4/30/2021

ଜୀବନର ଏକ ସଂଙ୍ଘର୍ଷ

(ହୃଦୟ ବିଦାରକ କାହାଣୀ)                                          ସ୍ବର୍ଣ୍ଣ ତି 

    ମୁଁ ହେଉଛି ଓଡ଼ିଆ ସାହିତ୍ୟର ଜଣେ ବିଶିଷ୍ଟ ଲେଖିକା , ସମ୍ପାଦିକା ତଥା ସମାଜ ସେବିକା ସ୍ମିତା ସାମନ୍ତରାୟ । ଆଜି ମୋର ଅନେକ ଗୁଡିଏ ପ୍ରଶଂସକ ଅଛନ୍ତି। ସେମାନେ ପାଗଳ ପରି ଭଲ ପାଆନ୍ତି ମୋର ଲେଖାକୁ , ମୋର କାର୍ଯ୍ୟଦକ୍ଷତାକୁ ଓ ସମାଜ ସେବାକୁ । ସେମାନେ କହନ୍ତି କୁଆଡେ ମୋର ଲେଖାଗୁଡିକ ହୃଦୟସ୍ପର୍ଶୀ ଏବଂ ମନଛୁଆଁ । ମୁଁ କୁଆଡେ ନାରୀ ଚରିତ୍ରକୁ ଜୀବନ୍ତ ରୂପ ଦେଇପାରେ ମୋର ଲେଖନୀ ମୁନରେ । ହଁ ବୋଧେ ସେମାନେ ସତ କହନ୍ତି ମୋ' ବିଷୟରେ । ମୋ' ମତରେ ଲେଖାରେ ନିଶ୍ଚିତ ଭାବେ ଅନ୍ତରଙ୍ଗତା , ଆତ୍ମୀୟତା ଓ ହୃଦୟର ଭାବ ନିଶ୍ଚୟ ଫେଣ୍ଟାଫେଣ୍ଟି ହେବା ଆବଶ୍ୟକ । ନ ହେଲେ ତାହା ହୃଦୟଗ୍ରାହୀ ହୋଇପାରିବ ନାହିଁ କି ଅନ୍ୟର ମନକୁ ଛୁଇଁ ପାରିବନି । ସେଥିପାଇଁ ବୋଧେ ମୋର ଲେଖା ଗୁଡିକ ଆଜି ଶୀର୍ଷରେ । ମତେ ଲୋକେ ପସନ୍ଦ କରନ୍ତି । ଆଜି ମୁଁ ଅନେକ ଗୁଡିଏ ପତ୍ରିକାର ସମ୍ପାଦିକା ଓ ଚଳଚିତ୍ରର କାହାଣୀ ଲେଖିକା ଭାବେ ବେଶ୍‌ ପରିଚିତା । କିନ୍ତୁ ଏଇ ଜାଗାକୁ ଆସିବାକୁ ମତେ କମ୍‌ ସଂଘର୍ଷ କରିବାକୁ ପଡି ନ ଥିଲା । ମୋର ପ୍ରତିଟି ପଦକ୍ଷେପ ସଂଘର୍ଷର ଏକ ନୂଆ ନୂଆ କାହାଣୀ । ତେଣୁ ଜୀବନରେ ଦୁଃଖ କ'ଣ, କଷ୍ଟ କ'ଣ ମୁଁ ଜାଣିଛି । ଆଉ ଏ ପୁରୁଷ ପ୍ରଧାନ ସମାଜରେ ମତେ ନିଜକୁ ପ୍ରତିଷ୍ଠିତ କରିବାକୁ କମ୍‌ ସଂଘର୍ଷ କରିବାକୁ ପଡିନି , ତାହା ମୋତେ ହିଁ କେବଳ ଜଣା ।
      ମୋର ଲେଖା ଗୁଡିକ ମୁଖ୍ୟତଃ ନାରୀ କୈନ୍ଦ୍ରିକ । ନାରୀର ଅନ୍ତର୍ମନକୁ ପଢି କଳ୍ପନାର ପୁଟ ଦେଇ ବାସ୍ତବତାକୁ ଏମିତି ସଜେଇ ଦିଏ ଯେ ତାହା ଏକ ଦୃଶ୍ୟ ପାଲଟି ଯାଏ । ତା ଛଡା ମୁଁ ଜଣେ ଅତ୍ୟନ୍ତ ଭାବ ପ୍ରବଣ ନାରୀ ଯାହା କି ମତେ ଲେଖିବାରେ ସାହାଯ୍ୟ କରେ । ଆଜି ମୋର ଜୀବନ କର୍ମ ମୁଖର , ଚଳଚଞ୍ଚଳ ଓ ବ୍ୟସ୍ତ ବହୁଳ । ଅନେକ ସଭା ସମିତିକୁ ଯାଏ । ସାହିତ୍ୟ ସଂସଦ, ସାହିତ୍ୟ ଆଲୋଚନା ଚକ୍ରକୁ ବି ଯାଏ । ପୁଣି ମୋର ପତ୍ରିକା ଗୁଡିକର ସମ୍ପାଦନା ଭାର ମୋ' ଉପରେ । ମୋର ପତ୍ରିକା ଗୁଡିକ କିପରି ସରସ ସୁନ୍ଦର ତଥା ଓଡ଼ିଶାର ନମ୍ବର ୱନ୍‌ ହୋଇପାରିବ ସେଥିପାଇଁ ଦୃଷ୍ଟି ଦିଏ । ଏତେ ବ୍ୟସ୍ତତା ଭିତରେ ବି ମୁଁ ମୋର ପ୍ରଶଂସକ ମାନଙ୍କୁ ସମୟ ଦିଏ । ମଝିରେ ମଝିରେ ଅନ୍‌ଲାଇନ୍‌ ଆସେ । ସେମାନଙ୍କର ମେସେଜ ପଢ଼ି ରିପ୍ଲେ ଦିଏ ଯଦିଓ ଏଥିପାଇଁ ମୋର ସ୍ପେସିଆଲ ଷ୍ଟାଫ ଅଛନ୍ତି । ମତେ ଭଲ ଲାଗେ ସେମାନଙ୍କ ସହିତ ଚାର୍ଟ୍‌ କରିବାକୁ , ମୋ' ପ୍ରତି ସେମାନଙ୍କର ଭଲପାଇବା ଜାଣିବାକୁ । କାରଣ ଆଜି ଯାହା ବି ହୋଇଛି ମୁଁ ସେମାନଙ୍କ ଯୋଗୁଁ , ସେମାନଙ୍କ ଭଲପାଇବା ଯୋଗୁଁ । ବିନା ପ୍ରଶଂସାରେ କୌଣସି ସାହିତ୍ୟ ସୃଷ୍ଟି ହୁଏନି ,ବିନା ତାଳିରେ କଳାକାର ଠିକ ଭାବେ ମଞ୍ଚରେ ଅଭିନୟ କରିପାରେ ନାହିଁ । ତେଣୁ ଯେକୌଣସି କ୍ଷେତ୍ରରେ ପ୍ରଶଂସା , ଭଲପାଇବା ଓ ପ୍ରେରଣା ଅତ୍ୟନ୍ତ ଜରୁରୀ ।
       ମୁଁ ସେଦିନ ବି ଅନ୍‌ଲାଇନ୍‌ ଥିଲି । ପ୍ରଶଂସକ ମାନଙ୍କ ପ୍ରଶଂସାକୁ ମନ ଭରି ଉପଭୋଗ କରୁଥିଲି । କିନ୍ତୁ ହଠାତ ମୋ' ଆଖି ଗୋଟିଏ ମେସେଜ୍‌ ଆଗରେ ଅଟକି ଗଲା । ସେଇ ମେସେଜଟି ଅନ୍ୟ ମାନଙ୍କ ଠାରୁ ଢେ଼ର ଅଲଗା ଥଲା । ଲେଖା ହୋଇଥିଲା - You are my ideal of life, you also my inspiration, l love you mam.ମୁଁ ଆପଣଙ୍କର ପତ୍ରିକା "ନୀଳକଇଁ"ର ଜଣେ ନିୟମିତ ପାଠିକା । ପତ୍ରିକା ପଢି ମୁଁ ବହୁତ ଖୁସି ହୁଏ । ପ୍ରତ୍ୟେକ ନାରୀ ଚରିତ୍ରରେ ମୁଁ ନିଜକୁ ଖୋଜେ , ନିଜର ଅସ୍ତିତ୍ୱକୁ ଖୋଜେ । ଆପଣଙ୍କ ପରି ମୋ' ଜୀବନ ମଧ୍ୟ ସଂଘର୍ଷ ରତ ।