ଆସ୍ମାନେ ଇନ୍ଦ୍ରଧନୁ ଯେସନେ ସପ୍ତବର୍ଣ୍ଣି ମୁରୁଜ ବପନ କରି ହର୍ରଙ୍ଗୀ ହୋଇ ପ୍ରାଣୀ ପ୍ରାଣ ବିମୋହିତ କରେ ; ଠିକ୍ ସେମିତି ଏ ସଙ୍କଳନରେ ବପନ ହୋଇଛି ବିଭିନ୍ନ ରଙ୍ଗ । ଯେମିତି ବିଭିନ୍ନ ପରିବା ସମିଶ୍ରଣରେ ପ୍ରସ୍ତୁତ ପାକଟି ସୁସ୍ବାଦୁ ହୋଇଥାଏ, ସେମିତି ଏ ସଙ୍କଳନଟିରେ ଭିନ୍ନ ଭିନ୍ନ ସ୍ବାଦର କବିତା ଆପଣଙ୍କ ରୁଚି ସମ୍ପର୍ଣ୍ଣ ହୋଇ ପାରିବ ବୋଲି ଆଶା ଓ ବିଶ୍ବାସ । ଏହି ସଙ୍କଳନଟିରେ ଦଶଟି ଭିନ୍ନ ସ୍ବାଦର କବିତା ସ୍ଥାନିତ ହୋଇଛି । ଦଶଟି କବିତା ତ ନୁହେଁ ; ଦଶଟି ବ୍ଯଞ୍ଜନ କହିଲେ ଅତ୍ୟୁକ୍ତି ହେବନି । ଏହି ଦଶ ପ୍ରକାର ବ୍ଯଞ୍ଜନ କେତେ ସୁସ୍ବାଦୁ ଭୁକ୍ତା ଭୋଜନ କରିବା ପରେ ନିଶ୍ଚୟ ଅବଗତ କରିବା ହେବେ । ଆଶା ଆପଣ ମାନଙ୍କୁ ନିଶ୍ଚିତ ଏ ସ୍ବାଦ ଆପ୍ଯାୟିତ କରିବ ଏବଂ ଆପଣଙ୍କ ରୁଚି ସମ୍ପର୍ଣ୍ଣ ହୋଇ ପାରିବ ବୋଲି ମୋର ଦୃଢ଼ ବିଶ୍ୱାସ ।
ଆପଣ ମାନଙ୍କ ସ୍ନେହ,ଶ୍ରଦ୍ଧା ଓ ଭଲପାଇବାର ମତାମତ ଅପେକ୍ଷାରେ ମୁଁ.....
ମନୋରମା ହାତୀ
{କଟକ}
ମୋ ହଷ୍ଟେଲର
ଝରକା ଖୋଲି ଦେଲେ
ଦେଖା ଯାଏ ବିଶାଳକାୟା
ଧାରଣ କରିଥିବା କୃଷ୍ଣଚୂଡ଼ା ଗଛଟି
ଶାଖା ପ୍ରଶାଖା ମେଲେଇ
ଫୁଲ ଭାରରେ ନଇଁ ଯାଇଥାଏ ତଳକୁ
ଆଉ ସେଇଠି ହିଁ
ତମେ ଠିଆ ହେଇଥାଅ
ସତେ ଅହଲ୍ୟା ପରି
ତୁମେ କାହା ଲାଗି ପ୍ରତୀକ୍ଷିତ
ଆଖିରେ ଆଖି ମିଶିଗଲା ପରେ
ତୁମର ସେ ପ୍ରସ୍ତର ଜୀବନ୍ତ
ପ୍ରତି ମୂର୍ତ୍ତିରେ ପ୍ରାଣ ସଞ୍ଚାର ହୁଏ
ଯେମିତି ଫୁଲ କୁଣ୍ଡ ରେ
ପାଣି ଢାଳୁ ଢାଳୁ
ଗୋଲାପ ଚାରାଗୁଡିକ
ସତେଜତାରେ ପରିପୂର୍ଣ୍ଣ ହୋଇ ଯାଆନ୍ତି
