9/01/2019

କିଆଁ ପୂଜିବି ପଥର???

ବଳରାମ ବାରିକ 

                    କାହିଁ କେତେ ବରଷରୁ  ଗାଁ ଶେଷ ମୁଣ୍ଡରେ ଥିବା ସେହି ବିରାଟ  ମୁଚୁକୁନ୍ଦ ଗଛ ମୂଳେ ୪/୫ ଟି ପଥର ଅଛି। ଜେଜେ ବାପା କହନ୍ତି ସେ ବି ଛୋଟ ପିଲାଥିବା ସମୟରୁ ମଧ୍ୟ ସେହି ପଥର ସେମିତି ଅଛି। କେବଳ ସମୟ ଅନୁସାରେ ସେହି ପଥର ଗୁଡିକର ଚାରି ପାଖର କାୟାକଳ୍ପ ବଦଳୁଛି। ସିନ୍ଦୂର ,କରିଆ ଶଙ୍ଖାର ଆବରଣ ଭିତରେ ପଥର ଗୁଡିକ ବିରାଜମାନ । ମୁଁ ଶେଷଥର ପାଇଁ ଯେତେବେଳେ ଦେଖିଥିଲି ସେ ପଥର ଗୁଡିକରେ ପିତ୍ତଳର ଆଖି ଓ ପାଟି ଆସି ଯାଇଥିଲା।


       ଏଇ କିଛିଦିନ ପୂର୍ବରୁ ଗାଁ କୁ ଯାଇଥିଲି ଦେଖିଲି ପଥର ଗୁଡିକର  ଚାରିପାଖେ ପକ୍କା ଚାନ୍ଦିନୀ ନିର୍ମାଣ ହୋଇ ଯାଇଅଛି । ସୁନ୍ଦର ସାଜସଜ୍ଜା ମଧ୍ୟ ହୋଇଛି। ଗାଁ ଲୋକଙ୍କ ଭିଡ଼ ବି ଜମୁଛି। ସନ୍ଧ୍ୟା ହେଲେ ଭଜନ କୀର୍ତ୍ତନ ହେଉଛି ।ଝୁଣା ମହମହ ବାସୁଛି।ଘଣ୍ଟ ଢାଉଁ ଢାଉଁ ଶୁଭୁଛି।
ଚିକିମିକିଆ ରଙ୍ଗୀନ ଲାଇଟ୍ ମଧ୍ୟ ଲାଗିଛି। କିଛି ସମୟ ଅଟକି ଗଲି ପୁରୁଣା ମୁହୂର୍ତ୍ତ ସବୁ ମନେ ପଡିଗଲା। ଗାଁ ଉପରକୁ କିଛି ବିପତ୍ତି ଆସିଲେ ସମସ୍ତେ ଆସି ସେହି ପଥରକୁ ପୂଜା କରନ୍ତି। ହଇଜା ଲାଗିଲେ କି ପାଖ ନଦୀରେ କେହି ବୁଡ଼ି ମରିଗଲେ ଗାଁ ଲୋକ ସେଇ ଗଛ ମୂଳେ ପଣାପାଣି ଦିଅନ୍ତି। ଗାଁରେ କାହାର ବାହାଘର  ହେଲେ  କାଣ୍ଡ କଳସୀ କାଖେଇ ସେ ଘରର ବଡ଼ ଭାଉଜ ,ଦିଅର ଓ ନଣନ୍ଦଙ୍କ ବାହାଘର ସମୟର ପୂଜା ବିଧି ଅନୁକୂଳ କରିବାକୁ  ଯାଆନ୍ତି।

