📝ସମର୍ପଣ📝
ମା' ! ଯୁଗେ ଯୁଗେ ତୁ ଆଦ୍ଯା ସନାତନୀ ; ନାନା ରୂପେ ନାନା ସ୍ଥାନେ ନିବାସିନୀ । ତୋର ଅଖଣ୍ଡ ଶକ୍ତିର ମହିମା ତ୍ରିନାଥେ ବି ଅଗୋଚର । ମୁଁ ତ ଛାର ନର , କାହୁଁ ଜାଣିବି ମାୟା ତୋର ? ତୋତେ ଯିଏ ଯେଉଁ ରୂପରେ ଡ଼ାକେ ତୁ ସେଇ ରୂପରେ ପୂରାଉ ମନୋକାମନା । ମୁଁ ମାଆ ଉକୁଳେଇ ରୂପେ ଆରାଧନାରେ ବ୍ରତୀ, ତୋର ଦୟାରେ ମୋର ଏ। ଅନବଦ୍ୟ ସୃଷ୍ଟି ; ତୋ' ପଦାରବିନ୍ଦରେ ଅରପି ମୁଁ ନିଜକୁ ମାତୃଭକ୍ତର ପରିଚୟରେ ପରିଚିତ କରାଇବାର ଆଶାୟୀ । ମୋର ଆଶାକୁ ପରିପକ୍ୱ କରିବା ହେବେ ମାଆ, ଏ ମାଗୁଣି ସାଦରେ ସ୍ବୀକାରିବାକୁ ପ୍ରାର୍ଥନା କରୁଛି .....
ତୋ' ସ୍ନେହର ଅଲିଅଳି "ଲୋରୀ"📚ମୁଖବନ୍ଧ📚
ପ୍ରଣାମ ପାଠକେ ; ଆପଣ ମାନଙ୍କ ସ୍ନେହ - ଶ୍ରଦ୍ଧା - ଭଲପାଇବାରୁ ସୃଷ୍ଟି ମୋର ଏ ସଙ୍କଳନ "ପଦିଏ ପଦିଏ ଏକପଦୀ" । ଗୋଟିଏ ଗୋଟିଏ ପଦରେ ରଚିତ କିଛି କବିତାର ସମାହାରରେ ଏ ପୁସ୍ତକ ପ୍ରସ୍ତୁତ । ହସ-କାନ୍ଦ ଆଉ ଭଲ-ମନ୍ଦ ସୂତ୍ରରେ ଗୁନ୍ଥା ଏ ସଙ୍କଳନ ଆପଣମାନଙ୍କ ପ୍ରିୟଭାଜନ ହୋଇ ପାରିବ ଦୋଲି ମୋର ଆଶା ଓ ବିଶ୍ବାସ । ଭକ୍ତି - ପ୍ରେମ - ବିରହ - ହାସ୍ୟରସର ଝଲକରେ ଝଲସିତ ଏ ସଙ୍କଳନ ପଠନ କରି ଉପଯୁକ୍ତ ମତାମତ ପ୍ରଦାନ କରିବା ହେବେ । ପାଠକ ଶ୍ରେଷ୍ଠ ବିଚାରକ - ତେଣୁ ଆପଣ ମାନଙ୍କ ମତାମତ ମତେ ଆଗକୁ ପ୍ରେରଣା ଯୋଗାଇବ ବୋଲି ମୁଁ ଦୃଢ଼ ବିଶ୍ବାସୀ । ଈତି, ଆପଣଙ୍କର ସ୍ନେହର ନବ କଳିକା..... ଲୋରୀ ସ୍ବାଇଁ
ଓସ୍ତପୁର, କାକଟପୁର (ପୁରୀ)
୯୯୩୭୦୯୯୭୦୯
ଓସ୍ତପୁର, କାକଟପୁର (ପୁରୀ)
୯୯୩୭୦୯୯୭୦୯
ପଦିଏ ପଦିଏ ଏକପଦୀରେ ଲୋରୀ ସ୍ବାଇଁ
ଶୈବାଳିନୀ ସାହୁ(କବି ଓ ଆଖ୍ଯାୟିକା)
ବହୁ ଘାତ ଓ ସଂଘାତ ଭିତରେ କବିସତ୍ତାଟିଏ ଶେଷରେ ମହାନ ବୋଲି ସାବ୍ଯସ୍ତ ହୁଏ । ସେଥିପାଇଁ ରଣ୍ଡଲ୍ ଜର୍ନଲ୍ କହିଲେ - A good poet is someone who manages in a lifetime of standing out in thunderstorms to be truck by lightening five or six times , a dozen or two dozen times and he is great . ଅର୍ଥାତ ବଜ୍ର ଏବଂ ବତାସର ପ୍ରହାର ଆଗରେ ଥରେ, ଦୁଇଥର ନୁହେଁ ଅନେକ ବାର ଛାତି ପାତି ଛିଡ଼ା ହେବା ଜଣେ ସତ୍ଯଶୀଳ କବିର ନିୟତି । କବିକୁ ବିଦ୍ରୋହର ବାରୁଦଗଦା ଭିତରେ ଛିଡ଼ା ହେବାକୁ ପଡ଼େ, ପୁଣି ସ୍ବପ୍ନର ସୁରମ୍ୟ ଉପତ୍ୟକାରେ ଛିଡ଼ା ହୋଇ ଅପେକ୍ଷା କରିବାକୁ ପଡ଼େ ସଂପ୍ରୀତିର ସୁନେଲି ସୂର୍ଯୋଦୟକୁ । କବିତା କେତେବେଳେ ହୃଦୟର କମ୍ପନ , ତ କେତେବେଳେ ଅଥଳ ସମୁଦ୍ର ପରି ଶାନ୍ତ ସମାହିତ ଥିଲା ବେଳେ ପୁଣି କେତେବେଳେ ମାଡ଼ି ଆସେ ଅଶାନ୍ତ ଲହଡ଼ି ରୂପରେ । କବିତା ପୁଣି କେତେବେଳେ ଆକାଶ ଭଳି ମାଟିକୁ ଛୁଇଁବାକୁ ପ୍ରୟାସ ଜାରି ରଖିଥାଏ । କବିତା ସମ୍ବେଦନଶୀଳ ସୂଚ଼ନା ଭାବରେ ପାଲଟିଯାଏ ମୁକ୍ତ ବିହଙ୍ଗ, ତା' ନହେଲେ ନିଆଁରେ ଧୂ ଧୂ ଜଳୁଥିବା ଲେଲିହାନ ଶିଖାର ଉଜ୍ଜ୍ୱଳ ଆଲୋକରେ କରେ ଆଲୋକିତ ।
ପଦିଏ ପଦିଏ ଏକପଦୀ କବିତାରେ ଶ୍ରଦ୍ଧେୟା ଲୋରୀ ସ୍ବାଇଁ ତାଙ୍କର ପାଠକ ମାନଙ୍କୁ ଖୁବ୍ ମାପଚୁପ ଶବ୍ଦ ଭିତରେ ବି ବଖାଣିବାକୁ ଚେଷ୍ଟା କରିଛନ୍ତି ତାଙ୍କର କବିତାମନସ୍କ ଚେତନାର ଅନ୍ତରଙ୍ଗ ଅଭିବ୍ୟକ୍ତି ଗୁଡ଼ିକ ।
ଓଡ଼ିଆ କବିତା କ୍ଷେତ୍ରରେ ଲୋରୀ ସ୍ବାଇଁ ଆଗାମୀ ଦିନରେ ନିଜର ଏକ ଉଜ୍ଜ୍ୱଳମୟ ସ୍ଥାନ ସୃଷ୍ଟି କରିପାରିବେ, ଯଦି ତାଙ୍କର ନିଷ୍ଠାପର ସାଧନା ଜାରି ରହେ । ଏଠାରେ ସନ୍ନିବେଶିତ କବିତାର ସ୍ବାଦ ଏବଂ ସୌନ୍ଦର୍ଯ୍ୟ ଜଣେ ଏକନିଷ୍ଠ ଏବଂ ରୁଚିଶୀଳ ତଥା ମନନଶୀଳ କବୀ ଭାବେ ତାଙ୍କୁ ପ୍ରତିପାଦିତ କରିଛି । ସେ ତାଙ୍କର ପ୍ରତି କବିତାର ଛନ୍ଦରେ ଛନ୍ଦାୟିତ ରାଗିଣୀ ତୋଳି ପଦିଏ କଥାରେ ଅନେକ ଭାବନା ଭରି ଦେବାର ପ୍ରଚେଷ୍ଟାରେ ବାନ୍ଧି ରଖିଛନ୍ତି ତାଙ୍କର ସାମଗ୍ରିକ ସୃଷ୍ଟିକୁ ।
କବିତାର ଜୁଆରରେ ସେ କେତେବେଳେ ହୋଇଛନ୍ତି ପରିପୂର୍ଣ୍ଣା ତ ପୁଣି କେତେବେଳେ ଅଶ୍ରୁର ଦାବାନଳରେ ବିଷାଦର କରୁଣ ସ୍ବର ଶୁଣାଇଛନ୍ତି । କବୀ ହଠାତ ଆଶା ଓ ପ୍ରତ୍ଯାଶାର ମଝି ରାସ୍ତାରେ ପାଲଟି ଯାଇଛନ୍ତି ଅସହାୟ ତ ପୁଣି ପ୍ରୀତି, ପ୍ରେମ ଓ ପ୍ରଣୟର ମହାମନ୍ତ୍ରରେ ହଜାଇ ବସିଛନ୍ତି ଆତ୍ମସତ୍ତା । ଆକାଶର ବକ୍ଷରୁ ଚୋରାଇ ନେଇ ଦୁଇ ଡେଣା ମାଧ୍ଯମରେ ପରିକ୍ରମା କରି ପାରିଛନ୍ତି ସମଗ୍ର ଆକାଶ ଏବଂ ଛୁଇଁ ପାରିଛନ୍ତି ଦିଗ୍ବଳୟର ଶେଷ ସୀମା । ପହିଲି ସୂରୁଜର ପ୍ରଥମ କିରଣ ଭଳି ଏକପଦୀ କବିତା ମାଧ୍ଯମରେ ଶ୍ରଦ୍ଧେୟା କବୀ ବିଞ୍ଚି ଦେଇଛନ୍ତି ଅୟୁତ ସମ୍ପର୍କର ସଂଜ୍ଞା ଓ ସମୀକରଣ ।
ଏକପଦୀ କବିତା ମାଧ୍ଯମରେ ସେ ବୁଝାଇଛନ୍ତି ମାଟି ଆଉ ଆକାଶର ନିବିଡ଼ତମ ସମ୍ପର୍କ, ଜନ୍ମଦାତା ପିତା ଓ ମାତାଙ୍କର ସ୍ନେହାଶିଷ ସହିତ ପରିବେଶ ନିର୍ମଳତାର ସନ୍ଦେଶ ବାଣ୍ଟିଛନ୍ତି । ମେଞ୍ଚା ମେଞ୍ଚା ଶବ୍ଦର ମାଳାକୁ ସତ୍ଯତାର ସୂତ୍ରୀକାରେ ଗୁନ୍ଥି କବୀ ବସନ୍ତର ଆଗମନରେ ମୋହଗ୍ରସ୍ତ ତ ପୁଣି କେତେବେଳେ ଜୀବନ ବଳୟର ପରିଧି ଆଉ ପାପପୁଣ୍ଯର ଓଜନ ମାପୁ ମାପୁ ମୁହୂର୍ତ୍ତେ ଥକ୍କା ମେଣ୍ଟାଇଛନ୍ତି କବିତାର ପଂକ୍ତି ମାନଙ୍କରେ ।
