5/31/2020

ମହାବିନାଶକାରୀ ମହୀ

ରାକେଶ ପ୍ରଧାନ 
ଆର୍ତ୍ତନାଦ ଶୁଭେ ମହୀ ମଣ୍ଡଳରେ,                                                           ହା ହା କାର ପୁଣି ଭୟ କାତରରେ,
ସଭ୍ୟ ସମାଜ ଯେ ବନ୍ଦୀ ନିଜର ଘରେ,
ଶୂନ୍ୟ ଶୂନ୍ୟ ଦିଶେ ସହର ବଜାରେ l  [୧]

କିଏ ଜାଣିଥିଲା କି ଭିନ୍ନ ପ୍ରକାରେ,
ସୃଷ୍ଟି ମହାମାରୀ ଭୂମଧ୍ୟ ସାଗରେ,
କବଳିତ କରି ଚାଇନା ସହରେ,
ବ୍ୟାପିଯିବ ପୁଣି ଦେଶ ବିଦେଶରେ l  [୨]

ଭକ୍ଷକ ସାଜି ତୁ ମଣିଷ ରୂପରେ,
ନିରୀହ ଜୀବନ ମାରି ଖାଇଲୁରେ,
ନିର୍ଦ୍ଦୟ ହୋଇଣ ହିଂସା ଅମାପରେ,
ଭୟ ଭ୍ରାନ୍ତି ଭୁଲି ଚରମ ସୀମାରେ l  [୩]

ଲେଖା ଅଛି ପରା ଭୂ ଇତିହାସରେ,
ପ୍ରଭୁ ନାରାୟଣ ଅକାତ ଜଳରେ,
ଅବତରି ହୋଇ ମତ୍ସ୍ୟ ଓ କୁର୍ମରେ,
ଧରା ଧରଣୀକୁ ରକ୍ଷା ଯେ କଲେରେ l  [୪]

ଶ୍ରେଷ୍ଠ ଜୀବ ବୋଲି କହୁ ତୁ ସୃଷ୍ଟିରେ,
ତିଳେ ହେଁ ଶ୍ରେଷ୍ଠତା ନାହିଁ ଯେ ତୋ' ଠାରେ,
ବୁଦ୍ଧି ଜ୍ଞାନ ଶୂନ୍ୟ ଭରା ଶଠତାରେ,
ଚଲାକି ପଣିଆ ସବୁ ତୋ' ସ୍ୱାର୍ଥରେ l  [୫]

ଅଚିହ୍ନା ବ୍ୟାଧି ଯେ ମାଡି ବସିବ ରେ,
ଅଚ୍ୟୁତ ଲେଖିଲେ ତାଙ୍କ ମାଳିକାରେ,
ସେ ଦିନ ଆସିଲା ବିଂଶ ଶତାବ୍ଦୀରେ,
ମୁହେଁ ତୁଣ୍ଡି ଦେଲୁ ହୋଇ ବଳଦ ରେ l  [୬]

ସବୁ ଜାଣିଶୁଣି ଅଜଣା ହେଲୁରେ,
ରୋଗ ମହାମାରୀ ଡାକି ଆଣିଲୁ ରେ,
ଜୀବନ ପ୍ରଦୀପ ଲିଭାଇ ହାତରେ,
ବାନ୍ଧି ହେଲୁ ତୁହି ଅକାଳ ଜଞ୍ଜିରେ l  [୭]

ଉପନୀତ ହୁଏ ମୃତ୍ୟୁ ସମୀପରେ,
କରୋନା ନାମକ ଭୁତାଣୁ ରୂପରେ,
ମହାମାରୀ ସେ ତ ମହାବିନାଶ ରେ,
ଖୋଜି ଖୋଜି ମାରେ ଯେତେ ବି ଲୁଚରେ l  [୮]

ଦୟା କ୍ଷମା ଶାନ୍ତି ମାନବ ଧର୍ମରେ,
ଈଶ୍ୱରଙ୍କୁ ପୁଣି ଗଲୁ ଯେ ଭୁଲି ରେ,
ଦିନରାତି ସମ ନିଶା ସେବନ ରେ,
ଅନ୍ୟାୟ ରଚିଲୁ ଅଧର୍ମ ପଥ ରେ l  [୯]

ସମୟ ଯେ ଆଜି ତୋ' ପାଇଁ ବିଚାରେ,
ସ୍ୱାର୍ଥକୁ ବଞ୍ଚିଲୁ ତୁ ବୀର ଦର୍ପରେ,
ପୃଥିବୀ ମାଆ'ର ଦୟା ପଣିଆ ରେ,
ଆକୁଳେ ଶରଣ ଦିଏ ତା' ବକ୍ଷରେ l  [୧୦]

ଧରା ବି କମ୍ପୁଛି ତୋହରି ଦାଉରେ,
ଭୟାବହ ହେବ ମହାତାଣ୍ଡବ ରେ,
ହାରିବ ଯେବେ ତା' ସହନଶୀଳ ରେ,
ଲୀନ ହୋଇଯିବ ସେ ମହାକାଳ ରେ l  [୧୧]
                        []•*•[]


ବଡ଼ପାଟସୁନ୍ଦରପୁର , 
କଟକ - ୭୫୪୦୧୮
ଜୟ ସାହିତ୍ୟ, ଜୟ ସମାଜ

କେବଳ କରୋନା କାହିଁକି ?

ଯାଜ୍ଞସେନୀ ସାହୁ

       କିଛିଦିନ ହେବ କରୋନା ସାରା ଦେଶ ଓ ଦେଶବାହାରେ ହଇଚଇ ସୃଷ୍ଟି କରିଛି । ପିଲାଠୁ ବୁଢା ,ଗାଆଁରୁ ସହର ସବୁ ଡରରେ ଥରହର । ଏଣେ ଗଣମାଧ୍ୟମର ତୁହାକୁ ତୁହା ଖବର ଆତଙ୍କ ସୃଷ୍ଟି କଲାଣି । କେତେ ବଡବଡିଆ ଲୋକ,ମନ୍ତ୍ରୀଙ୍କ ସଚେତନତା ବାର୍ତ୍ତା ଛୁଟି ଆସୁଛି । କବି ଲେଖକଙ୍କ ଲେଖା ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି । ମେଡିକାଲ ଷ୍ଟୋର୍‌ର କଥା ତ କହିଲେ ନସରେ । ସାନିଟାଇଜର୍ ଓ ଫେସ୍ ମାସ୍କର ଦର ଆକାଶ ଛୁଆଁ । ସକ୍ଷମତା ଦେଖି କିଏ କିଣୁଛି ନହେଲେ କିଏ ରୁମାଲ ଗୁଡେଇ ହୋଇ ରହୁଛି । କେଉଁଠି ୧୪୪ ଧାରା  ଲାଗୁ ହେଲାଣି ତ କେଉଁଠି ଲକ୍ ଡାଉନ୍ ଚାଲିଛି । ପରିବହନ , ଯୋଗାଯୋଗ ଦିଗ ମଧ୍ୟ ସବୁ ଠପ୍ ।ନାହିଁ ନଥିବା ଅସୁବିଧାର ହେଉଛି ସତ , କିନ୍ତୁ ମୁକାବିଲା ପାଇଁ ଏଇଟା ହିଁ ସର୍ବୋତ୍ତମ ପନ୍ଥା । ମୋଟାମୋଟି ଭାବେ କହିବାକୁ ଗଲେ ପୂରା ମାନବ ଜାତି ଓ ତା'ର ଜୀବନଶୈଳୀଟା ପ୍ରକୃତିର କରାଳ ରୂପ ଆଗରେ ହାର ମାନିଛି । ତାକୁ ତାଳ ଦେଇ ଜନତା , ସରକାର , ନାନାଦି ନୀତିନିୟମ ବି କରି ଚାଲିଛନ୍ତି । ଲଢେଇ ଉପରେ ଲଢେଇ । ହେଲେ ଏ ସବୁ କେବଳ କରୋନା ପାଇଁ କାହିଁକି ?

      ଦିନେ ସାନ୍ଧ୍ୟ ଭ୍ରମଣରେ ମୁଁ ଆଉ ମୋ ବାନ୍ଧବୀ ବାହାରି ଥାଉ ।କରୋନା ସ୍ଥିତି ସେତେବେଳେ ଅତ୍ୟନ୍ତ ଅସମ୍ଭାଳ ନହେଲେ ମଧ୍ୟ ଗଣମାଧ୍ୟମର ଖବର ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରି ସାରିଲାଣି । ଏସବୁ ଜଣା ପଡୁଥିଲା ଲୋକଙ୍କ ବେଶ ପୋଷାକରୁ । ରାସ୍ତାକୁ ଓହ୍ଲାଇ ଗଲା ବେଳକୁ ଆଖିରେ ଗୋଟିଏ ନଜିର । ଲୋକଙ୍କ ହାତରେ ଗ୍ଲୋବ୍‌ସ ଆଉ ମୁହଁରେ ମାସ୍କ୍ । ଭାବିଲି ସତରେ ଆମ ଲୋକେ କେତେ ସଚେତନ ହେଲେଣି । ବୁଲୁବୁଲୁ ଭାରି ଶୋଷ ଲାଗିଲା ; ଖରାଦିନକୁ ଝାଞ୍ଜି ପିଟୁଛି । ପାଣି ବୋତଲ ବି ନଥାଏ ଢୋକେ ପିଇ ଦେବାକୁ । ବାଧ୍ୟ ହୋଇ ଗୋଟେ ଦୋକାନ ଦେଖି ପାଖକୁ ଗଲୁ । ପାଣି ଟିକେ ପିଇ ଛାଇରେ ବସିଥାଉ । ଦୁଇଜଣ ବ୍ୟକ୍ତି ବାଇକ୍‌ରୁ ଓହ୍ଲାଇ  ଦୋକାନ ଭିତରକୁ ଆସି ଗୁଟ୍‌ଖା(ପୁଡିଆ) ପାଇଁ ବରାଦ କଲେ । ଦୋକାନୀ ବି ଗୋଟିଏ ଗୁପ୍ତ ଥଳୀ ପ୍ରାୟ ମୁଣିରୁ ପେନ୍ଥାଏ ଗୁଟ୍‌ଖା କାଢି ସେମାନଙ୍କୁ ଦେଲା । ଥଳୀଟି ଏପରି ଭାବେ କାଢିବା ମନେ ହେଉଥିଲା ନିଶ୍ଚିତ ଭାବେ ଦୋକାନୀ ବି ଜାଣେ ଗୁଟ୍‌ଖା ବିକ୍ରୟ ନିଷେଧ ହେବା କଥା ।ନହେଲେ ଏ ସଙ୍କୋଚଭାବ କାହିଁକି  ! ମୁହଁରୁ ମାସ୍କଟିକୁ ଖୋଲି ଦିହେଁ ଗୁଟ୍‌ଖା ହାତରେ ଦଳି ଧୂଳି ଝାଡି ଦେଇ ସଗର୍ବରେ ପାଟିରେ ପକାଇ ଦେଇ ପୁଣି ମାସ୍କଟିକୁ ଭିଡିଦେଲେ । କେବଳ କ'ଣ ସେତିକି ? କେତେ ଲୋକ ବିଡ଼ି ,ସିଗାରେଟ୍ ଟାଣି ପରିବେଶ ବାଷ୍ପରୁଦ୍ଧ କରିବାରେ ଲାଗି ପଡିଥିଲେ ।ଏସବୁ ଦେଖି କିଛି ପ୍ରଶ୍ନ ମନକୁ ଘାଣ୍ଟି ଚକଟି ପକଉଥାନ୍ତି - ଲୋକେ କେବଳ କ'ଣ କରୋନାକୁ ଡରୁଛନ୍ତି କର୍କଟ ପରି ରୋଗକୁ ନୁହେଁ କି ?
    ଆଜି ଏ ଘନଘନ ସଚେତନତା ଯଦିବା ମୃତ୍ୟୁହାରକୁ ଲକ୍ଷ୍ୟ କରି ସୃଷ୍ଟି କରାଯାଉଛି , ନିଶାସେବନ ଓ ପରିବେଶ ଦୂଷିତୀକରଣରୁ ହେଉଥିବା ମୃତ୍ୟୁସଂଖ୍ୟା ମଧ୍ୟ କମ୍ ନୁହେଁ । ସଂଖ୍ୟା ଯାହା ବି ହେଉନା କାହିଁକି ଜୀବନ ତ ଜୀବନ । କିଛି ବର୍ଷ ତଳେ ମାଦକ ଦ୍ରବ୍ଯ ତଥା ନିଶାଦ୍ରବ୍ଯ ବିକ୍ରୟରେ ସରକାର ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ ଚୋରା ବେପାର ଜାରି ରହିଛି । ଏବେ ବି ଲୋକ ନିଶାଦ୍ରବ୍ଯ ସେବନ ସହ ମଦ୍ୟପାନରେ ଲିପ୍ତ ରହୁଛନ୍ତି । ଆଜି ବି ବହୁ ରୋଗୀଙ୍କ ଅବସ୍ଥା ଏସବୁ ଯୋଗୁଁ ସଂକଟାପନ୍ନ ; କେହି ଯକୃତ ରୋଗରେ ପୀଡିତ ତ କେହି ନିଶା ଅବସ୍ଥାରେ ଦୁର୍ଘଟଣାଗ୍ରସ୍ତ ହୋଇ । କେବଳ ସେତିକି ନୁହେଁ , ପରିବାର ମଧ୍ୟରେ କଳିଝଗଡା , ହଣାମରା , ବଳତ୍କାର , ଦୁଷ୍କର୍ମ ଆଦି ବିପଦ ମଧ୍ୟ ସୃଷ୍ଟି ହେଉଛି । ନା ଲୋକେ ଏଥିପ୍ରତି ସଜାଗ ନା ସରକାର ଏଥିପ୍ରତି କଠୋର ହେଉଛନ୍ତି । "ନିଜେ ନ ମଲେ ସ୍ୱର୍ଗ ଦେଖିବ କେମିତି?" ପରି ଅନ୍ୟାନ୍ୟ ଦେଶକୁ ଦେଖି ଯେପରି ରାଜ୍ୟରେ ଆତଙ୍କ ଖେଳୁଛି ଅବା ସୁରକ୍ଷା ନିୟମ କଡାକଡି କରାଯାଇଛି , ଏହି ଦିଗ ପ୍ରତି ସେପରି ଦୃଷ୍ଟି ନିକ୍ଷେପ କରାଯାଉନାହିଁ । 
     ନିଶା ସେବନ ବନ୍ଦ କରିବା ଦିଗରେ ଏବେ କେବଳ ଖବରକାଗଜ ଓ ଦୂରଦର୍ଶନରେ ବିଜ୍ଞାପନ ବ୍ୟତୀତ ଅନ୍ୟ ଦିଗ ପ୍ରତି ଦୃଷ୍ଟି ଦିଆ ଯାଉନାହିଁ  ।ବର୍ଷ ବର୍ଷ ଧରି ନାନା ଯୋଜନାମାନ ହୋଇ ଆସୁଅଛି । ଗାଆଁ ଗହଳି ଲୋକେ ତଥା ଗୃହିଣୀମାନେ ପଦାକୁ ଆସି ରାସ୍ତାରୋକ କରୁଛନ୍ତି , ସଚେତନତା ଶିବିର ହେଉଛି ; କିନ୍ତୁ "ମୋତେ ଯେତେ ମାଠିବୁ ମାଠ" ପରି ପୁଣି ଯେଉଁ କଥାକୁ ସେଇ କଥା । କାରଣ କରୋନା ପରି ଏସବୁ ପରିସ୍ଥିତିକୁ ଗମ୍ଭୀର ଭାବେ ନିଆ ଯାଉନାହିଁ । ଛୋଟ ଛୋଟ ପିଲାମାନେ ନିଶାଗ୍ରସ୍ତ ମଣିଷ ପରି ଢଳଢଳ ହୋଇ ଅଭିନୟ କରିବା ବି ଭବିଷ୍ୟତ ପିଢି ପାଇଁ ଏକ ସତର୍କ ସୂଚନା ନୁହେଁ କି ? ତେବେ ଆମେ ଏହି ଘଟଣାକୁ ଯଦି ଜଟିଳ ଭାବେ ଗ୍ରହଣ କରିପାରିବା , ତେବେ କରୋନା ସମ ନହେଲେ ମଧ୍ୟ , ନିଶ୍ଚିତ ଭାବେ କିଛି ସଂଖ୍ୟାରେ ମଣିଷ ମରଣ ମୁଖରୁ ବର୍ତ୍ତି ଯାଇପାରିବେ
ସେମିଳିଗୁଡା - କୋରାପୁଟ 
ଜୟ ସାହିତ୍ୟ, ଜୟ ସମାଜ

