5/31/2020

॥ ଡରିଗଲେ ହାରିଯିବା ॥

ଲୋପାମୁଦ୍ରା ନାୟକ (ମିତାଲି)
           ଏମିତି ଡରିଲେ ହେବକି ମମତା । ଆମ ମାନଙ୍କ କାମ ତ ସେୟା ।ଆଉ ତମେ ବି ଜାଣ ମୁଁ ମୋ' କାମକୁ କେତେ ସିରିୟସ୍ ନିଏ । ଆଉ କାହାର କିଛି ଭୁଲ ହେଲେ ସଂସାରଟା ଓଲଟି ଯିବନି କିନ୍ତୁ ଆମ ମାନଙ୍କ କୋଉଠି ଟିକେ ଦୋଷ , ତ୍ରୁଟି ରହିଗଲେ ଗୋଟେ ରୋଗୀର ଜୀବନ ଚାଲିଯିବ। ଲୋକଙ୍କ କଥା ଛାଡ ସେମାନେ ପରେ କ'ଣ କହିବେ , ଅନଶନ କରିବେ କି କୋଉ ରୋଗୀର ଆତ୍ମୀୟ ନିଜର ଲୋକକୁ ହରେଇବାର ଦୁଃଖରେ ରାଗି ଯାଇ ହଠାତ୍ କଥା ମଝିରେ ଦୈାଡି ଆସି ମୋ' କଲରଟାକୁ ଧରିଦେବ ସେ ଡର ମୋର ନାହିଁ । ମୋର ବାସ୍ ଗୋଟିଏ ଡର ମୋ' କାମରେ କୋଉଠି କିଛି ଭୁଲ ନହୋଇଯାଉ ।ଲୋକମାନେ ଡାକ୍ତରଙ୍କୁ ଇଶ୍ବର ବୋଲି ମାନନ୍ତି , ବିଜ୍ଞାନ ବି ତାଙ୍କର ସୃଷ୍ଟି ; ଆଉ ତୁମେ  ଜାଣ ମମତା ମୁଁ ପିଲାବେଳୁ କେତେ ଦୁଃଖ-କଷ୍ଟ ସହିଛି ଆଉ ସେଇ ଭଗବାନଙ୍କ ଉପରେ ବିଶ୍ବାସ ଆଉ ନିଜ ଉପରେ ଆତ୍ମବିଶ୍ବାସ ଟିକକ ଥିଲା ବୋଲି ତ ମୁଁ ଆଜି ଏଇ ଚୈାକିଟାରେ ବସିଛି । ଲୋକଙ୍କର ମୋ' ଉପରେ ଏତେ ବିଶ୍ବାସ ମୁଁ ଡରିଗଲେ ହେବକି । ଏ କାମ ତ ମୋର କର୍ତ୍ତବ୍ୟ ଏହାକୁ ମତେ କରିବାକୁ ପଡିବ ।

      ଦୀର୍ଘ ୨୧ ବର୍ଷର ସଂସାରିକ ଜୀବନ ଅତିବାହିତ କରିସାରିଥିବା ସୁରେଶ ବାବୁ ଥିଲେ ପେଷାରେ ଜଣେ ଡାକ୍ତର । ଯିଏ ଜୀବନରେ କେବେ ହାରିବା ପସନ୍ଦ କରନ୍ତିନି । ମୁସ୍‌କିଲ୍‌ରୁ ମୁସ୍‌କିଲ୍ ପରିସ୍ଥିତିର ସାମ୍ନା କରି ସେ ଆଜି ଏଇଠି ପହଞ୍ଚିଛନ୍ତି । ଏଇ ୨୧ ବର୍ଷର ସଂସାର ଭିତରେ ମମତା ବି ବେଶ୍ ଜାଣନ୍ତି ସୁରେଶ ବାବୁଙ୍କ ପସନ୍ଦ ନାପସନ୍ଦଟାକୁ ବହୁତ ଭଲସେ ; କିନ୍ତୁ ଆଜି ତାଙ୍କର ସୁରେଶ ବାବୁଙ୍କୁ ଏମିତି କହିବାର କାରଣଟା ହେଲା , ଏବେ ସାରା ବିଶ୍ବରେ କରୋନାର ଆତଙ୍କ । ଚିନ୍‌ରୁ ବ୍ୟାପିଥିବା ଏଇ ରାେଗ ଦ୍ବାରା ଏବେ ସାରାବିଶ୍ବ ସଂକ୍ରମିତ । ଏହାକୁ ତ ଆମ ରାଜ୍ୟ ସରକାର ଏବେ ବିଶ୍ବମହାମାରୀ ବୋଲି ବି ଘୋଷଣା କରିସାରିଲେଣି ।