📶 ସ୍ମୃତିର ସହର 📶



     ଉତ୍ସର୍ଗ 
ଅନ୍ତରର ସବୁ ମମତାର ବାସ୍ନା
ବିଞ୍ଚୁଥିଲୁ ହସିହସି
ଦୂର ଆକାଶର ତାରାଟିଏ ହୋଇ
ନିରବରେ ଗଲୁ ବସି ।
ବୋଉ ଲୋ,
ତୋର ଅବର୍ତ୍ତମାନରେ
ମନକୁ ବୁଝେଇ ହେଉ ନଥିବା
ନିଃସଙ୍ଗ ବେଳାରେ ମୋର
ଏ ବହି "ସ୍ମୃତିର ସହର"
ତୋ'ରି ଉଦ୍ଦେଶ୍ୟରେ....
  ତୋ'ର ଆଦରର ପୁଅ


   💓ସ୍ମୃତିର ସହର, ଏକ ମିତ୍ରଦୃଷ୍ଟି💓
    ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ (କବି ଓ ସମାଲୋଚକ)


                            କ୍ଲାନ୍ତ ଆଖିପତା ତଳେ ଘନେଇ ଆସୁଥିବା ନିଦ ଠାରୁ ବେଶି ଅନ୍ତରଙ୍ଗ ହେଉଛି ଅକ୍ଲାନ୍ତ ଜୀବନ ଯାତ୍ରାରେ ସାଉଁଟି ଥିବା ସ୍ମୃତି ସବୁ । ସେ ସ୍ମୃତିକୁ ବିଷାଦ ,ବ୍ୟଥା, ବିବଶତା ଓ ବିସ୍ମୃତିର ଖାତ ଭିତରୁ ଉଦ୍ଧାର କରିବା ପାଇଁ ଲୋଡ଼ା କବିତା ଖାତାଟିଏ ଏବଂ ସେଇ ଖାତାର ଖତିୟାନରେ କବି ହିଁ ଜୀର୍ଣ୍ଣ  ସମୟରେ ବେଦନାର ବର୍ଣ୍ଣମାଳାରେ ଅନୁଲିପିତ ଗୋଟିଏ କ୍ଷତାକତ୍  କ୍ଷୁର୍ଣ୍ଣବୋଧ। କଲମ ବି ମଲମ ପାଲଟି ଯାଏ, କଲମର ଟଙ୍କାରକୁ ବାସ୍ ଆଙ୍ଗୁଠିିଏ  ଟିପ ଭିତରେ ଧରି ରଖିବାର ଟାଣ ପଣରେ । ଏହି ପୃଷ୍ଠଭୂମିରେ  ଇ-ପ୍ରକାଶନୀ, ଉଦୟଭାନୁ ଆନୁକୂଲ୍ୟରେ ବିଶ୍ୱର ସବୁ  ଓଡ଼ିଆ ପାଠକଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଥିବା ଆମ ସମୟର ଜଣେ ସତ୍ୟଶୀଳ ତଥା ପ୍ରାଜ୍ଞଚେତନାର ବାର୍ତ୍ତାବହ ଭାବରେ ସୁପରିଚିତ କବି ଶ୍ରୀଯୁକ୍ତ କଣ୍ଡୁରୀ ଚରଣ ରାଉତଙ୍କର ' ସ୍ମୃତିର ସହର' ପାଣ୍ଡୁଲିପି ପାଠ କରି ଚମତ୍କୃତ ହେଲି । ରୋମାଣ୍ଟିସିଜିମ୍‌ର ଆଧାରରେ ବିରଚିତ କବିଙ୍କର  କବିତା ଗୁଡ଼ିକ ମୂଳତଃ ସାଇରୀଧର୍ମୀ । କାନ୍ତ ଓ କୋମଳ ପଦଛନ୍ଦର ସମାବେଶରେ କବିତା ଗୁଡ଼ିକ  ସୁବୋଧ ଏବଂ ସୁଖପାଠ୍ୟ  । ଉଦାସ ଜହ୍ନରାତି ଠାରୁ , ଉଦୁଉଦିଆ ଶୂନ୍‌ଶାନ୍‌ ଖରାବେଳ ସବୁକିଛି କବିଙ୍କ ଠାରେ ସ୍ମୃତିମୟ । ସ୍ମୃତିକୁ ନେଇ ଏଇ ସଂକଳନରେ କବିଙ୍କର ଦ୍ବୈତଯାତ୍ରା ତାଙ୍କର ପ୍ରିୟ ପାଠକଙ୍କୁ ଦୁଇ ପ୍ରକାର ସ୍ୱାଦ ପ୍ରଦାନ କରିବ । କବି ଚେତନା କେତେବେଳେ ଅତୀତରେ ବିତାଇ  ଥିବା ସହରର ନାମହୀନ ସରୁଗଳିରେ  ଖୋଜିଛି ତା'ର ସ୍ମୃତିଗନ୍ଧାକୁ, ପୁଣି କେତେବେଳେ ଗାଆଁ ଆକାଶରେ  ଭସା ବାଦଲ୍, ତରଙ୍ଗାୟିତ ପବନ, ନିଛାଟିଆ ନଈ ପଠାରେ ଖୋଜି ବସିଛି ତା'ର  ଅବୋଧ  ଶୈଶବ ଏବଂ ସ୍ବପ୍ନ ପ୍ରବଣ କିଶୋରାବସ୍ଥାକୁ । ସାମଗ୍ରିକ ଭାବରେ ବିଚାର କଲେ ଶ୍ରୀଯୁକ୍ତ  ରାଉତଙ୍କର କାବ୍ୟ କଳାର ଚାତୁରୀ ଏବଂ କାରିଗରୀ ଅପେକ୍ଷା ଅଭିମାନୀ ହୃଦୟର ନିଷ୍କପଟ  ଅଭିବ୍ୟକ୍ତି ଗୁଡ଼ିକ ବେଶୀ ମୂଲ୍ୟବାନ । ହତାଶ, ବିଷାଦ, ଏବଂ ନିଃସଙ୍ଗତା  ହିଁ ଜଣେ ଦରଦୀ କବିର ସମ୍ପଦ । ସେଇ ଦରଦୀପଣ ଏବଂ ଭାବ ସମ୍ପଦକୁ କାବ୍ୟ ସମ୍ପଦରେ ରୂପାନ୍ତରିତ କରିବାର ସାଧନା ଜାରି ରଖିଥିବା ଶ୍ରୀଯୁକ୍ତ ରାଉତ ପାଠକୀୟ ଶ୍ରଦ୍ଧା  ସ୍ବୀକୃତି ଲାଭକରି' ସ୍ମୃତିର ସହରରେ' ପାଦ ଥାପି ପୁଣି ଫେରି ଯାଉ ଯାଉ ପାଠକୀୟ ସ୍ମୃତିରେ ଚିରଦିନ ବସା ବାନ୍ଧି ରହି ଯାଆନ୍ତୁ ଏତିକି କାମନା ।ଶୁଭେଚ୍ଛା ଓ ଧନ୍ୟବାଦ।


ମାନବସମ୍ବଳ ପରିଚାଳନା ବିଭାଗ ମୁଖ୍ଯ,
ଆର୍‌ ଜେ କଲେଜ୍‌ ଅଫ୍‌ ମ୍ଯାନେଜ୍‌ମେଣ୍ଟ୍‌ ଷ୍ଟଡ଼ିଜ୍‌,
ଚାନ୍ଦିପୁର ରୋଡ଼୍‌, ବାଲେଶ୍ବର 

ମୋ- ୯୪୩୭୮୩୪୯୬୪


✉ଅଭିମତ✉
 ଅଧ୍ଯାପକ ରମେଶ ଜେନା


                                   ଉଦୀୟମାନ ଯୁବ କବି ଶ୍ରୀଯୁକ୍ତ କଣ୍ଡୁରୀ ଚରଣ ରାଉତଙ୍କ ଲିଖିତ କବିତା ପୁସ୍ତକ"ସ୍ମୃତିର ସହର" ଅଧ୍ୟୟନ କରିବାକୁ ଗଲାବେଳେ ଅନୁଭୂତ ହେଲା ସତରେ ଏକ ଭାବରାଜ୍ୟ ସହରରେ  କେଉଁ ଏକ ଗଳିରେ ମୁଁ ଯେମିତି ଆଗକୁ ଆଗକୁ ମାଡି ଚାଲିଛି ଓ ଫେରିବାର ବାଟ ଭୁଲି ଗଲି । ବିରହୀ ପ୍ରାଣର ପୁଞ୍ଜିଗତ ଦଗ୍ଧ ବେଦନାକୁ ଜୀବନ୍ତ ଭାବେ ରୁଦ୍ଧିମନ୍ତ, ରୁଚିମୟ ଶବ୍ଦ ସଂଯୋଜନାରେ ଭାବପ୍ରବଣତାକୁ ପରିପ୍ରକାଶ ଖୁବ୍ ମର୍ମସ୍ପର୍ଶୀ ଓ ଉଚ୍ଚକୋଟିର ।

                        ସମୟର ପରିବର୍ତ୍ତନରେ ଯୁଗର ବିବର୍ତ୍ତନକୁ ଲକ୍ଷ୍ୟ କଲେ ଚିନ୍ତା ଚେତନାର ବିକାଶ କ୍ଷେତ୍ରରେ ନୂତନ ଦିଗନ୍ତର ଅବତାରଣା କବିତା ସ୍ୱରୂପରେ ହୃଦୟଛୁଆଁ ହୋଇଛି । ଗତାନୁଗତିକ ଜ୍ଞାନଭିତ୍ତିକ ସୃଷ୍ଟିରୁ ଭିନ୍ନ ପ୍ରକାରଭେଦରେ ଭାବର ପୁନରୁଦ୍ଧାର ଖୁବ୍ ଭଲ ଲାଗିଲା । ଏହି ଶୁଭାବସରରେ ତାଙ୍କର ପୁସ୍ତକ ପାଠକ ମାନଙ୍କ ଆଦୃତି ଲାଭ କରିବ ଏହି ବିଶ୍ୱାସ ପ୍ରତୀୟମାନ ହୁଏ । ନୂତନ ପୁସ୍ତକ "ସ୍ମୃତିର ସହର"ର ଶଙ୍ଖ ଧ୍ୱନି ନିନାଦିତ ହେଉ ,ଏହା ହିଁ ମୋର ଶୁଭକାମନା ।   
          👓କବି ଓ କବିତା ସଙ୍କଳନ ସମ୍ପର୍କରେ👓
                              ଭବାନୀ ଚରଣ ମିଶ୍ର  