ମୋର ଜୀବନର ପ୍ରତିଟି ଇତିହାସ ଆରମ୍ଭ ହୁଏ ସଂଘର୍ଷରୁ । ମୁଁ ସମାଜର ପ୍ରତ୍ୟେକ ସ୍ତରରୁ ଉପେକ୍ଷିତା , ପ୍ରବଞ୍ଚିତା ଓ ପ୍ରତାରିତା । ଏଇ ସମାଜ ମୋର କଅଁଳ ନିଷ୍ପାପ ମନକୁ ନେଇ ଖେଳିଛି , ମୋର ହୃଦୟକୁ ନେଇ ଖେଳିଛି । ଯାହା ଫଳରେ ମୁଁ ପାଲଟି ଯାଇଛି ଏକ ଭଗ୍ନ ଡେଣାର ପକ୍ଷୀ , ଏକ ଥୁଣ୍ଟ ଗଛ ଯେଉଁଥିରେ କି  ପଲ୍ଲବର ସମ୍ଭାବନା ନାହିଁ କହିଲେ ଚଳେ  । ସମାଜ ଠାରୁ ମୁଁ ଏପରି ଭାବେ ପ୍ରତାରିତ ହୋଇଛି ଯେ ଆଜି ମୋ' ମନରେ ହସ ନାହିଁ କି ଖୁସି ନାହିଁ । ମୁଁ ଅନ୍ଧାର ଓ ଆଲୋକ ଭିତରେ ପ୍ରଭେଦ ଜାଣି ପାରୁନି । ମଳୟର ଗନ୍ଧ ସୁଦ୍ଧା ଆଜି ମୁଁ ବାରି ପାରୁନି । ସତ କହିବାକୁ ଗଲେ ମୋର ବଞ୍ଚିବାର ଇଛା ମରି ଯାଇଛି । ଆଉ ଯେଉଁଠି ଇଛାର ମୃତ୍ୟୁ ଘଟେ ସେଠି ମଣିଷ ପାଲଟିଯାଏ ଏକ ଜୀଅନ୍ତା ଶବ । ମୁଁ ମଧ୍ୟ ଏକ ଜୀଅନ୍ତା ଶବ ପାଲଟି ଯାଇଛି , ଯେ' କି ନିଜ କାନ୍ଧରେ ନିଜ ଶବକୁ ବୋହି ଚାଲୁଛି । କିନ୍ତୁ ମେମ୍ ! ମୋର ଭୁଲ କ'ଣ ତାହା ଆଜି ପର୍ଯ୍ୟନ୍ତ ଜାଣିପାରୁନି ।
    ଏଇ ସମାଜ ପାଇଁ ନିଷ୍ଠାପର ଭାବେ କାମ କରିବା କ'ଣ ମୋର ଭୁଲ ?ହଁ, ମୁଁ ଏ ସମାଜକୁ ଅନ୍ଧ ଭାବେ ଭଲପାଇଛି , ୟା' ପାଇଁ କିଛି କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି , ଅସୁମାରୀ ସ୍ୱପ୍ନ ଦେଖିଛି ଏଇ ସମାଜକୁ ନେଇ । ଅନେକ କ୍ଷେତ୍ରରେ ସଫଳତା ବି ପାଇଛି । କିନ୍ତୁ ହାୟ ! ମୋର ସ୍ବପ୍ନ ପୂରା ହେବା ଆଗରୁ କେତେକ ସ୍ୱାର୍ଥୀ ଓ ଅସହିଷ୍ଣୁ ଵ୍ୟକ୍ତି ମୋର ସଫଳତାକୁ ସହି ପାରି ନାହାଁନ୍ତି । ସେମାନେ ସମାଜରେ ମୋର ଗୁରୁତ୍ୱକୁ ହ୍ରାସ କରି ନିଜ ପ୍ରତିଷ୍ଠାକୁ ବଜାୟ ରଖିବାକୁ କରିଛନ୍ତି ହୀନ ପ୍ରୟାସ । ମୋର ବୋଧେ ଦୁର୍ଭାଗ୍ୟ ସେମାନେ ଏଥିରେ ସଫଳ ହୋଇଛନ୍ତି । ନାରୀର ଆତ୍ମସମ୍ମାନକୁ ଆଘାତ କଲା ପରି ଶବ୍ଦ ପ୍ରୟୋଗ କରି ମତେ ସଜେଇ ଦେଇଛନ୍ତି ନଷ୍ଟ ଚରିତ୍ରା । ମୁଁ କ'ଣ ନଷ୍ଟ ଚରିତ୍ରା ? ଏକ ବିଂଶ ଶତାବ୍ଦୀରେ ନାରୀପୁରୁଷ ଏକାଠି କାମ କଲେ କ'ଣ ନାରୀ ଚରିତ୍ରହୀନା