ବୈଜୟନ୍ତୀ ସାହୁ

ବହୁ ସାଧନା ଓ ସତ୍କର୍ମ ସମ୍ପାଦନର ପୁଣ୍ଯଫଳ ହେଉଛି ମନୁଷ୍ଯଜନ୍ମ । ସମସ୍ତ ୫୬ କୋଟି ଜୀବଙ୍କ ମଧ୍ଯରେ ମନୁଷ୍ଯ ହେଉଛି ଶ୍ରେଷ୍ଠଜୀବ । ଚରିତ୍ର ହେଉଛି ମଣିଷର ଶ୍ରେଷ୍ଠ ଆଭୂଷଣ । ଆଜିକାଲି ଭୋଗସର୍ବସ୍ବ ସମାଜରେ ଚାରିତ୍ରିକ ମୂଲ୍ଯବୋଧର ଘୋର ଅବକ୍ଷୟ ଘଟୁଛି । ଏହା ସମସ୍ତେ ଅନୁଭବ କରୁଥିବେ । ଏହା ହିଁ ସତ୍ଯ ଯେ "ମନୁଷ୍ଯ ଏକ ସାମାଜିକ ପ୍ରାଣୀ" ; ଚରିତ୍ର ହେଉଛି ତା'ର ସବୁଠାରୁ ଅମୂଲ୍ଯ ସମ୍ପଦ । ଯାହା ଅତୁଳନୀୟ । ତେଣୁ ମନୁଷ୍ୟର ପ୍ରତ୍ଯେକ ସ୍ତରରେ ଚରିତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଚରିତ୍ର ଅଭାବ ଜନିତ ଗୁଣ ଅନ୍ଯାୟ , ଅତ୍ଯାଚାର , ଭୟାବହତା ହେତୁ ଜନ ଜୀବନରେ ନୈତିକ ଅଧୋପତନର ଗତି କ୍ରମେ କ୍ରମେ କ୍ଷିପ୍ରତର ହେବାକୁ ଯାଉଛି । ସମ୍ପ୍ରତି ଘଟି ଚାଲିଥିବା ଘଟଣା ସମୂହରୁ ଜାଣି ହୁଏ ଯେ ‐ ମଣିଷର ଅତି ଅମାନୁଷିକତା ପଣିଆକୁ ଏକ ନିଶାର କରାଳ ଛାୟା କବଳିତ କରି ଚାଲିଛି । ଯାହା ଫଳରେ ମଣିଷ ଠାରୁ ମଣିଷପଣିଆ ଟିକକ ଲୋପ ପାଇଯାଉଛି । ଏଣୁ ବ୍ଯକ୍ତିର ଚରିତ୍ରରେ ମାନସିକତାର କଳଙ୍କିତ ଅଧ୍ଯାୟ ସୃଷ୍ଟି ହେଉଛି । ତାହା ଅନେକ ଜଟିଳ ପରିସ୍ଥିତିରେ ପରିବାର, ପରିବେଶ,ସମାଜ ଉପରେ ପ୍ରଭାବ ପକାଉଛି । ବିବେକର ଅନୁପସ୍ଥିତିରେ ମଣିଷ ଆଜି ପଶୁ ପାଲଟି ଯାଇଛି । ଆମୋଦ ପ୍ରମୋଦ ମନୋରଜଂନ ନାମରେ ଅବାଟରେ ଗତି କରୁଛି । କୁସଙ୍ଗରେ ପଡି ନିଜର ହିତାହିତ ଜ୍ଞାନ ଭୁଲି କୁପଥକୁ ଯିବାରେ ଅଭ୍ଯସ୍ତ ହୋଇଯାଉଛି । ଏ ପ୍ରକାର ମୃଦୁଧୀର ଗତି ସମସ୍ଯା ଗୃହଜନଠାରୁ ବିଶ୍ବଜନ ପର୍ଯ୍ଯନ୍ତ ଲମ୍ବି ଯାଉଛି । ଏ ସମସ୍ୟା ଏକ ବିଷମ ସମସ୍ୟା ରୂପେ ଦେଖା ଯାଉଛି । ସମାଜ କହିଲେ ସାଧାରଣତଃ ମଣିଷ ସମାଜକୁ ବୁଝାଏ । ସମାଜର ପ୍ରଗତି ଓ ବିକାଶ ମଣିଷଙ୍କ ପ୍ରଗତି ଓବିଶ୍ବାସକୁ ବୁଝାଏ । ସମାଜ କେବେହେଲେ ବ୍ଯକ୍ତିଗତ ସୁଖ ସ୍ବାଛନ୍ଦ୍ଯ ଉପଭୋଗର କ୍ଷେତ୍ର ନୁହେଁ ।
ସମାଜ ମଣିଷର ଏକ ସୁନିୟନ୍ତ୍ରିତ ସଂଗଠନ । ପ୍ରତ୍ଯେକ ମଣିଷ ଏହି ସଂସାରକୁ ଆସିଛି ତା'ର ପରିବାର ଓ ଅନ୍ଯ ମାନଙ୍କ ସହ ବଞ୍ଚିବାକୁ । ସେ ସମାଜର ଏକ ସଦସ୍ଯ । ସମାଜରେ ପ୍ରତ୍ଯେକ ବ୍ଯକ୍ତି ଯଥା ମାତା, ପିତା, ଗୁରୁଜନ,ସ୍ବାମୀ,ସ୍ତ୍ରୀ,ଭାଇଭଉଣୀ,ଶାଶୁ,ଶ୍ବଶୁର ,ପଡୋଶୀ ଓ କୁଟୁମ୍ବକୁ ନେଇ ନିଜର କର୍ତ୍ତବ୍ଯ ପାଳନ ସୁସ୍ଥ ମସ୍ତିଷ୍କରେ କରିଚାଲନ୍ତି । ଏଥି ପାଇଁ ସୁସ୍ଥ ମସ୍ତିଷ୍କର ଆବଶ୍ଯକ । ସୁସ୍ଥ ଶରୀର ଓ ସୁସ୍ଥ ମାନସିକତାକୁ ମଣିଷ ଭୁଲିଯାଇ କ୍ଷଣିକସୁଖ ଭାବନାରେ ମଜ୍ଜି ରହି ଦୁଃସ୍ଥ ମାନସିକତାର ପରିଚୟ ଦେଉଛି । ଏହାଦ୍ବାରା ଆଧୁନିକ ସମାଜର ବିଭିନ୍ନ କାରଣ ଦାୟୀ । ସେମାନଙ୍କ ମଧ୍ଯରେ ନିଶା ସେବନ ଏକ ପ୍ରଧାନ କାରଣ । ଛୋଟ ବଡ ବିଭିନ୍ନ ମାଦକଦ୍ରବ୍ୟ ଆଜିର ସାମାଜିକ ଜୀବନକୁ ରୁଗ୍ଣ କରିବାରେ ବ୍ଯସ୍ତ । ଏହା ଭିତରୁ ମଦ୍ୟପାନ ଅନ୍ଯତମ । ମଦ୍ୟପାନ ଆମ ସମାଜରେ ଏକ ଅଭ୍ୟାସ ବ୍ୟାଧି ରୂପେ ଦେଖା ଦେଇଛି । ସାନ ବଡ , ଧନି ଗରିବ ସବୁ ପ୍ରକାର ଲୋକ ମଦ୍ଯପାନର ଶିକାର ହୋଇ ତାହା କ୍ରମେ ଅଭ୍ଯାସର ବଶବର୍ତ୍ତୀ ହୋଇ ଏକ ବ୍ୟାଧିରେ ପରିଣତ ହେଉଛି । କୁସଙ୍ଗରେ ପଡି ଦୁଃଖ ଅବସାଦ ଦୂର କରିବାକୁ ବେଳେବେଳେ ମାନସିକ ଚାପକୁ ହ୍ରାସ କରିବାକୁ ମଦ୍ୟପାନକୁ ଆପଣେଇ ନିଅନ୍ତି ।