ଟିଭି , ନିଉଜ୍ , ସୋସିଆଲ ମିଡିଆ ଯେଉଁଠି ଦେଖ ଏବେ ତାହାର ହିଁ ଚର୍ଚା , ତୁହାକୁ ତୁହା ସତର୍କତାର ସୁଚନା । ଲୋକମାନେ ଏବେ ଏକ ପ୍ରକାର ଆତଙ୍କିତ  କହିଲେ ଚଳେ । ଏଭଳି ପରିସ୍ଥିତିରେ ମମତାଦେବୀ ଜଣେ ସ୍ତ୍ରୀ ଭାବରେ ସୁରେଶଵାବୁଙ୍କ ଚିନ୍ତା କରିବାଟା ସ୍ବାଭାବିକ କଥା । ତେଣୁ ଏ ସବୁକୁ ନେଇ ଏତେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । କିନ୍ତୁ ସୁରେଶବାବୁ ଏସବୁ କଥା ସାରିବା ପରେ ମମତାଙ୍କୁ ବି ଟିକେ ଥଟ୍ଟା କରିବା ଛଳରେ - "ଆରେ ଏ କରୋନାକୁ ଏତେ ଡରିଲେ ହେବକି ? ସବୁକଥାରେ ଡରିଥିଲେ କ'ଣ କଲେଜ ଟାଇମରେ ମୋ' କ୍ଲାସ ସରିବା ପରେ ୪ କିଲୋମିଟିର ଦୂର ଦୈାଡିଦୈାଡି ତମକୁ ଟିକେ ଦେଖିବାକୁ ତୁମ ବାପାଙ୍କ ଭଳି ଟାଇଟ୍ ସିକ୍ୟୁରିଟିକୁ ବି ଭୟ ନକରି କ'ଣ ତୁମ ଘର ଗେଟ୍ ପାଖରେ ପହଞ୍ଚି ଯାଉଥା'ନ୍ତି ? ବୁଝିଲ ମମତା 'ଯୋ ଡରଗୟା ୱୋ ମରଗୟା' ।" ପୁଣି ଥରେ ସୁରେଶବାବୁ ତାଙ୍କ କଲେଜଟାଇମ୍ ପ୍ରେମ ବେଳର ସେଇ ଡାଇଲୋଗଟାକୁ ବିବାହର ଢେର୍‌ବର୍ଷ ପରେ ପୁଣିଥରେ କହି ଚାଲିଗଲେ ରୋଗୀ ଅପେକ୍ଷା କରିଥିବା ତାଙ୍କର ସେଇ କର୍ତ୍ତବ୍ୟର ସ୍ଥଳୀକୁ । ମମତା ରୋଷେଇ କାମରେ ବ୍ୟସ୍ତ ରହିଲେ ଦିନ ସାରା ।

      ସନ୍ଧ୍ୟା ସମୟ ; ଏଇ କରୋନା ପାଇଁ ସମସ୍ତ ସ୍କୁଲ କଲେଜ ବନ୍ଦ ସହ ହଷ୍ଟେଲ ଗୁଡିକୁ ଛାଡିବାକୁ ନୋଟିସ୍ ଦିଆ ହୋଇଯାଇଥିବାରୁ ବାହାରେ ହଷ୍ଟେଲରେ ରହି ପାଠ ପଢୁଥିବା ତାଙ୍କର ଏକମାତ୍ର ପୁଅ ଶୁଭମ୍ ଆସି ଘରେ ପହଞ୍ଚିଗଲା । ରାତ୍ରୀ ଭୋଜନ ସୁରେଶବାବୁ ମମତା ଓ ପୁଅ ଶୁଭମ୍ ତିନିହେଁ ମିଶି କରିବା ପରେ ଶୋଇବା ପାଇଁ ଶୁଭମ୍ ନିଜ ରୁମକୁ ଚାଲିଗଲା । ଏହା ପରେ ସୁରେଶବାବୁ ନିତିଦିନ ଭଳି