ସ୍ନେହଲତା ଦାସ ଲେଙ୍କା
ଆୟଦ ପାଖରୁ ଅଚାନକ ଫୋନ୍ ପାଇ ମୋ ମନଟା ଅସ୍ଥିର ଲାଗିଲା । କିଛି ତ କହିଲାନି କେବଳ କଇଁ କଇଁ କାନ୍ଦୁଥିଲା । ତାକୁ ବୋଧ ଦେଇ ଘଟଣା କ'ଣ ଜାଣିଲା ବେଳକୁ ମୋବାଇଲ୍ ସୁଇଚ୍ ଅଫ୍ । ଚାର୍ଜ ହେବା ପରେ ଫୋନ୍ କଲା ବେଳକୁ ଫୋନ୍ କହୁଥାଏ - ଆପ୍ ଯୋ ନମ୍ବର୍ କୋ ଡାଏଲ୍ କର୍ ରେହେ ଓ୍ବହ ଅଭି ପହଂଚ୍ ସେ ବାହାର୍ ହେ । ସତରେ ଆୟଦ ଏବେ ମୋ ଠାରୁ ଅନେକ ଦୂରରେ ରହୁଚି । ଦିନ ଥିଲା ଆମେ ଖୁବ୍ ପାଖାପାଖି ରହୁଥିଲୁ । ଗୋଟିଏ ଗାଁରେ । ଦୁଇଟି ସାହିର ଏପାଖେ ସେପାଖେ । ଏପଟ ସାହିର ମନ୍ଦିରରେ ଘଣ୍ଟଘଣ୍ଟା ବାଜିଲେ ସେପଟ ସାହି ମସଜିଦ୍ରୁ ଶୁଭେ ଆକ୍ରାମ ମିଆଁର "ଆଲ୍ଲା ହୋ ଆକବର୍"ର ସ୍ବର । ନିତି ସକାଳର ସୂର୍ଯ୍ୟୋଦୟ ମୁଁ ତାଙ୍କ ଘରେ ଦେଖୁ ଥିଲି ଆଉ ସେ ଆମ ଘରେ ସୂର୍ଯ୍ୟାସ୍ତ । ଖୁଦୁରୁକୁଣି ଓଷାରେ ଆୟଦ ତୋଳି ଦିଏ ମୋ ଲାଗି କଇଁଫୁଲ । ମୁରୁଜ ବୁଣି ଦିଏ ପଞ୍ଚୁକରେ । ଆଉ ମୁଁ ଯାଏ ତା ଘରକୁ ଫାତିଆ ଇଫତାର୍ରେ । ପ୍ରତ୍ୟେକ ବର୍ଷ ଇଦ୍ରେ ଇଦ୍ ଉପହାର ନେବା ଲାଗି ଆୟଦ ସହ ମୋ ହାତଟିକୁ ଲମ୍ବେଇ ଦିଏ ଆୟଦର ଦଦ୍ଦୁ ନିକଟକୁ । ଦଦଦୁ ବଢେଇ ଦିଅନ୍ତି ଖଡଖଡ ପାଞ୍ଚଶହ ଟଂକିଆ ନୋଟ୍ ଖଣ୍ଡେ ଖଣ୍ଡେ । ଫି ବର୍ଷ ଜାଗରରେ ଆୟଦ ମୋ ହାତରେ ଦୀପଟିଏ ଧରେଇ କହେ , ଜଳାଇ ଦେବୁ ଭଗବାନଂକ ପାଖରେ । ମୁଁ ଥଟ୍ଟାକରି କହେ - କି.. ଲୋ କାହାଲାଗି ? ଟିକିଏ ଲାଜେଇ ଧିରେ କିନା କହେ ସେ - ମୋର ଜଣେ ଅଜିଜ୍ ଦୋସ୍ତ ଅଛି । ମୁଁ ଜଳେଇ ଦିଏ ତା ଦୀପ ମୋ ଦୀପ ନିକଟରେ । ଜଣା ପଡେନା କୋଉ ଦୀପଟି କୋଉ ସଂପ୍ରଦାୟର । ଦୀପର ଆଲୁଅରେ ହିନ୍ଦୁ ମୁସଲମାନ ଏକାକାର ହୋଇ ଯାଏ ।
