ସସ୍ମିତା ଦାସଗାଁ'ରେ ଗା'ରେ ପ୍ରଧାନ ମନ୍ତିରୀ
ଗ୍ରାମ ସଡକ ଯେ ହଉଚି,
ମାସ କେଇଟାରେ ଅଧା ଭାଙ୍ଗିଲାଣି
ଆଉରି ଆଗକୁ ରହିଚି
ଠିକାଦାର ଏଠି ପଇସା ଖାଉଚି
ଉପରକୁ କିଛି ଦଉଚି,
ପଚାରିଲେ ତତେ ଉତ୍ତର ମିଳିବ
ସବୁ ଠିକ୍ଠାକ୍ ଚାଲିଚି ।।
ଇସ୍କୁଲରେ ଏବେ ସାର୍ ମାନେ ବସି
ମଧ୍ୟାହ୍ନ ଭୋଜନ ଜଗନ୍ତି,
କୋଉ ଦିଦି ପାଇଖାନା ସଫାକରେ
କିଏ ଅଣ୍ଡାର ହିସାବ ରଖୁଚି,
ପାଠପଢା କିଛି ମୁଣ୍ଡରେ ପଶୁନି
ପିଲା ହରବର ହଉଚି,
ପଚାରିଲେ ତତେ ଉତ୍ତର ମିଳିବ
ସବୁ ଠିକ୍ଠାକ୍ ଚାଲିଚି ।
ଟୁସନ କରି କଲେଜ୍ ପାଠ ମାରା
ମାଷ୍ଟରର ମୁଣ୍ଡ ବିନ୍ଧୁଚି,
ଟୁସନ ସାର୍ ସୁନ୍ଦରୀ ଛାତ୍ରୀକି
ନେଇକି ଚମ୍ପଟ ମାରୁଚି,
ଗୁରୁ ଆଉ ଶିଷ୍ୟର ସଂପର୍କରେ ଏବେ
ପ୍ରଶ୍ନ ଚିହ୍ନଟିଏ ଲାଗିଚି,
ପଚିରିଲେ......ଠିକ୍ଠାକ୍ ଚାଲିଚି ।।
ଅଫିସ୍ରେ ଦେଖ କର୍ମଚାରୀଙ୍କର
ଚା'ପିଆ ପର୍ବ ଚାଲିଚି,
ପିଅନ ମାଗୁଚି ଚା'ପାଣି ଖର୍ଚ୍ଚ
ଅଫିସର ଆଖି ଠାରୁଚି,
ଏଣେ ଲାଞ୍ଚ ଦବା ଲାଞ୍ଚ ନବା ଅପରାଧ
ତାଙ୍କ ବୋର୍ଡରେ ଲେଖା ହେଇଚି
ପଚାରିଲେ......ଠିକ୍ଠାକ୍ ଚାଲିଚି ।।
ଡାକ୍ତରଖାନାରେ ଡାକତରବାବୁ
ଖାଲି ପେଜେଣ୍ଟ ପକେଇ ଯାଉଚି,
ବସାଘରେ ତା'ର କ୍ଲିନିକି ଖୋଲିଚି
ଫିସ୍ ବାବଦ ତିନିଶ ନଉଚି
ସର୍କାରୁ ଓଷଦ କମ୍ପାଉଣ୍ଡର ନିଏ,
ନର୍ସ ବି କାନିରେ ବାନ୍ଧୁଚି,
ପଚାରିଲେ....ଠିକ୍ଠାକ୍ ଚାଲିଚି ।।
କେତେ ଭେରାଇଟି ଭଜନ ଆସିକି
ସହର ବଜାରେ ବାଜୁଚି
ଟିଭି ପରଦାରେ ଡୁପ୍ଲିକେଟ ରାଧା
କେତେ ଭଇରଙ୍ଗେ ନାଚୁଚି,
ବଡଦିଅଁ ପାଇଁ ରାଜନୀତି ହୁଏ
ନୀତି ଅନୀତି କେ' ଦେଖୁଚି,
ପଚାରିଲେ.....ଠିକ୍ଠାକ୍ ଚାଲିଚି ।।
କନଷ୍ଟେବଳ ନିଦେ ଘୁଙ୍ଗୁଡି ମାରୁଚି
ପୁଲିସି ଚୋରକୁ ଡରୁଚି,
ଚୋରି ହେଇଥିଲେ ଥାନା ଯଦି ଯିବ
ପୁଲିସି କହୁଚି..ଭଲ..ହେଇଚି..
