ସୁଚିତ୍ରା ରଥ
ତା'ର ବାସରେ ଚହଟୁଛି
ବନ ବୋଲି ଜାଣେନି ଫୁଲ
ତା'ର ନାଭିରେ ଅଛି କସ୍ତୁରୀ
ବୋଲି ବୁଝେନି ମୄଗ
ଅଭାବର ପାହାଡ ତଳେ
ଦବି ଯାଉଥିବା ଗଳା
ବାଣ୍ଟି ଜାଣେନି ସୁରର ସୌରଭ
ବାସ୍ ନିଜ ଭାଗର ବାସ ତକ
ଭୋଗିନେବା ଛଡା
ସେଠି ନେସି ହୋଇଥାଏ
କେବଳ ଭୋକ ଆଉ ଭୋକ ।
କିଏ କାହିଁ ଅଜାଡିଦେବ
ତା' ପଣତରେ ମୁଠାଏ ଶ୍ରଦ୍ଧା,
ଚେନାଏ ବିଶ୍ୱାସ ଆଉ
ହାବୁକାଏ ତରଳ ନିଃଶ୍ବାସ !
ତା' ପାଇଁ ତ ଭାତଥାଳି ସ୍ବର୍ଗସୁଖ
ସେ ବା କାହିଁ ସ୍ବପ୍ନ ଦେଖିବ
ଅନ୍ଧାରର ପେଟ ଚିରି କେବେ
ଫେରିବ ଆଲୋକ !
ସମୟର କୁହୁକୀ ସ୍ପର୍ଶରେ
ଥରେ ବାଜୁଥିଲା ବାଂଶୁରୀ
ବାଉଳା ପବନଟା ବାହିନେଲା
ତାକୁ ବନରୁ ବନାନ୍ତର
ଷ୍ଟେସନରୁ ଚିତ୍ରନଗର ।
ପବନ ହିଁ ଚିହ୍ନାଇ ଦେଲା
ସେ ଇତର ନୁହେଁ ଅତର
କେତେ ଲୋଭନୀୟ
ବାସ ବନଫୁଲର
କେତେ ଆଦର କସ୍ତୁରୀର
ଏବେ ତା'ର ଶୂନ୍ୟ ଥାଳିରେ ତ
ଭରା ପୁଞ୍ଜାପୁଞ୍ଜା ତାରାଫୁଲ
ଏମିତି ଗନ୍ଧବହ ବୋଲାଉ
ପବନ ଚିରକାଳ
ଏମିତି ହସୁଥାନ୍ତୁ
ଯେତେ ସବୁ ରାନୁ ମଣ୍ଡଳ ।
🚩ପୁରୀ🚩
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।