        କବି ଶ୍ରୀଯୁକ୍ତ କଣ୍ତୁରୀ ଚରଣ ରାଉତ.. କିଏ..??? ସେ ନିଜେ ହିଁ ବୋଧେ ଏଇ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପାରନ୍ତି । ମୋ ମତରେ ଅନ୍ୟ ମାନଙ୍କ ଅଭିମତରେ ସାରଙ୍କ  ପରିଚୟ ଅସ୍ପଷ୍ଟ । ସେ କବିତାର ଜଣେ ଯାଦୁକର ତାଙ୍କ ଝୁଲାମୁଣିରେ ବର୍ଷା,ବୈଶାଖ, ବସନ୍ତର ସାତ ରଙ୍ଗରୁ ବିରହର ଯନ୍ତ୍ରଣା ଜୁଈର ଅନ୍ଧାର ପର୍ଯ୍ୟନ୍ତ ସବୁ କିଛି ଗଚ୍ଛିତ ହେଇ ରହିଛି..।


              କେବେ ସିଏ ନିଃସ୍ବ ଆଖିର ଲୋତକ ହେଇ ଝରି ପଡନ୍ତି ତ କେବେ ଫୁଟି ଉଠନ୍ତି ନିଷ୍ପାପ ଶିଶୁ ଓଠର କଅଁଳ ହସରେ..। କେବେ ପାରିଜାତ ପ୍ରେମର ସପ୍ତମ ଋତୁ ହେଇ ମହକି ଉଠନ୍ତି ତ କେବେ ବିରହର ଡହଡହ ମରୁରେ ସୁର ଶବ୍ଦର କରୁଣ ରାଗ ତୋଳି କଣ୍ଟକ ବୃକ୍ଷ ଭଳି କ୍ଷୀଣ ଜହ୍ନ ଆଲୁଅରେ ନିଶ୍ପୁପ୍ ଦଣ୍ତାୟ ମାନ ହେଇଥାନ୍ତି , ସମୟ ଆଗରୁ ସମୟ ସରିବା  ଯାଏଁ..। କେବେ ଜୀବନର ଜଳଛବି ଛଳଛଳ ହେଇ ଜୀବନ୍ୟାସ ପାଏ ତାଙ୍କ କବିତାରେ ତ କେବେ ଜୀବନ ଯନ୍ତ୍ରଣା ଜୁଇରେ ଅହରହ ଦହସିତ ହେଉଥାଏ ଅଜଣା ଚରିତ୍ରଟିଏ..। ତାଙ୍କ କବିତାରେ ନୂଆ କନିଆର ମତୁଆଲା ମନରେ ଲାଜ ଓ ହସର ନନ୍ଦନବନ ଯେତିକି ଶୋଭାପାଏ, ମନମୁଗ୍ଧକର  ସଦ୍ୟ ବିଧବାର କାରୁଣ୍ୟତା ସେତିକି ଜଡତା ସୃଷ୍ଟି କରେ ମନ ତଳେ..। କେବେ ସାମାଜିକ ସମସ୍ୟାମାନ ବସ୍ତାନି ଖୋଲି ଚିରାଚରିତ ଢଙ୍ଗରେ ଘୋଷି ଚାଲିଥାନ୍ତି ସେମାନଙ୍କ ଅବ୍ୟକ୍ତ ଇତିବୃତ୍ତ ତ କେବେ ଅପଚରା ବୃଦ୍ଧ ପିତାମାତା ପିଇ ବସିଥାନ୍ତି ଜନ୍ମ ଜନ୍ମାନ୍ତର ର ଅଶ୍ରୁ..।

      କେବେ ମନ ତଳେ ଅସୁମାରି ଆଶାର ଲହଡି ସବୁ ମୁଣ୍ତ ପିଟୁଥାନ୍ତି  କବିତାର ବେଳାଭୁମିରେ ତ କେବେ ସାମାଜିକ ସମସ୍ୟାରେ ଭାରାକ୍ରାନ୍ତ ବେଦନା ସମୂହର ଧୂସର ରଙ୍ଗରେ ରଙ୍ଗାୟିତ ବେଦନାର ପାଣ୍ତୁଲିପି..।

          ହେ..ମହାନ୍ ସ୍ରଷ୍ଟା.. ଆପଣଙ୍କ ବଳିଷ୍ଠ ବ୍ୟକ୍ତିତ୍ବ, ବନ୍ଧୁ ବତ୍ସଳତା, ସାଧନା, ଭାଷା ସାହିତ୍ୟର ନିପୁଣତା ଆଗରେ ସଶ୍ରଦ୍ଧ ମଥାନତ କରୁଛି..ହେ ମୋର ପ୍ରିୟ ବନ୍ଧୁ..ଶ୍ରୀଯୁକ୍ତ କଣ୍ତୁରି ଚରଣ ରାଉତ ଯାହାଙ୍କୁ ବନ୍ଧୁବୋଲି ପରିଚୟ ଦେଇ ଆମେମାନେ ନିଜକୁ ମହାନ ବୋଲି ଉପଲବ୍ଧି କରୁଛୁ  ।ଶତକୋଟି ପ୍ରଣାମ୍ ଆପଣଙ୍କୁ..ଏବଂ ଆପଣଙ୍କ କବିତ୍ବକୁ..।ସଦା ଆପଣଙ୍କ ଯଶ କାମନା କରୁଛୁ..।
ନମସ୍କାର.. : ଜୟ ଜଗନ୍ନାଥ :
ମୋହନା (ଗଜପତି)
ଫୋନ.୯୪୩୮୧୮୭୭୩୯.

           

💚ନିଜ କଥା💚



                    ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଗାଁ ଭୂଇଁର ମଣିଷଟିଏ ମୁଁ । ଦୁଃଖ ଦୈନ୍ୟର କର୍ତ୍ତବ୍ୟବୋଧରେ ନିଷ୍ଠୁର ବାସ୍ତବତାକୁ ସାମନା କରୁ କରୁ ଯନ୍ତ୍ରଣାକ୍ଳିଷ୍ଟ ଜୀବନର ଅସ୍ଥିରତାକୁ କେତେବେଳେ କଲମ ମୁନରେ ରୂପ ଦେଇଛି ନିଜେ ବି ଜାଣେନା ।

                                  ଜୀବନର ତିକ୍ତ  ମଧୁର ଅନୁଭୂତି ସବୁ ବିଞ୍ଚି ହୋଇ ପଡିଛି ଗାଁରୁ  ସହର ଯାଏଁ । ଅଧୁନା ସହରର ଚାକଚକ୍ୟ କୋଳାହଳ ଭିତରେ ହଜିଯାଏ ଗାଁର ଶାନ୍ତ ସରଳ ସବୁଜିମା । ତଥାପି ପଲ୍ଲୀ ମାଟିର ସ୍ମୃତି ବିଜଡିତ ବାଲ୍ୟ, କୈଶୋର, ଗ୍ରାମ୍ୟ ଜୀବନର ମଧୁରିମା ପ୍ରତି ମୁହୂର୍ତ୍ତରେ ମନକୁ ମୋର ଉଚ୍ଚାଟ କରେ । ଜୀବନାନୁରାଗର ସକଳ ଆବେଗିକ ସ୍ପନ୍ଦନ ଝରିପଡେ ବିରହ ଛଳରେ । ସେଇ ସ୍ମୃତିର ଗନ୍ତାଘରୁ ଜୀବନାନୁଭୂତି ସାଉଁଟି ଆପଣ ମାନଙ୍କ ହାତକୁ ଟେକି ଦେଉଛି   ମୋ ଦ୍ବିତୀୟ କବିତା ସଂକଳନ "ସ୍ମୃତିର ସହର"।   
      ସ୍ନେହାଭିଳାଷୀ
      "କଣ୍ଡୁରୀ"
💖କୃତଜ୍ଞତା💖


                  ସମ୍ପ୍ରତି ଓଡ଼ିଆ ଭାଷା ସାହିତ୍ୟର ଜଣେ ଆଗଧାଡ଼ିର ସମାଲୋଚକ, ସମୀକ୍ଷକ ତଥା କବି ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ ମୋର ଅନୁରୋଧ ରକ୍ଷା କରି ଅତ୍ୟନ୍ତ ଆଗ୍ରହର ସହିତ ପୁସ୍ତକ ସମ୍ପର୍କରେ ଅଗ୍ରଲେଖ ଲେଖି ଦେଇ ଥିବାରୁ ତାଙ୍କ ନିକଟରେ ମୁଁ ଚିର କୃତଜ୍ଞ । ବିଶିଷ୍ଟ କବି  ଅଧ୍ୟାପକ ଶ୍ରୀ ରମେଶ ଜେନା ଅଭିମତଟିଏ ଲେଖି ମୋତେ ପ୍ରେରଣା ଦେଇଥିବାରୁ ତାଙ୍କୁ ସଭକ୍ତି ପ୍ରଣାମ ଜଣାଉଛି। କବି ବନ୍ଧୁ ଭବାନୀ ଚରଣ ମିଶ୍ରଙ୍କ ସୁଚିନ୍ତିତ ଓ ପ୍ରେରଣାଦାୟୀ ଅଭିମତ ପାଇଁ ତାଙ୍କୁ ମଧ୍ୟ ଗଭୀର କୃତଜ୍ଞତା ଜଣାଉଛି । ଏହାବ୍ୟତୀତ ଭାଇ ମାଧବାନନ୍ଦ ଭୋଇ, ଭାଇ ଶିବ ପ୍ରସାଦ ବାହିନୀପତି, ଉଦୟଭାନୁ ପରିବାର, ମୋର ପ୍ରିୟ ପାଠକ - ପାଠିକା ,ଶୁଭେଚ୍ଛୁ ଓ ଆତ୍ମୀୟସ୍ବଜନ, ଯେଉଁମାନଙ୍କର ପ୍ରତ୍ୟକ୍ଷ ବା ପରୋକ୍ଷ ସହାନୁଭୂତି ଓ ପ୍ରେରଣା ମୋତେ ଆଉ ଏକ କବିତା ସଙ୍କଳନ କରିବାରେ ସହାୟକ ହୋଇଛନ୍ତି, ସମସ୍ତଙ୍କୁ ମୋର ଗଭୀର କୃତଜ୍ଞତା ଜ୍ଞାପନ କରୁଛି।


                            ଶେଷରେ ପରମ ଶ୍ରଦ୍ଧେୟା କବୟିତ୍ରୀ ମନୋରମା ହାତୀକୁ ଧନ୍ୟବାଦ ନ ଦେଲେ ତା' ପ୍ରତି ଅନ୍ୟାୟ ହେବ । ତା'ର କଠୋର ପରିଶ୍ରମ  ମୋର ଲିଖିତ ସମସ୍ତ କବିତା ଗୁଡିକ ଏକତ୍ର ସଂକଳିତ କରିବାରେ ଯଥେଷ୍ଟ ସହାୟକ ହୋଇଛି । ଭଗବାନ ତା'ର ମଙ୍ଗଳ  କରନ୍ତୁ
         
