2/28/2022

ଉଦୟ ଭାନୁର ପ୍ରତିଷ୍ଠାତା ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇ : - ଏକ ଶୋକାପନ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି     
  ସମ୍ପାଦକ - ଉଦୟ ଭାନୁ 


ସେଦିନ ଥିଲା ୨୦୨୨ ଜାନୁୟାରୀ ୨୫ ତାରିଖ , ମଙ୍ଗଳବାର ; ସମୟ ଅପରାହ୍ନ ୪ଟା ବାଜି କେତେ ମିନିଟ୍‌ ହେବ । ମୁଁ ମୋର ଶୋଇବା ଘର ଖଟ ଉପରେ ବସିଥାଏ , ମୋ' ହାତରେ ଥିବା ଚା' କପ୍‌ଟି ବାରମ୍ବାର ମୋ' ଓଠକୁ ଚୁମ୍ବନ ଦେଇ ଚାଲିଥାଏ । ଉଦୟ ଭାନୁ (ସାହିତ୍ଯ ଓ ସମାଜସେବା ସଙ୍ଗଠନ)ର  ମାସିକ ଇ ପତ୍ରିକା ପ୍ରକାଶନ ପାଇଁ ପ୍ରସ୍ତୁତି ଜୋର୍‌ ଧରିଥିବା ବେଳେ ମୁଁ ସମ୍ପାଦକ ଭାବରେ ମୋ' କାର୍ଯ୍ଯ ପ୍ରାୟ ତୁଲେଇ ସାରିଥାଏ । ବାକି କେବଳ ସାଙ୍ଗଠନିକ ସମ୍ପାଦକ ତାଙ୍କର କାର୍ଯ୍ଯ ତୁଲାଇବା । ସବୁ କାମ ସରିଛି , ଖାଲି ପ୍ରକାଶ ପାଇବା କଥା ; ଡେରି କାହିଁକି ହେଉଛି ଭାବି ଯୋଗାଯୋଗ କରିବାକୁ ମନସ୍ଥ କଲା ବେଳକୁ କପ୍‌ରୁ ଚା' ଖାଲି । କପ୍‌ଟି ଧୁଆଧୋଇ କରି ଯଥା ସ୍ଥାନରେ ରଖି ଫୋନ୍‌ କଲି ସାଙ୍ଗଠନିକ ସମ୍ପାଦକ ମାଧବାନନ୍ଦ ଭୋଇଙ୍କୁ । ସେ ଫୋନ୍‌ ଉଠାଇ "ହ୍ଯାଲୋ" କହିବା ମାତ୍ରେ ମୁଁ ପଚାରିଲି - "ଭାଇ ! କ'ଣ କରୁଛ ?" ସେ ଗୁରୁଗମ୍ଭୀର ସ୍ବରରେ ଉତ୍ତର ଦେଲେ - "ନିବାସ ସାର୍‌ଙ୍କ ଘରେ ଅଛି ।" ଭାବିଲି ବୋଧହୁଏ ସଙ୍ଗଠନ କାମରେ ଯାଇଥିବେ । ମୁଁ କହିଲି - "କ'ଣ କିଛି କାମରେ ଯାଇଥିଲେ କି ?" ସେ କହିଲେ - "ନା , ତାଙ୍କ ଦେହ ପୁରାପୁରି ଖରାପ । ଡାକ୍ତର ଫେରେଇ ଦେଇଛନ୍ତି । ଏବେ ସେ ଘରେ ।" ମୁଁ ସ୍ତବ୍ଧ  ; ଡାକ୍ତର ଫେରେଇ ଦେଇଛନ୍ତି ! ତେବେ କ'ଣ....... ମନଟା ପୁରା ମରିଗଲା ମୋର । ଦୀର୍ଘଦିନ ଧରି କର୍କଟ ବେମାରୀରେ ଆକ୍ରାନ୍ତ ଥିଲେ ସେ। ମୁଁ ଜାଣିଛି କର୍କଟ ବେମାରୀ କେତେ ମାରାତ୍ମକ ।  ଥରେ ହେଲେ ଜୀବନ ନନେଇ ସହଜେ ଯିବନି । ହେଲେ ଏତେଶିଘ୍ର...... ଆଖି କୋଣରେ ଜକେଇ ଆସିଲା ଲୁହ । 

        ମୋ' ପାଟିରୁ ସ୍ବତଃପ୍ରବୃତ୍ତ ଭବରେ ନିସ୍ପେଷିତ ସ୍ବରରେ ବାହାରି ଆସିଲା - "ହେ ପ୍ରଭୁ !" କିଛି ସମୟ ନିରବତା ପରେ ମୁଁ କହିଲି - "ହଉ , ଘରକୁ ଫେରି ଫୋନ୍‌ କରିବେ ।" ସେ "ହଉ" ବୋଲି କହି ଫୋନ୍‌ କାଟିଲେ । ତା'ପରଠୁ ମତେ ଆଉ କିଛି ଭଲ ଲାଗିଲାନି । ବେଳ ଗଡ଼ି ରାତି ହେଲା , ମାଧବ ଭାଇଙ୍କର ଫୋନ୍‌ ଆସିଲାନି । ମନଟା ଘାଣ୍ଟି ଚକଟି ହେଉଥାଏ । ବିଳମ୍ବିତ ରାତିରେ ଫୋନ୍‌ କଲି କିନ୍ତୁ ଫୋନ୍‌ ଉଠାଇଲେ ନାହିଁ । ନୈରାଶ୍ଯରେ ଶଯ୍ୟା ଧରିଲି । 

     ରାତି ପାହି ସକାଳ ହେଲା । ସେଦିନ ଥିଲା ସାଧାରଣତନ୍ତ୍ର ଦିବସ । ଗାଁ , ବିଦ୍ଯାଳୟ ସର୍ବତ୍ର ଦେଶ ମାତୃକାର ଚରଣ ବନ୍ଦନ ପାଇଁ ପ୍ରସ୍ତୁତି ହେଉଥା'ନ୍ତି । ଜାତୀୟ ପତାକା ଫରଫର ଉଡୁଛି ଏବଂ ଜାତୀୟ ସଙ୍ଗୀତର ସୁଲଳିତ କଣ୍ଠସ୍ୱର ମନ ଆଉ ପ୍ରାଣକୁ ପୁଲକିତ କରୁଛି । ବୀରବାଦ୍ଯର ତାଳେ ତାଳେ କଦମ୍‌ ପରେ କଦମ୍‌ ପକାଇ ପ୍ଯାରେଡ଼ରେ ଚାଲିଥା'ନ୍ତି ଦେଶର ଆଗାମୀ ଭବିଷ୍ଯତଗଣ । ବାତାବରଣ ସଙ୍ଗୀତର ମୂର୍ଚ୍ଛନା ଓ ବାଦ୍ଯର ତାଳରେ ବେଶ୍‌ ସରଗରମ ଥାଏ । ନିର୍ବାଚନ ସମୟ ହେତୁ ନେତାମାନେ ବି ପଇଁତରା ମାରୁଥା'ନ୍ତି । ଗଛଲତା ବି ଗାନ କରୁଥା'ନ୍ତି ବାତ ବାଦ୍ଯର ତାଳେ ତାଳେ ଜାତୀୟ ସଙ୍ଗୀତ । ଦିନ ପ୍ରାୟ ୧୦ଟା କେଇ ମିନିଟ୍‌ ହେବ , ଫୋନ୍‌ କଲି ସାଙ୍ଗଠନିକ ସମ୍ପାଦକ ମାଧବାନନ୍ଦ ଭୋଇଙ୍କୁ । କିନ୍ତୁ ଉତ୍ତର ଆସିଲାନି କିଛି । ଦିନ ଦୁଇଟା ପରେ ମୋ' ହ୍ବାଟ୍ସଆପ୍‌ରେ କିଛି ଫଟୋଚିତ୍ର ମାଧବ ଭାଇଙ୍କ ହ୍ବାଟ୍ସଆପ୍‌ରୁ ଆସିବା ପରେ ମୁଁ କଲ୍‌ କଲି ତାଙ୍କୁ । ସାଧାରଣତନ୍ତ୍ର ଦିବସରେ ଶରୀର ଅସୁସ୍ଥ ଥାଇ ବି ସେ ଉଦୟ ଭାନୁର କାର୍ଯ୍ଯକ୍ରମରେ ଯୋଗ ଦେଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣେ ସ୍ଥାନୀୟ ଛାତ୍ରକୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ତାଙ୍କର ଓଜୋନଦାର ଅଭିଭାଷଣ ବି ଉପସ୍ଥିତ ଜନତାଙ୍କୁ ଆଚମ୍ବିତ କରିଥିଲା ବୋଲି ଯାହା ମାଧବ ଭାଇଙ୍କ ଠାରୁ ଶୁଣିବାକୁ ପାଇଲି । ରୋଗଶଯ୍ୟାରେ ଥାଇ ବି ତାଙ୍କର ଲଘୁ ଗମ୍ଭୀର ସ୍ବରରେ ଆସି ନଥିଲା ମଳିନତା । 

     ବିତିଗଲା ସେଦିନ ; ଦିନ ସରି ରାତି ହେଲା । ରାତି ଦଶଟା ବାଜି ନଥାଏ , ଫୋନ୍‌ କଲି ମାଧବ ଭାଇଙ୍କୁ । ପଚାରି ବୁଝିଲି ପ୍ରତିଷ୍ଠାତା ନିବାସ ସାର୍‌ଙ୍କ କଥା , କହିଲେ ହଁ ସେମିତି ଅଛନ୍ତି । କେତେବେଳେ କ'ଣ ହେବ କିଛି କହି ହେଉନି । ମନଟା ଜମା ଭଲ ଲାଗିଲାନି ଏକଥା ଶୁଣି । ଭାବିଲି ଭଗବାନ କ'ଣ ଏଡ଼େ ନିର୍ଦ୍ଦୟ ! ଭଲ ଲୋକର କ'ଣ ଏ ମରଧାମରେ ସ୍ଥାନ ନାହିଁ  ! ଇଏ କି ଲୀଳା ପ୍ରଭୁ ! ନିରବିତ କଣ୍ଠ ଦ୍ବାର ରୁଦ୍ଧ ହୋଇଯାଉଥାଏ ମୋର । କଣ୍ଠ - ତାଳୁ ଶୁଷ୍କ ହୋଇ ବାରମ୍ବାର ଜଳର ଆମନ୍ତ୍ରଣ କରୁଥାଏ । ଗ୍ଲାସ୍‌ ପରେ ଗ୍ଲାସ୍‌ ଖାଲି ହୋଇ ଚାଲୁଥାଏ ସିନା ତୃଷା ମେଣ୍ଟୁ ନଥାଏ । ସତେ ଅବା ମନଟା ମୋର ଯନ୍ତ୍ରଣାର ଜତୁଶାଳେ ଜର୍ଜରିତ ହେଉଥାଏ , ମୃତ୍ଯୁ ସହ ସଂଗ୍ରାମ କରୁଥାଏ । ରାତି ପାହି ସକାଳ ହେଲା , ରାତି ସାରା ଭାବି ଭାବି ଆଖିକୁ ନଥିବା ନିଦ କେତେବେଳେ ପାହାନ୍ତି ପ୍ରହରରେ ମତେ କବଳିତ କରିନେଇଥିଲା ଜାଣିନି ; ନିଦ ଭାଙ୍ଗିବା ବେଳକୁ ସକାଳ ଆଠଟା ବାଜିଲାଣି । ମୁହଁ ଧୋଇ ଚା' ପ୍ରସ୍ତୁତ କରି ଶୋଇବା ଘର ଖଟ ଉପରେ ବସି ଚା' ପିଉଥାଏ । 
 
   ସେଦିନ ଥିଲା ୨୭ ତାରିଖ ; ମୁଁ ସାର୍‌ଙ୍କ ଖବର ବୁଝିବାକୁ ଫୋନ୍‌ କଲା ବେଳକୁ ଅଶୁଭ କାକ ସମ୍ବାଦ ପାଇ ନିଜର କୋହକୁ ରୋକି ପାରି ନଥିଲି । "ସାର୍‌ ଆଉ ନାହାନ୍ତି" ଖବର ପାଇବା ପରେ ପାଦ ତଳୁ ଖସି ପଡୁଥିଲା ମାଟି ଆଉ ମୁଣ୍ଡ ଉପରେ ଛିଡ଼ି ପଡୁଥିଲା ଆକାଶଟା । ସତେ ଅବା ମୋ' ଚତୁର୍ପାର୍ଶ୍ବରୁ ପବନ ବହିବା ବନ୍ଦ ହୋଇଯାଇଥିଲା , ଆଉ କିଛି କହି ନପାରି ଥମ୍‌ କିନା ବସି ପଡ଼ିଲି ତଳେ । ମୋ' ମନରେ ଅବସୋସ ରହିଗଲା କି ମୁଁ ତାଙ୍କୁ ସଶରୀରରେ ଦେଖି ପାରିଲି ନାହିଁ । ଏତେ ବଡ ମହାନ ବ୍ଯକ୍ତିତ୍ବଙ୍କୁ ଭେଟିବାର ସୌଭାଗ୍ୟରୁ ବଞ୍ଚିତ ହୋଇ ଦୁଃଖ ଓ ଅନୁତାପର ଅନଳରେ ଦାହ ହେଉଥିଲା ମନଟି । ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ମତେ ଅସ୍ତବ୍ୟସ୍ତ କରି ପକାଉଥିଲା । ମନ ହେଉଥିଲା ଏଇଠି ପିଟି ପକାନ୍ତି ମୁଣ୍ଡଟାକୁ ହେଲେ । ଅବୋଲକରା ଅଶ୍ରୁ ନିର୍ଝର ସିକ୍ତ କରି ପକାଉଥିଲା ମୋର ପରିଧାନିତ ବାସକୁ  । ଆଉ କିଛି ବି ଭଲ ଲାଗିଲାନି । ପାଟି ଅଠା ହେବାକୁ ଲାଗିଲା । ଶୋଷ ବଢ଼ିବାକୁ ଲାଗିଲା ହେଲେ ପାଣି ମତେ ବାରଣ କରୁଥିଲା ତାକୁ ଛୁଇଁବାକୁ । ପାଟିଟା ପିତା ହେଉଥିଲା ସତେ ଯେମିତି ଜ୍ବରରୁ ଉଠିଥିବା ଲୋକ ପରି । ପୁଣି ବଢ଼ି ଚାଲିଥିଲା ଦେହର ତାତି । ମନ ଆକାଶରେ ଘନେଇ ଆସୁଥିଲା ଅମାରାତ୍ରି । ଗୋଟିଏ ଥର ଫୋନ୍‌ରେ କଥା ହୋଇଥିଲି ; ବହୁତ ମେଳାପୀ , ମିଷ୍ଟଭାଷୀ ସେ । ରୋକଡ଼ା କଥା ଏବଂ ସଚ୍ଚୋଟବାଦୀ । ମତେ କହିଥିବା କଥାଟି ଏଯାଏଁ ବି ଭୁଲିନି ମୁଁ । ସେ କହିଥିଲେ - "Do your work yourself." ଏବଂ "Work is god." ସାଧାରଣତନ୍ତ୍ର ଦିବସରେ ରୋଗଗ୍ରସ୍ତ ଥାଇ ବି ତାଙ୍କର ଓଜୋନଦାର ଅଭିଭାଷଣ ସମସ୍ତଙ୍କୁ ଆଚମ୍ବିତ କରିଥିଲା । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣେ ଛାତ୍ରକୁ ସେ ସମ୍ବର୍ଦ୍ଧନା ଦେଇଥିଲେ ସେଦିନ । ସେ ଛାତ୍ର ଜଣକ ସତରେ ମହାନ । ଏଭଳି ଜଣେ ମହାନ ବ୍ଯକ୍ତିତ୍ବଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି ଏବଂ ସମ୍ବର୍ଦ୍ଧନାର ପରଦିନ ମୃତ୍ଯୁ ସହ ରଣ କରି ପଞ୍ଚତ୍ବ ପ୍ରାପ୍ତ କରିଛନ୍ତି ; ସତେ ଯେମିତି ସେ ଜାଣିଥିଲେ ସାଧାରଣତନ୍ତ୍ର ଦିବସଟି ତାଙ୍କର ଶେଷ କାର୍ଯ୍ଯକ୍ରମ ଆଉ ସେ ଛାତ୍ର ଜଣକ ତାଙ୍କର ଶେଷ ସମ୍ବର୍ଦ୍ଧିତ ପ୍ରତିଭା । 

      ସୂଚନାଧିକାର କର୍ମୀ ତଥା ସମାଜସେବୀ ଭାବରେ ସେ ସମାଜରେ କରି ଚାଲିଥିଲେ ଉନ୍ନତି ମୂଳକ କାର୍ଯ୍ୟ ; ଯାହା ତାଙ୍କୁ ପ୍ରିୟପାତ୍ର କରି ପାରିଥିଲା ପ୍ରତ୍ଯେକଟି ଲୋକଙ୍କ ପାଖରେ । ଖାଲି ସେତିକି ନୁହେଁ , ସେ ଏକାଧାରରେ ଜଣେ କବି , ଲେଖକ ଓ ନାଟ୍ଯକାର ଭାବରେ ନିଜ ଜନ୍ମମାଟି ଭୋଦଳ ତଥା ଆଖପାଖ ଅଞ୍ଚଳରେ ବେଶ୍‌ ପରିଚିତ  ।


