ସିପ୍ରା ନାମତା
ଝର୍କା ଖୋଲିଲା ସୁମା । ବାହାର ପଟ ମେଲାରୁ ଭୀଷଣ ପାଟି ଶୁଭୁ ଥାଏ । ମନେ ମନେ ଭାବୁଥାଏ ସେ ଆଜି ପୁଣି ମାଲ ପିଇ ଆସିଛି ବୋଧହୁଏ । ଇଲିୟାସ ଆଉ ପରବିନ ଭାବୀ ବିରୋଧ କରିଥିବ ।ସତକୁ ସତ ଘଟଣାଟା ସେଇୟା । ଇଲିୟାସ ତାକୁ କେତେ ଥର ଧମକାଇଲାଣି ତଲାକ ଦେଇଦେବ ବୋଲି । ସବୁଥର ଗୋଡ଼ ତଳେ ହାତ ତଳେ ପଡି କାକୁତି ମିନତି କରେ , କିନ୍ତୁ ବହେ ମାଡ ଖାଇ ସାରିବା ପରେ ଯାଇ ଇଲିୟାସ ଛାଡିଦିଏ । ଏଇ ସାତ ଦିନ ତଳେ ଡାକ୍ତର ପାଖକୁ ନେଇ ଯାଇଥିଲା ସେ । ଆଖିରେ ମାଡ ବାଜି ଫୁଲି ଯାଇଥିଲା ଯେ ଠିକ୍ସେ ଆଖି ଖୋଲି ପାରୁନି ପରବିନ ଭାବୀ ।
ଊଫ୍.......। କି ଭାଗ୍ୟ ! ହେ ଭଗବାନ କ'ଣ ପାଇଁ ଯେ ତମେ ସୃଷ୍ଟି କରିଥିବା ମଣିଷ ମାନେ ଏମିତି ହେଲେ ? ସୋଫାରେ ବସି ଆଖି ବୁଜି ଦେଲା ସୁମା । ଆଜି ରବିବାର ସପ୍ତାହରେ ଗୋଟିଏ ଦିନ ଛୁଟି ମିଳେ ।ଟିକେ ଅବସର ପାଇବାକୁ ଛଅଦିନ ଅପେକ୍ଷା କରିବାକୁ ପଡେ । ନିଉଜରେ ଦେଖି ଥିଲା ତିନି ଚାରି ଦିନ ତଳେ ତିନି ତଲାକ ବିରୁଦ୍ଧରେ ଆଇନ ପାସ ହୋଇଗଲା । ଆଜି ପରବିନ ଭାବୀ ଆସୁ ତାକୁ ବୁଝାଇବାକୁ ହେବ । ଏବେ ଆଉ ପୂର୍ବର ସମୟ ଆଉ ନାହିଁ । ଏ ଯୁଗ ନାରୀ ସଶକ୍ତିକରଣ ନିମନ୍ତେ ଆଗେଇ ଚାଲିଛି । ଆହୁରି କିଛି ଭାବି ଥା'ନ୍ତା କି କ'ଣ ମୋବାଇଲ ରିଂ ହେବାରୁ ଭାବନା ବିଛିନ୍ନ ହେଲା । ପାପୀୟାକୁ ଆଣିବାକୁ ହେବ ।
----ମାମା ,ମାମା କହି ଦୌଡି ଆସିଲା ପାପୀୟା । ତାକୁ କୋଳେଇ ନେଉ ନେଉ ସୁମା କହିଲା ,"ଆପଣ ବେଶୀ ହଇରାଣ ହୋଇ ନାହାନ୍ତି ତ ମିସେସ ହର୍ଡ୍ସ ।
---ନୋ ,ନୋ ମାଇ ଡିଆର ,ନଟ ଏଟ ଅଲ । ସି ଇଜ ଠୁ ସୁଇଟ ଆଣ୍ଡ କ୍ୟୁଟ ।
ଅନେକ ବିଶେଷଣ ଲଗାଇ ମିସେସ ହର୍ଡ୍ସ ପାପୀୟାର ଗୁଣ ବଖାଣି ତାକୁ ବିଦାୟ ଦେଲେ । ପାପୀୟା ଖୁବ୍ ଖୁସି । ଏ ଛୁଟି ଦିନକୁ ସେ ବି ଅପେକ୍ଷା କରିଥାଏ ଭିନ୍ନ ଭିନ୍ନ ପରିବେଶରେ ବୁଲିବା ପାଇଁ । ନହେଲେ ସେଇ ସୁମାର ଅଫିସ ଆଉ ଆବଦ୍ଧ ପରିବେଶ ।
