4/30/2021

ମୁଁ ' ସତ୍ୟ ଧର୍ମା ସକ୍ରେଟିସ୍ କହୁଛି !!!



                             ଡ଼କ୍ଟର ଲକ୍ଷ୍ମଣ ସାହୁ 
ଏ' ପୃଥିବୀରୁ ଅନ୍ୟାୟ,  ଅନୀତି  ଓ  ଅତ୍ୟାଚାର  ଲୋପ କରି ସତ୍ୟ, ଧର୍ମ ଓ ନ୍ୟାୟର  ପ୍ରତିଷ୍ଠା  ପାଇଁ କାଳେ କାଳେ ବହୁ ଯୋଗଜନ୍ମା ମହାପୁରୁଷଙ୍କ ଆବିର୍ଭାବ ଘଟି ଆସିଛି । ଦେଶ, ଜାତି,  ସମାଜ,  ବିଶ୍ୱର  ମଙ୍ଗଳ  ପାଇଁ  ସେମାନେ  ନିଜ  ଜୀବନକୁ  ସଳିତା  ଭଳି  ନିଃଶେଷ  କରି  ଦିଅନ୍ତି  ।  ମଣିଷ  ସମାଜର  ମୁହଁରେ  ହସ  ଭରି  ଦେବା  ପାଇଁ  ସେମାନଙ୍କ  ଆଖିରୁ  ଝରି  ପଡେ  ଶେଷହୀନ  ଲୋତକର  ଧାରା  ।  ନିଜର  ଲହୁ  ଲୁହ  ଦେଇ  ସେମାନେ  ମଣିଷର  ମଙ୍ଗଳ  ପାଇଁ  ସାଧନା  କରନ୍ତି,  ସେଇ  ଅମଣିଷ  ତାକୁ  ଦିଏ  ଶେଷରେ  ଗୁଳିର  ଉପହାର  ଅବା  ତା'ଅଧରରେ  ଭରି  ଦିଏ  ବିଷର  ପିଆଲା,  ହେଲେ  ସେହି  ଦୁରାଚାରୁ  ମାନବ  କେବେ  ଥରେ  ବୁଝି ବି  ପାରେନାହିଁ , ବିଷ  ସେମାନଙ୍କ ପାଇଁ ଅମୃତ ହୋଇଯାଏ  ।

      ଶିଵ ବିଷ  ପାନ  କରି  ପାଲଟି  ଗଲେ  ନୀଳକଣ୍ଠ  ,  ଦେବ ଦେବ  ମହାଦେବ  ,  ସର୍ବଦେବତାଙ୍କର  ଶ୍ରେଷ୍ଠ  ପୂଜ୍ୟ  ।  ସେହି  ଭଳି  ଏକ  ଯୁଗପୁରୁଷ  ସକ୍ରେଟିସ୍,  ମଣିଷ ସମାଜର  ମଙ୍ଗଳ  ପାଇଁ   ହସି  ହସି  ଜୀବନ  ଉତ୍ସର୍ଗ  କରିଥିଲେ  ।   କପୋଳ  କଳ୍ପିତ  ନାନା  ଅପରାଧର  କାଠଗଡା  ଭିତରକୁ  ତାଙ୍କୁ  ଟାଣି  ନିଆଯାଇଥିଲା  ।  ତାଙ୍କ  ଚାରିପଟେ  ବିଛାଇ  ଦିଆଯାଇଥିଲା  ଷଢ଼ଯନ୍ତ୍ରର  ର୍ଦୁଭେଦ୍ୟ  ଜାଲ  ।  