ହୋଇଯାଏ ! ତା' ହେଲେ ତ ପୃଥିବୀର ଅଧାରୁ ଅଧିକ ନାରୀ ଚରିତ୍ରହୀନା ତାଙ୍କ ଭାଷାରେ । କାରଣ ଆଜିର ସମାଜରେ ସବୁ ଜାଗାରେ ନାରୀ ପୁରୁଷ ଏକାଠି  କାମ କରୁଛନ୍ତି । କେଜାଣି କେଉଁ ଶତାବ୍ଦୀରେ ଏମାନେ ବଂଚିଛନ୍ତି । ଏହି ଚାରିତ୍ରହୀନା ଶବ୍ଦଟି ସେମାନଙ୍କର ବିକୃତ ମାନସିକତା ଓ ଅସହିଷ୍ଣୁତାର ପରିଚୟ ନୁହେଁ କି ? ଦେଇ ପାରିବେ ପ୍ରମାଣ ମୋର ଚରିତ୍ର ହୀନାର ? ଆଉ ସେମାନେ ଯେ ସତୀ ନାରୀ ତା'ର କୌଣସି ପ୍ରମାଣ ଅଛି ? ଅନ୍ୟକୁ ଦାଗ ଲଗେଇବା ଭାରି ସହଜ କିନ୍ତୁ ନିଜ ଉପରେ ପଡିଲେ ଭାରି କଷ୍ଟ ଲାଗେ ।
       ଅନୁଷ୍ଠାନ ପାଇଁ ନିଜକୁ ତିଳ ତିଳ କରି ଜାଳିବା , ନିଜ ପରିବାରର ଭଲମନ୍ଦ ନ ବୁଝିବା , ନିଜ ରୋଗୀଣା ଛୁଆକୁ ବି ଧ୍ୟାନ ନଦେଇ କାମ କରିବା ଓ ନିଜର ଦୁର୍ବଳ ସ୍ୱାସ୍ଥ୍ୟକୁ ବି ଧ୍ୟାନ ନ ଦେଇ ସେଠି ମୋର କାମ କରିବା କ'ଣ ଭୁଲ ? ସମସ୍ତ ସଦସ୍ୟକୁ ନିଜର ଭାବିବା , ସେମାନଙ୍କର ପ୍ରତ୍ୟେକ ଦୁଃଖ ସୁଖରେ ସାମିଲ ହେବା କ'ଣ ମୋର ଭୁଲ ? ସତରେ ମେମ୍ , ମୋ' ହୃଦୟକୁ ଭାଙ୍ଗି ଦେଛନ୍ତି ଏମାନେ । କୁହାଯାଏ ଯେଉଁଠି ଯେତେ ଗଭୀରତାର ସହ ଆମେ ଜଡିତ ଥାଉ ଆମ ହୃଦୟ ସେତେ ଜୋର୍‌ରେ ଭାଙ୍ଗି ଥାଏ । ମୁଁ ଠିକ୍‌ ବୁଝି ପାରୁଛି ସାମାନ୍ୟ ସ୍ୱାର୍ଥ ଓ ପରଶ୍ରୀ କାତରତା ଏମାନଙ୍କୁ ଅନ୍ଧ କରିଦେଇଛି । ତେଣୁ ଏମାନେ ମୋ' ପ୍ରତି ପ୍ରଦର୍ଶନ କରିଛନ୍ତି ଵୈମାତୃକ ମନୋଭାବ । ଗୋଟିଏ ଅନୁଷ୍ଠାନରେ କାମ କଲେ ସୁଦ୍ଧା ମୋ' ପ୍ରତି ବାରମ୍ବାର ପ୍ରଦର୍ଶନ କରିଛନ୍ତି  ପକ୍ଷପାତିତା । ମୋ' ପ୍ରତି କରିଛନ୍ତି ଅକଥନୀୟ ମାନସିକ ନିର୍ଯାତନା । ସେମାନେ ବୋଧେ ଭୁଲି ଯାଇଛନ୍ତି ମୁଁ ବି ଗୋଟିଏ ମଣିଷ । ମୋର ବି ଗୋଟିଏ ହୃଦୟ ଅଛି , ଇମୋସନ୍‌ ଅଛି , ମୋ' ଆଖିରେ ବି ଲୁହ ଅଛି । କିନ୍ତୁ ନା , ଏମାନେ ମତେ ହୃଦୟହୀନ ପରି କଷ୍ଟ ଉପରେ କଷ୍ଟ ଦେଇ ଚାଲିଥିଲେ । ମୁଁ ସେଠି ବାରମ୍ବାର ଆର୍ତ୍ତଚିତ୍କାର