9/01/2019

ପାଲା ଅତୀତ ଓ ବର୍ତମାନ

                                                                           ଅବଧୁତ ଜ୍ଞାନାନନ୍ଦ ସରସ୍ବତୀ
ଓଡ଼ିଶାର ମୋଗଲ ସୁବେଦାର ( ୧୭୦୫ ରୁ ୧୭୨୫ ) ମୁର୍ଶିଦ କୁଲି ଖାଁ ର ଜାମାତା ସୁଜାଉଦ୍ଦିନ ମହମ୍ମଦ ୧୭୦୬ ରେ ଓଡ଼ିଶାର ନାଏବ ସୁବେଦାର ହେଲା । ସେ କଟକରେ କଦମରସୁଲ ନିର୍ମାଣ କରିଥିଲା, ସେ ମାରିବା ପରେ ସେଠାରେ ତାକୁ କବର ଦିଆ ଗଲା । ସେ ହିଁ ସତ୍ୟନାରାୟଣ ପାଲାର ପ୍ରଚଳନ କରିଥିଲା । ସତ୍ୟପୀର ପାଲାର ଅନ୍ୟ ନାମ ସତ୍ୟନାରାୟଣ ପାଲା ଅଟେ । ଏହା ସୁଫୀ ମୁସଲମାନଙ୍କର ଧାର୍ମିକ ବିଷୟ ଥିଲା । ଆଜି ମଧ୍ୟ ବଙ୍ଗ ପ୍ରଦେଶରେ ଏହି ପାଲା ସୁଫୀ ମୁସଲମାନ ମାନଙ୍କର ସଂସ୍କୃତି ହୋଇ ରହିଛି । ଓଡ଼ିଆ ଲୋକଙ୍କୁ ମୁସଲମାନ କରିବା କଷ୍ଟକର ଥିଲା । ତେଣୁ ଇସ୍ଲାମ ପ୍ରତି ଓଡ଼ିଆଙ୍କ ମନରେ ଅନୁରାଗ ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର ପୂର୍ବକ ଏହି ସତ୍ୟପୀର ପାଲା ପ୍ରଚଳନ କରାଗଲା । ପୀର ଶବ୍ଦର ଅର୍ଥ ହେଲା ଜଣେ ବଡ ଜିହାଦି । ଯେଉଁ ମୁସଲମାନ ହିନ୍ଦୁ ମାନଙ୍କୁ ଅଧିକରୁ ଅଧିକ ଲୁଣ୍ଠନ, ବଳାତ୍କାର ଓ ହତ୍ୟା କରିପାରେ ସେ ପୀର ନାମରେ ପ୍ରସିଦ୍ଧ ହୁଏ ।

କାଳକ୍ରମେ ଏହି ପାଲା ସହିତ ଦେଉଳିଆ ଓଡିଶୀ କୀର୍ତ୍ତନିଆ ମାନେ ମିଶିଲେ ଓ ବଙ୍ଗାଳୀ ବୈଷ୍ଣବ ମାନଙ୍କର ପ୍ରଚାର କଲେ । କ୍ରମଶଃ ସମୟ ସୁଯୋଗ ଦେଖି ଓଡ଼ିଆ କାବ୍ୟ ସାହିତ୍ୟର ଆଲୋଚନା ମଧ୍ୟ ଚାଲିଲା । କିନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଲା ଯେ କିପରି ହିନ୍ଦୁ ମାନଙ୍କର ଧାର୍ମିକ ଓ ଆଧ୍ୟାତ୍ମିକ ବିଷୟକୁ ବିକୃତ କରି ଦିଆ ଯିବ । ସେଥି ପାଇଁ ଏହି ଅଳ୍ପଜ୍ଞ ପାଲା ଗାୟକ ମାନେ ଆଜି ମଧ୍ୟ ତାହା ହିଁ କରୁଛନ୍ତି ।

ପ୍ରଥମେ ଲୋକେ ଏମାନଙ୍କୁ ଧାର୍ମିକ ବ୍ୟକ୍ତି ଭାବି ଘରେ ସ୍ଥାନ ଦେଉଥିଲେ , ବହୁତ ଆଦର ସମ୍ମାନ କରୁଥିଲେ । କିନ୍ତୁ ଏମାନେ ନିରନ୍ତର ଚରିତ୍ରହୀନ କାର୍ଯ୍ୟ କରି ଚାଲିଲେ । ତେଣୁ ଲୋକେ ଆଜିକାଲି ଏମାନଙ୍କୁ ଘରେ ସ୍ଥାନ ଦେଉନାହାନ୍ତି । କେଉଁଠି ପାଲା କରିବା ପାଇଁ ଗଲେ ଏମାନେ ନିକଟସ୍ଥ ସ୍କୁଲଘର , କୋଠଘର ବା ଗାଈ ଗୁହାଳରେ ରହନ୍ତି । ବର୍ତମାନର ପାଲାକାର ମାନଙ୍କ ମଧ୍ୟରୁ ପ୍ରାୟଃ ୯୦% ମଦ, ଗଞ୍ଜେଇ ସହିତ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ସେବନକାରୀ ଅଟନ୍ତି । ବାଦ ପାଲା ନାମରେ ସର୍ବସାଧାରଣରେ ଏମାନେ ପରସ୍ପରକୁ ଅତି ଅସଭ୍ୟ ଭାବରେ ଗାଳିଗୁଲଜ କରନ୍ତି । ୧୯୪୦ ରୁ ୧୯୯୦ ପର୍ଯ୍ୟନ୍ତ କିଛି ଭଲ ସାହିତ୍ୟ ବ୍ୟାଖ୍ୟାତା ଭାବରେ ବୈଷ୍ଣବ ପ୍ରଧାନ , ପରମାନନ୍ଦ ଶରଣ , ହରି ନାଥ ପ୍ରମୁଖ ଜନାଦୃତ ହୋଇ ଥିଲେ । କିନ୍ତୁ ଏହି ପ୍ରଚ୍ଛନ୍ନ ମୁସଲମାନ ପରମ୍ପରାରେ କୌଣସି ପୂଜ୍ୟ ପୂଜା ନଥାଏ । କେହି କାହା କଥା ଶୁଣେ ନାହିଁ । ଅଧୁନା ଏମାନେ ଅତ୍ୟନ୍ତ ନିମ୍ନଧରଣର ମନୋରଞ୍ଜନକାରୀ ଅପରିପକ୍ଵ କଳାକାର ଭାବରେ ପରିଗଣିତ । ଏବେ ଏହା ସମ୍ପୂର୍ଣ ଭାବେ ଜନାଦୃତି ହରେଇ ସାରିଛି । ଶିକ୍ଷିତ ଭଦ୍ର ବ୍ୟକ୍ତି ମାନେ ପାଲା ଦେଖିବାକୁ ପସନ୍ଦ ଜରନ୍ତି ନାହିଁ । ଯେଉଁଠି ଝିଅ ମାନେ ପାଲା ଗାଉଛନ୍ତି ସେଠାରେ କିଛି ଅରାଜକ ଲୋକ ମନ୍ଦ ଉଦ୍ଦେଶ୍ୟରେ ପହଞ୍ଚୁଛନ୍ତି । ଏହାକୁ ଦେଖି ଅନ୍ୟ ପୁରୁଷ ପାଲାକାର ମାନେ କିଛି କିନ୍ନର ମାନଙ୍କୁ ପାଳିଆ ଭାବରେ ନେବାରେ ଲାଗିଛନ୍ତି । ଏମାନେ ଏକ ସଙ୍ଗଠନ କରିଛନ୍ତି କିନ୍ତୁ ସେଠାରେ ଅନୁଚିତ କାମ ପାଇଁ ସମସ୍ତେ ଏକାଠି ହୋଇ ଯାଆନ୍ତି । କାହାର ଉଚିତ ପରାମର୍ଶ ଗ୍ରହଣ କରନ୍ତି ନାହିଁ । ସମସ୍ତେ ନିଜେ ନିଜର ପ୍ରସଂଶକ । ସେମାନଙ୍କୁ TV channel କିଛି ସୁଯୋଗ ମିଳୁ ଥିବାରୁ କୌଣସି ପ୍ରକାରେ ପାଲା ନାମଟି ବଞ୍ଚି ରହିଛି । ତଥାପି 'ଗୋଦରା ଗୋଡ଼ରେ ମାଉଁସ ଲାଗିଲେ ଦେହରେ କି ଶୁଭ ଗଣି '।

ଜୟ ସାହିତ୍ୟ, ଜୟ ସମାଜ

ସତ କହିବି ମୁଁ

         ପ୍ରଶାନ୍ତ କୁମାର ମହାନ୍ତି 
(କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ)

ସତ କହିବି ମୁଁ ସତ କହିବି,        
ମିଛ ଠୁ ନିଜକୁ ଦୂରେଇ ଦେବି ।
ମିଛ କହି କିଏ ବଡ ହୋଇଛି,
ମିଛ କହି ସିନା ଦଣ୍ଡ ପାଇଛି  । ।

 ସତର ବାଟ ତ ନୁହେଁ ସହଜ,
ଦୁଃଖ ପରେ ସୁଖ,ଏ କଥା ହେଜ ।
ସତକୁ ଯିଏ ସେ,ନିଜର କରେ
ଦୁନିଆଁରେ ସିଏ,ଅମର ହୁଏ,  । ।

 ସତ କହି ପଛେ, ଜୀବନ ଯାଉ,
ମିଛ ଠୁ ଜୀବନ, ଦୂରରେ ଥାଉ ।
ଯେତେ କଷ୍ଟ ଆସୁ, ଜୀବନେ ମୋର,
ସତକୁ କରିବି, ମୁଁ ଆପଣାର  । ।

ପିଲା ଦିନୁ ଏଇ ବ୍ରତ କରିବ,
ଚଲାପଥେ, ଆମ ଫୁଲ ଫୁଟିବ  ।

ବ୍ରାହ୍ମଣ ସାଇଲୋ,କଟକ-୦୧୮
ଜୟ ସାହିତ୍ୟ, ଜୟ ସମାଜ

ମୁଁ ଅଛି ଖୁସି


ପ୍ରଣତି ମହାପାତ୍ର
ମୋ ପରି ମତେ କରିଅଛ ପ୍ରଭୁ                               
ସେଥିରେ ମୁଁ ଅଛି ଖୁସି
କାହିଁକି କହିବି କର ଫୁଲ ପରି,

 ଅବା କର ଆଉ କିଛି (0)
ତୁମ ଭାବନାରେ ଗଢ଼ିଅଛ ମତେ
ଯାହା ମୋର ପାଇଁ ଭଲ
ଆଉବା ଅଧିକ କାହିଁକି ଲୋଡ଼ିବି
ହେବାକୁ କାହାର ତୁଲ,
ଭଲ ପାଉଥିବି ତୁମ ଦେବା ଦାନ
ଆଶିଷ ମୋ ପାଇଁ ବାଛି l (1)
ଯାହାକୁ ଯେମିତି କରିଅଛ ତୁମେ
ସେମିତି ହୋଇଛି ସିଏ
ରୂପ ରସ ଗନ୍ଧ ଗୁଣ ବିଭାନେଇ
ଚମକେ ଯାହାର ଯିଏ,
ଦିବସ ତୁମର ସୁନ୍ଦର ହେଲେବି
ଅସୁନ୍ଦର ନୁହେଁ ନିଶି (2)

ଅଡଶପୁର,କଟକ
ଜୟ ସାହିତ୍ୟ, ଜୟ ସମାଜ

🔫ବେଳ ଥାଉ ସାବଧାନ🔪

                                                                       ଆଲୋକ ଚନ୍ଦ୍ର ନାୟକ

ଆତଙ୍କୀ ମାନଙ୍କର ଜନ୍ମଭୂମି , ପାପୀ - ଭୀରୁ - କୁକୁର କାପୁରୁଷ ପାକିସ୍ତାନ ଓ ପାକିସ୍ତାନୀ ; ମୁଁ ଜାଣେ ଏ ଶବ୍ଦ ବି ତୁମ ମାନଙ୍କ ପାଇଁ ଯଥେଷ୍ଟ  ନୁହେଁ । କାରଣ ତୁମେମାନେ ହେଲ କୁକୁର ଲାଙ୍ଗୁଡ଼ । ଦେଶ ସ୍ଵାଧୀନ ହେଲା । ଆଉ ଦୁଇ ଭାଗ ହେବା ପରେ ତୁମେ ମାନେ ଯେତେବେଳେ ଆଜି ପର୍ଯ୍ୟନ୍ତ ସିଧା ହେଲନି , ତେବେ ଆଗକୁ ତୁମେ ସିଧା ହେବ ବୋଲି ଏ ଆଶା ରଖିବା ବୃଥା । ବିଶେଷ କରି ପ୍ରତ୍ୟେକ ଭାରତୀୟଙ୍କ ପକ୍ଷରେ ତ ଏହା କଦାପି ନୁହେଁ  ।କିନ୍ତୁ  ଆଜି କାଲିକା ଯୁଗରେ ଭାରତୀୟମାନେ ସବୁ ଅସମ୍ଭବ ସମ୍ଭବ କରି ପାରୁଛନ୍ତି । ସେଥି ପାଇଁ ତ ପ୍ରଥମ ଚେଷ୍ଟାରେ ଭାରତ ପଠେଇଲା ମଙ୍ଗଳ ଯାନ ; ଆଉ ପରେ ପରେ ସବୁ ଅସମ୍ଭବକୁ ସମ୍ଭବ କରି ଭାରତ ପଠେଇଲା ଚନ୍ଦ୍ରଯାନ - ୨ । ଏ ସବୁ ପରେ ବି ଆଜି ପର୍ଯ୍ୟନ୍ତ ଭାରତ ଚେଷ୍ଟା କରି ଆସିଛି ତୁମ ମାନଙ୍କୁ ସିଧା କରିବା ପାଇଁ । କିନ୍ତୁ ବିଡମ୍ବନାର ବିଷୟ ; ଆଜି ପର୍ଯ୍ୟନ୍ତ ତୁମେ ମାନେ ସିଧା ହେଲାନି । ସିଧା ହେବା ତ ଦୂରର କଥା , ସିଧାର ବାହାନା କରି ଆହୁରି ବଙ୍କା ହେଇ ହେଇ ଚାଲିଛ । ସବୁ ସୀମା ଅତିକ୍ରମ କରିଥିଲ ତଥାପି ଭାରତ ଚୁପ୍ ଥିଲା ଓ ଭାରତୀୟ ମାନେ ବି ଚୁପ୍ ଥିଲେ । କାରଣ ପ୍ରତି  ଭାରତୀୟଙ୍କ ମନରେ ତୁମ ପ୍ରତି ଥିଲା କିଛି ଅଲଗା ଭାବନା ; ଭାରତ ଭାବୁଥିଲା ଦିନେ ନା ଦିନେ ତୁମେମାନେ ନିଶ୍ଚିତ ଭୁଲ୍‌ ସୁଧାରି ନେବ  । ସେଇଥି ପାଇଁ ତ ଭାରତ ଭୁଲି ଯାଇଥିଲା। ୧୯୬୮, ୧୯୭୧ , ୧୯୯୯ ଯୁଦ୍ଧକୁ । ଭାରତ ମନରେ ଥିଲା ଧାରଣା ; କାଳେ ବେଇମାନ୍‌ ମାନେ ସୁଧୁରି ଯିବେ ।


     ତୁମେ ମାନେ ମାନିବା ଦରକାର ୨୬ - ୧୧ ମୁମ୍ବାଇ ଆକ୍ରମଣ ପରେ ବି ଭାରତ ତୁମ ଉପରେ ଆକ୍ରମଣ କରି ନ ଥିଲା । ତୁମେ ମାନେ ଆକ୍ରମଣ କରିଛ ବୋଲି ଭାରତ ପାଖରେ ଥିଲା ସଫିସେଣ୍ଟ୍‌ ପ୍ରମାଣ । ତଥାପି ଭାରତ ତୁମକୁ ଦେଇଛି ଅନେକ ସୁଯୋଗ । କିନ୍ତୁ ତୁମେମାନେ ଘଟାଇ ଚାଲିଲ ଗୋଟାଏ ପରେ ଗୋଟାଏ ନାରକୀୟ କାଣ୍ଡ । ଶେଷରେ ୪୪ ଭାରତୀୟ ବୀରଙ୍କ ଜୀବନ ବି ନେଇଗଲ । ତୁମେ ମାନେ ଥରଟିଏ ବି ଚିନ୍ତା କଲନି ଯେ ଏଇଟା ଥିଲା ତୁମ ପାଇଁ ଶେଷ ସୁଯୋଗ । ମୋର ଲେଖା - "ସମୟ ଆଗତ ପ୍ରାୟ - ସୁଧୁରିବାର ଥିଲେ ସୁଧୁରି ଯାଅ"ରେ ମୁଁ ଚେତେଇ ଦେଇଥିଲି ; ଆଉ ଆଜି ତୁମେ ଅନୁଭବ କର ତୁମେ ମରୁଛ କି ନାହିଁ । ଏବେ ବି ସୁଦ୍ଧା ସମୟ ଅଛି - ଫେରି ଆସ ଅଶାନ୍ତି ପଠାରୁ ଫେରିଆସ । ଜଣେ ଭାରତୀୟ ଭାବରେ ମୁଁ ତୁମକୁ ପୁଣି ଥରେ ଚେତେଇ ଦଉଛି । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାଅ ନାହିଁ ।ଏଥର ନ ହେଲେ ମୁଣ୍ଡ କାଟିବା ସୁନିଶ୍ଚିତ ।

      ପୃଥିବୀର ଭୂ-ସ୍ୱର୍ଗ କାଶ୍ମୀର ହେଉଛି ଭାରତର ମାନେ ପ୍ରତ୍ୟେକ ଭାରତୀୟଙ୍କର ଅବିଛେଦ୍ଯ ଅଙ୍ଗ । କାଶ୍ମୀରରୁ ଆମେ ୩୭୦,୩୫a ଉଠେଇବୁ କି ରଖିବୁ ସେଇଟା ଆମର ବ୍ୟକ୍ତିଗତ କଥା ।ତୁମ ମାନଙ୍କର କ'ଣ ଯାଉଛି ? ଭାରତର ଏଭଳି ପଦକ୍ଷେପ ତୁମ ମାନଙ୍କୁ ବୋଧେ ବ୍ୟଥିତ କରିଛି । କାହିଁକି ନା ଏଇଠୁ ତୁମ ମାନଙ୍କ ଅନ୍ତ ଆରମ୍ଭ ହେଲା । ଆଉ ଚାଲିବନି ତୁମମାନଙ୍କ ଦାଦାଗିରି କି ତୁମ ଚକ୍ରାନ୍ତରେ କାଶ୍ମୀରରେ ଉଡିବନି ଆଉ ତୁମ ପତାକା । ସେଇଥି ପାଇଁ ତ ଧାରା ୩୭୦ ଉଠେଇବା ପୂର୍ବରୁ ତୁମର ଭୀରୁ କାପୁରୁଷ ସୈନ୍ୟ ମାନେ ଆତଙ୍କୀଙ୍କୁ ଅନୁପ୍ରବେଶ କରିବା ପାଇଁ କରିଥିଲେ ଚେଷ୍ଟା । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଏମାନଙ୍କ ଚେଷ୍ଟା ସଫଳ ହେବା ଆଗରୁ ଏମାନେ ଚାଖିଲେ ବିଫଳତାର ସ୍ୱାଦ । ଆଉ ଭାରତୀୟ ବୀରଙ୍କ ଆଗରେ ବାଧ୍ୟ ହେଲେ ନିଜ ଜୀବନ ଦେବା ପାଇଁ । ତୁମର ବେଇମାନି କଥା ଜାଣି ବି ଭାରତ ତୁମ ସୈନ୍ୟଙ୍କ ଶବ ନେବା ପାଇଁ ଦେଇଥିଲା ତୁମକୁ ସୁଯୋଗ । ଭାରତ ପକ୍ଷରୁ ବିବୃତି ଦିଆଗଲା - "ତୁମେ ଶାନ୍ତିର ପ୍ରତୀକ ଧରି ଆସ ଆଉ ତୁମ ସୈନ୍ୟ ମାନଙ୍କୁ ନେଇ ଯାଅ ।" କିନ୍ତୁ ତୁମ ମାନଙ୍କର ସେଇ ଚିରାଚରିତ ଢଙ୍ଗ ଗଲାନି ; କହିଲ "ଏ ସବୁ ଆମର ନୁହେଁ ।" ଏମିତି କି ଆମେ ଧାରା ଉଠେଇବା ପରେ ତୁମେ ଗଲ ବିଶ୍ୱ ଦରବାରକୁ । ମୋର ତୁମକୁ ପ୍ରଶ୍ନ ; କହିବ କି ମିଳିଲା କି ଉତ୍ତର ?

    ଜଣେ ଭାରତୀୟ ହିସାବରେ ମୁଁ ତୁମକୁ ସୂଚେଇ ଦେଉଛି , ତୁମ ଭୁଲ୍‌କୁ ସୁଧାରି ନିଅ ।  କାଶ୍ମୀର୍ ଉପରେ ଆଖି ପକେଇବା କି କାଶ୍ମୀର୍ କଥାରେ ମୁଣ୍ଡ ଖେଳେଇବା ବନ୍ଦ କର । ଗୋଟେ କଥା ଆମେ ଦୃଢ ଭାବରେ କହିବୁ - "ଯଦି କେହି ଆମକୁ ଜୀବନ ମାଗେ ତାକୁ ଆମେ କୁଣ୍ଠା ନ କରି ଜୀବନ ଦେଇଦେବୁ । କିନ୍ତୁ ଯଦି କେହି ଆମକୁ କାଶ୍ମୀର୍ ମାଗେ ତେବେ ଆମେ ତା'ର ଜୀବନ ନେଇଯିବୁ ।" ଆଉ ଏବେ ସେ ସମୟ ନାହିଁ ଯେ ଭାରତ ଚୁପ୍ ହେଇକି ବସିବ । ଭବିଷ୍ୟତରେ ବି କେବେ ଭାରତ ଉପରେ ଆକ୍ରମଣ କରିବାକୁ ଚିନ୍ତା କରନା । କାରଣ ତୁମ ଉପରେ ଖାଲି ଭାରତ ଭିତରୁ ହେବନି ଆକ୍ରମଣ ; ଭାରତର ବାହାରୁ ବି ଭାରତୀୟଙ୍କ ନେତୃତ୍ୱରେ ହେବ ତୁମ ଉପରେ ଆକ୍ରମଣ ।
ତୁମ ଭଳି ବେଇମାନ୍ ମାନଙ୍କ ପାଇଁ ଭାରତ ବାହାରେ ଭାରତ ରଖିଛି ଏମିତି ସ୍ଥାନ ଯାହାକୁ ଜାଣନ୍ତି ଖୁବ୍ କମ୍ ଭାରତୀୟ । ଏମିତିକି ଭାରତର ବଡବଡୁଆ ମାନେ ବି ସେ କଥାର ପାଇ ନାହାନ୍ତି ଗନ୍ଧ କି ବାସ୍ନା । ସେ ସ୍ଥାନ ଦିଏ ଭାରତୀୟ ପ୍ରତିରକ୍ଷାର ଗ୍ୟାରେଣ୍ଟି । ସେ ସ୍ଥାନ ଦିଏ ବିଶ୍ୱ ଶାନ୍ତି ସୁରକ୍ଷାର ଗ୍ୟାରେଣ୍ଟି , ସେ ସ୍ଥାନ ହେଲା ତୁମ ଭଳି ବେଇମାନ୍ ମାନଙ୍କ ପାଇଁ ମରଣ ଜନ୍ତା । ଆଉ ବନ୍ଧୁ ପାଇଁ ସୁରକ୍ଷା କବଚ । ଆମ ପାଇଁ ଆମ ସୁରକ୍ଷା ହେଲା ମୁଖ୍ୟ । ସେଇଥି ପାଇଁ ତ ଭାରତ ନିର୍ମାଣ କଲା ଭାରତ ବାହାରେ ନିଜର ସୁରକ୍ଷା ନିଳୟ । ବିଦେଶ ମାଟିରେ ଦେଶର ସୁରକ୍ଷା ମହଲ ଲୁକ୍କାୟିତ । ତୁମ ପରି ବେଇମାନ୍‌ଙ୍କୁ ଉଚିତ୍ ଶାସ୍ତି ଦେବା ପାଇଁ ବିଦେଶରେ ଭାରତର ଅଭେଦ୍ୟ ଦୁର୍ଗ ସ୍ଥାପନ ।

       ତୁମେ ମାନେ ବ୍ୟସ୍ତ ହୁଅନି ତୁମେ ମାନେ ନିଶ୍ଚିତ ପାଣି ପିଇବ । ଏ ପୁଣ୍ୟଭୂମି ଦେବଭୂମି ବୀରଭୂମି ଭାରତ ତୁମକୁ ବାଟକୁ ଆଣିବା ପାଇଁ ଗୋପନୀୟ ଭାବରେ ଯେମିତି କରି ଥିଲା ସର୍ଜିକାଲ୍ ଷ୍ଟ୍ରାଇକ୍,ଠିକ୍ ସେମିତି ଭାରତ ବାହାରେ ରହିଛି ଗୋପନ ଭାରତ । ଯେଉଁଠି ତୁମ ମାନଙ୍କ ପାଇଁ ଚାଲିଛି ଚରମ ପ୍ରସ୍ତୁତି । ଏଗୁଡିକ ହେଉଛି ଭାରତର ସିକ୍ରେଟ୍‌ ବେଶ୍ । ତା' କାରଣ ହେଉଛି ଭାରତ ଏକ ବିଶାଳ ଦେଶ  ; ୨୯ ରାଜ୍ୟ ଓ ୭ କେନ୍ଦ୍ର ଶାସିତ ଅଂଚଳ । ଏତିକିରେ ଯେ ଭାରତ ସମ୍ପୂର୍ଣ ତାହା ନୁହେଁ  ; ଭାରତ ବାହାରେ ବି ରହିଛି ଏକ ଛୋଟ ଭାରତ । ଠିକ୍ ଭାରତ ଭଳି ସେଠି ବି ଚାଲେ ଭାରତର ଶାସନ ଓ କାର୍ତ୍ତୃତ୍ୱ । ରେ ବେଇମାନ୍ କୁକୁର ! ତମେ ଭାବନି ଏ ଜାଗା ଆଣ୍ଡାମାନ୍ କି ଲାକ୍ଷାଦ୍ୱୀପ ନୁହେଁ  ; ଏହା ବାହାରେ ବି ରହିଛି ଭାରତର ଅନେକ ସ୍ଥାନ ।

       ତୁମେ ମାନେ ଭଲ ଭାବେ ଜାଣି ଥିବ ପୃଥିବୀରେ ଅଧିକାଂଶ ଦେଶ ଅନ୍ୟ ଦେଶ ଉପରେ କାର୍ତ୍ତୃତ୍ୱ ଜାହିର୍ କରନ୍ତି । ଠିକ୍ ଯେଭଳି ତମ ଉପରେ ଚାଇନାର ହୁକୁମ୍‌ଗିରି ଚାଲିଛି  । ପୂର୍ବରୁ ବ୍ରିଟେନ୍ ଓ ଏବେ ଆମେରିକା ଏପରି କରିବାରେ ସବୁଠୁ ଆଗୁଆ । ଭାରତ ବି ଏଭଳି କରିବାରେ ପଛରେ ପଡିନି । ବିଶେଷ କରି ଭାରତ ମହାସାଗର ଅଞ୍ଚଳରେ ରହିଛି ବି ଭାରତର କାର୍ତ୍ତୃତ୍ୱ । ଏ ସମସ୍ତ ବିଦେଶୀ ସ୍ଥାନରେ ରହିଛି ଭାରତର ଏୟାର୍ ବେଶ୍ ଓ ଅନୁଧ୍ୟାନ କେନ୍ଦ୍ର । ଭାରତ ମହାସାଗରରେ ବିଭିନ୍ନ ସ୍ଥାନରେ ରହିଛି ଅନୁଧ୍ୟାନ କେନ୍ଦ୍ର । ସାଧାରଣତଃ ଅନୁଧ୍ୟାନ କେନ୍ଦ୍ରର ମାନେ ହେଉଛି ଅନ୍ୟର ଗତି ବିଧି ଉପରେ ନଜର ରଖିବା । ଯେଉଁଠୁ ଜଳ ସ୍ଥଳ ଓ ଶତ୍ରୁର ଆକାଶ ପଥକୁ ବି ନଜରରେ ରଖାଯାଏ  । ଏହାର ଫଳାଫଳକୁ ସୁରକ୍ଷା ଓ କୂଟନୈତିକ ସ୍ତରରେ ବ୍ୟବହାର କରାଯାଏ ।

    ଗତ ଶତାବ୍ଦୀର ଶେଷ ଭାଗରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀ ବିଦେଶେ ସାମରିକ ଘାଟି ଓ ଅନୁଧ୍ୟାନ କେନ୍ଦ୍ରକୁ ଅନୁଧ୍ୟାନ କଲେ । ତୁମ ଭଳି ବେଇମାନ୍ ମାନଙ୍କୁ ଦବେଇ ରଖିବା ପାଇଁ ସେ ସାରା ବିଶ୍ୱରେ ଏହା ସ୍ଥାପନ କରିବା ପାଇଁ ଯୋଜନା କଲେ । ଆଉ ଏହାର ପ୍ରଥମ ପ୍ରୟୋଗ ସଫଳ ହେଲା କାଜିକିସ୍ତାନରେ । ତେବେ ବଦଳି ଗଲା ସରକାର ଓ ପଛେଇ ଗଲା ଯୋଜନା । ଦଶ ବର୍ଷ ପରେ ପୁଣି କ୍ଷମତାକୁ ଆସିଲା NDA.....। ସରକାର ଗଢିଲେ ନରେନ୍ଦ୍ର ମୋଦି । ଆଉ ଏ ଯୋଜନା ବଢ଼ିଲା ଆଗକୁ । ସେ ଆରମ୍ଭ କଲେ ତୁଫାନି ବିଦେଶ ଗସ୍ତ । ଏହା ଭିତରେ ଥିଲା ମରିଶେଷ୍ ଓ ସିଶେଲସ୍‌କୁ ପାଞ୍ଚ ଦିନିଆ ଗସ୍ତ । ଆଉ ଏହି ଗସ୍ତ ହିଁ ବାସ୍ତବ ରୂପ ଦେଲା ଏହି ସିକ୍ରେଟ୍ ପ୍ଲାନ୍‌କୁ । ଯାହା ବଦଳାଇ ଦେଲା ଭାରତର ପ୍ରତିରକ୍ଷା ରଣନୀତିକୁ ।

      ଅଧିକାଂଶ ବଡ ବଡ ଦେଶ ନିଜର ପ୍ରଭାବ ବିସ୍ତାର ପାଇଁ ଚେଷ୍ଟା କରନ୍ତି । ସେହି ଅଂଚଳରେ ନିଜର ଉପସ୍ଥିତି ପାଇଁ ନୁହେଁ । ସୁରକ୍ଷା ଦୃଷ୍ଟି କୋଣରୁ ବି ଏପରି କରିବା ନିହାତି ଆବଶ୍ୟକ । ସେଥିଲାଗି ତ ଭାରତ ବି ଭାରତ ବାହାରେ ସ୍ଥାପନ କରିଛି ସ୍ବତନ୍ତ୍ର ମିଲିଟାରୀ ବେସ୍‌ । ପରେ ପରେ ଏହା ସ୍ପଷ୍ଟ ଜଣା ପଡିଲା ଯେ ମୋଦିଙ୍କ ଗସ୍ତ ହିଁ ଥିଲା ଏହାର ଭିତିରି ଉଦ୍ଦେଶ୍ୟ ।

       ମରିଶେଷ୍ ଓ ସିଶେଲସ୍‌କୁ ମୋଦିଙ୍କ କାର୍ଯ୍ୟକାଳରେ ଅନ୍ୟ କୁଟନୈତିକ ଆଲଚନା ତ ଥିଲା । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଦୁଇ ଦେଶ ସହ ଦୁଇଟି ବୁଝାବଣା ପତ୍ର ସ୍ବାକ୍ଷର । ଏ ବୁଝାବଣା ବହନ କରୁଥିଲା ବହୁ ଗୁରୁତ୍ୱ ।କାରଣ ଏ ଚୂକ୍ତିନାମା ଅନୁଯାୟୀ ଦୁଇ ଦେଶ ଭାରତକୁ ଛାଡ଼ି ଦେବେ ଗୋଟିଏ ଗୋଟିଏ ଦ୍ବୀପ । ଖାଲି ସେତିକି ନୁହେଁ ଏ ଦୁଇ ଜାଗାରେ ରହିବ ଭାରତର ସମ୍ପୂର୍ଣ୍ଣ ଅଧିକାର । ଏ ଦୁଇ ଦ୍ବୀପ ହେଉଛି ସିଶେଲସ୍‌ର ଆସମ୍ ସନ୍ ଦ୍ବୀପ ଓ ମରିଶେଷ୍‌ର ଆଗାଲିକା ଦ୍ବୀପ । ଆଫ୍ରିକା ଉପକୂଳ ପଟକୁ ଅଛି ଆସମ୍ ସନ୍ ଦ୍ବୀପ । ନିଜ ପଟକୁ ଥିବା ଦୀପ ହେଉଛି ଆଗାଳିକା । ଉଭୟ ଦ୍ବୀପରେ ଭାରତ ଏକୁଟିଆ ନିର୍ମାଣ ଓ ଭିତ୍ତିଭୂମି ବିକାଶ କରିବାରେ ମାନେ କୁଟନୈତିକ ଓ ସୁରକ୍ଷା ଦୃଷ୍ଟି କୋଣରୁ ବେଶ୍ ଗୁରୁତ୍ୱ ବହନ କରେ । ଯାହାର କାରଣ ଅନେକ ।

   ଭାରତ ନିଜର ସତୁରି ପ୍ରତିଶତ ପେଟ୍ରୋଲିୟମ୍ ଦ୍ରବ୍ୟ ଆମଦାନୀ କରିଥାଏ ସାଉଦି ଆରବ, ଇରାନ, ୟୁଏଇ ଠାରୁ । ଏ ସବୁ ଦେଶରୁ ଆମେରିକା ଚାଇନା ଭଳି ଦେଶ ବି ଆମଦାନି କରନ୍ତି । ଏ ସବୁ ତୈଳ ଭାରତ ମହାସାଗର ଦେଇ ଜାହାଜ ଦ୍ୱାରା ପରିବହନ ହୋଇଥାଏ । ସେହିପରି ଏହି ବାଟ ଦେଇ ପରିବହନ ହୋଇଥାଏ ବିଶ୍ୱର ପ୍ରାୟ ୬୦ ଭାଗ ପାନୀୟ ଦ୍ରବ୍ୟ । ତେବେ ପଶ୍ଚିମ ଭାରତ ମହାସାଗରରେ ସମାଲି ଜଳଦଶ୍ଯୁଙ୍କ ଉତ୍ପାତ ରହିଛି । ସେହିପରି ଭାରତକୁ ଚାରିପଟରୁ ସେନା ଆଡ଼ା କରି ଘେରିବାକୁ ଚେଷ୍ଟା କରୁଛି ଚାଇନା । ଭବିଷ୍ୟତରେ ଏହାଦ୍ୱାରା ଭାରତକୁ ଯୋଗାଣ ବନ୍ଦ କରିବାକୁ ଚେଷ୍ଟା କରିପାରେ ଚାଇନା ।ଏହାକୁ କାଉଣ୍ଟର୍ କରିବା ପାଇଁ ଏହି ଦୁଇ ଦ୍ବୀପରେ ଭାରତ ଆରମ୍ଭ କରିଛି ନୂଆ ଯୋଜନା । ତା' ଛଡା ଇରାନରେ ଜବାହାର ବନ୍ଦରକୁ ବିକଶିତ କରିଛି ଭାରତ । ଉଭୟ ଦ୍ବୀପ ରଣନୀତି ପୂର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ।

ନୂଆ ଯୋଜନାନୁସାରେ ମରିଶେଷ୍‌ରେ ଆଗାଲିକା ଦ୍ବୀପରେ ଭାରତ ସ୍ଥାପନ କରିବ ଅନୁଧ୍ୟାନ କେନ୍ଦ୍ର । ତେବେ ଆସମ୍ ସନ୍ ଦ୍ବୀପରେ ତିଆରି ହେଉଛି ଭାରତର ସବୁଠାରୁ ଗୁରୁତ୍ୱ ଟ୍ରାଇ କମାଣ୍ଡ ମିଲିଟାରୀ ନେସ । ଅର୍ଥାତ ଏଠି ରହିବ ଭାରତୀୟ ସ୍ଥଳ ସେନା-ଭାରତୀୟ ନୌ ସେନା
ଓ ବାୟୁ ସେନାର ସ୍ୱତନ୍ତ୍ର ଓ ମିଳିତ ବେସ୍‌ । ତେବେ ଏହି କମାଣ୍ଡ ବେସ୍‌ ଅନ୍ୟ ଦୃଷ୍ଟି ରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ସାଧାରଣତଃ ଅନ୍ୟ ଦେଶରେ ମିଲିଟାରୀ ବେସ୍‌ ହେଲେ ଏକ ନିର୍ଦ୍ଧିଷ୍ଟ  ଅଂଚଳ ଛାଡି ଦିଆଯାଏ । ତେବେ ଏ କ୍ଷେତ୍ରରେ ଭାରତକୁ ମିଳିଛି ସମ୍ପୂର୍ଣ୍ଣ ସ୍ବାଧୀନତା ।

