ସମର୍ପଣ
ମା"ଜ୍ଞାନଦାତ୍ରୀ ସତରୂପା ସରସ୍ୱତୀଙ୍କ ଅପାର କରୁଣା ଓ ମୋ ହୃଦୟର ଆରାଧ୍ଯ ପ୍ରଭୁ ଜଗନ୍ନାଥଙ୍କ ଅସୀମ କୃପାରୁ ଆଜି ଲେଖନୀ ଧରି ସୃଜନର ନିଜସ୍ଵ ନୂତନ ସୃଷ୍ଟି ରେ........ ମଜି ଯାଇଛି, ହଜି ଯାଇଛି ପାଠକ ମାନଙ୍କର ପାଠକୀୟ ଆଦୃତିର ପ୍ରେରଣାରେ ଉତ୍ସାହିତ ହୋଇ,ସାରସ୍ଵତ ସାଧନାର ପ୍ରୟାସ କରୁଛି ; ମୋ ଲେଖାକୁ ଭଲ ପାଉଥିବା ଓ ମୋତେ ଶ୍ରଦ୍ଧା କରୁଥିବା ମୋ ପାଠକ ମାନଙ୍କ ଅଞ୍ଜୁଳିରେ ମୋ "ଶବ୍ଦ ତୂଳୀ"କୁ ଉତ୍ସର୍ଗ କଲି...... (ଅମ୍ବିକା ସ୍ୱାଇଁ )
📝ପଦେ ଅଧେ ତୂଳୀ ପାଇଁ📝
ଜନୟିତ୍ରୀ ଶାରଦା ତାଙ୍କ ଲେଖନୀ ମୂନକୁ ସର୍ବଦା ଚଳଚଞ୍ଚଳ ରଖିଥା'ନ୍ତୁ । ଜଗତର ନାଥ ଜଗନ୍ନାଥଙ୍କ ପୟରରେ ପ୍ରାର୍ଥନା ପୂର୍ବକ ତାଙ୍କ ଦୀର୍ଘ ଜୀବନର କାମନାର୍ଥୀ.....................
(ସମ୍ପାଦକ)
ଉଦୟ ଭାନୁ (ସାହିତ୍ୟ ଓ ସମାଜସେବା ସଙ୍ଗଠନ)
ଫୋ- ୯୫୫୬୧୩୭୧୨୦
✒ଅନ୍ତରର କଥା ପଦେ .....✒
ମୁଁ ଏକ ବଡ଼ କବୀ ବା ଲେଖକ ନୁହେଁ , ଏମିତି କଲମ କାଗଜ ଧରି ଶବ୍ଦରେ ଖେଳୁ ଖେଳୁ ଏତେ ମଜି ଯାଏ ଯେ ନିଜକୁ ଭୁଲି ଯାଏ, ସେହି ଭିତରେ ଆବିଷ୍କାର କରେ ଏକ ପୂର୍ଣ୍ଣାଙ୍ଗ ବିଷୟବସ୍ତୁର ଲେଖାଟି,ତାହା କବିତା ହେଉ କିମ୍ବା ପ୍ରବନ୍ଧ, ଗପ ବା ଶିଶୁ
କବିତା ହେଉ ବା ଭକ୍ତି ରସାତ୍ମକ କବିତା... କେତେ ସୁନ୍ଦର କେତେ ମନଛୁଆଁ, ହୃଦୟସ୍ପର୍ଶୀ କି ନା ତାହା ତ ପାଠକ କହିବେ । ହଁ ନିଶ୍ଚୟ ,ଖୁବ୍ ଖୁସି ଲାଗେ ବେଳେ ବେଳେ ମୋ ଲେଖନୀରୁ ଝରି ଆସୁଥିବା ସାମାଜିକ ଧର୍ମୀ,ସଂସ୍କାରଧର୍ମୀ ଲେଖାମାନ ପ୍ରକାଶିତ ପତ୍ରପତ୍ରିକାରୁ ପଢି ଅନେକ ପାଠକ ଖୁବ୍ ପ୍ରଶଂସା କରି ଫୋନ କରନ୍ତି ଏବଂ ଅନେକ ପତ୍ରପତ୍ରିକାର ସମ୍ପାଦକ ମାନେ ମୋତେ ଲେଖା ମାଗନ୍ତି ତାଙ୍କ ତରଫରୁ ।ସତରେ..ଭାରି ଖୁସି ଲାଗେ । ଓଡ଼ିଶା ତଥା..ଭାରତ ବାହାରୁ ମଧ୍ୟ ଅନେକ ପାଠକ ଫୋନ କରି ଶୁଭେଚ୍ଛା ଜଣାଇବା ସହ ଖୁବ୍ ପ୍ରଶଂସା ମଧ୍ୟ କରନ୍ତି ଏମିତିକି ଏ ସ୍ମାର୍ଟ୍ ଫୋନ ଇଣ୍ଟରନେଟ ଯୁଗରେ ବି ହାତଲେଖା ଚିଠିଟିଏ ଦେବାକୁ ପାଠକ ଭୁଲି ନାହାଁନ୍ତି । ଫୋନ କଲ୍ ହେଉ ବା ଚିଠିଟିଏ ହେଉ ସେଥିରେ ଯେଉଁ ଆବେଗମୟ ପ୍ରଶଂସାର ଭାଷା ତାହା ହିଁ ତ ମୋର ଲେଖକୀୟ ସାର୍ଥକତା । ଆଉ ବା ମୋର କଣ ଲୋଡା !!!!
ପିଲାଦିନୁ ସାହିତ୍ୟକୁ ଭଲପାଏ ,ପଢ଼ିବାକୁ ମଧ୍ୟ ଖୁବ୍ ଭଲପାଏ....ଏତେ ଭଲ ପାଏ ଯେ ପିଲାଦିନେ ସ୍କୁଲ ଗଲା ବେଳେ ଯଦି ରାସ୍ତାରେ ଠୁଙ୍ଗାଟିଏ ପଡି ଥିବାର ଦେଖେ ତେବେ ତାକୁ ଗୋଟାଇ ଆଣି ଧିରେ ଖୋଲି ପଢ଼ିବାକୁ ଚେଷ୍ଟା କରେ ଏବଂ ପଢ଼େ , ସେଥିପାଇଁ ମୋ ସାଙ୍ଗ ମାନଙ୍କର ଥଟ୍ଟା - ପରିହାସର ସାମ୍ନା କରେ.... ଯାହା ବି ହେଉ ସେତେବେଳେ ମୋ ଭିତରେ ଥିବା ସାହିତ୍ୟର ଏକ କ୍ଷୁଦ୍ର ମଞ୍ଜିଟି ଏବେ ଅଙ୍କୁରିତ ହୋଇ ଧିରେ ଧିରେ କଅଁଳ ଶାଖା ପ୍ରଶଖା ମେଲାଇ ଚାଲିଛି ; ମହାଦ୍ରୁମରେ ପରିଣତ ହେବ କି ନାହିଁ ଜଣା ନାହିଁ....। ଜଗନ୍ନାଥଙ୍କ କରୁଣାରୁ ଲେଖନୀ ଧରିଛି, ଯଦି ତାଙ୍କରି କୃପା ରହେ ତେବେ ଜୀବନର ଶେଷ ଯାଏଁ ଏମିତି ଲେଖୁଥିବି ,ସମାଜ ପାଇଁ କିଛି ବାର୍ତ୍ତାର ଅଭିପ୍ରାୟରେ....। ଆପଣ ମାନଙ୍କ ସ୍ନେହ ଓ ଆନ୍ତରିକ ଭଲପାଇବାର ଏ ମିଷ୍ଟାନ୍ନ ବ୍ଯଞ୍ଜନ "ଶବ୍ଦ ତୂଳୀ" ; ମତାମତର ପ୍ରତୀକ୍ଷାରେ .
ମା' ସରସ୍ୱତୀ
କଲ୍ୟାଣମୟୀ ମା' ବାଗ୍ଦେବୀ
ଜ୍ଞାନଦାତ୍ରୀ,ବିଦ୍ୟାଦାତ୍ରୀ ମା' ସରସ୍ବତୀ
ଜ୍ଞାନଦାତ୍ରୀ,ବିଦ୍ୟାଦାତ୍ରୀ ମା' ସରସ୍ବତୀ
ଶ୍ବେତ ବସ୍ତ୍ର ପରିହିତା, ସୁଶୋଭିତା
ପଦ୍ମ ଧାରିଣୀ ହଂସବାହିନୀ ବୀଣା । (୧)
ଯା" କଣ୍ଠେ ଵିଦ୍ୟମାନ ହୁଅ ତୁମେ
ଭରିଦିଅ ସହସ୍ର ଅମୃତର ବାଣୀ
ଜ୍ଞାନ ବୁଦ୍ଧି ବାକ୍ଚାତୂରୀ କରୁଣାରେ
ସେ ହୁଏ ଅଜସ୍ର ଜ୍ଞାନର ଅଧିକାରୀ ।୨।
ମାଆ ତୁମ ପାଶେ କରୁଛି ଏ ଅଧମ ଅଳି
ସଦ୍ବୁଦ୍ଧି ଦିଅ ମୋ ହୃଦୟରେ ଭରି
ତୁମ ଆଶୀର୍ବାଦରେ ଲେଖନୀ ମୁନ
ଚାଲିଥାଉ ଆଗକୁ ଏହିପରି ।୩।
*******
ବିଘ୍ନ ବିନାଶକ

