ଜୟଶ୍ରୀ ପଟ୍ଟନାୟକ
ଯୁଗେ ଯୁଗେ ଭଗବାନ ଭକତର ବାନ୍ଧବ । ଭଗବାନ ଓ ଭକ୍ତଙ୍କ ମଧ୍ୟରେ ସଂପର୍କ ଅବିଚ୍ଛେଦ୍ୟ, ଅଭିନ୍ନ । ଭଗବାନ ଓ ଭକ୍ତଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣକୁ ଦେଖିବା, ଜାଣିବା ଅସମ୍ଭବ । କାରଣ ଏହି ଭାବନା ଅସୀମ, ଅନନ୍ତ, ନିରାକାର,ଅବର୍ଣ୍ଣନୀୟ ।ମଣିଷର ନିଷ୍ଠା, ତ୍ୟାଗ ସାଧନା ହିଁ ତାକୁ ଭଗବାନଙ୍କ ନିକଟତର କରାଇଥାଏ । ଯିଏ ଏକାଗ୍ରତାର ସହିତ ଅନ୍ତଃକରଣରେ ନିଜକୁ ଭଗବାନଙ୍କ ନିକଟରେ ସମର୍ପିତ କରିଦିଏ ସେ ହିଁ ପ୍ରକୃତରେ ଭକ୍ତ ପଦବାଚ୍ୟ । ଭଗବାନଙ୍କୁ ପାଇବାକୁ ହେଲେ ଲୋଭ, ମୋହ, ମାୟା,କ୍ରୋଧ, ଅଶାନ୍ତି ଗୁଣକୁ ଦୂରେଇବା ଦରକାର । ଯିଏ କହେ ମନର ମୂଳେଏ ଜଗତ । ସିଏ ମନକୁ ସତ୍,ଚିତ୍ ଆନନ୍ଦର କର୍ମରେ ଲଗାଇବା ଉଚିତ । ମନକୁ ଚିନ୍ତା ଓ ବାହ୍ୟ କୁସଂସ୍କାର ଜନିତ କାର୍ଯ୍ୟ କଳାପରୁ ଦୂରେଇ ରଖିବା ଉଚିତ୍ । ମନ ସବୁବେଳେ ଇଚ୍ଛା ଅନିଚ୍ଛାର ଦ୍ୱନ୍ଦ ମଧ୍ୟରେ ଗତି କରୁଥାଏ । ବେଳେବେଳେ କଣ କରିବ ସ୍ଥିର କରି ପାରୁ ନ ଥାଏ । ସେ ନମ୍ର ହେବ ନା ଅହଂକାରୀ ? ମନୁଷ୍ୟ ଜୀବ ଭିତରେ ଶ୍ରେଷ୍ଠ । ସଂସାରରେ ସେ ଏକ ଚେତନାଶୀଳ ଭାବ ସତ୍ତା । ତା ଚେତନା ଶକ୍ତି ଯେତେବେଳେ ଜାଗ୍ରତ ହୁଏ ସେ ସେତେବେଳେ ଠିକ୍ କଣ ଭୂଲ କଣ ଉପଲବ୍ ଧି କରିପାରେ । ମନ ବେଳେବେଳେ କ୍ରୋଧ,ଘୃଣା,ଅଭିମାନ,ଉତ୍କ୍ଷିପ୍ତତା,ବ୍ୟସ୍ତତା ଏବଂ ବିମୁଖତା ପ୍ରଭୃତି ମନ୍ଦ ସ୍ବଭାବ ଦ୍ୱାରା ପରିଚାଳିତ ହୁଏ । ସେତେବେଳେ ସେ ହୁଏ ଉଗ୍ର । ଯେତେବେଳେ ସେହି ଅନୁଭବ ଶାନ୍ତ,ଶିଷ୍ଟ,ବୟା, କ୍ଷମା ଆଚରଣ କରେ ସେତେବେଳେ ସେ ହୋଇପଡେ ନମ୍ର । ଯେଉଁମାନେ ଗର୍ବ, ଅହଂକାରର ବଶବର୍ତୀ ହୁଅନ୍ତି ନିଜର ବିନାଶ କରି ବସନ୍ତି । ଏଠାରେ ଉଦାହରଣ ନିଆ ଯାଇପାରେ କିଛି ଚରିତ୍ରର, ରାବଣର ଅହଂକାର, ଦୁର୍ଯେ୍ୟାଧନର ଗର୍ବ ସେମାନଙ୍କ ବିନାଶର କାରଣ ହୋଇଥିଲା । ସାଧାରଣ ମଣିଷ ମୁଁ କରୁଛି ବୋଲି ସବୁବେଳେ ଅଭିମାନ କରେ । ରାମାୟଣରେ ଗୋଟିଏ ଶ୍ଲୋକ ଅଛି -"ଅହଂ କରୋମିତି ବୃଥାଭିମାନଃ ।"