କବୀ ଲୋରୀ ସ୍ବାଇଁ ଆଦର୍ଶମୟ ବାସ୍ତବତାକୁ ନେଇ ଆଗେଇ ଯାଉ ଯାଉ ନିଜକୁ ଐଶ୍ବରିକ ଶକ୍ତି ପାଖରେ ସମର୍ପଣ କରି ଇଶ୍ବରମନସ୍କା ହୋଇପଡ଼ିଛନ୍ତି ଓ ନିଜକୁ ଦାସୀଟିଏ କରି ଆତ୍ମ ନିବେଦନ ପୂର୍ବକ ଶରଣାପନ୍ନ ହୋଇଉଠିଛନ୍ତି । କବୀଙ୍କ ଭାଷାରେ - "ଇଚ୍ଛା ଅସୁମାରି ଯାଏ ସରି ସରି / ତୋହରି ଦୁଆରେ ପ୍ରଭୁ ; ଝରୁ କୃପାବାରୀ ନିଅ ହାତ ଧରି/ ଶେଷ ଇଚ୍ଛା ପାଶେ ଥିବୁ ।"
ଆଜିର ପ୍ରତିଯୋଗିତାମୟ ସଂସାରରେ ମଣିଷ କ୍ରମେ କ୍ରମେ ଭୁଲି ଯାଉଛି ପ୍ରକୃତିର ଉପାସନା । ତା'ର ବ୍ଯତିକ୍ରମ ଆଣି - ଲୋରୀ ସ୍ବାଇଁଙ୍କ ପରି ନୂତନ ପିଢ଼ିର ସୃଜନମନସ୍କ କବି ଓ ଗାଳ୍ପିକଙ୍କ ଓଡ଼ିଆ ଭାଷା ଓ ସାହିତ୍ୟରେ ସଂପୃକ୍ତି ଏକ ଚରମ ଆଶ୍ବାସନା । ଓଡ଼ିଆ ଭାଷା ଓ ସାହିତ୍ୟର ଏହି ଭାଗ୍ୟ ଓ ଭବିଷ୍ଯତ ମାନଙ୍କୁ ଉପଯୁକ୍ତ ଭାବେ ବାଟ କଢ଼ାଇ ପାରିଲେ ଦିନେ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ବ ସ୍ତରରେ ବନ୍ଦନୀୟ ହେବ ଏଥିରେ ସନ୍ଦେହ ନାହିଁ । ଶେଷରେ ଏତିକି କୁହାଯାଇ ପାରେ ମଣିଷଟିଏ ନିଜର ଅର୍ଥ, କ୍ଷମତା, ପ୍ରଭୁତ୍ବ ଓ ପ୍ରତିପତ୍ତିକୁ ଆଧାର କରି ସାମ୍ରାଜ୍ଯର ଅଧିକାରୀ ହୋଇପାରେ , କିନ୍ତୁ ମାଆ ବାଣୀଙ୍କର କୃପା ବିନା ସେ ଏ ସମସ୍ତ ଖଟାଇ କବିଟିଏ ହୋଇପାରିବ ନାହିଁ । ଶ୍ରଦ୍ଧେୟା ଲୋରୀ ସ୍ବାଇଁ ମାଆ ବାଗ୍ଦେବୀଙ୍କର କୃପା କରୁଣା ଲାଭ କରି ସୃଜନୀର ପଥରେ ଆଗେଇ ଆଗେଇ ଚାଲନ୍ତୁ, ଏତିକି କାମନା ।
ସେ -ଏ,ପ୍ଲଟ୍ ନଂ -୯୪ ମେଟ୍ରୋ ପଲିଟିୟାନ୍ କୋପାରେଟିଭ୍ ହାଉସିଂ ସୋସାଇଟି
କୋଲକାତା, ୭୦୦୧୦୫
🎶ମତାମତ🎶

ଲୋରୀର ଏକପଦୀ ସବୁ ଶିବ ପାଖରୁ ପାଇଲି ହ୍ବାଟ୍ସ୍ଆପ୍ ମାଧ୍ଯମରେ । ପଢ଼ିଲି, ଭଲ ଲାଗୁଛି ତ..... ଗୋଟେ ପରେ ଗୋଟେ ପଢ଼ି ହେଇଗଲା । ଏକପଦୀର ଶବ୍ଦ ମାନଙ୍କରେ ନିବିଡ଼ତାର ସ୍ପର୍ଶ, ପଢ଼ିବା ବେଳେ ଆତ୍ମୀୟତାର ଅନୁଭବ ; ପ୍ରତ୍ଯେକ ମଣିଷ ମଧ୍ୟରେ ଏଇ ଏକପଦୀ ମାନଙ୍କର - ଏକ ଅନୁଭବର ଝରଣା । "ମୁଁ ର ଶବ୍ଦ ମୋତେ ସମ୍ମୋହିତ କରେ, ଆଉ ମୁଁ ଉଡ଼ିଯାଏ ମୋର ନୀଡ଼କୁ"ର ମର୍ମସ୍ପର୍ଶୀ ଅର୍ଥ ଛୁଇଁଯାଏ ହୃଦୟକୁ ।
ପ୍ରତ୍ଯେକଟି ଏକପଦୀ ଚୁମ୍ବକରେ ପଢ଼ି ହେଇଯାଏ ସିନା ଛାପ ଛାଡ଼ିଯାଏ କିଛି ସମୟ ଭିତରେ ଭିତରେ । ମାତ୍ର ଶବ୍ଦ ସଂଯୋଜନାରେ କିଛି ମାତ୍ରାରେ କଞ୍ଚା ହାତର ସ୍ପର୍ଶ ବାରି ହୋଇ ପଡ଼େ । କବୟିତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା ସହ ଲେଖନୀ ମାର୍ଜିତ ଓ ଶାଣିତ ହେଉ । ଶୁଭେଚ୍ଛା ସହ
(ଦେବଯାନୀ ଦାସ,ବାଲେଶ୍ବର)
(ଦେବଯାନୀ ଦାସ,ବାଲେଶ୍ବର)
ଅଭିିମତ
ବ୍ଯସ୍ତ ବହୁଳ ଜୀବମକୁ ନେଇ ମାନବ ଅଗ୍ରଗତିର ଧାରାରେ ସାମିଲ୍ ହେଉଛନ୍ତି ଅନୁଦିନ । ଏଣୁ ବିଜ୍ଞ ବ୍ଯକ୍ତିଙ୍କ ଅଭିମତକୁ ଆପଣେଇ ନେଇ ବର୍ତ୍ତମାନର ମାନବଗଣ କର୍ମାଧିକ ତଥା ସ୍ବଳ୍ପ ବାର୍ତ୍ତାଳାପରେ ସମୟ ଅତିବାହିତ। କରୁଛନ୍ତି । ଏହି ଭାବନାକୁ ସାର୍ଥକ। କରିବା ପାଇଁ ଲୋରୀ ସ୍ୱାଇଁ ମହାଶୟାଙ୍କର ଏକପଦୀ ରଚନା ଅତ୍ଯନ୍ତ ପ୍ରଶଂସନୀୟ । ତାଙ୍କର ପ୍ରଚେଷ୍ଟା ନିଶ୍ଚିତ ଭାବରେ ଯୁବପିଢ଼ିଙ୍କ ଉପରେ ପ୍ରଭାବ ପକେଇବ । ଇଶ୍ବର ତାଙ୍କ ଲେଖନୀ ଚ଼ାଳନା ପ୍ରତି ସୁଦୃଷ୍ଟିପାତ କରନ୍ତୁ ବୋଲି କାମନା କରି ରହୁଛି । ଇତି
ବସନ୍ତ ମଞ୍ଜରୀ ଦାସସମ୍ପାଦିକା -ସୁଶ୍ରୀ ଶୁଭଶ୍ରୀ
ସହ ସମ୍ପାଦିକା -
ଉଦୟ ଭାନୁ ସଙ୍ଗଠନ (ସାହିତ୍ୟ ଓ ସମାଜସେବା ସଙ୍ଗଠନ)
କବି ପାଇଁ ମନ୍ତବ୍ୟ
ରୀତା ଅପରାଜିତା ମହାନ୍ତି (ଲେଖିକା)
ପଦିଏ ପଦିଏ ଏକ ଏକପଦୀ ହେଲେ ବି ଭାବ ତାଳ ରସରେ କିଛି କମ ନୁହେଁ। କୁମାରୀ ଲୋରୀ ସ୍ୱାଇଁ +୩ କଳାରେ ପଢୁଛନ୍ତି । ହେଲେ ସାହିତ୍ୟ ସାଧନାରେ ବ୍ରତୀ ଅଛନ୍ତି । ଏହି ଲେଖାରୁ ପାଠକମାନେ ଜାଣିପାରିବେ :-
ମାରିଦେ' ତୋ ପାଖକୁ ଡ଼ାକି
ମାରିବା ଆଗରୁ ଖୁସି ବେଶି ହେବି
ମୋ ପ୍ରେମକୁ ମୋ ସାମ୍ନାରେ ଦେଖି ।"
ଏହିପରି ସୁନ୍ଦର ସୁନ୍ଦର ଭାବର ଏକପଦୀ ସେ ଖଞ୍ଜିଛନ୍ତି । ବସୁଧା,ବର୍ଷା, ଲୁହ ,ପ୍ରେମ ,ବିଭୁ ପ୍ରୀତି ଆଦି ବିଭିନ୍ନ ଭାବ ଏଥିରେ କବି ଆଙ୍କିଛନ୍ତି । ଜଗତର ନାଥ ତାଙ୍କ ଲେଖନୀକୁ ଆହୁରି ଆଗେଇ ନେଇ ଚାଲନ୍ତୁ ।ଏତିକି କାମନା ମୋର ।
ପ୍ଲଟ ନଂ -୮୩ (ସି)ଭୁବନେଶ୍ବର - ୨୧
🔭ବସୁଧା ବାହୁନେ ଅଶ୍ରୁଳ ନୟନେ
ବରାକ ବାଡ଼େଇ ବାରବାର
ବିହିର ବିଧାନ ହୋଇବ କି ଆନ
ବିଷାଦ ଲେଖା କପାଳେ ମୋର ।
ବଡ଼ ଅଜବ ତୁମ୍ଭ ବିଚ଼ାର ;
ବାନର ସେନାର ଔଦ୍ଧତ୍ୟ ପ୍ରଚୁର
ବଥା ହର ବିଶ୍ବ କାରିଗର ।।
🔭କୋମଳ କୁସୁମ ସୁବାସରେ ମନ
ଉଲ୍ଲାସେ କରଇ ନୃତ୍ଯ
ପରଶେ ତାହାରି ଝରେ ସୁଧା ବାରି
ସତେ ପୂର୍ଣ୍ଣ ମନୋରଥ ।
ଅପସରିଛି ବିଷାଦ ;
ବିଶ୍ବବାସୀ ବାରେ ଚ଼େତ,
ଜାଗିଲେ ଭାବ ନିଃସ୍ବାର୍ଥ,
ସକଳେ ରହିବା ପ୍ରୀତ,
କରେ ଥାପି କର ଭ୍ରାତା ଭଗ୍ନୀ ମୋର
ଆସ ହେବା ଏକତ୍ରିତ.....