ବିଘ୍ନ ବିନାଶକ ଗଉରୀ ନନ୍ଦନ
ବିଦ୍ୟାଦାତା ଶ୍ରୀ ଗଣେଶ
ଲଡ଼ୁରେ ତୁମର ଭାରି ଶରଧା
ଖଇ କରେ ମନ ତୋଷ ।୧।
ତୁମ କୃପାବଳେ ବୁଦ୍ଧି ବିଦ୍ୟା ମିଳେ
ମୁର୍ଖ ହୁଏ ଜ୍ଞାନଧାରୀ
ଅଗ୍ରପୂଜ୍ୟ ତୁମେ ଶ୍ରୀ ଗଜାନନ
ବ୍ରହ୍ମାଣ୍ଡ ଭ୍ରମଣ କାରୀ ।୨।
ତୁମ ଚରଣରେ ମାଗୁଣି କରୁଛି
ବୁଦ୍ଧି ବିଦ୍ୟା ଦିଅ ଭରି
ତୁମରି ଆଶିଷ ମିଳିଗଲେ ମୋତେ
ବିଘ୍ନ ଯିବ ଅପସରି ।୩।
ଏମିତି ଲେଖୁଛି ଲେଖୁ ଥିବି ମୁହିଁ
ତୁମରି ଆଶିଷ ପାଇ
ମୋର ସାଥେ ଥାଇ ଲେଖନୀକୁ ମୋର
ଆଗକୁ ନିଅ ଚଳାଇ ।।
*****
ପ୍ରାର୍ଥନା
କରୁଣା କର ହେ ସାଇଁ
ତୁମରି ଚରଣେ ପ୍ରାର୍ଥନା କରୁଛି
ଟିକିଏ ଆଶିଷ ପାଇଁ ।
ଭକ୍ତି ହୃଦୟରେ ଡାକୁଛି ହେ ପ୍ରଭୁ
ଝରାଅ ଆଶିଷ ଝର
କରନାହିଁ ହେଳା ଆହେ ଚକାଡୋଳା
ଶୁଣ ଡାକ ବାରେ ମୋର ।
ସନ୍ତାନ କରୁଛି ଅଳି ତୁମ ପାଶେ
ସୁପଥରେ ମୋତେ ନିଅ
ସୁନ୍ଦର ଜୀବନ ଗଢ଼ିବାକୁ ତୁମେ
ବଳ ବୁଦ୍ଧି ଜ୍ଞାନ ଦିଅ ।
ଏତିକି ଶକତି ମିଳିଗଲେ ମୋତେ
ସହଜେ କରିବି କାମ
ଜନ ହିତ କର୍ମେ ଲାଗି ରହିଗଲେ
ଦେଶ ହେବ ଧନ୍ୟ ଆମ ।
ଜଗତ କଲ୍ୟାଣ ପାଇଁ ମୁଁ ଲଢ଼ିବି
ନ୍ୟାୟ ପଥେ ସଦା ରହି
ମୋହରି ହାତରେ ଗଢିନିଅ ପ୍ରଭୁ
ସୁନାର ସମାଜ ଯହିଁ ।
*******
❇ଝରୁ ଅମୃତ ଝର❇
ହେ' ଜଗତ ଆତ୍ମା ତୁମେ ପରାମାତ୍ମା
ତୁମେ ଜଗତର ନାଥ
ତୁମେ ରକ୍ଷାକର୍ତ୍ତା ସକଳ ନିୟନ୍ତା
ତୁମ ଚରଣେ ଅଶ୍ରିତ ।୧।
ଦିବସ ରଜନୀ ଜୟକାର ଧ୍ୱନୀ
କୋଟି କଣ୍ଠେ ଗୁଞ୍ଜରିତ
ସକଳ ସାଧନା ତୁମରି ଚରଣେ
କରିଛି ମୁଁ ସମର୍ପିତ ।୨।
ଅପାର କରୁଣା ଅମୃତର ଝର
ଝରୁଥାଉ ଅହର୍ନିଶି
ହୃଦୟ କନ୍ଦରେ ରଖିଛି ସାଇତି
ସଂସାର ନାବରେ ବସି ।୩।
ଦୁର୍ଗମ ପଥର ଟଳମଳ ନାଵ
କିପରି ହୋଇବି ପାରି
ହାତ ଧରି ମୋତେ ପାରି କରି ନେବ
ଆହେ ଅନନ୍ତ ବିହାରୀ ।୪।
ଘଡିସନ୍ଧି ବେଳ ସଂସାର ଯାତନା
ସବୁ ତ ପାରୁଛ ଜାଣି
ନିରବ ନିଶ୍ଚଳ ଅଟଳ ରହିକି
ଶୁଣାଅ ତୁମର ବାଣୀ ।୫।
ତଥାପି ତୁମର ଏହି ଲୀଳା ଖେଳା
ବୁଝିବାକୁ ଅଛି ବାକି
ପଥ ପଡ଼ିଅଛି କେତେ ବହୁଦୂର
ଜନେ କି ପାରୁଛି ଚଖି ।୬
**********
ଜୟ ଜଗନ୍ନାଥ
ଲୀଳାମୟ ପ୍ରଭୁ ତୁମେ ଦାରୁବ୍ରହ୍ମ
କୋଟି ବ୍ରହ୍ମାଣ୍ଡର କଳା ଠାକୁର ।
ସୌମ୍ୟ କାନ୍ତି ଧାରୀ ମଦନ ମୋହନ
ଚକାଡୋଲା ତୁମେ ପଦ୍ମ ଲୋଚନ ।
ସର୍ବମୟ କର୍ତ୍ତା ଆଦି ଅନନ୍ତ
ମହାବାହୁ ତୁମେ ଶ୍ରୀ ଜଗନ୍ନାଥ ।
ନୀଳାଚଳିଆ ଚକାଡୋଳିଆ
ସଂସାର କର୍ତ୍ତା ସର୍ଵନିୟତା ।
ତୁମରି ଚରଣେ ଅଧମ ଅର୍ପିତ
କ୍ଷମା କର ବାରେ ଜଗତ ନାଥ ।।
**********
ଭକତ ବନ୍ଧୁ - ଜଗତ ପ୍ରଭୁ
ଭକତର ବନ୍ଧୁ ଜଗତର ପ୍ରଭୁ
ତୁମେ କରୁଣାର ସିନ୍ଧୁତୁମ ପାଶେ ନାହିଁ ବଡ ସାନ ଭେଦ
ଧନୀ ଦରିଦ୍ରର ବନ୍ଧୁ ।
ସମସ୍ତଙ୍କୁ କର ଆପଣାର ତୁମେ
କରନି ବାଛ ବିଚାର
ଭକ୍ତର ଭାବକୁ ଶୁଣିପାର ପ୍ରଭୁ
ହୃଦ ବ୍ୟଥା କର ଦୂର ।
ଅନ୍ତର୍ଯ୍ୟାମୀ ତୁମେ ସବୁ ଭଲ ମନ୍ଦ
ଜାଣି ପାର ପ୍ରତିକ୍ଷଣ
କିପରି ଭାବରେ ଭକତ ତୁମର
କାଟୁଛି ଏହି ଜୀବନ ।
ଭକ୍ତିରେ ତୁମକୁ ଅନ୍ତରେ ଡାକିଲେ
ଭକ୍ତ ପାଶେ ଚାଲି ଆସ
ହରିନିଅ ତୁମେ ଦୁଃଖ ଓ ଯନ୍ତ୍ରଣା
ନ କରି ମନରେ ରୋଷ ।
ଦୁଃଖ ହରି ନିଅ ସୁଖ ଢାଳି ଦିଅ
ଯେଉଁ ଭାବେ ଯିଏ ଥାଏ
ଧନୀ ଆଉ ମାନୀ ଦୁଃଖୀ ଓ ଦରିଦ୍ର
ଯିଏ ତୁମ ଭକ୍ତ ହୁଏ ।
***********
ଦୁର୍ଗା - ଦୁର୍ଗତିନାଶିନୀ
ଶକ୍ତି ସ୍ୱରୂପିଣୀ ଦୁର୍ଗତିନାଶିନୀ
ମା' ତ୍ରୈଲୋକ୍ୟ ବାସିନୀ
ହସ ହସ ମୁଖେ ଯୋଗମାୟା ତୁମେ
ଆସ ମା' ଜଗଜ୍ଜନନୀ ।୧।
ସ୍ଵଛ ଶରତର ଆବହନେ ମାଆ
ଆସ ଧରାକୁ ଓହ୍ଲାଇ
ତୁମକୁ ସ୍ୱାଗତ କରିବା ପାଇଁକି
ଜନେ ରହିଛନ୍ତି ଚାହିଁ ।୨।
ତୁମ ଆସିବାରେ ଅପାର ଆନନ୍ଦ
ସଭିଙ୍କ ମନରେ କେତେ
ଅଶାର ଆଲୋକ ଢାଳି ଦିଅ ତୁମେ
ହସି ଉଠୁ ମହୀ ସତେ ।୩।
ହରି ନିଅ ସବୁ ଏ ମହୀ ମଣ୍ଡଳୁ
ଛଳନା କପଟ ମାୟା
ତବ ଆଶିଷରେ ଝରିପଡ଼ୁ ଶାନ୍ତି
ନ ବଢୁ ହିଂସାର କାୟା ।୪।
ଅଧର୍ମ ଓ ପାପ ଦୁନିଆରୁ ନିଅ
ଜାଗି ଉଠୁ ସ୍ନେହ ପ୍ରୀତି
ସମସ୍ତଙ୍କ ମନେ ଭରି ଦିଅ ଖୁସି
ସୁଖେ ଯାଉ ଦିନ ବିତି ।।
*********
ଆସୁଛନ୍ତି ମା' ମହାଲକ୍ଷ୍ମୀ
ମାର୍ଗଶୀର ମାସ ପ୍ରତି ଗୁରୁବାର
ମାଆ ଆସୁଛନ୍ତି ଧରାକୁ ଆମର ।।
ଧନଦାତ୍ରୀ ମାଆ ଲଷ୍ମୀ ଠାକୁରାଣୀ
ଆସି ରଚିବେ କେତେ କାହାଣୀ ।।
ଗାଆଁଠୁ ସହର ପୁର ଓ ପଲ୍ଲୀ
ଚାରିଆଡେ ଖୁସି ପଡ଼େ ଉଛୁଳି ।।
ମାଟି କାନ୍ଥ କୋଠା ଘର ଓ ଦୁଆର
ଚିତ୍ରିତ ହେଉଛି ଝୋଟିର ଆସର ।।
ନୂଆ ଧାନବେଣୀ ଗେଣ୍ଡୁ ଫୁଲରେ
ପୂଜା ପାଉଛନ୍ତି ମା' ଅତି ଯତ୍ନରେ ।।
ପିଠା,କ୍ଷୀରି,ଖେଚୁଡ଼ି, ଶାଗ, ତିଅଣ
ଅର୍ଘ୍ୟ ବାଢ଼ୁଛନ୍ତି ସଭିଏଁ ଜାଣ ।।
ଧୂପ,ଦୀପ,ଝୁଣା, ନୈବେଦ୍ଯର ମହକ
ସଭିଙ୍କ ମନରେ ଭରୁଚି ପୁଲକ ।।
ଶଙ୍ଖ ହୁଳହୁଳିର ପ୍ରତିଧ୍ୱନିରେ
ମାଆ ଆସୁଛନ୍ତି ହର୍ଷିତ ମୁଖରେ ।।
ଧନ ଦରବରେ ପୂରିଯିବ ଘର
ପେଟ ଭରିଯିବ ସଭି ଜନଙ୍କର ।।
ଏତିକି ତୋ ପାଶେ ମୋର ଗୁହାରି
ସମସ୍ତଙ୍କ ଦୁଃଖ ନେ' ମାଆ ହରି ।।
କେହି ନ ରୁହନ୍ତୁ ଭୋକ ଉପାସ
ସମସ୍ତଙ୍କୁ ମିଳୁ ତୋ'ର ଆଶିଷ ।।
************
ମୋ' ବୋଉବୋଉ ଲୋ ଯାଇଛୁ ଅଫେରା ରାଇଜ
ଫେରିବୁନି ଆଉ ତୁଇ
ତୋହରି ବୁକୁର ସ୍ନେହର ପରଶେ
ମଣିଷ ହୋଇଛି ମୁଇଁ ।
କେତେ ଝୁରୁଅଛି ରାତିଦିନ ତୋତେ
ତୁ କ'ଣ ପାରିବୁ ବୁଝି
ଛାଡି ଚାଲିଗଲୁ ସରଗ ରାଇଜ
ପାରିବିନି ଋଣ ଶୁଝି ।
ସତରେ ବୋଉଲୋ ଭାରି ମନେପଡୁ
ପିଲା ଦିନୁ ବଡ ଯାଏଁ
କେତେ କରୁଥିଲୁ ଅଳି ଅର୍ଦ୍ଧଳି ତୁ
ଜକ ଜକ ଦେଖା ଯାଏ ।
ରାତି ପାହିବାଠୁ ଶୋଇବା ଯାଏଁ ତୁ
ସଦା ଉଜାଗର ରହୁ
ଘର ଜଞ୍ଜାଳର ସମୟ ସହିତ
ମନେପଡେ ମୋର ଗୋଟି ଗୋଟି କରି
ସବୁ କଥା ତୋର ଆଜି
କେତେ କରୁଥିଲୁ ଆମ ପାଇଁ ତୁଇ
ନିରବ ଦ୍ରଷ୍ଟା ସାଜି ।
ଜ୍ଵର - ଝାଡା ହେଲେ ଆମ ମାନଙ୍କର
କେତେ ସେବା ଯତ୍ନ କରୁ
ସୋରିଷ ତେଲରେ ରସୁଣ ଫୁଟାଇ
ପାଦରେ ମାଲିସ କରୁ ।
ଭୋକ ଉପାସରେ ନିଜେ ରହି ତୁହି
ଆମରି ଉଦରେ ଭରୁ
ଚାରି ପିଲାଙ୍କର ଅଳି ଅଝଟକୁ
ଖୁସିରେ ଭରଣା କରୁ ।
ମୁଣ୍ଡ କୁଣ୍ଡାଇ ମୋ ବେଣୀ ବାନ୍ଧି ଦେଉ
ଅତି ଯତନ ତୁ କରି
କାଳେ କାହାର ଯେ ନଜର ପଡିବ
ଥୁକଟିଏ ଦେଉ ମାରି ।
ଖାଇବା ପାଇଁ ମୁଁ ଅବୁଝା ହେଲେ
କ୍ଷୀର ଭାତ ଦେଉ ବାଢି
କେତେ ଆନନ୍ଦ ରେ ଖାଇ ଚାଲିଯାଏ
କହୁ ମୋତେ ସୁନା କଢି ।
ଖାଇ ସାରି ମୁଇଁ ପଣତରେ ତୋର
ହାତକୁ ଦିଏ ମୋ ବୋଳି
ମୋ ବୋଉ ପରି କିଏ ହେବ ଏ ଜଗତେ
କେତେ ବୁଝେ ମୋର ଅଳି ।
ତୋହରି କୋଳରେ ମୁଣ୍ଡ ରଖି ମୁଇଁ
ଶୋଇଯାଏ ଯେତେବେଳେ
ପୁରାଣ ଶାସ୍ତ୍ରର କାହାଣୀ ପେଡି
ଖୋଲି ଦେଉ ସେତେବେଳେ ।
ପାଠ ସିନା ପଢି ନଥିଲୁ ତୁ ବେଶି
ସବୁ ରଖୁ ମୁହଁରେ ଘୋଷି
ଆମବୋଉ ପରି କିଏ ସେ ହେବ
ଥଲୁ ଆମ ଶରଦ ଶଶୀ ।
ଗୋଟି ଗୋଟି କରି ସବୁ ମନେ ଅଛି
କେତେ କହୁଥିଲୁ ଶାଠ
ତାକୁ ମୁଁ ଉଚିତ କାମରେ ଲଗାଏ
କରେ ନାହିଁ କେବେ ମଠ
ତୋହରି କହିବା ପଦୁଟିଏ ମୋତେ
ସୁମଣିଷଟି କରିଛି
ସମସ୍ତଙ୍କ ପାଶେ ଆଦରିତ ହୋଇ
ଜୀବନ ପଥେ ଚାଲିଛି ।
ତୋର କହିଥିବା ପଦୁଟିଏ କଥା
ମନେ ପଡେ ସବୁବେଳେ
ଯା' କୁ ନ କହିବେ ପାଞ୍ଚ ପ୍ରାଣୀ ଭଲ
ସେ ଜୀବନର କି ମୂଲ୍ୟ ।
ଏହି କଥା ପଦ ପାଥେୟ କରିଣ
ଆଜି ଯାଏଁ ପଥ ଚାଲିଛି
ଏହି ବାଣୀ ତୋର ' ମାନସେ ମୋ ସଞ୍ଚି
ଜୀବନର ବ୍ରତ କରିଛି ।
ପ୍ରଭୁଙ୍କ ପାଶରେ କରୁଛି ଗୁହାରି
ଆଶୀର୍ବାଦ ତାଙ୍କ ଥାଉ
ଜନମ ଜନମ ପାଇଁ ତୋ କୋଳରେ
ଜନମ ମୋହର ହେଉ ।
★★★★
🔗ମାଆ🔗
ସଂସାରରେ ଏମିତି କିଛି ଶବ୍ଦ ନାହିଁ ମାଆ' ଠାରୁ ମଧୁର
ମା' ଡାକରେ ଝର ଝର ବହୁ ଥାଏ ମଧୁ ଅମୃତର ଧାର ,
ସଂସାରରେ ଯେତେ ରହିଅଛି ସୁଖ ସ୍ନେହ ସମ୍ପର୍କର ଡୋର
ସବୁଠାରୁ ଗଭୀର ସବୁଠାରୁ ମଧୁର ମା' ସ୍ନେହର ସ୍ଵର ।।
ମାଆ'ଶଦ୍ଦରେ ଲୁକାୟିତ ଥାଏ କେତେ ଐଶ୍ରରୀୟ ଶକତି
ମନ ହୃଦୟରେ ସଦା କରୁଥିବା ମା'କୁ ଆମର ଭକତି
ବାଟରେ ଯେବେ ବିପଦ ପଡେ ମା'ବୋଲି ଥରେ ଉଚ୍ଚାରି ଦେଲେ
ଦୁଃଖ ଯେ,ଆମ ଯାଏ ଟଳି, କେତେ ବିପଦରୁ ଉଦ୍ଧାର ମିଳେ ।।
ଯେତେ ବଡ଼ ହେଲେ ପିଲା, ମାଆ ପାଶେ ସଦା କରୁଥାଏ ଅଳି
ମାଆ ମାଡ଼-ଗାଳି ପିଲା ପାଇଁଁ ଅଟେ ଶ୍ରୀଷେତ୍ର ଦାଣ୍ଡର ଧୂଳି
ମାଆ ପାଠୁଆ ହେଉ ବା ଅପାଠୁଆ ପିଲା ପାଶେ ଜ୍ଞାନୀ ଗୁଣୀ
ମାଆର ପଣତ ପିଲା ପାଇଁ ଅଟେ ସୁରକ୍ଷା କବଚ ମୁଣି ।।
ମାଆ ଠାରୁ ବଡ ନାହିଁ କିଛି ଆନ ତାହା ପରି କେହି ନାହିଁ
ଧରିତ୍ରୀ ପରି ସେ ସହୁ ଥାଏ ସଦା ସଂସାରର ବୋଝ ବାହି ।
***********
💠'ପିତା ମାତା' ତୁମ ଚଳନ୍ତି ଦେବତା💠
ଆରେ ପିଲାମାନେ ଶୁଣ ମନ ଦେଇ ଭୁଲ ନାହିଁ ତୁମେ କେବେ
କେତେ କଷ୍ଟ ଦେଇ ବାପା ମା' ତୁମକୁ ଜନ୍ମ ଦେଇଛନ୍ତି ଭବେ
ରାତି ରାତି ଅନିଦ୍ରା ରହି କରିଥାନ୍ତି ପୂର୍ଣ୍ଣ ତୁମ ଅଳି ଅର୍ଦ୍ଧଳି
ପ୍ରଭୁଙ୍କ ପାଶେ କରି ଗୁହାରି ତୁମ ଜୀବନ ଗଢନ୍ତି ତୋଳି ।।
ପିତା,ମାତା ମମତା ସରଗଠୁ ବଡ ସାଗରଠୁ ଗଭୀର
କେ' ହୋଇପାରିବ ତାଙ୍କ ସମତୁଲ ତୁଳନା ନାହି ଯାହାର
ତାଙ୍କ ଅମୃତ ଆଶିଷ ଝରଣା ଝରୁ ଥାଏ ତୁମ ଉପର
ତୁମେ ହେଲା ପରେ ବଡ଼ ପିତା ମାତାଙ୍କୁ କର ନାହିଁ ହତାଦର ।।
ପିତା ମାତା ତୁମ ଚଳନ୍ତି ଦେଵତା ଏକଥାକୁ ମନେ ରଖ
ତାଙ୍କ ଚରଣରେ ମଥାନତ କରି ଜୀବନକୁ ତୁମ ଦେଖ
ଦୁଃଖ ଦିଅ ନାହିଁ ହୃଦୟରେ ତାଙ୍କ ଆଖିରେ ନ ଆସୁ ଲୁହ
ତାଙ୍କ ଆଖିରୁ ବହିଲେ ଲୁହ ଭଲେ କି ସତେ ରହିବ କୁହ ।।
ଆଦର ସମ୍ମାନ ଯତ୍ନ ସହକାରେ ତାଙ୍କ କଥା ତୁମେ ବୁଝ
ଯେତେ ବୁଝିଲେ କି ଶୁଝି କି ପାରିବ ତାଙ୍କରି ଋଣର ବୋଝ
ପିଲାମାନେ ଭୁଲ ନାହିଁ ତୁମେ ଯେବେ ହେବ ପିତା ମାତା
ତୁମ ପିଲା ତୁମକୁ କରିଲେ ହେଳା ଜାଣିବ ଅନ୍ତର ବ୍ୟଥା ।। *********
🎡ଫୁଲଟିଏ ମୋତେ କରିଦିଅ ପ୍ରଭୁ..🎡
ଫୁଲଟିଏ ମୋତେ କରିଦିଅ ପ୍ରଭୁ
ତୁମ ପୂଜାରେ ମୁଁ ଲାଗିବି
ଫୁଲ ପରି ମୋର କୋମଳ ହୃଦୟେ
ସମସ୍ତଙ୍କ ମନ ଜିଣିବି ।୧।
ଈର୍ଷା,ଦ୍ୱେଷ, କ୍ରୋଧ ମୋର ହୃଦୟରୁ
ନିଅ ପ୍ରଭୁ ତୁମେ ହରି
ଦୀନ,ଦୁଃଖୀ ଜନ ସେବା କରିବାକୁ
ଶକ୍ତି ସାମର୍ଥ୍ୟ ଦିଅ ଭରି ।୨।
ଫୁଲ ପରି ମୋର ବାସର ମହକ
ଚାରିଆଡେ ଯାଉ ମହକି
ଜଗତ ଜନର ସେବା କରି କରି
ତନୁ ମୋ ନଯାଇ ଥକି ।୩
ବଣମଲ୍ଲୀ ପରି ଫୁଲର ମହକ
ଜାଣିବେନି ଯଦି କେହି
ତଥାପି ମନରେ ଦୁଃଖ କରିବିନି
ସବୁ ତ ତୁମରି ପାଇଁ ।।
*******
🌽ଚାଷୀ ଭାଇ ଆମ ଜୀବନର ରେଖା🌽