     ଆସମ୍ ସନ୍ କଏଟର ରେ ସେଠାକାର ଅଧିବାସୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରା ଯାଇଛି । କେବଳ ଭାରତୀୟ ସେନା ଅଧିକାରୀ ରହଣି ସହ ଅନ୍ୟ ଅନ୍ୟ ବିକାଶ କରା ଯାଇଛି । ଏବେ ସେଠାରେ କେବଳ ଶତାଧିକ ଭାରତୀୟ ବାସ କରୁଛନ୍ତି । ଯେଉଁ ମାନଙ୍କ ଭିତରେ ଅଛନ୍ତି ଭାରତୀୟ ସେନା ଅଧିକାରୀ ଓ ଶ୍ରମିକ ।
ଏଠି ସମସ୍ତ ସୁବିଧା ସୁଯୋଗ ଲାଗି ବ୍ୟବସ୍ଥା କରା ଯାଉଛି । ଏଠି ଭାରତୀୟ ସମୟ ହିଁ କାର୍ଯ୍ୟକାରୀ ହେଉଛି । ଫଳରେ ଏହା ଏବେ ଏକ ଭାରତୀୟ ଅଂଚଳରେ ସଜେଇ ହୋଇଛି । ଏଠି ନିର୍ମିତ ହୋଇଛି ଅଢେଇ କିଲୋ ମିଟରର ରନ୍ ୱେ ।
ଯେଉଁଠାରୁ ଭାରତର ଲଢ଼ୁଆ ବିମାନ ଉଡାଣ ଭରି ପାରିବେ । ଏହା ଫଳ ରେ ଭାରତ ୨୦୦୦ କିଲୋମିଟର ପରିସୀମା ଉପରେ ବି ନଜର ରଖି ପାରିବ ଆଉ ସମଗ୍ର ଭାରତ ମହାସାଗର ରହିବ ଭାରତ ନଜରରେ । ଭାରତ ପାଇଁ ବିଦେଶରେ ଏହା ଅଟେ ସବୁଠାରୁ ଉତ୍ତମ ସ୍ଥାନ । କାରଣ ତମ ପରି ବେଇମାନ୍ ଓ ଭୀରୁ ମାନଙ୍କ ଉପରେ ଏଇଠୁ ରଖା ଯାଇପାରିବ ତୀକ୍ଷ୍ଣ ନଜର । ଏ ସ୍ଥାନ ବି ଭାରତର ବନ୍ଧୁ ରାଷ୍ଟ୍ର ରୁଷିଆ ଓ ଆଫଗାନିସ୍ଥାନକୁ ପାଖ । ଆଉ ଏହା ବି ହେଉଛି ମଝି ଏସିଆକୁ ଭାରତର ପ୍ରବେଶ ଦ୍ୱାର । ଭାରତ ବାହାରେ ଭାରତ ର ଏ ଗୁରୁତ୍ୱପୂର୍ଣ ସ୍ଥାନ ହେଉଛି ତଜିକିସ୍ତାନର ଭାରତୀୟ  ମିଲିଟାରୀ ବେସ୍‌ ।

ଶୁଣି ରଖ ବେଇମାନ୍ ମାନେ ; ଭାରତ ବାହାରେ ଆଉ ଏକ ଭାରତ । ସୁରକ୍ଷା ଦୃଷ୍ଟିରୁ ନିହାତି ଗୁରୁତ୍ୱପୂର୍ଣ୍ଣ । ଶତ୍ରୁ ; ମାନେ ତୁମ ଭଳି କାପୁରୁଷ ମାନଙ୍କ ପାଇଁ ଯମପୁର । ଏଇଠୁ ରଖା ଯିବ ତୁମ ମାନଙ୍କ ଉପରେ ନଜର । ଏଣିକି ଆଉ ଆବଶ୍ୟକ ହେବ ନାହିଁ ଭାରତରୁ ଉଡ଼ାଣ । ବିଦେଶ ମାଟିରେ ବି ଭାରତ ତିଆରି କରିଛି ତା'ର ରକ୍ଷା ନବର ।
କାଜିକିସ୍ତାନରେ ଭାରତର ଶକ୍ତି । ହାର୍ ଫୋର୍ ଏୟାର୍ ବେସ୍‌ । ଭାରତ ପାଇଁ କାଜିକିସ୍ତାନର ଗୁରୁତ୍ୱ ବେଶ୍ ବହନ କରେ । କେବଳ ଯେ ବନ୍ଧୁତା ତା' ନୁହେଁ ରଣନୀତି କ୍ଷେତ୍ରର ରେ ବି ଏହାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ  । କାରଣ ଏଠାରେ ରହିଛି ଭାରତର ଏୟାର୍ ବେଶ୍ ।
ଆଉ ତୁମେ ମାନେ ଭଲ ଭାବରେ ଜାଣିଥିବ ଯେ ଏ ଜାଗା କାହିଁକି ଭାରତ ପାଇଁ ଏତେ ଗୁରୁତ୍ୱ ବହନ କରୁଛି । ତୁମ ମାନଙ୍କ ଉପରେ ନଜର ରଖିବା ପାଇଁ ଏଇଟା ହିଁ ତ ଭାରତର ଶ୍ରେଷ୍ଠ ସ୍ଥାନ । ସମୟ ଆଗକୁ ଯିବା ସହିତ ଭାରତ ବି ଆଗକୁ ବଢ଼ୁଛି । କାଶ୍ମୀର୍‌ରେ କିମ୍ବା ଭାରତ ଭିତରେ କୌଣସି ପ୍ରକାରର  ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରନାହିଁ । ନହେଲେ କାଜିକିସ୍ତାନରୁ ହେବ ତମ ଉପରେ ଆକ୍ରମଣ । ଆରେ ଭୀରୁ କାପୁରୁଷ ! ତୁମେମାନେ ଭାବନାହିଁ ବିଦେଶରେ ଭାରତ ଖାଲି ଏଇ ତିନୋଟି ସୁରକ୍ଷା ନବର ନିର୍ମାଣ କରିଛି ବୋଲି । ସବୁକିଛି ତୁମ ମାନଙ୍କୁ ଜଣେଇବା ଆବଶ୍ୟକ ନାହିଁ କିନ୍ତୁ ଏତିକି ଶୁଣି ରଖ ଏହିଭଳି ବିଦେଶରେ ରହିଛି ଆହୁରି ଅନେକ ସୁରକ୍ଷା ନବର । ତୁମମାନଙ୍କ ଉପରେ ନଜର ରଖିବା ପାଇଁ ଆଗକୁ ଶ୍ରୀଲଙ୍କା ଓ ମିଆଁମାରରେ ବି ସ୍ଥାପନ କରାଯିବ ଭାରତର ସୁରକ୍ଷା ନବର ।

      ତୁମେମାନେ ଭାବୁଛକି ସାମାଜିକ ଗଣମାଧ୍ୟମରେ ଧମକ ଦେଇ ଭାରତକୁ ଚୁପ୍ କରିଦେବ ଓ ଡ଼ରେଇ ଦେବ ? ଏହା ଭାବିବା ବି ତୁମର ସମ୍ପୂର୍ଣ୍ଣ  ଭୂଲ୍ । କାହିଁକି ନା ଭାରତ କରିବାକୁ ଚାହିଁଲେ ସେଇ ସାମାଜିକ ଗଣମାଧ୍ୟମ ଦ୍ୱାରା ଅନେକ କିଛି କରିପାରିବ । କିନ୍ତୁ ଭାରତ ସାଙ୍ଗେ ସାଙ୍ଗେ ଚୁଚୁନ୍ଦ୍ରା ଉପରେ କିଛି ବି ପଦକ୍ଷେପ ନବନି । ତୁ ଏଭଳି ଚୁଚୁନ୍ଦ୍ରା;  ମାନେ ନିଜେ ହିଁ ନିଜର ସବୁ ବାଟ ବନ୍ଦ କରିବ । ହଜାର୍‌ ଥର ଭାରତ କହୁଛି ଯେ କାଶ୍ମୀର୍ ଆମର ଆଭ୍ୟନ୍ତରୀଣ ବ୍ୟାପାର  ; କିନ୍ତୁ ସେଥିରେ ମୁଣ୍ଡ ପୁରେଇଲ ଆଉ ଜାତୀସଙ୍ଘକୁ ବି ଗଲ । କିନ୍ତୁ ପାଇଲ କ'ଣ ? ଏବେ ଚିନ୍ତା କର ଦ୍ୱିପାକ୍ଷିକ ସମ୍ପର୍କ କାଟି ଭୂଲ୍ କରିଛ କି ଠିକ୍ କରିଛ । ଏବେ ବାବା ତୁମର କେତେ ଲାଭ ହଉଛି କି କ୍ଷତିଟି ହଉଛି ? ଜଣେ ଭାରତୀୟ ହିସାବରେ ମୁଁ ତୁମକୁ ସୂଚେଇ ଦଉଛି ; ବେଳ ଥାଉ ଥାଉ ସାବଧାନ ହୁଅ , ଆଉ ନିଜକୁ ଭାରତ ଠାରୁ ଦୂରେଇ ନିଅ ।

ଜୟ ସାହିତ୍ୟ, ଜୟ ସମାଜ

ଚ଼ପଳା ଛନ୍ଦା

ସଂଗ୍ରାମ କେଶରୀ ରାଉତରାୟ 


ପ୍ରାଣ ମିତଣୀ ମୋ' ହୃଦୟ ରାଣୀ
                              ଚିରଞ୍ଜିବୀ ଆମ ପ୍ରେମ କାହାଣୀ ।
ପ୍ରେମ ନୁହେଁ ସିଏ ସରଗ ଫୁଲ
                                  ଏମିତି ରତ୍ନ ତା' ନାହିଁ ତ ମୂଲ ।
ଶୋଭମୟ ବିଭା ସାତଟି ରଙ୍ଗ
                                        ମନରେ ଖେଳାଏ ନୂଆ ତରଙ୍ଗ ।
ଚିରଦିନ ତା' ପାଖେ ମୁଁ ପଡିଛି ବନ୍ଧା
                                               ଅନୁରାଗେ ଅନୁପମା ଚପଳା ଛନ୍ଦା ।



                              ଜୟ ସାହିତ୍ୟ, ଜୟ ସମାଜ

ଗୋଟିଏ ପତାକା ତଳେ




ଜୟ ସାହିତ୍ୟ, ଜୟ ସମାଜ

ଦୁହିତା - ଦୁଇ କୁଳକୁ ହିତା


                                                                                                                        ସ୍ମିତା ମହାନ୍ତି
 ମଣିଷର ଏଇଟା ହୁଏତ ଗୋଟେ ସହଜାତ ପ୍ରକୃତି । ବଞ୍ଚି ଥିବା ମଣିଷର ସୁଲଭ ଗୁଣ ଗୁଡିକ ଉପଲବ୍ଧି କରି ପାରେନି ସେ । କିନ୍ତୁ ସେହି ମଣିଷଟି ଇହଲୀଳା ସମ୍ବରଣ କଲା ପରେ ତା'ର ସମସ୍ତ ଦୁର୍ଗୁଣ ଗୁଡିକ ପାଶୋରି ଯାଇ  କେବଳ ସୁଗୁଣ ଗୁଡିକ ମନେ ପକାଇ ବାହୁନୁ ଥାଏ । ମୁଁ ବା ସେଥିରୁ ବାଦ୍‌ ପଡନ୍ତି କିପରି ? ସେଇ ମଣିଷ ନା ମୁଁ  ! ଦୀର୍ଘ ବାଇଶି ବର୍ଷର ବିବାହିତ ଜୀବନ ଭିତରେ ଅନେକ ଗୁଡିଏ ଚରିତ୍ର ଜୀବନରେ ଆସିଛନ୍ତି । କିନ୍ତୁ ଆଜି ଯୋଉ ଚରିତ୍ର ବିଷୟରେ ଲେଖିବାକୁ ଯାଉଛି ସେ ଚରିତ୍ର ବୋଧହୁଏ ସମାଜରେ କାଁ ଭାଁ ଦେଖିବାକୁ ମିଳିବେ। କି ତ୍ୟାଗ ନିଜ ସ୍ତ୍ରୀ ଓ ପରିବାର ପାଇଁ ! ଆଜି ମନେ ପଡିଲେ ଆଖିରେ ଲୁହ ଆସେ । କିନ୍ତୁ ସେତେବେଳେ ଅତି ପାଖରେ ଥିଲେ ମଧ୍ୟ କାହିଁକି କେଜାଣି ସେ ମହାନ ଚରିତ୍ର ପାଇଁ କିଛି କରି ପାରି ନଥିଲି ? ଏକୁଟିଆ ବସିଲେ ବହୁତ ଭାବେ ତାଙ୍କ ବିଷୟରେ । ଖାଲି ତ୍ୟାଗ , ଦାୟିତ୍ୱ ଓ କର୍ତବ୍ୟଵୋଧାତା ଭିତରେ ସଙ୍କୁଚିତ ହୋଇ ରହିଗଲା ମଉସାଙ୍କ ଜୀବନ ।କ'ଣ ପାଇଲେ ଜୀବନରେ ! କ'ଣ ହରାଇଲେ ଜୀବନରେ  !

     ମୋଅ ପୁଅର କ୍ଳାସ - ୧ ହୋଇଥାଏ । ଆମ ଉପର ଘର ଖାଲି ଥାଏ । ଦିନେ ହଠାତ୍ ଘର ଖୋଲା ହୋଇ ସଫା ସଫି ଚାଲିଲା। ସେଥିରୁ ଅନୁମାନ କଲି ଯେ କିଏ ଜଣେ ନୂଆ ଲୋକ ଆସିବେ । ଦୁଇ ତିନି ଦିନ ପରେ ଗୋଟେ ଟ୍ରକରେ  ଜିନିଷ ଆସିଲା । ଜିନିଷପତ୍ର ଦେଖି ନାକ ଟେକି ଦେଲି । ମନେ ମନେ ଭାବିଲି କି ଅପରିଷ୍କାର ଜିନିଷ ଗୁଡା ! କେମିତିକା ଲୋକ ଅସୁଛନ୍ତି କେଜାଣି । ତା'ପରେ ପାଖାପାଖି ୫ଟା ବେଳକୁ ଗୋଟେ ଅଟୋ ଆସି ରହିଲା । ସେଥିରୁ ଓଲ୍ହେଇଲେ ଦୁଇଜଣ ସ୍ତ୍ରୀ ଲୋକ , ଗୋଟେ ଝିଅ ଆଉ ଗୋଟେ ପୁଅ । ଜଣେ ଥିଲେ ବୟସ୍କା ମହିଳା । ଚାଲିଚଳଣୀ ରଂଗଢଙ୍ଗ ଲାଗୁଥାଏ ଅଜୀବ । ଆଉ ଜଣେ ଅଳ୍ପ ବୟସ୍କ ମହିଳା ।ଦେଖିବାକୁ ଖୁବ ସୁନ୍ଦର । ଦେଖିକି ଭାବିଲି ଇଏ ବୋଧେ ବୋହୂ । ଆର ଯୁବକ ଜଣକ ପୁଅ ଓ ଝିଅ ଜଣକ ବୋଧେ ମଉସାଙ୍କ ସାନ ଝିଅ । ଆଉ ଗୋଟେ ଝିଅ ଥାଏ ୩ /୪ ବର୍ଷର , ତାକୁ ଭାବିଲି ନାତୁଣୀ । ମୋ' ଅନୁମାନ କିଛି ପରିମାଣରେ ଠିକ୍‌ ଥିଲେ ବି କିଛିଟା ଭୁଲ ଥିଲା । ପଛରେ ହିରୋପୁକ ଗାଡ଼ିରୁ ଓଲ୍ହେଇଲେ ମଉସା । ତା'ପରେ ସେମାନେ ଉପରକୁ ଗଲେ । ମୋର କିନ୍ତୁ ମନ ଲାଗିଥାଏ ପରିବାର ବିଷୟରେ ଜାଣିବା ପାଇଁ । ସନ୍ଧ୍ୟା ୭ଟା ପାଖାପାଖି ଝିଅଟି ଆସିଲା ପିଇବା ପାଣି ଦୁଇ ବୋତଲ ନେବା ପାଇଁ । ସେ ମନକୁ ମନ ସବୁ କହିଦେଲା । ଝିଅଟି ଯେମିତି ସୁନ୍ଦର କଥାବାର୍ତ୍ତା ମଧ୍ୟ ସେପରି । ପଢୁଥାଏ +୩ । ତା' କଥାରୁ ଜାଣିଲି ବୟସ୍କା ମହିଳା ଜଣଙ୍କ ତା' ମା' । ଆଉ ସିଏ ଭାଇ ଜନ୍ମ ହେବାକୁ ଥିବା ସମୟରୁ ପାଗେଳି ହୋଇଯାଇଛନ୍ତି । ଅଳ୍ପବୟସ୍କ। ସ୍ତ୍ରୀ ଲୋକ ଜଣଙ୍କ ତା' ବଡ଼ ଭଉଣୀ , ବିବାହିତା ତିନି-ଚାରି ବର୍ଷର ଝିଅଟି ଭଉଣୀର ଝିଅ । ପୁଅଟି ତା' ଭାଇ । ବାପା ପାଖାପାଖି ୧୦ ବର୍ଷ ହେବ ଚାକିରୀରୁ ଅବସର ନେଲେଣି ।