        ସମାଜ ତଥା ସାହିତ୍ଯରେ ସୁଧାର ଆଣିବାକୁ ସେ ୧୯୭୮ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରଥମେ ଅଠର ବର୍ଷରୁ ଅଧିକ ଏଗାର ଜଣଙ୍କୁ ନେଇ ଗଢ଼ିଥିଲେ ଉଦୟ ଭାନୁ (ସାହିତ୍ଯ ଓ ସମାଜସେବା ସଙ୍ଗଠନ) ଏବଂ ଏହାକୁ ସେହିବର୍ଷ ସେପ୍ଟେଟେମ୍ବର ୨୫ରେ ୧୮୬୦ ନିୟମଧାରାରେ ସରକାରୀ ସ୍ତରରେ ପଞ୍ଜୀକୃତ କରିଥିଲେ  ଏହା ଆଦ୍ଯେ ଥିଲା କେବଳ ସମାଜସେବା ସଙ୍ଗଠନ ; ଏହି ସଂଗଠନର ପ୍ରାଥମିକ ଲକ୍ଷ୍ଯ ଭାବରେ ନିଶା ନିବାରଣ , ଯୌତୁକ ପ୍ରଥା , ପାଠାଗାର , ସାଂସ୍କୃତିକ/କଳାର ବିକାଶ , ଶିଶୁ/ମହିଳା ସ୍ବାସ୍ଥ୍ୟ ସଚେତନତା ଏବଂ ଗ୍ରାମାଞ୍ଚଳ ପରିଷ୍କାର ପରଚ୍ଛନ୍ନତା  ବିଷୟ ଗୁଡିକୁ ଗୁରୁତ୍ୱ ଦିଆଯାଇଥିଲା । ତେବେ ସଂଗଠନର ନିଜସ୍ବ ଗୃହ ନଥିବାରୁ ଗ୍ରାମରେ ଥିବା ଏକ ବସ୍ତି ଆବାଦ ଯୋଗ୍ୟ ପ୍ଲଟକୁ ସରକାରଙ୍କ ଠାରୁ ନବେ ବର୍ଷ ଲିଜ୍ ସୁତ୍ରରେ ସ୍ଥାୟୀ ପଟ୍ଟା ହାସଲ କରିଥିଲା  । ଅତୀତରେ ଉପରୋକ୍ତ ବିଷୟରେ ଗ୍ରାମରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବିଗତ ଦିନରେ ଉକ୍ତ ସଂଗଠନର ସଭ୍ୟା/ସଭ୍ୟମାନଙ୍କ ଦ୍ୱାରା ଅଭିନୀତ ନାଟକ “ଗାଁଆର ନାମ ମଙ୍ଗଳପୁର ଝିଅର ନାମ ମିନି”ଟି ମଦନ ମୋହନ ସାଂସ୍କୃତିକ ଯୁବ ପରିଷଦ,ବ୍ରାହ୍ମଣସାଇଲୋ ଓ ବାଲିପଡା ଯୁବ ପରିଷଦ,ଗୋବିନ୍ଦପୁର ଦ୍ୱାରା ନାଟ୍ୟ ପ୍ରତିଯୋଗିତାରେ  ପ୍ରଥମ ସ୍ଥାନ ଅଧିକାର କରି  ଉପଢୌକନ ଏବଂ ପ୍ରମାଣପତ୍ର ହାସଲ କରିଥିଲା । ଏପରିକି ଗ୍ରାମାଞ୍ଚଳରେ ନିୟମିତ ଭାବରେ ଉକ୍ତ ସଂଗଠନର ସଭ୍ୟା/ସଭ୍ୟମାନଙ୍କ ଦ୍ୱାରା ଅଭିନୀତ ନାଟକ ଗୁଡିକ ମଧ୍ୟରେ "ଅତ୍ୟାଚାରୀର ଲାଲ୍ ରକ୍ତ" , "ବହିଗଲା ପାଣି ଫେରି ଆସେନା" , "ପର ଝିଅ ଘର ଭାେଙ୍ଗନା" ଓ "ବଗୁଲୀ ଝରାନା ଲୁହ" ପ୍ରମୁଖ ନାଟକ ଗୁଡିକ ଜନ ସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇ ଜନ ମାନସରେ ବିଶେଷ ଛାପ ଛାଡି ଯାଇଥିଲା । ବିଶେଷ କରି ସେ ସମୟରେ ରାଜନୀତି ଭେଦଭାବ ନଥିବା ହେତୁ , ଗ୍ରାମ ଜନସାଧାରଣଙ୍କ ସହଯୋଗ ଦ୍ୱାରା ନିୟମିତ ଭାବରେ ଉକ୍ତ ସଂଗଠନ ଦ୍ୱାରା ନୃତ୍ୟ ନାଟିକା , ପାଲା , କାଳ୍ପନିକ ନାଟକ ଏବଂ ସାମାଜିକ ନାଟକ ମଞ୍ଚସ୍ଥ କରାଯାଉଥିଲା । ତେବେ ଏହି କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ଭାବେ ଯୁବ ଗୋଷ୍ଠୀଙ୍କୁ ଏକତ୍ର କରି  ଆୟୋଜିତ କାର୍ଯ୍ୟକ୍ରମ ଗୁଡିକୁ ମଞ୍ଚସ୍ଥ କରାଇବାରେ ପ୍ରମୁଖ ଭୂମିକା  ଥିଲା ସଂଗଠନର ପ୍ରତିଷ୍ଠାତା ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇଙ୍କର  । 

      ତାଙ୍କ ପ୍ରେରଣାରେ ଗ୍ରାମରେ ଯୁବଗୋଷ୍ଠୀଙ୍କ ଦ୍ୱାରା ପୋଖରୀରୁ ଦଳ କାଢିବା , ମାଟି ରାସ୍ତା ନିର୍ମାଣ , ବୃକ୍ଷ ରୋପଣ , ମାଛ ଚାଷ , କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏବଂ ନିଶା ନିବାରଣ କାର୍ଯ୍ୟ ଗୁଡିକ କରାଯାଉଥିଲା । ଏତତ୍ ବ୍ୟତୀତ ସଂଗଠନ ଆରମ୍ଭ ହେବା ଠାରୁ ଅଦ୍ୟାବଧି ଜାତୀୟ ଦିବସ ଗୁଡିକ ନିୟମିତ ଭାବରେ  ପାଳନ କରାଯାଉଅଛି । ଉକ୍ତ ସଂଗଠନ ଆନୁକୁଲ୍ୟରେ ପ୍ରତ୍ୟେକ ବର୍ଷ ସ୍ବାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ଅବସରରେ ଭୋଦଳ ଉପ୍ରା ବିଦ୍ୟାଳୟର ପିଲାମାନଙ୍କୁ ପାଠ୍ୟୋପକରଣ ପ୍ରଦାନ କରାଯାଇଥାଏ । ଏହା ସଙ୍ଗେ ସଙ୍ଗେ ପ୍ରତିବର୍ଷ ସଙ୍ଗଠନ ତରଫରୁ ଉରୁଜଙ୍ଗ ସ୍ଥିତ ଭଗବତୀ ବିଦ୍ୟା ମନ୍ଦିର ସମ୍ମୂଖରେ ଜଳ  ବିତରଣ କେନ୍ଦ୍ର ସ୍ଥାପନ ସହିତ ବିଭିନ୍ନ ସଚେତନତା ପ୍ରଚାରପତ୍ର ବଣ୍ଟନ କରାଯାଇଥାଏ । ଏହା ସହିତ ଅଂଶୁଘାତ ଜନିତ ପ୍ରାଥମିକ ସେବା ପ୍ରଦାନ କରାଯାଇଥାଏ । ବିଭିନ୍ନ ସମୟରେ ସଂଗଠନ ତରଫରୁ ଚାନ୍ଦା କରାଯାଇ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ ପ୍ରଦାନ କରାଯାଇଥାଏ ।ଏତଦ୍ ବ୍ୟତୀତ ବାତ୍ୟା/ବନ୍ୟା ସମୟରେ ପ୍ରପୀଡିତମାନଙ୍କୁ ସହଜ ଭାବେ ରିଲିଫ୍ ପହଞ୍ଚାଇବା ପାଇଁ ସଂଗଠନ ତରଫରୁ ଆବଶକୀୟ ପଦକ୍ଷେପ ଗ୍ରହଣ କରାଯାଇଥାଏ  । ଏତେ ସବୁ କାର୍ଯ୍ଯ ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇଙ୍କ ତତ୍ତ୍ବାବଧାନରେ କରାଯାଉଥିଲା । ସମାଜସେବା କ୍ଷେତ୍ରରେ ନିଜକୁ ଯେମିତି ସେ ଉତ୍ସର୍ଗ କରିଦେଇଥିଲେ ସମ୍ପୂର୍ଣ୍ଣ ଭାବରେ । ଆଜି ସେ ନାହାନ୍ତି ବୋଲି ଭାବିଲା ବେଳକୁ ଛାତି ଭିତରଟା କୋରେଇ ପକଉଛି । ତାଙ୍କ ବିଷୟରେ ଲେଖିଲା ବେଳକୁ ହାତ ଥରି ଯାଉଛି । ସତେ ଅବା ମୁଁ ଶକ୍ତିହୀନ ହୋଇପଡ଼ିଛି ଯେମିତି କଲମ ଧାରଣ ଶକ୍ତି ବି ହରାଇ ବସିଛି । ମନକୁ କଲମ ଆଉ ଲୁହକୁ ସ୍ଯାହି କରି ଲେଖିଲା ବେଳକୁ କୋହ ସମୁଦ୍ର ଲହଡ଼ି ଭାଙ୍ଗି ଭସାଇ ନେଉଛି ଭାବନାର କାଗଜକୁ ସାଗର ଗର୍ଭକୁ ।ଲ

          ଯୁବ ଗୋଷ୍ଠୀଙ୍କ ବିକାଶ ପାଇଁ ଅନେକ ସମୟରେ ଉଦୟ ଭାନୁ ସଙ୍ଗଠନ ତରଫରୁ ନେହେରୁ ଯୁବ କେନ୍ଦ୍ର , ଭାରତ ସରକାର ଆନୁକୁଲ୍ୟରେ  ଉକ୍ତ କଣ୍ଟାପଡା ବ୍ଲକର ବିଭିନ୍ନ ଯୁବ ପରିଷଦର କର୍ମକର୍ତ୍ତା  ମାନଙ୍କୁ ନେଇ ଯୁବ ଦକ୍ଷତା ଶିବିର , ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଓ ଧନ୍ଦାମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରି ଅନେକ କାର୍ଯ୍ୟକ୍ରମ  କରିଆସିଛନ୍ତି ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇ ସାର୍‌ ।  ସରକାରଙ୍କ ନିର୍ଦ୍ଦେଶାନୁସାରେ ବିଭିନ୍ନ ପଞ୍ଚାୟତରେ ଉକ୍ତ ସଂଗଠନ କର୍ମକର୍ତ୍ତା ମାନଙ୍କ  ଦ୍ୱାରା  ମହାତ୍ମାଗାନ୍ଧୀ  ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସମୀକ୍ଷା ପାଇଁ ବିଭିନ୍ନ ସମୟରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମକୁ ପରିଚାଳିତ କରିଥା'ନ୍ତି ।ତାଙ୍କ ଆବାହନରେ ଉକ୍ତ ସଂଗଠନ ଆନୁକୁଲ୍ୟରେ ଗରିବ ଅସହାୟ ବ୍ୟକ୍ତିମାନଙ୍କୁ ନ୍ୟାୟ ପ୍ରଦାନ କରିବା ପ୍ରରିପ୍ରେକ୍ଷୀରେ ମାନବିକ ଅଧିକାର ଆଇନ , ସୂଚନା ଅଧିକାର ଆଇନ୍ , ଶିଶୁ ଓ ମହିଳା ବିକାଶ ଆଇନ୍ ମାଧ୍ୟମରେ ସଚେତନତା ପୂର୍ବକ ନ୍ୟାୟ ପ୍ରଦାନ କରାଯାଇଥାଏ । ସମୟେ ସମୟେ ଖାଉଟି ଅଦାଲତ ଦ୍ୱାରା କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ନ୍ୟାୟ ପ୍ରଦାନ କରାଯାଇଥାଏ । 

      ଏତେବଡ଼ ମହାନ ବ୍ଯକ୍ତିତ୍ବ ଚିରନିଦ୍ରାରେ...... ଏ ଖବର ଖାଲି ମୋତେ ନୁହେଁ ତାଙ୍କ ସହ ଜଡ଼ିତ ପ୍ରତ୍ଯେକ ଆତ୍ମାକୁ ସ୍ତମ୍ଭୀଭୂତ କରିଛି । ତାଙ୍କ ବିଷୟରେ କହିଲେ ବହିଟିଏ ହେବ । ସମୟାନୁକ୍ରମେ "ସାହିତ୍ଯ ବି ସମାଜର ପ୍ରାଣ" ଭାବି ତାଙ୍କ ପରାମର୍ଶରେ ସାହିତ୍ଯକୁ ଏହି ସଙ୍ଗଠନ ସହିତ ସାମିଲ୍‌ କରାଗଲା ଏବଂ ତା:୧୧/୦୧/୨୦୧୮ରିଖ ୧୧ ଘଟିକା ୧୧ ମିନିଟ ସମୟରେ ଏକ ହ୍ୱାଟସଅପ୍ ଗୃପ ଗଠନ କରାଯାଇଥିଲା । ଏହା ପରଠୁ ଉଦୟ ଭାନୁରେ ଆରମ୍ଭ ହୋଇଥିଲା ସାହିତ୍ୟର ମହାଯାତ୍ରା । ସଂଗଠନର ସାହିତ୍ୟ ପରିବାର ଭାବେ କିଛି ମହାମାନ୍ୟ ବିଜ୍ଞ ସାହିତ୍ଯିକ ମାନଙ୍କୁ ଅବସ୍ଥାପିତ କରି ସାହିତ୍ଯର ଅଗ୍ରଗତି ପାଇଁ ବିଭିନ୍ନ ପ୍ରତିଯୋଗିତା ଓ ଇ ପତ୍ରିକା ପ୍ରକାଶ କରାଗଲା । ପରେ ପରେ ତାଙ୍କ ପରାମର୍ଶରେ ସୁଲଭ ଦରରେ ସାହିତ୍ଯ ପୁସ୍ତକ କିଛି କବି/କବୟିତ୍ରୀଙ୍କଠୁ ସଂଗୃହିତ କରି ପ୍ରକାଶନ କରିବାର ମନସ୍ଥ ହେଲା । ସାହିତ୍ଯ ପ୍ରବେଶ ପରେ ପ୍ରଥମ ବାର୍ଷିକ କବିତା ପାଠୋତ୍ସବ ପୁରୀ ଜିଲ୍ଲାର କଣାସ ବ୍ଲକର ଭାଟପଡ଼ା ଗ୍ରାମରେ ତାଙ୍କ ଠାରୁ ପରାମର୍ଶ ପାଇ (ସଙ୍ଗଠନର ସମ୍ପାଦକ ଭାବରେ) ମୋରି ଆବାହକତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ବୁଦ୍ଧିଜୀବୀ ଓ ବିଶିଷ୍ଟ ସାରସ୍ବତ ସାଧକ ମାନେ ଉପସ୍ଥିତ ରହି ସାହିତ୍ଯ ଓ ସମାଜସେବା ବିଷୟରେ ନିଜର ଅଭିମତ ପ୍ରକାଶ କରିବା ସହ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ କବି/କବୟିତ୍ରୀଙ୍କ ଦ୍ବାରା କବିତା ପାଠ କରାଯାଇଥିଲା । ଧିରେ ଧିରେ ଏହି ସଙ୍ଗଠନ କୋଣେ ଅନୁକୋଣେ ପ୍ରଶଂସନୀୟ ହୋଇପାରିଛି । 
     
       ତେବେ ପରିତାପର ବିଷୟ ଏଭଳି ଏକ ସୁନ୍ଦର ସଙ୍ଗଠନର ପ୍ରତିଷ୍ଠାତା ଆଜି ଆମ ଗହଣରେ ନାହାନ୍ତି । ଯିଏ ସ୍ବଳ୍ପରୁ କଳ୍ପ ସୃଷ୍ଟି କରିଥିଲେ ଏବଂ ଯାହା ପାଇଁ ଏ ସଙ୍ଗଠନ ଦ୍ବାରା ସମାଜ ଓ ସାହିତ୍ୟ ରଙ୍ଗମୟ ହୋଇଥିଲା , ସେ ଆଜି ଚିରନିଦ୍ରାରେ .....। ନିଜର ପୈତୃକ ଜାଗା ବିକ୍ରି କରି ସେ ସମାଜର ଅବହେଳିତ , ନିଷ୍ପେଷିତ , ଭୋକିଲା ଲୋକଙ୍କ ମୁହଁରେ ଆହାର ଦେଇଥିଲେ । ସେ ଖାଲି ସମାଜସେବୀ ନଥିଲେ , ସେ କବି , ଲେଖକ ଓ ନାଟ୍ଯକାର ବି ଥିଲେ । ତାଙ୍କ ଆରାଧ୍ୟା ଥିଲେ ମାଆ ମଙ୍ଗଳା । ତାଙ୍କ ରଚିତ ପ୍ରଥମ ନାଟକ "ଅତ୍ଯାଚାରୀର ଲାଲ୍‌ ରକ୍ତ" ବେଶ୍‌ ମନଛୁଆଁ ହୋଇପାରିଛି । ଏଇ ନାଟକ ଲେଖା ଭିତରେ ବିତି ଯାଇଛି ଅନେକ ଝଡ଼ଝଞ୍ଜା , ଦେଶାନ୍ତର ହୋଇ ମାତୃ ସେବାରୁ ବଞ୍ଚିତ ହୋଇ ଶୋକ ପ୍ରକାଶ କରିଛନ୍ତି ବୋଲି ତାଙ୍କ ମୃତ୍ୟୁ ପରେ ଏକ ଦୈନନ୍ଦିନ ପାଣ୍ଡୁଲିପିରୁ ଉଦ୍ଧୃତ କରାଯାଇଛି । ପାଣ୍ଡୁଲିପିର ଆଲେଖ୍ୟନୁଯାୟୀ ସେ ଯୋଉ ଡ଼ାଳରେ ଗୋଡ଼ ଦେଇଛନ୍ତି , ସେ ଡ଼ାଳ ଭାଙ୍ଗିଛି ; ବହୁ ଲୋକଙ୍କ ଗାଳି , ଅସହ୍ଯ କଷଣ ଏବଂ ଅହଂଭାବକୁ ଖାତିର ନକରି ସବୁକିଛି ସହ୍ଯ କରି ଆଗକୁ ଅଗ୍ରସର ହେବାର ପ୍ରୟାସରେ ସେ ସର୍ବଶେଷରେ ସଫଳତା ପ୍ରାପ୍ତ କରିଛନ୍ତି । ତାଙ୍କ ନାଟକ ଲେଖାର ଉତ୍ସାହକ ଭାବରେ ତାଙ୍କର ପ୍ରିୟ ବନ୍ଧୁ ହରେକୃଷ୍ଣ ବାବୁ ଏବଂ ଅଲେଖ ବାବୁ ଅଛନ୍ତି ଯାହାକୁ ସେ ଅଜସ୍ର ଭଲପାଇବା ଓ ଧନ୍ଯବାଦ ଅର୍ପଣ କରିଛନ୍ତି ବୋଲି ପାଣ୍ଡୁଲିପିରୁ ଉଦ୍ଧୃତ । ଏହି ନାଟକ ପୁସ୍ତକଟିକୁ ସେ ମାଆ ମଙ୍ଗଳାଙ୍କୁ ସମର୍ପଣ କରିଥିଲେ । 

         ଦାରୁଣ ଦୈବ ଦାଉ ସାଧିଲା ପରି କର୍କଟ ବେମାରୀ ଛଡ଼ାଇ ନେଲା ତାଙ୍କ ଠାରୁ ସବୁ ହସଖୁସି ; ସୁଦିନ ଦେଖିବା ପୂର୍ବରୁ ଦୁର୍ଦ୍ଦିନକୁ ଆପଣାର କରିନେଲେ ନିବାସ ଚନ୍ଦ୍ର ଭୋଇ ସାର୍‌ । ସେ ଗୋପବନ୍ଧୁ ଦାସଙ୍କ ନିୟମର ଅନୁଗାମୀ ଥିଲେ । ସମାଜ ପାଇଁ ସେ ଦକ୍ଷ କର୍ମୀଟିଏ ଥିଲେ । ସୂଚନାଧିକାର କର୍ମୀ ଭାବରେ ସେ ଲୋକଙ୍କ ସୁବିଧା ଅସୁବିଧାକୁ ସରକାରଙ୍କ ପାଖରେ ପହଞ୍ଚାଇ ଜନ କଲ୍ଯାଣ ନିମନ୍ତେ ସର୍ବଦା ନିଜକୁ ଉତ୍ସର୍ଗୀକୃତ କରିଥିଲେ ।  ସେ ଥିଲେ ସଦାସର୍ବଦା କର୍ମତତ୍ପର । ଭଗବତ ଗୀତାକୁ ସେ ବେଦ ବୋଲି ମାନି ଗ୍ରନ୍ଥ ବର୍ଣ୍ଣିତ ଆଖ୍ୟାନନୁସାରେ କାର୍ଯ୍ଯ କରି ଚାଲୁଥିଲେ ।  - " କର୍ମ କର , ଫଳ ଆଶା ରଖନାହିଁ  ; କର୍ମାନୁରୂପ ଫଳ ଈଶ୍ୱର ଦେବେ "  - ଏହି ଗୀତାବାଣୀକୁ ସେ ନିଜ ଜୀବନରେ ଫୁଟାଇ ପାରିଥିଲେ । ଏଭଳି ଜଣେ ମହାନ ଚିନ୍ତାଧାରାର ବିରଳ ବ୍ଯକ୍ତିତ୍ବଙ୍କୁ ହରାଇ ଆମେ ସତରେ ନିଃସ୍ବ ପାଲଟି ଗଲୁ । ତାଙ୍କର ଶୂନ୍ଯସ୍ଥାନ ପୂରଣ କରିବାକୁ ଆଉ ସେଭଳି ଯୋଗଜନ୍ମା ବ୍ଯକ୍ତିତ୍ବର ଆବଶ୍ଯକତା ଥିଲେ ବି ସେ ସ୍ଥାନରେ ଅବସ୍ଥାପିତ କରିବାକୁ ସେମିତି ଜନନାୟକ ଜଣେ ଖୋଜିବା ଜଟିଳ ବ୍ଯାପାର । 

     ତାଙ୍କ ବିୟୋଗରେ ଆଭାସି ଶୋକସଭା ପାଳନ ହୋଇଥିଲା । ପୁନରାୟ ତାଙ୍କ ଏକାଦଶ ଦିବସରେ ସ୍ବତନ୍ତ୍ର ଶୋକସଭା କରାଯାଇ ଜଣେ ସମାଜସେବୀଙ୍କୁ ମଞ୍ଚ ଉପରେ ଶ୍ରୀନିବାସ ସ୍ମୃତି ସମ୍ମାନ ପ୍ରଦାନ ସହିତ ପ୍ରତିଷ୍ଠାତା ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇଙ୍କୁ ଉଦୟ ଭାନୁ ପରିବାର ତରଫରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଉଅଛି । ତାଙ୍କ ଦ୍ବାରା ପ୍ରତିଷ୍ଠିତ "ଉଦୟ ଭାନୁ"ର ସ୍ଥାନ ମଣ୍ଡନ କରି ନିଜକୁ ଗର୍ବିତ ମନେ କରୁଛି । ସେ ସିନା ମରଧାମ ତ୍ଯାଗ କରି ଚାଲିଯାଇଛନ୍ତି , ହେଲେ ମନଧାମରେ ଚିର ଜୀବିତ ଅଛନ୍ତି । ଆମ ମାନଙ୍କ ଗହଣରେ ଅଛନ୍ତି ; ପ୍ରତିଟି କାର୍ଯ୍ୟକୁ ନିରୀକ୍ଷଣ କରୁଛନ୍ତି । ସେ ନିରବରେ ଦେଖୁଛନ୍ତି ସେ ଆମ ମାନଙ୍କୁ ଦେଇ ଯାଇଥିବା ଦାୟିତ୍ବ ସୂଚାରୁ ରୂପେ ସମ୍ପାଦିତ ହେଉଛି ନା ନାହିଁ । ସେ ଅଧା କରି ଯାଇଥିବା କାର୍ଯ୍ଯକୁ ଆମକୁ ପୂରା କରିବାକୁ ପଡ଼ିବ ନିଶ୍ଚୟ । 

     ତାଙ୍କର ଏ ଅକାଳ ବିୟୋଗ "ଉଦୟ ଭାନୁ" ସଙ୍ଗଠନରେ ଖେଳାଇ ଦେଇଛି ଶୋକର ଛାୟା । ତାଙ୍କ ବିୟୋଗରେ ଗଛପତ୍ର ବି କରୁଛନ୍ତି ଅଶ୍ରୁ ବର୍ଷା । ଆଉ କିଛି ଲେଖିବାର ବଳ ଆଉ ଶୌର୍ଯ୍ୟ ମୋର ନାହିଁ ; ଏମିତି ଲେଖୁଥିଲେ ଲେଖୁଥିବି କେତେ ଦିବସ ବିତିଯିବ କହି ହେଉନି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ମୁଁ ଧୈର୍ଯ୍ୟଶକ୍ତି କ୍ଷୀଣ ପାଷାଣ ମୂରତି । ସତେ ଅବା ପାଲଟି ଯାଇଛି ପଙ୍ଗୁ , ସ୍ଥବିର । ତାଙ୍କୁ ଦେଖି ନପାରିବାର ଦୁଃଖଠୁ ବଳି ପଡ଼ିଲା ତାଙ୍କୁ ହରେଇବାର ଦୁଃଖ । ମତେ ଟିକେ କାନ୍ଦିବାକୁ ଦିଅ , ଅମାନିଆ ଲୁହ ଗୁଡ଼ାକ ଝରିଯାଉ ତାଙ୍କରି ସ୍ମୃତିରେ । ଅଶ୍ରୁ ଜଳରେ ମାନସୋପଚାର ପୂଜା ପୂର୍ବକ ତାଙ୍କ ଚରଣ ଧୌତ କରିବାର ସୌଭାଗ୍ୟ ତ ଟିକେ ମିଳୁ ; ଅମର ଆତ୍ମାର ସଦଗତି ପାଇଁ ଜଗତ ଠାକୁର ଜଗନ୍ନାଥଙ୍କ ପୟରପଦ୍ମ ଯୁଗଳେ ପରାର୍ଦ୍ଧ ପରାର୍ଦ୍ଧ ପ୍ରାର୍ଥନ ସହିତ ଆଜୀବନ ଦୁଃଖୀ ହୋଇ ରହୁଛି ମୁଁ ।  ଓଁ ଶାନ୍ତି.....

             ସମ୍ପାଦକ - ଉଦୟଭାନୁ 
ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 
             ୮୯୧୭୪୮୦୫୩୬
ଜୟ ସାହିତ୍ୟ, ଜୟ ସମାଜ

ବିମୂଢ ବିମୁକ୍ତି

                            ଡକ୍ଟର ଲକ୍ଷ୍ମଣ ସାହୁ 
ରାତି  ଜାଡ  ଓ କାକରରେ  ଭିଜୁଛି ।  ଭାଦ୍ର  ମାସର ଶେଷରେ  ,  ସାଧାରଣତଃ   ଜନବହୁଳ  ପାର୍ବତ୍ୟ  କି  ସମତଳ ଅଞ୍ଚଳରେ ଏହିପରି ପାଗ କେବେ ଆସେ ନାହିଁ ।  ବେଳେବେଳେ ପ୍ରବଳ ବର୍ଷା  ,  କେତେବେଳେ  ପୁଣି  ଝିପିଝିପି  ବର୍ଷା  ।  ସତେ ଯେମିତି  ସହରର  ମଧ୍ୟଭାଗରେ  ଥିବା ଘର ଗୁଡ଼ିକର ଅସହାୟ ଛାତ ଗୁଡ଼ିକ ଭାଙ୍ଗି ଆକାଶ ଆଡକୁ ମୁହଁ କରିଛି  ।

      ଆକାଶ ଓଲଟପାଲଟ ହେଉଛି  ।  ଘନ ଅନ୍ଧକାର ମଧ୍ୟରେ ଆକାଶ ଅଦୃଶ୍ୟ ଥିଲେ  ବି  ମଝିରେ ମଝିରେ ବିଜୁଳିରେ ଝାପସା ଝାପସା ଦିଶୁଛି ।  ଜଣା  ନାହିଁ  ,  ଏଭଳି ବର୍ଷାକୁ  କେହି କେବେ ପସନ୍ଦ କରନ୍ତି କି ନାହିଁ । କିନ୍ତୁ ଏହା ଓଦା ହେଉଛି , ଓଦା ହେବା ସମୀଚିନ  ।  ମଣିଷର ମୁଣ୍ଡ ଉପରେ ଥିବା ଛାତର ଅର୍ଥ ହେଉଛି ଏକ  ବଡ଼  ଆଶ୍ରୟ  ।  କିନ୍ତୁ ଛାତଟି ମଧ୍ୟ  ଆଶ୍ରୟସ୍ଥଳର  ଆଶା ଟିକେ  ରଖିଥାଇ   ପାରେ   ।   ବର୍ଷା   ହେବା   ମାତ୍ରେ   ଘରର ବାସିନ୍ଦାମାନେ ଛାତରୁ ଶୁଖାଇ ଥିବା ପୋଷାକ ଉଠାଇ ଆଣିଲେ । ନୋହିଲେ ବର୍ଷାରେ ପୋଷାକ ସବୁ ଭିଜି ଯାଇଥା'ନ୍ତା  ।

          କିନ୍ତୁ ଗତକାଲି ଜିନିଷ ଗୁଡିକ ସଜାଡ଼ିବା ବେଳେ  କେହି ଏହାକୁ ଖୋଜିବାକୁ  ଚାହୁଁ  ନଥିଲେ  ?  ତାଙ୍କର ଏତେ  ଚତୁର , ଅନିୟନ୍ତ୍ରିତ କ୍ରୋଧ , ଜିଦ୍‌ ,  କିନ୍ତୁ  ଏହି ଗୋଟିଏ ରାତ୍ରିକୁ ପାଇଲା ନାହିଁ  ।  ରାତିର ଅନ୍ଧାକାର ବଢ଼ିଲେ ରଙ୍ଗ କପଡା ଗୁଡ଼ିକ ମଧ୍ୟରୁ ଆଉ କେହି  ଉଜ୍ଜ୍ୱଳ  ଦିଶେ ନାହିଁ  ।  ସେଭଳି  ରାଜଶ୍ରୀଙ୍କ  ସହ ତୁଳନାତ୍ମକ ଏହି ଶରତଋତୁର ଆକାଶ ସମାନ ହେବାର ଥିଲା ।

         କିନ୍ତୁ  ଚଳିତ ବର୍ଷ  ଶରତ  ଆକାଶ  ଏ ପର୍ଯ୍ୟନ୍ତ  ତୋଫା ଦେଖାଯାଇ ନାହିଁ । ରାଜଶ୍ରୀ ଜିଦ୍‌ରେ ଥିବା ପରି  ଏହି ବର୍ଷ ବର୍ଷା ମଧ୍ୟ ଯିବାକୁ  ଚାହୁଁ ନାହିଁ  ।  ସତେ ଯେମିତି  ରାତି  ଓଦା ହୋଇ ପବନରେ ବୁଲୁଛି  ।  ପୋଷାକ ମେଳ  ଖାଉଥିବା  ତାର  ସହିତ ସଂଲଗ୍ନ   ହୋଇଛି  ,  ତେଣୁ  ଏହା  ଉଡ଼ି  କୈାଣସି  ସ୍ଥାନକୁ  ବି ଯାଇପାରିବ ନାହିଁ । ଅନ୍ୟଥା , ଏହା ହୁଏତ ଦୁଇ ମହଲା ବିଶିଷ୍ଟ ଘରର ଛାତକୁ ଉଡ଼ି ଯାଇଥା'ନ୍ତା  ।  ଦୂରରୁ ଏକ ସୁନ୍ଦର ବଗିଚା  ଘେରି  ରହିଛି ,  ଯେଉଁଠାରେ  ଅପରାହ୍ନରେ  ଏକ   କୁନି   ଝିଅ ସୂର୍ଯ୍ୟମୁଖୀ ପରି ହଳଦିଆ ରଙ୍ଗର ପେଟଲ୍ ଫ୍ରକ୍ ପିନ୍ଧି ଦୌଡ଼ିବ , କିମ୍ବା ବାମକୁ ଟିକିଏ, ପୂର୍ବ ପାର୍ଶ୍ୱରେ, ଯେଉଁଠାରେ ସୂର୍ଯ୍ୟ ଉଦୟ ହୁଏ ଯାଇ ଦେଖିବ । 

       ଘରର ଛାତ ଉପରେ ଏକ ଛୋଟ କାର୍ଯ୍ୟାଳୟ ଅଛି, ମନେ ହେଉଥିଲା ଏହା ଉଡ଼ି ଯାଇ ନିକଟସ୍ଥ ନିମ୍ବ ଗଛର ଏକ ଡାଳରେ ବା ବୁଦାରେ ଅଟକି ଯିବ  ।  ସେଠାରେ , ବୋଧହୁଏ ମା'  ପକ୍ଷୀ ଦୁଇ କିମ୍ବା ଚାରିଟି  ଅଣ୍ଡା  ପେଟରା  ଚଟାଣରେ  ରଖି  ସେଥିରେ ଉଷୁମ କରୁଥାଏ  ।  ସେହି ଅଣ୍ଡାରେ  ଆତ୍ମା  ​​ଜାଗ୍ରତ ହେଉଛି  । ଥଣ୍ଡା ଲାଗୁଥିବା ଶୀତ ସକାଳେ ଉଷୁମ ପାଣିରେ ସ୍ନାନ କରାଯିବା ଭଳି  ରାଜଶ୍ରୀଙ୍କୁ  ବାରଣ୍ଡାର ଗୋଟିଏ କୋଣର ଚଟାଣରେ ରଖା ଯାଇଥିବା ବେଳେ ଏହିପରି ଦୁ-ସ୍ୱପ୍ନ ଅନୁଭବ ହେଲା ।

           ମଧୁର ସୂର୍ଯ୍ୟ କିରଣ ତାଙ୍କ ଉପରେ ଲେସି ଉଠୁଥିଲା  । ଏହାକୁ ଚଟାଣରେ ରଖିବାର କାରଣ, ଯଦିଓ ସବୁବେଳେ ନୁହେଁ, ରାଜଶ୍ରୀ   ସମୟ   ସମୟରେ   ବାଥ୍‌    ରୁମରେ    ପୋଷାକକୁ ଭିଜାଉଥିଲେ । ଚେୟାର ଗୁଡିକ ନଷ୍ଟ ହୋଇଥାନ୍ତା । ଯଦିଓ ସେ ଗୋଡ ଲମ୍ବାଇ  ବସିଥିଲେ  ,  ଗୋଡ  ଲୁଚି  ପରି   ଫୁଲିଯିବ  । ବାରଣ୍ଡା  ଚଟାଣରେ  ଥିବା ସୂର୍ଯ୍ୟାସ୍ତ  ପର୍ଯ୍ୟନ୍ତ  ନୁହେଁ  ।  ସକାଳ ୯ଟାରୁ ଅପରାହ୍ନ ୫ଟା  ପର୍ଯ୍ୟନ୍ତ  ବସି ବସି  ବେଳେବେଳେ  ସେ ଅଶାନ୍ତ ହୋଇ ଘରେ ପାଟି କରିଥା’ନ୍ତି  ।

     ଘଣ୍ଟା ଘଣ୍ଟା ପାଇଁ ସମାନ କଥା ବାରମ୍ବାର କୁହାଯାଇପାରେ । ବେଳେ ବେଳେ  ଘରର ମାଲିକ  କାହାକୁ  ଗାଳି  ଦେବା ବେଳେ ନିଶ୍ଚିତ ପାଞ୍ଚ ମିନିଟ୍‌ର ନୀରବତା ରହିଥାଏ । ଚିତ୍କାର ଶୁଣି ଜଣେ ଅନୁମାନ   କରିପାରନ୍ତି   ଯେ  ସେ  କିଛି  କହୁଛନ୍ତି  ।  ସବୁକିଛି ସବୁବେଳେ ସ୍ପଷ୍ଟ ନଥିଲା  ।  ସେ  କ'ଣ ଚାହୁଁଛନ୍ତି , ତାହା  ସ୍ପଷ୍ଟ ହୋଇନଥିଲା  ।
        କିନ୍ତୁ ଏହା ବୁଝିହେବ ଯେ ସେମାନଙ୍କ ମଧ୍ୟରୁ ଯେକୈାଣସି ବ୍ୟକ୍ତି ଦାବି , ଅଣ-ଷ୍ଟପ୍ , ଅବିସ୍ମରଣୀୟ  ।  ପୁରୁଣା ପଡ଼ୋଶୀର ପୈତୃକ ଘର ପାର୍ଶ୍ଵରେ ରହିବା  ବେଳେ ପଡ଼ୋଶୀ ମାନେ ବିରକ୍ତ ହୋଇଥିଲେ ମଧ୍ୟ ଶେଷରେ ତାହା ସହଜରେ  ଗ୍ରହଣ  କରିନେଇ ଥିଲେ   ।   ଅଫିସ୍   କର୍ମଚାରୀମାନେ  ,  ଛାତ୍ରମାନେ , ରାସ୍ତାର ଯାତ୍ରୀମାନେ ବାରଣ୍ଡା ଉପରେ  ବସିଥିବା  ରାଜଶ୍ରୀଙ୍କୁ ଦେଖନ୍ତି  । କେହି କେହି ଆଶ୍ଚର୍ଯ୍ୟ ହୁଅନ୍ତି ତାଙ୍କର ଚେହେରା ଶରୀର ଦେଖି , ଅନେକ ଟିକିଏ ସହାନୁଭୂତି ଦେଖାନ୍ତି  ।  ବେପାର  ସାରି  ସନ୍ଧ୍ୟା ଯାତ୍ରୀମାନେ ଫେରୁଥିବା ବେଳେ ଉପହାସ ଛଳରେ କଥା ହୁଅନ୍ତି , - ଝିଅକୁ ଦେଖ  ।  ତାକୁ କେତେ  ବୟସ  ହୋଇଥିବ  କୁହ ?  ‘କିଏ ଜାଣେ , ବୁଝିବାର କୈାଣସି ଉପାୟ ନାହିଁ  ।
      ଇସ୍ ! ଥରେ ପିତାମାତାଙ୍କ ଅବସ୍ଥା ବିଷୟରେ ଚିନ୍ତା କରନ୍ତୁ ।  ହଁ , ବୋଧହୁଏ ସେମାନଙ୍କର ଅତୀତ  ପାପର ଫଳ  ।  ମୁଣ୍ଡ ଖରାପ ଅଟେ ,  କିଏ ଆଗପଛ ହୋଇ ଚାଲିଯିବେ କି ନାହିଁ କିଏ ଜାଣେ ! ଏବିଷୟରେ ଥରେ ଚିନ୍ତା କର , କ’ଣ ହେବ । ଏହା ଏକ ବଡ ବୋଝ , ଘର  ଭିତରେ ବୁଲିବ  ।  ଦୁଇ ଜଣ ପରସ୍ପର ମଧ୍ୟରେ କଥା ବାଣ୍ଟୁ ଥିଲେ  ।
      ସେମାନଙ୍କ ଆଲୋଚନାର ବିଷୟ ଏକ ସମୟରେ ବଦଳିଥାନ୍ତା । ରାଜଶ୍ରୀ ତଥାପି ବାରଣ୍ଡା ଉପରେ ବସିଥିଲେ । ଗଛ, ଫୁଲ, ପକ୍ଷୀ, ରାସ୍ତା, ରିକ୍ସା, ବସ୍, ଲୋକ, କୁକୁର, ବିଲେଇ, ଆକାଶ, ମେଘ, ସମସ୍ତେ ଦୁଇଟି ଆଖିରେ ଚାହିଁଲେ । ବେଳେବେଳେ ଏକ ଲମ୍ବା ହସ । କେତେବେଳେ ଉଚ୍ଚ ସ୍ୱର, ବେଳେବେଳେ ଖାସି ଉଠନ୍ତି । ପୁନଶ୍ଚ କେତେବେଳେ ଜୋରରେ କଥା ହେଉଥିଲେ । ମଶା, ମାଛି, ପିମ୍ପୁଡ଼ି, ପୋକ, ପ୍ରଜାପତି, ଯାହା ତାଙ୍କ ନିକଟରେ ପଡୁଥିଲା, ସବୁକିଛି ଦେଖୁଥିଲେ, ନିଜ ହାତରେ ସେ ଛୁଇଁବାକୁ ଚାହୁଁଥିଲେ ।

