9/01/2019

ସ୍ବାଧୀନ ଓ ପରାଧୀନ

ଶିବ ପ୍ରସାଦ ବାହିନୀପତି 
                       ରାତି ପାହିଲେ ସ୍ବାଧୀନତା ଦିବସ । ସ୍କୁଲ୍‌,କଲେଜ୍‌ ଓ କୋଚିଙ୍ଗ୍‌ ସେଣ୍ଟର୍ ମାନଙ୍କରେ ବି ପୂର୍ଣ୍ଣ ପ୍ରସ୍ତୁତି । ସରକାରୀ କାର୍ଯ୍ୟାଳୟ ବନ୍ଦ ପ୍ରାୟ । ଗାଆଁରୁ ସହର ପୂର୍ଣ୍ଣ ପ୍ରସ୍ତୁତିରେ ପ୍ରତୀକ୍ଷାରତ ଆରଦିନଟିକୁ । ରାସ୍ତାଘାଟ ସବୁ ସୁନିର୍ମଳ । କିଣା ସରିଲାଣି ଝାଲେରୀ ପତାକା ଓ ତିଆରି ସରିଛି ବ୍ଯାନର ; କାନ୍ଥବାଡ଼ରେ ଥପା ସରିଛି ପୋଷ୍ଟର । ପ୍ରସ୍ତୁତ ହୋଇସାରିଛି ବି ସାହିତ୍ଯ କାର୍ଯ୍ୟକ୍ରମର ଯୋଜନା । କବି ଓ ଲେଖକ ମାନଙ୍କୁ ବଣ୍ଟା ହୋଇସାରିଲାଣି ନିମନ୍ତ୍ରଣ ପତ୍ର ଏବଂ ଟେଣ୍ଟ୍‌ ହାଉସ୍‌କୁ ବଇଣା ଦିଆ ସରିଛି। ରୋଷେୟା ବି ଆଡ଼୍‌ଭାନ୍ସ୍‌ ନେବା ସହ ବଡ଼ ବଡ଼ ହଲ୍‌ ବି ସରିଛି ବୁକିଙ୍ଗ୍‌ । ରାତି ପାହିଲେ ଆମନ୍ତ୍ରିତ ହୋଇ ଆସିବେ କବି, ଲେଖକ ମାନେ ଏବଂ ନେତା ମନ୍ତ୍ରୀ ସବୁ ।

