ଲୀଳାବତୀ ମହାପାତ୍ର
ମୋର ମନେଅଛି ଆମେ ଭାଇ-ଭଉଣୀ ହେଉ କି ନନା , ବାହାରୁ ଘରକୁ ଆସିବା ପରେ ବୋଉ ପାଟି କରି କହେ - "ଆଗ କୂଅ ମୂଳକୁ ଯାଇ ଭଲ ଭାବରେ ସାବୁନ୍ରେ ଗୋଡହାତ ଧୋଇ ଆସ । ମୁଁ ତୁମ ମାନଙ୍କ ପାଇଁ ଖାଇବାକୁ ବାଢୁଛି ।" ଅପାଠୁଆ ବୋଉର ସ୍ବାସ୍ଥ୍ୟ ସଚେତନତା କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଖାଲି ସେତିକି ନୁହେଁ , ବାହାର ଲୋକ ଘରକୁ ଆସିଲେ ସମ୍ବନ୍ଧ ଅନୁସାରେ ମୁଣ୍ଡିଆ ବା ନମସ୍କାର କରିବାକୁ ନିର୍ଦ୍ଦେଶ ଦେଇଥାଏ । ଦିନେ ନନା ଅଫିସ୍ରୁ ଆସି ପିଇବା ପାଣି କଳସଟିକୁ ଛୁଇଁ ଦେଲେ । କଥା ସରିଲା , ରାଗ ଗରଗର ହୋଇ ବିଭିନ୍ନ ରୋଗର ନାମ ଧରି କଳସଟିକୁ ବାଡିପଟେ ଫୋପାଡ଼ି ଦେଇଥିଲା । ଧୋବା ଦେଇଥିବା ସଫା ଲୁଗାକୁ ଧୋଇଧାଇ ଆମକୁ ପିନ୍ଧିବାକୁ ଦେଇଥାଏ । ତା'ର ଯେତେ ଦେହ ଖରାପ ହେଲେ ମଧ୍ୟ ସେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି ଆମକୁ ଖାଇବାକୁ ଦେଇଥାଏ ।
ଦିନକର କଥା , ଭାଉଜ ତାଙ୍କ ବାପା ଘରୁ ବସ୍ରେ ଆସି ପହଞ୍ଚିଲେ । ବୋଉ ତାଙ୍କୁ ଦାଣ୍ଡ ପିଣ୍ଡାରେ ବସାଇ ଦେଲା । ନିଜେ ଚା' କରି ଆଣି ଦେଇ କହିଥିଲା - "ଚା' ପିଇଦେଇ ବାଡି ବାଟ ଦେଇ କୂଅ ମୂଳକୁ ଯାଇ ନିତ୍ୟକର୍ମ ସାରି ଘରକୁ ଆସିବୁ ।" ଆମ୍ଭେମାନେ ପ୍ରତିବାଦ କରିବାରୁ କହିଲା - "ସେ ବସ୍ରେ ଆସିଛି , କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛି ; କେତେ ରୋଗ ଜୀବାଣୁ - ଭୁତାଣୁ ଲାଗିଥିବ ।" ଭାଉଜ କାନ୍ଦ କାନ୍ଦ ହୋଇ ବୋଉର କଥାନୁସାରେ କାମ କରିଥିଲେ । ତା'ପରେ ଭାଉଜ ଆଉ ଘରକୁ ଆସି ନଥିଲେ । ଆମେ ସମସ୍ତେ ଏଥିପାଇଁ ବୋଉକୁ ଦୋଷ ଦେଇଥିଲୁ ।
ମୋ' ବୋଉର ସଂସ୍କାରକୁ ଏବେ ସାରା ପୃଥିବୀ ଆପଣଉଛି । କାହାରିକୁ ସଶ୍ପ କରିବ ନାହିଁ । ବାରମ୍ଵାର ହାତ ଧୋଇବ । କର ମର୍ଦ୍ଦନ ନକରି ନମସ୍କାର କରିବ । ସତରେ ଆମ ସଂସ୍କୃତି ମହାନ୍ । ଆମ ଶାସ୍ତ୍ରକାର ମାନେ ସାମାଜିକ ଚ଼ଳଣି ଉପରେ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି । ଭାଇମାନେ ରୋଜଗାରକ୍ଷମ ହେବା ପରେ ବାର - ତିଥି କିଛି ନମାନି ସବୁବେଳେ ମାଛ ମାଂସ ଭକ୍ଷଣ କରନ୍ତି । ବୋଉ ଭଗବାନଙ୍କୁ ଡାକେ । କି କଳିଯୁଗ ହେଲା ! ନିଶ୍ଚିତ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମଣିଷ ସମାଜ ଧ୍ବଂସ ହୋଇଯିବ ବୋଲି ଭୟଭୀତ ହୋଇପଡେ ।
ଜୋଗ୍ରାଫିକାଲ ଚ଼୍ଯାନେଲ୍ରେ କଞ୍ଚାମାଂସ ଖାଉଥିବା ଲୋକଙ୍କୁ ଦେଖି କହେ - "ଏମାନେ ଅଭକ୍ଷ ଭକ୍ଷଣ କରୁଛନ୍ତି ; ଏମାନେ ସଂସାର କ୍ଷୟର କାରଣ ହେବେ । ସତରେ ବୋଉ କ'ଣ ଭବିଷ୍ୟତ ଦେଖି ପାରୁଥିଲା !
C. O. R. C Rath
Rangilachowk
Fertilizer Township
Raurkela. - 7
ph. - 9437503396
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।