ପରିଶ୍ରମ ଜନିତ କ୍ଲାନ୍ତିକୁ ଦୂରେଇବା ପାଇଁ ମଧ୍ଯ କେତେକ ମଦ ପିଅନ୍ତି ଯଥା ବସ,ଟ୍ରକ ଆଦି ପରିଚାଳକ ମାନେ ବେଳେବେଳେ ମଦ୍ଯପାନ କରିଥା'ନ୍ତି । ଆଉ ମଧ୍ଯ ମଦ କାରଖାନାରେ କାମ କରୁଥିବା ଲୋକମାନେ ବି ମଦ୍ଯପାନର ଶିକାର ହୋଇଥା'ନ୍ତି । ମଦ କାରଖାନା ଥିବା ଅଞ୍ଚଳରେ ମଦ୍ଯପଙ୍କ ସଂଖ୍ଯା ନିଶ୍ଚିତ ଅଧିକ । ବେଆଇନ ଭାବେ ପ୍ରସ୍ତୁତ ହୋଇ ପଠା ଯାଉଥିବା ମଦକୁ ଜବତ କରି ସେହି ମଦକୁ କରଗତ କରି କିଛି ଲୋକ ସେବନ କରିବାକୁ ସୁଯୋଗ ପାଆନ୍ତି । ଦିନମଜୁରିଆ,କୁଲି, ରିକ୍ସାବାଲା, ଆବର୍ଜନା ସଫା କରୁଥିବା ଲୋକ ଅତ୍ଯଧିକ ମଦ୍ଯପାନ କରୁଥିବା ସାଧାରଣ କଥା ।
ତେଣୁ ଏହି ସଚେତନାତ୍ମକ ଦୃଶ୍ଯ"‐ମଦ ପିଇବି ନାହିଁ ମୁଁ ମଦ ପିଇବି ନାହିଁ" ଗୀତରୁ ଜଣାପଡୁଛି କି ଦୁଇ ସାଙ୍ଗ ପରିଶ୍ରମ ଲାଘବ ନିମନ୍ତେ ମଦକୁ ଆପଣେଇ ଥିଲେ ଏବଂ କାଳକ୍ରମେ ଏହା ଅଭ୍ଯାସରେ ପରିଣତ ହୋଇ ପରିବାର,ସମାଜ ଉପରେ ନିଶ୍ଚୟ କୁପ୍ରଭାବ ପକାଇଛି । ସେମାନେ ବିଭିନ୍ନ ଅସୁବିଧାକୁ ସାମନା କରି ପଶ୍ଚାତାପ କରି ମଦ ରୂପକ କାଳ କବଳ ଫାଶରୁ ମୁକ୍ତି ପାଇ ଅନୁତାପ କରିଛନ୍ତି କି ମଦ୍ଯପାନ କେତେ ଭୟଙ୍କର ଓ କ୍ଷତିକାରକ । ମଦହେଉଛି ପାରିବାରିକ ଅଶାନ୍ତିର ମୂଳ କାରଣ । ଅନେକ ସମୟରେ ଦେଖାଯାଏ ପୁରୁଷମାନେ ମଦ ପିଇ ବିଳମ୍ବ ରାତିରେ ଘରକୁ ଫେରନ୍ତି । ସେମାନେ ନିଶାରେ ନିଜର ସ୍ତ୍ରୀ, ପିଲାମାନଙ୍କୁ ବିଭିନ୍ନ ଯନ୍ତ୍ରଣା ଦେଇଥା'ନ୍ତି । ଅର୍ଥାଭାବ ଦେଖାଦେଲେ ସ୍ତ୍ରୀ-ପିଲାଙ୍କର ଅଳଙ୍କାର ବିକ୍ରି