4/30/2021

ହସ୍ତୀ ସ୍ତୁତି

କବିଚନ୍ଦନ ଦେବଦତ୍ତ ପ୍ରଧାନ 
(ବାଧିଲା ଜାଣି ଜମା ବୃତ୍ତେ)

କରୁଣାକର ହୋଇ     କରୁଣା କର ନାହିଁ
          କରୁଣାଧିପ ଶୁଣାଣିରେ ,
କେତେକେତେ ପାତକ     ଦହିଛ କୃପା ମାତ୍ରକ
          କିମ୍ପା ଏଡେ ହଟ ପ୍ରାଣୀରେ
         ହେ ଜଗନ୍ନାଥ....ହେ ରାମ ହରି...
ବାଇବାରଣ ପରୀ ଗିରୀ     ସେପରି ଅଛ ନୀଳଗିରୀ
       ବାରଣ କଳାଗିରୀ      କାରଣ କଳାଶିରୀ
              ଭବିଦେଖ ନୁହେଁ କି ସରି ।୧

ହସ୍ତୀ ପାଦ ଚଟକା     ଗୋଦରା ପରା ଥକା
         ପଥେ ଚାଲେ ଝୁଲି ଝୁଲିକା
ସେପରି କଳିଯୁଗେ     ଖଣ୍ଡିଆ ପାଦ ଯୁଗ୍ମେ
             ଚାଲୁଅଛ ଭଳିଭଳିକା
               ହେ ଗିରୀ ଟେକା.....
ପଶୁଙ୍କ ଭଳି ଦିଶୁଅଛ      ତା' ନାମ ରାଜା ଐରାବତ
  ଦଶ ଚାରିରେ ରଜା       ଷୋଡ଼ଶରେ ତା' ପୂଜା
             ସେପରି କରନ୍ତି ମାହୁଁନ୍ତ ।୨

ପାଣି ହୀନ ତୁ ହସ୍ତୀ     ଅଙ୍ଗୁଷ୍ଠି ବିନା କୀରତି
             ଶୁଣ୍ଢ ହସ୍ତ କର୍ମ କରଇ
ହସ୍ତୀ ଶୁଣ୍ଢ ଲମ୍ବା      ତୋ' ଶୁଣ୍ଢ ବଡ଼ ଲମ୍ବା
       ଗଜାନନ ବେଶ ବୋଲାଇ ,
              ହେ ମହାବାହୁ.....
ବିଚିତ୍ର ନୀତି ମାଘମାସେ     ହେଲା କି କୁହନ୍ତୁ ବିଦୁଷେ
     ଶିରି ଭୋଗ ଖାଉ           ବଡ଼ ଭୋଗୀ ବୋଲାଉ
           ସେପରି ହସ୍ତୀ ପୀରତି ଦେଶେ । ୩

ହସ୍ତିର ବଡ ଦନ୍ତ    ଖାଅ ଶ୍ରୀଫଳ ଶତ
      ନ ଥିଲେ କି ଏତେ ଖାଆନ୍ତ ?
ଦନ୍ତ ପୁରୀ ତୋ କ୍ଷେତ୍ର       କହେ ବଉଦ୍ଧ ଶାସ୍ତ୍ର
            ଦୋହାରେ ପ୍ରମାଣ ଅନନ୍ତ
                  ହେ ଜଗନ୍ନାଥ...
ହସ୍ତି ଭାଙ୍ଗଇ ବରଡାଳ     ତୁମ୍ଭେ ଭାଙ୍ଗ କଦମ୍ବ ମାଳ
ହସ୍ତୀ ଜାଣିବା ଜନ୍ତୁ           ଉଣା ନୁହଁ ତୁ କିନ୍ତୁ 
          ଅନ୍ତର୍ଯ୍ୟାମି ବୋଲି ଚହଳ ।୪

କର୍ଣ୍ଣେ କୁଣ୍ଡଳ ଶୋଭା    କର୍ଣ୍ଣ ନ ଥାଇ ଦେବା
              ବାତୁଳେ ଦିଅନ୍ତି ଉପମା
 ହସ୍ତୀର କର୍ଣ୍ଣ ଥାଇ    ପଙ୍ଖା ତାହାକୁ କହି
          ସେପରି ଶୁଣନ୍ତି ମଣିମା
               ହେ ଜଗନ୍ନାଥ...
ପାଇଛ ଢେଗା ଢେଗା ଗାତ୍ର     ଚାହୁଁଛ ଭୂତ ପରି ରାତ୍ର
ହସ୍ତୀ ନୟନ ବେନି                ଦେଖ ଭୁବନ ପୁଣି
          ତୁମ୍ଭେ କି ଦେଖୁଛ ଦୁଃଖୀଙ୍କି ।୫

   ହସ୍ତୀ ବନେ ନାଟୁଆ     ନୂପୁର ନାଇ ଠିଆ
           ତୁମ୍ଭେ ନାଚ ଭକ୍ତ ଗହଣେ
ହସ୍ତୀର ଲୋମ ଥାଇ     ତୁମ୍ଭର ଲୋମ ଥାଇ
        ଲୋମାଞ୍ଜ ଋଷି କୃପା  ଯେହ୍ନେ
                 ହେ ମହାବାହୁ....
ହସ୍ତୀର ଲାଞ୍ଜ ଶୋଭା ପାଇ     ତୋ' ଦେହେ ଲାଞ୍ଜ ଶୁଣା ନାହିଁ
ଲାଞ୍ଜ ପରି ଘେରାଇ               ମାରୁଅଛୁ ଘୁରାଇ
       (ତୋ') ଲାଞ୍ଜକୁ ମାୟା ବୁଧେ କହି ।୬

    ହସ୍ତୀ ପରି ପୃଥଳ      ଶରୀର ଗଣ୍ଡସ୍ଥଳ
            ତୁମ୍ଭେ ଉଣା ନୁହଁ ସାମନ୍ତ
     କିଆକନ୍ଦା ଯାବତ    ଖାଏ ସେ ଐରାବତ
              ତାବତ ଆହେ ଜଗନ୍ନାଥ
                  ହେ ମହାପ୍ରଭୁ....
ଡରିମରି କରୁଛି ପ୍ରୀତି     ତରିବାକୁ ଭବ ବିପତ୍ତି
କବି ସୂର୍ଯ୍ୟ ବୃତ୍ତରେ     ବୋଲେ ଦେବଦତ୍ତରେ
           ଦାସ କରୁଛି ହସ୍ତୀ ସ୍ତୁତି । ୭


      ରଘୁରାଜପୁର (ପୁରୀ)
     ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।