କରିଛି , ସେମାନଙ୍କୁ ଅନୁନୟ ବିନୟ ହୋଇଛି , ମୋର ସ୍ୱାସ୍ଥ୍ୟର ଦ୍ୱାହି ଦେଇଛି , କିନ୍ତୁ ମୋ' କଥା କେହି ଜଣେ ବି ଶୁଣି ନାହାଁନ୍ତି , ଓଲଟି ମୋର ପରିସ୍ଥିତି ଦେଖି ଅଟ୍ଟାହାସ୍ୟ କରିଛନ୍ତି । ମୋର କରୁଣ ଚିତ୍କାର ସେଇ ପରିବେଶର ପବନ ଭିତରେ ବିଲୀନ ହୋଇଯାଇଛି।
ମୁଁ ନିଜକୁ ବାରମ୍ବାର ସମ୍ଭାଳିବାର ପ୍ରଯତ୍ନ  କରିଛି , ସେମାନଙ୍କର ସବୁ ଗାଳିକୁ ମଥା ପାତି  ସହିବାକୁ  ଚେଷ୍ଟା କରିଛି ; କିନ୍ତୁ ନା , ମୁଁ ପାରିନି । ସପ୍ତରଥୀ ପରି ସେମାନେ ମୋ' ଚାରିପଟେ ଘେରି ଯାଇଛନ୍ତି । ଅଭିମନ୍ୟୁଙ୍କ ପରି ମୁଁ ମଧ୍ୟ ସେମାନଙ୍କର ବ୍ୟୁହରେ ଫସି ଯାଇଛି । ଆଉ ଜୟଦ୍ରଥଙ୍କ ପରି ତାଙ୍କରି ମୁଖିଆର ପ୍ରରୋଚନାରେ ପଡି ମୋର କୋମଳ ହୃଦୟକୁ ଟିକ୍‌ଟିକ୍‌ କରି ହାଣି ପକେଇଥିଲେ । ଅଭିମନ୍ୟୁ ସିନା ସେଦିନ ମୃତ୍ୟୁ ପରେ ଶାପ ମୁକ୍ତ ହୋଇଥିଲେ , କିନ୍ତୁ ମୁଁ....?? ସେଇଦିନ ଠାରୁ ମୋ' ଜୀବନ ହୋଇଗଲା ଶପ୍ତ ।
     ମୁଁ କୌଣସି ମତେ ବଞ୍ଚିଗଲି ସିନା , ପାଲଟି ଗଲି ଏକ ଜୀଅନ୍ତା ଶବ । ଯେ' କି ନିଜ କାନ୍ଧରେ ନିଜ ଶବକୁ କୋକେଇରେ ପ୍ରତି ମୁହୂର୍ତ୍ତରେ ବୋହିବାକୁ ବାଧ୍ୟ ହେଲା । ମୋର ଠିକ୍‌ ମନେ ଅଛି ସେଇଦିନ ଠାରୁ ମୋ' ସ୍ଵାସ୍ଥ୍ୟାବସ୍ଥାରେ ଦେଖା ଦେଲା ଏକ ବିରାଟ ପରିବର୍ତ୍ତନ । ମୁଁ ଆଉ ଚାଲି ପାରିଲି ନାହିଁ। ମୋର ହାତ-ଗୋଡ଼ ସବୁବେଳେ ଥରିବାକୁ ଲାଗିଲା । ଚାଲିବାକୁ ଅନ୍ୟର ସାହାଯ୍ୟ ନେବାକୁ ପଡିଲା । ମୋର ବି.ପି ଅସ୍ୱାଭାବିକ ଭାବରେ ବଢ଼ିବାରେ ଲାଗିଲା । ହୃଦ୍‌ସ୍ପନ୍ଦନ ବି ବଢ଼ିବାରେ ଲାଗିଲା । ମୁଣ୍ଡ ଜୋର୍‌ରେ ବିନ୍ଧିଲା । ଖାଦ୍ୟ ଖାଇବାରେ  ରୁଚି ରହିଲା ନା କୌଣସି କାମ କରିବାରେ ଆଗ୍ରହ ରହିଲା ; ରାତିରେ ନିଦ ହେଲାନି। କର୍ମକ୍ଷେତ୍ରରୁ ଆସିଲା ପରେ ମୁଁ ସିଧା ପଡି ଯାଉଥିଲି ବେଡ଼ ଉପରେ । ଅନେକ ସମୟ ଆମ ଘରକୁ ହୋଟେଲରୁ ଖାଦ୍ୟ ଆସିଲା । କୌଣସି