କିନ୍ତୁ  ସତ୍ୟ  ଦ୍ରଷ୍ଟା ଜୀବନ ଦେଲେ ସିନା, ସତ୍ୟ,  ଧର୍ମ,  ନ୍ୟାୟ  ପଥରୁ  କିନ୍ତୁ  ବିଚ୍ୟୁତ  ହୋଇ ନଥିଲେ । "ମୁଁ  ସତ୍ୟାଧର୍ମା  କହୁଛି,  ସେହି  ବିଶ୍ୱ  ବିସ୍ମୃତ  ବ୍ୟକ୍ତିତ୍ବ  ସତ୍ୟାଧର୍ମା ସକ୍ରେଟିସ୍ ଙ୍କ ସତ୍ୟ  ଭାଷଣ :   ଅଜ୍ଞାନ  ତିମିର  ମଧ୍ୟେ  ଭ୍ରାନ୍ତ  ଚିନ୍ତା ଧାରା , ଖୋଜୁଥାଏ ମନ ମୋର ନିତ୍ୟ ସିଦ୍ଧ ଜ୍ଞାନ  । ଚାଲି  ଯାଉ  ଏ' ଜୀବନ ସତ୍ୟ ଅନ୍ୱେଷଣେ, ମିଥ୍ୟା ଠାରୁ ଶ୍ରେୟସ୍କର ଅଟେ ବିଷପାନ ।  

     ଯାହା ମାନବ ସଭ୍ୟତାର ଇତିହାସରେ  କାଳ କାଳ ପାଇଁ ଏକ  ମ୍ରିୟମାଣ  ଦଲିଲ୍‌ରେ  ପରିଣୟ ହୋଇ ପାରିଛି  । ସକ୍ରେଟିସ୍‌ଙ୍କ ଉପରେ ନାନା  ଅଭିଯୋଗ ଆରୋପ  କରାଯାଇଥିଲା । ଅଭିଯୋଗର ସବୁ ଫର୍ଦ୍ଦ  ଯେତିକି  ଲମ୍ବା  ସେତିକି  ବିସ୍ତୃତ  ।  ବିଶେଷ କରି  ସେ  ଜଣେ  ନାସ୍ତିକ ,  ଦେଶଦ୍ରୋହୀ,  ଦମ୍ଭି,  ଅହଂକାରୀ,  ପଣ୍ଡିତମନ୍ୟ  ଉଚ୍ଛଙ୍ଖଳର  ଅପବାଦ,  ତାଙ୍କର  ଚରିତ୍ର  ସଂହାର  ପାଇଁ  ତାଙ୍କ  ନାମରେ  ଦିଆଯାଇ ଥିଲା  ଅଭିଯୋଗର  ଫର୍ଦ୍ଦ  ।  ସକ୍ରେଟିସ୍    ବିଚାରଳୟର  କାଠଗଡା  ଭିତରେ  ଶୁଣୁଥିଲେ ତାଙ୍କ ନାମରେ ଥିବା ସକଳ ଅଭିଯୋଗ, ଯାହା ସେ  ଅଭିଯୋଗ ତାଙ୍କୁ ବିଚଳିତ ନକରି ସବୁଠାରୁ ତାଙ୍କ ପାଇଁ ପାଲଟୁ ଥିଲା  ଆମୋଦାୟକ ଶ୍ରୃତି ମଧୁର ଅଭିଯୋଗ : "କୁଶିକ୍ଷା ଦେବା ତାଙ୍କର ବୃତ୍ତି" । କିନ୍ତୁ  ସକ୍ରେଟିସ୍ ଙ୍କ ତାହା କେବେ ବୃତ୍ତି ନଥିଲା । ସେଥିପାଇଁ ସେ କହୁଥିଲେ  : "ଜୀବନରେ ଚଟୁଳ  ଭାଷଣରେ,  କାହାକୁ  କେବେ  ଥରେ  ପ୍ରଭାବିତ  କରି  ନାହାନ୍ତି ,  କି  କରନ୍ତି  ନାହିଁ  ।  ତାଙ୍କୁ  ମୃତ୍ୟୁ  ଦଣ୍ଡ  ଦିଆଯାଇଥିଲେ  ମଧ୍ୟ  ସେଥିରେ  ଟିକେ  ମାତ୍ର   ବିଚଳିତ  ବା  ଭୟଭୀତ  ହୋଇନଥିଲେ  ।  ସକ୍ରେଟିସ୍  ଜାଣିଥିଲେ  ମଣିଷ  ସଭ୍ୟତାର  ଇତିହାସ ରେ  ହତ୍ଯା  କିଛି  ନୂଆ  କଥା  ନୁହେଁ,  ଅତୀତରେ  ତାଙ୍କ  ଭଳି  ବହୁ  ନିର୍ଦ୍ଦୋଷ,  ନୀରିହ  ଯୁଗପୁରୁଷ  ଏପରି  ହିଂସ୍ରତାର  ଶିକାର  ହୋଇଛନ୍ତି  ।  