4/30/2021

ପ୍ରୀତି ପାର୍ବଣ

ଅନୁପମା ଦାସ
ରିତା ସବୁଦିନେ ତାଙ୍କୁ କଲେଜ ଗଲା ବାଟରେ ଦେଖେ । ପରିଚୟ ତ ଜଣା ନଥିଲା ହେଲେ କାଇଁ ତାଙ୍କ ପାଖେ ଆଖି ଲାଖିଯାଏ ତା'ର । କଲେଜ ସାମ୍ନାରେ ବସ କୁ ଅପେକ୍ଷା କରନ୍ତି ତରୁଣ ଯୁବକ ଜଣକ । କେବଳ ଦେଖିଛି ମାତ୍ର । ଗୋଟେ ପଲକର ଛାପ । ଗେଟ ଭିତରକୁ ଗଲାବେଳେ ବୁଲି ବୁଲି ତାଙ୍କୁ ଚାହେଁ । ହୃଦୟ ଭେଦକରେ ଯୁବକର ହସ । ତା'ର ଚାହାଣି, କଥା କହିବାର ଠାଣି ଅଦ୍ଭୁତ ଏକ ରୋମାଞ୍ଚ ସୃଷ୍ଟି କରେ ରିତା ମନରେ । କଲେଜର ସବୁ ଟୋକାଙ୍କ ଛାତିତଳେ ଘର କରିଥିବା ରିତା କେଉଁ ଆକର୍ଷଣ ରେ ଆନମନା ହୁଏ ତାଙ୍କ ପାଇଁ ସେ ବି ବୁଝିପାରେନି । ସମୟର ମୂଲ୍ୟ ବୁଝୁନଥିବା ଝିଅଟି ଆଜି ବେଶ ଜଲଦି କାମ ସାରି ତାଙ୍କୁ ଟିକେ ଆଖି ପୁରେଇ ଦେଖିବାକୁ ଧାଇଁ ଆସେ । ଖାଲି ଟିକେ ଦେଖିଦେଲେ ଅପୂର୍ବ ଶାନ୍ତି ମିଳିଯାଏ ଯେମିତି । ନିରୋଳା ରେ ବସିଲେ ତାଙ୍କ କଥା ଭାବେ । ଅନ୍ୟମନସ୍କ ରହେ । ମୁଗ୍ଧ ହେଇଯାଏ ତାଙ୍କ ରୂପ ମନେ ପଡିଲେ । ରାତିରେ ସ୍ୱପ୍ନ ଦେଖେ । ଅନ୍ୟମନସ୍କ ହେଇଯାଏ ସବୁ କାମ ମଧ୍ୟରେ । 
       ଆଜି କାହିଁ ସେ ଆସିକି ଦେଖିପାରୁନି ତାଙ୍କୁ । ଚାତକ ପରି ଚାହିଁ ରହିଛି ରାସ୍ତା କଡ଼କୁ ।
ଗେଟ ଭିତରକୁ ଯାଇପାରୁନି । ଅପେକ୍ଷା ପରେ ବସ ଆସିଲା ଆଉ ଚାଲିଗଲା । ରିତା ଛାତି ଭିତରେ ଯେପରି ଫାଙ୍କା ଫାଙ୍କା ଅନୁଭବ । ବ୍ୟଥାତୁର ସ୍ପର୍ଶରେ ଯେପରି ହୃଦୟ ବିଗଳିତ ହେବା ପରି ପ୍ରତିତ ହେଉଛି । ମନେ ମନେ ଚିନ୍ତାଗ୍ରସ୍ତ ହେଇପଡୁଛି । କାଳେ ଦେହ ଖରାପ ହେଇଥିବ କି କୌଣସି ଅସୁବିଧା ହେଇଥିବ ଭାବି ଭାବି ଭାଙ୍ଗି ପଡୁଛି ମନେ ମନେ । କ୍ଳାସ ରେ ମଧ୍ୟ ମନ ଲାଗୁନି ତା'ର । ରାତି ଯାକ କଡ ଲେଉଟାଉ ଥାଏ ଭାବୁଥାଏ ତାଙ୍କ କଥା । ସକାଳୁ ସକାଳୁ ଜଲଦି କାମ ସାରି କଲେଜ ଆଡେ ଦୌଡ଼ିଛି । ସେମିତି ଅପଲକ ନୟନରେ ଚାହିଁ ରହିଥାଏ କାଳେ ତା' ମନର ମଣିଷ ଦେଖା ହେଇଯିବେ କି ? କିନ୍ତୁ ଏ କ'ଣ ? ଆଜି ମଧ୍ୟ୍ୟ ନିରାଶାରେ ଜର୍ଜରିତ ହୋଇ ରହିବାକୁ ହେଲା । ଦିନ ପରେ ଦିନ ଗଡି ଚାଲିଲା ହେଲେ ରିତାର ଆଖି ହଳକ ଆଉ ତାଙ୍କର ଦର୍ଶନ ପାଇପାରିନାହିଁ । ସ୍ମୃତି ପଟରେ ଧୂଆଁଳିଆ ମୁଁହ ଖଣ୍ଡକ ନିରଳା ରେ ଆସି ଅସ୍ତ ବ୍ୟସ୍ତ କରି ପଳାଏ ।