ଫେସବୁକ୍ ଲେଖକ

ପ୍ରଶାନ୍ତ କୁମାର ପ୍ରଧାନ

ପ୍ରାୟ ୩୦ ବର୍ଷ ତଳେ ଖଲ୍ଲିକୋଟ କଲେଜ ପଡିଆରେ ଆୟୋଜିତ ଏକ ଆଧ୍ୟାତ୍ମିକ ପ୍ରବଚନରେ ସୁନ୍ଦର କାହାଣୀଟିଏ ଶୁଣୁଥିଲି , ଯାହା ଦୀର୍ଘଦିନ ପର୍ଯ୍ୟନ୍ତ ମୋ' ମନକୁ ବେଶ୍ ଆନ୍ଦୋଳିତ କରିଥିଲା  । କାହାଣୀଟିର ଚରିତ୍ର ଗୁଡିକର ନାମ ସଠିକ୍‌ ଭାବରେ ମୋ' ସ୍ମୃତିପଟକୁ ଆସୁନାହାନ୍ତି । ଦୁଇଦିନ ହେଲା internetରେ ଶତାଧିକ ବାର ଅନ୍ଵେଷଣ କରିସାରିଲା ପରେ ମଧ୍ୟ ଚରିତ୍ର ଗୁଡିକୁ ନେଇ ମୁଁ' କୌଣସି ଉପସଂହାରରେ ପହଞ୍ଚି ପାରୁନି । କିନ୍ତୁ  ସଠିକ୍‌ ରୂପରେ କାହାଣୀର ଚରିତ୍ର ଗୁଡିକର ପରିଚୟ ଜାଣିଲା ପର୍ଯ୍ୟନ୍ତ ମୋର ଆବେଗ ସବୁକୁ ନିୟନ୍ତ୍ରଣ କରିବା ପାଇଁ ମୋ' ମନ ଅସମର୍ଥ। ତେଣୁ ବାଧ୍ୟ ହୋଇ କାହାଣୀଟି ଉପାସ୍ଥାପନା କରୁଛି । ଅଶା , ଜ୍ଞାନୀ, ଗୁଣୀ ଓ ସୁଧିବୃନ୍ଦରେ ଭରପୂର ଏଇ groupର କ୍ଷମାଶୀଳ ସଭ୍ୟ ମାନେ ମୋର ଏଇ ଅକ୍ଷମଣୀୟ ଔଦ୍ଧତ୍ୟକୁ କ୍ଷମା କରିବା ସଙ୍ଗେ ସଙ୍ଗେ ଯଦି କେହି ସହୃଦୟ ବ୍ୟକ୍ତି ପାଖରେ କାହାଣୀର ଚରିତ୍ର ମାନଙ୍କର ସଠିକ୍‌ ପରିଚୟ ଥାଏ ତାହେଲେ ତାକୁ ପ୍ରକାଶ କଲେ ଏ ଅଧମ ଆପଣଙ୍କ ନିକଟରେ ଚୀର କୃତଜ୍ଞ ରହିବ।

      ଷୋଡଶ ଶତାଦ୍ଧୀର ମଧ୍ୟ ଭାଗରେ ଭାରତ ବର୍ଷର ଜଣେ ପ୍ରଖ୍ୟାତ ପଣ୍ଡିତ (ନାମ ମନେ ନାହିଁ) ଭାରତୀୟ ସନାତନ ଧର୍ମର ସମସ୍ତ ଗ୍ରନ୍ଥର ସାରକଥାକୁ ବୁଝିବା ପାଇଁ ପ୍ରବଳ ଚେଷ୍ଟା କଲେ । ତାଙ୍କର ପ୍ରବଳ ଜ୍ଞାନପୀପାସା ବଳରେ କିଛିଦିନ ମଧ୍ୟରେ ସେ ଅଷ୍ଟାଦଶ ପୁରାଣ ସାଙ୍ଗକୁ ବେଦ,ଉପନିଷଦ ଓ ଦର୍ଶନ ଶାସ୍ତ୍ର ଗୁଡିକୁ ମଧ୍ୟ କେବଳ ଅଧ୍ୟୟନ ହିଁ ନୁହେଁ ବରଂ ସେ ସବୁକୁ କଣ୍ଠସ୍ଥ କରିବାରେ ବି ସେ ସିଦ୍ଧହସ୍ତ ହୋଇପାରିଲେ । କିନ୍ତୁ ଜ୍ଞାନର ଓଜନକୁ ସମ୍ଭାଳିବାରେ ସେ ସକ୍ଷମ ହୋଇପାରିଲେ ନାହିଁ । ତାଙ୍କ ଜ୍ଞାନର ସୀମା ଯେତେ ମାତ୍ରାରେ ବଢିଲା , ଦୁନିଆ ଆଗରେ ନିଜ ଲବ୍ଧ ଜ୍ଞାନର ପ୍ରଚାର କରିବା ପାଇଁ ସେ ସେତେ ମାତ୍ରାରେ ଆଗ୍ରହୀ ହେଲେ । ବିଭିନ୍ନ ଧର୍ମସଭା ଗୁଡିକରେ ନିଜର କଣ୍ଠସ୍ଥ ଜ୍ଞାନରୁ ଶାସ୍ତ୍ରାର୍ଥ କରି ଅନ୍ୟ ପଣ୍ଡିତ ମାନଙ୍କୁ ତର୍କରେ ପରାସ୍ତ କରି ସେ ଯେ  ସଂପ୍ରତି ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀ ଏକଥା ସେ ସବୁ ସ୍ଥାନରେ ପ୍ରମାଣ କରିବା ପାଇଁ  ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କର ପ୍ରଚଣ୍ଡ ଆତ୍ମବଡିମା ଯୋଁଗୁ କୌଣସୀ ସ୍ଥାନରେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ଜ୍ଞାନୀର ମାନ୍ୟତ‍ା ପ୍ରାପ୍ତ ହେଲା ନାହିଁ । ତେଣୁ ସେ ଏକ ଧର୍ମସଭାରେ ପ୍ରଶ୍ନ କରିଥିଲେ , "ଏତେ ସବୁ ସ୍ଥାନରେ ଏତେ ସଂଖ୍ୟକ ପଣ୍ଡିତଙ୍କୁ ତର୍କରେ ପରାସ୍ତ କଲା ପରେ ମଧ୍ୟ କାହିଁକି ପଣ୍ଡିତ ମଣ୍ଡଳୀ ମୋତେ ଶ୍ରେଷ୍ଠ ଜ୍ଞାନୀର ମାନ୍ୟତା ଦେବା ପାଇଁ କୁଣ୍ଠାବୋଧ କରୁଛି ?" ପଣ୍ଡିତ ମହାସଭା ତାଙ୍କ ପ୍ରଶ୍ନର ଉତ୍ତରରେ ସେତେବେଳର ସର୍ବଶ୍ରେଷ୍ଠ ଜ୍ଞାନୀ ହିତ୍ ହରିବଂଶ ମହାପ୍ରଭୁ (ସମ୍ଭବତଃ)ଙ୍କୁ ପରାସ୍ତ କରିବା ପାଇଁ ପରାମର୍ଶ ଦେଇ କହିଥିଲେ , "ବୃନ୍ଦାବନରେ ରାଧାବଲ୍ଲଭ ସାଧନାରେ ମଗ୍ନଥିବା ହିତ୍ ହରିବଂଶ ମହାପ୍ରଭୁ ଯଦି ଆପଣଙ୍କ ସହିତ ଶାସ୍ତ୍ରାର୍ଥ କରି ନିଜ ପରାଜୟ ସ୍ବୀକାର କରନ୍ତି ତେବେ ଆପଣଙ୍କୁ ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀ ରୂପେ ସ୍ବୀକାର କରିବା ପାଇଁ ବିଦ୍ବାନ ମଣ୍ଡଳୀ କୌଣସୀ  କାର୍ପଣ୍ୟ କରିବ ନାହିଁ ।

    ସେହିଦିନ ଠାରୁ ସେ ବୃନ୍ଦାବନର ନିର୍ଜନ ଲତା କୁଞ୍ଜରେ ହିତ୍ ହରିବଂଶ ମହାପ୍ରଭୁଙ୍କୁ ଅନ୍ବେଷଣ କରିବାରେ ଲାଗିଲେ । ସେତ ମହାପ୍ରଭୁଙ୍କୁ କେବେ ଦର୍ଶନ କରିନାହାନ୍ତି । କେମିତି ଚିହ୍ନି ପାରିଥା'ନ୍ତେ ତାଙ୍କୁ ? ଜନଶୂନ୍ୟ ପର୍ବତରେ କିଏ ଦେବ ତାଙ୍କୁ ମହାପ୍ରଭୁଙ୍କ ପରିଚୟ ? ବହୁଦିନ ବୁଲି ବୁଲି କ୍ଲାନ୍ତ ଶ୍ରାନ୍ତ ହୋଇସାରିବା ପରେ ସେ ଦିନେ ଅତି ସାଧାରଣ ମଣିଷଟିଏକୁ ବୃନ୍ଦାବନର ଲତା କୁଞ୍ଜ ଭିତରେ ଆବିଷ୍କାର କରି ତାଙ୍କ ଠାରୁ ହିତ୍ ହରିବଂଶ ମହାପ୍ରଭୁଙ୍କ ଠିକଣା ଆଶା କଲେ । ସେ ସାଧାରଣ ବ୍ୟକ୍ତି ଜଣକ ପ୍ରଶ୍ନ କଲେ "ହିତ୍ ହରିବଶଂଙ୍କ ପାଖରେ ଆପଣଙ୍କ କାମ ?" ବିଦ୍ବାନ ଜଣକ  ଉତ୍ତର ଦେଇ କହିଲେ , ବହୁତ କଷ୍ଟ କରି ସେ ସନାତନ ଧର୍ମର ସକଳ ଶାସ୍ତ୍ରକୁ କଣ୍ଠସ୍ଥ କରିଥିଲେ ମଧ୍ୟ ସେ ଜ୍ଞାନର କୌଣସି ସୁଫଳ ତାଙ୍କୁ ପ୍ରାପ୍ତ ହେଲାନାହିଁ । ଏତେ ସବୁ ଜ୍ଞାନ ଆହରଣ କରି ଅନେକ ସ୍ଥାନରେ ଅନେକ ବିଦ୍ବାନଙ୍କୁ ତର୍କରେ ପରାସ୍ତ କରି ପାରିଥଲେ ମଧ୍ୟ ତାଙ୍କୁ ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀରୁପେ ସ୍ବୀକାର କରିବା ପାଇଁ କେହି ବି ପ୍ରସ୍ତୁତ ନୁହନ୍ତି । ହିତ୍ ହରିବଂଶ ମହାପ୍ରଭୁ ସଂପ୍ରତି ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀ ବୋଲି ସେ ଶୁଣିବାକୁ ପାଇଛନ୍ତି । ତେଣୁ ତାଙ୍କ ସହିତ ଶାସ୍ତ୍ରାର୍ଥ କରି ଯଦି ତାଙ୍କୁ ତର୍କରେ ପରାସ୍ତ କରିଦେଇ ପାରନ୍ତି ତା'ହେଲେ ସେ ହୋଇ ପାରିବେ ଆର୍ଯ୍ୟବର୍ତ୍ତର ସର୍ବଶ୍ରେଷ୍ଠ ଜ୍ଞାନୀ । ସେଥିପାଇଁ ହିତ୍ ହରିବଂଶ ମହାପ୍ରଭୁ ତାଙ୍କ ଅନୁସନ୍ଧାନର ପାତ୍ର ।

       ଅତି ସାଧାରଣ ମନେ ହେଉଥିବା ପୁରୁଷ ଜଣକ ନିଜ ମୁଖରେ ସ୍ମିତ ହାସ୍ୟର ରେଖାଟିଏ ଫୁଟାଇ ଦେଇ କହିଲେ, "ଜ୍ଞାନ ପାଇଁ ଆପଣଙ୍କ କଠୋର ସାଧନା , ଆପଣଙ୍କ ଅଗାଧ ଶାସ୍ତ୍ରଜ୍ଞାନ ଓ ନିଜକୁ ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀ ରୂପେ ସ୍ବୀକୃତି ଦେବା ପାଇଁ ଆପଣଙ୍କର ଅଦମ୍ୟ ଚେଷ୍ଟା ନିକଟରେ ମୁଁ ହାର ମାନୁଛି । ମୁଁ ନିଜେ ଆପଣଙ୍କ ଅନୁସନ୍ଧାନର ପାତ୍ର ଅଧମ ହିତ୍ ହରିବଂଶ"। ଆଶ୍ଚର୍ୟ୍ଯ ହୋଇ ବିଦ୍ବାନ ଜଣକ ସେହି ଶାନ୍ତ ସରଳ ମଣିଷଟିକୁ ଦେଖୁଥିଲେ । ଇଏ କ'ଣ ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀ ? ତେବେ ଏତେ ସହଜରେ ସେ କେମିତି ନିଜର ପରାଜୟ ସ୍ବୀକାର କରୁଛନ୍ତି ? 