📠ସୂଚୀପତ୍ର📠

୧-  ଏ ଜୀବନ ଯାଉ ସରି
୨-  ସ୍ମୃତିର ସହର-୧
୩-  ସ୍ମୃତିର ସହର-୨
୪-  ସ୍ମୃତିର ସହର-୩
୫-  ସ୍ମୃତିର ସହର-୪
୬-  ସ୍ମୃତିର ସହର-୫
୭-  ସ୍ମୃତିର ସହର-୬
୮-  ସ୍ମୃତିର ସହର-୭
୯-  ସ୍ମୃତିର ସହର-୮
୧୦-ବଦଳିଛି ମୋର ଗାଁ
୧୧-ସ୍ମୃତିର ସହର-୯
୧୨-ସ୍ମୃତିର ସହର-୧୦
୧୩-ହଜିଲା ଗାଁ
୧୪-ଗାଁ ସ୍ମୃତି
୧୫-ଗାଁ ସୁଖ
୧୬-ପଲ୍ଲୀ ଜୀବନ
୧୭-ସ୍ମୃତିର ଆଇନାରେ
୧୮-ତୁମ ପାଇଁ
୧୯-ପିଲା ଦିନ
୨୦-ସ୍ମୃତି
୨୧-ଅଫେରା ଫଗୁଣ
୨୨-ପାରୁନି ମୁଁ    ଭୁଲି ସାଥୀ
୨୩-ପ୍ରିୟା ଥିଲେ ପାଶେ
୨୪-ତୁମ ବିନା
୨୫-ଜୀବନ
୨୬-ପ୍ରୀତିର ଗଜଲ
୨୭-ନିଃସଙ୍ଗ ଜୀବନ
୨୮-ତଥାପି ପାଉଛି ଭଲ
୨୯-ସଂପର୍କର ମାନସାଙ୍କ
୩୦-ଘାତ ଚନ୍ଦ୍ର
୩୧-ଫଗୁଣ
୩୨-ଭୁଲ୍ ବୁଝିବନି
୩୩-କ୍ଲାନ୍ତ ଗୋଧୂଳି
୩୪-ତୁମେ
୩୫-କେତେ ଦିନ
୩୬-ମନେ ନାହିଁ
୩୭-ନୀଳ ସ୍ବପ୍ନର ତୃଷ୍ଣା
୩୮-ତମେ ଗଲା ପରେ
୩୯-ଦୁଃଖ ନଦୀ ତୀରେ
୪୦-ଆଉ ଥରେ ଫେରିବକି ପ୍ରିୟା
           

💧ଏ ଜୀବନ ଯାଉ ସରି 💧
       



ଭକତଙ୍କ ଦୁଃଖ     ଦେଖି କଳାମୁଖ
         ଦରଶନ ଦେବା ପାଇଁ
ବରଷକେ ଥରେ     ଶରଧା ବାଲିରେ
          ଆସୁଅଛ ପ୍ରଭୁ ଧାଇଁ ।
ଦେଇ ମନମୀନ     ଡାକେ ଦୀନହୀନ
      ମୋ ଡାକ କି ଶୁଭୁ ନାହିଁ
ରତନ ବେଦୀରେ     ବସିଛ ଖୁସିରେ
         ଷାଠିଏ ପଉଟି ଖାଇ ।
ସଖା ସହୋଦର     କରି ଦେଲେ ପର
      ହେଲି ନାହିଁ ବୋଲି ଲୋଡା
ତୁମେ ଯଦି ପର      କରିବ ଠାକୁର
     ମୋ କପାଳ ହେବ ପୋଡା ।
ଅଗତିର ଗତି      କରୁଛି ମିନତି
        ତୁମରି ନାମକୁ ଧରି
ତୁମ ଶ୍ରୀ ଛାମୁରେ      ସରଗ ଦୁଆରେ
         ଏ ଜୀବନ ଯାଉ ସରି ।

🌛ସ୍ମୃତିର ସହର-୧🌜

ସେଦିନ ଚାନ୍ଦିନୀ ରାତିର ଛାତିରେ
ଶୂନଶାନ୍ କୋଳାହଳ
ସ୍ମୃତିର ଜ୍ୱଳନ ଜାଳି ଜାଳି ଦିଏ                             
ମୋ' କୋମଳ ଛାତି ତଳ ।

ସପନ ମଗନ ସ୍ମୃତି ରାଇଜରୁ
ଆଜି ତୁମେ ବହୁ ଦୂରେ
ଅମାନିଆ ମନେ ଆସୁଛ ତ ଚାଲି
ତୁମେ କେବେ ସପନରେ ।

ଭାବୁଛି ମୁଁ ଖାଲି ତୁମ ପ୍ରେମ ଭୁଲି
କେମିତି ବଞ୍ଚଛି ସାଥୀ
ଅନେକ ସହିଛି ତୁମର ଦୁଷ୍ଟାମି
ବିରହର ଅଦଉତି ।

ହଜିଲା ସପନ ଅପାଶୋରା ଦିନ
ମନକୁ କରେ ଉଚ୍ଚାଟ
ସ୍ମୃତି ର ସହରେ ବୁଲୁ ବୁଲୁ ଯେବେ
ତୁମ ସଙ୍ଗେ ହୁଏ ଭେଟ ।
            ***
🍀ସ୍ମୃତିର ସହର-୨🍀

ସ୍ମୃତିର ସହରେ କଣ୍ଟା ତ ନ ଥିଲା
ଥିଲା ପେନ୍ଥା ପେନ୍ଥା ଫୁଲ
ପୁଷ୍ପିତ ଇଚ୍ଛାକୁ ବାଳୁତ ସକାଳେ
କରୁଥିଲ ନିତି ଗେଲ ।

କୁଆଁରୀ ସଞ୍ଜରେ କୃଷ୍ଣଚୂଡ଼ା ମୂଳେ             ନିତି ହେଉଥାଏ ଭେଟ
ମନ କଥା ତୁମ କହିବାକୁ ଯାଇ
ଶୁଖି ଯାଉଥିଲା ଓଠ ।

ଅନ୍ଧାର ରାତିରେ ଝରି ଯାଉଥିଲ
ଝରା ଶେଫାଳୀଟେ ହୋଇ
ମନ ପ୍ରଜାପତି ନାଚି ଉଠୁଥିଲା
ଗୁଣୁ ଗୁଣୁ ଗୀତ ଗାଇ ।

ରାତିର ଯୌବନ ଖସୁଥିଲା ଧୀରେ
ଆଶଙ୍କାର ଘର୍ମ ପୋଛି
ମନର ମଲ୍ଲୀକା ଉଠୁଥିଲା ହସି
ବିଶ୍ୱାସର ବାସ୍ନା ବିଞ୍ଚି ।
              ***
🌹ସ୍ମୃତିର ସହର-୩🌹

କଥା ଦେଇଥିଲି ପ୍ରୀତିର ପାଖୁଡା
ଯତନେ ରଖିବି ସାଜି
ସେ ବିଶ୍ୱାସ ହାଏ ହଜିଗଲା କାହିଁ
ସ୍ମୃତିର ସହରୁ ଆଜି ।

ପ୍ରୀତି ଫୁଲ କଣ୍ଟା କ୍ଷତାକ୍ତ ରକ୍ତାକ୍ତ               କରି ଅଛି ବାରବାର
ଅସହଣି ରାତି ଅତୀତର ସ୍ମୃତି
ଝରାଉଛି ଲୁହଧାର ।

ପ୍ରେମ ପ୍ରଣୟର ବିରହ ନିଆଁରେ
ଜାଳି ଜାଳି ଦେଲ ମାରି
ଧୈର୍ଯ୍ୟର ପାହାଡ଼ ଭାଙ୍ଗି ଦେଲ ମୋର
ବିସ୍ଫୋରକ ଦ୍ରବ୍ୟ ଭରି ।

ମୋ' ମରୁ ବନରେ ମିଠା କଥା ଥରେ
କହିନ ବି ମନ ଖୋଲି
ତଥାପି ସହର ତୁମ ବିନା ଆଜି
ଲାଗେ ମୋତେ ଖାଲି ଖାଲି ।
               ***
🌇ସ୍ମୃତିର ସହର -୪🌇


ମାନ ଅଭିମାନ ଭୁଲ୍ ବୁଝାମଣା
କାହା ଘରେ ଅବା ନାହିଁ
ରୂପଜୀବୀ ରାତ୍ରି ବିପୁଳା ଧରିତ୍ରୀ
ସଭିଙ୍କୁ ପୁଚ୍ଛିଲି ଯାଇ ।

ଖୋଜିବୁଲେ ସାରା ସହରଟା ଯାକ
ଏ ଗଳି ସେ ଗଳି ବୁଲି
ନଈରୁ ସାଗର ମାଟିରୁ ଆକାଶ
ତୁମେ କାଳେ ଥିବ ବୋଲି ।

ଭଙ୍ଗା ମନ ସହ ହୃଦୟକୁ ମୋର             
ନେଇଛ ସିନା ଚୋରେଇ
ସପନର ଗୀତି ହୃଦୟର ପ୍ରୀତି
ପାରିବନି ତ ଫେରେଇ ।

ଜୀବନ ମୋହର ମାଗି ଥିଲେ ସଖୀ
ଦେଇଥାନ୍ତି ତୁମ ହାତେ
ତୁମ ଆକର୍ଷଣ ଅଦିନେ ଶ୍ରାବଣ
ଝରାଉଛି ପଦ ପାତେ ।
            ***
🎑ସ୍ମୃତିର ସହର -୫🎑

ଅତୀତର ସ୍ମୃତି ଇତିହାସ ରଚେ
ମନ ସରହଦ ଡେଇଁ
ପ୍ରିୟାର ସୁଝୀନ ଓଢଣୀ ଫାଙ୍କରୁ              ସହରଟା ଉଠେ ଚେଇଁ ।

ସ୍ମୃତିର ଝରକା ସେପାଖେ ବହୁଛି
ଅମାନିଆ ଏକ ନଈ
ହୃଦୟ କାନ୍ଥକୁ ଓଦା କରି ମୋର
କଳକଳ ନାଦେ ବହି ।

ସେଇ ଶବଦରେ ହଜିଯାଏ ମନ
କୃଷ୍ଣ କୁଜଝଟିକା ପ୍ରାୟ
ମୃତ୍ୟୁ କୁ ଇନ୍ଧନ କରି ଜାଳୁଥିବା
ଅତୀତ ପ୍ରେମ ପ୍ରଣୟ ।