    ସକାଳ ୫ଟାରୁ ଉପରେ ବେଶ୍‌ କଥାବାର୍ତ୍ତା ଶୁଭୁ ଥାଏ । ମଉସାଙ୍କ ପାଟି ବହୁତ ବଡ଼ । ବେଳେବେଳେ ବିରକ୍ତ ଲାଗେ । ୟା' ଭିତରେ ୨/୪ ଦିନ ବିତି ଗଲାଣି । ବଡ ଝିଅ ଘର ସଜାସଜି ପରେ ନିଜ ଘରକୁ ଯିବାକୁ ବାହାରିଲା । ମଉସା ସେଦିନ ସକାଳ ବୁଲlରୁ ଫେରିବା ବେଳେ ମୋତେ ବାହାରେ ଠିଆ ହୋଇ ଥିବାର ଦେଖି ରହିଗଲେ । କହିଲେ "ଆଜି ମୋ' ବଡ଼ଝିଅ ଯିବ ତା' ଘରକୁ । ପ୍ରତି ମାସରେ ଆସେ ଟିକେ ମୋତେ ଦେଖା କରିବାକୁ । ଜୋଇଁ ମୋର ବହୁତ ଭଲ। ଝିଅକୁ ପଠାଇ ଦିଅନ୍ତି ସବୁ ମାସରେ ବାପାର ଭଲ-ମନ୍ଦ ବୁଝି ଆସିବାକୁ । ସ୍ତ୍ରୀର ଟିକେ ମୁଣ୍ଡ ଖରାପ ।ପୁଅ ତ ଅମଣିଷ । ସାନ ଝିଅ ଆଉ ମୁଁ ମିଶିକି ଘର କଥା ବୁଝୁ।" ସତକୁ ସତ ଦେଖେ ବାପା-ଝିଅ ମଧ୍ୟରେ ଖୁବ୍‌ ତାଳମେଳ। ସକାଳୁ ଉଠି ମଉସା ଚା' ତିଆରି କରିଦେବେ। ମାଉସୀଙ୍କୁ ଦେବେ । ଝିଅ ଶୋଇଥିବ ତାକୁ ଉଠେଇ ଚା' ଦେବେ । ଗେଲ୍ଲାରେ କହୁଥିବେ "ମୁନି ଉଠୁ , ଟିକେ ଜଳଖିଆ ବନେଇ ଦେବା ।" ଝିଅ ଉଠିଲେ ବାପା ଝିଅ ମିଶିକି ଜଳଖିଆ ତିଆରି କରି ଦେବେ । ଝିଅ ତା'ପରେ ଚାଲିଯାଏ କଲେଜ। ମାଉସା ରୋଷେଇ କରିବା ଠାରୁ ନେଇ ଲୁଗାପଟା ଧୋଇବା ବଜାରରୁ ପରିବା ଓ ନିତ୍ୟାବଶ୍ୟକୀୟ ଜିନିଷ ଆଣିବା ଇତ୍ୟାଦି କରନ୍ତି । ବେଳେ ବେଳେ ରୋଷେଇ ସାରି କୌଣସି କାମରେ ବାହାରକୁ ଯାଇ ଆସିଲା ବେଳକୁ ମାଉସୀ ସବୁ ତରକାରୀ ଖାଇ ଦେଇଥିବେ। ଆସିକି ଦେଖିବେ କଡେଇ ସଫା । ପୁଣି ତିଆରି କରିବେ ତରକାରୀ ; କମ୍ପାନୀ ଚାକିରୀ ହୋଇ ଥିବାରୁ ପେନସନ ନାହିଁ ମଉସାଙ୍କର । ଟଙ୍କା ଯାହା କିଛି ବ୍ୟାଙ୍କରେ ରଖିଥା'ନ୍ତି , ସେଥିରୁ ମାସକୁ ମାସ କିଛି ସୁଧ ଟଙ୍କା ଆସେ । ସେଥିରେ ବହୁ ହିସାବ କିତାବରେ ଚଳନ୍ତି । ଏତେ ବଡ ପୁଅ , ରୋଜଗାର କିଛି ନାହିଁ । କିନ୍ତୁ ନିଜର ଖରାପ ଅଭ୍ୟାସକୁ ଜାରି ରଖିବା ପାଇଁ ସବୁଦିନ ବାପା ସହ ଝଗଡା କରି କିଛି ଟଙ୍କା ନିଏ । ନ ଦେଲେ ମାରପିଟି ଉପରକୁ କଥା ଆସେ । ଏମିତିକି ମାରିକି ଥରେ ଦୁଇଥର ମୁଣ୍ଡ ବି ଫଟେଇ ଦେଇଛି ମଉସାଙ୍କର । ଭଉଣୀ ବିରୋଧ  କଲେ ତା ଉପରେ ମାଡ଼। ବହୁତ ଚେଷ୍ଟା କରି ଥିଲେ ତାକୁ ପାଠ ପଢେଇବା ପାଇଁ । ହେଲେ ବାପା ବା ପୁଅ କାହାର ଦୁର୍ଭାଗ୍ୟ ସେଇଟା ଭଗବାନ ନିର୍ଣ୍ଣୟ କରି ପାରିବେ ସିନା ମଣିଷ ନୁହେଁ । ପିଲାଦିନୁ କୁସଙ୍ଗରେ ପଡି ଯାଇଥିଲା ବୋଲି ବୋଡିଙ୍ଗ ସ୍କୁଲରେ ଛାଡିଲେ ; ହେଲେ ସେଠୁ ତିନି ଥର ଲୁଚି କରି ଚାଲି ଆସିଲା ବୋଲି ସ୍କୁଲରେ ରଖିବାକୁ ଅଧ୍ୟକ୍ଷ ମନl କରି ଦେଲେ ।

        ଏମିତି ସମୟ ଗଡି ଚାଲେ । ସାନ ଝିଅ ଇଂରାଜୀ ଅନର୍ସ ରଖି ଆଉ ଡିଷ୍ଟିଙ୍କସନ ରଖି  ଯୁକ୍ତ ତିନି ପାସ କଲା ପରେ ମଉସାଙ୍କର ଆଉ ସ୍ନାତକୋତ୍ତର ଡିଗ୍ରୀ କରାଇବାକୁ ଇଚ୍ଛା ନଥାଏ । କିନ୍ତୁ ତାଙ୍କର ଜଣେ ଦୂର ସମ୍ପର୍କୀୟ ଝିଅର ପାଠ ପଢିବା ପାଇଁ ଯାହା ଖର୍ଚ୍ଚ ହେବ ଦେବେ ବୋଲି ପ୍ରତିଶ୍ରୁତି ଦେବାରୁ ମଉସl କୌଣସି ମତେ ରାଜି ହୋଇଥିଲେ ପଢେଇବା ପାଇଁ । ଝିଅ ଘରକାମରେ ବାପାଙ୍କୁ ସାହାଯ୍ୟ କରିବା ସହ ପାଠ ବି ପଢେ । ବଡ଼ଝିଅ ମାସକୁ ଥରେ ଲେଖାଁ ଆସି ପରିବାର କଥା ବୁଝି ଦେଇ ଯାଏ ।ତା' ଶାଶୂଘର ଗାଁରୁ ଘର ପାଇଁ ଚାଉଳ ଗହମ ଇତ୍ୟାଦି ଆଣି ଆସେ ।ଏଠାରେ ଆସି ଗହମ ପାଛୁଡି ଧୋଇ ଭଉଣୀ ହାତରେ ପେଷେଇ ମାସକ ପାଇଁ ଅଟା ଥୋଇବା , ମୁଗ ଆଣିଥିଲେ ତାକୁ ଭାଜି ଡାଲି କରି ଥୋଇଦେଇ ଯିବା କାମ କରିଦିଏ । ମାଉସା ବହୁତ ଗର୍ବ କରନ୍ତି ନିଜ ଝିଅ ମାନଙ୍କୁ ନେଇ । ସ୍ତ୍ରୀ ପାଗେଳୀ ହେଲେ ବି ଦିନେ ସ୍ତ୍ରୀ ପାଇଁ ମନ ଦୁଃଖ କରନ୍ତିନି ବରଂ ସ୍ତ୍ରୀର ସମସ୍ତ କାମ ଯେମିତି ଗାଧେଇ ଦେବା ,ଲୁଗା ଧୋଇ ଦେବା ଇତ୍ୟାଦି କାମ କରିବାରେ କୁଣ୍ଠାବୋଧ କରନ୍ତିନି । ସlନଝିଅ ବେଳେ ବେଳେ ବିରକ୍ତି ଭାବ ପ୍ରକାଶ କରେ ଓ କୁହେ ମା'ଟା କେତେ ମୋ' ବାବାଙ୍କୁ ହଇରାଣ କରୁଚି ଆଉ କରିବ କେଜାଣି । ତା' ପିଲାଦିନ କଥା ବେଳେ ବେଳେ କହି ପକାଏ । ବାବା ତାଙ୍କ ଜୀବନରେ ଖୁସି କ'ଣ ଜାଣି ନାହାନ୍ତି ।ସେମାନେ ଛୋଟ ଥିବା ସମୟରେ ମଉସା ରାତି ୪ଟାରୁ ଉଠି ଜଳଖିଆ ବନେଇ ନିଜେ ଖାଇ ଛୁଆ ମାନଙ୍କୁ ଉଠେଇ ଜଳଖିଆ ଖୁଆଇ (ଏ ସିଫ୍ଟ) ଡ୍ୟୁଟି ଯାଉଥିଲେ । ଆସିଲେ ଦିନ ୨ଟା ; ପୁଣି ରୋଷେଇକରି ପରିବାରକୁ ଖୁଆଉ ଥିଲେ । ଟିକେ ବିଶ୍ରାମ କରି ପିଲାଙ୍କୁ ପଢେଇବା ତାପରେ ରାତି ପାଇଁ ରୋଷେଇ। ଏଇୟା ଥିଲା ତାଙ୍କ ଦିନଚର୍ଯ୍ୟl ।

    ଏହିସବୁ ଭିତରେ ଦୁଇବର୍ଷ ପାରି ହୋଇଯାଏ ଓ ସ' ନ ଝିଅର ପି .ଜି ସରିଯାଏ । ବାହାଘର ପ୍ରସ୍ତାବ ଆସେ । କିନ୍ତୁ ଝିଅ ଘରର ପରିସ୍ଥିତି ଦେଖି ବାହା ହେବା ପାଇଁ ନାରାଜ। କୁହେ ବି .ଏ.ଡ କରି ସ୍କୁଲରେ ମାଷ୍ଟରାଣୀ ହେବି ନ ହେଲେ କଲେଜରେ ଅଧ୍ୟାପିକା ହେବି। ବଡ଼ ଝିଅ କିନ୍ତୁ ବେଶ  ଭଲ ପ୍ରସ୍ତାବଟିଏ ଆଣିଥାଏ । ପିଲାଟିର ବାପା ଝିଅକୁ ବଡ଼ଝିଅ ଘରେ ଦେଖି ବହୁତ ଉତ୍ସହିତ ଥିଲେ ନିଜ ପୁଅ ପାଇଁ ବାହାଘର କରିବାକୁ । ସେ ନିଜେ କଲେକ୍ଟର । ଗୋଟେ ପୁଅ ; ଝିଅ ଦୁଇଜଣ ବାହା ହୋଇ ଯାଇଛନ୍ତି । ପୁଅ ଦିଲ୍ଲୀରେ କମ୍ପାନୀ ଚାକିରୀ । ଘରେ କେବଳ ସ୍ତ୍ରୀ ଓ ବୁଢ଼ୀ ମ।' ମଉସା ମଧ୍ୟ ଖୁସି । ଏତେ ଭଲ ପ୍ରସ୍ତାଵ ମିଳିବନି । ବନ୍ଧୁବାନ୍ଧବଙ୍କ ସହାୟତାରେ ବାହାଘର କରିଦେଲେ । ଏବେ ଘର ସମସ୍ତ ଦାୟିତ୍ୱ ନିଜକୁ ତୁଲାଇବାକୁ ପଡିଲା । ସେପଟେ ସାନଝିଅକୁ ନେଇ ବହୁତ ଖୁସି । ବହୁତ ଭଲରେ ଥିଲା ଦିଲ୍ଲୀରେ । ବଡ଼ ଝିଅ ମଝିରେ ମଝିରେ ଆସି ବୁଲି ଯାଏ ।କିଏ ଅଛି ଦେହରେ ମୁଣ୍ଡରେ ଟିକେ ହାତ ବୁଲାଇବାକୁ। ଧୀରେ ଧୀରେ ଶରୀର ଦୁର୍ବଳ ଓ କ୍ଷୀଣ ହେବାରେ ଲାଗିଲାଣି । ଆଉ ସକାଳେ ବୁଲିବାକୁ ଯାଇ ପାରୁ ନାହାନ୍ତି । ପରିବା ଆଣିବାକୁ ଜଣେ ପୁତୁରାକୁ କୁହନ୍ତି ନହେଲେ ତା'ସହ ଗାଡ଼ିରେ ବସି ଯା'ନ୍ତି । କିଏ ଜଣେ ଦୂର ସମ୍ପର୍କୀୟ ରାଜସ୍ଥାନରେ ଥା'ନ୍ତି । ସେ କୌଣସିମତେ ପୁଅକୁ ବୁଝାସୁଝା କରି ସେଠାକୁ ନେଇ ଗୋଟେ କାମରେ ଲଗାଇ ଦିଅନ୍ତି । ମାଉସା ଟିକେ ଶାନ୍ତିରେ ନିଶ୍ୱାସ ମାରନ୍ତି । ମୋ' ଅନ୍ତେ ଭଉଣୀ ମାନଙ୍କ ଉପରେ ବୋଝ ନ ହେଉ ବୋଲି ଭାବନ୍ତି । ବିଚରା ମୋ' ଝିଅ ମାନେ କେତେ କରିବେ ? ପାଗେଳୀ ମା'କୁ ତ ମୋ' ପରେ ସମ୍ଭାଳିବେ ; ପୁଣି ଏ ଭେଣ୍ଡା ପୁଅକୁ ବି । କିନ୍ତୁ ପୁଅ କାମରେ ଲାଗିବl ପରେ ନିଜକୁ ବେଶ ହାଲୁକା ମନେ କରୁଥିଲେ ।

         ୟା' ଭିତରେ ୪/୫ ବର୍ଷ ବିତି ଗଲାଣି । ଆମେ ଘର ବଦଳାଇ ନୂଆ ଯାଗାକୁ ଆସି ଯାଇଛୁ । ସେ ବର୍ଷ ପ୍ରବଳ ଶୀତ ପଡିଥାଏ । ସକାଳ ପ୍ରାୟ ଆଠଟା କି ସାଢେ ଆଠଟା ହେବ ଫୋନ ବାଜି ଉଠିଲା ମୋର । ଫୋନ କରିଥିଲେ ପୁରୁଣା ଘର ପଡୋଶୀ | ଷଡ଼ଙ୍ଗୀ ମଉସା ଗାଧୁଆ ଘରେ ସକାଳୁ ପଡି ଯାଇଛନ୍ତି । କ୍ଷୀରଵାଲା କବାଟ ବlଡେଇଛି । କେହି ନ ଖୋଲିଲାରୁ କବାଟ ଆଉଜା ହୋଇଥିବା ଦେଖି ଭିତରେ ପଶିଲା । ମଉସା ଗାଧୁଆ ଘରେ ପଡି ଥିବାର ଦେଖି ପଡିଶା ଘର ଲୋକଙ୍କୁ ଡାକି ଉଠାଉଠି କରି କୌଣସିମତେ ହସ୍ପିଟାଲରେ ଆଡ଼ମିଟ କରି ତାଙ୍କ ଝିଅ ମlନଙ୍କୁ ଫୋନ କଲେ । ଝିଅ ଦୁଇଜଣ ରାଞ୍ଚି ଆସି ପହଁଚିଲା ବେଳକୁ ଆଉ କିଛି ନଥିଲା । ସବୁ ସରି ଯାଇଥିଲା । ହୃଦ୍ଘାତ ଜନିତ ମୃତ୍ୟୁ ବୋଲି ଡାକ୍ତର ଘୋଷଣା କରି ସାରିଥିଲେ । ଏବେ ଥିଲା ପୁଅକୁ ଅପେକ୍ଷା । ଜୀବନ ସାରା ଯାହା ପାଇଁ ସବୁଠୁ କଷ୍ଟ ଓ ଦୁଃଖ ପାଇ ଆସିଥିଲେ ସେ ପୁଣି ମୁଖାଗ୍ନି ନ ଦେଲେ ମଉସାଙ୍କର ଆତ୍ମା ଶାନ୍ତି ହେବନି ! ଧନ୍ୟ ଆମ ପ୍ରଥା ଓ ବିଚାର ।ଯାହା ହେଉ ପୁଅ ତା'ପର ଦିନ ସନ୍ଧ୍ୟାରେ ଆସି ରାଜସ୍ଥାନରୁ ପହଞ୍ଚିବା ପରେ ଶବ ସଂସ୍କାର ହେଲା । ସମସ୍ତ କ୍ରିୟା କର୍ମ ଝିଅମାନେ ସମାପନ କଲେ । ମା'ର ଦାୟିତ୍ବ ଏବେ ଦୁଇ ଝିଅଙ୍କ  ଉପରେ । ସେଦିନ ବୋଧେ ମାଉସୀଙ୍କର ଦାୟିତ୍ୱ ଦୁଇ ଝିଙ୍କ ହାତରେ ସମର୍ପି ସେ ମହାନ ଆତ୍ମା ଚୀରବିଶ୍ରାମ କଲେ ବୋଲି ମୁଁ ଭାବେ । ପ୍ରକୃତରେ କଥାଟି କଣ ସତ ନୁହେଁ କି "ଦୁହିତା , ଦୁଇ କୂଳକୁ ହିତା" ??
                                         ❇ରାଉରକେଲା❇
                           Smitamohanty73@gmail.com
                                 ଜୟ ସାହିତ୍ୟ, ଜୟ ସମାଜ🌠