     କାଉ କା' ରାବ ଦେବା ପୂର୍ବରୁ ଆରମ୍ଭ ହୋଇଯିବ କୋଳାହଳ । ଡ଼ି. ଜେ ବକ୍ସ୍‌ ଓ କାହାଳୀର ଘୋର ଗର୍ଜନରେ ପ୍ରକମ୍ପିତ ହେବ ଗ୍ରାମରୁ ସହର । ପରିବେଶ ପରିଷ୍କୃତ ହେଲେ ଶବ୍ଦ ପ୍ରଦୂଷଣ । ସରକାରଙ୍କର ସୂଚନାନୁସାରେ ଶବ୍ଦ ପ୍ରଦୂଷଣ ଦଣ୍ଡନୀୟ ଅପରାଧ । କିନ୍ତୁ  ସ୍ବାଧୀନତା ଦିବସରେ ଶବ୍ଦ ପ୍ରଦୂଷଣ ଅପରାଧ ନୁହେଁ । ସେଦିନ ସମସ୍ତେ ଲଗାମ ଛଡ଼ା । ବିଶେଷ ଦ୍ରଷ୍ଟବ୍ୟ ପରିବେଶକୁ ସୁନ୍ଦର ଓ ନିର୍ମଳ ରଖିବାକୁ ବାରମ୍ବାର ଘୋଷଣା ଚାଲିଛି । ସେଇ କେଇ ଘଣ୍ଟା ପାଇଁ ପରିବେଶଟି ବହୁତ ନିର୍ମଳ ; କାର୍ଯ୍ୟକ୍ରମ ପରେ ପୂର୍ବ ପରି ପ୍ରଦୂଷଣ । ଏଣେତେଣେ ଫିଙ୍ଗା ଯାଇଥିବା ଅଇଁଣ୍ଠା ଖଲିପତ୍ର , ତାକୁ କୁକୁର ଭିଡ଼ି ନେଇ ଚାରିଆଡ଼େ ବିସ୍ତାରି ପକାଇଥିବେ । ପଲିଥିନ୍‌ ବ୍ଯାନ୍‌ ପାଇଁ ଘନ ଘନ ସୂଚନା ବିଫଳ ପାଲଟିଯିବ । ବିଦ୍ଯାଳୟରେ ପିଲାମାନେ ମଟର ସିଝା ପଲିଥିନ୍‌ ପ୍ଯାକେଟ୍‌ ଧରି ଖାଇସାରି ଏଣେତେଣେ ଫିଙ୍ଗୁଥିବେ । ନାନା ପ୍ରକାର ଆତସବାଜିରେ କମ୍ପି ଉଠୁଥିବ ମେଦିନୀ ଆଉ ବାୟୁ ମଣ୍ଡଳରେ ଆସ୍ତରଣ ଜମେଇ ଚାଲିଥିବ ଅଙ୍ଗାରକାମ୍ଳ । ଯଦି ପଚରାଯିବ - "ଭାଇ ! ଆଜି ସବୁ ପ୍ରକାର ନିୟମ ଉଲ୍ଲଂଘନ କ'ଣ ପାଇଁ ?" ଉତ୍ତର ଭାସି ଆସିବ - "ଆଜି ସ୍ବାଧୀନତା ଦିବସ ।" ଅର୍ଥାତ୍ ଆଜି ସମସ୍ତେ ସ୍ବାଧୀନ , ତେଣୁ ଯାହା ଇଛା ତାହା କରିବେ । କାହା ଇଛାକୁ କେହି ଲଗାମ ଦେଇ ପାରିବେନି  । ଏମିତି ତ ଓଡ଼ିଶାରେ ନିୟମ କେବଳ କାଗଜ କଲମରେ  ; ଗଢ଼ା ହେବ ଓ ଭଙ୍ଗା ବି ହେବ ବାରମ୍ବାର । ଆଜି ତ ସହଜେ ସ୍ବାଧୀନତା ଦିବସ  ; ସ୍ବାଧୀନ ଭାବରେ ଯିଏ ଯାହା କରିଲା କରୁ । କାହାକୁ ବାରଣ କରିବାଟା ମସ୍ତବଡ଼ ଭୂଲ୍‌ ହେବ । ସ୍ବ+ଅଧୀନ =ସ୍ବାଧୀନ  । ନିଜର ଅଧୀନରେ ନିଜେ କାର୍ଯ୍ୟରତ  । ଯାହା ଇଛା ହେବ ତାହା କରିବେ ; ବାରଣ କଲେ ତୃତୀୟ ବିଶ୍ବଯୁଦ୍ଧ ।
    ହେଲେ ମୁଁ ଏ ପର୍ଯ୍ୟନ୍ତ ବୁଝି ପାରୁନି ଆମେ କେତେ ମାତ୍ରାରେ ସ୍ବାଧୀନ । ମନକୁ ଆନ୍ଦୋଳିତ କରୁଛି ଗୋଟିଏ ପ୍ରଶ୍ନ ବାରମ୍ବାର  - "ସତରେ ଆମେ କ'ଣ ସ୍ବାଧୀନ ?" ନିଜକୁ ନିଜେ ବାରମ୍ବାର ପ୍ରଶ୍ନ କରିଛି ଓ ନିଜ ଭିତରେ ଉତ୍ତର ଖୋଜିଛି । ଉତ୍ତରରେ କେବଳ ଗୋଟିଏ ଶବ୍ଦ ପାଇଛି - "ନା" । ମତେ ଲାଗେନି ସତରେ ଆମେ ସ୍ବାଧୀନ ବୋଲି । ସଂସାରରେ କୌଣସି ବି ପ୍ରାଣୀ ସ୍ବାଧୀନ ନୁହଁନ୍ତି । ସମସ୍ତେ ପରାଧୀନତାର ବେଡ଼ିରେ ବନ୍ଧା ବୋଲି ମୁଁ ଅନୁଭବ କରେ । ମୋ ଅନୁଭବ କେତେଦୂର ବାସ୍ତବ ବୁଦ୍ଧିଜୀବି ମହଲରେ ବିଚାର କରି ବୁଦ୍ଧିଜୀବିମାନେ କୁହନ୍ତୁ । ପାଠକମାନେ ବି ଅନୁଭବକୁ ମୋର ଅନୁଭବ କରନ୍ତୁ । କୁହନ୍ତୁ ଆମେ ପ୍ରକୃତରେ ପରାଧୀନ ନା ସ୍ବାଧୀନ  ।