ପାପୀୟା ପାଇଁ ସୁମାକୁ ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡେ । ଯେଉଁ ପ୍ରଶ୍ନର ଉତ୍ତର ଦେବା ଭୀଷଣ କଷ୍ଟକର । ଏଇତ ବଦଳି ହୋଇ ଆସିଛି କିଛିଦିନ ପୂର୍ବରୁ । ଘର ନେଇ ସେଟ୍ ହେବାରେ ଭାରି କଷ୍ଟ । କିନ୍ତୁ ପରବିନ ଭାବୀ ଯୋଗୁଁ ସେ ଜାଣିପାରିଲାନି । ଘର ସଜଡାଟା ଖୁବ୍ ବୋରିଂ । ଛୋଟ ପିଲାକୁ ନେଇ ଅଫିସ ଯିବାର ପାର୍ମିସନ ମିଳିଛି । କିନ୍ତୁ ଖୁବ୍ ଅଳ୍ପ ଦିନ ମଧ୍ୟରେ ପାପୀୟା ପାଇଁ ସମ୍ପୂର୍ଣ୍ଣ ରୂପେ ବନ୍ଦୋବସ୍ତ କରିବାକୁ ହେବ ।ସେମିତି ଗୋଟିଏ ସଂସ୍ଥା ଖୋଜିବାକୁ ପଡିବ ତାକୁ । ସେ ପର୍ଯ୍ୟନ୍ତ ଅଫିସରେ ଏଡ଼ଜଷ୍ଟ କରିବା ବାଧ୍ୟତାମୂଳକ । ଆଉ କ'ଣ କରିଥା'ନ୍ତା ସେ ? କ'ଣ କରି ପାରିଥା'ନ୍ତା ? ପାପୀୟାକୁ ଛାଡ଼ି ଦେଇଥା'ନ୍ତା କେଉଁ ଡ଼ଷ୍ଟବିନରେ ଫୋପାଡି ଦେବାକୁ ? ତା' ନରମ କଅଁଳ ମାଂସକୁ କୁକୁର ଝୁଣି ଖାଇଦେବା ପାଇଁ ? ନା ଛାଡ଼ିଦେଇ ପାରିଥା'ନ୍ତା କେଉଁ ନର ମାଂସ ଲୋଭୀ ବୁଭୁକ୍ଷୁ ପାଇଁ ଯାହା ପାଖରେ ଦୁଇ ଦିନ କି ଦୁଇ ମାସ କି ଦୁଇ ବର୍ଷ ଭିତରେ କିଛି ପ୍ରଭେଦ ନ ଥାଏ ।
ନା ...ସେ ପାରିଲାନି । ସେସବୁ କିଛି କରି ପାରିଲାନି । ଘରେ ମାଆର ବିକଳ ଆତୁର ଭାବକୁ ଉପେକ୍ଷା କରି ପାପୀୟାକୁ କୋଳେଇ ନେଲା , ନିଜ ଭବିଷ୍ୟତର ସୁନେଲି ସ୍ୱପ୍ନକୁ ହତ୍ୟା କରି । ନିଜ ହୋମ ଟାଉନରୁ ଚାକିରୀରେ ସ୍ଥାନାନ୍ତର ପାଇଁ ଆପ୍ରାଣ ଉଦ୍ୟମ ଫଳବତୀ ହୋଇଛି ଦୁଇ ବର୍ଷ ପରେ । ତା'ପରେ ବି ଛ'ମାସକୁ ଥରେ ଲେଖାଏଁ ସ୍ଥାନାନ୍ତର ପାପୀୟାକୁ ନେଇ । ଏଠି କେତେ ଦିନ ଲେଖା ଅଛି କେଜାଣି । କୁଚବିହାରର ଜଳବାୟୁ ସଦାସର୍ବଦା ଅସ୍ଥିର । ବର୍ଷା ବିନ୍ଦୁ ପଡୁଥିବାର ଜଣା ଯାଉଥିଲା ତାକୁ । ଏ ସହରକୁ ଅନିଛାକୃତ ଭାବେ ଆଗତ ସେ । ତଥାପି ସଂଘର୍ଷକୁ ଆଗେଇ ନେଵା ପାଇଁ ସେ ପ୍ରସ୍ତୁତ । ପାପୀୟା ଖେଳୁଛି ପୁରୁଣା ମୋବାଇଲକୁ ଧରି । ଧୂଆଁଳିଆ ପାଗ ସାଙ୍ଗକୁ ବର୍ଷାର ଟିପ୍ ଟିପ୍ ଶବ୍ଦ ଆଦୌ ଭଲ ଲାଗୁ ନ ଥାଏ ସୁମାକୁ । କବାଟ ବାଡେଇ ପରବିନ ଡାକୁଛି ।ସୁମା ଦରଜା ଖୋଲିଲା । ପରବିନ ଆସି ବସି ପଡିଲା ଠିକ୍ ଫ୍ୟାନ୍ ତଳେ ।
---କଣ ହେଲା ଭାବୀ , ଆଜି ବି ତୁମେ ମାଡ ଖାଉଥିଲ ?