ବାରମ୍ବାର   ମୃତ୍ୟୁ  ଲଭିବାକୁ  ପଡିଲେ ସୁଦ୍ଧା  ସେ  କେବେବି  ସତ୍ୟ  ପଥରୁ  ଓହରି  ଯିବେ  ନାହିଁ,  ସେ  ମୃତ୍ୟୁଞ୍ଜୟ , ନୀଳକଣ୍ଠ ବନିଯିବାର ଉତ୍କଣ୍ଠାକୁ କାହିଁକି ବା ଚାପି ଦେବେ  ।

      ସକ୍ରେଟିସ୍ ଙ୍କ ସେହି ସତ୍ୟ ସ୍ୱୀକାରୋକ୍ତିରେ  ରୂପାୟନ  ଘଟିଛି  ତାଙ୍କ ମନଗହନରେ ଆନ୍ଦୋଳିତ ଯଥାଯଥ ଅଭିବ୍ୟକ୍ତି  ।  କୁଶିକ୍ଷା  ଦେବା  ତାଙ୍କର କେବେବି ବୃର୍ତ୍ତି ନୁହେଁ , ତାଙ୍କ ଚରିତ୍ର ଆକର୍ଷଣ ହୋଇ ଯେଉଁ  ମାନେ ତାଙ୍କ ନିକଟକୁ  କୌଣସି  ପରାମର୍ଶ  ପାଇଁ  ଆସିଥାନ୍ତି,  ଶିଷ୍ଟାଚାର  ଦୃଷ୍ଟିରୁ  ସେ  ସେମାନଙ୍କୁ  କେବେ  ପ୍ରତ୍ୟାଖ୍ୟାନ  କରିନାହାନ୍ତି  ।  ଏହାକୁ  ବୃର୍ତ୍ତି କରି ସେ କେବେ ଅର୍ଥ ଉର୍ପାଜନ କରି ନାହାଁନ୍ତି । ନିଷ୍ଠାର ସହିତ  ସେ  କେବଳ ଆଜୀବନ ସତ୍ୟର ସମାଧାନ କରିଛନ୍ତି, ସତ୍ୟାନୁଶ୍ରୟୀ ହୋଇଛନ୍ତି , ସତ୍ୟହିଁ ତାଙ୍କର ଏକନିଷ୍ଠ ବ୍ରତ ଓ ମହାମନ୍ତ୍ର । ସତ୍ୟ  ସନ୍ଧାନ  କେବଳ ତାଙ୍କର  ବୃତ୍ତି  ନୁହେଁ,  ତାହା  ତାଙ୍କର  ଧର୍ମ  ଓ  କର୍ମ  ।  ସତ୍ୟ  ପାଳନହିଁ  ଥିଲା ତାଙ୍କ ଜୀବନର ପରମ ଲକ୍ଷ୍ୟ । ସକ୍ରେଟିସ୍  କେବଳ  ସତ୍ୟବାଦୀ  ନଥିଲେ ,  ସେ  ମଧ୍ୟ  ଥିଲେ   ଜଣେ  ସ୍ୱାଧୀନଚେତା  ଉଦାର  ମାନବ  ।  ସେଥିପାଇଁ  ତାଙ୍କ  ସଂସ୍ପର୍ଶରେ  ଯେଉଁ  ମାନେ  ଆସିଛନ୍ତି  ସେମାନେ  ବିଚାରଶୀଳ,  ସଦାଚାରୀ  ଓ  ଜିଜ୍ଞାସୁ  ହୋଇ  ଯାଇଛନ୍ତି  ।  ତରୁଣ  ସଂପ୍ରଦାୟଙ୍କୁ  ମଧ୍ୟ  ସେ  କେବେ  ହେଲେ  ସତ୍ୟ  ଭ୍ରଷ୍ଟ  କରିନାହାନ୍ତି  ।  