       ଥରେ ଏକ ବ୍ୟସ୍ତବହୁଳ ମହୁମାଛି ଉଡ଼ିଗଲା ବେଳେ ଠିକ୍ ସେହି ସମୟରେ କାଳି ବିଲେଇଟିଏ ପାଖଦେଇ ଚାଲିଗଲା । ସେହି ଦିନ ମଧ୍ୟ ସେ ଧୂସର ଓ ଧଳା ଫୁଲ ଫୁଲ୍ ଏମ୍ବ୍ରୋଡୋରୀ ସହିତ ରାତିର ଆକାଶ ସହ ମେଳଖାଉଥିବା ଫ୍ରକ୍ ପିନ୍ଧିଥିଲେ । ରାଣୀ ମହୁମାଛି ବୋଧହୁଏ ମହୁଫେଣା ଉପରେ ବସି ମଝିରେ ମଝିରେ ଏପଟସେପଟ ହେଉଥିଲା ।
       ରାଜଶ୍ରୀ ଦୀର୍ଘ ସମୟ ଧରି ମହୁମାଛି ଉଡ଼ିବାର ଦେଖୁଥିଲେ ।  ହାତରେ ସେ ମହୁମାଛି ଧରିବାକୁ ଯାଇଥିଲେ । ସେହି ହାତଟି ଥିଲା ଅମୃତମୟ ପ୍ରେମ, ଯତ୍ନର ମା' ଭଳି କୋମଳ ସ୍ପର୍ଶର ପ୍ରତୀକ  । କିନ୍ତୁ, ମଣିଷ ପରି, ମହୁମାଛି ଭୁଲ କରନ୍ତି । ପ୍ରେମର ହାତ ସବୁବେଳେ ଚିହ୍ନି ପାରିବ ନାହିଁ । ହଠାତ୍ ରାଣୀ ମହୁମାଛି ଉଡିଯାଇ ଅନ୍ୟତ୍ର ବସିଗଲା । ତା’ପରେ ରାଜଶ୍ରୀ ବାରଣ୍ଡାକୁ ଡେଇଁ ପଡ଼ିଲେ, ଚିତ୍କାର କରେ, କାନ୍ଦିଲେ, ହାତ ଏବଂ ପାଦ କଚାଡ଼ିଲେ ।  ଯେତେବେଳେ କେହି ପ୍ରତିକ୍ରିୟା ନ କରନ୍ତି, ଥଣ୍ତା ଥିବା ଶୀତର ଶେଷରେ ବାଥରୁମ୍ ରୁ କିଛି ଜଳ ଚଟାଣରେ, ପୋଷାକରେ ପକାଇ ଚାଲନ୍ତି ।

     ଉଷୁମ ପୋଷାକର ଡୋଫା ପୂର୍ବରୁ ସୂର୍ଯ୍ୟକିରଣକୁ ଦିଆଯାଏ । ଫଳସ୍ୱରୂପ ରାଜଶ୍ରୀଙ୍କ ପିଠିରେ ଅନେକ ଥର ଆଘାତ ଲାଗିଥିଲା । ଯେଉଁମାନେ ତାଙ୍କୁ ଭଲ ପାଆନ୍ତି, ସେମାନେ ଧୈର୍ଯ୍ୟ ହରାନ୍ତି ଏବଂ ବେଳେବେଳେ ଏପରି ଚରମ ଅପରାଧ କରନ୍ତି । ସେତେବେଳକୁ, ତାଙ୍କ ପିତାମାତା ବୃଦ୍ଧ  ଓ ଅସୁସ୍ଥ ଥିଲେ । ଘରର ବୃଦ୍ଧ ଭୃତ୍ୟଙ୍କ ବୟସ ମଧ୍ୟ ବୃଦ୍ଧି ପାଇଛି । ତଥାପି ସେ ତା’ର ଯତ୍ନ ନିଅନ୍ତି । ଯଦିଓ ସେ ପାରିବେ ନାହିଁ, ତଥାପି ସେ ତାଙ୍କ ଶାସନ ଅଧୀନରେ କାମ କରନ୍ତି ନାହିଁ, ତେବେ  ନିଶ୍ଚିତ ଭାବରେ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରନ୍ତି । ବୋଧହୁଏ ତା'ଙ୍କ ପରି କେହି ବୁଝିବାକୁ ଚାହାଁନ୍ତି । କିନ୍ତୁ ଅସମ୍ପୂର୍ଣ୍ଣତାକୁ ବୁଝିବା କିମ୍ବା ବ୍ୟାଖ୍ୟା କରିବା ସହଜ ନୁହେଁ , ସମସ୍ତେ କରିପାରିବେ ନାହିଁ । ବୟସ ହେତୁ ମା' ବେଳେବେଳେ ରାଜଶ୍ରୀଙ୍କ ଉପରେ ଅତିଷ୍ଠ ଓ ଧୈର୍ଯ୍ୟହରା ହୋଇପଡନ୍ତି ।

       ଟିକିଏ ବଡ ହୋଇଥିବା ଏହି ଭିନ୍ନ ପ୍ରକାରର ପିଲା ଉପରେ ଦୁଃଖ, ହତାଶା, ଅକ୍ଷମତା, କ୍ରୋଧ, ଅଭିମାନ ସବୁ ବାହାରକୁ ଆସିଯାଏ । ବିଶେଷ କରି ପୁଅ ବିଦେଶ ପଢିବାକୁ ଯାଇ ସେଠାରେ ବିବାହ କରି ସେଠି ଅଟକି ଯିବା ବେଶୀ ବାଧିଛି । ବଡ଼ ଝିଅ ବହୁତ ଭଲ ପଢେ , ସେ ମଧ୍ୟ ବିଦେଶରେ ପଢିବାକୁ ଚେଷ୍ଟା କରୁଛି । 

       ମାଆ ଏଇ ସାନ ଝିଅ ରାଜଶ୍ରୀ ପାଇଁ ବାଟ ହରାଇ ଦେଇଛନ୍ତି । ସ୍ୱାମୀ ମଧ୍ୟ ସେହି ସମୟରେ ଅସୁସ୍ଥ । ସେମାନଙ୍କ ଅନୁପସ୍ଥିତିରେ ଏହି ଝିଅ ସହିତ କ’ଣ ହେବ ସେ ବୁଝନ୍ତି ନାହିଁ । ଯେମିତି ଏତେ ବଡ଼ ପୃଥିବୀରେ ସ୍ୱତନ୍ତ୍ର ଲୋକଙ୍କ ପାଇଁ ବିଶ୍ୱାସଯୋଗ୍ୟ ସ୍ଥାନ ଗୁଡ଼ିକର ଅଭାବ ରହିଛି । ନିରାପଦର ସ୍ଥାନ ଖୋଜିବା ସହଜ ନୁହେଁ । ଯଦିଓ ସେ ବହୁତ ଫିକର୍ ପାଆନ୍ତି । ଏହି ସାତ କିମ୍ବା ପାଞ୍ଚଟି ଚିନ୍ତାଧାରାରେ ମା ଶୋଇ ପାରନ୍ତି ନାହିଁ । ବିଛଣାରେ ପଡିରହି ଛଟପଟ ହୁଅନ୍ତି, ଅତୀତର ମଧୁର ମୁହୂର୍ତ୍ତ ଗୁଡିକୁ ଖୋଜନ୍ତି  ।

       ରାଜଶ୍ରୀଙ୍କ ପ୍ରତି ମା' ଜାଗ୍ରତ ରୁହନ୍ତି । ସେ ଶୋଇଥିବା ଝିଅର ଶରୀର ଉପରେ ହାତ ବୁଲାଇଲେ, ସିଟ୍ ଓ ତକିଆ ଠିକ୍ କରିବେ । ଝିଅ ବେଳେବେଳେ ଆକାଶୀ ରଙ୍ଗର ନାଇଟି ପିନ୍ଧେ, ବେଳେବେଳେ ସେ ଛାତିରେ ମା'ଙ୍କ ବାହୁ ଧରି ଶୋଇଥାଏ । ମା' ଜାଣିଥିଲେ ଯେ ଆକାଶୀ ରଙ୍ଗ ତାଙ୍କ ଝିଅ ପାଇଁ ଅତ୍ୟନ୍ତ ପ୍ରିୟ । ଏକଦା ଏକ ଅପୂର୍ବ ବୟସ ଥିଲା । ଝିଅର ଶରୀର ବଢିଗଲା, କିନ୍ତୁ ତା’ର ମନ ବଢିଲା ନାହିଁ । ତାଙ୍କର ଚିନ୍ତାଧାରା ଦୁନିଆ ଧୀରେ ଧୀରେ ଅଧିକ ଭିନ୍ନ ହୋଇଗଲା, ଯାହା ତଥାକଥିତ ସାଧାରଣ ଲୋକଙ୍କ ପାଇଁ ସାଧାରଣ ଦେଖାଯାଏ ନାହିଁ । 

         ଶେଷରେ ଜେଜେବାପାଙ୍କ ପରି ରାଜଶ୍ରୀଙ୍କ ବଡ଼ ଭଉଣୀ ମଧ୍ୟ ବିଦେଶ ଯାଇଥିଲେ । ଦିନେ ରାଜଶ୍ରୀଙ୍କୁ ଭଲପାଉଥିବା ଜେଜି ମା' ଅଧିକ ଦୂରକୁ ଚାଲିଗଲେ । ଯେଉଁଠାରୁ କେହି କେବେ ଫେରନ୍ତି ନାହିଁ । ବାପା, ରାଜଶ୍ରୀ ଏବଂ କାମ କରୁଥିବା ମାଉସୀ ଦାଦାଙ୍କ ଉଦ୍ୟମରେ ସବୁକିଛି ପରିଚାଳନା କରିବାର ସୁବିଧା ଏବଂ ନିରାପତ୍ତା ହେତୁ ପୁରୁଣା ପଡ଼ୋଶୀ ଓ ପୁରୁଣା ଘର ଛାଡ଼ି ବହୁ ମହଲା ଫ୍ଲାଟକୁ ଚାଲିଗଲେ । ବାପା'ଙ୍କ ଯତ୍ନ ନେବା ପାଇଁ ନାନୀ ଓ ନର୍ସଙ୍କ ସହିତ ଦାଦା ସମସ୍ତ ବ୍ୟବସ୍ଥାରେ କୈାଣସି ଭୁଲ କରିନାହାଁନ୍ତି ।

       ରାଜଶ୍ରୀ ନୂଆ ଘରକୁ ଆସିବା ପରେ ମଧ୍ୟ ବାରଣ୍ଡା ଉପରେ ବସିଥାନ୍ତି । ସେହିଭଳି, ବେଳେବେଳେ ସେ ପ୍ରତିଶ୍ରୁତି ଦିଅନ୍ତି, ବେଳେବେଳେ ସେ ଶାନ୍ତ ରହନ୍ତି । ଚିତ୍ର ଆଙ୍କିବା ବ୍ୟତୀତ ନିଜେ କିଛି କରିପାରନ୍ତି ନାହିଁ । ସେ କାଗଜ ପରେ କାଗଜରେ ରଙ୍ଗ ପେନ୍ସିଲ ସହିତ ଚିତ୍ର ଆଙ୍କନ୍ତି, ଯାହା ମଧ୍ୟରୁ ଅଧିକାଂଶ ଅନ୍ୟମାନଙ୍କ  ଚିତ୍ରରେ ଲିପିବଦ୍ଧ ।

         ରାଜଶ୍ରୀ, ଯିଏକି ତାଙ୍କ ବୟସ, ଜନ୍ମଦିନ ବିଷୟରେ କିଛି ଜାଣନ୍ତି ନାହିଁ । ଯେତେବେଳେ ସେ ପିଲାମାନଙ୍କୁ ସ୍କୁଲ ୟୁନିଫର୍ମ ପିନ୍ଧି କିଛି ଅଜଣା କାରଣରୁ ଦେଖି ଉତ୍ସାହିତ ହୁଅନ୍ତି ।  ଯେତେବେଳେ ସେମାନଙ୍କ ମଧ୍ୟରୁ ଜଣେ ଆଇସକ୍ରିମ୍ ଖାଇବାକୁ ଯାଆନ୍ତି, ସେତେବେଳେ ସେ ନିଜେ ଆଇସକ୍ରିମ୍ ପାଇଁ ଏକ ଜିଦ୍ କରନ୍ତି । ସମୟ ସମୟରେ ସେ ନିଜ ଆଡକୁ ଅଙ୍ଗଭଙ୍ଗୀ କରନ୍ତି, ଯେପରି କାନ୍ଧରେ ଏବଂ ପିଠିରେ ବ୍ୟାଗ ନେଇଯାଆନ୍ତି । ବୋଧହୁଏ ଏକ ସ୍କୁଲ ବ୍ୟାଗ୍ । ତାଙ୍କ ପିତା, ମା, ଯେତେବେଳେ ସେମାନେ ସୁସ୍ଥ ଥିଲେ, ସେତେବେଳେ ସେମାନେ ରାଜଶ୍ରୀଙ୍କୁ ଏକ ସ୍ୱତନ୍ତ୍ର ବିଦ୍ୟାଳୟରେ ଭର୍ତ୍ତି କରିବା ପାଇଁ ଚିନ୍ତା କରିଥିଲେ ।

        ସେହି ସମୟରେ ରାଜଶ୍ରୀଙ୍କୁ ପ୍ରାୟ ତେର କିମ୍ବା ଚଉଦ ବର୍ଷ ଥିଲା । କିଛି ସମୟ ପାଇଁ ବିଦ୍ୟାଳୟକୁ ଗଲା । ପ୍ରତିଦିନ ସ୍କୁଲକୁ ଆସୁଥିଲେ । ରାଜଶ୍ରୀ ଅନ୍ୟମାନଙ୍କ ସାହାଯ୍ୟରେ ପୋଷାକ ଏବଂ ଜୋତା ପିନ୍ଧି ସ୍କୁଲ ବସ୍ କୁ ଯିବା ଏବଂ ଉଠିବା ପୂର୍ବରୁ ବିପରୀତ ଘରର ବାରଣ୍ଡା ଉପରେ ଠିଆ ହୋଇ ଜଣେ ଦିଦି ହାତ ହଲାଇ ଦେଖୁଥିଲେ । ସେ ଏହା କରୁଥିଲେ । ଯଦି କେହି ନିକଟସ୍ଥ ଘରର ବାରଣ୍ଡା ଉପରେ ଠିଆ ହୋଇଥିଲେ, ତେବେ ସେ ମଧ୍ୟ ସେଲିବ୍ରିଟି ଶୈଳୀରେ ସେମାନଙ୍କ ସହ ହାତ ମିଳାଇଥାନ୍ତେ । ଖୁସିର ଚେହେରା ଉତ୍ଫୁଲ୍ଲିତ ହୋଇଉଠୁଥିଲା । ତା’ପରେ ସେ କାରରେ ବସିବେ ।

         ଛୁଟିଦିନରେ ପଡୋଶୀମାନେ ଅପୂର୍ବ ଚିତ୍କାର ଶୁଣିଥିଲେ । ବିଦ୍ୟାଳୟକୁ ଯିବା ସମୟରେ, କିଛି ସମୟ ପାଇଁ ଗୋଟିଏ ଅଭାବନୀୟ ଦୃଶ୍ୟ ଚାଲୁଥିଲା । ଯେତେବେଳେ ରାଜଶ୍ରୀକୁ ସବୁକଥା କୁହାଯାଏ ଏବଂ କରାଯାଇଥିଲା ପଡୋଶୀମାନେ ସେସବୁ ଦେଖୁଥିଲେ । ଏବେ ସେହି ପରିଚିତ ଦୃଶ୍ୟ ଦେଖାଯାଉ ନାହିଁ ।  ସେଠି ଆଉ କାର୍ ନାହିଁ । ରାଜଶ୍ରୀ ମଧ୍ୟ ବିଦ୍ୟାଳୟକୁ ଯାଆନ୍ତି ନାହିଁ । ଏହାର କାରଣ କେହି ବୁଝି ପାରିଲେ ନାହିଁ । ବିଦ୍ୟାଳୟରେ ବିଶୃଙ୍ଖଳା କିମ୍ବା ପିତାମାତାଙ୍କ ଉତ୍ସାହର ଅଭାବ, ବୋଧହୁଏ ସେମାନଙ୍କୁ ଅଛପା ରହିଗଲା ।

          ମା' ଝିଅକୁ ସବୁ ଦିନ ଭଳି  ଖୁଆଇଲା ବେଳେ ରାଜଶ୍ରୀ ସବୁଥର ପରି ନିଜ ପାଟିରେ ଚାପି ରଖି ଜମା କରୁଥିଲେ । ସେ ସେତେବେଳେ ଏକୋଇଶ ବର୍ଷ ବୟସ ହୋଇଥିଲେ । ମା' କ୍ରୋଧିତ ଭାବରେ ତାଙ୍କ ଗାଲକୁ ଟିପିଲେ । ରାଜଶ୍ରୀ କାନ୍ଦୁଥିବା ଅନେକ ଦେଖି ଥିଲେ ମଧ୍ୟ ସମସ୍ତେ ନିରବ ଥିଲେ । ସେଦିନ ରାତିରେ ଘରେ ବହୁତ କୋଳାହଳ ହୋଇଥିଲା ।

      ପରଦିନ ବାରଣ୍ଡା ଉପରେ ବସି ସେ ଦେଖିଲେ ଯେ ତାଙ୍କ ମା' ଏକ କାରରେ ବସିଛନ୍ତି । ସମସ୍ତେ କାନ୍ଦୁଥିଲେ । ସେ କାନ୍ଦିଲେ ନାହିଁ । ସମସ୍ତଙ୍କୁ, ସବୁକିଛି ଦେଖିଲେ ରାଜଶ୍ରୀ ସେଦିନ ତାଙ୍କ ପିତାଙ୍କ ଘରକୁ ଯାଉଥିଲେ । ବାପା ମୁଣ୍ଡ ନୁଆଁଇ ବସିଥିଲେ , ଥରୁଟିଏ ତାଙ୍କ ଆଡକୁ ଚାହିଁଲେ ନାହିଁ, କି କିଛି କହିଲେ ନାହିଁ । ବୋଧହୁଏ ସେଦିନ କ'ଣ ପାଇଁ ବାପା ତାଙ୍କୁ ଚିହ୍ନି ପାରିନଥିଲେ । ରାଜଶ୍ରୀ ଏହା ବୁଝି ନଥିଲେ ?  ସେଇ ନୀରବତା ଭିତରେ ବାପା କ'ଣ କହିବାକୁ ଚାହୁଁଛନ୍ତି ?

