ଲୀଳାବତୀ ମହାପାତ୍ର
ଗୋଧୂଳି ସମୟ । ସୂର୍ଯ୍ୟଙ୍କର ଲାଲ୍-ହଳଦିଆ କିରଣରେ ପଶ୍ଚିମ ଆକାଶଟି ରଙ୍ଗାୟିତ ହୋଇ ଅପୂର୍ବ ଶୋଭା ଧାରଣ କରିଥାଏ । ପକ୍ଷୀମାନେ ସ୍ବ-ସ୍ବ ଧ୍ବନି କରି ନିଜ ନୀଡକୁ ବାହୁଡି ଯାଉଥା'ନ୍ତି । ମନ୍ଦିରରେ ବାଜୁଥିବା ଘଣ୍ଟ ଓ ଶଙ୍ଖ ଧ୍ୱନି ପରିବେଶର ପବିତ୍ରତାକୁ ବଢାଇ ଦେଉଥାଏ । ଘରେ ସଂଞ୍ଜବତୀ ଜଳି ଉଠିଲା । ତନୁଶ୍ରୀ ପ୍ରତିଦିନ ସଂଞ୍ଜ ଦେଇ ଠାକୁର ଘରେ ବସି ଗୀତା, ଶିବ ପୁରାଣ ଇତ୍ୟାଦି ପାଠ କରନ୍ତି । ଗତକାଲି ରାତ୍ରିରେ ମା' ଫୋନ୍ ଯୋଗେ ସବାସାନ ଭାଇର ଦେହ ଖରାପ ବୋଲି କହିଥିଲେ । ସେ ଭାଇର ମଙ୍ଗଳ କାମନା କରି ଗୀତା ପାଠ କଲେ । ଠିକ୍ ସେହି ସମୟରେ ଫୋନ୍ ରିଙ୍ଗ୍ ହେଲା । କିଛି ଅଘଟଣର ଆଶଙ୍କାରେ ଶିହରି ଉଠି ହାଲୋ କହିବା ମାତ୍ରେ ଅପର ପଟୁ ବଡ ଭଉଣୀର କ୍ରନ୍ଦନ ଧ୍ବନି ଶୁଣାଗଲା । ଦୁଃଖ ମିଶା କ୍ଷୀଣ ସ୍ୱରରେ କୁନ୍ମୁନ୍ ଚାଲିଗଲା କହି ଫୋନ କାଟି ଦେଲେ ।
ତନୁଶ୍ରୀ ଭୋ ଭୋ ହୋଇ କାନ୍ଦି ଉଠିଲେ । ସେ ସାନଭାଇକୁ ବହୁତ ଭଲ ପାଉଥିଲେ । ଗୀତା ପାଠ ଦ୍ବାରା ସେ ଜାଣି ଥିଲେ ଆତ୍ମା ଅଜର ଏବଂ ଆମର । ତଥାପି ସେ ତ ଆଉ ତାଙ୍କ ଭାଇକୁ ସ୍ଵ ଶରୀରରେ ପାଇ ପାରିବେ ନାହିଁ । ଜାଣି ମଧ୍ୟ ସେ ଠାକୁରଙ୍କୁ ବହୁତ ଅପଶବ୍ଦ କହିଥିଲେ ।
ତାଙ୍କର ଅନ୍ତର ମନ କାନ୍ଦି ଉଠି ଥିଲା । ତାଙ୍କର ଅନ୍ତର - ମନ କାନ୍ଦି ଉଠିଥିଲା । ଛଅ ଭାଇ - ଭଉଣୀ ମଧ୍ୟରେ ସବା ସାନ ସମସ୍ତଙ୍କ ଗଳାରମାଳୀ ଥିଲା । ଗୋରା ତକ୍ତକ୍ ଚେହେରା - କଳା କୁଞ୍ଚି କୁଞ୍ଚି ବାଳ - ସୁସ୍ଥ ଶରୀରରେ ସେ ରଜା ପିଲାଟି ପରି ଦେଖା ଯାଉଥିଲା । ଭଲ ପାଠ ପଢିବା ସାଙ୍ଗକୁ ସ୍ବ ଅଭିନୟ , ବକ୍ତୃତା, ରଚନା, ଖେଳ ସବୁଥିରେ ସେ ସାଙ୍ଗକୁ ପଛରେ ପକାଇ ଦେଉଥିଲା । ବୟସର ଶିଡି ଚଢି ଚଢି କୁନ୍ମୁନ୍ ସମସ୍ତ ଶିକ୍ଷାଦୀକ୍ଷା ସାରି ଲୋଭନୀୟ ଚାକିରିଟିଏ କଲା । ସାମାଜିକ ପରମ୍ପରାକୁ ସମ୍ମାନ ଜଣାଇ ସୁନ୍ଦରୀ ସଂଗୀତାର ହାତ ଧରି ତା ସଂସାରକୁ ପ୍ରେମମୟ କରି ଗଢି ତୋଳିଲା । ଆହୁରି ମଧୁମୟ ପରୀର ଆଗମନରେ ଆନନ୍ଦ ଆଳୟ ହୋଇ ଉଠିଥିଲା ତା ସଂସାର । କୁନ୍ମୁନ୍ ମଧ୍ୟ ଗାଡି, ଘର କିଣି ଅତି ସୁଖରେ ତା ସଂସାରକୁ ଚଳଉ ଥିଲେ ।