ସମ୍ବେଦନା ଭରା ଶୀତଳ ପରଶ
ପାଇ ହେବ ଯେବେ ଖୁସି
ବାଦଲରେ ଭରା ଆଖିର ଆକାଶ
କ୍ଷଣକରେ ଯିବ ବର୍ଷି ।
           ***
🌙ସ୍ମୃତିର ସହର -୬🌙

ଉଦାସିଆ ମନେ ପୀଡା ଦିଏ କେତେ
ନିରିମଳ ଜହ୍ନ ରାତି
ସ୍ମୃତିର ସହରେ ଲାଗେ ନାହିଁ ଭଲ                     
ତୁମ ବିନା ଆଜି ସାଥୀ ।

ପୁରୁଣା ସ୍ମୃତିର କ୍ଷତକୁ ନିଖାରି                 
ଜୁଡୁବୁଡୁ ହୁଏ ହିଆ
ମୋ ମନ ଅରଣ୍ୟ ବିଶ୍ୱସ୍ତ ପାଦପ
ଜଳିଯାଏ ଠିଆ ଠିଆ ।

ଅସହାୟତାର ନୈରାଶ୍ୟ ଭିତରେ
ବଞ୍ଚିଛି ମୁଁ କାଳକାଳ
ଆଶାର କିରଣ ଦେଖାଯାଇ କେବେ
ଆଖି ହୁଏ ଛଳଛଳ ।

ଆଶା, ପ୍ରୀତିମୟୀ, ପ୍ରେମ ପାଖୁଡାରୁ
ଝରାଇବ ଅନୁରାଗ
ବଞ୍ଚିବାର ମୋହ ଆବିଷ୍ଟ କରିଛି
ସୃଜନଦୀପ୍ତ ଆବେଗ ।
            ***
🌃ସ୍ମୃତିର ସହର-୭🌃

ସ୍ମୃତିର ସହର ଜନଗହଳିରେ
ହଜିଯାଏ ମୋର ଗାଆଁ
ଶୀତ ତାପ ଘରେ ଦରମରା ହୁଏ
ଫୁଙ୍ଗୁଳା ଝରକା ବାଆ ।

ଟିସୁ ପେପରରେ ବନ୍ଦୀ ହୁଏ ହାୟ
ଅଇଁଠା ମୁହଁ ଓ ହାତ
ପୋଛିବାକୁ ନାହିଁ ବୁଢୀ ମା'ର କାନି                    
ମାଆର ପ୍ରିୟ ପଣତ ।

ପକ୍ଷୀର କାକଳି ଚୋରା ଚଇତାଳି
ପଉଷ କାକର ବିନ୍ଦୁ
ଅଶିଣ ଆକାଶ ଶ୍ରାବଣର ଧାରା
କୁଆଁର ପୁନେଇଁ ଇନ୍ଦୁ ।

ଏ ସବୁ ତ ଆଜି ସପନ ହୋଇଛି
ସ୍ମୃତିର ସହରେ ମୋର
ମନ ମୋର ଗାଆଁ ଗଙ୍ଗଶିଉଳିଟେ
ଦେହ ଦୂଷିତ ସହର।
                ***

ସ୍ମୃତିର ସହର -୮


ସ୍ମୃତି ତୁମେ ମୋର ବିଗତ ପ୍ରିୟାର              
ବୃନ୍ଦାବତୀ ସଞ୍ଜ ଦୀପ
ଚୁନା ଚୁନା ହସ ଦୁଃଖ ଅବଶୋଷ
ଅକୁହା ମନର ପାପ ।

ତୁମ ରୂପ ଶିଖା ଦେଇଥିଲା ଜାଳି
ନିରୀହ ମନ ପତଙ୍ଗ
ସେ ଅନଳଶିଖା ଦଗ୍ଧୀଭୂତ କଲା
ହେଲି ମୁହିଁ ବିକଳାଙ୍ଗ ।

ସ୍ମୃତିର ପ୍ରୟାଗେ ପିଣ୍ଡ ଦାନ କଲ
ମୋ ପ୍ରେମକୁ ଜାଳିଦେଇ
ଦିନ ହୁଏ ମୋର ନିରବ ନିଃଶବ୍ଦ
ରାତି ଛଳଛଳ ନଈ ।

ସହର ଇଲାକା ଲାଗେ ଏକା ଏକା
ତୁମ ସ୍ମୃତି ଥାଉ ଥାଉ
ସେ ହଜିଲା ଦିନ ପାରେନା ଜଡାଇ
ଆବେଗରେ ମୋତେ ଆଉ ।
                ***
🏠ବଦଳିଛି ମୋର ଗାଆଁ🏠

ଛୁଟି କାଟିବାକୁ ଯାଏ ଯେବେ ଧାଇଁ             କେତେ ଆଶା ନେଇ ଗାଆଁ
ମରୁଭୂମି ଲାଗେ ଗ୍ରାମ ପରିବେଶ
ସତେ ବା ଜଳୁଛି ନିଆଁ ।

ତା'ମନରେ ଆଜି ସରସତା ନାହିଁ
ଶୁଖି ଯାଇଅଛି ଓଠ
ହସର କାକଳି ନିରବୀ ଯାଇଛି
ପାଲଟି ଶୁଖିଲା କାଠ ।

ମୋ ସ୍ୱପ୍ନର ଗାଆଁ ଖଣ୍ଡ ବିଖଣ୍ଡିତ
ବସ୍ତୁବାଦୀ ଆଘାତରେ
ସହାବସ୍ଥାନର ସବୁଜ ବେଷ୍ଟନୀ
ପରିଣତ ସାହାରାରେ ।

ସ୍ମୃତି ଜୁଡୁବୁଡୁ ଗାଉଁଲି ସକାଳ
ଝାଟି ମାଟି କାନ୍ଥ ଝୋଟି
ହଜିଗଲା କାହିଁ କୋମଳ ମଧୁର
ମୋର ପ୍ରିୟ ପଲ୍ଲୀ ମାଟି ।
            ***
ସ୍ମୃତିର ସହର-୯

ସ୍ମୃତିର ସହର ଚାରିଛକିଆରେ                          

ଭାବୁଥାଏ ଠିଆ ହୋଇ
ନୀତି ହୀନ ନେତା ଲାଞ୍ଚୁଆ କିରାଣୀ          ସ୍ୱାର୍ଥପର କବି ପାଇଁ ।

ଏ ସହରୁ ଆଜି ଯାଏ ହଜି ହଜି
ଆନ୍ତରିକତାର ଛୁଆଁ
ପାଣ୍ଡୁର ନିଷ୍ପ୍ରଭ ମଣିଷ ମନରେ
ଜଳେ ବସ୍ତୁବାଦୀ ନିଆଁ ।

ଦୁର୍ନୀତିରେ ଲିପ୍ତ ପ୍ରଶାସକଗଣ
ନିଜ ଧର୍ମ କର୍ମ ଭୁଲି
ସହରର ନାଳ ନର୍ଦ୍ଦମା ପରିକା
ଦୁର୍ନୀତି କରନ୍ତି ବୁଲି ।

ରାସ୍ତାଘାଟ ସହ ସରକାରୀ କୋଠା
ନିର୍ମାଣରେ ସର୍ବନାଶ
ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକା ରେ
ହୋଇଯାଏ ସବୁ ଶେଷ ।

ଟ୍ରାଫିକ୍ ପୋଲିସ ହୁଇସିଲ୍ ଶବ୍ଦ
କଲା ମୋତେ ପ୍ରକୃତିସ୍ଥ
ସ୍ମୃତିର ସହର ହେଲାଣି ବିପନ୍ନ
ହୋଇବ କି ଆଉ ସୁସ୍ଥ ???
             ***
🗽ସ୍ମୃତିର ସହର -୧୦ 🗽

ଦୂର ଆକାଶର ମୁକୁଳା ଜୀବନ
ଡାକେ ମୋତେ ହାତ ଠାରି
ଡାକିଲେ କି ହେବ ପିଞ୍ଜରାବଦ୍ଧ ମୁଁ
ମାୟା ମୋହେ ହୁଏ ଘାରି ।

ମୁଣ୍ଡ ପିଟି ଖାଲି କାନ୍ଦିବାଟା ସାର                          
ନିଷ୍ଠୁର ପିଞ୍ଜରା ଦ୍ୱାରେ
ଆବଦ୍ଧ ପିଞ୍ଜରା ଦ୍ୱାର ଖୋଲେ ନାହିଁ
ହା ହୁତାଶରେ ମରେ ।

ଏବେ ବି ତଥାପି ବାହୁନି କାନ୍ଦୁଛି
ନିଃସଙ୍ଗ ମୋ ମନ ପକ୍ଷୀ
ଛଳଛଳ ମୋର ଅଭୁଲା ଅତୀତ
ପୂର୍ଣ୍ଣିମାର ଜହ୍ନ ସାକ୍ଷୀ ।

ପୂର୍ଣ୍ଣିମା ରାତିର ଅଭିସାର ପର୍ବ
ଉଆଁସ ମଉନ ହସ
ସ୍ମୃତିର ରୋମାଞ୍ଚ ଅନନ୍ୟ ସୌରଭ
କରେ ମୋତେ ଉପହାସ ।

ସ୍ମୃତି ସିନା ସବୁ ମନ ଆକାଶରେ
ଭାସେ ଭସା ମେଘ ପରି
କେମନ୍ତେ କେଜାଣି ଶୂନ୍ୟ ସ୍ଥାନଟିଏ
ଛାତିରେ ଯାଏ ପହଁରି ।

କିଏ ସେ ଚୋରାଏ ଜୀବନ ମହକ
ବିତିଥିବା ସମୟର
ସମୟ! ଜୀବନ! ଭାଗ୍ୟ! ଭଗବାନ!
ଅବା ସ୍ମୃତି ର ସହର ।
            ***
🏡ହଜିଲା ଗାଆଁ🏡

ମୋ ହଜିଲା ପିଲାଦିନ
ଖେଳୁ ନାହିଁ ଦୋଳି ଆଉ
ଆମ ଗାଁ ବର ଓହଳରେ                                  
କୋଇଲି ଗାଉନି ଗୀତ
ଅବଲୁପ୍ତ ତୋଟାମାଳେ
ପଞ୍ଚମ ସୁରରେ
କାଉ ଶାଗୁଣାଙ୍କ ଭିଡ ଜମୁ ନାହିଁ
ଖାଇବାକୁ ମଢ ଆଉ
ଆମ ଗାଆଁ ମଶାଣି ଭୂଇଁରେ
କୁମାରୀ କଣ୍ଠର ଗୀତ
ନିରବୀ ଯାଇଛି ଆଜି
ଆମ ଗାଆଁ ଘର ଅଗଣାରେ
ଲୁଚିଲାଣି ଲୁଚକାଳି ଖେଳ
ପୁନେଇଁ ରାତିର ଜହ୍ନ
ଆଧୁନିକତାର ଉଆଁସ ଛାଇରେ ।
             ***
🏰ଗାଁ ସ୍ମୃତି🏰