      କି'ଏ ଜାଣେ ରାଜଶ୍ରୀ ପ୍ରତିଦିନ ନିୟମ ତିଆରି କରି ବିଭିନ୍ନ ରଙ୍ଗ ସହିତ ଚିତ୍ର ଆଙ୍କିବାରେ କେତେ ଚିତ୍ର ବ୍ୟବହାର କରୁଥିଲେ । କ’ଣ ଚିତ୍ର ଯାହା କେହି ବୁଝିପାରିବେ ନାହିଁ । ଆଜି ସକାଳ ଠାରୁ କିଛି ସମୟ ଲାଗିଲା । ଏବେ ପୁଣି ବର୍ଷା ଆରମ୍ଭ ହେଲା । ଧଳା ଧୂଆଁରେ ଚାରିଆଡେ ଓଦା କୁଣ୍ତଳୀ ସୃଷ୍ଟି କରୁଥିଲା ।

      ଆଚ୍ଛାଦିତ କୁହୁଡି ରାତିରେ ଛାତ ଉପରେ ଥିବା ଟବରେ ପାଣି ପଡୁଛି । ନୟନତାରା, ସନ୍ଧ୍ୟା, ମାନି, ତୁଳସୀ, ହାଇବ୍ରିଡ୍ ଟଗର୍ ଗଛ ପାଖରେ ଠିଆ ହୋଇ କ'ଣ କିଛି ଫୁସ୍ ଫାସ୍ ହେଉଥିଲେ । ତଥାପି କୁହୁଡି ଭରା ରାତିର ଘନ ଅନ୍ଧକାର ଭିତରେ ବିଲଡିଂର ତଳ ଭାଗରେ ଠିଆ ହୋଇଥିବା କାର୍ ଟି ଏକ ସ୍କୁଲ ଭ୍ୟାନ୍ ପରି ଦେଖାଯାଉଥିଲା । ୟୁନିଫର୍ମ ପିନ୍ଧିଥିବା ତିନିଜଣ ମହିଳା ରାଜଶ୍ରୀଙ୍କୁ ନେବାକୁ ଆସିଥିଲେ , ଯେଉଁଠି ସ୍ୱତନ୍ତ୍ର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ ।

        ସେମାନେ ରାଜଶ୍ରୀଙ୍କ ସହ ଏକ ବଡ ହସ ଏବଂ ଯତ୍ନ ସହ କଥା ହେଲେ । ଘରେ ସମସ୍ତେ ମିଶି ସମସ୍ତ ବ୍ୟବସ୍ଥା କରିଥିଲେ । ଆଗନ୍ତୁକ ମହିଳାମାନେ ସମସ୍ତ  ଜିନିଷକୁ ଯତ୍ନର ସହିତ ସଜାଇଥିଲେ । କେବଳ ବହି ଏବଂ ଚିତ୍ର ଆଙ୍କିବା - ପେନ୍ସିଲ ବାକ୍ସ ଏବଂ ବ୍ୟାଗକୁ ଅନୁମତି ଦିଆଯାଇନଥିଲା । ସେ ନିଜେ ଉଠି କାରରେ ବସିଗଲେ । କାରଟି ଚାଲିବା ଆରମ୍ଭ କଲା । 

      ନିର୍ବୋଧଙ୍କ ପରି ରାଜଶ୍ରୀ କାର ଝରକା ଦେଇ ଚାହିଁ ରହିଛନ୍ତି । ଆଗପରି ଚିତ୍କାର କରିବାର ସମ୍ବଳ ହରାଇ ବସିଛନ୍ତି । ଘର, ବାରଣ୍ଡା, ଘରର ଛାତ, ଅଫିସ୍ ହାଉସ୍, ମନ୍ଦିର, ଘର, ବେଳେବେଳେ ଅପରିଷ୍କାର ଧୂଳି ଗଛରେ ଆବଦ୍ଧ, ଆଉ କିଛି ଦେଖାଯାଉ ନାହିଁ । କେବଳ ସେ ବଲବଲ ହୋଇ ଚାହିଁଛନ୍ତି । ବୋଧହୁଏ ସେ ଏହି ପରିଚିତ ଦୃଶ୍ୟଗୁଡ଼ିକୁ ଆଉ କେବେ ଦେଖି ପାରିବେ ନାହିଁ । ସତେ ଯେପରି ସେ ସେଠାରେ ଥିବା ନିଜ ଲୋକମାନଙ୍କୁ, ଆଉ ପୁରୁଣା ଘରର ଚାରିପାଖର ଦୃଶ୍ୟ ଦେଖିପାରୁ ନାହାନ୍ତି । ଯେପରି ସେ ଆଉ ତା'ଙ୍କ ମା'ଙ୍କୁ ଦେଖି ପାରିବେ ନାହିଁ ।  ବାପା, କାମ କରୁଥିବା ମାଉସୀ, ବର୍ତ୍ତମାନ କାହା ସହିତ ନାହାନ୍ତି । କାରଟି ଗତି କରୁଛି । 

      ରାଜଶ୍ରୀ ତାଙ୍କ କୋଳରେ ଲୁଚାଇ ରଖିଥିବା ଚିତ୍ରାଙ୍କନ ଖାତା ଖୋଲିଲେ । ସମୟ ଚକ୍ରରେ ହଜିଯାଇଥିବା ଦୃଶ୍ୟ ତାଙ୍କ ନୋଟବୁକ୍ ର ପୃଷ୍ଠାରେ କଏଦ ହୋଇଛି । ସମସ୍ତ ପରିଚିତ ରଙ୍ଗ ବୋଳା ମୁହଁ, ସମସ୍ତ ପରିଚିତ ଲୋକ, ସମସ୍ତ ପରିଚିତ ବାସ୍ନା, ଏହି ପେଣ୍ଟିଂ ପୁସ୍ତକ ତାଙ୍କର ଏକମାତ୍ର ସମ୍ବଳ ଯେମିତି ପାଲଟି ଯାଇଛି ।

     ଏକ ନୂଆ ଧଳା ଫର୍ଦ୍ଦ ଓଲଟପାଲଟ ହେଉଛି । ତା’ପରେ  ସେ ରଙ୍ଗ ପେନ୍ସିଲ ଖୋଜିବା ଆରମ୍ଭ କଲେ । ସେ ନିଜକୁ ଭାବିଲେ ଯେ ଧଳା ଫୁଲ ଫୁଲର ରାତିରେ ରଙ୍ଗ ଦେବା ଉଚିତ୍ । ତାଙ୍କ ଭାବନାର ଭାଷାକୁ କେହି ବୁଝିପାରିଲେ ନାହିଁ, ତେଣୁ ସେ ରାତିର ବ୍ୟବସ୍ଥା କରିନଥିଲେ  କିନ୍ତୁ ଏଥିରେ କ’ଣ ଅଛି ?  ତାଙ୍କ ଚିତ୍ରିତ ରଙ୍ଗକରା ବହିରେ ସବୁକିଛି ହଜିଯାଇଛି, ସମସ୍ତେ ପାଖରେ ଥାଇ ବି ପାଖରେ ନାହାଁନ୍ତି ।

        ଅସମ୍ପୂର୍ଣ୍ଣ ରଙ୍ଗ - ଏକ ସ୍କୁଲର ୟୁନିଫର୍ମ ନିୟମ ପାଳନ କରୁଥିବା ନାରୀମାନଙ୍କ ମଧ୍ୟରୁ ଜଣେ, ଏକ ପେନ୍ସିଲ୍ ଖୋଜୁଥିଲେ, ଅନେକ ରଙ୍ଗୀନ ପେନ୍ସିଲ୍ ଦେବାକୁ ଯାଇଥିଲେ । ଏହା ନୁହେଁ, ତାହା ନୁହେଁ କହି ରାଜଶ୍ରୀ ସବୁକିଛି ବାତିଲ କରୁଥିଲେ । ସେମାନେ ଦେଉଥିବା କୈାଣସି ରଙ୍ଗକୁ ସେ ପସନ୍ଦ କରୁନଥିଲେ । ସେ ନିଜକୁ ଭାବୁଥିଲେ ଯେ ସେମାନେ କେଉଁ ରଙ୍ଗ ଜାଣନ୍ତି ନାହିଁ ? ନୂଆ ରଙ୍ଗ କ’ଣ ? ରଙ୍ଗରେ ପୁଣି ପୁରୁଣାର ଦାଗ ନା ଆଉ କେଉଁ ରଙ୍ଗ ? ପରିଚିତ, ଅପରିଚିତ ବ୍ୟକ୍ତି, ପ୍ରେମ, ଲୁହ, ହସ ସବୁକିଛିର ରଙ୍ଗ କ’ଣ ଭିନ୍ନ ଭିନ୍ନ ହୋଇପାରେ । ଯେତେବେଳେ ସେ ତାଙ୍କ ମା’ଙ୍କ ସହ କାରରେ ଯାଉଥିଲେ ସମସ୍ତେ ତାଙ୍କ ମୁଣ୍ଡରେ ହାତ ରଖିଥିଲେ, ତାଙ୍କ ଶରୀରରେ ଏକ ପୁଲକର ରଙ୍ଗ ନେସି ହୋଇ ଯାଇଥିଲା । ପୁଣି ସେହି ମଣିଷ ରଙ୍ଗ ହୀନ ପାଲଟିଯାଏ କେମିତି କେଜା'ଣି ?
     
      ବିପରୀତ ପାର୍ଶ୍ୱରେ ଥିବା ଘରେ କୁନି ଝିଅ ଯେତେବେଳେ ସ୍କୁଲକୁ ଯିବ, ସେ ସମୟରେ ସମସ୍ତେ ତାକୁ ହାତ ହଲାଇ ବାଏ ବାଏ କହିବେ ‌। ସ୍କୁଲ ନଯିବାକୁ ଯେତେବେଳେ ରାଜଶ୍ରୀ ତାଙ୍କ ପୋଷାକକୁ ଭିଜାଇବେ କିମ୍ବା ଅନ୍ୟମାନଙ୍କୁ ସ୍ପଷ୍ଟ ଭାବରେ ଡାକିବେ କିମ୍ବା ସେମାନଙ୍କୁ ଅଶାନ୍ତ କରିଦେବେ, ସେମାନେ ତାଙ୍କୁ ଛାଟରେ ପିଟିବେ । 

        ସେହି ପୁରୁଣା ଅଭ୍ୟାସଗତ ଶରୀରରେ ପ୍ରହାର ବା ମା'ଙ୍କର ରଙ୍ଗ ବୋଳା କଅଁଳ ହାତର ସ୍ପର୍ଶ ଥାଏ । ରାଜଶ୍ରୀ ସେହି ରଙ୍ଗ ଆଉ କେବେ ପାଇପାରିବେ କି ନାହିଁ କାହାରିକୁ ଜଣାନାହିଁ...??
 ତାରା ନିଳୟ , ପ୍ଳଟ୍ ୮୫୪/ଏ
ଚାଚରା ଶବରସାହି , ମୁକୁନ୍ଦ ପ୍ରସାଦ ,  ଖୋର୍ଦ୍ଧା - ୫୫
ସଂପର୍କ - ୯୦୪୦୧୫୧୪୭୫
ଜୟ ସାହିତ୍ୟ, ଜୟ ସମାଜ

ଭଲ ଲାଗେନାହିଁ

ବିଚିତ୍ରାନନ୍ଦ ରାଉତ
ଭଲ ଲାଗେନାହିଁ  ତମ ନୀରବତା
ଆଜି ଏ ପଉଷ ସଂଜେ
ମଉଳେ ଗୋଲାପ ହରାଇ ତା' ରୂପ
ଝରି ଯାଏ ପ୍ରୀତି କୁଞ୍ଜେ ।

ଲୁଚିଯାଏ ଜହ୍ନ ଭସା ବାଦଲରେ
ଅବସାଦେ ମନ କୋହେ
ଵୃନ୍ତ ଚ୍ୟୁତ ହୋନ୍ତି ପ୍ରୀତି ଫୁଲ ଯେତେ
ତମ ପୀରତିର ମୋହେ ।

ଫୁଟେନା କମଳ ମାନ ସରୋବରେ
ବିଷର୍ଣ୍ଣେ ମୁଦେ ସେ ଆଖି
ସହନେ ସହଣି ସରସୀରେ ତୁମ
ପ୍ରିୟତମ ମଧୁମକ୍ଷୀ ।

ପ୍ରୀତିର ପାଖୁଡ଼ା ଝରେନାହିଁ ଜମା
ତମ ପାଇଁ ପତ୍ର ଝରା
ଅବ୍ୟକ୍ତ ସେ ଦୁଃଖ ଶୀତ ଯାମିନୀର 
ଅସରନ୍ତି କୋହ ଭରା ।

ଶଙ୍କରପୁର-ଚାରିବାଟିଆ-କଟକ
ଜୟ ସାହିତ୍ୟ, ଜୟ ସମାଜ

ପ୍ରେମ ଭିକ୍ଷା

ମୃଣ୍ମୟୀ ବେହେରା 
ପାଷାଣେ ଭରିଲେ     ଯେତେ ବି ପ୍ରାଣ 
       ପାଷାଣ ହୃଦୟ ହେବ କି ମହମ !
ପାଷାଣୀ ଅହଲ୍ୟା          ମୁକତି ପାଇବା
              ଲାଗି ରାମ ପଦରଜ
ତୁମ ପ୍ରେମ ସୁଧା           ମୁହିଁ ଉନ୍ମାଦିତା
           ପାନରେ ହେବି ମୁକତ ।।
ପାସୋରି ମୋ' ମୁଖ       ହୋଇଣ ବିମୁଖ
             ବଞ୍ଚିବାରେ ତୁମ ସ୍ପୃହା
ବିରହ ଅନଳେ              ମଦନର ବଳେ
              ଜଳିଯାଏ ମୋର ହିୟା  ।।
ସରସ ବଚନେ              ପୀରତି ନୟନେ
            କରିଲେ ମୋ' ପ୍ରାଣ ତୋଷ
ମୁହିଁ ବିରହିନୀ               ପ୍ରେମ ପାଗଳିନୀ
             ହୋଇବି ପ୍ରେମରେ ବଶ  ।।
କରିଲେ ଷଟ୍‌ପଦ               ପାନ  ମକରନ୍ଦ
              ପୁଷ୍ପ ହୁଏ ଉନ୍ମାଦବତ
ମୋ' ଓଠ ପୀୟୁଷ           ପାନେ ହୋଇ ତୋଷ
             ବୈରାଗ୍ୟରୁ ହେବ କ୍ଷାନ୍ତ ।।

ଝାରପଡା - ଭୁବନେଶ୍ଵର
ଜୟ ସାହିତ୍ୟ, ଜୟ ସମାଜ

ଜଣେ ସାହିତ୍ୟିକ ବି ଜଣେ ସମାଜସେବୀ

    ରଶ୍ମିରେଖା ମିଶ୍ର




ତପୋଦିବ୍ୟ ପୁତ୍ରେକା ଯେନ ସତ୍ତ୍ଵଂ
ଶୁଦ୍ଧୋଦ୍ୟ ସ୍ମାତ୍ ବ୍ରହ୍ମ_ସୌଖ୍ୟଂତ୍ଵନନ୍ତମ୍।
(ମନୁଷ୍ୟ ଜୀବନ ତପସ୍ୟା ପାଇଁ ଉଦ୍ଧିଷ୍ଟ।)

          ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମତରେ ଯଦି କେହି ଶ୍ରେଷ୍ଠ ହେବାକୁ ଇଚ୍ଛା କରେ  ତେବେ ସେ ସମସ୍ତଙ୍କର ସେବକ ହେଉ । ସେମିତି ଡକ୍ଟର ହ୍ୟୁଗୋଙ୍କ ମତ - "ଜୀବନ ହେଉଛି  ଗୋଟିଏ  ଫୁଲ ତା' ଭିତରେ  ପୁରି  ରହିଛି  ମହୁ , ଲେଖକୀୟତା  ଏକ  ଐଶ୍ୱରୀୟ ଅବଦାନ  ।  ମା'  ସରସ୍ବତୀ  ଓ  ସିଦ୍ଧ  ସାରଳାଙ୍କ  ଆଶିର୍ବାଦର ଫଳପ୍ରସୂ ହେଉଛି ଲେଖକୀୟତା । ମାନସପଟ୍ଟରେ ଶବ୍ଦ ମାନଙ୍କ ଉତ୍ପତ୍ତି , ଭାବ ସଂଞ୍ଚରଣ  ଓ  ତା'ର କ୍ରମିକ ବିକାଶ  ତଥା ତା'ର ବିକିରଣର  ସାରନିର୍ଯ୍ୟାସ   ହେଉଛି   ସାହିତ୍ୟ  ।  ଏ   ସାହିତ୍ୟ ସାମାଜିକ ବିବର୍ତ୍ତନର  ମୂଳଉତ୍ସ । ଜନଜୀବନର ସୁଖଦୁଃଖ ପୂର୍ଣ୍ଣ ନିୟତ୍ତ ପ୍ରବାହର ବୟାନକୁ ନେଇ ଏହାର କଳେବର ଗଠିତ ।"  
    
          ସମାଜ ସହିତ ସାହିତ୍ୟ ଓତଃପ୍ରୋତ ଭାବରେ ଜଡ଼ିତ । ଏହା  ଗୋଟିଏ  ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି । ସମାଜର ଚଳଣୀ , ସଂହତି ,   ସଂସ୍କାର ,  ସଂଯମତା ,  ସଂଯୋଜନା   ଓ   ବିକାଶ କ୍ଷେତ୍ରରେ ବ୍ୟତିକ୍ରମିକ ସମସ୍ୟା  ଓ  ତା'ର ସମାଧାନିକ ପନ୍ଥାକୁ ସ୍ଥିରୀକୃତ  କରି ,  ସାମାଜିକ  ପ୍ରତ୍ୟେକଟି  ବ୍ୟବସ୍ଥା , ଅବ୍ୟବସ୍ଥା ପ୍ରତି  ସାହିତ୍ୟିକ   ତାଙ୍କର  ସର୍ଜନାତ୍ମକ  ଚିନ୍ତାଧାରା  ଦ୍ଵାରା  ଜନ ଜୀବନକୁ  ସଚେତନ  କରିବାର  ପ୍ରଚେଷ୍ଟା  ହିଁ  ହେଉଛି , ଜଣେ ପ୍ରକୃଷ୍ଟ ସାହିତ୍ୟିକଙ୍କ ଦ୍ଵାରା ପ୍ରକୃତ ସମାଜ ସେବା । ଯାହା ଅନ୍ୟ ଅନେକ  ସେବା  କାର୍ଯ୍ୟ  ମାନଙ୍କ ଠାରୁ  ସଂପୂର୍ଣ୍ଣ  ଦୁର୍ଲଭ , ତଥା ଅନନ୍ୟ ସାଧାରଣ । ସାହିତ୍ୟିକ ଜଣେ ବିସ୍ଫୋଟକ । ସେ  ଜଣେ ମହାବିପ୍ଳବୀ । ସର୍ବୋପରି  ସମାଜ ବକ୍ଷରେ  ସେ  ଜଣେ ସଶସ୍ତ୍ର ପ୍ରହରୀ । କେହି ତାଙ୍କୁ କହୁ ବା ନକହୁ , ସୂଚିତ କରି ନକରି ମଧ୍ୟ ସେ  ତାଙ୍କର  ଭାବ  ସ୍ବଛନ୍ଦମୟ  ସ୍ବାଧୀନ  ଚିନ୍ତାଧାରାର  ବଖାଣ ସମୟ  ବିଶେଷରେ  ତଥା  ଆବଶ୍ୟକତା  ଦୃଷ୍ଟିକୋଣରୁ  ନିଶ୍ଚିତ କରିଥା'ନ୍ତି   ।  ସେ  ଦେଶର   ଜଣେ   ସଚେତନଶୀଳ   ପ୍ରମୁଖ ନାଗରୀକ । କର୍ତ୍ତବ୍ୟ କ୍ଷେତ୍ରରେ ସେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ , ଏ  କ୍ଷେତ୍ରରେ  ମଧ୍ୟ   ସେ  କୌଣସି  ଲାଭ   ବା   ଦୁର୍ଲଭ ପୁରସ୍କାର କିମ୍ବା ଉଚ୍ଚ ପ୍ରଶଂସାର  ଆଶା ବା ଅପେକ୍ଷା  ରଖନ୍ତିନି । ବରଂ କ୍ଷତି ସହି ଅଶେଷ ନିନ୍ଦାବାଦକୁ  ପାଥେୟ  କରି , ଅବୋଧ୍ୟ ଅସଙ୍ଗତ ଲୋକଙ୍କଠୁ  ବାକ୍ୟବାଣର  ଆଟୋପ ମାଡ  ସହି  ସେ ପ୍ରାଣପଣେ ବାଟଚାଲନ୍ତି ଗୋଟେ ସୁସ୍ଥ ସମାଜର  ଗଠନ ଭାରକୁ କାନ୍ଧେଇ  ଧରି ;  ଏକ  ନୂତନ  ସୂର୍ଯ୍ୟଙ୍କ  ଉଦୟନର   ଅପେକ୍ଷା ରଖନ୍ତି । ହଁ , ସେ  ହିଁ  ତ ସାହିତ୍ୟିକ । ତେବେ  କୁହନ୍ତୁ ତ ଏତେ ସବୁ କାର୍ଯକାରୀ ଗୁଣଟି ଭିତରେ ସେ କ'ଣ ଜଣେ  ସମାଜସେବା କରୁଥିବା ମଣିଷଟିଏ ନୁହଁନ୍ତି ?