--"କ୍ଷମା କରିବେ ମହାରାଜ, ଆତ୍ମଘୋଷିତ ଜ୍ଞାନୀକୁ କେହି ସ୍ବୀକାର କରନ୍ତିନି । ତେଣୁ ଶାସ୍ତ୍ରାର୍ଥ ପରେ ତର୍କରେ ଯଦି ଆପଣଙ୍କୁ ପରାଜିତ କରିପାରେ ତେବେ ଆପଣଙ୍କ ପରାଜୟର ସ୍ବୀକୃତିପତ୍ର ନେଇଁ ମୁଁ ଏଠାରୁ ବିଦାୟ ନେବି।"

-- "ମୁଁ ତେବେ ଆପଣଙ୍କ ସହିତ ଶାସ୍ତ୍ରାର୍ଥ କରି ପରାସ୍ତ ହୋଇଛି ବୋଲି ସ୍ବହସ୍ତରେ ଲେଖିଦେଇ ସ୍ବାକ୍ଷର କରିଦେବି । କୁହନ୍ତୁ କେଉଁଠି ଲେଖିବି?"

--"କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଭିତରେ ଶାସ୍ତ୍ରାର୍ଥକୁ ନେଇ କୌଣସି ତର୍କ ହିଁ ହୋଇନାହିଁ । ମୁଁ' ଆପଣଙ୍କ ପରାଜୟକୁ କେମିତି ସ୍ବୀକାର କରିବି?"

      ସହାସ୍ୟ ବଦନରେ ମହାପ୍ରଭୁ ଉତ୍ତର ଦେଲେ , "ଯାହାଙ୍କୁ ଶାସ୍ତ୍ରର ସାର ହିଁ ଜଣା ନାହିଁ ତାଙ୍କ ସହିତ ଶାସ୍ତ୍ରକୁ ନେଇ ତର୍କ କରିବାର କୌଣସି ମାନେ ନାହିଁ"। ବିଦ୍ବାନ ଜଣକ ଉତ୍ତେଜିତ ହୋଇ ପ୍ରଶ୍ନ କଲେ, "ଶାସ୍ତ୍ର ଉପରେ ମୋ' ସହିତ ଜମାରୁ ଆଲୋଚନା ନକରି ଆପଣ କେମିତି ମୋ' ଶାସ୍ତ୍ରଜ୍ଞାନର ଗଭୀରତା ଜାଣିଲେ ?" ଅତି ସହଜରେ ଭାବରେ ମହାପ୍ରଭୁ ଉତ୍ତର ଦେଲେ , "ଶାସ୍ତ୍ରକୁ ନେଇ ତର୍କ କରି ନିଜକୁ ପୃଥିବୀର ସର୍ବଶ୍ରେଷ୍ଠ ଜ୍ଞାନୀ ବୋଲି ପରିଚୟ ଦେବା ପାଇଁ କୌଣସି ଶାସ୍ତ୍ରରେ ଲେଖା ଯାଇନାହିଁ ।  ଆତ୍ମବଡିମା ନୁହେଁ ପରମାତ୍ମାଙ୍କ ନିକଟରେ ଆତ୍ମସମର୍ପଣ ହିଁ ସବୁ ଗ୍ରନ୍ଥର ସାରକଥା। ସବୁ ଗ୍ରନ୍ଥରେ ଲେଖା ହୋଇଛି ଇଶ୍ବରଙ୍କୁ ଧ୍ୟାନକର । ଇଶ୍ବର ହିଁ ଦୁନିଆର ଏକାମାତ୍ର ସତ୍ୟ । ବାକି ସବୁ ଅନିତ୍ୟ ଅଳିକ।"
"ବେଦେ ରାମାୟଣେ ଚୈବ
            ପୁରାଣେ ଭାରତେ ତଥା
ଆଦ୍ୟ ପ୍ରାନ୍ତେ ଚ ମଧ୍ୟେଚ 
               ହରି ସର୍ବତ୍ର ଗୀୟତେ।"

ତେବେ ଏଠାରେ ଏହି କାହାଣୀକୂ ଉପସ୍ଥାପନା କରିବାର ତାତ୍ପର୍ଯ୍ୟ ହେଲା , ଜ୍ଞାନ କାହାକୁ ଆତ୍ମଗର୍ବୀ କରେ ନାହିଁ । ଆଉ ଯେଉଁ ଜ୍ଞାନ ମଣିଷକୁ ଆତ୍ମଗର୍ବୀ କରେ ତାକୁ ପ୍ରକୃତ ଜ୍ଞାନ କୁହାଯାଏ ନାହିଁ ବିଦ୍ୟା ଦଦାତି ବିନୟମ"। ତେଣୁ ପ୍ରତ୍ୟେକ ପୁରାଣ ଶାସ୍ତ୍ରର ଭଣତିରେ ପୁରାଣକାର ମାନେ ନିଜକୁ ଅଧମ , ମୁର୍ଖ , ଅଜ୍ଞାନ ବୋଲି ବର୍ଣ୍ଣନା କରିବାର ନଜିର ରହିଛି ।
         ଆଜିକାଲି ଫେସବୁକର ବିଭିନ୍ନ ଗ୍ରୁପରେ ଲେଖା ସବୁ ପୋଷ୍ଟ କରୁଥିବା ଆମ ଭଳି ଅନାମଧ୍ୟେୟ ଲେଖକ ମାନେ ନିଜେ ମହାଜ୍ଞାନୀ ବୋଲି ଡିଣ୍ଡିମ ପିଟୁଛନ୍ତି । ମନକୁ ଯାହା ଆସିଲା ତାକୁ ଲେଖିଦେଇ ଲୋକ ଲୋଚନକୁ ଆଣିବାର ସୁଯୋଗ ଆମକୁ ସାମାଜିକ ଗଣମାଧ୍ୟମ ଦେଇଚି ବୋଲି ଆମେ ତା'ର ଖରାପ ଫାଇଦା ଉଠାଇ ଚାଲିଛୁ । ଆମ ଲେଖା ଉପରେ ଅନୁକୁଳ ମନ୍ତବ୍ୟ ଦେଉଥିବା ପାଠକ ମାନଙ୍କୁ ଆମେ ଧନ୍ୟବାଦରେ ପୋତି ପକାଉଥିବା ବେଳେ ପ୍ରତିକୁଳ ମନ୍ତବ୍ୟ ଦେଉଥିବା ନିରପେକ୍ଷ ପାଠକଟିକୁ ଆମେ ନିଜେ ଏବଂ ନିଜର ସମର୍ଥକ ମାନଙ୍କୁ ଲଗାଇ ଏମିତି ଭାଷାରେ ଶୋଧୁଛନ୍ତି ଯେ ବିଚରା ଆମ ଲେଖାକୁ ଆଉଥରେ ପଢିବାର ସାହାସ କରିନପାରି ନିଜକୁ unfollow ବା unfriend କରିବାକୁ ବାଧ୍ୟ ହେଉଛନ୍ତି। ସତରେ ଆମେ  ସବୁ କ'ଣଏତେ ମହାଜ୍ଞାନୀ ? ମ ଭିତରୁ କିଛି ଲୋକ ଦୁଇ ଘଣ୍ଟାର ସିନେମା ଦେଖିଆସି ଆମ ଇତିହାସକୁ ଭୁଲ୍ ବୋଲି ପ୍ରମାଣ କରିବାକୁ ବସିଲେଣି ତ ଆଉ କେହି କେହି ଆମ ପୁରାଣ ଶାସ୍ତ୍ରକୁ କାଳ୍ପନିକ କହିବାକୁ ଲାଗିଲେଣି। ଏ ଧାରା ଯଦି ଆଗକୁ ବି ଜାରି ରହେ ମୁଁ ଭାବୁଛି ଆମକୁ ନିଜ ବାପା ମାଁ' ଙ୍କ ପରିଚୟ ନେଇ ସନ୍ଧିହାନ ହେବା ପାଇଁ ଆଉ ବେଶିଦିନ ଲାଗିବ ନାହିଁ ।

       ଆମେ କିଏ କାହା ଉପରେ ଆମର ବିଚାରଧାରାକୁ ଜୋର ଜବରଦସ୍ତି ଲଦି ଦେବାପାଇଁ ? ଆମ ଲେଖା ସମସ୍ତଙ୍କୁ ଭଲ ଲାଗିବ ବୋଲି କ'ଣ ମାନେ ଅଛି ? ଯାହାକୁ ଭଲ ଲାଗିଲା ସେ ଭଲ ମତାମତ ଦେଲା । ଯଦି କେହି ନିରପେକ୍ଷ ହେଉ ବା ପକ୍ଷଯୁକ୍ତ ପାଠକଟିଏ ବି ଆମ ଲେଖା ଉପରେ ପ୍ରତିକୂଳ ମନ୍ତବ୍ୟଟିଏ ଦେଲା ତେବେ ସେ ତ ତା'ର ମତାମତ ଜାହିର କଲା । ସେଥିରେ ଆମର ବିରକ୍ତ ହେବାର କ'ଣ ଅଛି ? ସାମାଜିକ ଗଣମାଧ୍ୟମ କ'ଣ ଆମ ବାପାର ଜାଗୀର ? ଭଗବାନ ଗଣେଙ୍କ ସହିତ ସର୍ତ୍ତ ଲଗାଇ ଥିବା ମହ‍ାଜ୍ଞାନୀ ବେଦବ୍ୟାସ ଓ ମହାକବି ବାଲ୍ମିକୀ ଯଦି ନିଜକୁ ସାମାନ୍ୟ ମନକରି ନିଜ ଲେଖାରେ କିଛି ଭୁଲ୍ ଥିଲେ ମାର୍ଜନା କରିବା ପାଇଁ ଶୁଦ୍ଧିପାଠକ ମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରିପାରିଛନ୍ତି ତେବେ ଆମେ "କୋଉ ଗାଇର ଗୋବର ?  ଆମଠାରୁ ଜ୍ଞାନୀ ପାଠକ କେହି ନାହାଁନ୍ତି ବୋଲି ଆମେ କେମିତି ଦାବି କରି ପାରିବା ।

      ତା' ବାଦେ ଅସଂଖ୍ୟ ପସନ୍ଦ ଓ ମତାମତ ଆସୁଛି ବୋଲି ଆମ ଲେଖା ଯେ ଉଚ୍ଚକୋଟୀର ଏକଥା ଚିନ୍ତା କରିବା ସବୁବେଳେ ଠିକ୍ ନୁହେଁ ।ପ୍ରତ୍ୟେକ କ୍ରିୟାରେ ଦୁଇଟି ଦିଗ ଥାଏ। କେବଳ ସୁନ୍ଦର କାହାଣୀ ଯେ ନାଟକର ଦର୍ଶକଙ୍କୁ ବାନ୍ଧି ରଖେ ସେକଥା ସତ ନୁହଁ । ନାଟକରେ ରେକର୍ଡ୍ ଡ୍ୟାନ୍ସ୍ ଓ ସିନେମାରେ ଆଇଟମ୍ ନମ୍ବରକୁ ବି ବହୁତ ଲୋକ ପସନ୍ଦ କରନ୍ତି । ତେବେ ତାଙ୍କୁ ଯଦି କେହି ଶୁଧି ଦର୍ଶକ ବିରାେଧ କରେ ତାହେଲେ ସେ କ'ଣ ମୁର୍ଖ,ଅଜ୍ଞାନ ।