ମହାନଦୀ ଜଳେ ସକାଳ ଗାଧୁଆ
ପହଁରା ପହଁରି ଖେଳ
ବରଷା ଦିନରେ ଭାରି ମନେପଡେ            ମାଟିଆ ବନିଆ ଜଳ ।
ଗାଆଁ ରାସ ନାଚ ମଜା ତ ନିଆରା                       
ପଟୁଆର ଜିଣେ ମନ
ବାଘ, ଘୋଡା ନାଚ, ବୁଢ଼ା ବୁଢୀ ଖେଳ
ରଜା ମନ୍ତ୍ରୀ ଛନଛନ ।

ପାଠ ପଢା ପାଇଁ ପ୍ରତିଯୋଗିତାର
ନିଶା ଥିଲା ଯେତେ ବେଶୀ
ତାସ ଖେଳ ମଜା ବାଟି ଓ କ୍ରିକେଟ୍
ମନେପଡେ ଦିବାନିଶି ।

ଗୁମୁରି ଗୁମୁରି କାନ୍ଦେ ମନ ପକ୍ଷୀ
ଅତୀତ ସ୍ମୃତିକୁ ହେଜି
ସେଇ ସୁଖରାଜି ଦିବା ସ୍ୱପ୍ନ ପରି
କୁଆଡେ ଯାଇଛି ହଜି ।
           ***
🏤ଗାଁ ସୁଖ🏤

ଗାଆଁ ଚାଟଶାଳୀ ପକ୍ଷୀର କାକଳି                      

ସକାଳ କଅଁଳ ଖରା
ସୁଜଳା ସୁଫଳା ବିଲବାଡି ଖଳା
ସବୁ ଲାଗେ ତା'ର ତୋରା ।

ସବୁଜ ପଡିଆ ପୋଖରୀ ଗାଡିଆ
ମନଲୋଭା କଇଁ ଫୁଲ
ଗାଁ ବାଡି ନଡିଆ ବହୁତ ବଢିଆ
ନାହିଁ ତା'ର ସମତୁଲ ।

ଉଡନ୍ତା ଚଢେଇ ଗୋଠ ଫେରା ଗାଈ
କଅଁଳା ବାଛୁରୀ ଡିଆଁ
ବଇଶାଖ ଖରା ଶିରାବଣ ଧାରା
ପଉଷର ନିଆଁ ପୁଆଁ ।

ଗାଆଁ ତୋଟାମାଳ ଆମ୍ବର ବଉଳ
ଦୋଳ ପରବର ମଜା
ହୋଲି ର ଗହଳ ରଜ ଦୋଳି ଖେଳ
ପିଠା ପଣା ଲିଆ ଖଜା।

ବୃନ୍ଦାବତୀ ମୂଳେ ସଞ୍ଜବତୀ ଜଳେ
ଘଣ୍ଟ ବାଜେ ମନ୍ଦିରରେ
ଯେତେ ଦୂରେ ଥିଲେ ଯେଉଁଠି ରହିଲେ
ଗାଆଁ ସୁଖ ନିତି ଝୁରେ ।
             ***
🏠🏡ପଲ୍ଲୀ ଜୀବନ🏡🏠

କାହିଁ ସେ ସୁନ୍ଦର ପଲ୍ଲୀ ଜନ୍ମର ଏନ୍ତୁଡି ଶାଳ
ଅତି ପ୍ରିୟ ମୋର ଭିଟାମାଟି
ହସର ଝରଣା ଯହିଁ ଝରୁଥିଲା ଦିବାରାତ୍ର
ଅଶାନ୍ତିର ଢେଉ କାଟି କାଟି ।


ବିପଦେ ଆପଦେ ଆସି କାନ୍ଧକୁ 
ମିଳାଇ କାନ୍ଧ               
ବୁଣି ବୁଣି ବିଭାମୟ ହସ
ମନ ହେଲେ ଫଟାଫଟି ଏକ ସୂତ୍ରେ ଯୋଡିବାର
କରୁଥିଲେ ସଯତ୍ନ ପ୍ରୟାସ ।

ଆଶା ଆଉ ବିଶ୍ୱାସର ମନର ମାଟିରେ ଆଜି
ଅବିଶ୍ୱାସ ସନ୍ଦେହର ବୀଜ
ଛୋଟିଆ ଚାରାଟି ବଢି ପାଲଟି ଯାଇଛି
ଶକ୍ତ ରାଜନୀତି ମହାଦ୍ରୁମ ଆଜ ।

ଖଣ୍ଡେ ଖଣ୍ଡେ ଭୋଟ ପାଇଁ ମନ ହୁଏ ଫଟାଫଟି
ଛିଣ୍ଡି ଯାଏ ସଂପର୍କର ଚେର
ମଣିଷ ଜଳୁଛି ଆଜି ଈର୍ଷାନଳେ ଦିବାନିଶି
ହୃଦୟରେ ବିଷର ଫୁଆର ।

କଳୁଷିତ ରାଜନୀତି ବିଗାଡି ଦେଇଛି ଆଜି
ସଂପର୍କର ଅତୁଟ ବନ୍ଧନ
ଭୁଲି ସ୍ୱାର୍ଥ ବିଭେଦତା ଫେରାଇ ଆଣିବା ଆସ
ଆମ ଗ୍ରାମ୍ଯ ମଧୁର ଜୀବନ ।
              ***

🌌ସ୍ମୃତିର ଆଇନାରେ🌌

ହଠାତ୍ ଜୀବନ୍ତ ହୋଇ ଉଭା ହୁଏ                      

କଥା କୁହା ତୁମ ଆଖି
ଭ୍ରୁଲତା ନଚାଇ କଥା କୁହ ତୁମେ
ଆଖି ରହି ଯାଏ ଲାଖି ।

ଓଠରୁ ତୁମର ପଡୁଥାଏ ଝଡି
ସରାଗର ମଲ୍ଲୀ ଫୁଲ
ସୁକେଶୀନୀ ତୁମ ମୁକୁଳା କବରୀ
ଲାଗେ ମୋତେ ଭାରି ଭଲ ।

ଲମ୍ପଟ ସମୟ ଲମ୍ବି ଲମ୍ବି ଯାଏ
ତୁମକୁ ଅନେକ ଖୋଜି
ହୃଦୟ ପରଦା ଫାଙ୍କରୁ ଦେଖୁଛି
ହଜିଲା ଅତୀତ ଆଜି ।

ତନ୍ଦ୍ରା ମଗନ ବେନି ଆଖି ମୋର
ଅଳସେ ପଡିଛି ନଇଁ
ଅତୀତ ପ୍ରେମର ସବୁ ସ୍ମୃତି ରାଜି
ନିରବେ ଯାଇଛି ଶୋଇ ।
           ***
🎎ତୁମ ପାଇଁ 🎎

ମୋର ହାତ ଲେଖା ଅନେକ କବିତା
ପଢିଅଛ ବାରବାର
ସେଇ କବିତାରେ ତୁମେ ଖାଲି ତୁମେ
ଆମ ସ୍ମୃତିର ସହର ।

କବିତାର ଭାଷା ମନ ପରିଭାଷା
ବୁଝିବା ଆଗରୁ ସଖୀ
ସେପାରି ଡାକରା ଶୁଣି ଗଲ ଚାଲି
ଚିର ଦିନ ବୁଜି ଆଖି ।

ଏପାରି ପୁଳିନେ ଖୋଜୁଛି ତୁମକୁ
ବରଷାରେ ଭିଜି ଭିଜି
ଆମରି ପ୍ରେମର ନୀଳିମାକୁ ନେଇ
ଆକାଶ କାନ୍ଦୁଛି ଆଜି ।

ଆକାଶ କାନ୍ଦୁଛି ବରଷା ଝରୁଛି
ଉଛୁଳି ଉଠୁଛି ନଈ
ଓଦା ଓଦା ଲାଗେ ଲୁହ ଭିଜା ଛାତି
ସାଥୀ ଆଜି ତୁମ ପାଇଁ ।
           ***
💆ପିଲାଦିନ💆

ଆଜି ଅପରାହ୍ନ ବୟସ ବେଳାରେ                            
ରେ ପିଲାଦିନ
ମନେପଡେ ସେଇ କୋମଳ ମଧୁର
ବାଳୁତ ଗାନ ।

ହିଂସା ଅହଂକାର ଛନ୍ଦ କପଟ ତ                            

 ନ ଥିଲା ମୋର
ଭଲ ଅବା ମନ୍ଦ ବୁଝୁ ନ ଥିଲି ମୁଁ
 ସାର ଅସାର ।

ଭଲ ଥିଲା ମୋର ଗାଁ ଦାଣ୍ଡ ଧୂଳି
 ମୋ ମାଟି ଘର
ଘର ତ ନ ଥିଲା ସତେ ଅବା ସିଏ
 ସରଗ ପୁର ।

ବାପା, ବଡ ବାପା, ମାଆ, କକା, ଖୁଡୀ,
ସାଇ ପଡିଶା
ସମସ୍ତଙ୍କ ପାଇଁ ଥିଲି ଗଳାହାର
 ଆଶା ଭରସା ।

ମୋ ଭାଇ ଭଉଣୀ ସାଙ୍ଗ ସାଥୀହ ସହ
ହଜିଲାଦିନ
ଫେରାଇଦେ ମୋର ସରଳ ନିଷ୍ପାପ
କୋମଳ ମନ ।
               ***
💲ସ୍ମୃତି💲

ପୂର୍ଣ୍ଣମୀ ରାତିର ଅଭିସାର ପର୍ବ
ଉଆଁସ ମଉନ ହସ
ସ୍ମୃତିର ରୋମାଞ୍ଚ ଅନନ୍ୟ ସୌରଭ                            କରେ ମୋତେ ଉପହାସ ।

ସ୍ବାର୍ଥର ପ୍ରୟାଗେ ପିଣ୍ଡ ଦାନ କଲ
ମୋ ପ୍ରେମକୁ ଜାଳିଦେଇ
ଦିନ ହୁଏ ମୋର ନୀରବ ନିଶବ୍ଦ
ରାତି ଛଳଛଳ ନଈ ।

ସହର ଇଲାକା ଲାଗେ ଏକାଏକା
ତମ ସ୍ମୃତି ଥାଉଥାଉ
ସେ ହଜିଲା ଦିନ ପାରେନା ଜଡାଇ
ଆବେଗରେ ମୋତେ ଆଉ ।

ସ୍ମୃତି  ସବୁ ମୋର ମନ ଆକାଶରେ
ଭାସେ ଭସା ମେଘ ପରି
କେମନ୍ତେ କେଜାଣି ଶୂନ୍ୟସ୍ଥାନଟିଏ
ଛାତିରେ ଯାଏ ପହଁରି ।
             ***
🎉ଅଫେରା ଫଗୁଣ🎉

