ଜୀବନ ଗୀତିକା



ଶିବ ପ୍ରସାଦଙ୍କ "ଜୀବନ ଗୀତିକା", ଏକ ଗୈରିକ ସୂର୍ଯ୍ୟ ଦୟର ଅଶ୍ରୁଳ ନେପଥ୍ୟ

                                             ସୁନାପିଲାର ସାବାସିରେ ସମସ୍ତଙ୍କର ଶୈଶବ ବିତି ନ ଥାଏ, କିମ୍ବା ସୁଖ, ପ୍ରାଚୁର୍ଯ୍ୟ ତଥା ଆକାଶର ଚାନ୍ଦକୁ ହାତରେ ପାଇବାର ଅଳି ସମସ୍ତଙ୍କର ପୂରଣ ହୋଇ ନ ଥାଏ । ଖୁବ୍‌ ଅଳ୍ପ ବୟସରୁ ସଂସାର ଯାତନାକୁ ପ୍ରତିକ୍ଷଣରେ ସାମ୍ନା କରିଥିବା କବି ଶିବ ପ୍ରସାଦ ବାହିନୀପତି ସ୍ବୀୟ ତିକ୍ତ ମଧୁର ବାଲ୍ୟ ସ୍ମୃତି ଓ ଅନୁଭୂତି ଏକାଠି କରି ପ୍ରସ୍ତୁତ କରିଛନ୍ତି ଜୀବନ ଗୀତିକା ସ୍ବ ଜୀବନର ଆତ୍ମଲିପି । ବହୁ ଦୁଃଖ ପ୍ରତିଘାତ ଭିତରେ ପିତୃ ମାତୃ ପରିବାର ଓ ପରିଜନଙ୍କ ସ୍ନେହ ଓ ସହଯୋଗରୁ ବଞ୍ଚିତ ହୋଇ ମଧ୍ୟ ସେ ଜାରି ରଖିଛନ୍ତି ଏକକ ଜୀବନ ସଂଘର୍ଷ । ଅବହେଳା, ଉପେକ୍ଷ୍ଯ, ଅପମାନ ଓ ପ୍ରବଞ୍ଚନାର ଶିକାର ହେବା ଦ୍ବାରା କବିଙ୍କର କବିତା ଗୁଡ଼ିକ ଘଟଣା ବହୁଳ ଶୈଶବ ଏବଂ ଆଦ୍ୟ କୈଶୋରର ବହୁ ଅଶ୍ରୁ ବେଦନାରେ ଭରା । ଗୋଟିଏ ବିପ୍ର ପରିବାରରେ ଜନ୍ମିତ ସନ୍ତାନଟିଏ ଦାରିଦ୍ର୍ୟ ଓ ବ୍ଯାଧି ରୂପକ ଯନ୍ତ୍ରଣାର କଷଟି ପଥରରେ ବାରମ୍ବାର କଷି ହୋଇ ସଂସାରର ଗତି, ବିଚ଼ିତ୍ର ବିଚ଼ାର ଓ ସମ୍ପର୍କର ପରିଭାଷାକୁ ଧୀରେ ଧୀରେ ବୁଝୁଥିବା ବେଳେ କେଉଁଠି ନିଃସର୍ତ୍ତ ଓ ପବିତ୍ର ମିତ୍ରତା ଏବଂ କେଉଁଠି କାହାର ସରଳ ନିଃଷ୍ପାପ କାଣିଚ଼ାଏ ପ୍ରେମ କବିଙ୍କୁ କିଛି ବାଟ ଆଗେଇ ଯିବାକୁ ପ୍ରବୋଧନା ଦେଇଛି ବୋଲି କବି ନିଜ ଲେଖନୀରେ ପ୍ରକାଶ କରିବାକୁ ଭୁଲି ନାହାନ୍ତି । ଜାଗତିକ ସଂସାରର ତେଲ-ଲୁଣର ଦୁନିଆ ଭିତରେ ତଥାପି ସେ ଭୁଲି ନାହାନ୍ତି ନିଜ ପରିବାର ପ୍ରତି ଥିବା ତାଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ । କିନ୍ତୁ ଏହି ଅଶ୍ରୁ ବିଜଡ଼ିତ ଅତୀତ ଭିତରୁ ଜନ୍ମ ନେଇଛି ଆଉ ଏଏକ ବିପୁଳ ସମ୍ଭାବନାର ସତ୍ତା । ତାହା ହେଉଛି ତାଙ୍କର କବି ସତ୍ତା । କପଟତା ତଥା ପ୍ରବଞ୍ଚନାର ମିଛ ବାଦଲ ତଳେକବିଟିଏଏ ଚ଼ିର ଜାଜ୍ଜୁଲ୍ଯମାନ ରବି ପରି ସ୍ବ ଆଭା , ଜ୍ୟୋତି ଏବଂ ପ୍ରତିଭାକୁ ନେଇ ନିଜ କାବ୍ୟିକ ଉଚ୍ଚାରଣରେ ଆତ୍ମପ୍ରକାଶ କରିଛି, ଯାହା ସମସ୍ତଙ୍କ ପାଇଁ ଗ୍ରହଣୀୟ ଓ ଅଭିନନ୍ଦନୀୟ । 

       *ଜୀବନ ଗୀତିକା* ସଙ୍କଳନରେ ସ୍ଥାନିତ କବି ଶିବ ପ୍ରସାଦଙ୍କର କବିତା ଗୁଡ଼ିକ ତାଙ୍କର କୈଶୋର ଅବସ୍ଥାର । ସୁତରାଂ ପରିପକ୍ୱତାର ପୂର୍ଣ୍ଣସ୍ବାକ୍ଷର ନ ଖୋଜି ତାଙ୍କର ପ୍ରିୟ ପାଠକ,ଶୁଭେଚ୍ଛୁ ତଥା ଗୁରୁ ଓ ଲଘୁ ଜନ ମାନେ ତହିଁରେ ସୃଜନୀର ପହିଲି ପୁଲକକୁ ଅନୁଭବ କରି ତାଙ୍କୁ ଦୁଃଖରେ ସମଦରଦୀ ହୋଇ ଗୀତି ଆଲେଖ୍ୟ ଗୁଡ଼ିକୁ ପଢ଼ି ଦୁଇବୁନ୍ଦା ଅଶ୍ରୁ ଝରାଇବେ ନିଶ୍ଚୟ । ଜୀବନକୁ ଦୁର୍ଭାଗ୍ୟ ଓ ଦୁର୍ଭୋଗ ହାତରେ ଟେକି ନ ଦେଇ କବିତ୍ୱର ସ୍ଫୁରଣରେ ଆଗେଇ ନେବାର ଅନ୍ତଃପ୍ରେରଣା ଓ ସଂଘର୍ଷମୟ ପ୍ରୟାସର ଅନ୍ୟ ନାମ ଶିବ ପ୍ରସାଦ । ତାଙ୍କର ଏହି କାବ୍ଯିକ ନବଜନ୍ମ ବା ପୁନର୍ଜନ୍ମ ମାଆ ମଙ୍ଗଳାଙ୍କର ପୁଣ୍ୟ ଆଶିଷରୁ ସମ୍ଭବ ହୋଇ ପାରିଛି । ପୂଜାର୍ଚ୍ଚନାକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରିଥିବା କବିଙ୍କର ନିଷ୍ଠାପର ଆଧ୍ଯାତ୍ମିକ ଜୀବନ ତାଙ୍କୁ ଜୀବନ ଗୀତିକା ରଚନା ସହ ବହୁ ଦେବଦେବୀଙ୍କ ସ୍ତୁତି ରଚ଼ନାରେ ଏକନିଷ୍ଠ କରିଛି । ପାଠକ ତାହା ପାଠ କରି ଆଧ୍ଯାତ୍ମିକ ଆନନ୍ଦର ଉଦ୍‌ବେଳନ ପ୍ରାପ୍ତ ହେବେ ନିଶ୍ଚୟ । 

    ଶ୍ରଦ୍ଧେୟ ଅନୁଜ କବି ଶିବ ପ୍ରସାଦଙ୍କର ଲେଖନୀର ଅକ୍ଷୟ ଜୟଯାତ୍ରା କାମନା କରେ । ଜୟ ଜଗନ୍ନାଥ .....।।
                 -୦-
         ଶୈବାଳିନୀ ସାହୁ
    (କବି ଏବଂ ଆଖ୍ୟାୟିକା )
ପରିଚ଼ାଳନା ନିର୍ଦ୍ଦେଶିକା,(ଏମ୍‌. ଜି. ଏସ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌)
ସେ- ଏ, ପ୍ଲଟ୍‌ ନଂ -୯୪, ମେଟ୍ରୋ ପଲିଟିୟାନ୍‌ କୋପାରେଟିଭ୍‌ ହାଉସିଂ ସୋସାଇଟି, କୋଲକାତା - ୭୦୦୧୦୫              

ଉତ୍ସର୍ଗ
         ମୋ' ଚେତନାର ଚନ୍ଦନ ବନରେ ମମତାର ସୁଶୀତଳ ଚିରୁଡ଼ାଏ ଛାଇ , ବିଶିଷ୍ଟ ସାରସ୍ୱତ ସାଧିକା, ମୋର ଚିର କଲ୍ୟାଣମୟୀ ମାଆ ବସନ୍ତ ମଞ୍ଜରୀ ଦାସଙ୍କ ଚରଣ କମଳ ଯୁଗଳେ ଏହି କାବ୍ୟ ପୁସ୍ତକଟିକୁ ଅର୍ପଣ କରି ନିଜକୁ ଭାଗ୍ୟବାନ ମନେ କରୁଛି ।
ଚ଼େତନାର ଆତ୍ମଲିପି
ଜୀବନ ଜଟିଳ ଅଙ୍କ । ସଂସାର ରଫ ଖାତାରେ ମ୍ରିୟମାଣ ମନ  ମାନସାଙ୍କର ମାନକକୁ ନେଇ କଷିବାକୁ ହୁଏ କେତେ ଅଙ୍କ , ଭଗ୍ନ ହୃଦୟର ଭଗ୍ନାଂଶ । ସମୟର ସରଣୀରେ ସମ୍ପର୍କର ସମୀକରଣ ବି ଲାଗେ ଆହୁରି ଜଟିଳ । ମନଯୋଗ ଦେଇ ଅଦମ୍ୟ ପ୍ରଚେଷ୍ଟା କରି ସଠିକ ଉତ୍ତର ବାହାର କରି ପାରିଲେ ଅଙ୍କାକଷାଟି ନିର୍ଭୁଲ ବୋଲି ହୁଏ ପ୍ରମାଣିତ । ମନ ମାନସାଙ୍କ ଆଉ ଯନ୍ତ୍ରଣାର ଜ୍ୟାମିତି ଭିତରେ ଜୀବନର ମଧ୍ୟବିନ୍ଦୁ ନିରୂପଣରେ ସାମ୍ନା କରିଛି ବହୁ ବାଧା, ବହୁ ପ୍ରତିବନ୍ଧକ । ତଥାପି, ଚେତନାର ଚନ୍ଦନବନରେ ମମତାର ସୁଶୀତଳ ଛାଇ ଚିରୁଡ଼ାଏ ଭଳି ଜଣେ କେହି ମୋ' ଜୀବନରେ ପ୍ରତିଭାତ ।  ମୋ ଭାଗ୍ୟହୀନ ଜୀବନ ଆକାଶରେ ଯିଏ ମମତାର ପୂର୍ଣ୍ଣଇନ୍ଦୁ ପରି ପ୍ରକଟିତ । 
     ଅତି ନିକଟରୁ ମୁଁ ବି ମୃତ୍ୟୁକୁ ଦେଖିଥିଲି ; ଥରେ ନୁହେଁ ବାର୍‌ ବାର୍‌ ହରାଇ ବସିଥିଲି ମୋର ଭାରସାମ୍ୟ । ଜନ୍ମରୁ ଯୁଆନ୍‌ ହେବା ପର୍ଯ୍ୟନ୍ତ ଯନ୍ତ୍ରଣା ଛାଡ଼ିନି ମୋ ସଙ୍ଗ । ଆପଣା ପରିଜନ ପର ପାଲଟି ଗଲେ  ; କିନ୍ତୁ ପର ଲୋକ ଆପଣାର ହେବାକୁ ଲାଗିଲେ । ଯେଉଁମାନେ ଆପଣା ସାଜିଲେ ସେମାନେ ଦୈବର ମୁଷ୍ଟି ପ୍ରହାରରୁ ବର୍ତ୍ତି ନ ପାରି ପୁନରାୟ ପାଲଟି ଗଲେ ସାତପର । ମୋ ପାଇଁ ନିଜ ଜୀବନକୁ ତିଳ ତିଳ କରି ଜାଳି ନବଜୀବନ ପ୍ରଦାନ କରି ଶେଷରେ ଯନ୍ତ୍ରଣାର ଜଉଘରେ ପୂରାଇ ଦରଜା ବନ୍ଦ୍‌ କରି କିଏ କୁଆଡ଼େ ଚ଼ାଲିଗଲେ । ଜଉ ନିଆଁରେ ଜଳି ପୋଡ଼ି ଛଟପଟ ହେଉଥିବା ବେଳେ ହଠାତ୍‌ ଦିନେ ଦରଜା ଖୋଲି ଜଉଘରେ ପ୍ରବେଶିଲେ ଜଣେ ମହିୟସୀ ଦୟାଶୀଳା,ସ୍ନେହମୟୀ,ମମତାମୟୀ ମହିଳା । ଟାଣି ନେଲେ ମୋର ହାତ ; ଜଉଘରୁ ମତେ ବାହାରକୁ କାଢ଼ି ତାଙ୍କ ମମତା ମଲମ ବୋଳା ପଣତକାନିରେ ପୋଛି ପକାଇଲେ ମୋର ସର୍ବାଙ୍ଗ । ମୋ ଦୁଇ ଆଖିରୁ ଝରି ଆସୁଥିବା ଦୁଇଧାର ଲୁହକୁ ତାଙ୍କର ସେ ପଣତକାନିରେ ପୋଛି ଦେଇ କହିଲେ -"କାନ୍ଦନା ପୁଅ ; ମୁଁ ଅଛି  । ମାଆ ପାଖରେ ଥିଲା ଯାଏଁ ପୁଅର ଆଉ ଯନ୍ତ୍ରଣା କ'ଣ ? ମୋର ଏ ସୁଦୃଢ଼ ପଣତକାନି ଆଜିଠୁ ତୋର ସୁରକ୍ଷା କବଚ଼ ।" ସେହିଦିନଠୁଁ ସେ ମୋର ମାଆ ଆଉ ମୁଁ ତାଙ୍କର ପୁଅ । ସେ ଆଉ କେହି ନୁହଁନ୍ତି ; ସେ ହେଲେ ବସନ୍ତ ମଞ୍ଜରୀ ଦାସ  । ଜୀବନର ଯନ୍ତ୍ରଣା ଗୁଡ଼ିକୁ ଏକାଠି କରି କାବ୍ୟ ରୂପରେ ପ୍ରସ୍ତୁତ ମୋର ଏ ସଙ୍କଳନ "ଜୀବନ ଗୀତିକା" କେବଳ ତାଙ୍କରି ପାଇଁ ସମ୍ଭବ  । 
   
++++++++++++++++++++++++++++
