10/03/2019

ମହାତ୍ମା ଓ ମାତୃଭାଷା

ସୁଭାଷ ଚନ୍ଦ୍ର ପଟ୍ଟନାୟକ
            ନିଜ ଭାଷାରେ ସରକାରୀ ସେବା ପାଇବାପାଇଁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ନେଇ ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ ହେଉ ବୋଲି ଗଂଜାମ ଜିଲ୍ଲାର ଘୁମୁସରରୁ ୧୧.୯.୧୮୭୦ରେ ପୁଣ୍ୟଶ୍ଳୋକ ଦୀନବନ୍ଧୁ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଯେଉଁ ଦାବି ଉଠିଥିଲା ତାହା କୁଳଗୌରବ ମଧୁସୂଦନଙ୍କ ହେତୁ ସମଗ୍ର ଓଡ଼ିଆ ଜାତିର ଐକାନ୍ତିକ ଦାବିରେ ପରିଣତ ହୋଇସାରିଥିଲେ ମଧ୍ୟ ତାକୁ ଭଣ୍ଡୁର କରିବା ପାଇଁ ପଡ଼ୋଶୀ ପ୍ରଦେଶଗୁଡ଼ିକର ଅଣଓଡ଼ିଆମାନେ ଯାବତୀୟ ଚକ୍ରାନ୍ତ ଚଳାଇଥିଲେ । ଓଡ଼ିଆ ଭାଷାର ଗାରିମାକୁ ସେମାନେ ଉଜାଡ଼ିଦେବାକୁ ଷଡଯନ୍ତ୍ର ବି କରୁଥିଲେ , ଯେହେତୁ ଏହି ଭାଷାର ଭିତ୍ତି ଉପରେ ହିଁ ଓଡ଼ିଶା ପ୍ରଦେଶ ସୃଷ୍ଟି ହେଲେ ସେମାନଙ୍କର ଶୋଷଣ ଏହି ସ୍ବର୍ଣପ୍ରସୁ ଭୁଖଣ୍ଡରୁ ଲୋପ ହେବା ଥିଲା ସୁନିଶ୍ଚିତ । ତେଲୁଗୁ,ବଙ୍ଗାଳି ଏବଂ ହିନ୍ଦୀଭାଷୀ ବ୍ୟକ୍ତିମାନେ ଓଡ଼ିଆ ଭାଷା ସେମାନଙ୍କ ନିଜ ନିଜ ଭାଷାର ଦୁର୍ବଳ ରୂପ ବୋଲି ବି ପ୍ରଚାର କରିବାକୁ ପଛାଇ ନଥିଲେ । ଅତ୍ୟନ୍ତ ନିର୍ଲଜ ଆସ୍ଫାଳନ କରିଥିଲା ବଂଗାଳୀ ସମ୍ପ୍ରଦାୟ । କିନ୍ତୁ ସତ୍ୟ ସାମ୍ନାରେ ଏ ଆସ୍ଫାଳନ ତିଷ୍ଠିପାରିନଥିଲା । ଜନ୍ .ବିମ୍ସ ଭାରତୀୟ ଆର୍ଯ୍ୟ ଭାଷାଗୁଡିକର ବ୍ୟାକରଣ ବିଶ୍ଳେଷଣ ଆଧାରରେ କହିଲେ, ଓଡ଼ିଆ ଭାଷା ଏକ ସୁଦୃଢ଼ ଓ ସୁବ୍ୟବସ୍ଥିତ ଭାଷା ଭାବେ ଅଧିଷ୍ଠିତ ହେଲାବେଳକୁ ବଙ୍ଗଳା ଭାଷା ଏକ ଭାଷା ଭାବେ ଉଦିତ ବି ହୋଇନଥିଲା (“At a period when Oriya was already a fixed and settled language, Bengali did not exist.”(Beams Comparative Grammar of four languages Vol.I.p.119) । ଭାରତର ଭାଷାତାତ୍ତ୍ଵିକ ସର୍ବେକ୍ଷଣରେ ସାର୍ ଜର୍ଜ ଗ୍ରୀୟରସନ୍ କହିଲେ, ଓଡ଼ିଆ ଭାଷା ଏତେ ଉନ୍ନତ ଓ ଗାରିମାମୟ ଯେ, ତେଲୁଗୁ ବା ବଙ୍ଗଳା ବା ହିନ୍ଦୀ ତା ସମକକ୍ଷ ହେବାକୁ ସାହସ କରିପାରିବେ ନାହିଁ (The Oriya language can boast of a vocabulary in which respect neither Bengali nor Hindi nor Telugu can vie with it (Linguistic Survey of India, Vol.V) ।
                               ତଥାପି ଏହି ତିନି ଭାଷାଭାଷୀ ନେତାମାନେ ସେତେବେଳର ଭାରତର ଭାଗ୍ୟନିୟନ୍ତା ସ୍ଥିତିରେ ଥିବା ଜାତୀୟ କଂଗ୍ରେସର ଏତେ ଉଚ୍ଚ ମର୍ଯାଦାରେ ଥିଲେ ଯେ, ସେମାନଙ୍କୁ ଖୁସାମନ୍ତ କରି ନିଜକୁ ନେତା ବନାଇବାକୁ ଲାଳାୟିତ କେତେକ ଓଡ଼ିଆ ଆମ ପ୍ରଦେଶ ସୃଷ୍ଟି ଆନ୍ଦୋଳନକୁ ସହଯୋଗ କରୁନଥିଲେ । ସେମାନଙ୍କ ଉଦ୍ଦେଶ୍ୟରେ କୁଳଗୌରବ ମଧୁସୂଦନ ଲେଖିଥିଲେ, “ତୁ ମନେ ଭାବିଛୁ ତୋଷାମଦ କରି ବଢ଼ାଇବୁ ଜାତିମାନ / ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ //” ମଧୁବାବୁଙ୍କୁ ନିଜର ପ୍ରେରଣାଦାତା ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିବା ମହାତ୍ମା ଗାନ୍ଧୀ ସ୍ବତନ୍ତ୍ର ଓଡିଶା ସୃଷ୍ଟିପାଇଁ ତାଙ୍କ ଏକନିଷ୍ଠ ଉଦ୍ୟମର ଦୃଢ଼ ସମର୍ଥକ ଥିଲେ । Young Indiaର ୧୯୨୦ ଫେବୃଆରୀ ୧୮ ସଂସ୍କରଣରେ ସେ ଲେଖିଥିଲେ, ଓଡ଼ିଆ ଭାଷାଭାଷୀ ଅଂଚଳକୁ ମିଶାଇ ଏକ ସ୍ବତନ୍ତ୍ର ପ୍ରଦେଶ କରିଯିବା ନିହାତି ଆବଶ୍ୟକ । କାରଣ ବିନା କାରଣରେ ଏମିତି ଚାରି ଚି଼ଉଡ଼ ହୋଇ ରହିଲେ , ଏହି ମହିମାମଣ୍ଡିତ ଜାତି ସ୍ବଭାବିକ ଶୈଳୀରେ ତାର ହକ୍ ଭାବେ ଯେଉଁ ବିକାଶ ହାସଲ କରିବା କଥା ତାହା ସମ୍ଭବ ହେବନାହିଁ (This fine race cannot possibly make the natural advance which is its due, if it is split up into four divisions for no sound reason.”) । ବସ୍ତୁତଃ ତାଙ୍କରି ହେତୁ, ସ୍ବତନ୍ତ୍ର ଓଡିଶା ପ୍ରଦେଶ ସୃଷ୍ଟିର ବହୁ ପୂର୍ବରୁ, କଂଗ୍ରେସରେ ଥିବା ଉପରୋକ୍ତ ତିନି ଭାଷାଭାଷୀ ନେତାମାନଙ୍କ ପ୍ରତିକୂଳତା ସତ୍ତ୍ବେ ଉତ୍କଳ କଂଗ୍ରେସ କମିଟି ଗଠନ ସମ୍ଭବ ହୋଇଥିଲା । କାରଣ ମାତୃଭାଷାର ଗୁରୁତ୍ବ ଉପରେ ଗାନ୍ଧିଜୀ ସର୍ବଦା ହିଁ ଅଗ୍ରାଧିକାର ପ୍ରଦାନ କରୁଥିଲେ । ମାତୃଭାଷାର ଭିତ୍ତି ଉପରେ ସ୍ବତନ୍ତ୍ର ଓଡ଼ିଶା ସୃଷ୍ଟିକୁ ସେ ଦେଇଥିବା ସମର୍ଥନ ତାଙ୍କ ସାମାଜିକ ଦର୍ଶନର ଅନୁରୂପ ଥିଲା । ସେ କହିଥିଲେ, ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ଗଠନ ହେବାର ଦାବି ଓଡ଼ିଆ ଜାତିର ଉନ୍ନତି ସହ କେବଳ ଜଡ଼ିତ ନୁହେଁ , ଏହା ମଧ୍ୟ ଭାଷା ଭିତ୍ତିରେ ପ୍ରଦେଶ ଗଠନର ଦର୍ଶନାତତ୍ତ୍ବ ପ୍ରଦାନ କରୁଛି (It raises the large question of redistribution on linguistic basis [ଏଜନ]) ।
ମାତୃଭାଷାର ଭିତ୍ତି ଉପରେ ଲୋକ ସମୁଦାୟଙ୍କ ଶୈକ୍ଷିକ, ସାମାଜିକ ଓ ରାଜନୈତିକ ପରିଚାଳନା ଥିଲା ଗାନ୍ଧିଜୀଙ୍କ ମୌଳିକ ଅଗ୍ରାଧିକାର । ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ୬.୨.୧୯୧୬ ତାରିଖରେ ଭାଷଣ ଦେଇ ସେ କହିଥିଲେ, “କେତେକ କହୁଛନ୍ତି ଇଂରାଜୀ ଭାଷାରେ ଶିକ୍ଷା ଲାଭ କରିଥିବା ଲୋକେ ହିଁ ଦେଶ ପାଇଁ ନେତୃତ୍ବ ଦେଉଛନ୍ତି ଓ ଦେଶକୁ ଚଳାଉଛନ୍ତି ; ଅନ୍ୟଥା ସବୁ ଗୋଳମାଳ ହୋଇଯାନ୍ତା । ଆମେ ତ ଯେଉଁ ଶିକ୍ଷା ପାଉଛୁ ତାହା ଇଂରାଜୀ ଶିକ୍ଷା । ତା ସପକ୍ଷରେ ତ ଆମକୁ କିଛି କିଛିନା କିଛି ଦେଖାଇବାକୁ ପଡ଼ିବ । କିନ୍ତୁ, ଧରାଯାଉ, ଗତ ପଚାଶ ବର୍ଷ ଭିତରେ ଆମେ ଆମ ମାତୃଭାଷାରେ ହିଁ ଶିକ୍ଷା ଲାଭ କରିଥାନ୍ତେ , ଆଜି ଆମେ କି ଲାଭ ପାଇଥାନ୍ତେ ? ଆଜି ଆମେ ସ୍ଵାଧୀନ ଭାରତ ପାଇଥାନ୍ତେ,ଆମେ ଆମ ନିଜର ଶିକ୍ଷିତ ସମ୍ପ୍ରଦାୟ ପାଇଥାନ୍ତେ - ଯେଉଁମାନେ ନିଜ ଦେଶରେ ମନେହେଉନଥାନ୍ତେ ସତେ ଯେମିତି ବିଦେଶୀ; କିନ୍ତୁ ଏମିତି ହୋଇଥାନ୍ତେ ଯେଉଁମାନେ କି ଆମ ଜାତିର ହୃଦୟ ସହ କଥା ହୋଇପାରିଥାନ୍ତେ, ଦରିଦ୍ରଙ୍କ ଭିତରୁ ଦରିଦ୍ରତମ ସହ ଏକାଠି କାମ କରି ଆମ ଜାତିର ଅମୁଲ୍ୟ ସମ୍ପଦ ସୃଷ୍ଟି କରିପାରିଥାନ୍ତେ” (I have heard it said that after all it is English-educated India which is leading and which is doing all the things for the nation. It would be monstrous if it was otherwise. The only education we receive is English education. Surely we must show something for it. But suppose that we had been receiving during the past fifty years education through our vernaculars, what should we have had today? We should have today a free India, we should have our educated men, not as if they were foreigners in their own land but speaking to the heart of our nation;they would be working amongst the poorest of the poor, and whatever they would have gained during the past 50 years would be a heritage for the nation. [Collected works, 13, p.211-12]) ।
                            ଏହାର ବର୍ଷକ ପରେ ୧୯୧୭ ଫେବୃଆରୀ ପହିଲାରେ P.J.Mehtaଙ୍କ ଯୁକ୍ତିସମୃଦ୍ଧ ପୁସ୍ତକ “Vernaculars as media of education in Indian Schools and Colleges”ର ମୁଖବନ୍ଧ ଲେଖି ଗାନ୍ଧିଜୀ କହିଥିଲେ, ମାତୃଭାଷାକୁ ଅବହେଳା ପ୍ରଦର୍ଶନ କରିବା ଜାତି ପକ୍ଷେ ଆତ୍ମହତ୍ୟା ସହ ସମାନ (neglect of the vernacular means national suicide) ।
                                    ଆମ ସରକାର ତ ଇଂରାଜୀ ଭାଷାର ଆଧିପତ୍ୟ ଅକ୍ଷୁର୍ଣ ରଖିବାକୁ ଓଡିଶା ସରକାରୀ ଭାଷା ଆଇନକୁ ଖର୍ବ କରିଦେଇଛନ୍ତି; କିନ୍ତୁ ଗାନ୍ଧିଜୀ ୨୪. ୩.୧୯୧୭ ତାରିଖରେ ସ୍ପଷ୍ଟତଃ ଲେଖିଥିଲେ, “ମୁଁ ନିଃସନ୍ଦେହ ଯେ, ଯେଉଁ ଯାଏଁ ଆମ ଇଂରାଜୀ ପ୍ରେମ ନ ସରିଛି, ଆମେ ପ୍ରକୃତ ସ୍ଵରାଜ ପାଇଁ ପାରିବ ନାହିଁ । ...…..ଏବଂ ଆମର ନିୟୁତ ନିୟୁତ ଦେଶବାସୀ ଭାଇଭଉଣୀ ଯେଉଁମାନେ କେବେ ବି ଇଂରାଜୀ ପାଠୁଆ ହୋଇପାରିବେ ନାହିଁ, ସେମାନେ ଦାସ ଦାସୀ ହୋଇ ରହିବେ ଏବଂ ଇଂରାଜୀ ପାଠୁଆ ଓ ସେମାନଙ୍କ ଭିତରେ ବ୍ୟବଧାନ ଆଉ କମିବା ନାହିଁ “I am convinced that, as long as we are not free of our fondness for English, we cannot achieve real Swaraj. ……………..And, millions of our brethren who are never likely to learn English will be reduced to slaves and an unbridgeable gulf will form between them and the English educated. [ସ୍ବଧର୍ମ ପ୍ରଚାରକ, ଗୁରୁକୁଳ ବିଶେଷଙ୍କ) ।
                                 ଏବେ ବି ହେଲେ ଗାନ୍ଧିଜୀଙ୍କ ଏହି ପରାମର୍ଶକୁ ଆମ ଜାତି ଓ ଆମ ସରକାର କର୍ଣପାତ କରନ୍ତେ ! ତା ନ କରି , ଇଂରାଜୀରେ ଶାସନ କରି, ଗାନ୍ଧିଜୀଙ୍କ ଜୟନ୍ତୀ ସମାରୋହର ମାନେ କଣ?
ପ୍ରତିଷ୍ଠାତା, 
ଭାଷା ଆନ୍ଦୋଳନ,ଓଡ଼ିଶା 
ଜୟ ସାହିତ୍ୟ, ଜୟ ସମାଜ

ମୂଳୁ ମାଇଲେ ଯିବ ସରି

ବାବାଜୀ ଭୋଇ



ହେ ସରକାର ! ନାହିଁ କି ୟା' ପ୍ରତିକାର,   
ଜବାବ ତୁମେ ଦିଅ  ।                    
କାହା ପୁଅ ଯେବେ ମଦ ପିଇ ପିଲା,
ଗଡାଇଛ କେବେ ଲୁହ  । ।
ବିକି ଯେ ପାରିବ ଅଧିକ ମଦ,
ସେ ପାଇବ ପୁରସ୍କାର ,
ଏ କି ରାଜ ଧର୍ମ, ସୁଶାସକେ ଗଣା
କର ନୀତି ଆବିଷ୍କାର  । ।
ଅଧିକ ମଦ ପିଇଲେ ସିନା
ଅଧିକ ହେବ ବିକିରି  ।
ମଦ୍ୟପକୁ ଧରି ଦଣ୍ଡ ଜୋରିମନା,                        
ଆଦାୟ କର କିପରି ?
ଯେ ବିକିଲା. ସିଏ ହୁଏ ନାହିଁ ଦୋଷୀ,
ଯେ କିଣିଲା ହୁଏ ଦୋଷୀ,
ଏପରି ନିୟମ ଅଛି କେଉଁ ଠାରେ
କହିବେ ଜ୍ଞାନୀ ବିଦୁଷୀ,


ମଦ ବିକି,ପାଇ ଅଧିକ ଶୁଳ୍କ,
ଲାଭ ପକେଟେ ପୁରାଅ,  
ମଦର ବନ୍ୟା ଛୁଟାଇ ଦେଶରେ
ନିରୀହ ଜନେ ମରାଅ । ।
ନବ ବିବାହିତା ହାତୁ ଚୁଡି କାଢି,
ମଥାରୁ ପୋଛି ସିନ୍ଦୂର  ।        
ମାଆ କୋଳୁ ଭେଣ୍ଡା ପୁଅକୁ ଛଡାଇ 
ଦେଖୁଛ ଖାଲି ହୁନ୍ଦର  । ।
ଝିଅ , ବୋହୁ ଦାଣ୍ଡେ ଚାଲି ନ ପାରନ୍ତି 
ମଦୁଆଙ୍କ ଉତ୍ପାତରେ ।
ମାଆକୁ ସମ୍ମାନ ଯେ ଦେଇ ନ ଜାଣିଛି,
ନିର୍ବୋଧ ସେ ଜଗତରେ ।
ଯା' ହାତେ କ୍ଷମତା, ଯେ' ଗଢି ଜାଣିଛି,
ସେ କି ନ ପାରିବ ଭାଙ୍ଗି  । ?
 ନ ପାରିଲେ ଭାଙ୍ଗି ସେ କି ଯୋଗ୍ୟ ନେତା,
କ୍ଷମତାରେ ଗାଦି ଲାଗି  ?
ପ୍ରଜା ମାରଣ ନୀତି କ'ଣ ଅଟେ,
ସୁ ଶାସନ ରାଜନୀତି
ଯେ' ପାଳଇ ସୁଖ ଶାନ୍ତିରେ ପ୍ରଜାଙ୍କୁ,
ପ୍ରକୃତରେ ନରପତି  । ।
ନୋହିଲେ ନାରୀଙ୍କ ତତଲା ଲୁହରେ,
ପୋଡି ଭସ୍ମ ହୋଇଯିବ  ।
ପ୍ରଜା ହିତେ ଭଲ କାମ କରିଥିଲେ,
କାଳ କାଳ ନାଆଁ ଥିବ  ।
ମୁଳୁ ମାଇଲେ ଯିବ ସିନା ସରି
ମଦ ଉତ୍ପାଦନ ବନ୍ଦ ।
ହୋଇଲେ, ମରିବେ ନାହିଁ ଆଉ କେହି ?
ନ ପାଇ ଟୋପାଏ ମଦ  । ।