    ମୁଁ ଯାହା ଅନୁଭବ କରିଛି କୀଟ ପତଙ୍ଗ ତରୁ ତୃଣ , ଏମିତି କି ପଶୁ ପକ୍ଷୀ ନର ସମସ୍ତେ ପରାଧୀନ । ନିଜ ଅଧୀନରେ କାର୍ଯ୍ୟକୁ ସ୍ବାଧୀନ ପରକୁ ଆଶ୍ରା କରି ବା ପର ଅଧୀନରେ କାର୍ଯ୍ୟକୁ ପରାଧୀନ କହନ୍ତି । ବୃକ୍ଷଟିଏ ପୋତି ଦେଲେ ହେବନି , ତା'ର ଯତ୍ନ ନେବାକୁ ପଡ଼ିବ । ବୃକ୍ଷଟି ବଞ୍ଚିବା ପାଇଁ ପ୍ରଥମେ ମାଟି ଉପରେ ନିର୍ଭର କରେ । ମାଟିରେ ହିଁ ତା'ର ଜୀବନ । ପୁଣି ବର୍ଷା ଉପରେ ନିର୍ଭର କରେ ତା'ର ଖାଦ୍ଯ ପାଇଁ । ତା'ର ଯତ୍ନ ନେବା ପାଇଁ ଆମ ମାନଙ୍କର ପ୍ରଚେଷ୍ଟା ଦରକାର । ତେବେ କୁହନ୍ତୁ ବୃକ୍ଷଟି ପରାଧୀନ କି ନୁହେଁ । ଲତାଟିଏ ମାଡ଼ିବାକୁ ଭାଡ଼ି ବା ଅନ୍ଯ କୌଣସି ବୃକ୍ଷର ସହାୟତା ଲୋଡ଼େ ; ସେ ବି ପରାଧୀନ ଅଟେ । କୀଟ ପତଙ୍ଗ ପଶୁ ପକ୍ଷୀ ବି ପରାଧୀନ । ବଞ୍ଚିବା ପାଇଁ ପର ଉପରେ ନିର୍ଭର କରନ୍ତି । ମଣିଷ ବି ଠିକ୍‌ ସେହିପରି ଅଟେ । ଜନ୍ମରୁ ମୃତ୍ଯୁ ପର୍ଯ୍ୟନ୍ତ ପ୍ରତ୍ଯେକ ପ୍ରାଣୀ ପରାଧୀନ ।