     ଆମେ ବି ହାଇସ୍କୁଲ ବୋର୍ଡ ପରୀକ୍ଷା ଦେଇ ଯିବା ପୂର୍ବରୁ ସେଇ ପଥର ଗୁଡିକ ସାମ୍ନାରେ କଳସ ବସାଇ ଥିଲୁ। ଗାଁର ପୁରୁଖା ଲୋକ କହନ୍ତି ମା' ରକ୍ତେଇ ହେଉଛନ୍ତି ଆମର ଗ୍ରାମର ଅଧିଷ୍ଠାତ୍ରୀ  ଦେବୀ।ଆମ ଗ୍ରାମ ଦେବତୀ।ସେ ଆମ ଗାଁକୁ ଜଗିଛି।ଶତ୍ରୁର ମୁକାବିଲା କରୁଛି। ତା' ଡରରେ ଚୋର ,ଟସ୍କର୍ ବି ଗାଁରେ ପଶିବାକୁ ସାହସ କରିବନି।ସେ ପରା ଜିଅନ୍ତା ଠାକୁରାଣୀ।ସେ ସବୁ ଦେଖୁଛି ।ଅନ୍ୟାୟ କେବେ ବରଦାସ୍ତ କରିବନି ସେ।ସେ ଆମ ସମସ୍ତଙ୍କୁ ଘଣ୍ଟ ଘୋଡେଇ ରଖିଛି। ସତରେ ଏସବୁ କଣ ବିଶ୍ୱାସ କରିବା କଥା ???

ଏ ସବୁ ସତ୍ୟ !!!!
ନା ଅର୍ଦ୍ଧ ସତ୍ୟ !!!!
ନା ସମ୍ପୂର୍ଣ୍ଣ ମିଥ୍ୟା
ନା ଅନ୍ଧ ବିଶ୍ୱାସ!!!

         ଏହା ମଧ୍ୟରେ ଅନେକ ବର୍ଷ ବିତିଯାଇଛ ମୁଁ ମଧ୍ୟ ଏହି ପଥର ପୂଜାକୁ ନେଇ ଅନେକ ଅନୁସନ୍ଧାନ କଲି। ଯଦିଓ ସନାତନ ଧର୍ମ  ଏକେଶ୍ୱରବାଦ ବିଶ୍ୱାସ କରେ  ତଥାପି ଆମେ ଦେବାଦେବୀଙ୍କ ନାମ କରଣ ଏମିତି କିପରି ମନ ଇଚ୍ଛା କରିଦେଇ  ସଂଖ୍ୟା ବଢ଼େଇ ଚାଲିଛେ ??? ପ୍ରତି ଗ୍ରାମରେ ବିଭିନ୍ନ ନାମରେ ଗ୍ରାମଦେବୀ। କେଉଁଠି ମା' ଖଣ୍ଡୁରାଇ ତ କେଉଁଠି ମା' ପୋଡା ଜାଗୁଳାଇ ତ କେଉଁଠି ମା ଧୁମାବତୀ । ପୁଣି ୟା'ଙ୍କୁ ଛାଡି ତେତିଶ କୋଟି ଦେବାଦେବୀ । କୌଣସି ଭୂଲ୍‌ ଆଶଙ୍କା ଓ ହିସାବ ଲଗାନ୍ତୁ ନାହିଁ।ତେତିଶ କୋଟି ଅର୍ଥ ତେତିଶ ପ୍ରକାରର ଦେବାଦେବୀ।ତେତିଶ କୋଟି ସଂଖ୍ୟା ନୁହେଁ । ଆଜିକାଲି ତ ମାର୍ବଲ ,କଂକ୍ରିଟ ,ସିମେଣ୍ଟ,କାଠ  ଓ ମାଟିରେ ମଧ୍ୟ ମୂର୍ତ୍ତି ତିଆରି ହୋଇ ପୂଜା ହେଉଛି। ନାନା ରଙ୍ଗ ,ଢଙ୍ଗ, ପୂଜା ବିଦ୍ଧି,ସଂସ୍କାର ....ବାପ୍ ରେ ବାପ୍ !!! ଏ ପଥର ଗୁଡିକୁ ପୂଜା ପାଇଁ କାହିଁକି ଏତେ ନିୟମ???