   ବେଶ କିଛିଦିନ ପରେ ଥରେ ରିତା ଆବିଷ୍କାର କଲା କେମେଷ୍ଟ୍ରି  ଡିପାର୍ଟମେଣ୍ଟ ନୂଆ ହେଡ ଙ୍କ ଭିତରେ ସେଇ ହଜିଯାଇଥିବା ମୁଁହ ଟିକୁ । ହଜିଯାଇଥିବା ଲୋକଟି ଏତେ ପାଖରେ ଉଭାହେବେ ଦିନେ ତା' କଳ୍ପନା ବାହାରେ ହିଁ ଥିଲା । ଖୁସିରେ ମନ ଉଡିବାକୁ ଉଦ୍ୟତ ହୁଅନ୍ତେ କାହାର କଡା ଆକଟରେ ସ୍ୱପ୍ନ ରାଇଜରୁ ତୁରନ୍ତ ଭୂମିରେ ପଡିଲା ରିତା । ଭଲ ପାଇଯାଇଥିବା ମୁଁହଟିର ଏଭଳି କଡା ସ୍ୱରରେ ବେଶ ଆଘାତ  ପାଇଲା ଝିଅଟି । ନୂଆକରି ଜଏନ କରିଥିବା ପ୍ରଫେସର ଅଭୟ ଦାସ ହଠାତ୍ ଗାଳି ଦେବା ଭଙ୍ଗୀରେ ଦି ପଦ ଶୁଣେଇଛନ୍ତି ରିତାକୁ । 
- ଏଠି କ'ଣ କରୁଛ ? ତୁମର କୋଉ ଇଅର୍ ? କ୍ଲାସ ନାହିଁ କି ଏବେ ?
-ସରୀ ସାର୍ ; ମୁଁ... ମୁଁ... ମୁଁ... ରିତା ମହାପାତ୍ର । +୩ ସେକେଣ୍ଡ ଇଅର୍ । କ୍ଲାସ ଅଛି । 
–ଏଇଠି କାଠ ପାଷାଣ ମୂର୍ତ୍ତିଟି ଭଳି କ'ଣ ଠିଆ ହେଇଛ ? ଜଲଦି କ୍ଲାସ କୁ ଯାଅ ମୁଁ ଆସୁଛି ।

ବିମୁଢ ହେଇ ଠିଆ ହେଇଥିବା ରିତା କିଛି ନ କହି ଦୌଡି ଦୌଡି ଯାଇ କ୍ଲାସରେ ଥମ୍ ହେଇ ବସିପଡ଼ିଲା । ଭାବୁଥାଏ ଯେଉଁ ଝଡଟି କିଛି କ୍ଷଣ ପୂର୍ବରୁ ସମ୍ମୁଖ ଦେଇ ଚାଲିଗଲା , ସେଥିଲାଗି ହସିବ କି କାନ୍ଦିବ । କିଛି ଭାବିବା ପୂର୍ବରୁ ପୁଣି ଝଡ ଭଳି ମାଡି ଆସିଲେ ଅଭୟ ସାର୍ । ଗୋଟି ଗୋଟି କରି ସବୁ ପିଲାଙ୍କୁ କିଛି ନା କିଛି ପଚାରୁଥାନ୍ତି । ରିତାକୁ ପଚାରିବାରୁ ସ୍ତମ୍ବ ଭଳି ମୁଁହ ତଳକୁ ପୋତି ଠିଆ ହେଇଥାଏ । ପୁଣି ଝାଡି ଦେଇଗଲେ । 
-ଖାଲି ଫେସନ ହେଇ କଲେଜରେ ଘୁରି ବୁଲନ୍ତିନି ରିତା । ପାଠ ପଢ଼ିବାର ଯଦି ଆଗ୍ରହ ନାହିଁ , ଘରେ ରହି ବାପା ମା' ଙ୍କୁ କୁହ ବାହାଘର କରିଦେବେ । କାଇଁ କଲେଜ ଆସିକି ନିଜର ଆମର ସମୟ ନଷ୍ଟ କରିବ ?
