭିକ୍ଷା ଶିଷ୍ୟର କାମ୍ୟ , ଆରଧନା । ବିନା କଥାରେ ସେ ବୁଝିଥା'ନ୍ତି ଅନ୍ୟର ବ୍ୟଥାକୁ । ଅଛିଣ୍ଡା ଗଣିତର ସୁତ୍ର ପରି ସେ ଖୋଜି ଖୋଜି ବୁଝାଇ ଥାଆନ୍ତି ସେହି ଜୀବନ ଦର୍ଶନର ଦିଗ୍ଦର୍ଶନ କରାଇ ତାଙ୍କୁ କରାଇଥାଏ ସୁପଥଗାମୀ । ଏପରି ଗୁରୁ ଏ ସୃଷ୍ଟିରେ ବିରଳ । ତଥାପି ସେହି ବିରଳ ଶବ୍ଦର ବୁକୁଚିରି ଜନ୍ମ ନିଅନ୍ତି ଯୋଗଜନ୍ମା ମହାମାନବ ମାନେ । ସେମାନଙ୍କୁ ପୃଥିବୀର ସୂର୍ଯ୍ୟାଲୋକର ପ୍ରଥମ କିରଣର ସ୍ପର୍ଶ ଅନୁଭୂତ କରାଇ ଥାଆନ୍ତି ସେହି ଦମ୍ପତ୍ତିମାନେ, ଯେଉଁ ମାନଙ୍କର ପୂର୍ବ ଜନ୍ମରେ ବହୁ ସୁକୃତ ପ୍ରାପ୍ତ ଥାଏ ।
ସେଥିମଧ୍ୟରୁ ଏକ ଦମ୍ପତ୍ତି ସ୍ବର୍ଗତଃ ଦୁଖିନୀ ରାଉତ ଏବଂ ପତ୍ନୀ ସ୍ବର୍ଗତା ଫୁଲମଣି ଦେବୀ । ଏହି ପତିପତ୍ନୀଙ୍କ ଔରସରୁ ଯେଉଁ ମହାନ ବ୍ୟକ୍ତିତ୍ୱଙ୍କର ଜନ୍ମ ସେ ହେଉଛନ୍ତି ପଣ୍ଡିତ ଲକ୍ଷ୍ମୀଧର ରାଉତ । ଗ୍ରାମ ହଳଦୀପଦା , ପୋ: କେନ୍ଦୁଡିହା , ଭା: ବଡ଼ସାହି , ଜି: ମୟୁରଭଞ୍ଜ । ମୟୁରଭଞ୍ଜର ଭୂମିପୁତ୍ର , ମୟୁରଭଞ୍ଜିଆ ପୁଅ । ଖାଣ୍ଟି ସୁନା ପୁଅ , ଧିରେ ଧିରେ ପିତାମାତାଙ୍କର ଅନ୍ଧର ଲଉଡ଼ି ସାଜି ନିଜର ସେହି ମଫସଲ ଗ୍ରାମରେ ରହି ସେ ନିଜର ବିଦ୍ୟାଧ୍ୟୟନ କରୁ କରୁ ମାତୃ ବିୟୋଗ ଘଟିଥିଲା । ପିଉସୀ ନାନୀଙ୍କ ସାହାଯ୍ୟ ତାଙ୍କୁ ପଥ କଢେ଼ଇ ନେଇଥିଲା । ସେଥିପାଇଁ ତାଙ୍କୁ ପ୍ରବଳ ଉତ୍ସାହ ଆଉ କଠୋର ଶ୍ରମ ବିନିମୟରେ ସାଧନାର ଶୀର୍ଷରେ ପହଞ୍ଚି ସଫଳ ସଫଳ ପୁରୁଷର ପରୀକ୍ଷାରେ ଉପନିତ ହେବାକୁ ପଡ଼ିଥିଲା । ଶେଷରେ ସଫଳତା ତାଙ୍କର ଚରଣ ସ୍ପର୍ଶ କରିଥିଲା । ବୃତ୍ତି ଭାବେ ଆର. ଆଇ ସରକାରୀ ଚାକିରିଟିକୁ ଅବଲମ୍ବନର ମାର୍ଗ ଭାବେ ଗ୍ରହଣ କରିଥିଲେ । ଶୈଶବରୁ ସେ ଶାନ୍ତ ସୁଧାର ଗମ୍ଭୀର ପ୍ରକୃତିର ଥିଲେ । କୈଶୋରରେ ପାଦ ଦେବା ପରେ ସେ ସାହିତ୍ୟନୁରାଗି ସାରଶ୍ୱତ ସାଧନାର ସାଧକ ସାଜିଲେ । ଗଢ଼ି ତୋଳିଲେ ତାଙ୍କ ସାଧନାର ପିରାମିଡ଼, ନୀଳକଣ୍ଠ ସାହିତ୍ୟ ପରିଷଦ , ମାତୃଭୂମି ଓ ମାତୃଭାଷା ପ୍ରତି ହୃଦୟରେ ଭରିଗଲା ଅନେକ ସମ୍ବେଦନଶୀଳ ଭାବନା , ଯାହା ତାଙ୍କ ହୃଦୟକୁ ଆନ୍ଦୋଳିତ କରିବାକୁ ଲାଗିଲା ; ବ୍ୟଥାତୁର ହୋଇ, ଯୌବନର ପହିଲି ପରଶ ବି ତାଙ୍କୁ ବିଚଳିତ କରିପାରିନଥିଲା । ଫଗୁଣର ଫଲ୍ଗୁରେ ନିଜକୁ ରଙ୍ଗାଇ ସ୍ବପ୍ନିଳ ଦୁନିଅାର ବସନ୍ତରେ ମତୁଆଲା ହେବା ପାଇଁ , ସେ ଜାତି ନନ୍ଦିଘୋଷର ସାରଥି ହେବାର ତପସ୍ୟାରେ ମଗ୍ନ ରହୁଥିଲେ । ଉଦ୍ଦେଶ୍ୟ ତାଙ୍କର ଜୀବନ ଗଢ଼ିବା , ନିରକ୍ଷରତାର ଅନ୍ଧକାର ଦୂର କରି ଛୋଟ କଳୀଟିକୁ ବିକଶିତ କରିବା ସ୍ବାକ୍ଷରତାର ଉପଢୌକନ ପିନ୍ଧାଇ । ନଥିଲା ଜାତିଆଣ ଉଚ୍ଚ ନୀଚ୍ଚର ଭାବନା , ସବୁ ବର୍ଗର ମଣିଷ ମାନଙ୍କୁ ନେଇ ସେ ଗଢ଼ି ତୋଳିଥିଲେ ସ୍ବପ୍ନର ସୌଧ , କିଏ କ’ଣ କରିପାରିବ । ତାଙ୍କ ତେଲ ଲୁଣର ସଂସାର ସାଇତିବା ପାଇଁ , ତାଙ୍କ ହାତ ଧରି ଆସିଲେ ପତ୍ନୀ ଶ୍ରୀମତୀ ନିଶାମଣି ରାଉତ ; ଅର୍ଦ୍ଧାଙ୍ଗିନୀ , ସମଦୁଃଖୀ , ସହଭାଗିନୀ, ଜୀବନର ଦୁଃଖ ସୁଖର ସହଯାତ୍ରୀ , ସହଧର୍ମିଣୀ ।
ତାଙ୍କ କର୍ମକ୍ଷେତ୍ର ବନିଥିଲା ନୀଳକଣ୍ଠ ପରିଷଦ , ପାଠାଗାର ; ସେଠାରେ ବସି ସେ ଗୋଟିଏ ଲେଖାଏଁ ପୁସ୍ତକ ରଚନା କରୁଥିଲେ । ଏ ଅନୁଷ୍ଠାନ ମାଧ୍ୟମରେ ପୁସ୍ତକଟି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହେବା ପରେ ସେ ଲୋକ ଲୋଚନକୁ ଆସିଥିଲେ । ତା’ପରେ ସେ ସାହିତ୍ୟ ସ୍ରଷ୍ଟା ମାନଙ୍କର ଏବଂ ସର୍ବ ସାଧାରଣର ଦୃଷ୍ଟିକୁ ଆସି ଚର୍ଚ୍ଚାକୁ ଆସିଥିଲେ । ୧୯୭୧ ମସିହାର କଥା , ସେ ମୟୁରଭଞ୍ଜ ଯୁବ ଲେଖକ ପରିଷଦର ସମ୍ପାଦକ ଭାବେ ନିଯୁକ୍ତ ହୋଇ ‘ଯୁବଶ୍ରୀ’ ନାମକ ଏକ ସାହିତ୍ୟ ପତ୍ରିକାର ସମ୍ପାଦନା କରିଥିଲେ । ଏହାଦ୍ୱାରା ସେ ସମସ୍ତଙ୍କର ସ୍ନେହ ଭାଜନ ହୋଇଥିଲେ । ଅଗ୍ରଣୀ ସାହିତ୍ୟକ୍ୟର ଭୂମିକାରେ ଅବତରଣ କରି ସେ ମୟୁରଭଞ୍ଜରେ ସୃଷ୍ଟି କରି ଚାଲିଲେ ଯୁବ ଲେଖକ ଲେଖିକା ମାନଙ୍କୁ । ଏପରି ସାରଶ୍ୱତର ଗଙ୍ଗା ବୁହାଇ ପାହାଡ଼ ଜଙ୍ଗଲ ଆବୃତ ମୟୁରଭଞ୍ଜରେ ସେ ସୃଷ୍ଟି କଲେ