ତରୁଣ  ମାନେହିଁ  ତାଙ୍କ  ପାଇଁ  ଥିଲେ  ଅଫୁରନ୍ତ  ଆନନ୍ଦ  ଓ  ଉତ୍ସାହର  ଉତ୍ସ  ,  ପ୍ରେରଣାର  ଆଦ୍ୟ  ମନ୍ତ୍ର  । ତରୁଣ ମାନଙ୍କ ସହିତ ଆଳାପ  କଲା  ବେଳେ, ତାଙ୍କର ସମଗ୍ର ଚେତନା ସେହି ସତ୍ୟକୁ  ଆଶ୍ରୟ  କରି  ପ୍ରସାରିତ  ହୋଇଥିଲା  ।  ନିଜକୁ  ପ୍ରଶ୍ନ  କରିବାକୁ  ଯାଇ  ସକ୍ରେଟିସ୍  ତରୁଣମାନଙ୍କୁ   ପ୍ରଶ୍ନ ପଚାରିଲା  ବେଳେ  ସେମାନଙ୍କର  ଦୃଷ୍ଟିରେ  ଅର୍ନ୍ତମୁଖୀ  ହୋଇଯାଏ  ।  ସେମାନେ  ଖୋଜି  ବାକୁ  ଆରମ୍ଭ  କରନ୍ତି  ,  ସେହି  ରହସ୍ୟର  ସୂତ୍ର  ।  ଯାହାକୁ ଖୋଜିବା ପାଇଁ  ଯୁଗ ଯୁଗ  ଧରି  ମଣିଷ  ପ୍ରଭୂତ  ପ୍ରୟାସ  କରି  ଆସିଛି  ।  କେବଳ  ତରୁଣ  ନୁହେଁ,   ପ୍ରବୀଣ  ମାନଙ୍କ   ପାଖରେ ଝଡ  ସଦୃଶ୍ୟ  ମଧ୍ୟ  ସକ୍ରେଟିସ୍  ପହଞ୍ଚିଛନ୍ତି  । ବହୁ ଶାସ୍ତ୍ରଦର୍ଶୀ, ବିଜ୍ଞା,  ପଣ୍ଡିତଙ୍କ  ପାଖରୁ ସେ ସତ୍ୟର ଅନୁସନ୍ଧାନ କରିଛନ୍ତି  । ତା'ପରେ  ଯେପରି  ତାଙ୍କର  ସ୍ୱପ୍ନ ଭଗ୍ନ ହୋଇଛି । ସେ ଉପଲବ୍ଧ କରିଥିଲେ ଜ୍ଞାନୀ, ପଣ୍ଡିତ,  ମାନବୀୟ  ବ୍ୟକ୍ତି  ପ୍ରଭୃତି  ସମସ୍ତେ  ବାହାରକୁ  ଯେଭଳି  ଦେଖାଯାନ୍ତି,  ପ୍ରକୃତରେ  ସେମାନେ ସେୟା  ନୁହନ୍ତି  ,  ସକ୍ରେଟିସ୍  ସେମାନଙ୍କର  ପ୍ରକାଣ୍ଡ  ଆବରଣ  ଭିତରୁ ସେମାନଙ୍କ  ପ୍ରକୃତିଗତ  ପ୍ରକୃତ  ଖର୍ବ,  ଦୁର୍ବଳ,  ଅମାନୁଷିକ  ରୂପ  ଗୁଡିକୁ  ଉନ୍ମୋଚିତ  କରିଛନ୍ତି  ।

   ସକ୍ରେଟିସ୍ ଙ୍କ  ଉପରେ  ଆରୋପ  କରାଯାଇ  ଥିବା  ପଣ୍ଡିତମନ୍ୟ  ଅଭିଯୋଗର  ଉତ୍ତରରେ  ସେ  ସ୍ୱୀକାର  କରିଛନ୍ତି ଯେ ସେ ଅଜ୍ଞ, କିନ୍ତୁ ବୁଦ୍ଧି ହେବା ଦିନ ଠାରୁ ସେ ନିଜ ଅଜ୍ଞତା ବିଷୟରେ ବେଶ୍ ସଚେତନ  ହୋଇ  ଆସିଥିଲେ  ।  