ଗାଇବା ପ୍ରେମ ସଙ୍ଗୀତ ;
ଏହିପରି ଆମେ ହସୁଥିବା ଧାମେ
ଧରା ହେବ ପୁଲ୍ଲକିତ।।
🔭ଦେବୀ ମୁହାଣରୁ କାଚକେନ୍ଦୁ ଜଳ
ଯେତେ ଉବୁଟୁବୁ ହେବ
ପ୍ରତ୍ୟେକ ମୁହୂର୍ତ୍ତ ମୋ ପାଇଁ ବନ୍ଧୁ
ନବବର୍ଷ ପାଲଟିବ,
ପ୍ରେମରେ ସେ ଅନୁପମ...
ତା'ରି ଗରଭୁ ସାଉଁଟେ ନିତି ମୁଁ..
ସମୃଦ୍ଧି ଯେ ପ୍ରତିଦିନ ।
🔭ମେଞ୍ଚା ମେଞ୍ଚା ହସ ନିତି ଦେଖୁଥାଏ
ତା' ଦେହକୁ ସ୍ପର୍ଶ କରି...
ନୂତନ ଆହ୍ଲାଦ ମନେ ସୃଷ୍ଟି କରେ
ବିଷ୍ଣୁପଦାଲୋକ ପରି ।
🔭ନାଚିବାକୁ କହି ଘୁଙ୍ଗୁର ମୋହର
କିଏସେ କାହିଁକି ନେଲା ଲୁଚାଇ...
ଜାଣିକି ଖୋଜୁଛି ପାଗେଳୀଙ୍କ ପରି
ଶତ୍ରୁ ନୁହେଁ ସେ ମୋ ନିଜର କେହି ।।
🔭ଧାର୍ ଦେଇ ଦେଖେ ହୃଦୟକୁ ତୋର
ରଖିବି ସାଇତି କେଉଁଠି ନେଇ....
ଇତିହାସେ ନୁହେଁ ଭୁଗୋଳେ ବି ନୁହେଁ
ପାଇବୁ ପୁରାଣ ପଢିଲେ ଯାଇ.....
🔭ମାରିବାକୁ ଯଦି ମୋତେ ତୁ ଚାହୁଁଚୁ
ମାରିଦେ' ତୋ ପାଖକୁ ଡାକି...
ମାରିବା ଆଗରୁ ଖୁସି ବେଶି ହେବି
ମୋ' ପ୍ରେମକୁ ମୋ' ସାମ୍ନାରେ ଦେଖି ।।
🔭ଘୃଣା କରୁଥିଲୁ କହିଁକି କଲୁନୁ
ପ୍ରେମର ପରଶେ ମତେ ଭୁଲାଇ
ଆ' ତୋଳି ଯିବା ପାରିଜାତ ପୁଷ୍ପ
ସ୍ୱପ୍ନ ଦେଖେଇ ତୁ ଦେଲୁ ଶୁଆଇ ।
ନିଷ୍ଠୁର ହେଲୁ କିମ୍ପାଇଁ ;
ଯଦି ପ୍ରତିଶୋଧ ନେବାରେ ତୋ' ଥିଲା
ମୋତେ ଥରୁଟେ ଥା'ନ୍ତୁ କହି ;
ଚୁମ୍ବନେ ଜହର ଦେଇ....
କି ଲାଭ ପାଇଲୁ ଜିତିବା ନିଶାରେ
ନିଜେ ନିଜେ ହତ୍ୟା ହୋଇ ?
🔭ସୁନ୍ଦର ଆକାଶେ ବନ୍ଦୀ ହେବା ପାଇଁ
ଦେଇଛି ମୁଁ ଡେଣା ବିକି...
ତା'ରି ବକ୍ଷରୁ ସାଉଁଟି ଅଛିମୁଁ
ବିଗତ ଦିନର ସ୍ମୃତି ।
🔭ମେଞ୍ଚା ମେଞ୍ଚା ହସ ଅଧରେ ମୋହର
ଅଧାରୁ ଯାଇଛି ଲିଭି...
ପୁଣ୍ୟ ବୀଜ ଅବା ପାପ ବୀଜ ମୋର
ନିରବେ ଘୁମୁରେ ଭାବି.....
🔭କୋମଳ କୁସୁମ ସୁବାସରେ ମନ
ଉଲ୍ଲାସେ କରଇ ନୃତ୍ଯ
ପରଶେ ତାହାରି ଝରେ ସୁଧା ବାରି
ସତେ ପୂର୍ଣ୍ଣ ମନୋରଥ ।
ଅପସରିଛି ବିଷାଦ ;
ବିଶ୍ବବାସୀ ବାରେ ଚ଼େତ,
ଜାଗିଲେ ଭାବ ନିଃସ୍ବାର୍ଥ,
ସକଳେ ରହିବା ପ୍ରୀତ,
କରେ ଥାପି କର ଭ୍ରାତା ଭଗ୍ନୀ ମୋର
ଆସ ହେବା ଏକତ୍ରିତ...
ଗାଇବା ପ୍ରେମ ସଙ୍ଗୀତ ;
ଏହିପରି ଆମେ ହସୁଥିବା ଧାମେ
ଧରା ହେବ ପୁଲ୍ଲକିତ ।
🔭କର୍ମ ଯଦି ଡାକେ ଯୁଦ୍ଧ ଭୂମିକୁ
ଡେଇଁବାକୁ ହେବ ପ୍ରାଚୀର
ସ୍ୱପ୍ନ ବି ଦିଶିବ ଝାପ୍ସା ଝାପ୍ସା ଏଠି
ଶୀତ କ'ଣ କରିବ ଦେହର ?
ଅମାପ ସ୍ୱପ୍ନକୁ ଲୁଚାଇବି ଏଠି
ଯଉବନ ବନ୍ଦୀ ଘରେ....
ରାତି ସରିଗଲେ ସକାଳ ହୋଇଲେ
ବୋଧେ ବିଜୟ ମୁଁ ଆଣି ପାରେ...
🔭 ରାସ୍ତା ତ ପଡିଛି ହୃଦୟକୁ ମୋର
ହେଲେ ବାଟ ତୁମେ ଭୁଲି ଯାଇଛ
ତୁମ କାହାଣୀକୁ କେଉଁ ଶବ୍ଦ ଦେବି
ତୁମେ ପରା କବିଟିଏ ସାଜିଛ ।
🔭କଥା ମୁଁ ଦଉଛି ଆଜି
ସ୍ୱପ୍ନ ହୋଇ ଯିବି ରାତିରେ...
ଯଦି ଥକେ ଅଧ ବାଟେ ଭାବିବି
ତୁମେ ଆଉ କା' ସାଥିରେ ।
🔭ଅଳସ ଆଖିକୁ ଭରସା ନାଇଁ ମୋ
ପ୍ରତିଶ୍ରୁତି ଦେଉନାଇଁ
ତଥାପି କାହିଁକି ଇଚ୍ଛା ହୁଏ ଭାରି
ଲୁଚିକି ଦେଖିବା ପାଇଁ ।
🔭ପ୍ରତିଚୀ ତଟରୁ ଶୁଭେ ବାରମ୍ବାର
ତୁମେ ମୋର ତୁମେ ମୋର...
ଯଦି ମିଥ୍ୟା ବୋଲି ଭାବୁଥାଅ ତୁମେ
ତୁମ ହୃଦୟଠୁ ବୁଝିପାର ।
🔭ସାତସୁରେ ରାଗ ଗାଅନି ଆଉରେ
ବରଷ ହେଲାଣି ସଜ...