       ଯାହା ହିତ ସହ ଜଡ଼ିତ ତାହା ହିଁ ସାହିତ୍ୟ । ଭାଷା ବ୍ୟକ୍ତିକୁ ଉନ୍ମୁଖ କରାଏ , ମାତ୍ର ସାହିତ୍ୟ ସମାଜକୁ ପ୍ରକାଶ କରେ । ତା'ର ମୁଖା ଖୋଲେ । ସାହିତ୍ୟିକଙ୍କ ଦ୍ଵାରା  ଜନ୍ମିତ  ସାହିତ୍ୟ ସମାଜର ଦିଗ୍‌ଦର୍ଶକ ,  ନିୟାମକ  ଓ  ପ୍ରକାଶକ  ।  ସେଥିପାଇଁ  ତ  କବି ଲେଖିଲେ -
"ଦୁନିଆର ପ୍ରତିଟି ଖବର-
ରୂପ ପାଏ ଲେଖନୀରେ ମୋର।"
ସାହିତ୍ୟିକଙ୍କ  ଦ୍ଵାରା  ସୃଷ୍ଟ  ସାହିତ୍ୟ   ଅୟୁତ  ଆଖିର   କେବଳ ଗୁଡାଏ  ରଙ୍ଗିନ୍ ସ୍ଵପ୍ନ  ନୁହେଁ ଆଉ  ନୁହେଁ  ମଧ୍ୟ  କଳ୍ପନାର  ଇନ୍ଦ୍ର ଜାଲିକତା  ।  ଦେହବାଦୀ  ଉତୁଙ୍ଗ  କ୍ଷୁଧା , ପଦ୍ମଭୂକ୍  ଅଣାୟତ ରସବିକାର   କିମ୍ବା   ନୁହେଁ   ମଧ୍ୟ   ରସଘନ  ମୂହୂର୍ତ୍ତର   ନିବିଡ ଆଶ୍ଳେଷ  ।  ସାହିତ୍ୟ  ସମାଜ  ଜୀବନର  ଏକ ଚାରଣ ସତ୍ୟ । ଏକ ଶାଣିତ କଟୁରୀ , ବିଧି ବିଧାନକୁ ନେଇ  ସେ ଏକ ବିଧାୟକ ତଥା  ସମାଜ   ଜୀବନର  ବିଧାତା  ।  ପ୍ରକାରାନ୍ତରେ   ଜାତୀୟ ଜୀବନକୁ  ପ୍ରକାଶ  କରିବାରେ   ତା'ର  କୌଶଳ , ପ୍ରଚେଷ୍ଟା  ଓ ଆସକ୍ତଭାବ ,   ସର୍ବୋପରି    ସାମର୍ଥ୍ୟତା    ଓ    ଶକ୍ତି    ଶତତ ପ୍ରଶଂସନୀୟ  ।  ସେଲାଗି  ତ  କବି  ମଧୁସୁଦନ   ଉଦ୍‌ଘୋଷଣା କଲେ -
"ଜାତି ନନ୍ଦୀଘୋଷ ଚାଲିବକି ଭାଇ ସ୍ଵାର୍ଥକୁ ସାରଥୀ କଲେ 
ଟାଣେକିରେ ଗାଡ଼ି ଦାନାର ତୋବଡା ଘୋଡ଼ା ମୁହେଁ ବନ୍ଧା ଥିଲେ ?"

       ସାହିତ୍ୟ ସମାଜର ଉପାଦାନ । ସାହିତ୍ୟକୁ ଛାଡି ସମାଜର ବିକାଶ ଅସମ୍ଭବ । ସମାଜ  କଲ୍ୟାଣ ପାଇଁ ସାହିତ୍ୟର ଶୁଭ ଦୃଷ୍ଟି ଅନନ୍ୟ ଓ ଅସାଧାରଣ  ।  ସେଇଥିପାଇଁ ତ  ସମାଲୋଚକ ମତ ଦେଲେ  ଯେ  -  Literature is  the  mirror of society.  ସମାଜର  ମୁକୁର  ହେଉଛି  ସାହିତ୍ୟ  ।  ସାହିତ୍ୟ ଆନନ୍ଦର  ଏକ ଉତ୍ସ । ତେଣୁ  ସାହିତ୍ୟକୁ  ବ୍ରହ୍ମାନନ୍ଦ  ସହୋଦର ବୋଲି କୁହାଯାଏ । ସାହିତ୍ୟ  ହେଉଛି  ସାହିତ୍ୟିକର ସର୍ବୋକୃଷ୍ଟ ଏକ କଳାତ୍ମକ ସମ୍ପଦ ।  ମାକ୍ - ମିସ୍  ତେଣୁ  କହିଲେ -"The purpose  of  litretur  is  to  help man to know  himself , to  fortify   his  belifein himself   &   support  his  striving after the truth. to  discovered  the   good   in people and to rootout what is ignoble , to kindly shame , worth,courage  there heart  of  held  then acquire a strength decided  to  lofty purpose  and sanctify there  lives  with   the   holy   spirit   of beauty."

      ସାହିତ୍ୟ  ଏକ ସାଧନା  ।  ସାହିତ୍ୟିକ  ତାଙ୍କର  ଦିବ୍ୟ ଦୃଷ୍ଟି ବଳରେ  ସମଗ୍ର  ସୃଷ୍ଟିକୁ  ଦେଖି  ପାରନ୍ତି  । ସେ  ଜଣେ  ଏଭଳି ବିନ୍ଧାଣୀ  ଯେ ତାଙ୍କ  ସୃଷ୍ଟି  ସର୍ବଦା ସମାଜରେ ଏକ ଅତୁଳନୀୟ ଭୂମିକା ନିର୍ବାହ  କରିଥାଏ । ତେଣୁ ତ  କଥିତ  ଅଛି  -  ଅପାର କାବ୍ୟ  ସଂସାରେ  କବିରେବଃ  ପ୍ରଜାପତିଃ  ।  ସାହିତ୍ୟରେ କଳ୍ପନା  ବିଳାସ  ଥାଏ  ସତ , ମାତ୍ର  ତାହା  ସମ୍ପୂର୍ଣ୍ଣ   କଳ୍ପନାର ମାୟାଜାଲ ନୁହେଁ  ।  କୋଇଲିର କୁହୁତାନ , ଫଗୁଣର ମଳୟ , ନାରୀର   ପ୍ରେମ  - ପ୍ରଣୟ  ,  ଯୁବତୀର   ସୌନ୍ଦର୍ଯ୍ୟ   କେବଳ ସାହିତ୍ୟକୁ  ରୁଦ୍ଧିମନ୍ତ କରି ନଥାଏ , ତହିଁରେ  ବାସ୍ତବ  ଜୀବନର ହା' ହା'କାର , ସମାଜର  ଶୋଷଣ  ,  ପୀଡ଼ନ , ନିର୍ଯ୍ୟାତନା  ଓ ଆର୍ତ୍ତନାଦର  ପ୍ରତିଟି  ଚିନ୍ତନ ପ୍ରବାହର  ଧରାବନ୍ଧା ଇସ୍ତାହାରରେ ସାହିତ୍ୟ  ତା'ର   ନିଜସ୍ବ   କଳେବରକୁ   ନିର୍ଘାତମୁଖୀ   କରାଇ ସମାଜକୁ  ବହୁ  ଗୁଣରେ   ଆଲୋଡିତ  କରେ   ।   ସମାଜରେ ସାହିତ୍ୟିକ  ଜୀବନକୁ  ଉନ୍ନତ  ଓ  ପବିତ୍ର କରିଥା'ନ୍ତି । ସମାଜର ଦୋଷ ଦୁର୍ବଳତାକୁ ମାର୍ଜିତ କରିଥା'ନ୍ତି ।

       ପ୍ରାଚୀନ ଭାରତୀୟ ସାହିତ୍ୟରେ ସ୍ରଷ୍ଟା  ବ୍ୟାସ , ବାଲ୍ମୀକି , କାଳିଦାସ  ,  ସାରଳାଦାସ , ତୁଳସୀ  ଦାସ   ଏବଂ  ବୈଷ୍ଣବୀୟ ସାହିତ୍ୟରେ  ଜଗନ୍ନାଥ  ଦାସ  ,  ଅଚ୍ୟୁତାନନ୍ଦ  ଦାସ ,  ଅନନ୍ତ , ଯଶୋବନ୍ତ ଆଦି  ଓ  ନୋବେଲ୍ ବିଜେତା  ବଙ୍ଗୀୟକବି  ରବିନ୍ଦ୍ର ନାଥାଦି ପ୍ରମୁଖ ସ୍ରଷ୍ଟା - ନୀତି , ଆଦର୍ଶ ଓ ଆଧ୍ୟାତ୍ମିକତା ଉପରେ ଯେଭଳି ଗୁରୁତ୍ୱ ଆରୋପ କରିଛନ୍ତି ତହା ଯେ  ସମାଜର ସେବା ନିମନ୍ତେ କେବେ  ବି  ଉପଯୋଗୀ  ନୁହଁ  ,  ଏକଥା କେହି  କହି ପାରିବେ କି  ?  ସେହିପରି   ଋଷୋ , ଭୋଲ୍ ଟେୟାର୍ , ମଣ୍ଟସ୍କୁ ସାହିତ୍ୟିକ , ଦାର୍ଶନିକ  ଓ  ନବୀନ  ଚେତନା  ତଥା ସାହିତ୍ୟରେ ରେନେଁସାର ସୃଷ୍ଟିଧର । ସାହିତ୍ୟିକ  ସତ୍ୟ-ଶିବ-ସୁନ୍ଦର ବାଣୀର  ପ୍ରବର୍ତ୍ତକ  ।  ସମ୍‌+ହିତ୍+ଯଃ  ନ୍ୟାୟରେ  ସାହିତ୍ୟିକ   ସର୍ବଦା ସମାଜର ମଙ୍ଗଳକାମୀ ଅଟନ୍ତି  ।  ଏହି କ୍ରମରେ ଆଦର୍ଶ ପ୍ରତିଷ୍ଠା ସାହିତ୍ୟର ମୂଳ ସେତୁ । ତେଣୁ ସାହିତ୍ୟିକଙ୍କ ଦ୍ୱାରା ଜନଚେତନା ସୃଷ୍ଟି ହୋଇଥାଏ । 

         ଜଣେ ସୁସାହିତ୍ୟିକ ସୁସଂଜତ ଭାଷା ବିନ୍ୟାସ ମାଧ୍ୟମରେ ଭାବକୁ   ସଂଞ୍ଚାରିତ   କରି    ମାର୍ଜିତ    ଚିତ୍ରକଳ୍ପ   ଓ   ପ୍ରତୀକ ପ୍ରୟୋଗରେ  ହୃଦୟର  ସୌନ୍ଦର୍ଯ୍ୟା  ଭାବକୁ  ସମାଜର ପୃଷ୍ଠରେ ବିକିରିତ କରିଥା'ନ୍ତି । ଯାହା ଶିକ୍ଷାତ୍ମକତାର ପ୍ରଭାବ ବିସ୍ତାର ସହ ପ୍ରାଣରେ ପୁଲକ ସଂଞ୍ଚାର କରେ  ।  ସେ ନେଇ  ଭକ୍ତପ୍ରାଣ  କବି ମଧୁସୂଦନ ରାଓ ଉନ୍ମୁଖ ପ୍ରାଣ ହୋଇ ଗାଇ ବସିଥିଲେ -
"ସୁଧାମୟ ସୃଷ୍ଟି  
ମଧୁମୟ ସୃଷ୍ଟି
ଏ ସୃଷ୍ଟି ଅମୃତମୟହେ ।"
ଏତାଦୃଶ ସୌନ୍ଦର୍ଯ୍ୟ  ଚେତନାକୁ  ବାଦ୍ ଦେଲେ  ସାହିତ୍ୟକଙ୍କର ସୃଜନଶୀଳ   ସାହିତ୍ୟ    ପ୍ରାଣବନ୍ତ  ,  ରସବନ୍ତ  ,  କଳାତ୍ମକ  , କମନୀୟ  , ରମଣୀୟ , ଉତ୍ସ୍ଵାସ  ଭରା , ସାର୍ଥକ   ଓ   ଜୀବନ୍ତ ଭାବେ  ସମାଜର  ପ୍ରତ୍ୟେକଟି  ସେବାରେ  ସାହିତ୍ୟିକଙ୍କ  ଦ୍ବାରା ନିଜକୁ ସାମିଲ କରି ପାରିଥାଏ ।

         ଛାନ୍ଦ , ଚଉପଦୀ , ଅଳଙ୍କାର  ମାଧ୍ୟମରେ  ମଧ୍ୟ ରୂପକ , ବ୍ୟଞ୍ଜନା , ସାଂଙ୍କେତିକତାର ପ୍ରବାହ ଘଟାଇ  ଜଣେ  ସାହିତ୍ୟିକ ସାହିତ୍ୟରେ  ଚତୁର୍ବର୍ଗ   ଫଳ  ପ୍ରଦାୟକ  ସାଜିଥା'ନ୍ତି   ।   ଏହି ପରିପ୍ରେକ୍ଷୀରେ   ଦେଖି   ବସିଲେ   ସାହିତ୍ୟିକ   ଓ   ସାହିତ୍ୟର ବ୍ୟାପକତାକୁ  ନିରୁପଣ କରିବା  ଏକ ଦୁରୁହ ବ୍ୟାପାର । ତଥାପି ପରିଶେଷରେ  ଏତିକି କହିବି ସାହିତ୍ୟ  ଭିତରେ ଦେଶ  ,  କାଳ ନିର୍ବିଶେଷରେ ସମାଜ ତଥା ମଣିଷର  ପ୍ରକୃତ ସ୍ବରୁପ ବିଦ୍ୟମାନ । ଜୀବନକୁ  ଗଢ଼ିବା  ପାଇଁ  ଓ  ସଜାଡିବା  ପାଇଁ   ସାହିତ୍ୟରେ ସାହିତ୍ୟିକ  ଯୁଗେ  ଯୁଗେ ଦିଗ୍‌ଦର୍ଶକ । ସ୍ଥୂଳତଃ  ସମାଜ ସେବା କ୍ଷେତ୍ରରେ ସାହିତ୍ୟିକଙ୍କର ସର୍ବଶ୍ରେଷ୍ଠ ଉପଯୋଗୀତା ରହିଥିବାରୁ ନିଶ୍ଚିତରେ ସେ ଜଣେ ଉନ୍ନତ ସମାଜସେବୀ ।

ଶିବଶକ୍ତି ଟେଣ୍ଟ୍‌ ହାଉସ୍‌ ଗଳି
ଖିଲାରୀ - ଅନୁଗୁଳ - ଓଡ଼ିଶା
ଫୋ- ୯୪୩୯୮୯୮୦୯୯
ଜୟ ସାହିତ୍ୟ, ଜୟ ସମାଜ

ସାହିତ୍ୟିକ ବି ଜଣେ ସମାଜ ସେବୀ

    ସ୍ବର୍ଣ୍ଣକାନ୍ତି ପତି
ସାହିତ୍ୟ ଓ ସମାଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଉଭୟେ ଉଭୟଙ୍କ ଉପରେ ନିର୍ଭରଶୀଳ ଓ ପରିପୂରକ , ଠିକ୍‌ ମୁଦ୍ରାର ଉଭୟ ପାର୍ଶ୍ୱ ପରି  ।ସାହିତ୍ୟ ହେଉଛି ଯୁଗାତୀତ  ଓ  ଯୁଗାନୁଶ୍ରୟୀ । ସାହିତ୍ୟରେ ସମାଜର ସାମ୍ପ୍ରତିକ ଚିତ୍ର , ସାମାଜିକ ସଂସ୍କୃତି , ଚଳଣି , ପରମ୍ପରା , ରାଜନୈତିକ  ଓ  ଧର୍ମୀୟ  ଚେତନାର  ପ୍ରତିଫଳନ ହୋଇଥାଏ  ।  ଆଉ  ଏହି  ସାହିତ୍ୟକୁ  ରଚନା କରେ  ଜଣେ ସାହିତ୍ୟିକ  ।  ସେ ହେଉଛି ସମାଜର ମଙ୍ଗୁଆଳ , କର୍ଣ୍ଣଧାର ଓ ନୂତନ ପଥ ପ୍ରଦର୍ଶକ । ତାକୁ ସମାଜ ସ୍ରଷ୍ଟା କହିଲେ ଅତ୍ୟୁକ୍ତି ହେବ ନାହିଁ ।

         ସାହିତ୍ୟିକ ସମାଜର ଚରମ ସତ୍ୟକୁ ତା'ର ଲେଖନୀରେ ପ୍ରକାଶ କରେ । ଯାହା ବଲମ କରି ପାରେ ନାହିଁ ତାହା ଜଣେ ସାହିତ୍ୟିକର କଲମ କରି ଦେଖାଇ ଦିଏ । ତା'ର କଲମ  ହେଉଛି  ଶାଣଦିଆ  ତରବାରୀ  ।  କୋଟି ହୃଦୟ କୁ ଛିନ୍ନ କରିପାରେ । ଲୁହର ଧାରାରେ  ଧରାକୁ ଭିଜେଇ ପାରେ । ପାପୁଲାଏ ବିଶ୍ୱାସରେ ବିଶ୍ୱର  ପରିକଳ୍ପନା  କରି ପାରେ । ଦେଶ ପ୍ରେମରେ  ଦେଶର ଦଶା  ଓ  ଦିଶାକୁ ବଦଳାଇ ପାରେ  ।  ସମାଜ ଜୀବନର ନବ ନିର୍ମାତା ସାଜିପାରେ । ତେଣୁ  ତାକୁ କୁହାଯାଏ ସମାଜର ଜାଗ୍ରତ ପ୍ରହରୀ । ସମାଜ ଯେତେବେଳେ  ବି  ବିପଥଗାମୀ ହୋଇଛି , ପତନଭିମୁଖୀ ହୋଇଛି ଓ ଭ୍ରଷ୍ଟାଚାର ଆଡ଼କୁ ଗତି କରିଛି  ସାହିତ୍ୟିକ ତା'ର ଶାଣିତ କରବାଳରେ  ଆକ୍ରମଣ କରିଛି  ।  ଠିକ୍‌ ବାଟକୁ ଆଣିବାକୁ ଚେଷ୍ଟା କରିଛି । ତେଣୁ ସେ ଜଣେ ଯଥାର୍ଥ ସମାଜ ସେବକ ।

        ସାହିତ୍ୟ  ଆଉ ସମାଜ ଓ ସମାଜର  ସମ୍ପର୍କ ସୁଗଭୀର । ସମାଜର ପ୍ରତିଟି ଛବି  ସାହିତ୍ୟ  ଦର୍ପଣରେ  ଉଦ୍ଭାସିତ  ହୁଏ  ।  ସମାଜର ଟିକିନିଖି   ବିବରଣୀକୁ  ସାହିତ୍ୟିକ  ତା'ର  କଳାତ୍ମକ  ଢଙ୍ଗରେ  ସାହିତ୍ୟରେ  ପରିବେଷଣ କରିଥାଏ  ଓ  ବିଶ୍ଵମାନବର ଚିନ୍ତା ଓ ଚେତନା ଓ ରୀତିନୀତିକୁ ସାହିତ୍ୟିକ ପ୍ରକାଶ କରିଥାଏ  । ତେଣୁ  ସେ  ହେଉଛି  ଜଣେ  ଚିନ୍ତା  ନାୟକ   ।   ସମାଜ  ଓ  ସାହିତ୍ୟ  ମଧ୍ୟରେ ସଂଯୋଗର  ସେତୁ  ଓ  ସୂତ୍ରଧର   ହେଉଛି  ସାହିତ୍ୟିକ  ।  ସାହିତ୍ୟିକ  ହେଉଛି ସମାଜର  ଦିଗଦ୍ରଷ୍ଟା  ।  ତା'ର  ଲେଖନୀ   ମାଧ୍ୟମରେ ନବ  ନବ   ଯୁଗାନ୍ତକାରୀ ଚେତନାକୁ  ପ୍ରକାଶ  କରି  ସମାଜକୁ   ଦୁର୍ଗତିରୁ  ରକ୍ଷା  କରିଥାଏ  ।  ସାହିତ୍ୟିକ  ସମାଜର ପ୍ରକୃତ ରୂପ ଉଦ୍ଘାଟନ କରେ ଏବଂ ବ୍ୟକ୍ତିର ନକଲି ମୁଖା କୁ ଖୋଲିଦିଏ ଓ ତା'ର ଅନ୍ତଃ ରୂପକୁ ଉଦ୍ଘାଟନ କରେ ।

