ଯାଜ୍ଞସେନୀ ସାହୁ

କିଛିଦିନ ହେବ କରୋନା ସାରା ଦେଶ ଓ ଦେଶବାହାରେ ହଇଚଇ ସୃଷ୍ଟି କରିଛି । ପିଲାଠୁ ବୁଢା ,ଗାଆଁରୁ ସହର ସବୁ ଡରରେ ଥରହର । ଏଣେ ଗଣମାଧ୍ୟମର ତୁହାକୁ ତୁହା ଖବର ଆତଙ୍କ ସୃଷ୍ଟି କଲାଣି । କେତେ ବଡବଡିଆ ଲୋକ,ମନ୍ତ୍ରୀଙ୍କ ସଚେତନତା ବାର୍ତ୍ତା ଛୁଟି ଆସୁଛି । କବି ଲେଖକଙ୍କ ଲେଖା ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି । ମେଡିକାଲ ଷ୍ଟୋର୍ର କଥା ତ କହିଲେ ନସରେ । ସାନିଟାଇଜର୍ ଓ ଫେସ୍ ମାସ୍କର ଦର ଆକାଶ ଛୁଆଁ । ସକ୍ଷମତା ଦେଖି କିଏ କିଣୁଛି ନହେଲେ କିଏ ରୁମାଲ ଗୁଡେଇ ହୋଇ ରହୁଛି । କେଉଁଠି ୧୪୪ ଧାରା ଲାଗୁ ହେଲାଣି ତ କେଉଁଠି ଲକ୍ ଡାଉନ୍ ଚାଲିଛି । ପରିବହନ , ଯୋଗାଯୋଗ ଦିଗ ମଧ୍ୟ ସବୁ ଠପ୍ ।ନାହିଁ ନଥିବା ଅସୁବିଧାର ହେଉଛି ସତ , କିନ୍ତୁ ମୁକାବିଲା ପାଇଁ ଏଇଟା ହିଁ ସର୍ବୋତ୍ତମ ପନ୍ଥା । ମୋଟାମୋଟି ଭାବେ କହିବାକୁ ଗଲେ ପୂରା ମାନବ ଜାତି ଓ ତା'ର ଜୀବନଶୈଳୀଟା ପ୍ରକୃତିର କରାଳ ରୂପ ଆଗରେ ହାର ମାନିଛି । ତାକୁ ତାଳ ଦେଇ ଜନତା , ସରକାର , ନାନାଦି ନୀତିନିୟମ ବି କରି ଚାଲିଛନ୍ତି । ଲଢେଇ ଉପରେ ଲଢେଇ । ହେଲେ ଏ ସବୁ କେବଳ କରୋନା ପାଇଁ କାହିଁକି ?
ଦିନେ ସାନ୍ଧ୍ୟ ଭ୍ରମଣରେ ମୁଁ ଆଉ ମୋ ବାନ୍ଧବୀ ବାହାରି ଥାଉ ।କରୋନା ସ୍ଥିତି ସେତେବେଳେ ଅତ୍ୟନ୍ତ ଅସମ୍ଭାଳ ନହେଲେ ମଧ୍ୟ ଗଣମାଧ୍ୟମର ଖବର ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରି ସାରିଲାଣି । ଏସବୁ ଜଣା ପଡୁଥିଲା ଲୋକଙ୍କ ବେଶ ପୋଷାକରୁ । ରାସ୍ତାକୁ ଓହ୍ଲାଇ ଗଲା ବେଳକୁ ଆଖିରେ ଗୋଟିଏ ନଜିର । ଲୋକଙ୍କ ହାତରେ ଗ୍ଲୋବ୍ସ ଆଉ ମୁହଁରେ ମାସ୍କ୍ । ଭାବିଲି