କରିବାକୁ ପଛାନ୍ତି ନାହିଁ । ଜମିବାଡି,ଘରଦ୍ବାର,ଘରର ଆସବାବପତ୍ର, ଗୄହ ସାମଗ୍ରୀ ବିକ୍ରି କରି ସର୍ବସ୍ବାନ୍ତ ହୋଇଯାଆନ୍ତି । କେତେକ ସ୍ତ୍ରୀ ମଦ୍ଯପ ସ୍ବାମୀ ଦ୍ବାରା ନିର୍ଯ୍ଯାତିତ ହୋଇଥା'ନ୍ତି । ଅର୍ଥାଭାବ ଓ ଉପଯୁକ୍ତ ଯତ୍ନ ଅଭାବରୁ ପିଲାମାନେ ଠିକ୍ ଭାବରେ ପଢି ପାରନ୍ତି ନାହିଁ । ଉପଯୁକ୍ତ ମଣିଷ ହେବାରୁ କ୍ଷାନ୍ତ ହୁଅନ୍ତି । ସୁଚରିତ୍ର ଗଠନରେ ଅନ୍ତରାୟ ସୄଷ୍ଟି ହୁଏ ।ଆଉ ମଧ୍ଯ ମାଦକଦ୍ରବ୍ଯ ସେବନ ଦ୍ବାରା ଅନେକ ପ୍ରକାର ରୋଗ ‐ ଯକ୍ଷ୍ମା,କର୍କଟ, ଆଦି ଭୟଙ୍କର ରୋଗ ହୁଏ । ସ୍ବାସ୍ଥହାନୀ ଘଟିବା ସହିତ ଆୟୂଷ ମଧ୍ଯ କମି ଯାଏ । ମଦ ଆସ୍ତେ ଆସ୍ତେ ଶରୀରକୁ ଖାଇଯାଏ । ଅକାଳ ବାର୍ଦ୍ଧକ୍ଯରେ ମଣିଷ ଶୀକାର ହୁଏ , ମୃତ୍ଯୁୁ ମୁଖରେ ପଡେ । ବର୍ତ୍ତମାନ ଦେଶରେ ହୁ ହୁ ହୋଇ ମଦ୍ଯପଙ୍କ ସଂଖ୍ଯା ବଢିି ଚାଲିଛି । ଯଦି ଏବେ ଠାରୁ କିଛି ବିହିତ ପଦକ୍ଷେପ ନିଆ ନଯାଏ,ତେବେ ଭବିଷ୍ଯତରେ ଚାରିତ୍ରିକ ଦୁଷ୍ଟ ବ୍ଯକ୍ତିଙ୍କ ସଂଖ୍ଯା ବଢିଯିବ ।
ଏସବୁରୁ ଜଣାଯାଏ , ବିଭିନ୍ନ କାରଣ ଜନିତ ମାନସିକ ଯନ୍ତ୍ରଣା, ଦୁଃଖ ଓ ଦୁଃଶ୍ଚିନ୍ତାରୁ ରକ୍ଷା ପାଇବାକୁ ମଦ ଏକ ସାଧାରଣ ମାନବିକ ପ୍ରବୃତ୍ତି । ତେଣୁ ସୁଧାରିବାର ପଦକ୍ଷେପ ବହନ କରି ସରକାରୀୀ ସ୍ତର ଓ ବେସରକାରୀ ସ୍ତର,ସଚେତନ ମାଧ୍ଯମରେ,ପଥପ୍ରାନ୍ତ ନାଟକ ମାଧ୍ଯମରେ , ଚଳଚିତ୍ରର ମାଧ୍ଯମରେ ବିଶେଷ କରି ଦୁଇ ସାଙ୍ଗଙ୍କ ସଚେତନ ସଙ୍ଗୀତ ହିଁ (ମଦପିଇବିନାହିଁ ଆଉ ମଦ ପିଇବି ନାହିଁ) ଅନୁତାପ ମୂଳକ ବାର୍ତ୍ତା ହିଁ ନିଶ୍ଚୟ ଦିଗଦର୍ଶକ ହେବ ।