ଖୁବ୍ ଜଲଦି ଆୟଦ୍ର ନିକାହା ହୋଇଗଲା । ତା ବର ଯେ ସେହି ଅଜିଜ୍ ଦୋସ୍ତ କୋ ନାଁ ମୁଁ ଜାଣି ପାରିଲି ନାହିଁ । ଆୟଦ୍ ସାଦି କରି ଚାଲି ଗଲା ଅଲଗା ସହରକୁ । ଆଉ ମୋର ବି ବାହାଘର ହୋଇଗଲା । ସାଂସାରିକ ଜଂଜାଳ ଭିତରେ ଛନ୍ଦି ହୋଇ ଭୁଲି ହୋଇ ଯାଇଥିଲା ଆୟଦ ମୋ ମନ ଭିତରୁ । ହଠାତ୍ ଏତେ ବର୍ଷ ପରେ ତା'ଠୁ ଫୋନ୍ ପାଇ କିଛି କଥା ହୋଇ ନ ପାରି କେବଳ ତା କାନ୍ଦକୁ ହିଁ ଶୁଣିଥିଲି । ଭାଗ୍ୟ ଭଲ ଶେଷ ଥର ଯୋଉ ଗାଁକୁ ଯାଇଥିଲି ତା ଘରୁ ଆୟଦର ଠିକଣା ଆଣି ରଖି ଥିଲି । ସ୍ଥିର କଲି ତାକୁ ଦେଖା କରିବାକୁ ଯିବି ବାଲେଶ୍ବର । ମୋ ସାନ ଭଉଣୀ ବି ରହୁଚି ଏବେ ବାଲେଶ୍ବରରେ। ପିଲା ମାନଂକର ଏବେ ସ୍କୁଲ୍ ଛୁଟି ମଧ୍ୟ ପଡି ଯାଇଚି । ତେଣୁ ଏବେ ଯିବା ଲାଗି କିଛି ଅସୁବିଧା ନାହିଁ । ମୋ ସହରରୁ ବାଲେଶ୍ବରକୁ ଯିବା ପାଇଁ ମାତ୍ର ତିନି ଘଣ୍ଟାର ସମୟ । ବସ୍ରେ ଗଲା ବେଳେ ତିନି ଘଣ୍ଟା ଭିତରେ ମୁଁ ପ୍ରାୟ ତିନି ଶହ ଥର ଫୋନ୍ ଲଗେଇ ସାରିଲିଣି ଆୟଦ ପାଖକୁ । ରିଂ ହୋଇ କଟି ଯାଉଚି । ବାଲେଶ୍ବରରେ ବସ୍ ପହଂଚୁ ପହଂଚୁ ଦିନ ଗୋଟାଏ । ଭୋକରେ ପେଟ ଆଉଟୁ ପାଉଟୁ । ମୋ ସାନ ଭଉଣୀର ସ୍ବାମୀ ମୋତେ ନେବାକୁ ଆସିଥିଲେ । ଭଉଣୀ ଘରେ ପହଂଚି ଖାଇ ସାରିବା ବେଳକୁ ଦିନ ଚାରିଟା ।
ରିଂ କଲି ଆୟଦ ପାଖକୁ । ନଟ୍ ରିଚବ୍ଲ୍ । ସ୍ଥିର କଲି ଯାହା ବି ହେଉ ଆଜି ଦେଖା କରିବି । ଆୟଦର ଘର ଖୋଜିବାକୁ ବେଶୀ ଡେରି ହେଲାନି । ସୁନହଟ୍ ମାର୍କେଟ୍ ଛକରୁ ଟିକିଏ ଆଗରେ ଯୋଉ ଗଳି ଅଛି ,ସେଈଠି ଆୟଦର ଘର । ଦରଜା ଯେ ଖୋଲିଲେ ସେ ବୋଧେ ଆୟଦର ସ୍ବାମୀ ହେବେ । ଖୁବ୍ ଚିହ୍ନା ଚିହ୍ନା ଲାଗିଲା । ଚିହ୍ନିବାକୁ ବେଶୀ ଡେରି ହେଲାନି । ଏ ଯେ ଇମ୍ରାନ ଭାଇ । ପିଲାଦିନେ ଯାହାଙ୍କ ସହ ସାଥି ହୋଇ ଖୁବ୍ ଖେଳିଚୁ । ତା ଲାନେ ଆୟଦର ଅଜିଜ୍ ଦୋସ୍ତ କ'ଣ ଏ ଇମ୍ରାନ ଭାଇ ଥିଲେ । ଯାହାଙ୍କ ଲାଗି ଆମ ଗାଁ ମନ୍ଦିରରେ ଦୀପ ଜଳେଇବା ଲାଗି ମୋ ହାତରେ ଦୀପ ଦେଉଥିଲା । ଇମ୍ରାନ ଭାଇ ଘର ଭିତରକୁ ମୋତେ ପାଛୋଟି ନେଇ ଆୟଦକୁ ଡାକ ପକେଇଲେ । ଅନେକ ଦିନ ପରେ ଆମେ ଦୁଇ ବାନ୍ଧବୀ ପରସ୍ପରକୁ ଦେଖି ଖୁବ୍ ଖୁସି ହୋଇ ଯାଇଥିଲୁ । ଗପି ଚାଲିଥିଲୁ ପୁରୁଣା ସ୍ମୃତିକୁ ନେଇ । ହେଲେ ପଚାରି ପାରୁନଥିଲି