           ରେନେସା ସମୟରେ ଫ୍ରାନ୍ସର ଅତ୍ୟାଚାରୀ ଶାସକ "ଲୁଇଁ"ଙ୍କୁ ଗାଦିଚ୍ୟୁତ କରାଇଥିଲା । ରୁଷୋ , ଭୋଲଟାୟାର , ମଣ୍ଟେଶୁ ପ୍ରମୁଖ  ସାହିତ୍ୟିକ  ଗୁରୁତ୍ଵପୂର୍ଣ୍ଣ ଭୂମିକା  ଗ୍ରହଣ କରିଥଲେ  ।  ରୁଷୋ , ଭୋଲ୍ଟେୟାର , ମଣ୍ଟେସ୍କୁ ପ୍ରମୁଖ ଦାର୍ଶନିକ ସାହିତ୍ୟିକ  ଅତ୍ୟାଚାରୀ ଜାର  ଶାସକକୁ ଗାଦିଚ୍ୟୁତ କରିଥିଲା  ।  ଆମେରିକାରୁ କ୍ରୀତଦାସ ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା ।  ଯୁଗେଯୁଗେ ସାହିତ୍ୟିକ ତା'ର  ଦିଗଦର୍ଶନ  ସମାଜକୁ  ଦେଇ  ଆସିଛି । ସମାଜକୁ  ଅନ୍ଧବିଶ୍ୱାସ , କୁପ୍ରଥା , ଅରାଜକତା ଓ ଅତ୍ୟାଚାରୀ ଶାସକରୁ ମୁକ୍ତ କରିଛି  ।  ସାହିତ୍ୟିକ ସମାଜକୁ ମଧ୍ୟ ପ୍ରଭାବିତ  କରିଥାଏ  ।  ସାହିତ୍ୟିକର   ସମାଜ  ଉପରେ  ଯେପରି   ଆନ୍ତରିକତା ସମାଜର  ମଧ୍ୟ  ସାହିତ୍ୟିକ  ଉପରେ  ସେପରି  ନିର୍ଭରତା  ।  ସାହିତ୍ୟିକ   ଅପୂର୍ବ ଦକ୍ଷତା ଅର୍ଜନ କରୁଥାଏ  । ସେହି ଦକ୍ଷତା ଅନୁସାରେ ସେ ସମାଜ କଲ୍ୟାଣ ପାଇଁ ସାହିତ୍ୟ ରଚନା କରେ  ।  ସେହି  ସାହିତ୍ୟ  ହୁଏ  କ୍ରାନ୍ତିକାରୀ , ପ୍ରଭାବଶାଳୀ  ଓ ଯୁଗୋପଯୋଗୀ ।  ସାହିତ୍ୟିକ ସାଜେ ସମାଜର ଦିଗଦ୍ରଷ୍ଟା  ।

        ସାହିତ୍ୟିକ ତା'ର ଦିବ୍ୟ ଦୃଷ୍ଟିରେ ସମଗ୍ର ସୃଷ୍ଟିକୁ ଦେଖିପାରେ । ସେ ଦେଖେ ତୈର୍ୟ୍ୟକ  ଦୃଷ୍ଟିରେ  ।  ସାଧାରଣ  ଆଖିକୁ  ଯାହା  ଦେଖାଯାଏ ନାହିଁ , ସାହିତ୍ୟିକ ସେ ସବୁ  ଧରି  ନିଏ  ।  ବିଷରେ ଅମୃତ ସନ୍ଧାନ , ନିରାନନ୍ଦରେ ଆନନ୍ଦ  ଓ  ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା କରେ  ।

          ସାହିତ୍ୟ ହେଉଛି ସମାଜର ବାସ୍ତବ ପ୍ରତିଛବି ।  ସାହିତ୍ୟ ହେଉଛି ବାସ୍ତବ ରୁପ  ।  ସାହିତ୍ୟିକ ସମାଜର ବାସ୍ତବ ଛବିରେ କଳ୍ପନାର  ଅଞ୍ଜନ  ଲଗେଇଦିଏ । ସାହିତ୍ୟିକ ହେଉଛି ଦ୍ଵିତୀୟ ବ୍ରହ୍ମା  , ତେଣୁ ସଂସ୍କୃତରେ କୁହାଯାଇଛି -- 'ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତି୮ ।' ସାହିତ୍ୟ  ସୃଷ୍ଟିକୁ  ସାହିତ୍ୟିକ  ସର୍ଜନା କରୁଥିବାରୁ ତାକୁ  ବ୍ରହ୍ମା  କୁହାଯାଏ  ।  ସାହିତ୍ୟିକ ଜଣେ  ସାଧାରଣ ଜୀଵ  ଏହି ସମାଜରେ  ।  ସମାଜରେ  ବଞ୍ଚେ  , ସମାଜରେ  ବଢେ  ।  ସମାଜର  ହାନିଲାଭ ମଧ୍ୟ ଦେଇ , ସମାଜର ଜଟିଳ ଜଞ୍ଜାଳ ଜ୍ୱାଳା ଦେଇ  ଗତି କରେ । ତେବେ ଅନ୍ୟ ଅପେକ୍ଷା  ବିଶେଷ ଭାବରେ  ସାମାଜିକ ହେଉ  କି  ନିଜର ଅସନ୍ତୋଷକୁ  ପ୍ରକାଶ କରିପାରେ । କାରଣ ସେ ସଚେତନ ଓ ନିର୍ଭୀକ । ଜାତିର ଦୁର୍ଗତିରେ ସେ ବିପ୍ଲବୀ ସାଜେ । ସେ ଜାତୀୟବାଦୀ ହୋଇପଡ଼େ ।

        ସାହିତ୍ୟିକ କଳ୍ପନା ବିଳାସୀ ଥାଏ । ତା'  ଭିତରେ  ସୌନ୍ଦର୍ୟ୍ୟ ବିଳାସ ଭରି ରହିଥାଏ । କୋଇଲିର କୁହୁତାନ , ଫଗୁଣର ମଳୟ , ନାରୀର ପ୍ରେମ ଓ ପ୍ରଣୟ , ଯୁବତୀର ସୌନ୍ଦର୍ୟ୍ୟେ ସାହିତ୍ୟିକ ସାହିତ୍ୟକୁ ରୁଦ୍ଧିମନ୍ତ କରିଥାଏ । ଏତତ ସହିତ ବାସ୍ତବ ଜୀବନର ହା'ହା'କାର , ନୂତନ ଚେତନା , ସମାଜର ଶୋଷଣ  ପୀଡନ ଓ ମଣିଷର ଅସହାୟତାକୁ  ମନସ୍ତାତ୍ଵିକ ଢଙ୍ଗରେ  ପ୍ରକାଶ କରିପାରେ ।  ସାହିତ୍ୟିକ ଅତ୍ୟାଚାରୀ   ଶାସନ  ବିରୁଦ୍ଧରେ   ବିଦ୍ରୋହ   କରିଛି  ।  ସମାଜରେ  ସାହିତ୍ୟକ ଜୀବନକୁ ଉନ୍ନତ , ପରିମାର୍ଜିତ ଓ ପବିତ୍ର କରିଥାଏ  ।  ମନ ସଂଯତ କରିଥାଏ  ।ଭଗବତମୁଖୀ କରାଇ ଜୀବନରେ ଶାନ୍ତି  ଆଣିବାର ପ୍ରୟାସ କରିଥାଏ । ପ୍ରାଚୀନ ଭାରତୀୟ   ସାହିତ୍ୟରେ   ସ୍ରଷ୍ଟା  ବ୍ୟାସ , ବାଲ୍ମୀକି , କାଳିଦାସ , ତୁଳସୀ  ଦାସ , ସାରଳା  ଦାସ , ଜଗନ୍ନାଥ  ଦାସ, ବଳରାମ ଦାସ , ରବୀନ୍ଦ୍ର  ନାଥ  ପ୍ରମୁଖ  ସ୍ରଷ୍ଟା ନୀତି , ଆଦର୍ଶ  ଓ  ଆଧ୍ୟାତ୍ମିକତା ଉପରେ ଗୁରୁତ୍ୱ ଦେଇଛନ୍ତି  ।  ଠିକ  ସେହିପରି ପାଶ୍ଚାତ୍ୟ ସାହିତ୍ୟରେ ସେପରି ହୋମର , ସେକ୍ରେଟିସ , ସେକ୍ସପିଅର , ଟଲଷ୍ଟୟ , ରକି , ଗଟେ ପ୍ରମୁଖ ସାହିତ୍ୟିକ ମଧ୍ୟ ଆଧ୍ୟ୍ୟତ୍ମିକତା ଉପରେ ଗୁରୁତ୍ୱ ଦେଇଛନ୍ତି । 

         ଭାରତୀୟ ମୁକ୍ତି  ସଂଗ୍ରାମରେ ସାହିତ୍ୟିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।ରବୀନ୍ଦ୍ରନାଥ  ଠାକୁର , ବଙ୍କିମ  ଚନ୍ଦ୍ର  ଚଟାର୍ଜୀ , ପ୍ରେମଚାନ୍ଦ , ସଚ୍ଚି  ରାଉତରାୟ , ଗାନ୍ଧିଜୀ , ନେହେରୁ , କୁନ୍ତଳା  କୁମାରୀ  ସାବତ ,  ରମାକାନ୍ତ  ରଥ , ଗୋପବନ୍ଧୁ , ଫକୀର ମୋହନ , ବୀରକିଶୋର  ରାୟ , ଗୋଦାବରୀଶ  ମହାପାତ୍ର , ନୀଳକଣ୍ଠ ଦାଶ , ଅନନ୍ତ ପଟ୍ଟନାୟକ ପ୍ରମୁଖ ନବ ନବ ଚେତନାର ବାଣୀରେ ଦେଶ ମଧ୍ୟରେ ଜାତିପ୍ରେମ ବହ୍ନି ହୁତୁହୁତୁ ହୋଇ ଜଳିଥିଲା ।

          ସମାଜରେ  ସାହିତ୍ୟିକ  ସତ୍ୟ , ଶିବ  ଓ  ସୁନ୍ଦରର  ବାଣୀ  ପ୍ରଚାର  କରି ଆସୁଛି । ସମାଜ ଯୁଗେ ଯୁଗେ ଉପକୃତ ହୋଇଛି । ସାହିତ୍ୟିକ ସମାଜର ମଙ୍ଗଳ କାମନା କରେ  ।  ନିଜ ନୀତି ଓ ଆଦର୍ଶକୁ ବଜାୟ ରଖେ । କାରଣ ସମାଜ ତାକୁ ହିଁ ରୋଲ ମଡେଲ ଭାବେ । ସମାଜ କଲ୍ୟାଣ ସାହିତ୍ୟିକର ମୂଳ ଲକ୍ଷ୍ୟ । ଆଦର୍ଶ ସମାଜ ପ୍ରତିଷ୍ଠା ତା'ର ମୂଳ ଲକ୍ଷ୍ୟ  ।  କାରଣ ସାହିତ୍ୟ ସ୍ୱପ୍ନର  ଇନ୍ଦ୍ର ଜାଲ ନୁହେଁ  ବରଂ ସାହିତ୍ୟ ନିଷ୍ଠୁର ବାସ୍ତବତାକୁ ପ୍ରକାଶ କରେ  । ମଣିଷକୁ  ସଂଗ୍ରାମୀ କରିବା ଶିଖାଏ  ଓ  ସଚେତନ  ବାର୍ତ୍ତା  ଦିଏ  ଏବଂ  ଶାନ୍ତି  ଓ  ମୈତ୍ରୀର  ବାର୍ତ୍ତା ଶୁଣାଏ । ଜୀବନରେ ଆନନ୍ଦ ସଞ୍ଚାର କରେ । ତେଣୁ ଯଥାର୍ଥରେ  ସାହିତ୍ୟିକ ଜଣେ ସମାଜ ସେବକ ଏଥିରେ ଦ୍ଵିରୁକ୍ତି ନାହିଁ  ।

ଜୟ ସାହିତ୍ୟ, ଜୟ ସମାଜ

ଅଗାଣ୍ଡିଆ ରାଜାକୁ ପାଳଚୁଣ୍ଟା ମନ୍ତ୍ରୀ

   ଶ୍ରୀମତୀ ଲୋରୀ ସ୍ବାଇଁ 
କହୁଛି ମୋ' ବାପି ସିଏ ଭାରି ହାପି
ବିକିବ ଆସିକା ଫଟି
ରାଜ୍ୟ ସରକାର ହାତେ ଦେବେ ତା'ର
ଲମ୍ବା ଚଉଡା ତାରିଫି ।
ନିଇତି ମାରିବ ସିଟି ;
ପାଞ୍ଚିଛି ମନରେ ଖୋଲିବ ଗାଆଁରେ 
ଠିପି ଖୋଲା ମଦ ଭାଟି ।।

ମନ କଲକଲ ବିଦେଶୀ ମାଆଲ
ବିକିବ ବୋଲିକି ତା'ର 
କରିଛି ଘୋଷଣା ଅବକାରୀ ନନା
ବେପାରୀଙ୍କୁ ପୁରସ୍କାର ।
ପଥର କଲାଣି ଠୁଳ ;
ମଦୁଆଙ୍କୁ କହି ବୁଲିଲାଣି ସେହି
ଶସ୍ତାରେ ଦେବି ମାଆଲ ।

କେବଳ ବିଦେଶୀ ଜମା ନାହିଁ ଦେଶୀ
ହାଆଡ ରଅମ ହ୍ବିସ୍କି
ପିଇଲା ବାଲାଏ ଚାଖଣାକୁ ପ୍ରାୟେ
ପାଇବେ ରେଏଟ ଫିକ୍ସି ।
ଚିଲିକା ଚିଙ୍ଗୁଡି ରାଇସି ;
ବୋତଲକୁ ଧୋଇ ସବୁ ଯାଅ ପିଇ
କିଛି ବି ନାହିଁ ରିଇକ୍ସି ।

ଆମ ସରକାର କେତେ ଯେ ଉଦାର
କହିବାକୁ ନାହିଁ ଭାଷା
ଆମ ଚଷା ଭାଇ ମଥାକୁ ପିଟଇ
ଉଜୁଡ଼ିଲାଣି ବେଉସା ।
ଭାସି ଯାଉ ଏ ଓଡ଼ିଶା ;
ମଦ ବିନା କେହି ପାରିବେନି ରହି
କଚ୍ଛା ତଳେ ଗଳୁ ମୂଷା ।

ଚାଷୀ କରି ଋଣ ହରାଏ ପରାଣ
ଦିଘା ନାହିଁ ସେଥିପାଇଁ 
ମରଦ ପଣିଆ ଦେଖାଏ ମଦୁଆ
ଗରଜି ମାଇପ ଠେଇଁ ।
କାହାର କିସ ବା ଯାଇ ; 
ଅନ୍ଧ ସରକାର ସ୍ଥାଣୁ ଓ ସ୍ଥବିର
ପ୍ରଶାସନ ଜାତି ଭାଇ ।

କହନ୍ତି ରାଜନ ନାରୀ ଅସମ୍ମାନ
କେହି କେବେ କର ନାହିଁ 
ନିୟମ ନୂତନ କରି ପ୍ରଶାସନ 
ସଂସାର ଚୁନା କରଇ । 
ଷେଣ୍ଢଠୁ ବଳୁଆ ଗାଇ ;
ଅର୍ଥରୁ ଅନର୍ଥ ବୁଝେ ନାହିଁ ସେ ତ
ମୁରୁଖ ଗଣଙ୍କ ସାଇଁ ।

ନାରୀ ନିର୍ଯ୍ୟାତନା ଯାନ ଦୁର୍ଘଟଣା 
କେତେ କେ' ମରୁଛି ମରୁ
ଆର ଗାଁ ମୁତୁରା ମେତେ କହୁଥେଲା
ମଦ ମୋ' ପରମ ଗୁରୁ ।
ମାଇପ ତା' ଗାରୁଗାରୁ ;
ଭଗିଆ ଭାରିଯା ହୋଇ ରାଜିରୁଜା
ଫେରାର ସେ ତା'ର ଘରୁ । 

କେତେ ଉପକାର କରେ ସରକାର
ସବୁରି ସେ ଇଷ୍ଟ ଦିଅଁ
ବାପକୁ ମଉସା ବନାଏ ପଇସା
ଗୁହରେ ବି ପୋତା ମୁହଁ ।
ଇଏ କି ନିୟମ କୁହ ;
ମଦ ପାଇଁ ଏଠି ନିତି ଉଠେ ଲାଠି
ବାପ ବିକ୍ରି କରେ ଝିଅ ।

ଭିକ୍ଷୁକ ଯଦି ବସେ ରାଜଗାଦି
ମୁରୁଖ ପାଳିଲେ ପ୍ରଜା
ରାମ ବଦଳରେ ରାବଣ ହଜାରେ
ଟେକିବେ ବିଜୟ ଧ୍ବଜା ।
କହିଲା ହଗୁରା ଅଜା ;
କଚ୍ଛା ଖୋଲି ତା'ର ବିଛୁଆତି ପତ୍ର
ଲାଛ ଗଣୁଥିବ ରେଜା । 

ଅଗାଣ୍ଡିଆ ରାଜା ମନ୍ତ୍ରୀ ପାଳଚୁଣ୍ଟା
ପରଜା ଅଧା ପାଠୁଆ
କୁଜି ନେତାଙ୍କର ଅଳିଆ ହଜାର
ବାଇ ଓଧ ବଣଭୁଆ । 
ସେଥିରେ କହୁ ବଢ଼ିଆ ;
ନଅଟା ରାତିରେ ଛଅଟା ଛୁଆରେ 
ପାଞ୍ଚଟା ଘୋଡ଼ା ମଦୁଆ ।।

ଓସ୍ତପୁର , କାକଟପୁର , ପୁରୀ 
ଜୟ ସାହିତ୍ୟ, ଜୟ ସମାଜ

ଏକାନ୍ତ କାମ୍ୟ

ସଂଗ୍ରାମ କେଶରୀ ରାଉତରାୟ 
 ସଭାପତି(ଉଦୟ ଭାନୁ)

ସମୟ ସ୍ରୋତରେ ଭାସି ଭାସି
ଶୈଶବ ହଜିଯାଏ
ହଜିଯାଏ କୈଶୋର
ଆଉ ଯୌବନ
ଶୈଶବର ଚପଳତା
କୈଶୋରର ବାଚଳାମି
ଯୌବନର ଉଦ୍ଦାମତା 
ସ୍ମୃତି ହୋଇ ନୃତ୍ଯ କରେ
ପରଦା ଉପରେ ଚଳଚ୍ଚିତ୍ର ପରି
ବୟସର ଅପରାହ୍ନରେ ।
ଆକାଶରେ ଗୁଡିଟି ଉଡାଉ ଉଡାଉ
କେତେବେଳେ ସରିଯାଏ
ନଟେଇର ସବୁତକ ସୂତା
ଉଡୁ ଉଡୂ କେବେ କଟିଯାଏ
ଦୋହଲି ଦୋହଲି ଚାଲିଯାଏ
ଗୁଡିଟା
ଦୃଷ୍ଟିର ଆଢୁଆଳକୁ
ଶୂନ୍ୟ ନଟେଇଟା
ପଡ଼ିଯାଏ ଶାନ୍ତ.................
କିଏ ସେ ମାନ୍ତ୍ରିକ
ଗାଇ ଚାଲିଥାଏ
କାହିଁକି ଆସିଛୁ ମନ......
କିଛି ଲୋଡା ନାହିଁ
କେବଳ ତୁମରି ସାନ୍ନିଧ୍ୟ
ପାଇ
ତୁମର ଅନନ୍ତ ପ୍ରେମରେ
ପ୍ରେମୀଟିଏ ହେବା
ମୋର ଏକାନ୍ତ କାମ୍ୟ ।
ଜୟ ସାହିତ୍ୟ, ଜୟ ସମାଜ