ବାସ୍ତବିକ ଆମେ ଆମ ଜୀବନ କାଳରେ ମୁଁ ଏଇୟା କରୁଛି, ସେୟା କରୁଛି ବୋଲି କହିଥାଉ । କିନ୍ତୁ ବାସ୍ତବରେ କରିବା ବାଲା ହିଁ କରିଥାଏ । ଜୀବ ଅଭିମାନ କରେ । ମାତ୍ର ଜୀବ କଣ କରେ ? କର୍ତା ବା କଲାବାଲା ସ୍ବୟଂ ଭଗବାନ । ଦୁର୍ଯେ୍ୟାଧନ ଯେତେଦେଳେ ମୃତ୍ୟୁ ଶଯ୍ୟାରେ ପଡିଥିଲେ ସେତେବେଳେ ସେ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଛନ୍ତି ହେ ହୃଷିକେଶ ! ଆପଣ କଣ ଭାବୁଛନ୍ତି ଧର୍ମ କଣ ମୁଁ ଜାଣିନାହିଁ ? ମୁଁ ଜାଣେ ଧର୍ମ କଣ ତଥାପି ଧର୍ମରେ
ମୋର ପ୍ରବୃତି ଜନ୍ମିନାହିଁ । ଜାଣିଛି ପାପ କଣ? ତଥାପି ତହିଁରୁ ନିବୃତି ହେଉନାହିଁ । ସବୁରି ମୂଳରେ ତୁମେ ସ୍ବୟଂ ତୁମେ । ଯିଏ ଜୀବ ସେ ଈଶ୍ୱର,ଯେ ଇଶ୍ୱର ସେ ଜୀବ । ଦୁଇଟି ଯାକ ଚରିତ୍ର ତାଙ୍କର ।
ଜଗନ୍ନାଥ ହେଉଛନ୍ତି ସାକ୍ଷାତ ପୁରୁଷୋତମ । ସେ ହେଉଛନ୍ତି ସତ୍ ଚିତ୍ ଆନନ୍ଦର ସଂପୂର୍ଣ୍ଣ ସ୍ବର । ସେ କୈାଣସି ଅବତାର ନୁହଁନ୍ତି । ନିଜେ ସ୍ବୟଂ ଅବତାରୀ । ତାଙ୍କ ଠାରୁ ଅବତାର ମାନେ ଜାତ ହୁଅନ୍ତି । ତେଣୁ ସେ ଶ୍ରୀକୃଷ୍ଣ, ଶ୍ରୀରାମ ଇତ୍ୟାଦି ରୂପରେ ବିମଣ୍ଡିତ ହୁଅନ୍ତି । ମାତ୍ର ଶ୍ରୀକୃଷ୍ଣ ଓ ଶ୍ରୀରାମ କେଉଁଠାରେ ଶ୍ରୀ ଜଗନ୍ନାଥଙ୍କ ରୂପ ଧାରଣ କରନ୍ତି ନାହିଁ । ଶ୍ରୀ ଜଗନ୍ନାଥ ସଚ୍ଚିଦାନନ୍ଦଙ୍କ ପ୍ରତୀକ ।
ତେଣୁ,ଶ୍ରୀ ଜଗନ୍ନାଥ ହିଁ ଓଡିଶାର ଧର୍ମ, ସଂସ୍କୃତି ତଥା ଇତିହାସର ପ୍ରତୀକ । ସେ ଜଣେ ମାନବରୂପୀ ଭଗବାନ । ଭାରତର ତୀର୍ଥ ମାନଙ୍କ ମଧ୍ୟରେ ପୁଣ୍ୟ ନୀଳାଚଳ ଧାମ । ଶ୍ରୀକ୍ଷେତ୍ର ପୁରୀରେ ବାର ମାସରେ ତେର ପର୍ବ ହୁଏ । ଆର୍ଯ୍ୟଭୂମି ଭାରତ ବର୍ଷ ଧାର୍ମିକ ତଥା ଆଧ୍ୟାତ୍ମିକ ଚେତନାର ପ୍ରାଣକେନ୍ଦ୍ର । ଉକ୍ରଳ ହେଉଛି ଉକ୍ରର୍ଷ କଳାର ଦେଶ । ଓଡିଶାର ଗର୍ବ, ଗୋ÷ରବ ହିଁ ଜଗନ୍ନାଥ । ଆମ ପରିଚୟ ବିଶ୍ୱ ଦରବାରରେ ଓଡିଶାର ପାଣି, ପବନ, ଜଗନ୍ନାଥ ସଂସ୍କୃତି କୁ ନେଇ । ସେ ଅସୀମ, ଅନନ୍ତ, ଅପାର । ପୁରୀ କ୍ଷେତ୍ର ପୁରୁଷୋତମ କ୍ଷେତ୍ର ରୂପେ ସର୍ବତ୍ର ବିଦ୍ୟମାନ । ସର୍ବ ଧର୍ମ ସମନ୍ୱୟର କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର । ଏହି କ୍ଷେତ୍ରରେ ଧନୀ, ଗରୀବ,ଦୁଃଖି, ରଙ୍କି, ଉଚ୍ଚ, ନୀଚ୍ଚ ଭେଦଭାବ ନାହିଁ । ପୁରୀ ଶଂଖନାଭି ମଣ୍ଡଳ,ବା ଶଂଖକ୍ଷେତ୍ର ରୂପେ ପ୍ରସିଦ୍ଧ । ତେଣୁ ଗୀତରେ କୁହାଯାଇଛି :-
ଥକାମନ ଚାଲଯିବା, ଚକାନୟନ ଦେଖିବା
ଶଂଖ ନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା ।
ସେ ସଗୁଣ, ନିର୍ଗୁଣ ସ୍ବରୂପର ଉର୍ଦ୍ଧରେ । ସିଏ ରୂପ, ଅରୂପର ଉଦ୍ଧ୍ୱର୍ରେ । ସେ ଆଦିମ ଶାବର ସଂସ୍କୃତିର ଦେବତା ରୂପେ ସର୍ବ ଜନ ବିଦିତ । କିନ୍ତୁ ସମୟର ପ୍ରବାହରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଭିତରେ ବିଭିନ୍ନ ଧର୍ମର ଅପୂର୍ବ ସମନ୍ୱୟ ଏହାକୁ କରିଛି ମହିମା ମଣ୍ଡିତ ଓ ଅଦ୍ୱିତୀୟ ।ଏହି ସଂସ୍କୃତି ହିଁ ସବୁ ବର୍ଣ୍ଣ ସଂପ୍ରଦାୟର ମହାମିଳନ କ୍ଷେତ୍ର । ଆଦିବାସୀ ଶବର ପୂଜିତ ଦେବତା ନୀଳମାଧବ ପରବର୍ତୀ ସମୟରେ ଶ୍ରୀ ଜଗନ୍ନାଥ ହୋଇଥିବାରୁ ଏବେ ମଧ୍ୟ ଶବର, ଦଇତାପତି ମାନେ ନବ କଳେବର, ଅଣସର ସେବା ଓ ରଥଯାତ୍ରା ସମୟରେ ଜଗନ୍ନାଥ ଙ୍କର ପୂଜାର୍ଚ୍ଚନା କରୁଛନ୍ତି ।
ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ କେବଳ ଓଡିଶାର ଆରାଧ୍ୟ ଦେବତା ନୁହଁନ୍ତି ସେ ଅଟନ୍ତି ଅନନ୍ତ କୋଟୀ ବିଶ୍ୱ, ବ୍ରହ୍ମାଣ୍ଡ ର ପ୍ରାଣକର୍ତା, ତ୍ରାଣକର୍ତା,ଭାଗ୍ୟ ବିଧାତା । ବିଭିନ୍ନ ଯୁଗରେ ଭିନ୍ନ ଭିନ୍ନ ରୂପ,ଆକାର ଓ ନାମରେ ନାମିତ ହୋଇ ଧରାପୃଷ୍ଠରେ ସ୍ବୟଂ ଭଗବାନ ମାନବ ରୂପରେ ଅବତରଣ କରି ସନ୍ଥପାଳନ ଓ ଦୁଷ୍ଟଦଳନ କରିବାର କିମ୍ବଦନ୍ତୀ ମାନ ଧର୍ମଶାସ୍ତ୍ର ଓ ପୁରାଣ ଗୁଡିକରେ ଲିପିବଦ୍ଧ । ଭାତୃଭାବ, ପାରସ୍ପରିକ ଅନୁମୋଦନ, ଶ୍ରଦ୍ଧା, ବିଶ୍ୱାସ ଓ ଆନ୍ତରିକତା ଏହି ଭାବ ରହିଛି ଜଗନ୍ନାଥ ସଂସ୍କୃତିରେ । ତାଙ୍କ ମହାପ୍ରସାଦରେ ଜାତିଆଣ ଭାବ ନାହିଁ । ତେଣୁ ଏଥିରୁ ଜଣାଯାଏ ଯେ ଆଧ୍ୟାତ୍ମିକତା ହିଁ ଜଗନ୍ନାଥ ସଂସ୍କୃତିର ମୋ÷ଳିକତା । ପ୍ରତିବର୍ଷ ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପ୍ରଭୁଙ୍କର ଘୋଷଯାତ୍ରା, ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ବଡଦାଣ୍ଡ ଲୋକାରଣ୍ୟ ହୋଇ ପଡେ । ସମଗ୍ର ପୃଥିବୀର ସବୁ ସ୍ଥାନର ଲୋକ ଏକତ୍ରିତ ହୋଇ ତାଙ୍କର ଦର୍ଶନ ପାଇଥାନ୍ତି । ତେଣୁ, କୁହାଯାଇଛି
"ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ ।
କେଉଁ ଶୁରପତି ବେଶ କରିଅଛି ଗିରିବର ତୋଳିଆକୁ ।"
ସେ ଅନ୍ତର୍ଯ୍ୟାମୀ, ସର୍ବବ୍ୟାପୀ ତାଙ୍କ ଠାରୁ ସବୁ ଜୀବଜଗତ,ଅବତାର ଓ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି । ଯିଏ ଏକାଗ୍ରତାର ସହିତ ଅନ୍ତଃକରଣରେ ନିଜକୁ ଭଗବାନଙ୍କ ପାଖରେ ସମର୍ପିତ କରିଦିଏ ସେ ହିଁ ପ୍ରକୃତରେ ଭକ୍ତ ପଦବାଚ୍ୟ । ନିଷ୍ଠା, ତ୍ୟାଗ ଓ ସାଧନା ହିଁ ଭକ୍ତ ହେବାର ମୂଳ ଉତ୍ସ । ଯିଏ ଏସବୁ ଗୁଣକୁ ଆୟତ କରିଥାଏ ଭଗବାନଙ୍କ ପ୍ରକୃତ ଭକ୍ତ ରୂପେ ବିବେଚିତ ହୋଇଥାଏ ବିଶ୍ୱାସରୁଭକ୍ତି, ଭକ୍ତିରୁ ମୁକ୍ତି । ଦରିଦ୍ର ସୁଦାମା ଠାରୁ ଭକ୍ତ କବି ସାଲବେଗ, ଶ୍ରୀ ଚୈତନ୍ୟ ଠାରୁ ଦାସୀଆ ବାଉରୀ ପର୍ଯ୍ୟନ୍ତ ସମସ୍ତେ ଭକ୍ତି ଭାବରେ ବଶୀଭୂତ ହୋଇ କୃଷ୍ଣ ପ୍ରେମର ବିରହ ଜ୍ୱାଳାରେ ଜର୍ଜରିତ ହୋଇଛନ୍ତି । ମହାପୁରୁଷ ମାନେ ଦୁଇଟି ଭାବନେଇ ଭଗବାନଙ୍କୁ ଉପଲବଧି କରିଥାଆନ୍ତି । ପ୍ରଥମଟି ବିରହ, ଓ ଦ୍ୱିତୀୟ ଟି ମିଳନ । ଯେଉଁଠି ବିରହ ନାହିଁ ସେଠି ମିଳନର କୋ÷ଣସି ଆନନ୍ଦ ନାହିଁ କାରଣ ବିରହ ସଦା ଭଗବତ୍ ସତ୍ତାର ଉପଲବଧି କରାଇଥାଏ । ବିରହ ନ ଥିଲେ ପ୍ରେମର ସ୍ବାଦ ନ ଥାଏ । ଆଉ ଯେଉଁଠି ବିରହରେ ଭଗବତ୍ ସତ୍ ତା ଭରି ରହିଛି ସେ ମିଳନରେ ସ୍ବର୍ଗୀୟ ସୁଖ ଅଛିା ଈଶ୍ୱରଙ୍କୁ ପାଇବାର ଆତ୍ମତୃପ୍ତି ବି ଅଛି । ଯେଉଁଠି ଭକ୍ତି ଅଛି, ସେଠି ପ୍ରେମ ବି ଅଛି, ସୁନ୍ଦର ଜୀବନାନୁଭୂତି ରହିଛି ।
ଜୟ ଜଗନ୍ନାଥ ।
ମଧୁସୂଦନ ନଗର, ଜଟଣୀ
୭୫୨୦୫୦, ଖୋର୍ଦ୍ଧା
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।