ରାତ୍ରୀ ଭୋଜନ ପରେ ଟିକେ ଟିଭି ଖୋଲି ନିୟୁଜ୍ ଦେଖିଲେ ; ଚାରିଆଡେ ସେଇ କରୋନାର ଚର୍ଚା , ଖବର କହିଲେ ଏବେ ସବୁ ନାସନ୍ୟାଲ୍ , ଇଣ୍ଟରନ୍ୟାସଲ୍‌ସ ଚାଲେନରେ କରୋନା ହେଡଲାଇନ୍ । ନିଉଜ୍ ଦେଖି ସାରି ସୁରେଶବାବୁ ନିଜ ରୁମ୍ ଅଭିମୁଖେ ଅଗ୍ରସର ହେଉ ହେଉ ମମତା କିଚେନ୍ ରୁମ୍ କାମ ସାରି ଆସି ପହଞ୍ଚିଗଲେ ହଲରେ । "ଶୁଣୁଛ !!" ସୁରେଶବାବୁ "ହଁ କୁହ" କହି ପୁଣି ଥରେ ବସି ପଡିଲେ ଉଠିଥିବା ସେଇ ସୋଫାଟି ଉପରେ । ମମତା ମଧ୍ୟ ସୁରେଶବାବୁଙ୍କ ପାଖରେ ବସି ପଡି ପୁଅଟା ଆମର ବୁଝିବା ଶୁଝିବାର ହୋଇଗଲାଣି । ଆଗ ଭଳି ଆଉ ତା'ର ଚିଡ୍‌ଚିଡ୍ ହେବା କି କଥା କଥାକେ ରାଗିଯିବା ଭଳି ଗୁଣ ନାହିଁ ।" ସୁରେଶବାବୁ "ଆଚ୍ଛା କେମିତି ଜାଣିଲ ତମେ" ବୋଲି ପ୍ରଶ୍ନ କରିବାରୁ ମମତା - "ଆରେ ଆଜି ସନ୍ଧ୍ୟା ବେଳୁ ଆସିକି ମୋ' ସହ ଭଲସେ କଥା ହେଉଛି , ମତେ ଏଇ କରୋନା ବିଷୟରେ ବୁଝାଉଛି । କ'ଣ କେମିତି କରିବାକୁ ପଡିବ - ନପଡିବ ଏଇ ସବୁ ବିଷୟରେ । ସତର୍କ ରହିଲେ ଆମେ କରୋନାକୁ ହରେଇ ପାରିବା ।" ଏଥର ସୁରେଶବାବୁ ଟିକେ ମୁରୁକି ହସିଦେଇ କହିଲେ - "ଆଚ୍ଛା ଡାକ୍ତରର ସ୍ତ୍ରୀଙ୍କୁ ବି ବୁଝା ହେଉଛି !" ଏଥର ମମତା କହିଲେ - "ହଁ ମ , ଚାଲ ଆମେ ଶୋଇବା ରାତି ବହୁତ ହେଲାଣି । ତୁମର ତ ପୁଣି ସକାଳୁ ଡିୟୁଟି ।" "ହଁ ହଁ କହିବାକୁ ଭୁଲି ଯାଇଥିଲି ,  କାଲି ଟିକେ ଜଲ୍‌ଦି ଯିବାକୁ ପଡିବ ମତେ ।  ଅନ୍ୟ କିଛି କାମ ବି ରହି ଯାଇଛି" କହି ସୁରେଶବାବୁ ଓ ମମତା ଉଭୟେ ବେଡ୍ ରୁମ ଭିତରକୁ ପ୍ରବେଶ କଲେ ।

      ରାତ୍ର ପ୍ରାୟ ୨ରୁ ୨:୩୦ ପାଖାପାଖି ହେବ , ହଠାତ୍ କୌଣସି ଏକ ଦୁଃସ୍ବପ୍ନ ଦେଖି ମମତାଦେବୀ ହଡବଡେଇ ହୋଇ ଶୋଇବା ବିଛଣା ଛାଡି ଉଠି ବସିଲେ । ପାଖରେ ଥିବା ବେଡ୍ ଲାଇଟଟାକୁ ଅନ୍ କରି ପାଖରେ ଥୁଆ ହୋଇଥିବା ଜଗ୍‌ରୁ ପାଣି ଗ୍ଲାସେ ଭରି ପୂରାପୂରି