9/01/2019

ଆମ ପ୍ରେମର ଭବିଷ୍ଯତ

ମନୋରମା ହାତୀ (କଟକ) 

      ଭାବନା ଥିଲା +୩ ଥାର୍ଡ ଇୟରର ଛାତ୍ରୀ । ବଡ ଅଜବ ପ୍ରକାରର ଝିଅ ଥିଲା । ଯାହାର ନିତିଦିନିଆ ଜୀବନରେ ଅତୀତ ବର୍ତ୍ତମାନ ଅପେକ୍ଷା ଭବିଷ୍ୟତ ପାଇଁ ଚିନ୍ତା ଥିଲା । ଟିକେ ସମୟ ମିଳିଲେ ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ପଛାଏ ନାହିଁ । ଚିନ୍ତା ମାନେ ! ପୂରାପୂରି ହଜିଯାଏ ; ମଜ୍ଜି ଯାଏ ଯେମିତି । କେହି କୁଆଡେ ଆୱାଜ୍ ଦେଲେ ବି ଶୁଣା ଯାଏନି । ତା'ର ଏ ଗୁଣଟା ପାଇଁ ତାର ପ୍ରେମିକ ହେମାନ କୁ କମ୍ ହଇରାଣ ହେବାକୁ ପଡେନି ! ଯଦି ସେ କେବେ ଖୁସିରେ ଗୋଲାପଟେ ଦେଇ  ରୋମାଣ୍ଟିକ୍ ସ୍ୱରରେ କହିଦିଏ "ଆଇ ଲଭ୍ ୟୁ" ତାହେଲେ ସାଙ୍ଗେ ସାଙ୍ଗେ ପଚାରି ବସେ -କହିଲ ଯୋଉଦିନ ମୋତେ ୪୦ ଛୁଇଁବ ସେଦିନ ମୋତେ କ'ଣ ଏତେ ରୋମାଣ୍ଟିକ୍ ଭାବରେ କହିପାରିବ ଭଲପାଅ ବୋଲି ! ସେଦିନ କ'ଣ ରାସ୍ତାଘାଟରେ ଫୁଲର ଦୋକାନ ଦେଖିଲେ ମୋ ପାଇଁ କ'ଣ ଏମିତି ସୁନ୍ଦର ଫୁଲଟେ ସାଙ୍ଗରେ ନେଇ ଆସିବ ! ବିଚାରା ! ହେମାନର ମୁଡ୍ ବଦଳି ଯାଏ । ଓଃ ଓଃ ସେବେ କଣ ହେବ କିଏ ଜାଣିଲା ? ଏବେ ତ ଦଉଛି ନା , ନିଅ ବାବା । ଦଶ ମିନିଟ୍ ହେଲାଣି ଧରିକି ଠିଆ ହେଇଛି । ଅଥଚ ତମର ପ୍ରଶ୍ନ ପରେ ପ୍ରଶ୍ନ । ଏଇ ଫୁଲଟା ଯଦି କଲେଜ୍‌ର କୌଣସି ଅଚିହ୍ନା ଝିଅକୁ ଦେଇଥା'ନ୍ତି ନା ସେ ଗୋଟେ ସେକେଣ୍ଡ୍ ନ ଭାବି  ନେଇ ଯାଇଥାନ୍ତା । ଆଉ ତମେ ! ତମେ ବି ନା ! ଏତେ କାହିଁକି ଭାବ ଯେ !

            ଦିନେ କଲେଜର ବଗିଚାରେ ବୁଲୁ ବୁଲୁ ତା' ଓଢଣୀଟା ଗୋଲାପ ଗଛର କଣ୍ଟାରେ ଲାଗିଗଲା । ଯାହାକୁ ସେ ବାହାର କରିପାରୁନଥିଲା ।ହେମାନ ଧୀରେକି କାଢିଦେଲା । ତା'ର ପ୍ରଶ୍ନ ପଚାରିବା ଆରମ୍ଭ ହେଇଗଲା - ଯଦି ଦଶ ବର୍ଷ ପରେ ମୋର ଶାଢୀ କେବେ ଆମ ଘର ଅଗଣା ବଗିଚାର କୋଉ ଗୋଲାପ ଗଛରେ ଲାଗିଯାଏ ଏମିତି ଯତ୍ନ ସହକାରେ କାଢିଦେବ ! ନା ମୋତେ ଗାଳି କରିବ ! ଗୋଟେ ଶାଢୀର ପଣତ ବି ସମ୍ଭାଳି ପାରୁନ ! ହେମାନ ହସିଲା।-ଗୋଟେ କାମ କରିବା ,ଆମ ଘର ଅଗଣାରେ ଗୋଲାପ କି କୌଣସି କଣ୍ଟା ଗଛ ଲଗେଇବା ନାହିଁ । ଆଉ ଏ କଥା ଭାବି ଭାବି ମୋ' ମୁଣ୍ଡ ଖରାପ କରନା । 
 
        ଭାବନାର ଭବିଷ୍ୟତ କଳ୍ପନାଟା ଏତିକି ଭିତରେ ସୀମିତ ନ ଥିଲା । ସେ ତ ଥିଲା ସମୁଦ୍ର ପରି ବିଶାଳ ବିସ୍ତୃତ । କହେ-ହେମାନ କହିଲ ,ଆମର କାଲି ଠିକ୍ ଏତିକି ବେଳେ କୋଉଠି ଦେଖା ହେବ ? କାଲି ତମେ କୋଉ କଲର ସାର୍ଟରେ ଥିବ ? କାଲି ତମେ କ୍ଲାସ୍ କେତେଟାରେ ଆସିବ ? କାଲି ଆମ ଭିତରେ କି କି ବିଷୟକୁ ନେଇ କଥା ହେବ ? କାଲି ଆମେ କୋଉ କଥାକୁ ନେଇ ଆଗାମୀର ସ୍ୱପ୍ନ ଦେଖିବା , ଜୋର୍‌ରେ ହସିବା, ସ୍ମୃତି ଫର୍ଦ୍ଦ ପରି ସାଇତି ରଖିବା, ତମେ ଜାଣ ? ସେ ଉତ୍ତର ଦେବା ପୂର୍ବରୁ ଓଠରୁ ତା'ର ବାହାରି ଆସେ ଆଉ କେତେ ଗୁଡିଏ କଳ୍ପନାର ଭାଷା । "ମୁଁ ଯଦି ଭବିଷ୍ୟତ ଜାଣି ପାରୁଥା'ନ୍ତି ତେବେ ମୋ' ସାଙ୍ଗ ଜିଲିକୁ କେବେ ରାହୁଲ୍‌ର ପ୍ରେମ ପ୍ରସ୍ତାବ ଗ୍ରହଣ କରିବା ପାଇଁ କହି ନ ଥା'ନ୍ତି କି ରାନୁକୁ ନିହାଲ ଆଗରେ ପ୍ରେମ ନିବେଦନ କରିବା କଥା ଉଠେଇ ନ ଥା'ନ୍ତି। ଏମିତିକି କଲେଜ ଜୀବନରେ ପ୍ରେମ କରୁଥିବା ମୋର ପ୍ରତିଟି ସାଙ୍ଗ ମାନଙ୍କୁ ସେମାନଙ୍କ ଭବିଷ୍ୟତର ପରିଣାମ ବିଷୟରେ ସତର୍କ କରେଇ ଦେଇଥା'ନ୍ତି । କେତେ ଭଲ ହେଉଥା'ନ୍ତା କହିଲ ଆମେ ଯଦି ଆମର ଆଗାମୀ ଭବିଷ୍ୟତଟା ଦେଖି ପାରୁଥା'ନ୍ତେ !
   
         ହେମାନର ବୁଝେଇବା ପରି।ଏ ଦୁନିଆରେ ସମସ୍ତଙ୍କ ର ନିଜସ୍ୱ ସ୍ଥିତି ଅଛି । ସେମାନଙ୍କର ସ୍ଥିତି ହିଁ ସେମାନଙ୍କୁ ସ୍ୱତନ୍ତ୍ର କରି ରଖେ ।ଭାବନା, ଭଗବାନ୍ ଯାହା ବି  କରନ୍ତି ଭଲ ପାଇଁ ହିଁ କରନ୍ତି । ଏ କଥାଟା ହୁଏତ ଆମକୁ ସବୁବେଳେ ଠିକ୍  ଲାଗି ନ ପାରେ । କିନ୍ତୁ କେବେ ନା କେବେ ଠିକ୍ ଲାଗେ । ଅତୀତକୁ ଅତୀତ ଜାଗାରେ ରହିବାକୁ ଦିଅ । ବର୍ତ୍ତମାନକୁ ବର୍ତ୍ତମାନ ଜାଗାରେ ଆଉ ଭବିଷ୍ୟତକୁ ତା' ଜାଗାରେ । ତେବେ ଯାଇ ତମେ ଜୀବନଟେ ପୂରାପୂରି ବଞ୍ଚି ପାରିବ। ନହେଲେ ଅତୀତର ପଶ୍ଚାତାପ , ବର୍ତ୍ତମାନର ଦ୍ୱନ୍ଦ , ଭବିଷ୍ୟତର କଳ୍ପନାରେ ସାରା ଜୀବନ ନଷ୍ଟ ହେଇ  ଚାଲିଯିବ ।" ଏ ଉତ୍ତରରେ ଭାବନାର ମନ ବୁଝେନା । କହେ -ତମ କଥା ବିଲକୁଲ୍ ମିଛ । ଭବିଷ୍ୟତ ଜାଣିବାରେ ଆମର କିଛି କ୍ଷତି ନୁହେଁ ବରଂ ଫାଇଦା ହେଉଥା'ନ୍ତା । କେତେ କେତେ ଆପଣାର ଲୋକଙ୍କୁ ହରେଇବାରୁ ବଞ୍ଚି ଯାଉଥା'ନ୍ତେ ! ସାମାନ୍ୟ ଏକଜାମ୍ କଥା ଭାବ । ରେଜଲ୍ଟ ବାହାରିବା ଲାଗି ପିଲାମାନେ କେତେ ଆଶା ଆଶଙ୍କାରେ ଭାସୁଥାନ୍ତି । ସେଇ ଚକ୍କରରେ ବର୍ତ୍ତମାନ ବର୍ଷର ପାଠପଢା ବି ଠିକ୍ ସେ ହେଇପାରେନା । ଭବିଷ୍ୟତ ପାଇଁ ପଥ ଖୋଲିବା ଦୂରର କଥା , ସାମନାରେ ପଡିଥିବା ବାଟରେ ଚାଲିବାକୁ ପାଦ ଥରେ ; ବେଳେବେଳେ ଏଇ ଭବିଷ୍ୟତ କଥା ଭାବି ।

      (ହେମାନର ବାଧା ଦେବା ଭଳି)- କିଏ କହୁଛି ସେମାନଙ୍କୁ ଭାବିବାକୁ ? ଭାବିବାଟା ମଣିଷର ସବୁଠାରୁ ବଡ ଭୁଲ୍ । ଭାବିବା ଦ୍ୱରା କିଛି ହୁଏନା ବରଂ କରିବା ଦ୍ୱାରା କିଛି ହୁଏ । ଯେଉଁ କଥାଟା ଚାହିଁଲେ ବି ଆମେ କରି ପାରିବାନି ସେ କଥା ଭାବି କି ଲାଭ ହେବ ? ବରଂ ଯାହା ଯେମିତି ଚାଲିଛି ସବୁକୁ ଗ୍ରହଣ କରି ନେବାରେ ହିଁ ଆମର ଭଲ  l ଭାବନା ତା କାନ୍ଧରେ ଢଳିଯାଏ । ତମେ କେମିତିକା ମଣିଷ ହେମାନ ! ଯିଏ ଜୀବନରେ କେବେ କିଛି ଭାବନାର ରୂପ ଗଢେନା , ମନ କାଗଜରେ ସ୍ୱପ୍ନକୁ କବିତାକାରରେ ଉତ୍ତାରେନା , କେବେ ଭବିଷ୍ୟତର ବୁଢୀଆଣୀ ଜାଲରେ ଛନ୍ଦି ହେଇ ପାରେନା । ହେମାନର ସାଦାସିଧା ଉତ୍ତର  - ମୁଁ କେବଳ ବର୍ତ୍ତମାନକୁ ନେଇ ବଞ୍ଚେ । କାଲିର ସକାଳ କଥା ଭାବିବାକୁ ମୋ' ପାଖରେ ସମୟ ନ ଥାଏ । ମୁଁ ବାସ୍ତବତାକୁ ଭଲପାଏ । ସ୍ୱପ୍ନ ପାଇଁ ମୋ' ମନରେ ଟିକେ ବି ଦୁର୍ବଳତା ନାହିଁ । ତମେ ବି ମୋ' ପରି ହେବା ଶିଖିଯାଅ । ଦେଖିବ ଜୀବନର ପ୍ରତିଟି ମୁହୂର୍ତ୍ତ  ତମ ପାଇଁ ରଙ୍ଗୀନ ହେଇଯିବ ।

              ମୁଁ କିନ୍ତୁ ପାରିବିନି ହେମାନ । ଭବିଷ୍ୟତର ଆଶା ଆଖିର ସ୍ୱପ୍ନକୁ ଭୁଲି ମୁଁ ଗୋଟିଏ ମୁହୂର୍ତ୍ତ ବି ବଞ୍ଚି ପାରିବିନି । ଆଶା ସ୍ୱପ୍ନ ବିନା କ'ଣ ଜୀବନର କଳ୍ପନା କରିହୁଏ ? ଏଇ ଆଶା ସ୍ୱପ୍ନ ତ ପୃଥିବୀ ଉପରର ନୀଳ ଆକାଶ ଠାରୁ ଆହୁରି ଅଧିକ ରଙ୍ଗ ଭରା । ଲୁହ ଭିଜା ନିରାଶା ଆଖିରେ ବୁଣି ଦିଏ ହଜାରେ ଖୁସିର ମିଞ୍ଜିମିଞ୍ଜି ତାରା । ଆଗକୁ ଯିବା ଲାଗି ଦେଖାଏ ଅସରନ୍ତି ପଥ । ଦୁଃଖର ସମୁଦ୍ରକୁ ଅତିକ୍ରମ କରିବା ଲାଗି ମନରେ ଭରେ ଅଦମ୍ୟ ସାହସ । ହେମାନ ପଚାରିଲା - ଯେବେ ଏଇ ସ୍ୱପ୍ନଟା ଭାଙ୍ଗିଯାଏ କେମିତି ଲାଗେ  ଅନୁଭବ କରିଛ ?

- "ହଁ ; ଅନୁଭବ କରିଛି ପ୍ରତିଟି ଦିନରେ । କାହିଁକିନା ମୋ' ନିଦ ଭରା ରାତିରେ ଆଖିରେ ଆସୁଥିବା ସ୍ୱପ୍ନ ସକାଳ ହେବା ପରେ ଭାଙ୍ଗିଯାଏ । ସେ ସ୍ୱପ୍ନ ଗୁଡାକ କ'ଣ କ'ଣ ଜାଣିଛ ? ସେଗୁଡିକ ହେଲା -"ବାପା ମୋତେ ପାଖରେ ବସେଇ ମୋ' ସହ କଥା ହଉଛନ୍ତି , ମୋ' ପାଠ ପଢା ବିଷୟରେ ପଚାରୁଛନ୍ତି , ମୋ' ମୁଣ୍ଡରେ ହାତ ବୁଲେଇ ଦୁନିଆ ଯାକର  ଆଶୀର୍ବାଦ ଅଜାଡି ଦଉଛନ୍ତି । ଯେଉଁ ମା'କୁ ପିଲାଦିନରୁ ହରେଇ ଦେଇଛି ସେ ଆସି ମୋ' ପାଖରେ ବସି ଗୀତ ଗାଇ ଗାଇ ଶୁଆଇ ଦେବାକୁ ଚେଷ୍ଟା କରୁଛନ୍ତି , କିରଣ ପଡିବା ପରେ ମୋ' ନିଦ ଭାଙ୍ଗୁଛନ୍ତି , ମୋ' ପାଇଁ କଫି ତିଆରି କରି ଆଣି ଦଉଛନ୍ତି , ମୋତେ ଗୁଡାଏ ଗେଲ କରି ରେଡି ହେବାକୁ କହୁଛନ୍ତି , ମୋ' ଅସଜଡା ବହି ଥାକ ସଜାଡି ମୋ' ଉପରେ ମିଛିମିଛିକା ରାଗ ପ୍ରକାଶ କରୁଛନ୍ତି , କଲେଜ ଆସିବାବେଳେ ମୋତେ ହାତ ହଲେଇ ବାଏ କହୁଛନ୍ତି , ଜଲଦି ଫେରି ଆସିବା ଲାଗି ତାଙ୍କର ତାଗିଦ୍ ମୋ' ଫୋନ୍ କଲ୍ ର ରିସିଭ୍ ପରେ ଶୁଣା ଯାଉଥାଏ ଅଧାବାଟରେ । ଆଉ ମୋ' ଜେଜିମା' , ସେ ବି ଅଫେରା ଦୁନିଆରୁ ଫେରି ଆସି ବଗିଚା ଦୋଳିରେ ମୋ'ଝୁଲଉ ଥାନ୍ତି ।ଯିଏ ମୋତେ ଏ ଦୁନିଆରେ ସବୁଠୁ ବେଶୀ ଭଲପାଉଥିବା ଭଳି ମନେ ହୁଏ । ଯିଏ ମୋର ପ୍ରତିଟି ଦୋଷକୁ ଲୁଚାନ୍ତି ବାପାଙ୍କ ନିକଟରୁ,ଦାଦା ସାନମା'ଙ୍କ ନଜରରୁ । ତମେ ଜାଣ ଏ ସ୍ୱପ୍ନ ଗୁଡାକ ସବୁ ମୋର ଶୀତ ଦିନିଆ କୁହୁଡି ଭରା ସକାଳ ପରି ? ଯେଉଁ ସକାଳ ସୂର୍ଯ୍ୟ କିରଣ ସ୍ପର୍ଶରେ ଉଭେ ଇଯାଏ । ମୋ' ଆଖିରେ କିନ୍ତୁ ଭରି ଆସେ ଦୁଇ ଟୋପା ଲୁହ । ହେଲେ ସେଇ ସ୍ୱପ୍ନ ମୋତେ ରାତିଯାକ ଯେଉଁ ଖୁସି ଦେଉଥିଲା ତା' ଟିକେ ବି ବାସ୍ତବତାରେ ପ୍ରତିଫଳିତ ହୁଏନା । ଖୋଜି ଖୋଜି ଥକିଗଲେ ବି ମିଳିବନି ବୋଧେ ; ଦାଦା,ସାନମା'ଙ୍କର ଆକଟ ନୀତିନିୟମ ବିରକ୍ତିଭାବ । ସାମାନ୍ୟ ଭୁଲ୍ ଟେ ପାଇଁ  ତିନିଟା କାଳକୁ ନେଇ ମୋର ବର୍ଣ୍ଣନା-ଛୋଟ ବେଳେ ଯେମିତି ଥିଲୁ ଆଜି ବି ସେମିତି ,କାଲିକି ବି ସେମିତି ରହିବୁ ବୋଧେ ! ତୁ କେବେ ସୁଧୁରିବୁନି । ଆଖି ଛଳଛଳ ହେଇଯାଏ । ବେଳେବେଳେ ଲୁହକୁ ରୋକି ପାରେନା । ଯାହା ପାଇଁ ବାସ୍ତବଟା କୋହ ଭରା ତା' ପାଇଁ ତ ଭବିଷ୍ୟତର ସ୍ୱପ୍ନଟା ଏକମାତ୍ର ସୁଖର ସାହାରା । ତମେ କୁହ ଏପରି ସ୍ଥଳେ ମୁଁ ସ୍ୱପ୍ନ ବିନା ବଞ୍ଚି ପାରିବି ?"

           ହେମାନ୍ ତା' ହାତ ଉପରେ ହାତ ରଖିଦେଲା । ହଁ ,ମୋର ବିଶ୍ୱାସ ତମେ ବଞ୍ଚି ପାରିବ । ଯେଉଁମାନେ ସ୍ୱପ୍ନରେ ବଞ୍ଚନ୍ତି ସେମାନଙ୍କୁ ମୁଁ ଅସହାୟ କମଜୋର ବୋଲି ଭାବେ । ସେ ସ୍ତରରେ ମୁଁ ତମକୁ କେବେ ବି ଦେଖିବାକୁ ଚାହେଁନି । ଭାବନା ନିଜ ହାତ କାଢିନେଇ କହିଲା - ତମେ କେବେ ମୋ' ଜୀବନଟାକୁ ବୁଝି ପାରିବନି । ଯେଉଁ ଝିଅ କେବେ ପରିବାରର ସୁଖ ପାଇ ପାରିନି , କାହାର ଭଲପାଇବା ପାଇବାଟା ଯାହା ପାଇଁ ସ୍ବପ୍ନ ହୋଇ ହିଗଲା ତା'ର ଯେ ଦିନ ରାତି କେମିତି ବିତେ ଥରେ ମୋ' ଜାଗାରେ ରହିଲେ ଜାଣିପାରିବ  l

         ହେମାନର ପ୍ରତିବାଦ  - ତମେ କ'ଣ ଭାବୁଛ ମୋ' ଜୀବନରେ ସମସ୍ୟା ଦୁଃଖ ବୋଲି କିଛି ନାହିଁ । ପରିବାରର ସୁଖ ପରେ ବି ଜୀବନରେ ବହୁତ କିଛି ଦରକାର ପଡେ । ଦିନ - ରାତିର ଚବିଶ ଘଣ୍ଟା ଭିତରେ ମତେ ପଚାଶଟା ସମସ୍ୟାକୁ ସାମନା କରିବାକୁ ପଡେ । କେତେବେଳେ ମୋ' ଏକଜାମ୍ ଫି  ଠିକ୍ ହେଇ ପାରୁନି,  ସାନ ଭାଇର tiution fees ଦିଆ ହେଇ ପାରୁନି , ଅପାର ବାହାଘର ଦଶଥର ଠିକ୍ ହେଇ ଭାଙ୍ଗି ଯାଉଛି  ପୁଅବାଲାଘରର ଡିମାଣ୍ଡ୍ ପୂରା ହେଇ ନ ପାରିବାରୁ । ବର୍ଷକ ଭିତରେ ତା' ପାଇଁ ଚବିଶଟା କ୍ୟାଣ୍ଡିଡେଟ୍ ଦେଖା ସରିଲାଣି । ଆଖପାଖ ଲୋକଙ୍କ ମଧ୍ୟରେ ତା'ର ଚର୍ଚା ହେବା ଆରମ୍ଭ ହେଇ ଗଲାଣି । କେହି କେହି ତା'ଚରିତ୍ରକୁ ନେଇ ଆକ୍ଷେପ କଲେଣି । ଅପାର ସେ ସବୁ କଥା ଶୁଣି କାନ୍ଦିବା ମୋ' ଦ୍ୱାରା ବରଦାସ୍ତ ହୁଏନି । ବାପାଙ୍କର ଅସହାୟପଣତା ସ୍ପଷ୍ଟ ଦେଖାଯାଏ । ବୋଉ ଖାଲି ଭଗବାନଙ୍କ ପାଖରେ ମୁଣ୍ଡ ପିଟେ । ନିଜ ଭାଗ୍ୟକୁ ଦୋଷ ଦିଏ । ସାନଭାଇର ସ୍ପୋର୍ଟ ଖେଳିବାକୁ ଇଛ୍ଛା । ତାଙ୍କ ସ୍କୁଲରେ କ୍ରିକେଟ୍ ଶିଖାଯାଉଛି । ଇଛ୍ଛା ଥାଇ ବି ସେ ଶିଖି ପାରୁନି ।କାହିଁକି ନା ସେଥିପାଇଁ ତାକୁ ମାସକୁ ମାସ ପାଞ୍ଚ ହଜାର ଟଙ୍କା ଫିସ୍ ଦେବାକୁ ପଡିବ,  ଯେଉଁଟା ବାପାଙ୍କ ପକ୍ଷେ ଦେବା ଆଦୌ ସମ୍ଭବ ନୁହେଁ । ସାମାନ୍ୟ କେତେଟା ଟଙ୍କା ପାଇଁ ତିନି ବର୍ଷ ଭିତରେ ତମକୁ ଗୋଟେ ଭଲ ରେଷ୍ଟୁରାଣ୍ଟକୁ ନେଇ ଯାଇ ପାରିନି କି ତମ ଜନ୍ମ ଦିନରେ ତୁମ ପସନ୍ଦିତ ରଙ୍ଗର ଡ୍ରେସଟେ ଉପହାର ଦେଇ ପାରିନି । ପାଞ୍ଚ ବର୍ଷ ହେଲାଣି ଘରକାମ ଅଧା ହେଇ ପଡିଛି । ପୂରା କେବେ ହେବ କେଜାଣି ? ବାପାଙ୍କର ସବୁ ଟଙ୍କା ଘର ଖର୍ଚ ପାଇଁ ବି କମ ପଡୁଛି । ଆମର ମାସିକ ଘର ଖର୍ଚ ବାବଦରେ ଯେତିକି ଖର୍ଚ ହୁଏ ବୋଧେ ତମର ଗୋଟେ ଡ୍ରେସର ମୂଲ୍ୟ ତା' ଠାରୁ ଅଧିକ । ବାପାଙ୍କର ଦେହ ଏବେ ପ୍ରାୟ ଭଲ ରହୁନି । ସେପରି ସ୍ଥଳେ ବି ସେ କମ୍ପାନୀକୁ ଯାଉଛନ୍ତି, ଖରାପ ଲାଗୁଛି ତାଙ୍କ ସାମନାରେ ଠିଆ ହେବାକୁ । ବଡପୁଅ ହିସାବରେ ମୁଁ କିଛି ବି କରି ପାରୁନି । ପାର୍ଟ ଟାଇମ ଜବ୍ ରେ କିଛିଟା ମ୍ୟାନେଜ ହେଉଥିଲେ ବାକି ସବୁ ଯେଉଁଠି ଯେମିତି  ସେମିତି । ମା'ର ଇଛ୍ଛା ସାନଭାଇ ଇଞ୍ଜିନିୟରିଂ କଲେଜରେ ପଢୁ । ଆଉ ଦି' ମାସ ପରେ ତା'ର ଏଣ୍ଟ୍ରାସ୍ ପରୀକ୍ଷା , ଲକ୍ଷେ ଟଙ୍କା ଲାଗିବ । ତା'ପରେ ଆଡମିଶନ ପାଇଁ ଦୁଇ ଲକ୍ଷ । ଯାହା କିଛି ବି ଗହଣା ଥିଲା ମା' ଅପାକୁ ଦବା ଲାଗି ଭାବି ଥିଲା ହେଲେ ଏବେ ସେଥିରୁ କିଛି ଜଣେ ସଂପର୍କୀୟ ପାଖରେ ବନ୍ଧା ରଖି ଟଙ୍କା ଆଣିଛି । ଏଣ୍ଟ୍ରାସ୍ ପରୀକ୍ଷା ଫି ତ ହେଇଯିବ, ହେଲେ ଆଗକୁ ପଢା କେମିତି ହେବ ? ୟା' ଭିତରେ ଗୋଟେ ବଡ ଡର ମନରେ ରହି ଗଲାଣି । ଦିନକୁ ଦିନ ବାପାଙ୍କର ସ୍ୱାସ୍ଥ୍ୟlବସ୍ଥାରେ ଯେଉଁ ଅବନତି ଘଟୁଛି ତାଙ୍କର କିଛି ହେଇ ଯିବନି ତ ? ତାଙ୍କର ଯଦି କିଛି ହେଇଯାଏ ମୁଁ କ'ଣ କରିବି ? କେମିତି ନିଜକୁ ସମ୍ଭାଳି ଘର କଥା ବୁଝିବି ? ତାଙ୍କ ସବୁ ସ୍ୱପ୍ନ ପୂରା କରିବି କିପରି ?

       ଏତେସବୁ ଚିନ୍ତା ମୁଣ୍ଡ ଭିତରେ ଘର କଲା ପରେ ଗୋଟେ ପେଜ୍ ପାଠ ବି ପଢି ପାରୁନି । ବେଳେବେଳେ ବହିକୁ ଦୂରକୁ ଫିଙ୍ଗି ଶୋଇ ଯାଉଛି । ଇଛ୍ଛା ହଉଛି  ସବୁ ସମସ୍ୟାକୁ ଗୋଟିଏ ମିନିଟ୍ ରେ ସମାଧାନ କରି ରଖି ଦିଅନ୍ତିକି ? ବାପାଙ୍କର ଉଦାସ ଚେହେରା , ଅପାର ଲୁହ ଭିଜା ଆଖି ,ମା'ର  ନିଜ ଭାଗ୍ୟକୁ ଗାଳି ଦେବା,ସାନଭାଇର ହତାଶିଆ ମୁହଁ ପ୍ରତିଦିନ ଦେଖିବାକୁ ପଡୁ ନ ଥାନ୍ତା ?ବେଳେବେଳେ ଲାଗେ ଦୁନିଆ ଯାକର ସମସ୍ୟା ଆମରି ଘରେ ଭରି ହେଇଯାଇଛି । ନିଜ ଉପରେ ଘୃଣା ଆସେ କାହିଁକି ଏମିତି ଜୀବନଟେ ପାଇଛି । ଜୀବନଟା ମୋର ଅଦରକାରୀ ପଦାର୍ଥ ପରି ଲାଗେ  l ଭାବନା ତାକୁ ଧରିନେଲା - "ପ୍ଲିଜ୍...ଏମିତି କୁହନି । ତମ ବିନା ମୁଁ ବଞ୍ଚି ପାରିବିନି ।" ହେମାନ ତା' ହାତକୁ କାନ୍ଧରୁ କାଢିଲା । ଦିନେ ସବୁ ଠିକ୍ ହେଇଯିବ ,ଏଇ କଥା ପଦେ ବି ମୋ' ପାଖରେ ଭାବିବାକୁ ସମୟ ନାହିଁ । ସ୍ୱପ୍ନ ତ ଦୂରର କଥା ; କେତେବେଳେ ଆଖି ବନ୍ଦ ହୁଏ ଆଉ କେତେବେଳେ ଖୋଲେ , ତା' ଭିତରେ ତଫାତଟା ମୋତେ ଜଣା ପଡେନି ।

     ଭାବନା ତା ଆଖିକୁ କରୁଣ ଚାହାଣୀରେ ଚାହିଁ କହିଲା- "ତମ ଜୀବନରେ ଏତେସବୁ କଥା ମୋତେ ଆଗରୁ କେବେ କହିନ ?"