କେତେ ଥର କହିଲିଣି ,ତୁମ ବରକୁ ଛାଡି ଦିଅ ,ଶାନ୍ତିରେ
ରହିବ ।
----ସୁମା ,ତୁମ୍ ନହିଁ ଜାନ୍ତି ,ଏକ ମର୍ଦ୍ କି ବିନା ଔରତ କି କୋଇ ହୈସିୟତ ନହିଁ ହୈ .....
----ଭାବୀ ,ତୁମେ ଜାଣିନ ଏବେ ଆଇନ ବଦଳି ଗଲାଣି । ନାରୀ ସଶକ୍ତିକରଣ ହେଉଛି । ତୁମ ଜାତିରେ ଆଉ ତିନି ତଲାକ ପ୍ରଥା ନାହିଁ ।ତୁମେ ତୁମ ସ୍ୱାମୀ ଠାରୁ ଛାଡପତ୍ର ନେଇ ପାରିବ । ନିଜ ହାତରେ ନିଜ ପିଲାଙ୍କୁ ଭଲ କରି ଗଢି ପାରିବ ଏକ ଭଲ ପରିବେଶ ଦେଇ ପାରିବ । ସଁ ସଁ କରି କାନ୍ଦୁଥିବା ପରବିନ ହତାଶ ହୋଇ କହୁଥାଏ , (ହିନ୍ଦୀରେ)ପୁରୁଷ ବିନା ନାରୀର ସ୍ଥିତି ନାହିଁ ସୁମା । ତା' ପିଲାଙ୍କ ପାଇଁ ,ଭବିଷ୍ୟତରେ ଯେମିତି କିଛି ନିନ୍ଦା ନ ହେବ ,କୌଣସି ଅଘଟଣକୁ ଏଡାଇ ଯିବା ପାଇଁ ଏକ ସାହାରାଟିଏ ଦରକାର । ଛାଡପତ୍ର ଦେବାକୁ କ'ଣ ସମୟ ଲାଗେ ? କିନ୍ତୁ ଯବାନ ଝିଅର ମାଆ କେବେ ସେ କାମ କରି ପାରିବ ନାହିଁ । ଲୋଗ୍ କହେଙ୍ଗେ "ଛୋଡି ହୁଇ ଔରତ କି ବେଟି ।" ପାଟି ବନ୍ଦ ହୋଇଗଲା ସୁମାର । କ'ଣ କହି ସେ ଶାନ୍ତ୍ୱନା ଦେବ ବୁଝି ପାରୁ ନ ଥାଏ । ଏ ଧରଣର ସ୍ତ୍ରୀ ଲୋକମାନେ କିଛି ବୁଝିବାକୁ ପ୍ରସ୍ତୁତ ନ ଥା'ନ୍ତି । ତେବେ ତା' ଭଳି ନାରୀମାନେ ....? ତା' ମାଆ ଭଳି ନାରୀ ମାନେ ....?