ଏକଦା  ଦୈବବାଣୀ  ହେଲା  ଯେ ,  ସେ  ଏପୃଥିବୀରେ  ବିଜ୍ଞ  ତମ  ବ୍ୟକ୍ତି,  ମନୁଷ୍ୟ  ମାତ୍ରେ  ହିଁ  ଅଜ୍ଞ  ,  କିନ୍ତୁ  ସେ  ସାମାନ୍ୟ  ଜ୍ଞାନାଲୋକର  ଅଧିକାରୀ  ହୋଇଥିବାରୁ  ନିଜକୁ   ବିଜ୍ଞ  ବୋଲି  ଭାବିବା  ଅସ୍ୱାଭାବିକ  ନଥିଲା  । ତଥାପି ସେ  ପ୍ରକାଶ  କରିଛନ୍ତି,  "ଈଶ୍ବର  କଣ  ସେ  ଜାଣନ୍ତି  ନାହିଁ  ।"  ପ୍ରଗଲଭ୍  ବକ୍ତାଙ୍କ  ପରି ସେ  ଈଶ୍ବରଙ୍କ ସଂପର୍କରେ ଅବାସ୍ତବ ଅବାନ୍ତର  କଥା  କିଛି  କହିବାକୁ  ଚାହାନ୍ତି  ନାହିଁ  ।  ବରଂ  ସେ  ସର୍ବ  ଶେଷରେ ପ୍ରକାଶ  କରିଛନ୍ତି,  ନିଜ  ଜୀବନର  ନିଗୃଢତମ ରହସ୍ୟ । ତାଙ୍କ ଭିତରେ  ଗମ୍ଭୀର  ଘଣ୍ଟା  ଧ୍ୱନି  ପରି  ଗୋଟିଏ  ଶାଣିତ ସ୍ୱର, ଯିଏକି  ଅସତ୍ୟ  ଅଶୁଭ ଓ ଅକଲ୍ୟାଣ ତାଙ୍କୁ ଦୃଢ  ଭାବରେ  ନିବୃତ୍ତ  କରିଛି  ।  ସେ  କାହାର  ଦେବତା,  ଆଲ୍ଲା,  ଈଶ୍ବର  ଓ  ମନ୍ଦିର,  ମସଜିଦ ,  ଗ୍ରୀଜା  ଚର୍ଚ୍ଚ  ଆଦିକୁ  ଅସ୍ୱୀକାର  କରି ନାହାନ୍ତି  ।  ସେଥିପାଇଁ  ସେ  ମୁକ୍ତ  କଣ୍ଠରେ  ଘୋଷଣା  କରି  ସ୍ୱୀକାର  କରିଛନ୍ତି-"ମୁଁ  ନାସ୍ତିକ  ନୁହେଁ  ।"

          ଦେଶ  ଦ୍ରୋହ  ସଂପର୍କରେ  ଆରୋପିତ  ଅଭିଯୋଗର  ଉପରେ  ଉତ୍ତର  ଦେବାକୁ  ଯାଇ  କହିଛନ୍ତି,  ସେ  କେବେ  ଦେଶ  ଦ୍ରୋହୀ  ନୁହନ୍ତି  ।  ମନ  ପ୍ରାଣରେ  ସତ୍ୟର  ଭାର  ବହନ  କଲା  ପରେ  ଆଉ  କୌଣସି  ଆବେଗ  ପାଇଁ  ଜୀବନରେ  କେବେ  କଣ  ସମୁଦ୍ରର  ସନ୍ଧାନରେ  ବୋହି    ଯାଉଥିବା  ନଦୀ  କୂଳର  ଦ୍ରୋହାଚରଣ  କରେ  ନାହିଁ  ।  ଯେଉଁମାନେ    ଦେଶ ପ୍ରେମର  କେବଳ  ଅଭିନୟ   କରିଛନ୍ତି  ବା  କରୁଛନ୍ତି,  ସେମାନେ ପ୍ରକୃତରେ ସ୍ୱାର୍ଥପର । ସକ୍ରେଟିସ୍ ଦ୍ରଷ୍ଟା, ସୂକ୍ଷ୍ମ ଦୃଷ୍ଟିକୋଣରେ  ସେ  ତାଙ୍କର ଶ୍ରେୟ  ସାଧନ  ପାଇଁ  ତତ୍ପର  ହୋଇଛନ୍ତି,  ବ୍ୟକ୍ତିଗତ  ସ୍ୱାର୍ଥରେ କେବେ ଲିପ୍ତ ହୋଇପାରି ନାହାନ୍ତି, କି କେବେ  ଥରେ  ସେଭଳି  ଚିନ୍ତା  କି  ଭାବନା  କରିନାହାନ୍ତି  ।