ଚାଷୀ ଭାଇ ଆମ ଜୀବନର ରେଖା
ତାଙ୍କ ପରି କିଏ ହେବ ରାତିଦିନ ଖଟି ଖାଦ୍ୟ ସେ ଯୋଗାନ୍ତି
ତାଙ୍କ ଦୁଃଖ କିଏ ହେବ !!
ଗରୀବ ଚାଷୀ ଯେ ଚାଷ କରିଥାନ୍ତି
ହାତେ ଧରି ହଳ ଲଙ୍ଗଳ
କେତେ ରକମର ଫସଲ କରନ୍ତି
ସମାଜର କରି ମଂଗଳ ।
ଧନୀ ଚାଷୀଟିର ଲୋଡ଼ା ପଡ଼ିଥାଏ
ଚାଷ ପାଇଁ ଯନ୍ତ୍ର ଟ୍ରାକ୍ଟର
ଧନୀ ଓ ଗରୀବ ସଭିଏଁ କୃଷକ
ଅଟନ୍ତି ଆମ ଆପଣାର ।
ଖରା,ବର୍ଷା ଶୀତ ଖଟୁଥାନ୍ତି ସଦା
ମନ ପ୍ରାଣ କରି ଏକାକାର
ଫସଲର ଯତ୍ନ ନେବା ପାଇଁ ସିଏ
ଥାଆନ୍ତି ସର୍ବଦା ତତପର ।
ଚାଷୀଭାଈ ଆମ ଜୀବନର ମୁଲ୍ୟ
ଖାଦ୍ୟ ସେ ଯୋଗାଇ ଥାଏ
ତାହାରି ହାତର ଯାଦୁର ସ୍ପର୍ଶରେ
ସୁନାର ସବୁଜ ଫସଲ ହୁଏ ।
ରକତ ମାଂସକୁ କରି ଏକାକାର
ମାଟି ସଂଗେ ମାଟି ହୋଇ
ଫସଲ ଆମକୁ ସର୍ବଦା ଯୋଗାନ୍ତି
ଲହୁ ଲୁହ ସିଏ ଦେଇ ।
ଚାଷୀ କୁଳ ଯଦି ଚାଷ ନ କରନ୍ତା
ଖାଦ୍ୟ ମିଳନ୍ତାନି ପେଟ ଭରନ୍ତାନି
ସମସ୍ତେ ମରନ୍ତେ ଭୋକେ ।
ପ୍ରକୃତି ତାଣ୍ଡବ କରେ ଯେତେବେଳେ
ଫସଲ ହୋଇଯାଏ ନଷ୍ଟ
ଚାଷୀ ଭାଈ ମୁଣ୍ଡେ ବଜ୍ର ପଡିଥ।ଏ
ଛାତିରେ ପାଏ ସେ କଷ୍ଟ ।
କେତେ ଚାଷୀ ପୁଣି ଆତ୍ମହତ୍ୟା କରି
ଦିଅନ୍ତି ହଜାଇ ଜୀବନ
ସ୍ତ୍ରୀ ପିଲା ତାଙ୍କର କାନ୍ଦି ଝୁରୁଥାନ୍ତି
ଆଖିରୁ ଗଡାଇ ଅଞ୍ଜନ ।
ଚାଷୀ ଭାଇ ଦୁଃଖ ଆମର ବି ଦୁଃଖ
ଏକଥାକୁ ମନେ ହେଜ
ତାଙ୍କରି ମନରେ ଦିଅ ନାହିଁ ଦୁଃଖ
ତାଙ୍କ ମନ କଥା ବୁଝ ।
ଜାଗି ଉଠ ଆମ ସରକାର ତୁମେ
ସେମାନଙ୍କ ଦୁଃଖ ଶୁଣ
ଧାର କରଜର ପରିଶୋଧ କରି
ସୁଝ ତାଙ୍କ ସବୁ ଋଣ ।
ଚାଷୀ ଭାଇ ଆମ ମାଟିର ସନ୍ତାନ
ଦିଅ ଜୟକାର ଧ୍ୱନି
ଚାଷୀ ଭାଇ ଦାନ ଆମର ଗୌରବ
ଜାଗି ଉଠୁ ପ୍ରତିଧ୍ୱନି ।।
*******🌁ଶୀତ ଋତୁରେ ଗ୍ରାମୀଣ ଦୃଶ୍ୟ ଚିତ୍ରପଟ୍ଟ🌁

ବରଷକୁ ଆସେ ଆମ ଷଡ଼ ଋତୁ
ତାହାର କର୍ତ୍ତବ୍ୟ କରି
ଖରା,ବର୍ଷା, ଶୀତ କାକର ମଳୟ
ସାଥେ ଆଣିଥାଏ ଧରି ।୧।
ଯାଇଛି ଶରତ ହେମନ୍ତକୁ ଧରି
ଶୀତ ଯେ ଆସିଛି ଫେରି
ସୋରିଷ ଓ ଗେଣ୍ଡୁ ଫୁଲର ଆସର
ଫଳ ଆଣିଅଛି ଧରି ।୨।
ଶୀତର ଗ୍ରାମୀଣ ଦୃଶ୍ୟ ଚିତ୍ରପଟ୍ଟ
ଲାଗେ ଭାରି ମନୋରମ
ଦେଖିଲେ ଆଖିରେ ଲାଖି ଯାଏ ମନ
ସୁନ୍ଦର ତା' ରୂପରମ୍ୟ ।୩।
ଶୀତ ଯେତେବେଳେ ଦେଖାଏ ତା' ରଙ୍ଗ
ଥରି ଥରି ଚାଲେ ମଣିଷ
ପାଟି ଠକ ଠକ ବାଜୁଥାଏ ଦାନ୍ତ
ଖୋଜେ ଗରମ ପରଶ ।୪।
ହାଡ ଭଙ୍ଗା ଶୀତେ ସମସ୍ତେ ଥରନ୍ତି
ଧନୀରୁ ଗରୀବ ଯାଏ
ଗରୀବ ପାଖରେ ନ ଥାଏ ରେଜେଇ
କନ୍ଥା ଘୋଡ଼ି ହୋଇ ଶୁଏ ।୫।
ଶୀତ ଦେଇଥାଏ ' ଅନେକ ଆନନ୍ଦ
ଦିଏ ସେ ମଧୁର କଷ୍ଟ
ଶୀତରେ ଥରିଣ ସ୍ନାନ କରିବାକୁ
ପିଲାଏ ହୁଅନ୍ତି ଦୁଷ୍ଟ ।୬।
ଖରା ପୋହିଁବାକୁ ଇଚ୍ଛା ହୁଏ ଭାରି
ପାଟିରେ ପକାଇ ମୁଢି
ସୂର୍ଯ୍ୟ ର କୋମଳ ତାପର ଝାସ ରେ
ବସଥାନ୍ତି ବୁଢ଼ା ବୁଢୀ ।୭।
ଖରା ର ତେଜରେ ତେଜିୟାନ ହୋଇ
ପିଲା କରନ୍ତିନି ମଠ
ଧାନ ଗଦା ମୂଳେ ସଉପ ପକାଇ
ପଢୁଥାନ୍ତି ସିଏ ପାଠ ।୮।
କୋଳରେ ଧରିଣ ଶିଶୁର ମାଆ ଟି
ମାଖୁ ଥାଏ ତେଲ ବସି
କଅଁଳ ଶିଶୁର ଦରୋଟି ହସରେ
ମାଆ ମନ ହୁଏ ଖୁସି ।୯।
ସୂର୍ଯ୍ୟ ଙ୍କ କଅଁଳ ରଶ୍ମୀର ତାପରେ
ଗରମ କରନ୍ତି ପାଣି
ତେଲ ମାଖି ସାରି ପିଲାଙ୍କୁ ସେଥିରେ
ଗାଧୋଇ ଦିଅନ୍ତି ଆଣି ।୧୦।
ଓଢଣା ତଳରେ ନବ ବିବାହିତା
ଯାଉ ଥାଏ ଥିରି ଥିରି
ପୋଖରୀ ରେ ଡୁବ ମାରି ସେ ଆସିବ
ସରମରେ ଥରି ଥରି ।୧୧।
ଘର ଭୁଅସୁଣି ଚୁଲୀ ମୁଣ୍ଡେ ମିଳିନିଆଁ ପୋହୁଁ ଥାନ୍ତି ହସି
ଗପ ସପ କରି ମଜା କରୁଥାନ୍ତି
କୁଙ୍କୁରି କାଙ୍କୁରି ବସି ।୧୨।
ଶୀତରେ ଥରିଣ ଘରର ଘରଣୀ
ଦାଣ୍ଡେ ଆଙ୍କେ ଝୋଟି ଚିତା
ଲଷ୍ମୀ ଠାକୁରାଣୀ ଆସିବେ ତା ଘର
ହେବ ସେ ଜଗତ ଜିତା ।୧୩।
ଶୀତ ରେ ଥରିଣ ଯାଏ ଚାଷୀ ଭାଇ
ଦାଆ ଓ କୋଦାଳ ଧରି
ପରିବା ଫସଲ ଆଣିବ ଘରକୁ
ହରଷେ ଅମଳ କରି ।୧୪।
ଧାନ କାଟି ଆଣି ଖଳାରେ ସାଇତି
ଥାକ ଥାକ ଗଦା ମାରି
ମେରୀ ମୂଳରେ ସେ ବେଙ୍ଗଳା ପକାଇ
ଅମାରେ ରଖିବ ଭରି ।୧୫।
କାମରୁ ଫେରିଣ ଚାଷୀ ଭାଇ ଟିଏ
ପଖାଳ କଂସାଏ ଧରି
ଖାଉ ଥାଏ ବସି ହରଷିତମନେ
ଖରାକୁ ସେ ପିଠି କରି ।୧୬।
ଏହି ପରି ଶୀତ ଦିନର ବର୍ଣନା
ଅସରନ୍ତି ଅସୁମାରୀ
ସବୁ ତ ବଖାଣି ହେବ ନାହିଁ ଏଠି
ହୃଦୟେ ରଖିଛି ଧରି ।୧୭।
ଆଗ କାଳ ଶୀତ ଆଗ କାଳ କଥା
ଧୀରେ ଯାଉଛି ହଜି
ତଥାପି ସେ ସବୁ ଅନୁଭବ ଅଛି
ମିଳେ ଟିକେ ଟିକେ ଆଜି ।୧୮।
************
🎇ଦୋଳ ପର୍ବ🎇

ମଳୟ ମହକ କୋଇଲିର କୁହୁ
ଆମ୍ର ବଉଳ ର ବାସ
ବସନ୍ତର ସାଥେ ଖେଳିବା ଯେ ହୋଲି
ଆସ ମିତ ତୁମେ ଆସ ।୧।
ଆସିଛି ଫଗୁଣ ପସରା ମେଲାଇ
ରଙ୍ଗରେ ଭିଜାଇ ମନ
ଦୋଳ ଦଶମୀରେ ରାଧା ଗୋବିନ୍ଦଙ୍କୁ
ବିମାନେ ବୁଲାନ୍ତି ଜନ ।୨।
ଆନନ୍ଦ ମନରେ ହରିବୋଲ ଦେଇ
ପ୍ରଭୁଙ୍କୁ ପାଛୋଟି ନେବା
ଧୂପ,ଦୀପ, ସାଥେ ଖଜା ଖଇ ଚଣା
କଷି ଆମ୍ବ ଅର୍ପି ଦେବା ।୩।
ଘଣ୍ଟ ଘଣ୍ଟା ନାଦେ ଶଙ୍କହୁଳି ଶବ୍ଦେ
ଢୋଲ ମୃଦଙ୍ଗର ତାଳେ
ନାଚି,ନାଚି ଗାଇ ମତୁଆଲା ହୋଇ
ଖେଳିବା ଅବିର ମେଳେ ।୪।
ପରସ୍ପର ଧରି ରଙ୍ଗର ପସରା
ହେବା ଆମେ ବୋଳାବୋଳି
ରାଗ ଅଭିମାନ ପାଶୋରିଣ ଦେବାହୋଇ ଯିବା କୋଳାକୋଳି ।୫।
ଦୋଳ ପୂର୍ଣିମାରେ ମେଳଣ ଯାତରା
ବିମାନ ହୁଅନ୍ତି ମେଳି
ଆମ ପରମ୍ପରା ଦୋଳ ପରବକୁ
ପାଳୁଥିବା ମନ ଖୋଲି ।୬।
*********
🍌ବସନ୍ତ ଆସିଲା ମଳୟ ହସିଲା🍌

ବସନ୍ତ ଆସିଲା, ମଳୟ ହସିଲା
ପ୍ରୀତିର ମହକ ଧରି
ଆମ୍ର ବୃକ୍ଷେ ଶୋଭା ପାଇଲା ବଉଳ ଫଗୁ ରଙ୍ଗ ଗଲା ଝରି ।
କୋଇଲି ଗାଇଲା କୁହୁ କୁହୁ ସ୍ୱନେ
ମନରେ ଜାଗିଲା ପ୍ରୀତି
ଫେରି ଆସନ୍ତା କି ଅଭୁଲା ଅତୀତ
ବିତିଥିବା ମିଠା ସ୍ମୃତି ।
ବଉଳ କଢ଼ିର ମହ ମହ ବାସ
ପୁଲକିତ ମନ ଆମ
ମନେ ପଡେ ଆଜି ପିଲା ଦିନ କଥା
ମୋ' ବଉଳର ସ୍ନେହ ପ୍ରେମ ।
ପାଠ ପଢୁ ଥିଲୁ ଗୋଟିଏ ଶ୍ରେଣୀ ରେ
ନାମ ଥିଲା ତାର "ଶ୍ୱେତ"
ଆମ୍ବ ବଉଳକୁ ଖୁଆ ଖୋଇ ହୋଇ
ବସିଥିଲୁ ଆମେ ମିତ ।
ବଉଳର ମୋର ଫଗୁ ରଙ୍ଗ ଧରି
କଅଁଳ ଖରାରେ ସିଝି
ଲୁଚି ଲୁଚି ଆମେ ଖେଳୁ ଥିଲୁ କେତେ
ନାଲି,ନେଳି ରଙ୍ଗେ ଭିଜି ।
ରାଧା କୃଷ୍ଣ ଙ୍କର ଅପୂର୍ବ ମିଳନ
ମଳୟ ମହକ ସାଥେ
କଷି ଆମ୍ବ ଲେନ୍ଥା ଅର୍ପି ଦେଉ ତାଂକୁ
ଫଗୁ ରଙ୍ଗ ଧରି ହସ୍ତେ ।
ବିମାନରେ ବସି ଯୁଗଳ ମୂରତୀ
ଗାଁଆ, ଗାଁ କେତେ ବୁଲନ୍ତି
ହର୍ଷ ମନେ ଜନେ ଘଣ୍ଟ,ଘଣ୍ଟା ଶବ୍ଦେ
ପ୍ରଭୁ ଙ୍କୁ ପାଛୋଟି ନିଅନ୍ତି ।
ଫଗୁରଙ୍ଗ ଧରି ରଙ୍ଗାୟିତ ମନେ
ନାଚୁ ଥାନ୍ତି ଗୀତ ଗାଇ
ଖଜା,ଖଇ,ଚଣା ସାଥେ ଫଳମୂଳ
ଦିଅନ୍ତି ଭୋଗ ଲଗାଇ ।ସଭି ଧରିଥାନ୍ତି ରଙ୍ଗର ପସରା
ଖେଳନ୍ତି ଅବିର ବୋଳି
ପରସ୍ପରେ ବଢେ ସ୍ନେହ ପ୍ରେମ ପ୍ରୀତି
ରାଗ ଅଭିମାନ, ଭୁଲି ।
ସବୁ ମନେ ପଡେ ଗୋଟି ଗୋଟି ଆଜି
ବିତିଥିବା ପିଲା ବେଳ
ମୋ ବଉଳ ସାଥେ ସାଙ୍ଗସାଥୀ ମିଶି
ଖେଳୁ ଥିଲୁ କେତେ ଖେଳ ।
ପାଠ ନସରୁଣୁ ଛାଡ଼ି ମୋ ବଉଳ
ଚାଲି ଗଲା ଶାଶୁ ଘର
ସେବେ ଠୁ ଦେଖିନି ବଉଳକୁ ମୋର
ଖୋଜୁଛି ମୁଁ ନିରନ୍ତର ।
ହୃଦୟ ହାଟରେ ସ୍ମୃତିର ସହରେ
କହି ଯାଇଥିଲା ମୋତେ
ଫଗୁଣେ ଆସିବ ହୋଲି ଖେଳିବାକୁ
ଆସିଲା ନାହିଁ ଯେ ସତେ ।
ଚିଠି ଟିଏ କିନ୍ତୁ ଆସି ପହଁଚିଲା
ଘୁରାଇଲା ମୋର ମଥା
ଆଖି ଭିଜି ଗଲା ଲୋତକରେ ମୋର
ହୃଦୟେ ଜ୍ବଳନ ବ୍ୟଥା ।
ଅଫେରା ରାଇଜ ଚାଲି ଗଲା ମିତ
ଫେରିବନି ମୋର ପାଶ
ସ୍ୱପ୍ନର ଆକାଶେ ଖୋଜୁଥିବି ନିତି
ଦେଖି ତାରା ଫୁଲ ହସ ।
ସେ ଅତୀତ ଆଜି ନୁହେଁ ବିସ୍ମରିତ
ହୃଦ କୋଠି ରେ ଜୀବିତ
ମନେ ପଡେ ବେଶି ବଉଳ ର ସ୍ନେହ
ଫେରି ଆସିଲେ ବସନ୍ତ ।
ଏସନ ଫଗୁଣେ ଆସିବାକୁ ତୋତେ
ମୋ ରାଣ ମୁହିଁ ଦେଲି
ସପନ ରେ ଥରେ ଆସେ ତୁ ବଉଳ
ଖେଳିବା ମିଶି ଯେ ହୋଲି ।।
**********
📈ପିଲାମାନେ ତୁମେ ଶୁଣ ମନ ଦେଇ📈
ପିଲାମାନେ ତୁମେ ଶୁଣ ମନ ଦେଇ ସତ୍ୟକୁ କର ଯେ ବ୍ରତ
ମିଛ କୁହ ନାହିଁ ଜୀବନରେ ତୁମେ ଚେଷ୍ଟା କରି କୁହ ସତ ।୧।
ସତ୍ୟ କହିବାକୁ ଡରନା ଜୀବନେ ସତ୍ୟରେ ରଖ ତୁମେ ଲୟ
ସତ୍ୟକୁ ଯେ ତୁମେ ଆଦରିଣ ନେଲେ
ମନରେ ନଥିବ ଭୟ ।୨।
ସତ୍ୟକୁ ଆଦରି ହୋଇଲେ ମହାନ୍
ସମସ୍ତଙ୍କ ହୃଦେ ରହିବ
ସତ୍ୟ ପଥେ ଲୟ ରଖି ଯେ ଚାଲିଲେ
ଭିଭୁଙ୍କ ଆଶିଷ ପାଇବ ।୩।
ଭଲ କାମ କଲେ ଜୀବନରେ ତୁମେ
ସୁନାମ ଅର୍ଜିବ ଦିନେ
ମାଟି ପିଣ୍ଡ ତୁମ ମାଟିରେ ମିଶିବ
କୀର୍ତ୍ତି ତ ରହିବ ମନେ ।୪।
*******
💿ଆତ୍ମାର ନାହିଁ ବିନାଶ💿