ଶିଶୁଆ, ବାଇରୋଇ ,କଟକ


ଜୟ ସାହିତ୍ୟ, ଜୟ ସମାଜ

ଛୁଆ ଗୋଟିଏକୁ ଗଛ ଗୋଟିଏ

ବୈଜୟନ୍ତୀ ସାହୁ 
ଈଶ୍ବରଙ୍କ ସୃଷ୍ଟି ବଡ ବିଚିତ୍ର । ଏହାର ରହସ୍ୟ ଭେଦ କରିବା ସାଧାରଣ ମନୁଷ୍ଯ ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ । କୁଶଳୀ ଚିତ୍ରକରଟି ପରି ବିଶ୍ବକୁ ସେ କେଡେ ସୁନ୍ଦର ଭାବରେ ଚିତ୍ରିତ କରିଛନ୍ତି । ଏହାର ନୀଳସମୁଦ୍ର ଯେପରି ସୁନ୍ଦର, ଦିଗନ୍ତ ବିସ୍ତାରିତ ସବୁଜ ଶସ୍ଯକ୍ଷେତ୍ର, ସୁବିସ୍ତୃତ ଅରଣ୍ୟ ସମ୍ପଦ ମଧ୍ୟ ସେହିପରି ସୁନ୍ଦର । ସୁନ୍ଦର ତା'ର ବନଭୂମି'ଅରଣ୍ୟର ଶ୍ୟାମଳିମା ବୃକ୍ଷର ସ୍ନିଗ୍ଧ ଶୀତଳ ଛାୟା ସବୁ ଯେପରି ମନୋରମ ଓ ଅମୃତମୟ । ଆଦିମାନବର ପ୍ରଥମ ବାସସ୍ଥାନ ଥିଲା ଘନ ଅରଣ୍ଯ । ସଭ୍ୟତାର ବିକାଶ ପୂର୍ବରୁ ମଣିଷର ସମସ୍ତ ଆବଶ୍ଯକତା ଅରଣ୍ୟ ହିଁ ପୂରଣ କରୁଥିଲା ଏବଂ  ଖାଦ୍ୟ ଓ ଜଳ ଯୋଗାଇ ଦେଉଥିଲା । ଗଛମାନେ ଏକତ୍ର ଯେଉଁଠାରେ ଥାଆନ୍ତି, ସେଠାରେ ଶୋଭାର ପଟାନ୍ତର ନାହିଁ, ଏହା ପ୍ରାଣକୁ ପୁଲକିତ କରେ । ତା'ର ସବୁଜ ଶ୍ଯାମଳିମା ରୂପ ମୁଗ୍ଧ କରେ ଅନ୍ତରକୁ । ଜୀବନ ଧାରଣ ପାଇଁ ଏହା ଯୋଗାଇ ଦେଇଥାଏ ବିଭିନ୍ନ ଉପାଦାନ । ବୃକ୍ଷଲତା ମାନବ ସମାଜର ପରମ ହିତୈଷି ।


    ବନଭୂମି ସହିତ ମନୁଷ୍ଯର ସମ୍ପର୍କ ପ୍ରାଗ୍‌ଐତିହାସିକ ଯୁଗରୁ ରହି ଆସିଛି । ଦିନେ ବନଭୂମିରେ ହିଁ ପ୍ରଥମ ସୂଯ୍ଯୋଦୟ ହୋଇଥିଲା । ମନୁଷ୍ଯର କ୍ରମୋନ୍ନତି, ସଭ୍ଯତା, ସସ୍କୃତିର ପରିପୃଷ୍ଟି ପାଇଁ ଜଙ୍ଗଲର ଦାନ  ମହାନ ଓ ଅବିସ୍ମରଣୀୟ । ସମୟକ୍ରମେ ବନଭୂମିରେ ଗଢି ଉଠିଥିଲା ଗୁରୁକୁଳାଶ୍ରମ । ସ୍ନିଗ୍ଧ - ଶାନ୍ତ କମନୀୟ ସୁଶୀତଳ ଛାୟା ତଳେ ଜ୍ଞାନର ପ୍ରବାହନୀ ଧାରା ହେଲା ପ୍ଲାବନ । ମୁନୀ ମନ ମୋହିନୀ ବନଭୂମି ହେଲା ତପଶ୍ଚରଣର ପ୍ରଧାନକ୍ଷେତ୍ର । ଆଧ୍ୟାତ୍ମିକତାର ସୌରଭ ବନଭୂମିକୁ କଲା ବିଛୁରିତ ଓ ଦିଗଦିଗକୁ କଲା ଆମୋଦିତ । ନିସର୍ଗ ସୁଷମାର ଚାରୁ ଚିତ୍ରଶାଳା ଉତ୍କଳର ପୁରପଲ୍ଲୀ,ବାଡି-ବଗିଚା,ବନକନ୍ଦର ସବୁ ସମୟରେ ସୌନ୍ଦର୍ଯ୍ଯର ପରିପ୍ରକାଶରେ ଛବିଳ ବିମୋହନ ରୂପମାଧୁରୀର ଅପାଶୋରା ଆରଣ୍ଯକ ଦୃଶ୍ଯ ସମ୍ଭାର,କବି, ଭାବୁକ,ଦାର୍ଶନିକ ମାନଙ୍କୁ ଲେଖନୀ ଚାଳନା କରିବା ପାଇଁ ଦେଇଛି ଅଶେଷ ପ୍ରେରଣା । ସୁରମ୍ଯ ବୄକ୍ଷରାଜିର ସ୍ନିଗ୍ଧ ଶୀତଳ ଛାୟାର ପ୍ରକୃତି କୋଳରେ ଜନ ଜୀବନର ନିବିଡ ନିଦର୍ଶନ । କାନ୍ତକମନୀୟ ପ୍ରକୃତି ଜନଜୀବନର ଅନ୍ତରରକୁ ସ୍ପର୍ଶ କରେ ନିଘଞ୍ଚ ଅରଣ୍ଯାନୀ ସବୁଜଶ୍ରୀମଣ୍ତିତ ହୋଇ ତରୁ - ଲତା ବେଷ୍ଟିତ ବନ ପ୍ରକୃତି ଛବିଳ-ମଞ୍ଜୁଳ ରୂପ ବିକଶିତ କରେ । ସେହି ବନଭୂମି ଆଜି ଯାନ୍ତ୍ରିକ ସଭ୍ଯତାର ଶିକାର ହୋଇ ହୋଇଛି ହତଶ୍ରୀ । ଗଛଟିଏ ବଞ୍ଚିବା ପାଇଁ ସଂଗ୍ରାମ
କରୁଛି । ଅତି କ୍ଷୁଦ୍ର ଦୁବଗଛ ହେଉ ଅବା ବିରାଟକାୟ ବରଗଛ ହେଉ ; ଆଧ୍ୟାତ୍ମିକବାଦୀ ତୁଳସୀଗଛ ହେଉ ଅବା ବେଲଗଛ ହେଉ,ବରକୌଳି ଗଛ ହେଉ ଅବା ମୁଥାଘାସ ଗଛ ହେଉ, ବଞ୍ଚିବା ପାଇଁ ସଭିଏଁ ସଂଗ୍ରାମରତ । ନିଜର ଆତ୍ମରକ୍ଷା ପାଇଁ ଗଛର ଏ ଉକ୍ତି‐‐

"ଘାସଟିଏ ଛୋଟ ଗଛଟିଏ
ବାଡି-ବଗିଚାର ଦୁବଟିଏ
ବାହା,ବ୍ରତ,ଶ୍ରାଦ୍ଧେ ଆଙ୍ଗୁଠିରେ ନାଏ
ପାପ-ତାପ ସବୁ ହରିନିଏ ।"
  
ଆଉ ମଧ୍ଯ କୁହାଯାଇଛି ଯେ :-                                                  
ଗଛଟିଏ ମୁଁ ଗଛଟିଏ
ତୁମରି ଘରର ପିଲାଟିଏ
ସେବା-ଯତ୍ନ କଲେ ବଡ ହେବ,
ବଞ୍ଚିବାକୁ ସିଏ ରାହା ଦେବ  ।"

ପୁଣି ବରଗଛଟିଏ କହୁଛି :-

"ଗଛଟିଏ ବରଗଛଟିଏ
ପିଲାଙ୍କର ଦୋଳି ଓହଳାଏ
ଥକ୍ମା ମାରି ବସେ ବାଟୋଇଟିଏ
କେତେ ଚଢେଇଙ୍କ ଆଶ୍ରା ସିଏ
ପତ୍ର,ଫୁଲ,ଫଳ,ଖାଦ୍ୟ ଦିଏ
ଗଛଟିଏ ମୁଁ ଗଛଟିଏ ।"

            ଗଛ ହେଉଛି ମାନବର ପରମ ବନ୍ଧୁ । ଏହା ଅମ୍ଲଜାନ ପ୍ରଦାନ କରି  ଅଙ୍ଗାରକାମ୍ଲ ଗ୍ଯାସ ଗ୍ରହଣ କରି ବାୟୁମଣ୍ତଳର ଭାରସାମ୍ଯ ରକ୍ଷାକରେ । ଗଛ ପ୍ରକୃତିର ଏକ ବିଶେଷ ଅବଦାନ । ଅତୀତରେ ୪୫ ଭାଗ ଅରଣ୍ଯରୁ ଗଛ କଟା ହେଇ ୨୨ ଭାଗରେ ପହଞ୍ଚିଛି । ଗଛ କାଟି ମୂଲ୍ଯବାନ କାଠରୁ ଆମ୍ଭେମାନେ ଗୃହର ଆସବାବପତ୍ର, କତି, ଚୌକାଠ, ଦୂଆର-ଘର ତିଆରି ଓ ସାଜସଜାରେ ଲଗାଇ ଥାଉ । ଜାଳେଣୀକାଠ ସହିତ ଔଷଧ ପାଇଁ ଗଛର ଚେର, ମୂଳ, ପତ୍ର, ଫୁଲ,ଫଳ,ଛେଲି,ବ୍ଯବହୃତ ହୁଏ । ଝୁଣା , ଲାଖ, ହରିଡା, ବାହାଡା, ବାଉଁଶ,ସବାଇଘାସ,ବେତ,ପ୍ରଭୃତି ଜଙ୍ଗଲଜାତ ଦ୍ରବ୍ଯ ଆମର ଉପକାରରେ ଆସେ ।ଗଛମୂଳେ ଆଶ୍ରୟ କରି ଗାତରେ ରହୁଥିବା ପ୍ରାଣୀମାନେ ଆଶ୍ରୟ ନିଅନ୍ତି । ପକ୍ଷୀମାନେ ଗଛଡାଳରେ ବସା ବାନ୍ଧି ନିରାପଦରେ ରହନ୍ତି । ବିଭିନ୍ନ ପଶୁ-ପକ୍ଷୀମାନେ ନିର୍ଭୟରେ ରହନ୍ତି । କିନ୍ତୁ ଏ ମଣିଷ ଟିକିଏ ସୁଖ ପାଇଁ ଗଛକାଟିବା ସହିତ ପଶୁ-ପକ୍ଷୀଙ୍କୁ ବି ମାରିବାକୁ ପଛାଉ ନାହିଁ । ପଶୁ ଶୀକାର କରି ହାତୀ ଦାନ୍ତର ମୂଲ୍ଯବାନ ବିଳାସ ସାମଗ୍ରୀ ଓ ଅଳଙ୍କାର ତିଆରି କରୁଛି । ବନ୍ୟଜନ୍ତୁ ପ୍ରାଣୀଙ୍କ ଚମଡାରେ ଜୋତା,ଶିଙ୍ଗରେ ପାନିଆ ଆଦି କରୁଛି । ଜଙ୍ଗଲରୁ ମିଳୁଥିବା କେନ୍ଦୁପତ୍ର ରାଜ୍ଯ ସରକାରଙ୍କ ଟିକସ ବୃଦ୍ଧିରେ ସହାୟକ ହେଉଛି ।

      ବଣ - ଜଙ୍ଗଲରେ ଥିବା ଉଭିଦ୍ଦମାନେ ବାଷ୍ପମୋଚନରେ ସାହାଯ୍ଯ କରନ୍ତି । ଏହି ବାଷ୍ପ ମେଘ ସୃଷ୍ଟିକରେ । ସାଗରୀଗତ ବାୟୁ  ବଣଜଙ୍ଗଲରେ ଥିବା ବଡବ ଡଗଛ ଓ ପାହାଡରେ ବାଧା ପାଇ ବୃଷ୍ଟି କରେ । ଘଞ୍ଚ ଅରଣ୍ଯ ମୃତ୍ତିକା ସଂରକ୍ଷଣରେ ସାହାଯ୍ୟ କରେ ।ବଡ ବଡ ଗଛମାନେ ଝଡର ଗତିପଥକୁ ବଦଳାଇ ଦିଅନ୍ତି । ଶାଳ,ପିଆଶାଳ,ଗଛର କାଠ  ରେଳ,ଲଞ୍ଚ,ଜାହାଜ,ନୌକା ଆଦି ତିଆରିରେ ଦରକାର ହୁଏ । ଗଛ ମାନଙ୍କର ପ୍ରାକୃତିକ ସୁଷମା ଯୁଗେ ଯୁଗେ ମୁନୀ-ଋଷି,ସାଧୁ-ସନ୍ଥ,ଭାବୁକ ମାନଙ୍କୁ ଆକୃଷ୍ଟ କରିଥାଏ । ମାତ୍ରଆଜି ମଣିଷ ଗଛର ଯତ୍ନ ନ ନେଇ ଗଛକାଟି କ୍ଷୟ କରିବାରେ ଲାଗୁଛି । ଗଛକ୍ଷୟର କୁପରିଣତି ବିଶ୍ବପରିବେଶକୁ ପ୍ରଭାବିତ କରୁଛି । ଆମର ପୂର୍ବପୁରୁଷ ଜେଜେ, ଅଜା, ବାପା,ମାଆମାନେ ବାଡି-ବଗିଚାରେ ଗଛ ଲଗାଇ  ସମ୍ପଦର ସୁରକ୍ଷା କରୁଥିଲେ । ଆମେ କିନ୍ତୁ ଗଛଟେ ନ ଲଗାଇ ତାହାର ଉପକାରିତାକୁ ହୃଦୟଙ୍ଗମ ନ କରି ନିଜର ସ୍ବାର୍ଥ ସାଧନ ନିମିତ୍ତ ଗଛ ଗୁଡିକ ହାଣି ପଦା କରି ପକାଉଛୁ । ପୁଣି ରକ୍ଷଣାବେକ୍ଷଣ ମଧ୍ୟ କରୁନାହୁଁ ।

    ମୋର ଗୋଟିଏ କଥା ମନେପଡୁଛି‐ ବୈଶାଖ ମାସର ଉଦୁଉଦିଆ ଖରାବେଳ,ମୁଣ୍ତ ଉପରେ ସୂର୍ଯ୍ଯ ନିଆଁ ପିଣ୍ତୁଳା ପରି ଦାଉଦାଉ ଜଳୁଥାନ୍ତି । ପ୍ରବଳ ଗରମ । ପାଠପଢା ସାରି ପିଲାମାନେ ଘରକୁ ଫେରୁଥାନ୍ତି । ସେମାନେ ଦେଖିଲେ ରାସ୍ତାପାଖ ଢିପ ଜମିରେ ବୁଢା ବୁଢୀ ଦୁଇଜଣ ଅନବରତ ଗାତ ଖୋଳିବାରେ ବ୍ୟସ୍ତ , ବୟସ ସେମାନଙ୍କର ୬୦ବର୍ଷରୁ ଉର୍ଦ୍ଧ୍ବ । ଦେହରୁ ତାଙ୍କର ଗମଗମ ଝାଳ ବୋହି ଯାଉଥାଏ । ତଥାପି ସେଥିପ୍ରତି ତାଙ୍କର ଖାତିରି ନ ଥାଏ । ପିଲାମାନେ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ଯ ହୋଇଗଲେ । ସେମାନଙ୍କ ନିକଟକୁ ଯାଇ ପଚାରିଲେ‐‐"ଏ ଟାଣଖରାରେ କାହିଁକି ଏତେ ପରିଶ୍ରମ କରି ଗାତ ଖୋଳୁଛନ୍ତି ? "ବୁଢା ବୁଢୀ ପିଲାମାନଙ୍କୁ ଚାହିଁଲେ । କିଛି ଦୂରରେ ଥିବା ଏକ ଆମ୍ବଗଛ ଛାଇରେ ବସି ପଡି ସେମାନଙ୍କୁ କହିଲେ‐‐‐ "ପିଲେ ଗଛ ଲଗାଇବା ପାଇଁ ଆମେ ଗାତ ଖୋଳୁଛୁ"। ପିଲାମାନେ ଆଶ୍ଚର୍ଯ୍ଯରେ ପଚାରିଲେ ‐"ଗଛ ଲଗାଇବା କଣ ଏତେ ଆବଶ୍ଯକ  ?" ବୁଢା ବୁଢି ବୁଝାଇବା ଭଙ୍ଗୀରେ କହିଲେ -"ବିଶ୍ବ ସୃଷ୍ଟିରେ ଉଦ୍ଭିଦ ଓ ପ୍ରାଣୀ ପରମ ବନ୍ଧୁ । ପରସ୍ପର ନିର୍ଭରଶୀଳ ଓ ପରିପୂରକ । କିନ୍ତୁ ଯେଉଁ ମନୁଷ୍ଯ ନିଜର ସ୍ବାର୍ଥ ସାଧନ ପାଇଁ ଗଛକାଟି ପଦା କରୁଛି, ସେ ପ୍ରକୃତିର ଚରମ ଶତ୍ରୁ ।ଏହା ଫଳରେ ପୃଥିବୀର ତାପମାତ୍ରା ବଢୁଛି । ବର୍ଷା ଠିକ୍‌ ସମୟେ ହେଉ ନାହିଁ । ଅଶୁଂଘାତରେ ପ୍ରାଣୀ ମରୁଛନ୍ତି । ପରିବେଶର ସନ୍ତୁଳନ ବିଗିଡି ଯାଉଛି । ଭବିଷ୍ଯତରେ ଜୀବଜଗତ ତିଷ୍ଠି ରହିବାର ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗଛ ଅଙ୍ଗାରକାମ୍ଲ ଗ୍ରହଣ କରି ଖାଦ୍ଯ ରନ୍ଧନ କରେ । ଶ୍ବାସକ୍ରିୟା ପାଇଁ ଅମ୍ଲଜାନ ଯୋଗାଏ । ବାୟୁମଣ୍ତଳ ଥଣ୍ତା ରଖେ ।ସର୍ବୋପରି ପରିବେଶl  l ସନ୍ତୁଳିତ ରହେ । ଗଛ ଫଳ,ଫୁଲ ଦିଏ । ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଯୋଗୁଁ ରୋଗ ଉପଶମ ହୋଇଥାଏ । ପିଲା ମାନେ‐ ଉପଶମ ଓଡିଆ ଭାଗବତର ଦଶମ ସ୍କନ୍ଦ ଗୋପ ଲୀଳା ଅର୍ନ୍ତଗତ ତ୍ରୟୋବିଂଶ ଅଧ୍ୟାୟରେ ଶ୍ରୀକୃଷ୍ଣଙ୍କ ମୁଖରେ ବୃକ୍ଷର ମାହାତ୍ମ ର୍ଣ୍ଣନା କରାହୋଇଛି‐‐