      ସକ୍ରେଟିସ୍ ଙ୍କ ନିର୍ଭୀକ  ସରଳ  ଉତ୍ତର  ଦାନରେ  ବିଚାରକ  ମଣ୍ଡଳୀ  ନିଜ ଅଜ୍ଞତା ଯୋଗୁ ତଥା ଈର୍ଷା ଯୋଗୁ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ  କରା ଯାଇଥିଲା ,  ସେତେବେଳେ  ସକ୍ରେଟିସ୍  ଟିକିଏ  ମାତ୍ର  ବିଚଳିତ  ହୋଇ ନଥିଲେ,ଅଟଳ ହିମାଳୟ ପର୍ବତ ଭଳି ନିଜ ସତ୍ୟ ସହ ଅଟଳ   ରହିଥିଲେ ।  କାରଣ ସେ ସ୍ପଷ୍ଟ ଭାବରେ ବୁଝିଥିଲେ ଯେ, ଅନ୍ୟାୟ  ଦ୍ବାରା  ଅନ୍ୟାୟର ପ୍ରତିକାର  ହୁଏନି,  ଗୋଟିଏ  ଭୁଲ୍  କାର୍ଯ୍ୟର  ସଂଶୋଧନ  ଆଉ ଏକ ଭୁଲ୍ କାର୍ଯ୍ୟ ଦ୍ଵାରା ସଂପାଦନା କରାଯାଏନି,  ଏହା  ଅନୁଚିତ  ।  ଯଦି  ବିଚାରକ ମଣ୍ଡଳୀ ବିଚାର କରିଛନ୍ତି, ତେବେ ଭବିଷ୍ୟତରେ ଦରବାରରେ  ସେମାନେ  ହେବେ  ଦୋଷୀ,  ମୁଁ  ( ସକ୍ରେଟିସ୍ )  ହେବି  ନିର୍ଦୋଷ  ।  କିନ୍ତୁ  ମୁଁ  ଯଦି  ଭୁଲ୍ କରିବି, ସେହି ଭବିଷ୍ୟତ ମୋତେ ଦୋଷାରୋପ  କରିବ,  ସେମାନେ  ହେବେ  ନିର୍ଦୋଷ  । ସେହି ଦୃଷ୍ଟିରୁ ନିଜର ପ୍ରକୃତ ବିଚାର  ନ୍ୟସ୍ତ  କରିଛନ୍ତି   ସକ୍ରେଟିସ୍  ଇତିହାସ  ଉପରେ  ।  ମୃତ୍ୟୁକୁ ଭୟ  କରିବେ  ବା   କାହିଁକି  (?) ।  ସତ୍ୟ,  ମିଥ୍ୟାର  ସନ୍ଧାନ  ମିଳିବ ନିଜ ଅନୁକୂଳ ଚିନ୍ତାଧାରା ମଧ୍ୟରୁ , କେବେ ଅବିଶ୍ୱାସ ,ଅନ୍ଧବିଶ୍ୱାସରୁ  ନୁହେଁ ।  ତେଣୁ ବିଚାରକ ମାନଙ୍କ ଅନ୍ଧବିଶ୍ୱାସକୁ  ସହଜରେ  ମାନିନେବାକୁ ସେ କେବେ ପ୍ରସ୍ତୁତ  ନଥିଲେ ।  ସେ କହୁଥିଲେ "ସଂଖ୍ୟାଧିକ ବା ସମସ୍ତ  ମନୁଷ୍ୟଙ୍କର  ମତ  ଯେଭଳି  ମହାର୍ଘ,  ଯେ  କୌଣସି  ଏକକ  ବ୍ୟକ୍ତିର ନିଜସ୍ଵ ମତବ୍ୟକ୍ତ  କରିବାର  ସ୍ୱାଧିନତା  ମଧ୍ୟ  ସେପରି  ମହାର୍ଘ  ।  