- କ'ଣ କହିବି ତମକୁ ? ତମ ଜୀବନରେ କ'ଣ କମ ସମସ୍ୟା ଚାଲିଛି  ! ଦୁନିଆର ସବୁ ଖୁସି ପାଇ ବି ତମେ ଖୁସି ନାହଁ । ଆପଣାର ଲୋକ ପାଇ ବି ତମର ନ ଥିଲା ପରି । ମୋ' କଥା କହି ତମକୁ ଆହୁରି ଦୁଃଖୀ ଦେଖିବାକୁ ଚାହେଁନା । ମୁଁ ଭଲପାଏ ତମକୁ, ତମ ସହ ଭଲପାଇବାର ଅଭିନୟ କରୁନି । ମୋ' ଜୀବନର ସମସ୍ୟା ଠିକ୍ ହେଉ କି ନ ହେଉ ହେଲେ ତମ ଜୀବନର ସବୁ ସମସ୍ୟା ଠିକ୍ ହେଇଯାଉ ବୋଲି ହୃଦୟର କେଉଁ କୋଣରେ କାମନା କରୁଥାଏ ।

     (ଭାବନାର ହସିହସି) - "ତମେ ମୋ' କଥା ଚିନ୍ତା କରିବା ଛାଡି ଦିଅ ।ମୋର ସବୁ ସମସ୍ୟାର ଭଗବାନ ସମାଧାନ କରି ସାରିଛନ୍ତି,ତମକୁ ଉପହାର ସ୍ୱରୂପ ଦେଇ । ତମେ ଏବେ ସବୁ କଥା ଭୁଲି ପାଠପଢାରେ ମନ ଦିଅ । ଦେଖିବ ତମ ପଢା ପରେ କୋଉଠି ନା କୋଉଠି ଭଲ ଜବ୍ ଟେ ମିଳିଯିବ । ଧୀରେ ଧୀରେ ସବୁ ଠିକ୍ ହେଇଯିବ। ଅପାଙ୍କର ବାହାଘର ହେବ। ସାନୁର ପାଠପଢା ହେବ । ଘର ତିଆରି ହେବ ଆଉ ...... ଆଉ . . . .. ଆମର ବାହାଘର ବି ।"

-(ହେମାନର ଧୀର ସ୍ୱରରେ)- ସେଥିପାଇଁ ତମକୁ ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡିବ।

-ମୁଁ ଯଦି କରିପାରିବିନି କଣ ହେବ ?

-ଛୋଟ ପିଲାଙ୍କ ପରି ହୁଅନା । ସବୁ କିଛି ଜାଣିବା ପରେ ତମର ଏମିତି ଅବୁଝା ପ୍ରଶ୍ନର ଉତ୍ତର ମୋ' ପାଖରେ ନାହିଁ । ଯିବା ଆସିବା ପାଇଁ ବାଇକ୍ ଖଣ୍ଡେ ନାହିଁ । ତମକୁ ସହର ବୁଲେଇ ଦେଖେଇବା ତମ ଭାବନାରେ ରହି ଯାଉଛି । ମୋର କାମଧନ୍ଦା ଏପର୍ଯ୍ୟନ୍ତ ଠିକ୍ ହେଇନି । ଯାହାକୁ ନେଇ ତମ ବାପାଙ୍କ ପାଖରେ ଦାବି କରି ପାରିବି ତମ ଝିଅକୁ ମୁଁ ସାରା ଜୀବନ ଖୁସିରେ ରଖି ପାରିବି ।   

- ମୁଁ ବାପାଙ୍କୁ କହିଦେବି ମୋର ତମ ଛଡା କିଛି ବି ଦରକାର ନାହିଁ ।

    ହେମାନ ଆକାଶକୁ ଦେଖିଲା । "ତମେ କହିବ ଆଉ ତମ ବାପା ମାନିଯିବେ ! ବାଦଲ ଭରା ଆକାଶକୁ ଦେଖି କ'ଣ ବର୍ଷା ହେବାର ସମ୍ଭାବନାକୁ ଏଡେଇ ଦେଇ ହେବ ? ଗୋଟେ ବେକାର ପୁଅ ହାତରେ ନିଜ ଝିଅକୁ ଦେଇ ତା'ର ଗୋଟେ ସେ ସୁରକ୍ଷିତ ଭବିଷ୍ୟତ ଦେଖି ପାରିବେ ବୋଲି କେମିତି ଭାବୁଛ ? ସେ ତମର ବାପା । ଏସବୁ ବିଷୟରେ ଭାବିବା ତାଙ୍କର ଅଧିକାର ।"

           ଭାବନା ଉଠିଗଲା ତା' ଜାଗାରୁ । "ସବୁ ମଣିଷକୁ ତା' ଅଧିକାରଟା ଦେଖା ଯାଏ ସିନା କେବେ ନିଜ କର୍ତ୍ତବ୍ୟ ବିଷୟରେ ଭାବେନା । ତମେ ଆଜି ତାଙ୍କ ଅଧିକାରକୁ ନେଇ ମୋ' ଆଗରେ ଯୁକ୍ତି ଉପସ୍ଥାପିତ କରୁଛ  ; ତାଙ୍କ  କର୍ତ୍ତବ୍ୟ କଥା ତ କେବେ ଉଠେଇନ !"

-ତମକୁ ସେ କ'ଣ ନ ଦେଇଛନ୍ତି ! ଦୁନିଆର କେଉଁ ସୁଖରୁ ତୁମକୁ ସେ ବଞ୍ଚିତ କରିଛନ୍ତି କହି ପାରିବ ! ବଂଶମର୍ଯ୍ୟାଦା - ଆଭିଜାତ୍ୟ - ମାନ ସମ୍ମାନ ଭରା ସମାଜରେ ଗୋଟେ ସୁନ୍ଦର ପରିଚୟ ଦେଇଛନ୍ତି । ତମେ କିଛି ମାଗିବା ପୂର୍ବରୁ ତମର ପ୍ରତିଟି ଇଛ୍ଛା ପୂରଣ ହେଉଛି । ୟା'ଠୁ ଅଧିକା କ'ଣ ଦରକାର ତମକୁ ?"

    (ଭାବନାର ଆଶ୍ଚର୍ଯ୍ୟରେ) -"ଏକଥା ତମେ କହୁଛ ? ମୋର ସେଇ ସୁଖ ଦରକାର ତମ ଅପା ଯେଉଁ ସୁଖ ଝିଅ ହିସାବରେ ପାଇ ପାରିଛନ୍ତି । ବାପାଙ୍କ ପାଖରେ ବସି ନିର୍ଭୟରେ ଦି'ପଦ କଥା ହେଇ ପାରୁଥିବି । ତାଙ୍କ ସୁଖ ଦୁଃଖରେ ସାମିଲ ହେଇ ପାରୁଥିବି । ତାଙ୍କ ପାଇଁ ଖାଇବା ଟେବଲ ଉପରେ ହାତରେ ଦି' ପ୍ଲେଟ୍ ପରଷି ପାରୁଥିବି । ମୋର ଏ ଅୟଶ୍ ଆରାମ ଭରା ଜୀବନଟା ତୁଛ୍ଛ ଲାଗେ ଏ ସବୁ ଆଗରେ ।"

   -ଜୀବନରେ ସବୁ ଖୁସି ସମସ୍ତଙ୍କୁ ମିଳେନା । ତମେ ଜାଣିଛ ଏଇ କେତେଟା ସୁଖ ପାଇଁ ମୋ' ଅପାକୁ ଦୁନିଆ ଯାକର ଦୁଃଖ ସହିବାକୁ ପଡୁଛି ବୋଧେ । ବୟସ ଆସି ସତେଇଶ ହେଲାଣି,ବାହାଘର ହେଇ ପାରୁନି । ତା' ବାହାଘର ପାଇଁ ବାପାଙ୍କର ଯେଉଁ ଚିନ୍ତା ଲାଗି ରହୁଛି ଜୀବନଟା ତାକୁ ବୋଝ ପରି ଲାଗୁଛି । ପ୍ରତି ମୁହୂର୍ତ୍ତରେ ଦୁଃଖ ଆଘାତର ନିଆଁରେ ମହମବତୀ ପରି ତରଳି ତ କେବେ କେବେ ଆଶା ଭରସାର ଶୀତଳ ସ୍ପର୍ଶରେ କଠିନ ହେଇ ବଞ୍ଚିବାକୁ ପଡୁଛି । ମୋ' ଅପାର ଭାଗ୍ୟ ସହ ତମ ଭାଗ୍ୟର ତୁଳନା କରନା । ତମେ ତ ରାଜ ଉଆସର ରାଜଜେମା ; ଅଲିଅଳି ପରି । ତା' ପାଖରେ ତ ଅଳି କରିବା ପାଇଁ ବି ଅଧିକାର ନାହିଁ ।

      (ଭାବନାର ଟିକେ ଚିଲେଇକି) "ହଁ ମୁଁ ବେଶ୍ ଭଲ ଅଛି । ଖୁସିରେ ଅଛି । ହେଲେ ଏ ସବୁ ମୋତେ ଭଲ ଲାଗୁନି । ମୋତେ ତମ ଅପାର ନର୍କ ଭରା ଜୀବନଟା ଦରକାର । ମୋ' କଥା ବୁଝି ପାରୁଛ କି ନାହିଁ ? ମୁଁ ଏଥର ତୁମ ସାଥିରେ ରହିବାକୁ ଚାହୁଁଛି ।"
 
- ହେମାନ ରାଗରେ-ତମେ ତ ଏମିତି କହୁଛ ଯେମିତି ବଜାରରୁ ଦି' ଟୋପା ସିନ୍ଦୂର କିଣି ଆଣି ଏବେ ତମ ମଥାରେ ଭରି ଦେଇ ଘରକୁ ନେଇଯିବି ।

- କେତେବେଳେ ପ୍ରତିବାଦ କଲି ତମକୁ ?

- ''ମୋ ମୁଣ୍ଡ ଖରାପ କରନା କହୁଛି । ଆଗରୁ ତମର ସେ ଅଜବ ଅଜବ ପ୍ରଶ୍ନ କଣ କମ୍ ମୁଣ୍ଡ ଖାଉଥିଲା , ଏବେ ଏ କଥାଟା ତା' ସାଥିରେ ସଂଯୋଗ କରିଦେଲ !''

 -ପିଲା ଯେତେ ବଡ ହୁଏ ତାର ଡିମାଣ୍ଡ ସେତେ ବଢି ବଢି ଯାଏ । ଏ କଥା ତମେ କଣ ଜାଣିନ ? ତମେ ବା ବିଞ୍ଗାନର ଛାତ୍ର । ସେମିତି ମୁଁ ବି ଧୀରେ ଧୀରେ ବଡ ହେଲାଣି । ପ୍ରେମିକାର ଅଭିନୟ କରି କରି ମୋତେ ବୋର୍ ଲାଗିଲାଣି । ତମ ସ୍ତ୍ରୀ ହେବାକୁ ଚାହୁଁଛି ।

     ହେମାନ ବହିରେ ତା' ମୁଣ୍ଡକୁ ପିଟି ଦେଲା । "ଏସବୁ ସେମିଷ୍ଟାର ପରୀକ୍ଷା ପରେ ଭାବିବ , ଯେବେ ଛୁଟିରେ ରହିବ । ଚାଲ ,କ୍ଲାସ୍ କରିବ ଏବେ ।" ଦୁହେଁ କ୍ଲାସକୁ ଚାଲିଗଲେ ।

          ସେଦିନ କଲେଜରୁ ଫେରି ଭାବନା ହେମାନର ଜୀବନ ବିଷୟରେ ଭାବୁଥିଲା । ତା' ଦୁଃଖ ଆଗରେ ନିଜର ଦୁଃଖ ମୂଲ୍ୟହୀନ ଲାଗିଲା । ଛୋଟ ଛୋଟ ଆବଶ୍ୟକତା ପୂରଣ କରିବା ଲାଗି କେତେ କେତେ ସଂଘର୍ଷ କରିବାକୁ ପଡୁଛି । ଅନେକ ଥର କହିଲାଣି ତାକୁ ଗୋଟେ ଫୋନ୍ କିଣିବା ପାଇଁ । ସେଇଟା ଯେ ଟଙ୍କା ପାଇଁ କିଣି ପାରୁନି ଆଜି ଜାଣିଲା । ସାରାରାତି ଏମିତି ସବୁ ଭାବି ଚାଲିଥିଲା  ; ନିଦ ହେଲାନି । ନିଜ ପ୍ରିୟତମର ଦୁଃଖ ଭରା କାହାଣୀ ଶୁଣି କେଉଁ ପ୍ରେମିକା ଆଖିରେ ନିଦ ଆସିବ ଯେ ? ରାତି ତିନିଟାରେ ଭାବୁଥିଲା - କ'ଣ କରୁଥିବ ସେ ? ଶୋଇଛି କି ନାହିଁ ! ତା' ପାଖରେ ଥିଲେ ତା' ମୁଣ୍ଡ ଆଉଁସି ଦେଇ କହୁଥାନ୍ତା,କିଛି ଭାବନି । ସୁନା ପିଲା ପରି ଶୋଇଯାଅ । ତା' ମୁହଁରେ ଓଢଣୀ ପକେଇ ଦେଇ ଦୁନିଆର ସବୁ ଦୁଶ୍ଚିନ୍ତାକୁ ଦୂରେଇ ରଖିଥା'ନ୍ତା । ଡାଏରୀରେ ଲୁଚେଇ ରଖିଥିବା ତା' ଫଟୋକୁ ଦେଖି ଦେଖି ଟିକେ ଆଖି ଲାଗି ଯାଇଛି । ଘଣ୍ଟାଏ ପରେ ସକାଳ ଆସି ଯାଇଥିଲା ସିନା ଆଖି ଖୋଲି ନଥିଲା । ଘରେ କାମ କରୁଥିବା କମଳା ଯାଇ ଡାକିବାରୁ ଉଠିଲା । ସବୁ କାମ ସାରି କଲେଜ ଯିବା ପାଇଁ ବାହାରିଲା । ଡ୍ରାଇଭରକୁ ବସ୍ ଷ୍ଟାଣ୍ଡରେ ଗାଡି ରଖିବାକୁ କହିଲା । ଜଣେ ସାଙ୍ଗକୁ ଅପେକ୍ଷା କରିବାର ଅଛି କହି ତାକୁ ଘରକୁ ପଠେଇ ଦେଲା  l ପନ୍ଦର ମିନିଟ୍ ପରେ ହେମାନ ବସ୍ ରୁ ଓହ୍ଲେଇଲା । ତା' ପାଖକୁ ଆସିଲା ।ଭାବନାକୁ ଦେଖି ଖୁସି ହେଇଗଲା । "ଏଇ ! ତମେ ! ତମେ ଏଠି କ'ଣ କରୁଛ ?"