ଜୀବନେ କେବେ ବି ପାରି ନାହିଁ ହସି
ଜନମରୁ ଦୀନ ଦୁଃଖୀ
କୋହ ମୋର ସାଥୀ ଆସେ ନିତିନିତି
ଲୁହ ତ ମୋର ପ୍ରେୟସୀ । ୧

ଯନ୍ତ୍ରଣା ଓ ଦୁଃଖ ମୋର ଅନ୍ତରଙ୍ଗ 
କେବେ ନ ଛାଡ଼ନ୍ତି ପାଶ
ଏଇ ଜୀବନଟା ମରୁ ମରୀଚିକା
ନାହିଁ ବୃକ୍ଷ ନାହିଁ ଘାସ । ୨
ଉତ୍ତପ୍ତ ବାଲିର ସମାହାର ମୋର
ଜୀବନର ଚଲାପଥ
ମରୁଭୂମି ସାରା କଣ୍ଟା ବୃକ୍ଷ ଭରା
କଣ୍ଟା ଫୁଟି ମୁଁ କ୍ଷତାକ୍ତ । ୩
ପାଦ ପୋଡ଼ି ଯାଏ ତତଲା ବାଲିରେ
ଯନ୍ତ୍ରଣାରେ ଜର୍ଜରିତ 
ମାନୁନି ତଥାପି ବାଧା ବିଘ୍ନ କିଛି
କାନ୍ଦି କାନ୍ଦି ଚାଲେ ପଥ । ୪
ଝରି ଯାଏ ଲୁହ ଧାର ଧାର ହୋଇ
କପୋଳ ମୋ ସିକ୍ତ କରି
ପିନ୍ଧା କପାସିଆ ଓଦା ହୋଇଯାଏ
ଚକ୍ଷୁ ନୀର ଝରି ଝରି । ୫
ଚାରିଆଡ଼େ ଦେଖ ଶୁଷ୍କ ସିକତିଳ
ମିଳେ ନାହିଁ ଟୋପେ ଜଳ
ଗଗନ ପ୍ରଦେଶୁ ପ୍ରଭୁ ସହସ୍ରାଂଶୁ
ବର୍ଷନ୍ତି ଖାଲି କପିଳ । ୬
ଏମିତି ଲାଗଇ ଯାଉଅଛି ବହି
କୁଳୁକୁଳୁ ନାଦେ ନଇ
ତୃଷାରେ ଆତୁର ଶୁଷ୍କ କଣ୍ଠ ତାଳୁ
ଆତୁର ମୁଁ ଜଳ ପାଇଁ । ୭
ଜଳାଶୟ ଭାବି ଦଉଡି ଯାଉଛି
କାହିଁ କିଛି ଦିଶୁ ନାହିଁ 
ମୃଗତୃଷ୍ଣା ସେହି ଜଳ ତ ନୁହଁଇ 
ଭ୍ରମ ସୃଷ୍ଟି କରୁଥାଇ । ୮
ବାଲୁକାର ଗିରି ଚାଲେ ମାଡ଼ି ମାଡି
ପଡ଼ିଯାଏ ଯେବେ ଝୁଣ୍ଟି
ଉଠିବାକୁ ମୋର ଆଉ ନାହିଁ ବଳ
କେହି ନ ଦିଅନ୍ତି ଟେକି । ୯
ଜନମରୁ ହୀନ କପାଳ ଲିଖନ
ଜୀବନଟା ହୀନିମାନ
ସ୍ନେହ କାଙ୍ଗାଳ ମୁଁ ସ୍ନେହ ପାଇବାକୁ
ବ୍ଯାକୁଳ ମୋର ଏ ମନ । ୧୦
ମୋର ଜନ୍ମଦାତ୍ରୀ ତା'ର ଗର୍ଭ ଚିରି 
ଜନ୍ମ ଦେଲା ସିନା ମୋତେ
ତା' ବକ୍ଷୁ ନିର୍ଗତ ପୂତ ସୁଧା ରସ
ଚାଖିନି କେମିତି ସତେ । ୧୧
ପପି ବୋତଲରେ କ୍ଷୀର ମୁଁ ପିଇଛି 
ଛୋଟରୁ ହୋଇଛି ବଡ଼
ମୁଁ ଜାଣେ ନା, କାହା ବାଟ ରହିଛି ଚାହିଁ
ନିଜ ମାଆ ହୋଇ ନେଇନି କୋଳେଇ             
ସାବତଠୁ ସାତପର । ୧୨
ବାପାଙ୍କର ସ୍ନେହ ପାଇ ନାହିଁ କେବେ
ସବୁଥିରୁ ମୁଁ ବଞ୍ଚିତ 
ଜନମ କାଳରୁ କୁଆଁକୁଆଁ ଠାରୁ 
ଏବେ ବି ଝରେ ଲୋତକ । ୧୩
ଦୁଃଖ ଯନ୍ତ୍ରଣାର ଜୀବନ ମୋହର
ଅସରନ୍ତି ଲୁହ କୋହ
ଏଡ଼ିକି ଅଭାଗା ମଣିଷଟିଏ ମୁଁ 
କେମିତି ବଞ୍ଚିବି କୁହ । ୧୪
ମୋର ଏ କପାଳେ କାହିଁକି ଲେଖିଲେ
ବିଭୁ ଏତେ ଦୁଃଖ କଷ୍ଟ
କେଉଁ ଅପରାଧ କରିଥିଲା ଶିବ
ମିଳିଲା ଏମିତି ଦଣ୍ଡ ? ୧୫
କପୋଳକଳ୍ପିତ ନୁହଁଇ ଇଏ ତ
ଜୀବନ ଗୀତିକା ମୋର
ଏଇ ତ ଆରମ୍ଭ ହୋଇନାହିଁ ଶେଷ 
ପ୍ରତି ପଦେ ଲୁହ ଝର । ୧୬
ଏଇ ଜନମରେ ମୋହରି କପାଳେ
ସୁଖ ବୋଧେ ଲେଖା ନାହିଁ 
ମାତା ଷଷ୍ଠୀ ଦେବୀ ଜନମୁ ଲେଖିଛି
ନିଇତି କାନ୍ଦିବା ପାଇଁ । ୧୭
ସତ୍ଯ ନ୍ଯାୟ ଧର୍ମ ମୋର ଆଭୂଷଣ 
ମିଥ୍ୟା କେବେ ଭାଷି ନାହିଁ 
ଅସତ୍ୟ ଅନ୍ଯାୟ ବିଧର୍ମୀ ରାୟଙ୍କୁ
ପାଶେ କେବେ ରଖି ନାହିଁ । ୧୮
ସତ୍ଯ ଯଷ୍ଟି ଧରି ପଥ ଚାଲୁଥିଲି
ଏବେ ବି ଛାଡ଼ିନି ତାକୁ
ସେଇ ଧର୍ମ ଆଜି ମୋ ପ୍ରାଣ ଗ୍ରାସୁଛି
କହିବି ଆଉ କାହାକୁ । ୧୯
ବାଡ଼ ଯଦି ନିଜେ ଫସଲ ଖାଇବେ
କାହାକୁ ଆଉ କହିବ
ଧର୍ମ ପାଇଁ ଯଦି ପରାଣ ଯାଉଛି 
କିଏ ବା ଧର୍ମ କରିବ? ୨୦
ଦୀନ ପରିବାର ଅଟଇ ଆମର
ଦିନ ବିତେ ଦୁଃଖ କଷ୍ଟେ
ବିପ୍ର କୁଳେ ଜନ୍ମ କରି ପୂଜା କର୍ମ
ସ୍ବଳ୍ପ ରୋଜଗାରେ ବଞ୍ଚେ । ୨୧
ଯାହା ମିଳେ ଧନ ସବୁ ତ ଭୋଜନ
ସଞ୍ଚୟ କରିବି କାହୁଁ 
ଯାହା ଦେଇଛନ୍ତି ଶ୍ରୀ ବୈକୁଣ୍ଠପତି
ସେତିକି ମୋ ପାଇଁ ବହୁ । ୨୨
ଇଚ୍ଛି ନାହିଁ କେବେ ଭଲ ଭୁଞ୍ଜିବାକୁ
ଶାଗ ପଖାଳରେ ଖୁସି
ଆମ୍ବୁଲ ଫେଡ଼ାଏ ତିନ୍ତୁଳି ଟେଳାଏ
ଆଳୁ ପୋଡ଼ା ଗୋଟେ ବାସି । ୨୩
ପୋଡ଼ା ବାଇଗଣ ଲଙ୍କା ସାଥେ ଲୁଣ 
ପିଆଜ କୋଲାଏ ଧରି
ବାସି ପଖାଳ ତ ମୋ ପାଇଁ ଅମୃତ 
ଖିରୀ ଖିରୀସା ନୁହେଁ ସରି । ୨୪
ମୋ ଦୁଃଖୀ ଜୀବନ ଲାଗେ ମ୍ରିୟମାଣ 
ତଥାପି ପଡ଼ିନି ଭାଙ୍ଗି
ଆଗକୁ ଆଗକୁ ମାଡ଼ି ଚାଲେ ବନ୍ଧୁ
ମନରେ ସାହସ ବାନ୍ଧି । ୨୫
ମନେପଡ଼େ ମୋର ବାଲ୍ଯ ଧୂଳିଖେଳ 
ଚାଲୁ ଚାଲୁ ଯେବେ ଝୁଣ୍ଟେ 
ନିଜେ ମୁଁ ଉଠଇ କେହି ନ ଟେକଇ
କା' ମନେ ଦୟା ନ ଆସେ । ୨୬
ମନେପଡ଼େ ଆଜି ପିଲାଦିନ ସ୍ମୃତି 
ଉ. ପ୍ରା. ବିଦ୍ଯାଳୟ ପଢ଼ା
ଗୁରୁ ଭାଗବତ ବେତର ପ୍ରହାର 
ଆଜି ସବୁ ସ୍ମୃତି ପରା । ୨୭
ମନେ ମୋର ଉଙ୍କି ଖେଳ ପିଲିକାଠି
ନଟୁ ଖେଳ ବୋହୂ ଚୋରୀ
ବାଟି ଖେଳ ମୋର ମନେପଡ଼େ ଜୋର
ତା' ସାଥେ ରୁମାଲ ଚୋରୀ । ୨୮
ଲୁଡ଼ୁପାଲି ଖେଳ ଲାଗୁଥିଲା ଭଲ
ଖେଳୁଥିଲୁ କେତେ ତାସ୍ 
ସାଙ୍ଗସାଥୀ ମେଳେ ହସ ଗମାତରେ
ବାଲ୍ଯରେ ଟାଇମ୍‌ ପାସ୍‌ । ୨୯
ଅନ୍ତାକ୍ଷରୀ ଖେଳ ପିଲାଦିନ କାଳ 
ଭାବିଲେ ଲାଗଇ ଦୁଃଖ 
ଫେରି ଆସନ୍ତା କି ବାଲ୍ଯ ସ୍ମୃତିରାଜି
ଶୁଖି ଯାଆନ୍ତା ଲୋତକ । ୩୦
ମାସ ମଧ୍ୟେ ଜ୍ଯେଷ୍ଠ ନକ୍ଷତ୍ର ବି ଜ୍ଯେଷ୍ଠା
ଶିବ ଚତୁର୍ଦ୍ଦଶୀ ଦିନ
ଆଦ୍ୟେ ଜନମିଲି ଜ୍ଯେଷ୍ଠ ପୁତ୍ର ହେଲି
ଶିବ ବୋଲି ଦେଲେ ନାମ । ୩୧
ବରଷେ ବିତିଲା ଧରାକୁ ଆସିଲା
ଆଉ ଏକ ପୁତ୍ରଟିଏ
କେଇକ୍ଷଣ ବଞ୍ଚି ବୁଜି ଦେଲା ଆଖି 
ଲୁହ ଦେଇଗଲା ସିଏ । ୩୨
ଭାଇଖିଆ ମୋତେ କହିଲେ ସମସ୍ତେ 
ମଙ୍ଗଳବାରରେ ଜନ୍ମ 
ଅମଙ୍ଗୁଳିଆ ମୁଁ କହିଗଲେ ସବୁ
ପୋଡ଼ି ଗଲା ମୋର କର୍ମ । ୩୩
ସେହିଦିନ ଠାରୁ ଶୁଖିନି ଆଖିରୁ 
ଆଜି ଯାଏଁ ଝରେ ଲୁହ
ସବୁ କର୍ମ ମୋର ହୋଇଲା ବିଫଳ 
ବକ୍ଷ ଭେଦି ଉଠେ କୋହ । ୩୪
ଶିଶୁରୁ ପଞ୍ଚମ ଗ୍ରାମ ବିଦ୍ଯାଳୟେ 
ପାଠପଢ଼ା ଗଲା ସରି
ସାହୁପଡ଼ା ଗ୍ରାମେ ଷଷ୍ଠ ଶ୍ରେଣୀ ପାଠ
ପଢ଼ିବା ଆରମ୍ଭ କଲି । ୩୫
ଏକ ଦିନକର ସେ ଘଟଣା ଚକ୍ର
ଏବେ ସୁଦ୍ଧା ମନେ ଅଛି 
ନିଜ ଲୋକ ଯଦି କପଟ କରନ୍ତି
କାହାକୁ ଆଉ କହିବି ? ୩୬
କୋଲସାହି ଗ୍ରାମେ ଅଛି ବନ୍ଧୁଘର
ମଝିଆଁ ମାଉସୀ ମୋର
ଆସିଥିଲା ଦିନେ ମାଉସୀ ମୋ ଗ୍ରାମେ
ସଧୀରେ ଭାଷିଲା ଗୀର । ୩୭
ପଠାଅ ଶିବକୁ ଆମରି ଘରକୁ 
ପାଶେ ରଖି ପଢ଼ାଇବି
ମଣିଷ କରି ମୁଁ ପୁଅକୁ ତୋହରି
ନିଶ୍ଚେ ଗଢ଼ି ତୋଳି ଦେବି । ୩୮
ବାପା ବୋଉ ମୋର ଶୁଣି ଏହି ଗୀର
ବଚନେ ଭରିଲେ ହଁ
ଷଷ୍ଠ ସରିଗଲା ସପ୍ତମ ଆସିଲା
ଘରୁ ମୁଁ ନେଲି ବିଦାୟ । ୩୯
ନିରାକାରପୁର ହାଇସ୍କୁଲେ ମୋର
ସପ୍ତମ ଶ୍ରେଣୀର ପଢ଼ା
ଭଲ ପଢ଼ା ଦେଖି ଆଦର କରନ୍ତି
ଗୁରୁ ସଙ୍ଗେ ସାଥୀ ପିଲା । ୪୦


ଦିନେ ଧରି ନାହିଁ ତାଙ୍କ ଘରେ ବହି
ସରବଦା ମୋର କାମ
ଅଗଣା ପ୍ରାଙ୍ଗଣେ ଖାତା କଲମ ମୋ
ବହି କରୁଥିବେ ରଣ । ୪୧
ଏସନେକ ବିତି ଗଲା ଚାରିମାସ
ଆସିଲା ଦୁର୍ଦ୍ଦିନ ମୋର
ମଧ୍ୟ ଛୁଟି କାଳେ ଘରକୁ ଆସିଲି
ଭୋଜନ କରିବା ବେଳ । ୪୨
ଆଉ ମନେ ନାହିଁ କେଉଁ କାର୍ଯ୍ଯ ପାଇଁ
ମୋ ମାଉସୀ ପୁଅ ଭାଇ
ଭୋଜନ ସମୟେ ମାରିଲା ବିଧାଏ
ବଚନ ସ୍ଫୁରିଲା ନାହିଁ । ୪୩
ବିତୃଷ୍ଣା ଜାଗିଲା କ୍ରୋଧ ବଢ଼ି ଗଲା
ଭୋଜନ ତେଜି ଉଠିଲି
ବାହୁଡ଼ିଲିନି ମୁଁ ମାଉସୀ ଘରକୁ 
ନିଜ ଘର ବାହୁଡ଼ିଲି । ୪୪
ବେଳ ଗଡି ହେଲା ସଞ୍ଜ ପରେ ରାତି 
ସରବେ ଖୋଜିଲେ ସେଠି
ମାଉସୀ ପୁଅ ମୋ ଘରକୁ ଆସିଲା
ପଚାରିଲା ଶିବ ଅଛି ? ୪୫
ବହୁ ଦ୍ବନ୍ଦ ଜାତ ନେଲା ଉଗ୍ର ରୂପ
ଆଉ ନ ଗଲି ତା' ଘର
ଆମ ଘର ଠାରୁ ନିରାକାରପୁର