ଏତିକି ବୁଝି ବାକୁ
ଯଥେଷ୍ଟ ଥାଏ ମୋ ଲାଗି
ତୁମର ଏ ଦୀର୍ଘ
ପ୍ରତିଦିନ ପ୍ରତୀକ୍ଷାର ପରୀକ୍ଷା
ବାଲ୍କୋନୀ ଖୁବ୍ ସଂକୀର୍ଣ୍ଣ
ଛୋଟ ମଧ୍ୟ
ନହେଲେ ଫୁଲ ଚାରାର
ସଂଖ୍ୟା ବୃଦ୍ଧି ହେଇଯାଆନ୍ତା
ଅନାୟାସରେ ସେ ବି ତମ ପାଇଁ
ତମକୁ ନିରେଖି ଦେଖିବା ବାହାନାରେ
ଏମିତି ଏତେ ସବୁ ଭାବନା
ତମକୁ ନେଇ ମନ ଭିତରେ
ଆନ୍ଦୋଳିତ ହେଉଥାନ୍ତି
କେତେ ବେଳେ ବହିର
ପୃଷ୍ଠା ଗୁଡିକ ମଧ୍ୟରେ ତ
କେବେ ହୃଦୟରେ
ତମେ କ'ଣ ପଢିପାର
ନା ମୁଁ କହିପାରେ
ତଥାପି ଚାଲିଥାଏ
ଅହରହ ପ୍ରକ୍ରିୟା
ଋତୁ ଚକ୍ର ପରି
ତମର ଆସିବା ଆଉ
ମୋର ଫୁଲ କୁଣ୍ଡ ରେ ପାଣି ଢାଳିବା।
ଶୀତ ଆଉ ତମେ-୨
ଯେଉଁ ଦିନ ତୁମ ସହ
ପ୍ରଥମ ଥର ଦେଖା ହେଲା
ସେଦିନ ଥିଲା ଶୀତ ଋତୁର
ଏକ ଶୀତୁଆ ସକାଳ
ତୁମ ମଥାପରେ କାକରର
ଓଢଣା ପଡିଥିଲା
ଅତି ବିନମ୍ର ଭାବରେ
ତୁମ ହାତ କାକର ବୁନ୍ଦା ସବୁ
ପୋଛୁଥିଲ କି ସଜାଡୁଥିଲା
ଦ୍ୱନ୍ଦ ସୃଷ୍ଟି କରୁଥିଲା ମନରେ
ତମ ପାଇଁ ହୃଦୟରେ
ମାତ୍ର ଆଠଟି ଶବ୍ଦ
ଲେଖି ହେଇଥଲା ଜାଣିନି
ତମେ ସେ ଆଠଟି ଶବ୍ଦ ପଢି
ପାରିଲ କି ନାହିଁ
ଖାଲି ହସିଲ ଆଉ ହସିଲ
ଏମିତି ହସିଲ ଯେ
ସେ ହସ ସାଥିରେ
ମୋ ଜୀବନ ଟା ବି
ଯେମିତି ନେଇଯିବ
ଆଖି ପିଛୁଳାକେ ସେମିତି ଲାଗିଲା
ତୁମର ସେ ସରଳ
ନିଷ୍ପାପ ଚେହେରା ଟା
ମୋ ହୃଦୟର କାନ୍ଭାସ୍ରେ
ଛପା ହେଇ ରହିଗଲା
ସେବେ ଠାରୁ ଯେବେ ଯେବେ
ଶୀତ ଆସେ ତୁମ କଥା
ବେଶୀ ମନେ ପଡେ
ଅଥଚ ତମେ ଉଭାନ୍
ଯେମିତି ଏ ପୃଥିବୀ ରେ ନାହଁ
ହଜିଯାଇଛ କେଉଁ ଏକ
ଅଲଗା ଗ୍ରହରେ
ଏବେ ଶୀତରେ
କାକର ବୁନ୍ଦା ଅପେକ୍ଷା
ମୋ ଆଖିରୁ ଲୁହ ବେଶୀ ଝରେ