     "ଫଳନ୍ତି ଗଛ ଫୋପାଡ ସହେ" । ଫୋପାଡ ସହିବାର ଶକ୍ତି ଥିଲେ ହିଁ ଗଛ ଫଳ ଦେଇପାରେ। ଧାନ ଯେତେ ପାଚେ ସେତେ ନଇଁଯାଏ । ଯାହା ପାଖରେ ଯେତେ ଜ୍ଞାନ ଥାଏ ସେ ସେତେ ବିନମ୍ର ହୋଇଥାଏ । ଯେ ଉଦ୍ଧତ ହୁଏ ସେ ନିଜକୁ ଯେତେ ମହାଜ୍ଞାନୀ ବୋଲି ଡିଣ୍ଡିମ ପିଟୁଥିଲେ ମଧ୍ୟ ଦୁନିଆ କିନ୍ତୁ ତାକୁ ଜ୍ଞାନୀ ବୋଲି ବିଚାର କରେ ନାହିଁ । ଅବଶ୍ୟ ତା'ର କିଛି ଅନ୍ଧ ସମର୍ଥକ ନିଜର କିଛି ସ୍ବାର୍ଥ ସାଧନ ହେଉଥିବା ଯୋଁଗୁ ତାକୁ ମହାଜ୍ଞାନୀ ବୋଲି କହିପାରନ୍ତି । ତା'ପରେ ଖାଲି ଲେଖକରେ ହିଁ ଦୁନିଆ ସମ୍ପୁର୍ଣ ହୋଇଯାଏ ନାହିଁ । ବିରାଟ ବିଶ୍ବବ୍ରହ୍ମାଣ୍ଡ ! ତା' ଭିତରେ ଲକ୍ଷ ଲକ୍ଷ ନକ୍ଷତ୍ରଙ୍କ ପରିବାର ଭିତରୁ ଆମର ଗୋଟିଏ ବିରାଟ ସୌର ପରିବାର । ସେହି ପରିବାରର ସବୁଠୁ ବଡ ନହେଲେ ବି ସବୁଠୁ ଛୋଟ ବି ନୁହେଁ ଆମର ଏହି ପୃଥିବୀ । ତା' ଭିତରେ ବୃହତ୍ତମ ଏସିଆ ମହାଦେଶ । ସେଥିମଧ୍ୟରେ ଐତିହ୍ୟ ସଂପନ୍ନ , ଅଷ୍ଟାଦଶ ପୁରାଣ ସାଙ୍ଗକୁ ବେଦ , ଉପନିଷେଦ ଇତ୍ୟାଦି ମହାନ ଗ୍ରନ୍ଥ ରଚନା କରିଥିବା ମହାଜ୍ଞାନୀ ମାନଙ୍କର ଜନ୍ମଭୂମି ଆମର ଏହି ପୁଣ୍ଯଭୂମି ଭାରତ। ସେହି ପୁଣ୍ଯ ଭୂମିରେ ଛୋଟିଆ ରାଜ୍ୟଟିଏ ଓଡିଶା ଏବଂ ସେଇ ଓଡିଶାର ଛୋଟ ଓଡିଆ ଗୃପଟିଏ ଆମର ଏହି ଗୃପ୍ । ଜ୍ଞାନ କଥା ଛାଡନ୍ତୁ । ପୂର୍ବରୁ ଆମ ଦେଶକୁ ତିନିପଟରୁ ଘେରି ରହିଥିବା ସମୂଦ୍ର ପରେ ବି ଆହୁରି ଯେ ଦୁନିଆ ଅଛି ଏକଥା ଆମେ ଜାଣି ନଥିଲେ । ବର୍ତ୍ତମାନ ପୃଥିବୀ ବାହାରେ ଯେ ଜୀବନ ନଥିବ ଏକଥା ବି ଆମେ ଜାଣି ନାହାଁନ୍ତି । ତେବେ କେତେ ଆମ ଜ୍ଞାନର ପରିସୀମା ? କ'ଣ ପାଇଁ ଆମ ମନରେ ଏତେ ଗର୍ବ ?

     କାହାକୁ କେଉଁ କଳା ଦେଇ ଭଗବାନ ଧାରାକୁ ପଠାଇଛନ୍ତି । ଦୁନିଆ ପାଇଁ ସବୁ ବର୍ଗର ଲୋକ ଆବଶ୍ୟକ । ପାଠକ ନଥିଲେ ଲେଖା ସବୁ ମୂଲ୍ୟହୀନ । ଉପଭୋକ୍ତା ନଥିଲେ ବ୍ୟବସାୟ ଅସମ୍ଭବ । ବ୍ୟବାସାୟୀଟିଏ ଉପଭୋକ୍ତାଙ୍କୁ ସମ୍ମାନ ଦେଲା ଭଳି ଲେଖକ ବି ପାଠକ ମାନଙ୍କୁ ସମ୍ମାନ ଦେବା ଉଚିତ୍ । ତା'ପରେ କି ପରିବର୍ତ୍ତନ କରିଦେବ ଆମ ଲେଖା ଏ ସମାଜର ?  ବେଦବେଦାନ୍ତ ଓ ରାମାୟଣ, ମହାଭାରତ ପଢି ଯୋଉ ସମାଜର କିଛି ପରିବର୍ତ୍ତନ ହୋଇପାରିନି, ଆମ ଲେଖାରେ ସେ ସମାଜର କି ପରିବର୍ତ୍ତନ ହୋଇଯିବ ? ଆମେ ମନେରଖିବା ଉଚିତ୍ ଆମେ କେହି ବି ସମାଜର ମଙ୍ଗଳ ପାଇଁ ଲେଖୁ ନାହାଁନ୍ତି । ଆମେ ସମସ୍ତେ ଲେଖୁଛନ୍ତି ନିଜର ଖୁସି ପାଇଁ । ଆମେ ଲେଖୁଛନ୍ତି ମନର ଭାଷାକୁ ଶବ୍ଦର ରୂପ ଦେଇଦେଲେ ଆମକୁ ଶାନ୍ତି ମିଳୁଛି ବାେଲି । କିନ୍ତୁ ନିଜେ ଶାନ୍ତି ପାଉଛନ୍ତି ବୋଲି ଅନ୍ୟକୁ ଅଶାନ୍ତ କରିବାର କି ଅଧିକାର ଆମର ଅଛି ? ଆମେ ସମସ୍ତେ କାହିଁକି ଭାବୁଛନ୍ତି ଆମ ଲେଖାରେ ଦସ୍ୟୁ ରତ୍ନାକର ବି ବାଲ୍ମିକୀ ହୋଇଯିବେ ବୋଲି । ଅବଶ୍ୟ ଏକଥା ସତ ଯେ ଗୋଟିଏ ସାମାନ୍ୟ ଘଟଣାରେ ଦସ୍ୟୁ ରାତ୍ନାକର ବି ବାଲ୍ମିକୀ ହୋଇ ଯାଇଥିଲେ କିନ୍ତୁ ଏକଥା ବି ସତ୍ୟ ଯେ କେବଳ ସେହି ଗୋଟିଏ ଘଟଣାରୁ ହିଁ ନୁହଁ ତା' ସହିତ ତାଙ୍କ ସହସ୍ର ବର୍ଷର ସାଧନା ବି ଯୋଡି ହୋଇ ରହିଥିଲା ।

     ତେଣୁ ଆସନ୍ତୁ ସମସ୍ତେ ମିଶି ମହାଭାରତୀୟ ସଂସ୍କୃତିର ସେହି ମହାନ ଭାବଧାରାକୁ ଆଗେଇ ନେବା । ଘୃଣା ସୃଷ୍ଟି କରୁଥିବା ସାହିତ୍ୟ ଛାଡି ଆମେ ମଣିଷ ମଣିଷକୁ ପ୍ରେମ କରୁଥିବା ସାହିତ୍ୟ  ସୃଷ୍ଟି କରିବା । ଏଇଠି ଆମେ ସମସ୍ତେ ନିଜ ନିଜର ଭାବନାକୁ ଉପସ୍ଥାପନା କରିବା ପାଇଁ ସ୍ବତନ୍ତ୍ର । କିନ୍ତୁ ମ ଭାବନା ଯେ ସମସ୍ତଙ୍କୁ ଠିକ୍ ଲାଗିବ ସେ ଆଶା ରଖିବା ଅନୁଚିତ । ଆମ ପ୍ରଶଂସକ ମାନଙ୍କ ପାଖରେ ଅମେ ଯେତିକି କୃତଜ୍ଞ ରହିବା କଥା ତା' ଠାରୁ ଅଧିକ କୃତଜ୍ଞ ଆମ ସମାଲୋଚକ ମାନଙ୍କ ପାଖରେ ରହିବା ଉଚିତ । କାରଣ ବିନା ସମାଲୋଚକରେ ସାହିତ୍ୟ ରୁଦ୍ଧିମନ୍ତ ହୋଇପାରିବ ନାହିଁ । ଜାଣିନି ଏ ଲେଖା କାହାକୁ ଭଲ ଲାଗିବ, କାହା ମନରେ କଷ୍ଟ ଦେବ ? ଯାହା ମନରେ ମୋ' ଲେଖା କଷ୍ଟ ଦେବ ସେଇ ସମସ୍ତଙ୍କ ନିକଟରେ ମଥାନତ ହୋଇ କ୍ଷମା ପ୍ରାର୍ଥୀଟିଏ ଏଇ ଅଧମ , ଅକ୍ଷମ, ଅଜ୍ଞାନ.....

            
                 ସୁରଜବିହାର
                    ବ୍ରହ୍ମପୁର

ଜୟ ସାହିତ୍ୟ, ଜୟ ସମାଜ

🥢କରୋନା 🥢

          ଦେବେନ୍ଦ୍ର କୁମାର       

କରୋନା କରୋନା କରୋନା
ଭୂତାଣୁ ସମକୁ କଲାନ ବାଟବଣା ।
ଚାପି ଆସୁଛେ ଚାରହିଖୁତି
ଗଦା ଗଦା ଗୁର୍ଦୁ ଗୁର୍ଦୁ କ୍ଷତି ,
ମିଟରେ ମିଟରେ ଛାଡ଼ି ଛାଡ଼ି
ହାଟ କରମାଁ ଧାଡ଼ିକେ ଧାଡ଼ି ,
କରୋନା କରୋନା କରୋନା
ଭୂତାଣୁ ସମକୁ କଲାନ ବାଟବଣା ।
ଧରଲେ ଥଣ୍ଡା ଶର୍ଦ୍ଦି ଖାଁସି
ଘରେ ନାଇଁ ରହେଵ ବସି,
ଚଟପଟାନୁ ଯିମା ଡ଼ାକ୍ତରଖାନା
ଉଷୋକଷାକେ ଧିଆନ ଦେମା,
କରୋନା କରୋନା କରୋନା
ଭୂତାଣୁ ସମକୁ କଲାନ ବାଟବଣା ।
ଘରେ ଘରେ ଥିବା ସେନିଟାଇଜର୍
ହାତ ଧୁଇଦେମାଁ ଥରକେ ଥର,
ଘରେ ବାହାରେ ଗୁଟେ ନ କଥା
ସଫାସୁତୁରାକେ ନୁହେଁ ଅଥାବିଥା,
କରୋନା କରୋନା କରୋନା
ଭୁତାଣୁ ସମକୁ କଲାନ ବାଟବଣା,
ଇ ବେମାରୀନେ ନାଇଁନ ଉଷୋକଷା
ଗୁଜବ,ଅନ୍ଧବିଶ୍ୱାସ କରେ ଅଡ଼ାବସା ,
କରୋନା ନାଇଁ ଜାନେଁ ଜାତିପାତି
ତର୍କି ରହେଲେ ମିଲବା ମୁକତି,
ଆମର ସୁରକ୍ଷା ଆମର ହାତେ
ଜନସଚେତନତା ଦେଶର ହିତେ।,
କରୋନା କରୋନା କରୋନା
ଭୂତାଣୁ ସମକୁ କଲାନ ବାଟବଣା ।
ଜନତା କର୍ଫ୍ୟୁ କି ଲକ୍ ଡାଉନ୍
ମାନୁଥିମାଁ ଗାଁ ହେଉ କି ଟାଉନ୍ ,
ସ୍ଵାସ୍ଥ୍ୟକର୍ମୀ ଡ଼ାକ୍ତର ଦଳକେ ଦଳ
ଆମର ସେବାନେ ସେମାନେ ବିକଳ,
କରୋନା କରୋନା କରୋନା
ଭୂତାଣୁ ସମକୁ କଲାନ ବାଟବଣା ।
 
ଜୟ ସାହିତ୍ୟ, ଜୟ ସମାଜ

କରୋନା ପ୍ରତିରୂପ

           ● ଡ଼କ୍ଟର ଲକ୍ଷ୍ମଣ ସାହୁ 
       **************

କରୋନା ଆସିଛି ବୋଲି ପ୍ରିୟା ମୋତେ
ଦୂରେଇ ଦେଉଛ ପାଶେ
ପ୍ରତିମୁଖ ତମ ନଦେଖିଲେ ଥରେ
ସକାଳ ସୂର୍ଯ୍ୟ କି ହସେ !!!

ପ୍ରକୃତିର ରୋଷ ପୃଥିବୀ ବିବଶ
ବସନ୍ତର ଉପହାର
ଘନ ଅନ୍ଧାକାରେ ଲୁଚିଗଲା ପ୍ରିୟା
ତମ ମୋର ଅଭିସାର  !!

ବଉଳର ବାସ୍ନା କୋଇଲିର ତାନ
ଅଦିନ ବର୍ଷାର ଖେଳ
ଦିନ ରାତ୍ର ସବୁ ଫାଙ୍କା ଲାଗେ ପ୍ରିୟା
ହୃଦୟକୁ କରେ ଗୋଳ  !!!

କରୋନାର ରୂପ ଆତଙ୍କ ଭରିଛି
ବଦଳୁଛି ଚିତ୍ରପଟ୍ଟ
ମାଦକତା ନାହିଁ ପ୍ରିୟା ପାଶେ ଆଉ
ମନହୁଏ ଛଟପଟ  !!!

ପୁଷ୍ପର ସମ୍ଭାର ବସନ୍ତ ଆଣିଛି
ଭେଟି ଧରୁ ନାହିଁ ପ୍ରିୟା
କାଳେ ଲାଗିଯିବ କରୋନାର ବିଷ
ଥରିଉଠେ ତା'ର ହିୟା  !!!

ଶୀତର ହେମାଳ ସତେ ଭଲ ଥିଲା
ପ୍ରିୟାର ଉଷୁମ ଦେହେ
ବସନ୍ତ ମଳୟ ଏବେ ଭୟଙ୍କର
କରୋନାର କଷ୍ଟ ସହେ ।

କୋକୁଆ ଭୟଟା ଗ୍ରାସିଛି ସକଳେ
ପ୍ରିୟା କହେ ଦୂରେ ରହି
ହତ୍ୟା କରୁଥିଲ ପରିବେଷ ଦିନେ
ତାର ପ୍ରତିଫଳ ଏହି  !!!

କଏଦୀ ରୂପରେ ଜୀବନ କାଟୁଛ
ମୁଖରେ ବାନ୍ଧିଲ ତୁଣ୍ତି
ଦୂରେ ଥାଇ ପ୍ରିୟା ହସି ମୋତେ କହେ
ନପାରିଵ ଏବେ ଭଣ୍ତି  !!!

