ସତ୍ଯଜିତ୍ ସ୍ବାଇଁ
ଗୁରୁ ଶବ୍ଦଟି ଅତ୍ୟନ୍ତ ଛୋଟ ହୋଇପାରେ, ହେଲେ ତା'ର ମହାନତାକୁ ବୁଝିବା ପାଇଁ ଅନେକ ଜନ୍ମ ନେବାକୁ ପଡ଼ିବ । ଶିଶୁଟିଏ ଯେତେବେଳେ ଏଇ ସଂସାରରେ ଜନ୍ମ ନିଏ , ତା'ର ନିଜର ବୋଲି କିଛି ସେ ଜାଣି ନଥାଏ, ତା'ର ମାଆ ତାକୁ ଏଇ ଦୁନିଆ ସହିତ ପରିଚିତ କରାଇଥା'ନ୍ତି, ଏହିପରି ମାଆ ସାଜିଥା'ନ୍ତି ପ୍ରଥମ ଗୁରୁ, ବାପା ତାକୁ ଏଇ ଦୁନିଆ ସହିତ ସଂଘର୍ଷ କରି ବଞ୍ଚିବା ଶିଖେଇ ଥା'ନ୍ତି, ଏହିପରି ସେ ସାଜିଥା'ନ୍ତି ତା'ର ଦ୍ଵିତୀୟ ଗୁରୁ, ଏହିପରି ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଠାରୁ ତାକୁ କିଛି ନା କିଛି ଶିଖିବାକୁ ମିଳିଥାଏ । ଜୀବନରେ ପରବର୍ତ୍ତୀ ସମୟରେ ଏହି ଅର୍ଜିତ ଜ୍ଞାନ ତାକୁ ଅତ୍ୟନ୍ତ ଦରକାରୀ ହୋଇଥାଏ । ପିଲାଟି ଧୀରେ ଧୀରେ ବଡ଼ ହେଲା ପରେ ଯେତେବେଳେ ଶିକ୍ଷା ଆରମ୍ଭ କରେ, ସେତେବେଳେ ଖଡ଼ି ଧରି ତାକୁ ଶିକ୍ଷା ଦୁନିଆକୁ ପ୍ରବେଶ କରାଉଥିବା ବ୍ୟକ୍ତି ହେଉଛନ୍ତି ଗୁରୁ । ତା'ର ଚଞ୍ଚଳ ମନକୁ ଆୟତ୍ତ କରି ତାକୁ ଜ୍ଞାନ ପ୍ରଦାନ କରୁଥିବା ବ୍ୟକ୍ତି ହେଉଛନ୍ତି ଗୁରୁ । ଶିଶୁକୁ ସବୁବେଳେ ଅଜ୍ଞାନର ଅନ୍ଧକାରରୁ ଜ୍ଞାନର ଆଲୋକକୁ ନେଉଥିବା ଜ୍ୱଳନ୍ତ ଶିଖା ହେଉଛନ୍ତି ଗୁରୁ । ଗୁରୁ ନିଜର ସ୍ୱାର୍ଥ, ନିଜର ସ୍ବପ୍ନର ଆହୁତି ଦେଇ କର୍ତ୍ତବ୍ୟ କରିଚାଲନ୍ତି ଏବଂ ପ୍ରତିବଦଳରେ କିଛି ଆଶା କରି ନଥା'ନ୍ତି । ମଣିଷ ଅନେକ ଉନ୍ନତି କରିପାରେ, ଅନେକ ଜ୍ଞାନ ଅର୍ଜନ କରିପାରେ, ହେଲେ ତାକୁ ଜ୍ଞାନ ଦେଇଥିବା ଗୁରୁଙ୍କ ଠାରୁ କେବେ ଉପରେ ରହିପାରିବ ନାହିଁ ।
ଆମକୁ କେବଳ ବିଦ୍ୟାଦାନ କରୁଥିବା ବ୍ୟକ୍ତିଙ୍କୁ କେବଳ ଗୁରୁର ସମ୍ମାନ ଦେଲେ ଚଳିବ ନାହିଁ, ଜୀବନର ପ୍ରତିଟି ମୁହୂର୍ତ୍ତରେ ଯେଉଁ ମାନଙ୍କ ଠାରୁ ଆମେ କିଛି ନା କିଛି ଶିଖିଥାଉ, ସେଇମାନେ ଆମ ପାଇଁ ଗୁରୁ । ଉଦ୍ଧବ କୀଟପତଙ୍ଗ ଠାରୁ ଆରମ୍ଭ କରି କପୋତ ପକ୍ଷୀକୁ ନିଜ ଗୁରୁରୂପେ ସ୍ୱୀକାର କରିଛନ୍ତି, ଏହାଛଡ଼ା ଆଦିବାସୀ ପିଲା ଠାରୁ ଖଜୁରୀ ଗଛ ନୁଆଇଁବାର ଜ୍ଞାନ ହାସଲ କରିଥିବା ଋଷି ତାକୁ ସମସ୍ତଙ୍କ ଆଗରେ ସମ୍ମାନ ଦେବାକୁ ପଛେଇ ନାହାନ୍ତି । ପାପ, ଶୋକ ଭରା ଏଇ ସଂସାରରୁ ମୁକ୍ତିର ପଥ