ଫୁଲ ଫଗୁଣର ଋତୁ ଗଲା ଚାଲି
ଜୀବନଟା ମରୁ ବାଲି
ବଇଶାଖୀ ବାଆ ଜାଳିଦିଏ ହିଆ
ସ୍ୱପ୍ନ ଚୋରା ଚଇତାଳି ।

ସ୍ମୃତିର କଣ୍ଟକ ଦେହରେ ମନରେ
ଫୋଡି ହେଇଯାଏ ମୋର
ଉଜୁଡା ଉଜୁଡା ଲାଗେ ମନ କ୍ଷେତ
ସପନର ବାଲିଘର ।

ହଜାରେ ଆକାଶ ଦୀପାଳି ଜାଳିଲେ
ଲୁହ ବରଷାରେ ଭିଜି
ଅଫେରା ଫଗୁଣ ଫେରିବନି ଆଉ
ଜୀବନେ ବସନ୍ତ ସାଜି ।
               ***
💔ପାରୁନି ମୁଁ ଭୁଲି ସାଥୀ💔

ନିତି ସଞ୍ଜ ହେଲେ ତୁମ କଥା ଭାବି
ହେଉଥିଲି ଆନମନା
କୋମଳ ହୃଦୟ ପଥର ହେଲାଣି                         
ସ୍ଥିର ଜୀବନ ଯମୁନା ।

ମରି ମରି ସାଥୀ ବଞ୍ଚିଛି ମୁଁ ଆଜି
ପାଉଁଶ ତଳର ନିଆଁ
ସପନ ପୁନେଇ ହେଲା ନାହିଁ ସତ
ଅଦିନେ ଅମାବାସିଆ ।

ଜୀବନ ଗୁଡିର ସୂତା ଗଲା ଛିଣ୍ଡି
କାଳ ବଇଶାଖୀ ଆସି
ଆଖି ଲୁହ ମୋର ଆଖିରେ ମରିଲା
ବିନା ଦୋଷେ ପାଏ ଫାଶୀ ।

ଏତେ ଦୁଃଖ ପରେ ତଥାପି ତୁମକୁ
ପାରୁନି ମୁଁ ଭୁଲି ସାଥୀ
କେମିତି ଭୁଲିବି ତୁମକୁ ସଜନୀ
ତୁମେ ମୋ ପ୍ରଥମ ପ୍ରୀତି ।
            ***
💞ପ୍ରିୟା ଥିଲେ ପାଶେ💞


ପ୍ରିୟା ଥିଲେ ପାଶେ ପ୍ରୀତିମୟ ଲାଗେ                        ଦାରୁଣ ନିଦାଘ କାଳ
ସ୍ୱପ୍ନିଳ ପୃଥିବୀ ଅଭୁଲା ବସନ୍ତ
ମଧୁର ସଞ୍ଜ ସକାଳ ।

ବରଷା ସମୟ ପ୍ରେମରେ  ପ୍ରେମରେ
ବନ୍ୟା ରଚଇ ଦେହେ
କଳାମେଘ କୋଳେ ସୂରୁଜ ଅନାଏ
ଆକାଶେ ଶଶାଙ୍କ ଚାହେଁ ।

ଶୀତ ଋତୁ ଲାଗେ ଉଷୁମ ଉଷୁମ
ପ୍ରିୟାର ପରଶ ପାଇ
କାଶତଣ୍ଡି ଫୁଲ ଧବଳ ଟଗର
ରଙ୍ଗର ପସରା ନେଇ ।

ଶରତ ନିରତ ଇନ୍ଦ୍ରଧନୁମୟ
ଦିଶୁଥାଏ ଭାରି ତୋରା
ଭାବ ଉଚ୍ଛ୍ୱାସର ହେମନ୍ତ ରଜନୀ
ଭୁଲି ହୁଏ ନାହିଁ ପରା ।
             ***
👉ତୁମ ବିନା👈

ମୋର ଅଗଣାରେ ତୁମ ପାଦ ଚିହ୍ନ                      

ପଡିଲାନି ସିନା ସାଥୀ
ମୋ ନିଦ ଚୋରେଇ ନିଃସ୍ୱ କଲ ମୋତେ
ସରେ ନାହିଁ ଅମା ରାତି ।

ଜୀବନ ଆକାଶେ ପୂର୍ଣ୍ଣମୀର ଜହ୍ନ
ହସୁଛି ତୁମକୁ ଚାହିଁ
ମୋ ଜୀବନେ ଆଜି ଅଦିନ ଶ୍ରାବଣ
ଆଶାର ତାରାଟେ ନାହିଁ ।

ଆଜି ମୁଁ ଖେଳୁଛି ସତରଞ୍ଜ ଖେଳ
ଅନ୍ଧାରରେ ଏକା ଏକା
ଜୀବନର ବାଜି ହାରୁଛି ମୁଁ ଆଜି
ତୁମରତ ନାହିଁ ଦେଖା ।
           ***

ଜୀବନ

ପ୍ରୀତିର ପ୍ରଦୀପ ଲିଭି ଯାଇଛି ମୋ                       

ଝଞ୍ଜା ର ଆଘାତ ପାଇ
ହୃଦ ଉପବନ ବୃକ୍ଷ ଶୂନ୍ୟ ଆଜି
ନାହିଁ ଫୁଲ ଫଳ ଛାଇ ।

ଅଳସୀ ସଞ୍ଜର ବିଭୋର ପଣକୁ
ଆଖିର ଲୁହରେ ଧୋଇ
ଦୁଃଖର କବରୀ ଫିଟି ପଡି ଅଛି
ସତେ ଗୋଟି ଗୋଟି ହୋଇ ।

ଜୀବନ ବାଟରେ କେତେ ଖାଲଖମା
କିଏ ସେ ପାରିବ ଭରି
ଏ ଜୀବନ ଏବେ ଜହର ସମାନ
ବଞ୍ଚିଛି ମୁଁ ମରି ମରି ।
           ***
💛ପ୍ରୀତିର ଗଜଲ💛

ତୁମ ହୃଦ ବ୍ୟଥା ଦରଦୀ କବିତା                            
ବାରବାର ଲେଖି ପଢି
ହୁଏ ଆନମନା ମନର ଭାବନା
ଲୁହ ହୋଇ ଯାଏ ଗଡି ।

କେବେ ହସିଥାଏ କେବେ ରାଗିଯାଏ     
ଅଭିମାନ କରେ କେବେ
ଘରେ ଥିଲେ ଏକା ଲାଗେ ଫିକା ଫିକା
କବିତା ନ ଲେଖେ ଯେବେ ।

ଯାଯାବର ମନ ନିଃସଙ୍ଗ ଜୀବନ
ଜୀଇଁବାଟା ଭାରି କଷ୍ଟ
ମନ ଭିଜି ଥରେ ଓଦା ହେଲା ପରେ
ନ ଶୁଖି ହୁଅଇ ନଷ୍ଟ।

ଅହେତୁକ କୋହ ବନ୍ଧନର ମୋହ
ବୋଲ ଜମା ମାନେ ନାଇ
ଅପାଶୋରା ଗୀତି ଅଝଟିଆ ରାତି
ପ୍ରୀତିର ଗଜଲ ଗାଇ ।
             ***
💃ନିଃସଙ୍ଗ ଜୀବନ💃

ନିଃସଙ୍ଗ ଜୀବନ ଉଦାସିଆ ଲାଗେ                         

ଅପସରି ଯାଏ ସବୁ
ଦିନ ଢଳିଯାଇ ରାତି ନଇଁ ଆସେ
ତୁମ କଥା ଭାବୁ ଭାବୁ ।

ଯୁଆଡେ ଚାହିଁଲେ ସିଆଡେ ଦିଶଇ
ତୁମରି ସଜଳ ଛବି
ଅତୀତ ତୁମର ନୀରବେ ଶୋଇଛି
କେମିତି ପାଶୋରି ଦେବି ।

ସଂପର୍କର ରଙ୍ଗ ଫିକା ପଡି ଆସେ
ରଙ୍ଗହୀନ ଓଠ ଧାରେ
ତୁମ ମନ କିନ୍ତୁ ମାନୁ କି ନ ମାନୁ
ମୋ' କବିତା ତୁମକୁ ଝୁରେ ।
              ***
👫ତଥାପି ପାଉଛି ଭଲ👫

ନିଷ୍କଳଙ୍କ ମୋର
ଖୋଲା ହୃଦୟରେ
କଳଙ୍କ ତ ବୋଳିଦେଲ

ବସନ୍ତ ମଳୟ
ଝାଞ୍ଜି ପରି ଲାଗେ
ଜଳିଯାଏ ମନ ଫୁଲ ।

ତୁମ ପ୍ରତାରଣା
ଜାଳେ ଅହରହ
ତଥାପି ପାଉଛି ଭଲ

ମରି ମରି ସାଥୀ
ବଞ୍ଚିଛି ମୁଁ ଆଜି
ତୁମେ କିନ୍ତୁ ଭୁଲିଗଲ ।
          ***
👪ସଂପର୍କର ମାନସାଙ୍କ👪    


ସହିବାପଣ ମୋ' ଚହଲି ଯାଉଛି             

ବିଷେଇ ଯାଉଛି ମନ
କାରୁଣ୍ୟ କାକଳି ଗୁମୁରି ଗୁମୁରି
ଭିଜାଉଛି ତନୁ ମନ ।

ଛଳନାର ଉଇ କୋରି କୋରି ଖାଏ
ମୋ ହୃଦୟ ଅନାୟାସେ
ଜଳିଯାଏ ମୋର ପ୍ରେମର ନଅର
ତୁମ ପ୍ରତାରଣା ଧାସେ ।

ଯୁଦ୍ଧ ଠୁଁ ଭୀଷଣ ପ୍ରେମରେ ଛଳନା
ସଂପର୍କର ମାନସାଙ୍କ
ସମାଧାନ ସୂତ୍ର ପାରିଲିନି ଖୋଜି
ତୁମେତ ଅଛିଣ୍ଡା ଅଙ୍କ ।
           ***
ଘାତଚନ୍ଦ୍ର

ଈର୍ଷାର ସୁନାମୀ ନଷ୍ଟଭ୍ରଷ୍ଟ କଲା
ସଂଯମର ଧୈର୍ଯ୍ୟ ବନ୍ଧ
ଅବିବେକତାର ଲହଡି ଆଘାତେ
ସତେ ଅବା ଘାତଚନ୍ଦ୍ର ।