"ପତ୍ର,କୁସୁମ,ଫଳ,ଛାଇ
ମୂଳ,ବକଳ,ଦାରୁ,ଦେଇ
କ୍ଷାର,ଅଙ୍ଗାର,ଭଷ୍ମ,ଅଠା
ଗୃହକୁ ସାଜିବାଡ କଣ୍ଟା           
ଶୀତ,ବରଷା,ଘର୍ମ,ଦୁଃଖ
ସହି ଆମ୍ଭଙ୍କୁ ଦ୍ଯନ୍ତି ସୁଖ।"
ବୃକ୍ଷ ଆମର ବହୁତ ଉପକାର କରେ । ତୁମ ପରି ବାଟୋଇ ମାନେ ପ୍ରଚଣ୍ତ ଖରାରେ କ୍ଲାନ୍ତି ମେଣ୍ଟାଇ ଥାନ୍ତି । ବୃକ୍ଷର ଉପକାରିତା ବିଷୟରେ  ଶୁଣି ପିଲାମାନେ ବହୁତ ଖୁସି ହେଲେ । ନିଜେ ଗଛ ଲଗାଇବା  ସହ ସାଙ୍ଗ ମାନଙ୍କୁ ଗଛ ଲଗାଇବା ପାଇଁ ପ୍ରବର୍ତ୍ତାଇଲେ । ବୁଢା ବୁଢି ଜଙ୍ଗଲର ଆଉ ଏକ ଉପକାର ପିଲା ମାନଙ୍କୁ ବୁଝାଇଲେ ।ପିଲାମାନେ ଶୁଣ‐ ଆଜି ଆମେ ଭୁଲି ଯାଉଛୁ ଜଙ୍ଗଲ ହିଁ ଏକମାତ୍ର ମଙ୍ଗଳକାରୀ । ଜଙ୍ଗଲ ବିଷୟରେ ଶୁଣ ।

      ସଭ୍ୟତାର ବିକାଶ ସହିତ ବନଭୂମିର ଧ୍ବସଂସାଧନ ମାନବଜାତି ପାଇଂ ଏକ ଅଭିଶାପ  ହେଉଛି । ଜନ୍ନାକିର୍ଣ୍ଣ ଜଙ୍ଗଲ ସ୍ଥାନରେ ମରୁଭୂମି ମୁଣ୍ତ ଟେକୁଛି । ଜନସଂଖ୍ଯା ବୃଦ୍ଧି ସହିତ ବାସଗୃହ ଓଚାଷଜମିର ଆବଶ୍ଯକତା ରହିଛି  lମନୁଷ୍ଯ ମନଇଛା ଜଙ୍ଗଲ କାଟି ପୋଡୁଚାଷ କରୁଛି  l ନଦୀବନ୍ଧ ଯୋଜନା ଓ ସଡକ ଚଉଡା ଦ୍ବାରା ବହୁ ଗଛ କଟା ଯାଉଛି । ଜାଳେଣି ଓ ଗୃହ ଉପକରଣ ନିମିତ୍ତ ଅବାଧ ଗଛ କଟା ହେଉଛି । ରେଳପଥ ନିର୍ମାଣ,କଳକାରଖାନା ସ୍ଥାପନ, ସହର ନିର୍ମାଣ, ଭୂମିହୀନ ତଥା ସରକାରୀ କର୍ମଚାରିଙ୍କୁ ଜମିପଟ୍ଟା ଦାନ ଆଦିରେ ଗଛ ଧ୍ବଂସ କ୍ରୁରତର ହେଉଛି  l ଜଙ୍ଗଲ ଧ୍ବଂସ ଯୋଗୁଁଁ ଅନିୟମିତ ବୃଷ୍ଟିପାତ, ବର୍ଷାଭାବ ଯୋଗୁଁ ମରୁଭୂମି ସୃଷ୍ଟି ହେଉଛି । ଗଛ ବର୍ଷାଭାବ, ଖାଦ୍ୟାଭାବ, ଦୁର୍ଭିକ୍ଷକୁ ନିୟନ୍ତ୍ରଣ କରୁଛି । ଜଙ୍ଗଲ ଧ୍ବଂସ ଯୋଗୁଁ ମେସୋପଟାମିଆଁ ସଭ୍ୟତା ଧ୍ବଂସ ପାଇଲା,ପୀତନଦୀ ଚିନ ଦେଶର ଦୁଃଖର କାରଣ ହେଉଛି ଗଛ ଏବଂ ମିସସିପ ନଦୀର ଉପତ୍ୟାକା  ମରୁଭୂମିରେ ପରିଣତ ହେଲା । ତେଣୁ ବିକଶିତ ବନରାଜି ଉନ୍ନତଦେଶର ଜୀବନ୍ତସାକ୍ଷୀ । ବୄକ୍ଷ - ଲତା ଯୋଗୁଁ ବର୍ଷା ହୁଏ । ଖାଦ୍ୟ ହି ଜୀବନ । ପରିବେଶକୁ ବିଷମୁକ୍ତ କରିବାରେ ବ୍ବନର ଅବଦାନ ହିଁ ଅବଦାନ ।"
          ଏକ ହିସାବ ଅନୁଯାୟୀ ‐ ୨୦ ମିଟର ଉଚ୍ଚ ୨ମିଟର ବ୍ଯାସର ଏକ ମଧ୍ୟମାକାର ବୃକ୍ଷ ୫୦ବର୍ଷ ବଞ୍ଚେ   l ଜୀବିତାବସ୍ଥାରେ ପ୍ରାୟ ୫୦ ଟନ ଅମ୍ଲଜାନ ବାୟୁମଣ୍ତଳକୁ ଛାଡେ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା । କୃତ୍ରିମ ଉପାୟରେ ଏତେ ପରିମାଣର ଅମ୍ଲଜାନ ସୃଷ୍ଟି କରି ବାୟୁମଣ୍ତଳରେ ବିଭିନ୍ନ ଗ୍ଯାସର ଭାରସମ୍ୟର ରକ୍ଷା କରିବା ଅସମ୍ଭବ । ଗୋଟିଏ ମଧ୍ୟମ ଆକାର ଗଛ ତା ଜୀବନକାଳ ମଧ୍ୟରେ ଯେଉଁ ଶୋଧନ କ୍ରିୟା ସମ୍ପନ୍ନ କରେ , ତା'ର ମୂଲ୍ଯ ୫ ଲକ୍ଷ ଟଙ୍କାରୁ ଅଧିକ ହେବ   l ଜାତୀୟ ଜଙ୍ଗଲ ନିତୀ ଅନୁଯାୟୀ ଆମ ଦେଶର ୩୩.୩ ଭାଗ ଜଙ୍ଗଲ ରହିବା କଥା । ମାତ୍ର ପ୍ରକୃତରେ ଅଛି‐୨୨.୭ ଭାଗରୁ କମ  । ତେଣୁ ଆମେମାନେ ସଚେତନ ହୋଇ ଆମ ଗ୍ରାମାଞ୍ଚଳରେ ଥିବା ବାଡି-ବଗିଚା,ବନ୍ଧହୁଡା,ବିଲହୁଡାରେ ଗଛ ଲଗାଇବାକୁ ଆଗେଇ ଆସିବା । ଗ୍ରାମାଞ୍ଚଳରେ ଖାଦ୍ୟ, କୃଷି, ଜାଳେଣୀ,ଗୃହପୋକରଣ ନିମିତ୍ତ ନିମ୍ବ,ମହୁଲ, କରଞ୍ଜ, ଜଡା,କାଜୁ,କୁସୁମ,ବାଉଁଶ,ଝାଉଁ,ଚାକୁଣ୍ତା, ଆମ୍ବ, ଜାମୁ, ପଣଷ,ଟଭା,କଦଳୀ, ଅମୃତଭଣ୍ତା,ସଜନା ଗଛ ଆଦି ଲଗାଇବା ବାଞ୍ଛନୀୟ । ଶିଳ୍ପାଞ୍ଚଳ,ଦେବାଳୟ,ସ୍କୁଲ,କଲେଜ ଓ ବିଭିନ୍ନ କାର୍ଯ୍ଯାଳୟ ହତା ମାନଙ୍କରେ ଆକାଶ, ମଲ୍ଲି, ଚମ୍ପା, ତରାଟ,ଟଗର,ବଉଳ,କନିଅର ଆଦି ଗଛ  ଲଗାଇବା ଉଚିତ ।
       
         ସ୍ବର୍ଗତ ଇନ୍ଦିରା ଗାନ୍ଧୀ ତାଙ୍କର ବିଂଶସୂତ୍ରୀ   ଅର୍ଥନିତି କକାର୍ଯ୍ଯକ୍ରମରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ପ୍ରାଧାନ୍ଯ ଦେଇଥିଲେ ,ଏଥିପାଇଁ ଲୋକ ମାନଙ୍କ ମନରେ ଜାଗରଣ ସୃଷ୍ଟି ହେବା ଆବଶ୍ୟକ । ଆଜିର ଧ୍ବନି ହେଉ‐"ଗଛ ଗୋଟିଏକୁ ଛୁଆ ଗୋଟିଏ ।" ପୁଣି ସକ୍ରେଟିସଙ୍କ ସତର୍କବାଣୀକୁ ଆମେ ବିଚ୍ୟୁତ ହେବାନାହିଁ । "ବୃକ୍ଷରୁ ଜଳ, ଜଳରୁ ଶସ୍ଯ, ଶସ୍ଯ ହିଁ ଜୀବନ।" ଏହାଦ୍ବାରା ଆମର ଲୁପ୍ତ ହୋଇଯାଉଥିବା ପ୍ରାଣୀ, ବାଘ, ଭାଲୁ, ସିଂହ, ସମ୍ବର, ହାତୀ, ବାରହା ପ୍ରଭୃତି ଓ ଶୁଆ,ଶାରୀ,ବଣି,କଜଳପାତି,ଗୋବରା, କାଠହଣା, କୋଇଲି,ଝିଙ୍କ,ମୟୂର,ଭଦଭଦଳିଆ ଆଦି ପକ୍ଷୀ ମାନଙ୍କ ବଂଶବୃଦ୍ଧିରେ ସହାୟକ ହେବ । ଏହା ବ୍ଯତିତ ଗୌଧି, ଅହିରାଜ, ଅଜଗର, ତମ୍ପ,ନାଗ, ଚମ୍ପେଇନେଉଳ, ଏଣ୍ତୁଅ ଆଦି ବଂଶବୃଦ୍ଧି କରିବେ । ସମୁଦ୍ରକୂଳ ଅନାବାଦି ଜମି ତଥା ପଥପାଶ୍ବରେ ଗଛ ଲଗାଯାଇ କୃତ୍ରିମ ଜଙ୍ଗଲ ସୄଷ୍ଟି କରାଯାଉ ।

                        ଭାରତର ଅରଣ୍ୟ ପୃଥିବୀର ଅରଣ୍ୟର ୨% ହୋଇଥିବା ବେଳେ ଜନସଂଖ୍ୟା ୧୫% ଓ ପଶୁ ସଂଖ୍ଯା ୧୩% ହୋଇ ଥିବାରୁ ଜଙ୍ଗଲ ଉପରେ ଜୈବିକ ଚାପ ପଡୁଛି । ଗଛ ଲଗାଇବା କ୍ଷେତ୍ରରେ ଚୀନ ଦେଶ ସମସ୍ତଙ୍କ ଚକ୍ଷୁ ଉନ୍ନଳିତ କରୁଛି । ୟାଙ୍ଗସିକାୟାଙ୍ଗ ଓ ହୋୟାହୋଙ୍ଗ ନଦୀର ବନ୍ୟା ପ୍ଲାବିତ ଅଞ୍ଚଳରେ ଜନସାଧାରଣ ୧୦୫ ନିୟୁତ ହେକ୍ଟର ଜମିରେ ଗଛ ଲଗାଇ ବନ୍ୟା ନିୟନ୍ତ୍ରଣ ସହିତ ଚାଷ ଉପଯୋଗି ଜମି ସୃଷ୍ଟି କରିଛନ୍ତି । ବ୍ଯକ୍ତିଗତ ମାଲିକାନାରେ ଥିବା ଜମିରେ ସ୍ଥାନୀୟ ଜନସାଧାରଣ,କ୍ଲବ,ସ୍ବେଛାସେବି ଅନୁଷ୍ଠାନମାନେ ଦାୟିତ୍ବ ନେଇ ଆଗେଇ ଆସିଲେ ଆମର ପରିବେଶ ହସି ଉଠିବ । ବର୍ତ୍ତମାନ ଶିକ୍ଷାନୁଷ୍ଠାନମାନଙ୍କରେ "ଇକୋକ୍ଲବ‐" ଜରିଆରେ ଗଛ ଲଗାଇ ପରିବେଶ ସୁରକ୍ଷା ଉପରେ ପଦକ୍ଷେପ ନିଆ ଯାଉଛି ଯାହାକି ସ୍ବାଗତ ଯୋଗ୍ଯ  । ଅଟକଳରୁ ଜଣାଯାଏ ପ୍ରତିବର୍ଷ ୧୦୮ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ଯ ଅରଣ୍ଯରୁ ସଂଗୃହିତ ହୋଇଥାଏ । ଗୋଟିଏ ମଣିଷର ଦୁଇଟି ହାତ  । ତାହେଲେ ଆମେ ଦୁଇଟି ହାତରେ ଦୁଇଟି  ଗଛ ଲଗାଇବା ,ଦେଶ ଉନ୍ନତିରେ ଆଗେଇ ନେବା । ଗଛଟି ମଧ୍ୟ ଆମ ଭଳି ଜନ୍ମ ହୁଏ,ଖାଏ,ପିଏ, ବଢେ, ବଂଶ ବୃଦ୍ଧି କରେ ଶେଷରେ ମରେ । ଗଛଟିକୁ ଆମ ଭଳି ଆମେ ଭାବି ତାର ରକ୍ଷଣାବେକ୍ଷଣ ଠିକ ଭାବେ ନେଲେ ସେ ଆମକୁ ଅସମୟରେ ନିଶ୍ଚୟ ସବୁ ପ୍ରକାର ସାହାର୍ଯ୍ଯ କରିବ । ତେଣୁ ଆସନ୍ତୁ ଗଛର ଦାୟିତ୍ବ ନେବା, ଯତ୍ନ କରିବା,ଗଛକୁ ନଷ୍ଟ କରିବା ନାହିଁ । ଆମ ମନରେ ପ୍ରଭୁ ବୁଦ୍ଧି ଦିଅନ୍ତୁ ଗଛର ଉପଯୁକ୍ତ ଦାୟିତ୍ବ ନେବାପାଇଁ । ଯେପରି ସେ ଛୋଟ ପିଲାଟି ସ୍ବପ୍ନରେ ଗଛର ମହତ୍ବ ହୃଦୟଙ୍ଗମ କରି ଗଛ ଯତ୍ନ ନେବାକୁ ଆଗେଇ ଆସିଛି । ତେଣୁ ଆସନ୍ତୁ ସମସ୍ତେ ମିଳିମିଶି ଗଛ ଲଗାଇ ତା'ର ଯତ୍ନ ନେବା ।

"ବାଡି-ବଗିଚାର ସଡକର ଧାରେ,
ଆସ ଲଗାଇବା ଗଛ,
ମଣିଷ ଗୋଟିକୁ ଦୁଇଟି ଯେ ଗଛ,
ଆଉ ସବୁ ରଖ ପଛ ।
ସବୁଜ ସୁନ୍ଦର ଦିଶିବ ଧରଣୀ
ହସି ଉଠିବ ମୋ ଦେଶ,
ଧରଣୀ ରାଣୀର ମଖେ ଝଟକିବ,
ଖାଲି ଖିଲିଖାଲି ହସ ।

ନରସିଂହପୁର,ଶ୍ରୀରାମନଗର
ପିପିଲି,ପୁରୀ  ।
ଜୟ ସାହିତ୍ୟ, ଜୟ ସମାଜ

ଆମ ପ୍ରିୟ ଜନମ ମାଟି

ପ୍ରଦୀପ କୁମାର ସାହୁ 
 ଯା' ପାଣି ପବନ    ରଖିଅଛି ପ୍ରାଣ   
       ସେହି ମୋ ଜନମ ମାଟି,
ପାହାଡ଼ ପର୍ବତ    ନଦୀ ନାଳ ସ୍ରୋତ
       ଶୋଭା ପାଉଅଛି ନିତି ।

ଶସ୍ୟ ଶ୍ୟାମଳା    ସବୁଜିମା ଭରା
       ଆମ ପ୍ରିୟ ଜନ୍ମ ମାଟି,
ଆହାର ଯୋଗାଇ   ରଖିଛି ବଞ୍ଚାଇ
      ଭୁଲି ଯିବା ବା କେମିତି ।