----ମାଆ ତୁମେ ବୁଝୁନ କାହିଁକି ? ତୁମର କିଛି ଦୋଷ ନ ଥାଇ ସବୁବେଳେ ନିର୍ଯାତନା ସହୁଛ । ଆମେ ଏବେ ବଡ ହୋଇ ଗଲୁଣି । ଆମ ସାମ୍ନାରେ ତୁମର ଅପମାନ ଦେଖି ଭଲ ଲାଗୁନି ମାଆ ।
---ତୁ ଆଉ ଟିକେ ବଡ ହୋଇଗଲେ ସବୁ ଆପେ ଆପେ ବୁଝିଯିବୁ ସୁମା , ଅନେକ କଥା ଜାଣିଯିବୁ ତୁ ଯେତେବେଳେ ବାହା ହୋଇ ଘର ସଂସାର କରିବୁ , ସେତେବେଳେ ।
---ତୁମର ଏଇ କଥା ମୋତେ ଆଦୌ ଭଲ ଲାଗେନି ମାଆ । ତୁମେମାନେ ସବୁ ଏମିତି । ସବୁକିଛି ସହି ଗଲେ ଭାଵ ଯେ ସମୟ ବଦଳି ଯିବ । କିନ୍ତୁ କିଛି ହେବନି । ନିଜକୁ ଆଗେ ବଦଳାଇବାକୁ ପଡେ , ତେବେ ଯାଇ ସମୟ ବଦଳେ ।
---ବର୍ଷ ବର୍ଷର ଅଭ୍ୟାସ କ'ଣ ଏତେ ଶୀଘ୍ର ବଦଳି ଯିବ ! ସେଥିପାଇଁ କହୁଛି ଟିକେ ଧୈର୍ଯ୍ୟ ଧର ।
ରାତି ରାତି ଉଜାଗର ରହି କାନ୍ଦି କାନ୍ଦି ଆଖି ମୁହଁ ଫୁଲି ଥିବା ମାଆଙ୍କ ଚେହେରାକୁ ସକାଳେ ଦେଖିବା ପରେ କିଛି ବୁଝି ପାରେନା ସେ । କ'ଣ ଯେ ହୁଏ ମାଆଙ୍କର ଦିନେ ଦିନେ ବୁଝିବା କଷ୍ଟ । ବଡ ଭଉଣୀ ଅଳ୍ପ ବୟସରୁ ବିବାହ କରି ତା' ସଂସାରରେ ବ୍ୟସ୍ତ ରହୁଥାଏ । ଫୋନରେ ଯାହା କହିଲେ ବି ସେ କିଛି ବୁଝିପାରୁ ନ ଥାଏ ; ଖାଲି ଦୁଃଖରେ କହେ ଏଇଟା ଦୁନିଆ ଆଉ ଏଇ ହେଉଛି ଜୀବନ । କିନ୍ତୁ ମାଆଙ୍କର ଦୁଃଖଟା କ'ଣ ସେ ଜାଣି ପାରେନି । ସେଇଦିନ ସବୁ ଉନ୍ମୁକ୍ତ ହୋଇଗଲା ତା' ଆଖିରେ ,ଯେବେ ପାପୀୟାକୁ କେହି ଜଣେ ଆଣି ମାଆ ହାତରେ ସମର୍ପଣ କଲା । ବାପା କାହିଁକି ରାତି ରାତି ବାହାରେ ଫାର୍ମ ହାଉସ୍ରେ କଟାନ୍ତି ଆଉ ସେଇ ଦିନ ଗୁଡିକରେ ମାଆ କାନ୍ଦି କାନ୍ଦି ଆଖି ଫୁଲାନ୍ତି । ବାପା ସାମ୍ନାକୁ ପାପୀୟାକୁ ନେଇ ସେଇ ଲୋକଟି ଆଣି ଥିବା ହାତଲେଖା କାଗଜ ଖଣ୍ଡେ ବଢେଇ ଦେଇଥିଲେ ମାଆ । କିଛି ନ କହି ହାତରେ ଆଡେଇ ଦେଇ ବାହାରି ଗଲେ ଯେ ଗଲେ ମାସଟିଏ ପରେ ଆସିଲେ ଘରକୁ । ତଥାପି ମାଆ ଯେମିତି ଖୁବ୍ ଗୋଟାଏ ପାପ କରି ଥିବାର ଗୁରୁ ଗମ୍ଭୀର ଚେହେରା ନେଇ ଘୂରି ବୁଲେ , ବାପାଙ୍କ ସହ କିଛି କଥାବାର୍ତ୍ତା ନ କରି । ସୁମା ଭାବି ପାରେନି କ'ଣ କରିବ ସେ ଯୋଉଥିରେ ମାଆଙ୍କର କଷ୍ଟ ଟିକିଏ କମିବ । ସେଦିନ ରାତିରେ କିଛି ଶବ୍ଦ ରେ ଆଖି ଖୋଲିଗଲା ତା'ର ।
----କାହିଁକି ରଖିଲୁ ସେ ପିଲାକୁ । ମୋତେ ବଦନାମ କରିବା ପାଇଁ ସୁଯୋଗ ଖୋଜୁଛୁ , ନାଇଁ ...?
