ପେଥାଇ ଆସିଛି । କୋହଲା ପାଗକୁ କୁଣ୍ଡାଝରା ବର୍ଷା, ଦେହଟା ଶୀତେଇ ଯାଉଛି । ବାଇକ୍ ଚ଼ଲେଇ ହେଉନି । ଦେହର ଲୋମ ଗୁଡାକ ଠିଆ ହୋଇ ଗଲାଣି । ମଦ କାଉଣ୍ଟରରୁ ହାର୍ଡ୍ ଗୁଡ଼ିକ ବି ଗାୟବ । ଏମିତି ଥଣ୍ଡାରେ କିଙ୍ଗ୍ ଫିସର ବିୟର ଦି'ଟା ଧରାଇ ଦେଲା ମାଇକେଲ୍ । ଫରେନ୍ ଲିକର୍ରେ ଯେଉଁ ମଜା, ତାହା କ'ଣ ବିୟରରେ ମିଳିବ ! ଧେତ୍ !! ଅନ୍ୟମନସ୍କ ହୋଇ ବାଇକ୍ ଚ଼ଲାଉଥିଲା ପାକୁନ୍ । ଏଠି କେଉଁଠି ପିଇ ହେବନି । ଅଡଶପୁର ସରିଗଲା ପରେ ପ୍ରାଚୀ କୂଳରେ ଇଉକାଲ ପଟାସର ଡେଙ୍ଗାଳିଆ ଗଛ ଗୁଡିକ ସହିତ ପେସ୍ତା ବାଦାମ ବଣ । ଟିକେ ନିଛାଟିଆ ଲାଗେ । ଏଠି ପ୍ରାଚୀ କେବେ ଅଳସୀ କନ୍ୟା ହୋଇ ବେସୁରା ଗୀତ ଗାଏ ତ କେବେ ଯୌବନା ନାରୀଟିଏ ହୋଇ ଅଡଶପୁର ରାସ୍ତା ଲଙ୍ଘିଯାଏ । ପାକୁନ୍ ବାଇକ୍ଟିକୁ ଗୋଟେ ଗଛର ଆଢୁଆଳରେ ରଖି ଦି' ହାତରେ ବିଅର ଦି'ଟା ଧରି ଆଗକୁ ବଢି଼ ଚ଼ାଲିଲା । ଝିପ ଝି୍ପ୍ ବର୍ଷା ଯୋଗୁ ଘାସ ଗୁଡିକ ଟିକେ ଓଦା ହୋଇଯାଇଛି । ଲଥ୍ କରି ବସିଗଲା । ଶଳା ମସ୍ତ ଚିଲ୍ ହୋଇଛିବେ । ଗାଣ୍ଠିଆ ସଂଗରେ ବେଶ୍ ଜମିବ । ଢ଼କ୍ ଢ଼କ୍ ଢ଼କ୍ ... ବିୟର୍ର ଫେଣ ଗୁଡିକ ଉତୁରି ଆସିଲା ପ୍ଲାଷ୍ଟିକ୍ ଗ୍ଲାସ ଭିତରୁ । ମନେ ମନେ ଟିକେ ହସି ଦେଲା ପାକୁନ୍ । ସତରେ ବିୟର୍ର ଫେଣ ଗୁଡିକ ପ୍ରେମିକା ଦେଖାଉଥିବା ସ୍ବପ୍ନ ପରି ଲାଗେ । ସମୟ ଯେତେ ବଢେ଼, ବିୟର୍ର ଫେଣ ଗୁଡିକ କମି ଗ୍ଲାସ ଅଧା ହୋଇଯାଏ , ସେମିତି ପ୍ରେମିକା ସ୍ବପ୍ନ ଦେଖାଇ କେତେବେଳେ ଦୂରେଇ ଯାଏ । ଶେଷରେ, ଆଃ ..... ଜୀବନରେ ଖାଲି ଥାଏ ଦୀର୍ଘଶ୍ୱାସ । ଏମିତି ଜୀବନଟା ତା'ର କୋଉ ଭଲ କି ? ଗୋଟେ ସ୍ବେଛାଚାରିଣୀ ସ୍ତ୍ରୀ ନିକଟରେ ଜୀବନ ବିତାଇବା ଯାହା, ନିଆଁରେ ଜଳି ଜଳି ଦେହଟା ସନ୍ତୁଳି ହେବା ସେୟା ନୁହେଁ ତ କ'ଣ ? ଆଜି ପାଗଟା କୋହଲା ଥିବାରୁ,ପକୁଡି ଦି'ଟା ଶ୍ରୀମତୀକୁ ଛାଣିବା କଥା କହିଲା । ହେଲେ ସକାଳୁ ସକାଳୁ ପାକୁନର ବେଳା ଖରାପ ପଡିଗଲା । ବେଲଜ୍ୟାକୁ ଲାଜ ମାଡୁନି, ଯିଏ ଟିକେ କସମେଟିକ୍ସ୍ ଆଣି ଦେଇପାରୁନି, ସେଥିରେ ତେଲ ଭାଜି ଖାଇବା ପାଇଁ ଜିଭ ଲାଳେଇ ଯାଉଛି !