ମୋ ଠାରୁ ବେଶି
ଲୁହ ତୁମକୁ ଝୁରେ
ତମେ ଯିବା ପରେ ପରେ-୩
ଆକାଶରେ ମେଘ ଭାସୁ କି ନ ଭାସୁ
ମେଘରୁ ବର୍ଷା ଝରୁ କି ନ ଝରୁ
ବର୍ଷା ପରେ ଇନ୍ଦ୍ରଧନୁ ଆଙ୍କି ହେଉ କି ନ ହେଉ
ମୋର କିଛି ଯାଏ ଆସେ ନାହିଁ ଏସବୁରେ
ତମେ ଯିବା ପରେ ପରେ ।
ମୋର ଆଉ କାହା ଉପରେ
ରାଗ ନାହିଁ ଅଭିମାନ ଅଭିଯୋଗ ନାହିଁ
ନା ଅଛି ଜୀବନ ପ୍ରତି ଅନୁରାଗ
ନା ସ୍ୱପ୍ନ ପାଇଁ ଅବଶୋସ ନା ଆଶାର ଅବଶେଷ
ଏସବୂରୁ ବିଛ୍ଛିନ୍ନ ହୋଇ ରହିଯାଇଛି
ପୃଥୀବୀର କେଉଁ ଏକ ଅଜଣା କୋଣରେ
ହୃଦୟଟା ଏବେ ଆଛ୍ଛାଦିତ ତୁମରି
ଖାଲିପଣରେ
ତମେ ଯିବା ପରେ ପରେ।
ବଗିଚାରେ ଫୁଲ ଫୁଟୁ କି ଫୁଟୁ
ଫୁଲରୁ ବାସ୍ନା ବିଛ୍ଛୁରିତ ହେଉ କି ନ ହେଉ
ବାସ୍ନା ରେ ଚତୁର୍ଦିଗ ଫାଟି ପଡୁ କି ନ ପଡୁ
ଏସବୁର ହିସାବ ଆଉ ରହୁ ନାହିଁ
ମୋ ପାଖରେ
ତମେ ଯିବା ପରେ ପରେ।
ରାତିରେ ଜହ୍ନ ଆସୁ କି ନ ଆସୁ
ଜହ୍ନ ର ଜୋସ୍ନାରେ ଧରା ହସୁ କି ନ ହସୁ
ଝରକା ଫାଙ୍କରେ ତାରା ଦିଶୁ କି ନ ଦିଶୁ
ଏସବୁ ଏବେ ମୋ ପାଇଁ
ଅଲୋଡା ଅଜଣା ଲାଗନ୍ତି କାହିଁ
ୟାର ଉତ୍ତର ବି ନାହିଁ ମୋ ପାଖରେ
ତମେ ଯିବା ପରେ ପରେ ।
ଏ ଆକାଶ,ମେଘ ବର୍ଷା, ଇନ୍ଦ୍ରଧନୁ,ରାଗ,ଅଭିମାନ,
ଜୀବନ,ଅନୁରାଗ,ଅବଶୋଷ,
ଆଶା,ଫୁଲ,ବାସ୍ନା,ରାତି,ଜହ୍ନ,ଜୋସ୍ ନା,
ତାରା ଏସବୁ କୁ ନେଇ
ଆଉ ମୁଁ ଲେଖୁନି କବିତା
ଗଳ୍ପ ମୋ ପାଇଁ ଦୂର ରାଇଜର ଭାଷା
ତୁମ ବିନା ସବୁଠି ପ୍ରଶ୍ନସୂଚକ
ତମେ ଅଫେରା ବାଟେ ଫେରିଯିବା
କଥାଟା ମୋ ପାଇଁ ଆଜି ବି
ବିସ୍ମୟସୂଚକ
ସତରେ ! ତମେ କ'ଣ ଆଉ ଫେରିବନି
ତମ ସାଥେ ଆଉ ଦେଖା ହେବନି !!