ପାରିବାରିକ ସମସ୍ୟା ନଥାଇ ବି ମୋ' ଜୀବନ ହୋଇଗଲା ହା' ହା'କାର ମୟ । ଏଇ ଘଟଣାରେ ମୋ' ପରିବାରକୁ ଯଥେଷ୍ଟ କ୍ଷତି ସହିବାକୁ ପଡିଲା । ତଥାପି ଭଗ୍ନ ସ୍ୱାସ୍ଥ୍ୟ ପରେ ବି ନିରବଚ୍ଛିନ୍ନ ଭାବେ ମୋର କର୍ତ୍ତବ୍ୟ କରି ଚାଲିଥିଲି ସେଇ ଅନୁଷ୍ଠାନ ପ୍ରତି ।

Duty ସମୟରେ ମୋର ହାର୍ଟ୍‌ବିଟ୍‌ ବଢି ଚାଲିଥିଲା , ମୋର ହାତ-ଗୋଡ ଥରୁଥିଲା । ଲେଖିବାରେ ବି ଅସୁବିଧା ହେଉଥିଲା । ତଥାପି ମୁଁ କେବେ ମୋ' କାର୍ଯ୍ୟରେ ଅବହେଳା କରିନି କି ଦିନେ ବି ଛୁଟି ନେଇନି । ଏକ ସଂକଳ୍ପବଦ୍ଧ ଦୃଢ଼ ମନ ମତେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଉଥିଲ । କିନ୍ତୁ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ଯେ ସେମାନେ ମୋର ଏତେ ବିକଳ ଅବସ୍ଥା ସତ୍ତ୍ୱେ ବି ସହଯୋଗର ହାତ ବଢ଼ାଇ ନ ଥିଲେ କି ସହାନୁଭୂତିର ପଦଟିଏ କହି ନ ଥିଲେ ।
       ମୋର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଲା । ମୁଁ ଓଡ଼ିଶାର ବଡ଼ ଡ଼ାକ୍ତରଖାନାରେ ଦେଖାଇଲି । ପ୍ରାୟ ଆଠ ଜଣ ଡାକ୍ତର ବିଭିନ୍ନ ବିଭାଗର ମତେ ପରୀକ୍ଷା କରି କିଛି ବି ରୋଗର ସୂଚନା ପାଇ ନ ଥିଲେ । କେବଳ ମେଣ୍ଟାଲ ଡ଼ିପ୍ରେସନ୍‌ ବୋଲି କହିଥିଲେ । କିଛି ଯୋଗ ଓ ପ୍ରଣାୟମ କର , ସବୁ ଠିକ ହୋଇଯିବ । ଆଉ କିଛି ମେଡ଼ିସିନ୍‌ ଲେଖି ଦେଇଥିଲେ । ମୁଁ ଡିଉଟିରେ ଯୋଗ ଦେଲି । କିନ୍ତୁ ପୁଣି ଥରେ ଆଶ୍ଚର୍ଯ୍ୟ ହେଉଥିଲି , ସେମାନଙ୍କର ବ୍ୟବହାର ମୋ' ପ୍ରତି ଅପରିବର୍ତ୍ତନୀୟ ଥିଲା । ମୁଁ ସେଇଠୁ ଚାଲିଯିବାକୁ ଚେଷ୍ଟା କଲି ।
     ଅନ୍ୟାୟର ପ୍ରତିବାଦ କରିବାକୁ ଚେଷ୍ଟା କଲି । ଏ ସ୍ୱାର୍ଥୀ ସମାଜକୁ ନିଜ ଦୁଃଖ ଜଣାଇଲି । ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ହେଲି । କିନ୍ତୁ ଫଳ ହେଲା ଓଲଟା । ସେମାନେ ମତେ ସାହାଯ୍ୟ କରିବା ପରିବର୍ତ୍ତେ ଅନ୍ୟ ଆଗରେ ପ୍ରମାଣ କରିଦେଲେ ଯେ  ମୁଁ କୁଆଡେ ଖରାପ , ଆଉ ଅନ୍ୟ ମାନେ ଭଲ । ମତେ କାନ୍ଦ ସହିତ ହସ ବି ଲାଗୁଥିଲା ଏ ସମାଜର ନୂଆ ରୂପକୁ ଦେଖି । ଅବଶ୍ୟ ପରେ ଖବର ପାଇଥିଲି ପ୍ରଶାସନ ବି ଏଇ ନୀଚ୍ଚ ଲୋକଙ୍କ ଦ୍ୱାରା ଲାଭବାନ ହେଉଥିଲା । ସେ ବା ମତେ କାହିଁକି ସାହାଯ୍ୟ କରିବ ! ନିଜ ପକେଟ ଗରମ ହେଲେ , କିଏ ବା କାହିଁକି  ଅନ୍ୟ କଥା ବୁଝିବ । ମତେ ଅତ୍ୟନ୍ତ ଘୃଣା ଲାଗୁଥିଲା ଏଇ ସମାଜକୁ , ଏଇ ଅନୁଷ୍ଠାନକୁ । ଯେ' ଦିନେ ମୋ' ପାଇଁ ଲାଭବାନ ହୋଇ ଜୟ ଜୟକାର କରୁଥିଲା , ଆଜି ସାମାନ୍ୟ ସ୍ୱାର୍ଥ ପାଇଁ ମତେ ଏକ ଅନ୍ଧକାର କୂଅକୁ ଠେଲି ଦେବାକୁ ବି ପଛେଇଲାନି !
     ମୋ' ଜୀବନରେ ଏସବୁ ଘଟିଗଲା କେବଳ ଦୁଇଜଣଙ୍କ ପାଇଁ । ଜଣେ ମୋର ପ୍ରଶଂସାକୁ ସହି ପାରୁନ ଥିଲା ଆଉ ଅନ୍ୟ ଜଣକ ନିଜ ସ୍ୱାର୍ଥରେ ଅନ୍ଧ ଥିଲା । ସେଇ ଦୁଇଜଣ ଅନ୍ୟ ମାନଙ୍କୁ ଏମିତି ବାନ୍ଧିଥିଲେ ଯେ ସେମାନଙ୍କର ବିବେକରେ ତାଲା ଲାଗିଥିଲା । ଏକଥା ଆଉ କାହାକୁ ଅଛପା ନ ଥିଲା । କିନ୍ତୁ ସମସ୍ତେ ଘଟଣାର ପ୍ରତିବାଦ କରିବା ପରିବର୍ତ୍ତେ ଏକ ଫିଲ୍ମ୍‌ ଦୃଶ୍ୟ ପରି  ଉପଭୋଗ କରି ଚାଲୁଥିଲେ । ଭାଗ୍ୟର ବିଡମ୍ବନା ବୋଧେ ଯେଉଁ ମାନଙ୍କୁ ମୁଁ ନିଜର ଭାବୁଥିଲି , ଯେଉଁ ମାନଙ୍କୁ ଖୁସି ଦେବାକୁ ଚାହୁଁଥିଲି ଆଜି ସେମାନେ ମୋ' ଦୁଃଖର କାରଣ ଥିଲେ । ଏଇ ଘଟଣା ପରେ ମତେ ଶକ୍ତ ଧକ୍କା ଲାଗିଛି । ଅବସ୍ଥା ପୂର୍ବ ପରି । ମେଣ୍ଟାଲ ଡିପ୍ରେସନ ଡ଼ିପ୍‌ ଡିପ୍ରେସନରେ ପରିଣତ ହୋଇଛି । ମୁଁ ପୂରାପୂରି ଶାରୀରିକ ଓ ମାନସିକ ସ୍ତରରେ ଭାଙ୍ଗି ପଡିଛି । କିନ୍ତୁ ସେଦିନ ଟି.ଭିରେ ଆପଣଙ୍କର ପ୍ରୋଗ୍ରାମ କଥାରେ କଥାରେ ଦେଖିଲି । ହଁ ମେମ୍ , ମୁଁ ଏହି ପ୍ରୋଗ୍ରାମ ଦେଖି ମୋର ମନରେ କିଛି ନୂତନ ଆଶା ଅଙ୍କୁରିତ ହେଲା । ଆପଣ କହୁଥିଲେ ସଂଘର୍ଷ ହିଁ ଜୀବନ । ଆପଣ ଆଜି ଯାଏଁ ଜୀବନରେ ସଂଘର୍ଷ ହିଁ କରିଛନ୍ତି । ଏହି କଥାଟି ମତେ ବିଶେଷ ପ୍ରଭାବିତ କଲା । ହଁ ମେମ୍ , ମୁଁ ଏଇ ସଂଘର୍ଷରେ ଖୋଜୁଛି ଏକ ନୂତନ ପରିଚୟ ।