ଅଗ୍ନିପୀଡ଼ା

ସ୍ନେହଲତା ଦାସ ଲେଙ୍କା 

            ଆୟଦ ପାଖରୁ ଅଚାନକ ଫୋନ୍ ପାଇ ମୋ ମନଟା ଅସ୍ଥିର ଲାଗିଲା । କିଛି ତ କହିଲାନି କେବଳ କଇଁ କଇଁ କାନ୍ଦୁଥିଲା । ତାକୁ ବୋଧ ଦେଇ ଘଟଣା କ'ଣ ଜାଣିଲା ବେଳକୁ ମୋବାଇଲ୍ ସୁଇଚ୍ ଅଫ୍ । ଚାର୍ଜ ହେବା ପରେ ଫୋନ୍ କଲା ବେଳକୁ ଫୋନ୍ କହୁଥାଏ - ଆପ୍ ଯୋ ନମ୍ବର୍ କୋ ଡାଏଲ୍ କର୍ ରେହେ ଓ୍ବହ ଅଭି ପହଂଚ୍ ସେ ବାହାର୍ ହେ । ସତରେ ଆୟଦ ଏବେ ମୋ ଠାରୁ ଅନେକ ଦୂରରେ ରହୁଚି । ଦିନ ଥିଲା ଆମେ ଖୁବ୍ ପାଖାପାଖି ରହୁଥିଲୁ । ଗୋଟିଏ ଗାଁରେ । ଦୁଇଟି ସାହିର ଏପାଖେ ସେପାଖେ । ଏପଟ ସାହିର ମନ୍ଦିରରେ ଘଣ୍ଟଘଣ୍ଟା ବାଜିଲେ ସେପଟ ସାହି ମସଜିଦ୍‌ରୁ ଶୁଭେ ଆକ୍ରାମ ମିଆଁର "ଆଲ୍ଲା ହୋ ଆକବର୍"ର ସ୍ବର । ନିତି ସକାଳର ସୂର୍ଯ୍ୟୋଦୟ ମୁଁ ତାଙ୍କ ଘରେ ଦେଖୁ ଥିଲି ଆଉ ସେ ଆମ ଘରେ ସୂର୍ଯ୍ୟାସ୍ତ । ଖୁଦୁରୁକୁଣି ଓଷାରେ ଆୟଦ ତୋଳି ଦିଏ ମୋ ଲାଗି କଇଁଫୁଲ । ମୁରୁଜ ବୁଣି ଦିଏ ପଞ୍ଚୁକରେ । ଆଉ ମୁଁ ଯାଏ ତା ଘରକୁ ଫାତିଆ ଇଫତାର୍‌ରେ । ପ୍ରତ୍ୟେକ ବର୍ଷ ଇଦ୍‌ରେ ଇଦ୍ ଉପହାର ନେବା ଲାଗି ଆୟଦ ସହ ମୋ ହାତଟିକୁ ଲମ୍ବେଇ ଦିଏ ଆୟଦର ଦଦ୍ଦୁ ନିକଟକୁ । ଦଦଦୁ ବଢେଇ ଦିଅନ୍ତି ଖଡଖଡ ପାଞ୍ଚଶହ ଟଂକିଆ ନୋଟ୍ ଖଣ୍ଡେ ଖଣ୍ଡେ  । ଫି ବର୍ଷ ଜାଗରରେ ଆୟଦ ମୋ ହାତରେ ଦୀପଟିଏ ଧରେଇ କହେ , ଜଳାଇ ଦେବୁ ଭଗବାନଂକ ପାଖରେ । ମୁଁ ଥଟ୍ଟାକରି କହେ - କି.. ଲୋ କାହାଲାଗି ? ଟିକିଏ ଲାଜେଇ ଧିରେ କିନା କହେ ସେ - ମୋର ଜଣେ ଅଜିଜ୍ ଦୋସ୍ତ ଅଛି । ମୁଁ ଜଳେଇ ଦିଏ ତା ଦୀପ ମୋ ଦୀପ ନିକଟରେ । ଜଣା ପଡେନା କୋଉ ଦୀପଟି କୋଉ ସଂପ୍ରଦାୟର । ଦୀପର ଆଲୁଅରେ ହିନ୍ଦୁ ମୁସଲମାନ ଏକାକାର ହୋଇ ଯାଏ ।


            ଖୁବ୍ ଜଲଦି ଆୟଦ୍‌ର ନିକାହା ହୋଇଗଲା । ତା ବର ଯେ ସେହି ଅଜିଜ୍ ଦୋସ୍ତ କୋ ନାଁ ମୁଁ ଜାଣି ପାରିଲି ନାହିଁ । ଆୟଦ୍ ସାଦି କରି ଚାଲି ଗଲା ଅଲଗା ସହରକୁ । ଆଉ ମୋର ବି ବାହାଘର ହୋଇଗଲା । ସାଂସାରିକ ଜଂଜାଳ ଭିତରେ ଛନ୍ଦି ହୋଇ ଭୁଲି ହୋଇ ଯାଇଥିଲା ଆୟଦ ମୋ ମନ ଭିତରୁ । ହଠାତ୍ ଏତେ ବର୍ଷ ପରେ ତା'ଠୁ ଫୋନ୍ ପାଇ କିଛି କଥା ହୋଇ ନ ପାରି କେବଳ ତା କାନ୍ଦକୁ ହିଁ ଶୁଣିଥିଲି । ଭାଗ୍ୟ ଭଲ ଶେଷ ଥର ଯୋଉ ଗାଁକୁ ଯାଇଥିଲି ତା ଘରୁ ଆୟଦର ଠିକଣା ଆଣି ରଖି ଥିଲି । ସ୍ଥିର କଲି ତାକୁ ଦେଖା କରିବାକୁ ଯିବି ବାଲେଶ୍ବର । ମୋ ସାନ ଭଉଣୀ ବି ରହୁଚି ଏବେ ବାଲେଶ୍ବରରେ। ପିଲା ମାନଂକର ଏବେ ସ୍କୁଲ୍ ଛୁଟି ମଧ୍ୟ ପଡି ଯାଇଚି । ତେଣୁ ଏବେ ଯିବା ଲାଗି କିଛି ଅସୁବିଧା ନାହିଁ । ମୋ ସହରରୁ ବାଲେଶ୍ବରକୁ ଯିବା ପାଇଁ ମାତ୍ର ତିନି ଘଣ୍ଟାର ସମୟ । ବସ୍‌ରେ ଗଲା ବେଳେ ତିନି ଘଣ୍ଟା ଭିତରେ ମୁଁ ପ୍ରାୟ ତିନି ଶହ ଥର ଫୋନ୍ ଲଗେଇ ସାରିଲିଣି ଆୟଦ ପାଖକୁ । ରିଂ ହୋଇ କଟି ଯାଉଚି । ବାଲେଶ୍ବରରେ ବସ୍ ପହଂଚୁ ପହଂଚୁ ଦିନ ଗୋଟାଏ । ଭୋକରେ ପେଟ ଆଉଟୁ ପାଉଟୁ । ମୋ ସାନ ଭଉଣୀର ସ୍ବାମୀ ମୋତେ ନେବାକୁ ଆସିଥିଲେ । ଭଉଣୀ ଘରେ ପହଂଚି ଖାଇ ସାରିବା ବେଳକୁ ଦିନ ଚାରିଟା ।
   
        ରିଂ କଲି ଆୟଦ ପାଖକୁ । ନଟ୍ ରିଚବ୍ଲ୍‌ । ସ୍ଥିର କଲି ଯାହା ବି ହେଉ ଆଜି ଦେଖା କରିବି । ଆୟଦର ଘର ଖୋଜିବାକୁ ବେଶୀ ଡେରି ହେଲାନି । ସୁନହଟ୍ ମାର୍କେଟ୍ ଛକରୁ ଟିକିଏ ଆଗରେ ଯୋଉ ଗଳି ଅଛି ,ସେଈଠି ଆୟଦର ଘର । ଦରଜା ଯେ ଖୋଲିଲେ ସେ ବୋଧେ ଆୟଦର ସ୍ବାମୀ ହେବେ । ଖୁବ୍ ଚିହ୍ନା ଚିହ୍ନା ଲାଗିଲା । ଚିହ୍ନିବାକୁ ବେଶୀ ଡେରି ହେଲାନି । ଏ ଯେ ଇମ୍ରାନ ଭାଇ । ପିଲାଦିନେ ଯାହାଙ୍କ ସହ ସାଥି ହୋଇ ଖୁବ୍ ଖେଳିଚୁ । ତା ଲାନେ ଆୟଦର ଅଜିଜ୍ ଦୋସ୍ତ କ'ଣ ଏ ଇମ୍ରାନ ଭାଇ ଥିଲେ । ଯାହାଙ୍କ ଲାଗି ଆମ ଗାଁ ମନ୍ଦିରରେ ଦୀପ ଜଳେଇବା ଲାଗି ମୋ ହାତରେ ଦୀପ ଦେଉଥିଲା । ଇମ୍ରାନ ଭାଇ ଘର ଭିତରକୁ ମୋତେ ପାଛୋଟି ନେଇ ଆୟଦକୁ ଡାକ ପକେଇଲେ  । ଅନେକ ଦିନ ପରେ ଆମେ ଦୁଇ ବାନ୍ଧବୀ ପରସ୍ପରକୁ ଦେଖି ଖୁବ୍ ଖୁସି ହୋଇ ଯାଇଥିଲୁ । ଗପି ଚାଲିଥିଲୁ ପୁରୁଣା ସ୍ମୃତିକୁ ନେଇ । ହେଲେ ପଚାରି ପାରୁନଥିଲି କାହିଁକି ସେଦିନ ଫୋନ କରି କାନ୍ଦୁ ଥିଲା ବୋଲି । ଲାଗୁଥିଲା ସେ ତା ସଂସାରରେ ବେଶ୍ ସୁଖୀ ଅଛି । ତଥାପି କ'ଣ ଏମିତି ଦୁଃଖ ରହିଗଲା ? ହୁଏତ କୌଣସି ଏକ ଛୋଟ କଥାକୁ ନେଇ ପତି-ପତ୍ନୀଂକ ମଧ୍ୟରେ ମତାନ୍ତର ଘଟି ଆୟଦ୍ ଭାଂଗି ପଡିଥିବ । ସାହାରା ଖୋଜି ଥିବ କାହା ପାଖରେ ନିଜ ମନ କଥା ଖୋଲି  କହିବା ପାଇଁ । ହାତ ପାହାନ୍ତାରେ ଥିବା ମୋବାଇଲ୍‌ରେ ମୋ ନମ୍ବରଟି ସାମ୍ନାକୁ ଆସି ଥିବ ,ଫୋନ୍ କରି କିଛି କହିବା ପାଇଁ ଚାହିଁବା ବେଳକୁ ଫୋନ୍ କଟି ଯାଇଥିବ । ତା'ପରେ....ତା' ରାଗ ସ୍ବାଭାବିକ ହୋଇ ଯାଇଥିବ ଏବଂ ଫୋନ୍ କରିବାକୁ ଆବଶ୍ୟକତା ପଡି ନାହିଁ ମୋ ପାଖକୁ ।

        ଆୟଦ ମୋତେ ତା ବେୈଠକ ଘରୁ ଶୋଇବା ରୁମ୍କୁ ନେଇଗଲା କିଛି ଦେଖେଇବାକୁ । ଗଡରେଜ୍‌ରୁ ବାହାର କରି ଦେଖେଇଲା ତା ପୁଅ-ଝିଅଙ୍କ ଫୋଟ । ଫୋଟ ଦେଖଉଥିବା ସମୟରେ ତା ଆଖି ଚକ୍ ଚକ୍ ମାରୁଥିଲା  ଢଳଢଳ ଲୁହରେ । ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ମୁଁ ପଚାରିଲି " କାହିଁ ତୋ ପିଲାମାନଂକୁ ଦେଖିବାକୁ ତ ପାଉନି । କୋଉଠି ଅଛନ୍ତି ?" ବୋହି ଆସୁଥିବା ଲୁହ ଧାରକୁ ନ ପୋଛି ଆୟଦ ଉତ୍ତର ଦେଲା ସେମାନେ ଏବେ ସେମାନଂକ ...(ଅବ୍ବୁ) ପାଖରେ ଅଛନ୍ତି । କଥାଟିକୁ ଠିକ୍ ରେ ମୁଁ ବୁଝି ପାରୁନଥିଲି । କେବଳ ବଲବଲ ହୋଇ ତା ମୁହଁକୁ ଚାହିଁଥିଲି । ସେ ମୋ ହାତ ପାପୁଲିରେ ତା ଡାହାଣ ହାତର ପାପୁଲିକୁ ଥୋଇ କହିଲା "ଜାଣିଚୁ ବିନି ସଂସାରରେ ନାରୀଟିଏ ହୋଇ ଜନ୍ମ ନେବା ଯେତିକି ସହଜ , ସଂସାରରେ ନାରୀଟିର ମନ ମୁତାବକ ଚଳିବା ତା'ଠୁ ଯଥେଷ୍ଟ କଷ୍ଟ । ମୋ ବିନା ମର୍ଜିରେ ବାହାଘର ସ୍ଥିର କରି ଦିଆଗଲା । ହୃଦୟରେ ସ୍ଥାନ ଦେଇ ଥିବା ମୋ ଅଜିଜ୍ ଦୋସ୍ତକୁ ନିକାଲି ଫିଙ୍ଗି ଦେଇ ଶାଶୂଘରେ ପାଦ ଦେଲି । ଅଚିହ୍ନା ମଣିଷଟିକୁ ନିଜର କରିବାକୁ ଚେଷ୍ଟା କଲି । ମୋ ଛୋଟ ହସଖୁସିର ସଂସାରକୁ କୁନିକୁନି ପୁଅ-ଝିଅ ଆସିଲେ ,ମୋ କୋଳ ପୂରିଲା । ସତେ କି ଆଲ୍ଲା ମେହେର୍ବାନ୍ ହୋଇ ପଡିଥିଲେ ମୋ ଉପରେ । କିନ୍ତୁ ଏ ଖୁସି ବେଶି ଦିନ ନଥିଲା ମୋ ଲାଗି । ମୋ ସ୍ବାମୀ କୋଉଠୁ କେମିତି ଜାଣିଲେ କେଜାଣି ମୋର ଏବଂ ଇମ୍ରାନ ଭାଇର ବିବାହ ପୂର୍ବର ସଂପର୍କ  ବିଷୟରେ । ରାଗରେ ସେ ତାଙ୍କ ହିତାହିତ ଜ୍ଞାନ ଭୁଲିଯାଇ ତାଙ୍କ ପାଟିରୁ ବାହାରି ପଡିଲା ତଲାକ୍ ତଲାକ୍ ତଲାକ୍ । ମୋ ଅଜାଣତରେ ମୋ ଉପରେ ଝଡଟିଏ ବହିଗଲା । ସେ ତାଙ୍କ ଭୁଲ୍ ବୁଝିଲା ବେଳକୁ ସବୁ ଶେଷ ।

          ଆମ ସଂପ୍ରଦାୟରେ ସ୍ବାମୀଟିଏ ତଲାକ୍ ଦେଇଥିବା ପତ୍ନୀକୁ ତୁରନ୍ତ ଗ୍ରହଣ କରି ପାରିବ ନାହିଁ । ନିୟମ ଅନୁଯାୟୀ ନାରୀଟିକୁ ନିକାହା କରିବାକୁ ପଡିବ ପୁଣି ଥରେ ଅନ୍ୟ ଏକ ପୁରୁଷ ସହ ଏବଂ ସେ ଦ୍ବିତୀୟ ସ୍ବାମୀଟି  ତାକୁ ତଲାକ୍ ଦେଇ ସାରିଲା ପରେ ସେ ତା'ର ପ୍ରଥମ ସ୍ବାମୀ ପାଖକୁ ପୁନଶ୍ଚ ଫେରି ଯାଇ ପାରିବ । ଏବେ ମୁଁ ଇମ୍ରାନ୍ ଭାଇକୁ ନିକାହା କରିଛି ।  ଦେହ ସିନା ଏଠି ମନଟା କିନ୍ତୁ ମୋ ପିଲା ମାନଙ୍କ ପାଖରେ , ମୋ ପିଲା ମାନଙ୍କ ବାପାଙ୍କ ପାଖରେ । ହେଲେ ମୋତେ ଏଠି ଗୋଟିଏ ସ୍ତ୍ରୀ , ଗୋଟିଏ ବୋହୂର କର୍ତ୍ତବ୍ୟ କରିବାକୁ ପଡୁଚି । ଅନେକ ଥର ନେହୁରା ହେଲିଣି ଇମ୍ରାନ୍ ଭାଇ ମୋତେ ତଲାକ୍ ଦେଇଦିଅ । ହେଲେ ସେ ବିଲ୍କୁଲ୍ ଶୁଣୁ ନାହାଁନ୍ତି । ବରଂ ମୋ ଉପରେ ତାଙ୍କ ସ୍ବାମୀତ୍ବ ଜାହିର୍ କରୁଚନ୍ତି ।

   କଇଁକଇଁ ହୋଇ କାନ୍ଦି ଉଠିଲା ଆୟଦ । ମୁଁ ତା କାନ୍ଦକୁ ରୋକୁ ନଥିଲି । ସେ କାନ୍ଦୁ । ଛାତି ତଳେ ହୁ ହୁ ଜଳୁଥିବା ଅସହାୟତା  ନିଆଁ ତତଲା ଲୁହରେ ବୋହିଯାଉ । ଜୀବନର ଜଟିଳ ଦୋ' ଛକିରେ ଆମେ ଦୁଇ ନାରୀ ଛିଡା ହୋଇଥିଲୁ । ନିଜ ନିଜ ସମ୍ପ୍ରଦାୟର ନୀତିନିୟମ ଓ ପରଂପରାରେ ପେଷି ହୋଇ ତରଳି ଚାଲିଥିଲା ଗୋଟେ ନାରୀ । ଆଉ ଗୋଟିଏ ସଂପ୍ରଦାୟର ନାରୀଟିଏ ମୁଁ , ନିରୁପାୟରେ ତା ଆଗରେ ପଥର ପାଲଟି ଯାଇଥିଲି 

ଝାରପଡା ଭୁବନେଶ୍ବର▪
ଜୟ ସାହିତ୍ୟ, ଜୟ ସମାଜ

ଗରିବ ବିଚ଼ରା

ବିରଞ୍ଚି  ନାରାୟଣ ମଲ୍ଲିକ 






ମୋ' ଲାଗି ମହଲ  ଥିଲା ଚାଳଘର

         ଉଜାଡି ଦେଇଛି ଫନି

ମୋ' ଛୋଟ ସଂସାରେ  ପଡିଲା ନଜର

        ସୁଖ ଶିରୀ ସହିଲାନି ।
ହୃଦେ ଜାଗେ ବ୍ୟଥା  ଘୂରି ଯାଏ ମଥା
       ପାଟି ମାରିଯାଏ ଖନି
ଦଇବ ତ ଦେଲା  ସେ ଦାରୁଣ ଦୁଃଖ
       ଆଖିରୁ ଝରଇ ପାଣି ।
 ଉଡିଲା ଛପର  ଭାଙ୍ଗି ଗଲା ଘର
      ଆଉଜା' ରହିଲା ବାକି
ସେହି ବାକି ଏହି  ଜୀବନ ମୋହର
       ରହିଗଲା ମୂକସାକ୍ଷୀ ।