---ରଖିଲି ବେଶ କଲି । ଲାଜ ଲାଗୁନି ଏଇ ବୟସରେ ସୁଆଗ ଦେଖାଉଛ ? ଛିଃ.....। (ଚାପା ଉତ୍ତେଜିତ ଶାଣିତ କଣ୍ଠ ମାଆଙ୍କର) କ'ଣ ନା ଫାର୍ମ ହାଉସ ...ନା ରଙ୍ଗ ହାଉସ !! ଯାହା ତ କରୁଥିଲ କରୁଥିଲ ,ଶେଷରେ ସେଇ ଗରୀବ ନିରୀହ ଝିଅଟା ରୋଷେଇ କରି ଦେଉଥିଲା ତାକୁ ବି ଛାଡିଲନି !!! ମୁଁ ପଚାରୁଛି କାହିଁକି ......???
(ଠୋ' କିନା ଚାପୁଡାଟାଏ ମାଆ ଗାଲରେ ବସିଲା ବୋଧହୁଏ ।)
---କହିଲି ତ ସେଇଟା ଗୋଟେ ଭୁଲରେ ହୋଇ ଯାଇଥିଲା ।
ଉଦ୍ୟେଶ ମୂଳକ ଭାବେ କିଛି କରିନି ।(ବାପାଙ୍କର କର୍କଶ ତୀକ୍ଷ୍ଣ ସ୍ୱର)
----ପିଲାଟାକୁ ବହୁ କଷ୍ଟରେ ଜନ୍ମ ଦେଇ ଝିଅଟା ମରିଗଲା । ଅନାଥ ଝିଅଟା । କିଏ ଅଛି ସେ ପିଲାକୁ ପାଳିବ ? ତମରି ସେଇ ରଙ୍ଗ ଉଆସର ବୁଢା ଚୌକିଦାର ଆଣି ଦେଇ ଯାଇଛି । (ମାଆ ଗୁମୁରି ଗୁମୁରି କାନ୍ଦୁଥିଲେ)
ଓଃ କି ଲଜ୍ଜା !! କି ଲଜ୍ଜା !! ବାପାଙ୍କର ଏମିତି ଗୋଟିଏ ଚରିତ୍ର ଥାଇ ପାରେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବିପାରୁ ନ ଥାଏ । କ୍ଲାସ ଟେନ ପର ଠାରୁ ହଷ୍ଟେଲରେ ରହିବାକୁ ଏକରକମ ସେ ବାଧ୍ୟ ହୋଇଥିଲା । କାରଣ ବେଶ ସୁନ୍ଦର ଭାବେ ମାଆ ବୁଝାଇ ଦେଇଥିଲେ ଯେ , ବାପା ସବୁବେଳେ ଟୁରରେ ବ୍ୟସ୍ତ ଓ ହଷ୍ଟେଲରେ ଭଲ ସାଙ୍ଗ ଓ ପଢାପଢିରେ ବହୁ ସୁବିଧା ଅଛି । ତେଣୁ ସେ ହଷ୍ଟେଲରେ ରହିଲେ ଭଲ କରି ପଢି ପାରିବ । କିନ୍ତୁ ବାପାଙ୍କ ଚରିତ୍ର ଉପରେ ଯେ ଏମିତି ଏକ ପରଦା ମାଆ ପକେଇ ରଖି ଥିଲେ ଓ ବର୍ଷ ବର୍ଷ ଯେ ଏମିତି ଅଶାନ୍ତିରେ ଛଟପଟ ହୋଇ ମରୁଛନ୍ତି ସେ କଥା କିଏ ଜାଣିଥିଲା ? ହେଲେ ସୁମା ବୁଝି ପାରେନି ,ତା' ମାଆ କ'ଣ ପାଇଁ ସବୁକିଛି ସହି ଯାଆନ୍ତି ନିର୍ବିକାର ଚିତ୍ତରେ । ଅନେକ ଦିନ ପରେ ଥରେ ପଡୋଶୀ ଆଂଟିଙ୍କ ଠାରେ ତାଙ୍କର କହିବାର ଶୁଣି ଥିଲା ସେ "ଡାଇଭର୍ସି ମାନଙ୍କୁ ଲୋକେ ଭଲ ଦୃଷ୍ଟିରେ ଆଦୌ ଦେଖି ପାରନ୍ତିନି । ଯେତେ ଯାହା କାରଣ ଦର୍ଶେଇଲେ ବି ସେମାନେ କୁହନ୍ତି ସ୍ତ୍ରୀର ହିଁ ଦୋଷ । ପୁରୁଷ ମାନେ ହେଲେ ଷଣ୍ଢ ; କେତେବେଳେ କେମିତି କାହା ବାଡି ଦୁଆରେ ମୁହଁ ମାରି ଦେଲେ କିଛି ଅଶୁଦ୍ଧ ହୁଏନା । ଷଣ୍ଢକୁ କ'ଣ କେହି ବାନ୍ଧି ରଖେ ? ତୁଚ୍ଛା ଅଲଣା କଥାକୁ ନେଇ କି ଲାଭ ! ସେଥିପାଇଁ ସବୁ ଭୁଲି ଯିବା ଉଚିତ ।କାହିଁକି ନା ସେ ତଥାପି ବି ଗୋଟେ ବାଡୁଅ ଝିଅର ମାଆ । ସ୍ୱାମୀ ଠାରୁ ଅଲଗା ରହିଲେ ଝିଅର ବିବାହ ଭଲ ଜାଗାରେ ହେବ କେମିତି ?"
ସେଦିନ ସେ ଜାଣିଥିଲା ମାଆ ଛାତି ତଳ ର ବେଦନା ଓ କୋହ । ଆଜିର ନାରୀବାଦ ଉପରେ କେତେ କ'ଣ ମୋହର ଲାଗିଲାଣି । କିନ୍ତୁ ସବୁ ଯେମିତି ଖାପଛଡ଼ା । ନାରୀ ସ୍ବାଧୀନତା ଓ ନାରୀ ସ୍ବେଚ୍ଛାଚାରିତା ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ନୁହେଁ ,ଭିନ୍ନ.... ସମ୍ପୂର୍ଣ୍ଣ ଭିନ୍ନ । ମୁକ୍ତି କାମୀ ନାରୀ ଓ ସ୍ବେରିଣୀ ନାରୀ ଯେମିତି ଏକା କଥା ନୁହେଁ । ସବୁ ଗୋଠ ଖଣ୍ଡିଆ ପଶୁ ପରି । ପୁରୁଷର ଅହମିକା ଗୋଟେ ସ୍ବେଚ୍ଛାଚାରୀ ନାରୀକୁ ଜନ୍ମ ଦିଏ ।କିନ୍ତୁ ସେଇ ପୁରୁଷର ସନ୍ତୁଷ୍ଟି ପାଇଁ ହିଁ ନାରୀ ଉଦ୍ଦିଷ୍ଟ । ପୁରୁଷକୁ ସାହଚାର୍ୟ ଦେବାରେ ,ତା'ର କାମନାର ଅଗ୍ନିରେ ନିଜକୁ ଝାସ ଦେବା ,ତା'ର ସନ୍ତାନକୁ ପ୍ରସବ କରିବା ,ପାଳନ କରି ତା'ର ନାମ ଦେବା ଆଦି ସବୁପ୍ରକାର ସନୁଷ୍ଟିର ନାମ ହିଁ ନାରୀ ।
----ସୁମା ସୋମସେ ଥଣ୍ଡା ହୋଇଯିବ ନିଅ ଗରମ ଗରମ
ଖାଇନିଅ ଭଲ ଲାଗିବ ।
ଚାଉଁଙ୍କିନା ଚମକି ଉଠିଲା ସୁମା ।ଓଃ କହି ମୁଣ୍ଡ ସାଉଁଳି ନେଲା ସେ ।
----ଆରେ ଭାବୀ ତମେ ଏସବୁ କେତେବେଳେ ଆଉ କେତେ ଜଲ୍ଦି କରି ପକେଇଲ ! ଯାହାହେଉ ତମକୁ ଏଠି ପାଇ ମୋର ଖୁସି ଯେତିକି ତମ ପାଇଁ ଦୁଃଖ ବି ସେତିକି ।
---ନାଇଁ ସୁମା ହର ଲଡକୀ କି ଜିନ୍ଦଗୀ ମଝଧାର ମେ ଚଲତି ହୈ ।