           କାହିଁକି କେଜାଣି ହିନ୍ଦୁ ଧର୍ମରେ ଏମିତିକା ଉପାସନା ପଦ୍ଧତି ଅଛି ?? ଅଲଗା ଧର୍ମରେ ତ ଏମିତି ପୂଜା ପଦ୍ଧତି ନାହିଁ । ହିନ୍ଦୁ ଧର୍ମରେ କାହିଁକି ଏମିତି ଭେଳିକି ଅଛି ?? କ'ଣ ଏହାର କାରଣ ??? ହଁ ତ .....ସେ" ପି :କେ" ମୁଭିରେ ବି ଦେଖାଇଛି ।ଏ ସବୁ ପଦ୍ଧତି ପୂଜା ପଦ୍ଧତି ଆଦୌ ଭଲ ନୁହେଁ। ଆମେ ଗୀତାରେ ସବୁ ପ୍ରଶ୍ନର ଉତ୍ତର ପାଇଯିବା ,ଆଉ କୁଆଡେ ଯିବା ଦରକାର ନାହିଁ। ଭଗବାନ ଶ୍ରୀ କୃଷ୍ଣ ଗୀତାରେ କହିଛନ୍ତି :-

 "ହେ ଅର୍ଜୁନ ମୋ ରୂପର ଅନୁମାନ କେହି ଲଗାଇ ପାରିବେନି । ମୁଁ ଠିକ୍‌ ଜଳ ପରି।ସମୁଦ୍ରରେ ଥିଲେ ବିରାଟ ସ୍ବରୂପର ଅଧିକାରୀ।କିନ୍ତୁ ଯଦି କଳସୀରେ ଥାଏ କ୍ଷୁଦ୍ର ଆକାରର ହୋଇଯାଏ।କିନ୍ତୁ ମୁଁ ସବୁଠି ଥାଏ।ମୋତେ ଯିଏ ଯେଉଁ ରୂପରେ ଖୋଜିଛି ସେଇ ରୂପରେ ପାଇଛି।"

  ଆମ ମହାପୁରୁଷ ତଥା ପୁରୁଖା ମାନେ ଖୁଵ ଚାଲାକ ଥିଲେ ଲାଗୁଛି।।ବୋଧହୁଏ କିଛି ସଂସ୍କାର ଏଠାରୁ ପାଇଛନ୍ତି। କିନ୍ତୁ ଏହା ପଛର ଅସଲ ଉଦେଶ୍ୟ ଓ ଦୁର୍ବଳତା ହେଉଛି ଆସ୍ଥା।
ଆସ୍ଥା ହିଁ ମଣିଷର ସବୁକିଛି। ଏହି ଆସ୍ଥା ମନୁଷ୍ୟ ମନରେ ଆତ୍ମ ବିଶ୍ୱାସ ଜଗାଏ। ସେଇଥି ପାଇଁ ମଣିଷ ଏକା-ଏକା ମଶାଣି ଭୂଇଁକୁ ଯିବାକୁ ଡରେ।ଅନ୍ଧାର ଆସିଲେ ଛାତିରେ ଛନକା ପଶିଯାଏ। ଆତ୍ମବିଶ୍ୱାସ ଟଳମଳ ହୋଇଯାଏ। ସ୍ଵୟଂ ତୁଳସୀ ଦାସ ମଧ୍ୟ ଭୟରେ ବିଳିବିଳି ହୋଇ ହନୁମାନ ଚାଳିଶା ରଚନା କରିଥିଲେ।ଯାହା ତାଙ୍କ ମନରେ ଦମ୍ଭ ପ୍ରବେଶ କରାଇଥିଲା। ଲୋକଙ୍କୁ ଏହି ଆସ୍ଥା ଓ ବିଶ୍ୱାସ ଅସମ୍ଭକୁ ସମ୍ଭବ କରି ଦେଖାଏ। ବାସ୍ ଏହି ବିଶ୍ୱାସକୁ ଉଜ୍ଜୀବିତ ରଖିବାକୁ ଲୋକ ବିରାଟକାୟ ମୂର୍ତ୍ତିମାନ ନିର୍ମାଣ କରି ପୂଜା ଆରାଧନା କରନ୍ତି। ନିଜର ମନର ବ୍ୟଥାକୁ ହାଲୁକା କରନ୍ତି।

             ହିନ୍ଦୁ ମାନଙ୍କର ଏହି ବ୍ୟୟ ବହୁଳ ପୂଜା ପଦ୍ଧତିକୁ ମହମ୍ମଦ ଘୋରୀ,ବାବର ଆଦିଙ୍କ  ପରି କ୍ରୁର  ଶାସକ ଘୋର ବିରୋଧ କରି ମନ୍ଦିର ଭାଙ୍ଗିବା ଆରମ୍ଭ କରି ଦେଉଥିଲେ।ତା'  ଉପରେ ମସଜିଦ୍ ତିଆରି କରିବା ଆରମ୍ଭ କରି ଦେଉଥିଲେ ।ମନ୍ଦିର ଭିତରେ ଥିବା ସମ୍ପତ୍ତିକୁ ଲୁଣ୍ଠି ନେଉଥିଲେ। ହିନ୍ଦୁ ,ବାରମ୍ବାର ଆକ୍ରମଣ ସହି ମଧ୍ୟ ସେହି ଆସ୍ଥା ଓ ବିଶ୍ୱାସକୁ ଉଜ୍ଜୀବିତ ରଖି ପଥର ଗୁଡିକୁ ପୂଜା କରି ଚାଲିଛି। କାହିଁକି କେଜାଣି ଏହି ପଥର  ମୂର୍ତ୍ତି ସାମ୍ନାରେ ଠିଆ ହୋଇ ମଣିଷ ନିଜର ସବୁ ଦୁଃଖ ଓ ଗ୍ଲାନିକୁ ସେହି ନିର୍ଜୀବ ଆଗରେ କହିପକାଏ ଓ ସମାଧାନ ବାଟ ମଧ୍ୟ ତାକୁ ମିଳିଯାଏ।

            ବାର ମାସରେ ତେର ପର୍ବ।ତା ଛଡା ଅନେକ ତିଥି ,ରୀତିନୀତି ସବୁ  ପାଳନ ହୁଏ ସେ ପଥର ଗୁଡିକ ସାମ୍ନାରେ। କେବଳ ଓ କେବଳ ମାତ୍ର ବିଶ୍ୱାସ। କିଏ ଟଙ୍କା ,ସୁନା ,ରୂପା ମାଗିଲାଣି ତ କିଏ କ୍ରୀଡାରେ ବିଜୟୀ ହେବା ପାଇଁ ଆଶ୍ୱାସନା, ତ କିଏ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାପାଇଁ ଶୁଭ ମନାସେ । ଆଉ କିଛି ବ୍ୟକ୍ତି ନିସ୍ଵାର୍ଥପର ଭାବରେ ସେ ପଥର ଗୁଡିକ  ପାଖରେ ମୁଣ୍ଡ ତଳକୁ କରି ମଣିଷ ଜୀବନ ମିଳିଥିବରୁ ଈଶ୍ୱରଙ୍କୁ ଗଦଗଦ ହୋଇ ଧନ୍ୟବାଦ ଦିଅନ୍ତି। ମୁଁ କିନ୍ତୁ ଏହି ପଥର ପୂଜା ପଛରେ ଏକ ସୁନ୍ଦର ଅନୁଶୀଳନ କଲି, ହଁ ଏହି ଅନୁଶୀଳନଟି ହେଉଛି ରୋଜଗାର। ଅର୍ଥ ପ୍ରାପ୍ତି । କୁଟୁମ୍ବ ଭରଣ ପୋଷଣ । ପଥର/ମାଟି/କାଠରେ ଯିଏ ମୂର୍ତ୍ତି ନିର୍ମାଣ କଲା ସେ ଏକ ବୃତ୍ତିକୁ ଆପଣାଇଲା ଏହି କାମ କରି ସେ ଆତ୍ମନିର୍ଭରଶୀଳ ହେଲା ଓ ପରିବାରର ଗୁଜୁରାଣ ମେଣ୍ଟାଇଲା । ଏହି ମୂର୍ତ୍ତିରେ ଲାଗୁଥିବା ରଙ୍ଗ ,ସିନ୍ଦୁର ଓ ଅନ୍ୟାନ୍ୟ ଉତ୍ପାଦ ଗୁଡିକୁ ନେଇ ମଧ୍ୟ ଜଣେ କୁଟୀର ଶିଳ୍ପ ଖୋଲି ସ୍ୱରୋଜଗାର  ପ୍ରାପ୍ତ କଲା । ପୂଜାରେ ଲାଗୁଥିବା ବିଭିନ୍ନ ଫଳ,ସଶ୍ୟ,ଦୁଗ୍ଧ  ଆଦି ଉତ୍ପନ କରି ଚାଷୀ ଉପକୃତ ହେଲା । ପୂଜା ପାଇଁ ଉଦିଷ୍ଟ ଫୁଲକୁ ବିକ୍ରୀକରି ମାଳି ଦୁଇ ପଇସା ରୋଜଗାର କଲା। ଧୂପକାଠି, ଘିଅ, ଆଦିକୁ ତିଆରି କରି ବ୍ୟକ୍ତି ସ୍ୱାବଲମ୍ବୀ ହେଲା।