ଶଃ ! ସତରେ କି ଅଭିଶପ୍ତ ଜୀବନ ! ଏଠି ବି ଟିକେ ଶାନ୍ତିରେ ପିଇବାକୁ ଦେବେନି । ପିଇବା ଆରମ୍ଭ ହେଲା ବେଳକୁ ତିନୋଟି ଛୁଆ ଆସି ପହଞ୍ଚିଲେ । ବୟସ ଚାରି ପାଞ୍ଚ ବର୍ଷ ମଧ୍ୟରେ ହେବ ବୋଧେ ; ଦୁଇଜଣ ପୁଅ ଆଉ ଗୋଟେ ଝିିଅ । ପାକୁନ୍ ହଡ଼ବଡେ଼ଇ ଗଲା । ପାଖରେ ସାତ ଆଠ ବଖରା ଛାତଘର । କେଉଁ କାଳର ପୁରୁଣା ଘର ଗୁଡିକ କେଜାଣି ? ବେଳେ ବେଳେ ଇଟା ଭାଟି ଶ୍ରମିକମାନେ ପିଲା ଛୁଆ ଧରି ରୁହନ୍ତି । ହେଲେ ଏମାନେ କିଏ ? ପିଲାମାନଙ୍କର ଚୁଟି ଗୁଡି଼କ ଏତେ ନୁଖୁରା ଥିଲା ଯେ,କିଛି ଚୁଟି କହରିଆ ପଡି଼ ଯାଇଥିଲା । ହୁଏତ ମୁଣ୍ଡରେ କେଉଁ କାଳୁ ତେଲ ଟିକେ ବାଜି ନ ଥିଲା । ପିନ୍ଧିଥିବା ନେଳିଆ ଜିନ୍ ପ୍ୟାଣ୍ଟ୍ରେ କେଉଁ କାଳୁ ଧୂଳି ଜମି ମାଟିଆ ମାଟିଆ ଦେଖା ଯାଉଥାଏ । ପ୍ୟାଣ୍ଟ୍ର ଚେନ୍ ଖରାପ ହୋଇଯାଇ ଥିବାରୁ ଖଣ୍ଡିଆ ସେଫ୍ଟିପିନ୍ ମାରି ପିନ୍ଧିବାରେ ପ୍ରୟାସ କରି ଅସଫଳତା ହିଁ ଗରିବୀ ଜୀବନର ହତାଶା ହିଁ ବାରି ହୋଇ ପଡୁଥାଏ । ଏତେ ହତାଶା ଜୀବନ ମଧ୍ୟରେ କିଛି ଅହେତୁକ ପ୍ରାପ୍ତି ଆଶାରେ, ପିଲା ତିନୋଟିଙ୍କର ଆଖିରେ ଗୁଇନ୍ଦା ଆଖିର ଚାହାଣୀ ପରି ଝଲସି ଉଠୁଥିଲା । ହେଲେ କମ୍ ବୟସର ଛୁଆମାନଙ୍କ ସମ୍ମୁଖରେ ବିୟର୍ ପିଇବାକୁ ପାକୁନକୁ ଲାଜ ଲାଗୁଥିଲା ।
-କଣ କିରେ ? କୁଆଡେ ତମେମାନେ ?