ମୋ ଜୀବନ ଚାରିକାନ୍ଥରେ ତମ ସ୍ୱର ଆଉ କେବେ ପ୍ରତିଧ୍ୱନିତ ହେବନି
ସାରା ଜୀବନଟା ତୁମରି ସ୍ମୃତିକୁ
ନେଇ ବଞ୍ଚିବାକୁ ହେବ
ଏମିତି ପ୍ରତିଦିନ ତୁମ ପାଇଁ
ଲେଖୁଥାଏ କିଛି କିଛି
ଭିଜି ଭିଜି ଆଖିର ଲୂହରେ
ତମେ ଯିବା ପରେ ପରେ।
ଭଲପାଏ ବୋଲି -୪
ଭାବନାରେ ହଜେ ଦିନ ରାତି ମୁହିଁ
ତୁମ ଲାଗି ପରା କେତେ
ମୋ ଠାରୁ ତ ତମେ ଅଛ ବହୁ ଦୂରେ
କେମିତି ଜାଣିବ ସତେ
ଶ୍ରାବଣ ବର୍ଷାକୁ କରି ମୁଁ କାଗଜ
ଲେଖିଥିଲି ଚିଠିଟିଏ
ଚିଠି ଟି ତମେ ମୋ ପଢିବା ପୂର୍ବରୁ
ବରଷିଗଲା ତ ସିଏ
ଫଗୁଣ ଠୁ ଫୁଲ ଆଣି ମନ କଥା
ପାଖୁଡାରେ ଦେଲି ଲେଖି
ଚଗଲି ଫୁଲଟି ତମେ ଛୁଉଁ ଛୁଉଁ
ଗଲା ତ ସିଏ ମହକି
ବସନ୍ତୁ ଚୋରା ମଳୟ ଆଣି ଦେଲି
ମୁଁ ତାକୁ ତୁମ ଠିକଣା
ପବନଟା ପରା ପଢି ଜାଣେ ନାହିଁ
ପରେ ମୁଁ ଜାଣିଲି ପରା
ବୁଝି ମୁଁ ପାରୁନି ମନ କଥା ମୋର
କେମିତି କହିବି ହାଏ
ତୁମ ପାଇଁ ନିତି ମରୁଥାଏ ଯେତେ
ତା'ଠୁ ବେଶି ଭଲପାଏ
ନୂତନ ଭାରତର ସୂର୍ଯ୍ୟୋଦୟ-୫
କେତେଦିନ ଖୋଜୁଥିବା
ଭାରତର ସେଇ
ଅମର ଆତ୍ମା ଗାନ୍ଧୀଙ୍କୁ
କେତେଦିନ ଅପେକ୍ଷା କରିଥିବା
ପୁଣି ଏକ
ନୂତନ ଗାନ୍ଧୀଙ୍କର ଜନ୍ମକୁ
କେତେଦିନ ସହି ଚାଲିଥିବା
ନିରବରେ ନିରବରେ
ଯେତେ ଅନ୍ୟାୟ ଅତ୍ୟାଚାର
ଧର୍ଷଣ ଲୁଣ୍ଠନ
କେତେଦିନ ସକାଳର
ଚା କପ୍ ହାତରେ ଧରି
ଖବରକାଗଜ ର ପୃଷ୍ଠା
ଓଲଟାଉ ଓଲଟାଉ
ଚର୍ଚ୍ଚା କରୁଥିବା
ଦୁର୍ନୀତି ରେ ଭରା ରାଜନୀତିର
କେତେ ଦିନ ଲାଞ୍ଚ ନେଇ