ଗୋଟେ ଗ୍ଲାସ୍ ପାଣି ଏକ ନିଃଶ୍ବାସରେ ଢକ୍‌ଢକ୍ କରି ପିଇ ସାରି ଭାବି ହେଲେ ଦେଖିଥିବା ସେଇ ସ୍ବପ୍ନଟିକୁ । ମନେ ମନେ ଭାବିଲେ ଆଜି ଏତେ ଦିନ ପରେ ମା' କ'ଣ ପାଇଁ ମୋ' ସ୍ବପ୍ନରେ ଆସିଲେ ! ଆଉ ମତେ ଏମିତି କ'ଣ ପାଇଁ କହୁଥିଲେ - "ମା'ରେ ! ଏବେ ଏଇ ସଂସାରର ଭାର ତୋ' ମୁଣ୍ତରେ , ତତେ ଏକୁଟିଆ ହିଁ ଏ ସଂସାର ରଥକୁ ଆଗକୁ ବଢେଇ ନେବାକୁ ହେବ । ଭାଙ୍ଗି ପଡିବୁନି ତୁ ; ଭାଙ୍ଗି ପଡିଲେ ସବୁ ସରିଯିବ ,ଏଇଟା ତ ଭାଗ୍ୟର ଲିଖନ । ଯା' ହେବର ଥିଲା ହେଲା , କପାଳ ଲିଖନକୁ ଆମେ କ'ଣ କେହି ଚାହିଁଲେ ବଦଳେଇ ଦେଇ ପାରିବ ? ସେ ପା' ଗୋଟିଏ ହିଁ ସତ୍ୟ ।" ଏହା ପରେ ଆଉ କ'ଣ କହୁଥିଲେ କିଛି ଜାଣି ପାରିଲିନି ; କିନ୍ତୁ ତାଙ୍କ ଆଖିରେ ଲୁହ ଥିଲା । ତା'ପରେ ତ ସେ କୁଆଡେ ଚାଲିଗଲେ ସେଠୁ ଆଉ ତା'ପରେ ଆମ ଘର ଆଗରେ ଏତେ ଗହଳି କ'ଣ ଥିଲା । ତଥାଗତ ବାବୁ ସେ ଗାଡି ଭିତରୁ ବାହାରି ମୋ' ଆଡକୁ ଆସିଲା ବେଳକୁ ମୋ ନିଦଟା ଭାଙ୍ଗିଗଲା । କ'ଣ ହୋଇଥାଇ ପାରେ ଏ ସ୍ବପ୍ନର ମାନେ ? ମା' ମୋ' ସ୍ବପ୍ନରେ ଆସି କ'ଣ କହିବାକୁ ଚାହୁଁଥିଲେ ଏହା ଭାବି ହେଉ ହେଉ ତାଙ୍କର ମନେ ପଡିଲା ସୁଷମା ମ୍ୟାଡାମ୍‌ଙ୍କ କଥାଟା । କୈାଣସି ବିଷୟରେ ଆଲୋଚନା ହେଉ ହେଉ କେଉଁ ଦିନ ଗୋଟେ ସେ ଦେଖିଥିବା ସ୍ବପ୍ନ ବିଷୟରେ କହିବାକୁ ଯାଇ କହିଥିଲେ ଯେ' - "ମୃତ ଲୋକଙ୍କୁ ସ୍ବପ୍ନରେ ଦେଖିବା ଅଶୁଭ । ଘରକୁ ବିପଦ ମାଡି ଆସେ ।" ଏଥର ଖୁବ୍ ବ୍ୟସ୍ତ ହୋଇପଡିଲେ ମମତାଦେବୀ ।କ'ଣ କରିବେ ସ୍ବାମୀଙ୍କୁ ଉଠାଇ କହିବେ ବୋଲି ଭାବିଲେ ସେ ଦେଖିଥିବା ସ୍ବପ୍ନ ବିଷୟରେ । କିନ୍ତୁ ପୁଣି ମନେ ମନେ ଭାବିଲେ ସୁରେଶବାବୁ ତ ଏମିତି ଅନ୍ଧବିଶ୍ବାସରେ କେବେ ବିଶ୍ବାସ କରନ୍ତିନି , ଓଲଟି ଚିଡାନ୍ତି କେବେ ଯଦି ଏଇ ବିଷୟରେ ତାଙ୍କୁ କୁହେ । ତା'ପରେ ବି ଏବେ ଏମିତି ପରିସ୍ଥିତି,  ଦିନ ସାରା