       ମନ୍ଦିରରେ ଲାଗୁଥିବା ବାସନ କୁସନ, କୀର୍ତ୍ତନ ସାମଗ୍ରୀ ଆଦିକୁ  ନେଇ ମଧ୍ୟ ଲୋକ ନିଜସ୍ୱ ବ୍ୟବସାୟ ପ୍ରତିଷ୍ଠାନ ବନାଇ ପାରିବ । ଝୁଣା, ଲାଖ,ମହୁ, ହରିଡା, ବାହାଡା ,ସାଳୁଆ ପତ୍ର ଆଦିକୁ ବିକ୍ରୟ କରି ଜଣେ ଆଦିବାସୀ ଓ ବନବାସୀ ଲାଭବାନ ହୋଇପାରିବ। ପଥରକୁ ପୂଜା କଲେ ଏମିତି ଅନେକ କିଛି  ଲାଭ ଏ ସମାଜର ହୁଏ ।ଏହାର ମହିମା ବଖାଣିଲେ ସରିବ ନାହିଁ । ଯଦି କେହି ବି କହେ କାହିଁକି ପଥରକୁ ପୂଜା କରୁଛ ? କଣ ଲାଭ ? ଆପଣ ତାକୁ ଅବଶ୍ୟ ଲାଭ ଗଣାଇ ପାରିବେ। କହି ପାରିବେ ,ଭାରତର ଅର୍ଥନୀତିକୁ ମଧ୍ୟ ହିନ୍ଦୁ ପୂଜା ପଦ୍ଧତି ପ୍ରଭାବିତ କରୁଛି। ଯେଉଁମାନେ ମୂର୍ତ୍ତି ପୂଜା ଆରମ୍ଭ କରିଛନ୍ତି ,ସେମାନେ କେବେ ଗଞ୍ଜେଇ ଟାଣି ଏହା ଆରମ୍ଭ କରି ନଥିବେ। କିଛି ଅସାଧୁ ବ୍ୟକ୍ତି ଅସଲ କାରଣ ନଜାଣି ମନ ଇଚ୍ଛା ଟିପ୍ପଣୀ କରନ୍ତି।କିଛି ଲିବେରାଲ ଓ ମାଉପ୍ରେମୀ ଏହାକୁ ବିଶ୍ୱାସ କରନ୍ତି ନାହିଁ । ଯିଏ କଲେ କରୁ ନକଲେ ନକରୁ।କିଛି ଅସୁବିଧା ନାହିଁ। ତେବେ ଆସନ୍ତୁ ଅଧିକରୁ ଅଧିକ ପଥର ପୂଜା କରିବା।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।