-ଲାଇନ୍ ମାରୁଥିଲି । କଣ କରିବି ? ତମକୁ ଅପେକ୍ଷା କରୁଥିଲି ବାବା । ଆଜି ତମ ପାଇଁ ଗୋଟେ ସରପ୍ରାଇଜ୍ ଅଛି । ଆସ ମୋ' ସହ । ତା' ହାତ ଧରି ନେଇଗଲା ଗୋଟେ ମୋବାଇଲ୍ ସୋ ରୁମ୍ କୁ । ତା' ପାଇଁ ଗୋଟେ ଭଲ ସେଟ୍ ର ଫୋନ୍ ଟେ କିଣି ଦେଲା ପଚିଶ ହଜାର ଟଙ୍କା ଦେଇ ।

- ଦେଖିଲ ଏଇଟା ଭଲ ହେଇଛି ନା !
- ହେଇଥାଉ କି ନ ହେଇଥାଉ । ମୁଁ ଜାଣେ ତମେ କ'ଣ କହିବ। ତମେ ଆଗେ ଏଠୁ ଚାଲ । ଯାହା କହିବା କଥା ଗୋଟେ ଜାଗାରେ ବସି କହିବ । ମୁଁ ଶୁଣିବି ।
   
     ଦୁହେଁ ଚାଲି ଆସିଲେ ସେଠାରୁ । ବସ୍ ଷ୍ଟାଣ୍ଡ୍ ଠାରୁ ଅଳ୍ପ ଦୂରରେ ପଡିଥିବା ଗୋଟେ ବେଞ୍ଚରେ ବସିଥିଲେ । "ନିଅ ,ଏଇଟା ତମ ପାଖରେ ରଖ" କହି ଭାବନା ତା ସାର୍ଟ ପକେଟରେ ରଖି ଦେଲା । ହେମାନ ଫୋନ୍ ଟା ବାହାର କରି ଦେଖିଲା ।
- କ'ଣ ଦରକାର ଥିଲା ଏ ସବୁ ?

(ଭାବନାର ଧୀର ସ୍ୱରରେ) - "ଦରକାର ଥିଲା ବୋଲି ତ ଦେଲି । ଯେଉଁଦିନ ତମ ସହ ଦେଖା ହେଇ ପାରିବନି ଏଇଥିରେ କଥା ହେଇ ତ ମୋ' ମନକୁ ଵୁଝେଇ ପାରିବି ।"

-ଯେଉଁଦିନ ଦେଖାହେବନି ନା ଯେତେବଳେ ବି ମନେ ପଡିବ ଫୋନ୍ ର ରିଂ ଟୋନ୍ ବଜେଇ ଦେବ । ସେମିତି ଯଦି କରନା ମୋ ରିଂ ଟୋନ୍ ବାଜିଯିବ ଘରେ । ବାପା ଜମାରୁ ବି ପସନ୍ଦ କରନ୍ତିନି ଏ ସବୁ । ମା' ବି ଛାଡିବନି । ବହେ ଗାଳି କରିବ । ମୋତେ କଥାକଥାକେ ସବୁଦିନ କହୁଛି, ସାନଭାଇର ପଢା ସରିବା ପରେ ଯାହା କରିବା କଥା କର । ତା'ର ନ ସରିବା ଯାଏ ବାଜ୍ୟେ କଥାରେ ଯେମିତି ମୁଣ୍ଡ ନ ଖେଳାଉ । କୋଉ ଝିଅ ଫିଅ ପଛରେ ଗୋଡେଇବା ଦରକାର ନାହିଁ । ସେ କଥା ବୁଝିବା ପାଇଁ ତୋ ବାପା ଅଛନ୍ତି । ଆଗେ ତୋ ଭବିଷ୍ୟତ ଗଢ ।

-ତା' ହେଲେ ମା'ଙ୍କୁ ମୋ' ବିଷୟରେ କେବେ କିଛି କହିନ ?

-ତମେ କ'ଣ ଚାହଁ ମୁଁ ସମସ୍ତଙ୍କ ଠାରୁ ଅଲଗା ହେଇଯାଏ ବୋଲି ? ମା'କୁ ଏ ପ୍ରେମ ଫ୍ରେମ ସବୁ ବେକାର ଲାଗେ । ଆଜି କାଲିକା ଝିଅ ମାନଙ୍କୁ ତ ଆଦୌ ପସନ୍ଦ କରେନା, ମାନେ ତମ ପରି ଆଧୁନିକା ଝିଅ । ତା'ର ତ ଗାଁ ଗହଳି ମଫସଲ ଝିଅ ବହୁତ ପସନ୍ଦ । ଏବେ କିଛି ଦିନ ତଳେ ମାଉସୀ ଘରକୁ ଯାଇଥିଲା । ସେଠି ଗୋଟେ ଝିଅକୁ ଦେଖି ମୋ' ପାଇଁ ପସନ୍ଦ କରି ସାରିଥିଲା । ଭାଗ୍ୟକୁ ଅନ୍ୟ ଆଡେ ସେ ଝିଅର ବାହାଘର ଠିକ୍ ହେଇ ଯାଇଛି । ନ ହେଲେ......।

-ନହେଲେ କଣ ହେଲା ? ତମେ ସେ ଝିଅକୁ ବାହା ହେଇ ଯାଇଥାନ୍ତ ?

-ହଁ ,ଏଥିରେ ପଚାରିବାର କ'ଣ ଅଛି ? ବାପା ମା' ଯୋଉଥିରେ ଖୁସି ମୁଁ କେମିତି ମନା କରିପାରିବି ?

-ତମେ ମୋତେ ବାହା ହେବନି ?

-ଭଲପାଉଛି ,ବାହା ହେବିକି ନାହିଁ ଜାଣିନି । ତମ ସ୍ୱାମୀ ହେବାର ଭାଗ୍ୟ ମୋର ଅଛି କି ନାହିଁ !
ଭାବନା ତା' କଲର ଧରିନେଲା । ମୁଁ ଜାଣିନି ଭାଗ୍ୟ ମୋ' ପାଇଁ କ'ଣ ଲେଖିଛି ? ମୁଁ କିନ୍ତୁ ତୁମ ଛଡା ଆଉ କାହାର ହେବିନି ।

-ମୋ' କଲର ଛାଡ । ଲୋକ ଦେଖୁଛନ୍ତି । ଚାଲ କଲେଜ ଯିବା ।

  ଟାଉନ୍ ବସ୍ ରେ କଲେଜକୁ ଫେରିଥିଲେ । ଗୋଟେ ଦି' ଟା କ୍ଲାସ୍ କଲା ପରେ ଲନ୍ ରେ ବସିଥିଲେ। ଭାବନା କହିଲା-"ଗୋଟେ କଥା କହିବି ,ମୋ କଥା ମାନିବ ?"

ହେମାନ ଚାହିଁଲା ତାକୁ ।
-କଣ କୁହ  l
ଭାବନା ତା' ପାଖକୁ ଘୁଞ୍ଚି ଆସି ତା' କାନ୍ଧରେ ମୁଣ୍ଡ ରଖି କହିଲା-

-ମୋତେ ଟିକେ ତମ ଘର ଆଡେ ବୁଲେଇ ନେବ ? ଭାରି ଇଛା ହେଉଛି ସମସ୍ତଙ୍କୁ ଦେଖିବାକୁ । ସାନୁକୁ-ମୋନା ଅପାଙ୍କୁ-ବାପା ଆଉ ମା'ଙ୍କୁ ।

-ତମ ମୁଣ୍ଡ ଖରାପ ହେଇଗଲାଣି ନା କଣ ? ମା' ପ୍ରଶ୍ନ ପଚାରି ପଚାରି ସତ କଥାଟା ବାହାର କରିଦେବ ତମକୁ ଦେଖିବା ପରେ । ଏବେ ଘରର ଯେଉଁ ପରିସ୍ଥିତି ତମକୁ କିଛି ବି ଅଜଣା ନାହିଁ । ଏଭଳି ସମୟରେ ଆମ ସଂପର୍କ ବିଷୟରେ ସମସ୍ତେ ଜାଣିବା କ'ଣ ଠିକ୍ ହେବ ?

-ମୁଁ ସେଥିପାଇଁ ଗୋଟେ ଆଇଡିଆ ଭାବିଛ ନା । ତମ ସାଙ୍ଗ ରାହୁଲ ,ରାଲି ଆଉ ମୁଁ ଯିବୁ । କେହି ବି ସନ୍ଦେହ କରି ପାରିବିନି। ମୁଁ ବି ଏମିତି ସେମିତି କିଛି ବି କରିବିନି ଯେଉଁଥିରୁ ସେମାନେ ଆମ ସଂପର୍କ ବିଷୟରେ ଟିକେ ବି ଆଭାସ ପାଇ ପାରିବେ । କ'ଣ କହୁଛ ? ପ୍ଲିଜ୍...ମନା କରନି ।

ହେମାନ କହିଲା "ତାହେଲେ ଆସ ।"

(ଭାବନାର ଟିକେ ଆଶ୍ଚର୍ଯ୍ୟରେ) -" ଏବେ ! ତମେ ସତ କହୁଛ ? ଟିକେ ପାଞ୍ଚ ମିନିଟ୍ ରୁହ । କମନ ରୁମ୍ ରୁ ଆସେ ।" ଦଶମିନିଟ୍ ଭିତରେ ସାଦା ସିଧା ମେକଅପ୍ ନେଇ ଆସିଗଲା । ରାଲି ରାହୁଲ ଆସି ଠିଆ ହେଇ ଯାଇଥିଲେ । ଅଧଘଣ୍ଟା ଭିତରେ ଘରେ ପହଞ୍ଚି ଯାଇଥିଲେ ।

ହେମାନ ତା ରୁମ୍ ଭିତରେ ବସେଇ ମା'ଙ୍କୁ କହିଥିଲା କିଛି ଖାଇବାକୁ ଆଣିବାକୁ ; ସାଙ୍ଗେ ସାଙ୍ଗେ ଖାଇବା ଧରି ପହଞ୍ଚିଗଲେ । ପଚାରିଲେ -"ରାହୁଲ ,ତତେ ତ ଜାଣିଛି । ଏ ଦି' ଜଣ କିଏ ?"

ରାହୁଲ ହେମାନକୁ ଚାହିଁ କହିଲା-"ଏମାନେ ଆମ ସାଙ୍ଗ । ନାଲି ଡ୍ରେସ୍ ରେ ଯିଏ ଅଛି ସେ ରାଲି ଆଉ ପିଙ୍କ୍ ରେ ଯିଏ ସେ ଭାବନା ।ଏମିତି ବସିଥିଲୁ । ରାଲି କହିଲା - "ଚାଲ ହେମାନ , ଘର ଆଡେ ବୁଲି ଆସିଲେ କେମିତି ହେବ ? ଆମେ ଚାଲି ଆସିଲୁ । ଆମ ପାଇଁ ଅଯଥା କାମ ବଢିଗଲା ବୋଲି ଆମ ଉପରେ ରାଗୁଛ କି ମାଉସୀ ?"

ସୁନନ୍ଦା ହସିଲେ ।

-କିରେ ତୁ କୋଉ ଦିନଠୁ ଏମିତି କଥା ବାର୍ତ୍ତା କଲୁଣି ! ପିଲାଦିନରୁ ତ ତତେ ଖାଇବାକୁ ଦେଇ ଆସିଛି । ଆଉ ଆଜି କେମିତି ମୋତେ କଷ୍ଟ ଲାଗିବ ! ବାକି ଝିଅ ମାନେ ତ ସବୁ ବେଳେ ମା' କାମ ହାଲକା କରୁଥା'ନ୍ତି ।

ରାଲି ତାଙ୍କ ହାତରୁ ଖାଇବା ପ୍ଲେଟ୍ ନେଇ ସମସ୍ତଙ୍କୁ ଗୋଟେ ଗୋଟେ ପ୍ଲେଟ୍ ରେ ପରଷି ଦେଲା । ପାଣି ଗ୍ଲାସ୍ ଗୁଡାକରେ ଢାଳୁ ଢାଳୁ କହିଲା-" ସାନୁ ନାହିଁ କି ଆଣ୍ଟି ?"

-ନା,ସ୍କୁଲ୍ ଯାଇଛି।ଏବେ ଫେରୁଥିବ ।

-ଆଉ ମୋନା ଅପା ?

-ଛାତ ଉପରେ ଥିବ । କପଡାପତ୍ର ଶୁଖେଇବାକୁ ଯାଇଥିଲା ।

ରାଲି ଟିକେ ଖାଇ ଉଠିଗଲା । ଆଣ୍ଟି ତା' ହେଲେ ଆମେ ଛାତ ଉପରକୁ ଯାଇ ପାରିବୁ ତାଙ୍କ ସହ ଦେଖା କରିବା ପାଇଁ ?