ଡାକ୍ତରଖାନାରେ ବ୍ୟସ୍ତ , ପୁଣି କହିଛନ୍ତି କାଲି ସକାଳୁ କାମରେ ଚାଲିଯିବେ ବୋଲି । ଏତେ ରାତିରେ ତାଙ୍କୁ ଉଠେଇବାଟା ଉଚିତ୍ ହେବନି ଭାବି ବେଡ୍ ରୁ ଉଠି ଚାଲିଗଲେ ଟିକେ ପୁଅର ରୁମ୍ ଆଡେ । ସେଠି ଯାଇ ଦେଖନ୍ତି ତ ପୁଅ ଶୁଭମ୍ ଏତେ ରାତି ଜାକେ ନଶୋଇ ଫୋନରେ କାହା ସହ ଗପୁଥିବାର । ଟିକେ ଡୋର ପାଖରେ ଠିଆ ହୋଇ କାନଡେରି ଜାଣି ପାରିଲେ ସେ କେଉଁ ଝିଅ ସହ କଥା ହେଉଛି । ସେଠାରେ ଆଉ ବେଶି ସମୟ ନରହି ସେଠାରୁ ଚାଲି ଆସିବା ଭିତରେ ଭାବିଲେ ହଁ ପୁଅ ଏଥର ବଡ ହେଇଗଲାଣି , ସେ ପସନ୍ଦ କରିଛି ଯେତେବେଳେ ଭଲ ଝିଅଟେ ହୋଇଥିବ , ପୁଣି ଭାବିଲା ପୁଅର ଏଇ ପରିବର୍ତ୍ତନ ନିଶ୍ଚେ ସେଇ ଝିଅ ପାଇଁ ହୋଇଥିବ  l ଏହି ଭାବନା ଭିତରେ ସେ ଆସି ପହଞ୍ଚି ସାରିଥିଲେ ପୁଣି ଥରେ ନିଜର ବେଡରୁମ୍ ଭିତରେ , ଥପ୍ ରି ବସି ପଡିଲେ ସୁରେଶବାବୁ ଶୋଇଥିବା ବେଡ୍ ଉପରେ  l ଆଉ ଟିକେ ସୁରେଶବାବୁଙ୍କ ମୁଣ୍ତରେ ହାତ ବୁଲେଇ ଆଣି "ହେ ପ୍ରଭୁ ! ତୁ ହିଁ ଭରସା ।" ହାତ ଯାଡିକ ଯୋଡି ମୁଣ୍ତିଆଟେ ମାରି ଶୋଇଗଲେ ପୁଣିଥରେ ସୁରେଶବାବୁ ଶୋଇଥିବା ବେଡ୍ର ଗୋଟେ କୋଣରେ ।

   ଏହାର କିଛି ଦିନ ଭିତରେ ଆମ ଦେଶରେ ଦିନକୁ ଦିନ ଏଇ କରୋନା ରୋଗୀଙ୍କ ସଂଖ୍ୟା ବଢି ଚାଲିଥାଏ । ଏହାକୁ ନେଇ ବିଭିନ୍ନ ମଲ୍ , ବଜାର , ହାଟ ସବୁ କିଛି ପ୍ରାୟ ଏକରକମର ବନ୍ଦ ହୋଇସାରିଥାଏ । ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏଥିନିମନ୍ତେ ବି ପାଣ୍ଠି ଘୋଷଣା କରିଥାଏ ।ଏମିତି କି ବଡଦେଉଳକୁ ଯିବା ଉପରେ ବି ନିଶେଧାଦେଶ ଲାଗିଛି। ବିଭିନ୍ନ ଜାଗାରେ କଳା ବଜାରି ବଢିବା ସହ ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଘର ସମ୍ନାରେ ଦୀପ ଜାଳିବା , ଗୋଟିକିଆ ମା'ପୁଅ ପାଇଁ ସାତ ଦୁଆର ବୁଲି ଟଙ୍କା ଆଦୟ କରିବା ଭଳି କିଛି ଘଟଣା ବି