ଦଶ କି. ମି. ଅଟେ ଦୂର । ୪୬
ପଥ ବହୁଦୂର ଚାଲି ଚାଲି ମୋର
ବେଳ ହୁଅଇ ଉଚ୍ଛୁର
ଆଠ ମାସ ଯାଏଁ ନିତି ଯାଉଥାଏ
ଚାଲି ଚାଲି ଏତେ ଦୂର । ୪୭
ଭଲ ସାଙ୍ଗ ମୋର ପ୍ରଦୀପ ତପନ
ରୁନୁ ବୋଲି ଝିଅଟିଏ
ତପନ ସାଥିରେ ସଙ୍ଗାତ ବସିଲି
ଆନନ୍ଦରେ ଦିନ ଯାଏ । ୪୮
ରୁନୁ ସାଥେ ମୋର ବଢ଼ିଲା ସମ୍ପର୍କ
ସତେ ଅବା କ୍ଷୀର ନୀର 
ବନ୍ଧୁରୁ ପ୍ରେମିକ ପ୍ରେମ ହେଲା ଜାତ
ନିବିଡ଼ରୁ ନିବିଡ଼ତର । ୪୯
ସରିଲା ସପ୍ତମ ଶ୍ରେଣୀ ପାଠପଢ଼ା 
ସେଠାରୁ ନେଲି ବିଦାୟ 
ଏହି କଥା ଜାଣି ରୁନୁ ଅଭିମାନୀ 
ଆଖିରୁ ଢ଼ାଳିଲା ଲୁହ । ୫୦
କହିଲି ବୁଝାଇ ଜମା କାନ୍ଦ ନାହିଁ
ଛୁଟିରେ ହୋଇବ ଦେଖା
ଅଷ୍ଟମ ଶ୍ରେଣୀରେ ପାଖ ହାଇସ୍କୁଲେ 
ଆରମ୍ଭିଲି ପାଠପଢ଼ା । ୫୧
ହେଲେ ଛୁଟି ବେଳ ଧାଏଁ ରୁନୁ ଘର
ସଞ୍ଜ ଯାଏଁ ବସି ଗପୁ
ସେହିଦିନ ଠାରୁ ଘନିଷ୍ଠ  ହୋଇଲା 
ପବିତ୍ର ପ୍ରେମର ସେତୁ । ୫୨
ଯାହା କିଛି ହେଉ ଦଶମ ଯାଏଁ ମୁଁ
ପାଠପଢ଼ା କଲି ଶେଷ 
ହଠାତ୍‌ କାହିଁକି କେମିତି କେଜାଣି
ଗ୍ରାସ କଲା ମତେ ରୋଗ । ୫୩
ଡ଼ାବୁଡ଼ାବୁ ହେଲା
କ୍ଷସ୍ଥଳ ମୋର
ସଙ୍ଗାତ ଶୁଣିଲେ ଯେବେ
ତତକ୍ଷଣେ ମତେ କହିଲେ ସଙ୍ଗାତେ
ମେଡ଼ିକାଲ ଯିବା ଆଶେ । ୫୪
ବ୍ରହ୍ମପୁର ଗଲି ସଙ୍ଗାତଙ୍କୁ ଧରି
ଡକ୍ଟର କହିଲେ ମୋତେ
ଅସ୍ତ୍ରୋପଚାର ତ ଅତି ଆବଶ୍ଯକ 
ରାଜି ହେଲେ ମୋ ସଙ୍ଗାତେ । ୫୫
କିଛିଦିନ ଯାଏଁ ପାଣି କଢ଼ାଗଲା
ଆସିଲା ପ୍ରକୃତ ବେଳ
ସଙ୍ଗାତଙ୍କ ସାଥେ ବ୍ରହ୍ମପୁର ଯାଇ
କରିଲି ଅସ୍ତ୍ରୋପଚାର । ୫୬
ଆଜି ପରିଯନ୍ତ ଉହ୍ଯ ରଖିଅଛି
କେହି ନ ଜାଣନ୍ତି ଏହା
ଗୋଟାଏ ବି ମୁଦ୍ରା ଖର୍ଚ୍ଚ କରିନାହିଁ 
ସଙ୍ଗାତ ମୋ ପ୍ରାଣନାହା । ୫୭
ତିନିଟି ସ୍ତରରେ ମୋ ଅସ୍ତ୍ରୋପଚାର 
ଶୁଣି ଲାଗିଥିଲା ଭୟ
ଆରଥରକୁ ବି ସେହି କରିଛନ୍ତି 
କରିନି ମୁଁ ବିନିମୟ । ୫୮
ମୋ ପାଇଁ ଠାକୁର ସଙ୍ଗୀତ ମୋହର
ଦେଲେ ମୋତେ ନବଜନ୍ମ 
ଆଜି ସେ ନାହାନ୍ତି ଏ ମନ ଝୁରୁଛି
ଝୁରୁଥିବ ନିଶିଦିନ। ୫୯
ଶେଷ ଗୋଟେ ବାକି ରହିଥିଲା ମୋର 
ହେବାକୁ ଅସ୍ତ୍ରୋପଚାର 
ତା'ଆଗୁ ସଙ୍ଗାତ ଛାଡ଼ିଲେ ମରତ
ଚାଲିଗଲେ ବହୁଦୂର । ୬୦
×××××××××××××××××××××××
ବ୍ରତୋପନୟନ ହେଲା ଆୟୋଜନ 
ବାର ବର୍ଷ ବୟସରେ
ଦେଲେ ନାରାୟଣ ଦାରୁଣ କଷଣ
ମୋର ଏ ଫଟା କପାଳେ । ୬୧
ଛାଡ଼ି ଇହଧାମ ବାଟହସ ଦିନ
ଅଜା ଗଲେ ସ୍ବର୍ଗାଳୟେ
ମାତୁଳ ମାଉସୀ ରହିଲେ ଅଟକି
କେହି ନ ଆସିଲେ ପ୍ରାୟେ । ୬୨
ମୃତ୍ୟୁ ପୂର୍ବ ଦିନ ସର୍ବୋପକରଣ
ଅଜା ନିଜେ ଖଞ୍ଜି ଥିଲେ 
ମୋ ନାତିକୁ ଦେବ ଏ ସବୁ ଦରବ
ପ୍ରଭାତୁ ପର କରିଲେ । ୬୩
ବିଧି ଅନୁସାରେ ବ୍ରତ ଭିକ୍ଷା ବେଳେ
ମାମୁଁ ସିନା ଧରେ ଥାଳ
ବିଧିର ବିଧାନ ସବୁ ହେଲା ଆନ
ପୋଡ଼ି ଗଲା ମୋ କପାଳ । ୬୪
ପଞ୍ଚୁଗ୍ରାସ ଅନ୍ନ ମାଇଁଙ୍କ ରନ୍ଧନ
ବେଦରେ ଯାହା ଲିଖିତ 
ସେ ସବୁ ସପନ ହୋଇଲା ସେଦିନ
ଓଠ ପିଇଲା ଲୋତକ । ୬୫
ବଡ଼ ମାଉସୀର ମଧ୍ୟମ କୁମର
ଅଜୟ ଭାଇନା ମୋର
ବ୍ରତ ବେଦୀ ପରେ ପାଶେ ରହିଥିଲେ
ଧରିଥିଲେ ମୋର ଥାଳ । ୬୬
ବତାଇଲେ ମୋତେ କହିବା ନିମନ୍ତେ 
ଭବତ୍‌ ଭିକ୍ଷାମ୍‌ ଦେହି
ଭବତ୍‌ ଭବତି ନ ସ୍ଫୁରିଲା କିଛି 
ଲୁହ ଯାଉଥିଲା ବହି । ୬୭
ବୁଢ଼ୀ ମାଆ ମୋର ଅତି ଆପଣାର
କହିଥିଲା କେଡେ ଦମ୍ଭେ
ବୋହୂଟିଏ ଦେଖି ତା'ପରେ ମରିବି
ବିଭୁ ନ ସହିଲା କେବେ । ୬୮
ବଇଶାଖେ ହେଲା ବ୍ରତୋପନୟନ 
ଲୁହରେ ଲହୁରେ ମୋର
ଜ୍ଯେଷ୍ଠ ଯାଇ ଯେବେ ଆଶାଢ଼ ଆସିଲା
ଦଇବ ସାଜିଲା କାଳ । ୬୯
କି ବେଳାରେ କେଜାଣି ପାହିଲା ରଜନୀ
ଅଶୁଭ କାକ ଡ଼ାକିଲା
ବୁଢ଼ୀ ମାଆ ମୋର ସବୁଦିନ ପାଇଁ
ଘୋର ନିଦ୍ରେ ଶୋଇଗଲା । ୭୦
ଯୋଡା ଆଶାଢ଼ର ନବ କଳେବର 
ପ୍ରଭୁ ହେଲେ ନବ ରୂପ
ହେଲେ ବୁଢ଼ୀ ମାଆ ଛାଡ଼ିଲା ଦୁନିଆ
କାଳିଆ କଲା କପଟ । ୭୧
ପିଲାଟି ଦିନରୁ ସ୍ନେହ ଶରଧାରୁ 
କାଣିଚାଏ ପାଇ ନାହିଁ 
ଗୋଟାଏ ପରେ ମୁଁ ଗୋଟାଏ ହରେଇ
ବଞ୍ଚି ଅଛି ଲୁହ ପିଇ । ୭୨
ଲୁହ ଲହୁ ମୋର ଅତି ଆପଣାର 
ଆପଣା ହୋଇଲେ ପର
ଦୁଃଖେ ମ୍ରିୟମାଣ ହୋଇଲା ଜୀବନ
ଜୀବନ ମୋ ବିଷ ତୁଲ୍ଯ । ୭୩
ବାଲ୍ଯ ବେଳ ଦୁଃଖ ଅଜସ୍ର ଲୋତକ
ଚାଲିଛି କଣ୍ଟାର ପଥ
ଆବୁଡା ଖାବୁଡା ସାରା ପଥ କଣ୍ଟା
ମିଳିନି ଦିନେ ବି ସୁଖ । ୭୪
ପିଲାଟି ଦିନରୁ 
ସତ୍ଯ ଓ ନ୍ଯାୟରୁ
କେବେ ନେଇନି ବିରତି
ସେଇ ଧର୍ମ ଆଜି କନ୍ଦାଇ ମାରୁଛି
ତଥାପି  ପାରୁନି ମୁର୍ଚ୍ଛି । ୭୫
ଘାତ ପ୍ରତିଘାତ କଣ୍ଟକିତ ପଥ
ସବୈକୁ ଆସିଛି ଦଳି
ଦୁଃଖର ବାରିଧୀ ମଧ୍ୟରେ ଭାସୁଛି
ଅଶ୍ରୁ ନୀର ଢ଼ାଳି ଢ଼ାଳି । ୭୬
ନିତି ପିଏ ଓଠ ଚକ୍ଷୁର ଲୋତକ
ଓଠ ଧାରେ ନାହିଁ ହସ
ହସିବାକୁ ବୋଧେ ଲେଖା ନାହିଁ ଭାଗ୍ଯେ 
ବଦନ ମୋ ବିରସିତ । ୭୭
ଭରସା ବିଶ୍ବାସ ସବୁ ଆଜି ତୁଚ୍ଛ 
ସଂସାରଟା ଲାଗେ ବିଷ
ଭ୍ରାତା ଭଗ୍ନୀ ପିତା ସବୁ ବିଷପିତା
ତୁଟି ଯାଇଛି ସାହସ । ୭୮
ମନ ମଧ୍ୟେ ମୋର ଦୁଃଖର ସାଗର
ଅଶାନ୍ତ ସେ ଜଳରାଶି 
ଲହଡ଼ି ଭାଙ୍ଗୁଛି ଛାଡ଼ି ଘୋର ରଡ଼ି
ତଟ ଦେଶେ ମଥା ପିଟି । ୭୯
ବୁକୁ ତଳେ ଚାପି ଏଯାଏଁ ରଖିଛି 
କୋହର ଆଗ୍ନେୟଗିରି
ଉତ୍ତପ୍ତ ଜୀବନ୍ତ ଲାଭା ହେଲେ ଜାତ
ପରାଣ ଯିବ ମୋ ଛାଡି । ୮୦
××××××××××××××××××××××
ଦିନେ ମାଗି ନାହିଁ  ହାତ ପାତି ମୁହିଁ 
କଦାପି କାହାକୁ କିଛି 
ଦେଇ ନାହିଁ କେହି ମୋର ଖର୍ଚ୍ଚ ପାଇଁ
ହାତ ଟେକି ମୋତେ ଯାଚି । ୮୧
ସାନ ଭାଇ ସାନ ଭଉଣୀଙ୍କ ପାଇଁ
ଖଞ୍ଜା ଅଛି ସବୁକିଛି 
ହେଲେ ମୁଁ ଅନାଥ ସବୁଠୁ ବଞ୍ଚିତ
ଲୁହ ମୋ ନିଜ ସମ୍ପତ୍ତି । ୮୨
ମନେପଡ଼େ ଆଜି ସେ ଛୋଟ କଥାଟି
କହିବାକୁ ଲାଗେ ଲାଜ
ହାଇସ୍କୁଲ୍‌ ବେଳେ ପାଠପଢ଼ା ବେଳେ 
ଦୁଃଖଦ ଘଟଣା ଏକ । ୮୩
ଭାଦ୍ରବ ମାସର ଶୁକଳ ଚତୁର୍ଥୀ
ବିଦ୍ଯାଳୟ ପରିସରେ
ଗଣପତି ପୂଜା ଆସିଲା ସହସା
ଭକ୍ତିରେ ସର୍ବେ ପୂଜିଲେ । ୮୪
ହେଲେ ମୁଁ ପାପୀଷ୍ଠ ତହିଁରୁ ବଞ୍ଚିତ
ଝରିଛି ବହୁ ଲୋତକ
ସବୁ ସାଙ୍ଗସାଥୀ ବିଦ୍ଯାଳୟେ ଖୁସି
ମୁଁ ପାପୀ ଅନୁପସ୍ଥିତ । ୮୫
କରି ଚାନ୍ଦା ଭେଦା ହେଲା ଭୋଜି ରନ୍ଧା
ହେଲେ ମୁଁ ଦେଇନି ଚାନ୍ଦା 
ଚାନ୍ଦା ମାଗିବାରୁ ଘରେ ଗାରୁଗାରୁ 
ମନା କଲେ ନାହିଁ ଟଙ୍କା । ୮୬
ମନରେ ବିଷାଦ କରିଗଲା ଗ୍ରାସ
ଝରି ଗଲା ଅଶ୍ରୁ ନୀର 
କପାଳଟା ଫଟା ଦୁଃଖ ଶୋକ ଲେଖା
ଦଇବ ସାଜିଲା କାଳ । ୮୭
ମୋ ଖେଳ ଶିକ୍ଷକ ଘରେ ଉପନୀତ 
ଧରି ନେଲେ ହାତ ଭିଡ଼ି 
ଯେତେ ମନା କଲେ କିଛି ନ ଶୁଣିଲେ
ସାଥିରେ ତାଙ୍କର ଗଲି । ୮୮
ଭୋଜି ଖାଇ ସାରି ଆସୁ ଆସୁ ପଥେ
ଦେଖିଦେଲେ ମୋର ବାପା
ବୃଦ୍ଧି ହେଲା ରାଗ ଚଢ଼ିଗଲା ପିତ୍ତ
ମୋ ଉପରେ ହେଲେ ଖପା । ୮୯
ଘରେ ଆସି ମୋତେ ପିଟିଥିଲେ କେତେ
ଏବେ ବି ରହିଛି ମନ
କେଉଁ ଦୋଷ ଅବା ରହିଲା ମୋହର
ନିର୍ଦ୍ଦୋଷେ ଦୋଷୀ ପ୍ରମାଣ । ୯୦
ସେହି ବିଦ୍ଯାଳୟେ ମୋ ଭାଇ ଭଉଣୀ 
ପର ମୁହୂର୍ତ୍ତେ ପଢ଼ିଲେ
ଦେଲେ ସବୁକିଛି ତାଙ୍କ ପାଇଁ ଖଞ୍ଜି 
ମତେ ଯା' ଦେଇ ନ ଥିଲେ । ୯୧
ସବୁଥିରୁ ଶିବ ହୋଇଛି ବଞ୍ଚିତ
ସତେ ମୁଁ ସାବତ ସୁତ
ନୟନୁ ନିର୍ଗତ ଦି' ଧାର ଲୋତକ
