ଦାମୋଦର ମହାନ୍ତି
କରୋନା ଭାଇରସ ଆମ ଦେଶକୁ ଆସିବା ଦିନ ଠାରୁ ଆମକୁ ମୃତ୍ୟୁର ଯେତିକି ଭୟ ନଦେଖାଇଛି ତା'ଠାରୁ ଅଧିକ ସାମାଜିକ ସମସ୍ୟା ସୃଷ୍ଟି କରିଛି । ଏପରିକି ଏବେ ପ୍ରତ୍ୟେକ ମଣିଷ ଅନ୍ୟ ସମସ୍ତ ମଣିଷଙ୍କ ପାଇଁ ବିପଦର କାରଣ ହେଇଯାଇଛି , ସେ ପୁଣି ନିଜ ଅଜାଣତରେ । ଚାରିଆଡେ ଲକ୍ ଡାଉନ୍ , କର୍ଫ୍ୟୁ ଇତ୍ୟାଦି । ଜୀବନ ଯେପରି ସୀମାବଦ୍ଧ ହେଇଯାଇଛି । ପ୍ରାୟ ସମସ୍ତଙ୍କର ରୋଜଗାର ବନ୍ଦ । ଏପରିକି ମନ୍ଦିର ମାନଙ୍କରେ ଭଗବାନ ମଧ୍ୟ ବନ୍ଦୀ । ଶିକ୍ଷା ବ୍ୟବସ୍ଥା , ସମସ୍ତ ସରକାରୀ କାର୍ଯ୍ୟକଳାପ , ସମସ୍ତ ପ୍ରକାର ସାମାଜିକ ଉତ୍ସବ ଓ କାର୍ଯ୍ୟକ୍ରମ ସବୁ ବନ୍ଦ୍ । ତେଣୁ , ସ୍ଵାଭାବିକ ଭାବରେ ଏହା ଆମ ସମସ୍ତଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମର ବହିର୍ଭୁତ ଅଣ ଅଭ୍ୟସାଗତ ହୋଇଥିବାରୁ ବ୍ୟସ୍ତ , ବିରକ୍ତିକର ଓ ଚାପଗ୍ରସ୍ତ ଲାଗୁଛି ।
.
ଏହି ପରିପ୍ରେକ୍ଷୀରେ ଆମେ ନିଜକୁ ଘର ଭିତରେ ରଖିବା , ପରିବାର ସହିତ ସମୟ ବିତେଇବା , ସୀମିତ ସମ୍ବଳରେ ବଞ୍ଚିବା ଏବଂ ତତ୍ସହିତ ନିଜ ନିଜର ରୂଚିକୁ ନେଇ ଯଥାସମ୍ଭବ ନିଜ ଭିତରେ ନିଜେ ବଞ୍ଚିବା ଓ ଜୀବନକୁ ଅନୁଭବ କରିବା । କଳାକାର ସଙ୍ଗୀତ ଗାନ କରିବେ । ଧାର୍ମିକ ବ୍ୟକ୍ତିମାନେ ପୂଜନ କାର୍ଯ୍ୟ କରିବେ । ଚିତ୍ରକର ଚିତ୍ର ଆଙ୍କିବେ । ସାହିତ୍ୟିକ ଗପ , କବିତା , ପ୍ରବନ୍ଧ ଇତ୍ୟାଦି ଲେଖିବେ । ଘରେ କ୍ୟାରମ୍ , ଲୁଡୁ , ଚାସ୍ ଇତ୍ୟାଦି ଖେଳି ପାରିବା । ବୟସ୍କ ଓ ପିଲାମାନଙ୍କ ସହିତ ଖୁସି ଗପ କରିପାରିବା । ସକାଳେ ସନ୍ଧ୍ୟାରେ ବ୍ୟାୟାମ କରିପାରିବା । ଘର ତଥା ବାଡିବଗିଚା ସଫା କରିପାରିବା , ନିଜ ଜିନିଷପତ୍ର ସଜଡ଼ାସଜଡ଼ି କରିପାରିବା । ଟିଭି ଦେଖିବା , ଫୋନ ଓ ନେଟ୍ ବ୍ୟବହାର କରିପାରିବା । ଯୋଗାଯୋଗର ମାଧ୍ୟମ ଭାବରେ ଫୋନ ଭିଡିଓ କଲିଂ , what's app , Facebook , Twitter , Instagram ଇତ୍ୟାଦି ବ୍ୟବହାର କରିପାରିବା ନିଜ ବନ୍ଧୁ ଓ ପରିଜନ ମାନଙ୍କ ସହ ଯୋଗାଯୋଗର ମାଧ୍ୟମ ଭାବରେ । କିନ୍ତୁ କାହା ଘରକୁ ଯିବା ନାହିଁ କି କାହାକୁ ଘରକୁ ଡ଼ାକିବା ନାହିଁ , କାରଣ ଏଥିରେ ଉଭୟ ବିପଦଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଏଭଳି ଆମେ କରୋନା ରୋଗକୁ ହରେଇ ପାରିବା ।

ମନେ ରଖନ୍ତୁ କରୋନା ରୋଗର ଏକମାତ୍ର ଏବଂ ଅମୋଘ ଔଷଧ ସାମାଜିକ ଦୂରତା ବା ସଙ୍ଗରୋଧ । ତେଣୁ କେହି କାହା ସହିତ ମିଶିବା ନାହିଁ ଏବଂ ଘରୁ ଯେତେ କମ୍ ସମ୍ଭବ ବାହାରକୁ ବାହାରିବା । ଯଦି ବାହାରକୁ ଜମା ବାହାରିବା ନାହିଁ ତେବେ ଅତି ଭଲ କଥା । ମନେ ରଖନ୍ତୁ କିଛିଦିନର ଦୈହିକ ଦୂରତା କାହା ସମ୍ପର୍କରେ ବାଧା ଆସେ ନାହିଁ । କାରଣ ସମ୍ପର୍କ ମନରେ ଥାଏ , ହୃଦୟରେ ଥାଏ , ଦେହରେ ନୁହେଁ । ଏଭଳି ସମୟ ଵିତେଇବା ଏବଂ ଅପେକ୍ଷା କରିବା ସକାଳର ଉଜ୍ଜ୍ୱଳ ସୂର୍ଯ୍ୟ ଉଇଁବା ପର୍ଯ୍ୟନ୍ତ । ବାସ୍ , ମାତ୍ର କିଛି ଦିନର ଏ ତ୍ୟାଗ ଓ ତପସ୍ୟା ତା'ପରେ ପୁଣି ସବୁ କିଛି ଠିକ୍ ହେଇଯିବ ପୂର୍ବ ଭଳି ; ଏକଥା ନିଶ୍ଚିତ ହୁଅନ୍ତୁ , ଆଶାବାଦୀ ହୁଅନ୍ତୁ । କାରଣ ଆଶା ଓ ବିଶ୍ୱାସରେ ହିଁ ଦୁନିଆ ତିଷ୍ଠି ଥାଏ । ଯେତେବେଳେ ସାରା ସଂସାରକୁ ବିପଦ ଆସିଛି ସେତେବେଳେ ଭଗବାନ ଖୁବ୍ ଶୀଘ୍ର ଆମକୁ ଆମ ଦେଶ , ମାନବ ଜାତି ତଥା ଏ ବିଶ୍ୱକୁ ନିଶ୍ଚୟ ରକ୍ଷା କରିବେ ।
🙏ଜୟ ଜଗନ୍ନାଥ🙏
ଶ୍ରୀକୃଷ୍ଣ ପ୍ରେସ୍ , ଡ଼ାକ୍ତରଖାନା ଛକ , ପୁରୀ
ଜୟ ସାହିତ୍ଯ , ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।