ସମସ୍ତଙ୍କ ଆଗରେ ଯାହା ହେଇଗଲା ଭାରି ଆଘାତ ଦେଇଛି ରିତାକୁ । ଘରେ ଆସି ବହୁତ କାନ୍ଦିଲା । ଭାବନାରେ ଆଙ୍କିଥିବା ମଣିଷଟିର ଭିନ୍ନ ରୂପଟିକୁ ସହଜରେ ହଜମ କରିପାରୁନି ସେ । କ'ଣ ଭାବିଥିଲା ଆଜି କ'ଣ ହେଇଗଲା ? ରାତିଯାକ ଯନ୍ତ୍ରଣାରେ ଛଟପଟ ହେଇଛି । ସକାଳ ହେବାରୁ ସିଧା ଗଲା ବହି ଦୋକାନ । କେମେଷ୍ଟ୍ରିର ଯେତେ ଅଲଗା ଅଲଗା ଅଥର୍ ଙ୍କ ବହି ଆଣି ଆସିଲା । ରାତି ଦିନ ଏକ କରି ପଢ଼ିଛି ସାର୍ ଙ୍କୁ ଖୁସି କରିବାକୁ । କ୍ଲାସରେ ରୁହେ ଘରକୁ ଆସି ପଢେ ଆଉ ମନର କୋଉ ଗୋଟେ କୋଣରେ ଅଭୟ ସାର୍ ଙ୍କୁ ଖୁସି କରିବାର କଥା ଭାବେ । ଅନେକ ଚେଷ୍ଟା ସତ୍ତେ ମଧ୍ୟ କୋଉଠି ନା କୋଉଠି ବିଫଳ ହେଲା ପରି ପ୍ରତିତ ହୁଏ । କାଇଁ ସାର୍ ତ କେବେ ଖୁସି ହୁଅନ୍ତି ନାହିଁ ? 

      ଦିନ ପରେ ଦିନ ଗଡି ଚାଲିଲା । ରିତା ପଢା ଭିତରେ ଏତେ ଡୁବିଗଲା ଯେ ବାହାରର କୌଣସି ଚିନ୍ତା  ରହିଲାନି । ଖାଲି କେମେଷ୍ଟ୍ରି ନୁହେଁ ପ୍ରତ୍ୟେକ ବିଷୟକୁ ମନ ଲଗେଇ ପଢ଼ିଲା । ପରୀକ୍ଷା ମଧ୍ୟ ସରିଗଲା ଚାହୁଁ ଚାହୁଁ । କଲେଜ ସରିଗଲା । ରେଜଲ୍ଟ ଅପେକ୍ଷାରେ ସମସ୍ତେ । ଘରେ ସାଙ୍ଗ ମାନେ ବେଳେବେଳେ ଆସନ୍ତି ରିତା ପାଖକୁ । ଥଟ୍ଟା ମଜା, କିଏ କ'ଣ କରୁଛି, ଏହି ସବୁ ଚାଲେ ।  ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେଇଗଲା । ତା'ର ସାଙ୍ଗ ସବୁ ବ୍ୟସ୍ତ ତାଙ୍କ ନିଜ ନିଜ ଭିତରେ । ଏହି ଭିତରେ ରିତା ମଧ୍ୟ ତା'ର ମନର ମଣିଷଙ୍କୁ ମନେ ମନେ ଝୁରିଛି ହେଲେ କାହାକୁ କହି ପାରିନି ।  