ବସନ୍ତ କୁମାର ପଣ୍ଡା
ହେଇ ଯାଆନ୍ତି କି ଆଉଥରେ ପୁଣିଅଝଟିଆ ଛୋଟ ପିଲା
ଗାଆଁ ସାରା ଲୋକେ ଦାଣ୍ଡରେ ବୁଲେଇ
କରୁଥା'ନ୍ତେ କେତେ ଗେହ୍ଲା ll
ପର ଆପଣାର କୁତ୍ସିତ ଭାବନା
ଟିକିଏ ନଥା'ନ୍ତା ମନେ
ଭାଗାରୀ ବଇରୀ କିଏ ବା କାହାରି
ତିଳେ ନଥା'ନ୍ତା ମୋ' ଜ୍ଞାନେ ।l
ଜଣା ଅଜଣାରେ ଅଝଟ ପଣରେ
ଭୁଲ୍ ଯଦି ଗଲା ହୋଇ
ବାଳୁତ ବାଳକ ମଣି ଏ ଦୁନିଆ
ହସି ଦିଅନ୍ତେ ଉଡାଇ ll
କଅଁଳ ପାଦରେ ଘୁଙ୍ଗୁରକୁ ବାନ୍ଧି
କାନ ଡେରିଥା'ନ୍ତେ ମାଆ
କେତେବେଳେ କାଳେ ଗୁରୁଣ୍ଡି ଗୁରୁଣ୍ଡି
ଏରୁଣ୍ଡି ଡେଇଁବ ଛୁଆ ll
ସଞ୍ଜ ଆକାଶର ଜହ୍ନକୁ ଦେଖାଇ
ଚିହ୍ନାଇ ଦିଅନ୍ତେ ମାଆ
ହେଇ ଦେଖ ବାବୁ ଦେଖାଯାଉଅଛି
ତୋର ମାମୁଁ ଘର ଗାଆଁ ll
ଫୁଙ୍ଗୁଳା ଅଢାକୁ ଦେଖେଇ ଖୁସିରେ
ହସି ଦେଉଥାନ୍ତି ମୁହିଁ
ମୋର କୁନି ଓଠେ ହସ ଦେଖି ମାଆ
ହୃଦୟ ଯାଆନ୍ତା ଛୁଇଁ ll
ବୁଡା ସଞ୍ଜୁଆଳି ଶୀତଳ ପବନ
ହାବୁକେ ଆସନ୍ତା ବୋହି
ଶଙ୍କେ ଅଚାନକେ ନରମ ପଣତ
କାନି ଦିଅନ୍ତେ ଘୋଡେଇ ll
ଜାଣି ବି ନଥିଲି ଭାବି ବି ନଥିଲି
ଦିନେ ବଡ ହେଇଯିବି
ଦୁନିଆର ଏହି ସ୍ନେହ ଅନଳରେ
ଜଳି ମୁଁ ଅଙ୍ଗାର ହେବି ll
ନିର୍ମଳ ମନରେ ଜହର କହର
ସମାଜ ଦେଇଛି ଢ଼ାଳି
ସରଳ ଜୀବନେ ବିଷର ଜ୍ୱାଳାରେ
ପାଦେ ପାରୁନାହିଁ ଚଳି ll
ସେଦିନ ପାଦରେ ଗୋଟିଏ ଘୁଙ୍ଗୁର
ଥିଲା ଶରଧା ବାଜଣା
ଆଜି ସେ ଶରଧା ବଦଳରେ ଦେଲା
କ୍ରୁର କରୁଣ କାନ୍ଦଣା ll
କୋଳେଇ କାଖେଇ ଥିଲେ ଯେ ବଢେଇ
ପାଖଆଖ ସାହି ଭାଇ
ସେଦିନର ସେହି କଅଁଳିଆ ହସ
କେହି ପାରୁନାହିଁ ସହି ll
ଏକା ଖାଲି ସେହି ମାଆର ପଣତ
ତଳୁ ଯାହା ପାଇଥିଲି
ବଞ୍ଚେଇଛି ମୋତେ ସଂଜୀବନୀ ଦେଇ
ତାକୁ ମୁଁ ପାରୁନି ଭୁଲି ll
ଏହି ମୋ' କବିତା ଅନ୍ତରର କଥା
ଲେଖୁ ଲେଖୁ ଲେଖି ଗଲା
ହେଇ ଯାଆନ୍ତି କି ଆଉଥରେ ପୁଣି
ଅଝଟିଆ ଛୋଟ ପିଲା ll
-0-
ବଇଞ୍ଚା - ଇରମ - ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।