ଦୁର୍ମିଳା ଭୋଇ
ଗୋଟିଏ ଗାଁରେ ଆଦିବାସୀ ଜନଜାତିର ଲୋକମାନେ ଜଙ୍ଗଲ ପାଖରେ କୁଡ଼ିଆ କରି ଜୀବନ ଅତିବାହିତ କରୁଥିଲେ । ଗୋଟିଏ ଗରିବ ବୁଢ଼ୀ ତା'ର ପୁଅ ସହ ସେହି ଜଙ୍ଗଲ ପାଖ ପଡ଼ାରେ ବାସ କରୁଥିଲେ । ସେମାନେ ଜଙ୍ଗଲ ଉପରେ ବେଶ୍ ନିର୍ଭରଶୀଳ । ଜଙ୍ଗଲର କାଠ , ଫଳମୂଳ , ଶାଗ ଇତ୍ୟାଦି ବଜାର ବଜାର ଗାଁ ଗାଁ ବୁଲି ବିକ୍ରି କରି ପେଟ ପୋଷଣ କରୁଥିଲେ । ଯେତେବେଳେ ମେଘରେ ମେଘ ଘର୍ଷଣ ହେଇ ବିଜୁଳି ଚମକେ ଓ ଘଡଘଡି ଗର୍ଜନ ସହ ଧରିତ୍ରୀ ବକ୍ଷରେ ବର୍ଷା ବରଷେ ସେତେବେଳେ ଜଙ୍ଗଲରେ ବାଉଁଶ ବୁଦାରୁ କର୍ଡି ଆଉ ଛତୁ ହସି ହସି ଫୁଟନ୍ତି । ଜଙ୍ଗଲ ପାଖ ପଡ଼ାର ଲୋକ ଜଙ୍ଗଲରୁ କର୍ଡି଼ ଛତୁ ଆଣି ବିକ୍ରି କରି ଦି'ପଇସା ରୋଜଗାର କରି ବର୍ଷା ଦିନ କାଟି ନିଅନ୍ତି । ସେ ଗରିବ ମା' - ପୁଅ ମଧ୍ୟ କର୍ଡି ଓ ଛତୁ ଆଣି ଗାଁ ଗାଁ ବୁଲି ବିକ୍ରି କରନ୍ତି ।
ଦିନେ ବୁଢ଼ୀ ପାଖ ଗାଁକୁ କର୍ଡି ବିକିବାକୁ ଯାଇଥିଲା । ଜଣେ ଧନୀ ଘରର ସ୍ତ୍ରୀଲୋକଟେ କର୍ଡି କିଣିବା ପାଇଁ ଆସିଲା ଆଉ ପଚାରିଲା କର୍ଡି କେତେ ଟଙ୍କା । ସେ ବୁଢ଼ୀ ପତ୍ରକୁ ଦନା ପରି ତିଆରି କରି ଦନାରେ ବିକୁଥାଏ । ସ୍ତ୍ରୀ ଲୋକର କଥାରେ ଉତ୍ତର ଦେଇ କହିଲା-"ଗୋଟିଏ ଦନାକୁ ପାଞ୍ଚ ଟଙ୍କା ମାଁ ।" ସେ ସ୍ତ୍ରୀ ଲୋକ ଜଣକ ଗୋଟିଏ ଦନା କର୍ଡି ମାଗିଲେ । ଦେଲା ପରେ ସେ କହିଲେ, ଏତେ କମ୍ କର୍ଡିକୁ ପାଞ୍ଚ ଟଙ୍କା ? ପାଞ୍ଚ ଟଙ୍କାରେ ଏତେ କମ୍ କର୍ଡି ? ତେଣୁ ସେ ଆଉ ଟିକେ ଆଉ ଟିକେ ଦିଅ ବୋଲି ଦି' ତିନି ଥର ମାଗିଲେ । ବୁଢ଼ୀ ମାଁ ଜଣକ ଆଉ ଥରେ ଦନାରୁ ଅଧା କର୍ଡି ତାଙ୍କୁ ଦେଇଦେଲେ । ତାଙ୍କ ଘରେ ହଜାର ହଜାର ଟଙ୍କା ଅଛି । ସେ ଗୋଟିଏ ଦନା କର୍ଡି କୁ ଶହେ ଟଙ୍କା ଦେଇ ଖାଇଲେ ମଧ୍ୟ ତା'ର କିଛି ଅଭାବ ହେବ ନାହିଁ । କିନ୍ତୁ ଗରିବ ବୁଢ଼ୀର ପୁଅ ପେଟ ପାଇଁ ଜଙ୍ଗଲକୁ ଯାଇ କେତେ ଭୋକ ଶୋଷରେ କେତେ କଷ୍ଟରେ କର୍ଡି ଭାଙ୍ଗି ଆଣି ବିକୁଛି । ଧନୀ ଲୋକ ମାନେ ଏ କଥା କେମିତି ବୁଝିବେ ? ସେ ମହିଳାଟି ମଧ୍ୟ ଏସବୁକୁ ନ ଭାବି ବାରମ୍ବାର ପାଞ୍ଚ ଟଙ୍କା ପାଇଁ କଜିଆ କରୁଛି । ତା' ପାଖରେ ଯେତେ ଧନ ଥିଲେ କ'ଣ ହେବ ? ଗରିବ ବୁଢ଼ୀ ପାଖରେ ତା'ର ମୂଲ୍ୟ ବହୁତ କମ୍ । ସେ ବୁଢ଼ୀ ଗରିବ ହେଲେ ମଧ୍ୟ ତା ଆଗରେ ମହାନ । ଏଥିରୁ ଜଣାଯାଏ ଯେ, ପାଖରେ ଯେତେ ଧନ ଥିଲେ କ'ଣ ହବ ? ଛାତି ଭିତରେ କୋମଳ ହୃଦୟଟିଏ ଥିବା ଦରକାର ଆଉ ତା' ସାଙ୍ଗକୁ ଦୟାଭାବ, ସୁଚିନ୍ତା, ଭଦ୍ରତା, ସ୍ନେହ ପ୍ରେମ ଆଉ ପରକୁ ଆପଣା କଲା ଭଳି ମନଟିଏ ନ ଥିଲେ ଧନୀର କିଛି ମୂଲ୍ୟ ନାହିଁ ।।
ଲାଞ୍ଜି - କେଗାଁ - କଳାହାଣ୍ଡି
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।