କାହିଁକି ସେଦିନ ଫୋନ କରି କାନ୍ଦୁ ଥିଲା ବୋଲି । ଲାଗୁଥିଲା ସେ ତା ସଂସାରରେ ବେଶ୍ ସୁଖୀ ଅଛି । ତଥାପି କ'ଣ ଏମିତି ଦୁଃଖ ରହିଗଲା ? ହୁଏତ କୌଣସି ଏକ ଛୋଟ କଥାକୁ ନେଇ ପତି-ପତ୍ନୀଂକ ମଧ୍ୟରେ ମତାନ୍ତର ଘଟି ଆୟଦ୍ ଭାଂଗି ପଡିଥିବ । ସାହାରା ଖୋଜି ଥିବ କାହା ପାଖରେ ନିଜ ମନ କଥା ଖୋଲି କହିବା ପାଇଁ । ହାତ ପାହାନ୍ତାରେ ଥିବା ମୋବାଇଲ୍ରେ ମୋ ନମ୍ବରଟି ସାମ୍ନାକୁ ଆସି ଥିବ ,ଫୋନ୍ କରି କିଛି କହିବା ପାଇଁ ଚାହିଁବା ବେଳକୁ ଫୋନ୍ କଟି ଯାଇଥିବ । ତା'ପରେ....ତା' ରାଗ ସ୍ବାଭାବିକ ହୋଇ ଯାଇଥିବ ଏବଂ ଫୋନ୍ କରିବାକୁ ଆବଶ୍ୟକତା ପଡି ନାହିଁ ମୋ ପାଖକୁ ।
ଆୟଦ ମୋତେ ତା ବେୈଠକ ଘରୁ ଶୋଇବା ରୁମ୍କୁ ନେଇଗଲା କିଛି ଦେଖେଇବାକୁ । ଗଡରେଜ୍ରୁ ବାହାର କରି ଦେଖେଇଲା ତା ପୁଅ-ଝିଅଙ୍କ ଫୋଟ । ଫୋଟ ଦେଖଉଥିବା ସମୟରେ ତା ଆଖି ଚକ୍ ଚକ୍ ମାରୁଥିଲା ଢଳଢଳ ଲୁହରେ । ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ମୁଁ ପଚାରିଲି " କାହିଁ ତୋ ପିଲାମାନଂକୁ ଦେଖିବାକୁ ତ ପାଉନି । କୋଉଠି ଅଛନ୍ତି ?" ବୋହି ଆସୁଥିବା ଲୁହ ଧାରକୁ ନ ପୋଛି ଆୟଦ ଉତ୍ତର ଦେଲା ସେମାନେ ଏବେ ସେମାନଂକ ...(ଅବ୍ବୁ) ପାଖରେ ଅଛନ୍ତି । କଥାଟିକୁ ଠିକ୍ ରେ ମୁଁ ବୁଝି ପାରୁନଥିଲି । କେବଳ ବଲବଲ ହୋଇ ତା ମୁହଁକୁ ଚାହିଁଥିଲି । ସେ ମୋ ହାତ ପାପୁଲିରେ ତା ଡାହାଣ ହାତର ପାପୁଲିକୁ ଥୋଇ କହିଲା "ଜାଣିଚୁ ବିନି ସଂସାରରେ ନାରୀଟିଏ ହୋଇ ଜନ୍ମ ନେବା ଯେତିକି ସହଜ , ସଂସାରରେ ନାରୀଟିର ମନ ମୁତାବକ ଚଳିବା ତା'ଠୁ ଯଥେଷ୍ଟ କଷ୍ଟ । ମୋ ବିନା ମର୍ଜିରେ ବାହାଘର ସ୍ଥିର କରି ଦିଆଗଲା । ହୃଦୟରେ ସ୍ଥାନ ଦେଇ ଥିବା ମୋ ଅଜିଜ୍ ଦୋସ୍ତକୁ ନିକାଲି ଫିଙ୍ଗି ଦେଇ ଶାଶୂଘରେ ପାଦ ଦେଲି । ଅଚିହ୍ନା ମଣିଷଟିକୁ ନିଜର କରିବାକୁ ଚେଷ୍ଟା କଲି । ମୋ ଛୋଟ ହସଖୁସିର ସଂସାରକୁ କୁନିକୁନି ପୁଅ-ଝିଅ ଆସିଲେ ,ମୋ କୋଳ ପୂରିଲା । ସତେ କି ଆଲ୍ଲା ମେହେର୍ବାନ୍ ହୋଇ ପଡିଥିଲେ ମୋ ଉପରେ । କିନ୍ତୁ ଏ ଖୁସି ବେଶି ଦିନ ନଥିଲା ମୋ ଲାଗି । ମୋ ସ୍ବାମୀ କୋଉଠୁ କେମିତି ଜାଣିଲେ କେଜାଣି ମୋର ଏବଂ ଇମ୍ରାନ ଭାଇର ବିବାହ ପୂର୍ବର ସଂପର୍କ ବିଷୟରେ । ରାଗରେ ସେ ତାଙ୍କ ହିତାହିତ ଜ୍ଞାନ ଭୁଲିଯାଇ ତାଙ୍କ ପାଟିରୁ ବାହାରି ପଡିଲା ତଲାକ୍ ତଲାକ୍ ତଲାକ୍ । ମୋ ଅଜାଣତରେ ମୋ ଉପରେ ଝଡଟିଏ ବହିଗଲା । ସେ ତାଙ୍କ ଭୁଲ୍ ବୁଝିଲା ବେଳକୁ ସବୁ ଶେଷ ।
ଆମ ସଂପ୍ରଦାୟରେ ସ୍ବାମୀଟିଏ ତଲାକ୍ ଦେଇଥିବା ପତ୍ନୀକୁ ତୁରନ୍ତ ଗ୍ରହଣ କରି ପାରିବ ନାହିଁ । ନିୟମ ଅନୁଯାୟୀ ନାରୀଟିକୁ ନିକାହା କରିବାକୁ ପଡିବ ପୁଣି ଥରେ ଅନ୍ୟ ଏକ ପୁରୁଷ ସହ ଏବଂ ସେ ଦ୍ବିତୀୟ ସ୍ବାମୀଟି ତାକୁ ତଲାକ୍ ଦେଇ ସାରିଲା ପରେ ସେ ତା'ର ପ୍ରଥମ ସ୍ବାମୀ ପାଖକୁ ପୁନଶ୍ଚ ଫେରି ଯାଇ ପାରିବ । ଏବେ ମୁଁ ଇମ୍ରାନ୍ ଭାଇକୁ ନିକାହା କରିଛି । ଦେହ ସିନା ଏଠି ମନଟା କିନ୍ତୁ ମୋ ପିଲା ମାନଙ୍କ ପାଖରେ , ମୋ ପିଲା ମାନଙ୍କ ବାପାଙ୍କ ପାଖରେ । ହେଲେ ମୋତେ ଏଠି ଗୋଟିଏ ସ୍ତ୍ରୀ , ଗୋଟିଏ ବୋହୂର କର୍ତ୍ତବ୍ୟ କରିବାକୁ ପଡୁଚି । ଅନେକ ଥର ନେହୁରା ହେଲିଣି ଇମ୍ରାନ୍ ଭାଇ ମୋତେ ତଲାକ୍ ଦେଇଦିଅ । ହେଲେ ସେ ବିଲ୍କୁଲ୍ ଶୁଣୁ ନାହାଁନ୍ତି । ବରଂ ମୋ ଉପରେ ତାଙ୍କ ସ୍ବାମୀତ୍ବ ଜାହିର୍ କରୁଚନ୍ତି ।
କଇଁକଇଁ ହୋଇ କାନ୍ଦି ଉଠିଲା ଆୟଦ । ମୁଁ ତା କାନ୍ଦକୁ ରୋକୁ ନଥିଲି । ସେ କାନ୍ଦୁ । ଛାତି ତଳେ ହୁ ହୁ ଜଳୁଥିବା ଅସହାୟତା ନିଆଁ ତତଲା ଲୁହରେ ବୋହିଯାଉ । ଜୀବନର ଜଟିଳ ଦୋ' ଛକିରେ ଆମେ ଦୁଇ ନାରୀ ଛିଡା ହୋଇଥିଲୁ । ନିଜ ନିଜ ସମ୍ପ୍ରଦାୟର ନୀତିନିୟମ ଓ ପରଂପରାରେ ପେଷି ହୋଇ ତରଳି ଚାଲିଥିଲା ଗୋଟେ ନାରୀ । ଆଉ ଗୋଟିଏ ସଂପ୍ରଦାୟର ନାରୀଟିଏ ମୁଁ , ନିରୁପାୟରେ ତା ଆଗରେ ପଥର ପାଲଟି ଯାଇଥିଲି
▪ଝାରପଡା ଭୁବନେଶ୍ବର▪
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।