🎤🎤🎤🎤🎤🎤🎤🎤🎤🎤🎤
🐆'ତାରା ନିଳୟ' , ପ୍ଲଟ:୮୫୪/ଏ🐆
       🐍ଚ଼ାଚ଼ରା ଶବର ସାହି🐍
🐧ମୁକୁନ୍ଦ ପ୍ରସାଦ , ଖୋର୍ଦ୍ଧା -୫୫🐧
📳ଦୂରଭାଷ -୯୦୪୦୧୫୧୪୭୫📳
🎤🎤🎤🎤🎤🎤🎤🎤🎤🎤🎤

🙏ଜୟ ସାହିତ୍ଯ , ଜୟ ସମାଜ🙏 

କରୋନାଟା ହେଲା କାଳ

          ବଳରାମ ପଲାଇ 

  କରୋନା କର୍ଫ୍ଯୁ ଜାରି ହୋଇଥିଲା
                 ବାହାରେ ବୁଲିବା ମନା,
 ଗୁଗୁନା ବାବୁଲି ଘରେ ବସି ବସି
                ହେଉଥିଲେ ଆନମନା ।୧
ଗୁଗୁନା କହିଲା ବାବୁଲି ଭାଇହେ
            ବାହାରେ ବୁଲିବା ଚାଲ,
ବାବୁଲି କହିଲା ଖାକିବାଲା ମାମୁଁ
            ଭାଙ୍ଗିଦେବେ ଆମ ଗେଲ ।୨
ବାବୁଲି କାନରେ ଗୁଗୁନା ପାଖେଇ
            କିସ କଲା ଫୁସୁଫାସ,
ବାବୁଲିର ବୁଦ୍ଧି ଦ୍ବିଗୁଣ ହୋଇଲା
            ମୋଡିଦେଲା ଟିକେ ନିଶ ।୩
କୋରନା ତୁଣ୍ଡିଟା କାତୁଣ୍ଡେ ନଥିଲା
            ଘରୁ ଗଲେ ଯେ ବାହାରି,
ଗୁଗୁନା ମାରିଲା ସ୍କୁଟିକୁ ଷ୍ଟାର୍ଟ
            ଘିରିଂଗ୍ ଘିରିଂଗ୍ କରି ।୪
ଦେଖିଲେ ରାସ୍ତା ଶୂନ୍‌ଶାନ୍ ଅଛି
           ଲୋକଟିଏ ଦେଖାନାହିଁ,
ସ୍ଥାନେ ସ୍ଥାନେ ବାରିକେଟ ବନ୍ଧା ଅଛି
           ଦାରୋଗା ନଥିଲେ ତହିଁ ।୫
ମନ ଆନନ୍ଦରେ ବୁଲିଲେ ବଜାରେ
            ସ୍କୁଟି କରି ସାଇଁ ସାଇଁ,
ବୁଲୁ ବୁଲୁ ଦୁହେଁ ଅଣ୍ଡାଳି ଦେଖିଲେ
            ପକେଟେ ଗୁଟୁଖା ନାହିଁ ।୬
ବିନା ଗୁଟୁଖାରେ ବୁଲିଲେ ବଜାରେ
            ବୁଦ୍ଧି ବାଟ ଦିଶେ ନାହିଁ,
ଗୁଟୁଖା ପାଇଁକି କନ କନ ହୋଇ
            ଏପାଖ ସେପାଖ ଚାହିଁ ।୭
ଦୋକାନୀ ଗୋଟିଏ ଅଧାଖୋଲା କରି
            ଦେଖୁଅଛି ମିଟି ମିଟି,
ଜଣେ ଦୁଇଜଣ ଭିତରେ ବସିକି
            ଲଗାଇ ଅଛନ୍ତି ଖଟି ।୮
ଲମ୍ବିଛି ଗୁଟୁଖା ମାଳମାଳ ହୋଇ
            ନାନା ରକମର ସେଠି,
ବାବୁଲା ଗୁଗୁନା ବ୍ରେକ୍ ମାରିକି
            ରଖିଦେଲେ ତାଙ୍କ ସ୍କୁଟି ।୯
ମାଗିଲା ବାବୁଲା ଦୋକାନୀକୁ ଠାରି
             ଦେବକି ଗୁଟୁଖା ମାଳେ,
ପୁଲିସି ଗାଡିଟା ବୁଲୁଥିଲା କାହିଁ
             ପହଞ୍ଚିଲା ସେତେବେଳେ ।୧୦
ଦୁଇଟି ପୁଲିସି ଝପଟି ଆସିଲେ
            ହାତେ ଥିଲା ତାଙ୍କ ବାଡି,
ଗୋଡାଇ ସଭିଙ୍କୁ କାବୁ କରିନେଲେ
             ନେଇଗଲେ  ସ୍କୁଟି ଗାଡି ।୧୧
ଥାନାରେ ପୁରାଇ ନିର୍ଧୁମ୍ ଛେଚିଲେ
            ଚଉଦ ପୁରୁଷ ଶୋଧି,
କହିଲେ ବେହିପେ ବେଶି ପାଟି କଲେ
                ଲାଗିବ କାନୁନ୍ ବିଧି ।୧୨
ହାତଯୋଡି ପରା ବିନୟେ କହୁଛି
            ଆମ ମୋଦି ସରକାର,
ବିନା ମାସ୍କରେ ବାହାରେ ବୁଲୁଛ
            କରୋନାକୁ ନାହିଁ ଡର ।୧୩
ଅଧଘଣ୍ଟା ପରେ ଥାନା ବଡବାବୁ
            ଆସିଲେ ଚିହିଁକି କରି,
କରାଇଲେ ତାଙ୍କୁ ଉଠ୍ ବସ
            ଦୁଇହାତେ କାନ ଧରି ।୧୪
ହାତ ଗୋଡ ସବୁ ଦରଜେ ବିନ୍ଧିଲା
            ପିଠି ଫାଟି ହେଲା ନାଳ,
କହିଲା ଗୁଗୁନା ବାବୁଲାକୁ ଚାହିଁ
           କରୋନାଟା ହେଲା କାଳ ।୧୫

                       (ହୁମର )         
ଜୟ ସାହିତ୍ୟ, ଜୟ ସମାଜ

ସାମାଜିକ ଦୂରତ୍ୱ

ଦାମୋଦର ମହାନ୍ତି 
     କରୋନା ଭାଇରସ ଆମ ଦେଶକୁ ଆସିବା ଦିନ ଠାରୁ ଆମକୁ ମୃତ୍ୟୁର ଯେତିକି ଭୟ ନଦେଖାଇଛି ତା'ଠାରୁ ଅଧିକ ସାମାଜିକ ସମସ୍ୟା ସୃଷ୍ଟି କରିଛି । ଏପରିକି ଏବେ ପ୍ରତ୍ୟେକ ମଣିଷ ଅନ୍ୟ ସମସ୍ତ ମଣିଷଙ୍କ ପାଇଁ ବିପଦର କାରଣ ହେଇଯାଇଛି , ସେ ପୁଣି ନିଜ ଅଜାଣତରେ । ଚାରିଆଡେ ଲକ୍‌ ଡାଉନ୍ , କର୍ଫ୍ୟୁ ଇତ୍ୟାଦି । ଜୀବନ ଯେପରି ସୀମାବଦ୍ଧ ହେଇଯାଇଛି । ପ୍ରାୟ ସମସ୍ତଙ୍କର ରୋଜଗାର ବନ୍ଦ । ଏପରିକି ମନ୍ଦିର ମାନଙ୍କରେ ଭଗବାନ ମଧ୍ୟ ବନ୍ଦୀ । ଶିକ୍ଷା ବ୍ୟବସ୍ଥା , ସମସ୍ତ ସରକାରୀ କାର୍ଯ୍ୟକଳାପ , ସମସ୍ତ ପ୍ରକାର ସାମାଜିକ ଉତ୍ସବ ଓ କାର୍ଯ୍ୟକ୍ରମ ସବୁ ବନ୍ଦ୍ । ତେଣୁ , ସ୍ଵାଭାବିକ ଭାବରେ ଏହା ଆମ ସମସ୍ତଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମର ବହିର୍ଭୁତ ଅଣ ଅଭ୍ୟସାଗତ ହୋଇଥିବାରୁ ବ୍ୟସ୍ତ , ବିରକ୍ତିକର ଓ ଚାପଗ୍ରସ୍ତ ଲାଗୁଛି ।
.
         ଏହି ପରିପ୍ରେକ୍ଷୀରେ ଆମେ ନିଜକୁ ଘର ଭିତରେ ରଖିବା , ପରିବାର ସହିତ ସମୟ ବିତେଇବା , ସୀମିତ ସମ୍ବଳରେ ବଞ୍ଚିବା ଏବଂ ତତ୍ସହିତ ନିଜ ନିଜର ରୂଚିକୁ ନେଇ ଯଥାସମ୍ଭବ ନିଜ ଭିତରେ ନିଜେ ବଞ୍ଚିବା ଓ ଜୀବନକୁ ଅନୁଭବ କରିବା । କଳାକାର ସଙ୍ଗୀତ ଗାନ କରିବେ । ଧାର୍ମିକ ବ୍ୟକ୍ତିମାନେ ପୂଜନ କାର୍ଯ୍ୟ କରିବେ । ଚିତ୍ରକର ଚିତ୍ର ଆଙ୍କିବେ । ସାହିତ୍ୟିକ ଗପ , କବିତା , ପ୍ରବନ୍ଧ ଇତ୍ୟାଦି ଲେଖିବେ । ଘରେ କ୍ୟାରମ୍ , ଲୁଡୁ , ଚାସ୍ ଇତ୍ୟାଦି ଖେଳି ପାରିବା । ବୟସ୍କ ଓ ପିଲାମାନଙ୍କ ସହିତ ଖୁସି ଗପ କରିପାରିବା । ସକାଳେ ସନ୍ଧ୍ୟାରେ ବ୍ୟାୟାମ କରିପାରିବା । ଘର ତଥା ବାଡିବଗିଚା ସଫା କରିପାରିବା , ନିଜ ଜିନିଷପତ୍ର ସଜଡ଼ାସଜଡ଼ି କରିପାରିବା । ଟିଭି ଦେଖିବା , ଫୋନ ଓ ନେଟ୍ ବ୍ୟବହାର କରିପାରିବା । ଯୋଗାଯୋଗର ମାଧ୍ୟମ ଭାବରେ ଫୋନ ଭିଡିଓ କଲିଂ , what's app , Facebook , Twitter , Instagram ଇତ୍ୟାଦି ବ୍ୟବହାର କରିପାରିବା ନିଜ ବନ୍ଧୁ ଓ ପରିଜନ ମାନଙ୍କ ସହ ଯୋଗାଯୋଗର ମାଧ୍ୟମ ଭାବରେ । କିନ୍ତୁ କାହା ଘରକୁ ଯିବା ନାହିଁ କି କାହାକୁ ଘରକୁ ଡ଼ାକିବା ନାହିଁ , କାରଣ ଏଥିରେ ଉଭୟ ବିପଦଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଏଭଳି ଆମେ କରୋନା ରୋଗକୁ ହରେଇ ପାରିବା ।


      ମନେ ରଖନ୍ତୁ କରୋନା ରୋଗର ଏକମାତ୍ର ଏବଂ ଅମୋଘ ଔଷଧ ସାମାଜିକ ଦୂରତା ବା ସଙ୍ଗରୋଧ । ତେଣୁ କେହି କାହା ସହିତ ମିଶିବା ନାହିଁ ଏବଂ ଘରୁ ଯେତେ କମ୍ ସମ୍ଭବ ବାହାରକୁ ବାହାରିବା । ଯଦି ବାହାରକୁ ଜମା ବାହାରିବା ନାହିଁ ତେବେ ଅତି ଭଲ କଥା । ମନେ ରଖନ୍ତୁ କିଛିଦିନର  ଦୈହିକ ଦୂରତା କାହା ସମ୍ପର୍କରେ ବାଧା ଆସେ ନାହିଁ । କାରଣ ସମ୍ପର୍କ ମନରେ ଥାଏ , ହୃଦୟରେ ଥାଏ , ଦେହରେ ନୁହେଁ । ଏଭଳି ସମୟ ଵିତେଇବା ଏବଂ ଅପେକ୍ଷା କରିବା ସକାଳର ଉଜ୍ଜ୍ୱଳ ସୂର୍ଯ୍ୟ ଉଇଁବା ପର୍ଯ୍ୟନ୍ତ । ବାସ୍ , ମାତ୍ର କିଛି ଦିନର ଏ ତ୍ୟାଗ  ଓ ତପସ୍ୟା ତା'ପରେ ପୁଣି ସବୁ କିଛି ଠିକ୍ ହେଇଯିବ ପୂର୍ବ ଭଳି  ; ଏକଥା ନିଶ୍ଚିତ ହୁଅନ୍ତୁ , ଆଶାବାଦୀ ହୁଅନ୍ତୁ । କାରଣ ଆଶା ଓ ବିଶ୍ୱାସରେ ହିଁ ଦୁନିଆ ତିଷ୍ଠି ଥାଏ । ଯେତେବେଳେ ସାରା ସଂସାରକୁ ବିପଦ ଆସିଛି ସେତେବେଳେ ଭଗବାନ ଖୁବ୍ ଶୀଘ୍ର  ଆମକୁ ଆମ ଦେଶ , ମାନବ ଜାତି ତଥା ଏ ବିଶ୍ୱକୁ ନିଶ୍ଚୟ ରକ୍ଷା କରିବେ ।


🙏ଜୟ ଜଗନ୍ନାଥ🙏
ଶ୍ରୀକୃଷ୍ଣ ପ୍ରେସ୍‌ , ଡ଼ାକ୍ତରଖାନା ଛକ , ପୁରୀ
ଜୟ ସାହିତ୍ଯ , ଜୟ ସମାଜ 

କୋରୋନାରେ ମନ ଭାବନା

ମାନସୀ ବେହୁରା  ( /ମାନୀ/ ଜାହ୍ନବୀ / ଜାନୁ )

