5/31/2020

କବିତା ଲେଖା

ସୂର୍ଯ୍ୟ ନାରାୟଣ ସାବତ 



କବିତାଟିଏ ମୁଁ ଲେଖିବି ବୋଲି,
କାଗଜ କଲମ ଧରି ବସିଲି ।
କବିତା ଶୀର୍ଷକ ଭାବିଲି ଆଗ,
ପାଇଲିନି କିଛି ଫିଟିଲା ପାଗ ।
ଭାବିଲି ଲେଖିବି ଆଗ କବିତା,
ମନକୁ ଛୁଇଁଲା ଅନେକ ଚିନ୍ତା ।
ବାପା ମାଆ ମୋର ସବୁଠୁ ପ୍ରିୟ,
ଯାହା ମୁଁ କରିଛି ତାଙ୍କରି ଶ୍ରେୟ ।
ହାତ ଧରି ତାଙ୍କ ବାଟ ଚାଲିଲି,
ତାଙ୍କ ଯୋଗେ ଅଙ୍କାକ୍ଷର ଶିଖିଲି ।
ଚଳନ୍ତି ଦେବତା ମୋ' ପିତା ମାତା,
ତାଙ୍କ ପାଦେ ନଇଁଯାଏ ମୋ' ମଥା ।
ସେମାନେ ତ ମୋର ଅତି ନିଜର,
ଲେଖିବି କି ଅବା ନୁଆ ଖବର ?
ଜ୍ଞାନର ଆଲୋକ ଦେଲେ ଯେ ମୋତେ
ଅକିଞ୍ଚନ ମୁଁ ନମେ ସେ ପାଦେ ।
ମନେ ପଡ଼ିଗଲେ ତାଙ୍କରି ଛାଟ,
ଠିକ୍ ହୋଇଯାଏ ଅମଡ଼ା ବାଟ ।
ତାଙ୍କରି ଆଶୀଷେ ମୋ' ଚଲାପଥ,
କଣ୍ଟକ ବିହୀନ ସୁକୁସୁମିତ ।
ଗୁଣାତିତ-ରୁପାତିତ ସେ ଗୁରୁ,
ପାରିବିନି ଲେଖି ଜୁହାର ଦୂରୁ ।
ଭାବିଲି ଲେଖିବି ମୋ' ପ୍ରିୟା ପାଇଁ,
ବିନିଦ୍ର ରଜନୀ କଟିଛି ଭାଇ ।
ସେ ପରା ପ୍ରେୟସୀ ଶ୍ରେୟସୀ ମୋର,
ମୋ' ନିମନ୍ତେ ରହେ ଯେ ଉଜାଗର ।
କେଉଁ ଉପହାରେ ତୋଷିବି ତାଙ୍କୁ,
ବାନ୍ଧବୀ ସିଏ ମୋ' ସବୁ କାଳକୁ ।
ବେଶି ଯଦି କିଛି କରେ ପ୍ରଶଂସା,
ପ୍ରିୟା ମୋର ଦେବ ମୁରୁକି ହସା ।
ବର୍ଣ୍ଣନା ହେବ ମୋ' ଧୃଷ୍ଟତା ମାତ୍ର,
ଭାବିଲି ହେବି ମୁଁ ପ୍ରକୃତି ଛାତ୍ର ।
ଆଖି ଖୋଲି ଦେଖେ ଚାରିଆଡକୁ,
ଆକାଶ ପୃଥିବୀ ରବି ଚନ୍ଦ୍ରଙ୍କୁ ।
ଆଖି ନ ପହଞ୍ଚେ ଲେଖିବି କିସ ?
ପାହାଡ-ଝରଣା-ବନ ବିଶେଷ ।
ଏତେ ବଡ଼ ଥାଇ ଅତି ନରମ,
ବିଶେଷ ଯୋଗ୍ୟତା ତାଙ୍କ ଧରମ ।
ଦେଖି ଦେଖି ଏତେ ବିଶେଷ ଗୁଣ,
ପାରିଲିନି ଲେଖି ମୁଁ ଅକିଞ୍ଚନ ।
କବିତାଟିଏ ମୁଁ ପାରିନି ଲେଖି,
ପ୍ରୟାସ ରହିବ ଆଗକୁ ବାକି ।

ସହକାରୀ ଶିକ୍ଷକ 
ସରକାରୀ ଉଚ୍ଚ ବିଦ୍ଯାଳୟ 
ହର୍ଦ୍ଦଳୀ - ବୋରିଗୁମ୍ମା (କୋରାପୁଟ)
ଯୋଗାଯୋଗ - ୯୭୭୭୫୯୨୦୦୨
     
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।