ବସନ୍ତ କୁମାର ପଣ୍ଡା
ରାମ ବାବୁ ବିଲରୁ ଫେରି କୌଣସି କଥା ପଚାରିବା ଲକ୍ଷ୍ୟରେ ବାହାରୁ ଥାଇ ଡାକ ପକାଇଲେ ।
- ଅଞ୍ଜଳୀ......! ଅଞ୍ଜଳୀ....!
- ମାଆ ନାହାଁନ୍ତି ବାପା....
- ମାଆ ପୁଣି କୁଆଡେ ଗଲେକି ?
ହଁ ବାପା,ସାରଥୀ ବାବାଙ୍କର କେହି ଜଣେ ବଡ ଚେଲା ପ୍ରବଚନ ଦେବାକୁ ଆସିଛନ୍ତି । ତମେ ବିଲକୁ ଗଲା ପରେ ସେ ଗାଧୋଇ ପାଧୋଇ ଫୁଲ କଦଳୀ ଧରି ଯାଇଛନ୍ତି ଯେ ଏଯାଏଁ ଫେରି ନାହାନ୍ତି । ଆସିଲେ ରାନ୍ଧିବେ ବୋଲି କହି ଯାଇଥିଲେ । ସୂର୍ଯ୍ୟ ମୁଣ୍ଡ ଉପରେ ହେଲେଣି, ଏଯାଏଁ ଆସି ନାହାନ୍ତି ।
ରାମ ବାବୁ କାନ୍ଧରୁ କୋଦାଳ ଓହ୍ଲାଇ ଦୀର୍ଘନିଃଶ୍ୱାସଟିଏ ମାରି ବାରଣ୍ଡାରେ ବସି ପଡିଲେ । ଧୀରେ ଧୀରେ କରୁଣ ବାରି ସିକ୍ତ ଗ୍ରୀଷ୍ମ ସଂଧ୍ୟା ପରି ମନଟା ତାଙ୍କର ଧୂମାଳ ଓ ଧୂସର ହୋଇଗଲା । ଅସ୍ତ୍ରହରା ନିଃସହାୟ ସୈନିକ ହୃଦୟରେ ଶତ୍ରୁ ପକ୍ଷରୁ କେହି ଜଣେ ଶାଣିତ ତଲୱାର ଆଘାତ କରିବା ପରି ସେ ହୃଦ୍ବୋଧ କାରୁଥା'ନ୍ତି । ନିମିଷକ ମଧ୍ୟରେ ଅନ୍ତରର ମର୍ମଧ୍ବଂସି ପ୍ରଚଣ୍ଡ ବିସ୍ଫୋରଣର ଉତ୍ତପ୍ତ ବାରୁଦ ସବୁ ତରଳ ହୋଇ ସ୍ବେଦବିନ୍ଦୁ ରୂପରେ କପାଳରୁ ଅନର୍ଗଳ ଝରିବାରେ ଲାଗିଲା । କାନ୍ଧରୁ ପାଚିଲା ଗାମୁଛାଟିକୁ ବାହାର କରି କପାଳରେ ବୁଲାଇ ଆଣିଲେ ରାମବାବୁ ।
ତା'ପରେ ପ୍ରଳୟଙ୍କରୀ ଚକ୍ରବାତି ତୋଫାନ "ଫନି"ର ତାଣ୍ଡବରେ ଅର୍ଦ୍ଧଧ୍ବଂସିତ ନିଜ ଆଶ୍ରୟଟିକୁ ଉର୍ଦ୍ଧ୍ବମୂଖ ହୋଇ ଦେଖୁ ଦେଖୁ ଗଭୀର ଚିନ୍ତନରେ ନିମଗ୍ନ ହୋଇଗଲେ ସେ ।ଅତୀତ ଜୀବନର ଘଟି ଯାଇଥିବା ସୁଖ-ଦୁଃଖ, ଘଟଣ-ଅଘଟଣ,ବାଧା-ବିଘ୍ନ, ଆଶା-ନିରାଶାର ଚିତ୍ରପଟ୍ଟକୁ ଦାତବ୍ୟ ଅନୁଷ୍ଠାନ ଦ୍ୱାରା ମିଳିଥିବା ପଲିଥିନ ତଳେ ଢାଙ୍କି ହୋଇଥିବା ଅଧା ଭଙ୍ଗା କାନ୍ଥରୁ ଖୋଜି ଚାଲିଥା'ନ୍ତି ।
ବାପ ,ଗୋସେଇଁ ବାପ ଅମଳରୁ ଏହି ଘରେ, ଭାଗବତ, ପୋଥି ପୁରାଣ,ଅନ୍ୟାନ୍ୟ ଧର୍ମଗ୍ରନ୍ଥ ଆଦି ଚର୍ଚ୍ଚା ହେଇ ଆସୁଅଛି, ଜୀବନ ଦର୍ଶନର ଆମୂଳଚୂଳ ଆଲୋଚନା - ପର୍ଯ୍ୟାଲୋଚନା ହେଉଥିଲା ଏଠି । ଏହି ଗାଁ ସହିତ ଆଖପାଖ ଗାଁରୁ ଶହ ଶହ ଲୋକ ଏହି ଆଲୋଚନାରେ ଭାଗ ନେଉଥିଲେ । ପରେ ରନ୍ଧା ହୋଇଥିବା ପ୍ରସାଦ ସେବନ କରି ନିଜ ନିଜ ଘରକୁ ଫେରୁଥିଲେ । ପ୍ରତି ପର୍ବପର୍ବାଣୀରେ ବାଳକ ଭୋଜନ, ଗରିବଗୁରୁବା ମାନଙ୍କୁ ଅନ୍ନ-ବସ୍ତ୍ର ଆଦି ଦାନ ଦିଆ ଯାଉଥିଲା । ସେତେବେଳେ ଆମ ଘରଟି ଏକ ଧାର୍ମିକ ଅନୁଷ୍ଠାନର ରୂପ ନେଇଥିଲା । ସେ ସମୟରେ ବାପାଙ୍କର କୋଡିଏ ଏକର ଚାଷ ଜମି ଥାଏ । ଯାହା ଶସ୍ୟ ଅମଳ ହେଉଥିଲା, ଅଧାରୁ ଅଧିକ ଏହି ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ଆଉ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଆମେ ପୁଅମାନେ କିଛି କିଛି ସାହାଯ୍ୟ କରୁଥିଲୁ । ବାପାଙ୍କ ଠାରୁ ଅନୁପ୍ରାଣିତ ହୋଇ ମୁଁ ମଧ୍ୟ ଧର୍ମ କର୍ମ ପ୍ରତି ନିଜକୁ ସମର୍ପିତ କଲି । ମୋର ଆବିଳତା ଦେଖି ବାପା ମଧ୍ୟ ତାଙ୍କର ଧର୍ମ ରାଜ୍ୟର ଉତ୍ତରାଧିକାରୀ ଭାବେ ନିଶ୍ଚିତ ହୋଇ ଯାଇଥିଲେ । ସେଇଥି ପାଇଁ ବୋଧହୁଏ ବାପା ମୋ' ପାଇଁ ଅତ୍ୟନ୍ତ ଧର୍ମ ପରାୟଣା ବୋହୂଟିଏ ଖୋଜି ମୋ' ହାତରେ ବାନ୍ଧି ଦେଇଥିଲେ । ଅଞ୍ଜଳୀଙ୍କର ଅତ୍ୟନ୍ତ ଭକ୍ତିଚେତା ମନୋଭାବ,ଗଭୀର ଈଶ୍ୱର ବିଶ୍ୱାସ ଓ ଅମାପ ଧର୍ମ ପରାୟଣତା ମୋତେ ଖୁସି ଦେଇଥିଲା । ବାପା ସ୍ୱର୍ଗଗାମୀ ହେବା ପରେ ଚାକିରୀ ଛାଡି ଧାର୍ମିକ ଅନୁଷ୍ଠାନଟିକୁ ମୁଁ ସମ୍ଭାଳିଲି । ବାପାଙ୍କ ପରି ଚାଷ ବାସ ଦେଖିବା ସହିତ ଦାନ ଧ୍ୟାନ କରିଚାଲି ଥିଲି ।