ଆମ ନିର୍ବାଚନ ଆମ ହାତରେ

ରତିକାନ୍ତ ବେହେରା 
ଆମ ନିର୍ବାଚନ ଆମ ହାତରେ
କେଉଁ ପ୍ରାର୍ଥୀ ମୋତେ କେତେ ଦେଲାରେ

ଭାବୁଛି ମଦନା ବସି ପିଣ୍ଡାରେ
ଆଜି ସୁଦ୍ଧା ମିଳିଅଛି ହଜାରେ

ୱାର୍ଡ଼ମେମ୍ବର ଏଗାର ଜଣରେ
ଜଣକଠୁ ଦୁଇଶହ ନେବିରେ

ସରପଞ୍ଚ ପ୍ରାର୍ଥୀନୀ ଷୋହଳରେ
ସବୁ ଗୁଡା ପୁରା ଟଙ୍କାବାଲାରେ

ଯେତେ ପ୍ରାର୍ଥୀ ସେତେ ଆମ ଲାଭରେ
ଜଣକଠାରୁ ପାଞ୍ଚଶହ ନେଲେରେ

ଆଠ ହଜାର ପାଇ ତ ଯିବିରେ
ପି.ଏସ୍ ମେମ୍ବର ସାତ ଜଣରେ

ତାଙ୍କଠାରୁ ବେଶୀ ନେବି ନାହିଁରେ
ହୋଇଯିବ ମାତ୍ର ତିନି ଶହରେ

ଆଠ ଜଣ ଜିଲ୍ଲାପରିଷଦରେ
ଜଣକଠୁ ନେବି ପୁରା ହଜାରେ

କୋଡିଏ ହଜାର ପାଇ ଯିବିରେ
ବରଷକ ମଦ ଖର୍ଚ୍ଚ ହବରେ

ସମସ୍ତଙ୍କ ପାଶୁ ନେବି ମୁହିଁରେ
କିନ୍ତୁ ଭୋଟ୍‌ଟା କାହାକୁ ଦେବିରେ

ମୁହିଁ ଦେବି ମୋଟେ ଗୋଟେ ଭୋଟ୍‌ରେ
ସମସ୍ତେ ତ ଦେଉଛନ୍ତି ନୋଟ୍‌ରେ

ମୁଁ ଶଳା ଭୋଟ୍ ଜଣକୁ ଦେବିରେ
ଯିଏ ଦେଇ ନାହିଁ ମୋତେ କିଛିରେ

ଯିଏ ଦଉଛି ପରେ ଶୁଣିବନିରେ
ଯଦି ଦଉଛି ସ୍ୱାର୍ଥ ତ ଅଛିରେ

ଭୋଟ୍ ଦେବି ଶାନ୍ତ ଶିଷ୍ଟ ଦେଖିରେ
ଟାଉଟରଙ୍କୁ ଦେବି ତ ଧକାରେ

ଅଯଥା ଘର ଟଙ୍କା ସାରୁଛରେ 
ଆମ ନିର୍ବାଚନ ଆମ ହାତରେ

କୋଚିଳାଖୁଣ୍ଟା , ବେତନଟୀ , ମୟୂରଭଞ୍ଜ -୭୫୭୦୨୫
ମୋ- ୮୯୧୭୪୦୪୩୯୬
ଜୟ ସାହିତ୍ୟ, ଜୟ ସମାଜ

ଆମ ନିର୍ବାଚନ ଆମ ହାତରେ

କରୁଣାକର ଘଣ୍ଟୁଆଳ
ବାସ୍ତବରେ ଆମେ ଭାରତବାସୀ ଖୁବ୍‌ ଭାଗ୍ୟବାନ୍ । ଆଜି ଆମର ଦେଶ ତଥା ରାଜ୍ୟର ପରିଚାଳନା ପାଇଁ ଆମେ ନେତା , ମନ୍ତ୍ରୀ ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ନିର୍ବାଚିତ କରାଉଛୁ । ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ ଆମର କୋଉଠିନା କୋଉଠି କିଛି ତ୍ରୁଟି ରହିଯାଇଛି । ଯେଉଁ କାରଣ ନେଇ ଅନେକ ଲୋକ ଅନେକ ସମୟରେ ପସ୍ତେଇ ହେବା ହିଁ ସାର ହେଉଛି । ଦେଶ ତଥା ରାଜ୍ୟ ମାନଙ୍କରେ ଥିବା ବିଭିନ୍ନ ଦଳ ବା ପାର୍ଟି ରହିଛନ୍ତି ; ଯଥା :- କଂଗ୍ରେସ ଦଳ , ଜନତା ଦଳ , ବିଜୁ ଜନତା ଦଳ , ଆମ୍ ଆଦ୍‌ମୀ ପାର୍ଟି , ସ୍ୱାଧିନ ପ୍ରାର୍ଥୀ ଦଳ ଇତ୍ୟାଦି । ପ୍ରତ୍ୟେକ ଦଳର ଲୋକ ନିଜ ନିଜର ପାର୍ଟି ବଞ୍ଚାଇବାରେ ଅଭ୍ୟସ୍ତ । ଟିକିଏ ଗମ୍ଭୀର ଭାବେ ଅନୁଧ୍ୟାନ କରି ଦେଖିଲେ ଜଣାଯାଏ ଶତକଡା ନବେ ଭାଗ ଲୋକ ସମସ୍ତେ ନିଜ ନିଜର ସ୍ୱାର୍ଥ କର୍ମରେ ବ୍ୟସ୍ତ । ଭାଷଣ ବାଜି ପ୍ରୋଲଭନ , ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଲେଇବା ଆଜିକାଲିର ନେତା - ନେତ୍ରୀ ମାନଙ୍କର ଏକ ସହଜାତ ଗୁଣ । ପ୍ରାୟ ଅର୍ଦ୍ଧ ଶିକ୍ଷିତ ଅପାଠୁଆ ମାନେ ଏଇ ରାଜନୀତିରେ ଭାଗ ନେବାର ନଜରକୁ ଆସିଥା'ନ୍ତି। ହେଲେ ଏହାରି ଭିତରେ ବି ଅନେକ ଶିକ୍ଷିତ , ଜ୍ଞାନୀ , ଗୁଣୀ ବି ଅଛନ୍ତି । ଯେଉଁମାନେ ସାରା ଜୀବନ ହିଁ ଲୋକଙ୍କ ସେବାରେ ନିୟୋଜିତ ଥାଆନ୍ତି ।

       ପ୍ରକୃତରେ ଆମେ ସେଇ ଲୋକଙ୍କୁ ବାଛିବା ଯେଉଁମାନେ କି ପର ଦୁଖଃରେ ଦୁଖୀ । ବନ୍ୟା , ବାତ୍ୟା , ମରୁଡି ସମୟରେ ଲୋକଙ୍କ ପଛରେ ସହଯୋଗର ହାତ ବଢାଇଥା'ନ୍ତି । ସରକାରୀ ହେଉ କି ବେସରକାରୀ ହେଉ ତାଙ୍କର ଲକ୍ଷ୍ୟ ଥାଏ କେବଳ ଅସହାୟ , ଦୁର୍ବଳ ଶ୍ରେଣୀର ଅନାଥା ମାନଙ୍କୁ ଥଇଥାନ କରିବା । ଆସନ୍ନ ବିପଦରୁ ଲୋକଙ୍କୁ ଉଦ୍ଧାର କରି ଭୋକିଲା ମୁହଁରେ ଆହାର ଯୋଗାଇଦେବା । ସର୍ବଦା ପର ଦୁଖଃରେ ଦୁଃଖି ହୋଇ ନିଜର ଜୀବନକୁ ବାଜି ଲଗେଇ ଦେବା । ଦେଶ ଦେଶରେ ଉନ୍ନତି ପାଇଁ ଅଞ୍ଚଳ ଭିତରେ ଥିବା ମୂଲିଆ ମଜଦୂର ମାନଙ୍କର ସୁଖ ଦୁଃଖର ସାଥି ହୋଇ ସମସ୍ତଙ୍କ ମୁହଁରେ ଯେ ହସ ଫୁଟେଇ ପାରେ ସିଏ ହିଁ ଆଞ୍ଚଳିକ ସ୍ତରର ନେତା ବା ଦେଶ ସେବକ ।
       ଭୋଟ ନେବା ପୂର୍ବରୁ ପ୍ରଥମେ ଆମେ ଟିକିଏ ଚିନ୍ତା କରିବା ଦରକାର । ଧିର ମନ , ସ୍ଥିର ମସ୍ତିଷ୍କରେ ଯେଉଁ ମାନଙ୍କ ଦେହରେ ନେତା ହେବାର ଗୁଣ ସହ ସହିବା ଶକ୍ତି ଥାଏ ତାଙ୍କୁ ହିଁ ଭୋଟ ଦାନ କରି ଉପଯୁକ୍ତ ଆସନରେ ଅଧିଷ୍ଠିତ କରାଇ ପାରିଲେ ଦେଶ ଦେଶର ମଙ୍ଗଳ ହେବା ସଂଗେ ସଂଗେ ସାରା ଅଞ୍ଚଳ ମଧ୍ୟ ଧନ୍ୟ ହୋଇଥାଏ । ଶିକ୍ଷିତ ପାଠୁଆ ଭାଇ , ଅପା ମାନେ ନିଜ ନିଜର କର୍ତ୍ତବ୍ୟ କୁଶଳତା ନେଇ ସଜାଗ ରୁହନ୍ତି । ସମୟର ସଦୁପଯୋଗ କରି ପ୍ରଶାସନ ପାଖରୁ ନିଜର ହକ୍‌କୁ ଛଡାଇ ଆଣି କାର୍ଯ୍ୟରେ ଲଗାଇଥା'ନ୍ତି । ସାରା ଅଞ୍ଚଳର ଦୁଃଖୀ , ଗରିବ , ମୂଲିଆ , ମଜ୍‌ଦୁର୍ , ଶିକ୍ଷିତ , ଅଶିକ୍ଷିତ , ଜ୍ଞାନୀ , ଗୁଣୀ ଯାହା ବି ଅଛନ୍ତି ତାଙ୍କ ସାଙ୍ଗରେ ମିଶି ତାଙ୍କର ହାନି - ଲାଭରେ ସାମିଲ ହୁଅନ୍ତି । ସ୍ୱାର୍ଥବାଦୀ ଲୋକଙ୍କ ପାଖରୁ ଦୂରେଇ ରହି ନିଃସ୍ୱାର୍ଥପର  ନିଷ୍ଠାବାନ୍ ଲୋକକୁ ଆମେ ନେତା ଭାବରେ ବାଛିଲେ ଭବିଷ୍ୟତରେ ଏ ଦେଶ ଦେଶର ମଙ୍ଗଳ ହେବା ସଂଗେ ସଂଗେ ଆମ ସମସ୍ତଙ୍କର ମଙ୍ଗଳ ହେବ ଏଥିରେ ଦ୍ବିମତ୍ତ ନାହିଁ । ବନ୍ଦେ ମାତରମ୍
                        ମନୁପାଲି , ବୌଦ୍ଧ 
                                                                         ମୋ - ୯୩୪୮୨୪୧୨୨୫    ଜୟ ସାହିତ୍ୟ, ଜୟ ସମାଜ

ଉତ୍ତର ଅପେକ୍ଷାରେ

ପ୍ରୀତିମୟୀ ବିଶ୍ବାଳ 
ତୁମେ ମୋତେ ଭୁଲିଗଲ 
ମୁଁ ତୁମକୁ ଭୁଲି ପାରୁନି
ଆଖିରେ ଅଶାର ସ୍ୱପ୍ନ 
ଆଜି ବି ମୁଁ ତୁମ ପାଇଁ ଦେଖେ ।
ତୁମ ମନରେ ବୋଧେ 
ମୁଁ ଘରଟେ ତୋଳି ପାରିନି
ତୁମ ହୃଦୟକୁ ମୁଁ ଜିତିନି
ହେଲେ ବି କାହିଁ ତୁମ ହୃଦୟରେ
ରହିବାକୁ ସର୍ବଦା ଇଚ୍ଛା
ମନକୁ ଯେତେ ଆୟତରେ
ରଖିଲେ ବି ପ୍ରତି ମୁହୂର୍ତ୍ତରେ
ତୁମକୁ ହିଁ ଖୋଜେ କି ପାଗଳାମି
ମୋ' ମନ ଖାଲି ତୁମକୁ ହିଁ ଖୋଜେ
ମୁଁ  ହସୁଛି ନା କାନ୍ଦୁଛି 
ନିଜେ ବି ଜାଣି ପାରେନି 
ଆଜି ମୋ' ସାଥେ ହସ କାନ୍ଦ
ସବୁ ସମାନ ହୋଇଯାଉଛି ।
ଏଇଟା ପ୍ରେମ ନା ଆଉ କିଛି ?
ଆଜି ବି ମୁଁ ଏଇ ପ୍ରଶ୍ନର
ଉତ୍ତରର ଅପେକ୍ଷାରେ...........
ଜଣେନି ବଞ୍ଚିଥିବା ଯାଏଁ  
ଉତ୍ତର ପାଇବି ନା ମଶାଣିରେ 
ହେଲେ ଉତ୍ତର ପାଇଁ ଅପେକ୍ଷା
ନିଶ୍ଚୟ  ପ୍ରତି ସମୟରେ କରିବି । 
ରାଉରକେଲା 
ଜୟ ସାହିତ୍ୟ, ଜୟ ସମାଜ

ଆମ ନିର୍ବାଚନ ଆମ ହାତରେ

ଯୁବ ବାଣୀକବି ଇଂ.ହରେକୃଷ୍ଣ ଦେବ ସାହୁ
ଆମେ ଗଢିବା ସରକାର,
ନିଷ୍ପତ୍ତି ଭୋଟଦାତାଙ୍କର ।
       ଆମ ନିର୍ବାଚନ ଆମ ହାତରେ, 
       ଆମେ ଉତ୍କଳୀୟ ଆମ ଦେଶରେ...।।୧

ନିଜସ୍ଵ ମତେ ଦେବା ଭୋଟ,
ନନେବା ନେତା ହସ୍ତୁ ନୋଟ ।
           ଆମ ନିର୍ବାଚନ ଆମ ହାତରେ, 
           ଆମ ବିଧାୟକ ଆମ ବେଶରେ...।।୨

ନିର୍ବାଚନରେ ଗଣ୍ଡଗୋଳ, 
ନହେଉ କାହା ଅବିଚାର ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ଜାତୀୟତା ଆମ ଭାଷାରେ...।।୩

ଜନତା ସର୍ବେ ଏକାକାର,
ଗଢିବେ ସ୍ବଚ୍ଛ ସରକାର ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ଦେଶପ୍ରେମ ଆମ ନିଶାରେ...।।୪

ନାହିଁରେ ପାତର ଅନ୍ତର,
ନିର୍ମଳ ଜନ ଗଣତନ୍ତ୍ର ।
         ଆମ ନିର୍ବାଚନ ଆମ ହାତରେ, 
        ଆମ ସ୍ବାଧୀନତା ଆମ ବିଶ୍ୱରେ...।।୫

ଗାୟନ ଜାତୀୟ ସଂଗୀତ,
ଜନ ଗଣ ମନ ବନ୍ଦିତ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ବିଶ୍ବକବି ଆମ ଭାଷାରେ...।।୬

ବିଧାନେ ସର୍ବେ ନିର୍ବାଚିତ,
ସଭା ବିଧାୟକ ମଣ୍ଡିତ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ସ୍ବଆସନ ଆମ ରାଜ୍ୟରେ...।।୭

ଓଡ଼ିଶା ନିର୍ବାଚନ ଧର୍ମ,
ସକଳ ନେତାଙ୍କର କର୍ମ ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ଜାଗରଣ ଆମ ଜାତିରେ...।।୮

ନିର୍ମଳ ଭାବମୂର୍ତ୍ତି ଜାଣ,
ଜନତା ମତେ ନେତା ଗଣ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ନେତୃବୃନ୍ଦ ଆମ ସାଥିରେ...।।୯

ସର୍ବ ଗୁଣରେ ଭଗବାନ, 
ଚୟନ କରିଛନ୍ତି ଜନ ।
          ଆମ ନିର୍ବାଚନ ଆମ ହାତରେ, 
          ଆମ ଗଉରବ ଆମ ମନ୍ଦିରେ...।।୧୦ 

ଉତ୍କଳ ଜନ ଗଣ ମନ,
ଜୟ ଓଡ଼ିଶା ନିର୍ବାଚନ ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ସପ୍ତସ୍ଵର ଆମ କଣ୍ଠରେ...।।୧୧

ସଭ୍ଯ ଜନତା ଜନାର୍ଦ୍ଦନ,
ତାଙ୍କ ମତରେ ମତଦାନ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ଜାତୀୟତା ଆମ ଧ୍ବଜାରେ...।।୧୨

ବିଶ୍ବେ ରଚିବା ମହାକିର୍ତ୍ତି,
ଭାରତବାସୀ ଶ୍ରେଷ୍ଠ ଜାତି ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ଭାରତୀୟ ଆମ ସ୍ଥାନରେ...।।୧୩

ସର୍ବୋତ୍ତମ ମହାନାୟକ, 
ଅହିଂସା ନୀତି ପ୍ରଚାରକ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ଜାତିପିତା ଆମ ବଂଶରେ...।।୧୪

ମହାତ୍ମା ସେ ଜାତୀୟ ପିତା,
ଗାନ୍ଧି ନାମେ ଜଗତ ଜିତା ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ପୌରୁଷତା ଆମ ରକ୍ତରେ...।।୧୫

ତାଙ୍କ ପରି କେ ଅଛି ପିତା, 
ଜୟ ବିଜୟ ଜ୍ଞାନ ଗୀତା ।
        ଆମ ନିର୍ବାଚନ ଆମ ହାତରେ, 
        ଆମ ବୈଜ୍ଞାନିକ ଆମ ଜ୍ଞାନରେ...।।୧୬

ଆମେ ଗଢିବା ସରକାର,
ଆମ ନିର୍ବାଚନ ଇସ୍ତାହାର।
        ଆମ ନିର୍ବାଚନ ଆମ ହାତରେ, 
        ଆମ ନ୍ୟାୟାଳୟ ଆମ ନ୍ୟାୟରେ...।।୧୭

ନବ ଉତ୍କଳ ନବ କୋଶଳ, 
ଗରିବ ଜନ ସେବା ସୁଫଳ ।
        ଆମ ନିର୍ବାଚନ ଆମ ହାତରେ, 
        ଆମେ ଭାରତୀୟ ଆମ ଭୂମିରେ...।।୧୮

ବିଜୟୀ ନେତାଙ୍କ ପ୍ରଗତି ଡଙ୍ଗା,
ଉଡେ ଜାତୀୟ ପତାକା ତ୍ରିରଙ୍ଗା। 
        ଆମ ନିର୍ବାଚନ ଆମ ହାତରେ, 
        ଆମ ସର୍ବଧର୍ମ ଆମେ ହିନ୍ଦୁରେ...।।୧୯

"ଜନ ଗନ ମନ ଅଧି ନାୟକ,
ଜୟ ହେ ଭାରତ ଭାଗ୍ୟ ବିଧାତା।"
        ଆମ ନିର୍ବାଚନ ଆମ ହାତରେ, 
        ଜାତୀୟ ସଂଗୀତ ଆମ ଗୀତାରେ...।।୨୦

ଜୟ କଳିଙ୍ଗ ଜୟ ଉତ୍କଳ,
ଜୟ ଓଡ଼ିଶା ଜୟ କୋଶଳ ।
        ଆମ ନିର୍ବାଚନ ଆମ ହାତରେ, 
        ଆମେ ହିନ୍ଦୁସ୍ତାନୀ ଆମେ ଆର୍ଯ୍ୟରେ...।।୨୧

 🔆🔆🔆🔆🔆🔆🔆🔆🔆🔆🔆🔆🔆🔆🔆🔆🔆
କୁଶଙ୍ଗ , ସିଂହଭୂମି , ଚନ୍ଦନଭାଟି (ବଲାଙ୍ଗୀର)-୭୬୭୦୬୫
ମୋ.ନଂ- ୭୯୭୮୫୨୪୬୭୧
🔅🔅🔅🔅🔅🔅🔅🔅🔅🔅🔅🔅🔅
ଜୟ ସାହିତ୍ୟ, ଜୟ ସମାଜ