ଦେଖାଉଥିବା ପ୍ରଦର୍ଶକ ହେଉଛନ୍ତି ଗୁରୁ । ମଣିଷ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ, ଯାହାର ସମାଧାନ ତା' ପାଖରେ ନଥାଏ । ଏହି ସମୟରେ ହାର ମାନିବାକୁ ବାଧ୍ୟ ହେଉଥିବା ମଣିଷକୁ ବିଜୟର ସ୍ୱାଦ ହାସଲ ପାଇଁ ପ୍ରେରଣା ଦେଉଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଗୁରୁ । ଗୋଟିଏ ଦୀପ ଯେପରି ଅନ୍ଧାର ଘରକୁ ଆଲୋକିତ କରିଥାଏ, ସେପରି ଜଣେ ଉତ୍ତମ ଗୁରୁ, ଶିଷ୍ୟ ଜୀବନରେ ଥିବା ସମସ୍ତ ଅନ୍ଧକାରକୁ ହରିନେଇ ତା' ଜୀବନରେ ଜ୍ଞାନର ଆଲୋକ ଭରିଦିଅନ୍ତି । ଜଣେ ଆଦର୍ଶ ଗୁରୁଙ୍କ ବିନା ଜଣେ ମଣିଷର ବ୍ୟକ୍ତିତ୍ୱର ଉନ୍ନତି ହେବା ଅସମ୍ଭବ । ଇଶ୍ୱରଙ୍କ ନିର୍ଦେଶରେ ଆମ ଜୀବନରେ ଅନେକ ଗୁରୁ ଆସିଥା'ନ୍ତି, କାହା ପ୍ରଭାବ ଆମ ଉପରେ ଅଧିକ ପଡ଼େ ଏବଂ କାହାର ପ୍ରଭାବ କମ ପଡ଼େ । ତେବେ ଗୁରୁଙ୍କୁ ମନଲାଖି ଶିଷ୍ୟ ଏବଂ ଶିଷ୍ୟଙ୍କୁ ମନଲାଖି ଗୁରୁ ମିଳିଗଲେ ସେମାନେ କିଛି ଅନନ୍ୟ କାର୍ଯ୍ୟ କରିଥା'ନ୍ତି । ଯେପରିକି ଶ୍ରୀ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଯୋଡ଼ି, ଏହିପରି ଅନନ୍ୟ ଗୁରୁ ଶିଷ୍ୟ ଯୋଡ଼ିର ଅନେକ ଉଦାହରଣ ଏଇ ଦୁନିଆରେ ରହିଛି । କେବଳ ଉତ୍ତମ ଗୁରୁ ମିିଳି ଗଲେ ମଧ୍ୟ ଯଥେଷ୍ଟ ନୁହେଁ, ଶିଷ୍ୟ ପାଖରେ ଗୁରୁଙ୍କ ଆଦର୍ଶକୁ ଗ୍ରହଣ କରିବାର ଇଛାଶକ୍ତି ରହିବା ଆବଶ୍ୟକ, ଏପରି କ୍ଷେତ୍ରରେ ଏକଲବ୍ୟଙ୍କ କଥା ବିଚାରକୁ ନିଆ ଯାଇପାରେ । ଶିଷ୍ୟ ଗୁରୁଙ୍କର ଆଦେଶକୁ ପାଳନ କରିବାର ଇଚ୍ଛାଶକ୍ତି ତା' ପାଖରେ ରହିବା ଆବଶ୍ୟକ । ଆରୁଣିଙ୍କ ପରି ମହାନ ଶିଷ୍ୟ ଏହାର ଯଥାର୍ଥତା ପ୍ରତିପାଦନ କରନ୍ତି |
ଆଧୁନିକ ଯୁଗରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି, ତେବେ ଗୁରୁ ସବୁବେଳେ ନିଜ କର୍ତ୍ତବ୍ୟ କରିବା ସହ ଶିଷ୍ୟ ଗୁରୁଙ୍କୁ ଉଚିତ ସମ୍ମାନ ପ୍ରଦାନ କରିବା ଉଚିତ ।
ଅଡ଼ଶପୁର (କଟକ)
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।