କୋରୋନା-କୋରୋନା-କୋରୋନା--
    କୋରୋନା ଦେଲାଣି ତାଡନା,
 କୋରୋନା ଭୟରେ ସଭିଏଁ-
ପାଇଲେଣି କେତେ ଯନ୍ତ୍ରଣା ।୧।
କୋରୋନା ଭୟେ କାମବାଲି--
   ଘରକୁ ମୋ' ଆଉ ଆସେନା,
ହାଲିଆ ହେଲିଣି କାମ କରି--
କରିବାକୁ ନାହିଁ ବାହାନା ।୨।
 ଇଏ କି ରୋଗର ପ୍ରଭାବ--
   ପ୍ରିୟର ଖବର ପାଏନା,
  ପ୍ରିୟ ସଂଗେ କଥା ନ ହୋଇ-
     ହୁଏଟି ମନ ଆନମନା ।୩।
  ଝାଡୁ ପୋଛା ବାସନ ଧୂଆରେ-
     ଅଣ୍ଟା ପିଠି ହୁଏ ଯନ୍ତ୍ରଣା,
  ପ୍ରିୟ ସଂଗେ କଥା ହେବି କେବେ
     ଭାବି ଭାବି ଦିନ ସରେନା ।୪।
କୋରୋନା ରୋଗର ପ୍ରକୋପରେ-
      କ୍ଷୀରବାଲା କ୍ଷୀର ଦିଏନା,
  ମୋ' କୁନି ପୁଅ କାନ୍ଦଇ କେତେ-
  ତାକୁ ବୁଝାଇ ଆଉ ପାରେନା ।୫।
 ଲୂଗା କାଚି ହାତ ବିନ୍ଧୁଛି-
   ଫୋନ୍‌ ପ୍ରିୟଙ୍କ ଧରେନା,
 ଫୋନ୍‌ ଆସିଲେ ତାଙ୍କର-
 କଥା ଟିକେ ହୋଇ ପାରେନା ।୬।
 ଆଗ ପଛ ଘର ଅଗଣା-
   ଝାଡୁ ଦେଇ ମୋତେ ଆସେନା,
  ଝାଡୁ ଦେଲାବେଳେ ମୋଠାରୁ-
    ଗାଳି ଖାଏ କେତେ ଚାଇନା ।୭।
  ଚେପା ମୁହାଁ ଚେପା ଚାଇନା-
     ଯାହା ତ ଦେଲୁଣି ଗଞ୍ଜଣା,
   ଦେଶବାସୀଙ୍କର ଅଭିଶାପରେ-
   ନିତି ଖାଉ ଥିବୁ ସୋଦଣା ।୮।

ଜୟ ସାହିତ୍ୟ, ଜୟ ସମାଜ

କରୋନା ପାଇଁ ପଦେ

                     ସୁରେନ୍ଦ୍ର ପାଣିଗ୍ରାହୀ
                             
କରୋନାକୁ ହଟାଇବା ପାଇଁ  ଆହେ ଅମାନିଆ ଅଛ ଯେତକ
ଏକମାତ୍ର ଉପାୟ ଭାଇ         ଆଇନ୍‌କୁ ମାନି କଥାକୁ ରଖ 
ଅଳପ କିଛି ଦିନ ପାଇଁ           ଆସିଛି ଜାତୀୟ ବିପଦ କାଳ
କାହା ସହ ମିଶିବା ନାହିଁ । ମନ ଦୃଢ କଲେ ଯିବ ଏ ବେଳ ।
ଏ କରୋନା ଭାରି ଅଭିମାନୀ 
ବେଳ ଥାଉ ଥାଉ ବାଳ ବାନ୍ଧିବା
ବିନା ନିମନ୍ତ୍ରଣେ ଘରେ ପଶେନି                ନୋହିଲେ କୁଢ କୁଢ ଶବ ଦେଖିବା
ଥରେ ପଶିଗଲେ ଏ ଅମାନି                    ଦୂରତା ଯଥାଶିଘ୍ର ଗ୍ରହଣ ନକରିବା
ସତରେ କାହାକୁ ତ ଛାଡେନି ।                ମହାବିପଦକୁ ଅବଶ୍ୟ ଡାକି ଆଣିବା ।

ବିଶ୍ବବାସୀ ଏବେ ଭାରି ଛାନିଆ                 ଧରାକୁ ଆସିଛି ଏ ଖଣ୍ଡ ପ୍ରଳୟ
ଗୁଣ ଲକ୍ଷଣ ଏହାର ଅମାନିଆ                 ଭୂତାଣୁ ନାମେ କରୋନା ଭୟ
ଡିଆଁ ମାରି ଏବେ ଆସିଛି ଭାରତ              ସତର୍କ ନହେଲେ ମୁଣ୍ଡ ଗଡିବ
ଛୁଆଁଛୁଇଁରେ ବସିବ ସଂଗାତ ।                ସତର୍କତା ହିଁ ଏକମାତ୍ର ଉପାୟ ।

ଯେତେ ପାରିବା ଘରେ ରହିବା                  ମହାମାରୀର ରୂପ ନ ନେଉ
ଘଡି ଘଡିକେ ହାତ ଧୋଇବା                    ଏ କଥାଟି ସଭିଙ୍କ ମନେ ରହୁ ।
ପ୍ରୀୟା ପ୍ରୀତି ତା' ଘୃଣା କରିବା               
କରୋନାକୁ ଶୀଘ୍ର ଘଉଡାଇବା ।                🙏ହିଞ୍ଜିଳିକାଟୁ - ଗଞାମ🙏


                                   ଜୟ ସାହିତ୍ୟ, ଜୟ ସମାଜ

କଳ୍କୀ ଅବତାର


ଙ୍କନିଧି ସେଠୀ
ଘୋର କଳିକାଳ ଆସିଲା କାଳିଆ
ଦେଲୁ କି ତା'ରସଙ୍କେତ
ଏକାଦଶୀ ତିଥେ ନୀଳଚକ୍ର ପାଶେ
ଜଳାଇ ଦେଇ କି ନେତ ll
ଭକ୍ତ ଶୂନ୍ୟ କଲୁ ତୋ' ବଡ଼ ଦାଣ୍ଡକୁ
ଦେଲୁ ନାହିଁ ଦରଶନ
କିବାରେ କାଳିଆ କରିଲୁ କି ମାୟା
ଛାଡ଼ି ଦେଇ ସିଂହାସନ ll
ବାଛିଲୁ ଛତିଆ ତୋ' ଘର ଠିକଣା
ନେବୁ କଳ୍କୀ ଅବତାର
ବାର ହାତ ଖଣ୍ଡା ଧରିବୁରେ ଜଗା
ଦୁଷ୍ଟ କରିବୁ ସଂହାର ll
ଆଗରୁ ସୂଚନା ଦେଇଛୁ କେତେରେ
ଫନି ରୂପେ କେତେ ବାତ୍ୟା
ଏବେ ପୁଣି ସାରା ମାନବ ଜାତିକୁ
କରୋନାରେ କଲୁ ହତ୍ୟା ll
ଜୀବେ ଦୟା ଭାବ ହୋଇଲା ଅଭାବ
ନିରୀହ ଜୀବେ ଭକ୍ଷିଲେ
କରିଲୁ ସଂହାର ପାପୀ ଥରହର
କଲବଲ ହୋଇ ମଲେ ll
ତ୍ରାହି ତ୍ରାହି ଡାକ ଶୁଣି ପଦ୍ମମୁଖ
ପ୍ରେରଣ କଲ ଭୁତାଣୁ
ସାରା ଜଗତକୁ ବୁଲି ବୁଲି ଧ୍ବଂସ
ଭୀତି ଜଗାଇଲ ମନୁ ll
କରୁଛି ମିନତି ଆହେ ରମାପତି
ଏତିକିରେ ହେଉ ଇତି
ମାନବ ସମାଜ ବୁଝି ସେ ଗଲାଣି
ଦେଖି ତା'ର ଦୁରଗତି ll
କରୋନା ଯଦିରେ ସବୁ ନାଶି ଯିବ
ତୋ' ପାଇଁ ରହିବ କିସ
ବାର ହାତ ଖଣ୍ଡା ଚଢି କଳା ଘୋଡା
କେ' କରିବ କଳି ଶେଷ ll
ଦୟା କର ପ୍ରଭୁ ଆହେ ଦୟାମୟ
ପୂର୍ଣ୍ଣଛେଦ କର ଏବେ
ଯଦି ବି ମାନବ କିଛି ନ ଶିଖିବେ
କଳ୍କୀ ରୂପରେ ନାଶିବେ ll
ସେତେବେଳେ କେହି ବାଧା ଦେବେ ନାହିଁ
ସଂସାର କରିବ ରକ୍ଷା
ଧରଣୀ ମାତାର ଦୁଃଖ ହେବ ଦୂର
ଏତିକି ଚରଣେ ଭିକ୍ଷା ll 
 ରାଉରକେଲା
ଜୟ ସାହିତ୍ୟ, ଜୟ ସମାଜ

ଦିଅ ହେ ଆଶିଷ ବାରି

ଦୀପ୍ତି ଦେବଦର୍ଶିନୀ ସୁତାର (ଶିକ୍ଷୟିତ୍ରୀ)
କରୋନା ଭୁତାଣୁ  ବ୍ୟାପିଯାଏ ବିଶ୍ୱେ
ଆତଙ୍କିତ ବିଶ୍ୱ ଜନ
ଉଦ୍ଧରିବ କିଏ ଏ ମହାବିପଦୁ
ତୁମେ ସାହା ନାରାୟଣ ।।

ତୁମ ଲୀଳା କୀର୍ତ୍ତି ଜଗତେ ବିଦିତ
ଆଜି ମଉନ ରହିଛ
ଏ ଘୋର ସଂକଟୁ ଉଦ୍ଧାର କର ହେ
କି ଲୀଳା ପ୍ରଭୁ ରଟୁଛ ।।

ଲାଗୁଛି ସତେ କି ପ୍ରତିଶୋଧ ନିଏ
ଚାଇନା ରାଗରେ ଜଳି 
ମଣିଷ ରୂପରେ ଅସୁର ପ୍ରବୃତ୍ତି
ପ୍ରକୃତି ସହିତ ଖେଳି ।।

ତା' ପାଇଁ ସୃଷ୍ଟି କରୋନା ଭୁତାଣୁ
ଭାବିଲା ଅଛି ବିଜ୍ଞାନ
କରୋନା କୋଳରେ ଶୋଇଲା ବିକଳେ
ବିଜ୍ଞାନ ହେଲା ଅଜ୍ଞାନ ।।

ପବିତ୍ର ଭୂମି ଏ ଭାରତ ବର୍ଷ ଯେ
ଦେବାଦେବୀଙ୍କର ବାସ
ତା' ବୀର ସନ୍ତାନ ଯୋଗୀ ମୁନି ଋଷି
ମନ୍ତ୍ରରେ କରନ୍ତି ତୋଷ  ।।

ଆହାର ବିହାର ଆଚାର ବିଚାର
ନୀତି ଆଦର୍ଶର ଧାରେ  
ନିଜକୁ ସମର୍ପି ଚାଲିଲେ ମାନବ
ଜିତି ପାରେ  ଏ ମହୀରେ ।।

ଯାହା ଘଟୁଅଛି ସେ ପାପପଙ୍କରୁ
କ୍ଷମା କର ଏବେ ସାଇଁ 
ଖୋଲି ଦିଅ ବଡ଼ ଦେଉଳ କବାଟ
ଭକ୍ତ ଯାଉ ପାଶେ ଧାଇଁ  ।। 

ମୋହନ ମୁରଲୀ ସ୍ଵନ ଶୁଭୁଥାଉ
ଭକତ ଭିଡରେ ନିତି
ସେ ମଧୁର ସ୍ଵନ କରୋନା ନିପାତ
କରି କାଟିଦେଉ  ଭୀତି ।।

ପବନରେ ଭାସି ତୁମ ବଂଶୀ ସ୍ଵନ
ଲୀଳା ରଚୁ ଏ ମହୀରେ
ପ୍ରାଣ ଘାତକ ଏ ଭୁତାଣୁ ଜୀବାଣୁ
ଧ୍ୱଂସ ପାଇବେ ଅଚିରେ  ।।

ସତ୍ୟ ,ନ୍ୟାୟ,ଧର୍ମ ସହ ସଦାଚାର 
ଗୁଣକୁ ଭୂଷଣ କରି
ଚାଲିବାକୁ ଏଇ ଜୀବନ ପଥରେ
ଦିଅ ହେ  ଆଶିଷ ବାରି  ।।

********************
ଓରାଳୀ - ହାଟଡ଼ିହୀ - କେନ୍ଦୁଝର 
୭୫୮୦୮୩

ଜୟ ସାହିତ୍ୟ, ଜୟ ସମାଜ

ମୁଁ ନାରୀଟିଏ


ନ୍ତ ଞ୍ଜରୀ ଦା
     

       ପୁରୁଷ ପ୍ରଧାନ ଭାରତୀୟ ସମାଜରେ ନାରୀର ଭୂମିକା ଜାଣି ମଧ୍ୟ ଯୁଗେ ଯୁଗେ ଅବହେଳିତ କରାଯାଇଛି ସେମାନଙ୍କୁ , ସୃଷ୍ଟିର ପ୍ରାରମ୍ଭିକ ପରିକଳ୍ପନାକୁ ସାକାର କରିବାକୁ ଯାଇ ସ୍ବୟଂ ଅଖିଳପତି ନିଜର କ୍ଷମତାକୁ ଶ୍ରେୟ କରିବାର ବିଫଳତା ପରେ ହିଁ ନିଜକୁ ସୌନ୍ଦର୍ଯ୍ୟମୟୀ ନାରୀ ରୂପରେ ପରିବର୍ତ୍ତିତ କରିବାକୁ ବାଧ୍ଯ ହୋଇଥିଲେ । କ୍ଷୀର ସାଗରର ମନ୍ଥନ ପରେ ସାଗର ମଧ୍ୟରୁ ପ୍ରାପ୍ତ ଅମୃତ ତଥା ବିଷକୁ ଦିତି ସୁତ ଦୈତ୍ୟଗଣ ତଥା ଅଦିତି ସୁତ ଆଦିତ୍ୟଗଣଙ୍କ ମଧ୍ୟରେ ପରସିବାକୁ ଯାଇ ନାରୀର ବିଶେଷତ୍ୱକୁ ଉପଲବ୍ଧି କରିଥିଲେ । ସେଇଥି ପାଇଁ ବୋଧହୁଏ ନାରୀର ସ୍ଥାନ ପୁରୁଷର ଇଚ୍ଛା ମଧ୍ୟରେ ନ୍ଯସ୍ତ ହୋଇଯାଇଛି ଏକ ପାରମ୍ପରିକ ଭାବମୟତାରେ । କିନ୍ତୁ ପୁରୁଷର ସମସ୍ତ ଶକ୍ତିକୁ କ୍ଷୟ କରିବାର ଶକ୍ତି ଯେ ନାରୀ ନିକଟରେ ନିହିତ ଏହା ମର୍ମେ ମର୍ମେ ଉପଲବ୍ଧି କରନ୍ତି ପୁରୁଷଗଣ । ତଥାପି କାହିଁକି ଯେ ନାରୀ ଅବହେଳିତା ଓ ନିମ୍ନ ଦୃଷ୍ଟିର ଶିକାର ହୁଏ ତା'ର ବାସ୍ତବ କାରଣକୁ ଖୋଜି ପାଇବା ଖୁବ୍‌ କଷ୍ଟସାଧ୍ୟ । ଦେବତାଗଣଙ୍କର ମୁଖ ନିଃସୃତ ବଚ଼ନାବଳୀରେ ପରିପୁଷ୍ଟ  'ବେଦ' ତ ସ୍ବୀକାର କରେ ନାରୀର ଅଗ୍ର ଭୂମିକାର ଗୁରୁତ୍ବ । ସେଇଥି ପାଇଁ ଜଗତର ଗୋଚ଼ରାର୍ଥେ ଉଦ୍‌ଘୋଷଣ କରେ , ଯଥା :-