ସୁନନ୍ଦା ମଥାର ଓଢଣା ଟିକେ ଆଗକୁ ଟାଣି କହିଲେ -"ତମର ଯୁଆଡେ ଯିବା କଥା ଯାଅ । ଗଲା ବେଳେ ଆଉ ଟିକେ ଖାଇ ଦେଇ ଯିବ ।" ରୋଷେଇ ଘରକୁ ଚାଲିଗଲେ । ସେମାନେ ସମସ୍ତେ ଛାତ ଉପରକୁ ଗଲେ । ମୋନା ଅପାଙ୍କୁ ଦେଖି ରାଲି ଜାବୁଡି ଧରିଲା ।

- କେମିତି ଅଛ ଅପା ? ତମେ ମୋତେ ଚିହ୍ନିନ ନା ! ସେଥିରେ  କ'ଣ ଅଛି ? ଏବେ ଚିହ୍ନି ଯାଅ । ମୁଁ ହେମାନର ସାଙ୍ଗ । ତମେ ଭଲ ଆର୍ଟ କର । ଆର୍ଟ ପାଇଁ କେତେ କେତେ ପ୍ରାଇଜ୍ ଆଣିଛ ନା ? ଇଏ ମୋ' ବେଷ୍ଟ ଫ୍ରେଣ୍ଡ ଭାବନା । ସବୁବେଳେ ଭାବନାରେ ହଜି ରହିଥାଏ । ସେଥିପାଇଁ ଟିକେ କମ୍ କଥା କହେ ।

       କିଛି ସମୟ ମୋନା ଅପା କଥା ହେବା ପରେ ତଳକୁ ଚାଲି ଆସିଲେ । ଚାରି ଜଣ ଯାକ ଛାତର ବାଡକୁ ଆଉଜି ଠିଆ ହେଇଥିଲେ । ହେମାନ ପଚାରିଲା-"କଣ ଘରକୁ ଆସିବ ଆସିବ ବୋଲି ହେଉଥିଲ !  ଆସିବା ପର ଠାରୁ ପୂରା ସାଇଲେନ୍ସ । କିଛି ପ୍ରତିକ୍ରିୟା ନାହିଁ । ନା ଖୁସି ନା କିଛି କଥାବାର୍ତ୍ତା ।" ରାହୁଲ ଧୀରେ କି କହିଲା- "ଶାଶୂମା'ଙ୍କୁ ଦେଖି ଡରି ଯାଇଛ ନା କଣ ?ଶାଶୂମା' ପୂରା ଶହେରୁ ଶହେ ଭଲ । ଖାଲି ଯାହା ଉପରକୁ ଟିକେ ଟାଣ ଦେଖା ଯାଆନ୍ତି ।" ଭାବନା ହସିଲା । ହେମାନକୁ ଚାହିଁଲା ।

- ମୋତେ ନା ଏଠିକି ଆସିବା ପର ଠାରୁ ଯିବାକୁ ଇଛ୍ଛା ହଉନି । ସବୁଦିନ ପାଇଁ ରହିଯିବାକୁ ଇଛ୍ଛା ହଉଛି ।

- ଥାଉ ଥାଉ,ଏତେ ଆଉ ଭାବ ପ୍ରବଣ ହୁଅନା ।

-ଭାବପ୍ରବଣ ହେବିନି ତ ଆଉ କ'ଣ ? ଏ ଘର ,କାନ୍ଥ ,ପାଚେରୀ ପ୍ରତିଟି ଜାଗା ସହ ତମର ହଜାର ହଜାର ସ୍ମୃତି ଯୋଡି ହେଇ ରହିଛି । ସେ ସବୁକୁ ଛାଡି କେମିତି ଯିବାକୁ ଇଛା ହେବ ! ମା', ଅପାଙ୍କୁ ଏତେ କାମ କରୁଥିବାର ଦେଖି ଇଛା ହଉଛି  ମୁଁ ସବୁ କିଛି କରି ସେମାନଙ୍କୁ ଟିକେ ଆରାମସେ ବସିବାର ସୁଯୋଗ ଦିଅନ୍ତି କି ? ଯେଉଁ ରୁମ୍ ରେ ବସିଥିଲେ ସେଇଟା ତମ ରୁମ୍ ନା ! କେମିତି ଜାଣିଲି କହିଲ ? ତମେ କୁହନା ,ବେଡ୍ ସାମନାରେ ଗୋଟେ ଝରକା ଅଛି । ସେଇଠି ଟେବଲ ଟେ ପଡିଛି । ସେଠି ବସି ପଢାପଢି କରେ ।ବେଳେବେଳେ ସେଇଠି ଶୋଇଯାଏ ବି । ଏଇଥିରୁ ଜାଣି ନେଲି ସେଇଟା ତମ ରୁମ୍ ବୋଲି । କେବେ ମୋତେ ସେ ରୁମ୍ ରେ ଜାଗା ଟିକେ ଦେବ ଭାବିଲଣି ?

-ଭାବିବି କାହିଁକି ? ଗଲା ବେଳେ ଅଧା ଭାଙ୍ଗି କି ନେଇଯାଅ । ଯୋଉଦିନ ଆସିବ ସାଙ୍ଗରେ ନେଇକି ଆସି ଯୋଡିଦେବ ।

ଭାବନା ତା' କେଶକୁ ଅସଜଡା କରି କହିଲା- "କେମିତି ଭାଙ୍ଗିବି ସେ ଘରକୁ ? ଯେଉଁ ଘରୁ ଆରମ୍ଭ ହେବ ତମ ସହ ନୂଆ ଜୀବନ , ନୂଆ ସଂସାର , ଗଢା ହେବ ନୂଆ ଦୁନିଆ....."ଆଖି ଭିଜି ଆସିଲା କହୁ କହୁ ।ଢଳି ଯାଇଥିଲା ତା' କାନ୍ଧରେ ।

-ଏଇ କ'ଣ ହଉଛି ? କିଏ ଆସୁଥିବ । ତମକୁ ନା ଘରକୁ ଆଣିବାର ନ ଥିଲା ?

-ସରି,ଚାଲ ଯିବା ତଳକୁ ।

ସମସ୍ତେ ଯାଇକି ରୁମ୍ ରେ ବସିଥିଲେ । ସାନୁ ଆସିଲା ସ୍କୁଲ୍ ରୁ । ଭାବନା ତା' ପାଇଁ ଆଣିଥିବା ଗୁଡାଏ ଡ୍ୟାରି ମିଲକ ଚକ୍ଲେଟ୍ ଭର୍ତ୍ତି ହୋଇଥିବା ପ୍ୟାକେଟକୁ ଦେଲା । ପଢାପଢି କେମିତି ଚାଲିଛି ପଚାରିଲା । ତା' ସହ ଅନେକ କଥା ହେଲା । ସାନୁର ସାଙ୍ଗ ମାନେ ଆସି ଡାକିବାରୁ ସେ ଚାଲିଗଲା । ଆସିବା ବେଳେ ଭାବନା ହାତରୁ ଚୁଡି ପଟଟେ ଓହ୍ଲେଇ ସମସ୍ତଙ୍କ ଅଜାଣତରେ ବେଡ୍ ରେ ପଡିଥିବା ତକିଆ ତଳେ ଲୁଚେଇ ରଖିଦେଲା । ମା'ଙ୍କୁ ପ୍ରଣାମ ଆଉ ଅପାଙ୍କୁ ନମସ୍କାର ହେଲା ।

ରାତିରେ ସୁନନ୍ଦା ହେମାନ କୁ ଖାଇବାକୁ ଦେଉଥିବା ବେଳେ କହିଲେ-"ରାହୁଲ ର ସେ ଝିଅ ସହ କିଛି ଏମିତି ସେମିତି ଚାଲିନି ତ ?"

-କୋଉ ଝିଅ ସହ ?

-ସେଇ ଯୋଉ ଆର ଝିଅଟା ସହ ! କ'ଣ ତ ତା ନାଁଟା କହିଥିଲା,ଭାବନା... ହଁ ତା'ରି ସହ ।

ହେମାନର ମା'ଙ୍କ ଅଜାଣତରେ ବଢିଥିବା ହୃଦୟର ଗତିବେଗ କମିଗଲା ।
-ହେ,ନା ସେମିତି କିଛି ନାହିଁ ।

-ମୁଁ ଦେଖିଲି ,ଆସିବା ପର ଠାରୁ ତା'ରି ପାଖରେ ବସି ରହୁଥିଲା ତ !ସେଥିପାଇଁ କହିଦେଲି । ଯଦି ବି ତାକୁ ଭଲପାଉଥାଏ କିଛି କଥା ନାହିଁ ।ଭଲ ଝିଅଟା ସେ ଜଣା ପଡୁଥିଲା।ଦେଖିବାକୁ ବି ଭଲ । କ'ଣ କରନ୍ତି ତା' ବାପା ମା  ?

-ମା' ନାହିଁ । ବାପା "ସୋନା ଭାବନା" ଇଣ୍ଡଷ୍ଟ୍ରିର ମାଲିକ । ତା' ବାପାଙ୍କର କୋଟି କୋଟି ଟଙ୍କା ଇନକମ୍ ।

-ହଁ,ହେଇଥିବ । ଜଣା ପଡୁଥିଲା ତା' ବେଶ ପୋଷାକରୁ । ବିଚାରୀର ମା' ନାହଁ । ଶୁଣିଲା ବେଳକୁ ଦୁଃଖ ଲାଗୁଛି । ମା' ନାହିଁ ସିନା,ଭଲ ଶାଶୂମା'ଟେ ଭଗବାନ ତାକୁ ଦିଅନ୍ତୁ । ତତେ ସେ ଫୋନ୍ ଟା ଏ ଝିଅ ଆଉ ଦେଇନି ତ ?

ହେମାନ ବ୍ୟସ୍ତ ହେଲା ।

-ମା' ସେ ମୋତେ କାହିଁକି ଦେବ ? ଥରେ କହିଲି ନା ମୋର ଗୋଟେ ସାଙ୍ଗ କାଲକାଟା ବୁଲିବାକୁ ଯାଇଥିଲା । ସେଠାରେ ଫୋନ ଗୁଡା ଶସ୍ତା । ତା' ପାଇଁ ଆଣୁଥିଲା ତ ମୋ ପାଇଁ ଗୋଟେ ନେଇ ଆସିଲା ମୋର ନ ଥିଲା ବୋଲି ।

ସୁନନ୍ଦା -  ହଉ ହଉ । ତୁ କହିଲୁ ତ ସେ ପଇସା ବାଲା ଘରର ଝିଅ ।ଭାବିଲି ସେ ତତେ ଦେଇଥିବ କାଳେ ।

ଉଠି ଚାଲିଗଲେ । ଖାଇସାରି ହେମାନ ଶୋଇବାକୁ ଯାଉଥିଲା ତ ଫୋନ୍ ଭାଇବ୍ରେସନ୍ ହେଲା । କିଏ ଆଉ ହେଇଥିବ । ରାଧା ରାଣୀ ହେଇଥିବ ।ରିସିଭ୍ କଲା।

- ହାଲୋ ।

ସେପଟୁ ଭାବନାର ପ୍ରଶ୍ନ -"କଣ କରୁଛ ? ଝରକା ପାଖରେ ଠିଆ ହେଇ ନ ଥିଲ ତ ?"

-ତମେ କେମିତି ଜାଣିଲ ?

-ତମ ପଡିଶା ବାଲା ଘରର ଝିଅ ବହୁତ ସୁନ୍ଦର ତ ? ସେଥିପାଇଁ ସଦା ସର୍ବଦା ଝରକା ପାଖରେ ପହରା ଦଉଛ ନା !

- ସବୁତ ଦେଖିକି ଯାଇଛ । ମୁଁ ଭାବୁଛି କିଛି ଦେଖିନ ବୋଲି  !

- ତମେ କିନ୍ତୁ ଗୋଟେ କଥା ଜାଣିନ ? ତମ ତକିଆ ତଳେ ଗୋଟେ ଜିନିଷ ରଖିକି ଆସିଛି,ଦେଖିଲ ; ଯେଉଁଦିନ ତମ ସହ ମୋ ଜୀବନର ପ୍ରଥମ ଦିନ ଆରମ୍ଭ ହେବ ସେଦିନ ମୋତେ ଦେବ । ସେବେ ଯାଏଁ ତାକୁ ସାଇତି କି ରଖିଥିବ ।

ହେମାନ ତକିଆ ଉଠେଇ ଦେଖିଲା , ଚୁଡି ଥିଲା । ହେଲେ ତାକୁ ଡରେଇ ଦେବାକୁ ଯାଇ କହିଲା :
-କ'ଣ ରଖିଛ ଯେ ? କୋଉଠି ? ପାଉନି ମ । ମିଛ କହି ମୋତେ ହଇରାଣ କରନା ।

ଭାବନା ଉଠିଗଲା । ବେଡ୍ କୁ ଆଉଜିକି ବସିଲା ।

- ଆରେ ! ସେଇଠି ରଖିଥିଲି ତ ! ହେ ଭଗବାନ !  ମା' କି ଅପା ଆଉ ଦେଖି ଦେଇ ନାହାନ୍ତି ତ ?

-ଦେଖି ଦେଇଥିବେ ଯଦି ମୁଁ ତ ମଲି । ଏମିତି ସେମିତି ଚୁଡି ତ ନୁହେଁ । ସୁନା ଚୁଡି । ସେ ବି କେତେ ଦାମିକା । ଆଉ ସେଇଟା ତମର ବୋଲି ଟିକେ ବି ଅଜଣା ରହିବନି କଥାଟା । ମା' ତମ ବେଶ ପୋଷାକର ତାରିଫ୍ କରୁଥିଲା ମୋ ଆଗରେ । ମୋତେ କଲେଜରେ ଦେଇଥିଲେ ହେଇ ନ ଥା'ନ୍ତା । ମୁଁ ଯେମିତି ହଜେଇ ଦଉଥିଲି ତ ! ଏବେ କଣ ହେବ ?

-ମୋ' ଧନଟା ପରା । ଆଉଥରେ ଭଲସେ ଦେଖ ପାଇଯିବ । ମୋ' ମନ କହୁଛି କେହି ଦେଖି ନ ଥିବେ ।

ହେମାନ ଧୀରେ କି ହସିଲା ।
- ତମ ମନ ପୂରା ଠିକ୍ କହୁଛି ତ ! ମୁଁ ଧରିଛି ତୁମ ଚୁଡି ।

ଭାବନା ଛାତିରେ ହାତ ରଖିଦେଲା ।
-ହେ ! ତମେ ବିନା ! ମୁଁ ତମ ମୁଣ୍ଡ ଫଟେଇ ଦେବି । କାଲି ଆସ ଆଗେ କଲେଜ ।

-କାଲି ଯିବିନି । କାଲି ଟିକେ କାମ ଅଛି ।

-ତା ହେଲେ କାଲି ଯିବିନି ।

-ମୁଁ ଯିବିନି ବୋଲି ତମେ ଯିବନି ? କଲେଜ ପାଠ ପଢିବାକୁ ଆସୁଛ ନା ମୋ' ପାଇଁ ଆସୁଛ ?

ଭାବନା ଶୋଇଗଲା ।

- ଥାଉ ମୋତେ ଉପଦେଶ ଦେବା ବନ୍ଦ କର । ତମେ ମୋ ପ୍ରେମିକ । ସ୍ୱାମୀ ନୁହଁ ଯେ ତମେ ଯାହା କହିବ ମାନି ଯିବି ।

-ମୁଁ ଜାଣେ । ସ୍ତ୍ରୀ ହେଲେ କେତେ କଥା ମାନି ଚଳିବ । କଥା ମାନିବ ନା ଆଦେଶ ଉପଦେଶ ଦେବା ଆରମ୍ଭ କରିଦେବ । ହଉ ଫୋନ ରଖ  ।ମୋତେ ନିଦ ଲାଗିଲାଣି ।

-ଏବେ ରଖିଦେବି ! ଜମା ଦି' ଟା ବାଜିଛି । ଶୋଇ ପଡିବ !