ମଣିଷର ଏହି ନଶ୍ୱର ଶରୀର
ଦିନେ ହେବ ଦେହାତିତ
ମାଟି ପିଣ୍ଡ ଯାଇ ମାଟିରେ ମିଶିବ
ଏହା ତ ଚିର ଚରମ ସତ୍ୟ ।
ଏତିକି ଜାଣିଛି ମୋ ସୀମିତ ଜ୍ଞାନରେ
ଅlତ୍ମା ଛାଡିଗଲେ ଆମ ଶରୀର
ଶରୀର ର ହୁଏ ମୃତ୍ୟୁ ରକ୍ତ ମାଂସର
ହୁଏ ନାହିଁ କେବେ ବିନାଶ ଆତ୍ମାର ।
ଜନ୍ମ ନାହିଁ ମୃତ୍ୟୁ ନାହିଁ ଆତ୍ମାର
ଆତ୍ମା ସଦା ଚିର ଵିଦ୍ୟମାନ
ଆତ୍ମା କରିଥାଏ କେବଳ
ଘଟରୁ ଘଟ ପରିବର୍ତ୍ତନ ।
*******
🎂ଆସିଛେ ଏକା ଯିବା ଆମେ ଏକା🎂
ମଣିଷ ଜୀବନରେ ବଞ୍ଚେ
କେତେ ଆଶା କରିମୃତ୍ୟୁ ହେଲେ ଚାଲିଯାଏ
ସଂସାରକୁ ପର କରି ।।
ଆସିଥାଏ ସେ ଏକା ଏକା
ଚାଲିଯାଏ ସେ ଏକା
ସାଙ୍ଗରେ ନେଇ ଯାଏ ନି
ବନ୍ଧୁ ସହୋଦର ସଖା ।।
ଆସିଥାଏ ଖାଲି ଦେହେ
ଚାଲି ଯାଏ ଖାଲି ଦେହେ
ଗଲାବେେଲେ ନିଏ ନାହିଁ
ସୂତ ଖିଅ ରୁ ଖିଅଟିଏ ।।
ସବୁ ମୋହ ମାୟାର
ବନ୍ଧନ ଦିଏ ତୁଟାଇ
ମୋର ମୋର ପଣ ତା"ର
ସବୁ ଦିଏ ହଜାଇ ।।
ଚାଲି ଯାଏ ସେ ବହୁ ଦୂର
ଛାଡି ତା ଘର ସଂସାର
ଆଉ ଫେରି ଆସିବାକୁ
ବାଟ ନ ଥାଏ ସେ ଘର ।।
******
📎ସମସ୍ୟା ବହୁଳ ଜୀବନ📎

ସମସ୍ୟା ବହୁଳ ଜୀବନରେ ଆମ
କେତେ ସମସ୍ୟା ଆସିବ
ସବୁକୁ ସାମନା କରି ବଞ୍ଚିବାକୁ
ଆଗେଇବା ତା"ର ସାଥେ ।
ଜୀବନର ରଙ୍ଗ ମଞ୍ଝ ନାଟକରେ
ଚାଲିଛି ଆମ ଅଭିନୟ
ସେହି ଅଭିନୟ ର ଜୀବନ ଖେଳରେ
ହୋଇଯିବା ଆମେ ତନ୍ମୟ ।
ଦୁଃଖ, ସୁଖ କେତେ ଜୀବନେ ଆସିବ
ଏହାତ ସଂସାର ପଣ
ଦୁଃଖ ସୁଖକୁ ସମ ମଣିକରି
ବଞ୍ଚିବା ଆମେ ପ୍ରାଣ ।
*******
🎎ଆସିନା ଆମେ କେହି କାହା ହାତ ଧରି🎎

ସଂସାରକୁ ଆସିନା ଆମେ
କେହି କାହା ହାତ ଧରି
ଆସିଲା ବେଳେ ଆସିଥିଲେ ଆମେ
ଏକା ଏକା କରି ।
ନିୟତ୍ତିର ନୀତି ନିୟମ
ଦେଲା ଆମ ହାତ ଧରାଇ
ସଂସାରର ଲୀଳା ସାରି
ଯିବା ଏକା ଏକା ପଳାଇ ।।
******
💤ମାୟାର ଖେଳ💤
ଜନମ ମରଣ ଲାଗିଛି ସଂସାରେ
ଏକଥା ତ ଚିର ସତ୍ୟ
ଅଉ ଯେତେ ସବୁ ଖେଳର ରହସ୍ୟ
ନାହିଁ ତା'ର ଆଦି ଅନ୍ତ ।
ମାଟି କଣ୍ଢେଇଟି ପରି ଏ ଶରୀର
ଦିନେ ଭାଙ୍ଗି ହଜି ଗଲେ
ଜୀବନର ସ୍ମୃତି ଅମର ରହିବ
ଭଲ କାମ କରିଥିଲେ ।
ଜୀବନରେ ଆସେ କେତେ ଝଡଝଞ୍ଜା
ମଥା ପାତି ସବୁ ସହିବା
ଭଲ ମନ୍ଦକୁ ସାମ୍ନା କରି କରି
ଆଗକୁ ପଥ ବାହିବା ।ଭାଙ୍ଗି ପଡିବାନି ଦୁଃଖେ ଆମେ କେବେ
ଖୁସି ହେବା ନାହିଁ (ବେଶି) ସୁଖେ ।
ଦୁଃଖ ଓ ସୁଖକୁ ସମ ମଣି କରି
ଭଜୁ ଥିବା ନାମ ମୁଖେ ।
ସୁଖ ଓ ଦୁଃଖର ଏ ସଂସାର ଖେଳ
ଖେଳି ଖେଳି ଆମେ ଚାଲିବା
ହାରିଗଲେ ମଧ୍ୟ ଜିତିବାର ପାଇଁ
ମନକୁ ଦୃଢ କରିବା ।
ସଂସାର ମାୟାର ଝିମିଟି ଖେଳ ଯେ
ଲାଗି ଥିବ କାଳ କାଳ
ଧୈଯ୍ୟ ଧରି ଆମେ ବାଟ ଚାଲିଲେ
ସୁଖେ କଟି ଯିବ ବେଳ ।
ଜନମ ମରଣ ମାୟାର ସଂସାର
ସତ୍ୟର ସନ୍ଧାନ ରୂପ
ଈଶ୍ୱରଙ୍କୁ ଜଣା ରହସ୍ୟର ଲୀଳା
ସେ ଅଟନ୍ତି ଆମ ନୃପ ।।
*******
📡ଅନିଶ୍ଚିତ ଜୀବନ📡
ଜନ୍ମ ଆଉ ମୃତ୍ୟୁ ଚିର ସତ୍ୟ
ବାକି ଯାହା ସବୁ ଅନିଶ୍ଚିତ
ସେହି ଅନିଶ୍ଚିତତା ମଧ୍ୟରେମନୁଷ୍ୟ ଚାଖୁଚି ଜୀବନର ସ୍ବାଦ ।
ଜୀବନରୁ ଆରମ୍ଭରୁ ଶେଷ ଯାଏ
ରହିଛି ଅନେକ ଉଥନ୍ ପତନ
ତଥାପି ଆଜି ଯେପରି କଟିଛି
ଜାଣିନି କାଲି କେମିତି କଟିବ ଦିନ ।
ଦୁଃଖ ସୁଖ ଯନ୍ତ୍ରଣାର ତାଡନା
ମନୁଷ୍ୟ ଅଙ୍ଗେ ଲିଭାଉଛି ପ୍ରତିଦିନ
କେତେବେଳେ ଯେ କଣ ଘଟିବ
ଏହା ଜୀବନର ଅନିଶ୍ଚିତ ଖେଳ ।।
*******
✳ଖଟା ମିଠା ସମ୍ପର୍କ ର ସ୍ଵାଦ✳
ଏ ମାୟା ସଂସାରେ ମାୟା ସାଗରରେ
ଉବୁଟୁବୁ ହୋ'ନ୍ତି ଜନ
ସମ୍ପର୍କ ଡୋରିରେ ସ୍ନେହର ରଜୁରେ
ବାନ୍ଧି ହୋଇଥାଏ ବନ୍ଧନ ।କେତେବେଳେ ଏହି ସ୍ନେହର ସମ୍ପର୍କ
ଆନନ୍ଦରେ ଦିଏ ହଜାଇ
କେତେବେଳେ ପୁଣି ଅଶ୍ରୁ ବୋହି ଦିଏ
ଦୁଃଖ ଦରିଆରେ ଭିଜାଇ ।
କେତେବେଳେ ପୁଣି ଆସି ଯାଏ ଭଟ୍ଟା
ସ୍ନେହ ମମତାର ଢେଉରେ
ସ୍ନେହ ସମ୍ପର୍କର ଆନ୍ଦନ ସତ୍ତାକୁ
ଧୋଇ ନେଇ ଯାଏ କ୍ଷଣରେ ।
ଯେତେବେଳେ ଭଟ୍ଟା ଛାଡି ଚାଲି ଯାଏ
ସୁଖ ଶାନ୍ତି ମନେ ଭରି ଯାଏ
ଦୁଃଖ ଭୁଲି ଯାଏ ମନେ ଖେଳି ଯାଏ
ଖୁସି ଆନନ୍ଦର ଉତ୍ସଟିଏ
ସ୍ନେହ ସମ୍ପର୍କର ପ୍ରେମ ମମତାରେ
ମାନ ଅଭିମାନ ନ ଥିଲେ
ଜାଣି ହୁଅନ୍ତାନି କେତେ ଯେ ମଧୁର
ଖଟା ମିଠା ସ୍ୱାଦ ସମ୍ପର୍କରେ ।
*******
⚡ଜୀବନ ନୌକା⚡
ଦୁଃଖ ସୁଖ ଭରା ମିଶ୍ରିତ ଜୀବନ ଅଙ୍ଗେ ଲିଭାଇ ମଣିଷ
ଜୀବନ ନୌକାରେ ପାରି ହେବା ପାଇଁ କରୁଥାଏ ସିଏ ସଂଘର୍ଷ୍ ll
ଜୀବନରେ ଆସେ ଘାତ ପ୍ରତିଘାତ କେତେ ଦୁଃଖ କଷ୍ଟ ସହେ
ଜୀବନ ସଂଗ୍ରାମ ଯୁଦ୍ଧରେ ଲଢ଼ିଣ ପଥର ପରି ସେ ରହେ ।।
ଭାଙ୍ଗି ପଡ଼ିଲେ ଏ ସଂସାର ବୋଝକୁ କେମିତି ମୁଣ୍ଡେଇ ନେବ
ସେଥିପାଇଁ ଆଖି ଲୁହକୁ ପିଇ ସେ ପାଦେ ପାଦେ ଚାଲୁ ଥିବ
ଏହି ତ ଜୀବନ ଏହି ମାୟା ଖେଳ ଖେଳିବାକୁ ହିଁ ପଡ଼ିବ
ମିଠା - ଖଟା ସ୍ଵାଦ ଚାଖିଣ ମଣିଷ ଜୀବନର ନୌକା ବାହିବ ।
ଜୀବନ ନୌକାକୁ ବାହୁ ବାହୁ ଯଦି ଅଧା ବାଟେ ରହି ଯାଏ
ପ୍ରଭୁଙ୍କ ଉପରେ ଭରଷା ରଖିଣ ଆଗକୁ ନୌକା ଵାହେ
ପବନ ଧୁମାଳ ଅପସରି ଯାଏ ଦୁଃଖ ତାର ଦୂର ହୁଏ
କୁଳରେ ପହଂଚି ଆଗାମୀ ଦିନର ସ୍ବପ୍ନ ସିଏ ଦେଖୁ ଥାଏ ।।
ଏହିତ ଜୀବନ ଦୁଃଖ ସୁଖ ଭରା ସଂସାର ର ମାୟା ଖେଳ
ଏହି ଖେଳରେ ହାରି ଜିତି ଆମେ କଟାଇବା ଆମ କାଳ ।।
*************
🍥ନୂଆ,ପୁରୁଣା ସଂସାର ଖେଳ (ସନେଟ)🍥
ସବୁ ନୂଆ ଆସେ ଉନ୍ମାଦନା ଭରି, କେତେ ଆଶା ଅସୁମାରୀ
ନୂଆ ଓ ପୁରୁଣା ଚକ୍ରର ବ୍ୟୁହରେ ଚାଲିଛି ସଂସାର ଧରି
ନୂଆ ଦିନେ ପୁଣି ପୁରୁଣା ହୋଇବ ନୂତନ ସଂଚାର ଜାଗି
ଜୀବନ ଜଞ୍ଜାଳ ନାଟକ ଯୁଧ୍ୟର ସମୟ ଆସିବ ହଜି ।।
ସମୟ ଚକ୍ରର ପାବନ୍ଧିରେ ବନ୍ଧା ନୂଆ ଓ ପୁରୁଣା ଖେଳ
ନୂଆ ଦିନେ ହେବ ପୁରୁଣା ଅଲୋଡ଼ା ସରିଯିବ ତା'ର କାଳ
ସବୁ ନୂଆ ଦିଏ ହର୍ଷ ଆନନ୍ଦ ପୁରୁଣାକୁ ଦିଏ ହଜାଇ
ପୁରୁଣା ସ୍ମୃତିକୁ ହୃଦୟେ ରଖି ଚାଲୁଥିବା ଆମେ ଆଗେଇ ।।
ନୂତନ ସ୍ୱାଗତ କରିବା ଯେ ଆମେ ଆଶାର ଝଲକ ବୁଣି
ସ୍ୱପ୍ନକୁ ସାକାର କରିବା ପାଇଁକି ଶପଥ ନେବା ଯେ ପୁଣି
ପୁରୁଣା ସ୍ମୃତିକୁ ପାଥେୟ କରିଣ ନୂତନକୁ ଦେବା ସ୍ୱାଗତ
ନୂଆ ବରଷ ହେଉ ସୁଖମୟ ସମସ୍ତେ ହୁଅନ୍ତୁ ସମର୍ଥ ।।
ନୂତନ ଆଶାର ଆଲୋକ ଜାଳିଣ ବଢିବା ଆଗକୁ ପଥ
ସତ୍ୟ, ଧର୍ମ, ନ୍ୟାୟ ପଥେ ରହି କର୍ମ କରିବା ନେଇ
ଶପଥ ।।
*********
🚳"ପୁଣ୍ୟ ଉତ୍କଳ"🚳
ହେ !ପୁଣ୍ୟ ଉତ୍କଳ ମୋର ମାଟି "ମାଆ"
ଜନମିଛି ତୋର କୋଳେ
ଭାରି ଗର୍ବ ଲାଗେ ତୁ ମୋର ଜନନୀ
ରଖିଛି ଅନ୍ତର ତଳେ ।୧।
ମାଆ, ମାଆ,ବୋଲି ଡାକିଲେ ତୋତେ ଯେ
କହୁ ନାହୁଁ ଓହୋ ବୋଲି
ନୀରବରେ ରହି ସବୁ ଦେଖୁ ଅଛୁ
ଏକଥା ହେବ କି ଭୁଲି !!! ।୨।
ତୋହରି କୋଳରେ ଜନ୍ମ ନେଇଥିଲେ
କେତେ ମହା,ମହା ବୀର
ତୋ" ଉନ୍ନତି ପାଇଁ ସଙ୍ଘର୍ଷ କରି ସେ
ଗଲେଣି ସରଗପୁର ।୩।
କେତେ ଲଢ଼ୁଥିଲେ ସ୍ଵତନ୍ତ୍ର ଉତ୍କଳ
ଗଠନ କରିବା ପାଇଁ
ମଧୁସୂଦନ ଓ ଗୋପବନ୍ଧୁ ଦାସ
ଫକିର ମୋହନ ଯହିଁ ।୪।
ଜୟୀ ରାଜଗୁରୁ କୃଷ୍ଣଚନ୍ଦ୍ର ଦେବ
କବି ରାଧାନାଥ ରାୟ
କେତେ ଯେ ମନିଷୀ ମାନଙ୍କ ସକାଶେ
ଉତ୍କଳର ହେଲା ଜୟ ।୫।
ଉଣେଇଶ ଶହ ଛତିଶ ମସିହା
ଏପ୍ରିଲ ପହିଲା ଦିନ
ସ୍ଵତନ୍ତ୍ର ପ୍ରଦେଶ ଗଠିତ ହୋଇଲା
ଉକ୍ତ ସ୍ମରଣୀୟ ଦିନ ।୬।
ସୁଜଳା ,ସୁଫଳା ବୀର ପ୍ରସବିନୀ
ଆମ ଉତ୍କଳ ଜନନୀ
ତୋହରି ବୁକୁରେ ଭରପୁର ଅଛି
ଅମୂଲ୍ୟ ରତ୍ନର ଖଣି ।୭।
ତଥାପି ତୁ ଆଜି ଦରିଦ୍ର କାହିଁକି
ଝାରୁଛୁ ଆଖିରୁ ଲୁହ
ସାରା ବିଶ୍ଵରେ ତୋ ମହିମା ମଣ୍ଡିତ
କେ ଜାଣିନି ତୋତେ କହ !!? ।୮।
କାଳିଆ ସାଅନ୍ତ ପ୍ରଭୁ ଜଗନ୍ନାଥ
ଆମରି ଇଷ୍ଟ ଦେଵତା
ଉତ୍କଳ ସଂସ୍କୃତି କୋଣାର୍କ କୀରତି
ଧଉଳିର ବୀର ଗାଥା ।୯।
ମନ୍ଦିର ମାଳିନୀ ଭୁବନେଶ୍ଵର ଯେ
କହେ ରାଜଧାନୀ କଥା
ଲିଙ୍ଗରାଜ ଦେବ,କେଦାର ଗୌରୀ
ଗାଏ ଇତିହାସ ଗାଥା ।୧୦।
ଓଡ଼ିଶୀର ଛନ୍ଦ, ଗୋଟି ପୁଅ ନାଚ
ପଟ୍ଟଚିତ୍ର ବାନ୍ଧ କଳା
ନିଖୁଣ ଚାନ୍ଦୁଆ, ପଖାଳ, ଡ଼ାଲମା
ପିଠାପଣା, ନୂତ୍ୟ କଳା ।୧୧।
ସାଧବ ପୁଅର ବୋଇତ ବନ୍ଦାଣ
ପାଇକ ପୁଅ ଆଖଡ଼ା
କେତେ କୀର୍ତ୍ତି ରାଜି ସମ୍ପଦ ରେ ଭରା
ତୋହରି ଛାତିରେ ଛିଡ଼ା ।୧୨।
ହେ" ପୁଣ୍ୟ ଉତ୍କଳ ମାତୃଦେବୀ ତୁମେ
ନ ହେଉ ତୁମର କ୍ଷୟ
ଜୟ ,ଜୟକାର ଧ୍ଵନିର ଉଚ୍ଚାରେ
ଉନ୍ନତିର ହେଉ ଜୟ ।୧୩।
🚲
🕛🕛 ସମୟର ସ୍ରୋତ🕛🕛
ସମୟର ତାଳେ ତାଳେ ବନ୍ଧା ଏ ମଣିଷର ଜୀବନ
ସମୟ ଚକ୍ରର ପାବନ୍ଧିରେ ବିତି ଥାଏ ତାର ଦିନ
ସମୟ ଦିଏ ଆମକୁ ଦୁଃଖ,କଷ୍ଟ,ହରଷ ଆନନ୍ଦ
ସମୟ ସ୍ରୋତରେ ଜୀବନରେ ଆସେ କେତେ ଭଲ-ମନ୍ଦ ।।
କେତେବେଳେ ପାହାଡର ଗଦା ଗଦା ପଥରର ବୋଝ
କେତେବେଳେ କୋମଳ ପରଶ ଭରା ଗୋଲାପର ଶେଯ
କେତେବେଳେ ଲୋତକର ବନ୍ୟାରେ ସୃଷ୍ଟି ହୁଏ ସାଗର
କେତେବେଳେ ସୁଖର ବରଷାରେ ଭିଜି ଯାଏ ଶରୀର।।
କେତେବେଳେ ଦୁଃଖର ବାର୍ତ୍ତା ଦେଇ ଛଡାଇ ନିଏ ଖୁସି
କେତେବେଳେ ଆନଂଦର ବାର୍ତ୍ତାଦେଇ ହୋଇ ଥାଏ ସାଥୀ
କେବେ ଜୀବନରେ ଘୋଟି ଆସେ ଉଆଁସୀ ଅନ୍ଧାର ଛାଇ
କେବେ ଆସେ ଜହ୍ନ ପରି ତେଜ ଦୀପ୍ତ ପସରା ମେଲାଇ ।।
ଏହିପରି ଫେଣ୍ଟ।ଫେଣ୍ଟି ସମିଶ୍ରଣ ମଣିଷ ଜୀବନ
ଜୁଆର ଓ ଭଟ୍ଟା ପରି ଆସି-ଯାଇ ବିତୁଥିବ ଦିନ ।।
###
🎏ପହଞ୍ଚିବା ଲକ୍ଷ୍ୟ ସ୍ଥଳ🎏