ପୋଛିଛି ମୋର ନିତମ୍ବ । ୯୨
କପାଳ ଲିଖନ କରିବ କେ ଆନ
ଲେଖିଛି  ଯା' ପ୍ରାଣନାହା 
ଫଟା କପାଳରେ ଏଇ ଜନମରେ
ସୁଖ ସବୁ ସ୍ବପ୍ନ ଯାହା । ୯୩
ଦୁଃଖର ସାଗରେ ଦଦରା ନାଆ ମୁଁ
ସନ୍ତର୍ପଣେ ଭାସୁଅଛି
ନୀଳ ସାଗରର ଲହଡ଼ି ମାଡ଼ରେ
ଅଙ୍ଗ ମୋ କ୍ଷୟ ଯାଉଛି । ୯୪
ଏତେ ହୀନିମାନ କପାଳ ଲିଖନ 
ଷଠୀବୁଢ଼ୀ ଯା' ଲେଖିଛି
ଜନମୁ କପାଳେ ଯନ୍ତ୍ରଣା ତ୍ରିଗାର
ଜାତ ବେଳୁ ଅଙ୍କା ଅଛି । ୯୫
ବିଧାତାର ଖେଳ ବହୁତ ବିଚିତ୍ର 
ବିଭୁ ବି ମୋ ପାଇଁ ପର
ସେଲାଗି ବିଧାତା ମୋ ପାଇଁ ଖଞ୍ଜିଛି ଦୁଃଖ ଧନ ଗନ୍ତାଘର । ୯୬
ଗନ୍ତାଘରେ ପୂର୍ଣ୍ଣ କରି ରଖିଛନ୍ତି 
ଦୁଃଖ ଯନ୍ତ୍ରଣାର ଧନ
ଯେତେ ବ୍ଯୟ କଲେ ସରିବନି କେବେ
ଥିବା ଯାଏଁ ଏ ଜୀବନ । ୯୭
ବଡ଼ ମହାଜନ ପ୍ରଭୁ ନାରାୟଣ
କପଟରେ ହୃଦ ପୂର୍ଣ୍ଣ 
କାହାକୁ ଦିଅନ୍ତି ଅମାପ ସମ୍ପତ୍ତି 
କିଏ ବା ଯୋଗୀଠୁ ହୀନ । ୯୮
ଜୀବନର ସ୍ବାଦ ବିଷ ତୁଲ୍ଯ ଆଜ
ନିମ ତରୁ ସମ ତିକ୍ତ 
ପୃର୍ବ ସ୍ମୃତିଘଟା ନିତି ଦିଏ ବ୍ଯଥା
ଶତଧିକ ନର ଜନ୍ମ । ୯୯
କେଉଁ ଜନମେ ମୁଁ କି ପଙ୍କ କରିଛି
ଭୋଗୁଛି ଅଭିସନ୍ତାପ
ତଥାପି କରିନି ଅଭିବ୍ୟକ୍ତି କେବେ
କାହାକୁ ଦେଇନି ଦୋଷ । ୧୦୦
×××××××××××××××××××××××
ଆଉ ଦିନେ ପୁଣି ଏମିତି ଘଟଣା 
ଦୁଃଖ ଭରିଦେଲା ମନେ
ଶିକ୍ଷକ ଶିକ୍ଷୟତ୍ରୀ ଯେତେ ଛାତ୍ର ଛାତ୍ରୀ 
ଗଲେ ଯେ ପରିଭ୍ରମଣେ । ୧୦୧
ଚାନ୍ଦା ଭେଦା କଲେ ମୋତେ ବି କହିଲେ
ତୁମ ଚାନ୍ଦା ଆଣି ଦିଅ
ଉତ୍ତରେ କହିଲି ମନେ ଦୁଃଖ ଭରି
ବାପାଙ୍କୁ ଯାଇ ତ କୁହ । ୧୦୨
ଗଲେ ସାଙ୍ଗସାଥୀ ମୋ ବାପାଙ୍କ କତି
କହିଲେ ଦେବାକୁ ଚାନ୍ଦା
ମୁହେଁ ମୁହେଁ ତାଙ୍କୁ ମନା କରିଦେଲେ 
କିଛି ନାହିଁ ଚାନ୍ଦା ଭେଦା । ୧୦୩
ତୁମେମାନେ ଯାଅ ଥାଉ ମୋର ପୁଅ
କୁଆଡ଼େ ସେ ଯିବ ନାହିଁ 
ନିରାଶ ମନରେ ସରବେ ଫେରିଲେ
କହିଲେ ଗୁରୁଙ୍କୁ ଯାଇ । ୧୦୪
ଶୁଣିଲେ ଶିକ୍ଷକ ମନରେ ବ୍ଯଥିତ
କହିଲେ ବାପାଙ୍କୁ ମୋର
ନଶୁଣି କିଛି ହିଁ ୟାଡୁ ସ୍ଯାଡୁ କହି
କହିଲେ ଘରୁ ବାହାର । ୧୦୫
କିଛି ନାହିଁ ଲୋଡା ବୁଲିବାକୁ ଯିବା
ତୁମ ବାଟେ ତୁମେ ଯାଅ
ନିରାଶେ ବିରକ୍ତେ ଆସିଲେ ଶିକ୍ଷକେ
ରଙ୍ଗା ପଡ଼ିଗଲା ମୁହଁ । ୧୦୬
ତହିଁ ଆରଦିନ ଡ଼ାକିଲେ ଶିକ୍ଷକ
କହିଲେ ମତେ ବୁଝାଇ
କର ନାହିଁ ମନ ଉଣା ଆଲେ ଧନ
ଆମ ସାଥେ ଯିବୁ ତୁହି । ୧୦୭
କହିଲି ଗୁରୁଜୀ କାହିଁକି ମୁଁ ଯିବି
ଦେଇ ନାହିଁ ପରା ଚାନ୍ଦା 
ବିଦ୍ଯାଳୟ ଗୃହେ ସମାନ ସଭିଏଁ 
ମୁଁ କି ତାଙ୍କଠୁ ଅଲଗା ? ୧୦୮
ବସାଇ ପାଖରେ ଗୁରୁଜୀ ଭାଷିଲେ
ତତେ ମୁଁ କହୁଛି ଯିବୁ
ମନା କରିଦେଲି ଯିବି ନାହିଁ  ବୋଲି
ମାନିଲେନି ଗୁରୁ କିନ୍ତୁ । ୧୦୯
ପୁନର୍ବାର ମୁହିଁ କହିଲି ବୁଝାଆଇ
ବାପା ମୋତେ ରାଗ ହେବେ
ଗୁରୁଜୀ କହିଲେ କହିବେନି କିଛି 
କହିଲେ ବୁଝିବୁ ସର୍ବେ । ୧୧୦
କ୍ଷମା କର ବୋଲି ସଧୀରେ କହିଲି
ବିନମ୍ରେ ମୁଁ ହାତ ଯୋଡି
ଚାଲିଲେ ସରବେ ବୁଲିବା ନିମନ୍ତେ 
ଏକୁଟିଆ ରହିଗଲି । ୧୧୧
ଭାବିଥିଲି କିଛି ସୁଖ ମିଳିବ କି
ସାଙ୍ଗ ମେଳେ ଗଲେ ବୁଲି
ସବୁ ଆଶା ମୋର ହେଲା ଚୁରୁମାର
ନିରବେ ବସି କାନ୍ଦିଲି । ୧୧୨
ଝରି ଗଲା ଲୁହ ସତେ ଗଙ୍ଗା ସୁଅ
ବୁଝିଲେନି କେହି ମୋତେ
ଏମିତି ଅଭାଗା ସନ୍ତାନଟିଏ ମୁଁ
କାନ୍ଦି କାନ୍ଦି ନିତି ବଞ୍ଚେ । ୧୧୩
ତଥାପି କରିନି ପ୍ରତିବାଦ କେବେ
ନିରବେ ଯାଇଛି  ସହି
ସଭିଏଁ ଥାଇ ବି କେହି ନାହିଁ ମୋର
ରହିଛି  ଏକାକୀ ହୋଇ । ୧୧୪
ପିତା ମାତା ପୁଣି ଭାଇ ଓ ଭଉଣୀ 
କିଏ ବା ମୋର ନିଜର
ଯାହାର ସ୍ବାର୍ଥକୁ ଯିଏ ଦେଖୁଛନ୍ତି 
ମତେ କରିଦେଇ ପର । ୧୧୫
ଭଉଣୀ ବେଳକୁ ଦେଲେ ଅନୁମତି
ଯିବା ପାଇଁ ବୁଲିବାକୁ 
ମୋ ବେଳେ କାହିଁକି ମନା କରିଦେଲେ 
ଏଯାଏଁ ବୁଝିନି ତାକୁ । ୧୧୬
ଏମିତି ପ୍ରତୀତ ହେଉଛି ମୋତେ ତ
ସାବତଠୁ ସାତପର 
ସାବତ ମାଆର ଦୟା ମାୟା ଥାଏ
ଯା' ନାହିଁ ଏମାନଙ୍କର । ୧୧୭
କେଜାଣି କାହିଁକି ଆଦର ପାଆନ୍ତି 
ମୋ ଠାରୁ ସେମାନେ ବେଶି 
ସ୍ନେହ ଶ୍ରଦ୍ଧା ପାଇଁ ଯୋଗ୍ୟ ମୁଁ ନୁହଁଇ
ବେକାରେ ରହିଛି ବଞ୍ଚି । ୧୧୮
ଆସିନି ମରଣ ଗ୍ରାସିନି ପରାଣ
ଅଯଥା ଦିଏ କଷଣ 
ମରି ମରି ନିତି ବଞ୍ଚି ମୁଁ ରହିଛି 
ବିଧାତା ବଡ଼ ଦାରୁଣ । ୧୧୯
ଧିକ ଏ ଜୀବନ ମୋର ନର ଜନ୍ମ 
ଧିକ ଏ କପାଳ ମୋର
କାହିଁକି ଏ ଯମ ନେଉନି ପରାଣ
ଦେଉଛି କଷଣ ଭାର । ୧୨୦
×××××××××××××××××××××××
ପିଲାଟି ଦିନରୁ ଝରିଛି କଣ୍ଠରୁ 
ମଙ୍ଗଳା ତାରିଣୀ ନାମ
ମାଆ ତାରିଣୀଙ୍କ ଅପାର କରୁଣା
ସଦା ଅଛି ପାଶେ ଜାଣ । ୧୨୧
ବିପଦୁ ଆପଦୁ ତାରନ୍ତି ତାରିଣୀ 
ସେହି ମୋର ମାତା ପିତା
ମରିବା ପର୍ଯ୍ୟନ୍ତ ଦୀନ ଦୁଃଖୀ ଶିବ
କରୁଥିବ ପଦ ପୂଜା । ୧୨୨
ଯେତେବେଳେ ଶିବ ଡ଼ାକେ ମାତା ରଖ
ମାଆ ମୋର ପାଶେ ଉଭା
ନିଜେ ମୁଁ ଦେଖିଛି ମାତାର ସ୍ବରୂପ 
ମିଛ ନୁହେଁ ସତ କଥା । ୧୨୩
ଏକଥା ବାସ୍ତବ ଟୋପେ ନାହିଁ ମିଛ
ମାଆ ମୋର ଦୟାବନ୍ତ
କର ବା ନ କର ବିଶ୍ବାସ କଦାପି
ଯାହା ମୁଁ କହୁଛି ସତ । ୧୨୪
ଯେତେ ବାଧା ବିଘ୍ନ କରନ୍ତି ହରଣ
ତାରିଣୀ ମାଆ ମୋହର
ତାଙ୍କରି ବଳରେ ବଳୀୟାନ ହୋଇ
ଆସିଛି ମୁଁ ଏତେ ଦୂର । ୧୨୫
କେବେ ଲିଭି ନାହିଁ ଲିଭିବନି କଣ୍ଠୁ
ତୀରିଣୀ ମଙ୍ଗଳା ନାମ
ଜୀବନ ସାରା ମୁଁ ଭଜୁଛି ଭଜିବି
ଭଜୁଥିବି ଜନ୍ମ ଜନ୍ମ । ୧୨୬
ତାରି ପାରେ ସେହି ମାରି ପାରେ ସେହି
ମାଆ ମୋର ସବୁକିଛି 
ମାଆର ଆଶିଷ ରହିଛି ରହିବ
ଏ ବିଶ୍ବାସ ମୋର ଅଛି । ୧୨୭
ମୃତ୍ୟୁ ନରକରୁ ଉଦ୍ଧାର କରିଛି
ଭୁଲି ନ ପାରିବି କେବେ
ମାଆ ପଦ ଧ୍ଯାୟି ବଞ୍ଚି ଅଛି ମୁହିଁ 
ବସା ବାନ୍ଧିଛି ମୋ ହୃଦେ । ୧୨୮
ପଡ଼ିଲେ ବିପଦ ଜଣାଏ ତୁରିତ
ଆଗରୁ କରେ ସତର୍କ
ଯଦି ପାରେ ବୁଝି ନିଜକୁ ସଜୀଡ଼ି
ବିପଦରୁ ହୁଏ ମୁକ୍ତ । ୧୨୯
ବୁଝି ନ ପାରିଲେ ବିପଦ ପଡ଼ିଲେ 
ମାଆ ମୋତେ କରେ ପାରି
ଚାଲି ଯାଉ ଜୀବ ମରି ଯାଉ ଶିବ
ତା'ଗୁଣ କୀର୍ତ୍ତନ କରି । ୧୩୦
ସେହି ଦେବୀ କୃପା ଶିରେ ହେଲା ବର୍ଷା
ଦେବୀଟିଏ ପାଇଥିଲି
ସେହି ଦେବୀ ଆଜି ସାତପର ସାଜି
ପାଦେ ଦେଲା ମୋତେ ଦଳି । ୧୩୧
ବୁଝି ପାରିଲାନି ହୋଇଲା ଅଜ୍ଞାନୀ
ମୋ ଆଖିରେ ଦେଲା ଲୁହ
କୋହ ଭରି ଗଲା ବୁକୁ ତଳେ ମୋର
ତୁଟି ଗଲା ସବୁ ମୋହ । ୧୩୨
ଦେବୀ ଆଜ୍ଞା ଥିଲା ସେ ହିଁ ଜାଣିଥିଲା 
ଯାହା କହିଥିଲେ ମାଆ
ସେହି ଆଜ୍ଞା ନିଶ୍ଚେ ସତ୍ଯ ହେବ ଯେବେ
ଲିଭି ଯିବ ତୋର ନାଆଁ । ୧୩୩
ଦେବୀ ଦୟା ହେଲା କୃପା ବରଷିଲା 
ଶୁଭେ ଶୁଭ ଦେଖା ହେଲା
ଭଗିନୀ ହୋଇଲା ଆଦର କରିଲା 
ରାକ୍ଷୀଟିଏ ପଠାଇଲା । ୧୩୪
ଆଜି ପରିଯନ୍ତ କେବେ ଏଇ ଶିବ 
ହାତରେ ବାନ୍ଧିନି ରାକ୍ଷୀ
ଭଉଣୀର ସ୍ନେହ ଆଦରର ସୂତ୍ର
ହସ୍ତେ ବାନ୍ଧି ହେଲା ଖୁସି । ୧୩୫
ରାକ୍ଷୀ ବାସି ଦିନ କେଜାଣି କେମିତି 
ହାତୁ ରାକ୍ଷୀ ଗଲା ଛିଣ୍ଡି
ଫିଙ୍ଗିନି ତଥାପି ରଖିଛି ସାଇତି
ସେହି ସ୍ମୃତି ଛିଣ୍ଡା ରାକ୍ଷୀ । ୧୩୬
ଏ ବରଷ ମଧ୍ୟ କରିଥିଲା ସତ୍ଯ 
ଦେବା ପାଇଁ ରାକ୍ଷୀଟିଏ 
କେଉଁ କାରଣରୁ ବଞ୍ଚିତ ରାକ୍ଷୀରୁ
ବୁଝି ପାରୁନି ଏଯାଏଁ । ୧୩୭                             ସବୁ ସାଙ୍ଗସାଥୀ ବାନ୍ଧିଛନ୍ତି ରାକ୍ଷୀ
ଦେଖି ଦେଖି ଗରା ଦିନ
ଶୂନ୍ଯ ହସ୍ତ ଦେଖି ଲୁହ ମୁଁ ଢ଼ାଳିଛି 
ଭଗ୍ନୀ ବୁଝିଲାନି ମନ । ୧୩୮
ମାଆର କରୁଣା ହୋଇନାହିଁ ଉଣା
ଆଜି କିଆଁ ଉଣା ହେଲା
ନିଜେ ମୁଁ ଜାଣିନି କାହିଁକି କେଜାଣି 
ଏମିତି ଦଣ୍ଡ ମିଳିଲା । ୧୩୯
କିଛି ଅପରାଧ ରହିଲା କି ମାତ
ହେଲୁ ଏଡ଼େ ନିରିଦୟ
କେଉଁ ସେବା ଅବା ରହିଗଲା ଅଧା
ଆଖି କୋଣୁ ଝରେ ଲୁହ । ୧୪୦
×××××××××××××××××××××××
ଠାକୁର କତିରେ ପଥର ମୂର୍ତ୍ତିରେ 
ମୁଣ୍ଡ ମୁଁ ପିଟିଛି କେତେ
ଭାଇଟିଏ ଲାଗି ପ୍ରାର୍ଥନା କରିଛି
ତା'ଫଳ ମିଳିଲା ମୋତେ । ୧୪୧
ପିଲାଟି ଦିନରୁ କାଖେଇ କୋଳେଇ ତୀକୁ ମୁଁ କରିଛି ବଡ଼
ଭଲ ପାଇଁ ତା'ର ସବୁକିଛି ମୋର
କରିଦେଲି ଛାରଖାର । ୧୪୨
ସ୍ନେହ ଶ୍ରଦ୍ଧା ଦେଇ ଥିଲି ମୁଁ ବଢ଼ାଇ
ସହିଛି ଅନେକ କଷ୍ଟ
ତା' ଲାଗି କରିଛି ବ୍ରତ ଉପବାସ 
ପାଠପଢ଼ା ମୋର ନଷ୍ଟ । ୧୪୩
ଏତେ ସବୁ କରି ହେଲି ହତଶିରୀ
ଶତ୍ରୁଠୁ ଗଲା ସେ ବଳି
କରିନି ତଥାପି ପ୍ରତିବାଦ କିଛି
ସାନଭାଇଟିଏ ବୋଲି । ୧୪୪
ବ୍ରତୋପନୟନ ଶୁଭ କାର୍ଯ୍ଯକ୍ରମ
ଭାଇର ହୋଲା ଯେବେ
କେତେ ଖୁସି ହେଲି ସବୁ କାମ କଲି
ଭାଇ ପାଇଁ ମହାଥୁକେ । ୧୪୫
ଆଜିଠାରୁ ଭାଇ ବ୍ରାହ୍ମଣ ବୋଲାଇ
ସଂସାରେ ହେବ ବିଦିତ 
ଦଇବର ଖେଳ ବହୁତ ବିଚିତ୍ର 
ସବୁ ଓଲଟ ପାଲଟ । ୧୪୬
ବ୍ରତୋପନୟନ ହେଲା ସମାପନ
କଲା ନାହିଁ ପୂଜା କର୍ମ 
ଯେତେ ପରକାରେ ବୁଝାଇ କହିଲେ 
ସବୁ କଲା ହେୟଜ୍ଞାନ । ୧୪୭
ପଞ୍ଚମରୁ ଯାଇ ଷଷ୍ଠରେ ପଢ଼ିଲା
କେଉଁ ଦୁର୍ବୁଦ୍ଧି ଜୁଟିଲା
ପଢ଼ା ଛାଡ଼ି ଅଧା ଖଳ ପ୍ରକୃତିଟା
ଧିରେ ଧିରେ ଜାତ ହେଲା । ୧୪୮
ଯାହା ଯେତେବେଳେ ଯେମିତି ମାଗିଲେ
ପୂରଣ କରିଲେ ସର୍ବେ
କେବେ କେହି ମୋତେ ଦେଇ ନାହିଁ ଟଙ୍କେ
ପିନ୍ଧା ବସ୍ତ୍ର ମଧ୍ୟ ଖଣ୍ଡେ । ୧୪୯
ମାମୁଁ ମାଇଁ ଯଦି ଖଣ୍ଡେ ଦେଇଥା'ନ୍ତି
ସେଇ ଖଣ୍ଡକ ମୋ ସ୍ବର୍ଗ
ପରର ପାଲଟା ପୁରାତନ ପିନ୍ଧା 
ବସ୍ତ୍ର ପିନ୍ଧି ହେଲି ବଡ଼ । ୧୫୦
ନିଜେ ଅରଜିଲି ଖଣ୍ଡେ ଖଣ୍ଡେ କଲି
କାହିଁକି ପିନ୍ଧିଲି ବୋଲି
ପ୍ରତି ମୁହୂର୍ତ୍ତରେ ସର୍ବେ ମୋ ସାଥୀରେ 
ନିଇତି କରନ୍ତି କଳି । ୧୫୧
କହିଲା ମୋ ଭାଇ ପଢ଼ିବି ମୁଁ ନାହିଁ 
ସାଇକଲ୍‌ଟିଏ ଦିଅ
ନହେଲେ ଆଜିଠୁ  ଛାଡ଼ିଲି ପାଠକୁ
ଦେଖିବିନି ସ୍କୁଲ୍‌ ମୁହଁ । ୧୫୨
ସାଇକଲ୍‌ଟିଏ କିଣା ହେଲା ହେଲେ 
ତା'ପରେ ପୁଣି ଅର୍ଡର 
ଟି.ଭି. ଯଦି କିଣ ତେବେ ମୁଁ ପଢ଼ିବି 
କିଣା ହେଲା ଟି.ଭି ତା'ର । ୧୫୩
ଏହିପରି ଖାଲି ବଖାଣିଲା ବୋଲି
ଗଲା ନାହିଁ ପଢ଼ିବାକୁ
କୁସଙ୍ଗରେ ପଡି ଗଲା ତ ବିଗିଡ଼ି
ଚାଲିଗଲା ବାହାରକୁ । ୧୫୪
ନାଗପୁରେ ପୁଣି ସୁରାଟରେଏ ଯାଇ
ଯାହା ତ କରିଲା କାମ
ନିଶାପାଣି ଖାଇ ଉଡ଼ାଇଲା ଭାଇ
ଘରକୁ ଆସିଲା ଶୂନ୍ଯ । ୧୫୫
ଯେତେବେଳେ ଆସେ ଭାଇ ଶୂନ୍ଯ ହସ୍ତେ
କିଛି ତ ନ ଥାଏ ସାଥେ
କରଜ କରିକି ତାହାକୁ ଦିଅନ୍ତି 
ପୁଣି ଫେରିଯାଏ ଯେବେ । ୧୫୬
ମଦ ଗଞ୍ଜେଇରେ ପାରଙ୍ଗମ ସିଏ
ତାକୁ କି ଜିଣିବ କିଏ
ବିଡ଼ି ସିଗାରେଟ୍‌ ଟବାକୋ ସହିତ
ସବୁ ନିଶା ଖାଇଥାଏ । ୧୫୭
ବାହାର ପ୍ରଦେଶେ କଲା ବାକି କେତେ
ସବୁ ତ ସୁଝିଲୁ ଆମେ
ଏବେ ଆସି ଘରେ ବସି ଖାଲିଟୀରେ
ଲାଗୁ ନାହିଁ କିଛି କାମେ । ୧୫୮                       
ସବୁଦିନ ପରା ତା' ପାଇଁକି ଲୋଡ଼ା
ପଚାଶରୁ ଶହେ ଟଙ୍କା 
ପାଖରେ ନ ଥିଲେ କରଜ କରନ୍ତି 
ତାକୁ ତ ଦିଅନ୍ତି ବାପା । ୧୫୯
ଖଣ୍ଡେ ବହି ପାଇଁ ମୋତେ କେବେ କେହି 
ଦେଇନି ପୋଷାକ ପାଇଁ
ଚିରା ଫଟା ପିନ୍ଧି ମଣିଷ ହୋଇଛି
ଭାବିଲେ ଲୁହ ଝରଇ । ୧୬୦
ବିନା ଆଇଁଷରେ ଗୁଣ୍ଡା ଗଳେ ନାହିଁ 
ହେଉ ପଛେ ଯେଉଁ ବାର
ପୁନିଅଁ ପରବ ନାହିଁ ତ ଫରକ
ଲୋଡ଼ା ତା' ଆଇଁଷ ଝୋଳ । ୧୬୧
କହିଲା ମୋ ଭାଇ ଦୋକାନ କରିବ 
ମାଗିଲା ଦଶ ହଜାର 
ଦୀନ ଦରିଦ୍ରର ଛୋଟ ପରିବାର 
ଆମ ପାଇଁ ହେଲା ବଜ୍ର । ୧୬୨
ସେହି କଥା ପାଇଁ ମୋର ସାନଭାଇ
ନିଇତି କରିଲା କଳି
ଭାଙ୍ଗି ଘରଦ୍ୱାର କଲା ଛାରଖାର 
ନର ରାକ୍ଷସଙ୍କ ପରି । ୧୬୩
ବାପା ମାଆ ଭାଇ ସେ ମାନିଲା ନାହିଁ 
ଫାଟିଲା କାହାର ଶିର
ଗେଲବସରରେ ବଢ଼ାଇ ଯେ ଥିଲେ
ଏବେ ହେଲେ ହା' ହା'କାର । ୧୬୪
ମାଡ଼ ଖାଇ ଏତେ ଚେତିଲେ କି କେବେ
ଯଦି ସେ ନ ଥିବ ଖାଇ
ହାତଗୁଞ୍ଜା ଦେଇ ଡ଼ାକି କଅଁଳେଇ
ନିଅନ୍ତି ତାକୁ କୋଳେଇ । ୧୬୫
ମତେ କେବେ କେହି ସ୍ନେହ ଦେଇ ନାହିଁ
ବିନା ଦୋଷେ ମୁଁ ଦଣ୍ଡିତ
ଧିକ୍କାର ବଚନ ନିନ୍ଦା ଅପମାନ 
ମିଛରେ ଖାଇଛି ମାଡ଼ । ୧୬୬
କେବେ କରି ନାହିଁ ପ୍ରତିବାଦ ମୁହିଁ 
ନିରବେ ଯାଇଛି  ସହି
ସତ୍ଯ କଥା ଯଦି କହି ମୁଁ ଦେଉଛି
କାହା ଦେହେ ଯାଉ ନାହିଁ  । ୧୬୭
ଆଜି ଯାଏଁ କେବେ ମିଛ ମୁଁ କହିନି
ଜାଣି କରିନି ଅନ୍ଯାୟ
ମିଥ୍ୟାବାଦୀ ଜନ ଦେଖିଲେ ନୟନ
କମ୍ପି ଉଠେ ମୋର ଦେହ । ୧୬୮
ପଦେ ମିଛ ଯଦି କାହାକୁ କହନ୍ତି 
ତହିଁରୁ ଅବୃତ ଜାତ
ହୋଇ ବହୁ ମିଛ ପ୍ରାଣ କରେ ଗ୍ରାସ
ମୃତ୍ୟୁ ତା'ର ସୁନିଶ୍ଚିତ । ୧୬୯
ଯଦି କେହି କେବେ ମିଥ୍ୟା ଉକ୍ତି ଭାଷେ
କରେନା ମୁଁ ବରଦାସ୍ତ 
ସତ୍ଯ ଭାଷୁଥିବା ଲୋକଟି ସହିତ
କରିଥାଏ ମୁଁ ମିତ୍ରତ୍ବ । ୧୭୦
ତେଣୁ ହେ ସଜ୍ଜନ ମିଛ ସମ୍ଭାଷଣ
ଫିଙ୍ଗି ଦିଅ ବହୁ ଦୂରେ
ସତ୍ଯ ନ୍ଯାୟ ପଥେ ଚଳିଯାଅ ସର୍ବେ
ଧର୍ମ ଯଷ୍ଟି ଧରି କରେ । ୧୭୧
ଦିନେ ରାଗିଥିଲା କଳି କରିଥିଲା 
ସଭିଙ୍କୁ ମାରିଲା ମାଡ଼
ଯେତେ ପରକାରେ ବୁଝାଇଲେ ତାକୁ
ନ ଶୁଣିଲା କାହା ଗୀର । ୧୭୨
ବଡ଼ଭାଇ ବୋଲି ତାକୁ ଆକଟିଲି
ସେହି ହେଲା ମୋର ଦୋଷ
ମୂଳି ବାଉଁଶରେ ପ୍ରହାର କରିଲା
ଅଜାଗାରେ ହେଲା ମାଡ଼ । ୧୭୩
ପାଶେ ଛିଡ଼ା ହୋଇ ବାପା ମାଆ ଭାଇ 
ଭଗ୍ନୀ ଦେଖୁଥିଲେ ଏହା
କଲେ ନାହିଁ କେହି ପ୍ରତିବାଦ କେହି 
କହିଲେନି ପଦେ ଆହା । ୧୭୪
ଚାରିଦିନ ଯାଏଁ ଚାଲି ନ ପାରିଲି
ପଥ ଚାଲେ ଦଣ୍ଡ ଧରି
ସେହି ଦଣ୍ଡ ଧରି ପଥ ଚାଲି ଚାଲି 
ମେଡ଼ିକାଲ ଯାଏଁ ଗଲି । ୧୭୫
ଭାଇଟିଏ ପାଇଁ ଗୁହାରି କରିଛି
ଠାକୁର ସମୀପେ କେତେ
ସେଇ ଭାଇ ଆଜି ଉପହାର ଦେଲା
ପ୍ରତିଦାନେ ଦେଖ ଏବେ । ୧୭୬
ଦିନେ ଯାହା ଲାଗି ମୋର ସବୁକିଛି 
କରି ଦେଇଥିଲି ତୁଚ୍ଛ 
ସେହି ଭାଇଆଜି ଉପହାର ଦେଲା
କାନ୍ଦି ଉଠେ ମୋର ହୃଦ ।
ଦିନକର ଏକ ଘଟଣାର ଚକ୍ର 
ଯାଇଥିଲି ମାମୁଁଘର 
ସାନଭାଇ ଏଠି ତାଣ୍ଡବ କରିଛି
ନେବାକୁ ଦଶ ହଜାର  । ୧୭୮
ଭଉଣୀଙ୍କୁ ବାପା କହି ଏହି କଥା 
ଭିଣୋଇଠୁ ଟଙ୍କା ଆଣି
ଦୋକାନ ନିମିତ୍ତ ଦେଲେ ପୁତ୍ର ହସ୍ତ 
ଏହା ମୁଁ ନ ଥିଲି ଜାଣି । ୧୭୯
ମୁଁ ବି ତ ଗୋଟେ ଘରର ସଦସ୍ୟ 
ଜଣାଇଲେ ନାହିଁ ମୋତେ
ଘରକୁ ଆସିଲି ଏକଥା ଶୁଣିଲି
ବଜ୍ର ପଡ଼ିଗଲା ମୁଣ୍ଡେ । ୧୮୦
ନବ ବନ୍ଧୁଘର ନବ ବିଭାଘର
କଥ ହେଲା ଅବାନ୍ତର
ସୁଝି ନ ପାରିଲେ ଲୋକହସା ହେବା
ଲାଗିଲା ବହୁତ ଡ଼ର । ୧୮୧
ଯାହା ହେବା କଥା ହୋଇ ତ ସାରିଛି
ଭାବିଲେ କି ଆଉ ହେବ ?