ଜନ୍ମ ଭୂମି ପରା    ସ୍ୱର୍ଗ ଠାରୁ ବଡ
      ତା' ସମାନେ ହେବ କିଏ ,
ଧୈର୍ଯ୍ୟ ଗୁଣ ତା'ର ସଦା ରହିଅଛି
      ମାଆ ସମାନଟି ସିଏ ।

ମା' ବକ୍ଷେ ସଦା    ବହେ ଅବିରତ
      ପୁଣ୍ୟତୋୟା ଗଙ୍ଗାନଦୀ ,
ଅମୃତ ଧାରା ଯେ'    ପାନ କରିଅଛି
     ମୋକ୍ଷ ହୋଇଯାଏ ଆଜି ।

ଉତ୍କଳ ମାଟିରେ    ଯେ' ଜନ୍ମିଛି ଥରେ
       ତା' ଠାରୁ ମହାନ କିଏ ,


ନ ଜନ୍ମି ଏଠାରେ    ଭାଗ୍ୟହୀନ ଯୋଗୁଁ
       ଅଭାଗା ବୋଲାଏ ସିଏ ।

ଯା' ପାଣି ପବନ    ମୃଦୁ ସଂଚରଣ
        ଆମ ପ୍ରିୟ ଜନ୍ମ ମାଟି ,
ମହାନଦୀ ଏଠି    କୁଳୁ କୁଳୁ ନାଦେ
      ହାତ ଠାରି ଡାକେ ଏଠି ।

କେତେ କେତେ ବୀର    ଜନ୍ମ ନେଇଛନ୍ତି
         ଧନ୍ୟ ତ ଏ ବୀର ମାଟି ,
ନିଜର ଜୀବନ    ଢାଳିଛନ୍ତି ସର୍ବେ
      ଭୁଲି ଯିବା ବା କେମିତି ।

ତା ଦେହରେ କେତେ    ଯନ୍ତ୍ରଣା ରହିଛି
        ଦୁଃଖ ବୁଝିବେନି କେହି ,
ମାତୃ ଋଣ ଶୁଝି    ଧନ୍ୟ ଯେ ମଣିବେ
      ଭାଗ୍ୟବାନ ହେବ ସେହି ।

ମାଟି ଯେ ଅଟଇ    ଦୁଇଟି ଅକ୍ଷର
        ଅତି ମୂଲ୍ୟବାନ ପରା ,
ଜନମ ଦେଇଛି    ଯତନେ ପାଳିଛି
    ମାଆ ସଙ୍ଗେ ହେବ ଧରା ।

ଯା' ଦେହରେ ଆମେ    ବାସ କରିଅଛୁ
        ସିଏ ମୋ' ଜନମ ମାଟି ,
ଧରା ବସୁନ୍ଧରା     ବସୁଧା ଧରିତ୍ରୀ
         ବସୁମତୀ ପୃଥିବୀଟି ।

(ଜନମ ମାଟି ତ     ଅମୃତର ସମ
    ଭୁଲିଯିବା ବା କେମିତି )

ସହକାରୀ ଶିକ୍ଷକ ( ବି.ଏ - ଶିକ୍ଷା ଅନର୍ସ - ବି.ଇ.ଡ଼ି )
ବବା ବୈଦ୍ଯନାଥ ନୋଡ଼ାଲ ଉଚ୍ଚବିଦ୍ୟାଳୟ (ସରସରା)
ସରସରା - ବୌଦ୍ଧ
ଦୂରଭାଷ-୮୬୫୮୧୦୯୩୭୧


               ଜୟ ସାହିତ୍ୟ, ଜୟ ସମାଜ

ବୃକ୍ଷମାତା - - - - - ଥିମକ୍କା

ସ୍ମିତା ମହାନ୍ତି  

    ନାଁଟି ଓଡ଼ିଆରେ ଟିକିଏ ଅଜବ ଲାଗୁଥିଲେ ମଧ୍ୟ ଗୋଟିଏ ସ୍ତ୍ରୀ ଲୋକର ନାଁଟିଏ । ଉପାଧି ମିଳିଛି "ସାଲୁମରଡ"। "ସାଲୁମରଡ଼" ଶବ୍ଦର ଅର୍ଥ ଧାଡି ଧାଡି ଗଛ (କନ୍ନଡ ଭାଷାରେ )। ତେବେ ଏ ଦୁଇଟି ଶବ୍ଦର ସମ୍ପର୍କ କ'ଣ ?ବହୁତ ନିବିଡ଼ ଥିଲା ଥିମକ୍କାର ଗଛ ମାନଙ୍କ ସହ  ସମ୍ପର୍କ ।ତେବେ ଏ ସମ୍ପର୍କ ଏତେ ନିବିଡ ହେଲା କିପରି କାହା ଯୋଗୁଁ ? ଅଭାବୀ ସଂସାରରେ ଜନ୍ମିତା ଥିମକ୍କା ବିଚାରି ଶ୍ରୀ ଅକ୍ଷର ବର୍ଜିତା ଥିଲା ସିନା ହେଲେ ମନ ଭିତରେ ବହୁ ବଡ଼ ବଡ଼ ସ୍ୱପ୍ନ ଦେଖିବାରେ ପିଲାଟି ଦିନରୁ ଅଭ୍ୟସ୍ତ । ପାଠ ପଢ଼ିବାର ଅଭିଳାଷ ଆଗରେ ପ୍ରତିବନ୍ଧକ ସାଜିଥିଲା ଧନ । ଯେଉଁ ବୟସରେ ବହିବସ୍ତାନି ଧରି ସାଙ୍ଗସାଥି ମେଳରେ ସ୍କୁଲ ଯିବା କଥା ସେ ବୟସରେ ସେ ଉଠାଇ ଥିଲା ସଂସାରର ବୋଝ ; ହେଲେ ଭାଙ୍ଗି ପଡ଼ିନାହିଁ ସେ । ବରଂ ତା'ର ମନୋବଳ ହେଇଚି ଦୃଢରୁ ଦୃଢତର । ନୂଆ କରି କିଛି କରି ଦେଖାଇବାର ଜିଜ୍ଞାସା ତଥାପି ମରିନି ତା' ହୃଦୟରୁ ।


   ଏମିତି ଅନେକ ଦିନ ପରିବାରର ଆର୍ଥିକ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆଣିବାର ଚେଷ୍ଟା କରୁ କରୁ କେତେବେଳେ ବିବାହ ସମୟ ଉପନୀତ ହୋଇଛି ଜାଣି ପାରିନି ସେ । ଏବେ ସଂସାର ରୂପକ ଜୁଆଳି ତା' ବେକରେ ଛନ୍ଦିବାକୁ ବାପା ମା'ଙ୍କ ଜିଦ୍‌ । ଥିମକ୍କାର ବାହା ନ ହେବାର ଜିଦ୍‌ ଫିକା ପଡ଼ିଯାଏ ସେମାନଙ୍କ ଜିଦ୍‌ ପାଖେ । ବାଧ୍ୟ ହୋଇ ହସି ହସି ସ୍ଵାଗତ କରେ ସେମାନଙ୍କ ନିଷ୍ପତ୍ତିକୁ । ଜାଣିବାକୁ ପାଇଲା ଯାହାକୁ ନେଇ ସଂସାର କରିବ ସେ , ନା ହେଲା ତା'ର ଚିକ୍କୟା । ଅସୁମାରୀ ସ୍ୱପ୍ନ ଦେଖିଲା ଚିକ୍କୟାକୁ ନେଇ । ଚିକ୍କୟା ସହ ସଂସାର କରିବ ; ତା' ଘରଦ୍ୱାର ଲିପାପୋଛା କରି ସୁନ୍ଦର କରିବ । ଚିକ୍କୟା କାମରୁ ଫେରିବା ବାଟକୁ ଚାହିଁ ବସିବ । କୁନା - କୁନି ଆସିବେ ତା' କୋଳକୁ । ଘର ତା'ର ପୂରି ଉଠିବ । ଏହିପରି ଅନେକ ସ୍ବପ୍ନ । ଏହିପରି ସ୍ୱପ୍ନ ଦେଖୁ ଦେଖୁ ବିବାହର ଦିନ ଆସି ପହଞ୍ଚି ଯାଇଛି ତା' ସାମ୍ନାରେ । ଚିକ୍କୟାର ଜୀବନ ସାଥୀ ହୋଇ ଯାଇଛି ଥିମ୍ମକା । ତା' ଛୋଟ ଘରକୁ ଆପଣାର ମନେ କରି ସଫାସୁତୁରା କରି ବେଶ ସୁନ୍ଦର କରିଛି । ଚିକ୍କୟାର ସାଧାରଣ ଘରଟି ଥିମ୍ମକାକୁ ରାଜଉଆସ ପରି ମନେ ହେଉଛି । କିନ୍ତୁ ଥିମକ୍କାର ଖୁସିରେ ଦିନେ ପଡିଗଲା ପୂର୍ଣ୍ଣଛେଦ । ବିବାହର କିଛି ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ କୋଳକୁ ଛୁଆଟେ ଆସିଲା ନାହିଁ । ସଂସାରରେ ପୂର୍ଣ୍ଣତା ଅନୁଭବ ସେତେବେଳେ  ହୁଏ ଯେତେବେଳେ ଘରକୁ ଶିଶୁଟିଏ ଆସେ । ତା' କାର୍ଯ୍ୟକଳାପ ଦେଖି ଉଭୟ ବାପା-ମା'ଙ୍କ ସହ ପରିବାରର ଅନ୍ୟମାନେ ବି ବେଶ ଖୁସି ଅନୁଭବ କରନ୍ତି । କିନ୍ତୁ ବିଧିର ଵିଧାନ ଥିଲା ତା'
ପାଇଁ ସମ୍ପୂର୍ଣ୍ଣ ଭିନ୍ନ । ଅନେକ ଟାହିଟାପରାର ଶିକାର ହେବାକୁ ପଡିଲା ତାକୁ । ହେଲେ ଏହି ବିପରୀତ ପରିସ୍ଥିତିରେ ଭାଙ୍ଗି ପଡିବା ପରିବର୍ତ୍ତେ ସେ ଅସୀମ ମନୋବଳ ନେଇ ସ୍ୱାମୀ ସହ ପଥର ହାଣିବା କାର୍ଯ୍ୟ କରିବା ସହ ଅନ୍ୟ ଘରେ ମଧ୍ୟ କାମ କରୁଥିଲା । ନିଜର ଗୁଜୁରାଣ ମେଣ୍ଟିବା ସହ ସମୟର ସଦୁପଯୋଗ ପାଇଁ ସେ ଏହି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଲା । କିନ୍ତୁ ଖରାଦିନେ ଯେତେବେଳେ ସେ ପଥର ହାଣିବା ପାଇଁ ଚିକ୍କୟା ସହ ଯାଏ ସେ ଲକ୍ଷ କଲା ଯେ ତା' ଗାଁରୁ ପାଖ ଗାଁକୁ ଲମ୍ବିଥିବା ରାସ୍ତାର ଦୁଇ ପାର୍ଶ୍ଵରେ ବୃକ୍ଷ ଛ।ୟା ଅଭାବରୁ ସେ ନିଜେ ବହୁତ ହାଲିଆ ହୋଇ ଯାଉଛି ଓ  ଅନ୍ୟ ବଟୋଇ ମାନେ ହନ୍ତସନ୍ତ ହେଉଛନ୍ତି ; ସେ ସମସ୍ୟାର ସମାଧାନ ପାଇଁ ସେ ସମୟରେ ତା' ମନରେ ନୂଆ ଚିନ୍ତାଧାରା ଉଙ୍କି ମାରିଲା ।

    ମଣିଷକୁ ଜୀବଦାନ ଦେବାରେ ଅସମର୍ଥ ହେଲେ କଅଣ ହେଲା , ଅନ୍ୟ କାହାକୁ ତ ଜୀବଦାନ ଦେଇ ପାରିବ ।ଛୁଆଟିଏ ଆସିଥିଲେ ହୁଏତ ତା' ପରିବାର ଲୋକ ଖୁସି ହୋଇ ଥାଆନ୍ତେ । ହେଲେ ଏହି ଯୋଉ ଚିନ୍ତା ତା' ମନରେ ଆସିଛି ତା' ଦ୍ୱାରା ଲକ୍ଷାଧିକ ଲୋକଙ୍କ ମନରେ  ଖୁସି ଆଣି ପାରିବ ଓ ସେମାନଙ୍କ ଜୀବନ ବଞ୍ଚିବା ସହ ପୃଥିବୀ ମାତା ମଧ୍ୟ ଖୁସି ହେବ । ଏହି ମହାନ ଚିନ୍ତା ସହ ସେ ଘରେ କିଛି ବରଗଛର ଚାରା ପ୍ରସ୍ତୁତ କଲା । ମଠିଆରେ ବୋହି ପାଣି ଦେଇ ବର୍ଷା ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିଲା ।  ନିଷ୍ପତ୍ତି ନେଲା ଯେ ବର୍ଷା ଋତୁରେ ସେଗୁଡିକ ନେଇ ତା' ଗାଁରୁ ଲମ୍ବିଥିବା ରାସ୍ତାରେ ରୋପଣ କରିବ । ଯାହାଦ୍ୱାରା ଗଛ ଗୁଡିକୁ ପାଣି ଦେବା ପାଇଁ ପଡିବ ନାହିଁ । ସେଗୁଡିକ ଆରାମରେ ବଢି ଯିବେ । ଏହି ଅଭିନବ ପ୍ରୟାସ ଦ୍ୱାରା ପାଖାପାଖି ୪୦୦ରୁ ଉର୍ଦ୍ଧ୍ଵ ଗଛ ରୋପଣ କରିବାରେ ସେ ସଫଳ ହେଲା ।

     ଉନ୍ନତ ଚିନ୍ତାଧାରା ଯୋଗୁଁ ସେ ଆଜି ସାରା ବିଶ୍ୱରେ ଏକ ଶ୍ରେଷ୍ଠ ପରିବେଶବିତ୍‌ ଭାବେ ମାନ୍ୟତା ହାସଲ କରିଛି । ୮୦୦୦ ପାଖାପାଖି ବୃକ୍ଷ ରୋପଣ କରିବାର ଗୌରବ ମଣ୍ଡନ କରିସାରିଛି । ଯାହା ପାଇଁ (ବି ବି ସି) ତାଙ୍କୁ ବିଶ୍ୱର ୧୦୦ ମହିଳାଙ୍କ ଭିତରୁ ଜଣେ ବୋଲି ବାଛି ତାଙ୍କୁ ସମ୍ମାନିତ କରିଛି  । ଏହିପରି ଅନେକ ସମ୍ମାନରେ ସେ ଭୂଷିତା ଯେପରିକି (Mother of tree , Sahara India purshkar ,Green India ,Green mother award ,ଏବଂ ଗତ ବର୍ଷ  National citizen award ) । ୧୦୬ ବର୍ଷ ବୟସରେ ପଦାର୍ପଣ କରିଥିଲେ ହିଁ ସ୍ୱପ୍ନ ଦେଖିବା ବନ୍ଦ କରିନି ସେ । "ମାନବ ସେବା ହିଁ ଇଶ୍ୱର ସେବା" ଏହି ଉକ୍ତିକୁ ଜୀବନର ମନ୍ତ୍ର ରୂପେ ପାଳନ
କରି ଆସିଥିବା ଥିମକ୍କା ; ନିଜ ଗାଁରେ ଏକ ବିରାଟ ପାଣିଟାଙ୍କି କରିଛି ଯାହାକି ଖରାଦିନେ ପାଣିର ଅଭାବ ଦୂର କରିବା ସହ ମେଳା ବା ଯାତ୍ରା ସମୟରେ ଖୁବ୍‌ ଦରକାରୀ ହୋଇପାରିଛି । ସ୍ୱାମୀ ନାଁରେ ଏକ ହସ୍ପିଟାଲ ଖୋଲିବାର ଇଚ୍ଛା ରଖିଛି , ଯାହା ଦ୍ୱାରା ନିଜ ଆଖପାଖ ଗାଁର ଗରିବ ଲୋକମାନେ ନିଃଶୁଳ୍କ ସେବା ପ୍ରାପ୍ତ କରି ପାରିବେ । ଭଗବାନ ସେହି ମହିୟସୀ  ମହିଳାଙ୍କ ଇଚ୍ଛା ପୂରଣ କରନ୍ତୁ ; ଯିଏକି ସମଗ୍ର ନାରୀ ସମାଜ ପାଇଁ ଜଣେ ଜ୍ୱଳନ୍ତ ଉଦାହରଣ ହୋଇ ପାରିଛନ୍ତି । ବିଶ୍ଵ ପରିବେଶ ଦିବସରେ ଭଗବାନଙ୍କ ନିକଟରେ ଏତିକି କାମନା ।                                                                                                                                  ରାଉରକେଲା 
                                                                            ଜୟ ସାହିତ୍ୟ, ଜୟ ସମାଜ

କେବଳ ଗାନ୍ଧୀମୁଣ୍ଡ ଦରକାର

ସନ୍ତୋଷ କୁମାର

                 ହେ ଗାନ୍ଧୀଜୀ ଟିକେ ଦେଖି ଯାଅ ତୁମର ଅଲୋଡ଼ା ଭାରତକୁ । ଏଇ ଦୁଇ ଦିନ ଏକ ନଟଙ୍କି ଚାଲିବ । ସମସ୍ତେ ଏବେଠୁ ସଜବାଜ କରି ଦେଲେଣି ତୁମ ଧଧରିଆ ମୂର୍ତ୍ତିକୁ । ତୁମ ନାଁରେ ଏକ ମିଛ ନାଟ୍ୟକାର ଝଲକ ଦେଖିବାକୁ ମିଳିବ । ଅଭିନୟ କେତେ ଯେ କରିବେ ତା'ର କଳନା କରିବା ଅସମ୍ଭବ । ଦେଖି ଆସ କେମିତି ମିଛ ଆନ୍ଦୋଳନ ଚାଲିବ ।ହଁ ମାନୁଛୁ ଦେଶକୁ ସ୍ଵାଧୀନତା ମିଳିବା ପାଇଁ ତୁମର ପ୍ରତିଦାନ ଥିଲା । ଭାରତ ପାଇଁ ଏକ ପାଦ ଆଗକୁ ବଢ଼େଇ ଥିଲ । ତୁମ ନାଁ ପାଇଁ ଦେଶ ଗର୍ବିତ । ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲ । ନାରୀକୁ ସୁରକ୍ଷିତ ରଖିବା ପାଇଁ କହି ଥିଲ । ସତ୍ୟକୁ ଆଧାର କରି ଲଢିବ ବୋଲି ପରାମର୍ଶ ଦେଇଥିଲ । ତୁମର ତ ଆବଶ୍ୟକ ଥିଲା ସେହି ସମୟରେ ଯେବେ ଦେଶରେ ଅଶାନ୍ତି ଥିଲା । କିନ୍ତୁ ଏବେ ତୁମର ଆବଶ୍ୟକ ରହିଚି ।  

