କବିତା ମହାନ୍ତି
ସବୁଜ ପତ୍ରରେ ମୁକ୍ତାବିନ୍ଦୁ ପରିଝରିପଡ଼ୁ ବର୍ଷା ଧାରା
ଝାଉଁଳା କୁସୁମ ଝାଉଁଳା ପାଦପ
ହେଉ ସବୁଜିମା ଭରା ।
କୃଷି କ୍ଷେତ ହସୁ କଅଁଳ ଚାରାରେ
ଚଷାପୁଅ ଗାଉ ଗୀତ
ଢ଼ାଳି ଦିଅ ବର୍ଷା ଅମୃତର ଧାରା
ଶୁଷ୍କ ଭୂମି ପରିତୃପ୍ତ ।
ଗହନ ବନାନୀ ସବୁଜ ଶୋଭାର
ବର୍ଣ୍ଣିନୀର ରୂପ ଆଙ୍କୁ
ଶୀତଳ ସମୀର ପାଦପର ସାଥେ
ସଙ୍ଗୀତ ନୃତ୍ୟରେ ଝାଙ୍କୁ ।

ନଦୀ ପୁଷ୍କରିଣୀ ପୂର୍ଣ୍ଣଗର୍ଭା ହେଉ
ପ୍ରସ୍ଫୁଟିତ କୁମୁଦିନୀ
କଦମ୍ବ କୁସୁମେ ହସିଉଠୁ ଧରା
ପ୍ରକୃତି ଯେ ଆହ୍ଲାଦିନୀ ।
ବର୍ଷାରାଣୀ ଗାଉ ମଙ୍ଗଳ ସଙ୍ଗୀତ
ଅଂଶୁଙ୍କର ଘାତ ନାଶୁ
ନବପଲ୍ଲବରେ ନବବଧୂ ସାଜି
ସାଧବବୋହୂଟି ଆସୁ।
ପ୍ରଧାନ ଶିକ୍ଷୟିତ୍ରୀ
(ସାଇଲୋଝାରପଡ଼ା ଉ.ପ୍ରା. ବିଦ୍ଯାଳୟ),
କଣ୍ଟାପଡ଼ା-କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।