ଭୋଟ ଦେଉଥିବା
ଆମର ଭବିଷ୍ୟତ ନିର୍ମାଣକାରୀଙ୍କୁ
କେତେଦିନ ବ୍ୟାଖ୍ୟା କରୁଥିବା
ପ୍ରଦର୍ଶିତ କରୁଥିବା
ନିଜର ଅସହାୟ ପଣକୁ
ଟେଲିଭିଜନ ର ଖୋଲା ପରଦାରେ
ସର୍ବ ଜନ ସମ୍ମୁଖରେ
କେତେଦିନ ରାଜନେତା ମାନଙ୍କର
କୂଟନୀତି ଭରା
ଆଇନର ବୁଢିଆଣୀ
ଜାଲରେ ଛନ୍ଦି ହେଇ
ଦୋଷ ଦେଉଥିବା ସରକାରକୁ
କେତେଦିନ ନିଜର
ପ୍ରାଣପ୍ରିୟ ମହାନ୍ ପବିତ୍ର ଭାରତ ଭୂମିକୁ
ଠେଲି ଦେଉଥିବା
ମୁଖାପିନ୍ଧା ଅତ୍ୟାଚାରୀ
ଫିରିଙ୍ଗି ମାନଙ୍କୁ
କେତେଦିନ ଏମାନଙ୍କୁ
ପୋଷଣ କରି ଚାଲିଥିବା
ଦାନା ପାଣି ଦେଇ
ଆମ ଅଜାଣତରେ
ଆମ ଗହଣରେ
ଗାନ୍ଧିଜୀ ନ ଥିଲେ କଣ ହେଲା
ତାଙ୍କ ଆଦର୍ଶ ତ ଅଛି
ତାଙ୍କ ଆଦର୍ଶ କଣ ଯଥେଷ୍ଟ ନୁହେଁ
ରାମରାଜ୍ୟ ଟେ ଗଢିଦେବା ଲାଗି
ଏବେ ସମୟ ଆସିଛି
ସୁପ୍ତରୁ ଜାଗ୍ରତ ହେବାର
ସାଧାରଣ ଜନତାରୁ
ବିପ୍ଳବୀ ସାଜିବାର
ନୂତନ ଭାରତର
ସୂର୍ଯ୍ୟୋଦୟ ଲାଗି
ମହୋତ୍ସବ ଆୟୋଜନ କରିବାର
ଏ କେମିତି ଜହ୍ନ ରାତି-୬
ଏ କେମିତି ଜହ୍ନ ରାତି
ଅସରା ଅସରା
ଲୁହରେ ଭିଜାଏ
ଅଜାଡି ତୁମରି ସ୍ମୃତି
ଏ କେମିତି ଜହ୍ନ ରାତି
ଲୁଚକାଳି ଖେଳେ
ଅଗଣା ଦୁଆରେ
ମୋ ଆଖି ଲୁହରେ ଭିଜି
ଏ କେମିତି ଜହ୍ନ ରାତି
ଶୀତଳ ଛୁଆଁ ରେ
ଭରି ଦେଇ ଯାଏ
ନିଦାଘର ଝାଞ୍ଜି ତାତି
ଏ କେମିତି ଜହ୍ନ ରାତି
ନିରବେ ନିରବେ
ଲୁଟି ନେଇ ଯାଏ
ସୁଖର ସାଇତା ମୋତି
ଏ କେମିତି ଜହ୍ନ ରାତି
ପ୍ରୀତି ର ଗୋଲାପ
ଝାଉଁଳାଇ ଦିଏ
ଗାଇ ବିରହର ଗୀତି
ଏ କେମିତି ଜହ୍ନ ରାତି
ଆଞ୍ଜୁଳା ଆଞ୍ଜୁଳା
ଢାଳି ଦେଇ ଯାଏ
ଯନ୍ତ୍ରଣା ର ଅପକୀର୍ତ୍ତି
ଏ କେମିତି ଜହ୍ନ ରାତି
ହସର ପାଖୁଡା
ଚିରି ଦେଇ ମୋର
ଦୁଃଖ ବୁଣେ ଅସରନ୍ତି
ଏ କେମିତି ଜହ୍ନ ରାତି
ଜାଳିଦିଏ ହୃଦ
ଚୁପି ଚୁପି ପଢି
ତୁମ ଛଳନାର ଚିଠି
ଏ କେମିତି ଜହ୍ନ ରାତି
ଶବ୍ଦ ହୀନ କରେ
କବିତା କୁ ମୋର
କାଗଜକୁ ସାଦା ରଖି
ଏ କେମିତି ଜହ୍ନ ରାତି
ଗଳ୍ପ ର ଶାମୁକା
ଚୋରେଇ ନିଏ ମୋ
ସାରା ରାତି ହୁଏ ଭାବି
ଏ କେମିତି ଜହ୍ନ ରାତି
ନିରାଶାର ତଳେ
କୋଟି ଭାବନାକୁ
ମୋ ଦେଇଦିଏ ସମାଧି
ଏ କେମିତି ଜହ୍ନ ରାତି
ଜହ୍ନ ର କିରଣେ
ଆଙ୍କି ଦିଏ ମୋର
ଅତୀତ ପ୍ରେମର ଛବି
ଏ କେମିତି ଜହ୍ନ ରାତି
ଭୁଲିବାକୁ ଯେତେ
ଚାହିଁଲେ ତୁମକୁ
ଡାକେ ସେ ପାଖକୁ ଅତି
ଏ କେମିତି ଜହ୍ନ ରାତି
ଝୁରି ମୁଁ ତୁମକୁ
ସାରେ ଯେତେ କୋହ
ହେଲେ ସେ ଯାଏନା ସରି
ଏ କେମିତି ଜହ୍ନ ରାତି
ଝଲସେ ଆକାଶ
ଜୋଛନାରେ ସିନା
ଉଦାସେ ଯାଏ ମୁଁ ମରି
କାହିଁକି......କେମିତି ?-୭
ମୋ ମନ ଆକାଶେ ଉଇଁ ଆସିଥିଲ
ଜହ୍ନ ସାଜି ପରା କେତେ
ଆଜି କାହିଁ ମୋତେ ଭସାଇ ଦେଉଛ
ବିରହର ଅମା ସ୍ରୋତେ
ଗୋଲାପର କେତେ କଢି ତୋଳି ଥିଲ
ଦବାକୁ ମୋହରି ହାତେ
ଆଜି କାହିଁ କୁହ ଭାଙ୍ଗି ଦେଲ ସବୁ
ସ୍ୱପ୍ନ ମୋ ଆଖିର ଯେତେ
ପ୍ରୀତିର ଭାଷାରେ ଲେଖିଥିଲ ଦିନେ
ମୋ ପାଇଁ କେତେ କବିତା
ଆଜି କାହିଁ କୁହ ଚିରି ଦେଲ ମୋର
ମନର କାଗଜ ପରା
ମୋର ଖୁସି ପାଇଁ ଭିଜୁଥିଲ ଲୁହେ
ଢାଳୁଥିଲ ଛାତି କୋହ