ପହିଲି ସୂରୁଜ ମୁରୁଜ ବୁଣୁଛି
ଦେଇକି ମୁରୁକି ହସ ।
ମଧୁମୟ ପ୍ରୀତି ବାସ;
ଛନ୍ଦି ଦେଇଯିବ ଅୟୁତ ସଂପର୍କେ
ଲଗାଇ ମଧୁର ସ୍ପର୍ଶ ।
🔭ତୁ ଅବିରତ ବାଟ ଚାଲୁ
ମୁଁ ତୋ ବାଟର ସାହାରା ଟିଏ.....
ଆଉ ତୁ ପାଦ ଖସେଇ ବାକୁ ଚାହିଁଲେ
ମୁଁ ତୋ ହାତ ଧରିନିଏ ;
ତେବେ କହ କେଉଁ ସମ୍ପର୍କ ଇଏ ?
🔭ବାହୁନି କାନ୍ଦୁଛି ବଙ୍ଗ ସିନ୍ଧୁ ଏଠି
ବସୁ ବକ୍ଷେ ଆସ୍ଯ ପିଟି
ହୃତାତୀତ କଥା ମନେ ଭରେ ବ୍ଯଥା
ପରମ୍ପରା ସାଥେ କଟି ।
ସାଧବ ସମ୍ପତ୍ତି ଭେଟି
ଦୃଶ୍ଯ ହେଉ ନାହିଁ ଏଠି
ସମୟ ଦେଇଛି କୁଟି
ସାମାଜ ହେଲାରୁ ମାଟି ;
ଦରାଣ୍ଡେ ଦରିଆ ପ୍ରାଚୀନ ଓଡ଼ିଆ
ଭାବେ କେ' ନେଇଛି ଲୁଟି ।।
🔭ମୋ ହୃଦୟ କନ୍ଦରେ ଆଜିବି ଶୁଭେ..
ତୋ'ର ସେ ମିଠା ଉଚ୍ଛାଙ୍ଗ..
ମୋ' ମନ କୁଞ୍ଜବନେ ଆଜିବି ବାଜେ..
ତୋ ଦାୟିତ୍ୱ ମୂଲ୍ୟବୋଧର ମୃଦଙ୍ଗ..
ମୁଁ ଆଜି ନିଃସଙ୍ଗ ; କିନ୍ତୁ ମୁଁ
ଭୁଲିନି ତୋ ଆଦର୍ଶ ମିଶା ପଥକୁ ...
ହଁ ମୁଁ ଜାଣେ ତୁ ଭୁଲି ଯାଇଛୁ ବୋଲି
କିନ୍ତୁ କହିବିନି ତୁ ଦେଇଚୁ ଧୋକା
ସମୟ ଆସୁ
ତୁ ଆପେ ଆପେ ଜାଣିଯିବୁ....
କିପରି ଥିଲା ମୋ' ପ୍ରେମର ସମୀକ୍ଷା..
🔭ଚାରିଆଡେ କହି ବୁଲୁଛୁ ମୁଁ ଗର୍ବ କରେ
କେଉଁଠି ରହିଲା ଫରକ ତୋ' ମୋ' ଭିତରେ ?
🔭ବଙ୍ଗପସାଗରେ ନୀଳ ଜଳ ରାଶି
ଯେବେ ଉଙ୍କି ମାରୁଥିବ,
ତୁମକୁ ମୋ' ରାଣ ଦେଉଛି ସୁନ୍ଦରୀ
ସେଠି ଦେହ ପଖାଳିବ ।
ଯଦି କେ' ପଚାରିଦେବ ;(?)
ଅଳସ ପଣତେ ସତକୁ ଲୁଚାଇ
ସାମାନ୍ୟ ମିଛ କହିବ ।
🔭ମୁଁ ବୁଝିନି ଆକାଶ ମାଟିର ସମ୍ପର୍କକୁ...
କେତେଦିନ ବି ରହିବି ତାହା ବି ଜାଣିନି.....
ଏତିକି ବୁଝେ ଆଉ ଜାଣେ....
ଯିଏ ମୋ ଭୋକକୁ ପୁରାଣ କରେ ସେ..ମୋ ମାଆ ,
ଆଉ ଯିଏ ମୋ ଓଠରେ
ହସ ଦେବାକୁ ଚେଷ୍ଟିତ ସେ...ମୋ ବାପା ।
ଆଉ ଯିଏ ଚାହେଁ ମୁଁ ଖୁସିରେ ରୁହେ ସେ ମୋ ପରିବାର ;
ଆଉ ଯିଏ ଚାହେଁ ମୁଁ ମଣିଷ ହୁଏ ସେ ମୋ ପରିବେଶ ।।
🔭ମୁଁ ହିଁ ଅନୁଭବ କରିଛି ତୋ
ନିରୀହ ଚାହାଣୀର ମାଦକତାକୁ...
ଉପଭୋଗ କରିଛି ତୋ ହସର
ମେଞ୍ଚା ମେଞ୍ଚା ଗଭୀରତା ।
ଏତିକି ବିଡମ୍ବନା.....
ତୁ ପହିଲି ଫଗୁଣର ବାସ୍ନା...
ଆଉ.....
ମୁଁ ତୋତେ ଛୁଇଁବା ମନା...।
🔭ମୁଁ ଭିଜୁଅଛି ପ୍ରୀତିର ମେଘରେ
ତୁମେ ମଧ୍ୟ ଭିଜୁଥିବ...
ଯଦି କେ' ପଚାରେ କାହିଁକି ଭିଜୁଛ
ମୋ ନାଁ କହିଦେବ ।
🔭ତୃଣରାଜ ସିନା ଦେଇଛି ଘୋଡାଇ
ସକାଳ ଆହ୍ଲାଦ ସୂର୍ଯ୍ୟର ତାତି
ତଥାପି କାହିଁକି ଛାତି ଥରିଯାଏ
ପାଇଲେ ସାମାନ୍ୟ କିରଣ ପ୍ରୀତି
କେଉଁ ବଳୟରେ ବିନ୍ଧାଣି ଗଢ଼ିଛି
ମୋ ଛୋଟିଆ ଗାଁକୁ ସରଗ କରି
ଶିର ଚୁମ୍ବିଯାଏ ମଳୟ ମରୁତ
ନିଘାଡ଼ ଖୁସିର ନିଶାରେ ଘାରି
ମନେ ସ୍ମରେ ସେଇ ମୋ ଗ୍ରାମୀଣ ଗୀତି
ଯେଉଁଠି ମୋ ବାଳ ଯାଇଛି ବିତି ।
🔭କୋମଳ କମନୀୟ କାନ୍ତି...
ତୁମ ଢଳ ଢଳ ନେତ୍ରର ସୁମଞ୍ଜୁଳ ଇଶାରା
ଜାଣେନା କାଇଁ ମୋତେ ଆକର୍ଷଣ କରେ .....
ଏଇଟା ବି ଜାଣିନି ତୁମେ ମୋର କିଏ ?
ହେଲେ ଦେଖୁ ଦେଖୁ ଝରି ପଡ଼େ
ମୋ ନେତ୍ରରୁ ଆନନ୍ଦର ଅଶ୍ରୁ ।
🔭ମୁଁ ଇର୍ଷା କରିନି ତୁମ ନିଷ୍ଠୁର ମନକୁ...
ମୁଁ ସ୍ୱପ୍ନ ଦେଖିନି ତୁମ ଅବାସ୍ତବ ଛବିକୁ...
ମୁଁ ତ କେବଳ ପ୍ରେମ କରୁଛି ତୁମ ଉଦ୍ଧତ ପଣକୁ.....
ମୁଁ ଜାଣେ ତୁମେ ନିଷ୍ଠୁର ଅଗ୍ନି ଶିଖା....
ତଥାପି ମୁଁ ଆନନ୍ଦ ପାଏ ତୁମ
ତତଲା ଛାତିରେ ଝାସ ଦେବାକୁ ;
ତୁମେ ଆଙ୍କ ପ୍ରୀତିର ଗଜଲ ନୂଆ ନୂଆ ଢଙ୍ଗରେ....
ମୁଁ ଆଖି ବୁଜି ଗପି ଚାଲେ ତୁମରି ସାଙ୍ଗରେ...
ତୁମେ ବିରହର ଦର୍ପଣରେ ମୁହଁ ଦେଖ...
ପୋଛିବାକୁ ଚାଂହ ଅତିରିକ୍ତ ସତ୍ୟତା
କିନ୍ତୁ ସେ ବିରହ ଦର୍ପଣ ଖଣ୍ଡରେ ମୁଁ
ପ୍ରତ୍ୟେକ ଦିନ ହୁଏ ହତ୍ୟା.....
🔭ମୁଁ'ର ଶବ୍ଦ ମୋତେ ସମହିତ କରେ...
ଆଉ ମୁଁ ଉଡିଯାଏ ମୋର ନୀଡ଼କୁ...
ନିଦ୍ରା ମୋତେ ବିମୋହିତ କଲେ
ଗୁଜ ଉହାଡରେ ସ୍ୱପ୍ନ ଦେଖେ ମୁଁ ତୁମକୁ ;
ତୁମେ ଛଳନା କରି ଲୁଚ....
ମୁଁ ଜାଣି ଶୁଣି ଖୋଜିବୁଲେ ତୁମରି ସତ୍ତାକୁ.
ତୁମେ ବସନ୍ତ ର ବତାୟନ ରେ ମିଶିଯାଅ...
ମୁଁ ଛୁଇଁନିଏ ମୋହଗ୍ରସ୍ତ ବାସ୍ନାକୁ ।
🔭ମିଛର ତନ୍ତୁଳ ବିଞ୍ଚି ମୋତେ
ନିମନ୍ତ୍ରିତ କର ନଷ୍ଟନୀଡ଼ର ପାନ୍ଥଶାଳାକୁ ...
ମୁଁ ଆଖି ବୁଜି ଦେଇ ଆତ୍ମହୁତି ଦିଏ
ତୁମ କାମନା ଯଜ୍ଞର ହୋମ କୁଣ୍ଡକୁ....
