4/30/2021

ବାପା

ରଶ୍ମିତା ପାତ୍ର 

ଏମିତି ଏ ଶବ୍ଦ ଅଟେ ପରିବ୍ୟାପ୍ତ
ଅସୀମ ଆକାଶ ଡେଇଁ
ଧର୍ଯ୍ୟ ନୈପୁଣ୍ୟ ପୂଜ୍ୟ ନମସ୍ୟ
ବାପା ନାମଟିଏ ସେଇ ।।

ଜନମିଲି ମାତୃ ଗରଭୁ ଯେ' ଦିନ
ପରିଚୟ ହୁଏ ନୂଆ
ଜନ୍ମଦାତା ଆମ ଜନକ ନାମେ
ଦେଖେ ଏ ସାରା ଦୁନିଆ ।।

ସମୟ ଯା' ପାଖେ ରହିଯାଏ ଦଣ୍ଡେ
ନିୟମ ଯା' ପାଖେ ବନ୍ଧା
ସୂର୍ଯ୍ୟ ସମ କୋଟି ଜ୍ୟୋତି ପ୍ରସ୍ଫୁଟିତ
ପରାକ୍ରମୀ ମହାଯଦ୍ଧା ।।

ଭବ ପାରାଵାରେ ସଂସାର ନାଆକୁ
ସଳଖାଇ ମଙ୍ଗ ଧରି
ସବୁ ଅର୍ଦ୍ଦଳିର ବୋଝକୁ ମୁଣ୍ଡେଇ
ବାଟ ପରେ ବାଟ ପାରି ।।

ଶୋଇଯାଏ ଯେବେ ସାରା ପରିବାର
ବାପା ଥାନ୍ତି ଆମ ଚେଇଁ
ଆଗାମୀ ସକାଳ ଚାଲେ ନିରନ୍ତର
ସଂଗ୍ରାମ ତିଳକ ନାଇ ।।

ନୀତି ଆଦର୍ଶର ମହାନତା ତାଙ୍କ
ଆମ ପାଖେ ହୁଏ ଯୋଡା
ଯାହା ପାଇଁ ଆଜି ଦେଖିଛି ଦୁନିଆ
ସବୁ ତାଙ୍କ ହାତ ଗଢା ।।

ବାପା ତୁମ ସ୍ନେହ ଶ୍ରଦ୍ଧା ଆଦରରେ
ଆମକୁ ନିଅ କୋଳେଇ
ଯେତେ ଅବା ଯାହା ଦରବ ଜଗତେ
ତୁମ ପାଖେ ଛୋଟ ସେଇ ।।

ଯେତେ ଦୂରେ ପଛେ ଥାଇ ନିତିଦିନ
ତୁମକୁ ଖୋଜେ ଏ ମନ
ସତେ ଗୋ ବାପା ଆସନ୍ତା କି ' ଫେରି
ତୁମେ ପାଖେ ଥିବା ଦିନ ।।

ସୁଝି ପାରିବିନି ଏ ଜୀବନେ କେବେ
ତୁମରି କାଣିଚେ ଋଣ
ବାପା ମୋର ସୁଖେ ରଖି ମହାବାହୁ
ଏ ଜୀବନ ହେବ ଧନ୍ୟ ।।

ପିତା ଗୁରୁ ଆମ ପରମ ଦେବତା
କୋଟି ପ୍ରଣତି ଢାଳେ
ଅତି ଆଦରର ବାପା ତୁମେ ମୋର
ତୁମ ଶ୍ରୀଚରଣ ତଳେ ।।
ବାରିପଦା.ମୟୁରଭଞ୍ଜ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।