ଗରମ କଫିର ଧୂଆଁ ବାଜୁଛି ନାକରେ । ଆଃ ,କଫି ପ୍ରତି ପ୍ରବଳ ଦୁର୍ବଳତା ତା'ର ।
ମଣିପୁରୀ ଯୁବକ ଜୁବିନ ସିଂହ ତା' ଅଫିସରେ ସହଯୋଗୀ, ପାପୀୟାକୁ ଦେଖିଲେ ଖଣ୍ଡି ହିନ୍ଦୀରେ ଭାସି ଆସେ ଶ୍ରୁତି ମଧୁର ସ୍ୱର --"ଆପଣଙ୍କ ଝିଅ ସତରେ ବହୁତ ସୁନ୍ଦର ।" ଆଖିରୁ ବୋହି ଆସୁଥିବା ଲୁହ ବୁନ୍ଦାକୁ ସତର୍କତାର ସହ ପୋଛି ନିଏ ସେ । କେମିତି ବୁଝେଇବ ସେ ? ସତରେ ଆଜି ବୁଝି ପାରୁଛି ମାଆକୁ କହୁଥିବା କଥା ସବୁ କରିବାକୁ କେତେ କଷ୍ଟ ଲାଗେ । ଆହା ! ବିଚାରୀ ମାଆ କେମିତି ପରିବର୍ତ୍ତନ ଆଣିଥା'ନ୍ତେ ଏକା ଏକା ! କିନ୍ତୁ ତାକୁ କରିବାକୁ ପଡିବ ; ପରିବର୍ତ୍ତନ ଆଣିବାକୁ ପଡିବ ।ସେଇଥି ପାଇଁ ତ ମାଆର ଆକୁଳ ବିକଳ ଅନୁରୋଧରେ ମାଟ୍ରିମାନିଆଲରେ ବିବାହ ପାଇଁ ପ୍ରୋଫାଇଲ ଦେଇଛି "ସୁଶ୍ରୀ ଗୌରବର୍ଣ୍ଣ ,ପାଞ୍ଚଫୁଟ ପାଞ୍ଚ ଇଞ୍ଚ ,ଏମକମ ( ଏକାଉଣ୍ଟନସ) ଏମ. ବି. ଏ ,ବୟସ ପଚିଶ ,ସିଙ୍ଗଲ ମଦର ( ଗାର୍ଲ ଚାଇଲଡ଼ )। ମାଆ ଶୁଣି ଯେତିକି ଖୁସି ହେଲେ ସେତିକି ବିରକ୍ତ ମଧ୍ୟ । କିନ୍ତୁ ସୁମାର ସେଇ ଗୋଟିଏ କଥା ଯିଏ ବାହା ହେବେ ପାପୀୟା ସହିତ ହେବେ । ତାକୁ ଅସହାୟ ଅବସ୍ଥାରେ ଛାଡି ଦେଇ ସେ ସ୍ୱର୍ଗକୁ ବି ଯିବାକୁ ଚାହେଁନା । ୟା' ଭିତରେ ଜୁବିନଙ୍କ ସହ ଆଳାପ ଆଲୋଚନା ବଢି ଯାଇଛି । ଇତି ମଧ୍ୟରେ ମାଟ୍ରିମାନିଆଲ ୱେବ ସାଇଟରେ ତାକୁ ପାଇ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେତିକି ଆବେଗ ବିଭୋର ହୋଇଛନ୍ତି ସେତିକି ବୋଲି କଥାରେ କଥାରେ ପ୍ରକାଶ କରିଛନ୍ତି ।
----ମି. ଜୁବିନ ଏସବୁ କେବଳ ଭାବନାରେ ହିଁ ଭଲ ଲାଗେ । ବାସ୍ତବତା ଏସବୁ ଠାରୁ ବହୁ ଦୂରରେ । ଅଫିସରେ ସମସ୍ତେ କିଛି ନା କିଛି ଟୁପ ଟାପ କରିବାର ଦେଖିଛି ଆଉ ଶୁଣିଛି । ଅସ୍ପୃଶ୍ୟା ଅବିବାହିତା ମାତାର ଆଦର କିଏ କରିବ , ..ଆଉ କାହିଁକି ବା କରିବ ?