                        ଦେଶ ଏବେ କଳୁଷିତ ଅବସ୍ଥାରେ । ତୁମ ନାଁ ନେଇ ରାଜନୀତି ଅଙ୍କକଷା ଆରମ୍ଭ ହୋଇ ଯାଇଛି । ମିଛ ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରତିବାଦ କରିବାକୁ କେହି ବି ନାହାନ୍ତି । କିଏ ବା କାହିଁକି ପ୍ରତିବାଦ କରିବ ; ତୁମ ମୁଣ୍ଡ ଥିବା ନୋଟ ସମସ୍ତ ପାଟି ଚୁପ କରି ଦଉଛି । ତୁମେ ଆଉ କାହାର କାମରେ ଦରକାର ଆସିବ ନାହିଁ । ତୁମ ମୁଣ୍ଡ ସବୁଠାରୁ ମୂଲ୍ୟବାନ୍ । ସେହି ଖଣ୍ଡି ମୁଣ୍ଡ ପାଇଁ ତୁମ ପ୍ରତିମୂର୍ତ୍ତିକୁ ମଧ୍ଯ ପାଦରେ ଦଳି ଦେବେ । ହେ ଗାନ୍ଧୀ ଟିକେ ଦେଖି ଯାଅ ହିଂସା କେମିତି ଲାଗି ରହିଛି ଦେଶରେ । ଆମ ଦେଶ ଏତେ ଆଗକୁ ଯାଇଚି ଯେ ପ୍ରତି ଦିନ ଗୋଟେ ନାରୀ ବଳାତ୍କାର ହଉଚି । ଭାଇ ଭାଇ ମଧ୍ୟରେ ହଣାକଟା । ପରିବାର ମଧ୍ୟରେ ବାକ୍ ଯୁଦ୍ଧ ଚାଲେ । ଏ କ'ଣ ଶାନ୍ତିର ଭାରତ ? ତୁମ ସ୍ଵପ୍ନ ସାକାର କରିବା ପାଇଁ ତୁମ ପରି ହେବାକୁ ପଡ଼ିବ । ତୁମେ ଥିଲ ଶାନ୍ତିର ପରିଚୟ । ତୁମେ ଥିଲ ସତ୍ୟର ପୂଜକ - ଦୟାର ପ୍ରତୀକ। ତୁମେ ଚାଲିଯିବା ପରେ ଦେଶରେ କଳଙ୍କ ଭରି ରହିଛି । ସମସ୍ତଙ୍କୁ କହି ଥିଲ ଜାତି ଧର୍ମରେ କୌଣସି ମତଭେଦ ନାହିଁ । ଏବେ ଦେଖ ମୁସଲମାନ, ଖ୍ରୀଷ୍ଟିଆନ, ହିନ୍ଦୁ ସବୁ ଅଲଗା । ଧର୍ମକୁ ନେଇ ଲଢ଼େଇ ଚାଲିଚି । ନାରୀ ଇଜ୍ଜତ ଯାଇଥିଲେ ମଧ୍ୟ ତୁମ ମୁଣ୍ଡ ଥିବା କାଗଜ ଲୋଭରେ ଇଜ୍ଜତର ମୂଲ୍ୟ ନାହିଁ ।ହତ୍ୟାକାରୀ ହୋଇ ଥିଲେ ମଧ୍ୟ ତୁମ କଟାମୁଣ୍ଡ ନୋଟ ନିର୍ଦ୍ଦୋଷ ପ୍ରମାଣିତ କରି ଦେବ । ନ୍ୟାୟ ପାଇଁ ପୋଲିସ୍ ପାଖକୁ ଗଲେ ସେହି ମୁଣ୍ଡ ଲଗା କାଗଜ ଦରକାର ।  ତୁମକୁ ନୁହେଁ ତୁମ କଟା ମୁଣ୍ଡକୁ ଅଧିକ ଗୁରୁତ୍ବ ଦିଆ ଯାଉଚି । ତୁମେ ଆଜି ଅଲୋଡ଼ା ; କେବଳ ତୁମ ମୁଣ୍ଡ ଥିବା ସେହି କାଗଜ ଦରକାର । ହେ ଗାନ୍ଧୀ ! ଥରେ ଆସି ଦେଖି ଯାଅ ତୁମର ବିଖଣ୍ଡିତ ଭାରତକୁ.....!!
ଜୟ ସାହିତ୍ୟ, ଜୟ ସମାଜ

💥ତାଦାତ୍ମ୍ୟ💥

ଅବଧୂତ ଜ୍ଞାନାନନ୍ଦ 
                              ଦର୍ଶନ-ଶାସ୍ତ୍ରରେ ତାଦାତ୍ମ୍ୟକୁ ସମସ୍ତ-ଦୁଃଖର ମୂଳ ଭାବରେ ବର୍ଣ୍ଣନା କରା ଯାଇଛି । ମନସ୍ତାତ୍ତ୍ବିକ ଚିକିତ୍ସା ଶାସ୍ତ୍ରରେ schizophrenia ର ଏକ ପ୍ରକାର ଭାବରେ ମଧ୍ୟ ତାଦାତ୍ମ୍ୟକୁ ଏକ ଜଟିଳ ମନୋ-ବିକାର ଭାବରେ ଦେଖା ଯାଇ ଥାଏ । ଏହି ତାଦାତ୍ମ୍ୟ ଦୀର୍ଘକାଳିକ ଅଥବା ପ୍ରଗାଢ-ଅବସାଦରୁ ଉତ୍ପନ୍ନ ହୋଇ ଥାଏ । ଏହି ରୋଗ କ୍ଵଚିତ୍ ଅଳ୍ପକାଳ ସ୍ଥାୟୀ ହୋଇଥାଏ ତଥା କ୍ଵଚିତ୍ ଆଜୀବନ ଭୋଗିବାକୁ ପଡେ । ଏହି ରୋଗୀ ମାନଙ୍କର ଜୀବନ ଯାପନ ସାଧାରଣ ଲୋକଙ୍କ ପରି ହୋଇଥାଏ । ଏହା ସତ୍ତ୍ବେ ତାଦାତ୍ମ୍ୟ-ପୀଡିତ ରୋଗୀଟି ନିଜର ବର୍ତମାନ-କାଳିକ ଯଥାର୍ଥ-ଅସ୍ତିତ୍ୱକୁ ଅପୂର୍ଣ, ଆଗନ୍ତୁକ, ଅମୌଳିକ ବା ଏକ ବୈତଥ୍ୟ ମନେ କରେ । ସେଥି ପାଇଁ ସେ ନିଜକୁ ପୂର୍ବର କୌଣସି ଐତିହାସିକ ବା ପୌରାଣିକ ପ୍ରସିଦ୍ଧ ବ୍ୟକ୍ତି ବା କଳ୍ପିତ ଅନ୍ୟ କୌଣସି ବିଶିଷ୍ଟ ବ୍ୟକ୍ତି ବୋଲି ନିଶ୍ଚିତ ଭାବରେ ଭାବିନିଏ । ଅଥବା ବର୍ତମାନର ନାମ, ରୂପ, ସ୍ଵଭାଵ ଓ ସମ୍ବନ୍ଧ ଅପେକ୍ଷା ନିଜକୁ ଅତୀତର କୌଣସି ବ୍ୟକ୍ତିର ନାମ, ରୂପ, ସ୍ଵଭାଵ ଓ ସମ୍ବନ୍ଧ ସହିତ ଅଧିକ ଏକୀକୃତ ମନେ କରେ । ସର୍ବସାଧାରଣ ପରି ଚଳୁଥିବା ଅବସ୍ଥାରେ କେବେ-କେବେ ସେ ସେହିପରି ଦାବୀ କରେ ।  ସମାଜ ତା' ପ୍ରତି ସେହି ଭୂତପୂର୍ବ ବ୍ୟକ୍ତି ପରି ବ୍ୟବହାର କରୁ ଏହା ସେ ଚାହେଁ । ସେ ନିଜର ଏପରି ବିକୃତ-ଅଭିପ୍ସାକୁ ସର୍ବସାଧାରଣରେ ଅଭିବ୍ୟକ୍ତ କରିବାରେ ସଙ୍କୋଚ କରେ ନାହିଁ । 

                           କଦାଚିତ୍ ଏମାନେ ସମାଜର ଅନ୍ଧବିଶ୍ୱାସର ଲାଭ ପାଇଥାନ୍ତି । ଅନେକ ଅନ୍ଧବିଶ୍ୱାସୀ ଲୋକେ ଏମାନଙ୍କ କଥାକୁ ଶୁଣି ସତ୍ୟ ମନେ କରି ଏମାନଙ୍କୁ ପୂର୍ବ ଐତିହାସିକ ବ୍ୟକ୍ତିବିଶେଷ ଭାବେ ଅଥବା ପୂର୍ବ ମୁନି-ଋଷିଙ୍କ ଆଧୁନିକ ଅବତାର ବା ପ୍ରତିନିଧି ଭାବରେ ଗ୍ରହଣ କରି ନିଅନ୍ତି । ସେହିପରି ଏମାନଙ୍କର ସମାଦର ଓ ପୂଜା କରନ୍ତି । ଏମାନଙ୍କର ତଥ୍ୟହୀନ-ଆଦର୍ଶ-ଅନୁସାରେ ଚଳିବାକୁ ଚେଷ୍ଟା ମଧ୍ୟ କରନ୍ତି । ସେତେବେଳକୁ ଏହି ରୋଗ ଦ୍ୱାରା ତା'ର ଅନୁଗାମୀ ମାନେ ମଧ୍ୟ ଯତ୍କିଞ୍ଚିତ୍ ସଂକ୍ରମିତ ହୋଇ ସାରିଥାନ୍ତି ।

                          ଧର୍ମ ନାମରେ ପ୍ରଚଳିତ ଏହି ଏକାତ୍ମତା-ରୂପକ ବ୍ୟାଧି ଉପରେ ଧର୍ମଭୀରୁ ଲୋକେ  ପ୍ରଶ୍ନ ଉଠାନ୍ତି ନାହିଁ । ତେଣୁ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜକୁ ରାମ , କୃଷ୍ଣ , ବୁଦ୍ଧ , ଶଙ୍କରାଚାର୍ଯ୍ୟ, ରାମାନୁଜ, କଳ୍କୀ ଅବତାର ଇତ୍ୟାଦି ମନେ କରନ୍ତି । ଅନେକ ଲୋକେ ଅନ୍ଧବିଶ୍ୱାସର ବଶୀଭୂତ ହୋଇ ବା ସମ୍ମୋହନ-ସଂକ୍ରମିତ ହୋଇ ସେମାନଙ୍କର ଅନୁସରଣ କରନ୍ତି ।


👁👁👁
ଜୟ ସାହିତ୍ୟ, ଜୟ ସମାଜ

● *ତଥାପି ସନ୍ଦିହାନ* ●

                                                                                          ରାଜେଶ ମୁଣ୍ଡ


କିଛି ବି ତ କରି ପାରିଲିନି ।
ଆବଦ୍ଧ ଚୌହଦୀରୁ
ସଂପର୍କ ସବୁ ଉଦ୍ୟତ
ଟପି ଯିବାକୁ ସୀମାରେଖା ।
ଆତ୍ମୀୟତାର ଆଳରେ
ଚାଟୁକଥାର ଚେହେରାରେ
ଦୁର୍ଦ୍ଦିନର ଦୟନୀୟ ଦୁଆରରେ
ତମାମ୍ ଗୋପନୀୟ ଚୁକ୍ତି
ଉଜାଗର ହୋଇଯିବା ଭୟରେ ।

ବୋଧେ ମୁକୁଳି ଯାଇପାରେ
କିଏ ଜାଣିବା ଆଗରୁ
କିଏ ଦେଖିବା ଆଗରୁ
କିଏ ଜିତିବା ଆଗରୁ ।

ସନ୍ଦିହାନ ସମ୍ପର୍କର ଡୋରରେ
ଅସଂଖ୍ୟ ସ୍ୱାର୍ଥର ପରିଧିରେ
ହୁଏତ କାହାକୁ ଭଲ ଲାଗି ନ ପାରେ
ମୋ' ହାତ ଖଂସରେଇ ଆଣିବାରେ
ସତରେ ଆଉ ପାରିଲିନି
ପବନର ଫାଶରେ ନିଜକୁ
ବାରମ୍ବାର ବାନ୍ଧି ରଖିବାରେ ।

ଜୟ ସାହିତ୍ୟ, ଜୟ ସମାଜ

ଅବ୍ଯକ୍ତ

ସଂଗ୍ରାମ କେଶରୀ ରାଉତରାୟ 
ବ୍ୟଥାରେ ବତୁରା ହୃଦୟ ମୋହର
ଯେବେ ତୁମ କଥା ଭାବେ
ପ୍ରୀତି ମନ୍ଦାକିନୀ ଶୁଖି ଗଲା ପରେ
ଝିଙ୍କାରୀର ସ୍ୱର ଶୁଭେ ।
ଆଖିର ଲୁହକୁ ପିଇଯାଏ ଓଠ
ନୀରବରେ ଧୀରେ ଧୀରେ
ଅଵ୍ୟକ୍ତ ସେ କଥା କହିବି କାହାକୁ
କିଏ ବା ଶୁଣିବ ଥରେ ।


ଅତୀତର ସେଇ ସାଗର ବେଳାରୁ
ମୁକ୍ତିର ଶାମୁକା ଖୋଜେ
ମୁକ୍ତି ଆଜିକାଲି ଲହୁରେ ଭିଜିଛି
ସାକ୍ଷୀ ନିଜ ପାଇଁ ନିଜେ ।

      ସଭାପତି - ଉଦୟ ଭାନୁ 
( ସାହିତ୍ୟ ଓ ସମାଜସେବା ସଙ୍ଗଠନ )
ଜୟ ସାହିତ୍ୟ, ଜୟ ସମାଜ

🕉️🕉️🕉️ ମାନବ ବାଦ🕉️🕉️🕉️

ଭାସ୍କର ରାଉତ 


ହଜିଛି ମମତା ଯାଇଛି ବିଶ୍ବାସ
ଦେଖୁଅଛି ଖାଲି ଲୋକ ,
ଖୋଜୁଛି ମଣିଷ ଏ ଧରା ବୁକୁରେ
ଯାହାର ଥିବ ବିବେକ ।୧।

ପାରୁନାହିଁ ଦେଖି ଭେଟାଇ ଦେବକି
ଆହେ ଜଗତର ନାଥ ,
କରୁଅଛି ପଣ ଭେଟିବି ଯେଦିନ
କରିବି ତାଙ୍କୁ ମୋମିତ ।୨।

ସତ୍ୟ ଶାନ୍ତି ଦୟା ଆବର ଯେ କ୍ଷମା
ଯେ ଜନ ପାଖେ ମିଳଇ ,
ମଣିଷ ଅଟଇ ଏ ଧରାରେ ସେହି
ବନ୍ଧୁତା ବାନ୍ଧରେ ତୁହି ।୩।



ହେ ମଣିଷ ଭାଇ ବୁଝ ଆଜି ତୁହି
କାମ କ୍ରୋଧ ଲୋଭ ତେଜ ,
ସରସ ସୁନ୍ଦର ଜୀବନ ଗଢିବା
ଶପଥ କରରେ ଆଜ ।୪।

ଜାତି ବର୍ଣ୍ଣ ଧର୍ମ  ନାହିଁଟି ଶାସ୍ତ୍ରରେ
ମଣିଷର ସୃଷ୍ଟି ଏହା ,
ମାନବ ବାଦର କରରେ ପ୍ରଚାର
ଆନରେ ହୋଇଣ ସାହା ।୫।

ଦେବମାୟା ଭବନ-ଶେରଗଡ଼-ଗଞ୍ଜାମ
☎ - ୯୭୭୭୪୮୬୬୨୮
ଜୟ ସାହିତ୍ୟ, ଜୟ ସମାଜ

💕ହେଲୋ 💕

                                                                                    ଜୁମର ନାଥ ପାତ୍ର

"ହେଲୋ.. ଆରେ ତୁମେ
ହଁ କହନ୍ତୁ କେମିତି ମନେ ପଡିଲି
ହେଲୋ ..."
  କାନ ପାଖରେ ସେଇମିତି ଫୋନ ଟା
କେମିତି ଅଛ ପଚାରିବିନି
ପଚାରିବିନି ପାଉଡର ପୋଛିଲେ
କେମିତି ଦିଶ ତମେ
ଏମିତିରେ ଡିପି ସ୍ଟାଟସ୍ ରେ ଖୁବ୍ ସୁନ୍ଦର
ପିଲାପିଲି ...ଆଦୌ ପଚାରିବିନି
ପଚାରିବିନି
ମୁଁ କେତେ ଭଲ ଲାଗେ ତମକୁ କି
କହିବିନି
ମୁଁ କେତେ ଆକର୍ଷିତ ତମ ପ୍ରତି
ପଚାରିବିନି ବୟସ ...ଇଲୋ .. 
ସୁସ୍ଥ କି ଅସୁସ୍ଥ ମନେ ଆଉ ଦେହେ ପଚାରିବିନି
ବୁଝିବାକୁ ଇଚ୍ଛା ନାହିଁ
ସେ ତମର କେମିତି ଅଛନ୍ତି
କେତେ ନିଜର ...
ପଚାରିବିନି ମନେ ପଡ଼େ ମୁଁ ତମର
ସକାଳେ ଦ୍ବିପ୍ରହରେ ସନ୍ଧ୍ୟାରେ ନା ମଝି ରାତିରେ
କହିବିନି ତମେ ଅଛ କୋଉଠି ମୋଠି
ହୃଦୟରେ କି ମନରେ କି ବାକ୍ଯରେ
ପଚାରିବିନି କିଛି ତମ କଥା କି
କହିବିନି ମୋ ମନ କଥା ।।
"ହେଲୋ ...ହେଲୋ
କିଛି ତ କହନ୍ତୁ ...ହେଲୋ"
  କ'ଣ ବା କହିବି
ଅଟୋମେଟିକ ଆଙ୍ଗୁଳି ଚିପିଗଲା
କଲ୍ କଟ୍ ବଟନ୍ ରେ ...