ତେବେ କୁହ ଭୁଲ କାହାର....?
ଏ ମଣିଷ ଆଖି ବନ୍ଦ କରି ଲୁଟି ନିଏ ସର୍ବସ୍ବ,...
କିନ୍ତୁ ମୁଁ ସ୍ୱପ୍ନ ଦେଖେ ତା'ନିଷ୍ଠୁର
ହୃଦୟେ ଥିବା ଘୃଣାକୁ ।
🔭ଦୂର ଦିଗବଳୟର ଆଳୟ ଭିତରେ....
ହେଇ! ଦେଖ....ମୁଁ ଉଡୁଛି
ଆଉ ମୁଁ'ର ପର ନେଇ.....
ନାହିଁ ଜିତିବାର ଇଚ୍ଛା କି ହାରିବାର ଦୁଃଖ
ଫୁଲଠୁ ବାସ ଚୋରାଏ ତରଙ୍ଗକୁ ଟେକା ଫିଙ୍ଗେ
କେବଳ ଜୀବନକୁ ଝାପ୍ସା ଝାପ୍ସା କରି ଉପଭୋଗ କରିବାକୁ..
ମୁଁ ଜାଣେନା...ମୋ ବଳୟର ପରିଧି କେତେ ?
କେତେ ଦୂର ବା ଉଡିପାରିବି...
ମୁଁ ମପିବାକୁ ବି ଚାଂହୁନି ପାପ ପୁଣ୍ୟର
ଓଜନ କେଲେ ମୁଁ କେଉଁଠି ଥକି ପଡିବି.....
ମୁଁ ତ କେବଳ ମୁଁ...
ମୁକ୍ତ ବଳୟର ମୁକ୍ତ ବିହଙ୍ଗ....
ଆଉ ସେ ପର୍ଯ୍ୟନ୍ତ ମୁଁ ସର୍ବତ୍ର ଖେପୁଥିବୀ
ଯେ ପଯ୍ୟନ୍ତ ମୋ ଡେଣା ଦୁଇଟି ଥକି ଯାଇନି....
🔭ଦିନେ ପଚାରିଲେ ବାପା ମୋତେ ଆସି
ମୋର ନା ତୁ ବୋଉ ଝିଅ
ମୁଁ ପଚାରିଲି ବୋଉକୁ ଯାଇକି
ବୋଉ କହେ ତୋ' ବାପାକୁ ଲାଗିଛି ଦିଅଁ ...
ଅଲାଜୁକ ତାଙ୍କ ମୁହଁ...
ପଚାରେ ତୁ ଯାଇ ବାପାଙ୍କୁ ତୋହର
ସେ ଯେ କାହାର ପୁଅ...
ମୁରୁକି ହସାରେ ବୋଉର କତିରେ
କହନ୍ତି ମୁଁ ମୋ ବାପାର ପୁଅ ;
ରାଗେ ଜରଜର ବୋଉର ଉତ୍ତର
ତୁମେ ଆସିଲ କେଉଁଠୁ କୁହ....?
🔭ନଗ୍ନ ନୃତ୍ଯ ଦେଖି ଲାଖିଯାଏ ଆଖି
ପୁରାଣ କି ଲାଗେ ଭଲ
ଗିରି ଗୋବର୍ଦ୍ଧନ କଥା ବିସ୍ମରଣ
ସୁନ୍ଦର ନଡ଼ିଆ ତେଲ ।
ଫୁଲ ଦେଖି କଲକଲ ;
ସିଏ କି ବୁଝିବ ଶାସ୍ତ୍ରର ବିଭବ
ଯା' ମନ କାମ ଆତୁର ।
🔭ଆଖିରେ ମୋହର ଅୟୁତ ସପନ
ଭରି ଦେଉ ନିତି ଆସି...
ସେଇ ସ୍ବପ୍ନ ଯଦି ପୂରଣ ନ ହୁଏ
ପାଲଟି ଜୀବ ସେ ଫାଶି ।
🔭କଜ୍ଵଳ କଳ୍ପିତ ନେତ୍ରରେ ତୁମର
ବନ୍ଦୀ ହେବା ପାଇଁ ଇଚ୍ଛା....
ଦିଗନ୍ତ ବିସ୍ତାରି ଯିବୁନି ପାଶୋରୀ
ମୁଁ ସ୍ବୟଂ ଅଟେ ବିଭୀଷିକା ।
🔭ବେଳେବେଳେ ମୁଁ ତର୍ଜମା କରଇ
କାହିଁକି ମୁଣ୍ଡାଉ ଦୋଷ
ଶେଷ ସିଦ୍ଧାନ୍ତରେ ଉପନୀତ ହୋଇ
ବଞ୍ଚେ ଖାଲି ଅବଶୋଷ ।
🔭ସମସ୍ତେ ଭାବନ୍ତି ମୁଁ କାଳେ ତୋ
ପ୍ରେମେ ଯାଇଛି ପଡି
ଦୁଃଖ ଲାଗେ ତାଙ୍କୁ ଜବାବ ଦେବାକୁ
ଛାଡି ଆସିଛି ମୁଁ ବୟସ ସିଡ଼ି ।
🔭ଜାଣି ଜାଣି ତୁ ନିଜକୁ ମାରଉ
ତୀକ୍ଷ୍ଣ ଶବ୍ଦ ଧନୁ-ତୀରେ
ଜାଣିନି କାହିଁକି ତୋ' ଶବ୍ଦ ବାଣରେ
ଜାଣିଶୁଣି ପ୍ରାଣ ହାରେ..
🔭ସନ୍ଦେହ ତୋତେ କରିବିନି ଜମା
ଭଲ ମୁଁ ପାଉଛି ଏତେ
ତୁ ହାରିଥାଉ ଆଉ କା'ପ୍ରେମରେ
ହେଲେ ମୁଁ , ତୋ ହାରିବା ପଣରେ ଜିତେ ।
🔭ଜାଣିନି କାହିଁକି ଆଭିମାନ ତୋର
ଗଭୀର ଆଘାତ ଦିଏ
ତଥାପି କାହିଁକି ସେ ଆଘାତ ଭିତରେ
ବଞ୍ଚିବାକୁ ଇଚ୍ଛା ହୁଏ.....
🔭ଅଦିନିଆ ମେଘ ଥମିଯିବ ଦିନେ
ପୁଣି ଉଇଁବ ସୂର୍ଯ୍ୟ
ତଥାପି ଜାଣିକି ପ୍ରତି ମୁହୂର୍ତ୍ତରେ
ହାରେ ମୋହର ଧର୍ଯ୍ୟ ।
🔭ହସ କାନ୍ଦ ଭରା ବୈଶାଖୀ ରଡ଼ରେ....
ଫୁଲ ଆଉ ବସନ୍ତର ସଂଘର୍ଷରେ
ବାସ୍ନା ଭାସି ଲାଗେ ମୋ ହାତ ପାପୁଲିରେ...
ବିଦାରିତ ହୁଏ ବିତାଡିତ ନୁହେଁ....
ଆଉ କାହା କଟାକ୍ଷରେ ତଥାପି
ଜୀଇଁବାକୁ ଇଚ୍ଛା ତୁମ ହୃଦୟରେ...
🔭କେତେ ଅଭିନୟ କରିବି ତୁ କହ
ଆଖିରେ ଲୁଚେଇ ଲୁହକୁ ମୋର
ଯେଉଁ ବାହାନାରେ ଥରେ ଆସି କହ
ମୋ ଭଲପାଇବା କେବଳ ତୋର ।
🔭ତୁ ସବୁବେଳେ କହୁ ମୋ ସତ୍ୟ ଶୁଣି
ସମ୍ମାନ କରିବ ତୋତେ ସର୍ବଦା
ବେଶ୍ୟା ହେଉକି ପତିତାଟେ ହେଉ
ତୁ ଗ୍ରହଣିବୁ ଭାବି ନର୍ମଦା..।
🔭ଭଲପାଅ ବୋଲି କହୁନି ତୁମକୁ
ଥରୁଟେ ପଚାର ମୁଁ କେମିତି ଅଛି
ସେହି ବାହାନାରେ କହିଦିଅନ୍ତି ମୁଁ
ହୃଦୟ ହଜେଇ ହସି ଚାଲିଛି ।
🔭ଆଉ ମୁଁ ପାରୁନି ମୋ ଧର୍ଯ୍ୟକୁ ସମ୍ଭାଳି
ଥରୁଟିଏ ବାର୍ତା ପଠାଅ ମୋତେ...
ଇଚ୍ଛାରେ ହେଉ କି ଅନିଚ୍ଛାରେ ହେଉ
ଭାବି ପିଇଯିବି ଅମୃତ ଟୋପେ ।
🔭ଏତେ ଆଭିମାନ କାହିଁକି କର
ସତ କହୁଛି ମୁଁ ପାରେନି ସହି....
ଟିକିଏ ବି ଦୂରେ ରହିଲେ ତୁମେ
ଭାବଇ ମୋର ଜୀବନ ନାଇଁ..
🔭ସ୍ୱାର୍ଥର ଜହର ବୁଣି କରିନେଲୁ ନିଜର
ଆଜିମୁଁ ଭାବୁଛି ବସି
ନିସ୍ୱାର୍ଥର ମନ ନେଇ ଆଜି କାଇଁ ମରେ
ମୋ ବିଶ୍ୱସେ ଲଗାଇ ଫାଶି ।
🔭ହେ ବିଧାତା ! ମୁଁ ଜାଣେ ଅଦୃଶ୍ୟର
ଚାରିକାନ୍ଥରେ ଆପଣଙ୍କର ସତ୍ତା....
ତଥାପି ବି ମୁଁ ଅଂହକାର ବାଢେ....
ଆପଣଙ୍କର ସତ୍ତାର ଆଢୁଆଳେ... ;
ମୁଁ ଜାଣେ ଆପଣଙ୍କ ବିନୁ ମୋ ନିଃଶ୍ୱାସ ତ ଦୂର
ଖଣ୍ଡେ ପତ୍ର ବି ହଲେନା ଆପଣଙ୍କର ନିର୍ଦ୍ଦେଶ ନ-ନେଇ ;
ତଥାପି ମୁଁ ଗର୍ଵ କରେ ମୁଁ କୁ ନେଇ....