-ନା,ସକାଳ ହେବା ପରେ ଶୋଇବି । ରଖୁଛ ନା ଏଇନା ଦେଖିବ । ବୁଝି ଗଲି ଫୋନଟା କାହିଁ ଦେଇଛ । କଲେଜରେ ମୋ ମୁଣ୍ଡ ଖାଇ ଖାଇ ତମ ମନ ବୁଝିଲାନି ଯେ, ଏବେ ରାତି ସାରା ମୋ ନିଦ ଖାଇବାକୁ ଚାହଁଛ ?

-ଦଶଟା ରେ ଖାଇଥିଲି । ଭୋକ ହେଇନି । ସକାଳ ଆଠଟାରେ ଖାଇବି ।

-ଚୁପ୍ ।
 ଫୋନ୍ ରଖ କହି କଲ୍ କାଟି ଦେଲା ହେମାନ ।

          ପ୍ରଥମ ସେମିଷ୍ଟାର ପରୀକ୍ଷା ସରି ଗଲାଣି । ୟା' ଭିତରେ ରାହୁଲଠୁ ବାଇକ୍ ଆଣି ଭାବନାକୁ ସାରା ସହରଟା ବୁଲେଇ ଦେଖେଇ ସାରିଲାଣି ।ଗୋଟେ ଭଲ ରେଷ୍ଟୁରାଣ୍ଟକୁ ନେଇ ତା' ମନ ପସନ୍ଦର ଖାଇବା ଅର୍ଡର କରିଥିଲା । ସରସ୍ୱତୀ ପୂଜା ଉପଲକ୍ଷେ ଅଳ୍ପ ଦାମ୍ ରେ ତା' ପାଇଁ ଗୋଟେ ଭଲ ଡ୍ରେସ୍ ଟେ ଉପହାର ଦେଇଥିଲା । ସେ ତାକୁ ପିନ୍ଧିକି କଲେଜ ବି ଆସିଥିଲା । ଆଜି ପ୍ରଥମ ସେମିଷ୍ଟାର ରେଜଲଟ ବାହାରୁଛି । ଭାବନା ତା' ରେଜଲଟ ଜାଣି ସାରିଛି । ହେଲେ ତା' ପ୍ରିୟତମର ରେଜଲଟ ଜାଣିବାକୁ ଅଥୟ ହେଉଛି । ତାକୁ ଅପେକ୍ଷା କରିଛି ଲାଇବ୍ରେରୀର ପାହାଚ ପାଖରେ । ଏଇ ତ ଆସିଲାଣି । ଦୂରରୁ ଦେଖାଯାଉଛି । ମନେ ମନେ ଗାଳି କଲା ତାକୁ । କେମିତିକା ପିଲା କେଜାଣି ? ରେଜଲଟଟା ଭଲ ହିଁ ହେଇଥିବ ।ଭଲ ହେଇଛି ଯଦି ଟିକେ ଖୁସି ହେଇଗଲେ ହେବନି !  ନା, ଖୁସି ହେବାଟା ତା ପାଇଁ ଅଡୁଆ । ଚେହେରାର ହାବ ଭାବ ଦେଖି ଜଣା ପଡୁନି କିଛି । ଭଲ ହେଇଛି କି ନାହିଁ !

ପାଖକୁ ଆସିଲାରୁ ତରତର ହେଇ ପଚାରି ଦେଲା-

-ରେଜଲଟ ଭଲ ହେଇଛି ନା !

-ହଁ,ଭଲ ହେଇଛି । 90% ଅଛି ।

ଭାବନା ତା' ଗାଲକୁ ହାଲକା କି ଓଠରେ ଛୁଇଁ ଦେଲା ।

-ମୁଁ କହୁଥିଲି ନା ଭଲ ହେବ ବୋଲି । ଭେରି ଗୁଡ୍ । ଦ୍ୱିତୀୟ ସେମିଷ୍ଟାର ଏମିତି ହେବା ଦରକାର । ଆସ,କ୍ୟାଣ୍ଟିନ୍ ଆଡେ ଯିବା । ଏଇ ଖୁସିରେ ଦି'ଟା ଆଇସ୍କ୍ରିମ୍ ଖାଇବାକୁ ଦେବ କି ନାହିଁ କହିଲ !

କ୍ୟାଣ୍ଟିନ୍ ଯାଏଁ ଚାଲ ତ ଆଗେ । ନା ଏଇଠି ଉପରୁ ହାତ ବଢେଇ ନେଇ ଆସିବି ଆଇସକ୍ରିମ୍ ଦି'ଟା !

ଭାବନା ହସିଲା ।
ଓକେ ଓକେ । ଚାଲ ।

 ଏମିତି ଖୁସି ଖୁସି ରଙ୍ଗ ଭରା ପ୍ରେମରେ ଦିନେ ଆକାଶର ବାଦଲ ଦାଉ ସାଧି ବରଷି ଗଲା । ନ ହେଲେ ସେଦିନ ସେ ଛୋଟ ପିଲା ପରି ରାହା ଧରି କାହିଁକି କାନ୍ଦିଥାନ୍ତା ! ଭାବନା କାନ୍ଦୁଥିଲା । ଆଖିରେ ଅଜସ୍ର ଲୁହ ବିନ୍ଦୁ ଝରି ଯାଉଥିଲେ ନଦୀ ସ୍ରୋତର ଅବାରିତ ଧାରା ପରି ।  ତା' ବାପା ତାର ବାହାଘର ଠିକ୍ କରି ଦେଇଥିଲେ ।

ଆଇସ୍କ୍ରିମ୍ ଖାଇ ଘରକୁ ଫେରିବା ପରେ ଜାଣିଲା,ତାକୁ  ପୁଅବାଲା ଘର ଦେଖିବାକୁ ଆସିଛନ୍ତି । ପୁଅର ମା' ତାକୁ ଏକାଥରେ ପସନ୍ଦ କରି ମୁଦି ପିନ୍ଧେଇ ଚାଲିଗଲେ । ସେ ବାପାଙ୍କ ପିଲାଦିନ ସାଙ୍ଗର ପୁଅ । ତାଙ୍କ ବାପାଙ୍କ ସହ ବାପାଙ୍କର ବିଜିନେସ ସଂପର୍କ ବି ବେଶ୍ ଭଲ । ସେମାନେ ଚାହାନ୍ତି ଆଗାମୀ ତିନି ମାସ ଭିତରେ ବାହାଘରଟା ସରିଯାଉ । ବାପା ବି ଏଥିରେ ରାଜି ଜାଣିବା ପରେ କ'ଣ କରିବ କିଛ ବିି ଭାବି ପାରୁନି  l ଚାରି ଦିନ ପରେ କଲେଜ ଗଲା । ହେମାନ ବ୍ୟସ୍ତ ହେଇ ପଚାରିଲା-

-କ'ଣ ହେଇଛି ? କଲେଜ ଆସୁନ ! ଚାରିଦିନ ହେଲାଣି ତମ ଫୋନ୍ ସୁଇଚ୍ ଅଫ୍ ଦେଖଉଛି । ତମର କଲ୍ ନାହିଁ । ମୋତେ କେମିତି ଲାଗୁଥିଲା ଜାଣ ! ପ୍ରତି ମୁହୂର୍ତରେ  ତମ କଲ୍ ର ଅପେକ୍ଷା କରୁଥିଲି । ଗୋଟେ ମେସେଜ୍ ର ଆଲାରମ୍ ବାଜିଲେ ପାଗଳ ହେଇ ଯାଉଥିଲି ଦେଖିବା ପାଇଁ । କାଳେ ତମର ହେଇଥିବ ଭାବି । ଆଉ ତମେ ! ତମେ ତ ମୋ ବିନା ଆରାମ୍ ସେ ଥିବ ନା ! କୋଟିପତି ଘରର ଝିଅ ଯେତେ ହେଲେ ! ତମର ପୁଣି କୋଉଥିରେ ଅସୁବିଧା ହେବ ? (ଭାବନାକୁ ସ୍ଥିର ହେଇ ବସି ଥିବାର ଦେଖି ହଲେଇ ଦେଲା ।) "ଆରେ ! କିଛି ତ କୁହ । ସେତେବେଳୁ ପଚାରି ଚାଲିଛି ।"

-ବାପା ମୋର ବାହାଘର ଠିକ୍ କରି ସାରିଛନ୍ତି । ଜୁନ୍ ମାସରେ ଡେଟ୍ ଫିକ୍ସ ହେଇଛି । ଜୀବନରେ ଏତେ ଖୁସି ହେବାର ମୁଁ କେବେ ତାଙ୍କୁ ଦେଖିନି , ଯେତିକି ଖୁସି ମୋ ବାହାଘରକୁ ନେଇ ଅଛନ୍ତି । ମା' ଯିବା ପର ଠାରୁ ତାଙ୍କ ଚେହେରାରେ ହସ ଯେମିତି ଲିଭି ଯାଇଥିଲା । କଠୋରରୁ ଆହୁରି କଠୋର ହେଇ ଯାଇଥିଲେ । କେବେ ମୋ ସାମନା ସାମନି ଠିଆ ହେଇ ପଦେ କଥା କହୁ ନ ଥିଲେ । ଅଥଚ ଏବେ ମୋ ପାଖରେ ବସି ମା'ଟେ ପରି ଘର କରଣା କଥା ଶିଖଉ ଛନ୍ତି । ଶାଶୂଘରେ କେମିତି ଚଳିବୁ,କାହାକୁ କେମିତି କଥା କହିବୁ ,ଏଠି ପାଇଥିବା ସବୁ ସୁଖକୁ ଭୁଲି ସେଠି ଆଉ ଗୋଟେ କେମିତି ସୁଖର ସଂସାର ଗଢିବୁ ଏକଥା ବୁଝଉଛନ୍ତି । ବାପାଙ୍କର ଏ ରୂପଟି ଦେଖିବା ପରେ ଅନୁଭବ କଲି ସେ ଏ ଦୁନିଆର ସବୁଠୁ ଭଲ ବାପା । ଆଉ ସବୁଠୁ ବେଶୀ ସେ ମୋତେ ଭଲ ପାଆନ୍ତି । ଯାହାକୁ କେବେ ପ୍ରକାଶ କରିବାର ସୁଯୋଗ ପାଇ ନଥିଲେ । ବାହାଘରର ପ୍ରତ୍ୟେକଟି ଜିନିଷ ସାଜସଜ୍ଜା ସବୁ ମୋ ପସନ୍ଦ ଅନୁସାରେ କରୁଛନ୍ତି । ତାଙ୍କ ଆଖିରେ ଖୁସିର ଭାର ଦେଖି ମୋତେ ମନା କରିବାକୁ ଇଛ୍ଛା ହଉନି । ମୁଁ କ'ଣ କରିବି ହେମାନ ?

-ତମେ ସେ ପୁଅକୁ ବାହା ହେଇଯାଅ ।

ଭାବନା କାନ୍ଦି ପକେଇଲା । "ତମେ ଏ କଥା କହୁଛ ?"

ହେମାନ ତା' ଆଖିକୁ ଚାହିଁ କହିଲା -"ଆଉ କ'ଣ କହିବି ? ତମ ବାପାଙ୍କର ସବୁ ଆଶା,ସ୍ୱପ୍ନ ,ଖୁସି,ବିଶ୍ୱାସକୁ ଭାଙ୍ଗି ମୋ ପାଇଁ ଘର ଛାଡି ଚାଲି ଆସ  ? ମୋ ପରି ପୁଅ ତମକୁ ହଜାରେ ମିଳିଯିବେ ହେଲେ ବାପା ମିଳି ପାରିବେ ? ମୋତେ ଦେଖ ,ପ୍ରତିଦିନ କେମିତି ଜଳି ଜଳି ମରୁଛି । ଗୋଟିଏ କଥା ଭାବି । ବାପାଙ୍କର ସବୁ ଇଛା ପୂରଣ କରିପାରିବି କି ନାହିଁ ! ପୂରା କରିବା ପର୍ଯ୍ୟନ୍ତ ବାପା ଥିବେ କି ନାହିଁ ! କିନ୍ତୁ ତମ ବାପାଙ୍କର ଏତେବଡ ଇଛାକୁ ପୂରଣ କରିବାର ସୁଯୋଗ ମିଳୁଛି ଯେତେବେଳେ କେମିତି ଓହରି ଆସିବାକୁ କହିବି ସେଥିରୁ ! ମୋ କଥା ମାନ ତମେ । ସବୁ କିଛି ଭୁଲି ଖୁସି ଖୁସିରେ ବାହା ହେଇଯାଅ । ସେ ତମକୁ ବହୁତ ଖୁସିରେ ରଖିବ । ମୋର ଏବେ ଯେଉଁ ପରିସ୍ଥିତି ତମ ବାପାଙ୍କ ସାମନାରେ ଠିଆ ହେଇ ତମ ବିଷୟରେ କଥା ହେବାର ମୋର ଯୋଗ୍ୟତା ନାହିଁ । ତମକୁ ଘର ଛାଡି ଚାଲି ଆସିବା ପାଇଁ କହିବି ସେ ସାହାସ ମୋର ନାହିଁ । ଆଣିବି ତ ରଖିବି କୋଉଠି ? ଘରେ ତ କୌଣସି ପରିସ୍ଥିତିରେ ବି ରଖିବା ସମ୍ଭବ ନୁହେଁ । ଆଉ ବାହାରେ ଭଡା ନେଇ ରଖିବା ଅସମ୍ଭବ । ତମେ ଯାହାକୁ ଭଲପାଅ ଭଲ ଭାବରେ ଜାଣିଛ ତା' ପାଖରେ ବେକାରର ସାର୍ଟିଫିକେଟ୍ ଛଡା କିଛି ନାହିଁ । ଶେଷରେ ତମକୁ ଯଦି ଏମିତିରେ ନେଇ ଆସେ ବାପା ମା' ତମକୁ କେବେ ବୋହୂ ଭାବରେ ଗ୍ରହଣ କରିବେନି ତ କରିବେନି,ମୁଁ ତାଙ୍କର ପୁଅ ବୋଲି ସେ ଭୁଲି ଯିବେ । ଏବେ ତମେ ଥରେ ଭାବ । ଏତେ ସବୁ ଲୋକଙ୍କର ଦୁଃଖର କାରଣ ହେଇ ଆମେ କ'ଣ କେବେ ଖୁସିରେ ରହି ପାରିବା  !" (ଭାବନା ଆଖିରୁ ଲୁହ ଧାର ଶୁଖୁ ନ ଥାଏ ।)

-"ସବୁବେଳେ ସବୁ କିଛିର ଭବିଷ୍ୟତ ପଚାରି ହେଉଥିବା ବେଳେ କେବେ "ଆମ ପ୍ରେମ ର ଭବିଷ୍ୟତ" ବିଷୟରେ ତମକୁ କାହିଁକି ଥରେ ପଚାରିନି ! ତମକୁ ଭଲପାଇବା ଆଗରୁ ଥରେ ପଚାରିବାର ଥିଲା,ଆମ ପ୍ରେମ ସଂପର୍କ ଟା ସବୁ ଦିନେ ବଜାୟ ରହିବ ତ ? ତମ ପରିବାର କି ମୋ ପରିବାର ଆମ ପ୍ରେମରେ ବାଧା ସାଜି ତା'ର ମୋଡ ବଦଳେଇ ଦେବେନି ତ ! ତାଙ୍କର ଖୁସି - ସ୍ୱାର୍ଥ ଆଗରେ ସେ ଆମକୁ ଅଲଗା କରି ଦେବେନି ତ !