ମୋ' ଘରେ କୁଣିଆଁ  ସୂର୍ଯ୍ୟ ଚନ୍ଦ୍ର ତାରା

      ନିତି ହୁଏ ଦେଖାଦେଖି
ଦିନକୁ ଦି'ମୁଠା  ନ ମିଳେ ଆହାର
    ମୋ' ପିଲା ଗଲେଣି ଶୁଖି ।
ତା' ଶୁଖିଲା ଓଠ  ମୁହଁକୁ ଚାହିଁଲେ
       ସହିବ କି ବାପ ଛାତି
ଭୋକ ଉପାସରେ  ସିଝୁଛୁ ଖରାରେ
      ତାରା ଗଣି ବିତେ ରାତି ।
ବାତ୍ୟା ଆସି ଗଲା  ସୁଖ ଲୁଟି ନେଲା
     ମୋ' ଘରେ ଜଳୁନି ଚୁଲି
ରାସନ୍‌ କାର୍ଡ୍‌ଟି  ନାହିଁ ବୋଲି ମୋର
     ବାତ୍ୟା ଆସି ନାହିଁ ବୁଲି  ।
ଉଜୁଡା ସଂସାର  ସଜାଡୁଛି ମୋର
       ମୁଣ୍ଡ ଝାଳ ତୁଣ୍ଡେ ମାରି
ହୋଇ ବାସହରା  ଖୋଜୁଛି ସାହାରା
      ସର୍ଭେ କଲେ ସରକାରୀ ।
ସର୍ଭେ ତାଲିକାରେ  ନାମ ନାହିଁ ମୋର
        ଘରଭଙ୍ଗା ମିଳିବନି
ସରକାରି ଦାନ  ହୁଏ ବାଟବଣା
    ଲୁଟେ ରାଜନେତା ଧନି ।
ନେତା ଅଫିସର  ଗରିବ ରକତ
       ପିଉଥା'ନ୍ତି ନିତି ଝୁଣି
ଗରିବ ବିଚରା  ଜଳକା ଚାହିଁଛି
      ମରଣର ଦିନ ଗଣି ।

ପାଟେଳି,ନିଆଳି,କଟକ 
ଜୟ ସାହିତ୍ୟ, ଜୟ ସମାଜ

ମାତୃଭାଷା ମାଆର ମମତା

ପ୍ରଦୀପ କୁମାର ସାହୁ

ପଢ଼ି ଦେଲେ ପାଠ ହୁଏ କି ଶିକ୍ଷିତ
                       ବ୍ୟବହାର ନାହିଁ ଜଣା ,     
ଅମଣିଷ ବୋଲି ସଭିଏଁ କୁହନ୍ତି
                      ସଂସାରରେ ହୁଏ ଗଣା  l
ଭାଷା ଜ୍ଞାନ ନାହିଁ ସେ କାହୁଁ ଜାଣିବ
                                 ସାହିତ୍ୟିକ ବୋଲାଇବ ,
ଜଗତେ କେବଳ ଜନ ହସିବେ ତ
                                    ସୁରକ୍ଷା କାହୁଁ ବୁଝିବ  l           
କବି କବୟିତ୍ରୀ ହୁଅ ଧୀର ମତି
                                  ଭାଷାକୁ ସମ୍ନାନ ଦିଅ ,
ହେବ ଅଗ୍ରଗତି ଭାଷା ହିଁ ସମ୍ପତ୍ତି
                                  ଅଵିଵେକୀ ତ ନ  ହୁଅ  l
ଉତ୍କଳ ମାଟିରେ ଜନମ ହୋଇଛ
                                  ମାତୃଭାଷା ତହୁଁ ଶିଖ ,
ମାତୃଭାଷା ପରା ଅମୃତର ଝର
                                ପାନ କରି ତାକୁ ଚାଖ  l
ମାତୃ ସ୍ତନୁ ଯେହ୍ନେ ଝରଇ ଅମୃତ
                                  ମାତୃଭାଷା ସେହିପରି ,
 ପାନ କର ଆହେ କବି କବୟିତ୍ରୀ
                                      ଭୋକ ଶୋଷ ଯିବ ମରି  l
ଜୀବନଟି ତବ ଧନ୍ୟ ହୋଇଯିବ
                                  ମାତୃଭାଷା ପାନ କରି ,
ତେବେ ଯାଇ ତୁମେ ମାଆର ମମତା
                                       ବୁଝି ଯିବ ଆପେ କରି  ।

ସରସରା-ବୌଦ୍ଧ
ସେଲ୍‌ ଫୋନ୍‌ -୮୬୫୮୧୦୯୩୭୧
ଜୟ ସାହିତ୍ୟ, ଜୟ ସମାଜ

ମଦ ବନାମ ଜାଣି ମରଣ ଆମନ୍ତ୍ରଣ

    ସନ୍ଦୀପା ମହାପାତ୍ର
ମଦ ଏମିତି ଏକ ସୁପରିଚିତ ଜିନିଷ , ବାଲ୍ଯ ଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ଜୀବନ କହିଲେ ଚଳେ । ଟିଭି,ଖବରକାଗଜ ଇତ୍ଯାଦିରେ ନିତିଦିନ ବାହାରୁଛି  - "ମଦ୍ଯପାନ ସ୍ବାସ୍ଥ୍ୟ ପକ୍ଷେ କ୍ଷତି କାରକ।" ହେଲେ ଲୋକ ମାନେ କ'ଣ ସେ ସବୁକୁ ଶୁଣୁଛନ୍ତି ନା ମାନୁଛନ୍ତି ? ଯେମିତି ଏପଟ କାନରେ ପୂରାଇ ସେପଟ କାନରେ ବାହାର କରି ଦେଉଛନ୍ତି । ହେଲେ ସେହି ମଦ ପାଇଁ ଆମ ସରକାର ମାନ୍ଯବର ଶ୍ରୀ ନବୀନ ବାବୁ ଲାଇସେନ୍ସ ଉପରେ ଲାଇସେନ୍ସ ଦେଇ ଚାଲିଛନ୍ତି ଗଳି ଗଳିରେ,ଛକକୁ ଛକ ମଦ ଦୋକାନ ଖୋଲିବା ପାଇଁ । ଏମିତିକି ସେ ଗୋଟିଏ କଥା ପ୍ରଚାର କରିଛନ୍ତି ଯେ ସବୁଠୁ ଅଧିକ ମଦ ଯିଏ ସେଲ୍‌ କରି ପାରିବ , ତାକୁ ଆୱାର୍ଡ  ମିଳିବ । ଏହାଠୁ ଲଜ୍ଯାର କଥା ଆମ ସମାଜ ପାଇଁ ଆଉ କ'ଣ ହୋଇପାରେ ?

 ସବୁଠୁ ଶସ୍ତା ଏବଂ ସୁନ୍ଦର ମଦ ଗାଉଁଲି ଲୋକଙ୍କ ପାଇଁ ଆସ୍କାଫର୍ଟି, ଯା'ର ମୂଲ୍ଯ ମାତ୍ର ୫୦ ଟଙ୍କା । ଆମ ନବୀନ ବାବୁ ସେ ସବୁକୁ ପୁରା ଖୁଲମ ଖୁଲା ବିଚ୍‌ ବଜାରରେ ବିକ୍ରି କରିବାକୁ ଆଦେଶ ଦେଉଛନ୍ତି । ୧୯ ବର୍ଷର ଶାସନ ଭିତରେ କିଛି କରନ୍ତୁ କି ନାହିଁ , ହେଲେ ୨୦୧୯ ମସିହାରେ ସେ ତାଙ୍କ କାମ କରିକି ଦେଖାଇ ଦେଲେ । ସମସ୍ତଙ୍କ ଘରେ ଘରେ ମଦ ପୂରାଇ ଦେଲେ ଆଉ କାହାକୁ ଯେ ବାକି ରଖିଲେ ? ଯେମିତି ଭାତ ସହିତ ତରକାରୀ ଜରୁରୀ , ଆଜିର ଲୋକଙ୍କ ପାଇଁ ମଦ ସେମିତି ଜରୁରୀ ହୋଇପଡିଛି । ଆମ ସରକାର ମାନ୍ଯବର ଶ୍ରୀ ନବୀନ ବାବୁ କ'ଣ ଚାହାଁନ୍ତି  ଦେଶର ଭବିଷ୍ଯତକୁ ଏମିତି ନଷ୍ଟ କରିବାକୁ ! ସେ ସିଧା ସଳଖ ଭାବରେ କିଛି ନ କରି ଏମିତି  ମଦ ମାଧ୍ଯମରେ ମଧ୍ଯବିତ ପରିବାରର ଓ ପୂରା ଗରିବ ମାନଙ୍କର ଜୀବନକୁ ବର୍ବାଦ କରିକି ଛାଡିବେ ! ତା'ଠୁ ସୁନ୍ଦର ଜିନିଷ ଦ୍ବିତୀୟ ବର୍ଗର ମଣିଷଙ୍କ ପାଇଁ ରଖିଛନ୍ତି ଆସ୍କାଫର୍ଟି ସହ କୁକୁଡା ମାଂସ ୨ଖଣ୍ଡ ପକାଇ ଲୋକଙ୍କଠୁ କାମ ହାସଲ କରି ନେବେ । 

   ମଦୁଆ ମାନେ ମଦ ପିଇବାକୁ ଘରର ଭିଟାମାଟିକୁ ବି ବନ୍ଧା ପକାଇବା ବା ବିକ୍ରି କରିବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି । ଭିଟାମାଟି ତ ପଛକଥା ; ଦରକାର ପଡ଼ିଲେ ସ୍ତ୍ରୀର ଶଙ୍ଖା - ମଙ୍ଗଳସୂତ୍ର ବିକିବାକୁ ମଧ୍ୟ ପଛାଉ ନାହାଁନ୍ତି । ଯେଁଉଟାକି ଗୋଟିଏ ସଧବା ନାରୀର ପରିଚୟ ଏମିତିକି ପିଇବାକୁ ପାଖରେ ଟଙ୍କା ୫୦ ନ ଥିଲେ ଘରର ଇଜତ ବା ନିଜ ସ୍ତ୍ରୀ-ମା-ଭଉଣୀଙ୍କୁ ବନ୍ଧା ପକାଇବାକୁ ଲୋକ ପଛଘୁଞ୍ଚା ଦେଉ ନାହାନ୍ତି । ମଦ ପାଇଁ ମଣିଷ କେଉଁ ସ୍ତରକୁ ଆସି ଯାଉଛନ୍ତି ତାହା ଅବିଶ୍ବାସ ମୂଳକ ।

   ମାନ୍ଯବର ଶ୍ରୀ ନବୀନ ବାବୁ ଏମିତି ଯୋଜନା କରି ସେମାନଙ୍କ ସଂସାର ଉଜାଡ଼ିବାକୁ ବସିଛନ୍ତି । ଲୋକେ ତ ଟଙ୍କା ଲୋଭରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ବାବୁଙ୍କୁ ଜିତଉଛନ୍ତି । ନବୀନ ବାବୁ ଜିତି ଗଲା ପରେ , ସେ ନିଜେ ବା ତାଙ୍କ ଦଳୀୟ ନେତା ସାଧାରଣ ଜନତାଙ୍କୁ ଦେଇଥିବା ପ୍ରତିଶୃତି ବି ମଧ୍ୟ ଭୁଲି ଯାଆନ୍ତି । କେତେ ମା' , ସ୍ତ୍ରୀ , ଭଉଣୀ , ବାପା ଇତ୍ଯାଦି ହା' ହା'କାର ହୋଇ ବୁଲୁଛନ୍ତି । କେଉଁଠୁ କିଛି ଔଷଧ ମିଳୁଛି ମଦ ଛାଡିବା
ପାଇଁ । ଆଉ କିଛି ଲୋକ ଲୋକଙ୍କୁ ନେଇ ନିଶା ନିବାରଣ କେନ୍ଦ୍ରରେ ଛାଡୁଛନ୍ତି । ହେଲେ କ'ଣ ଯେ ହେବ ? ସରକାର ଆମଠୁ ସବୁ ପ୍ରକାରରେ ଟଙ୍କା ଝୁଣି ଝୁଣି ନେଉଛନ୍ତି । ପିଇବା ପାଇଁ ନେଲେ ଟଙ୍କା , ସେ ପିଇକି କେଉଁଠି ରାସ୍ତାରେ ପଡ଼ି କାହାକୁ ମାର୍‌ପିଟ୍‌ କର ଇତ୍ଯାଦି ପାଇଁ ଟଙ୍କା ; ଏପଟେ ଔଷଧ ପାଇଁକା ଟଙ୍କା - ସେ ସବୁ ପ୍ରକାରେ ଆମଠୁ ଶୋଷି ନେଉଛନ୍ତି ଟଙ୍କା । ହେଲେ ଆମେମାନେ ସେ କଥା ନ ବୁଝି ଭୋଟ୍‌ ସମୟରେ କିଛିଟା ଟଙ୍କା ଲାଳସାରେ ତାଙ୍କୁ ଭୋଟ୍‌ ଦେଇ ପୁଣି ଜିତେଇ ଥିଲୁ କିଛି ନୂଆ କାମ କରିବେ ଏ ସମାଜ ପାଇଁ ।  ତା' ବଦଳରେ ସେ ଏ ସମାଜକୁ ନଷ୍ଟ କରିବା ପାଇଁ ଆଉ ଏକ ନୂଆ ଯୋଜନା କରିଲେ ।

      ଘରେ ଖାଇବାକୁ ମୁଠେ ନଥିବ ଆଉ ଚୂଲି ମୂଳେ ବିଲେଇ ଶୋଇଥିବେ , ସପରିବାର ମୁଣ୍ଡ ଗୁଞ୍ଜିବାକୁ ଘର ଉପରେ ନଥିବ ଛଣ ; ଦିନ ଦ୍ବିପ୍ରହର ଆଲୁଅରେ ଦେଖା ଯାଉଥିବେ ସୂର୍ଯ୍ୟ ।  ରାତି ହୋଇଗଲେ ଆକାଶରେ ସେ ଚିକ୍‌ମିକ୍‌ କରୁଥିବା ତାରା ଗଣୁଥିବେ ; ମା , ମାଉସୀ,ଭଉଣୀ, ସ୍ତ୍ରୀ  କେଉଁଠି ଯାଇ ପର ଘରେ ବାସନ ମାଜି କେତଟା ଟଙ୍କା ଆଣି ଥିବେ କ'ଣ ଟିକେ ଖାଇବା ପାଇଁ । ହେଲେ ସେତକ କରାଇ ଦିଅନ୍ତି ନାହିଁ ଆଜିର ମଦୁଆ ମାନେ । ଟଙ୍କାକୁ ତ ଦେଖୁ ଦେଖୁ ତାଙ୍କୁ ପିଇବା କଥା ମନେ ପଡେ । ତାଙ୍କର କ'ଣ ଅଛି ସ୍ତ୍ରୀ,ପିଲା,ମା,ଭଉଣୀ ଖାଇଲେ କି କୁଆଡେ ମଲେ-ଗଲେ , ତାଙ୍କୁ ଦିନକୁ ୩ ଓଳି ମଦ ପିଇବାକୁ ମିଳି ଗଲେ ତାଙ୍କ  ଦିନ ଆନନ୍ଦରେ କଟେ । ଯେମିତି ସେ ସତେ ସ୍ବର୍ଗର କେଉଁ ଅପସରୀ ରମ୍ଭା,ମେନକା,ଉର୍ବଶୀଙ୍କ ପାଖରେ ଅଛନ୍ତି ବୋଲି ।ମଦ - ମ-ରେ ମୃତ୍ୟୁ ଓ ଦ - ରେ ଦରିଦ୍ର  । ଅନ୍ଧ ସରକାର ସ୍ଥାଣୁ ପ୍ରଶାସନର କାର୍ଯ୍ଯ ହତୋତ୍ସାହିତ କରେ କିଛି ବୁଦ୍ଧିଜୀବିଙ୍କୁ । ଜାଣି ମରଣ ଆମନ୍ତ୍ରଣ  ।
 ସରତୋଳା - ବାମରା - ଗରଦପୁର 
ପାଟକୁରା - କେନ୍ଦ୍ରାପଡା 
ଜୟ ସାହିତ୍ୟ, ଜୟ ସମାଜ

❤ ବନ୍ଧୁ ❤

ରଶ୍ମିତା ଜେନା (ଶିକ୍ଷୟିତ୍ରୀ)
ବରଗଛ ପରି            ଛାଇ ହୋଇ ରହେ
            ବିପଦେ ହୁଅଇ ସାହା
ବନ୍ଧୁର  ବାଧା         ବନ୍ଧନ ମାନେନି
         ବନ୍ଧୁତାର ସିଏ ରାହା  l

ଦୁଃଖେ ହୁଏ ଦୁଃଖୀ       ସୁଖେ ହୁଏ ସୁଖୀ
             ବିଶ୍ୱସ୍ତ ପୁଣ୍ୟ ପୁଣ୍ୟାତ୍ମା   
ବିନିଦ୍ର ପ୍ରହରୀ         ଅନ୍ଧାରି ବନ୍ଧୁର
        ନାମ ଅଟେ ତା' ବନ୍ଧୁତା  l

ସ୍ନେହ ସରାଗର         ସେ ସାତ ବର୍ଣ୍ଣର
           ପ୍ରୀତିର ନୀଳିମା ତୋଳି
ବନ୍ଧୁର ବ୍ୟଥାକୁ        ଆଖିରେ ତାହାର
          ଅଞ୍ଜନ ସମ ସେ ବୋଳି   l

କୃଷ୍ଣ ସୁଦାମାର          ଅପୂର୍ବ ମିଳନ
          ନୟନ ଅଶ୍ରୁଳ ଧାର
ବନ୍ଧୁତାର ସେଇ       ପୂର୍ଣ୍ଣ ଅନୁଭବ
         ଇତିହାସ ଯୁଗ ଯୁଗର   l

    ବନ୍ଧୁତାର ପଣ    ରଖିଥିଲ ପ୍ରଭୁ 
           ଲଜ୍ଜା କରି ନିବାରଣ
କୃଷ୍ଣା କୃଷ୍ଣଙ୍କର        ନିଃସ୍ଵାର୍ଥ ବନ୍ଧୁତ୍ୱ
         ଜଗତେ ଚିର ସ୍ମରଣ   l

ମୁକ୍ତି ମୁକ୍ତାଟିଏ           ବନ୍ଧୁ ହୋଇ ଥାଏ
            ସାର୍ଥକର ଶେଷ ଇଚ୍ଛା
ପରଶେ ପରାଣେ          ଯାଦୁ ଖେଳି ଯାଏ
         ତା' ବିନା ଜୀବନ ତୁଚ୍ଛା  l

ନୟାପଲ୍ଲୀ- ଭୁବନେଶ୍ବର 
ଜୟ ସାହିତ୍ୟ, ଜୟ ସମାଜ

କୁନା ପଢିବ ପାଠ

ନରେନ୍ଦ୍ର ପ୍ରସାଦ ବେହେରା
କୁନା ତ ଆମର ସୁନା ପିଲାଟା
               ପଢିବାକୁ ମନକଲା
କହିଲା ଯାଇସେ ମାଆର କାନେ
           ସ୍କୁଲ ଯିବା ବେଳ ହେଲା ।