ସତରେ ଆମ ଲୋକେ କେତେ ସଚେତନ ହେଲେଣି । ବୁଲୁବୁଲୁ ଭାରି ଶୋଷ ଲାଗିଲା ; ଖରାଦିନକୁ ଝାଞ୍ଜି ପିଟୁଛି । ପାଣି ବୋତଲ ବି ନଥାଏ ଢୋକେ ପିଇ ଦେବାକୁ । ବାଧ୍ୟ ହୋଇ ଗୋଟେ ଦୋକାନ ଦେଖି ପାଖକୁ ଗଲୁ । ପାଣି ଟିକେ ପିଇ ଛାଇରେ ବସିଥାଉ । ଦୁଇଜଣ ବ୍ୟକ୍ତି ବାଇକ୍ରୁ ଓହ୍ଲାଇ ଦୋକାନ ଭିତରକୁ ଆସି ଗୁଟ୍ଖା(ପୁଡିଆ) ପାଇଁ ବରାଦ କଲେ । ଦୋକାନୀ ବି ଗୋଟିଏ ଗୁପ୍ତ ଥଳୀ ପ୍ରାୟ ମୁଣିରୁ ପେନ୍ଥାଏ ଗୁଟ୍ଖା କାଢି ସେମାନଙ୍କୁ ଦେଲା । ଥଳୀଟି ଏପରି ଭାବେ କାଢିବା ମନେ ହେଉଥିଲା ନିଶ୍ଚିତ ଭାବେ ଦୋକାନୀ ବି ଜାଣେ ଗୁଟ୍ଖା ବିକ୍ରୟ ନିଷେଧ ହେବା କଥା ।ନହେଲେ ଏ ସଙ୍କୋଚଭାବ କାହିଁକି ! ମୁହଁରୁ ମାସ୍କଟିକୁ ଖୋଲି ଦିହେଁ ଗୁଟ୍ଖା ହାତରେ ଦଳି ଧୂଳି ଝାଡି ଦେଇ ସଗର୍ବରେ ପାଟିରେ ପକାଇ ଦେଇ ପୁଣି ମାସ୍କଟିକୁ ଭିଡିଦେଲେ । କେବଳ କ'ଣ ସେତିକି ? କେତେ ଲୋକ ବିଡ଼ି ,ସିଗାରେଟ୍ ଟାଣି ପରିବେଶ ବାଷ୍ପରୁଦ୍ଧ କରିବାରେ ଲାଗି ପଡିଥିଲେ ।ଏସବୁ ଦେଖି କିଛି ପ୍ରଶ୍ନ ମନକୁ ଘାଣ୍ଟି ଚକଟି ପକଉଥାନ୍ତି - ଲୋକେ କେବଳ କ'ଣ କରୋନାକୁ ଡରୁଛନ୍ତି କର୍କଟ ପରି ରୋଗକୁ ନୁହେଁ କି ?
ଆଜି ଏ ଘନଘନ ସଚେତନତା ଯଦିବା ମୃତ୍ୟୁହାରକୁ ଲକ୍ଷ୍ୟ କରି ସୃଷ୍ଟି କରାଯାଉଛି , ନିଶାସେବନ ଓ ପରିବେଶ ଦୂଷିତୀକରଣରୁ ହେଉଥିବା ମୃତ୍ୟୁସଂଖ୍ୟା ମଧ୍ୟ କମ୍ ନୁହେଁ । ସଂଖ୍ୟା ଯାହା ବି ହେଉନା କାହିଁକି ଜୀବନ ତ ଜୀବନ । କିଛି ବର୍ଷ ତଳେ ମାଦକ ଦ୍ରବ୍ଯ ତଥା ନିଶାଦ୍ରବ୍ଯ ବିକ୍ରୟରେ ସରକାର ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ ଚୋରା ବେପାର ଜାରି ରହିଛି । ଏବେ ବି ଲୋକ ନିଶାଦ୍ରବ୍ଯ ସେବନ ସହ ମଦ୍ୟପାନରେ ଲିପ୍ତ ରହୁଛନ୍ତି । ଆଜି ବି ବହୁ ରୋଗୀଙ୍କ ଅବସ୍ଥା ଏସବୁ ଯୋଗୁଁ ସଂକଟାପନ୍ନ ; କେହି ଯକୃତ ରୋଗରେ ପୀଡିତ ତ କେହି ନିଶା ଅବସ୍ଥାରେ ଦୁର୍ଘଟଣାଗ୍ରସ୍ତ ହୋଇ । କେବଳ ସେତିକି ନୁହେଁ , ପରିବାର ମଧ୍ୟରେ କଳିଝଗଡା , ହଣାମରା , ବଳତ୍କାର , ଦୁଷ୍କର୍ମ ଆଦି ବିପଦ ମଧ୍ୟ ସୃଷ୍ଟି ହେଉଛି । ନା ଲୋକେ ଏଥିପ୍ରତି ସଜାଗ ନା ସରକାର ଏଥିପ୍ରତି କଠୋର ହେଉଛନ୍ତି । "ନିଜେ ନ ମଲେ ସ୍ୱର୍ଗ ଦେଖିବ କେମିତି?" ପରି ଅନ୍ୟାନ୍ୟ ଦେଶକୁ ଦେଖି ଯେପରି ରାଜ୍ୟରେ ଆତଙ୍କ ଖେଳୁଛି ଅବା ସୁରକ୍ଷା ନିୟମ କଡାକଡି କରାଯାଇଛି , ଏହି ଦିଗ ପ୍ରତି ସେପରି ଦୃଷ୍ଟି ନିକ୍ଷେପ କରାଯାଉନାହିଁ ।
ନିଶା ସେବନ ବନ୍ଦ କରିବା ଦିଗରେ ଏବେ କେବଳ ଖବରକାଗଜ ଓ ଦୂରଦର୍ଶନରେ ବିଜ୍ଞାପନ ବ୍ୟତୀତ ଅନ୍ୟ ଦିଗ ପ୍ରତି ଦୃଷ୍ଟି ଦିଆ ଯାଉନାହିଁ ।ବର୍ଷ ବର୍ଷ ଧରି ନାନା ଯୋଜନାମାନ ହୋଇ ଆସୁଅଛି । ଗାଆଁ ଗହଳି ଲୋକେ ତଥା ଗୃହିଣୀମାନେ ପଦାକୁ ଆସି ରାସ୍ତାରୋକ କରୁଛନ୍ତି , ସଚେତନତା ଶିବିର ହେଉଛି ; କିନ୍ତୁ "ମୋତେ ଯେତେ ମାଠିବୁ ମାଠ" ପରି ପୁଣି ଯେଉଁ କଥାକୁ ସେଇ କଥା । କାରଣ କରୋନା ପରି ଏସବୁ ପରିସ୍ଥିତିକୁ ଗମ୍ଭୀର ଭାବେ ନିଆ ଯାଉନାହିଁ । ଛୋଟ ଛୋଟ ପିଲାମାନେ ନିଶାଗ୍ରସ୍ତ ମଣିଷ ପରି ଢଳଢଳ ହୋଇ ଅଭିନୟ କରିବା ବି ଭବିଷ୍ୟତ ପିଢି ପାଇଁ ଏକ ସତର୍କ ସୂଚନା ନୁହେଁ କି ? ତେବେ ଆମେ ଏହି ଘଟଣାକୁ ଯଦି ଜଟିଳ ଭାବେ ଗ୍ରହଣ କରିପାରିବା , ତେବେ କରୋନା ସମ ନହେଲେ ମଧ୍ୟ , ନିଶ୍ଚିତ ଭାବେ କିଛି ସଂଖ୍ୟାରେ ମଣିଷ ମରଣ ମୁଖରୁ ବର୍ତ୍ତି ଯାଇପାରିବେ ।
ସେମିଳିଗୁଡା - କୋରାପୁଟ
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।