   ପ୍ରଥମେ ବିଚାର କରାଯାଉ ଆମର ଆଧ୍ଯାତ୍ମିକ ଭାବରେ ତତ୍ତ୍ବମୂଳକ ପରାଧୀନତାକୁ। ନାରୀ ଓ ପୁରୁଷର ମିଳନରେ ନାରୀର ପୂର୍ଣ୍ଣତା । ବିନା ନାରୀରେ ପୁରୁଷର ବି ପୂର୍ଣ୍ଣତା ନଥାଏ । ବଂଶ ରକ୍ଷା ପାଇଁ ଉଭୟ ଉଭୟଙ୍କ ଉପରେ ନିର୍ଭରଶୀଳ । ଏହା ବିଧି ନିର୍ଦ୍ଧିଷ୍ଟ । ଶିଶୁଟିଏ ଜନ୍ମ ହେଲା ପରେ ମାଆ ତା'ର ଯତ୍ନ ନିଏ । ମାଆ ବିନା ଶିଶୁର ଜୀବନ ଧାରଣ ବହୁତ ମାତ୍ରାରେ ଅସମ୍ଭବ । ଶିଶୁଟି ବଡ଼ ହେଲା ପରେ ତା'ର ଦେଖାଶୁଣା ଓ ସମସ୍ତ ଯତ୍ନ ପରିବାର ଉପରେ ପଡେ । ଶିକ୍ଷା ପାଇଁ ଗୁରୁଙ୍କର ଆବଶ୍ଯକତା । ବିବାହ କଲା ପରେ ପୁରୁଷଟି ସ୍ତ୍ରୀ ଉପରେ ଓ ସ୍ତ୍ରୀଟି ପୁରୁଷ ଉପରେ ନିର୍ଭରଶୀଳ । ବୃଦ୍ଧ ହେଲା ପରେ ସେ ପୁଅ ବୋହୂଙ୍କ ଉପରେ ନିର୍ଭର କରେ । ଶେଷରେ ମହାପ୍ରୟାଣ ପରେ ଶ୍ମଶାନ ପର୍ଯ୍ୟନ୍ତ ଜ୍ଞାତି କୁଟୁମ୍ବଙ୍କ କାନ୍ଧରେ ଯାତ୍ରା କରେ ଓ ଦାହ ହୁଏ । ତେବେ ମଣିଷ  କେତେ ମାତ୍ରାରେ ସ୍ବାଧୀନ କୁହନ୍ତୁ  । ମୋର ଏ ନିଚ୍ଛକ ବାସ୍ତବତାର ଆଧ୍ଯାତ୍ମିକ ଭାବନାଟିକୁ ବୁଦ୍ଧିଜୀବିମାନେ ବିଚାରକୁ ନେଇ ଉଚିତ୍ ନା ଅନୁଚିତ୍‌ ଦର୍ଶାନ୍ତୁ ତ ।

       ଏ ଗଲା ଆଧ୍ଯାତ୍ମିକତାର ତତ୍ତ୍ବବାଦୀ ପରାଧୀନତାର କଥା । ଏବେ ମୋ ବିଚାରରେ ମାନବ କୃତ ପରାଧୀନତାକୁ ବୁଝାଇବି । ଦୀର୍ଘ ଦୁଇଶହ ବର୍ଷ ଧରି ଲୁଟି ଚାଲୁଥିବା ଇଂରେଜମାନେ ୧୯୪୭ ମସିହା ଅଗଷ୍ଟ ମାସ ୧୪ ତାରିଖର ଅର୍ଦ୍ଧରାତ୍ରିରେ ଆମ ଦେଶରୁ ବିଦାୟ ନେଲେ । ଆମେ ତା' ପରଦିନ ପାଳିଲେ ସ୍ବାଧୀନତା ଦିବସ । ଆଗରୁ ଭାରତବର୍ଷକୁ ମୋଗଲ ମାନଙ୍କ ଲୁଟ୍‌ତରାଜର ଶିକାର ହେବାକୁ ପଡୁଥିଲା ; ପରେ ପରେ ଇଂରେଜ  । ରାଜତନ୍ତ୍ର ବେଳେ ରାଜା ମହାରାଜା ମାନଙ୍କର ପ୍ରଜା ମାନଙ୍କ ପ୍ରତି ଅକଥନୀୟ ଅତ୍ଯାଚାର ବି ନକହିବା ଭଲ ।