ତେଣୁ ତାଙ୍କର ଏକକ ମତବ୍ୟକ୍ତକୁ ବିଚାରକ ମଣ୍ଡଳି ସମ୍ମାନ  ନଦେବାରୁ  ସେ କେବେ  ଅନୁଶୋଚନା କରି  ନାହାନ୍ତି  , ବରଂ  ନିଜକୁ  ମୃତ୍ୟୁ  ମୁଖକୁ  ଠେଲି  ଦେଇଛନ୍ତି,  ଜ୍ଞାନ,  ନିଷ୍ଠା  ଓ  ବିବେକ  ମଧ୍ୟରୁ  ସୃଷ୍ଟି  ହୁଏ  ସତ  ସାହସ, ସେହି  ସତ  ସାହସଟି  ମନୁଷ୍ୟର  ପ୍ରକୃତ  ପରିଚୟ  ।  ସତ୍ୟର  ଅନୁସନ୍ଧାନ ପାଇଁ ସେ ନିଜର ସତ ସାହସକୁ ପ୍ରୟୋଗ କରିଛନ୍ତି । କାରଣ  ସତ୍ୟହିଁ ଅମୋଘ ଅସ୍ତ୍ର ଓ  ସତ୍ୟର ଯୁଗ ଯୁଗ ଧରି ପରାଜୟ ନାହିଁ  ।  ଇତିହାସର ଲଂବା ସିଡ଼ିରେ ସତ୍ୟହିଁ ଦିନେ ପ୍ରକଟିତ ହେବ , ସତ୍ୟ  କେବେ ଲୁଚି ରହେନା !!!

       ଶେଷରେ ସକ୍ରେଟିସ୍ ତାଙ୍କ ବ୍ୟବହାର ସଂପର୍କରେ ଉତ୍ତର ଦେବାକୁ  ଯାଇ  କହିଛନ୍ତି,   ତାଙ୍କର  ଆଚରଣ  ହୃଏତ  ଆଶାନୁରୂପ  ହୋଇ  ପାରୁ  ନାହିଁ  । କିନ୍ତୁ ସେଲାଗି ସେ  ନାଚାର,  ଏପରିକି  ଏଥିପାଇଁ  ତାଂକୁ  ହତ୍ୟା  କରାଗଲେ  ସୁଦ୍ଧା  ସେ  ମୃତ୍ୟୁକୁ  କେବେ  ଭୟ  କରି  ନାହାନ୍ତି,  ଏପରିକି  ସେ ସହାନୁଭୂତି ଭିକ୍ଷା କରି ନାହାନ୍ତି  ।  ତାହାର  କାରଣ  ହେଉଛି ,  ସେ  ସତ୍ୟଧର୍ମରେ  ଦୀକ୍ଷିତ  ଓ  ସତ୍ୟର  ଶକ୍ତିରେ  ଶକ୍ତିଶାଳୀ,  ମୃତ୍ୟୁ  ଦଣ୍ତ  ଯେତେ  କଠୋର ଓ ଭୟଙ୍କର  ହେଲେ ମଧ୍ୟ  ସେ  କିନ୍ତୁ  ତାହାକୁ  ଗ୍ରହଣ  ହିଁ  କରିଛନ୍ତି  ।  ଜୀବନ  ବ୍ୟାପିତ  ମୃତ୍ୟୁ  ପାଖେ  ପାଖେ  ଅଛି,  ତେଣୁ  ପ୍ରକୃତ ପକ୍ଷେ  ମୃତ୍ୟୁ ଯେତେବେଳେ ଜୀବନକୁ ଗ୍ରାସ  କରିବାକୁ   ଆସେ ,  ସେଥିପାଇଁ  ସେତେବେଳେ  ଦୁଃଖ  ପ୍ରକାଶ  କରିବା  ସଂପୂର୍ଣ୍ଣ  ବାଚଳତା,  ଜନ୍ମ  ଥିଲେ  ମୃତ୍ୟୁ  ଚିରନ୍ତନ  ସତ୍ୟ,  ଏଥିରେ  ଦୁଃଖ  କରିବା  ବି  ଭାଙ୍ଗି  ପଡିବା ଅନୁଚିତ ,ଏହାରି ଭିତରେ ସେ ଦେଖିଥିଲେ ସତ୍ୟର ପ୍ରତିଫଳନ  ।