କେମିତି କେଜାଣି ଦେଖ ତୁମ ବିନା
ମୋର ଏ ଶୁଖିଲା ମୁହଁ
ସାଇତା ଥିବୁ-୮
ତୋ ବିନା ବଞ୍ଚିବି
ସାରା ଜୀବନଟା
ଜାଣିନି କେମିତି କେଜାଣି
ଯୋଉଠି ଥାଏ ରେ
ରହିଥିବି ସାଜି
ତୋର ମୁଁ ହୃଦୟର ରାଣୀ
ତୋ ପ୍ରୀତି ଫୁଲ ମୁଁ
ନିତି ତୋଳୁଥିବି
ମୋ ମନ ଫଗୁଣ ଡାଲାରେ
ସାଇତା ଥିବୁ ତୁ
ଏ ମନ ଥାକରେ
ସୁନେଲି ଅତୀତ ଭାବରେ
କିଏ ଜାଣେ-୯
ରହିବାକୁ ଦିଅ ଖାଲି ମୋ ଆଖିର
ଯେତେ ରୁଦ୍ଧ କୋଠରି
କିଏ ଜାଣେ ଆଜି ତୁମେ ସ୍ୱପ୍ନ ଭରି
କାଲି ଶୂନା ଯିବ କରି
ରହିବାକୁ ଦିଅ ଖାଲି ମୋ ମନର
ନୀଳ ଲଫାପା କାଗଜ
କିଏ ଜାଣେ ଆଜି ନାଆଁ ଲେଖି ତୁମ
କାଲିକି ଲିଭେଇ ଦବ
ରହିବାକୁ ଦିଅ ଖାଲି ମୋ ଜୀବନ
ହୃଦର ଯେତେ ବିଭାଗ
କିଏ ଜାଣେ ଆଜି ଭଲପାଇ ମୋତେ
କାଲି ଭୁଲି ଯେ ନ ଯିବ
ସ୍ମୃତି ତୁମ କେବେ ଆତତାୟୀ ସାଜି
ହତ୍ୟା କରେ ଆଖି ସ୍ୱପ୍ନ
ସ୍ମୃତି ତୁମ କେବେ କୁହୁଳି କୁହୁଳି
ଜାଳି ଦିଏ ମନ ପ୍ରାଣ
ସ୍ମୃତି ତୁମ କେବେ ଲୁଟେରା ଟେ ସାଜି
ଲୁଚାଏ ମୋ ଖୁସି ଜହ୍ନ
ସ୍ମୃତି ତୁମ କେବେ ବହିଯାଏ ହୃଦେ
ସାଜି ହୁତାଶ ପବନ
ସ୍ମୃତି ତୁମ କେବେ ଆଙ୍କି ଦିଏ ମନେ
ଯନ୍ତ୍ରଣା ର ଲିପିରେଖା
ସ୍ମୃତି ତୁମ କେବେ ଜାଳି ଦିଏ ଆସି
ଅସହ୍ୟ ଅତୀତ ଶିଖା
ସ୍ମୃତି ଅଗଣାରେ ଦିଅ ତମେ ଆଙ୍କି
ଏଥର ଲକ୍ଷ୍ମଣରେଖା
ସତ କହୁଛି ମୁଁ,
ନିତି ନିତି ଆଉ ସ୍ମୃତି ସାଥେ ତୁମ
ପାରିବିନି କରି ଦେଖା
ଚୋରେଇ ନେଇଛ ପ୍ରୀତି କୋଳାହଳ
ମନେ ଭରିଥିଲା ଯେତେ
ସେଥି ପାଇଁ ବୋଧେ!