ମୋତିଗଞ୍ଜ - ବାଲେଶ୍ବର 
ଜୟ ସାହିତ୍ୟ, ଜୟ ସମାଜ

🐧🐧🐧 ବାଇମନ 🐧🐧🐧

ଅକ୍ଷୟ ଓଝା 
ଭାଇର କୋକେଇ ଉଠିଲା । ତଥାପି ମୁଁ ଜିଦିରେ ଅଟଳ ଥିଲି ଭାଇ ଶବ ପାଖକୁ ନ ଯିବାକୁ। ଆମ ଘର ଦୁଆର ବନ୍ଦ ଥିଲା । ଭାଇ ପରିବାରର କ୍ରନ୍ଦନ , ରୋଦନରେ ଦୁଃଖ ଭରା ବାତାବରଣ ସୃଷ୍ଟି ହେଇଗଲା । ତଥାପି ମୁଁ ଅଟଳ ଥିଲି, ଭାଇର ପିଲାମାନେ କେହି ମୋତେ ଡାକିବାକୁ ଆସିଲେନି । ମୋ ପିଲାମାନେ ବି ଗଲେନି ଶବ ସତ୍କାରକୁ। ଶବ ଉଠିଲା ବେଳକୁ ଛାତି ଫାଟି ଗଲା ଭଳି କ୍ରନ୍ଦନ ରୋଦନର ମୁହୂର୍ତ୍ତ ଥିଲା ।  ଚେଷ୍ଟା କରୁଥିଲି ମଝି ଅଗଣାରେ ଛିଡା ହେଇଥିବା କାନ୍ଥ ଉପରୁ କିଛିଟା ଦେଖି ପାରନ୍ତି ଭାଇର ଶବକୁ । ଚେଷ୍ଟା ବିଫଳ ହେଲା । ପୁଣି ସେଇ କର୍କଶ ଅନୁଭବ ଆସୁଥିଲା ବିତିଥିବା ଝଗଡାରୁ ।


    ତଥାପି ଅଜଣାରେ ବାହାର ଘରକୁ ଆସି ଦାଣ୍ଡ ଘରେ ଛିଡା ହେଇ ଭାଇର ଶବକୁ କବାଟ ଫାଙ୍କରେ ଦେଖିଲି । ଗାଁ ଵାଲା ,ସାହିଭାଇ,କାନ୍ଧେଇ ନେଉଥିବାର । ଭାଇ ଛ' ମାସେ ରୋଗରେ ପଡ଼ି ଆଜି ମରିଗଲା । ଧଳା ଚଦରରେ ଘୋଡେଇ ହେଇ କୋକେଇରେ ବନ୍ଧା ହେଇ ଗାଁ ସାହିଵାଲାଙ୍କ କାନ୍ଧରେ ମଶାଣି ଚାଲି ଯିବାର ଦୃଶ୍ୟ ପଥର ହେଇ ଦେଖୁଥିଲି । ରାମ ନାମ ସତ୍ୟ ହେ ମୋ ଛାତିରେ ଢ଼ିଙ୍କି କୁଟିଲା ଭଳି ପାହାର ଦେଉଥିଲା । ବୋହି ନେଇ ଯାଉଥିଲେ ଭାଇର ଶବକୁ । ଭାଇ ଶେଷ ଯାତ୍ରାରେ ଥିଲା ।

     ଦାଣ୍ଡ କବାଟ ଖୋଲି ଦେଲି । ହୃଦୟରୁ ଆତ୍ମଗର୍ଵ ଧୂଳିରେ ମିଶି ଯାଉଥିଲା । ମୋ ବିବେକ ମୋତେ ଶହେ ଜୋତା ମାରୁଥିଲା । ମୋ ଅହଂକାର ମଣିଷ ପାଦ ଚକଡ଼ା ଧୂଳିରେ ହାମୁଡେଇ ଥିଲା । ମୁହଁରେ ଗାମୁଛା ଦେଇ କୋହରେ ଆକୁଳ ହେଇ କାନ୍ଦୁଥିଲି, ତଥାପି ଆସି ପାରୁ ନ ଥିଲି ଭାଇକୁ କାନ୍ଧରେ ନେବାକୁ । ମୁଣ୍ଡରେ ହାତ ଦେଇ ବସିଗଲି ଦାଣ୍ଡ ପିଣ୍ଡାରେ । ଭାଇକୁ ଶ୍ମଶାନ ଆଡକୁ ନେଇ ଯିବାର ଦୃଶ୍ୟ ଆଉ ଦିଶୁ ନଥିଲା ତଥା ନା ରାମ ନାମ ଆଉ ଶୁଭୁଥିଲା । ଭାଇର ଶବ ଶ୍ମଶାନ ଘାଟରେ ପହଂଚି ଯାଇ ଥିଲା ବୋଧହୁଏ । ମୁଁ ମୋ ଦାଣ୍ଡ ପିଣ୍ଡାରେ ପଥର ପାଲଟି ଯାଇଥିଲି ।

ମନେ ପଡ଼ିଲା ; ପିଲା ବେଳର କେତେକ ଝଲକ ମୁଣ୍ଡ ଭିତରେ ମନକୁ ଆନ୍ଦୋଳିତ କଲା । ପିଲାବେଳେ ଆମେ ଦୁହେଁ ବୋଉ ଚାରିପଟେ ଘୁରିଘୁରି ମାଡ ଗୋଳ ହେଉ ଥିବାର ଦୃଶ୍ୟ ।  ଗୋଟିଏ ଥାଳିରେ ଦୁହେଁ ଖାଉଥିବାର ଦୃଶ୍ୟ । ଭାଇ ସାଙ୍ଗରେ ଖେଳିବା , କେଉଁଠି ନା କେଉଁଠି ଦୁହେଁ ତୋଳି ଆଣିଥିବା ଆମ୍ବ , ପିଜୁଳି , କୋଳିକୁ ଏକ ସାଥିରେ ଖାଉଥିବାର ଦୃଶ୍ୟ । ମୋ ସହିତ କେହି ଝଗଡା କଲେ ଦୌଡ଼ି ଆସି ମୋତେ ଭାଇ ବଞ୍ଚେଇବାର ଦୃଶ୍ୟ ଦିଶି ଯାଉଥିଲା ମୋତେ । ଥରେ ମନେ ଅଛି । ଆମେ ଦୁହେଁ ଚାଟଶାଳୀରେ ପାଠ ପଢ଼ୁଥିଲୁ । ମୁଁ ନୂଆ ନୂଆ କରି ସ୍କୁଲ ଯାଉଥିଲି । ଭାଇ ଯେଉଁଠି ବସିବ ମୁଁ ତା' ପାଖରେ ବସେ ।ଅବଧାନେ ଅଲଗା କରି ବସାନ୍ତି । ମୁଁ ଖୁବ କାନ୍ଦେ । ମୋ କାନ୍ଦ ଦେଖି ଭାଇ କାନ୍ଦି ପକାଏ । ପୁଣି ଅବଧାନେ କହିଲାରୁ ମୋତେ ପାଖକୁ ନେଇଯାଏ । ମୋ ଲୁହ ପୋଛୁ ପୋଛୁ ନିଜ ଲୁହ ପୋଛେ । ସ୍କୁଲରୁ ଫେରିଲେ ଭାଇ ହାତ ଧରି ଘରକୁ ଆଣେ ସାଙ୍ଗରେ । ସେଦିନ ଛୁଟି ହେଲା ବେଳେ ଭାଇର ଜଣେ ସାଙ୍ଗ ପରିଆ କହିଲା ଘରକୁ ଫେରିବାକୁ ହେଲେ ଚାଟଶାଳୀ ପଛ ପଟେ ଆଉଏକ ପାଖ ରାସ୍ତା ଅଛି ଘରେ ପହଞ୍ଚିବାକୁ । ଆଜି ଆମେ ସେଇବାଟେ ଯିବା । ଭାଇ ହଁ କଲା ଓ ମୋ ହାତଧରି ଚାଲିଲା । କିଛିବାଟ ଗଲା ପରେ ଛୋଟ ପାଣିନାଳଟିଏ ଆସିଲା । ଭାଇର ସାଙ୍ଗ ପରିଆ ପାଣିରେ ପଶି ନାଳପାର ହେଇଗଲା  କିନ୍ତୁ ମୁଁ ଖୁବ ଡରିଲି ପାଣିରେ ପଶିବାକୁ । ପରିଆ ଅପେକ୍ଷା ନ କରି ସେଠାରୁ ଆଗକୁ ଚାଲିଗଲା । ଭାଇ ମୋତେ ବୁଝେଇଲା , ଚେଷ୍ଟା କଲା ମୋତେ କାନ୍ଧରେ ଉଠେଇ ପାଣିନାଳ ପାର କରିବାକୁ । କିନ୍ତୁ ମୁଁ ରାଜି ହେଲିନି ; ଆହୁରି ଜୋର୍‌ରେ କାନ୍ଦିଲି । ଭାଇ ପାଖରେ ଆଉ ଉପାୟ ନଥିଲା ।ଭାଇ କହିଲା  ଚାଲେ ଫେରିଯାଇ ଆମେ ସବୁଦିନ ଯାଉଥିବା ପୁରୁଣା ରାସ୍ତାରେ ଯିବା । ଆମେ ଫେରିଲୁ କିନ୍ତୁ ଆଗକୁ ରାସ୍ତା ପାଇଲୁନି ।
ସଞ୍ଜ ହେଇ ଆସୁଥିଲା । ମୁଁ କାନ୍ଦିବା ଆରମ୍ଭ କରିଦେଇ ଥିଲି । ଭାଇ କାନ୍ଦୁଥିଲା କିନ୍ତୁ ସାହସ ରଖିଥିଲା । ମୋତେ ପୁଣି ପାଣି ନାଳ ରାସ୍ତା ଆଡକୁ ଫେରେଇ ଆଣିଲା । ନିଜେ ପାଣିରେ ଆଗେ ପଶି ଆମ ଦୁହିଁଙ୍କର ବସ୍ତାନୀକୁ ଆର କୂଳରେ ରଖିଲା ପୁଣି ଫେରି ଆସି ମୋତେ ବୁଝେଇ ସୁଝେଇ ସାହସର ସହିତ ନାଳ ପାର କରେଇଲା । ପୁଣି ଟିକେ ଆଗକୁ ଆସିଲା ପରେ ଆମେ ଆମ ରାସ୍ତା ପାଇଗଲୁ । ଭାଇ ତା ସାଂଗ ପରିଆ ସହିତ ମୋ ପାଇଁ ଖୁବ ଲଢ଼ିଥିଲା । ସବୁମନେ ଅଛି ଭାଇର ମୋ ପ୍ରତି ଅନାବିଳ ସ୍ନେହ କଥା ।  ଆଜି ଭାଇ ଦୁନିଆରୁ ଚାଲିଗଲା । ମୁଁ ଭାବି ଭାବି ଦାଣ୍ଡ ପିଣ୍ଡାରେ କୋହରେ ଫାଟି ପଡୁଥିଲି । ତିନି ଘଂଟା ବିତି ଯାଇଥିଲା । ସ୍ମଶାନରୁ ଭାଇର ଶବ ଦାହ କରି ସାହି ଭାଇ ଫେରିଲେ ଭାଇର ଦାଣ୍ଡକୁ ଚୁଡା ଦହି ପାଇବା ପାଇଁ ।

      ଗାଁର ଭାଇର ସେଇ ପିଲାଦିନର ସାଙ୍ଗ ପରିଆ ମୋତେ ଦେଖିଲା ମୁଁ ମୋ ପିଣ୍ଡାରେ ବସିଛି । ପାଖକୁ ଆସିଲା । ସାମ୍ନାରେ ଛିଡା ହେଲା ; ପ୍ରଶ୍ନଟିଏ ପଚାରିଲା । ଆରେ ତୁ ସେଇ ସାନ ଭାଇ ତୋରି ପାଇଁ ମୋତେ କେତେ ମାଡ ମାରିଥିଲା ତୋ ଭାଇ ଯିଏ ମରିଗଲା ଆଜି । ମୁଁ ଭୋ ଭୋ ହେଇ କାନ୍ଦୁଥିଲି । ମୋ ପାଖରେ ଜବାବ ନଥିଲା । ପୁଣି ପ୍ରଶ୍ନ କଲା ,ଆଜି ତମ ଦି ଜଣଙ୍କ ପାଇଁ ଦଳୀୟ ରାଜନୀତି ଏତେ ବଡ ହେଇଗଲା ଯେ ତୁ ତୋ ଭାଇର ମୁହଁ ଦେଖିଲୁନୁ ? ଗୋଟିଏ ମାର ପିଲା ତମେ ଆଜିର ରାଜନୀତି ତମ ଦୁହିଁଙ୍କ ଭିତରେ ଏତେବଡ଼ ଫାଟ ସୃଷ୍ଟି କରିଦେଲା ? ତୁ ତୋ ଭାଇକୁ ଭୁଲିଗଲୁ ? ମନେ ଅଛି ସେ ପିଲା ଦିନ କଥା ?

     ଅସହ୍ୟ ହେଇ ଗଲା ପରିଆ କଥା ମୋ ପାଇଁ। ଦୌଡ଼ିଲି ମଶାଣି ଆଡେ ଭାଇ ଭାଇ ହେଇ ।  ପହଞ୍ଚିଲା ବେଳକୁ ଭାଇ ପାଉଁଶରେ ପରିଣତ ହେଇ ଯାଇଥିଲା । ଶେଷ ଧୂଆଁର ଶେଷ ସରୁଶିଖାଟିଏ ଆକାଶକୁ ଉଠୁଥିଲା ।

ରାଇଁଲୋ-ନୂଆପଡ଼ା-ଆଳି-କେନ୍ଦ୍ରାପଡା 
ଜୟ ସାହିତ୍ୟ, ଜୟ ସମାଜ

ଜନ ବନାମ ଗଣତାନ୍ତ୍ରିକ ଜୀବନ ଶୈଳୀ

                                ଡ଼କ୍ଟର ଲକ୍ଷ୍ମଣ ସାହୁ 
                  କୁହାଯାଏ ସଂବିଧାନ ଅଙ୍ଗିକାରବଦ୍ଧ  ଦେଶର ଶାସନ  ଜନତନ୍ତ୍ର ବନାମ ଗଣତନ୍ତ୍ରକୁ ବୁଝାଏ ଓ ସ୍ୱୀକାର କରେ  । ଯେଭଳି  ଔପନିବେଶିକ ଇତିହାସକୁ ପାର କରି ରାଜନୈତିକ ରୂପରେ ଏକ ସ୍ୱତନ୍ତ୍ର ପରିବେଶ  ମଧ୍ୟରେ ମାନବ ସମାଜକୁ ବଞ୍ଚିବାର, ଚିହ୍ନିବାର, ଜାଣିବାର ଅବସର ସକଳଙ୍କୁ ମିଳି ଯାଇଛି  । ହୁଏତ ଏହାକୁ କୁହାଯାଇ ପାରେ ସତେ ଯେଭଳି ଏକ ନବଯୁଗର ସୂତ୍ରପାତ ଘଟିଛି  ।  ଯେଉଁଠିରେ ଦେଶ, ମାନବ ଜାତି ଓ ସମୟ  ତିନେହେଁ ବଦଳି ଗଲେ  ।  ପରିବର୍ତ୍ତନର  ନବ  ନିର୍ମିତ କୋଣାର୍କ  ମୁଣ୍ଡ  ଟେକି  ଠିଆ  ହେବାରେ  ସଫଳ  ହେଲା  ।  ଆମେ ସକଳେ ସ୍ୱଂୟ ପୁନଃ ନିଜକୁ  ନିଜେ  ପରିଭାଷିତ  କରିବାର  ନୂତନ  ସୁଯୋଗ  ଲାଭ  କଲେ  । ଏତେ  ବିରାଟକାୟ  ଦେଶ  ଭାବରେ  ଯେଉଁ  ସମାଜକୁ  ସ୍ୱତନ୍ତ୍ରତାର  ଶୀର୍ଷରେ  ଦଣ୍ତାୟମାନ  ହେବାର  ସୁବର୍ଣ୍ଣ ସୁଯୋଗ  ମିଳିଲା,  ତାହାର  ସ୍ୱରୂପ  ବଡ  ମ୍ୟାଜିକାଲ  ବା  ଅଦ୍ଭୁତ  ଥିଲା  ।  ସତେ  ଯେମିତି  ବିନ୍ଦୁ  ମଧ୍ୟରେ  ସିନ୍ଧୁର  ଦର୍ଶନ  ।  ଏହି  କ୍ଷୁଦ୍ର  କଣିକାଏ  ବିନ୍ଦୁର   ଭାବନାର  ସ୍ତର  ଉପରେ  ପ୍ରତ୍ୟେକ  ଛୋଟ  ବଡ    ସମୁଦାୟ  ଏକପ୍ରକାର  ଏକତାର  ସୂତ୍ରରେ  ବାନ୍ଧି  ହୋଇଥିଲା  ।