ଦିବ୍ୟ ପାରିଜାତ ପୁଷ୍ପର ବାସ୍ନା , ଯାହା ଏବେ ତାଙ୍କର ଆର୍ଶିବାଦ ନେଇ ଗଢ଼ି ଉଠିଛି ‘ବିବେକାନନ୍ଦ ’, ତାଙ୍କ ସୃଜୀରେ ସ୍ବପ୍ନର ‘ବାଣୀପୀଠ’, ସ୍ରଷ୍ଟା ସିଏ , ଦାତା ସିଏ , ଉଦ୍ୟକ୍ତା ସେ , ଗୁରୁବି ସେ , ଅନନ୍ୟ ଗୁଣର ଅଧିକାରୀ ସେ , ମାନନୀୟ ଲକ୍ଷ୍ମୀଧର ସାର୍ ; ପଣ୍ଡିତ ଲକ୍ଷ୍ମୀଧର ରାଉତ ଓଡ଼ିଶା ମାଟିର ସାହିତ୍ୟ ଓ ସାହିତ୍ୟିକ ମାନଙ୍କର ପ୍ରାଣକେନ୍ଦ୍ର ବାଣୀପୀଠର “ସଭାପତି” ।
The Pandita Laxmidhar routa is a great Raitarat Odissa, He is a great son, grate editor, great teacher, great father, ଯଦି ଜଣେ ସଫଳ ପୁରୁଷ ପଛରେ ଜଣେ ଦୂରଦର୍ଶୀ ବୁଦ୍ଧି ସମ୍ପନ୍ନା ନାରୀର ନାରୀର ସହଯୋଗ ଥାଏ , ସେମିତି ପଣ୍ଡିତ ଲକ୍ଷ୍ମୀଧର ରାଉତଙ୍କର ସଫଳତାର ସିଡ଼ି ସାଜିଥିଲେ ତାଙ୍କ ବିଦୁଷୀ ସହଧର୍ମିଣୀ ଶ୍ରୀମତୀ ନିଶାମଣୀ ରାଉତ । ଯେତେ ପ୍ରଶଂସା କଲେ ବି ଉଣା ଉଣା ଲାଗେ । ତାଙ୍କର ସଙ୍ଗଠନ ମୂଳକ କାର୍ଯ୍ୟ ତାଙ୍କର ନିଶାରେ ପରିଣତ ହୋଇଥିଲା । ନିଜ ଜିଲ୍ଲା ପରେ ସେ ଗଢ଼ି ଚାଲିଲେ ସବୁ ଜିଲ୍ଲାରେ ଅନୁଷ୍ଠାନ ପରେ ଅନୁଷ୍ଠାନ । ସାହିତ୍ୟର ବୀଜ ବୁଣି ବୁଣି ସେ ହୋଇଗଲେ ଜଣେ ବିଶିଷ୍ଟ ସାହିତ୍ଯିକ , ଭାଷାକାର , ଲେଖକ , କବି , ସର୍ବ ବିଦ୍ଯାର ଅଧିକାରୀ , ମାନନୀୟ ଲକ୍ଷ୍ମୀଧର ସାର୍ । ଗଢ଼ି ତୋଳିଥିଲେ ସ୍ବପ୍ନର ପିରାମିଡ ବାଣୀପୀଠ , ଯେଉଁଠି ବର୍ତ୍ତମାନ ସବୁ ବିଦ୍ଯାର ପାରଙ୍ଗମତା ହାସଲ କରି ସୁନ୍ଦର ଭବିଷ୍ୟତକୁ ସାକାର କରିବାର କାରଖାନା କହିଲେ ଅତ୍ୟୁକ୍ତି ହେବନାହିଁ । ସେହି ବିବେକାନନ୍ଦ ବିହାର ସ୍ଥିତ ବାଣୀପୀଠ ଅନ୍ଧକାରର ଅନ୍ଧାର ହଟାଇ ଜ୍ଞାନର ଆହରଣ ମାଧ୍ୟମରେ ଗଢ଼ି ଦେଉଛି ତାଙ୍କର ସୁନ୍ଦର ଭବିଷ୍ୟତ , ସେମାନେ ସଫଳ ବିଦ୍ଯାର୍ଥୀ ହୋଇ ମାଆ-ବାପାଙ୍କର ନାମ ରୋଷନ୍ କରୁଛନ୍ତି ଏକ ସୁନ୍ଦର ଭବିଷ୍ୟତ ଗଢ଼ି ।
ପଣ୍ଡିତ ଲକ୍ଷ୍ମୀଧର ରାଉତ ତାଙ୍କ ଜୀବନ କାଳ ଭିତରେ ପ୍ରାପ୍ତ କରିଛନ୍ତି ଅନେକ ସମ୍ବର୍ଦ୍ଧନା , ମାନପତ୍ର ; ସମ୍ମାନିତ ହୋଇଛନ୍ତି ସାହିତ୍ୟ , ଲେଖକ , କବି , ଗୁରୁ ଓ ଅନୁଷ୍ଠାନର ଗଠନ ମୂଳକ ସେବା କାର୍ଯ୍ୟପାଇଁ । ଯଥା - The all India Juvenile Literary Conferenceରୁ Certificate of Honour 1986 ପ୍ରାପ୍ତ । ଗୁରୁ ଓ ଗୁରୁ ଦିବସ ପୁସ୍ତକଟି ରଚନା କରି ଏବଂ ଚାଚା ନେହେରୁ ପୁସ୍ତକକୁ ଭିତ୍ତି କରି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ସମ୍ମାନିତ ହୋଇ ରାଷ୍ଟ୍ରପତି ପୁରସ୍କାରର ସୌଭାଗ୍ୟ ଲାଭ କରିଥିଲେ । ଶ୍ରୀ ରାଉତ ବହୁମୁଖି ପ୍ରତିଭାର ଅଧିକାରୀ ଅଟନ୍ତି । ସେ ଜଣେ ପ୍ରାଦେଶିକ , ଜାତୀୟ , ଆର୍ନ୍ତଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ । ସେ ସମ୍ବାଦିକତା ଓ ସମ୍ପାଦକ ଭାବରେ ବହୁ ଖ୍ୟାତି ଅର୍ଜନ କରିଅଛନ୍ତି । ସେ ଜଣେ ସଫଳ କବି , ଗାଳ୍ପିକ , ପ୍ରାବନ୍ଧିକ , ଔପନ୍ୟାସିକ, ନାଟ୍ୟକାର , ଶିଶୁସାହିତ୍ୟିକ ମଧ୍ୟ , ସେ ଜଣେ ସଫଳ ସାଙ୍ଗଠନିକ ଭାବରେ ବହୁ ଖ୍ଯାତି ଅର୍ଜନ କରି ଅଛନ୍ତି । ଆନ୍ତର୍ଜାତିକ ସ୍ତରରେ "Americal Biographical Institutes" ତରଫରୁ ତାଙ୍କୁ "Man of the Year 1998" ଏବଂ Consulting Editor ବୋଲି ମର୍ଯ୍ୟାଦା ସମ୍ପୂର୍ଣ୍ଣ ପଦବୀ ପ୍ରାପ୍ତିର ସୁଯୋଗ ମିଳିଥିଲା । ପ୍ରାଦେଶିକ ସ୍ତରରେ ଭଗବାନ ସାହିତ୍ୟ ସଂସଦ, ଭୂବନେଶ୍ୱର ତରଫରୁ ପ୍ରଜ୍ଞାଶ୍ରୀ , ପାରଦ୍ୱୀପ ସ୍ଥିତ ମନସ୍ବିନୀ ତରଫରୁ ଭଞ୍ଜଜ୍ୟୋତି , ମୟୁରଭଞ୍ଜ ଯୁବ ସାହିତ୍ୟ ପରିଷଦ ତରଫରୁ ବାଣୀପୁତ୍ର , ଅଭିନବ ଅଧ୍ୟୟନ ଶ୍ରୀ ଭଗବାନ ସମ୍ମାନ ତରଫରୁ ଦିବ୍ୟ ସ୍ରଷ୍ଟା ପଦବୀ ପ୍ରାପ୍ତ । ଓଡ଼ିଶାର ବିଭିନ୍ନ ସାହିତ୍ୟାନୁଷ୍ଠାନ ତରଫରୁ ଯଥା :- ଜଗତସିଂହପୁର , ରାଉରକେଲା , କନ୍ଧମାଳ , କେଉଁଝର , ନୟାଗଡ଼ , ଦେବଗଡ଼ , କୁଜଙ୍ଗ , ଢ଼େଙ୍କାନାଳ , କଟକ , ଭୁବନେଶ୍ୱର ଆଦି ସ୍ଥାନ ମାନଙ୍କରୁ ୭୧ ଖଣ୍ଡ ମାନପତ୍ର ପ୍ରାପ୍ତଏବଂ ବହୁ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି । ରାଜ୍ୟକଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ସ୍ବର୍ଣ୍ଣ ପଦକ , ପୃଥିନାଥ ସ୍ମୃତି ପଦକ ରୌପ୍ୟ , ଜଳେଶ୍ୱରରୁ ପ୍ରାପ୍ତ ଉତ୍କଳ ସନ୍ତାନ ମର୍ଯ୍ୟାଦା ସମ୍ପନ୍ନ ପଦକ ପ୍ରାପ୍ତ । ପ୍ରକାଶନ - ୯୦ରୁ ଉର୍ଦ୍ଧ୍ବ ପୁସ୍ତକ ପ୍ରକାଶ ପାଇଅଛି । ଶିଶୁ ସାହିତ୍ୟ କ୍ଷେତ୍ରରେ ସବୁଠୁ ଅଧିକ ପୁସ୍ତକ ପ୍ରକାଶିତ । ଗବେଷଣା - ଅଠର ଦେଉଳ , ଟାଙ୍ଗରାଶୁଣି ପାହାଡ , ଶିମିଳିପାଳ , ଯେମାମଣୀ ଖଇରୀ , ସମୀ ବୃକ୍ଷ, ପଞ୍ଚସାଗର ତୀର୍ଥ , ଗର୍ଭନିରୋଧ , ହରିହର ପୀଠ ମାଣିତ୍ରୀ ଉପରେ ସନ୍ଦର୍ଭଟି ଗବେଷଣା ଯୁକ୍ତ ପୁସ୍ତିକା ଅକାରରେ ପ୍ରକାଶିତ ।
ଜଣେ ସଫଳ ସମ୍ପାଦକ ହିସାବରେ ସେ ସମ୍ପାଦନ କରିଥିବା ପୁସ୍ତକ ‘ଆମ ସୁନା ଚାନ୍ଦ’, ପଲ୍ଲୀପ୍ରଭା , ବନସ୍ମୃତି, ସୁବର୍ଣ୍ଣା , ଯୁବଶ୍ରୀ , ଲହରୀ ଆଦି ନିୟମିତ ପ୍ରକାଶିତ ; ପଣ୍ଡିତ ଲକ୍ଷ୍ମୀଧର ରାଉତ ବହୁ ଶିକ୍ଷାନୁଷ୍ଠାନ , ପାଠାଗାର , ସାଂସ୍କୃତିକ ଅନୁଷ୍ଠାନର ସ୍ରଷ୍ଟା ମଧ୍ୟ । ସେ ପାଲା ଗାୟକ ମାନଙ୍କ ବିଷୟରେ ମଧ୍ୟ ବିଚାର କରିଥିଲେ । ସେଥି ନିମନ୍ତେ ସେ ପାଲା ଗାୟକଙ୍କ ଉନ୍ନତି ନିମନ୍ତେ ଓଡ଼ିଶାରେ ସର୍ବପ୍ରଥମେ ପାଲା ସମ୍ମେଳନର ଆୟୋଜନ କରିଥିଲେ । ସେ ସାରସ୍ବତ ପତାକାର ଉଦ୍ଭାବନ ମଧ୍ୟ । ସର୍ବପ୍ରଥମେ ସେ ଓଡ଼ିଶାରେ ସାରସ୍ବତ ପତାକା ପ୍ରଚଳନ କରି ସର୍ବଜନ ମତରେ ପ୍ରଶଂସା ଲାଭ କରିଥିଲେ । ଓଡ଼ିଶାର ଭାଷା , ଓଡ଼ିଆ ଭାଷା ସାହିତ୍ୟର ଉତ୍ତରୋତ୍ତର କାମନା କରି ସେ ଓଡ଼ିଆ ଭାଷାର ଶ୍ରୀବୃଦ୍ଧି ନିମନ୍ତେ ନେତ୍ର ଉତ୍ସବ ଦିନଟିକୁ ସାହିତ୍ୟ ସଂସ୍କୃତି ଦିବସ ଭାବେ ପାଳନ କରାଯିବା ଦାବି ରଖି ନିଜେ ତାହା ପାଳନ କରିଥିଲେ । ସର୍ବ ପ୍ରଥମେ ଓଡ଼ିଶାରେ ପ୍ରତିଭା ପୂଜାର ପ୍ରଚଳନ କରିଥିଲେ । ଜ୍ଞାନ ଜ୍ୟୋତି ଓ ସାରସ୍ବତ ପ୍ରଭାତ ଫେରିର ପ୍ରବର୍ତ୍ତକ ଥଲେ । କର୍ମକର୍ତ୍ତା ହିସାବରେ ସେ ବାଣୀପୀଠର ଅଧ୍ୟକ୍ଷ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସଭାପତି , ବନମାଳୀ ସେନାପତି ସାହିତ୍ୟ ଏକାଡେମୀର ସଭାପତି , ଶ୍ରୀ ଅଭିରାମ ପରମହଂସ ସାହିତ୍ୟ ସଂସଦର ସଭାପତି ଏବଂ ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟ ଅନୁଷ୍ଠାନ ମାନଙ୍କର ସାହିତ୍ୟ ସଂସ୍କାରକ ଉପଦେଷ୍ଟା ଭାବେ ନିଯୁକ୍ତ ଥିଲେ । ସେ ଅନୁଷ୍ଠାନ ଗଢ଼ି ଗଢ଼ି ନିଜେ ଗୋଟିଏ ସଫଳ ଅନୁଷ୍ଠାନ ପାଲଟି ଯାଇଥିଲେ । ବୟସର ଅସ୍ତାଚଳଗାମୀ ହାତ ପାଦ ତାଙ୍କର କେବେବି ଥକି ପଡ଼ିନଥିଲା । ସବୁ ସମୟ ସେ କାଗଜ କଲମର ମୋହରେ ବୁଡ଼ି ରହୁଥିଲେ l ଚଳଚଞ୍ଚଳ ହାତ ତାଙ୍କ କାଗଜ ଉପରେ ଲେଖି ଚାଲୁଥିଲା ମନ ଗହନର ଗଦ୍ ଗଦ୍ ହୋଇ ମୁଖ ଦେଇ ନିଃସୃତ ହୋଇ ଝରି ଆସୁଥିବା ଶବ୍ଦ - ବାକ୍ୟରେ ଗୁନ୍ଥା ସେହି ସ୍ବର୍ଣ୍ଣ କଢ଼ିକୁ । ଯାହା କାଗଜର ସଂସ୍ପର୍ଶରେ ଆସି ଫୁଟି ମହକୁଥିଲା । ପାରିଜାତ ସୁଗନ୍ଧିତ ରଚନାମାନ , କବିତା , ଗଳ୍ପ , ବିଶ୍ୱ ଶିଶୁ ସାହିତ୍ଯ ମଧ୍ୟ , ସେ ଅନୁଷ୍ଠାନ ଗଢ଼ି ତୋଳିବାର ଶ୍ରେଷ୍ଠତ୍ୱ ଅର୍ଜନ କରି ପାରିଛନ୍ତି । ଆଧ୍ୟାତ୍ମିକ କ୍ଷେତ୍ର ହେଉ ବା ପ୍ରବଚନ ଦେବାରେ ହେଉ ତାଙ୍କର ସ୍ଥାନ ଶ୍ରୋତା - ଦର୍ଶକ ମାନଙ୍କର ମନ ଜିଣିପାରେ । ସେ ଜଣେ ସଫଳ ଗବେଷଣା ଧର୍ମୀ ସଂସ୍କୃତି ପ୍ରେମୀ ମଣିଷ ଅଟନ୍ତି ।୧୯୫୬ ମସିହାରେ ମାତ୍ର ୧୬ ବର୍ଷ ବୟସରେ ସେ କେନ୍ଦୁଡିହା ଠାରେ ଶରତ ଚନ୍ଦ୍ର ପାଠାଗାର , ଶିଶୁ ସ୍ରୋତା ସମିତି ସହିତ ଏକ ନିମ୍ନ ପ୍ରାଥମିକ ବିଦ୍ୟାଳୟର ସ୍ଥାପନା ମଧ୍ୟ କରିଥିଲେ । ଶଇତିପୁର ମଧ୍ୟଇିଂରାଜୀ ବିଦ୍ୟାଳୟ , ଆମ୍ବଡାଳ ଉ.