- ବାବୁ, ବୋତଲ ।
- ବୋତଲ ? କଣ ବୋତଲ ।
- ବାବୁ, ଆପଣ ପିଇ ଦେଲେ. ଖାଲି ବୋତଲ ଆମେ ନେଇଯିବୁ । ଦୁଇଟି ବୋତଲ ବିକିଲେ ପାଞ୍ଚ ଟଙ୍କା ମିଳିବ । ଆମେ ବିସ୍କୁଟ୍ କିଣି ଖାଇବୁ ।
- କାଇଁ, ଘରେ ବାପା ବୋଉ ନାହାନ୍ତି ?
- ମୂଲ ଲାଗି ଯାଇଛନ୍ତି ବାବୁ । ମାଆ ଆମର ଆସୁଥିବ ଯେ । ସେ ଭୋବନିଶରରେ କାମ କରେ ।
ତେବେ ବେଳେ ବେଳେ ଏମିତି ହୁଏ । କଥା ଗପୁ ଗପୁ କଥା ସତ ହୋଇଯାଏ । ନିକଟରେ ଥିବା ପୁରୁଣା ଛାତ ଘରକୁ ପ୍ରାୟ ଚାଳିଶି ବର୍ଷିୟା ମହିଳା ଜଣେ ପ୍ରବେଶ କଲେ । ହାତରେ ପୁରୁଣା ଭ୍ୟାନିଟ୍କୁ ଝୁଲାଇ ଝୁଲାଇ ପିଲାମାନଙ୍କୁ ତୀର୍ଯ୍ୟକ୍ ଭାବରେ ଦୃଷ୍ଟି ଦେଇ ତରତର ହୋଇ ପଶିଗଲେ । ପିଲା ତିନୋଟି କିନ୍ତୁ ବୋତଲ ନେବା ଚକ୍କରରେ ପାକୁନର ପାଖ ଛାଡୁ ନଥା'ନ୍ତି । ଗୋଟେ ବୋତଲ ସରି ଯାଇଥିଲା । ପାକୁନ୍ ବିରକ୍ତରେ ଢାଳି ଦେଲା ପ୍ରାଚୀର ବାଲିଆ ଭୁଇଁରେ । ବିୟର୍ର ଫେଣ ଗୁଡିକ ସଁ ସଁ ହୋଇ ଭୁଟି ମାରିଲା ବେଳେ ପିଲାମାନେ ଫେଁ ଫେଁ କରି ହସି ଉଠିଲେ । ପିଲାମାନଙ୍କର ହସ ଶୁଣି , ଛାତ ଘରେ ପ୍ରବେଶ କରିଥିବା ମହିଳା ଜଣକ ମାତୃ ସୁଲଭ ପୂର୍ବକ ଆକଟିବା ଛଳରେ ଝପଟି ଆସିଲେ । ନୀରବି ଗଲେ ପିଲା ଗୁଡିକ । ହେଲେ ଉକ୍ତ ମହିଳାଙ୍କୁ ଦେଖି , ମୁଁ ଚମକି ପଡିଲି । ଇଏ ସାବି ସୋରେନ ନୁହେଁ ତ । ଏଇ କିଛି ଦିନ ପୂର୍ବେ ପାକୁନ୍ ମାଳି ସାହି ସ୍ଥିତ ପତିତା ଉଦ୍ଧାର ସମିତିର ଏକ ସଚେ଼ତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲା । ଜଣେ ଦେହଜିବୀ ଜୀବନ ସାରା ଏପରି ଏକ କଦର୍ଯ୍ୟ ପେଶାକୁ ଗ୍ରହଣ କରି ସନ୍ତୁଳି ହେବା ଅପେକ୍ଷା, ଜୀବନ ଯୁଦ୍ଧରେ ଅନ୍ୟ ପନ୍ଥା ଗ୍ରହଣ କରି କ'ଣ ଏକ ସୁନ୍ଦର ସଂସାରଟିଏ କରି ପାରିବ ନାହିଁ ? କୁନି କୁନି ପିଲାମାନଙ୍କ ମୁହଁରେ ଆହାର ଭରି, କଣ ଏକ ସୁନେଲି ଭବିଷ୍ୟତଟିଏ ଦେଖିପାରିବ ନାହିଁ ? ପତିତାମାନଙ୍କର ଜୀବନ ଜିବୀକା କଥା ଆଲୋଚନା ହେଉ ହେଉ, ସାବି ସୋରେନ୍ର କେଇ ପଦ ଅଗ୍ନିବର୍ଷୀ କଥାରେ ପାକୁନର ମନ ଦୋହଲି ଯାଇଥିଲା ।
- କଣ ଭାବୁଛ ବାବୁ, ଆପଣଙ୍କୁ ଏବେ କେଉଁଠି ଦେଖିଛି ବୋଧେ ? ହଁ.. ଆପଣ ସେ ସଭାରେ ଥିଲେ ନା..