                              "ଯତ୍ର ନାର୍ଯ୍ଯସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ 
            ଯତ୍ର ଏତାନି ନ ପୂଜ୍ୟନ୍ତେ ବିଫଳା ସକଳା କ୍ରିୟାଃ ।"


    ଯୁଗ ଯୁଗାନ୍ତରୁ ଏହି ବାଣୀ ପ୍ରତି ପ୍ରତ୍ଯେକଙ୍କର ହୃଦୟରେ ମାନ୍ଯତା ଥିଲେ ମଧ୍ୟ କାର୍ଯ୍ୟ କ୍ଷେତ୍ରରେ ଦେଖିବାକୁ ମିଳେ ତାହାର ବିପରୀତ ଫଳଚ଼ୟ । ଯଥା ଯୁଗ ପରେ ଯୁଗ ଅତିକ୍ରମ କରି ଅନ୍ତିମ ଯୁଗ କଳିଯୁଗର ମଧ୍ୟବିନ୍ଦୁରେ ମଧ୍ୟ ଅନୁରୂପ ପ୍ରତିକ୍ରିୟାମାନ ପରିଲକ୍ଷିତ ହୁଏ । ବର୍ତ୍ତମାନର ସ୍ବାଧୀନଚ଼େତା ମାନବଗଣ ସର୍ଗେ ସର୍ଗେ ଉପଲବ୍ଧି କରନ୍ତି ନାରୀର ସୃଷ୍ଟି ବିନା ସୃଷ୍ଟିର ସ୍ଥିତି ଅସମ୍ଭବ । ତଥାପି କନ୍ୟା ଭ୍ରୁଣହତ୍ଯା ପରି ଏକ କଳଙ୍କମୟ କାହାଣୀରେ କୋଳମଣ୍ଡନ କରନ୍ତି ଦୈନିକ ସମ୍ବାଦପତ୍ର ଗୁଡ଼ିକ । ଶିକ୍ଷିତା ଓ ପ୍ରଗତିଶୀଳା ନାରୀ ପ୍ରତି ଅସମ୍ମାନ ଜନକ ବ୍ଯବହାର , ଅଶ୍ଳୀଳ ଇଙ୍ଗିତ , ଯୌନ ଶୋଷଣ , ଅପହରଣ , ବଳାତ୍କାର , ହତ୍ଯା ପ୍ରଭୃତି ସେମାନଙ୍କର କାୟା ବୃଦ୍ଧି କରନ୍ତି ଅନୁଦିନ । ପ୍ରତ୍ଯେକ କାବ୍ଯ କବିତା ତାଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରନ୍ତି ନାରୀକୁ କ୍ଷମତାଶୀଳା ଭାବରେ ବଣ୍ଣନା କରି । ଏଇ ଯେପରି ଆଦିକବି  ସାରଳା ଦାସ ଆଦିପର୍ବରେ ସମାଜରେ ନାରୀର ମହତ୍ତ୍ବ ପ୍ରଦର୍ଶନ କରିବାକୁ ଯାଇ ପତ୍ନୀକୁୁ  'ଆତ୍ମାଗୁରୁ' ଭାବରେ ଆଖ୍ୟାୟିତ କରିଛନ୍ତି । ପୁରୁଷ ଜୀବନରେ ନାରୀର ଗୁରୁତ୍ବ ଓ ସୃଷ୍ଟିି ରକ୍ଷାରେ ନାରୀଜନ୍ମର ଅପରିହାର୍ଯ୍ଯତା ସମ୍ପର୍କରେ  'ସତ୍ଯବତୀ' ମୁଖରେ ବୁଝାଇଛନ୍ତି   ସାରଳା ଦାସ , ଯଥା :- "ନାରୀଲିଙ୍ଗ ଜନ୍ମ ଗୋଟି ଦୁର୍ଲଭ ଗୋ' ମାୟେ " । ଅନ୍ୟତ୍ର ହିଡ଼ିମ୍ବିକା ମୁଖରେ ମଧ୍ୟ ପ୍ରକାଶିତ କରାଇଛନ୍ତି :-"ନାରୀଲିଙ୍ଗ ଜନ୍ମ ଗୋଟି ଅଟଇ ଦୁର୍ଲଭ" 



     ବାସ୍ତବରେ ଦୁର୍ଗାଙ୍କ ଠାରୁ ଦୁର୍ଗାବତୀ ପର୍ଯ୍ଯନ୍ତ ପଦ୍ମାଳୟାଙ୍କ ଠାରୁ ପଦ୍ମାବତୀ ତଥା ଲକ୍ଷ୍ମୀଙ୍କ ଠାରୁ ଲକ୍ଷ୍ମୀବାଈ ପର୍ଯ୍ଯନ୍ତ ନାରୀଶକ୍ତିକୁ ବିଶ୍ଳେଷଣ କଲେ ଜନନୀ , ଭଗିନୀ ଓ ଜାୟା ଏହି ତ୍ରିଶକ୍ତିର ଆଧାର ହିଁ ଉପଲବ୍ଧ ହୁଏ । ଏଣୁ ନାରୀ ବ୍ରହ୍ମା ସ୍ବରୂପିଣୀ , ବିଷ୍ଣୁ ସ୍ବରୂପିଣୀ ଏବଂ ଶିବ ସ୍ବରୂପିଣୀ ମଧ୍ୟ । ସୃଷ୍ଟି କ୍ଷେତ୍ରକୁ ପ୍ରଲମ୍ବିତ କରି କ୍ଷେତ୍ରପାଳୀକା ସାଜୁ ସାଜୁ କେତେବେଳେ ଧ୍ବଂସକାରିଣୀ ଭାବରେ ସମଗ୍ର ସୃଷ୍ଟିକୁ ଜଣାଇ ଦିଏ ତା'ର ଶ୍ରେଷ୍ଠ କର୍ତ୍ତୃତ୍ବରାଜିକୁ ଝାନ୍‌ସୀରାଣୀ ଲକ୍ଷ୍ମୀବାଈ ରୂପରେ ଯୁଦ୍ଧକ୍ଷେତ୍ରରେ ଅବତୀଣ୍ଣା ହୁଏ ସେ କାଳୀ କରାଳୀ ରୂପ ନେଇ । ବିଜୟଲକ୍ଷ୍ମୀ ପଣ୍ଡିତ ରୂପରେ ଶାସନ ଦଣ୍ଡକୁ ଆପଣେଇ ନିଏ ରକ୍ଷାକର୍ତ୍ତ୍ରୀ ସାଜି । ଦେଶର ଦୁର୍ଦିନକୁ ହରାଇବାର ଶପଥ ନେଇ ସୁଚ଼େତା କୃପାଳିନୀର ନାମ ନିଏ ଗମ୍ଭୀର ଭାବରେ । ବିଚ଼ାରିକାର ରୂପ ନିଏ ଆନ୍ନା ଚ଼ାନ୍ଦେ ନାମରେ । କ୍ଯାପ୍ଟେନ୍‌ ଭାବରେ ମଥାକୁ ଉର୍ଦ୍ଧ୍ବଗାମୀ କରେ ପ୍ରେସ୍‌ ମାଥୁର୍‌ ନାମରେ ଏବଂ କଳ୍ପନା ଚ଼ାୱଲା ନାମରେ ମଧ୍ୟ । ଏଣୁ ନାରୀ ଅନନ୍ୟା । ଈନ୍ଦିରା ତଥା ମଦର ଟେରସାଙ୍କ କର୍ମପ୍ରବଣତାକୁ ଉପଲବ୍ଧି କଲା ପରେ ମଧ୍ୟ ପୁରୁଷଗଣ ନାରୀ ମାନଙ୍କୁ ଏପରି ହୀନ ଦୃଷ୍ଟିରେ ଦେଖିବାର ଅବା କ'ଣ ହୋଇପାରେ ?


    ସମାହିତ ପ୍ରକ୍ରିୟାର ଆଦ୍ୟ ଭାଗରେ ନାରୀଶିକ୍ଷାର ଆବଶ୍ୟକତା ଅପରିହାର୍ଯ୍ଯ । ଏତଦ୍ବାରା ସେମାନଙ୍କର ଆତ୍ମଶିକ୍ଷଣ ବୃଦ୍ଧି ହୋଇ ସ୍ବୟଂସଂଚ଼ାଳନ କ୍ଷମତା ଉତ୍ତରୋତ୍ତର କ୍ଷେତ୍ରରେ ପହଞ୍ଚି ପାରିବ । ସେଥିପାଇଁ ସରକାରଙ୍କ ଦ୍ବାରା ନାରୀଶିକ୍ଷା ପ୍ରତି ପ୍ରୋତ୍ସାହନ ପ୍ରଦାନ କରାଯାଉଛି । କେବଳ ଶିକ୍ଷା କ୍ଷେତ୍ରର ପରିସର ନୁହେଁ ପରନ୍ତୁ କ୍ରୀଡ଼ା ଠାରୁ ଆରମ୍ଭ କରି ଆତ୍ମରକ୍ଷା କୌଶଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଅଛି । ଏନ ଜି ଓ (NGO) ସଂସ୍ଥା ଗୁଡ଼ିକ ମାଧ୍ୟମରେ ଗୋଷ୍ଠିଗତ ଭାବରେ କାର୍ଯ୍ୟକୁଶଳୀ ହେବା ପାଇଁ ଉତ୍ସାହିତ କରାଯାଉଅଛି । ଏହା ମାଧ୍ୟମରେ ପତିପତ୍ନୀଙ୍କ ମଧ୍ୟରେ ଆତ୍ମୀୟତା ବୃଦ୍ଧି ଘଟୁଛି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ସ୍ନେହପୂଣ୍ଣ ବାତାବରଣ ପରିଲକ୍ଷିତ ହେଉଅଛି ।

       ଏସବୁ ସତ୍ତ୍ୱେ ନିର୍ଭୟାଗଣ ନିର୍ଭୟରେ ବିଚ଼ରଣ କରିବାରୁ ବଞ୍ଚିତ ହେଉଛନ୍ତି କାହିଁକି ? ଧର୍ଷିତା ଫର୍ଦ୍ଦରେ ସେମାନେ ବାଧ୍ୟମୃତ୍ଯୁ ତଥା ସ୍ବେଚ୍ଛାମୃତ୍ଯୁର କାଳିମାରେ ସତ୍ତା ହରାଇ ବସୁଛନ୍ତି କାହିଁକି ? କାହିଁକି ସେମାନଙ୍କ ପାଇଁ ନ୍ଯାୟ ତରାଜୁ ତା'ର କାର୍ଯ୍ଯ କ୍ଷମତାକୁ ହରାଇ ବସୁଛି ? ଏତେସବୁ କାହିଁକିର ଏକମାତ୍ର ଉତ୍ତର ତା'ର ସ୍ଥିତି ଅନ୍ବେଷଣ କରୁଛି । ଉତ୍ତରଟି ତା'ର ସ୍ଥାନ ମଣ୍ଡନ କରିବ ସେହିଦିନ , ଯେଉଁଦିନ ନାରୀଟିଏ ଅପର ନାରୀର ମର୍ଯ୍ଯାଦା ଅକ୍ଷୁଣ୍ଣ ରଖିବା ପାଇଁ ତତ୍ପର ହୋଇଉଠିବ , ଯୌତୁକ ପରି ଏକ କଳଙ୍କିତ ଅଧ୍ୟାୟକୁ ଲୁପ୍ତ କରିବ ହୃଦୟର ଔଦର୍ଯ୍ଯମୟ ଧବଳ କାଳିକୁ ଲେପନ କରି । ଜନନୀ ରୂପରେ ପୁତ୍ରବଧୂକୁ କନ୍ୟାର ସ୍ଥାନ ଦେଇ , ନଣନ୍ଦର ଭୂମିକାକୁ ପରିବର୍ତ୍ତିତ କରିବ ଭଗିନୀ ରୂପରେ ; ଜାୟା ରୂପକୁ ସାର୍ଥକ କରିବ ଶ୍ବଶୁରାଳୟକୁ ପିତ୍ରାଳୟ ଭାବରେ ଗ୍ରହଣ କରି । ଯଦି ସ୍ବେଚ୍ଛାଚା଼ରୀତା ଭାବକୁ ନିୟନ୍ତ୍ରଣ କରିବ ତେବେ "ନ ଅରି ନାରୀ" ଜନ୍ମର ସାର୍ଥକତା ଲାଭ କରିବ ଦୁନିଆ ବୁକୁରେ ।