          ସମାଜରେ  ସାମାଜିକ  ଓ  ଆର୍ଥିକ  ବିଷମତାହିଁ  ଆଦ୍ୟରୁ  ମହଜୁଦ  ହୋଇ  ରହିଥିଲା  ।  ଇଂରେଜ ମାନଙ୍କ  ଆଗମନରେ  ଓ  ସେମାନଙ୍କ  ଶାସନ ରାଜୁତିରେ  ତଥା   ଗୋଲାମ  ଗିରି  ପୀଡା  ଯନ୍ତ୍ରଣା ରେ  ଭାରତ  ବାସୀଙ୍କ  ଆର୍ଥିକ,  ମାନସିକ  ଓ  ଶାରିରୀକ  ସ୍ତର  ଅତି  ଅମାନୁଷିକ  ସ୍ତରରେ  ପହଞ୍ଚି  ଯାଇଥିଲା  ।  ଏସବୁର  ପ୍ରଭାବ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସବୁ ସମାନ  ଆଧାର  ଥିଲା  l ଫଳତଃ  ଏଥିରୁ  ମୁକ୍ତି  ପାଇବା  ପାଇଁ  ପ୍ରତ୍ୟେକ ଭାରତୀୟ ମାନଙ୍କ ମନରେ  ଉଦ୍ରେକ  ହୋଇଥିଲା ଜାତୀୟ  ଭାବ । ସକଳେ  ଏଭିଳି  ଅମାନୁଷିକ ପୀଡନରୁ  ମୁକ୍ତି  ବା  ମୁକୁଳି  ପାଇଁ  ଇଚ୍ଛୁକ  ରହିଥିଲେ । ଏଭଳି  ଏକ   ଭୌତିକ ଜୀବନ  ସ୍ତର ଉପରେ ସମୁଦାୟର  ବିସ୍ତୃତ ପୃଷ୍ଠଭୂମି  ମାର୍ଗ  ଦର୍ଶନର  ସହାୟକ  ଥିଲା ।  ବିଭିନ୍ନ  ଭୌଗଳିକ  ଓ  ସାଂସ୍କୃତିକ ପରିସ୍ଥିତିର  ଆକାର  ପାଉଥିବା  ବ୍ୟକ୍ତି  ବା  ଗୋଷ୍ଠୀ  ବିଭିନ୍ନ ସମାନତା  ଓ  ଭିନ୍ନତାକୁ  ନିଜ ନିଜର  ଇଚ୍ଛାନୁସାରେ  ଯୁକ୍ତ  ହେବାକୁ   ଲାଗିବା  ସ୍ୱାଭାବିକ  ଥିଲା  ।   ଗୋଟିଏ  ଗୋଟିଏ ଜଳଧାର  ଏକତ୍ରିତ  ହୋଇ  ମହାସମୂଦ୍ରରେ  ପରିଣତ  ହୋଇଗଲା  ଭଳି  ଏକ  ବିଶାଳକାୟ  ସମୁଦାୟରେ  ବ୍ୟକ୍ତି  ବା  ଗୋଷ୍ଠୀ  ପରିଣତ  ହୋଇଥିଲା  ।

                              ଦେଶର  ସାଂସ୍କୃତିକ  ମାନଚିତ୍ର  ଉପରେ  ଦୃଷ୍ଟି  ନିବେଶ  କଲେ  ସ୍ପଷ୍ଟ  ହେବ  ଯେ ,  ପ୍ରାଚୀନ  କାଳର  ଧର୍ମ  ଓ  ସାମାଜିକ  ଜୀବନରେ  କିଛି  ଆନ୍ତରିକ  ସୂତ୍ର  ମଧ୍ୟ  ବିଦ୍ୟମାନ  ଥିଲା  ।  ଯାହା  କେବଳ  ସମସ୍ତଙ୍କୁ  ଜୋଡି  ଦେବାରେ,  ଯୁକ୍ତ  କରି  ନେବାରେ  ସହାୟକ  ଥିଲା  ।  ପ୍ରାଚୀନ  କାଳରେ  ଜ୍ଞାନ  ଓ  ଭକ୍ତିର  ଧାରା  ମଧ୍ୟ ଦେଶରେ  ବୀଜରୋପନ  କରିବାରେ  ସହାୟକ  ଥିଲା  ।  ଆଲୋଚନା  ଦୃଷ୍ଟିରୁ  କୁହାଯାଇ  ପାରେ, ଭାରତୀୟ  ସଭ୍ୟତା  ଓ  ସଂସ୍କୃତି  ଅତି  ପୁରାତନ,  ଗୌରବମୟ,  ଶିକ୍ଷଣୀୟ  ତଥା  ଗୁରୁତ୍ୱପୂର୍ଣ୍ଣ  ।  ସମୟର  କ୍ରମବିକାଶ  ଅନୁସାରେ  ଗଙ୍ଗାନଦୀରେ  ପାଣି  ବହିଚାଲିଛି  କେଉଁ  ଅନାଦି  ଯୁଗ GTରୁ  ।  ପବିତ୍ର  ଭାରତ  ମାଟିରେ ଅନେକ  ସଭ୍ୟତା,  ରାଜତ୍ଵ  ଓ  ବାଦର  ବିକାଶ  ଘଟିଛି  ।  ନୂତନ  ଧର୍ମୀୟ  ଚେତନାର  ଉନ୍ମେଷ,  ବିକାଶ,  ପରିପ୍ରସାର  ଲୋକାପ୍ଲୁତ  ହୋଇଛି  ।  ଅନେକ  ଧର୍ମୀୟ  ସାଧୁ  ସନ୍ଥ,  ସଂସ୍କାରକ  ଓ  ପ୍ରଚାରକ  ବୈପ୍ଳିବିକ  ପରିବର୍ତ୍ତନ   ଆଣି ପାରିଥିଲେ  ।  ବିଭିନ୍ନ  ସ୍ଥାନରେ  ଭୂମିଷ୍ଠ  ହୋଇଥିବା  ରାମାନୁଜାଚାର୍ଯ୍ୟ, ଶଙ୍କରାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, କବିର,  ନାନକ, ଶ୍ରୀଚୈତନ୍ୟ, ମୀରାବାଈ,  ରାମାନନ୍ଦ, ରାମଦେବ,
ନିମ୍ବାର୍କ, ମାଧବ, ସୁରଦାସ, ତୁଳସୀ ଦାସ ଆଦି ସନ୍ଥମାନଙ୍କ କ୍ଷେତ୍ର ବିଶେଷରେ  ଗୋଟିଏ  ସ୍ଥଳରେ କେବଳ ସ୍ଥିର ନଥିଲା ବରଂ ଭାରତର  ପ୍ରତ୍ୟେକ  ସ୍ଥାନରେ ତାର ଭାବର ପ୍ରଭାବରେ ଅତୁଟ  ହାଲ୍ଲାଦୀନ  ପ୍ରେମ  ବନ୍ଧନରେ  ଆହ୍ଲାଦିତ  କରି  ବାନ୍ଧି  ନେଇଥିଲା  , ସମସ୍ତଙ୍କ  ପାଇଁ  ଏମାନଙ୍କର  ପ୍ରୀତିକର,  ପ୍ରୀତି  ମଧୂର  ଥିଲା  ।  ଏକତାର  ମର୍ମସ୍ପର୍ଶୀ  ଵାଣୀକୁ  ସହଜରେ  ସକଳେ  ଅନୁଭବ କରିଥିଲେ  । 

                                         ପ୍ରବାହିତ  ଅମୃତଧାରା  ଗଂଗା,  ଯମୁନା, ଗୋଦାବରୀ,  ସରସ୍ବତୀ,  ନର୍ମଦା,  ସିନ୍ଧୁ  ଓ  କାବେରୀ  ଭଳି  ପୁଣ୍ୟ  ପବିତ୍ର ନଦୀ  ଦେଶର  ପ୍ରତ୍ୟେକ  କୋଣ  ଅଣୁକୋଣରେ  ପବିତ୍ର  ଓ  ପୂର୍ଜ୍ୟ ରୂପେ  ଗଣ୍ୟ  ହେଉଥିଲେ  ।  ସେଭଳି  ହିମାଳୟ,  ବିନ୍ଧ୍ୟ  ଆଦି   ପର୍ବତ  ଶ୍ରେଣୀ  ଓ  ବଣରାଜୀର  ଅପୂର୍ବ  ଆର୍କଷଣ  ସମସ୍ତଙ୍କ  ପ୍ରିୟ   ପାଲଟି  ଯାଇଥିଲା  ।  ଭାରତୀୟ  ଦୁଇ  ମହାକାବ୍ୟ  ବ୍ଯାସକୃତ  ସଂସ୍କୃତ  ମହାଭାରତ,  ବାଲ୍ମୀକିଙ୍କ  ସଂସ୍କୃତ  ରାମାୟଣ  ଭାରତ  ବର୍ଷର  ବିଭିନ୍ନ  ପ୍ରାଦେଶିକ  ଭାଷାରେ  ଅନୁଦିତ  ହୋଇ  କୃଷ୍ଣ  ଓ  ରାମଙ୍କ   ନାନାବିଧ  ଉପସ୍ଥିତି  ମଧ୍ୟ  ଅଖିଳ  ଭାରତୀୟ  ମାନଙ୍କୁ  ମୁଗ୍ଧ  ଓ  ଆର୍କିଷିତ  କରିଛି,  କରୁଛି  ଓ  କରିଚାଲିଥିବ  !  ଏସବୁ  ସଂସ୍କୃତି  ଏକତା  ଭାରତୀୟ  ମାନଙ୍କୁ  ଆଦାନ  ପ୍ରଦାନ  କରି  ଆସିଛି  ।  ବିଭିନ୍ନ  ପ୍ରାଦେଶିକ  ଭାଷା  ଓ  ସାହିତ୍ୟ  ମାଧ୍ୟମରେ  ବ୍ୟକ୍ତ  ହୋଇ  ପାରିଛି  ଏହି  ଆଧ୍ୟାତ୍ମିକ  ଚେତନା  ,  ଭାବଧାରା  ଓ  ସରକାରଙ୍କ  ଭାରତୀୟତାର  ଐଶ୍ୱର୍ଯ୍ୟ ପୂର୍ଣ୍ଣ  ସଂପଦ  ପ୍ରାପ୍ତ  କରି  ଆସିଛି  ।   କେତେକ  ଭିନ୍ନତାର  କାରଣ  ନେଇ  ଅପଭାଷିତକୁ  ଦେଖିବା  ପରେ  ହୁଏତ  ଆମ  ବ୍ୟବହାର  ରୂପରେ  ଅନେକ  ପ୍ରଭାବ  ପକାଇ   ଥାଏ  ।   ପ୍ରତ୍ୟେକ  ବିବିଧତା  ସତ୍ତ୍ୱେ  ମଧ୍ୟ  ଭାବନାତ୍ମକ  ଏକଥା  ସକଳ  ଭାରତୀୟ  ନିକଟରେ  ଛାୟୀ  ହୋଇ  ରହିଛି  ।  ବିଶେଷକରି   ବିଭିନ୍ନ  ଭାଷା  ଓ  ସାହିତ୍ୟରେ  ବ୍ୟକ୍ତ  ଭାବ, ବିଭିନ୍ନ  ସମ୍ମିଳନୀରେ  ସୌହାର୍ଦ୍ଦ୍ୟପୂର୍ଣ୍ଣ  ବାତାବରଣ, ପାରସ୍ପରିକ  ନିଜକୁ  ଭାରତୀୟ ତାର  ପରିଚୟ  ଦେଇ ଥାଏ  ।  ବିଭିନ୍ନତାର  କାରଣ  ସତ୍ତ୍ଵେବି   ଅପରିଭାଷିତ  ହେଲେ  ମଧ୍ୟ  ଭାବ  ବ୍ୟବହାରରେ  କୌଣସି  ତଫାତ୍  କେବେ ବି  ପରିଦୃଷ୍ଟ  ହୋଇନଥାଏ  ।  ପ୍ରତିଟି  ବିବିଧତାକୁ  ଭାବାନାତ୍ମକ   ଢଙ୍ଗରେ  ଏକତା  ସମସ୍ତଙ୍କ  ନିକଟରେ  ଜନ୍ମିଥାଏ  ।  ଏଭିଳି  ଐତିହାସିକ  ପରିପ୍ରେକ୍ଷୀରେ  ଭାରତୀୟ  ମାଟିର  ବିଭିନ୍ନ  ସାଂସ୍କୃତିକ  ପ୍ରବାହର  ସାକ୍ଷୀ  ରହିବା  ଭଳି  ପ୍ରଭାବ  ପଡିଥାଏ  ।

                 ଭାରତରେ  ଶକ୍,  ହୁଣ,  ଗ୍ରୀକ,  କୃଷାଣ,  ମୋଗଲ,  ପର୍ତ୍ତୁଗ୍ରୀଜ୍,  ପାର୍ଶି,  ଇଂରେଜ  ଅନେକ ବିଦେଶୀ  ପ୍ରଜାତିର  ଆସିଛନ୍ତି  ।  ସେମାନଙ୍କ  ପ୍ରଭାବ  ଯେ  ଭାରତ  ମାଟିରେ  ଉଣା  ଅଧିକା  ପକାଇ  ଯାଇଛନ୍ତି,  ତାହା ଅସ୍ୱୀକାର  କରି  ହେବନାହିଁ  ।  ଏହି  ବିଦେଶୀ  ମାନଙ୍କ   ପ୍ରଭାବ  ଭାରତରେ  ଅନେକ  ପ୍ରକାରରେ  ପଡଛି  ।  ସାମାଜିକ  ମେଳ,  ମିଳା  ମିଶା  ସହିତ,  ସେମାନଙ୍କ  ଜ୍ଞାନ,  କଳା,  କୌଶଳର  ମଧ୍ୟ ଆଦାନ  ପ୍ରଦାନ  ଘଟିଛି,  ଭିନ୍ନ  ପରଂପରାକୁ,  ନୀତି,  ଆଚାର,  ମତବାଦ  ସହିତ  ଭାରତରେ  ଅନେକ  ସାମାଜିକ  ବ୍ୟବସ୍ଥାର  ମଧ୍ୟ  ପତନ  ଘଟିଛି  ,  ଗୋଟିଏ  ଅପସଂସ୍କୃତିର  ମୃତ୍ୟୁ  ହୋଇଛି  ।  ସତୀ  ପ୍ରଥା,  ବାଲ୍ୟବିବାହ  ଭଳି  କୁତ୍ସିତ  ପରଂପରାକୁ  ଦୂରେଇ  ଦିଆଯାଇଛି  ।  ଏସବୁ  ସତ୍ତ୍ୱେ  ମଧ୍ୟ  ଅଧିକାଂଶ  ବିଦେଶୀ  ଆକ୍ରମଣକାରୀ  ଭାରତକୁ  ଦୋହନ  ଓ  ଶୋଷଣ  କରିବାରେ   ଲାଗିଥିଲେ  ।  ବାଣିଜ୍ୟ  ଓ  ଶାସନ  ସୂତ୍ରରେ  ପହଞ୍ଚିଥିବା  ଇଂରେଜମାନେ  ଏକ୍ଷେତ୍ରରେ   ସବୁଠାରୁ  ଚତୁର  ମନେ  ହେବ   l ସେମାନେ  ଭାରତକୁ  ଆର୍ଥିକ,  ସାମାଜିକ  ଓ  ବୌଦ୍ଧିକ,  ପ୍ରତ୍ୟେକ  କ୍ଷେତ୍ରରେ  ଯୋଜନାବଦ୍ଧ  ଢଙ୍ଗରେ  ଅବା  ଉପାୟରେ  ଭାରତକୁ  ଦୃର୍ବଳ  କରିବାକୁ  ଚେଷ୍ଟା  କରିଥିଲେ  ।  ଆର୍ଥିକ  ଶୋଷଣ  ସହିତ  ସେମାନେ  ମାନସିକ  ସ୍ତରରେ  ଓ  ସଭ୍ୟତାର  ପରବର୍ତ୍ତନ  ଅର୍ଥାତ  ନୂଆ  ଯୁଗାରମ୍ଭ  କରିବାରେ  ପ୍ରୟାସ  କରୁଥିଲେ  ।  ତାହାର  ବାସ୍ତବତାକୁ  ଆମେ  ବୁଝିବା,  ବିଚାର  କରିବାକୁ  ପୂର୍ବରୁ  ତାହା  ଯେମିତି  ପୁରା  ଓଲଟ  ପାଲଟ  ହୋଇଯାଉଥିଲା   ।  ଏସବୁର  ପ୍ରକୃତ  ତଥ୍ୟକୁ  ଖୋଜିବା  ମଧ୍ୟ  କଷ୍ଟକର  ହୋଇପାରେ,  ସେସବୁ  ମଧ୍ୟ  ଫେରିବା  ବା  ଫେରାଇ  ଆଣିବା  ସହଜରେ  ବିଶ୍ୱାସ  କରାଯାଇ  ପାରେନାହିଁ  ।  ତା'ସତ୍ତ୍ଵେ  ଶିକ୍ଷାକ୍ଷେତ୍ରରେ  ନିରନ୍ତର  ଅନେକ  ପରିବର୍ତ୍ତନ,  ସ୍କୁଲ  ସ୍ଥାପିତ  ଓ  ଇଂରାଜୀ    ଶିକ୍ଷାର  ପ୍ରସାର  ଘଟିଥିଲା  ।  ଯାହାର  ସେହି  ବ୍ୟାଧି  ରୂପେ  ଇଂରାଜୀ  ସ୍କୁଲ  ମାଧ୍ୟମ  ରୂପେ  ସ୍ଥାପିତ  ହେବାରେ  ଲାଗିଛି  ।  ଇଂରାଜୀ  ସଭ୍ୟତା  ଓ  ଭାଷା  ଆଜି  ମଧ୍ୟ  ସକଳଙ୍କୁ  ଅକ୍ତିଆର  କରିନେଇଛି,  ତ୍ରାହି  ଲକ୍ଷ୍ମଣ  ଭଳି  କବଳିତ  କରି  ନେଇଛି  ।  ଇଂରାଜୀ  ଶିକ୍ଷା  ପ୍ରତି  ଆଗ୍ରହ  ପ୍ରକାଶ  କରୁଥିବାରୁ  ଆଞ୍ଚଳିକ/ପ୍ରାଦେଶିକ  ଭାଷା  ପ୍ରତି  ବିମୁଖତା  ପ୍ରକାଶ  ପାଉଛି  ।   କେବଳ  ଓଡ଼ିଆ  ବିଦ୍ୟାଳୟ  ନୁହେଁ,  ଅନ୍ୟାନ୍ୟ  ରାଜ୍ୟରେ  ମଧ୍ୟ  ଆଞ୍ଚଳିକ  ଭାଷାରେ  ଥିବା ବିଦ୍ୟାଳୟ  ଛାଡି  ଇଂରାଜୀ  ବିଦ୍ୟାଳୟକୁ  ମୁହାଁଉଛନ୍ତି  ।

