9/01/2019

■ କବିତା ଗୋ' ତୁମେ ■

ଶିବ ଚରଣ ମହାପାତ୍ର 
କବିତା ଗୋ' ତୁମେ  କଳ୍ପନା ନନ୍ଦିନୀ
ଅଳକାନନ୍ଦା
କଅଁଳ ବୟସେ ହୃଦଭେଦୀ ଶବ୍ଦ
ନୂପୁର ଛନ୍ଦା..

କବିତା ଗୋ' ତୁମେ  ଚିନ୍ତା ଚେତନାର
ଧ୍ୱନୀ ଓଁକାର
ବିଜ୍ଞାନୀ ମନୁଷ୍ୟ ଲେଖନୀ ମୁନର
ରଣ ହୁଙ୍କାର..

କବିତା ଗୋ' ତୁମେ କଳ୍ପିତ ରାଇଜ
ଅନୁସଙ୍ଗିନୀ
ଅପାସୋରା ସ୍ମୃତି ମାନସ ମଲାଟେ
ମଧୁଯାମିନୀ..

କବିତା ଗୋ' ତୁମେ ଦୂର୍ବାଦଳ ସଜ
ସିକ୍ତ ଅଧର
ଭରା ଯଉବନ ଜବା କୁସୁମର
ସିଞ୍ଚା ଅତର..

କବିତା ଗୋ' ତୁମେ ଲୁହ ଲହୁ ମିଶା
ଫଗୁଣ ଚିଠି
ସ୍ନେହ ପ୍ରେମ ରଙ୍ଗେ ମଖମଲ୍ ପାଟ
ଚାନ୍ଦିନୀ ରାତି..

କବିତା ଗୋ' ତୁମେ ଶରଦ ଆକାଶ
ସଫେଦ୍ ଜହ୍ନ
ଧୂଳି ବାଲିଘର କିଛି ଖଟା ମିଠା
ଅଲିଭା ଚିହ୍ନ..

କବିତା ଗୋ' ତୁମେ ନିଦାଘ ନୟନେ
ମୌସୁମୀ ତୃଷ୍ଣା
ଗୋଧୂଳି ଲଗନେ ପହିଲି ବରଷା
ମାଟିର ବାସ୍ନା..

କବିତା ଗୋ' ତୁମେ ଲାଲ୍ ଟୁକୁଟୁକୁ
ସାଧବ ବୋହୂ
ମୃଦୁ ଗୁଞ୍ଜରଣ ବଉଳ ଓଠର
କୋକୀଳ କୁହୁ..

କବିତା ଗୋ' ତୁମେ ବେଦରଦି ପ୍ରାଣେ
ଦରଦି ବନ୍ଧୁ
ସମାଜ ହସିଲେ ପାଖୁଡାରେ ହସୁ
ତା' ଦୁଃଖେ କାନ୍ଦୁ..

କବିତା ଗୋ' ତୁମେ ବିରହ ରାଗିଣୀ
ବଇଁଶୀ ସ୍ୱର
କନକ ସଂସ୍କୃତି ଦୁଇ ନେତ୍ର ଧାର
କଜଳ ଗାର..

କବିତା ଗୋ' ତୁମେ ଐତିହ୍ୟ କୀରତି
ପୁଣ୍ୟ ମୁକୁତା
ତୁଳସୀ ଚଉରା ମାଣବସା ଓଷା
ତା' ଝୋଟିଚିତା..

କବିତା ଗୋ' ତୁମେ ଜୀବନ୍ତ ଈଶ୍ବର
ସଂସ୍କାର ପିଠି
ମମତା ବୋଳା ସେ ମିଠା ମାତୃଭାଷା
ଅମୀୟ ପ୍ରୀତି..

କବିତା ଗୋ' ତୁମେ ଶାନ୍ତି ଏକତାର
ରେଶମୀ ଡୋର
ସଭିଏଁ ତୋହର ଅତି ଆପଣାର
କେ' ନୁହେଁ ପର..

×××××××××××××
ଚ଼କ୍ରଧରପୁର : କେନ୍ଦୁଝର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।