କିଛି ଦିନ ଯାଆନ୍ତେ ଭାଇ ମାନେ ମୋ' ଠାରୁ ଅଲଗା ହେଇଗଲେ । ଚାଷ ଜମି ଚାରି ଭାଗ ହେଇଗଲା । ମୋ' ଭାଗରେ ପଡିଥିବା ମାତ୍ର ପାଞ୍ଚ ଏକର ଜମିରେ ଫସଲ ଫଳେଇ ଧର୍ମ ସଂସ୍ଥାନକୁ ଚଳାଇବା ସହିତ ପରିବାର ପୋଷଣ ପାଇଁ ମୁଁ ଭାରି କଷ୍ଟ ଅନୁଭବ କଲି । ଅଧିକ ଉପବାସ କାରଣରୁ ଅଞ୍ଜଳୀ ରୋଗାକ୍ରାନ୍ତ ହେଇ ଗଲେ । ଦାନ ଧ୍ୟାନ କମ ହେଇ ଯିବାରୁ ଅନୁଷ୍ଠାନଟିକୁ ଭକ୍ତ ମାନଙ୍କର ଆଗମନ ଧୀରେ ଧୀରେ କମ ହେଇଗଲା ।
ଅଞ୍ଜଳୀଙ୍କର ରୋଗର ଚିକିତ୍ସା ଓ ପିଲା ମାନଙ୍କୁ ସଠିକ ଶିକ୍ଷା ଦେବା ପାଇଁ ମୁଁ ଏବେ ଅସମର୍ଥ । ଡ଼ାକ୍ତର ଅଞ୍ଜଳୀଙ୍କୁ ଅଧିକ ଉପବାସ ରହିବାକୁ ମନା କରିବା ସହ ଠିକ୍ ସମୟରେ ଖାଦ୍ୟପେୟ ଖାଇ ଔଷଧ ସେବନ ପାଇଁ ପରାମର୍ଶ ଦେଇଛନ୍ତି । କିନ୍ତୁ ଅଞ୍ଜଳୀ ଅମାନିଆ ହୋଇ ତାଙ୍କ ବାଟରେ ଚାଲିଛନ୍ତି । ପୂର୍ବରୁ ଥିବା ମାଟି ଘର ଖଣ୍ଡିକ ମହାବାତ୍ୟା 'ଫନି'ର ପ୍ରଳୟରେ ଭାଙ୍ଗି ଯାଇଛି ଯେ ଏବେ ଯାଏଁ ସଜାଡି ନପାରି ପଲିଥିନରେ ଢାଙ୍କି ରଖିଛି ।
କେଉଁଠି ରହିଲା ଭୁଲ୍ । ସଂସାରରେ ଜୀଇଁବାର କଳା ଶିଖିବାରେ କେଉଁଠି ହେଲା କମ୍ । ଜୀବନ ରାସ୍ତାରେ ଅଧୁରା ଏକ ଶବ୍ଦ ବ୍ୟତୀତ ଆଉ କିଛି ଯେପରି ମୁଁ ପ୍ରାପ୍ତ କରି ପାରିଲିନି ।ଅଧୁରା ସ୍ବପ୍ନ,ଅଧୁରା ଆକାଂକ୍ଷା, ଅଧୁରା ପ୍ରେମ ହିଁ ଏହି ଅଧୁରା ଜୀବନର ଅନୁଭବ ।
ଈଶ୍ୱର ଭକ୍ତିର କେଉଁ ପରିସ୍ଥିତି ଶାନ୍ତିର ନିକଟତର କରିଥାଏ ତାହା ବି ଜାଣି ଅଜଣା ଲାଗୁଛି । ଈଶ୍ୱରଙ୍କ ପ୍ରତି ଉତ୍କଟ ଉତ୍ସାହ ଯଦିଓ ମଙ୍ଗଳ ବିଚାର, କର୍ମ ରହିତ ଜୀବନ ଯାପନରେ ପରମଈଶ୍ୱରଙ୍କ ପରମ କଳ୍ପନାରେ କେତେ ଯେ ଯଥାର୍ଥତା ଥାଏ ତାହା ହିଁ ରାମ ବାବୁଙ୍କ ଚିନ୍ତନର