🔭"ମୁଁ"ର ବଡୀମା କେତେ ମାରାତ୍ମକ
ଆପଣ ଜାଣନ୍ତି ସବୁ
ପାପର ଭାରକୁ ଆଖି ଆଗେ ଦେଖି
ଚୁପ୍ କାଇଁ ରୁହ ବିଭୁ ।
🔭ହଁ ହେଇପାରେ ତୁମ ଅମୃତତୃଷ୍ଣାର
ଅବାସ୍ତବ ଛବି ଶବ୍ଦର ଯେ ଗନ୍ତାଘର....
ହେଲେ ସବୁ ଶବ୍ଦ ତୁମ ବିନା ତୁଛ
ଏହି ବାକ୍ୟ ସତ୍ୟତାର ।
🔭ହେ ରୂପସୀ ମଧୁମତୀ ମାୟାର ଅମାର ଗଣ୍ଠି
ରୂପ ତୋର ମଧୁଛନ୍ଦା....
ସୀମା ସବୁ ଲଙ୍ଘିଯିବି ପୀରତିର ମଧୁ ଶୋଷି
କର ନାହିଁ ମୋତେ ନିନ୍ଦା ।
🔭ରହ ପୋଡାମୁହାଁ ଆଜି ଗୁରୁବାର
କାଲିକି ଦେବି ମୁଁ ବଳି
ଦେଖିବି କେମିତି ତିନି ମାସିଆକୁ
ଶାଳୀ ସହ କରିବୁ କେଳି.....
ତୋ ଦରମା ଆସିନି ବୋଲି ;
ତୋତେ ମୁଁ ପୁଜୁଛି ଧନ ସୁନା କହି
ନହେଲେ, ତୋ ଗୋଷ୍ଠୀକୁ ଦିଅନ୍ତି ଖୋଳି ।
ଭାବୁଛୁ କି ବରକୋଳି ;....
(ଜାଣିଥା) ଯେତିକି ପାଚିବି ସେତିକି ବାସିବି
ଧନ ହଉଥିବୁ ବିଳି ବିଳି ।
🔭ଦିଗନ୍ତ ବଳୟେ ଦେଖାଯାଏ ଖାଲି
କ୍ରୁର କଠିନ ସମ
ନିରେଖି ଦେଖିଲେ ତା' ସମ୍ଭାବନା
ଅଟଇ ଯେ ଇହଧାମ ।
🔭ଆଖିରେ ଆଖିଏ ସପନ ସାଉଁଟି
ଅଳି କରେ ନିରବରେ
ପରକୁ ହଜାଏ ନିଜ ସୁବାସରେ
ନିଜକୁ ଜଳାଇ ଧୀରେ..।
🔭ଜାଣିନି କାହିଁକି ସପନ ସାଉଁଟେ
ନିରବ ଗୁମ୍ଫାରେ ବସି...
ଫୁଟିବା ଆଗରୁ ମଉଳି ପଡେ ମୁଁ
ସଜା ପାଏ ବାରମାସୀ ।
🔭ହଁ ହେଇପାରେ ଫେବିକୁଇକି ଅଠା
ଲାଗିଲେ ଛାଡିବ ନାଇଁ...
ହେଲେ ଇଏ ପରା ପ୍ରେମର କାଛୁ
କୁଣ୍ଡେଇ କୁଣ୍ଡେଇ ଜୀବନ ନଇ...
ଏ ଇଣ୍ଟରନେଟ ରୋଗ ଭାଇ....
ମୁଣ୍ଡରୁ ତଲିପା ଏମିତି ବ୍ୟାପିବ
ଖୋଳପା ଛାଡିବ ନାହିଁ ।
🔭କହିବିନି କେବେ ତୁ ଦେଇଛୁ ଧୋକା
ସମୟ ଆସୁ ତୁ ବି ବୁଝିଯିବୁ
କିପରି ଥିଲା ମୋ
ପ୍ରେମର ସମୀକ୍ଷା ।
🔭କେଳି କୁସୁମର ମାଳା ମୁଁ ଗୁନ୍ଥିଛି
ଢ଼ାଙ୍କିବୁ ଗଭାରେ ତୋର
ଫୁଲେଇ ଆଷାଢ ଲେଉଟି ଯିବଲୋ
ତୁମେଗୋ ହୋଇଲେ ମୋର ।
ଆଗୋ ଏମିତି ଅଜଣା ସ୍ବର ;
ଯାହା ମୁଁ ଉଚ୍ଚାରେ ତୁମ ନାଁ ବାହାରେ
ମୋ କଣ୍ଠରେ କରିଚ ଘର ।
🔭କହିଥିଲୁ ତୁ ଆସିବୁନି କେବେ
ହେଲେ ତୁ ଆସିଲୁ କାଲି
ତୁ ଆସିବା ପୂର୍ବରୁ ତୋ" ହୃଦୟରୁ
ମୁଁ ଆସିଥିଲି ଚାଲି ।
🔭ସ୍ବପ୍ନ ଆଜ ଲାଗେ ଜହର ପରିକା
ରାତି ଯେବେ ବଢ଼େ ଧିରେ
ହୃଦୟ କାନ୍ଦିଲେ ସଭିଏଁ କହିବେ
ଦେହ ଭଲ ନାହିଁକିରେ ?
🔭ଯିଏ ଯାହା କହୁ କାହିଁକି ଶୁଣୁଛ
ଯଦି ଅଛୁ ଆମେ ସତ୍ଯରେ
କହିବା ଲୋକଟା ଆଗରେ କହୁନି
କହୁଥାଉ ଆମ ପଛରେ ।
🔭ତୁ ଅଭିମାନ କରି ବସିଛୁ କାହିଁକି
ମୁଁ ପରା ତୋରି ପାଇଁ
ଯଦି ତୁ ଭାବୁଛୁ ମୋ ପ୍ରେମ ମିଛ
ତେବେ ତୁ ଖୋଜ୍ ଯାଇ ।
କହିବେନି ତୋତେ କେହି ;
ଯେଉଁଠି ପାଇବୁ ତୁ ଭଲପାଇବା
(କିନ୍ତୁ)ମୋ ପରି ନଥିବେ ଦେଇ ।
🔭ଏ ପ୍ରାପ୍ତ ପ୍ରହରେ ଖେଳିଯାଏ ଧିରେ
ଉଡ଼୍ର ସଂସ୍କୃତିର ମାଦକତା
ଢ଼ାଳି ଦିଏ ଆଣି ନୟନ ଯୁଗଳେ
ପ୍ରକୃତି ଗନ୍ଧର ବାସ୍ତବତା ।
ଏ ତ ନୁହେଁ କେବେ ମିଥ୍ଯା ବାର୍ତ୍ତା
ମାୟାପତି କରେ ଦକ୍ଷତା ପ୍ରହାରେ
ଚୁନା କରେ ସବୁ ଅହମିକା,
ବାଛି ନିଏ ସବୁ ସାର୍ଥକତା ।।
🔭ଗୋବିନ୍ଦ ପୟରେ ପ୍ରଣିପାତ କରେ
ଉଦ୍ଧର ବଂଶୀ ବାଦକ
ଦାସୀଟିଏ କରି ରଖ ବଂଶୀଧାରୀ
ନାଶନ କରି ମୋ ଅକ ।
ସୁଖେ ମୋ ସଂସାର ଚକ ;
ନିଅ ହେ ଗଡ଼ାଇ ଆହେ ଭାବଗ୍ରାହୀ
ଏତିକି ମାଗୁଛି ଭିକ ।
🔭ଯାଇଥିଲି ଦିନେ ଜ୍ଯୋତିଷ ନିକଟେ
ଜାଣିବାକୁ ଭାଗ୍ଯଫଳ
ଜ୍ଯୋତିଷ କହିଲା ଶନି ଦଶା ଥିଲା
ଏବେ ତୋ ଭାଗ୍ୟ ଉଜ୍ଜ୍ୱଳ ।
ପାଞ୍ଚଗୋଟି ପତି ତୋର ;
ଭାଗ୍ୟେ ଲେଖା ଅଛି ଶୁଣି ହେଲି ଖୁସି
ପ୍ରୀତରେ ଫେରିଲି ଘର ।
🔭ଭକତି ଦୀପାଳୀ ତବାଳୟେ ଜାଳି
ଶ୍ରଦ୍ଧା ବାଳଭୋଗ ବାଢ଼ି
ତବ ଆରାଧନା ଶିବ କର ଘେନା
ପ୍ରାର୍ଥୁଛି ପୟରେ ପଡ଼ି ।
ନିଅ ହେ ପାଖକୁ ଭିଡ଼ି ;
ତବ ଶୁଭାଶୀଷ ମୁଣ୍ଡେଇ ମୋ ଆସ୍ଯ
ଚ଼ାଲିଯିବି ସବୁ ଛାଡ଼ି ।
🔭ଇଚ୍ଛା ଅସୁମାରୀ ଯାଏ ସରି ସରି
ତୋହରି ଦୁଆରେ ପ୍ରଭୁ
ଝରୁ କୃପା ବାରି ନେ'ମୋ ହାତ ଧରି
ଶେଷ ଇଚ୍ଛା ପାଖେ ଥିବୁ ।
🔭ଶେଷ ଶାନ୍ତି ମୋର ତୁମରି ଦର୍ଶନ
ଅଶାନ୍ତି ମୋ ଅଟେ କ୍ରୋଧ
ଦର୍ଶନ ଦେଇକି ବିଷାଦ ହଟାଅ
କର୍ଣ୍ଣେ ଦେଇ ବର୍ଣବୋଧ ।
🔭ତୁ ବି ଚାହିଁଛୁ ମୁଁ ବି ଚାହିଁଛି
ରହିଛେ ଦୁହେଁ ଚାହିଁ
ତୁ ଉଡିଯିବୁ ସଞ୍ଜ ନଇଁଲେ
ମୁଁ ଖୋଜିବି ତ ଛାଇ ।
🔭ଅସଂଖ୍ୟ ସ୍ୱପ୍ନରେ ଖେଞ୍ଚି ହେଉଥାଏ
ଆଖିତଳେ ଥିବା ଡୋଳା
ସାର୍ଥକ ସ୍ୱରୂପ ଲଭିବା ଆଗରୁ
ଲୁହରେ ହେଲା ପଖଳା ।
🔭ନହୁଲି ବୟସ ମହୁଲି ନିଶାରେ
ମତୁଆଲା ଏଣେତେଣେ
ପହିଲି ପରଶ ପଇବା ଆଗରୁ
ପଛକୁ ମୋ ପାଦ ଟାଣେ ।
🔭ନିଛକ ଇଶାରା ଦେଇ କହିଥିଲୁ
ତୁ ହେବୁ ମୋରରେ ଗଣା
ଆଜି ସେ ଇସ।ରା ପାଉଣା ବଦଳେ
ଦେଇଗଲା ପ୍ରତାରଣା ।
🔭ପନ୍ଥାଶାଳା ଆଜି କାନ୍ଥରେ ଲେଖୁଛି
ତା' ଆୟୁଷର ବିବରଣୀ
ଇଛାର ବୟସ ସମାଧି ପାଉଛି
ମହମ ବତୀରେ ପୁଣି ।
🔭ହୁଏ ତ ତୁ କଣ୍ଟା ହେଇପାରୁ....