ଭଲ ମିତ୍ରର ସହଯୋଗ ପାଇଲେ ମନୁଷ୍ୟ ଖୁବ୍ ଉପରକୁ ଉଠିଥାଏ । ଖରାପ ମିତ୍ର ଜୀବନକୁ ରସାତଳଗାମୀ କରିଥାଏ । କୁନ୍ମୁନ୍ ଖରାପ ମିତ୍ର ସଂଗତରେ ପଡି ମଦ୍ୟପାନ କରିବାକୁ ଲାଗିଲା । ତା'ର ଏକକ ଅଭ୍ୟାସ ପାଇଁ ସାରା ପରିବାର ମର୍ମାହତ । ଶତଚେଷ୍ଟା ସତ୍ତ୍ୱେ କୁନ୍ମୁନ୍ ମଦ ଛାଡି ପାରି ନ ଥିଲା । ମଦ ତା ନିକଟରୁ ଚାକିରି ଝିଅ ସମସ୍ତ ସମ୍ପତ୍ତିକୁ ଛଡାଇ ନେଇଥିଲା । ଆନନ୍ଦ ଉଲ୍ଲାସର ସଂସାରଟିକୁ ମଦ ଛାରଖାର କରିଦେଲା । ପ୍ରତି ରାତିରେ ସଂଗୀତା ଓ ପରୀ ଡରରେ ଥରିବାକୁ ଲାଗିଲେ । ପ୍ରେମ ଆସ୍ବାଦନ ବଦଳରେ ସଂଗୀତା ଶାରୀରିକ କଷ୍ଟରେ ଛଟପଟ ହୋଇ ଉଠେ । ମାନ ଅଭିମାନ କରେ । ମଦ ଛାଡି ଦେବା ପାଇଁ କହେ । କିନ୍ତୁ ସକଳ ଚେଷ୍ଟା ନିରର୍ଥକ ହୁଏ ।
କୁନ୍ମୁନ୍ର ମଦ୍ୟପାନ କରିବାର ମାତ୍ରା ବଢିବାକୁ ଲାଗିଲା। ଧୀରେ ଧୀରେ ତା ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ ଖରାପ ହେବାକୁ ଲାଗିଲା । ମଦ୍ୟପାନ ଶରୀର ପାଇଁ ସ୍ଲୋ ପୟୋଜନ୍ର କାମ କଲା । ଡାକ୍ତରଙ୍କ ଶତ ବାରଣକୁ ସମ୍ମାନ ଦେଇ ସେ ପ୍ରାୟ ଦୁଇ ମାସ ମଦ ଠାରୁ ଦୂରରେ ରହିଲା । ପୁଣିଥରେ ଥିରି ଥିରି ପାଦ ପକାଇ ତା ସଂସାରକୁ ଖୁସି ଲେଉଟି ଆସୁଥିଲା । କିନ୍ତୁ ତା ମଦ୍ୟପ ସାଙ୍ଗ ମାନେ ପ୍ରତିଦିନ ସମୟ ସୁଯୋଗ ଉଣ୍ଡି ତା ପାଖକୁ ଆସନ୍ତି ଓ ମଦ୍ୟପାନ କରିବା ପାଇଁ ପ୍ରଲୋଭିତ କରାନ୍ତି । ମଦ୍ୟପାନରେ ଧୁରନ୍ଧର ହୋଇଥିବା କୁନ୍ମୁନ୍ ଏମାନଙ୍କ କଥାକୁ କେତେଦିନ ଏଡାଇ ପାରିଥା'ନ୍ତା ! ଆଶ୍ବିନ ମାସ ନବମୀ ଦିନ ସାଙ୍ଗ ମାନଙ୍କ ସାଙ୍ଗରେ ଯାଇ ପ୍ରଚୁର ମଦ୍ୟପାନ କରି ରାସ୍ତା ଉପରେ ବେହୋସ ହୋଇ ପଡିଗଲା । ଏକଥା ପରିବାର ଲୋକଙ୍କ ମଥାନତ କରିପକାଇ ଥିଲା ।
ପ୍ରଚୁର ମଦ୍ୟପାନ ଫଳରେ ଲିଭରସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ସବୁଦିନ ପାଇଁ ଆଖି ବୁଜିଦେଲା । ସଂଗୀତା ଜୀବନ ଅନ୍ଧକାରମୟ ହୋଇଗଲା । ପିତୃହୀନ ହୋଇଗଲା ଆଠ ବର୍ଷର ଝିଅ ପରୀ । ଏ ସୋମରସ ପରିବାରକୁ ଛାରଖାର କରିଦେଲା ।
ଜୟ ସାହିତ୍ୟ, ଜୟ ସମାଜ



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।