9/01/2019

ତୋଳା ହେବ ମାଟିଘର

ବସନ୍ତ ମଞ୍ଜରୀ ଦାସ 
ଶୂନ୍ଯ ବୋଲି ମୋ ସମ୍ରାଟ ଦେହେ
କଳଙ୍କ ବୋଳୁଛ ଖାଲି
ଶୂନ୍ଯରୁ ପୂର୍ଣ୍ଣ ପୂର୍ଣ୍ଣରେ ଲୀନ
ଏକଥା ଯାଉଛ ଭୂଲି ।
କବିକୁଳ ହୁସିଆର ;
ଶୂନ୍ଯ ଗଗନ ବୋଲି ମସୀ ମୁନେ
 ଲେଖ ନାହିଁ ବାରମ୍ବାର ।

ନିତି ତା'ଛାତିରେ ଦହନର ଜ୍ଜ୍ବାଳା
ବୁଝେ ଖାଲି ଅନୁଭବି
ଅନୁଭବ ଯେବେ ନାହିଁ ତୁମ ପ୍ରାଣେ
କେମିତି ସାଜୁଛ କବି ?
କୋଳେ ବାରିଦ ଭାର ;


ଦିନେ ଦଣ୍ଡେ ନୁହେଁ ଦଶ ମାସ ଧରି
ଝରାଏ ବରଷା ଧାର ।
ଶୂନ୍ଯ ଗଗନ ବୋଲି...........।
  ଦୁନ୍ଦୁଭିର ନାଦ ଝଡ଼ ଦିଏ ଖେଦ
 ତଥାପି ଆବୋରେ ଶାନ୍ତି
ପକ୍ଷୀଙ୍କୁ ଶିଖାଏ ଲଂଙ୍ଘି ଯାଅ ସୀମା
ଭର ପ୍ରାଣେ ପ୍ରାଣେ ମୈତ୍ରୀ ।
ଶୁଣ ସାଗରର ସ୍ବର ;
ତା' ଛାତିରେ ଛାତି ମିଶାଇ ଭାଷଇ
ତୁମେ ପରା ରତ୍ନାକର  !
    ଶୂନ୍ଯ ଗଗନ...........।



ତୁମେ ସିନା ଏବେ ମାଟିଘର ଭାଙ୍ଗି
ସଉଧ ତୋଳୁଛ ନିତି
ଅଭ୍ରଂକଷ କହି ଛୁଇଁବାକୁ ତା'ର
ସରଳ କୋମଳ ଛାତି ।
ଭବିଷ୍ଯକୁ ନାହିଁ ଡ଼ର ;
ସାଗର ଢ଼େଉରେ ପବନ ସୁଅରେ
ହେବ ସବୁ ଛାରଖାର ।
ଶୂନ୍ଯ ଗଗନ ବୋଲି........... ।

ମୁଁ ସିନା ମିଶିବି ଜଳର ବକ୍ଷରେ
ସମ୍ରାଟ ଆସିବେ ପାଶେ
ଜଳ ଆଇନାରେ ମୁହଁକୁ ଦେଖାଇ
ଭାଷୁଥିବେ ମନହାସେ ।
ଥୟ ଧର ଥୟ ଧର ;
ଏଥର ମାନବ ଚ଼େତନା ଲଭିବେ ତୋଳିଯିବେ ମାଟିଘର  ।
ଶୂନ୍ଯ ଗଗନ........... ।

ସମ୍ପାଦିକା - ସୁଶ୍ରୀ ଶୁଭଶ୍ରୀ 
ସାଗବାରିଆ, ଜଗତସିଂହପୁର 

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।