ଅଦେଖା ଝଡରେ ପ୍ରୀତିର କଳିକା
ଝାଉଁଳି ପଡିଛି ଶୋଇ
ମନ ଦରପଣ ଭାଙ୍ଗି ଯାଇଅଛି
ଟୁକୁଡା ଟୁକୁଡା ହୋଇ ।

ଅଝଟପଣ ମୋ ଚହଲି ଯାଇଛି
ଲିଭିଛି ଓଠରୁ ହସ
ଛାତି ତଳ ଦୁଃଖ ସ୍ମତିର କୋଣାର୍କ
କରୁଛି ନିତି ବିବଶ ।

ହୃଦୟ ଜଳୁଛି ଅଲିଭା ନିଆଁରେ
ଜଳୁଛି ମୋ ନିରବତା
ଅମାନିଆ ଲୁହ ବୋଲ ମାନୁ ନାହିଁ
ଭିଜୁଛି ମୋ ଆଖିପତା ।
             ***
🎉🎊ଫଗୁଣ🎊🎉

ଫଗୁଣ ଗୋ ତୁମେ ଗଲା ପରେ ଏବେ
ଝୁରୁଛି ତୁମକୁ ଦିନ ରାତି
ମଳୟ ପବନ ହେଲାଣି ସପନ
ବଇଶାଖୀ ଜାଳିଦିଏ ଛାତି ।

ବେସୁରା ଲାଗୁଛି ପକ୍ଷୀର କାକଳି                
କୋଇଲିର ଯେତେ କୁହୁତାନ
ତୁମ ମିଠା ହସ ଅମୃତ ବଚନ
ଶୁଣୁ ନାହିଁ ଆଉ ମୋର କାନ ।

ଜହ୍ନ ଆସି ମୋତେ ଖତେଇ ହେଉଛି
ମୁରୁକି ହସନ୍ତି ଯେତେ ତାରା
ଅବୁଝା ମନକୁ ପାରେନା ବୁଝେଇ
ଜଳୁଥାଏ ବସି ରାତି ସାରା।
              ***
😭ଭୁଲ ବୁଝିବନି😭

ତୁମ ଜୀବନରେ ବସନ୍ତ ଆସିଛି
ମଳୟ ବହୁଛି ଧୀରେ
ମୋର ଆଖିପତା ଭିଜି ଭିଜି ଯାଏ
ଅଦିନିଆ ବରଷାରେ ।

ସହିବାପଣ ମୋ ଚହଲି ଯାଉଛି
ତୁମେ ପର କଲା ପରେ
ହସି ହସି ତୁମେ ସବାରୀ ଚଢିଲ
ମୁଁ ଏଠାରେ ଝୁରି ମରେ ।

ତୁମର ବିଚ୍ଛେଦ ମରଣଠୁ ବେଶୀ
ଦୁଃଖ ଦେଇ ଗଲା ପରେ
ମରିବାକୁ ମୋର ଡର ନାହିଁ ସାଥୀ
ଆଉ ଏଇ ଜୀବନରେ ।

ବିଗତ ସ୍ମୃତିକୁ ପାଥେୟ କରି ମୁଁ
ଚାଲିଯିବି ବହୁ ଦୂରେ
ଭୁଲ୍ ବୁଝିବନି ଭୁଲିଯିବ ପ୍ରିୟା
ତୁମେ ମୋତେ ଧୀରେ ଧୀରେ ।
               ***
🙅କ୍ଲାନ୍ତ ଗୋଧୂଳି🙅

 ମୋ' ମରୁ ଜୀବନେ ଫୁଲ ତ ନଥିଲା   
ଥିଲା କଣ୍ଟା ଉପବନ
ଶାନ୍ତ ସକାଳର ଅରୁଣିମା ସାଜି
ଭରିଲ କେତେ ସପନ ।





ଖିଆଲି କବିର କବିତାର ଭାଷା
ଥିଲ ତୁମେ ପ୍ରିୟତମା
ମୋ ପାନ୍ଥଶାଳାର ଯାତ୍ରଟିଏ ହେଲ
ଆଗୋ ମୋର ରାଜଜେମା ।

ନବୀନ ଆଶାର ଆଲୋକ ଦେଖାଇ
ଅବସାଦ ବ୍ୟଥା ଭରି
ନିଶୂନ ରାତିରେ ଚାଲିଗଲ ତୁମେ
ଦରଜାଟା ମେଲା କରି ।

ବିରହ ବିଧୂର ଶୀତ ରାତି ମୋର
ସରେ ନାହିଁ ଶୋଇ ଶୋଇ
ସ୍ୱପ୍ନ ର କୁହେଳି ମାଡି ଚାଲିଅଛି
ଆଲୁଅ ଅନ୍ଧାର ଡେଇଁ  ।
           ****
☝ତୁମେ☝

ତୁମେ ମୋ' ବିଶ୍ୱାସ ତୁମେ ମୋ ନିଃଶ୍ୱାସ                  

ତୁମେ ମୋ ହୃଦ ସ୍ପନ୍ଦନ
ଅଳକାପୁରୀର ପାରିଜାତ ତୁମେ
ହୃଦ ମୋ ନନ୍ଦନବନ ।
ତୁମେ ମୋ କାଗଜ ତୁମେ ମୋ କଲମ
ତୁମେ ମୋ ପ୍ରୀତି କବିତା
ମନ ପ୍ରାଚୀତଟେ ଉଭା ହୁଅ ଆସି
ତୁମେ ମୋ ସୁଖ ସବିତା ।
ତୁମେ ମଲ୍ଲୀଫୁଲ ରଙ୍ଗୀନ ଗୋଲାପ
ତୁମେ ମୋ ଝରାଶେଫାଳି
ତୁମେ ନଇବେଦ୍ୟ ତୁମେ ପୂଜା ଫୁଲ
ତୁମେ ମୋ ପ୍ରାଣ ଦୀପାଳି ।
ତୁମେ ମୋ ଭରସା ପାହାଡ ଲଳନା
ମଧୁର ସରୁ ଝରଣା
ତୁମେ ମୋ ଆରମ୍ଭ ତୁମେ ମୋ ଜୀବନ
ତୁମେ ମୋ ଶେଷ ଠିକଣା ।
              ***
କେତେ ଦିନ

କେତେ ଦିନ ଲେଖୁଥିବି ଆମ ପ୍ରେମ                      କବିତାର ସୁଆଦିଆ ଧାଡି
କେତେଦିନ ଫର୍ଦ୍ଦ ଫର୍ଦ୍ଦ ନୀଳମେଘ
ତିନ୍ତୁଥିବ ମୋର ଲୁହ ପଡି ।
କେତେ ଦିନ ଲୁହ ସବୁ ତୋଳୁଥିବି
ଜହ୍ନ ରଙ୍ଗ ଫରୁଆଟେ ଧରି
କେତେ ଦିନ ସ୍ୱପ୍ନ ସବୁ ଜାଳୁଥିବି
ପ୍ରତୀକ୍ଷାର ଦିହୁଡିଟେ କରି ।
କେତେ ଦିନ ନିଦର ପାଚେରୀ ଡେଇଁ
ରହୁଥିବି ଉଜାଗର ହୋଇ
କେତେ ଦିନ କୋହର କାଗଜ ଡଙ୍ଗା
ଭସାଇବି ପ୍ରେମ ଗୁଆ ଥୋଇ ।
କେତେ ଦିନ ବସନ୍ତର ସାରଙ୍ଗୀରେ
ଶୁଣୁଥିବି ଛାତି ଥରା ଗୀତ
କେତେ ଦିନ ଝୁରୁଥିବି ବେଳାଭୁଇଁ
ଝାଉଁବଣ ଜହ୍ନର ସଂଗୀତ ।
              ***
❇ମନେ ନାହିଁ❇

ମୁଁ ତ ଭୁଲିନି ସେଦିନ ରଜନୀ
ଆଗୋ ମୋର ନୀଳ କଇଁ
ତଥାପି କହୁଛ ସେଦିନ ର କଥା
ମନେ ନାହିଁ ମନେ ନାହିଁ ।
ବହଳ ଜ୍ୟୋତ୍ସ୍ନାରେ ଯାଇଥିଲା ଭିଜି
ତୁମ ଗାଁ କୁଆଁରୀ ଛାତି
ମହୁଲିଆ ଶୀତ ଚଉହଦୀ ଡେଇଁ
ଆସିଥିଲ ତମେ ସାଥୀ ।
ଭରିଦେଲ ମୋର ମନ ଉପବନେ
ଗାଇ ପ୍ରଣୟର ଗୀତ
ସେହି ସୁର ଏବେ ପଡିଗଲେ ମନେ
ହୁଏ ମୁଁ କ୍ଷତ ବିକ୍ଷତ ।
ତମେ ଗଲ ଚାଲି ମୋ ମନ ଦେହଳୀ
ସବୁଦିନ ପାଇଁ ଡେଇଁ
କଥା ଦେଇଥିଲ ଭୁଲିବନି କେବେ
ସେ କଥା କି ମନେ ନାହିଁ ।
            ***
🔵ନୀଳ ସ୍ୱପ୍ନ ର ତୃଷ୍ଣା🔵


ସ୍ୱପ୍ନ ସଙ୍ଗେ ଯେବେ ହୁଏ କୋଳାକୋଳି                        ମନେ ପଡେ ତୁମ କଥା
ମନ ସରସୀରେ ତୁମ ପ୍ରୀତି ପଦ୍ମ
ଫୁଟି ଦେଇଥାଏ ବ୍ୟଥା ।
ଦେହ ସାରା ମୋର ଛନ୍ଦି ହେଇଯାଏ
ଦୁର୍ବଳତା ନିରିମୂଳି
ସ୍ମୃତିର ଶବଙ୍କୁ କାନ୍ଧରେ ବୋହି ମୁଁ
ଯାଉଥାଏ ପୋଡିଜଳି ।
ଝାଉଁଳା ମନଟା ସ୍ମୃତିର ଜଳରେ
ତିନ୍ତୁଥାଏ ସାରା ରାତି
କୋହର କାକର ଝରି ଝରି ଆସି
ଭିଜାଇ ଦିଏ ମୋ ଛାତି।
ତୁମ ନୀଳ ଆଖି ମୋ ଆଖି ସପନ
ତୃଷ୍ଣା ମରୁ ମରୀଚିକା
ତୁମ ନୀଳ ବିଷ ଦଂଶନକୁ ଆଜି
ସହୁଛି ମୁଁ ଏକା ଏକା ।
              ***
ତମେ ଗଲା ପରେ