ବାପା ମା' ବାହାଘର ଠିକ୍ କରିଛନ୍ତି । ସେ ରାଜି ହେଇଯାଇଛି ପୁଅ ବିଷୟରେ କିଛି ନ ଜାଣି । ସେଇ ପୁଅଟି ପାଖରୁ କେତେ କ'ଣ ଉପହାରବି ଆସୁଛି ହେଲେ ରିତାର ସେତେ ଆଗ୍ରହ ବି ନଥାଏ । ଆଜି ଭଲେଣ୍ଟାଇନ ଡେ । ରେଜଲ୍ଟବି ବାହାରିବ ନୋଟିସ ଆସିଛି । ବାପା ମା' ରିତା ସମସ୍ତେ କଲେଜ ଯାଇଥାନ୍ତି । ରିତା ଭାବିଛି କିଛି ପୋଜିସନରେ ନିଶ୍ଚିତ ଆସିଥିବ ସେ । ରେଜଲ୍ଟ ରେ ତା'ର ନାଁ ନାହିଁ । ଭାବିଛି ଅଭୟ ସାର୍ ବୋଧେ ରାଗିକି ତାକୁ ଫେଲ କରିଦେଇଛନ୍ତି । ହଟାତ୍ ଗୋଟେ ସ୍ପେସିଆଲ ଆନାଉନ୍ସମେଣ୍ଟ ହେଲା । ରିତା ମହାପାତ୍ର କଲେଜ ଟପର ଏବଂ ଷ୍ଟୁଡେଣ୍ଟ ଅଫ ଦି ଇଅର ହେଇଛନ୍ତି । କାନକୁ ବିଶ୍ୱାସ କରି ପାରୁନଥାଏ ରିତା । ତା' ଭଳି ସାଧାରଣ ପିଲାଟିଏ ଏହି ଜାଗାରେ ପହଁଚି ପାରିଛି ଭାବିବି ପାରୁନଥାଏ । ହଟାତ୍ ପଛରୁ କିଏ ଡାକିଲାରୁ ରିତା ଦେଖେ ତ ଅଭୟ ସାର୍ ହାତରେ ଗୋଟେ ଗିଫ୍ଟ ବକ୍ସ ଧରି ଠିଆ ହେଇଛନ୍ତି । ମୁଁହର ହସ ଅଲଗା କିଛି କହିଯାଉଥିଲା, ଯେପରି ତାଠୁ ବେଶି ଖୁସି ସେ ଥିଲେ । ଗିଫ୍ଟ ହାତକୁ ବଢାଉ ବଢ଼ାଉ ବାପା ମା'  ଆସିଗଲେ । ତାଙ୍କ ହାତରେ ମଧ୍ୟ ଛୋଟ ବକ୍ସଟିଏ । ସାଙ୍ଗ ମାନେ ରୁଣ୍ଡ ହେଇଗଲେଣି କ'ଣ ସବୁ ହେଉଛି ଦେଖିବାକୁ । ରିତା ମଧ୍ୟ ଆଶ୍ଚର୍ଯ୍ୟ ଚକିତ । ଗିଫ୍ଟ ଖୋଲାଯିବାରୁ ଦେଖାଗଲା ଏନଗେଜମେଣ୍ଟ ରିଙ୍ଗ ଆଉ ବାହାଘର କାର୍ଡ । ବାପା ମା' ଠିକ୍ କରିଥିବା ପୁଅ ଜଣକ ହେଉଛନ୍ତି ଅଭୟ ସାର୍ । ଭାବିଲା ବେଳକୁ ରିତା ପାଦତଳ ମାଟିବି ଖସିବା ଭଳି ଲାଗୁଥିଲା । ତା'କୁ ଭଲ ବାଟକୁ ନେବାକୁ ଏଇଟା ଅଭୟ ସାର୍ ଙ୍କ ନାଟକ ଥିଲା ବୋଧହୁଏ । କିନ୍ତୁ ରିତା ଆଖିରୁ ଝରି ପଡୁଥିବା ଝରଝର ଲୁହ ଦେଖି କେହି ବୁଝି ମଧ୍ୟ ପାରୁନଥିଲେ ରିତା ଅଭୟଙ୍କୁ ପାଇ ଖୁସିରେ କାନ୍ଦୁଛି କି ଦୁଃଖରେ !!!

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।