ଲାଗିପଡ଼ି ତାକୁ ହେବ ସୁଝିବାକୁ
ଏକ ବର୍ଷର ଜବାବ । ୧୮୨
ନିଜେ ଯାଇ ମୁହିଁ ସଉଦା କିଣିଲି
ଯାଇ ମୁଁ ପାଖ ବଜାର
ନିଜେ ମୁଁ ବସିଲି ଦୋକାନେ ବିକିଲି
ଭାଇଟିଏ ବୋଲି ମୋର । ୧୮୩
ମୋ ଅନୁପସ୍ଥିତେ ବାକି ଦେଲା କେତେ
ଦୋକାନ ବି ଡୁବି ଗଲା
ମୋର ନିଜ ହାତୁ ଟଙ୍କା ଦେଲି ତାକୁ
ତାକୁ ବି ଉଡ଼ାଇ ଦେଲା । ୧୮୪
ବିରକ୍ତିର ଭାବ ହୋଇଲା ଜାଗ୍ରତ
ବିରକ୍ତେ ଆସିଲି ଫେରି
କଳି ଆରମ୍ଭିଲା ଗାଳିମନ୍ଦ କଲା 
ଏହା ମୁଁ ଯେବେ ପୁଚ୍ଛିଲି । ୧୮୫
କିଛିଦିନ ପରେ ବୁଡ଼ି ଗଲା ସବୁ
ଆଉ ତ ନାହିଁ ଦୋକାନ 
ଘରେ କଳି କଲା ପୁଣି ଗାଳି ଦେଲା
ରଚିଲା ବହୁତ ରଣ । ୧୮୬
ମହିଳା ମଣ୍ଡଳୁ ପାଞ୍ଚ ହଜାର ଯେ
ଆଣି ଦେଲେ ତାକୁ ନେଇ
କହିଲେ ବାପାରେ ଦୋକାନ କରିବୁ
ରାଗ ଋଷା କର ନାହିଁ । ୧୮୭
ଆଜି ଯାଏଁ କେହି ବାପା ମାଆ ହୋଇ 
ମୋ ମୁହଁକୁ ଚାହିଁ ନାହିଁ 
ଭାଇ ଓ ଭଉଣୀ ମାଗିବାର କ୍ଷଣି
ଦିଅନ୍ତି ତାକୁ ବଢ଼ାଇ । ୧୮୮
ଇଏ କେମିତିକା ପାତର ଅନ୍ତର
ଗୁରୁଜନ ହୋଇ ମୋର
ଭଲ କାମ ପାଇଁ ମାଗିଲେ ବି ମୁହିଁ 
କରିଥା'ନ୍ତି ହତାଦର । ୧୮୯
ଅଯଥା କେମିତି ପଇସା ଉଡ଼ାନ୍ତି
ଇଏ ବା କେଉଁ ବିଚାର
ସିଏ କ'ଣ ପୁଅ ମୁଁ କି ପୁଅ ନୁହଁ 
ଭାବନ୍ତି ମତେ ଇତର । ୧୯୦
ଯାହାକୁ ଭାବିଲି ଆପଣାର ବୋଲି
ସର୍ବେ ହେଲେ ସ୍ବାର୍ଥେ ଅନ୍ଧ
ଆପଣାର କେହି ଅଛନ୍ତି କି ନାହିଁ 
ଏ ପର୍ଯ୍ଯନ୍ତ ବି ମୁଁ ଅଜ୍ଞ । ୧୯୧
ଏମିତି ମୋ ବାପା ହେଲେ ଜନ୍ମଦାତା 
କହିବୀକୁ ଲାଗେ ଲାଜ
ଜୀବ ଥାଉ ଥାଉ ହରି ନେଲେ ପ୍ରାଣ
ଏ ଜୀବ ଥାଇ କି ଲାଭ । ୧୯୨
ଗମିଥିଲେ ଦିନେ ନିଜ କୁଳକର୍ମେ
ବିଳମ୍ବ ହୋଇଲା ବୋଲି
ଏମିତିକା ମିଛ ଭାଷିଲେ ମୋ ତାତ
ସେହିଦିନ ମରିଗଲି । ୧୯୩
ଯଜମାନ ଆଗେ କହିଥିଲେ ମିଛେ
ମାଟ୍ରିକ୍‌ ପରୀକ୍ଷା ଦେଇ
ଉତ୍ତୀର୍ଣ୍ଣ ନ ହୋଇ ପୁଅଟି ମୋହର
ପଡ଼ିଥିଲା ବିଷ ପିଇ । ୧୯୪
ମେଡ଼ିକାଲ୍‌ ନେଇ ଯାଇଥିଲି ମୁହିଁ 
ସେଲାଗି ହେଲା ବିଳମ୍ବ 
ତହିଁ ପରଦିନ ଦେଖି ଯଜମାନ 
କହିଲା ସବୁ ବୃତ୍ତାନ୍ତ । ୧୯୫
ରଙ୍ଗା ପଡ଼ିଗଲା ମୋ ମୁଖ ମଣ୍ଡଳ 
ଝରିଗଲା ଅଶ୍ରୁଧାର
କିଏ ଏମିତିକା ଅଛି କା'ର ବାପା
ଭାଷିବ ଏମିତି ଗୀର । ୧୯୬
ଯେତେହେଲେ ମୋର ସେ ଗୁଲୁ ଗୁରୁଜନ
କିସ ବା ଆଉ କହିବି
ନିଜ ଥାନମୁଣ୍ଡା ଆଉଁସି ରହିଲି
ନିଜର ଭାଗ୍ଯକୁ ନିନ୍ଦି । ୧୯୭
ସତରେ କି ମୋର ଲଲାଟେ ତ୍ରିଗାର
ଦୁଃଖରେ ହୋଇଛି ଟଣା
ସ୍ନେହ ମମତା ତ ଭାଗ୍ଯେ ନାହିଁ ମୋର
ସୁଖ ଶାନ୍ତି ମଧ୍ୟ ଉଣା । ୧୯୮
ଦୁଃଖର ଜୀବନ ଲାଗେ ମ୍ରିୟମାଣ 
ନିତି ମରି ବଞ୍ଚିଥାଏ
କାହାକୁ କହିବି ଶୁଣିବ ବା କିଏ
କେହି ତ ନିଜର ନୁହେଁ । ୧୯୯
ଆତ୍ମୀୟ ସ୍ବଜନ ଛେଦିଲେ ଆନନ
ଶତ୍ରୁଠାରୁ ଗଲେ ବଳି
ଉଚିତ କଥାଟି ଯେବେ ମୁଁ କହୁଛି 
ନିଇତି କରନ୍ତି କଳି । ୨୦୦
ବଞ୍ଚିବା ମରିବା ମୋର ଏକା କଥା
ନର୍କ ମୋର ଜୀବନଟା
କାନ୍ଦିବା ମୋହର ପ୍ରତ୍ଯହ ବେପାର
କୋହ ଉଠେ ବୁକୁ ଫଟା । ୨୦୧
ଅଜାଗା ଘାଆକୁ ଦେଖି ହୁଏନି କି
ଦେଖାଇ ହୁଏନି ଜମା
ଭଉଣୀଙ୍କ କଥା କି କହିବି ଆଉ
ସରବେ କରନ୍ତୁ କ୍ଷମା । ୨୦୨
ଆଉ ଗୋଟେ ପୁଣି ଘଟଣାକୁ ଶୁଣି
ବ୍ଯଥିତ ହୋଇଲି ମୁହିଁ 
ଭାବିଲି କପାଳ ଫାଟୁ ନାହିଁ ମୋର
ଲୁହ ଝରେ ଲହୁ ହୋଇ । ୨୦୩
ଦିନେ ନିଶା କାଳେ ସାଙ୍ଗସାଥୀ ମେଳେ 
ଭୋଜି କରୁଥିଲି ଯାଇ
ଫେରୁ ଫେରୁ ମୋର ହୋଇଲା ଉଚ୍ଛୁର 
ଘରେ ପହଞ୍ଚିବା ପାଇଁ । ୨୦୪
ଘରେ ଆସି ଦେଖେ ନିଦ୍ରିତ ସମସ୍ତେ 
ସମୟ ହେଲାଣି ବାର
ମଝି ବାରଣ୍ଡାରେ ସଉପ ବିଛାଇ
ନିଦ୍ରାରେ ହେଲି ବିଭୋର । ୨୦୫
ଉଠି ପ୍ରଭାତରେ ବିଳମ୍ବ କାଳରେ
ମୁଖ ପ୍ରକ୍ଷାଳନ କରି
ସ୍ନାନ କରିବାକୁ ଗଲି ସରସୀକୁ
ଦନ୍ତକାଷ୍ଠ କରେ ଧରି । ୨୦୬
ସରସୀ ତଟରେ ଦନ୍ତ ଧାବନରେ
ନିମଗ୍ନ ଥିଲି ମୁଁ ଯେବେ
ବୟୋଜ୍ୟେଷ୍ଠ ବୃଦ୍ଧ ବ୍ରାହ୍ମଣ ଜଣକ
ଅଟକିଲେ ସେହି ଠାବେ । ୨୦୭
ଅଜା ବୋଲି ଡ଼ାକୁ ଆମେ ଯେ ତାହାଙ୍କୁ
ବିରକ୍ତେ ନିରେଖି ଚାହିଁ 
କିଛିକ୍ଷଣ ପରେ କହିଲେ ସଧୀରେ 
ଆଖିରେ ଆଖି ମିଶାଇ ।୨୦୮
ଆରେ କୁଳାଙ୍ଗାର ଏ କି ବ୍ଯବହାର
ଜାଣିନୁ କି ଶିଷ୍ଟାଚାର 
କାହାକୁ କେମିତି ସମ୍ମାନ ଦିଅନ୍ତି 
ଜାଣିନୁ କିରେ ବାଚାଳ । ୨୦୯
ମଣିଷ ନୁହେଁ ତୁ ଅଙ୍ଗାର ଖଣ୍ଡିଏ
କ୍ଷେତରେ ବାଳୁଙ୍ଗା ତୃଣ
ପାଠ ପଢ଼ିଅଛୁ ଏମିତି ହେଉଛୁ
ମୁର୍ଖ ଠାରୁ ବି ତୁ ହୀନ । ୨୧୦
ବ୍ରାହ୍ମଣ କୁଳରେ କିଏ ସେ ତୋତେରେ
କେମିତି ଦେଲା ଜନମ
ପୁରାଣ ଶାସ୍ତ୍ରକୁ ପଢ଼ୁଛୁ ପରା ତୁ
ଆନକୁ ଦେଉଛୁ ଜ୍ଞାନ । ୨୧୧
ଧିକ୍‌ ତୋ ଜୀବନ ଏମିତି କରମ 
କାହିଁ ପାଇଁ କରୁ ତୁହି
କେଉଁ ବେଳା ଲଗ୍ନେ ଜନ୍ମ ତୁ ହୋଇଲୁ
ତୋ ମୁହଁକୁ ଶୀତ ନାହିଁ ।୨୧୨
ଶୁଣି ଏ ବଚନ ଘୂରିଲା ଆନନ
କିଛି ନ ପାରିଲି ବୁଝି
ପୁଚ୍ଛିଲି ହେ ଅଜା କୁହ କେଉଁ କଥା
କେଉଁ ଅପରାଧ ଅଛି ? ୨୧୩
ଅଜା କହୁଛନ୍ତି ବୁଝି ପାରୁନୁ କି
ଯାହା ତୁ କରିଛୁ କର୍ମ
ଧର୍ମଦ୍ରୋହୀ ହେଲୁ ତୁହି ଆଜି ଠାରୁ
ନର୍କରେ ବି ନାହିଁ ସ୍ଥାନ । ୨୧୪
ବଚନେ ଭାଷିଲି କି ଦୋଷ କରିଲି
ଏମିତି କହୁଛ କାହିଁ ?
ବୁଝି ପାରୁନାହିଁ କୁହନ୍ତୁ ବୁଝାଇ
ଏ କଟୂକ୍ତି କାହିଁ ପାଇଁ  । ୨୧୫
କହୁଛନ୍ତି ଅଜା କାଲି ରାତି କଥା
ମନରୁ ଗଲୁ କି ଭୁଲି !
ଯାହା ମୁଁ ଶୁଣିଲି ବାପାଠୁ ତୋହର
ଶୁଣି ଆଚମ୍ବିତ ହେଲି । ୨୧୬
ସଧୀରେ ଭାଷଇ କୁହନ୍ତୁ ବୁଝାଇ 
ବୁଝି ପାରୁନାହିଁ ମୁହିଁ 
କି କଥା ଶୁଣିଲ ଆଚମ୍ବିତ ହେଲ
ଏମିତି କହିଲ କାହିଁ  । ୨୧୭
କହିଲେ ବିରକ୍ତେ ନିରଖି ମୋ ମୁଖେ
ଧିକ କୁଳାଙ୍ଗାର ତୁହି
ଘୋର ନିଶା କାଳେ ବାପର ଗଳାରେ
ପାଦ ରଖିଥିଲୁ କାହିଁ  ? ୨୧୮
ଅଜାଙ୍କ ବଚନ କରିଣ ଶ୍ରବଣ
ସ୍ତମ୍ଭଟିଏ ହୋଇଗଲି
କିଛି ତ ଏମିତି ଘଟିନି ସେମିତି
ଏମିତି କାହିଁ ଶୁଣିଲି ? ୨୧୯
ବିସ୍ମୟେ ପୁଚ୍ଛିଲି ଏ କି କୁହ ବୋଲି 
କାହିଁକି ଏ ଅପବାଦ
ବାପର ତଣ୍ଟିରେ ପୁଅ ଯାଇ ପୁଣି
ରଖିବ କାହିଁକି ପାଦ ? ୨୨୦
ଏହା ଶୁଣି ଅଜା ହୋଇଲେ ତାଟସ୍ଥା
ବାପ କି କହିଲା ମିଛ !