ଛାଡ଼ନ୍ତୁ  ; ଇଂରେଜ ଚାଲିଗଲେ ବୋଲି ଆମେ ଭାବି ନେଲେ ଯେ ଆମେ ସ୍ବାଧୀନ । କିନ୍ତୁ ମୁଁ କହୁଛି ଆମେ ଏବେ ସୁଦ୍ଧା ପରାଧୀନ । ନିଜ ଇଛାନୁସାରେ ଆମେ ବଞ୍ଚିବା ଆମ ପାଇଁ ଦୁର୍ବିସହ । ଅହଙ୍କାର , ସ୍ବାର୍ଥ ଆମ ପାଇଁ ପରାଧୀନତାର ବାଟକୁ ପରିଷ୍କାର କରି ଚାଲିଛି । ଯୋଉମାନେ ଆମ ଦେଶ ପାଇଁ ବଳିଦାନ ଦେଇଛନ୍ତି ନିଜକୁ ସେମାନେ ମହାପୁରୁଷ , ଆମର ଚିର ନମସ୍ଯ । ସେମାନେ ନିଜ ସ୍ବାର୍ଥ ବଦଳରେ ସମାଜର ହିତ ପାଇଁ ନିଜକୁ ତିଳତିଳ ଜାଳିଦେଇ ଆମକୁ ସ୍ବାଧୀନତା ଦେଇଛନ୍ତି  । କିନ୍ତୁ ଆମେ ଆଜି ଆମ ନିଜର ସ୍ବାର୍ଥ ପୂରଣ ପାଇଁ ଏବଂ ନିଜର ଅହଂଭାବକୁ ଚରିତାର୍ଥ କରିବାକୁ ସମାଜର ତଥା ଜନତାଙ୍କର ଅହିତ କରି ଚାଲିଛେ । ଉଚ୍ଚ ପଦବୀର ଆଶା , ତୁଚ୍ଛା ସମ୍ମାନ , ନିଜର ଅର୍ଥନୈତିକ ଅଭିବୃଦ୍ଧି ଆମକୁ ଅନ୍ଧ କରି ଦେଇଛି । ନିଜର ସୁବିଧା ପାଇଁ ଅନ୍ଯକୁ ଅସୁବିଧାରେ ପକାଇବାର ଦୁର୍ବାର ପ୍ରୟାସ ସୂଚେଇ ଦେଉଛି ଆମେ ପରାଧୀନ । ଅହଂଭାବ ବହନ କରି ଅସମ୍ମାନ କରିବା ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେବା କ'ଣ ଆମ ସ୍ବାଧୀନତା ? ସନ୍ତ୍ରାସବାଦୀର କମାଣ ମୁନ ପରିଚୟ ଦିଏ ଆମେ ପରାଧୀନ । ବଧୂହତ୍ଯା , ଶିଶୁଭ୍ରୁଣ ହତ୍ଯା ,ଯୌତୁକ ପ୍ରଥା ,ଯୌନ ବ୍ଯଭିଚାର ଏସବୁ କ'ଣ ଆମ ସ୍ବାଧୀନତାର ଲକ୍ଷଣ ? ମଦଭାଟିରେ ଉଡ଼ି ଯାଉଥିବ ରୋଜଗାର ରାଶି , ଜୁଆଖେଳରେ ସର୍ବସ୍ବାନ୍ତ ହୋଇ ଯାଉଥିବ ପରିବାର  ; କିନ୍ତୁ ଗରିବର ପେଟରେ ମୁଠାଏ ଦାନା ଭରିବାକୁ ସମସ୍ତେ ଅସକ୍ଷମ । ଏଠି ତେଲିଆ ମୁଣ୍ଡରେ ତେଲ , ଏଠି ଜୋର ଯା'ର ରାଜ୍ୟ ତା'ର  ; ଏଠି ଦୁଃଖୀ ସବୁବେଳେ ଅଶ୍ରୁସିକ୍ତ ଆଉ ବଣିକ ଘରେ ଧନଦୌଲତର ଅମାର ।