ଦୂର ଦିଗନ୍ତକୁ ଲମ୍ବି ଅଛି ରାସ୍ତା ଧିରେ ଯାଅ ଅବା ଚଞ୍ଚଳ
ପଥେ ଆସିଯିବ କେତେ ଝଡ ଝଂଜା
ନକରି ଖାତିରି ମାଡ଼ି ଚାଲ l ।
ପଛରୁ ଯଦି ବାଧା ଦିଏ କିଏ
ମନ କର ନାହିଁ ଦୁର୍ବଳ
ଆଗକୁ ପଥ ଚାଲିବାକୁ ତୁମେ
ନିଜକୁ କର ସବଳ ।।
କାହାର ବାଧାରେ ଅଟକି ଗଲେ
ପାରିବନି ତୁମେ ଚାଲି
ଲକ୍ଷ୍ୟ ସ୍ଥଳ ତୁମ ଦୂରେଇ ଯିବ
ଘାରି ହେଉଥିବ ଖାଲି ।।
ପଥ ତ ପଡ଼ିଛି ଅନେକ ଲମ୍ବା
ଦେଖି ଚାହିଁ ବାଟ ଚାଲ
ବୁଝି ବିଚାରି କାମ କଲେ ଆମେ
ହେବ ନାହିଁ କେବେ ଭେଲ
ପହଞ୍ଚିବା ଲକ୍ଷ୍ୟ ସ୍ଥଳ ।।
**********
🌚ଜ୍ଞାନ ଅସରନ୍ତି🌚
ମୂର୍ଖ ବୋଲି କହି କାହାକୁ କେବେ
କରନାହିଁ ଅପମାନ
ସମସ୍ତଙ୍କ ପାଖେ ରହିଅଛି
କିଛି ନା କିଛି ଜ୍ଞାନ ।
ଜ୍ଞାନର ଭଣ୍ଡାର ଅଥଳ ସାଗର
ଜ୍ଞାନ ଅଟେ ଅସରନ୍ତି
ସେହି ଜ୍ଞାନକୁ ତ ମାପକାଠିରେ
ସହଜେ ହେବନି ମାପି ।
ସମସ୍ତଙ୍କ ପାଖେ ଜ୍ଞାନ ରହିଅଛି
ସମୁଦ୍ରର ଶଙ୍ଖେ ବିନ୍ଦୁ
ସେହି ବିନ୍ଦୁକୁ ବ୍ୟବହାର କରି
ମାନବ ଗଢୁଛି ସିନ୍ଧୁ ।
ବଡ଼ ଛୋଟ, ଛୋଟରୁ ବଡ଼
ପାଠୁଆ ଓ ଅପାଠୁଆ
ସମସ୍ତଙ୍କ ପାଖେ ଜ୍ଞାନ ରହିଛି
କିଛି ନୂଆରୁ ନୂଆ ।
ମନୁଷ୍ୟ ଠାରୁ ପଶୁ ପକ୍ଷୀ ଗଛଲତା
ଚଢ଼େଇ ପିମ୍ପୁଡ଼ି ଯାଏ
ସମସ୍ତଙ୍କ ଠାରୁ କିଛି ନା କିଛି
ଶିଖିବାକୁ ମିଳିଥାଏ ।।
**""*"**
🍃ନାରୀ - ନାରାୟଣୀ🍃
ମୁଁ କନ୍ୟାଟିଏ ମୁଁ ନାରୀଟିଏ
ମୁଁ ପତ୍ନୀଟିଏ ମୁଁ ମାଆଟିଏ କରୁଣାମୟୀ ତ୍ୟାଗମୟୀ
ସ୍ନେହ ପ୍ରେମ ଅଜାଡି ଦିଏ ।
ସ୍ନେହର ଭଣ୍ଡାର ଅଜାଡି ଦେଲେ ବି
ଆହୁରି ଲୋଡ଼ା ପଡ଼େ
ଯେତେ କରିଲେ ବି ଶୁଣିବାକୁ ମିଳେ
ସହି ସହି ଦିନ ଗଡ଼େ ।
ଯେତେ ଲାଂଛନା ଯେତେ ନିର୍ଯ୍ୟାତନା
ମିଳୁଥିଲେ ମିଳୁଥ।ଉ
ଛାତିକୁ ପଥର କରି ମୁଁ ସହିବି
ଲକ୍ଷ୍ୟ ମୋ ପୂରଣ ହେଉ ।
ହାରିଯିବି ନାହିଁ ଜୀବନ ପଥରେ
ଭାଙ୍ଗି ମୁଁ ପଡିବି ନାହିଁ
ଉଚିତ ନ୍ୟାୟ ପାଇବାକୁ ସଦା
ସଂଗ୍ରାମ କରିବି ମୁହିଁ ।
ଆତ୍ମହତ୍ୟା କରି କରିବିନି ପାପ
ପାପୀଙ୍କୁ କରିବି ସଂହାର
ଜୀବନ ଯୁଦ୍ଧରେ ଲଢେଇ କରିବି
ପାଇବାକୁ ମୋ ଅଧିକାର ।
ସହି ସହି ମୁହିଁ ନୟାନ୍ତ ହେଲିଣି
ନିରବତା ଥିଲା ସୂତ୍ର
ଏଣିକି ଆଉ ନିରବତା ନାହିଁ
ଗଇବି ମୋହର ମନ୍ତ୍ର ।
ନୁହେଁ ମୁଁ ଅବଳା ନୁହେଁ ମୁଁ ଦୁର୍ବଳା
ହୀନମନ୍ୟ ଦେଖ ନାହିଁ
ନାରୀ ନୁହେଁ ମୁଁ ଅଟେ ନାରାୟଣୀ
ଜଗତ କଲ୍ୟାଣ ପାଇଁ ।
+++++++++
🐒ମୁଁ ଶକ୍ତିମୟୀ ନାରୀଟିଏ🐒
ମୁଁ ନାରୀଟିଏ ........
କଳକଳ ସ୍ରୋତସ୍ୱିନୀ ନଈଟିଏ ଦଦରା ନାଆ ର କାତଟିଏ
ଦୁଇ କୂଳର ସେତୁଟିଏ
ସମ୍ପର୍କର ଖିଅଟିଏ ।
ମୁଁ କନ୍ୟା ଟିଏ.......
ସ୍ନେହମୟୀ ଭଗିନୀଟିଏ
ତ୍ୟାଗମୟୀ, କଲ୍ୟାଣମୟୀ ଜନନୀଟିଏ
ପ୍ରେମମୟୀ ଜାୟାଟିଏ,ଗୋଲାପର ଶେଯଟିଏ
ସର୍ବଂସହା ନାରୀଟିଏ,ଯନ୍ତ୍ରଣାର ନର୍କଟିଏ
ସହିବାର ଶକ୍ତିଟିଏ ।
ମୁଁ ନାରୀଟିଏ ........
ଦୁଃଖ,ସୁଖର ସାଥିଟିଏ
ଗୃହର ଲକ୍ଷ୍ମୀଟିଏ
ଭଣ୍ଡାର ଘରର ଚାବିଟିଏ
ଆଶାର ସ୍ୱପ୍ନଟିଏ
ଦୀପର ଉଜ୍ବଳ ଶିଖାଟିଏ
ଆକାଶର ଜହ୍ନଟିଏ
ପୋଖରୀର କଇଁଟିଏ ।
ମୁଁ ନାରୀଟିଏ......
କାଳୀମାର ଛାଇଟିଏ
ନିର୍ଯାତନା, ପ୍ରତାରଣ। ପ୍ରବଞ୍ଚକ ମାନଙ୍କ ପାଇଁ
ତେଜସ୍ୱିନୀ ଅଗ୍ନିପିଣ୍ଡୁଲାଟିଏ ।
ମୁଁ ନାରୀ ଟିଏ ....ସତେ କି !
ସର୍ବ ସହନ ଶକ୍ତିର ପ୍ରତୀକଟିଏ
ନିହାଣ ମୂନରେ ଖୋଦେଇ
ପଥର ମୂର୍ତ୍ତିଟିଏ....।
ମୁଁ ନାରୀଟିଏ......
ସ୍ନେହ, ପ୍ରେମ,ତ୍ୟାଗ କଲ୍ୟାଣର ନିର୍ଝରିଣୀଟିଏ
ପର୍ବତ ଶିଖରରୁ ଝରୁଥିବା ଝର ଝର ମୁକ୍ତା ବିନ୍ଦୁର
ବାରି ପରି ଅମୃତମୟୀ ମା'ଟିଏ.....
ମୁଁ ଶକ୍ତିମୟୀ ନାରୀ, ନାରାୟଣୀ
ସର୍ବଂସହା ଧରିତ୍ରୀ ରାଣୀଟିଏ .......।
*********
🌺ନାରୀ🌺
ଯୁଗେ ଯୁଗେ ନାରୀ ଆଦୃତା ପୂଜିତା ସଂସାର ଭିତରେ ସାର
ଦେଖ ନାହିଁ ତାକୁ ହୀନମନ୍ଯତାରେ ସଦା କର ଆଦର
ଯେତେ ପାର କର ନାରୀକୁ ଆଦର ବଢିବ ମର୍ଯ୍ୟାଦା ତୁମ
ନାରୀକୁ ସମ୍ମାନ କରିଵା ଜାଣିଲେ ହେବ ତୁମେ ଦେବ ସମ ।।
ନାରୀ ସ୍ନେହମୟୀ,ପ୍ରେମମୟୀ ଅଟେ ତ୍ୟାଗର ସେ ଗୁଣକାରୀ
ତା'ବିନା ଆଗକୁ ସଂସାରର ଚିନ୍ତା ହୁଏ ନାହିଁ କେବେ କରି,
ତଥାପି ନାରୀକୁ ଗଜଣା ଦିଅନ୍ତି ଏହି ଆମ ସମାଜରେ
ଭୁଲି ଯାଆନ୍ତି ସେ ନାରୀ ବିନା ସ୍ଥିତି ନାହିଁ ଏହି ସଂସାରରେ ।।
ନିଜକୁ ସମର୍ପି ଦେଇଥାଏ ସିଏ ଯନ୍ତ୍ରଣାର ଜ୍ୱାଳା ସହି
ଯେତେ କଷ୍ଟ ଆସୁ ବାଧା ପୀଡା ଆସୁ ସବୁ ସହୁ ଥାଏ ରହି,
ମାନ ମର୍ଯ୍ୟାଦାକୁ ଧରି ରଖିବାକୁ କରି ଥାଏ ସେ ସଂକଳ୍ପ
ନିଜ ସାଂସରର ଗୁମର କଥାକୁ ରଖି ଥାଏ କରି ଗଳ୍ପ ।।
ସେହି ଗଳ୍ପ ତାର ଅଭୁଲା ଯେ ସ୍ମୃତି ମର୍ମେ କରେ ଅନୁଭବ
ସର୍ବଂସହା ନାରୀ ଅଟେ ତ୍ୟାଗମୟୀ ତାହା ପରି କିଏ ହେବ ।।
**********
🔴ସ୍ୱୟଂସିଦ୍ଧା ନାରୀ🔴
କନ୍ୟା, ଜାୟା, ଜନନୀ ଓ ଭଗିନୀ
ସତ୍ୟ ସମର୍ପିତ ନାରୀ
ସୁନ୍ଦର ସୃଷ୍ଟିର ଅପରୂପାଟିଏ
ସତେ କି ସରଗପରୀ ।୧।
ସ୍ରଷ୍ଟାର ସେ କମନୀୟ ଛବିଟିଏ
ହାସ୍ୟମୁଖେ ମନ ମୋହେ
ସର୍ଵଗୁଣ ସମ୍ପନ୍ନ।ର ନାରୀଟିଏ
ମମତାର ଗାଥ ଗାଏ ।୨।
ପ୍ରେମ ମୂର୍ତ୍ତିମନ୍ତ ଶକ୍ତିମୟୀଟିଏ
ସୃଷ୍ଟି କରେ ଭବିଷ୍ୟତ
ଉଜ୍ଜ୍ୱଳ ନକ୍ଷତ୍ର ଅବତରି ଦିଏ
ଧରା କରେ ଆଲୋକିତ ।୩।
ସ୍ନେହ,ପ୍ରେମ କରୁଣାର ବାରିଧିରେ
ଡ଼ୁବୁଥାଏ ଅହର୍ନିଶି
ଅସୀମ ତ୍ୟାଗ ଧୈର୍ଯ୍ୟର ପଥ
ଅତିକ୍ରମ କରେ ହସି ।୪।
ଯୁଗ ଯୁଗ ଧରି ଏହି ଆମ ନାରୀ
ଦ୍ରୌପଦୀ ,ଜାନକୀ ରୂପେ
କେତେ କଷ୍ଟ ସହି ଜୀବନ ଜିଅନ୍ତି
ଦୁର୍ଗତି ନାଶିନୀ କୃପେ ।୫।
କିଏ ହେବ ଏହି ସର୍ବଂସହା ନାରୀ
ଦିଏ ନିଜ ସୁଖାହୁତି
ଆଖିର ଲୁହକୁ ମୋତିମାଳା କରି
ଗାଉଥାଏ ସ୍ୱପ୍ନ ଗୀତି ।୬।
ନାରୀ ଆଜି ନୁହେଁ ଅବଳ। ଦୁର୍ବଳ।
ହୋଇଲାଣି ସ୍ଵୟଂସିଦ୍ଧ।
ନିଜଗୋଡେ ନିଜେ ଠିଆ ହୋଇ ସିଏ
ସମାଜେ ବାଣ୍ଟୁଛି ସୁଧା ।୭।
********
🐾ଏକ ନାରୀର ପ୍ରତିଧ୍ୱନିର ପ୍ରତିଶବ୍ଦ🐾
ମୁଁ ନାରୀଟିଏ ,ମୁଁ କନ୍ୟାଟିଏ
ମୁଁ ପତ୍ନୀଟିଏ ମୁଁ ମାଆଟିଏ
ଅଯାଚିତ ସ୍ନେହ ପ୍ରେମ ଭଲପାଇବା
ଅଜାଡି ଦେଲି,
ମୋ' ତ୍ୟାଗର ପ୍ରତିଦାନରେ କ'ଣ ପାଇଲି ?
କେବଳ ମିଥ୍ୟା ,କପଟ ,ମାୟା,ଛଳନ।
ପ୍ରତାରଣା,ଲାଞ୍ଛନା, ନିର୍ଯାତନା
ବିଶ୍ୱାସରେ ବିଶ୍ୱାସଘାତକତା,
ପ୍ରତି ମୁହୂର୍ତ୍ତରେ ମନରେ ପ୍ରଶ୍ନବାଚ1 !!!
ଭୁଲ ଠିକ ତରଜମାର ଗ୍ଳାନିରେ
କୋମଳ ହୃଦୟରେ ଜଳୁଛି ବହ୍ନି
ହୃଦୟର ସ୍ପନ୍ଦନ ବଢୁଛି କ୍ଷିପ୍ରରୁ କ୍ଷିପ୍ରତର
ପ୍ରତି ଲୋମ କୂପରୁ ଭାସି ଆସୁଛି
ପରିହାସର ପ୍ରତିଧ୍ବନି,
ମୋ କର୍ଣ୍ଣ ପଟଳରେ ବାର ବାର ଗୁଞ୍ଜରିତ ହେଉଛି
କେବଳ ପ୍ରତାରଣାର ଛଳନାମୟ ଅଟହାସ୍ୟର ସ୍ଵର ।।
ହା8 ... ହା8 ....ଦେଖ....
କେମିତି ମୁଁ ଠକି ପାରେ !
"ପ୍ରତିଶବ୍ଦ"ହଁ ହଁ ଯେତେ ପାର ଠକି ଦିଅ
ତୁମ ବିଦ୍ରୁପ ଭରା ତାଛଲ୍ୟମୟ ପରିହାସ
ଅପମାନ ଭରା ଶବ୍ଦର ପ୍ରତିଧ୍ୱନିରେ ମୁଁ ମର୍ମ।ହତ
ତଥାପି ବଞ୍ଚିଛି ,ବଞ୍ଚିବି
ଶରୀରରେ ବିନ୍ଦୁଏ ରକ୍ତ ଥିବା ଯ।ଏ
ଲଢେଇ କରିବି।।
ପାଇଥିବା ଆଘାତରେ ଯନ୍ତ୍ରଣାର ଜ୍ବ।ଳ।ରେ
ଚକ୍ଷୁରୁ ନିଗୁଡୁଥିବା ଲେ।ତକର ନଇରେ
ଶୁଖିଲା ପତ୍ରଟିଏ ହୋଇ ଭାସି ଯିବିନି
ବରଂ ନଈ ତୁଠର ପଥର ହୋଇ
ହ୍ଦଦୟ ମନର ସବୁ ବ୍ୟଥା ବେଦନ।କୁ
ପ।ଦରେ ଚାପି ଦାମ୍ଭିକତାର ସହ
ଆଗକୁ ବଂଚିବା ପାଇଁ ସଂଗ୍ରାମ କରିବି,
ମୁଁ ନାରୀ ,ନାର।ୟଣୀ,ତ୍ୟାଗମୟୀ ଜନନୀ ।
===0===
💧ରକ୍ତରେ ନାହିଁ ଭିନ୍ନତା💧
ଏକବିଂଶର ଏହି ନୂଆ ବରଷ ଜୀବନେ ଭରୁ ଖୁସି ହରଷ
ରହୁ ପ୍ରଭୁଙ୍କ ସଦା ଆଶିଷ ସଭିଙ୍କ ଜୀବନ ହେଉ ସରସ
ପରସ୍ପର ସ୍ନେହ,ପ୍ରେମ,ଶାନ୍ତି,ଭାତୃ ଭାବ ସାଂସରେ ଭରି ଯାଉ
ହିଂସା,ପରଶ୍ରୀକାତରତା,ହଣା, କଟାମରା ସବୁର ବିଲୀନ ହେଉ।
ଦୂରେଇ ଯାଉ ସଭିଙ୍କ ମନୁ ଜାତିଆଣ ଭାଵ ଧର୍ମର ବିଭେଦ
ଏପରି ସ୍ୱର ସୃଷ୍ଟି କରେ ପରସ୍ପର ଭିତରେ ହିଂସା ବିବାଦ
ମଣିଷ ମନରେ ପ୍ରତିଦ୍ୱନ୍ଦୀର ଭାଷଣବାଜି ହୁଏ ଜାଗରିତ
ଜାତି,ଧର୍ମ,ବର୍ଣ୍ଣ, ନାମେ ବିବାଦ କଲେ ସମାଜ ହୁଏ କଳୁଷିତ । ।
ଆମ ଜନ୍ମମାଟି ବିଶ୍ଵବ୍ରହ୍ମାଣ୍ଡ ଆମେ ସମସ୍ତେ ଗୋଟିଏ
ମା'ର ସନ୍ତାନ
ଜାତି,ଧର୍ମ ବାଛିବାନି ଆମେ ସଭିଏଁ କରିବା କରି ଏକ ମନ
ହିଂସାକୁ ନେବାନି ଆପଣାଇ ନିଜ ଭିତରେ କରିବାନି ଲଢେଇ
ପରସ୍ପର ସ୍ନେହ,ପ୍ରୀତି ,ଭାଇଚାରା ରଖି ଆଗକୁ ଯିବା ଆଗେଇ ।।
ଭୁଲିବା ନାହିଁ ଆମେ ପରସ୍ପର ମାନବ ଜାତିର ଏକଇ ସ୍ୱର
ଭିନ୍ନତା ନାହିଁ ରକ୍ତରେ ଆମ ସମସ୍ତଙ୍କ ଠାରେ ଅଛନ୍ତି ଈଶ୍ୱର ।।
****************
🔇ଭୁବନେଶ୍ୱର କୀର୍ତ୍ତି ରଚିଲା 🔇