ହେଲେ ତୋ' ଦେହରେ ଫୁଟୁଥିବା
ଫୁଲ କାହିଁକି ଆକର୍ଷଣ କରେ
ମୁଁ କେବେ ବି କହି ପାରେନା...
🔭ଦୁନିଆ ତ ଅଜବ
ମୁଁ କିନ୍ତୁ ଦୁନିଆଠୁ ଭିନ୍ନ ;
ଦୁନିଆ ସୁଖରେ ବଞ୍ଚେ
ମୁଁ କିନ୍ତୁ ହୃଦୟ ହଜେଇ
ଖୁସିରେ କାନ୍ଦେ ।
🔭ବେଳେ ବେଳେ ତୁ ଜୁଆର କରି ଆସିଲୁ
ମୋ କଳ୍ପନା ବାହାରେ ଥିଲା....
ହେଲେ ତୁ ମୋ ସ୍ଵପ୍ନର ବାଲି ଘରକୁ
ଅଚାନକ ଭାଙ୍ଗିଦେଲୁ
ମୋ ବିଶ୍ୱାସରେ ନଥିଲା...
🔭ତୋ ପ୍ରେମ ମହକ ଇନ୍ଧନ ଯୋଗାଏ
ଟିକିଏ ନିଶ୍ୱାସ ପାଇଁ...
ପଞ୍ଚମ ରାଗରେ ସଙ୍ଗୀତ ତୋଳେ
ମୁଁ ଶାଶ୍ୱତ ପ୍ରେମକୁ ଗାଈ ।
🔭ଅଭିମାନର ମନ୍ଦାକିନୀ ମୁଁ...
ତୁମେ ସୁରମ୍ୟ ସ୍ତମ୍ଭ ପ୍ରାଚୀର...
ଅଜାଣତେ ଯଦି ଲୁହ ଝରିପଡ଼େ
ତୁମେ କରି ନେଇ ଯାଅ ନିଜର ।
🔭କୁଆଡେ ଯିବି ମୁଁ କାହିଁକି ବା ଯିବି
ମୋତେ କିଏସେ ପାରିବ ନେଇ...
ଯଦି ନେଇଯିବ ତୋ ହୃଦୟରୁ ପୁଣି
ଆପେ ଆସି ତୋତେ ଦେବ ଫେରାଇ ।
🔭ଅବୁଝା ମନଟା ଠିକ୍ ତୁମ ପରି
ଆନମନା କାଇଁ ହୁଏ...
ତୁମକୁ ଦେଖିଲେ ମୋ ଦୁଷ୍ଟ ଓଠଟି
ନେତ୍ର ତୁମ ଚୁମ୍ବିଯାଏ....
🔭କାହିଁକି ବଜାଅ ବଂଶୀ ଗୋପପୁରରେ....
ଗୋପିଏ ଝୁରନ୍ତି ଧନ ତୋତେ ଅନ୍ତରେ...
ରାଧା-ରାଧା ଝୁରି ହୁଏ ତୋ ମୋହନବଂଶୀ...
ଦୁଃଖକୁ ଲୁଚାଇ କହ ତୁ ପାଉ କି ଖୁସି....?
ଅଦିନ ଶ୍ରାବଣ ଝରୁଛି ଆଖିରେ......
ଗୋପ ଝୁରି ହେଉଅଛି କାହ୍ନୁ - କାହ୍ନୁରେ....
🔭ତୁମ ଚରଣେ ଶରଣ ଦିଅ ହେ ଆଦିକନ୍ଦ....
ଝରୁ କୃପା ବାରି ହେ ସଦା ମକରନ୍ଦ....
ଦୀନ-ଜନ-ଦୁଃଖୀ ପ୍ରଣତି ଘେନ....
ସବୁରି ତୁଣ୍ଡରେ ଥାଇ ତୁମରି ନାମ....
🔭ହେ ପରମେଶ୍ବର ପରମ ଈଶ୍ଵର କର୍ମମୟ ଭଗବାନ
ତୁମରି କରୁଣେ ଅତଯାତ ହୁଏ ଆଦ୍ୟ-ମଧ୍ୟ ଯଉବନ...
ସନ୍ଧ୍ୟା ଆଗମନେ ଦୁଃଖ ତୁଟିଯାଏ ତୁମ୍ଭ ମୂର୍ତ୍ତି ଦରଶନେ
ଶାନ୍ତ-କାନ୍ତ ରୂପ ଦେଖି ଆଚମ୍ବିତ ଏଇ ହୃଦ ଭବନେ
ସୋରିଷ ଫୁଲରୁ ମହ ମହ ବାସ ଛୁଟି ଆସେ ପବନେ
ଦୁଃଖେ କେବେ ଯଦି ଲୁହ ଢାଳୁଥାଏ ପୋଛ ନିଜ ବସନେ...
🔭ତୁମେ ଉଡ୍ରମାଟିର ମଉଡ଼ମଣି ହେ...
ଗୋପୀ ମନ ନେଇ ଝୁରେ ପ୍ରକୃତି ରାଣୀ...
ବାତ୍ସଲ୍ୟ ପୀରତି ଦେଇଛ ବୁଣିହେ...
ପାରମାନନ୍ଦ ମୁକୁନ୍ଦ ଶ୍ରୀ ଚକ୍ରପାଣି ।
ଗୋବର୍ଦ୍ଧନ ଗିରି କନିଷ୍ଠରେ ଟେକି
ରଖିଥଲ ଗୋପପୁରର ପ୍ରାଣୀ...
ଆଜି କାଇଁ କୁହ ନିରବି ଯାଉଛ
ପାପର ଭାରକୁ କାନ୍ଧରେ ଘେନି ?
🔭ନା ମୁଁ ବୁଝି ପାରୁଛି ନା ତୁ ବୁଝି ପାରୁଛୁ
କେବଳ ଏତିକି ବିଡ଼ମ୍ବନା ତୋ ଅଝଟିଆ
ଇସାରା ଦେଇ ମତେ ପରାସ୍ତ କରିଚାଲିଛୁ...
ମୁଁ ଜାଣିନି ମୋ ଭଣଭଣ ଗନ୍ଧରେ
ତୁ ଆକୃଷ୍ଟ ନା ଅସନ୍ତୁଷ୍ଟ
ହେଲେ ଏଇଟା ହିଁ ସତ୍ଯ
ତୋ ଗୁଣୁଗୁଣୁ ଶବ୍ଦରେ ମୁଁ ସମାହିତ.....
🔭ଯେଉଁ ପ୍ରଶ୍ନ ତୁମେ କରିଅଛ ବନ୍ଧୁ
ନିଜକୁ ପଚାରି ନିଅ
ଯଦି କରୁଛନ୍ତି ଦୋଷାରୋପ ମୋତେ
ଉତ୍ତର ବି ଶୁଣି ରୁହ ।
ତୁମ ଲୋକ ଦେଖାଣିଆ ବନ୍ଦ କରିଦେଇ
ମୋ ହୃଦୟେ ଲୁଚିକି ରୁହ ।
🔭ମୁଁ ବି ଦେଖିଛି ତୁ ବି ଦେଖିଛୁ
ଜୀବନର ଜଉଘର
ଯେଉଁଠି କେବଳ ହସ ବଦଳରେ
ଓଠ ପିଏ ଆଖି ନୀର ।
🔭କେତେ ମୁଁ ଡାକିବି କୁହ ହେ ଈଶ୍ଵର
କେଉଁ ନାମ ଧରି ପୁଣି....
କେଉଁ ନୈବେଦ୍ୟ ଚରଣେ ଅର୍ପିବି
ପାରୁନାହିଁ ମୁଁ ଜାଣି...
ଢାଳ ହେ କରୁଣା ବାରି....;
ବିଶ୍ୱାସ ଦୀପଟି ତୁମରି ଆଶିଷେ....
ଯାଉଥାଉ ନିତି ଜଳି....