ତମେ ଗଲା ପରେ ବଞ୍ଚିଛି ମୁଁ ପ୍ରିୟା                     

ତମରି ସ୍ମୃତି କୁ ଧରି
ବତୁରି ଯାଉଛି ମନର କାଗଜ
ଅମାନିଆ ଲୁହ ଝରି ।
ମୋ ମନ ଆକାଶେ ବହଳ ଅନ୍ଧାର
ତୁମ ଆକାଶରେ ଜହ୍ନ
ମୋ ବେଳାଭୂମିରୁ ଲିଭି ଲିଭି ଯାଏ
ତୁମ ପ୍ରୀତି ପାଦ ଚିହ୍ନ ।
କଦମ୍ବର ମୂଳ ଯମୁନାର କୂଳ
ନିଛାଟିଆ ଲାଗେ ଆଜି
ଦୂର ତାଳବଣ ବଇଁଶୀର ସ୍ୱନ
କୋହରେ ଯାଇଛି ଭିଜି ।
ମନ ତଳ କ୍ଷତ ନିଖାରି ନିଖାରି
ଜୁଡୁବୁଡୁ ହୁଏ ହିଆ
ଅଭିଶାପ ପରି ଜାଳି ଦିଏ ସତେ
ଏ ଜୀବନ ଯୁଇ ନିଆଁ ।
             ***
🌅ଦୁଃଖ ନଦୀ ତୀରେ🌅

ମନ କ୍ଷେତ ମୋର ବାଲି ଚରିଯାଏ
ଅଦିନିଆ ବରଷାରେ
ବିଶ୍ୱାସର ଡଙ୍ଗା ଭାସି ଭାସି ଯାଏ
ଦୁଃଖ ନଈ ସୁଅ ଧାରେ ।
ଆଶାର କଦମ୍ବ ଫୁଲି ଫୁଲି କାନ୍ଦେ                                   

ଦେଖି ଶୁଖିଲା ଆକାଶ
ହଜିଯାଏ ମୋର ଅଜଣା ପୁଲକ
ସେନେହ, ପ୍ରେମ ,ବିଶ୍ୱାସ ।
ଏକା ଏକା ବସି ଗଭୀରତା ମାପେ
ଦୁଃଖ ନଈ ମୁହାଣରେ
ପାରେ ନାହିଁ ରୋକି ଆଡିବନ୍ଧ ଦେଇ
ଆଖିରୁ ଲୋତକ ଝରେ ।
ଅବିଶ୍ୱାସ, ଘୃଣା, ତାତ୍ସଲ୍ୟ ମଞ୍ଚର
ଆକାଶଟା ମେଘାଚ୍ଛନ୍ନ
ଜ୍ୟୋତ୍ସ୍ନାର ଅରଣ୍ୟ ଲାଗେ ଫିକା ଫିକା
ଅବସନ୍ନ ବେଣୁ ସ୍ୱନ ।
କେତେ ଯେ ବେଦନା କେତେ ଯେ ବତାସ
ତଥାପି ଯାଇନି ହାରି
ନୂତନ ସକାଳ ଆଲୋକ ପସରା
ଆଣିବ ହୃଦୟ ଭରି ।
             ***
ଆଉଥରେ ଫେରିବକି ପ୍ରିୟ।

କରେ ଅନୁନୟ ହେ ପ୍ରିୟ ମଳୟ                         

କହିବୁ ପ୍ରିୟାକୁ ଯାଇ
ସିଏ ଗଲା ଦିନୁ ଚାଲି ମୋ ଜୀବନୁ
ନାହିଁ ପତ୍ର ନାହିଁ ଛାଇ ।

ହୋଇଅଛି ଥୁଣ୍ଟା ତନୁ ମୋର କଣ୍ଟା
ତା' ବିହୁନେ ଝୁରି ଝୁରି
ସୁନ୍ଦର ସର୍ବାଙ୍ଗ ଦିଶେ ନିସ୍ତରଙ୍ଗ
ଭାବି ଦିବସ ଶର୍ବରୀ ।

ମୁକ୍ତ ଘନକେଶୀ ସୁମଧୁର ହାସୀ
ମନୋହର ତନୁକାନ୍ତି
ତା' ସ୍ନିଗ୍ଧ ପରଶ ସୁମଞ୍ଜୁଳ ବେଶ
ଆଣୁଥିଲା ହୃଦେ ଶାନ୍ତି ।

ପ୍ରିୟା ପାଶେ ଯାଇ କହିବୁ ବୁଝାଇ
ପ୍ରୀତିର ଅବିର ଧରିୁ
ପ୍ରିୟ ଗନ୍ଧବହ କର ଅନୁଗ୍ରହ
ପ୍ରିୟା ମୋର ଆସୁ ଫେରି ।
             ***

🎈ସଂକ୍ଷେପରେ  ପରିଚୟ🎈
******************



ନାମ-କଣ୍ଡୁରି ଚରଣ ରାଉତ
ପିତା-ଲଛମନ ରାଉତ
ମାତା-ସ୍ବର୍ଗତ ଉଷାରାଣୀ ଦେବୀ
ପରିବାର-ସ୍ତ୍ରୀ ଓ ଦୁଇ ପୁଅ
ଜନ୍ମସ୍ଥାନ-ମକୁନ୍ଦ ପୁର,ବାଙ୍କି,କଟକ
ଜନ୍ମ ତାରିଖ-୮.୨.୧୯୬୯
ଶିକ୍ଷାଗତ ଯୋଗ୍ୟତା-ବି.ଏ.ବି.ଇଡି,ହିନ୍ଦୀ ପ୍ରବୀଣ
ବୃତ୍ତି -ସହକାରୀ ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଚାକିରି ସ୍ଥାନ-ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ମୋ.-୯୯୩୭୯୮୨୮୪୬ / ୭୯୭୮୭୫୦୭୮୦
ଇମେଲ୍-routkanduricharan69@gmail.com
ରୁଚି-ଲେଖାଲେଖି ,ଅଭିନୟ
ପ୍ରଥମ କବିତା ସଙ୍କଳନ-ପ୍ରତିବିମ୍ବ(୨୦୧୫ ରେ ପ୍ରକାଶିତ


📝ପତ୍ରପତ୍ରିକାରେ ପ୍ରକାଶିତ ଲେଖା📝

ଶାମୁକା,ପ୍ରେରଣା,ଆଇନା,ବନଜ୍ୟୋତ୍ସ୍ନା,ଶିଖା, ଆଧ୍ୟାତ୍ମବାହିନୀ, ବିବର୍ତ୍ତନ, ମୁଖ ଦର୍ପଣ, ପ୍ରେମ, ଯୁଗଧ୍ବନି, ମନସ୍ବିନୀ, ଚନ୍ଦନ ଧାରା,ମୃଗତନ୍ଦ୍ରା,ଅତଏବ ଅ, ସ୍କାଉଟ ପତ୍ରିକା, ବ୍ରତତୀ, ଆହ୍ବାନ, ସୁରତା, ବନ ସୁରଭି , ପ୍ରିୟପତ୍ର ଆଦି ପତ୍ରପତ୍ରିକା ଓ ମାଗାଜିନରେ ଲେଖା ପ୍ରକାଶିତ । ଧ୍ବନି ପ୍ରତିଧ୍ବନି,ସମାଜ,ପ୍ରଗତିବାଦୀ,ଓଡିଶା ଭାସ୍କର, ରାଷ୍ଟ୍ରଦୀପ, ସମ୍ବାଦ,EPA WEEKLY ଆଦି ସମ୍ବାଦପତ୍ରରେ ଅନେକ ଲେଖା ପ୍ରକାଶିତ ।

📣ଅଭିନୟ📢
୫୦ରୁ ଉର୍ଦ୍ଧ୍ବ ନାଟକ ଓ କିଛି ନାଟକରେ ନିର୍ଦ୍ଦେଶନା

 💬ସମ୍ମାନ💬

ଶାମୁକା ପତ୍ରିକା ତରଫରୁ କଣ୍ଟାବାଞ୍ଜିରେ ଶିଶୁ ସାହିତ୍ୟିକ ଭାବରେ ୧୯୯୮ରେ ସମ୍ବର୍ଦ୍ଧିତ,ସତ୍ୟବାଦୀ ହାଇସ୍କୁଲରେ ୨୦୧୬ରେ ସମ୍ବର୍ଦ୍ଧିତ,ମୃଗତନ୍ଦ୍ରା ପତ୍ରିକା ତରଫରୁ ଯାଜପୁର ଠାରେ ୨୦୧୮ରେ ସମ୍ବର୍ଦ୍ଧିତ ଓ ସମ୍ମାନିତ, ଭଦ୍ରକରେ ଟପ୍ ଟେନ୍ ଫେସବୁକ୍ କବି ଭାବରେ ୨୦୧୮ରେ ସମ୍ବର୍ଦ୍ଧିତ,୨୦୧୯ରେ ବାମରା,କୋଣାର୍କରେ "ସତ୍ୟନାରାୟଣ  ପ୍ରତିଭା ସମ୍ମାନ" ।ହାଇସ୍କୁଲର ମାଗାଜିନ ପ୍ରଜ୍ଞାଦୀପିକାର ସଂପାଦକ ଭାବରେ ୧୯୯୨ରୁ କାର୍ଯ୍ୟରତ । ସ୍କୁଲର ସ୍କାଉଟ୍ ଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟରତ ।

6 comments:

  1. Excellent poems sir. Really heart touching. Congratulations sir.

    ReplyDelete
    Replies
    1. Thanks a lot for the beautiful comments.

      Delete
  2. ବହୁତ ବଢିଆ ପଦ୍ୟ ସତରେ ହୃଦୟ କୁ ଛୁଇଁ ଗଲା

    ReplyDelete
    Replies
    1. ସୁନ୍ଦର ମତାମତ ପାଇଁ ହୃଦୟରୁ ଅଜସ୍ର ଧନ୍ଯବାଦ ଜଣାଉଛି ।

      Delete
  3. କଲମ ମୁନରେ ଭାବ ବିହ୍ୱଳ କରିବାର ଦକ୍ଷତା କେବଳ କବି ପାଖରେ ଥାଏ। ହୃଦୟ ଭିତରେ ଅସୁମାରୀ ଦୁଃଖ ଥାଇ ଅନ୍ୟ କୁ ଖୁସି କରିବାର ପ୍ରୟାସ। ଏମିତି ଲେଖି ଚାଲ ବନ୍ଧୁ। ଈଶ୍ୱର ତୁମର ଚଲାପଥ କୁସୁମିତ କରନ୍ତୁ। ଜୟ ଜଗନ୍ନାଥ।

    ReplyDelete
  4. ସୁନ୍ଦର ଓ ମନଛୁଆଁ ମତାମତ ପାଇଁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ସହିତ କୃତଜ୍ଞତା ଜଣାଉଛି ଆପଣଙ୍କୁ ।ଜୟ ଜଗନ୍ନାଥ ।

    ReplyDelete

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।