----ମୁଁ ତ କରୁଛି ନା ! ଆଉ କିଏ କଲା ନ କଲା ସେଥିରେ ଯାଏ ଆସେ କେତେ ? ମୁଁ ତମକୁ ପ୍ରୋପଜ କରୁଛି ,ତୁମେ କ'ଣ ଚାହଁ କୁହ । ଆଉ ଯଦି ଟାଇମ ନେବାକୁ ଚାହଁ ତ ନେଇ ପାର । କିନ୍ତୁ ତମେ ରାଜି ହେଲେ ମୁଁ ନିଜକୁ ସୌଭାଗ୍ୟବାନ ମନେ କରିବି ।
----କିନ୍ତୁ ପାପୀୟାର ପ୍ରକୃତ ପରିଚୟ ପାଇଲେ ତମେ ଘୃଣା କରିବ ଜୁବିନ । ତଥାପି ବି ଗ୍ରହଣ କଲା ପରେ କେବେ ଯଦି ବଦଳି ଯାଅ ,ଏ ପରିବର୍ତ୍ତନଶୀଳ ଦୁନିଆରେ ,ଜୀବନଟା ଏକ ଉଜାଣି ନଈର ମଝିଧାରରେ ବୋହିଯିବ ସିନା କିନାରା ପାଇବ ନାହିଁ ।
---ସମସ୍ତଙ୍କୁ ଗୋଟିଏ ନିକିତିରେ ତଉଲିବା କ'ଣ ନିହାତି ଜରୁରୀ ? ଆଉ ତା' ଛଡା ଯେଉଁ ଘଟଣା ଦୁଃଖ ଦାୟୀ ତାକୁ ମନେ ପକାଇବା କାହିଁକି ? ଉଁ ..ଭୁଲିଯିବାକୁ ଶିଖ ସେ କଷ୍ଟଦାୟୀ ମୁହୂର୍ତ୍ତକୁ ।
ହାତ ବଢେଇ ସ୍ୟାକ କରୁଛନ୍ତି ଜୁବିନ । ଧୀରେ ଧୀରେ ଉଷୁମ ହୋଇ ଆସୁଥିଲା ସୁମାର ହାତ, ଆଉ ଦୁଇଟି ହାତର ଉଷ୍ମତାରେ । କେତେବେଳେ ପାପୀୟା ଆସି ମଝିରେ ଜୁବିନର ହାତକୁ ଟାଣି ନେଇ ଖୁସିରେ ଖଣ୍ଡି ଖଣ୍ଡି ଶିଖୁଥିବା କଥାରେ କହୁଥାଏ "ହ୍ୟାନ୍ଦ ସ୍ୟାକ ....ହ୍ୟାନ୍ଦ ସ୍ୟାକ ।" ସୁମା ଚାହିଁଲା ଜୁବିନ ଆଡକୁ । ଜୁବିନ ଝୁଙ୍କି ପଡୁଛନ୍ତି ପାପୀୟା ଆଡକୁ ତା' କୁନି କୁନି ହାତ ଧରି । କେଇଟା ଅଲରା କେଶ ସେଇ ତାଳରେ ହଲି ଯାଉଛନ୍ତି ଜୁବିନଙ୍କ କପୋଳ ଦେଶରେ । ଆଃ..... ଅପୂର୍ବ ଦିଶୁଛନ୍ତି ଜୁବିନ । ସତେ ଯେମିତି ନଈର ମଝିଧାରରୁ ବାହାରି ଆସି କୂଳରେ ଲାଗି ଯାଇଛି କେତେବେଳେ ନିଜ ଅଜାଣତରେ !!!
8249850168
ବାରିପଦା
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।