     ଏଠି ରାଜନୀତିର ଛକା ପଞ୍ଚା ଖେଳ ଜୋର୍‌ଦାର୍‌ । ରାଜା , ମନ୍ତ୍ରୀ ସମସ୍ତେ ଜଣେ ଜଣେ ଖାଦକ  ; ଖାଦ୍ଯ ଏଠି ଦୀନ ଦୁଃଖୀର ଶୋଣିତ । ଏଠି ରାଜନେତା ଠାରୁ କୁଜିନେତାଙ୍କ ଦୌରାତ୍ମ୍ୟ ପ୍ରବଳ । ଶୁଣିଥିଲି ପୁରାଣ ଶାସ୍ତ୍ରରେ ଧନୀକ ବନିବା ପାଇଁ ତୀବ୍ର ପ୍ରତିଯେଗୀତାର କଥା । କିନ୍ତୁ ଏଠି ସବୁ ଓଲଟା , ଗରିବ ବନିବାକୁ ପ୍ରତିଯୋଗିତା । ସରକାରୀ ଅନୁଦାନରୁ ବଞ୍ଚିତ ପ୍ରକୃତ ଗରିବ । ଚାକିରିଆ ଓ ବଣିକର ଛାତ ଉପରେ ଛାତ , ଘରର ପ୍ରତ୍ଯେକ ସଦସ୍ୟର ଗୋଟାଏ ଗୋଟାଏ ପଡ଼ି କାର୍ଡ୍‌ ବା ରେସନ୍‌ କାର୍ଡ୍‌ । ଯାହାର ଆଶ୍ରା ପଲିଥିନ୍‌ ତଳେ ଓ ବୃକ୍ଷ ମୂଳରେ , ସେଇଠି ହିଁ ତା'ର ସରିଯାଏ ଜୀବନକାଳ । ସମସ୍ତ ସରକାରୀ ଯୋଜନାରୁ ସେ ବଞ୍ଚିତ, କାରଣ ଲାଞ୍ଚ ଦେବାକୁ ତା' ପାଖେ ନଥାଏ ସମ୍ବଳ ।

      ଓଡ଼ିଆ ବୋଲି ଗର୍ବ କରିବାକୁ ଆମ ପାଖରେ କିଛି ବି ପ୍ରମାଣ ନାହିଁ ଆଉ । କାରଣ ଆମେ ବିଦେଶୀ ଢ଼ାଞ୍ଚାରେ ବଞ୍ଚିବାକୁ ପସନ୍ଦ କରୁ । ବିଦେଶୀ କିନ୍ତୁ ଆମ ଢ଼ାଞ୍ଚାରେ ବଞ୍ଚିବାକୁ ପସନ୍ଦ କଲେଣି । ଓଡିଆର ସାଙ୍କେତିକ ବସ୍ତ୍ର ଧୋତି ପଞ୍ଜାବି ଏବେ ବିଲୋପର ଅନ୍ତିମ ସୀମାରେ । ଶାଢ଼ୀ ଛାଡି ପୋଷାକରେ ଆଦର । ନମସ୍କାର ବଦଳରେ କୋଳାଗ୍ରତ , ହାତକୁ ହାତ ମିଳେଇ ହ୍ଯାଣ୍ଡ୍‌ସେକ୍‌ ଯେମିତି ବିଦେଶୀଙ୍କ ପରି । ପିତୃ ଦିବସ , ମାତୃ ଦିବସ , ବନ୍ଧୁ ଦିବସ  ନୂଆ ଢ଼ାଞ୍ଚାରେ  । ସ୍ବାଧୀନତା ସଂଗ୍ରାମୀଙ୍କ ଦିବସ ଫିକା ପଡ଼ିଯାଏ ସିନା  ; କିନ୍ତୁ "ଭାଲେଣ୍ଟାଇନ ଡ଼େ"ଟା ପୂରା ଧୂମଧାମ୍‌ । ପାର୍କ୍‌ରୁ ନଈକୂଳ ପ୍ରେମୀ ଯୁଗଳଙ୍କ ଭିଡ଼ ।

       ଗୋପବନ୍ଧୁ କହିଥିଲେ  -

       "ମିଶୁ ମୋର ଦେହ ଏ ଦେଶ ମାଟିରେ
        ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ,
        ଦେଶର ସ୍ବରାଜ୍ଯ ପଥେ ଯେତେ ଗାଢ଼
         ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।"