ନିରିଦୋଷ ଏଠି ଦଣ୍ଡ ପାଉଅଛି
ଦୋଷୀ ଫୁଲମାଳ ପିନ୍ଧୁଚି,
ପଚାରିଲେ....ଠିକ୍ଠାକ୍ ଚାଲିଚି ।।
ଫାଇଲି ପତରେ ଜଙ୍ଗଲ ରହିଚି
ଚୋରା ଗଛକଟା ଚାଲିଚି,
ଫରେଷ୍ଟର କିନ୍ତୁ ସଫେଇ ଦଉଚି
ଭଲକରି ଜଗି ବଇଚି,
ଏଇ ହିସାବରେ ବନୀକରଣ ଯୋଜନା
ଆଗକୁ ଆଗକୁ ମାଡୁଚି,
ପଚାରିଲେ....ଠିକ୍ଠାକ୍ ଚାଲିଚି ।।
ମାଣବସା ବେଳେ ବହିପଢା ନାହିଁ
ପେନ୍ ଡ୍ରାଇଭ୍ ସେ କାମ କରୁଚି,
ପିଠା ଗଢିବାଟା ଟାଇମି ଉଏଷ୍ଟ
ଛାଞ୍ଚ ତା ପାଇଁ ରହିଚି,
କିଏ ଓଡିଆଣୀ କିଏ ବିଦେଶିନୀ
ଆଉ ତ ଚିହ୍ନିବା ନୋହୁଚି,
ପଚାରିଲେ....ଠିକ୍ଠାକ୍ ଚାଲିଚି ।।
ୟା' ପାଇଁ ଚାନ୍ଦା ତା' ପାଇଁ ଚାନ୍ଦା
ଚାନ୍ଦା ମତେ ଚନ୍ଦା କରୁଚି,
ମନା କରିଦେଲେ ଦି'ଗୁଣା ଚାନ୍ଦା
ଜବରଦସ୍ତ ନବ କହୁଚି,
ସେ ଦେବୀମୂର୍ତ୍ତୀ କି ହିନ୍ଦୀ ହିରୋଇନି
ଭ୍ରମରେ ମଣିଷ ପଡୁଚି,
ପଚାରିଲେ....ଠିକ୍ଠାକ୍ ଚାଲିଚି ।।
ରେଡ୍ ଫିଲିମି ଗ୍ରୀନି ଫିଲିମି
ବ୍ଲୁ ଫିଲ୍ମ ସଂଖ୍ୟା ବଢୁଚି,
ବ୍ଲୁ ଫିଲ୍ମ ଦେଖି ଟାଙ୍କେ ପିଇଦେଇ
ପୁଅଟା ଘରକୁ ଫେରୁଚି,
ବାପା ମା'ଙ୍କର ସପନ ଭାଙ୍ଗୁଚି
ଆଖିରୁ ଲୁହ ନ ଶୁଖୁଚି,
ପଚାରିଲେ....ଠିକ୍ଠାକ୍ ଚାଲିଚି ।।
ପାର୍କକୁ ଆଉ ଯାଇ ହଉନାହିଁ
ଭାରି ଭିଡ ସେଠି ଲାଗିଚି,
ଯୁଆଡେ ଦେଖିବ ଲୈଲା ମଜନୁ
ତେଣୁ ଏକମୁହାଁ ଫେରୁଚି,
ଦେଖ ଲିପ୍ କିସ୍ ଫ୍ଲାଇଂ କିସ୍
ଖାଲି ଫାଇଁ ଫାଇଁ ହେଇ ଉଡୁଚି,
ପଚାରିଲେ....ଠିକ୍ଠାକ୍ ଚାଲିଚି ।।
ବାହାଘର ପରେ ଶଶୁର ଘରଟା
ପୁଅପାଇଁ ସ୍ବର୍ଗ ହେଇଚି,
ଶାଶୁ ଶଶୁର ତ ତା'ପାଇଁ ଦେବତା
ବାପା ମା'ଙ୍କୁ କେ ଦେଖୁଚି,
ପଚାରିଲେ....ଠିକ୍ଠାକ୍ ଚାଲିଚି ।।
ଖଜୁରୀ ଗଛର କି ଗୁଣ ଗାଇବି
ମୂଳରୁ ପାହାଚ ପାହାଚ,
ଦେଖିବା ଶୁଣିବା ଲୋକ କହୁଚନ୍ତି
ଏ(ମୁଁ)ପଢୁଚି ପାଗଳ ଉବାଚ,
ଯିଏ ଯାହା ବାଟେ ଯେମିତି ଚାଲୁଚି
ତୋ' ମୁଣ୍ଡ କାଇଁ ବିନ୍ଧୁଚି ?
ତୁ ଆଜିଠାରୁ କହିବା ଶିଇଖି
ସବୁ ଠିକ୍ଠାକ୍ ଚାଲିଚି
ଏଠି ସବୁ ଠିକ୍ଠାକ୍ ଚାଲିଚି ।।
ଦାମୋଦରପୁର-କଣ୍ଟାପଡ଼ା-କଟକ
ଜୟ ସାହିତ୍ୟ, ଜୟ ସମାଜ












Very nice n this is the perfect image of our fake society.
ReplyDelete