ସତ୍ଯଜିତ୍ ସ୍ବାଇଁ
ଯେଉଁଦିନ ଠାରୁ ନିଜ ଘର ବାଲକୋନିରୁ ସାମ୍ନା ଘରେ ରହୁଥିବା ଝିଅକୁ ଦେଖିଛି, ସେଇଦିନରୁ ସଂକଳ୍ପ ଯେମିତି ଗୋଟେ ନୂଆ ମଣିଷରେ ବଦଳି ଯାଇଛି | ଯେଉଁ ଆଖି ଅନେକ ଦିନ ହେଲା ସ୍ବପ୍ନ ଦେଖିବା ଛାଡ଼ି ଦେଇଥିଲା, ଏବେ ସେ' ଆଖି ଦୁଇଟିରେ ଅନେକ ରଙ୍ଗୀନ ସ୍ବପ୍ନ | ମନ ପକ୍ଷୀ ବି ନିଜ ଦୁଇ ଭାଙ୍ଗି ଯାଇଥିବା ଡେଣାକୁ ଯୋଡ଼ି ଉଡିବା ଆରମ୍ଭ କଲାଣି |ଜୀବନରେ ଅନେକ ଝିଅ ଦେଖିଛି ହେଲେ ଏପରି ଅନୁଭବ କେବେ ହେଇନି | ଏମିତି କୋଉ ଆଖି ତାକୁ ବାନ୍ଧି ରଖି ପାରିନଥିଲା | ନିଜ ସୁନ୍ଦର କେଶକୁ ସିଏ ଯେତେବେଳେ ସଜାଉଥାଏ, ସଂକଳ୍ପ ତାକୁ ଲୁଚି ଲୁଚି ଦେଖୁଥାଏ ଆଉ ଭାବୁଥାଏ ତା' ଭିତରେ ହଜିଯିବାକୁ | କେବେବି ନିଜ ମନକଥା କହିବାକୁ ଶକ୍ତି ଜୁଟାଇ ପାରିନି |
ଦିନେ ଏମିତି ବୁଲିବାକୁ ଯାଇଥାଏ ସଂକଳ୍ପ, ହଠାତ ଆରମ୍ଭ ହେଇଗଲା ପ୍ରବଳ ବର୍ଷା, ଯୋଗକୁ ଘରୁ ଆସିବା ବେଳେ ସାଥୀରେ ଛତା ନେଇ ଆସିଥାଏ ସଂକଳ୍ପ | କିଛି ବାଟ ଚାଲୁ ଚାଲୁ ଟିକେ ରହିଗଲା ସଂକଳ୍ପ | ପଛକୁ ବୁଲି ଚାହିଁଲା ବେଳକୁ ସେଇ ଝିଅଟି ଛିଡା ହୋଇଛି, ବର୍ଷାରେ ବିନା ଛତାରେ ଯିବା ଅସମ୍ଭବ | ମନରେ ସାହସ ଜୁଟାଇ ପାଖକୁ ଗଲା ସଂକଳ୍ପ |"କିଛି ଭାବିବନି ଯଦି ମୋ' ସହ ଆସିପାର", ତଳକୁ ଅନାଇ କହିଲା ସଂକଳ୍ପ |ଝିଅଟି ବି ରାଜିହୋଇଗଲା, କାରଣ ସଂକଳ୍ପ ସହ ଯଦିଓ ସେପରି କିଛି ସମ୍ପର୍କ ନାହିଁ ତଥାପି ତାର ଚରିତ୍ର ବିଷୟରେ ତାର ବିଶେଷ ଧାରଣା ଥିଲା ଯେହେତୁ ସାମ୍ନା ଘରେ ରୁହେ ସେ', କେବେ କୋଉ ଝିଅକୁ ଆଖି ଉଠେଇ ଚାହେଁନି ସଂକଳ୍ପ |ଗୋଟେ ଛତା ତଳେ ଚାଲି ଚାଲି ଗଲାବେଳେ ଅନେକ ଭାବନା ଉଙ୍କି ମାରୁଥାଏ ସଂକଳ୍ପ ମନରେ | ଦେହରେ ବର୍ଷା ପାଣି ପଡି ସୃଷ୍ଟି ହେଉଥାଏ ଏକ ନୂତନ ଶିହରଣ | କିଛି ସମୟର ନୀରବତାକୁ ଭାଙ୍ଗି ଝିଅକୁ ତା' ନାଆଁ ପଚାରିଲା ସଂକଳ୍ପ | "ମୋ ନାଆଁ ସୃଷ୍ଟି", ଝିଅଟି ଉତ୍ତର ଦେଲା | ଘର ପାଖରେ ପହଁଞ୍ଚିବା ପରେ ଓଠରେ ସ୍ମିତହାସ୍ୟ ସହ ଧନ୍ୟବାଦ ଦେଇ ଚାଲିଗଲା ସୃଷ୍ଟି | ମନରେ ଅନେକ ଆଶା ନେଇ ଘରକୁ ଚାଲିଗଲା ସଂକଳ୍ପ |
ସେଦିନଠାରୁ ଉଭୟଙ୍କ ମଧ୍ୟରେ ଗୋଟେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା, କେହି କାହାରିକୁ କିଛି ଲୁଚାନ୍ତିନି | ଦିନେ ସୃଷ୍ଟି, ସଂକଳ୍ପକୁ କହିଲା "ଆଜି ତୁମକୁ ଗୋଟେ ସରପ୍ରାଇଜ ଦେବି, ମାର୍କେଟରେ ଥିବା ସେଇ ଡେ଼ଲିସିଅସ କଫି ଶପକୁ ଆସି ପହଞ୍ଚିବ", "ମୁଁ' ବି ତୁମକୁ ଗୋଟେ ସରପ୍ରାଇଜ ଦେବି", ଜଲଦି ଦେଖା ହେବା" | ଆଜି ସୃଷ୍ଟିକୁ ନିଜ ମନକଥା କହିଦେବା ପାଇଁ ସ୍ଥିର କରିଛି ସଂକଳ୍ପ | ଗଲାବେଳେ ଗୋଟେ ନାଲି ଗୋଲାପ କିଣିନେଇଛି ସଂକଳ୍ପ | କଫି ଶପରେ ପହଁଞ୍ଚିବା ପରେ ସୃଷ୍ଟି ସଂକଳ୍ପର ପରିଚୟ କରାଇଛି ଜଣେ ଯୁବକଙ୍କ ସହ, "ଇଏ ହେଉଛନ୍ତି ସ୍ବୟମ, ମୋ ବୟଫ୍ରେଣ୍ଡ, ତୁମ ସହ ଭେଟିବାକୁ ମତେ କେତେଦିନ ହେଲା କହୁଥିଲେ"| ଅଜାଣତରେ ଅଶ୍ରୁର ବନ୍ୟା ଝରିଯାଇଛି ସଂକଳ୍ପର ଆଖିରୁ, ତଥାପି ଓଠରେ ହସ ଫୁଟାଇ ଉଭୟଙ୍କୁ ଅଭିନନ୍ଦନ ଜଣାଇଛି | ପ୍ରେମର ଏ' ଫୁଲଭରା ରାସ୍ତା ତା' ପାଇଁ ନୁହେଁ, ଏ କଥା ଆଉ ତାକୁ ଯେମିତି କେହି କାନରେ କହିଦେଉଛି |"ତେବେ ପ୍ରେମର ଅସଲି ମାନେ ତ' ତ୍ୟାଗ, ଆଜି ସବୁକିଛି ହାରିବି ସେ' ଜିତିଯାଇଛି | ନିଜ ବନ୍ଧୁତ୍ୱର ଡୋରକୁ ଆହୁରି ମଜବୁତ କରିବାକୁ ଆଗେଇଯାଇ, ଉଭୟଙ୍କୁ ଅଭିନନ୍ଦନ ଜଣାଇ ଘରକୁ ଫେରିଆସିଛି ସଂକଳ୍ପ ||
ଅଡ଼ଶପୁର - କଟକ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।