କହିଲି ତାହାଙ୍କୁ ଆପଣ ଯାଆନ୍ତୁ
ପଛରେ ଯାଉଛି ଶିବ । ୨୨୧
ଅଜା ଚାଲିଗଲେ ଅଜାଙ୍କ ବାଟରେ
ସାରି ନିତ୍ଯକର୍ମ ଗଲି
ପୁଚ୍ଛିଲି ବାପାଙ୍କୁ ଏହି ଘଟଣାକୁ 
କହିଲେ ଏ ମିଥ୍ୟା ବୋଲି । ୨୨୨
ଅଜା ବସିଥିଲେ ଦାଣ୍ଡ ପିଣ୍ଡା ପରେ
ପ୍ଲାଷ୍ଟିକ୍‌ ଚଉକି ପରେ
ପହଞ୍ଚିଲି ଯାଇ ମୋ ବାପାଙ୍କୁ ନେଇ
ବୃଦ୍ଧ ଅଜା ସମୀପରେ  । ୨୨୩
ଭରଜାଭରଜି ହେଲା ଯେବେ ସେଠି
ଧରା ପଡ଼ିଗଲା କଥା
ବାପା କହିଛନ୍ତି ମିଛରେ ତାହାଙ୍କୁ 
ଏହା ଶୁଣି ହେଲି କାବା । ୨୨୪
ଘରକୁ ଆସିଲି ବାପାଙ୍କୁ କହିଲି
ମିଛେ ହେଲି ବଦନାମ 
କେଉଁ ବୋଷ ଅବା କରିଥିଲି କୁହ
ଏପରି କଲ କରମ । ୨୨୫
କିଛି ନ କହିଲେ ନିରବ ରହିଲେ
ବିଷାଦ ଗ୍ରାସିଲା ମୋତେ
ଧିକ ଏ ଜୀବନ ଧିକ ମୋ ପରାଣ
ବଦନାମ ସଦା ମିଛେ । ୨୨୬
କପାଳରେ କର ଥାପି ବସିଗଲି
ଜୀବନ ଲାଗିଲା ପିତା
ମନେ ମନେ ନିଜେ ନିଜକୁ ଶୋଧିଲି
ଧନ୍ଯ ପୁତ୍ର ଧନ୍ୟ ବାପା । ୨୨୭
ମଣିଷ ଜନମ ମୋର ହୀନିମାନ 
କାହାକୁ ଅବା କହିବି
କରମଟା ଛୋଟ କପାଳରେ ଫାଟ
ସବୁ ତ ସହିବି ଏଠି । ୨୨୮
ବକ୍ଷ ତଳେ ଚାପି ରଖିଲି କୋହକୁ
ଆଖିରେ ଆଖିଏ ଲୁହ
ନିଜ ଲୋକ ଯଦି ସାତପର ଏଠି
କାହାକୁ କହିବି କୁହ । ୨୨୯
ସେଦିନୁ ଜାଣିଲି ଆପଣାର ବୋଲି 
କେହି ବି ନାହିଁ ମୋହର 
ମୋର ଲୁହ କୋହ ଅତି ଆପଣା୨୫
ଆଉ ଯେତେ ସବୁ ପର । ୨୩୦
ନେଲି ଆପଣେଇ ଲୁହ କୋହ ମୁହିଁ 
ସେଦିନୁ ସେମାନେ ସାଥୀ
ସ୍ବଜନ ସିନା ତ ପର କରିଦେଲେ
ସେମାନେ ନ ଯା'ନ୍ତି ଛାଡ଼ି । ୨୩୧
××××××××××××××××××××××××
ଆଉ ଏକ ନିନ୍ଦା ଅପବାଦ କଥା
ମନରୁ ଭୁଲି ପାରୁନି
କେମିତି କହିବି କୋଉଠୁ କହିବି
ନିଜେ ବି ପାରୁନି ଜାଣି । ୨୩୨
ଖୋଜା ଚାଲିଥିଲା ବହୁତ ଦିନରୁ 
ଭଗ୍ନୀ ପାଇଁ ବରପାତ୍ର
ଆସନ୍ତି ଯାଆନ୍ତି କେତେ କେତେ ବ୍ଯକ୍ତି
କୋଉଠି ହେଲାନିସ୍ଥିର । ୨୩୩
ପଡ଼ିଲେ ଚିନ୍ତାରେ ସର୍ବେ ଆମ ଘରେ
ସେ ଚିନ୍ତା ମୁଁ କଲି ଦୂର
ଖୁବ୍‌ ସ୍ବଳ୍ପ ଦିନେ ଯୋଗାଡ଼ି ପ୍ରସ୍ତାବ
ସ୍ଥିର କଲି ବାହାଘର । ୨୩୪
ପ୍ରଥମେ ପ୍ରଥମେ ସେହି ପ୍ରସ୍ତାବରେ
ଅରାଜି ମୁଁ ହେଉଥିଲି
ବଡ ଘର ବୋଲି ଯେବେ ମୁଁ ଶୁଣିଲି 
ମୁହେଁ ମୁହେଁ ମନା କଲି । ୨୩୫
ଏତେବଡ଼ ଘରେ ବନ୍ଧୁଟେ ବାନ୍ଧିଲେ
କାହୁଁ ବା ପାଇବି ଧନ
ଧନ ହୀନ ଜନ ବଳାଇଲେ ମନ
ସଂସାରେ ହସିବେ ଜନ । ୨୩୬
ତୁମ ଇଚ୍ଛା ଯୀହା ଦିଅନ୍ତୁ ତ ତାହା
ଝିଅଟିଏ ଲୋଡ଼ା ଖାଲି
ରୂପରେ ଗୁଣରେ ଭଲ ହୋଇଥାଉ
କହିଲେ ସେମାନେ ଖୋଲି । ୨୩୭
କିଛି ବାର୍ତ୍ତାଳାପ ହେଲା ପରେ ଶେଷ
ତା' ପରେ ସମ୍ମତି ଦେଲି
ହେଲା ସତ୍ଯବାକ ବିବାହ ଉତ୍ସବ 
ଏସବୁ ନିଜେ ବୁଝିଲି । ୨୩୮
ଗାଡ଼ି ଘୋଡ଼ା ଠାରୁ ବରଯାତ୍ରୀ ଯାଏଁ 
ବିବାହର ପ୍ରତି କାର୍ଯ୍ଯ
ବନ୍ଧୁ ବାନ୍ଧବଠୁ ଭୋଜିଭାତ ଯାଏଁ 
ମୋ ଉପରେ ସବୁ ନ୍ଯସ୍ତ । ୨୩୯
ଚାରିମାସ ଯାଏଁ ଖାଇ ବି ପାରିନି
ଶାନ୍ତିରେ ଗୁଣ୍ଢାଏ ଭାତ
କେମିତି ସରିବ ଏଇ ବାହାଘର 
ସର୍ବଦା ହେଲି ଚିନ୍ତିତ  । ୨୪୦
ତାରିଣୀ ମାଆର କରୁଣା ରହିଛି
ବିପଦେ ଡ଼ାକିଲେ ଶୁଣେ
ହୋଇନି ଏମିତି ଦିନେ ବି କଦାପି 
ଶୁଣିନି ତାରିଣୀ ଦିନେ । ୨୪୧
ବହୁ ବିପଦରୁ ଉଦ୍ଧାରିଛି ମତେ
ନ ଥାଉ ତୁମ ବିଶ୍ବାସ 
ତୁମକୁ ତ ମିଛ ମତେ କିନ୍ତୁ ସତ
ମାଆ ମୋ ଚିର ସଙ୍ଗତ । ୨୪୨
ବାହାଘର ପୂର୍ବ ରାତ୍ର ମଧ୍ୟଭାଗେ
ସ୍ବପ୍ନଟିଏ ଦେଖିଥିଲି
କେହି ଜଣେ ନାରୀ ଅପୂର୍ବ ସୁନ୍ଦରୀ
କହିଥିଲା ମତେ ଖୋଲି । ୨୪୩
କାହିଁକି  ଚିନ୍ତିତ ଚିନ୍ତା ଛାଡ଼ ପୁତ୍ର
ଭଲରେ ସରିବ କାର୍ଯ୍ଯ
ଯାହା କହିଥିଲା ତାହା ହୋଇଥିଲା
ଟିକେ ମଧ୍ଯ ନାହିଁ ଦ୍ବନ୍ଦ । ୨୪୪
ସରିଲା ବିବାହ ଗଲେ ଜ୍ବଇଁ ଝିଅ
ସରିଗଲା ମହୋତ୍ସବ 
ସର୍ବେ ପ୍ରଶଂସିଲେ ଧନ୍ଯ ଧନ୍ୟ କଲେ
କହିଲେ ଧନ୍ଯ ତୁ ଶିବ । ୨୪୫
ଏତେବଡ଼ କାର୍ଯ୍ଯ କରି ପକାଇବୁ 
ସ୍ବପ୍ନରେ ନ ଥିଲୁ ଭାବି
ବନ୍ଧୁ ବାନ୍ଧବଠୁ ସାଙ୍ଗସାଥୀ ଯାଏଁ 
ସରବେ ହୋଇଲେ ଖୁସି । ୨୪୬
କିଛିଦିନ ଗଲା ଭଲରେ କଟିଲା
ଭାଇ ଭାଇ ହେଲେ ଭିନ୍ନ 
କାହା ଘରେ କିଏ ଏକାଠି ରହିଛି
ଦିନେ ନା ଦିନେ ତ ଛିନ୍ନ । ୨୪୭
ଏଥିଲାଗି ମୋତେ ମୋ ଘରେ ସମସ୍ତେ 
ବହୁ କଥା ଧିକାରିଲେ
କୁହନ୍ତୁ ଆପଣ କି ଦୋଷ କରିଲି 
ଗଣା ହେଲି ମୁଁ ଦୋଷୀରେ । ୨୪୮
ଆଜିଯାଏଁ ମୋତେ ଖୁଣ୍ଟା ଦେଉଛନ୍ତି 
ବାପା ମାଆ ଦୁହେଁ ମିଶି
ସାନ ଭଉଣୀ ମୋ ଦିଏ ଉଲୁଗୁଣା
ବାଇ ନୁହେଁ ତୁ କଂସଟି । ୨୪୯
ଏତେବଡ଼ କାମ ତୁଲାଇଲି ନିଜେ
କାହାର ପାଉନି ମନ
ଘରେ କହୁଛନ୍ତି କି କାମ କରିଛୁ
ଇଏ ପରା ସାଧାରଣ । ୨୫୦
ତଥାପି କାହାକୁ କହି ନାହିଁ କିଛି
ଚୁପ୍‌ଚାପ୍‌ ଗଲି ସହି
ମାଆ ତାରିଣୀଙ୍କୁ ସୁମରଣା କରି
ପଡ଼ିଛି ଭାଗ୍ଯକୁ ନେଇ । ୨୫୧
ବହି ଯାଇଅଛି ବିରାଟ ସୁନାମି
ଏଇ ମୋର ଜୀବନରେ
ଜୀବନଟା ଲାଗେ ବିଷପିତା ମୋତେ
ମରି ବଞ୍ଚିଛି ସଂସାରେ । ୨୫୨
ସଙ୍ଗାତ ମୋହର ଅତି ଆପଣାର
ଦେବ ତୁଲ୍ଯ ବ୍ଯକ୍ତି ଜଣେ
ତାଙ୍କ ପରିବାର ସବୁଠୁ ନିଜର
ଭୁଲି ନ ପାରିବି କ୍ଷଣେ । ୨୫୩
ସଙ୍ଗାତ ଭଉଣୀ ଭାରି ଅଭିମାନୀ
ଭଲ ପାଇଥିଲି ତାକୁ
ରୁନୁ ବୋଲି ନାମ କରୁଥିଲା ପ୍ରେମ
ମତେ ତା'ର ଜୀବନଠୁ। ୨୫୪
ଆମ ପ୍ରେମ ଥିଲା ସବୁଠୁ ନିଆରା
ଭାଷା ନାହିଁ ବର୍ଣ୍ଣିବାକୁ
ବର୍ଣ୍ଣିବି କେମିତି ଭାଷା ନାହିଁ କିଛି
ସ୍ଫୁରୁନି ମୋର ତୁଣ୍ଡକୁ । ୨୫୫
ତାଙ୍କ ପରିବାର ଜାଣନ୍ତି ସକଳ 
ଆମ ପ୍ରେମର ବୃତ୍ତାନ୍ତ 
ହେଲେ ଏଠି ମୋର ନିଜ ପରିବାର
ଆଜିଯାଏଁ ମଧ୍ଯ ଅନ୍ଧ । ୨୫୬
ଦୁଇ ଦୁଇଥର ଅସ୍ତ୍ର ଉପଚାର
ସଙ୍ଗାତ କରିଲେ ମୋର
ରହି ଉଜାଗର ତାଙ୍କ ପରିବାର
ସେବା କରୁଥିଲେ ମୋର । ୨୫୭
ଆଜିଯାଏଁ କେହି  ଜାଣି ପାରିନାହିଁ 
କେବେ କହିନି କାହାକୁ
ଉହ୍ଯ ମୁଁ ରଖିଛି ସବୁ କଥା ଏଠି
ଦେଇନାହିଁ ଜାଣିବାକୁ । ୨୫୮
ଔଷଧ ପତର ଯେତେ ଉପଚାର
ସବୁ କରିଥିଲେ ସେହି
ଖର୍ଚ୍ଚ କରିନାହିଁ ଗୋଟେ ଟଙ୍କା ମୁହିଁ 
ମୋର ଉପଚାର ପାଇଁ । ୨୫୯
ମରଣ ମୁହଁରୁ ଯମ ଦରବାରୁ
ଆଣିଥିଲେ ଲେଉଟାଇ
ଦେବ ତୁଲ୍ଯ ଥିଲେ ମୋର ଜୀବନରେ
କେମିତି ଭୁଲିବି ମୁହିଁ ? ୨୬୦
ଅମ୍ଳାନ ପୁରୁଷ ଥିଲେ ମୋ ସଙ୍ଗାତ 
ତାଙ୍କ ପରି କେହି ନାହିଁ 
ତାଙ୍କ ଚରଣରେ ଅଶ୍ରୁ ଅର୍ଘ୍ୟ ଢ଼ାଳି 
ପ୍ରଣାମ କରୁଛି ମୁହିଁ  । ୨୬୧
ସଙ୍ଗାତ ମୋହର ଅଯୋଧ୍ୟା ଠାକୁର
ସଙ୍ଗାତୁଣୀ ମୋ ଜାନକୀ
ମୁଁ ତ ବାୟୁ ପୁତ୍ର କେଶରୀ କୁମର
ବାନର ମୁଁ ବଜରଙ୍ଗୀ । ୨୬୨
ପ୍ରଭୁ ରାମଚନ୍ଦ୍ର ବିନା ଏ ବାନର
ପାରିବ କି କେବେ ବଞ୍ଚି 
ନିତି ଭୁଞ୍ଜୁଥିଲି ରାମ ରସାବଳି 
କିଏ ଆଉ ଦେବ ଆସି ? ୨୬୩
ଥିଲେ ମୋର ସେହି ପିତା ମୀତା ହୋଇ
ବିପଦେ ଆପଦେ ମୋର
ତାଙ୍କ ବିନା ଶିବ କେମିତି ବଞ୍ଚିବ
ଝରି ଯାଏ ଅଶ୍ରୁ ଝର । ୨୬୪
ଜଣେ ଦି'ଜଣ ତ ନୁହଁନ୍ତି ସମସ୍ତ 