    ମୁଁ ପୁଣି ଥରେ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରୁଛି , ଭାଙ୍ଗି ଯାଇଥିବା ମନକୁ ପୁଣି ଥରେ ଯୋଡ଼ି ଦେବାକୁ ଚେଷ୍ଟା କରୁଛି । ମୁଁ ପୁଣି ଥରେ ନୂତନ ସ୍ୱପ୍ନର ନୀଡ଼ ରଚନା କରିବାକୁ ଚାହୁଁଛି । କ'ଣ ମେମ୍ ଆପଣଙ୍କ ପତ୍ରିକା ଦେଇ ପାରିବ ଏକ ନୂତନ ପରିଚୟ । ଦେଇପାରିବ ଏକ ଲେଖିକାର ପରିଚୟ ? ସତ କହୁଛି ମେମ୍ , ତା'ରି ମାଧ୍ୟମରେ ମୁଁ ଖୋଲିଦେବି ଏ ମୁଖା ପିନ୍ଧା ସୈତାନ ଗୁଡାଙ୍କର ଅସଲ ଚେହେରା । ଏ ଦୋମୁହାଁ ହୋଇ ବଞ୍ଚୁଥିବା ମଣିଷ ଗୁଡାଙ୍କୁ ଚିହ୍ନେଇ ଦେବି ସମାଜକୁ । ଏହିପରି ଅସହିଷ୍ଣୁ ଓ ସ୍ୱାର୍ଥୀ ବ୍ୟକ୍ତି ମାନେ କେବେ ସମାଜର ମଙ୍ଗଳକାରୀ ହୋଇ ନଥା'ନ୍ତି । ଏହିପରି ବ୍ୟକ୍ତିମାନେ ନିଜର ସାମାନ୍ୟ ସ୍ୱାର୍ଥ ପାଇଁ ସମାଜ ତଥା ଜାତିର କ୍ଷତି ସାଧନ କରିଥା'ନ୍ତି । ଏହିପରି ମାରତ୍ମକ ଲୋକ ଗୁଡାଙ୍କର ମୁଖା ଖୋଲିବା ହିଁ ମୋ' ଜୀବନର ଚରମ ଲକ୍ଷ୍ୟ ହେବ ।
ବାପା ମୋର ଛୋଟ ବେଳୁ ନାହାନ୍ତି । ସେ ଆଶା ରଖୁଥିଲେ ଯେ ମୁଁ ଜଣେ ପତ୍ରକାର ହୋଇ ସମାଜର ସେବା କରିବି । କିନ୍ତୁ କୌଣସି କାରଣ ବଶତଃ ଏହା ସମ୍ଭବ ହେଲା ନାହିଁ । ଆପଣ ଯଦି ମତେ ସୁଯୋଗ ଦେବେ ପୁଣି ଥରେ ମୋ' ବାପାଙ୍କ ସ୍ବପ୍ନ ପୂରା କରିବା ପାଇଁ ପ୍ରୟାସ କରିବି । କ'ଣ ମେମ୍ ଦେଇ ପାରିବେ ମତେ ସେ ସୁଯୋଗ ? ଆଉ ବିଶେଷ କିଛି ଲେଖୁନି , ଇତି ଆପଣଙ୍କର
ସାହାଯ୍ୟ ଅପେକ୍ଷାରେ ଥିବା ଆଶୟୀ ଲେଖିକା ।"
       ମୋ' ଆଖିରୁ ଟୋପା  ଟୋପା ଲୁହ ଝରି ପଡୁଥିଲା । ମୋବାଇଲ୍‌ରେ ସ୍କ୍ରିନଗାଡ଼ ନଥିଲେ ହୁଏତ ମୋବାଇଲ୍‌ଟା ନଷ୍ଟ ହୋଇଯାଇଥା'ନ୍ତା । ମୁଁ ଆଖିର ଲୁହ ପୋଛି ଭାବୁଥିଲି ଏଇ ମାନଙ୍କ ପାଇଁ ତ ମୋର ପତ୍ରିକା ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।