କିନ୍ତୁ ଏବେ ଓଲଟା ଚାଲିଛି । ଆଜିର ଜନତାଙ୍କ ଭାଷାରେ  -

      "ମିଶୁ ମୋର ସ୍ବାର୍ଥ ଏ ଦେଶ ମାଟିରେ
        ଦେଶବାସୀ ଚାଲି ଯାଆନ୍ତୁ ଗର୍ବରେ
       ଦେଶର ସ୍ବରାଜ୍ଯ ପଥେ ଯେତେ ଗାଢ଼
          ପୂରୁ ତହିଁ ପଡ଼ି ସର୍ବ ଅହଙ୍କାର ।"

                  ଧନ୍ଯ ଏ ସ୍ବାଧୀନତା ଆଉ ଧନ୍ଯ ଆମେ ଜନତା । ଏଇ ଆମ ସ୍ବାଧୀନତା ! ଯୋଉଠି ନାରୀ ପାଲଟିଛି ଭୋଜ୍ଯ ଦ୍ରବ୍ଯ ! ନାରୀଟି ମାଆ, ଭଗ୍ନୀ ଓ ଜାୟା, ତିନି ରୂପରେ ବିରାଜମାନ । ସର୍ବଶ୍ରେଷ୍ଠ ରୂପ ମାଆ । ପର ସ୍ତ୍ରୀ  ମାଆ ଓ ପର ଝିଅ ଭଗ୍ନୀ ପଦବାଚ୍ୟ । କିନ୍ତୁ ନିଜର କାମକୁ ଚରିତାର୍ଥ କରିବାକୁ ପୁରୁଷ ପଶୁ ପାଲଟି ଯାଉଛି । ସ୍ବାଧିନତା ହରେଇ ବସୁଛି ନାରୀ । ପରିଗଣିତ ହେଉଛି ଧର୍ଷିତା ନଚେତ୍ ଗଣିକାରେ । ଏଥିରୁ ଜଣା ପଡ଼ୁଛି ଆମେ କେତେ ସ୍ବାଧୀନ । ଯୋଉଦିନ ରାତ୍ରି ଅର୍ଦ୍ଧେ ନାରୀ ଏକାକିନୀ ନିର୍ଦ୍ବନ୍ଦେ ବିଚରଣ କରି ପାରିବ ପଥରେ  ; ଜାଣିବ ସେଦିନ ଭାରତ ପ୍ରାପ୍ତ କଲା ସ୍ବାଧୀନତା । ମୋ ସ୍ବ ଲିଖିତ ଏକ କବିତାର ଦୁଇ ଧାଡ଼ି  :-

    "ନିଶାର୍ଦ୍ଧେ ଯେଦିନ ନାରୀ ବିଚରିବ ପଥ
      ସେଦିନ ଦେଖିବେ ଜନ ସ୍ବାଧୀନ ଭାରତ ।"

      ଏଣୁ ଏଥିରୁ ପ୍ରମାଣିତ ଯେ ଆମେ ଏବେ ବି ପରାଧୀନ ।ଯେ ଯାଏଁ ଦୟା,କ୍ଷମା ,ସତ୍ଯ, ଶାନ୍ତିର ଉପଲବ୍ଧି ହୋଇ ପାରିନି , ସେତେଦିନ ଯାଏଁ  ଏ ଭାରତ ପରାଧୀନ । ଗୋଟିଏ ଦିନ ସ୍ବାଧୀନତା ଦିବସ ପାଳି ବାଃ ବାଃ ନେବାରେ ସାର୍ଥକତା ବା କ'ଣ  ?

ଭାଟପଡା,ନିରାକାରପୁର,କଣାସ (ପୁରୀ)
ଫୋ-୯୫୫୬୧୩୭୧୨०
ଜୟ ସାହିତ୍ୟ, ଜୟ ସମାଜ

1 comment:

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।