ପରିବାର ଗଲେ ଦୂର
ଏଇ ମୋ ହାତରେ ଶ୍ମଶାନ ମାଟିରେ
ସଭିଙ୍କୁ କଲି ସତ୍କାର ।୨୬୫
କେଡ଼େ ଭାଗ୍ୟବନ୍ତ ମୋ ପରି ମଣିଷ 
ସୁଯୋଗ୍ୟ ବନ୍ଧୁଟେ ମୁହିଁ 
କିଏ ଦେଖିଛ କି ବନ୍ଧୁଟେ ଏମିତି 
ମୁଖାଗ୍ନି ଯେ ଥିବ ଦେଇ । ୨୬୬
ସାରା ପରିବାର କରିଦେଲେ ଦୂର
ଏଯାଏଁ ଭୁଲି ପାରୁନି
ସମସ୍ତଙ୍କୁ ନିଜେ ଦେଲି ଏଇ ହାତେ
ଶମଶାନେ ଯାଇ ଅଗ୍ନି । ୨୬୭
ଏବେ କେହି ନାହିଁ ଆହା ପଦେ ପାଇଁ
ସଂସାରେ ଆଜି ମୁଁ ଏକା
ଏମିତିକା ଖେଳ କିମ୍ପାଇଁ ଖେଳିଲ
କୁହନ୍ତୁ ମୋତେ ବିଧାତା । ୨୬୮
ଧର୍ମ ଅବତାର ପ୍ରଭୋ ଲକ୍ଷ୍ମୀଧର
ଦିଅନ୍ତୁ ମତେ ଉତ୍ତର
ଧର୍ମ ଦରବାରେ ରାଜଗାଦି ପରେ
କାହିଁକି ପ୍ରଭୁ ପଥର ? ୨୬୯
ବାଦୁଆ ଠାକୁର ଅଧର୍ମ ବିଚାର
କାହିଁକି କରୁରେ ତୁହି
ଧରମ ଦାଣ୍ଡରେ କରମ ଛଡେଇ 
କାହିଁକି ତୁ ଧର୍ମଦ୍ରୋହୀ । ୨୭୦
ଆହୁରି ଅନେକ ରହିଛି ଗୁପତ
ସବୁକୁ ପାରୁନି ବର୍ଣ୍ଣି
ବରନିବି ଯଦି ସବୁ ଗୋଟି ଗୋଟି
ସରିବନି ଏ କାହାଣୀ । ୨୭୧
ଶେଷ କଥା ଗୋଟି କହୁଛି ମୁଁ ଆଜି
ଯାହା ସବୁ ବରନିଲି
ଟିକେ ନାହିଁ ମିଥ୍ୟା ଇଏ ସତ୍ଯ କଥା
ଭାବିବନି ମିଛ ବୋଲି । ୨୭୨                                   
ଜୀବନ ସାରା ମୁଁ ହରାଇଲି ଖାଲି
ପାଇଲିନି ଦିନେ କିଛି 
ପ୍ରଭୁ ଜଗନ୍ନାଥ ଶ୍ରୀ ତାରିଣୀ ମାତ
କପଟ କରିଲେ ମିଶି । ୨୭୩
ତଥାପି ଠାକୁର ମୋ ପାଇଁ ପଥର 
ଦୁଃଖ ଦେଲେ ବେଶି ବେଶି
ଏମିତିକା ଦୁଃଖ ପ୍ରାପ୍ତ କଲା ଶିବ
ମନରୁ ପାରୁନି ଲିଭି । ୨୭୪
ପ୍ରଭାତରୁ ଉଠି ବେଗେ ଶଯ୍ୟା ତ୍ଯାଗି
ନନା ଗଲେ ବାଲିପଡା
ଅଟୋରେ ଆଣିଲେ ଜାଳେଣି କାଠକୁ
ଉଚ୍ଛୁରେ ଘର ବାହୁଡା । ୨୭୫
ଅଟୋ ଚାଳକକୁ ଅଟକାଇ ଘରେ
କହିଲେ ରହ ତୁ ଯିବା
ପଚାରିଲି ନନା କେଉଁଆଡେ ଯିବ
ଉତ୍ତର ଶୁଣି ମୁଁ କାବା । ୨୭୬
ନନା କହୁଛନ୍ତି ଅଟୋରେ ତ ଯିବି
ଭୁବନେଶ୍ବରକୁ ମୁହିଁ 
ତିନି ଦିନ ମଧ୍ୟେ ଭଲ ହୋଇଯିବି
ମତେ ଜଣେ ଅଛି କହି । ୨୭୭
ନନ୍ଦପୁରରସେ ସାରଥ ବାରୀକ
ସାଥିରେ ଯିବ ମୋହର
ତିନି ଦିନେ କେହି ଭଲ ହେଇ ନାହିଁ 
ମିଛ ଏହି କଥା ତା'ର । ୨୭୮
ଆମେ ଜାଣିବୁନି ପୁମେ ଯିବ ଏହା
କେମିତି ହେବ ସମ୍ଭବ
ଚାନ୍ଦପୁର ଯିବା ହୋଇଅଛି କଥା
ତୁମେ ନିଶ୍ଚେ ଭଲ ହେବ । ୨୭୯
ଆସି ସାନଭାଇ ମଦ ପେଟେ ପିଇ
ଅକାରଣେ କଲା କଳି
ଘରଦ୍ୱାର ଭାଙ୍ଗି ରଚିଲା ପ୍ରଳୟ
ସବୁ ଗଲୁ ଘର ଛାଡ଼ି । ୨୮୦
ଗାଁ ଗୋଟାକର ଜନତା ସକଳ 
କେହି ନ ପାରିଲେ ରୋକି
ବୋଉ ରୋଗଗ୍ରସ୍ତ ଉଚ୍ଚ ରକ୍ତଚାପ 
ରୋଗ ଗଲା ପୂରା ବଢ଼ି  । ୨୮୧
ମଝିଆଁ ମାଉସୀ ପୁଅ ଘରେ ଆସି
ନେଇଗଲା ସାଥେ ତା'ର
ବୋଉ ପଡ଼ିଥିଲା ଡ଼ାକ୍ତରଖାନାରେ
ଏଠି ଆମେ କଲବଲ । ୨୮୨
ଏହିପରି ଗଲା ସେହି ଦିନ ଗୋଟି
ଆଠ ଦିନ ଗଲା ଗଡ଼ି
ଆସିଲା ଦୁର୍ଦ୍ଦିନ କାଳ ଆଗମନ
ଶନିଶ୍ଚର ଦେଲେ ରଡ଼ି । ୨୮୩
ଭଉଣୀର ଝିଅ ସ୍ବନକ୍ଷତ୍ର ହେଲା
ଯିବା ପାଇଁ କଲୁ ସ୍ଥିର
ସାନଭାଇ ଏଠି ଉପବାସେ ଅଛି 
କଳି ରଚି ବାରମ୍ବାର । ୨୮୪
ବୋଉ ନାହିଁ ଘରେ ଡ଼ାକ୍ତରଖାନାରେ 
ଚିକିତ୍ସା ହେଉଛି ଯାଇ
ଘରେ ନାହିଁ କିଛି କରି ବାକିସାକି
କିଣାକିଣି କଲି ଯାଇ । ୨୮୫
ସକାଳୁ ଉଠିଲି ନିତ୍ଯକର୍ମ ସାରି
ଯିବା ପାଇଁ ବାହାରିଲି
ନନା ତ ଅବୁଝା କଲି ବୁଝାସୁଝା
ହେଲେ ସେ ପିଲାଙ୍କ ଭଳି । ୨୮୬
ମଥା ପିଟି ତଳେ ଅଧୀର ହୋଇଲେ
ମାନିଲେନି କାହା କଥା
କହିଲେ ମୁଁ ଯିବି ଝିଅ ଘର ଆଜି
ହୋଇବ ନାତୁଣି ଦେଖା । ୨୮୭
କହିଲି ବୁଝାଇ ଦେହ ଭଲ ନାହିଁ 
କାହିଁକି ହୁଅ ଅଧୀର 
ସେଇଲାଗେ ଯାଇ ଲେଉଟି ଆସିବି
କଥା ଟିକେ ଶୁଣ ମୋର । ୨୮୮
ଅଧୀର ହୋଇଲେ କଥା ନ ଶୁଣିଲେ
ବାଧ୍ଯ ହୋଇ ନେଲି ସାଥେ
ଝିଅ ଘର ଗଲେ ମୋହରି ସାଥିରେ 
କିଛି ସେଠି ନ ଭୁଞ୍ଜିଲେ । ୨୮୯
ବେଳ ଗଡ଼ି ହେଲା ସମୟ ଦୁଇଟା
ଘରେ ହେଲୁ ଉପନୀତ
ମସିଣା ବିଛେଇ ନନା ଗଲେ ଶୋଇ
କିଛିକ୍ଷଣ ହେଲା ଗତ । ୨୯୦
ପିନ୍ଧା ବସନରେ ମଳତ୍ୟାଗ କଲେ
କେହି ତ ନାହାନ୍ତି  ଘରେ
ସାନ ଭଉଣୀକୁ ସୀଥିରେ ଧରି ମୁଁ
ଶୌଚ କରିଲି ଧୀରେ । ୨୯୧
ଚା' ଟିକେ କରି ନନାଙ୍ଖୁ ମୁଁ ଦେଲି
ଢ଼ୋକେ ପିଇ ରଖି ଦେଲେ
ଚୁଡ଼ା ଚକଟା ମୁଁ ଖୋଇ ଦେଲି ଯେବେ
ଥୁ' ଥୁ' କରି ଫୋପାଡିଲେ । ୨୯୨
ଔଷଧ ଦେଲି ମୁଁ ଖାଇଲେ ମୋ ନନା
ମସିଣାରେ ଶୋଇ ଦେଲି
କିଛିକ୍ଷଣ ପରେ ହେଙ୍କା ଉଠାଇଲେ 
ଅଟୋକୁ ଖବର ଦେଲି । ୨୯୩
ଆମ ଗାଁର ଜଣେ କହିଲା ମୋ କାନେ
ଗାଁ ପାଖେ ଅଛି ଡ଼ାକ୍ତର
ଏହା ଶୁଣି ପୁଣି ମନା କଲି ଜାଣି
ଅଟୋକୁ ଦେଇ ଖବର । ୨୯୪
ଡ଼ାକି ମୁଁ ଆଣିଲି ପାଖ ଗାଁ ବୁଲି
ଡାକ୍ତର ଆସିଲେ ଘର
ଇଞ୍ଜେକ୍‌ସନ ଦେଇ କହିଲେ ବୁଝାଇ 
ମେଡ଼ିକାଲ ନେଇ ଚାଲ । ୨୯୫
ଅକ୍ସିଜେନ ଦିଅ ନହେଲେ ଏ ନୁହଁ
ମୋ ହାତରେ କିଛି ନାହିଁ 
ଗାଁ ସାରା ମିଶି ଫୋନ୍‌ କଲେ ବସି
ଆମ୍ବୁଲାନ୍‌ସ୍‌ଟେ ପାଇଁ  । ୨୯୬
ହୋଇଲେ ବିଫଳ ଶହେ ଆଠ ନମ୍ବର 
ଫୋନ୍‌ କରି ବାରମ୍ବାର 
ଆମ୍ବୁଲାନ୍‌ସ୍‌ ସେବା ହୋଇ ନ ପାରିଲା
ପ୍ରବେଶିଲା ରାତ୍ରିକାଳ । ୨୯୭
ବୁଦ୍ଧି ନ ଜୁଟିଲା ଏ କି କଥା ହେଲା
କି ବିପଦ କଲା ଗ୍ରାସ
ଦାଣ୍ଡ ପିଣ୍ଡା ପରେ ବସିଲି ନିରାଶେ
କପାଳେ ଥାପି ମୋ ହାତ  ୨୯୮
ଝରି ଯାଉଥିଲା ନୟନ ଯୁଗଳୁ
ଧାର ଧାର ଅଶ୍ରୁ ମୋର 
ରାତ୍ରି ଆଠଟାରେ ଯମ ରଡ଼ି ଦେଲା
ନନା ଛାଡିଲେ ଶରୀର । ୨୯୯
ଏତେବଡ଼ ଦୁଃଖ କରିଗଲା ଗ୍ରାସ
ସର୍ବେ କଲେ ମୋତେ ପର
କାହିଁକି କେଜାଣି ଜୀବନ ଧରିଛି 
ପରାଣ ଛାଡ଼ୁନି ମୋର । ୩୦୦
କିଏ ଦେଲେ କାଷ୍ଠ ଦାହ ଦ୍ରବ୍ଯ ସର୍ବ
ସର୍ବେ ହେଲେ ଏକତ୍ରିତ
ରାମ ନାମ ସତ୍ଯ ହରି ନାମ ସତ୍ଯ
କହି ବୋହି ନେଲେ ଶବ । ୩୦୧
ମଶାଣି ଭୂଇଁରେ ପୁଣି ଆଉଥରେ 
ମୁଖାଗ୍ନି ଦେବାକୁ ହେଲା
କପାଳରେ ଥିଲା ଏତେବଡ଼ ଣୋଗ
ମୁଁ ବପ ଛେଉଣ୍ଡ ପିଲା । ୩୦୨
ଜୀବନ ଗୀତିକା ନୁହେଁ ଇଏ ମୋର
ଅଶ୍ରୁସିକ୍ତ ଏ କବିତା
ଅଶ୍ରୁ ବିଗଳିତ ନୟନେ ଲେଖିଲି
କେଇ ପଦ ଦୁଃଖ କଥା । ୩୦୩
ଦୋଷାଦୋଷ ମୋର ଯେତେ କ୍ଷମା କର 
ପ୍ରାର୍ଥନା କରୁଛି ଶିବ 
ଯୋଡ ହସ୍ତ ହୋଇ କ୍ଷମା ମାଗେ ମୁହିଁ 
ଏତିକି ମୋ ଅନୁରୋଧ । ୩୦୪
କଟୁ କଥା ଯଦି କାହାକୁ କହିଛି
ସେଲାଗି ମୁଁ ଅନୁତପ୍ତ 
ତୁମ ବଡ଼ ପଣେ କ୍ଷମା କର ଜନେ
ଅନୁରୋଧ ମୋର ରଖ । ୩୦୫
ହେ ବନ୍ଧୁ ପ୍ରବର ଭ୍ରାତା ଭଗ୍ନୀ ମୋର
ଯେତେ କବି କୃତବିଦ୍ୟ 
କର ଯୁଗଳେ ମୋର ପ୍ରଣମେ ପୟର
ଅଜ୍ଞାନ ଶିବ ପ୍ରସାଦ  । ୩୦୬
ଦୀନ ଦୁଃଖୀ ଶିବ କରେ ପ୍ରଣିପାତ
ଦୋଷ ମୋର ଧର ନାହିଁ 
ଭାଇଟିଏ ଭାବି ବକ୍ଷେ ରଖ ଚାପି
ପର କରିଦିଅ କାହିଁ ? ୩୦୭

2 comments:

  1. ଅତି ସୁନ୍ଦର ଭାବରେ ଲେଖିଛନ୍ତି, ହୃଦୟକୁ ଛୁଇଁ ଯାଇଥିଲା।

    ReplyDelete

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।