ଆମ ରାଜଧାନୀ ମନ୍ଦିର ମାଳିନୀ
ସ୍ମାର୍ଟ୍ ସିଟି ଭୁବନେଶ୍ୱର
ହକି ଖେଳ ଆସି କଲା ହୋ ହାଲା
ଚାରି ଆଡେ଼ ଉତ୍ସବ ମୁଖର ।।
କାନ୍ଥ - ବାଡ଼ ସବୁ ଚିତ୍ରିତ ହୋଇଛି
ଶିଳ୍ପୀର ତୂଳୀରେ ଐତିହ୍ୟ ଆମ
କଳା ନିପୁଣତା ଫୁଟି ଦିଶୁଛି
ରଙ୍ଗମୟ ଏହି ସୁନ୍ଦର କାମ ।।
ଚକାଚକ୍ ଦିଶୁଛି ରାସ୍ତାଘାଟ
ଆଲୋକ ମାଳରେ ହୋଇଛି ସଜା
ଆଖି ଯାଏ ଲାଖି , ଦେଖିଲେ ସହର
ମନେ ଭରି ଦିଏ କେତେ ମଜା ।।
ଆସି ଥିଲେ କେତେ ଦେଶରୁ ଖେଳାଳୀ
ସ୍ଵାଗତ ପାଇଁ କା ଲାଗିଲା ଧାଡ଼ିଯେଉଁଠି ଦେଖିବ ଟ୍ରାଫିକ ଜାମ୍
ଗାଡି ମଟର ଧାଡ଼ିକି ଧାଡ଼ି ।।
ସଲମାନ୍,ଶାହାରୁକ୍ ସଚିନ ମାଧୁରୀ
ଆସି କହିଲେ କେତେ ମଧୁର ବାଣୀ
ଦେଖିବାକୁ ତାଙ୍କୁ ଭିଡ଼ ଜମିଲା
ସଭିଙ୍କର ହୃଦୟ ନେଲେ କିଣି ।।
ନାଚ ଓ ଗୀତର ଆସରର ପର୍ବ
ଦେଖି ମନେ କେତେ ରଚିଲା ପ୍ରୀତି
ରଙ୍ଗବତୀ ଗୀତ ମନେ ପକାଇଲା
ଅକ୍ଷୟ ମହାନ୍ତି ଅମର ଗୀତି ।।
ହକି ଖେଳ ଦେଖାଇଲା ନୂତନ ଦିଶା
ପ୍ରଶାସନର ନିଦ ହଜିଲା
ସାରା ବିଶ୍ବରେ ଆମ ରାଜଧାନୀ
ଭୁବନେଶ୍ୱର କୀର୍ତ୍ତି ରଚିଲା ।।
+++++++
🔃ବାକି ରହିଲା ଅଧୁରା ସ୍ବପ୍ନ🔃
ସ୍ୱାଧୀନ ଦେଶର ନାଗରିକ ଆମେ
ନାହିଁ ଆମ ପରି ଭାଷା
ଜାତିର ଜନକ ନାହାନ୍ତି ଯେ ଆଜି
ବୁଝିବାକୁ ଜନ ଭାଷା ।
ଅହିଂସା ପଥରେ ସଂଗ୍ରାମ କରିଣ
ଏକାକାର ରାତିଦିନ
ଇଂରେଜ ହାତରୁ ଛଡ଼ାଇ ଆଣିଲେ
ଦେଶ କରିଲେ ସ୍ୱାଧୀନ ।
କାନ୍ଦୁଥିଲା ପ୍ରାଣ ଜନ ହିତ ପାଇଁ
ସତ୍ୟ ନିଷ୍ଠା ଥିଲା ବ୍ରତ
ଦୀନ ଦୁଃଖୀ ଜନ ସେବା କରୁଥିଲେ
ଚାଲି ସେ ଅହିଂସା ପଥ
ଜାତିର ଜନକ ସ୍ବପ୍ନ ଦେଖୁଥିଲେ ।
କୁଟି ଖାଅ କାଟି ପିନ୍ଧ
ସେ ସବୁ ଆଜି ଯାଇଅଛି ହଜି
ରହିଲା ଅଧୁରା ବନ୍ଧ ।
ଗାନ୍ଧୀ ମାହାତ୍ମାଙ୍କ ସ୍ବପ୍ନର ପ୍ରାଚୀର ଭାଙ୍ଗି ଆଜି ଚୂରମାର
କେହି ନୁହେଁ ଏଠି ସୁରକ୍ଷିତ ଆଜି
ହୁଅନ୍ତି ଶୋଷଣ ଶିକାର ।
ବାଳୁତ ପିଲାଟି ପରଘରେ ଖଟି
କେତେ ମାଡ଼ ଗାଳି ଖାଏ
ପେଟ ଚାଖଣ୍ଡକ ପାଇଁ ଦିନ ରାତି
ଆଖିର ଲୁହ ସେ ପିଏ ।
ନିଜ ସ୍ୱାଧୀନ ରେ ବଞ୍ଚିବାକୁ ତାକୁ
ନଥାଏ ତା ପାଖେ ତର
ବହି ବସ୍ତାନି ଖେଳ କୁଦ ଛାଡି
ମୁଣ୍ଡ ବିକେ ପର ଘର ।
ସ୍ବପ୍ନ ଦେଖୁଥିଲେ ଗାନ୍ଧୀ ମହାତ୍ମା
ମନରେ ନଥିବ ଶଙ୍କା
ରାତ୍ର ଅର୍ଦ୍ଧରେ ନାରୀଟିଏ ଯେବେ
ଚାଲିବ ରାସ୍ତାରେ ଏକା ।
ଦିନ ଦ୍ିପହରରେ ବଳାତ୍କାର ହୁଏ
ନାରୀ ପାଏ ନିର୍ଯାତନା
ନାରୀ ଟିଏ ଆଜି ଭୟରେ ଅାତୁରା
ଚାଲିବାକୁ ଏକା ମନା ।
ଦେଶ ସ୍ବାଧୀନ ଆମେ ପରାଧୀନ
ନାହିଁ ଆମ ସ୍ଵାଧୀନତା
ଅନ୍ୟର ହାତରେ ବଳି ପଡୁ ଅଛି
କେତେ ନୀରିହ ଜନତା ।
ନାହାନ୍ତି ଆଜି ସେ ହୁଦୟ ମହାତ୍ମା
ସ୍ବପ୍ନ ତାଙ୍କ କେଣେ ଗଲା
ହିଂସା ତରବାରୀ ଧରିଛି ମଣିଷ
ମାନବିକତାର ମୃତ୍ୟୁ ହେଲା ।।
*"*****"""**""*"*"*
👥ଶାଶ୍ବତ ପ୍ରେମ👥
ପ୍ରେମ ନୁହେଁ ଖାଲି କାମନା ବାସନା
ଆକର୍ଷଣ ଶରୀରର ପ୍ରେମରେ ଥାଏ ସ୍ୱର୍ଗୀୟ ଭାବନାହୃଦୟର ସେ ଇଶ୍ଵର ।୧।
ପ୍ରେମ ନୁହେଁ ଖେଳ ଘର, ପ୍ରେମ ନୁହେଁ
ପିଲା ଖେଳ ବାଲି ଘର
ପ୍ରେମ ଦୁଇଟି ହୃଦୟ ମନ ଆତ୍ମା
ମିଳନର ଗନ୍ତାଘର ।୨ ।
ପ୍ରେମ ନୁହେଁ ଖାଲି ବଗିଚା ଗୋଲାପ
ତୋଳି ଆଣି ଫିଙ୍ଗି ଦେଵ
ପ୍ରେମ ନୁହେଁ ଖାଲି ଖେଳ ବାଲିଘର
ଗଢି ତାକୁ ଭାଙ୍ଗି ଦେଵ ।୩।
ପ୍ରେମର ବନ୍ଧନ ନୁହେଁ କେବଳ
ପ୍ରେମୀ ଯୁଗଳଙ୍କ ଭିତରେ
ପ୍ରେମର ଭାବନା କର ଐଶ୍ବରୀୟ
ପ୍ରତି ଜୀବ ଜଗତରେ ।୪।
ପ୍ରେମ ପରିଭାଷା ସିମୀତ ନୁହେଁ
ଦୁଇଟି ହୃଦୟ ମଧ୍ୟରେ
ପ୍ରେମ ବାଖ୍ୟା କରିବା ନୁହେଁ ସହଜ
କେବଳ ମଣିଷ ଠାରେ ।୫।
ପ୍ରେମ କର ବାପା,ମା' ଭାଇ ବନ୍ଧୁ
ଗଛଳତା ଜୀବଜନ୍ତୁ
ପ୍ରେମ କର ସଂସାରର ପ୍ରତ୍ୟେକଙ୍କୁ
ସବୁ ଆତ୍ମାର ଈଶ୍ୱରଙ୍କୁ ।୬।
ପ୍ରକୃତ ପ୍ରେମରେ ନ ଥାଏ ଛନ୍ଦ
କପଟ ମାୟା ଛଳନା
ଶାଶ୍ୱତ ପ୍ରେମ ତ ଆତ୍ମାର ମିଳନ
ତାହାର ନାହିଁ ତୁଳନା ।୭।
*********
🍸ଅମର ବୀର ସହିଦ୍🍸