ବର୍ତ୍ତମାନ ଦେଖା ଯାଉଛି, ମଦ ଦୋକାନ ଜାତୀୟ ରାଜପଥ ଠାରୁ ୫୦୦ ମିଟର ଦୂରରେ ଖୋଲା ହେବା ପାଇଁ ସରକାରଙ୍କ ନିୟମ ରହିଛି , ଆଉ ମଧ୍ଯ ଖୋଲୁଛି । ଏହା ଫଳରେ ପ୍ରତ୍ଯକ୍ଷରେ ନିଶା ନିବାରଣ ପାଇଁ ପ୍ରେରଣା ଦିଆଯାଉଛି । ସମାଜକୁ ନରକକୁ ଠେଲି ଦେଇ ଜାତୀୟ ଆୟ ବୃଦ୍ଧି ସର୍କାରଙ୍କ ଲକ୍ଷ୍ଯ ହେବା ଉଚିତ ନୁହେଁ । ମଦ୍ଯପାନ ବିରୋଧକୁ ସଫଳ କରିବା ପାଇଁ ସରକାରୀ ଉଦ୍ଯମ ଓ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ଯକ । ପରିବେଶ ତଥା ସମାଜରେ ବ୍ଯକ୍ତି ବିଶେଷର କ୍ରମବିକାଶ ଘଟେ । ମଣିଷ ଯେତେବେଳେ ବିଧାତାର ନିର୍ଦ୍ଦୟ ନିର୍ଦ୍ଦେଶରେ ଏକ ପ୍ରତିକୂଳ ପରିବେଶର ସମ୍ମୁଖୀନ ହୁଏ, ସେତେବେଳେ ସେ ମଦପିଇବାକୁ ଆଶ୍ରୟ ଭିକ୍ଷା କରିଥାଏ । ଆଉ ପରବର୍ତ୍ତୀ ସମୟରେ ଅତ୍ଯଧିକ ମଦ୍ୟପାନର କୁପରିମାଣ ଭୋଗି ସାରିବା ପରେ ସେ ମନକୁ ମଦ୍ଯପାନ ଦିଗରୁ ହଟାଏ । ଯାହାକି ଏହି ଦୁଇ ସାଙ୍ଗଙ୍କ ଠାରେ ପରିଲକ୍ଷିତ ହୋଇଛି ଏଥିପାଇଁ ଏହା ଏକ ସାମାଜିକ ଦାୟିତ୍ବ । ଏ ଦିଗରେ ସମାଜର ପ୍ରତ୍ଯେକ ଚିନ୍ତାଶୀଳ ବ୍ଯକ୍ତି ନିଜର ଦାୟିତ୍ବକୁ ହୃଦୟଙ୍ଗମ କରି ମଦ୍ୟପାନରୁ ଦୂରେଇ ରହିବା ଯେପରି ମଦ୍ଯପାନ ସମାଜକୁ ଧ୍ବଂସ ନକରେ । ପରିବେଶକୁ ସୁଧାରି ପାରିଲେ ମଦ୍ଯପାନ ସଂଖ୍ୟା କମିଯିବ ; ପରିଶେଷରେ ଏତିକି କହିବି ଯେ, ଏକ ସୁସ୍ଥ ସମାଜ ଗଠନ କରିବା ଆମର କାମ୍ଯ ; ଏ ଦିଗରେ ସମସ୍ତେ ସଚେତନ ହେବା ଆବଶ୍ଯକ ଓ ଉଦ୍ଯମ ଅବ୍ୟାହତ ରହିବା ବିଧେୟ ।
ନରସିଂହପୁର,ଶ୍ରୀରାମନଗର
ପିପିଲି,ପୁରୀ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।