   ସଦ୍ଭାବନାର ଅସ୍ତ୍ର ଗ୍ରହଣ କରି ପୁରୁଷର ଅବହେଳିତ ପରିପନ୍ଥିକୁ ଜୟ କରିବାକୁ ହେବ ସକ୍ଷମା , ମୁଁ ନାରୀଟିଏ କହିବାର ଯୋଗ୍ୟତା ଲାଭ କରିବ ଦୁନିଆ ବୁକୁରେ । ଆର୍ଯ୍ୟଭୂମି ଭାରତରୁ ଅପସରିଯିବ ଅନାର୍ଯ୍ଯ ପ୍ରକ୍ରିୟା । ବଳାତ୍କାର ଶବ୍ଦଟି ଆତ୍ମଗୋପନ କରିବ ଅସହାୟ ଭାବରେ ।                                                      ସମ୍ପାଦିକା - ସୁଶ୍ରୀ ଶୁଭଶ୍ରୀ 
ଶାଗବାରିଆ - ତିରଣ - ଜଗତସିଂହପୁର 
ଯୋଗାଯୋଗ - ୯୯୩୭୮୮୫୫୩୭
                                                                                               ଜୟ ସାହିତ୍ୟ, ଜୟ ସମାଜ

🥦 ଫିକା ଫଗୁଣ🥦


                 ସବିତା ନାୟକ                   

ଫଗୁଣଟା ଆଉ ସରାଗ ଵାଣ୍ଟୁନି ଫଗୁଣ ଗୁମୁରି କାନ୍ଦୁଅଛି ଆଜିଯାଏଁ 
ତା' ପାଇଁ ପୁଲକ ଜାଗୁନି              ତା' ଅସ୍ତିତ୍ବ ଲୋପ ପାଇଛି                                                     ରଙ୍ଗ ଅଵିରଟା ଫିକା ପାଲଟିଛି କାଳ ବୈଶାଖୀର ତାଣ୍ଡଵ କେବେ ତ
ସ୍ନେହ ପ୍ରେମ ସୁଧା ଝରୁନି ।             ତା' ବୁକୁରେ ରଚି ଯାଇଛି ।
 ଫଗୁଣ ଆସିଲେ ପ୍ରକୃତି ହସେ   ଋତୁରାଜ ତା'ର ଥାଟ ପଟୁଆରେ 
ହସେ ବନଭୂଇଁ ସରାଗେ                        ମୋହି ପାରୁ ନାହିଁ କାହାକୁ       
ଉଜୁଡା ଦୁଃଖରେ ଫଗୁଣ ବସିଛି              ଆମ୍ର କୁଞ୍ଜରେ କେବେ ଡାକୁଅଛି
ସନ୍ନ୍ଯାସିନୀ ପରି ଵିରାଗେ ।                   କୋଇଲି ମେଲାଇ ସୁରକୁ ।

ଫଗୁଣକୁ ଫିକା କରିଅଛି ଆଜି              ଏ ମନୁଷ୍ଯ କୃତ ରୋଗଟିର ଲାଗି

କରୋନା ନାମକ ରୋଗଟା                   ବିଶ୍ଵେ ପଡ଼ିଅଛି ଭାଳେଣି
ଚୀନ୍‌ରୁ ଆସି ଵିଶ୍ଵକୁ ବିଧ୍ବଂସି                  ଉହାନ୍ ସହରୁ ଜନମ ଲଭି ସେ
ଦେଖାଉଛି ତା'ର ବାଗଟା ।                  କାୟା ତା' ବିସ୍ତାରି ଦେଲାଣି ।
ମହାମାରୀ ସାଜି ଜୀବନ ନେଉଛି          ହେ' ଫଗୁଣ ତୁମେ ଫେରିଯାଅ ଏବେ
ଆତ୍ମଘାତୀ ମୃତ୍ୟୁ ରୂପରେ                    ଆର ବରଷକୁ ଆସିବ
ଆତଙ୍କିତ ସର୍ବେ ବିଶ୍ଵଵାସୀ ଆଜି           ଜିଇଁଥିବୁ ଯେବେ କରୋନା ଦାଉରୁ 
କରୋନା ଭୂତାଣୁ ଆଗରେ ।                ଆମକୁ ଟିକିଏ ଭେଟିବ ।

                                ଝଙ୍କଡ଼ ସାହିତ୍ଯ ସଂସଦ 
                                ତେନ୍ତୁଳି ପଦା , ତିର୍ତ୍ତୋଲ 


ଜୟ ସାହିତ୍ୟ, ଜୟ ସମାଜ

କରୋନା ସତର୍କ ( ବୃତ୍ତ - ବୀଣାକାର )

+++++++++++++++
ଗୌର ଚନ୍ଦ୍ର ପଣ୍ଡା (ଶିକ୍ଷକ)
+++++++++++++     
କରୋନା ସତର୍କ ହେବା ପାଇଁ ବନ୍ଧୁ      
ଲେଖିଲି ଏହି ବିଧାନ...
କରୋନା ମହାମାରୀ ରୂପ ନେଇ ଅଛି...
ପୃଥିବୀ ଧ୍ବଂସର କାରଣ ।
କରୋନା ବ୍ଯାପିଲା ପୃଥିବୀରେ ଏବେ
ବିଶ୍ୱଯୁଦ୍ଧର ଆତଙ୍କ...
କରୋନାକୁ ଡ଼ରି ସମଗ୍ର ପୃଥିବୀ
ନର ସମାଜ ଆତଙ୍କିତ ।
କାହାକୁ ଛୁଇଁବା କାହକୁ ଧରିବା
କୋଳାଗ୍ରତ ଯେ ନ କରିବା...
କାହା ସାଥେ କଥା ହେଲେ ହିଁ ଆମେ
ବୂରତାକୁ ଧ୍ଯାନ ଦେବା ।
କାଶ , ଥଣ୍ଡା , ଛିଙ୍କ ରୋଗୀଙ୍କୁ ଯେ ଆମେ
ଦୂରରୁ ସତର୍କ ହେବା...
ଘରୁ ବାହାରିଲେ ଆମେ ମାକ୍ସ , ଗ୍ଲୋବ୍‌
ପିନ୍ଧି ଘରୁ ବାହାରିବା ।
ଘର ଭିତରକୁ ପ୍ରବେଶ କରୁଣୁ
ହାତ ହାଇ ବିନ୍‌ରେ ଧୋଇବା...
ହାତକୁ ମୁହଁରେ ଆଖି ନାକରେ ଯେ...
ନ ଧୋଇ ଯେ ନ ମାରିବା ।
ସକାଳୁ ଉଠିବା ସମୟରେ ଭାଇ
ସୂର୍ଯ୍ୟାଲୋକେ ଠିଆ ହେବା
ଏକଘଣ୍ଟା କରି ସୂର୍ଯ୍ୟ କିରଣରେ
ଦେହକୁ ଉଷୁମ କରିବା ।
ଗରମ ଜଳକୁ ସବୁ ସମୟରେ
ସେବନ ଯେ କରୁଥିବା...
ଏପରି ସତର୍କ ରହିଲେ ଯେ ଆମେ...
କରୋନାରୁ ବଞ୍ଚିତ ହେବା ।

          ଆସିକା

ଫୋ- ୯୭୭୬୦୪୬୩୩୩

ଜୟ ସାହିତ୍ୟ, ଜୟ ସମାଜ

*****ଶବ୍ଦ ମାଳା******

ନଗେନ୍ଦ୍ର କୁମାର ରାଉତ 
   ************
ତୁମେ ଅଗନା ଅଗନି ବନସ୍ତେ
ମୋ' ଅଚିହ୍ନା ବୃକ୍ଷରେ
ସୁମନ ହୋଇ ଆସ
ଥଟ୍ଟା କର ମୋତେ
କ୍ଷଣିକେ କେବେ ବଂଶ ଝରିପଡ
ମୋ' ମନ ଅଗଣାରେ
ଧରିବାକୁ କଲେ ଚେଷ୍ଟା
ଖସିଯାଅ ଅନାୟାସେ
ଝୁରି ବସେ
ବିଜନ ବେଳାରେ
ପୁଣି ତୁମ ଅପେକ୍ଷାରେ ।

 ଲୁଚି ଲୁଚି ଆସ ଯେବେ
ମୋ' ଭାବନା ରାଇଜେ
ଫାଶ ମୋ ତଥାପି
ପାରେ ନାହିଁ ଧରି ,
ଖାଲି ଯାହା ଗୁନ୍ଥିବାକୁ
ପ୍ରୟାସ ମୋ' ଜାରି ....…
ସ୍ୱପ୍ନେ ସ୍ୱପ୍ନେ ବିଚରଣ କର
ଚପଳା ପରି ଚଟ୍ କରି
ଅନ୍ତର୍ଦ୍ଧାନ ହୁଅ
ମନ ଆକାଶରେ
କାହିଁକି ଆସ ଏମିତି
କ୍ଷଣେ କ୍ଷଣେ ହୋଇ
ବିନା ଅନୁମତିରେ
ମସଗୁଲ କରିବା ପାଇଁ ।
।।।।।।।।।।।।।।।।
     ଉମରକୋଟ 
।।।।।।।।।।।।।।।।
                ଜୟ ସାହିତ୍ୟ, ଜୟ ସମାଜ

କୋରୋନା

ତେଜସ୍ୱିନୀ ହୋତା (ଶିକ୍ଷୟିତ୍ରୀ)
ମାନବ ଆଜି ଦାନବ ସାଜେ            

ଆଧୁନିକତାର ବାସ୍ନାରେ
ନିର୍ମାଣ ନାମରେ ଧ୍ବଂସ କରେ
ଏ ରଙ୍ଗୀନ ସଂସାର ।

ରୀତିନୀତି ପରମ୍ପରାର
ପେଣ୍ଠସ୍ଥଳୀ ଏ ଭାରତ ଭୂଇଁ
ଆପଣା ସଂସ୍କୃତିକୁ ନେଇ
ଥିଲା ଆତ୍ମହରା କିନ୍ତୁ
ପାଶ୍ଚାତ୍ଯ ସଂସ୍କୃତିକୁ ଆପଣେଇ
ଆମନ୍ତ୍ରଣ କରୁଛି ଘନଘନ ଯନ୍ତ୍ରଣା ।

କୋରୋନାର ବାହୁ ବଗଲରେ
ସମଗ୍ର ବିଶ୍ୱ ଆଜି ବନ୍ଦୀ
ନମସ୍କାର - ପ୍ରଣାମର ପ୍ରତିବଦଳରେ କରମର୍ଦ୍ଦନ ;
ପାଶବିକ ପ୍ରବୃତ୍ତିରେ ପଶୁ ମାଂସ ଭକ୍ଷଣ
ଅମାନବୀୟ କାର୍ଯ୍ଯକଳାପକୁ ଆପଣି
ବିଶ୍ବରେ ମହାମାରୀକୁ କରିଛି ନିମନ୍ତ୍ରଣ  ।

ବିଭୁକୃପା ବଳେ ଏଡ଼ିଯାଉ
ମୃତ୍ୟୁର ବିଶ୍ୱରୂପ
ଜାଗି ଉଠୁ ଏ ହୃଦୟରେ
ମାନବିକତାର ପୁଷ୍ପରାଜ ;
ଆଚ଼ାର , ବିଚ଼ାର , ପ୍ରଚ଼ାରର
ସନ୍ତୁଳିତ ସଙ୍ଗମରେ ସୃଷ୍ଟି ହେଉ
ଏକ ଦିବ୍ଯ ଭବ୍ୟ ସଭ୍ଯ ରାଷ୍ଟ୍ର ।
ତୁକଲା - ଖରିଆର - ନୂଆପଡ଼ା 
ଜୟ ସାହିତ୍ୟ, ଜୟ ସମାଜ

(((((କାହିଁକି ? ))))))


ବୈଦ୍ଯନାଥ ପଣ୍ଡା 
*********
ଭାଙ୍ଗିବାକୁ ଯଦି
            ଇଚ୍ଛା ତୁମ ଥିଲା
ତେବେ ଗଢୁଥିଲ ମତେ କାହିଁକି ?
ମାରିଦେବା ଯଦି
             ତୁମ ମନେ ଥିଲା
ତେବେ ବଞ୍ଚାଇ ଥିଲ କାହିଁକି ?
ଫୁଲଟିଏ କରି
          ମୋ' ଦେହରେ ପୁଣି
ତୁମେ କଣ୍ଟା ଭରି ଦେଲ କାହିଁକି ?
ସୁଖୀଟିଏ କରି
              ରଖିବାକୁ କହି
ମତେ ଦୁଃଖୀ କରିଦେଲ କାହିଁକି ?
ରାଣୀ କରି ମତେ
             ନରଖିଲ ନାଇଁ
ତୁମ ଦାସୀ ନକରିଲ କାହିଁକି ?
ସରଗର ଚାନ୍ଦ
           ଆଣିି ଦେବ କହି
ମତେ ଠକି ଚାଲିଗଲ କାହିଁକି ?
ମୋ' ଗୀତର ତୁମେ
                ସୁର ହେବ ବୋଲି
ମୋତେ ବେସୁରା କରିଲ କାହିଁକି ?
ପାଦରେ ମୋହର
             ଘୁଙ୍ଗୁରକୁ ବାନ୍ଧି
ପୁଣି ତାଳ ଭୁଲିଗଲ କାହିଁକି ?
ଆଶା ଦେଇ ମତେ
              ନିରାଶା କରିଲ
କୁହ ଏ ପ୍ରତାରଣା କଲ କାହିଁକି ?
ମୋ' ଭଲ ପାଇବାରେ
                 ଭୁଲ୍ କ'ଣ ଥିଲା
ତୁମେ ଭୁଲିଗଲ ମତେ କାହିଁକି ?
କୁହ ମତେ ଏବେ
            ତୁମେ ଗଲା ପରେ
ଆଉ ମୁଁ ବଞ୍ଚିବି ଏଠି କାହିଁକି ?
❓❓❓❓❓❓❓

ଅବଦଲ ପୁର - ଯାଜପୁର
ଦୂରଭାଷ - ୯୪୩୭୯୮୫୪୧୯୯

     ଜୟ ସାହିତ୍ୟ, ଜୟ ସମାଜ