ଖାଇବାକୁ ମୋତେ ଦିଅ ଶୀଘ୍ର ମା
              ବସ୍ତାନି କାନ୍ଧରେ ଧରି
ବାହାରିଲା କୁନା ବସ୍ତାନି ଧରି
        କହିଲା (ମା) କରନି ଡେରି ।

ଏଡେ ବକଟେ  କୁନାଟା ଆମର
               ସ୍କୁଲ ଯିବାକୁ ଅଧିର
ସକଳ କାମକୁ ସାରିଣ ମାଆ 
             ଗଲାତ ନେଇ ସାଙ୍ଗର ।

କହିଲା ମାଆ ତା ମାଷ୍ଟର କାନେ
              କୁନା ତ ପଢିବ ପାଠ
ପଢିବାକୁ ସେ କରେ ତ ଅଝଟ
             ଯେତେ ମାଠିବ ତ ମାଠ ।

ମାଆଠାରୁ ଶୁଣି କୁନାର କଥା
             ଅବାକ ହୋଇଲେ ସର୍ବେ
ଏହି ପିଲା ଦିନେ ରଖିବ ନାଁ 
                ସମସ୍ତ କହିଲେ ଗର୍ବେ ।।
ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦
ଜୟ ସାହିତ୍ୟ, ଜୟ ସମାଜ

ମଝିଧାର

ସିପ୍ରା ନାମତା 
ଝର୍କା ଖୋଲିଲା ସୁମା । ବାହାର ପଟ ମେଲାରୁ ଭୀଷଣ ପାଟି ଶୁଭୁ ଥାଏ । ମନେ ମନେ ଭାବୁଥାଏ ସେ ଆଜି ପୁଣି ମାଲ ପିଇ ଆସିଛି ବୋଧହୁଏ  । ଇଲିୟାସ ଆଉ ପରବିନ ଭାବୀ ବିରୋଧ କରିଥିବ ।ସତକୁ ସତ ଘଟଣାଟା ସେଇୟା । ଇଲିୟାସ ତାକୁ କେତେ ଥର ଧମକାଇଲାଣି ତଲାକ ଦେଇଦେବ ବୋଲି । ସବୁଥର ଗୋଡ଼ ତଳେ ହାତ ତଳେ ପଡି କାକୁତି ମିନତି କରେ , କିନ୍ତୁ ବହେ ମାଡ ଖାଇ ସାରିବା ପରେ ଯାଇ ଇଲିୟାସ ଛାଡିଦିଏ । ଏଇ ସାତ ଦିନ ତଳେ ଡାକ୍ତର ପାଖକୁ ନେଇ ଯାଇଥିଲା ସେ । ଆଖିରେ ମାଡ ବାଜି ଫୁଲି ଯାଇଥିଲା ଯେ ଠିକ୍‌ସେ ଆଖି ଖୋଲି ପାରୁନି ପରବିନ ଭାବୀ ।


       ଊଫ୍‌.......। କି ଭାଗ୍ୟ ! ହେ ଭଗବାନ କ'ଣ ପାଇଁ ଯେ ତମେ ସୃଷ୍ଟି କରିଥିବା ମଣିଷ ମାନେ ଏମିତି ହେଲେ ? ସୋଫାରେ ବସି ଆଖି ବୁଜି ଦେଲା ସୁମା । ଆଜି ରବିବାର ସପ୍ତାହରେ ଗୋଟିଏ ଦିନ ଛୁଟି ମିଳେ ।ଟିକେ ଅବସର ପାଇବାକୁ ଛଅଦିନ ଅପେକ୍ଷା କରିବାକୁ ପଡେ । ନିଉଜରେ ଦେଖି ଥିଲା ତିନି ଚାରି ଦିନ ତଳେ ତିନି ତଲାକ ବିରୁଦ୍ଧରେ ଆଇନ ପାସ ହୋଇଗଲା । ଆଜି ପରବିନ ଭାବୀ ଆସୁ ତାକୁ ବୁଝାଇବାକୁ ହେବ । ଏବେ ଆଉ ପୂର୍ବର ସମୟ ଆଉ ନାହିଁ । ଏ ଯୁଗ ନାରୀ ସଶକ୍ତିକରଣ ନିମନ୍ତେ ଆଗେଇ ଚାଲିଛି । ଆହୁରି କିଛି ଭାବି ଥା'ନ୍ତା କି କ'ଣ ମୋବାଇଲ ରିଂ ହେବାରୁ ଭାବନା ବିଛିନ୍ନ ହେଲା । ପାପୀୟାକୁ ଆଣିବାକୁ ହେବ ।

          ----ମାମା ,ମାମା କହି ଦୌଡି ଆସିଲା ପାପୀୟା । ତାକୁ କୋଳେଇ ନେଉ ନେଉ ସୁମା କହିଲା ,"ଆପଣ ବେଶୀ ହଇରାଣ ହୋଇ ନାହାନ୍ତି ତ ମିସେସ ହର୍ଡ୍ସ  ।
---ନୋ ,ନୋ ମାଇ ଡିଆର ,ନଟ ଏଟ ଅଲ । ସି ଇଜ ଠୁ ସୁଇଟ ଆଣ୍ଡ କ୍ୟୁଟ ।
 ଅନେକ ବିଶେଷଣ ଲଗାଇ ମିସେସ ହର୍ଡ୍ସ ପାପୀୟାର ଗୁଣ ବଖାଣି ତାକୁ ବିଦାୟ ଦେଲେ । ପାପୀୟା ଖୁବ୍ ଖୁସି । ଏ ଛୁଟି ଦିନକୁ ସେ ବି ଅପେକ୍ଷା  କରିଥାଏ ଭିନ୍ନ ଭିନ୍ନ ପରିବେଶରେ ବୁଲିବା ପାଇଁ । ନହେଲେ ସେଇ ସୁମାର ଅଫିସ ଆଉ ଆବଦ୍ଧ ପରିବେଶ ।

         ପାପୀୟା ପାଇଁ ସୁମାକୁ ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡେ । ଯେଉଁ ପ୍ରଶ୍ନର ଉତ୍ତର ଦେବା ଭୀଷଣ କଷ୍ଟକର । ଏଇତ ବଦଳି ହୋଇ ଆସିଛି କିଛିଦିନ ପୂର୍ବରୁ । ଘର ନେଇ ସେଟ୍‌ ହେବାରେ ଭାରି କଷ୍ଟ । କିନ୍ତୁ ପରବିନ ଭାବୀ ଯୋଗୁଁ ସେ ଜାଣିପାରିଲାନି । ଘର ସଜଡାଟା ଖୁବ୍ ବୋରିଂ । ଛୋଟ ପିଲାକୁ ନେଇ ଅଫିସ ଯିବାର ପାର୍ମିସନ ମିଳିଛି । କିନ୍ତୁ ଖୁବ୍ ଅଳ୍ପ ଦିନ ମଧ୍ୟରେ ପାପୀୟା ପାଇଁ ସମ୍ପୂର୍ଣ୍ଣ ରୂପେ ବନ୍ଦୋବସ୍ତ କରିବାକୁ ହେବ ।ସେମିତି ଗୋଟିଏ ସଂସ୍ଥା ଖୋଜିବାକୁ ପଡିବ ତାକୁ । ସେ ପର୍ଯ୍ୟନ୍ତ ଅଫିସରେ ଏଡ଼ଜଷ୍ଟ କରିବା ବାଧ୍ୟତାମୂଳକ । ଆଉ କ'ଣ କରିଥା'ନ୍ତା ସେ ? କ'ଣ କରି ପାରିଥା'ନ୍ତା ? ପାପୀୟାକୁ ଛାଡ଼ି ଦେଇଥା'ନ୍ତା କେଉଁ ଡ଼ଷ୍ଟବିନରେ ଫୋପାଡି ଦେବାକୁ ? ତା' ନରମ କଅଁଳ ମାଂସକୁ କୁକୁର ଝୁଣି ଖାଇଦେବା ପାଇଁ  ? ନା ଛାଡ଼ିଦେଇ ପାରିଥା'ନ୍ତା କେଉଁ ନର ମାଂସ ଲୋଭୀ ବୁଭୁକ୍ଷୁ ପାଇଁ ଯାହା ପାଖରେ ଦୁଇ ଦିନ କି ଦୁଇ ମାସ କି ଦୁଇ ବର୍ଷ ଭିତରେ କିଛି ପ୍ରଭେଦ ନ ଥାଏ ।

     ନା ...ସେ ପାରିଲାନି । ସେସବୁ କିଛି କରି ପାରିଲାନି । ଘରେ ମାଆର ବିକଳ ଆତୁର ଭାବକୁ ଉପେକ୍ଷା କରି ପାପୀୟାକୁ କୋଳେଇ ନେଲା , ନିଜ ଭବିଷ୍ୟତର ସୁନେଲି ସ୍ୱପ୍ନକୁ ହତ୍ୟା କରି । ନିଜ ହୋମ ଟାଉନରୁ ଚାକିରୀରେ ସ୍ଥାନାନ୍ତର ପାଇଁ ଆପ୍ରାଣ ଉଦ୍ୟମ ଫଳବତୀ ହୋଇଛି ଦୁଇ ବର୍ଷ ପରେ । ତା'ପରେ ବି ଛ'ମାସକୁ ଥରେ ଲେଖାଏଁ ସ୍ଥାନାନ୍ତର ପାପୀୟାକୁ ନେଇ । ଏଠି କେତେ ଦିନ ଲେଖା ଅଛି କେଜାଣି । କୁଚବିହାରର ଜଳବାୟୁ ସଦାସର୍ବଦା ଅସ୍ଥିର । ବର୍ଷା ବିନ୍ଦୁ ପଡୁଥିବାର ଜଣା ଯାଉଥିଲା ତାକୁ । ଏ  ସହରକୁ ଅନିଛାକୃତ ଭାବେ ଆଗତ ସେ । ତଥାପି ସଂଘର୍ଷକୁ ଆଗେଇ ନେଵା ପାଇଁ ସେ ପ୍ରସ୍ତୁତ । ପାପୀୟା ଖେଳୁଛି ପୁରୁଣା ମୋବାଇଲକୁ ଧରି । ଧୂଆଁଳିଆ ପାଗ ସାଙ୍ଗକୁ ବର୍ଷାର ଟିପ୍‌ ଟିପ୍‌ ଶବ୍ଦ ଆଦୌ ଭଲ ଲାଗୁ ନ ଥାଏ ସୁମାକୁ । କବାଟ ବାଡେଇ ପରବିନ ଡାକୁଛି ।ସୁମା ଦରଜା ଖୋଲିଲା । ପରବିନ ଆସି ବସି ପଡିଲା ଠିକ୍ ଫ୍ୟାନ୍‌ ତଳେ ।
---କଣ ହେଲା ଭାବୀ , ଆଜି ବି ତୁମେ ମାଡ ଖାଉଥିଲ ?
କେତେ ଥର କହିଲିଣି ,ତୁମ ବରକୁ ଛାଡି ଦିଅ ,ଶାନ୍ତିରେ
ରହିବ ।
----ସୁମା ,ତୁମ୍‌ ନହିଁ ଜାନ୍‌ତି ,ଏକ ମର୍ଦ୍ କି ବିନା ଔରତ କି କୋଇ ହୈସିୟତ ନହିଁ ହୈ .....
----ଭାବୀ ,ତୁମେ ଜାଣିନ ଏବେ ଆଇନ ବଦଳି ଗଲାଣି । ନାରୀ ସଶକ୍ତିକରଣ ହେଉଛି । ତୁମ ଜାତିରେ ଆଉ ତିନି ତଲାକ ପ୍ରଥା ନାହିଁ ।ତୁମେ ତୁମ ସ୍ୱାମୀ ଠାରୁ ଛାଡପତ୍ର ନେଇ ପାରିବ । ନିଜ ହାତରେ ନିଜ ପିଲାଙ୍କୁ ଭଲ କରି ଗଢି ପାରିବ ଏକ ଭଲ ପରିବେଶ ଦେଇ ପାରିବ । ସଁ ସଁ କରି କାନ୍ଦୁଥିବା ପରବିନ ହତାଶ ହୋଇ କହୁଥାଏ , (ହିନ୍ଦୀରେ)ପୁରୁଷ ବିନା ନାରୀର ସ୍ଥିତି ନାହିଁ ସୁମା । ତା' ପିଲାଙ୍କ ପାଇଁ ,ଭବିଷ୍ୟତରେ ଯେମିତି କିଛି ନିନ୍ଦା ନ ହେବ ,କୌଣସି ଅଘଟଣକୁ ଏଡାଇ ଯିବା ପାଇଁ ଏକ ସାହାରାଟିଏ ଦରକାର । ଛାଡପତ୍ର ଦେବାକୁ କ'ଣ ସମୟ ଲାଗେ ? କିନ୍ତୁ ଯବାନ ଝିଅର ମାଆ କେବେ ସେ କାମ କରି ପାରିବ ନାହିଁ । ଲୋଗ୍‌ କହେଙ୍ଗେ "ଛୋଡି ହୁଇ ଔରତ କି ବେଟି ।" ପାଟି ବନ୍ଦ ହୋଇଗଲା ସୁମାର । କ'ଣ କହି ସେ ଶାନ୍ତ୍ୱନା ଦେବ ବୁଝି ପାରୁ ନ ଥାଏ । ଏ ଧରଣର ସ୍ତ୍ରୀ ଲୋକମାନେ କିଛି ବୁଝିବାକୁ ପ୍ରସ୍ତୁତ ନ ଥା'ନ୍ତି । ତେବେ ତା' ଭଳି ନାରୀମାନେ ....? ତା' ମାଆ ଭଳି ନାରୀ ମାନେ ....?


----ମାଆ ତୁମେ ବୁଝୁନ କାହିଁକି ? ତୁମର କିଛି ଦୋଷ ନ ଥାଇ ସବୁବେଳେ ନିର୍ଯାତନା ସହୁଛ । ଆମେ ଏବେ ବଡ ହୋଇ ଗଲୁଣି । ଆମ ସାମ୍ନାରେ ତୁମର ଅପମାନ ଦେଖି ଭଲ ଲାଗୁନି ମାଆ ।
---ତୁ ଆଉ ଟିକେ ବଡ ହୋଇଗଲେ ସବୁ ଆପେ ଆପେ ବୁଝିଯିବୁ ସୁମା , ଅନେକ କଥା ଜାଣିଯିବୁ ତୁ ଯେତେବେଳେ ବାହା ହୋଇ ଘର ସଂସାର କରିବୁ , ସେତେବେଳେ ।
---ତୁମର ଏଇ କଥା ମୋତେ ଆଦୌ ଭଲ ଲାଗେନି ମାଆ । ତୁମେମାନେ ସବୁ ଏମିତି । ସବୁକିଛି ସହି ଗଲେ ଭାଵ ଯେ ସମୟ ବଦଳି ଯିବ । କିନ୍ତୁ କିଛି ହେବନି । ନିଜକୁ ଆଗେ ବଦଳାଇବାକୁ ପଡେ , ତେବେ ଯାଇ ସମୟ ବଦଳେ ।
---ବର୍ଷ ବର୍ଷର ଅଭ୍ୟାସ କ'ଣ ଏତେ ଶୀଘ୍ର ବଦଳି ଯିବ ! ସେଥିପାଇଁ କହୁଛି ଟିକେ ଧୈର୍ଯ୍ୟ ଧର ।

       ରାତି ରାତି ଉଜାଗର ରହି କାନ୍ଦି କାନ୍ଦି ଆଖି ମୁହଁ ଫୁଲି ଥିବା ମାଆଙ୍କ ଚେହେରାକୁ ସକାଳେ ଦେଖିବା ପରେ କିଛି ବୁଝି ପାରେନା ସେ । କ'ଣ ଯେ ହୁଏ ମାଆଙ୍କର ଦିନେ ଦିନେ ବୁଝିବା କଷ୍ଟ । ବଡ ଭଉଣୀ ଅଳ୍ପ ବୟସରୁ ବିବାହ କରି ତା' ସଂସାରରେ ବ୍ୟସ୍ତ ରହୁଥାଏ । ଫୋନରେ ଯାହା କହିଲେ ବି ସେ କିଛି ବୁଝିପାରୁ ନ ଥାଏ ; ଖାଲି ଦୁଃଖରେ କହେ ଏଇଟା ଦୁନିଆ ଆଉ ଏଇ ହେଉଛି ଜୀବନ । କିନ୍ତୁ ମାଆଙ୍କର ଦୁଃଖଟା କ'ଣ ସେ ଜାଣି ପାରେନି । ସେଇଦିନ ସବୁ ଉନ୍ମୁକ୍ତ ହୋଇଗଲା ତା' ଆଖିରେ ,ଯେବେ ପାପୀୟାକୁ କେହି ଜଣେ ଆଣି ମାଆ ହାତରେ ସମର୍ପଣ କଲା । ବାପା କାହିଁକି ରାତି ରାତି ବାହାରେ ଫାର୍ମ ହାଉସ୍‌ରେ କଟାନ୍ତି ଆଉ ସେଇ ଦିନ ଗୁଡିକରେ ମାଆ କାନ୍ଦି କାନ୍ଦି ଆଖି ଫୁଲାନ୍ତି । ବାପା ସାମ୍ନାକୁ ପାପୀୟାକୁ ନେଇ ସେଇ ଲୋକଟି ଆଣି ଥିବା ହାତଲେଖା କାଗଜ ଖଣ୍ଡେ ବଢେଇ ଦେଇଥିଲେ ମାଆ । କିଛି ନ କହି ହାତରେ ଆଡେଇ ଦେଇ ବାହାରି ଗଲେ ଯେ ଗଲେ ମାସଟିଏ ପରେ ଆସିଲେ ଘରକୁ । ତଥାପି ମାଆ ଯେମିତି ଖୁବ୍ ଗୋଟାଏ ପାପ କରି ଥିବାର ଗୁରୁ ଗମ୍ଭୀର ଚେହେରା ନେଇ ଘୂରି ବୁଲେ , ବାପାଙ୍କ ସହ କିଛି କଥାବାର୍ତ୍ତା ନ କରି । ସୁମା ଭାବି ପାରେନି କ'ଣ କରିବ ସେ ଯୋଉଥିରେ ମାଆଙ୍କର କଷ୍ଟ ଟିକିଏ କମିବ । ସେଦିନ ରାତିରେ କିଛି ଶବ୍ଦ ରେ ଆଖି ଖୋଲିଗଲା ତା'ର ।