🔭ଢଳ ଢଳ ତୋର କଜ୍ଵଳ ଆଖିରେ
ବନ୍ଦୀ ହେବା ପାଇଁ ଇଚ୍ଛା
ବଳୟ ବିସ୍ତାରି ଯାଆନି ତୁ ଭୁଲି
ମୁଁ ଅକୁହା ବେଦନା ଭାଷା ।
🔭ମିଛରେ କୁହ କି ସତରେ କୁହ
ଅଭିମାନେ ଥରେ କୁହ ତ
ଯଦି ନ ଶୁଣେ ସେଇ ପଦେ କଥା
ମୋ ହୃଦୟ ହୁଅଇ ଆହତ ।
🔭ଘୃଣା କର ପଛେ ଭଲ ମୁଁ ପାଇବି
ଦେଖିବି କେମିତି ଭୁଲିବୁ ମୋତେ
ଯେତେ ଅଭିନୟ କରିକି ହସିଲେ
ତୋ' ଆଖି କହେ ଭଲ ପାଉଛୁ ମୋତେ ।
🔭ଆଖିରେ ଆଖିଏ ସପନ ସାଉଁଟି
କାହିଁକି ରହିଛୁ ଚାହିଁ
ସେଇ ସପନକୁ ଦେଖି ଲାଭ ନାଇଁ
ଯଦି ତୁ ପାରୁନୁ ଶୋଇ ।
🔭ଟିକେ ଭୁଲ କଲେ ବୋଉ ରାଗି କୁହେ
ବାଗସାଗ ହୁଣ୍ଡି ଶିଖୁନୁ ଜମା
ରୁଷିକି ଶୋଇଲେ ଖାଇବା ଆଣିକି
ଆଉଁସି କୁହଇ ଉଠୁ ମାମା ।
🔭ମୁଁ ଜାଣିନାଇଁ ତୁ ମୋର କିଏ
ଏତିକି ଜାଣିଛି ଖାଲି
କଂଦେଇଲା ପରେ ସବୁତକ ଲୁହ
ତୁ ଏକା ପୋଛାଉ ବୋଲି ।
🔭ଢଳ ଢଳ ତୋର କଜ୍ଵଳ ଆଖିରେ
ବନ୍ଦୀ ହେବା ପାଇଁ ଇଚ୍ଛା
ବଳୟ ବିସ୍ତାରି ଯାଆନି ତୁ ଭୁଲି
ମୁଁ ଅକୁହା ବେଦନା ଭାଷା ।
🔭ମିଛରେ କୁହ କି ସତରେ କୁହ
ଆଭିମାନେ ଥରେ କୁହ ତ
ଯଦି ନ ଶୁଣେ ସେଇ ପଦେ କଥା
ମୋ ହୃଦୟ ହୁଅଇ ଆହତ ।
🔭ଘୃଣା କର ପଛେ ଭଲ ମୁଁ ପାଇବି
ଦେଖିବି କେମିତି ଭୁଲିବୁ ମୋତେ
ଯେତେ ଅଭିନୟ କରିକି ହସିଲେ
ତୋ ଆଖି କହେ ଭଲପାଉଛୁ ମୋତେ ।
🔭ବାପା ରାଗି ଗଲେ ବୋଉକୁ କୁହନ୍ତି
କାହିଁକି ଅଯୋଗ୍ୟ ହେଲେ ଜନମ
ବୋଉ ରାଗି ଯାଇ ଛିଣ୍ଡେଇ କହଇ
ମଲା, ତମ ବୁନିୟାଦି ନଷ୍ଟ ବିହନ...
କେମିତି ହେବେ ସେ ଧାନ ;
କୋଉ ରଇଜଳା ତମଠି ଛନ୍ଦିଲା
ମୋ କପାଳଟା ହୀନିମାନ ।।
🔭ନୀଳକନ୍ଦରରେ ମୁରୁକି ହସୁଛି
ମନଭୁଲା ସେହି କଳାଠାକୁର...
ଦୁଃଖୀ ଗଡ଼ି ଗଲେ ତା'ର କି'ବା ଯାଏ
ଛପନ ଭୋଗରେ ତା' ଭରେ ଉଦର ।
🔭ଶେଷ ଇଛା ପ୍ରଭୁ ତୁମରି ଦର୍ଶନ
ଶେଷ ଭୋଗ ମୋର ନରେନ୍ଦ୍ରରେ ସ୍ନାନ..
କେଉଁଠାରେ ଅଛ ହେ କଳା ବଦନ
ନିରନ୍ତରେ ଝୁରିହୁଏ ମୋ ଏ ଜୀବନ ।
🔭ତବ ନେତ୍ର ବେନି ଭାନୁ ନିଶାମଣୀ
ନକ୍ତନ୍ଦିବ ମୁକୁଳିତ
ଦେଖ ଏ ଜଗତେ ଦୀନ ଜନ କେତେ
ବିଷାଦରେ ଆତୁରିତ ।
କେସନେ ଶ୍ରୀନାଥ ଶାନ୍ତ ?
ହେଲ କି ପାଷାଣ ମୂର୍ତ୍ତି ନାରାୟଣ
କିଏ ବା ଡ଼ାକିବ କାନ୍ତ ।
🔭ବାପା ବୋଉଙ୍କର ଝଗଡା ଲାଗିଲେ
ହୁଅନ୍ତି ଉଘିଆ ଉଘି
ବୋଉ କୁହେ ବାପା ଯୁଆଡ଼କୁ ଯିବେ
ବାଟ ସାରା ହଗି ହଗି।।
ପ୍ରକୁତି ଛଡା ସେ ନାଗି;
ଆଉ ପାରିବିନି ରହି ତାଙ୍କ ସାଥେ
ମୋ' ବାପ ଘର ଚଳିଯିବି।
ବାପ ଯେ କୁହନ୍ତି ରାଗି....
ଯାଉନୁ କିଆଁ ତୁ ଫୁଟାଣି ମାରୁଛୁ
ଇଚ୍ଛା ମୋ' ତୋ' ମୁହଁକୁ ଦିଅନ୍ତି ଖୋବି।
ଯେମିତି କହୁଛି ମୁଁ ହଗିଲା ବେଳେ
ତୋ ଭାଇ ଯାଉଥିଲା ଜଗି ।
🔭ତୁମରି ଚରଣେ ଶରଣ ଦିଅ ହେ
ଏତିକି ମାଗୁଛି ଭିକ
ଧନ-ଜନ-ମାନ ଲୋଡ। ନାହିଁ ମୋର
ତୁମେ ହିଁ ତ ମୋର ଇଷ୍ଟ ।
ଗୁହାରି ଶୁଣ ହେ ଶ୍ରେଷ୍ଠ ;
ସମର୍ପି ଦେଇଛି ମୋ ଛୋଟିଆ ଜୀବନ
ଦିଅ ନାହିଁ ଆଉ କଷ୍ଟ ।
🔭କେଉଁ ଇତିହାସ ରଚି ତୁ ପାରିବୁ
ମିଛର ଗାରିମା ବାଢୁଚୁ ଡେଲି
ଏଇଟା ହିଁ ସତ୍ୟ ତୁ ମଲା ପରେ
ମଶାଣିରେ ହେବୁ ପାଉଁଶ ଖାଲି ।
🔭ପାପ ପୁଣ୍ୟ ସବୁ ଏଇଠି ବିଚାର
ମଲା ପରେ କେହି ନେବେନି କିଛି
ଯାହାବି ସଞ୍ଚିବୁ ଏଇ ଭଵତଳେ
ଆର ଜନମରେ ଭୋଗିବୁ ବସି ।
🔭କାହିଁକି ଡରିବି କିଏ ସେ ମାରିବ
ଯେଉଁଠି ମରଣ ଅଟେ ନିଶ୍ଚୟ
ଅଭିନୟ କରି ନ ମରିବି କାଇଁ
ଅନ୍ୟର ଦୁଃଖକୁ କରି ବିଜୟ ।
🔭ମୁଁ ଯେତେ ରାଗିଲେ ମୋ' ତୁଣ୍ଡେ ହୁଏନି
ତୁ' ବିଶ୍ୱାସ ଘାତକ ବୋଲି
ହେଲେ ସାମାନ୍ୟ କଥାରେ ତୁ' ବାରମ୍ବାର କହୁ
ଯାଆ ମୋ' ପାଖରୁ ଚାଲି ।
🔭ନିଃଶ୍ୱାସକୁ ମୋର ଭରସା ପାଉନି
ବିଶ୍ୱାସ ଦିଅ ହେ ଭରି
ସେହି ବିଶ୍ୱାସରେ ବଞ୍ଚିଯିବି ପ୍ରଭୁ
ତୁମ ନାମ ସ୍ମରି ସ୍ମରି ।
🔭କରୁଣା ସାଗର କରୁଣା ବାରିଧି
କୃପା ନୀରେ ଭରା ତୁମ ପରିଧି
ମଳୟ ମରୁତେ ତୁମରି ସ୍ଥିତି
କଦାପି ହୁଏନି ମୋ ହୃଦୁ ଇତି।
🔭ଯଦି ମନଇଚ୍ଛା ଯାଇଥା'ନ୍ତି ଭାରି
ପଚାରନ୍ତିନି ମୁଁ ବାରମ୍ବାର...
ସେତିକି ସମ୍ମାନ ଦିଏ ବୋଲି ଆଜି
ଅନୁମତି ମାଗେ ମୋ ପ୍ରେମର ।
🔭ସିନ୍ଦୂର ନାଇକି ଶୁଭ ମନାସୁଛି ହସ୍ତେ ଧରି ଦୀପାଞ୍ଜଳି...
ଇହ ଆଉ ପରଧାମର ଦେବତା ନିଅ ହେ ଗ୍ରହଣ କରି...
🔭ମୁଁ ମଲା ପରେ ମୋ' ମର ଶରୀର
ଯେଉଁ ଶ୍ମଶାନରେ ମିଶିବା ଥୟ
ମୋ ଆଖି ସାମ୍ନାରେ ମରଣ ଦେଖିଲେ
କାହିଁକି କରିବି ଅଯଥା ଭୟ ।
🔭ତୁମ ପଦରାଜି ଏବେ ବି ଖୋଜୁଛି
ସୋରିଷ ଫୁଲର କ୍ଷେତେ
ଲଳିତାର ମନ ନେଇ ଖୋଜେ ପ୍ରଭୁ
କଣ୍ଟକିତ ପଥେ ପଥେ ।
ଦରଶନ ଦିଅ ମୋତେ ;
କିଏସେ କେଉଁଠି ଲୁଚାଇ ଦେଇଛି
ଖୋଜେ ତୁମକୁ ନିରତେ ।




I read every bit of poem and article .These are so fantastic and heart touching ...So nice
ReplyDeleteହୃଦୟରୁ ହ୍ରଦେ ଧନ୍ୟବାଦ
Delete