କେନ୍ଦ୍ରବିନ୍ଦୁ । ସ୍ରୋତସ୍ବିନୀର ପ୍ରଖର ସ୍ରୋତରେ ବୁଡ଼ି ଯାଉଥିବା ଲୋକଟିକୁ ନଦୀବନ୍ଧରେ ଛିଡା ହୋଇ ଜଣେ ସାଧୁଜନ ଉପଦେଶ ବା ପରାମର୍ଶ ଦେବା କଥାଟି ବଡ଼ ବ୍ୟଙ୍ଗାତ୍ମକ ମନେହୁଏ । ଆଉ ହୃଦ୍ବୋଧ ହୋଇଯାଏ ସାଧୁଜନର ସାଧୁତାର ମହାନ ଉପଦେଶ ଅଥଳ ଜଳର ପ୍ରବଳ ଭଉଁରିରେ ଘୁରୁଥିବା ସେଇ ମୃତ ପ୍ରାୟ ଲୋକଟିକୁ କେମିତି ଆଶ୍ୱସ୍ତ କରି ପାରୁଥିବ ।
ଅଞ୍ଜଳୀ,ମୁଁ ବୁଝି ପାରୁନି,ତୁମର ସେ ଭକ୍ତିପୂତ ବିଶ୍ୱାସ ଏତେ ଶୀଘ୍ର ଅନ୍ଧ ହେଇଗଲା କିପରି ନା'....ନା....ଆଜି ଅଞ୍ଜଳୀଙ୍କୁ ତାଗିଦ୍ କରିବି।ଆଉ ବିନମ୍ରତାର ସହ ଅନୁରୋଧ କରି କହିବି ଯେ: "ଅଞ୍ଜଳୀ..ଏବେ ତୁମର ସେ ସ୍ୱଚ୍ଛ, ସିଦ୍ଧ, ନୟନ ପ୍ରାଙ୍ଗଣରୁ ବିକାର ଗ୍ରସ୍ତ ଅନ୍ଧ ପୁଟୁଳି ଟିକୁ ଖୋଲି ଦିଅ।ତା'ପରେ ପାତାଳର ସେ ଭୀମାନ୍ଧକାର ପରିବର୍ତ୍ତେ ଦେଖିବାକୁ ପାଇବ ସ୍ୱର୍ଗର ସେ ସ୍ନିଗ୍ଧ ଆଲୋକ।ଦୂର ହେବ କଣ୍ଟକମୟ ଅରଣ୍ୟର ଦୁର୍ଗମ ପଥ କ୍ଳିଷ୍ଟ।ବ୍ୟଥାକ୍ରାନ୍ତ ପାଦଯୁଗଳ ସ୍ପର୍ଶ କରିବ ପୁଷ୍ପିତ ଉପବନର କୋମଳ ସମନ।ଫଳସ୍ୱରୂପ ଆମ ପରିବାରରେ ଆପେ ଆପେ କଳ କଳ ନାଦ କରି ବହିଯିବ ଆନନ୍ଦର ବୈତରଣୀ।
ରାମ ବାବୁ,ଅର୍ଦ୍ଧଜାଗରିତ ହୋଇ ଅତୀତର ଘଟଣାମୟ ଚକ୍ରବିହ୍ୱରେ ଛନ୍ଦି ହୋଇ ଯାଇଥିବା ଯନ୍ତ୍ରଣାମୟ ବର୍ତ୍ତମାନକୁ ଉଦ୍ଧାର କରିବାର ଉପାୟ ବାହାର କରୁ କରୁ ହଠାତ୍ ଶିଥିଳ ଅଧରରେ ଅଞ୍ଜଳୀ ଛୁଆଇଁ ଦେଇଥିଲେ ଭଗବାନଙ୍କର ଘୃତ ମିଶା ଭକ୍ତିଗନ୍ଧା ପ୍ରସାଦ । ରାମ ବାବୁ ପ୍ରକୃତିସ୍ଥ ହେବା ପରେ ଚୁପ୍ଚାପ୍ ନିର୍ଲିପ୍ତ ନୟନରେ ଚାହିଁ ରହିଥିଲେ ଅଞ୍ଜଳୀଙ୍କ ବିଷାଦମୟ ହସ ହସ ମୁହଁକୁ ।
ବଇଞ୍ଚା,ଇରମ,ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।