ପ୍ରା ବିଦ୍ୟାଳୟ , କୁଳିଅଣା , ବୈଦ୍ୟରାଜପୁର , ଡୁକୁରା ମଇ ବିଦ୍ୟାଳୟର ଉନ୍ନତି ସାଙ୍ଗକୁ ୧୯୬୦ରେ ସ୍ବହସ୍ତ ଲିଖିତ ପତ୍ରିକା ପ୍ରକାଶ କରିଥିଲେ ; ପତ୍ରିକାର ନାମ “ତ୍ରିଶାଖା” ଥିଲା । ୧୯୬୯ ମସିହାରେ ଆର୍ଯ୍ୟ ସମାଜ ସହିତ ମିଶି ସମାଜରୁ କୁସଂସ୍କାର ଜନିତ ଏକ ମାରାତ୍ମକ ବ୍ୟାଧିରୁ ମୁକ୍ତ କରିବାର ପରିକଳ୍ପନା ନେଇ ନିଜ ଉଦ୍ୟମରେ ଗୋପବନ୍ଧୁ ନଗର ବ୍ଲକର ରାଣୀବନ୍ଧ ଠାରେ ରାଜ୍ୟସ୍ତରୀୟ ବେଦ ସମ୍ମେଳନର ଆୟୋଜନ କରିଥିଲେ । ୧୯୮୦ରେ ସେ ସମାଜ ପାଇଁ ଗୋଟିଏ ପରିବର୍ତ୍ତନ ଆଣିବାର ସଫଳତା ହାସଲ କରିଥିଲେ । ମାନନୀୟ ଲକ୍ଷ୍ମୀଧର ସାର୍ ଉତ୍କଳ ବେଦ ପ୍ରତିରକ୍ଷା ସମିତିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ସେ ‘ପୂର୍ଣ୍ଣଚନ୍ଦ୍ର’ କଳାବିକାଶ ସଂସ୍ଥା , ଦୀନଦୁଃଖିନୀ ଅତିଥିଭବନ , ଦୀନଦୁଃଖିନୀ ପାଠାଗାର , ବାଣୀପୀଠ , ବିବେକାନନ୍ଦ ଶିକ୍ଷାକେନ୍ଦ୍ର , ଜାତୀୟ ଶିଶୁ ସାହିତ୍ୟ ସଂସ୍ଥାନ , ଆମ ସୁନାଚାନ୍ଦ ଓଡ଼ିଆ ଲେଖକ ପରିଷଦ ଆଦି ଜରିଆରେ ସମାଜକୁ ଏକ ନବ ଦିଗ୍ଦର୍ଶନ ଦେଇ ପାରିଛନ୍ତି । ପଣ୍ଡିତ ଲକ୍ଷ୍ମୀଧର ରାଉତ ସାର୍ଙ୍କର ବହୁମୁଖି ପ୍ରତିଭାର ପଟ୍ଟାନ୍ତର ନାହିଁ । ଯେତେ ଲେଖିଲେ ବି ଉଣା ଉଣା ଲାଗୁଛି । ତାଙ୍କ ଗୁଣ ଗାରିମାର ଆକଳନର ଧୃଷ୍ଟତା ମୁଁ କରିବାକୁ ସକ୍ଷମ ହୋଇପାରୁନି । ମୁଁ ଜଣେ ବୁବୁକ୍ଷିତା , ବିଦ୍ୟାର୍ଜନର କ୍ଷୁଧା ମୋତେ ଖୁବ୍ ଦୁଃଖ ଦେଉଛି । ସାର୍ଙ୍କ ବାବଦରେ ମୋ' ତରଫରୁ ଭକ୍ତିପୂତ ନୈବିଦ୍ୟ ମୁଁ ତାଙ୍କ ଚରଣ ଯୁଗଳରେ ଅର୍ଘ ରୂପେ ଅର୍ପଣ କରୁଛି ଏହି ସାହିତ୍ୟର ପରିଭାଷା ଫୁଲ ପାଖୁଡ଼ା ମାଧ୍ଯମରେ , ତ୍ରୁଟି ଥିଲେ କ୍ଷମା ଚାହୁଁଛି ।
ମାନନୀୟ ପଣ୍ଡିତ ଲକ୍ଷ୍ମୀଧର ରାଉତ ସାର୍ କଟକ ରେଡ଼ିଓ ସେଣ୍ଟରର ଶିଶୁ ଶ୍ରୋତା ସମିତି , ମୀନା ମଣ୍ଡଳୀ କାର୍ଯ୍ୟକାରୀ କମିଟିର ସମ୍ପାଦକ ଭାବେ ଦାୟୀତ୍ୱ ବହନ କରିଥିଲେ । ନବଜାଗରଣ , ଭସ୍ମାସୁର ବଧ , ବିଦେଶ ଯାତ୍ରା ଆଦି ନାଟ୍ଯ ପୁସ୍ତକ ରଚନା କରିଥିଲେ । ଏଥିରୁ ଯେଉଁ ପଇସା ଆସୁଥିଲା ସେ ତାହାକୁ ପାଠାଗାରର ଉନ୍ନତି ସାଧନରେ ଖର୍ଚ୍ଚ କରୁଥିଲେ । ୧୯୬୬ରେ ସେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଠାରୁ ସାହିତ୍ୟିକ ହିସାବରେ ପ୍ରଶଂସା ପତ୍ର ପ୍ରାପ୍ତ କରିଥିଲେ । ତହସିଲ୍ଦାର୍ ବେତନଟି ଶ୍ରୀଯୁକ୍ତ ଜେ.ଏନ୍ ନନ୍ଦଙ୍କଠାରୁ ମାନପତ୍ର ପ୍ରାପ୍ତ ତା'ପରେ ୧୯୬୭ ମସିହାରେ ଓଡ଼ିଆ ଯୁବ ଲେଖକ ସମ୍ମିଳନୀ ସଦସ୍ୟ ରୂପେ ମନୋନୀତ ହୋଇ ତହସିଲ୍ଦାର୍ ବେତନଟୀ ଶ୍ରୀଯୁକ୍ତ ସି.ଆର୍ ସେନାପତିଙ୍କ ଠାରୁ ତା ୦୮.୦୮.୧୯୭୩ରେ ପ୍ରମାଣପତ୍ର ପ୍ରାପ୍ତ କରିଥିଲେ । ତା.୧୬.୦୧.୧୯୭୪ରେ ରମାକାନ୍ତ ଗୋଚ୍ଛାୟତ , ସିନିୟର ଲେକ୍ଚରଙ୍କ ଠାରୁ ରାଉରକେଲାରେ ଏକ ସ୍ବତନ୍ତ୍ର ସାହିତ୍ୟ ସମାରୋହରେ ସମ୍ମାନିତ ହୋଇ ପ୍ରମାଣ ପତ୍ର ପ୍ରାପ୍ତ ହୋଇଥିଲେ । ୧୯୭୯ ମସିହାରେ ‘ଯଦୁମଣି ସାହିତ୍ୟ ସଂସଦ’ ତରଫରୁ ଉଦୟପୁର , ନୁଆଗାଁ , ପୁରୀରୁ ମାନପତ୍ର ପ୍ରାପ୍ତ । ଉତ୍ତର ଓଡ଼ିଶା ସାହିତ୍ୟ ସଂସଦର ସକ୍ରିୟ ସଭ୍ୟ ,୧୯୮୬ ମସିହାରେ ବାଜି ରଉତ ମୁକ୍ତି ସଂଗ୍ରାମର ପଥ ପ୍ରଦର୍ଶକ । ଭିନ୍ନ ଏକ ମଣିଷ ; ସେ ଜୀବନ ସଂଗ୍ରାମର ଶେଷ ରକ୍ତ ବିନ୍ଦୁ ଦେଇ ଇଂରେଜ ଫୌଜିଙ୍କର ମୁକାବିଲା କରି ସହୀଦ୍ ହୋଇଥିଲେ । ତାଙ୍କରି ସ୍ମୁତିକୁ ଛାତିରେ ଜାବୁଡ଼ି ଧରି ଗଢ଼ି ଉଠିଥିବା ସାହିତ୍ୟ ପରିଷଦ , ମୁକ୍ତି ସଂଗ୍ରାମୀ ବାଜି ରାଉତ ସାହିତ୍ୟ ପରିଷଦ , ଓଡ଼ିଶା କଟକ ତରଫରୁ ମାନପତ୍ର ପ୍ରାପ୍ତ , କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କର ଆର୍ଶିବାଦ ପ୍ରାପ୍ତର ସୌଭାଗ୍ୟ ମିଳିଥିଲା ମଧ୍ୟ । ୧୯୮୭ରେ ଚକ୍ରଧରପୁର ଠାରେ ପ୍ରତିବର୍ଷ ଯଜ୍ଞାନୁଷ୍ଠାନର ପ୍ରଚଳନ ଓ ଧର୍ମ ସମ୍ମେଳନର ପ୍ରଚଳନ । ୧୯୯୨ ମସିହାରେ ପୂଜ୍ୟପୂଜା ସାହିତ୍ୟ ସଂସଦ ଶୁଆକାଟି ଠାରେ ୩୧.୧୨ ତାରିଖରେ ରାଜ୍ୟସ୍ତରୀୟ ମାନପତ୍ର ପ୍ରାପ୍ତ । ୧୯୯୪ରେ ଶ୍ରୀଯୁକ୍ତ ବୀର ଭଦ୍ରସିଂ (ମନ୍ତ୍ରୀ)ଙ୍କ ଦ୍ୱାରା ତାରିଣୀ ପୁରଷ୍କାର ପ୍ରାପ୍ତ । ତା.୨୬.୦୧.୧୯୯୫ରେ କବି ସମ୍ବର୍ଦ୍ଧନା ଓ ବ୍ୟଙ୍ଗକବି ସମ୍ମେଳନରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ଆର୍. ଶ୍ରୀନିବାସଙ୍କ ଦ୍ୱାରା ମାନପତ୍ର ଓ ସମ୍ବର୍ଦ୍ଧନା ପ୍ରାପ୍ତି । ତେଣୁ ସେ ଜଣେ ସଫଳ ଜନ ସ୍ବୀକୃତିର
