4/30/2021

ମଧୁକ୍ଷରା —୬୬

କମଳ କୁମାରୀ ଦାଶ 

କାହା ଅଧରର ବନ୍ଦୀଶାଳାରେ
     ସପନ ପଡିଛି ବନ୍ଧା
କାହା ନୟନର ଚପଳ ଚାହାଣୀ
    ସାଜିଛି ମୋ' ପ୍ରୀତିନନ୍ଦା।
କା' ଆଖି କଜଳ ପ୍ରେମରେ ପାଗଳ
     କା’ ଅନ୍ତର ଦରପଣେ
ଦରଫୁଟା ମୋର ପୀରତି ପାଖୁଡା
      ଦିଶିଯାଏ ଅନୁକ୍ଷଣେ।
କାହା ହସ ହୋଇ  ଝରେ ମୋ' ସପନ
      ସାତ ରଙ୍ଗ ସାତ ସୂରେ
କାହା ଅନ୍ତରରେ  ନିଜକୁ ଖୋଜଇ
      ଭିଜି ଭିଜି ପ୍ରେମ ନୀରେ।
କାହା ଆଖି ଲୁହ  ମୁକୁତା ପରାୟ
      ଆଖି କୋଣେ ଯେବେ ଦିଶେ
ହୃଦୟଟି ମୋର  ଚୂନା ଚୂନା ହୋଇ
       ଛାତିରୁ ବାହାରି ଆସେ।
କେଉଁ ମଦାଳସୀ  ଅଳସ ଚାଲିରେ
      ମୋ' ଜୀବନ ଛନ୍ଦମୟ
ଶବଦ ଶିଳ୍ପୀ ମୁଁ କଲମ ମୁନରେ
       ଗାଇଯାଏ ତା'ର ଜୟ।
ଏକାମ୍ର ମହାବିଦ୍ୟାଳୟ    
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।