   ଭଲ ପାଇବାର ସ୍ୱପ୍ନର ବାଲିଘରକୁ ଭାଙ୍ଗି ଧୂଳିସାତ୍ କରି ଦେବେନି ତ ! ଭଲ ହେଇଛି ,ଏସବୁ ତମକୁ ପଚାରିନି । ପଚାରି ଥିଲେ ହୁଏତ ତମ ସହ ସଂପର୍କଟା ମୋର ଆଗକୁ ବଢି ପାରି ନଥାନ୍ତା ! ତମ ସହ ଯେଉଁ ସବୁ ଅଭୁଲା ସ୍ମୃତି ଗଢି ଉଠିଛି ,ସେ ସବୁ କେବେ ଗଢି ପାରି ନ ଥାନ୍ତି ! ସେଇ ସ୍ମୃତି ଗୁଡାକ ଏବେ ମୋ ପାଇଁ ଦୁନିଆର ସବୁଠୁ ଦାମିକା ଆଉ ମୂଲ୍ୟବାନ ଜିନିଷ । ଯାହାକୁ ହୃଦୟରେ ସାଇତି ରଖିବା ପାଇଁ ମୁଁ କିଛି ବି ଦୁଃସାହସ କାମ କରିବାକୁ ପଛ ଘୁଞ୍ଚା ଦେବିନି । ହଁ,ହେମାନ ତମ କଥା ମାନି ମୁଁ ସେ ପୁଅକୁ ବାହା ହେଇଯିବି । ହେଲେ ତମର ଗୋଟେ କଥା ମୋର ସବୁଦିନେ ମନେ ରହିବ । ଭବିଷ୍ୟତର ଫର୍ଦଟା  ଅଦୃଶ୍ୟ ହେଇ ରହିବା ଆମ ପାଇଁ ଭଲ । ତାକୁ ନ ଜାଣିବାର ଅବଶୋସ ଆଉ କେବେ କରିବିନି । ମୁଁ ଯଦି ଜାଣି ପାରୁଥାନ୍ତି ତାହେଲେ ତମ ସହ କଣ ପ୍ରେମର ସଂପର୍କ ସ୍ଥାପନ କରିଥାନ୍ତି ! ତମ ସହ ଏମିତି ଗୋଟେ ସୁନ୍ଦର ଜୀବନ ଜୀଇଁବାର ସୁଯୋଗ କଣ ପାଇଥାନ୍ତି ! ତମେ ଠିକ୍ କହିଥିଲ,ଭଗବାନ ଯାହା କରନ୍ତି ଆମର ଭଲପାଇଁ । ସେଇଟା କେବେ କେବେ ଠିକ୍ ନ ଲାଗିଲେ ବି ଅନେକ ସମୟରେ ଠିକ୍ ମନେହୁଏ । ଆଜି ମୋ ପାଇଁ ଭବିଷ୍ୟତକୁ ନେଇ କୌଣସି ପ୍ରଶ୍ନ ନାହିଁ । ଆଶା ଆଶଙ୍କା ନାହିଁ । ୟା' ପରେ ମୁଁ ଆଉ ସ୍ୱପ୍ନ ଦେଖିବିନି ।ଠିକ୍ ତମ ପରି ବାସ୍ତବବାଦୀ  ହେଇଯିବି । ତମେ ମୋ ନିଷ୍ପତ୍ତିରେ ଖୁସି ତ ?

ହେମାନର ଆଖି ଭିଜି ଆସିଲା । ଭିଜା ଭିଜା ସ୍ୱରରେ କହିଲା

-ହଁ,ଖୁସି । ଏମିତି ସେମିତି କିଛି ବି କରିବନି ଯାହାପାଇଁ ମୋତେ କଷ୍ଟ ହେବ ।

ଭାବନା ତାକୁ ବିକଳରେ ଚାହିଁଥିଲା ।

"ମୋ ପାଇଁ ଏତେ ଚିନ୍ତା ତମର ! ଅଥଚ ମୁଁ ତମକୁ ଅଧାରାସ୍ତାରେ ଏକା କରି ଛାଡିକି ସବୁ ଦିନ ପାଇଁ ଯାଉଛି । ତମେ ବ୍ୟସ୍ତ ହୁଅନା । ମୁଁ ଆତ୍ମହତ୍ୟା ପରି ସହଜ ପଥଟିକୁ କେବେ ଗ୍ରହଣ କରି ପାରିବିନି । କାହିଁକି ନା ମୋତେ ତମେ କମଜୋର ଅସହାୟ ସ୍ତରରେ କେବେ ଦେଖିବାକୁ ଚାହିଁନ । ଆଜିଠୁ ଆଉ କଲେଜ ଆସିବିନି । ତମ ସହ ଦେଖା ହେବନି । ତମକୁ କଲ୍ କରିବିନି । ତମ ସ୍ମୃତି ଗୁଡାକ ବି ମନେ ପକେଇବିନି । ତମେ କୁହନା, ଯେଉଁ ଅତୀତ କେବେ ଫେରିବନି ତାକୁ ଭାବି ଲାଭ କଣ ? ତମକୁ ସଂପୂର୍ଣ୍ଣ ରୂପେ ଭୁଲିଯିବି କହି ଭାବନା ଦୌଡିକି ଚାଲି ଆସିଲା ତା ପାଖରୁ ।"

ୟା' ପରେ ବିତିଯାଇଛି ତିନି ବର୍ଷ ।  ହେମାନ ଜୀବନରେ ଅନେକ କିଛି ପରିବର୍ତ୍ତନ ଘଟିଯାଇଛି । +3 ଶେଷ ପରେ ତାକୁ ଗୋଟେ ଭଲ କଂପାନୀରେ ଜବ୍ ମିଳିଯାଇଛି । ବାପାଙ୍କର ଅଧାଅଧି ସ୍ୱପ୍ନ ସତ ହେଇ ସାରିଥିଲା । ସାନୁ ଇଞ୍ଜିନିୟରିଂ କଲେଜରେ ପଢୁଥିଲା । ସୋନା ଅପାର ବାହାଘର ଠିକ୍ ହେଇ ଯାଇଛି । ପୁଅ ବାଲା ଘରର ସବୁ ଡିମାଣ୍ଡ ପୂରଣ କରିବାରେ ଏବେ ତା ପକ୍ଷରେ ଟିକେ ବି ଅସୁବିଧା ନାହିଁ । ଅଧା ରହିଯାଇଥିବା ଘର କାମ ଶେଷ ହେଇଯାଇଛି ।

ହେମାନ ଏବେ କାମ କରୁଥିଲା । କଂପାନୀର ମାଲିକ ବିଶ୍ୱନାଥ ଆସି ପହଞ୍ଚିଗଲେ ।
-କାମ କେମିତି ଚାଲିଛି ?

-ଭଲ ସାର୍ ।

-ଆଉ ତମ ଭଉଣୀ ବାହାଘର କୋଉଯାଏଁ ଗଲା ?

-ଠିକ୍ ତ ହେଇଯାଇଛି । ଅପାକୁ କିଛି ଦିନ ସମୟ ଦିଆ ଯାଇଛି । ସେ ଯଦି ହଁ କହେ ଆମର ଆପତ୍ତି କିଛି ନାହିଁ ।

ସାର୍ ଙ୍କ ର ପୁଣି ପ୍ରଶ୍ନ - ଅପା ଯଦି ମନାକରେ ?

-ତା' ହେଲେ ବାହାଘରଟା କ୍ୟାନସଲ୍ । ଅପାକୁ ଯଦି ଲାଗୁଛି ସେ ତା' ସହ ସାରା ଜୀବନ ଖୁସିରେ ରହି ପାରିବନି ଆମେ ଜୋର ଜବରଦସ୍ତ କରି ଦେଇ କ'ଣ ଖୁସି ହେଇ ପାରିବୁ ? ଜୀବନରେ କେବେ କୌଣସି କଥାକୁ ନେଇ ପ୍ରତିବାଦ କରିନି । ତା' ଜୀବନର ଏଇଟା ସବୁଠୁ ବଡ କଥା।ୟା ଉପରେ ଆମର ନିଷ୍ପତ୍ତିଟା ଶୁଣେଇ ଦେବା କ'ଣ ଠିକ୍ ?

ବିଶ୍ୱନାଥ ତା' କଥାର ମର୍ମ ବୁଝୁ ବୁଝୁ ଟିକେ ଗଭୀରତାକୁ ହଜି ଯାଇଥିଲେ ।

ହେମାନ ପଚାରିଲା-ଆର୍ ୟୁ ଓକେ ସାର୍ ?

-ହଁ,ଠିକ୍ ଅଛି । ତମେ ଠିକ୍ କହିଛ । you are absolutely right.

ହେମାନର କଥାପଦକ ସାରା ଦିନ ମନରେ ଭାବି ହେଉଥିଲେ ବିଶ୍ୱନାଥ ।ସେ ବି ତାଙ୍କ ଝିଅ ବାହା ଦେବାକୁ ଯାଉଛନ୍ତି । ସବୁ କିଛିର ଆରେଞ୍ଜ୍ ହେଇ ସାରିଲାଣି । ହେଲେ ଏ ପର୍ଯ୍ୟନ୍ତ ଥରେ ବି ପଚାରି ନାହାନ୍ତି ଝିଅ ତୁ ଏ ବାହାଘରରେ ଖୁସି ତ ? ତୋର ପୁଅ ପସନ୍ଦ ତ ? ନା ଆଉ କାହାକୁ ଜୀବନସାଥୀ ରୂପେ ଚାହିଁଥିଲୁ କି ? ଏଇ ତିନିଟା ପ୍ରଶ୍ନ ଅନ୍ତତଃ ତାଙ୍କ ଝିଅକୁ ପଚାରିବାର ଥିଲା । କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ସିନା କେମିତିକା ବାପା ସେ ? ଝିଅର ମନ କଥା ଜଣାନାହିଁ । ସେଦିନ ରାତିରେ ଯାଇ ଝିଅକୁ ପାଖରେ ବସେଇ କହିଲେ

-ସତ କହ ମା ,ତୁ ଏ ବାହାଘରରେ ଖୁସି କି ନାହିଁ ? ଏ ବାହାଘରଟା ତୋ ଇଛାରେ ହଉଛି ନା ଜୋର ଜବରଦସ୍ତ ହେଲା ପରି ଲାଗୁଛି ? ଝିଅ କିଛି ଉତ୍ତର ଦେବା ଆଗରୁ ତା ହାତ ଆଣି ମୁଣ୍ଡ ଉପରେ ରଖି ଦେଲେ । ଏଥର କହ ।

(ଝିଅଟି କାନ୍ଦି ଉଠିଲା ଭୋ ଭୋ କରି ।)

-ବାପା ! ମୁଁ ଜଣକୁ ଭଲ ପାଉଥିଲି । ହେଲେ ତା ଭଲପାଇବା ଠାରୁ ମୋ ପାଇଁ ତମ ଭଲପାଇବା ବେଶୀ ଗୁରୁତ୍ୱପୂର୍ଣ୍ଣ ରଖେ । ଏକଥା ମୋତେ ସେ ବୁଝେଇଛି  ; ମୁଁ ଯେବେ ଅମାନିଆ ହେଇ ସବୁ କିଛି ଛାଡି ଦେଇ ଘରୁ ଯିବା ପାଇଁ ଚାହୁଁଥିଲି । ସତ କହୁଛି ବାପା,ତମ ନିଷ୍ପତ୍ତିରେ ବି ମୁଁ ଖୁସି । ପିଲାଦିନୁ ମୋତେ ସବୁ କିଛି ଦେଇଛ  ନ ମାଗିବା ପୂର୍ବରୁ । ଆଉ ଆଜି ତମର ଏ ଗୋଟେ କଥା ରଖି ପାରିବିନି !

-ମୋ କଥା ରଖିବାକୁ ଯାଇ ମୁଁ ତୋର ସବୁ ଖୁସିର ଜଳାଞ୍ଜଳି ଦେଇ ପାରିବିନି । ତୁ ମୋତେ ସେ ପୁଅର ଆଡ୍ରେସ୍ ଟା ଦେ' । ମୁଁ ଯିବି ତାଙ୍କ ଘରକୁ ।

ଝିଅଟି ହଡବଡେଇ ଗଲା । ଥାଉ ବାପା ,ତା ଠିକଣା ନେଇ କଣ ମିଳିବ ? ସେ ବି ଯଦି ଅସହାୟ ହେଇ  ତା ମା ବାପାଙ୍କ ଇଛାରେ ଆଉ କୋଉ ଝିଅର ହାତ ଧରି ସାରିଥାଏ କ'ଣ ହେବ ? ଭଲ ହେବ ବାପା,ଆମେ ସେ କଥା ଉଭୟ ଭୁଲିଯିବା।

ବିଶ୍ୱନାଥ କହିଲେ-

-ମୋର ବିଶ୍ୱାସ ଯେଉଁ ପୁଅ ତତେ ଏତେ ଭଲପାଉଥିଲା ସେ ଏତେ ଜଲଦି ଆଉ କାହାର ହେଇ ପାରି ନଥିବ । ୟା ଛଡା ତୋ କଥାଟା ଯଦି ସତ ହୁଏ, ମୋ କଂପାନୀରେ ଗୋଟେ ଫାସକ୍ଲାସ୍ ପୁଅ ଅଛି । ଦେଖିବାକୁ ଯେମିତି କଥା କହିବାରେ ସେମିତି । ତା ସାଥିରେ ତୋର ବାହାଘର କରିଦେବି ।ମୋତେ ତୋ ଚିନ୍ତା ବି ଲାଗି ରହିବନି । ମୋ ଠୁ ଦୂରକୁ ଯିବାର ଭୟ ଗ୍ରାସ କରିବନି ।

ଝିଅଟି ହସିଲା । ବାପା !