ଅନନ୍ୟ ପ୍ରତିଭା । ୧୯୯୬ରେ ସେବକ ସମିତି ବାରିପଦା ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ସାହିତ୍ୟିକ ସମ୍ବର୍ଦ୍ଧନା ଉତ୍ସବରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରା (ଶ୍ରୀଯୁକ୍ତ ସତ୍ୟେନ୍ଦ୍ର ନାରାୟଣ ତ୍ରୀପାଠୀ) ମାନପତ୍ର ପ୍ରାପ୍ତ । ତା.୨୬.୦୧.୧୯୯୬ରେ , ତା.୨୯.୦୯.୧୯୯୬ରେ ଅନ୍ୱେଷା ସାହିତ୍ୟ ସଂସଦ - ଶେରଗଡ଼ ,ବାଲେଶ୍ୱର ତରଫରୁ ମାନପତ୍ର ପ୍ରାପ୍ତ । ଇଲେକ୍ଟ୍ରୋନିକ୍ସ୍ ମେଡ଼ିକାଲ୍ କଲେଜର ପ୍ରତିଷ୍ଠା ଓ ତହିଁର ପରିଚାଳନା ଦାୟିତ୍ୱ ନେବା , ଡୁଡୁୟାବାରୁଣୀ ଗବେଷଣା ପୁସ୍ତକର ପରିପ୍ରକାଶ , ଅଭିନବ ଅଧ୍ୟୟନ ଶ୍ରୀ ଭଗବାନ ସାହିତ୍ୟାନୁଷ୍ଠାନ ତରଫରୁ ଦିବ୍ୟଦ୍ରଷ୍ଟାଙ୍କ ଦ୍ୱାରା ଦିବ୍ୟଦ୍ରଷ୍ଟା ପଦବୀ ପ୍ରାପ୍ତ କରିଛନ୍ତି । ତା.୦୯.୦୫.୧୯୯୭ରେ ପିଲାଙ୍କ ବହି କୁହୁକ ପେଡ଼ି ପ୍ରକାଶିତ ଓ ଅଭିନବ ଅଧ୍ୟୟନ (ଭୁବନେଶ୍ୱର) ଠାରେ ଶ୍ରୀ ଭଗବାନ ସମ୍ମାନ ପ୍ରାପ୍ତ ; ଗାଁ ଭୂଇଁ ବିଶ୍ୱବନ୍ଧୁ ସେବା ମନ୍ଦିର ଶିରାକୁଲ-ମୟୁରଭଞ୍ଜ ପକ୍ଷରୁ ଫୁଲମଣୀ ସାହିତ୍ୟ ସେବା ସମ୍ମାନ ପ୍ରାପ୍ତ , ବୀର ଫୁଲମଣୀ ସ୍ମୃତି ସଂସଦ ତରଫରୁ ଓଡ଼ିଶାଙ୍କ ଦ୍ୱାରା ମାନପତ୍ର ପ୍ରାପ୍ତ । ତା.୧୯.୧.୧୯୯୮ରେ ଓଡ଼ିଆ ଶିଶୁ ସାହିତ୍ୟ ଗବେଷଣା ପରିଷଦ ଓଡ଼ିଶାଙ୍କ ତରଫରୁ ଭଦ୍ରକରେ ସ୍ମୃତିପତ୍ର ପ୍ରାପ୍ତ , ୧୯୯୯ରେ ଅନ୍ୱେଷା ସାହିତ୍ୟ ସଂସଦ ତରଫରୁ ଶେରଗଡ଼ - ବାଲେଶ୍ୱରଙ୍କ ଦ୍ୱାରା ଗଙ୍ଗା ପାର୍ବତୀ ସମ୍ମାନ ପ୍ରାପ୍ତ , ଶୁଭ ଶଙ୍ଖ ସାହିତ୍ୟ ଅନୁଷ୍ଠାନ ଏସ୍ଏସ୍ ମିଡ଼ିଆ - ବାଘଡା ରୋଡ୍ ତରଫରୁ ମାନପତ୍ର ପ୍ରାପ୍ତ , ତା.୩୦.୦୧.୨୦୦୦ରେ ବଦଳପତା ଭଦ୍ରଲୋକ ମାସିକ ସମାଲୋଚନା ପତ୍ରିକା , ଝୁଲା ସାହି - କଟକଙ୍କ ଦ୍ୱାରା ଶ୍ରୀରାମଚନ୍ଦ୍ର ଭବନରେ ମାନପତ୍ର ପ୍ରାପ୍ତ , ନିହାର କନ୍ୟା ସାହିତ୍ୟ ସଂସଦ - ନୂଆଗାଁ ସିଂଗାଖୁଣ୍ଟା ଠାରେ ତା.୦୬.୦୨.୨୦୦୦ରେ ସୋର - ବାଲେଶ୍ୱରଙ୍କ ଦ୍ୱାରା ମାନ ପତ୍ର ଓ ସମ୍ବର୍ଦ୍ଧନା ଗ୍ରହଣ , ରୂପକମୁଦା ସାହିତ୍ୟ ସଂସଦ ଦ୍ୱାରା ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରାପ୍ତ । ନରହରିପୁର-ଶେରଗଡ଼ (ବାଲେଶ୍ୱର)ଙ୍କ ଦ୍ୱାରା ପ୍ରତିଭା ସମ୍ମାନ ପତ୍ର ଓ ଅତବଡ଼ି ସମ୍ମାନ ପତ୍ର , ତା.୧୦.୧୧.୨୦୧ରେ ବରୁଣ ସିଂ (ବାଲେଶ୍ୱର)ଙ୍କ ତରଫରୁ ପ୍ରତିଭା ସମ୍ମାନପତ୍ରର ପ୍ରାପ୍ତି ,୧୯.୧୨.୨୦୦୨ରେ ମନୋସ୍ବିନୀ ପ୍ରତିଭା ସମ୍ମାନ ପ୍ରାପ୍ତ , ସୁରଗଙ୍ଗା କଳା ବିକାଶ କେନ୍ଦ୍ର - ଦେଉଳିଆ (ମୟୁରଭଞ୍ଜ)ଙ୍କ ଦ୍ୱାରା ଭଞ୍ଜ ଗୌରବ ଉପାଧି , ସ୍ବର୍ଗତ ବୈକୁଣ୍ଠ ନାଥ ସ୍ମୃତି ସମ୍ମାନ ପ୍ରାପ୍ତ କରିଛନ୍ତି । ଯେ' ବହୁମୁଖି ପ୍ରତିଭାର ଆଦୃତ, ଯେ' ସକଳ ବିଦ୍ୟାର ପରାଙ୍ଗମ ; ବିଦ୍ୟାସାଗର ତାଙ୍କୁ ମୋ' ପରି ଗୋଟେ ପଥପ୍ରାନ୍ତର ଘାସ ଫୁଲ କେଉଁ ଅର୍ଘ୍ୟ ଦେଇ ଆରତୀ ସଜାଇବ ଆଉ କେଉଁ ସୁଗନ୍ଧ ଦେଇ ପୂଜାର୍ଚ୍ଚନା କରିବ ? ସେ ସ୍ବୟଂ ରାମଚନ୍ଦ୍ରଙ୍କର ଆଉ ଏକ କଳାର ଅବତାର ଏ କଳିଯୁଗରେ , ତେଣୁ ମୋ' ଆଖିର ଦୁଇ ଟୋପା ସ୍ନେହାଶ୍ରୁରେ ପାଦ ଧୋଇ ଦେଇ ମୋ' ବାପାଙ୍କ ସ୍ଥାନରେ ତାଙ୍କୁ ରଖିବି ବୋଲି ଆଶା ବାନ୍ଧିଥିଲି । ଏକଥା କହିବାର ଅର୍ଥ, ମୋ' ବାପା ବି ସେହି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଓ ବେତନଟି ବ୍ଲକ ଦାୟିତ୍ୱରେ ଥିଲେ । ୧୯, ୬୧ , ୬୨ , ୬୩, ୬୪ରେ ବେଲାଣପୁର , ନାକାରା ଘାଟ , ନରହରି ପୁର , ବଇଶିଂଗା , ମାଣିତ୍ରୀ , ଦାଢ଼ିଆ ; ବହୁତ ଛୋଟ ଥିଲି ମନେପଡୁନି , ତେଣୁ ସେ ଅଞ୍ଚଳ ପ୍ରତି ମୋର ବହୁତ ଆକର୍ଷଣ ଥିଲା । ଥରେ ଯାଇ ଦେଖିଆସିବାର ଇଚ୍ଛା ଜାଗ୍ରତ ହେଉଥିଲା ମୋ' ମନରେ । ମୁଁ କିଟ୍ ପରିସରରେ (ଭୁବନେଶ୍ୱର) ସ୍ଥିତ କାଦମ୍ବିନୀ ମିଡ଼ିଆ ତରଫରୁ ୨୦୧୯ ଜାନୁଆରି ୬ରେ ଯେଉଁ ଫଙ୍କ୍ସନ୍ ହେଉଥିଲା , ସେଠାରେ ମୋର କୁମାର ବାବୁଲି ସାର୍ଙ୍କ ସହିତ ପରିଚୟ ହୋଇଥିଲା । ମୟୂରଭଞ୍ଜ ‘ବାଣୀପୀଠ’, ବ୍ୟାନର ଦେଖି ମୁଁ ତାଙ୍କ ସହିତ ପରିଚିତ ହେଲି । ମୋତେ କହିବାକୁ ପଡ଼ି ନଥିଲା ; ସେ ମୋ' ନାଁ ଶୁଣି କିଛି ସମୟ ମୋତେ ଚାହିଁଲେ । "ମୁଁ ଆପଣଙ୍କୁ ଚିହ୍ନିବା ପରି ଲାଗୁଛି । ଆପଣ ନିଶ୍ଚୟ ଲେଖାଲେଖି କରନ୍ତି ।" ମୁଁ ହସି ଦେଇ ସମ୍ମତି ପ୍ରକାଶ କରିଥିଲି । ସେ ଯେ ଲକ୍ଷ୍ମୀଧର ସାର୍ଙ୍କ ପୁଅ ଏକଥା ମୋତେ ଜଣା ନଥିଲା । ତାଙ୍କ ହସଟି ମୋତେ ମୋ' ଛୋଟ ଭାଇ ବାବୁଲିର ହସ ପରି ଲାଗିଲା (ବାବୁଲି - ସି.ଆର୍.ସି ଭଦ୍ରକ , ଶ୍ରୀମାନ ଦେବବ୍ରତ ଦାଶ , ତାଳପଦା) । ସେ ମୋତେ ବାଣୀପୀଠକୁ ନିମନ୍ତ୍ରଣ କଲେ । ଫର୍ମଟିଏ ଦେଲେ । ତାଙ୍କ ବାଣୀପୀଠର ଆଜୀବନ ସଭ୍ୟା ହେବାର ସୌଭାଗ୍ୟ ମଧ୍ୟ ଦେଇଥିଲେ । ମାର୍ଚ୍ଚ ୨୯-୩୦-୩୧ ତିନିଦିନ ଧରି ବାଣୀପୀଠ ମହୋତ୍ସବ , ଶେଷଦିନଟି କବି ଲେଖକ ମାନଙ୍କ ପାଇଁ ଉଦିଷ୍ଟ ; କବିତା ମହାଯଜ୍ଞର ମହା ଆୟୋଜନ । ଯାହା କିଛି ପ୍ରମାଣ ପତ୍ର , ପତ୍ରପତ୍ରିକାରେ ବାହାରିଥିବା ଲେଖାର ପ୍ରତିଲିପି ଏବଂ ପଲ୍ଲୀପ୍ରଭା ଓ ସୁନାଚାନ୍ଦ ମାସିକ ପତ୍ରିକା ପାଇଁ ଗୋଟିଏ କରି ଲେଖା ପଠାଇ ଥିଲି ଏବଂ ମୟୁରଭଞ୍ଜ ଗଲି । ମୋର ଖଡ଼ିଛୁଆଁ ହୋଇ ପାଠ୍ୟ ଆରମ୍ଭର ସେହି ବିଦ୍ୟାଳୟକୁ ଦେଖିବାକୁ ମନ ବ୍ୟାକୁଳ ହେଉଥାଏ । କାରଣ ସେ ପରା ମୋ' ପିଲାଦିନ ; ସ୍ମୃତିଟି ଯେ ଅଭୁଲା । ବଇଶିଂଗା ଜଙ୍ଗଲଟା ଆଉ ସେପରି ନାହିଁ । ଫାଙ୍କା ମେଲା ଦେଖା ଯାଉଛି । ମୁଁ ଚାହିଁଥାଏ ; ବସ୍ ବାଲା ହେଲ୍ପର ଡ଼ାକିଲା ବେଲାଣପୁର କିଏ ଅଛି ? ମୋ' ଦେହରେ ଶିହରଣ ଖେଳି ଗଲା , ମନେ ପଡ଼ିଗଲା ମୋ' ମାଆର ହାତ ଧରି ସ୍କୁଲ ଯିବା । ପ୍ରାୟତଃ ବାଘ ଭାଲୁଙ୍କର ଭୟ ବେଶି । ସ୍କୁଲ୍ଟି ମୋ' ନଜରକୁ ଆସିଲା କିଛି ବି ସେମିତି ପରିବର୍ତ୍ତନ ହୋଇନାହିଁ । କିନ୍ତୁ ସ୍କୁଲ୍ ଘରଟି ସମ୍ପୂର୍ଣ୍ଣ କଳା ଦିଶୁଛି । ଦିଆଲ ଉପରେ ଛପର ନାହିଁ । ଅନୁମାନ କରି ନେଲି ସ୍କୁଲ ଘରଟି ବୋଧେ ପୋଡ଼ି ଯାଇଛି । ଡର ଲାଗୁଥାଏ ଏକୁଟିଆ ଆସିଛି ବୋଲି , ଆଜିକାଲି ଯାହା ସବୁ ଘଟୁଛି ବୋଲି । ତଥାପି ମନରେ ସାହସ ବାନ୍ଧି ବାବୁଲି ସାର୍ଙ୍କ ଉପରେ ଭରସା କରି ଯାଇ ବଡ଼ ସାହି ବ୍ଲକ୍ ପାଖରେ ଓହ୍ଲାଇଲି । ବସ୍ରୁ ସ୍ବାମୀ ସ୍ତ୍ରୀ ଦୁଇଜଣ ଓହ୍ଲାଇଲେ । ସ୍ବାମୀ ଜଣକ କହିଲେ "ଆପଣ ପରା ବାଣୀପୀଠ ଯିବେ , ଚାଲନ୍ତୁ ଅଟୋ କରି ଚାଲିଯିବା ।" ମୁଁ କହିଲି "ଆପଣ କେମିତି ଜାଣିଲେ ?" ମୁଁ ମନା କରିଦେଲି ତାଙ୍କୁ ସନ୍ଦେହ କରି । ତା’ପରେ କୁମାର ବାବୁଲି ଗାଡ଼ି ଧରି ଆସି ମୋତେ ନେଇ ଯାଇଥିଲେ । ୨ଟା ପାଖାପାଖି ମଞ୍ଚରେ ବକ୍ତା , ପ୍ରବକ୍ତା , ଉଦ୍ୟକ୍ତା ନିମନ୍ତ୍ରିତ ଅତିଥି ସମସ୍ତେ ଥାଆନ୍ତି । ମୁଁ ମଞ୍ଚକୁ ଚାହିଁ ହାତ ଯୋଡ଼ି ପ୍ରଣାମ କଲି । ମାତ୍ର ଜଣେ ବୟସ୍କ ଭଦ୍ରବ୍ୟକ୍ତିଙ୍କର ହାତ ଉପରକୁ ଉଠି ଯାଇଥିଲା ଏବଂ ମୋ' ମଥାରେ ଆଶିଷ ବର୍ଷା କଲା ପରି ଲାଗିଲା । ମନେ ପଡ଼ିଗଲା ମୋ' ବାପାଙ୍କ କଥା , ବାପା ମୋର ବାର୍ଦ୍ଧକ୍ୟର ଜ୍ୱାଳାରେ ପୀଡ଼ିତ । ତା ନହେଲେ ସେ ନିଶ୍ଚୟ ମୋ' କଥା ଶୁଣି ଆସି ଥା'ନ୍ତେ । ମୟୁରଭଞ୍ଜର ମୋହରେ ସେ ସଦା ସର୍ବଦା ପାଇଁ ବାନ୍ଧି ହୋଇ ଯାଇଥିଲେ । ମଝିରେ ମଝିରେ ମୟୂରଭଞ୍ଜ ଯାଇ ସେ ମାଣିତ୍ରୀ ହରିହର ପୀଠର