ହେ' ନୃଶଂସ ମାନବ ଆତଙ୍କବାଦର ନିର୍ମମ ବର୍ବରତା କଠୋର ହୃଦୟ ତୁମ ବୁଝିଲାନି କାହା ହୃଦୟର ବ୍ୟଥା
କ୍ଷଣକେ ରଚି ଦେଲ ବୀର ଯବାନଙ୍କ ମୃତ୍ୟୁର ବିଭୀଷିକା
ଆତ୍ମୀୟଙ୍କ ମଥାରୁ ଛଡ଼ାଇ ନେଲ ସ୍ବପ୍ନ ସୁରଭିର ଟୀକା ।
ସ୍ତବ୍ଧ ହେଲା ବିଶ୍ଵ, ସଜଳ ଚକ୍ଷୁରୁ ବହିଲା ରକ୍ତର ଲୁହ
ହୃଦ ସ୍ପନ୍ଦନ ବଢ଼ିଗଲା,କୂଳ ଲଙ୍ଘିଗଲା ଅନ୍ତର କୋହ
ରକ୍ତ ରଞ୍ଜିତ ଯନ୍ତ୍ରଣାର ଲୁହରେ ଭିଜି ଗଲା ଧରଣୀ ମାତା
ନିରୀହଙ୍କ କରୁଣ ବିଳାପ ବୁକୁ ଚିରି ନିଗାଡ଼ିଲା ବାର୍ତ୍ତା
ଧନ୍ୟ ବୀର ଦେଶପାଇଁ ଲଢ ଜୀବନକୁ ଦେଇ ବଳିଦାନ
କୋଟି ଜନତାଙ୍କୁ ସୁରକ୍ଷା ଦେଇ ବନି ଯାଅ ତୁମେ ମହାନ
ଗୋଳା ବାରୁଦ ଓ କମାଣ ଶବ୍ଦରେ ହୁଅ ନାହିଁ ଭୟଭୀତ
ଶତ୍ରୁ ସହ ଲଢେଇ ପାଇଁ ଜାଗରିତ ସଦା ତୁମ ରକ୍ତ ।
ଡର ଭୟ ନାହିଁ ମୃତ୍ୟୁ ତୁମ ସଂକଳ୍ପିତ ଆତ୍ମାର ସ୍ୱର
ନିଜ ପ୍ରାଣକୁ ବଳି ପକାଇ ରକ୍ଷା କରିଵ ଦେଶ ମାଆର
ପିତାମାତାଙ୍କର ସୁଯୋଗ୍ୟ ସନ୍ତାନ ଦେଶ ତୁମ ପାଇଁ ଝୁରେ
ତୁମ ବଳିଦାନେ କୋଟି ଜନତାଙ୍କ ଆଖିରୁ ଲୋତକ ଝରେ ।
ବୀର ହାରେ ନାହିଁ କି' ମରେ ନାହିଁ ମରି ସୁଦ୍ଧା ଚିର ଅମର
ଜୀବନକୁ ତୁମ ଉତ୍ସର୍ଗ କରି ଇତିହାସ ରଚ ଦେଶର
ତୁମ ମହାନତା ଗୌରବର ଗାଥା ଆହେ ବୀର ଯବାନ
ମଥାନତ କରି ତୁମ ବୀରତ୍ଵକୁ କରୁଛି ଶତ ନମନ ।। ***********
🛃ଶବ୍ଦ ତୂଳୀ🛂

ଶବ୍ଦକୁ ଗୁନ୍ଥୂଛି କବି ତା' ଛନ୍ଦରେ
କେତେ ଶୋଭ।ମୟ କରୁଛି ସତେ
ନାନା ରକମର ଚିତ୍ରରେ ସଜେଇ
ଭରୁଛି ସେଥିରେ ରଙ୍ଗ ଯେ କେତେ ।।
ଲେଖନୀ କାଳିରେ ସାଧା କାଗଜରେ
ଆଙ୍କି ଦେଉଛି ସେ ଶବ୍ଦର ତୂଳୀରେ
ମନର କଥା ଓ ହୃଦୟ ର ବ୍ୟଥା
ପ୍ରକୃତି ରାଣୀର ସୌନ୍ଦର୍ଯ୍ୟ ଗାଥା ।।
ପ୍ରେମ ପ୍ରୀତି ସ୍ନେହ ମମତା ଡୋରି
ଦୁଃଖ ଯନ୍ତ୍ରଣା ର ଅକୁହା ଠାଣି
ସ୍ମୃତି , ଅନୁଭୂତି କେତେ କାହାଣୀ
ଭକ୍ତି ଭାବନା ର ରସମୟ ବାଣୀ ।।
ଅତୀତ ଓ ବର୍ତ୍ତମାନର ଘଟଣା
ଅନୁଭବ କଥା ପ୍ରଭୁଙ୍କ କରୁଣା
ଭଲ ମନ୍ଦ ବ୍ୟଙ୍ଗ ସମାଲୋଚନା
ସବୁ ଝାରୁଛି କବିର ଝରଣା ।।
ଏହି କବି ପରି କିଏ ସେ ହେବ
ଶବ୍ଦର ତୂଳୀକୁ ସଜାଇ ଥିବ
ସବୁକୁ ସାଉଁଟି ଧରି ଆଣିଵ
ରଂଗମୟ ଚିତ୍ର ଭରି ସେ ଦେଵ ।।
ବାଃ ବାଃ କେତେ ଖାଇବ ତାଳି
ଖୁସିରେ ଗୁନ୍ଥିବ ଶବ୍ଦର ମାଳି
ପାଉଣା ନ ପାଇ ପାଏନା ଦୁଃଖ
ଏତିକିରେ ପାଏ ଆନନ୍ଦ ସୁଖ ।।
*******
👂ମଧୁର ମୂର୍ଚ୍ଛନା👂
ବସନ୍ତର ଆଗମନେ
ଫଗୁ ହୁଏ ପୁଲକିତ
କୋଳାହଳେ ଗାଉଥାଏ
ସୁକୋମଳ ସୁସଙ୍ଗୀତ ।୧।
ମଧୁର ମୂର୍ଚ୍ଛନା ଗାଏ
କୋକିଳର କୁହୂ ସ୍ୱନ
ବଂଶୀର ସ୍ଵରରେ ଶୁଭେ
ବିରହିଣୀ ର।ଧ। ମନ ।୨।
ଫୁଲର ହସରେ ଝରେ
ମଧୁଝରା ପ୍ରେମ ଗୀତି
ଆକାଶରେ ଚାନ୍ଦ ହସେ
ନୀଳ କଇଁ କରେ ପ୍ରୀତି ।୩।
ଝରଣାର କୁଳୁକୁଳୁ
ମୁକ୍ତା ଝରା ମଧୁ ଜଳେ
ଭାସି ଆସେ ସଙ୍ଗୀତର
ସୁମଧର ତାଳ ତାଳେ ।୪।
କଳାକାହ୍ନୁ ଗାଅ ତୁମେ
ବଂଶୀର ରାଗିଣୀରେ
ମୋହିନୀଙ୍କ ମନ କିଣ
ସୁଳଳିତ ସଂଗୀତରେ ।୫।
ତୁମ ପ୍ରେମେ ମୁଁ ପାଗଳ
ଆହେ ମୋର ପ୍ରୀୟସଖା
ସତେ କଳାକାହ୍ନୁ ତୁମେ
ଥରେ ଦିଅନ୍ତନି ଦେଖା !!!!।୬
::::::::::::::::
😈ପ୍ରେମ ମନ୍ଦିର😈
ବସିଛେ ସଂସାର ନାବେ
ପବିତ୍ର ବନ୍ଧନେ ବାନ୍ଧି
ସୁଖ ଦୁଃଖ ସାଥି ଆମେ
ହସ୍ତ ମୋ ଧରିଛ ଛନ୍ଦି ।୧।
ମିଠା, ମିଠା କେତେ କଥାମନେ ଭରେ କେତେ ପ୍ରୀତି
ତୁମେ ଥିଲେ ସାଥେ ମୋର
ଗାଉଥିବା ମଧୁ ଗୀତି ।୨।
ସ୍ନେହେ ପ୍ରେମେ ମହକିବା
ହସି ହସି ଯିବା ନିତି
ମିଠା ସ୍ମୃତି ଭରେ ପ୍ରୀତି
ସ୍ମରୁ ଥିବା ଦିନ ରାତି ।୩।
କରିବନି କେବେ ପର
ଛାଡିବନି ହାତ ମୋର
ତୁମ ସାଥେ ତୋଳି ଅଛି
ପ୍ରେମ ସୁଖର ମନ୍ଦିର ।୪।
ସେହି ମନ୍ଦିର ର ରେ ବସି
ଗାଉଥିବା ପ୍ରେମ ଗୀତି
ପ୍ରଭୁ ଙ୍କର ଚରଣ ରେ
ରଖି ଥିବା ଆମେ ମତି।୫।
ଭୁଲିବାନି ପରସ୍ପର
ରଖିଥିବା ସ୍ନେହ ପ୍ରେମ
ଜୀବନର ତରଙ୍ଗରେ
କରୁଥିବା ସତକର୍ମ ।୬।
******
👄ଅଫେରନ୍ତା ସ୍ମୃତି👄
ସ୍ମୃତି ପାଲଟିଲା ଅଭୁଲା ସ୍ମୃତି
ସତେ କି! ଆସିବ ଫେରି ଯନ୍ତ୍ରଣାସିକ୍ତ ହୃଦୟରେ ମୁହିଁ
ସ୍ମୃତିକୁ ହେଉଛି ଝୁରି ।୧।
ମନର ବେଦନା ଝରାଉଛି ଲୁହ
ହ୍ରଦରୁ ନିଗାଡି ଧାର
ଅଫେରନ୍ତା ସ୍ମୃତି ଫେରି କି ଆସିବ
ତୋଳିବ ସ୍ୱପ୍ନର ଘର ।୨।
ନୀରବତା ସୂତ୍ର ଶିଖାଇଲା ମନ୍ତ୍ର
ଜଳିଲା ଯନ୍ତ୍ରଣା ବହ୍ନି
ସେହି ଵହ୍ନିରେ ଜଳି ଯାଉ ସବୁ
ଜୀବନର ଦୁଃଖ ଗ୍ଲାନି ।୩।
ମୋ ଆଖି ଲୋତକ ଝରା ବିନ୍ଦୁ ରେ
ଦୁନିଆ ଦେଖୁଚି ମୁହିଁସବୁ ଦୁଃଖ କଷ୍ଟ ଯନ୍ତ୍ରଣାର ସୁଅ
ବୋହି ହୋଇ ଯାଉ ନଈ ।।
ସେହି ନଈ ରେ ମୁଁ ପହଁରି ପହଁରି
କୂଳରେ ଲଗିବି ଯେବେ
ବେଦନା ସିକ୍ତ ଅଫେରନ୍ତା ସ୍ମୃତି
ଫେରିବନି ଆଉ କେବେ ।।
*********
*********
💀ସ୍ମୃତି💀
ଅଙ୍କା ବଙ୍କା ରାସ୍ତାଘାଟେ
ଜୀବନର ଚଲା ପଥେ
କେତେ ସ୍ମୃତି ଅନୁଭୂତି
ସାଉଁଟିଣ ଆସେ ସାଥେ ।୧।
କେତେ ତିକ୍ତ କେତେ ମଧୁ ସ୍ମୃତି ସବୁ ଫୁଟି ଦିଶେ
ଢଳଢଳ ସୁନୟନେ
ଜଳଜଳ ଭାସି ଆସେ ।୨।
ମନ ଝୁରେ ମଧୁ ସ୍ମୃତିତିକ୍ତ ସ୍ମୃତି ଲୁହ ଝରେ
ସ୍ଵପ୍ନ ପରି ଲାଗେ ସବୁ
ଚାଲିଯାଏ ବହୁଦୂରେ ।୩।
ସେହି ସ୍ମୃତି ଅନୁଭୂତି
ଜୀବନକୁ ଗଢି ନିଏ
ସେହି ତିକ୍ତ ମଧୁରରୁ
କେତେ କଥା ଶିଖି ହୁଏ ।।
********
🕦ହେ' ସମୟ🕦
ହେ' ସମୟ ,ତୁମେ କଣ ଭାବୁଛ ?
ମୋତେ ହରେଇ ଦେଇଛ !!!
ଶୁଣି ପାରୁଛି ତୁମ ଅଟ୍ଟହାସ୍ୟ ର ସ୍ବର
ତଥାପି ମୁଁ ଅଟକି ଯିବିନି
ଚାଲି ବାକୁ ବାକି ଅଛି
ପଥ ମୋର ବହୁଦୂର .....!!!
ତୁମେ ତ ଦିଗହରା ପକ୍ଷୀ
ମୁକ୍ତାକାଶେ ଉଡିଯାଅ ପଙ୍ଖ ଝାଡ଼ି
କେତେବେଳେ କେଉଁ ଦିଗେ
ଚାଲି ଯାଅ ମାଡି....
ତୁମ ଉପରେ ବା ଭରସା କଣ ?
ହେ' ସମୟ ତୁମେ ସିନା
ଏକଲୟେ ଚାଲିଯାଅ ତୁମ ବାଟେ ପଛକୁ ଚାହନା ଫେରି.....ହେଲେ , ତୁମ ସାଥେ ତାଳ ଦେଇ
ଉଡି ଉଡି ଯିବାକୁ ମୁଁ କରୁଛି ପ୍ରୟାସ
ଦେଖ ସମୟ ଦେଖ....
ତୁମେ ମୋତେ ଧରା ନ ଦେଲେ ବି
ତୁମକୁ ଧରିବି ମୁଁ କୌଶଳେ ଜାବୁଡ଼ି......।।
******
ଆକାଶର ସେହି......

ଆକାଶର ସେହି ବିଶାଳ ଛାତିରେ
ଜାଗା ମିଳନ୍ତା କି ବିନ୍ଦୁଟିଏ.....
ନିଘୋଡେ ଶୁଅନ୍ତି ତା'ରି କୋଳରେ ଭୁଲି ଯାଆନ୍ତି ମୁଁ ନିଜେ କିଏ ....!!
ସପନ ରାଇଜେ ତୋଳନ୍ତି ଘର
ହୋଇ ଯାଆନ୍ତି ମୁଁ ପରୀଟିଏ
ମାୟା ଠାରୁ ଦୂର ମୁକ୍ତ ଆକାଶରେ
ବସି ଆଙ୍କୁଥାନ୍ତି ଛବିଟିଏ ।।
ହୃଦୟର କୋହ ଆଖିର ଲୁହ
ସବୁ ଦିଅନ୍ତି ମୁଁ ମାରି
ସ୍ୱପ୍ନ ରାଇଜରେ ତୋଳନ୍ତି ଘର
ଆକାଶର ବୁକୁ ଚିରି ।।
ତାହାରି ବିଶାଳ ବୁକୁର ଛାଇରେ
ନିରୋଳାରେ ଯା' ନ୍ତି ଗଡି
ଏ ମାୟା ବନ୍ଧନ ଭଵ ସାଗର ରୁ
ପାରି ହୋଇଯାଆନ୍ତି ଶିଡି
*****
✉ମନ ସିନ୍ଦୁକରେ ସାଇତା ଚିଠି✉
ସାଇତା ଚିଠି ମୋ ହଜି ତ ଗଲାଣି
ଦେଖିବାକୁ ମିଳୁ ନାହିଁ
ମନର ଭାଷା ଓ ହୃଦୟର କଥା
ଲିପିବଦ୍ଧ ଥିଲା ଯହିଁ ।।
କେତେ ଦୁଃଖ ସୁଖ ଅଭିମାନ ଧରି
ଆସୁଥିଲା ଚିଠି ଘର
ଇଲୋକଟ୍ରୋନିକ୍ସ ଆଧୁନିକ ଯୁଗେ
ଚିଠି ହେଲା ସାତ ପର ।।
କେତେ ଚିଠି ପୁଣି ରଖିଛି ସାଇତି
ପୁରୁଣା ଦିନର ସ୍ମୃତି
ପଢିଲେ ହୁଏ ମୁଁ ଭାବ ବିହୋଳିତ
ମନେ ଜାଗେ କେତେ ପ୍ରୀତି ।।
ନୂଆବୋହୂ ସାଜି ଯାଇଥିଲି ଯେବେ
ବାପ ଘରୁ ବିଦା ହୋଇ
ବିଦେଶରେ ଥିବା ସ୍ୱାମୀଙ୍କ ପାଖକୁ
ଚିଠି ଲେଖୁଥିଲି ମୁହିଁ ।।
ମାନ ଅଭିମାନ ପ୍ରେମ ପ୍ରୀତି କଥା
ଲେଖୁଥିଲି ମନ ଭରି
ଚଠିର ଉତ୍ତର ପାଇବା ପାଇଁକି
ଚାହେଁ ମୁଁ ଚାତକପରି ।।
ଚିଠି ଆସିବ କି ଚାଉଳ ଦେଇକି
କାଉକୁ ପଚାରୁ ଥିଲି
ଡାକଵାଲା ଯେବେ ଚିଠି ଆଣୁଥିଲା
ଦେଖି ଖୁସି ହେଉ ଥିଲି ।।
ଚିଠି ପଢିବାକୁ ମନ ଛନ ଛନ
ସୁଵିଧା ସାଉଁଟୁ ଥିଲି
ତକିଆ ତଳେ ଲୁଚେଇକି ଚିଠି
ରାତ୍ର ଅର୍ଦ୍ଧେ ପଢ଼ୁଥିଲି ।।
ସେହି ଚିଠି ସବୁ ସାଇତି ରଖିଛି
ମନର ସିନ୍ଦୁକ ତଳେ
ମନହୁଏ ଯେବେ ପେଡ଼ି ଖୋଲି ବସେ
ସ୍ମୃତିର ପୁଲକ ମିଳେ ।।
*******
📩ଅବିସ୍ମରଣୀୟ ଚିଠି ଟିଏ📩
ଏବେ ଆସି ଏକ ଚିଠି ପହଁଚିଲା
ଦେଖି ହୋଇଲି ଚକିତ
ସାହିତ୍ୟର କଥା ପ୍ରଶଂସାର ଭାଷା ଶବ୍ଦର ଚାତୁରୀ ସେ' ତ ।
ମନରେ ଆନନ୍ଦ ଉଛୁଳି ଉଠିଲା
ଭାବିଲି ମୁଁ ବାରମ୍ବାର
ଆଊ କ'ଣ ଯେ ଲୋଡ଼ା ଅଛି ମୋର
ଏହି ମୋର ପୁରସ୍କାର ।
ଚିଠି ପ୍ରେରକଙ୍କ ପ୍ରଶଂସାର ବାକ୍ୟ
କିଣି ନେଲା ଏହି ମନ
ଲେଖନୀର ହେଲା ଜୟ ଜୟ କାର
ରଖିଲି ସଂକଳ୍ପ ଚିହ୍ନ ।
ଏହି ଚିଠି ମୋର ପ୍ରେରଣାର ଉତ୍ସ
ମନରେ ଭରିଲା ଶାନ୍ତି
ଜୀବନର ଶେଷ ଯାଏ ଗାଉଥିବି
ଶବ୍ଦ ଓ ଭାବର ଗୀତି ।।
**********
📤ସତରେ ଏ ଶବ୍ଦମାନେ ବଡ଼ ମନୁଆ📥
ସତରେ ଏ ଶବ୍ଦମାନେ ବଡ଼ ମନୁଆ
ମନ ହେଲେ ଫୁଲର ପାଖୁଡ଼ା ପରି
ବୃନ୍ତରୁ ଝରି ଆସନ୍ତି ଝରଝର
ବାସ ଚହଟାଇ ମହକାଇ ଦିଅନ୍ତି ଚାରିଆଡ
କେତେବଳେ ଝରଣାର ସ୍ରୋତ ପରି
ବହି ଯାଆନ୍ତି କଳ କଳ, ମୁକ୍ତା ପରି ଝଲସି ଉଠନ୍ତି
କରି ହୁଏନି ତା ମୂଲ୍ୟର ଆକଳନ ।
କେତେବେଳେ ଭସା ବାଦଲ ପରି
ଜୋର୍ ରେ ଆଗକୁ ମାଡ଼ି ଚାଲନ୍ତି
କେତେବେଳେ ଶୀତୁଆ ସଞ୍ଜରେ ତ
କେତେବଳେ ମୃଦୁ ମଳୟରେ
ଆଖି ବୁଝି ସ୍ତିର ଚିତ୍ତରେ ଶୋଇ ଯାଆନ୍ତି
ନା ତାକୁ ଜଗାଇ ହୁଏ,ନା ସାଥେ ଖେଳି ହୁଏ
ଶବ୍ଦ ମାନଙ୍କୁ ବାର ବାର ଜଗାଇବାକୁ ଚେଷ୍ଟା କରି
କବିଟିଏ ନିରବ ରୁହେ,
କଲମ କାଗଜ ରଖିଦେଇ
ଅନ୍ୟ କାମରେ ମନ ଦିଏ ।
ପୁଣି କେତେବେଳେ ଶବ୍ଦ ମାନେ ଚେଇଁ ଉଠି
ଚିରସ୍ରୋତା ସ୍ରୋତସିନୀ ପରି
ଆଗକୁ ଆଗ ମାଡି ଚାଲନ୍ତି
ଅଥଳ ସିନ୍ଧୁରେ ବିନ୍ଦୁଟିଏ ହୋଇ ଉଭା ହୁଅନ୍ତି ।।
****
✏ସ୍ରଷ୍ଟା କରେ ସୃଷ୍ଟି✏

ସ୍ରଷ୍ଟା କରେ ସୃଷ୍ଟି ନିଜସ୍ଵ ଭଙ୍ଗୀରେ
ସାହିତ୍ୟ କଳା ସଂସ୍କୃତି ସଙ୍ଗୀତ
କେତେ ରକମର କଳାର ଚାତୁରେ
ଆଙ୍କି ଦିଏ ନିଜସ୍ଵ ଭାବରୁ ଚିତ୍ର ।
ଯେତେବେଳେ ସ୍ରଷ୍ଟା କରିଥାଏ ସୃଷ୍ଟି
ଭାବନା ଜାଗେ କେତେ ମନରେ
ସେହି ଭାବନାକୁ ସେ ଆଙ୍କି ଦେଇଥାଏ
ତା କଳା ଯ।ଦୁର ରୂପ ଶୈଳୀରେ ।
ଲେଖନୀରେ ହେଉ ବା ତୂଳୀରେ ହେଉ
ସ୍ଵର ତାଳ ହେଉ ବା ନୃତ୍ୟରେ
ଫୁଟାଇବାକୁ ସେ ଚେଷ୍ଟା କରିଥାଏ
ସୁନ୍ଦର କରି ପ୍ରାଞ୍ଜଳ ଭାବରେ ।
ଯେତେବେଳେ ସୃଷ୍ଟି ହୁଏ ତରଙ୍ଗାୟିତ
ଜନ ମାନସର ସମ୍ମୁଖରେ
ସେହି ଜନତା ହିଁ ପରଖି ବସନ୍ତି
କେତେ ଚୁଇଁଚି କାହା ହୃଦୟରେ ।
ହୃଦୟ କୁ ଯଦି ପାରିଲା ସେ ଛୁଇଁ
ସ୍ରଷ୍ଟା ପାଇ ଯାଏ ତାର ସ୍ଵୀକୃତି
ଆହୁରି ଆଗକୁ ବଢ଼ି ଚାଲିବାକୁ
ସଦା ନେଇ ଚାଲେ ମନେ ନିଷ୍ପତ୍ତି ।
*********
📦ସାଇତା ସ୍ମୃତି📦
ଅତୀତର ପେଡି ଭିତରେ
କେତେ ସାଇତା ସ୍ମୃତି
କେତେ ତିକ୍ତ କେତେ ମଧୁ
ଜକ ଜକ ଦିଶେ ନିତି ।ସେହି ପେଡ଼ି ଖୋଲି ଦେଲେ
ମନେ କେତେ ଖୁସି ଭରେ
ସେହି ପେଡ଼ି ଖୋଲି ଦେଲେ
ଆଖିରୁ ଲୋତକ ଝରେ ।
ଲଟପଟ ହେଉଥାଏ
ସଦା ମନ ଆଇନାରେ
ପରସ୍ତ ପରସ୍ତ ଦାଗ
ଦିଶେ ହୃଦୟ କୋଣରେ ।
ସବୁ ମରୁ ମରିଚିକା
ପାଏ ନାହିଁ ହାତ କାତ
ଛୁଇଁ ହୁଏ ନାହିଁ ତାକୁ
ଗଲାଣି ଦୂର ଦିଗନ୍ତ ।।
ଅଲିଭା ସ୍ମୃତି

ସ୍ମୃତି କେବେ ମରେ ନାହିଁ
ସ୍ମୃତିର ମୃତ୍ୟୁ ନାହିଁ
ସ୍ମୃତି ସର୍ବଦା ଜୀବିତ
ବର୍ତ୍ତମାନ ଓ ଅତୀତ ।
ଆଖି ଡୋଳେ ସ୍ମୃତି ଝୁରେ
ଆନମନା କରେ ମନ
ଫେରି ଆସନ୍ତା କି ସେଦିନ
ମଧୁ ବୋଳା ମିଠା ଦିନ ।
ସବୁ ମଧୁଭରା ସ୍ମୃତି
ଗାଇ ଥାଏ ପ୍ରେମ ଗୀତି
ଦୁଃଖ ଭରା ସବୁ ସ୍ମୃତି
ବୁହାଏ ଲୋତକ ତାତି ।
କେତେବେଳେ ମନ ଝୁରେ
ଦୁଃଖ ସୁଖ ସବୁ ସ୍ମୃତି
ମନେ ଭରେ ହସ କାନ୍ଦ
ହୃଦେ ରହେ ସାଇତି ।
ସ୍ମୃତି କେବେ ମରେ ନାହିଁ
ସ୍ମୃତି ର ତ ମୃତ୍ୟୁ ନାହିଁ ।।
ମିଠା ସ୍ମୃତି
ମିଠା ମିଠା ସ୍ମୃତି ସବୁ
ଝୁରେ ମନ ନିତି ନିତି
ଫୁଲର ପାଖୁଡା ମେଲି
ଗାଉ ଥାଏ ପ୍ରେମ ଗୀତି ।
ମନ କରେ ଆନମନା
ତୋଳି ଧରେ ସ୍ନେହ ପ୍ରେମ
ଆଖି ଡୋଳେ ନାଚି ଯାଏ
ବିତି ଥିବା ଦିନ ଆମ ।
ସ୍ମୃତି ର ପାଖୁଡା ମେଲି
ଚାଲୁ ଥିବା ପଥ ଆମେ
ମନ କରି ଉଲସିତ
ବଞ୍ଚୁ ଥିବା ଦିନ ଆମେ ।
ସ୍ମୃତିରେ ମହକୁ ଥିବା
ହସି ହସି ଦିନ ବିତି
ମିଠା ସ୍ମୃତି ଭରେ ପ୍ରୀତି
ସ୍ମରୁଥିବା ଦିନରାତି ।।
ସ୍ମୃତିର ମନ୍ଦିର
ମିଠା ମିଠା କେତେ ସ୍ମୃତି
ମନେ ଭରେ କେତେ ପ୍ରୀତି
ତୁମେ ଥିଲେ ସାଥେ ମୋର
ଗାଉଥିବି ମଧୁ ଗୀତି ।
କରିବନି କେବେ ପର
ଛାଡିବନି ହାତ ମୋର
ତୁମ ସାଥେ ତୋଳି ଅଛି
ସ୍ବପ୍ନ ସୁଖର ମନ୍ଦିର ।
ସେହି ମନ୍ଦିର ରେ ବସି
ଗାଉ ଥିବା ପ୍ରେମ ଗୀତି
ପ୍ରଭୁ ଙ୍କର ଚରଣ ରେ
ରଖି ଥିବା ଆମେ ମତି ।
ଭୁଲିବାନି ପରଷ୍ପର
ରଖି ଥିବା ସ୍ନେହ ପ୍ରେମ
ଜୀବନର ତରଙ୍ଗରେ
କରୁଥିବା ସତକର୍ମ ।।
******
















ଯେତିକି ପଢ଼ିଲି ମନ ମୋହିନେଲା
ReplyDelete