ଚାଲିଥାଏ । ମମତା ଦେବୀ ପାଠୁଆଶାଠୁଆ ଆଉ ସୁରେଶବାବୁଙ୍କ ଭଳି ଜଣେ ନିଷ୍ଠାବାନ୍ ଡାକ୍ତରଙ୍କ ଧର୍ମପତ୍ନୀ ହୋଇ ମଧ୍ୟ ସେଇ ସ୍ବପ୍ନ କଥା ଭାବି ଘରେ ଆଉ ସ୍ବାମୀଙ୍କ ଅଜାଣତରେ ସେଇ ଲୋକଙ୍କ କଥା ଶୁଣି ଦୀପ  ଜାଳିବା ଠାରୁ ଆରମ୍ଭ କରି ସବୁ ଦେଖାଶୁଣା କାର୍ଯ୍ୟ କରୁଥା'ନ୍ତି । ଏହା ଭିତରେ ହଠାତ ନିଉଜ୍ ଦେଖୁ ଦେଖୁ ଗୋଟେ ଦିନ ମମତା ଦେବୀଙ୍କ କାନରେ ବାଜିଲା ଜଣେ କର୍ତ୍ତବ୍ୟନିଷ୍ଠ ଡାକ୍ତର ସୁରେଶବାବୁଙ୍କ ରକ୍ତ ନମୁନାରେ କରୋନା ଭାଇରସର ପଜେଟିଭ୍ ରିପୋଟ୍ ଆସିବା ବିଷୟରେ । ଏହା କାନରେ ବାଜୁ ବାଜୁ ମମତାଦେବୀ ରୋଷେଇ ଘରୁ ହଠାତ୍ ଦୈାଡି ଆସି ନଜର ପକାଇଲା ବେଳକୁ ସବୁ ନିୟୁଜ୍ ଚ୍ୟାନେଲରେ ସୁରେଶବାବୁଙ୍କ ପଜେଟିଭ୍ ରିପୋଟ୍ ସହ ତାଙ୍କ ଫଟୋ । ସେଇଠି ତତକ୍ଷଣାତେ ମମତା ଦେବୀଙ୍କ ମୁଣ୍ତ ଘୁରାଇ ଦେଲା ସେ ବୋହୋସ ହୋଇ ତଳେ ପଡିଗଲେ , ଯେମିତି ବେହୋସ ହେବା ଭିତରେ ବି ତାଙ୍କ ମୁଣ୍ତରେ ଘାରୁଥିଲା କିଛି ଦିନ ତଳେ ସେ ସ୍ବପ୍ନରେ ଦେଖିଥିବା ତାଙ୍କ ମୃତ ଶାଶୁଙ୍କ କଥା ଗୁଡା । କିନ୍ତୁ କର୍ତ୍ତବ୍ୟ କେବେ ହାରେ ମାନେନି କି ଜଣେ ସଚ୍ଚୋଟ୍ ନିଷ୍ଠାବାନ ଇଶ୍ବର ତୁଲ୍ୟ ବ୍ୟକ୍ତିଙ୍କୁ ଭଗବାନ୍ କେବେ ନିରାଶ କରିପାରନ୍ତିନି ; ତାହା ହିଁ ହେଲା , ସୁରେଶବାବୁ ବହୁଦିନ ଚିକିତ୍ସିତ ହେବା ପରେ ସେଇ ମହାମାରୀ କରୋନାରୁ ମୁକ୍ତି ପାଇଲେ , ଏହା ସହ ଦେଶ ତଥା ବିଶ୍ବରୁ ଅଚାନକ ଏହି ରୋଗୀଙ୍କ ସଖ୍ୟା କମିଗଲା , ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ  l ଦୃଢ ମନବଳ , କର୍ତ୍ତବ୍ୟନିଷ୍ଠା ଆଉ ଭଗବାନଙ୍କ ଉପରେ ଭରସା କରି ଆଗକୁ ବଢି ଚାଲୁଥିବା ସେଇ ଦ୍ବିତୀୟ ଇଶ୍ବରଙ୍କ ପାଖରେ ଏହି ମୃତ୍ୟୁ ହାର ମାନିବାକୁ ବାଧ୍ୟ ହେଲା  l

କଳିଙ୍ଗ ନଗର , ଯାଜପୁର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।