        ଆଧୁନିକ  ଭାରତର  ନିର୍ମାଣ  ଦୃଷ୍ଟିରେ  ଜଟିଳ ପୃଷ୍ଠଭୂମିକୁ କେବେ ଅଣଦେଖା  କରାଯାଇ ନାହିଁ । କାରଣ ସ୍ୱତନ୍ତ୍ରତା ମିଳିବା ସମୟରେ ସମାଜର ପଟ୍ଟଚିତ୍ର ଯେଉଁ  ଆଧାରରେ ଧରାଗଲା, ତାହା  ବିବିଧ ବର୍ଣ୍ଣାଳୀରେ  ରୂପାୟିତ ଥିଲା  ।  ଏହି  ସାମାଜିକ  ଭାରତର  ନିୟତି  ଭଳି  ଏକ  ସମାବେଶୀ ସମଦୃଷ୍ଟିକୁ   ସ୍ୱୀକାର  କରିବା  ସହ  ଆଗକୁ  ଆଗେଇ ନେବାରେ  ସହାୟତା  ସମ୍ଭବ  ନଥିଲା  ।  କିନ୍ତୁ  ବିଚାର  ଦୃଷ୍ଟିରୁ  ନିରପେକ୍ଷ  ନୀତି  ଉପରେ  ପଥ  ଚାଲିବାର  ନିଶ୍ଚୟ  ସଠିକ୍  ମାର୍ଗ  ଦର୍ଶାଇ  ଥିଲା  ।  ସାମାଜିକ  ଅସ୍ତିତ୍ଵକୁ  ସ୍ୱୀକାର  କରିବା  ଏହାର  ବିକଳ୍ପ  ସହଜ  ଓ  ସ୍ୱାଭାବିକ  ମଧ୍ୟ  ଥିଲା  ।   ବିବିଧତା  ଓ  ଏକତାର  ଏଭିଳି  ସାମଞ୍ଜସ୍ୟକୂ  ସାଧନାର  ଆସନ  ନୁହେଁ  କେବଳ,  ବରଂ  ଏହା  ସବୁଠାରୁ  ମୂଲ୍ୟବାନ  ଥିଲା  ।

          ଏସବୁ  ବିଶ୍ଳେଷଣ  ସତ୍ତ୍ୱେ  ବି  ସମାଜରେ  ଏବେ  ମଧ୍ୟ  ସେସବୁ  ସକଳ  ଭାବନାକୁ  ବୁଝାଇବା  ବା  ବୁଝିବା  ପ୍ରତି  ଆମର  ସେଭଳି  କୌଣସି  ଧ୍ୟାନ-ଧାରଣା  ନାହିଁ  କହିଲେ  ଚଳେ  ।  ନିଜ  ସର୍ତ୍ତାବଳୀର  ଦୌଡରେ  ପ୍ରତ୍ୟେକ  ଅଂଶରେ  ଜଣେ  ଅନ୍ୟ  ଜଣଙ୍କ  ଉପରେ  ଦ୍ୱନ୍ଦ୍ୱ,  କଳହ,  ପ୍ରତିଯୋଗିତା  ମୂଳକ  ରୋଷ  କରିବାରେ  ତତ୍ପରତା  ଦେଖା  ଦେଇଛି  ।  ଜନତନ୍ତ୍ର  ବନାମ  ଗଣତନ୍ତ୍ରକୁ  ଆମେ  ଏଭିଳି  ବ୍ୟବସ୍ଥା  ମଧ୍ୟରେ  ଦେଖୁଛେ,  ଗ୍ରହଣ  କରୁଛେ,  ସ୍ୱୀକାର  କେହି  କରୁବା  ନକରୁ  ...କିଛି  ପାଇବା  ପରେ  ବି  ତାହାର  ବା  ଆମର  ଲୋଭର  ଅନ୍ତ  ନାହିଁ,  ଯାହାକୁ  ଅଧିକାର  ଭାବରେ  ଧରି  ନିଆଯାଇଛି  ।  ସତ୍ୟାନାଶୀ  ରାଜନେତା  ମାନେ  ଜନତନ୍ତ୍ରର  ଦାବିଦାର  ହୋଇ  ଏହାର  ବ୍ୟବସ୍ଥାକୁ  ନିଜର  ହିତ   ସାଧନର  ଉପକରଣ  ରୂପେ   କାମରେ  ଲଗାଇଥାନ୍ତି  ।  ଅନ୍ୟ  ପକ୍ଷରେ  ନାଗରିକଙ୍କୁ    ମୂଳ  ଅଧିକାର  ଓ  ମାନବିକ  ଅଧିକାର  ଦେବାକୁ  ଯଦି  ପ୍ରୟାସ  କରାଯାଆନ୍ତା,  ସକଳ  ନାଗରିକ  ନିଜ  ପାଇଁ  ଯେଭଳି  ଆତୁର  ହୋଇ  ରହିଛନ୍ତି,  କିଛି  ସୁରକ୍ଷିତ  ପାଇଁ    ଚିନ୍ତିତ  ହୋଇ   ପଡିଛନ୍ତି,  ତାହା  ଜନତନ୍ତ୍ର  ବ୍ୟବସ୍ଥାରେ  ନାହିଁ,  ଏହା  କେବଳ  କିଛି  ଗଣତନ୍ତ୍ର  ନାମରେ  ଜନ  ମାରଣର  ଜୀବନ  ଶୈଳୀ  କହିଲେ  ଅତ୍ୟୁକ୍ତି  ହେବ  ନାହିଁ  ।  ଏବେ  କେବଳ  ଅମୂଳକ  ଶକ୍ତି  ମାନବର  ଜୀବନ  ଶୈଳୀକୁ  ଗତି  ମୁଖର  କରୁଛି  ।  ପାରଂପାରିକ,  ଭାଗୀଦାରି,  ଭରସା,  ଭିନ୍ନ  ଦୃଷ୍ଟିକୁ  ଶୁଣିବା  ଓ  ସହ୍ୟ  କରିନେବା  ଓ  ଦେଶ  ତଥା  ଏହା  ଜନଚେତନାର    ସବୁଠାରେ  ଏସବୁ  ଶୈଳୀର  ପ୍ରମୁଖ  ଅଂଶ  ପାଲଟି  ଗଲାଣି  ।  ଏସବୁର  ଅଭାବରେ  ଅଧିକାର  କଥାକୁ  ଅନାଧିକାର  ରୂପେ  ଚାପି  ଦେବାକୁ  ଚେଷ୍ଟା  କରାଯାଉଛି  ।  ନିବେଶ  ଓ  ପରିଣାମ କୁ  ସିଧା  ସଂପର୍କ  ରୂପେ  ଯୋଡ଼ି  ଦିଆଯାଉଛି  ।

             ବିଚାର  ସାପେକ୍ଷ  ଆମର  ଶରୀର  ଚାଳନା  ବା  ସକ୍ରିୟ    ହେବା  ଭଳି  ଆମେ  ବିଭିନ୍ନ  ଲକ୍ଷ୍ୟକୁ  ପାଇବାର  ପ୍ରଚେଷ୍ଟା  ନିହାତି  ଜରୁରୀ  ଅଟେ  ।  ଯେଭଳି  ନିର୍ବାଚନ  ପୂର୍ବରୁ  ନେତା  ନିଜର  ଜନତାନ୍ତ୍ରିକ  ଅର୍ଥାତ  ଗଣତାନ୍ତ୍ରିକ  ମୂଲ୍ୟବୋଧକୁ  ପରିତ୍ୟାଗ  କରି  "ଦଳ  ବଦଳ"ର ଗାଣିତିକ ସୂତ୍ରରେ ଓଲଟ ପାଲଟ  ହେଉଥିବା  ନଜରକୁ  ଆସେ  ।  ଏଭିଳି  ଟିକିଏ   ସୁବିଧା  ସୁଯୋଗ  ମିଳିଗଲେ  କିଛି  ଦିନ  ପାଇଁ  " କର୍ମକାଣ୍ଡ "   ସୃଷ୍ଟିରେ  ତର୍କ-ବିତର୍କ  ନିଜ  ସ୍ୱାର୍ଥ  ପାଇଁ  "ଦେଶ  ବଂଚାଅ " ସ୍ୱର  ଉଂଚାରଣ  କରନ୍ତି  । ସ୍ୱାର୍ଥ  ନଥିଲେ ବା ବେଳ ପଡିଲେ ଦେଶ ବିପକ୍ଷରେ "ମୁର୍ଦ୍ଧାବାଦ" ଦେବାପଛାନ୍ତି ନାହିଁ - ଏଭିଳି ଗୋପନ  ଅଭିନୟ  ଚାଇ  ଆଲୁଅ ଖେଳକୁ  ପାଥେୟ  କରି  ନିଜ  ସ୍ୱାର୍ଥରେ  ଚାଲନ୍ତି  ।  ପରନ୍ତୁ  ସତ୍ୟ   ଏହାହିଁ  ଯେ  ଦେଶକୁ  ବଂଚାଇବା  ପାଇଁ  ବାଲ୍ୟ  ଜୀବନ  ଛନ୍ଦକୁ  ଛାଡି  ଜନତନ୍ତ୍ର  ବନାମ  ଗଣତନ୍ତ୍ରର  ଜୀବନ  ଶୈଳୀକୁ  ନିଜର  କରି  ନିଅନ୍ତି  ।  କାରଣ  " ଜନତନ୍ତ୍ର  ବନାମ  ଗଣତନ୍ତ୍ର "ର  ସଂଜ୍ଞା  କିଛି  ନାହିଁ  କହିଲେ  ଚଳେ...!!!

ଓଡ଼ିଆ  ଭାଷା  ଓ  ସାହିତ୍ୟ  ବିଭାଗୀୟ  ମୁଖ୍ୟ
   ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ,  
କଟକ-୪,ଦୂରଭାଷ  : ୯୪୩୭୭  ୪୦୨୮୦   
   Email : Laxmanshoo9040@gmail.com

ଜୟ ସାହିତ୍ୟ, ଜୟ ସମାଜ

ସବୁ ଠିକ୍‌ଠାକ୍‌ ଚ଼ାଲିଛି

ସସ୍ମିତା ଦାସ
   
 ଗାଁ'ରେ ଗା'ରେ ପ୍ରଧାନ ମନ୍ତିରୀ
 ଗ୍ରାମ ସଡକ ଯେ ହଉଚି,
ମାସ କେଇଟାରେ ଅଧା ଭାଙ୍ଗିଲାଣି      
ଆଉରି ଆଗକୁ ରହିଚି
ଠିକାଦାର ଏଠି ପଇସା ଖାଉଚି
ଉପରକୁ କିଛି ଦଉଚି,
ପଚାରିଲେ ତତେ ଉତ୍ତର ମିଳିବ
 ସବୁ ଠିକ୍‌ଠାକ୍ ଚାଲିଚି ।।


ଇସ୍କୁଲରେ ଏବେ ସାର୍ ମାନେ ବସି
ମଧ୍ୟାହ୍ନ ଭୋଜନ ଜଗନ୍ତି,
କୋଉ ଦିଦି ପାଇଖାନା ସଫାକରେ
 କିଏ ଅଣ୍ଡାର ହିସାବ ରଖୁଚି,
ପାଠପଢା କିଛି ମୁଣ୍ଡରେ ପଶୁନି
ପିଲା ହରବର ହଉଚି,
ପଚାରିଲେ ତତେ ଉତ୍ତର ମିଳିବ 
ସବୁ ଠିକ୍‌ଠାକ୍ ଚାଲିଚି ।


ଟୁସନ କରି କଲେଜ୍ ପାଠ ମାରା
       ମାଷ୍ଟରର ମୁଣ୍ଡ ବିନ୍ଧୁଚି,
ଟୁସନ ସାର୍ ସୁନ୍ଦରୀ ଛାତ୍ରୀକି 
     ନେଇକି ଚମ୍ପଟ ମାରୁଚି,
ଗୁରୁ ଆଉ ଶିଷ୍ୟର ସଂପର୍କରେ ଏବେ
  ପ୍ରଶ୍ନ ଚିହ୍ନଟିଏ ଲାଗିଚି,
ପଚିରିଲେ......ଠିକ୍‌ଠାକ୍ ଚାଲିଚି ।।


ଅଫିସ୍‌ରେ ଦେଖ କର୍ମଚାରୀଙ୍କର
       ଚା'ପିଆ ପର୍ବ ଚାଲିଚି,
ପିଅନ ମାଗୁଚି ଚା'ପାଣି ଖର୍ଚ୍ଚ
    ଅଫିସର ଆଖି ଠାରୁଚି,
ଏଣେ ଲାଞ୍ଚ ଦବା ଲାଞ୍ଚ ନବା ଅପରାଧ
 ତାଙ୍କ ବୋର୍ଡରେ ଲେଖା ହେଇଚି
ପଚାରିଲେ......ଠିକ୍‌ଠାକ୍ ଚାଲିଚି ।।



ଡାକ୍ତରଖାନାରେ ଡାକତରବାବୁ
ଖାଲି ପେଜେଣ୍ଟ ପକେଇ ଯାଉଚି,
ବସାଘରେ ତା'ର କ୍ଲିନିକି ଖୋଲିଚି
   ଫିସ୍ ବାବଦ ତିନିଶ ନଉଚି 
ସର୍କାରୁ ଓଷଦ କମ୍ପାଉଣ୍ଡର ନିଏ,
     ନର୍ସ ବି କାନିରେ ବାନ୍ଧୁଚି,
ପଚାରିଲେ....ଠିକ୍‌ଠାକ୍ ଚାଲିଚି ।।

କେତେ ଭେରାଇଟି ଭଜନ ଆସିକି   
 ସହର ବଜାରେ ବାଜୁଚି
ଟିଭି ପରଦାରେ ଡୁପ୍ଲିକେଟ ରାଧା
କେତେ ଭଇରଙ୍ଗେ ନାଚୁଚି,
ବଡଦିଅଁ ପାଇଁ ରାଜନୀତି ହୁଏ
 ନୀତି ଅନୀତି କେ' ଦେଖୁଚି,
ପଚାରିଲେ.....ଠିକ୍‌ଠାକ୍ ଚାଲିଚି ।।


କନଷ୍ଟେବଳ ନିଦେ ଘୁଙ୍ଗୁଡି ମାରୁଚି
    ପୁଲିସି ଚୋରକୁ ଡରୁଚି,
ଚୋରି ହେଇଥିଲେ ଥାନା ଯଦି ଯିବ
   ପୁଲିସି କହୁଚି..ଭଲ..ହେଇଚି..
ନିରିଦୋଷ ଏଠି ଦଣ୍ଡ ପାଉଅଛି
   ଦୋଷୀ ଫୁଲମାଳ ପିନ୍ଧୁଚି,
ପଚାରିଲେ....ଠିକ୍‌ଠାକ୍ ଚାଲିଚି ।।
ଫାଇଲି ପତରେ ଜଙ୍ଗଲ ରହିଚି
   ଚୋରା ଗଛକଟା ଚାଲିଚି,
ଫରେଷ୍ଟର କିନ୍ତୁ ସଫେଇ ଦଉଚି
      ଭଲକରି ଜଗି ବଇଚି,
ଏଇ ହିସାବରେ ବନୀକରଣ ଯୋଜନା
 ଆଗକୁ ଆଗକୁ ମାଡୁଚି,
ପଚାରିଲେ....ଠିକ୍‌ଠାକ୍ ଚାଲିଚି ।।


ମାଣବସା ବେଳେ ବହିପଢା ନାହିଁ

 ପେନ୍ ଡ୍ରାଇଭ୍ ସେ କାମ କରୁଚି,
ପିଠା ଗଢିବାଟା ଟାଇମି ଉଏଷ୍ଟ
     ଛାଞ୍ଚ ତା ପାଇଁ ରହିଚି,
କିଏ ଓଡିଆଣୀ କିଏ ବିଦେଶିନୀ
    ଆଉ ତ ଚିହ୍ନିବା ନୋହୁଚି,
ପଚାରିଲେ....ଠିକ୍‌ଠାକ୍ ଚାଲିଚି ।।

ୟା' ପାଇଁ ଚାନ୍ଦା ତା' ପାଇଁ ଚାନ୍ଦା

    ଚାନ୍ଦା ମତେ ଚନ୍ଦା କରୁଚି,
ମନା କରିଦେଲେ ଦି'ଗୁଣା ଚାନ୍ଦା
    ଜବରଦସ୍ତ ନବ କହୁଚି,
ସେ ଦେବୀମୂର୍ତ୍ତୀ କି ହିନ୍ଦୀ ହିରୋଇନି
     ଭ୍ରମରେ ମଣିଷ ପଡୁଚି,
ପଚାରିଲେ....ଠିକ୍‌ଠାକ୍ ଚାଲିଚି ।।

ରେଡ୍ ଫିଲିମି ଗ୍ରୀନି ଫିଲିମି

   ବ୍ଲୁ ଫିଲ୍ମ ସଂଖ୍ୟା ବଢୁଚି,
ବ୍ଲୁ ଫିଲ୍ମ ଦେଖି ଟାଙ୍କେ ପିଇଦେଇ
     ପୁଅଟା ଘରକୁ ଫେରୁଚି,
ବାପା ମା'ଙ୍କର ସପନ ଭାଙ୍ଗୁଚି
   ଆଖିରୁ ଲୁହ ନ ଶୁଖୁଚି,
ପଚାରିଲେ....ଠିକ୍‌ଠାକ୍ ଚାଲିଚି ।।

ପାର୍କକୁ ଆଉ ଯାଇ ହଉନାହିଁ

   ଭାରି ଭିଡ ସେଠି ଲାଗିଚି,
ଯୁଆଡେ ଦେଖିବ ଲୈଲା ମଜନୁ
   ତେଣୁ ଏକମୁହାଁ ଫେରୁଚି,
ଦେଖ ଲିପ୍ କିସ୍ ଫ୍ଲାଇଂ କିସ୍
ଖାଲି ଫାଇଁ ଫାଇଁ ହେଇ ଉଡୁଚି,
ପଚାରିଲେ....ଠିକ୍‌ଠାକ୍ ଚାଲିଚି ।।



ବାହାଘର ପରେ ଶଶୁର ଘରଟା 

     ପୁଅପାଇଁ ସ୍ବର୍ଗ ହେଇଚି,
ଶାଶୁ ଶଶୁର ତ ତା'ପାଇଁ ଦେବତା
    ବାପା ମା'ଙ୍କୁ କେ ଦେଖୁଚି,
ପଚାରିଲେ....ଠିକ୍‌ଠାକ୍ ଚାଲିଚି ।।

ଖଜୁରୀ ଗଛର କି ଗୁଣ ଗାଇବି

     ମୂଳରୁ ପାହାଚ ପାହାଚ,
ଦେଖିବା ଶୁଣିବା ଲୋକ କହୁଚନ୍ତି
   ଏ(ମୁଁ)ପଢୁଚି ପାଗଳ ଉବାଚ,
ଯିଏ ଯାହା ବାଟେ ଯେମିତି ଚାଲୁଚି
    ତୋ' ମୁଣ୍ଡ କାଇଁ ବିନ୍ଧୁଚି ?
ତୁ ଆଜିଠାରୁ କହିବା ଶିଇଖି
    ସବୁ ଠିକ୍‌ଠାକ୍ ଚାଲିଚି
ଏଠି ସବୁ ଠିକ୍‌ଠାକ୍ ଚାଲିଚି ।।

ଦାମୋଦରପୁର-କଣ୍ଟାପଡ଼ା-କଟକ                                                      

ଜୟ ସାହିତ୍ୟ, ଜୟ ସମାଜ