4/30/2021

ବର୍ଷା

                         ରତ୍ନପ୍ରଭା ବାଇ
ନୀଳ ଆକାଶର ଉଛୁଳା ପ୍ରେମର ବରଷା ଝରୁଚି ବୋଲି
ଋତୁମତୀ ଧରା ବିଭୋରେ ଦେଇଚି ଦେହର ଦରଜା ଖୋଲି ।
ଇନ୍ଦ୍ରଧନୁର ଇଙ୍ଗିତେ ଆକାଶ ଅନୁରାଗେ ଆନମନା
ସଜଳ ସମ୍ଭୋଗେ ଭିଜାଇ ଧରାକୁ କରିଛି ସବୁଜ ବର୍ଣ୍ଣା । 

ବହଳ ଅନ୍ଧାରେ ଭସା ବଉଦରେ ଲଗାଇ ବିଜୁଳି ବତୀ
ମିଳନ ରଙ୍ଗରେ ଲେଖୁଚି ଅଙ୍ଗରେ ମହ୍ଲାର ମଧୁଗୀତି  ।
ଚଗଲା ପବନ ମତୁଆଲା ମନ ଶୃଙ୍ଖଳାର ସୀମା ଡେଇଁ
ରୂପସୀ ଧରାର ଶାଗୁଆ ଶାଢିକି ଦେହରୁ ଦିଏ ଖସେଇ  ।

ନହୁଲି ନଈର ଯଉବନ ଜଳେ ବୟସ ଅତଡା ଖସେ
କି , ଭାବନା ନେଇ କୁଆଁରୀ କଦମ୍ବ କୂଳେ କିରିକିରି ହସେ  ।
ଗୁରୁଗୁରୁ ରଙ୍ଗ ହଳଦୀ ଦେହର ଭୁରୁଭୁରୁ ବାସ ବୁଣି
ମହୁଆ ମନକୁ ଭିଡି ସେ ସେନେହେ ପାଖକୁ ଆଣୁଚି ଟାଣି ।

ବରଷା ରାତିରେ ବିରହି ଛାତିରେ ଜଳୁଚି ନିଃସଙ୍ଗ ନିଆଁ
ବିନା ଦୋଷେ ଋତୁ ବଇରୀ ସାଜିଛି ସତରେ କେଜାଣି କିଆଁ ।।

    ମୋ- ୯୩୩୭୯୭୨୭୪୯
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।