ସ୍ମୃତି ତୁମ ଆଜି ସଜେଇ ଦେଇଛି
ଜୀଅନ୍ତା ଶବଟେ ମୋତେ

ବହୁତ ସୁନ୍ଦର ଟିକି ।
ReplyDeleteକବିଟିଏ ସଦାବେଳେ ଅାତ୍ମୀୟତାର କଥା କହିଥାଏ ।ସଂପର୍କ ଓ ଅନ୍ତରଙ୍ଗତାର ବାହୁ ବନ୍ଧନରେ ବାନ୍ଧି ହୋଇଯିବାରେ କବିର ଅାପଣାପଣ ।ସେମିତି ଜଣେ କବି ହେଲେ ମନୋରମା ହାତୀ ।ନିଜ ଅାପଣାପଣରେ ବାନ୍ଧିରଖନ୍ତି କବିତାର ଶବ୍ଦ ଓ ପାଠକମାନଙ୍କ ହୃଦୟକୁ ।ତାଙ୍କ ଇ କବିତା ସଙ୍କଳନ "ଇନ୍ଦ୍ରଧନୁ" ସଂପର୍କରେ ଦୁଇ ଧାଡ଼ି ......।
ReplyDeleteବାଲକୋନୀରେ ଥିବା ଫୁଲ ଗଛରେ ପାଣି ଢାଳିବା ହେଉ କି ସେଇ ବାହାନାରେ ତୁମକୁ ଦେଖିବାର ଅଦମ୍ୟ ପିପାସାକୁ ଚରିତାର୍ଥ କରିବା ହେଉ ତମ ପ୍ରତୀକ୍ଷାରେ ଥାଏ ମୁଁ ସଦାବେଳେ ;ସେଇ ପ୍ରତୀକ୍ଷାରେ କେତେବେଳେ ଶୀତଋତୁ ଅାସିଯାଏ ମୁଁ ଜାଣିପାରେନି ।
ତମେ ମୋତେ ମନେ ରଖିଛ କି ନା ମୁଁ ଜାଣେନା । କିନ୍ତୁ ଶୀତ ଋତୁ ଅାସିଲେ କାକର ବିନ୍ଦୁର ଅାଇନାରେ ଝଲସି ଉଠିବା ବଦଳରେ ଲୁହରେ ଭିଜିଯାଏ ମୋର ଦୁଇ ଅାଖି ।ତଥାପି ଅବସୋସ ନାଇ ,ତମେ ଗଲା ପରେ ବି ମୁଁ ବଞ୍ଚିଚି ।
ReplyDelete"ତମେ ଗଲା ପରେ ବଞ୍ଚିଛି ମୁଁ ଖାଲି ମନେ ବହି ଅବସୋସ
ଜୀବନଟା ଏବେ ଜହର ସମାନ ବିଷରେ କି ମରେ ଶୋଷ ?"
ତେଣୁ ମୋ ପାଇଁ ବର୍ଷା,ବସନ୍ତ,ବୈଶାଖ ସବୁ ସମାନ ଏବେ ।ତମକୁ ଖାଲି ଭଲପାଏ ବୋଲି ତମ ଭାବନାରେ ହଜେ ଦିନରାତି ।ବିଶେଷ କରି ଜହ୍ନ ରାତି ମୋତେ ବେଶୀ କଷ୍ଟ ଦିଏ ।
ReplyDelete"ଏ କେମିତି ଜହ୍ନ ରାତି
ଜହ୍ନର ଜୋଛନା ମାପିବା ପାଇଁ କି
କୁଳାଉନି ମୋର ଛାତି ।
କାହିଁକି......କେମିତି.... କଣ ପାଇଁ.......ମୋ ମନ ଅାକାଶରେ ଚନ୍ଦ୍ରମା ସାଜିଉଇଁଥିଲ ତମେ ?କଇଁ ପରି ଝୁରିଝୁରି ସାରା ଜୀବନ କେମିତି ବଞ୍ଚିବି ଥରେ ହେଲେ ଚିନ୍ତା କଲନି ? ଭୁଲି ଯାଅ ଦୁଃଖ ନାହିଁ ,ସାରା ଜୀବନ ତମକୁ ହୃଦୟ ଥାକରେ ସାଇତି କରି ରଖିଥିବି ।ତମରି ସ୍ମୃତିକି ନେଇ ବଞ୍ଚିଯିବି ଅବଶିଷ୍ଟ ଜୀବନ ।
ReplyDelete"ସ୍ମୃତି କେବେ ଆସେ ରୁଣୁଝୁଣୁ ହୋଇ
ପାଉଁଜିର ତାଳେତାଳେ
ସେଇ ଶବଦରେ ହଜାଏ ମନକୁ
କେବେ ପୁଣି ହୃଦ ଜାଳେ ।"