-ହଁ । ହେଲେ ତମେ ଏଠି !!
-ହଁ ବାବୁ ; ମୁଁ ଦୁଇ ବର୍ଷ ହେଲା ଏଠି ରହି ଆସୁଛି । କ'ଣ କରିବି ବାବୁ , ଆପଣ ତ ସବୁ ଜାଣିଛନ୍ତି । ମୋତେ ବଞ୍ଚାନ୍ତୁ ବାବୁ । ଯଦି ଏ କଥା ଲୋକମାନେ ଜାଣିବେ, ମୋ ସଂସାର ବୁଡିଯିବ । ଯେଉଁଠି ପେଟକୁ ଦାନା ଗଣ୍ଡିଏ ଆଉ ଦେହକୁ କନା ଖଣ୍ଡେ ପାଇଁ ମଣିଷ ହତାଶ ହୁଏ । ସେଠି ଇଜ୍ଜତର ମୂଲ୍ୟ କ'ଣ ଥାଏ । ନହେଲେ ମଦୁଆ ଘଇତାକୁ ନେଇ ଏ ତିନୋଟି ଛୁଆଙ୍କୁ କେମିତି ବଞ୍ଚାଇଥା'ନ୍ତି ?
ସାବି ସୋରେନ୍ ପିଲାମାନଙ୍କୁ ଲୁଚେ଼ଇ ସୁଁ ସୁଁ ହୋଇ କାନ୍ଦିବାରେ ଲାଗିଥିଲା । ପାକୁନ୍ ଚ଼ାହିଁ ରହିଥିଲା । ଏକ ପାଶ୍ୱର୍ରେ ଅପପୁଷ୍ଟିରେ ସଢୁଥିବା ମଦୁଆ ବାପାର ପିଲା ତିନି ଜଣ ଧରିଥିବା ଦୁଇଟି ବିୟର ବୋତଲକୁ ଏବଂ ଅପର ପାଶ୍ୱର୍ରେ ସନ୍ତୁଳି ହୋଇ ଜୀଅନ୍ତା ଜୁଇରେ ଜଳୁଥିବା ସାବି ସୋରେନକୁ । ପାକୁନ୍ ନିଜର ଜୀବନ ସହିତ ସେମାନଙ୍କର ଜୀବନକୁ ଆତ୍ମ ସମୀକ୍ଷା କରୁଥିଲା । ଜୀବନରେ ଯେତେ ସଂଘର୍ଷ ହୁଏ, ମଣିଷ ସେତେ ଲହୁ ଲୁହାଣ ହୁଏ । ବିକଳରେ ଚିତ୍କାର କରେ । କେବେ ଚିତ୍କାର ଶୁନ୍ୟରେ ମିଳାଇଯାଏ ତ କେବେ କୌଣସି ଏକ ଆଶା ବାଡିର ସାହାରାରେ ବଞ୍ଚି ଗଲି ବୋଲି ଦୀର୍ଘଶ୍ୱାସ ଛାଡେ । ସତରେ ଜୀବନରେ ପୂର୍ଣ୍ଣତା କ'ଣ ଆସେ ?
ସାଙ୍ଗଠନିକ ସମ୍ପାଦକ - ଉଦୟ ଭାନୁ
ଭୋଦଳ - ପାଟସୁନ୍ଦରପୁର - ଫୁଲନଖରା (କଟକ)
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।