           ଜୀବନ  ଅସାର,  କିନ୍ତୁ  ସତ୍ୟହିଁ  ସାର  ।  ସତ୍ୟ  ପାଇଁ  ଜୀବନ  ଯିବ, ତାହାହିଁ  ଆନନ୍ଦ , ସେଲାଗି ବିଚାରପତି ମାନଙ୍କୁ  ସେ  କହିଥିଲେ :-  "  ବିଦାୟ  ପାଇଁ  ମୋର  ଵେଳ  ଆସିଗଲା,  ମୁଁ  ଯିବି,  ଆପଣମାନେ  ରହିବେ,  ଏ'ଦୁଇଟିରୁ  କେଉଁଟି  ମଙ୍ଗଳ  ପ୍ରଦ,  ତାହା  କେବଳ  ଈଶ୍ୱରହିଁ  ଜାଣନ୍ତି , ପ୍ରାଣ ଭିକ୍ଷା କଲାଭଳି କାପୁରୁଷତା ତାଙ୍କର  ନାହିଁ  ।  ସେଥିପାଇଁ  ସେ  ହସି  ହସି  ବିଷର  ପିଆଲା  ଗ୍ରହଣ  କରିନେଇଥିଲେ  ।  ସକ୍ରେଟିସ୍  ଏହାହିଁ    ଉପଲବ୍ଧ  କରିଥିଲେ,  ଯାହା  ଦ୍ଵାରା  ଚିର  ଅବିଚଳିତ  ସତ୍ୟ  ଅବିଚଳିତ  ରହିବ  । '" ମର  ଦୁନିଆରେ  ଏତ  ଅନିତ୍ୟ  ଜୀବନ,  ସତ୍ୟ  ଚିରନ୍ତନ ଲାଗି ସକ୍ରେଟିସ୍ କଲେ ପ୍ରାଣ ଦାନ ।" ଆଜିର ମଣିଷ ସେହି  ସତ୍ୟ  ଧର୍ମା  ସକ୍ରେଟିସ୍ ଙ୍କ  ପଦାନୁସରଣ  କରିବା  ଧ୍ୟେୟ  ହେଉ...!!!

💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮
               ● ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗୀୟ  ମୁଖ୍ୟ
        ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ,  କଟକ - ୪
                        ଦୂରଭାଷ  :  ୯୪୩୭୭  ୪୦୨୮୦
          Email : Laxmansahoo9040@gmail.com

💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮
                          💐 ଜୟ ସାହିତ୍ୟ, ଜୟ ସମାଜ💐

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।