ରତିକାନ୍ତ ଗାହାଣ °°°°°°°°°°°°°°°°°°°°°°°°°°°°°°
କିଏ କେଉଁ କାଳେ କି କର୍ମ କରଇ ,
ପ୍ରାଣ କର୍ତ୍ତା ଅବିରତେ ଦେଖୁଥାଇ ,,
ସେ ଯେ ଶୂନ୍ୟଶରୀ ବୀର ।
ସ୍ୱକର୍ମ ବିମର୍ଷ ମନେ ଚିନ୍ତୁଥିଲେ ,
ତବ ଅନୁତାପ ପ୍ରକଟଇ ଭଲେ ,,
କିବା ନାହିଁ ତୋତେ ଡର ।।
ରେ ଛାର ପାମର ମତି ଭ୍ରମ ତୋର ,
ସତ୍ୟ ନାଶି ମିଥ୍ୟା କହୁ ବାରମ୍ବାର ,,
କେଉଁ ଅଭିଳାଷ ପାଇଁ ।
ପିଣ୍ଡରୁ ତୋ' ପ୍ରାଣ ଯେବେ ଛିନ୍ନ ହେବ ,
ସତ୍ତା ହୀନ ମର ଶରୀର ପଡ଼ିବ ,,
ଦିଗହରା ଯିବୁ ହୋଇ ।।
ନିଜର ନିଜର ଭାଳି ହେଉ ଯାହା ,
ଦିବ୍ୟ ନେତ୍ର ଖୋଲି ତାକୁ ଥରେ ଚାହାଁ ,,
ବାସ୍ତବ ବୁଝିବୁ ତେବେ ।
ବିଦ୍ୟା ଅରଜିଲୁ ପ୍ରଭୁଙ୍କୁ ବୁଝିଲୁ ,
ପୁରାଣ ଶାସ୍ତ୍ର ଯେ ଅବଜ୍ଞା ମଣିଲୁ ,,
ମୂରୁଖ ସାଜିଲୁ ଗର୍ବେ ।।
ଅବିଦ୍ୟା ତୋ' ହେଲା ଦାରୁଣ ବଇରୀ ,
ଲୁକ୍କାୟିତ ଭାବେ ହରିଲା ତୋ' ଶିରି ,,
ଅହଂ ହେଲା ଗଳାମାଳି ।
ସବୁ ଜାଣି ପୁଣି କିବା ପାସୋରୁଛୁ ,
ସିଆଣିଆ ପଣେ କୁଟୁମ୍ବ ପାଳୁଛୁ ,,
ଭାବୁ ଯାଉଅଛି ଚଳି ।।
କୁତ୍ସିତ କରମେ କେମନ୍ତ ତୋ' ଧ୍ୟାନ ,
ଲମ୍ପଟ ଲୁଣ୍ଠନେ ବଳାଉଛୁ ମନ ,,
ହୀନ ଯଶେ ତୃପ୍ତି ପାଉ ।
ନିନ୍ଦିତ ଲଜ୍ଜିତ ହେୟ ଜ୍ଞାନ ତୋର ,
ନିନ୍ଦୁକ ଗଣରେ ଜମେ ତୋ' ଆସର,,
ବେସରମେ ମାରି ଭାଉ ।।
ସତ୍ୟକୁ ଭେଟିଲେ ଜ୍ଵଳନ ତୋ' ହୁଏ ,
କୁଭାଷା ଶସ୍ତ୍ର ତୋ' ମୁଖେ ଶୋଭା ପାଏ ,,
ଗାଲୁଆମି ମନ୍ତ୍ର ଭଜୁ ।
ଅବଶୋଷ ହୀନ , ତୋର କିବା ମାନ ,
ଚୋରମୁହାଁ ପ୍ରାୟ କାଟୁ ତୁ ଜୀବନ,,
ପର ଗୋଲମରେ ମଜୁ ।।
ଧିକ୍କାର ଉପାଧି ତୋ' ପାଇଁ ଯେ ଯୋଗ୍ୟ ,
ବିକଳ ପଣରେ ଗଢୁ ନିଜ ଭାଗ୍ୟ ,,
ନିଜେ ନିଜ ଜୟ କରି ।
ଅନ୍ତିମ ସମୟେ ଅସହାୟ ସମ ,
ତୋ' ଅତୀତ ନାଟ ତୁଟାଇବ ଭ୍ରମ ,,
ପୋଛୁଥିବୁ ଅଶ୍ରୁ ବାରି ।।
✍🏼
Email - rkgahan777@gmail.com
phone - 6370424734
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।