4/30/2021

ଗର୍ବ ଅହଙ୍କାର

ନରେନ୍ଦ୍ର ପ୍ରସାଦ ବେହେରା 
ଜୀବନ ଯୌବନ  ନୁହେଁ ଚିରସ୍ଥାୟୀ
        ତଥାପି କରୁଛି ଗର୍ବ
ବୁଝିପାରୁ ନାହିଁ  ଏ ମୂଢ ମଣିଷ
    ଗର୍ବ ହେବ ଦିନେ ଖର୍ବ ।

ରୂପ ଯୌବନରେ  ମତୁଆଲା ହୋଇ
         ଧରାକୁ ମଣୁଛି ସରା
ହଜିଯିବ ଦିନେ  ପୃଥିବୀ ପୃଷ୍ଠରୁ
   କେହି ଦେବେ ନାହିଁ ଧରା ।

ଆଜିର ଯୌବନ  କାଲିକି ନଥିବ
     ଗଣୁଅଛ ଯେତେ ଟଙ୍କା
ଯୌବନ ହଟିଲେ  କିଏ ପଚାରିବ
    କହିବେ ମୁଁ ଆଜି ଫାଙ୍କା ।

ମଣିଷ ଜନମ  ପାଇଛନ୍ତି ଆମ୍ଭେ
   ବଡ଼ ଭାଗ୍ଯର ଏ କଥା
ସମସ୍ତଙ୍କ ମୁଖେ  ହସ ଫୁଟାଇବା
     କରି ପ୍ରଣିପାତ ମଥା ।

ଗର୍ବ କରି ଦିନେ  ବଳୀ ମହାରାଜା
     ପାତାଳ ପୁରକୁ ଗଲା
ଏ ଛାର ମଣିଷ  ମୁଖେ ଲାଜ ନାହିଁ
       ଦୈନିକ କରୁଛି ପାଲା ।

ଯୌବନ ରୂପକୁ  ହଲାଇ ଦାଣ୍ଡରେ
    କରେ କେତେ ଆମନ୍ତ୍ରଣ
ଆମନ୍ତ୍ରିତ ଦିନେ  ନ ଚାହିଁବେ ମୁଖ
      ସରିଲେ ସୁନ୍ଦର ପଣ ।

ଗର୍ବ ଅଟେ ସିନା  ଅଢେଇ ଦିନିଆ
      ତଥାପି ବୁଝୁନି କେହି
ଧର୍ମ ଅଟେ ସିନା  ମହତ ପଣିଆ
    ଯାହା ଗଢିଅଛି ବିହି ।

ଗର୍ବ ଅହଙ୍କାରେ   ବଢୁଛି ସମାଜେ
      ନିର୍ଦ୍ଧିଷ୍ଟ କେତେଙ୍କ ପାଇଁ
ଜୀବ ଗଲା ବେଳେ  ନଆସିବେ କେହି
      ଗର୍ବୀଙ୍କ ପାଖକୁ ଧାଇଁ ।

ବେଳ ଥାଉ ଥାଉ  ହୁଅ ସାବଧାନ
       ସଭିଙ୍କୁ ଦିଅ ସମ୍ମାନ
ରୂପ ଯୌବନକୁ  ଢାଙ୍କି ରଖିଦିଅ
     ରଖ ହେ' ଜାତିର ମାନ ।

ସର୍ବ ସମ୍ମୁଖରେ  ହେବା ସମ୍ମାନିତ
       କରିବେନି କେହି ପର
ସମ୍ମାନ ଦେଲେ ତ  ସମ୍ମାନ ପାଇବା
      ହୋଇ ସଭିଙ୍କ ନିଜର  ।।

ଆଳଦା - ଖଇରା - ବାଲେଶ୍ବର 
ଫୋ- ୯୮୫୩୧୪୨୫୧୦

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।