----କାହିଁକି ରଖିଲୁ ସେ ପିଲାକୁ । ମୋତେ ବଦନାମ କରିବା ପାଇଁ ସୁଯୋଗ ଖୋଜୁଛୁ , ନାଇଁ ...?
---ରଖିଲି ବେଶ କଲି । ଲାଜ ଲାଗୁନି ଏଇ ବୟସରେ ସୁଆଗ ଦେଖାଉଛ ? ଛିଃ.....। (ଚାପା ଉତ୍ତେଜିତ ଶାଣିତ କଣ୍ଠ ମାଆଙ୍କର) କ'ଣ ନା ଫାର୍ମ ହାଉସ ...ନା ରଙ୍ଗ ହାଉସ !! ଯାହା ତ କରୁଥିଲ କରୁଥିଲ ,ଶେଷରେ ସେଇ ଗରୀବ ନିରୀହ ଝିଅଟା ରୋଷେଇ କରି ଦେଉଥିଲା ତାକୁ ବି ଛାଡିଲନି !!! ମୁଁ ପଚାରୁଛି କାହିଁକି ......???
(ଠୋ' କିନା ଚାପୁଡାଟାଏ ମାଆ ଗାଲରେ ବସିଲା ବୋଧହୁଏ  ।)

---କହିଲି ତ ସେଇଟା ଗୋଟେ ଭୁଲରେ ହୋଇ ଯାଇଥିଲା  ।
ଉଦ୍ୟେଶ ମୂଳକ ଭାବେ କିଛି କରିନି ।(ବାପାଙ୍କର କର୍କଶ ତୀକ୍ଷ୍ଣ ସ୍ୱର)
----ପିଲାଟାକୁ ବହୁ କଷ୍ଟରେ ଜନ୍ମ ଦେଇ ଝିଅଟା ମରିଗଲା । ଅନାଥ ଝିଅଟା । କିଏ ଅଛି ସେ ପିଲାକୁ ପାଳିବ ? ତମରି ସେଇ ରଙ୍ଗ ଉଆସର ବୁଢା ଚୌକିଦାର ଆଣି ଦେଇ ଯାଇଛି । (ମାଆ ଗୁମୁରି ଗୁମୁରି କାନ୍ଦୁଥିଲେ)

    ଓଃ କି ଲଜ୍ଜା !! କି ଲଜ୍ଜା !! ବାପାଙ୍କର ଏମିତି ଗୋଟିଏ ଚରିତ୍ର ଥାଇ ପାରେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବିପାରୁ ନ ଥାଏ । କ୍ଲାସ ଟେନ ପର ଠାରୁ ହଷ୍ଟେଲରେ ରହିବାକୁ ଏକରକମ ସେ ବାଧ୍ୟ ହୋଇଥିଲା । କାରଣ ବେଶ ସୁନ୍ଦର ଭାବେ ମାଆ ବୁଝାଇ ଦେଇଥିଲେ ଯେ , ବାପା ସବୁବେଳେ ଟୁରରେ ବ୍ୟସ୍ତ ଓ ହଷ୍ଟେଲରେ ଭଲ ସାଙ୍ଗ ଓ ପଢାପଢିରେ ବହୁ ସୁବିଧା ଅଛି । ତେଣୁ ସେ ହଷ୍ଟେଲରେ ରହିଲେ ଭଲ କରି ପଢି ପାରିବ । କିନ୍ତୁ ବାପାଙ୍କ ଚରିତ୍ର ଉପରେ ଯେ ଏମିତି ଏକ ପରଦା ମାଆ ପକେଇ ରଖି ଥିଲେ ଓ ବର୍ଷ ବର୍ଷ ଯେ ଏମିତି ଅଶାନ୍ତିରେ ଛଟପଟ ହୋଇ ମରୁଛନ୍ତି ସେ କଥା କିଏ ଜାଣିଥିଲା ? ହେଲେ ସୁମା ବୁଝି ପାରେନି ,ତା' ମାଆ କ'ଣ ପାଇଁ ସବୁକିଛି ସହି ଯାଆନ୍ତି ନିର୍ବିକାର ଚିତ୍ତରେ । ଅନେକ ଦିନ ପରେ ଥରେ ପଡୋଶୀ ଆଂଟିଙ୍କ ଠାରେ ତାଙ୍କର କହିବାର ଶୁଣି ଥିଲା ସେ "ଡାଇଭର୍ସି ମାନଙ୍କୁ ଲୋକେ ଭଲ ଦୃଷ୍ଟିରେ ଆଦୌ ଦେଖି ପାରନ୍ତିନି । ଯେତେ ଯାହା କାରଣ ଦର୍ଶେଇଲେ ବି ସେମାନେ କୁହନ୍ତି ସ୍ତ୍ରୀର ହିଁ ଦୋଷ । ପୁରୁଷ ମାନେ ହେଲେ ଷଣ୍ଢ ; କେତେବେଳେ କେମିତି କାହା ବାଡି ଦୁଆରେ ମୁହଁ ମାରି ଦେଲେ କିଛି ଅଶୁଦ୍ଧ ହୁଏନା । ଷଣ୍ଢକୁ କ'ଣ କେହି ବାନ୍ଧି ରଖେ ? ତୁଚ୍ଛା ଅଲଣା କଥାକୁ ନେଇ କି ଲାଭ ! ସେଥିପାଇଁ ସବୁ ଭୁଲି ଯିବା ଉଚିତ ।କାହିଁକି ନା ସେ ତଥାପି ବି ଗୋଟେ ବାଡୁଅ ଝିଅର ମାଆ । ସ୍ୱାମୀ ଠାରୁ ଅଲଗା ରହିଲେ ଝିଅର ବିବାହ ଭଲ ଜାଗାରେ ହେବ କେମିତି ?"

            ସେଦିନ ସେ ଜାଣିଥିଲା ମାଆ ଛାତି ତଳ ର ବେଦନା ଓ କୋହ । ଆଜିର ନାରୀବାଦ ଉପରେ କେତେ କ'ଣ ମୋହର ଲାଗିଲାଣି । କିନ୍ତୁ ସବୁ ଯେମିତି ଖାପଛଡ଼ା । ନାରୀ ସ୍ବାଧୀନତା ଓ ନାରୀ ସ୍ବେଚ୍ଛାଚାରିତା ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ନୁହେଁ ,ଭିନ୍ନ.... ସମ୍ପୂର୍ଣ୍ଣ ଭିନ୍ନ । ମୁକ୍ତି କାମୀ ନାରୀ ଓ ସ୍ବେରିଣୀ ନାରୀ ଯେମିତି ଏକା କଥା ନୁହେଁ । ସବୁ ଗୋଠ ଖଣ୍ଡିଆ ପଶୁ ପରି । ପୁରୁଷର ଅହମିକା ଗୋଟେ ସ୍ବେଚ୍ଛାଚାରୀ ନାରୀକୁ ଜନ୍ମ ଦିଏ ।କିନ୍ତୁ ସେଇ ପୁରୁଷର ସନ୍ତୁଷ୍ଟି ପାଇଁ ହିଁ ନାରୀ ଉଦ୍ଦିଷ୍ଟ । ପୁରୁଷକୁ ସାହଚାର୍ୟ ଦେବାରେ ,ତା'ର କାମନାର ଅଗ୍ନିରେ ନିଜକୁ ଝାସ ଦେବା ,ତା'ର ସନ୍ତାନକୁ ପ୍ରସବ କରିବା ,ପାଳନ କରି ତା'ର ନାମ ଦେବା ଆଦି ସବୁପ୍ରକାର ସନୁଷ୍ଟିର ନାମ ହିଁ ନାରୀ ।
   ----ସୁମା ସୋମସେ ଥଣ୍ଡା ହୋଇଯିବ ନିଅ ଗରମ ଗରମ
ଖାଇନିଅ ଭଲ ଲାଗିବ ।

ଚାଉଁଙ୍କିନା ଚମକି ଉଠିଲା ସୁମା ।ଓଃ କହି ମୁଣ୍ଡ ସାଉଁଳି ନେଲା ସେ ।

----ଆରେ ଭାବୀ ତମେ ଏସବୁ କେତେବେଳେ ଆଉ କେତେ ଜଲ୍ଦି କରି ପକେଇଲ ! ଯାହାହେଉ ତମକୁ ଏଠି ପାଇ ମୋର ଖୁସି ଯେତିକି ତମ ପାଇଁ ଦୁଃଖ ବି ସେତିକି ।

---ନାଇଁ  ସୁମା ହର ଲଡକୀ କି ଜିନ୍ଦଗୀ ମଝଧାର ମେ ଚଲତି ହୈ ।

ଗରମ କଫିର ଧୂଆଁ ବାଜୁଛି ନାକରେ । ଆଃ ,କଫି ପ୍ରତି ପ୍ରବଳ ଦୁର୍ବଳତା ତା'ର ।
             ମଣିପୁରୀ ଯୁବକ ଜୁବିନ ସିଂହ  ତା' ଅଫିସରେ ସହଯୋଗୀ, ପାପୀୟାକୁ ଦେଖିଲେ ଖଣ୍ଡି ହିନ୍ଦୀରେ ଭାସି ଆସେ ଶ୍ରୁତି ମଧୁର ସ୍ୱର --"ଆପଣଙ୍କ ଝିଅ ସତରେ ବହୁତ ସୁନ୍ଦର ।" ଆଖିରୁ ବୋହି ଆସୁଥିବା ଲୁହ ବୁନ୍ଦାକୁ ସତର୍କତାର ସହ ପୋଛି ନିଏ ସେ । କେମିତି ବୁଝେଇବ ସେ ? ସତରେ ଆଜି ବୁଝି ପାରୁଛି ମାଆକୁ କହୁଥିବା କଥା ସବୁ କରିବାକୁ କେତେ କଷ୍ଟ ଲାଗେ । ଆହା ! ବିଚାରୀ ମାଆ କେମିତି ପରିବର୍ତ୍ତନ ଆଣିଥା'ନ୍ତେ ଏକା ଏକା ! କିନ୍ତୁ ତାକୁ କରିବାକୁ ପଡିବ ; ପରିବର୍ତ୍ତନ ଆଣିବାକୁ ପଡିବ ।ସେଇଥି ପାଇଁ ତ ମାଆର ଆକୁଳ ବିକଳ ଅନୁରୋଧରେ ମାଟ୍ରିମାନିଆଲରେ ବିବାହ ପାଇଁ  ପ୍ରୋଫାଇଲ ଦେଇଛି "ସୁଶ୍ରୀ ଗୌରବର୍ଣ୍ଣ ,ପାଞ୍ଚଫୁଟ ପାଞ୍ଚ ଇଞ୍ଚ ,ଏମକମ ( ଏକାଉଣ୍ଟନସ) ଏମ. ବି. ଏ ,ବୟସ ପଚିଶ ,ସିଙ୍ଗଲ ମଦର ( ଗାର୍ଲ ଚାଇଲଡ଼ )। ମାଆ ଶୁଣି ଯେତିକି ଖୁସି ହେଲେ ସେତିକି ବିରକ୍ତ ମଧ୍ୟ । କିନ୍ତୁ ସୁମାର ସେଇ ଗୋଟିଏ କଥା ଯିଏ ବାହା ହେବେ ପାପୀୟା ସହିତ ହେବେ । ତାକୁ ଅସହାୟ ଅବସ୍ଥାରେ ଛାଡି ଦେଇ ସେ ସ୍ୱର୍ଗକୁ ବି ଯିବାକୁ ଚାହେଁନା । ୟା' ଭିତରେ ଜୁବିନଙ୍କ ସହ ଆଳାପ ଆଲୋଚନା ବଢି ଯାଇଛି । ଇତି ମଧ୍ୟରେ ମାଟ୍ରିମାନିଆଲ ୱେବ ସାଇଟରେ ତାକୁ ପାଇ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେତିକି ଆବେଗ ବିଭୋର ହୋଇଛନ୍ତି ସେତିକି ବୋଲି କଥାରେ କଥାରେ ପ୍ରକାଶ କରିଛନ୍ତି ।

----ମି. ଜୁବିନ ଏସବୁ କେବଳ ଭାବନାରେ ହିଁ ଭଲ ଲାଗେ । ବାସ୍ତବତା ଏସବୁ ଠାରୁ ବହୁ ଦୂରରେ । ଅଫିସରେ ସମସ୍ତେ କିଛି ନା କିଛି ଟୁପ ଟାପ କରିବାର ଦେଖିଛି ଆଉ ଶୁଣିଛି । ଅସ୍ପୃଶ୍ୟା ଅବିବାହିତା ମାତାର ଆଦର କିଏ କରିବ , ..ଆଉ କାହିଁକି ବା କରିବ ?
----ମୁଁ ତ କରୁଛି ନା ! ଆଉ କିଏ କଲା ନ କଲା ସେଥିରେ ଯାଏ ଆସେ କେତେ ? ମୁଁ ତମକୁ ପ୍ରୋପଜ କରୁଛି ,ତୁମେ କ'ଣ ଚାହଁ କୁହ । ଆଉ ଯଦି ଟାଇମ ନେବାକୁ ଚାହଁ ତ ନେଇ ପାର । କିନ୍ତୁ ତମେ ରାଜି ହେଲେ ମୁଁ ନିଜକୁ ସୌଭାଗ୍ୟବାନ ମନେ କରିବି ।
----କିନ୍ତୁ ପାପୀୟାର ପ୍ରକୃତ ପରିଚୟ ପାଇଲେ ତମେ ଘୃଣା କରିବ ଜୁବିନ । ତଥାପି ବି ଗ୍ରହଣ କଲା ପରେ କେବେ ଯଦି ବଦଳି ଯାଅ ,ଏ ପରିବର୍ତ୍ତନଶୀଳ ଦୁନିଆରେ ,ଜୀବନଟା ଏକ ଉଜାଣି ନଈର ମଝିଧାରରେ ବୋହିଯିବ ସିନା କିନାରା ପାଇବ ନାହିଁ ।

---ସମସ୍ତଙ୍କୁ ଗୋଟିଏ ନିକିତିରେ ତଉଲିବା କ'ଣ ନିହାତି ଜରୁରୀ ? ଆଉ ତା' ଛଡା ଯେଉଁ ଘଟଣା ଦୁଃଖ ଦାୟୀ ତାକୁ ମନେ ପକାଇବା କାହିଁକି ? ଉଁ ..ଭୁଲିଯିବାକୁ ଶିଖ ସେ କଷ୍ଟଦାୟୀ ମୁହୂର୍ତ୍ତକୁ ।

       ହାତ ବଢେଇ ସ୍ୟାକ କରୁଛନ୍ତି ଜୁବିନ । ଧୀରେ ଧୀରେ ଉଷୁମ ହୋଇ ଆସୁଥିଲା ସୁମାର ହାତ, ଆଉ ଦୁଇଟି ହାତର ଉଷ୍ମତାରେ । କେତେବେଳେ ପାପୀୟା ଆସି ମଝିରେ ଜୁବିନର ହାତକୁ ଟାଣି ନେଇ ଖୁସିରେ ଖଣ୍ଡି ଖଣ୍ଡି ଶିଖୁଥିବା କଥାରେ କହୁଥାଏ "ହ୍ୟାନ୍ଦ ସ୍ୟାକ ....ହ୍ୟାନ୍ଦ ସ୍ୟାକ ।" ସୁମା ଚାହିଁଲା ଜୁବିନ ଆଡକୁ । ଜୁବିନ ଝୁଙ୍କି ପଡୁଛନ୍ତି ପାପୀୟା ଆଡକୁ ତା' କୁନି କୁନି ହାତ ଧରି । କେଇଟା ଅଲରା କେଶ ସେଇ ତାଳରେ ହଲି ଯାଉଛନ୍ତି ଜୁବିନଙ୍କ କପୋଳ ଦେଶରେ । ଆଃ..... ଅପୂର୍ବ ଦିଶୁଛନ୍ତି ଜୁବିନ । ସତେ ଯେମିତି ନଈର ମଝିଧାରରୁ ବାହାରି ଆସି କୂଳରେ ଲାଗି ଯାଇଛି କେତେବେଳେ ନିଜ ଅଜାଣତରେ !!!
8249850168
ବାରିପଦା
ଜୟ ସାହିତ୍ୟ, ଜୟ ସମାଜ

ଚି଼ଠି ସ୍ମୃତିର

ସ୍ମୃତି ରଞ୍ଜନ ତ୍ରିପାଠୀ 
ଗୋଲାକାର ସ୍ତବ୍ଧ ପିଣ୍ଡରେ,
ସେ କହିଲା !
ପାରୁଛ ଯଦି ଆଙ୍କି ଦିଅ କିଛି ରଙ୍ଗୀନ ପ୍ରଜାପତି
ଛାଇ ହୋଇଥିବା ଆୟୁଷର ଶୂନ୍ୟସ୍ଥାନରେ..
ମୁଁ ଆଙ୍କିଦେଲି ଚନ୍ଦ୍ରବିନ୍ଦୁଟିଏ ତା' ନୀରବତା'ର ଗ୍ରହ ବାହାରେ
ଟାଣି ଦେଲି ସ୍ବପ୍ନ ବିଧୁର ଚାଦର ଟିଏ ଆଶା'ର ଦିଗବଳୟରେ
ପଛକୁ ଫେରି ଦେଖେ ତ-- ସେ କେଉଁ ଉଆଁସୀ ଶବ୍ଦର ତରଙ୍ଗରେ
ଆଉ ଚିତ୍ର ସବୁ ଚନ୍ଦ୍ରାଲୋକ ଛାଇରେ   
ତା' ପାଇଁ ମୁଁ ପକେଇଲି ବିନ୍ଦୁଟିଏ ମୁଁ ...ଅବଶିଷ୍ଟ ପୃଥିବୀରେ 
କେଜାଣି ମୋତେ ଭ୍ରମ ହେଲା , ବୋଧେ କିଏ ଅଲକ୍ଷ୍ୟରେ କହୁଛି
ତୁ ତ ଏଯାଏଁ ବିନ୍ଦୁରେ ଅଛୁ ,ମୁଁ ତ କେଉଁ କାଳୁ ରେଖାଟିଏ ପାଲଟି ଗଲିଣି
ବିନା ପ୍ରତିଶବ୍ଦରେ, ବିନା ପ୍ରତିଛବିରେ......
ନୁହେଁ କି???
ସ୍ମୃତି
ଜଟଣୀ - ଖୋର୍ଦ୍ଧା 
୯୪୩୮୩୧୫୩୮୧
ଜୟ ସାହିତ୍ୟ, ଜୟ ସମାଜ