ମହାପ୍ରଭୁଙ୍କ ଦର୍ଶନ କରୁଥିଲେ ଏବଂ ପରିଚିତ ଲୋକଙ୍କୁ ଭେଟି ତାଙ୍କର ଆତିଥ୍ୟ ଗ୍ରହଣ କରୁଥିଲେ । ମୋ' ପାଖରେ ମୋ' ଲଗେଜ୍ ବ୍ୟାଗ୍ଟି ଥିଲା । ତାକୁ ତଳେ ରଖି ମୁଁ ବସିଗଲି ଚେୟାର ଉପରେ । କୁମାର ବାବୁଲି ସାର୍ ହଠାତ୍ ମଞ୍ଚରୁ ଉଠିଆସି ମୋ' ପାଖରେ ପହଞ୍ଚି ଥିଲେ ଏବଂ ମୋତେ ନେଇ ରହିବା ଖାଇବାର ବନ୍ଦୋବସ୍ତ ଦାୟିତ୍ୱ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ଦେଇ ବିଶ୍ରାମ ପରେ ମଞ୍ଚ ପାଖ ସଭାସ୍ଥଳୀକୁ ଆସିବାକୁ କହିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ , ବିଦ୍ୟାର୍ଥୀ ଓ କର୍ମକର୍ତ୍ତା ସମସ୍ତେ ବହୁତ ଅତିଥି ପରାୟଣ , ସେ ସେବାରେ ଏମିତି କିଛି ତ୍ରୁଟି ରଖିଲେ ବି ଯାହା ପାଇଁ ଗୋଟେ କିନ୍ତୁ ରହିଯିବ ମନରେ । ବହୁତ ଭଲ ଲାଗିଥିଲା ସମସ୍ତଙ୍କ ଆଚାର ବ୍ୟବହାର । ୪ଟାରେ ମୁଁ ମଞ୍ଚ ପାଖକୁ ଗଲି । ସାମ୍ନା ଚୌକିରେ ବସିଥିଲି । ମଞ୍ଚ ପାଖାପାଖି ମିଡ଼ିଆ ଭାଇମାନେ ବସିଥିଲେ । କେତେ ଖଣ୍ଡ ଚୌକି ବି ଖାଲି ପଡ଼ିଥିଲା । କିଛି ସମୟ ପରେ ସାଂସ୍କୃତିକ ପ୍ରୋଗ୍ରାମକୁ ମଞ୍ଚରେ ପରିବେଷଣ ନିମିତ୍ତ ଜଣାଇ ଦିଆଗଲା । ପିଲାମାନେ ନାଚ ଗୀତରେ ମଞ୍ଚକୁ ଦୁଲୁକାଇ ଦେଲେ । ଜଣେ ଝିଅ ଓଡ଼ିଶୀ ନାଚିଲେ । ହଠାତ୍ ଜଣେ ବୟୋବୃଦ୍ଧ ବ୍ୟକ୍ତି ମଞ୍ଚ ସାମ୍ନା ସ୍ଥିତ ଚୌକିରେ ବସିଲେ ଏବଂ ମତେ ତାଙ୍କ ପାଖ ଚେୟାରରେ ବସିବାକୁ ହାତ ଠାରି ଡ଼ାକିଲେ । ମୁଁ କଥା ମାନି ଯାଇ ତାଙ୍କ ପାଖ ଚୌକିରେ ବସିଲି । ସେ ମଞ୍ଚକୁ ଚାହିଁ ମୋତେ ପ୍ରଶ୍ନ କଲେ - "ଯାଜପୁରରୁ ଏକା ଆସିଲ ? ଭଲ କଥା, ଆମ ଉତ୍ସବରେ ଯୋଗ ଦେଇଥିବାରୁ ଅଶେଷ ଧନ୍ୟବାଦ୍ ।"
ମୁଁ ତାଙ୍କ କଥା ଶୁଣୁଥାଏ , ମଞ୍ଚକୁ ଚାହିଁଥାଏ । ନାଚ ଦେଖୁଥାଏ , ଭଦ୍ରବ୍ୟକ୍ତି ଜଣକ ମୋତେ କହିଲେ - "ମଞ୍ଚରେ ଯେଉଁ ଝିଅଟି ନାଚୁଛି ସେ ସ୍କୁଲର ପ୍ରଧାନ ଗୁରୁମା'ଙ୍କ ଝିଅ , ମୋ' ନାତୁଣୀ ।" ମୁଁ ଚୁପ୍ ଥାଏ । ସେ କହିଲେ - -"ମାଆ ! ତମେ ଏ ପରିଣତ ବୟସରେ ବି ସାହିତ୍ୟ ପରି ଏକ ପାଗଳାମିକୁ ଆପଣେଇ ନେଇ ଧାଇଁ ଚାଲିଛ । ଏଥିରୁ ତମେ କ’ଣ ପାଉଛ ?" ପ୍ରଶ୍ନ ସିନା ଛୋଟ କିନ୍ତୁ ଉତ୍ତର ବହୁତ ଲମ୍ବା ହେବ , ମୁଁ ସଂକ୍ଷିପ୍ତରେ ଏତିକି କହିଲି ଯେ - "ମୁଁ ଏହା ଭିତରେ ନିଜକୁ ଖୋଜୁଛି । ମୋର ଏ ଦୁନିଆରେ ଅନ୍ୟ ପରିଚୟରେ ବଞ୍ଚିବା ସାର ହେବ । ମୁଁ କ’ଣ ନିଜେ ଗୋଟେ ପରିଚୟ ସୃଷ୍ଟି କରି ପାରିବି ନାହିଁ !ମୁଁ କିଏ ?" ସେ ହସିଲେ , କହିଲେ - "ହଁ ପ୍ରକୃତ ସାହିତ୍ୟକୁ ତୁମେ ତର୍ଜମା କରିଛ ।" ମୋ' ଠାରୁ ବହୁତ କଥା ପଚାରି ବୁଝିଲେ । ମୁଁ କିନ୍ତୁ ଜାଣି ନଥିଲି ସେ ସ୍ବୟଂ ଏ ବିଦ୍ୟା ନିକେତନ , ସାହିତ୍ୟ ରଣିକ । ସମାଜ ସୁଧାରକ , ଲେଖକ , କବି , ସ୍ରଷ୍ଟା , ବକ୍ତା , ଶ୍ରୋତା ସର୍ବଗୁଣ ଗାରିମାରେ ଶ୍ରେଷ୍ଠତ୍ୱ ପ୍ରାପ୍ତ କରିଥିବା ମାନନୀୟ ଲକ୍ଷ୍ମୀଧର ରାଉତ ସାର୍ ବୋଲି । ହଠାତ୍ ସେ ଉଠି ଚାଲିଗଲେ ଏବଂ ଆଉ ଆସିଲେ ନାହିଁ । ଶୁଣିବାକୁ ମିଳିଲା ଲକ୍ଷ୍ମୀଧର ସାରଙ୍କର ଦେହ ଭଲ ନାହିଁ । ମୁଁ ଜଣକୁ ପଚାରିଲି ସେ କହିଲା ତାଙ୍କ ଘର ହଳଦୀପଦା , ସବୁ କିଛି ପ୍ରୋଗ୍ରାମ ଠିକ୍ଠାକ୍ ଚାଲିଥିଲା । ସମସ୍ତ କର୍ମକର୍ତ୍ତା ମାନଙ୍କୁ କିଛି ସମୟ ପାଇଁ ସଭା ଗୃହକୁ ବିଶେଷ ଆଲୋଚନା ପାଇଁ ଡକା ହେଲା । ମୁଁ କ୍ଲାନ୍ତ ଥିଲି , ଖାଇବା ପାଇଁ ଡକା ହେଲା । ମୁଁ ଖାଇ ସାରି ଶୋଇ ପଡ଼ିଲି । କାରଣ ବହୁ ପଥ ଗାଡ଼ି ବ୍ୟଥା ମୋତେ କଷ୍ଟ ଦେଉଥାଏ । ଭୁଲ୍ ବଶତଃ ତରବରରେ ମୁଁ କବିତାଟି ଛାଡ଼ି ଦେଇ ଯାଇଥାଏ । ଭୋର୍ରୁ ଆରମ୍ଭ କବିତା ମହାଯଜ୍ଞ , ଓଡ଼ିଶାରୁ ସବୁ ପ୍ରାନ୍ତରରୁ କବି ମାନଙ୍କର ସେଠାରେ ମିଳନ , ମହାମିଳନ , ଅନେକ ବନ୍ଧୁତ୍ୱର ସାନିଧ୍ୟ , ଖୁବ୍ ଆପଣାର ଲାଗିଲା ମୋତେ । ସ୍ମୃତି ତ ଅନେକ , ମୁଁ ଶୋଇ ପଡ଼ିଲି । ସକାଳର ଦ୍ୱିତୀୟ ଆହୁତି ପାଇଁ କବିତାଟିଏ ଲେଖିଲି । ବିଶ୍ୱାସ ମୋ' ପାଇଁ ଭଗବାନ ; ଆହୁତିରେ ସମର୍ପଣ କଲି କବିତା । ମଞ୍ଚରେ ଛିଡ଼ା ହୋଇ ଯେଉଁ ମହୋଦୟ ଜଜ୍ମେଣ୍ଟ୍ କରୁଥିଲେ , ସେ ମୋତେ ଚାହିଁ ଦୁଇ ହାତ ଯୋଡ଼ିଥିଲେ । ଏମିତି ଭାବରେ ସରିଲା କବିତା ମହାଯଜ୍ଞ । ତା’ପରେ ମାନପତ୍ର ଓ ସମ୍ବର୍ଦ୍ଧନା ପର୍ବ । ପ୍ରଥମେ ହୋସେନ୍ ରବି ଗାନ୍ଧୀଙ୍କୁ “ବାଣୀପିଠ” ସମ୍ମାନ ମିଳିଲା । ମାନପତ୍ର ଟ୍ରଫି ସହିତ ଏକଲକ୍ଷ ଟଙ୍କାର ପଲିସି ବଣ୍ଡ୍ । ମୋତେ “ଅହଲ୍ୟା ସ୍ମୃତି ସମ୍ମାନ” ମାନପତ୍ର ଟ୍ରଫି ମଧ୍ୟ ମିଳିଥିଲା । କବିତା ପାଠ ପାଇଁ ସାର୍ଟିଫିକେଟ୍ । ମୁଁ ରୁମ୍ରେ ରେଷ୍ଟ୍ ନବାକୁ ଆସି ଶୋଇ ପଡ଼ିଲି । ତା’ ପରଦିନ ଘରକୁ ଫେରିବାର ଥିଲା , ତେଣୁ ବାବୁଲି ସାର୍ଙ୍କ ରୁମ୍କୁ ଗଲି ; ସେଠି ତାଙ୍କ ପତ୍ନୀ ସୂର୍ଯ୍ୟକାନ୍ତି ମାଡାମ ଓ ତାଙ୍କ ପରିବାର ସହିତ ପରିଚିତ ହେଲି । ସେଇଠି ଜାଣିଲି ପଣ୍ଡିତ ଲକ୍ଷ୍ମୀଧର ରାଉତଙ୍କର ସୁପୁତ୍ର କୁମାର ବାବୁଲି ବୋଲି । ଯେଉଁ ବ୍ୟକ୍ତିଙ୍କର କିଛି ସମୟର ବହୁମୂଲ୍ୟ ସମୟ ଦେଇ ମୋ' ସହିତ ଆଳାପ କରିଥିଲେ ସେହି ସ୍ବୟଂ ‘ବାଣୀପୀଠ’ର ସଭାପତି ପଣ୍ଡିତ ଲକ୍ଷ୍ମୀଧର ରାଉତ ମହୋଦୟ । ତାଙ୍କ ପରିବାରରୁ ପାଇଥିବା ସ୍ନେହ ମୁଁ ଭୁଲି ପାରୁନି । ନିଜେ ସୂର୍ଯ୍ୟକାନ୍ତି ମାଡାମ ତାଙ୍କ ହାତରେ ସନ୍ତୁଳା କରି ମୋତେ କେତେ ସ୍ନେହରେ ଖାଦ୍ୟ ପରଷି ଥିଲେ ଏବଂ କହିଥିଲେ ଏ ଜଞ୍ଜାଳ ଭିତରେ ଆମେ ପରସ୍ପରକୁ ପରିଚିତ ହୋଇ ପାରିନେ , ରହି ଯାଆନ୍ତୁ ଏଠାରେ କିଛିଦିନ ;ଆମେମାନେ ବହୁତ ଖୁସି ହେବୁ । ମୁଁ କାମ ଥିବାରୁ ଚାଲି ଆସିଥିଲି ।
ପଣ୍ଡିତ ଲକ୍ଷ୍ମୀଧର ରାଉତ କେବଳ କେତୋଟି ସାହିତ୍ୟ ସଂସଦର ସଭାପତି ନଥିଲେ , ମୋ' ଲେଖନୀରେ ସେ ସାହିତ୍ୟ ସୃଜନୀର ଏକ ପବିତ୍ର ଅମୃତ ଧାରା ; ସେ ନିଜେ ଜଣେ ଲେଖକ ନୁହଁନ୍ତି , ସେ ସ୍ବୟଂ ଜଣେ ଅଗଣିତ ପୁସ୍ତକର ଶବ୍ଦ , ବାକ୍ୟ ଓ ଅଭୁଲା ଅକ୍ଷରର ସମାବେଶ । ସେ କେବଳ ପଣ୍ଡିତ ନୁହଁନ୍ତି , ସକଳ ପାଣ୍ଡିତ୍ୟର ଗନ୍ତାଘର ; ସେ କେବଳ ଜଣେ ନାଟ୍ୟକାର , ଭାଷାକାର , ପ୍ରବନ୍ଧକ , ସମ୍ବାଦିକ , ସମ୍ପାଦକ , ସମାଜ ସୁଧାରକ ନୁହଁନ୍ତି ; ସେ ଅଗମ୍ୟ ପଥର ପଥ ପ୍ରଦର୍ଶକ , ଅମା ଘେରା ଅନ୍ଧକାର ମଧ୍ୟରୁ ଉଦିତ୍ ସୂର୍ଯ୍ୟର ସମ୍ଭାର ଆଣି ଆମକୁ ନୂତନ ଦିଗ୍ଦର୍ଶନ ଦେଇ ତାଙ୍କ କଲମର ଏହି ପଦ ପଦବୀର ସମ୍ଭାର ମଧ୍ୟକୁ ଟାଣି ନେଇ ସାରା ବିଶ୍ୱରେ ପରିଚିତ କରାଇବାର ସ୍ବପ୍ନ ଓ ପରିକଳ୍ପନାର ଗୁନ୍ଥା ମାଳଟିଏ । ସେ ଜଣେ ସଦ୍ଗୁରୁ । ତାଙ୍କର ବିଚାରଧାରା ନିକଟରେ ସମଗ୍ର ସାହିତ୍ୟ ଜଗତର ମଥା ନତ । ତାଙ୍କ ଦ୍ୱାରା ସୃଷ୍ଟ ପୁସ୍ତକ ମାନଙ୍କର ଗଣନା କରିବାକୁ ମୁଁ କିଏ ? ସେ ତ ନିଜେ ଜଣେ ବିଶ୍ୱର ଗ୍ରୀନ୍ ବୁକ୍ସ , ଏଭଳି ସର୍ବ ଗୁଣ କେବଳ ଇଶ୍ୱରଙ୍କ ଠାରେ ହିଁ ମିଳିପାରେ । ସେ କିନ୍ତୁ ଐଶ୍ବରୀକ ଗୁଣଧାରୀ ଦ୍ୱିତୀୟ ଇଶ୍ୱର । ସେ ସ୍ବୟଂ ଏକ ବିଶ୍ୱ ପାଠାଗାର , ମୁଁ ଆଉଥରେ ଯାଇ ଭେଟିବାର ଇଚ୍ଛା ଥିଲେ ମଧ୍ୟ ତାଙ୍କୁ ଭେଟି ପାରିନାହିଁ । ସେ ରୋଗଶଯ୍ୟାରେ ଶୁଣି ମନ ମୋର ଭାରି ଖରାପ ହୋଇଥିଲା । ଏବେ ଭଲ ହୋଇଗଲେଣି ବୋଲି କୁମାର ବାବୁଲି ସାର୍ ମୋତେ ଫୋନ୍ରେ କହିଲେ , ଶୁଣି ବହୁତ ଖୁସି ଲାଗିଲା । ଇାଶ୍ୱରଙ୍କ ନିକଟରେ ବିନୀତ ପ୍ରାର୍ଥନା କରୁଛି କି , ଆମ ଆୟୂଷ କମାଇ ତାଙ୍କର ଆୟୂଷ ଶତ ଗୁଣ କରି ଦିଅନ୍ତୁ । ସେ ତାଙ୍କର ସୁନ୍ଦର ନୀତି ଆଦର୍ଶରେ ସୃଷ୍ଟି କରିଥିବା ସୃଷ୍ଟି ମାନଙ୍କ ସହିତ ଆଉ କିଛି ଅମୃତମୟ ମୂହୁର୍ତ୍ତ ବିତାନ୍ତୁ । ପଣ୍ଡିତ ଲକ୍ଷ୍ମୀଧର ରାଉତ ମହୋଦୟ ଆପଣଙ୍କ ଗୁଣ ଗାରିମାର ତୁଳନା ଏ ପୃଥିବୀରେ ବି କାହା ସହିତ କରିହେବ ନାହିଁ । ମୋର ଆପଣଙ୍କ ପରି ସଦ୍ଗୁରୁଙ୍କ ଶ୍ରୀଚରଣରେ କୋଟି ପ୍ରଣାମ ।
ଝିଅ କିରଣ
ବ୍ରାହ୍ମଣୀଗାଁ - ଅରେଇ - ଯାଜପୁର
ମୋ : ୬୩୭୨୮୭୧୬୯୧
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।