ବିଶ୍ୱନାଥ ବାବୁ ଆଉ ଡେରି କରିବାକୁ  ଚାହୁଁ ନ ଥିଲେ । ଠିକଣା ନେଇ ବାହାରି ଗଲେ ପୁଅଟିର ଘର ଅଭିମୁଖେ । ସବୁ କଥା ବୁଝାବୁଝି କରି ଆସିବା ପରେ ଝିଅକୁ ଜଣେଇଲେ ।

-ତୁ ଠିକ୍ କହିଛୁ ମା । ତା ବାପା ମା ଆଉ କୋଉଠି ବାହାଘର ଠିକ୍ କରି ସାରିଛନ୍ତି । ସେ ଝିଅ ସହ ବାହାଘର ଭାଙ୍ଗି ପାରିବେନି କହିଲେ । ତାଙ୍କ ଘର ପାଇଁ କିଏ ବୋହୂ ହେଲେ ଠିକ୍ ହେବ ସେ କଥା ସେ ସ୍ଥିର କରି ସାରିଛନ୍ତି । ଏ କଥା ଶୁଣି ସାରିବା ପରେ ଆଉ କେମିତି ସେଠି ବସି ରହିଥାନ୍ତି   ? ସିଧା ତୋ ପାଖକୁ ଚାଲି ଆସିଲି  ଖୁସି ଖବରଟା ଦେବା ପାଇଁ । ସେ ଝିଅଟି ଆଉ କେହି ନୁହେଁ । ତାଙ୍କ ଘରର ଯିଏ ବୋହୂ ହେବ ସେ ହେଲା ତୁ ।

ଝିଅଟି ଚାରିପାଦ ରାସ୍ତାକୁ ଦୌଡୁକି ଯାଇ ବାପାଙ୍କୁ ଜୋରରେ ଜାବୁଡି ଧରିଲା ।
-ଏ କଥା ସତ ବାପା !

-ଖାଲି ଏଇ କଥା ନୁହେଁ । ଆଉ ଗୋଟେ କଥା ଏକଦମ ସତ । ମୋ କଂପାନୀରେ କାମ କରୁଥିବା ପୁଅଟି ଆଉ ତୁ ଭଲପାଉଥିବା ପୁଅଟି ଜଣେ । ତାକୁ ଦେଖିକି ତ ମୋ ଖୁସି ଦ୍ୱିଗୁଣ ବଢିଗଲା । ହେଲେ ପୁଅ ଟିକେ ବି ଖୁସି ନାହିଁ ।

ଝିଅଟି ଆଶ୍ଚର୍ଯ୍ୟରେ ପଚାରିଲା -କାହିଁକି ବାପା ?

ବାପା ଝିଅକୁ ବେଡ୍ ରେ ବସେଇ ଦେଲେ ।

-ଆରେ ମା ! ତୁ ସିନା ଜାଣିଛୁ ସେ ତୋ ପସନ୍ଦିତ ପୁଅ ବୋଲି ହେଲେ ସେ କଣ ଜାଣିଛି ତୁ ତା ପସନ୍ଦିତ ଝିଅ ! ଯାହାକୁ ସେ ତିନି ବର୍ଷ ପୂର୍ବେ
ଭଲପାଉଥିଲା , ଯାହାକୁ ସେ ଆଜି ପର୍ଯ୍ୟନ୍ତ ଭୁଲି ପାରିନି, ଯାହାକୁ ସେ ଏବେ ବି ପାଇବାକୁ ଚେଷ୍ଟା କରୁଛି । ମୁଁ ଚାହିଁଥିଲେ ତାକୁ ସତ କଥା କହି ପାରିଥାନ୍ତି । ପୁଣି ଭାବିଲି ଜୀବନରେ ଟିକେ ରୋମାଞ୍ଚକ ମୁହୂର୍ତ୍ତ ସୃଷ୍ଟି ହେଇଗଲେ କେମିତି ହୁଅନ୍ତା ? ମୁଁ ଯେଉଁଦିନ ତୋ ମା'କୁ ଦେଖିବାକୁ ଯାଇଥିଲି ନା ଜାଣିଶୁଣି ସାର୍ଟ ଉପରେ ଜ୍ୟାକେଟ୍ ନ ପିନ୍ଧି ଚାଲି ଯାଇଥିଲି । କିନ୍ତୁ ତୋ ମା'କୁ କହିଲି ଦେଖିବା ଚକ୍କରରେ ଭୁଲିଗଲି । ତୋ ମା ଏ କଥାଟାକୁ ବୋଧେ ସାରା ଓଡିଶାରେ ଘୋଷଣା କରି ଦେଇଥିଲା । ନ ହେଲେ ବାହାଘରର ରିସେପସନ୍ ରେ ମୋତେ ଶହେ ଜଣ ଏ କଥା କହି ନ ଥାନ୍ତେ ! ସେ ବି ଝିଅ ମାନେ ।

ଝିଅ ଏ କଥା ଶୁଣି ଟିକେ ଲାଜ ମିଶା ହସ ହସି କହିଲା-

-ବାପା ! so interesting story ତ  ତମର । You are very funny.

ଝିଅଟିର ବାହାଘର ସରି ଯାଇଥାଏ । ବେଡ୍ ଉପରେ ବସି ମଥାରେ ଓଢଣା ଟାଣି ପୁଅଟିକୁ ଅପେକ୍ଷା କରିଛି।କବାଟ ଖୋଲିବାର ଶବ୍ଦ ହେଲା।ବୋଧେ ସେ ଆସିଗଲା।ଆଉଟିକେ ଓଢଣାକୁ ତଳକୁ ଟାଣି ଦେଇ ସଜାଡି ହେଇ ବସିଲା। ଏ କଣ?ପୁଅଟି ତା ପାଖକୁ ଆସିବା ପରିବର୍ତ୍ତେ ଝରକା ପାଖରେ ଠିଆ ହେଇ ରହିଲା।

ଏତେ ରାତିରେ ଝରକା ବାହାରକୁ ଚାହିଁ କଣ ଦେଖୁଛି?କିଛି କହୁନି କାହିଁକି?ଏମିତି କଥା ଭାବି ଝିଅଟି ବ୍ୟସ୍ତ ହେଉଥିଲା।ପୁଣି ଭାବିଲା କିଛି ସମୟ ଗଲା ପରେ ବୋଧେ କିଛି କହିବ ତାକୁ।କିଛି ସମୟ ବିତିଗଲା।ଏଇ ଅଧଘଣ୍ଟା ପାଖାପାଖି।ତାର ନିରବତାକୁ ଆଉ ସହ୍ୟ କରିପାରିଲାନି।ପଚାରିଲା- "ଥରେ ମୋ ଓଢଣା ଖୋଲି ଦେଖିବନି ମୁଁ କିଏ ?"

ହେମାନର ଅଜାଣତରେ ବାହାରି ଆସିଲା ଓଠରୁ ନିଜ ପ୍ରେମିକା ର ନାଁଟି।-"ଭାବନା !" କାହିଁକି ନା ଝିଅଟିର କଣ୍ଠସ୍ୱରଟି ଭାବନାର ସ୍ୱର ପରି ଲାଗିଲା। ଝିଅଟି ସେମିତି ଓଢଣା ତଳେ ଥାଇ ପୁଣି ପ୍ରଶ୍ନ କଲା  -"ଏ ଭାବନା କିଏ ?"

ହେମାନର ଉତ୍ତର -କେହି ନୁହେଁ,ତମର ଜାଣିବା ଦରକାର ନାହିଁ ।

-ମୁଁ ଯଦି କହେ ତମର କିଛି କଥା  ମୋତେ ଲୁଚେଇବା ଦରକାର ନାହିଁ ।ତମେ କଣ ଭାବୁଛ ମୁଁ କିଛି ଜାଣି ପାରୁନି।ପିଲା ଧୀରେ ଧୀରେ ବଡ ହେଲେ ତାର ଞ୍ଗ୍ୟାନ  ବି ବଢେ।ମୁଁ ତ ବହୁତ ବଡ ହେଇଗଲାଣି।ଏଇ ଛୋଟ କଥାଟେ ବୁଝି ପାରିବିନି ବୋଲି କେମିତି ଭାବୁଛ ? ତମେ ବା ବିଞ୍ଗ୍ୟାନର ଛାତ୍ର ।

ଆଜି ଭଳିଆ ଦିନରେ କୌଣସି ଏମିତି ସେମିତି ଝିଅର ନାଁ ତ ଓଠରେ ଆସିବନି ! ନିଶ୍ଚୟ ସେ ତମ ପ୍ରେମିକା ହିଁ ହେଇଥିବ। ମୁଁ ଠିକ୍ କହିଲି ନା !ଭାବନା ତମ ପ୍ରେମିକା ଥିଲା।ତମ ପ୍ରଥମ ପ୍ରେମ ଥିଲା।ଯାହା କଥା ତମେ ଆଜିଯାଏଁ ବି ଭାବୁଛ ଟିକେ ସମୟ ମିଳିଗଲେ।ସାରା ଜୀବନ ବି କେଉଁ ନା କେଉଁ ମୁହୂର୍ତ୍ତ ରେ ଭାବୁଥିବ।ସେଥିରେ ମୋର ଆପତ୍ତି ନାହିଁ।ମୁଁ ତମ ସ୍ତ୍ରୀ ହେଇଗଲି । ଏତିକି ମୋ ପାଇଁ ଯଥେଷ୍ଟ ।

-ଯାହା ବି ଭାବୁଛ ସବୁ ମିଛ ।

-ତାହେଲେ ଅପା କଣ ମୋତେ ମିଛ କହିଲେ ? ରୁମ୍ ରେ ଛାଡିବା ପୂର୍ବରୁ ଅପା ମୋତେ ତମ ବିଷଯରେ ସବୁ କହିସାରିଛନ୍ତି । ଏଥିପାଇଁ କହିଲେ ଯେ ମୁଁ ଯେମିତି ତମକୁ ଭୁଲ୍ ନ ବୁଝେ ।

ହେମାନକୁ ବିଶ୍ୱାସ ହେଲାନି ।

-ଅପା କହିଲା ତମକୁ?କଣ କହିଲା?

ଝିଅଟି ତାକୁ ଚାହିଁଲା।-ଏଥିପାଇଁ କଣ ମୋତେ ପ୍ରମାଣ ଦେବାକୁ ପଡିବ!ତମେ ଆଜିଯାଏଁ ଭାବୁଥିଲା ନା ଅପା ତମ ଭଲପାଇବା ବିଷୟରେ କିଛି ବି ଜାଣି ନାହାଁନ୍ତି  ବୋଲି!ତମ ଭାବନା ଟା ମିଛ।ତମେ ଥରେ ଭାବନାକୁ ସାଥିରେ ନେଇ ଘରକୁ ଆସିଥିଲ ନା ଅନ୍ୟସାଙ୍ଗମାନଙ୍କ ସହ!ଛାତ ଉପରେ ତମ ଭିତରେ ଯେଉଁ ରୋମାଣ୍ଟିକ୍ ସିନ୍ ଟା ସୃଷ୍ଟି ହେଇଥିଲା ଅପା ତାକୁ ତଳେ ଠିଆ ହେଇ ଦେଖିଥିଲେ।

ହେମାନ ଏବେ ବୁଝିପାରିଲା ଅପା ବାହା ହେଇ ଯିବା ବେଳେ କାହିଁକି ପଚାରିଥିଲେ- ଭାବନା କେମିତି ଅଛି ?

ତମେ ଯେତେବଳେ କହିଲ-ତାର ବାହାଘର ସରି ଯାଇଛି ବୋଲି ସେ ଆଉ କିଛି କହିଲେନି।ପ୍ରକୃତରେ ତାର ସେତେବେଳକୁ ବାହାଘର ହେଇ ନ ଥିଲା ।

ବାହାଘର ଡେଟ୍ ପୂର୍ବ ରୁ ପୁଅ  ପାଇଁ ଆମେରିକାରୁ ଗୋଟେ ବହୁତ ବଡ କଂପାନୀରୁ  ଜବ୍ ଅଫର ଆସିଥିଲା। ସେଥିପାଇଁ ତାକୁ ତିନିବର୍ଷ ପାଇଁ ଭାରତକୁ ଫେରିବନି ବୋଲି agreement paper re seen କରିବାକୁ ପଡିଲା।ଏବେ ଏବେ ମାନେ ଏଇ ମାସରେ ତା ବାହାଘର ହେଲା।ହେଲେ ସେ ଆମେରିକା ଫେରନ୍ତା ପୁଅ ସହ ନୁହେଁ।ଆଉ ଗୋଟେ ପୁଅ ସହ।

(ହେମାନର ଆଶ୍ଚର୍ଯ୍ୟରେ)
-ତମେ ଏତେ ସବୁ କଥା ତା ବିଷୟରେ କେମିତି ଜାଣିଲ?ଆଉ କୋଉ ....ପୁ..ଅ ସହ ...ତା ମ୍ୟାରେଜ୍ ହେଲା ?
(ରହି ରହି ପଚାରିଲା ।)

ଉତ୍ତର ବଦଳରେ ଓଢଣା ତଳୁ ପୁଣି ତା ପାଇଁ ପ୍ରଶ୍ନ- - "ମୁଁ ଯଦି ଜାଣିଥାନ୍ତି "ଆମ ପ୍ରେମର ଭବିଷ୍ୟତ "ଟା ଏତେ ସୁନ୍ଦର ହେଇଥିବ ତା' ହେଲେ ସେଦିନ  ତମ ଆଗରେ ଏତେ କାନ୍ଦି ନ ଥାନ୍ତି ନା !"

ହେମାନ ଦ୍ୱାରା ଏ ରହସ୍ୟମୟ  ପରିସ୍ଥିତି ବରଦାସ୍ତ ହେଲାନି।ତା ମଥାର ଓଢଣାକୁ ଧୀରେ କି ଉଠେଇଦେଲା ପରେ ଆହୁରି ରହସ୍ୟମୟର ଗଭୀରତାକୁ ଚାଲିଗଲା। କହିଲା-"ତମେ ଏଠି ! କେମିତି ? ମୋତେ ତ ବିଶ୍ୱାସ ହେଉନି ।"

ଓଢଣା ତଳର ଝିଅଟି ଭାବନା ହିଁ ଥିଲା।ତା ମନର ମାନସୀ।ପ୍ରେମର ପ୍ରେମିକା।ଭାବନା ସବୁ କଥା କହିସାରିବା ପରେ କହିଲା-"ଏମିତି ହିଁ ଆସିଲି।ସେ ବି ତମ ପାଇଁ ତମ ଅଜାଣତରେ।ଏବେ ଵୁଝିଲେ ତ !"

ହେମାନ ନିଜ ପକେଟ୍ ରୁ ସୁନାର ଚୁଡି ପଟକ ବାହାର କରି ତା ହାତରେ ପିନ୍ଧେଇ ଦେଲା।
-କେବେ ଭାବି ନ ଥିଲି ଏ ଚୁଡିଟି ତମକୁ ପିନ୍ଧେଇ ପାରିବି ବୋଲି !

ଭାବନା ତା କାନ୍ଧରେ ହାତ ରଖିଦେଲା।
-କାଶ୍ ! ମୁଁ ଭବିଷ୍ୟତର ଅଦୃଶ୍ୟ ଫର୍ଦ୍ଦଟାକୁ ପଢି ପାରୁଥାନ୍ତି କି ?

ହେମାନ ହସିଲା!-ତମେ !କେବେ ବି ସୁଧୁରିବନି।
. .........ବାସ୍!ଏତିକି ଥିଲା                         

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।